ହରିବଂଶ ଷଷ୍ଠ ଖଣ୍ଡ

 

 

 

 

 

 

 

 

 

 

ହରିବଂଶ (ଷଷ୍ଠ ଖଣ୍ଡ)

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

 

୧.

ସୂର୍ଯ୍ୟ ସ୍ତୁତି

୨.

ରୁକ୍ମିଣୀ ଦେବୀଙ୍କ ବିବାହ ନିମନ୍ତେ ଭୀଷ୍ମଙ୍କ ନୃପତିର ବର ଅନ୍ଵେଷଣ

୩.

ଶିଶୁପାଳକୁ ବରିବା ପାଇଁ ରୁକ୍ମଣର ଗମନ ଓ ରୁକ୍ମିଣୀଙ୍କ ଦୁର୍ଗାସ୍ତୁତି

୪.

ରୁକ୍ମିଣୀଙ୍କର ଦୁର୍ଗାଙ୍କଠାରୁ ବରଲାଭ ଓ କୃଷ୍ଣଙ୍କ ପ୍ରତି ଦୂତ ପ୍ରେରଣା

୫.

କୃଷ୍ଣଙ୍କର ଦୂତବେଶୀ ବ୍ରାହ୍ମଣଠାରୁ ପ୍ରଦତ୍ତ ଚିଟାଉ ଗ୍ରହଣ ଓ କୁଣ୍ଡୀନଗ୍ର ଅଭିମୁଖେ ଯାତ୍ରା

୬.

କୁଣ୍ଡୀନଗ୍ରେ ବରବେଶୀ ଶିଶୁପାଳର ପ୍ରବେଶ ଓ ବିଦ୍ୟାଧର ବ୍ରାହ୍ମଣର ପୂର୍ବଶାପ ବିବରଣ

୭.

ବଳରାମଙ୍କ ସହିତ ଯାଦବମାନଙ୍କର କୁଣ୍ଡିନଗ୍ରେ ପ୍ରବେଶ ଓ କୃଷ୍ଣଙ୍କ କର୍ତ୍ତୃକ ରୁକ୍ମିଣୀ ହରଣ

୮.

ଯାଦବଙ୍କ ସହିତ ରାଜାମାନଙ୍କର ଗୋଳଯୁଦ୍ଧ ଓ କୃଷ୍ଣଙ୍କଦ୍ଵାରା ରୁକ୍ମଣର ବନ୍ଧନ

୯.

ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ପରାଜୟ ଏବଂ ବିଭା ବେଦୀରେ ଶିଶୁପାଳର ଅପମାନ

୧୦.

କୃଷ୍ଣଙ୍କୁ ଜିଣିବା ପାଇଁ ରୁକ୍ମଣର ତପସ୍ୟା

୧୧.

ବ୍ରହ୍ମାଦି ଦେବଗଣଙ୍କର ଦ୍ଵାରକା ପ୍ରବେଶ ଓ ରୁକ୍ମିଣୀ ବିଭା

୧୨.

ଶିଷ୍ୟଗଣ ସହ ଦୁର୍ବାସାଙ୍କର ଦ୍ଵାରକା ଗମନ ଓ ରୁକ୍ମିଣୀଙ୍କର ରଜଃକୋଷ୍ଠୀ ଗଣନା

୧୩.

ରୁକ୍ମିଣୀଙ୍କର ବନ୍ଦାପନା

୧୪.

ବ୍ରହ୍ମହତ୍ୟା ପାପ ଖଣ୍ଡନ ନିମିତ୍ତ ଶିବଙ୍କର ଯୋଗ ସାଧନା

୧୫.

ହରକୋପାନଳରେ ମଦନର ଭସ୍ମ ଓ ରତିଦେବୀର ବିଳାପ

୧୬.

ରତିର ଶିବ ସ୍ତୁତି ଓ ବରଲାଭ

୧୭.

କାର୍ତ୍ତିକେୟ ଜନ୍ମ

୧୮.

ତାରକାସୁର ବଧ

୧୯.

ବ୍ରହ୍ମାଙ୍କର ଉପଦେଶରେ ରତିର ତପସ୍ୟା

୨୦.

ଶମ୍ବରାସୁର ଦ୍ଵାରା ରତି ହରଣ

୨୧.

କନ୍ଦର୍ପର ପୂର୍ବ ଶାପ ବିବରଣ

୨୨.

ପ୍ରଦ୍ୟୁମ୍ନ ଜନ୍ମ

୨୩.

ଶମ୍ବରାସୁର କର୍ତ୍ତୁକ ପ୍ରଦ୍ୟୁମ୍ନ ଅପହରଣ ଏବଂ ସମୁଦ୍ର ଗର୍ଭକୁ କ୍ଷେପଣ

୨୪.

ମୀନଗର୍ଭରୁ ମୀନକେତନର ଜନ୍ମ

୨୫.

ମୀନକେତନ ସଙ୍ଗେ ରତୀର ପରିଚୟ

୨୬.

ମୀନକେତନର ଅସ୍ତ୍ରଶିକ୍ଷା ଓ ଶମ୍ବରାସୁର ପୁତ୍ରଙ୍କର ବିନାଶ

୨୭.

ଶମ୍ବରାସର ବଧ

୨୮.

ରୁକ୍ମିଣୀ ନିକଟରେ ବ୍ୟାସଙ୍କର ସ୍ଵପ୍ନ ଫଳାଫଳ କଥନ, ରତି କନ୍ଦର୍ପର ଦ୍ଵାରକା ପ୍ରବେଶ ଓ ଅନିରୁଦ୍ଧ ଜନ୍ମ

୨୯.

ରେବତୀ ବିଭା

୩୦.

କୁମ୍ଭ ନିକୁମ୍ଭ ବଧ

୩୧.

ରେବତୀଙ୍କର ଯମଜ ପୁତ୍ର ଜନ୍ମ

୩୨.

ରାମକୃଷ୍ଣଙ୍କର ଘୋଷଯାତ୍ରା ଓ ଶ୍ରୀୟା ସତ୍ୟବତୀ ସହ କୃଷ୍ଣଙ୍କର ବିଭା

୩୩.

କାଳିନ୍ଦୀ, କମଳା ଓ ତୁଳସୀର ସହିତ କୃଷ୍ଣଙ୍କର ବିବାହ

୩୪.

ମଣି ବୃତ୍ତାନ୍ତ ଓ ମଣି ଘେନି ଯିବାବେଳେ ପ୍ରସନ୍ନାଜିତର ସିଂହଦ୍ଵାରା ବଧ

୩୫.

ସ୍ୟମନ୍ତକ ମଣି ଅନ୍ଵେଷଣେ ଶ୍ରୀକୃଷ୍ଣଙ୍କର ଯାତ୍ରା

୩୬.

କୃଷ୍ଣଙ୍କ ସହିତ ଜାମ୍ବବାନର ଯୁଦ୍ଧ

୩୭.

ଦ୍ଵାରକାରେ କୃଷ୍ଣରୂପୀ କୁଶପୁତ୍ତଳିକାର ଦହନ

୩୮.

ଶ୍ରୀକୃଷ୍ଣଙ୍କ ଦ୍ଵାରା ଜାମ୍ବବାନର ପରାଜୟ ଓ ଜାମ୍ବବତୀ ସହ କୃଷ୍ଣଙ୍କର ବିଭା

୩୯.

ସତ୍ୟଭାମା ପରିଣୟ

୪୦.

ସତ୍ୟଭାମାର ବନ୍ଦାପନା

୪୧.

ଶତଧନୁର ଶିରଚ୍ଛେଦ

୪୨.

ପଞ୍ଚାଳ ଦେଶରେ ଦ୍ରୌପଦୀ ସ୍ଵୟମ୍ବର

୪୩.

ନାରକାସର ବଧ

୪୪.

ପାରିଜାତ ହରଣ

୪୫.

ଶ୍ରୀକୃଷ୍ଣଙ୍କର ଶୋଳସହସ୍ର କନ୍ୟା ବିବାହ ଏବଂ ପଶାଖେଳରେ ବଳରାମଙ୍କ ଦ୍ଵାରା ରୁକ୍ମଣ ବଧ

୪୬.

ଉଷାବତୀ କନ୍ୟା ହରଣ ଓ ହରିହର ଯୁଦ୍ଧ

୪୭.

ନୃଗରାଜ ମୋକ୍ଷଣ

୪୮.

ଶ୍ରୀକୃଷ୍ଣଙ୍କ ଦ୍ଵାରା ପୁଣ୍ଡରୀକ ବାସୁଦେବ ଓ କାଶୀରାଜା ବଧ ଏବଂ ବଳରାମଙ୍କ ଦ୍ଵାରା ତ୍ରୀବିଦ ବାନରର ମୃତ୍ୟୁ

୪୯.

ଶାମ୍ବର ଲକ୍ଷଣ କନ୍ୟା ପରିଣୟ

୫୦.

ଜରାସନ୍ଧ ବଧ

୫୧.

ଯୁଧିଷ୍ଠିରଙ୍କର ରାଜସୂୟ ଯାଗ ଓ କୃଷ୍ଣଙ୍କ ଦ୍ଵାରା ଶିଶୁପାଳର ବଧ

୫୨.

ରାଜୁସି ସଭାରେ ଦୁର୍ଯ୍ୟୋଧନର ଅପମାନ

୫୩.

ଶାଲ୍ୱ ଦୈତ୍ୟ ବଧ

୫୪.

ବଳରାମଙ୍କ ତୀର୍ଥ ଭ୍ରମଣ

୫୫.

ଦାମୋଦର ପଣ୍ଡାର କୃଷ୍ଣ ଭକ୍ତି

୫୬.

କୁରୁକ୍ଷେତ୍ର ମାହାତ୍ମ୍ୟ କଥନ

୫୭.

ଶିବଙ୍କ ରକ୍ଷା ପାଇଁ ବିଷ୍ଣୁ ମାୟାରେ ଭସ୍ମାସୁରର ମୃତ୍ୟୁ

୫୮.

ଭୃଗୁ ଉପାଖ୍ୟାନ

୫୯.

ବିପ୍ର ପୁତ୍ରର ପୁନର୍ଜୀବନ ଲାଭ

୬୦.

ଷୋଳସହସ୍ର ନାୟିକା ସହିତ ଶ୍ରୀକୃଷ୍ଣଙ୍କର ଜଳକେଳି

 

ନମୋ ମତ୍ସ୍ୟକର୍ମାଦି ନାନା ସ୍ଵରୂପୈଃ ସଦା ଭକ୍ତକାର୍ଯ୍ୟୋଦ୍ୟୟାର୍ତ୍ତିହନେ

ବିଧାତ୍ରେ ତୁ ସୃଷ୍ଟି ସ୍ଥିତିଧ୍ଵ ସକର୍ତ୍ତ୍ରେ ଗଦାଶଙ୍ଖପଦ୍ମରିହସ୍ତାୟତେଽସ୍ତୁ

।।

 

 

ମଙ୍ଗଳଂ ଭଗବାନ୍ ବିଷ୍ଣୁର୍ମଙ୍ଗଳଂ ମଧୁସୂଦନଃ

ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ଗରୁଡ଼ଧ୍ଵଜଃ

।।

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା

ଆଦ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ ଗୀୟତେ

।।

 

 

ସୂର୍ଯ୍ୟସ୍ତୁତି

ଜୟ ଜୟ ଜଗନ୍ନାଥ ପ୍ରଭୁ ନିରଞ୍ଜନ

ଅଶେଷ କୋଟି ବ୍ରହ୍ମାଣ୍ଡେ ଅଛ ତୁମ୍ଭେ ପୂର୍ଣ୍ଣ ।

ଆଦି ଅନ୍ତ ମଧ୍ୟ ବିବର୍ଜିତ ତୁମ୍ଭେ ପୁଣି

ଷାଠିଏ ଦଣ୍ଡରେ ଭ୍ରମ ସକଳ ମେଦିନୀ ।

ପୃଥ୍ଵୀ ଆପ ତେଜ ବାୟୁ ବ୍ୟୋମ ପଞ୍ଚଭୂତ

ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭ ତହୁଁ ଜାତ ।

ହବି ହୋମ ଜପ ତପ ସନ୍ଧ୍ୟାଆଦି ସର୍ବ

ତୁମ୍ଭ ଶ୍ରୀଅଙ୍ଗରୁ ସ୍ଵାମୀ ହୋଇଛି ଉଦ୍ଭବ ।

ସର୍ବ ଶାସ୍ତ୍ରମାନଙ୍କର ତୁମ୍ଭେ ଯେ ନୟନ

ନମସ୍ତେ ପରମାନନ୍ଦ ପ୍ରଭୁ ନିରଞ୍ଜନ ।

ନମସ୍ତେ ସକଳ ଆତ୍ମା ସର୍ବଭୂତବାସୀ

ଅଶେଷ ବ୍ରହ୍ମାଣ୍ଡେ ଘୋଟିଅଛି ତେଜରାଶି ।

ଏକ ଚକ୍ରରେ ଶୋଭିତ ଦିଶେ ତୁମ୍ଭ ରଥ

ସାତଗୋଟି ଅଶ୍ଵ ଯୋଚା ତହିଁରେ ସନ୍ତତ ।

କଳ୍ପ କଳ୍ପାନ୍ତରେ ତୁମ୍ଭେ ଅଟ ବେଦକର୍ତ୍ତା

ଠୁଳଶୂନ୍ୟ ବିବର୍ଜିତ ଜଗତର ପିତା ।

 

ଯେବଣ କାଳରେ ପୃଥ୍ୱୀ ହେଲା ଜଳମୟ

ଲକ୍ଷେ କିରଣ ଘେନିଣ ହୋଇଲ ଉଦୟ ।

ପ୍ରଳୟ ଜଳଧି ଶୁଖି ହେଲା ମହୀସ୍ଥଳୀ

ପର୍ବତ କାନନ ଆଦି ସବୁ ଗଲା ଜଳି ।

ତା ଦେଖି କହିଲେ ଦେବେ ବିକଳରେ ଆସି

ଦେହ କ୍ଷୀଣ କଲେ ତୁମ୍ଭେ ଏକଯନ୍ତ୍ରେ ବସି ।

ସହସ୍ରେ କିରଣ ଘେନି ତହୁଁ ଗଲ ଉଠି

ତୁମ୍ଭେ ହେତୁ ରକ୍ଷା ହେଲା ଚରାଚର ସୃଷ୍ଟି ।

ସକଳ ପ୍ରାଣୀଙ୍କ ହିତେ ତୁମ୍ଭେ ଦେହବନ୍ତ

ଧର୍ମ ରକ୍ଷାପାଇଁ ଆପେ ହୋଇଲ ଉଦିତ ।

ଚାରିବେଦ ଷଡ଼ଶାସ୍ତ୍ର ପୁରାଣର ବିଧି

ଚୌରାଶୀ ଖଣ୍ଡ ଶାସ୍ତ୍ରକୁ ରଖିଲେ ସମ୍ପାଦି ।

ତୁମ୍ଭ ଯୋଗେ ସ୍ଥିର ହେଲା ସମଗ୍ର ମେଦିନୀ

ପ୍ରାଣୀଙ୍କର ଚକ୍ଷୁ ତୁମ୍ଭେ ପ୍ରଭୁ ଦିନମଣି ।

ଲୋକସାକ୍ଷୀ ବୋଲି ନାମ ଅଟଇ ତୁମ୍ଭର

ଗ୍ରହଗଣ ମଧ୍ୟେ ତୁମ୍ଭେ ଅଟେ ଗ୍ରହେଶ୍ଵର ।

ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ଦାତା

ନାମ ସୁମରନ୍ତେ ଛାଡ଼େ ରୋଗ ଶୋକ ବ୍ୟଥା ।

ଛାୟା ପ୍ରାଣବନ୍ଧୁ ତୁମ୍ଭେ ପ୍ରଭୁ ଦିନନାଥ

ଉଡ଼ାଳେ ସହସ୍ର ଯୂଣ ଚଳେ ତୁମ୍ଭ ରଥ ।

ସପ୍ତାଶ୍ଵ ବାହନ ରଥେ ସଦା ତୁମ୍ଭ ଗତି

ଦିନକରେ ଭ୍ରମୁଅଛ ଚରାଚର କ୍ଷିତି ।

ବିନତାର ନନ୍ଦନ ଯେ ଗରୁଡ଼ର ଜ୍ୟେଷ୍ଠ

ଅରୁଣ ନାମରେ ପକ୍ଷୀ ଅତ୍ୟନ୍ତ ବଳିଷ୍ଠ ।

ସେ କାଶ୍ୟପି ତୁମ୍ଭ ରଥେ ସାରଥି ହୋଇଣ

ଲୋକ ହିତେ ଆବୋରିଲେ ପ୍ରଚଣ୍ଡ କିରଣ ।

ନମସ୍ତେ ହେ ଦିବାକର ପ୍ରଚଣ୍ଡ ମୂରତି

ଶରଣ ସୋଦର ନାଥ ଅଗତିର ଗତି ।

ନିରଞ୍ଜନ ପାଦପଦ୍ମେ ଲୋଟୁ ମୋର ମାଥ

ଅଚ୍ୟୁତ ଦାସକୁ ରକ୍ଷା କର ଦିନନାଥ ।

 

ହରିବଂଶ ଷଷ୍ଠ ଖଣ୍ଡ

ରୁକ୍ମିଣୀ ଦେବୀଙ୍କ ବିବାହ ନିମନ୍ତେ ଭୀଷ୍ମକ ନୃପତିର ବର ଅନ୍ଵେଷଣ

 

ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା

ପଚାରିଲେ ଶୁକମୁନି ପାଦେ କରି ପୂଜା ।

ଭୋ ମୁନି ତବ ପ୍ରସାଦେ ଶୁଣି ହରିବଂଶ

ପବିତ୍ର ହୋଇଲା ଆତ୍ମା ଲଭିଲି ସନ୍ତୋଷ ।

ଆଧିବ୍ୟାଧି ଗ୍ରହ ପୀଡ଼ା ରିଷ୍ଟ ଉପଦ୍ରବ

ନାଶ ଯାଇ ଅନ୍ତଃକାଳେ ସଦ୍‌ଗତି ମିଳିବ ।

ଭୋ ମୁନି ଜରାସନ୍ଧର ଭୟେ ପୀତବାସ

ମଥୁରା ଛାଡ଼ି ଦ୍ଵାରକା ପୁରେ କଲେ ବାସ ।

ତହିଁପରେ କିସ କଲେ କୃଷ୍ଣ ହଳଧର

ସେ କଥା ବିସ୍ତାରି ମୋତେ କହ ମୁନିବର ।

ଅଷ୍ଟପାଟବଂଶୀଙ୍କର ବିବାହ ବିଧାନ

ପାରିଜାତ ତରୁ କଥା ପ୍ରଦ୍ୟୁମ୍ନଙ୍କ ଜନ୍ମ ।

ପୃଥ୍ଵୀଭାର ନିବାରଣେ ଲକ୍ଷ୍ମୀଦେବୀ ସାଇଁ

ମହିମା ପ୍ରକାଶ କଲେ ଦ୍ଵାରକାରେ ରହି ।

ମୁଁ ଏହା ଶୁଣିବା ପାଇଁ ବଳାଇଛି ମନ

ଅନୁଗ୍ରହ କରି ମୋତେ କହ ତପୋଧନ ।

ରାଜା ବାକ୍ୟେ ବୋଲନ୍ତି ଯେ ଶୁକ ମହାଯତି

ସାବଧାନ ହୋଇ ଶୁଣ ପଣ୍ଡୁ ପଣନାତି ।

ଅତିଭାଗ୍ୟେ ଭାଗବତ ପୁରାଣର ବାଣୀ

ପବିତ୍ର ହୋଇବୁ ରାଜା କର୍ଣ୍ଣପଥେ ଶୁଣି ।

କୁଣ୍ଡୀନାମେ ନଗ୍ର ଅଛି ବିଦର୍ଭ ଦେଶରେ

କୁଣ୍ଡଳୀ ପର୍ବତ ତଳେ ବେଣୀନଦୀ ତୀରେ ।

ସେ ନଗର ପଞ୍ଚ ପଞ୍ଚଯୂଣ ଦୀର୍ଘ ପ୍ରତି

ଭୀଷ୍ମକ ନାମରେ ରାଜା ପାଳଇ ସେ କ୍ଷିତି ।

ସେ ନଗ୍ରେ ବସନ୍ତି ବେନି ଅରବଦ ଘର

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହିଁ ଆବର ।

ଛତିଶ ପାଟକ ଅଷ୍ଟାଦଷ ଜାତି ମୂଳେ

କୁବେର ସମାନେ ଧନୀ ଅଛନ୍ତି ସକଳେ ।

ପୃଥ୍ଵୀଭାରା ନିବାରଣ ପାଇଁ ଲକ୍ଷ୍ମୀ ଆପେ

ସେ ନଗରେ ଜନ୍ମିଛନ୍ତି ମାନବୀ ସ୍ଵରୂପେ ।

ପବିତ୍ର ଭୂମି ଅଟଇ ସେ କୁଣ୍ଡୀ ନଗର

ତେଣୁ ବାସ କରିଛନ୍ତି ପୁଣ୍ୟବନ୍ତ ନର ।

ଜଗତି ମଣ୍ଡପ ମେଢ଼ ଅଟ୍ଟାଳି ଦେଉଳ

ଅଳକା ଭୁବନ ପ୍ରାୟେ ଦିଶେ ପରିମଳ ।

ଜଗତରେ ପୁଣ୍ୟଭୂମି କୁଣ୍ଡୀନଗ୍ର ସୀମା

କହନ୍ତେ ନ ସରେ ନୃପ ସେ ପୁର ମହିମା ।

ଲକ୍ଷ୍ମୀର ଆହ୍ଲାଦେ ତହିଁ ସର୍ବଜନେ ସୁଖୀ

ଦରିଦ୍ର ଭିକ୍ଷୁକ ନାହିଁ ନାହିଁ ରୋଗୀ ଦୁଃଖୀ ।

ସାମଦେବୀ ବ୍ରାହ୍ମଣ ସେ ଭୀଷ୍ମକ ରାଜନ

ନିରନ୍ତର ଧର୍ମପଥେ ଦେଇଥାନ୍ତି ମନ ।

ଯଜନ ଯାଜନ ଆଦି ଷଟକର୍ମ ଯେତେ

ସର୍ବଦା ସେ କରୁଥାନ୍ତି ଦେବ ପିତୃଅର୍ଥେ ।

ତାଙ୍କ ପାଟ ମହାଦେଈ ନାମ ସତ୍ୟବତୀ

ସୁକୁମାରୀ ସୁଲକ୍ଷଣୀ ପତିବ୍ରତା ସତୀ ।

ଲକ୍ଷ୍ମୀ ଗର୍ଭଧାରିଣୀ ସେ ଆଦି ବୃଦ୍ଧମାତା

ପାଞ୍ଚପୁତ୍ର ଜାତ କଲେ ଏକଇ ଦୁହିତା ।

ରୁକ୍ମଣ ସେ ରୁକ୍ମରଥ ରୁକ୍ମମାଳୀ ପୁଣି

ରୁକ୍ମକାହୁ ରୁକ୍ମକେଶ ପାଞ୍ଚପୁତ୍ର ଭଣି ।

ସାକ୍ଷାତେ କମଳା ହେଲେ କନ୍ୟାରୂପେ ଜନ୍ମ

ରୁକ୍ମିଣୀ ବେଲିଣ ମାତା ପିତାଦେଲେ ନାମ ।

ଅଶେଷ କୋଟି ବ୍ରହ୍ମାଣ୍ଡ ପାଳିବା ନିମିତ୍ତେ

ଅବତାର ଘେନି ଜାତ ହେଲେ ଗର୍ଭପଥେ ।

ନାମ ସୁମରନ୍ତେ ହୁଏ ଦାରିଦ୍ର୍ୟ ଦହନ

ବିଷ୍ଣୁ ହୃଦ ବିଳାସିନୀ ସେ ନାରୀ ରତନ ।

କୋଟି ବ୍ରହ୍ମା ବସି ଯାହା ନ ପାରିଲେ ଗଢ଼ି

ସ୍ଵଇଚ୍ଛାରେ ଦେହ ଧରି କନ୍ୟାରୂପେ ବଢ଼ି ।

ଚରାଚର ପ୍ରାଣୀ ଯାର ଗର୍ଭରୁ ସମ୍ଭୁତ

ସେହି ଲୋକମାତା ଆସି ମର୍ତ୍ତ୍ୟେ ହେଲେ ଜାତ ।

ମାତାଙ୍କର ପଞ୍ଚଭୂତ ପିତାଙ୍କ ଜୀବନ

ଅବହେଳେ ମୋହିଲେ ସେ ପ୍ରାଣୀଙ୍କର ମନ ।

ଜଗତମୋହିନୀ ରୂପ ଧରିଛନ୍ତି ମାତା

ତା ବର୍ଣ୍ଣିବା ପାଇଁ ଅଛି କାହାର କ୍ଷମତା ।

ଚଉଦ ଭୁବନେ ନାହିଁ ଯାହାଙ୍କୁ ଉପମା

ଶୁକ୍ଳପକ୍ଷ ଶଶୀ ପ୍ରାୟେ ବଢ଼ିଲେ ସେ ଜେମା ।

ପାଞ୍ଚ ସାତ ପରିବାରୀ ଖଟିଥାନ୍ତି ସଙ୍ଗେ

ହାସ୍ୟ ରସ କଉତୁକେ ଖେଳି ନାନାରଙ୍ଗେ ।

ପଶା ଶକଟା ଆବର ଖେଳି ନାନା ଖେଳ

ନୃତ୍ୟ ଗୀତରେ ହରନ୍ତି ସେହୁ ଦିନକାଳ ।

ସକଳ ନାୟିକା ରୁକ୍ମିଣୀର ମନ ତୋଷି

ଜନ୍ମେ ଜନ୍ମେ ସେହିମାନେ ତାଙ୍କ ସେବାଦାସୀ ।

ସୁମେଧା ନାମରେ କନ୍ୟା ମନ୍ତ୍ରୀର ଦୁଲଣୀ

ରୁକ୍ମଣୀର ଅଟଇ ସେ ପ୍ରିୟ ସଙ୍ଗାତୁଣୀ ।

ଦାସୀଗଣ ମଧ୍ୟେ ଶ୍ରେଷ୍ଠା ପରମା ସୁନ୍ଦରୀ

ରୁକ୍ମଣୀର ମନ ଜାଣି ଥାଏ ସେବାକରି ।

ଏକଦିନେ ସହଚରୀଗଣ ସଙ୍ଗେ ଘେନି

ଉପବନେ ବିଜେକଲେ ଯାଇ ସେ ରୁକ୍ମଣୀ ।

ବେଭାରେ ବରଷା ଶେଷ ଶରଦ ଯେ ଋତୁ

ଜାଇ ଯୂଇ କନିଅର ଫୁଟି ଧାତୁ ଧାତୁ ।

ଯୂଥ ଯୂଥ ହୋଇ ତହିଁ ଅଳିକୁଳ ମିଳି

କୁସୁମମାନଙ୍କେ ବସି କରୁଛନ୍ତି କେଳି ।

ପରସ୍ପର ଯୋଗ ହୋଇ ପଶୁପକ୍ଷୀଗଣ

ନାନା କଉତୁକେ ଖେଳି କରନ୍ତି ଭ୍ରମଣ ।

ତା ଦେଖି ମଦନେ ପୀଡ଼ା ପାଇଣ ରୁକ୍ମଣୀ

ସୁମେଧା ମୁଖକୁ ଚାହିଁ କହିଲେ ଏ ବାଣୀ ।

ଦେଖ ଦେଖ ସହଚରି ଭ୍ରମରୀଙ୍କ ନୃତ୍ୟ

ନିଜ ସ୍ଵାମୀ ସଙ୍ଗେ ଘେନି ବୁଲନ୍ତି ସନ୍ତତ ।

ମାନବୀ ତନୁ ବହିଲି ମୁହିଁ ମର୍ତ୍ତ୍ୟପୁର

ନବଯୁବା ବୟସ ଗୋ ହୋଇଲା ମୋହର ।

ଏତେଦିନ ଯାଏ ମୋତେ ବର ନ ମିଳିଲା

କା ଆଗେ କହିବି ମୋର କର୍ମେ ଲେଖାଥିଲା ।

ସ୍ତିରୀଏ ହୋଇଲେ ନିଶ୍ଚେଁ ପୁରୁଷକେ ଅଛି

ଜନ୍ମ ହେଲେ ପ୍ରାଣୀ ନିଶ୍ଚେଁ ମରଣ ଲଭୁଛି ।

ଦିବସ ହୋଇଲେ ଦେଖ ହୁଅଇ ରଜନୀ

ଲାଭ ହେଲା ପରେ ପୁଣି ହେଉଅଛି ହାନି ।

ଦୁଃଖ ଅନ୍ତରେ ଯେ ସୁଖ ହେଉଅଛି ଜାତ

ମୋ କର୍ମ ଅବଳେ ତାହା ହେଲା ବିପରୀତ ।

ଉତ୍ତମ ଜନମ ପାଇ ଲାଭ ନାହିଁ କିଛି

ଦେଖୁ ଦେଖୁ ଯୁବାକାଳ ଗତ ହେଉଅଛି ।

ସପତ ସମୁଦ୍ରେ ପଶି ନ ତିନ୍ତେ ଚରଣ

ସପ୍ତନିଧି ଆବୋରିଲେ ହେଲା ଅକାରଣ ।

କାମଧେନୁ ଆଶ୍ରେକଲି ନ ତୁଟିଲା କ୍ଷୁଧା

କେତେହେଁ ସହିବି ଆଉ ମଦନର ବାଧା ।

ରୂପ ଯୌବନ ସମ୍ପନ୍ନ ମୁହିଁ ବରାଙ୍ଗନା

ସ୍ଵାମୀ ବିହୀନରେ ଦେହ ଅକାରଣ ସିନା ।

କର୍ମ ଅନୁସାରେ ମୁହିଁ ଅରଜିଛି ଯିସ

ତହିଁକି ଶୋଚନା କଲେ ହେବ ଆଉ କିସ ।

ମୁଁ ଅବା ପିତାଙ୍କୁ ଦୋଷ ଦେବି କାହିଁପାଇଁ

କେତେ କଷ୍ଟେ ସ୍ଵୟମ୍ବର କଲେ ସେ ମୋ ପାଇଁ  

ଚାରିଊଣା ଲକ୍ଷେରାଜା ହୋଇଥିଲେ ମେଳି

ଆଠ ମାସ ସେ ସହିଲେ ନୃପଙ୍କ ଆର୍ଦ୍ଦୋଳି ।

ତଥାପି ମୋହର କାର୍ଯ୍ୟ ନୋହିଲା ତହିଁରେ

ମୁଁ ରାଢ଼େଣୀ ମହାପାପୀ ଅଟଇ ସଂସାରେ ।

ଲକ୍ଷେକ ନୃପତି ବସି ମଣ୍ଡିଥିଲେ ସଭା

ମନ ନ ବଳିଲା ତାଙ୍କୁ ନୋହିଲି ମୁଁ ବିଭା ।

ଏ ନବଯୌବନ ଭାର ସହିବି କିପରି

ପିନ୍ଧିଲା ବସନ ମୋତେ ଲାଗୁଅଛି ଭାରି ।

କ୍ଷଣ କ୍ଷଣକରେ ଅଙ୍ଗେ ନ ରହେ ଚେତନା

ମନ ସେ ଜାଣଇଁ ସିନା ହୃଦର ବେଦନା ।

ଯୁବା ବୟସରେ ନାହିଁ ପତି ସଙ୍ଗେ ଭେଟ

କି ବୁଦ୍ଧି କରିବି ସଖି ପଡ଼ିଲା ସଙ୍କଟ ।

ଏମନ୍ତ ବଚନ ଯହୁଁ କହିଲେ ରୁକ୍ମିଣୀ

କର ଯୋଡ଼ିଣ ସୁମେଧା କହେ ମଞ୍ଜୁବାଣୀ ।

ମାଗୋ ନୃପନନ୍ଦିନି ତୁ ସାବଧାନେ ଶୁଣ

କହିଲେ ନ ସରେ ତୋର ଅଛି ଯେତେ ଗୁଣ ।

ହସ୍ତେ ପଦ୍ମ ପାଦେ ପଦ୍ମ ପାଉଅଛି ଶୋଭା

ପଦ୍ମିନୀ ନାୟିକା ପୁଣି ଏକେ ନବଯୁବା ।

ପରମାସୁନ୍ଦରୀ ତୁ ଯେ ସାକ୍ଷାତରେ ଲକ୍ଷ୍ମୀ

ପୃଥିବୀର ସ୍ତିରୀରତ୍ନ ବୋଲି ତୋତେ ଲେଖି ।

କିପାଁ ତୁ ମନରେ ଦୁଃଖ କରୁଛୁ ଗୋ ମାୟେ

କୋଟି ଇନ୍ଦ୍ରପଦ ତୋତେ ତିରଣ ପରାୟେ ।

ତୁ ଯାହା ଲୋଡ଼ିବୁ ତୋତେ ନ ମିଳିବ କିସ

ଅକାରଣେ କିପାଁ ତୁ ଗୋ ହେୁଉଛୁ ବିରସ ।

ଧୈର୍ଯ୍ୟଗୁଣ ଧରି ତୁ ଯେ ହୋଇଥିଲୁ ସ୍ଥିର

ତୋର ଇଚ୍ଛା ନ ଥିବାରୁ ନ ମିଳିଲା ବର ।

ଏବେ ବିଭାହେବା ପାଇଁ କଲୁ ଯେବେ ଶ୍ରଦ୍ଧା

ପିତାମାତା ହୃଦୟରୁ ଗଲା ଭୟ ବାଧା ।

ତୋର ବିଭା ନୋହିବାରୁ ପାଇଥିଲେ ବ୍ୟଥା

ଭାଇମାନେ ତୋଷ ହେବେ ଶୁଣିଲେ ଏ କଥା ।

ଆବର କଥାଏ ତୋତେ କହୁଅଛି ଶୁଣ

ମୋ ଆଗରେ କହିଛନ୍ତି ତୋ ଭାଇ ରୁକ୍ମଣ ।

ତ୍ରିଭୁବନେ ଦେବ ନାଗ ମାନବେ ଅଛନ୍ତି

ରଣରାଜ ପୁତ୍ରେ ତୋତେ କେହି ନ ରୁଚନ୍ତି ।

ସ୍ଵୟମ୍ବରେ ଯେବେ କେହି ନ ଯୋଗାଇ ଅବା

ସଂସାରେ ବେଭାର ତୋତେ କରାଇଲେ ବିଭା ।

ରୁକ୍ମିଣୀ ବୋଇଲେ ସଖି କହକିନା ମୋତେ

ତ୍ରିଭୁବନ ମଧ୍ୟେ ଛନ୍ତି ବରପାତ୍ର ଯେତେ ।

ବିଦ୍ୟାବନ୍ତ ରୂପବନ୍ତ ଜାତିବନ୍ତ ହେବ

ସର୍ବଗୁଣେ ମୋ ମନକୁ ରଞ୍ଜାଇ ପାରିବ ।

ଦେଖିଲା ମାତ୍ରକେ ଯେବେ ମନହେବ ଲୋଭା

ତୋ ଆଗେ କହୁଛି ନିଶ୍ଚେଁ ତାକୁ ହେବି ବିଭା ।

ସୁମେଧା ବୋଇଲା ସଖି କହୁଅଛି ଶୁଣ

ମର୍ତ୍ତ୍ୟଭୁବନରେ ଛନ୍ତି ଯେତେ ନରରାଣ ।

ରୂପବନ୍ତ ଗୁଣବନ୍ତ ବଳବନ୍ତ ରାୟେ

ଏକ ଏକ ନାମ ଧରି କହିବି ଥୋକାଏ ।

ସୋମବଂଶେ ଜନ୍ମ ଧୃଷ୍ଟରାଷ୍ଟ୍ର ନରପତି

ଦୁର୍ଯ୍ୟୋଧନ ନାମେ ତାର ଅଟଇ ସନ୍ତତି ।

ପନ୍ନଗ ନାରାୟଣ ସେ ହୋଇଅଛି ଜାତ

ଦୁଃଶାସନ ଆଦି ତାର ଊନଶତ ଭ୍ରାତ ।

ସେ ସମସ୍ତେ ବଳବନ୍ତା ସମରେ ଗରିଷ୍ଠ

ଶତେଭାଇଙ୍କ ଉପରେ ଦୁର୍ଯ୍ୟୋଧନ ଜ୍ୟେଷ୍ଠ ।

କହନ୍ତେ ନ ସରେ ଦୁର୍ଯ୍ୟୋଧନର ମହିମା

ଜମ୍ବୁଦ୍ଵୀପ ଗୋଟା ତାର ଅଟେ ରାଜ୍ୟସୀମା ।

ଜଗତ ମଧ୍ୟେ ଶରଣପଞ୍ଜର ତା ବାନା

ପାଷାଣ ଧଇଲେ ହସ୍ତେ ହୁଅଇ ସେ ସୁନା ।

ଜାତିବନ୍ତ ପଣରେ ସେ ଅଟେ ଜଗଜ୍ଜିତା

ଗାନ୍ଧାରସେନ ନନ୍ଦିନୀ ଗାନ୍ଧାରୀ ତା ମାତା ।

ସମ୍ପୂର୍ଣ୍ଣରେ ଅଷ୍ଟାଦଶ ବରଷ ବୟସ

ରୂପେ ସୁରସୁନ୍ଦରୀଙ୍କି କରିପାରେ ବଶ ।

ତୋର ଅନୁରୂପ ବର ଅଟଇ ସେ ଯୁବା

ବିଚାରକୁ ଯୋଗାଇଲେ ହୁଅ ତାକୁ ବିଭା ।

ଭୀଷ୍ମ ଦ୍ରୋଣ ଆଦି ଯାର ହୋଇଛନ୍ତି ସଖା

ସବୁ ରାଜାଙ୍କ ଉପରେ ଅଟେ ଅଗ୍ରଲେଖା ।

ଯେ ଗଙ୍ଗାସାଗରେ ଶତେବାର ଝାସିଥିବ

ଦୁର୍ଯ୍ୟୋଧନ ପରା ସ୍ଵାମୀ ତା ଭାଗ୍ୟେ ମିଳିବ ।

ଆଗ ସ୍ଵୟମ୍ବର କାଳେ ଆସିଥିଲା ସେହି

ତାହାର ସମାନେ ରାଜା ନୋହେ ଆନ କେହି ।

ଯଦୁବଂଶେ ଜାତ କୁନ୍ତ ଭୋଜର ଦୁଲଣୀ

ପଣ୍ଡୁରାଜାଙ୍କର ଭାର୍ଯ୍ୟା କୁନ୍ତୀନାମେ ରାଣୀ ।

ଯୁଧିଷ୍ଠିର ଭୀମାର୍ଜ୍ଜୁନ ଏ ତାଙ୍କର ସୁତ

ସତ୍ୟ ଧର୍ମପରାୟଣ ବୀର ସୁପଣ୍ଡିତ ।

କୁନ୍ତୀ ସାନ ସପତଣୀ ମାଦ୍ରୀ ନାମେ ବାମା

ସୁକୁମାରୀ ସୁଲକ୍ଷଣୀ ମଦ୍ରରାଜ ଜେମା ।

ନକୁଳ ଯେ ସହଦେବ ତାଙ୍କ ବେନି ପୁଅ

ଏହିରୂପେ ପଣ୍ଡୁଙ୍କର ସେ ପଞ୍ଚ ତନୟ ।

ପାଣ୍ଡବ ବୋଲିଣ ତାଙ୍କୁ ବୋଲନ୍ତି ସକଳେ

ମନକଲେ ତ୍ରିଭୁବନ ଜିଣିବେ ସେ ବଳେ ।

ପାଞ୍ଚଭାଇ ଏକୁ ଏକ ଅଟନ୍ତି ସୁନ୍ଦର

ପାରିଲେ ତହିଁରୁ ବାଛି ଗୋଟିଏ ତୁ ବର ।

ସୂର୍ଯ୍ୟବଂଶେ ଦମଘୋଷ ନାମେ ମହୀକ୍ଷିତ

ଶିଶୁପାଳ ବୋଲି ତାର ଅଛି ଏକ ସୁତ ।

ଉତ୍ତମ କ୍ଷତ୍ରିୟ ମଧ୍ୟେ ଅଟଇ ଗଣିତା

ମାତା ତାର ଦଇବକୀ ଦମଘୋଷ ପିତା ।

ରାଜାର ଜ୍ୟେଷ୍ଠ କୁମର ଯୁବରାଜ ସେହି

ବୀରପଣେ ସାଧିପାରେ ଚରାଚର ମହୀ ।

କନ୍ଦର୍ପ ପରାୟ ରୂପ ଦିଶେ ଶୋଭାବନ

ତୁ ତାହାକୁ ବର ଯେବେ ପାଉଅଛି ମନ ।

ମଣି କଣ୍ଣିକାରେ ଯେହୁ ଝାସ ଦେଇଥିବ

ସେ ପୁଣ୍ୟ ବଳରେ ତାକୁ ପତିତ୍ତ୍ଵେ ବରିବ ।

ଆବର ପାଞ୍ଜାଳ ଦେଶେ ଦ୍ରୁପଦ ରାଜନ

ଧୃଷ୍ଟଦ୍ୟୁମନ ଶିଖଣ୍ଡୀ ତା ବେନି ନନ୍ଦନ ।

ସେ ବେନି କୁମରେ ରୂପଗୁଣେ ଅନୁପମ

ସମରେ କରନ୍ତି କୋଟିସିଂହ ପରାକ୍ରମ ।

ମତ୍ସ୍ୟଦେଶେ ଅଧିପତି ନୃପତି ବିରାଟ

ସୁଦେଷ୍ଣା ନାମରେ ତାର ରାଣୀ ଆଦ୍ୟପାଟ ।

ଶଙ୍ଖ ଶ୍ଵେତ ଉତ୍ତର ଏ ତିନି ତାର ପୁତ୍ର

ଇଚ୍ଛା ହେଲେ ତାଙ୍କୁ ବିଭା ହୁଅ ଆଗୋ ମାତ ।

ସୂର୍ଯ୍ୟବଂଶେ ଜାତ ଜରାସନ୍ଧ ନରପତି

ଦେବତା ସମାନେ ଷଡ଼ପୁତ୍ର ତାର ଛନ୍ତି ।

ବଡ଼ ବଳବନ୍ତ ଅଟେ ସେହି ନୃପବର

ଚାରିଊଣା ଲକ୍ଷେରାଜା ବନ୍ଦିଘରେ ତାର ।

ତାଠାରୁ ଅଧିକ ବନ୍ଧୁ ନାହିଁ ଆଉ କେହି

ବିଭା ହୁଅ ଯେବେ ତୁମ୍ଭ ମନକୁ ଯୋଗାଇ ।

କଳିଙ୍ଗ ଦେଶେ କଳିଙ୍ଗସେନ ନାମେ ରାଜା

ଦଶପୁତ୍ର ତାର ଏକାଦଶ ଯେ ଭାରିଯା ।

କୁବେର ସମାନ ଧନବନ୍ତ ସେ ଅଟଇ

ଈଶ୍ଵରଙ୍କ ବରେ ତାର ଅପଚୟ ନାହିଁ ।

ଗ୍ରହ ରୋଗ ଆଦି ପୀଡ଼ା ନାହିଁ ତାର କାୟେ

ଇଚ୍ଛାହେଲେ ସେ ନୃପକୁ ବର ଆଗୋ ମାୟେ ।

ବାଣାସୁର ବଜ୍ରନାଭ ଶମ୍ବର ନାରକା

ଏହାଙ୍କ ନାମ ଶୁଣିଲେ ସ୍ଵର୍ଗେ ପଡ଼େ ଡକା ।

ଏମାନେ ଶିବଙ୍କୁ ସେବି ପାଇଛନ୍ତି ବର

ସବୁକାଳେ ହୋଇଥିବେ ଅଜର ଅମର ।

ଚୁଡ଼ଙ୍ଗ ଦେଶର ଶିବସେନ ନରପତି

ଉଡ଼ଙ୍ଗସେନ ବୋଲିଣ ତାହାର ସନ୍ତତି ।

କନ୍ଦର୍ପ ସମାନ ରୂପେ ଦିଶଇ ସୁନ୍ଦର

ମର୍ତ୍ତ୍ୟ ଭୁବନରେ ଯାକୁ ନାହିଁ ପଟାନ୍ତର ।

ମର୍ହଟ୍ଟ ଦେଶର ରାଜା ମଧୁକର ରାୟେ

ସତ୍ୟସେନ ନାମେ ଅଛି ତାହାର ତନୟେ ।

ବରଷେ ସୂର୍ଯ୍ୟଙ୍କୁ ସେବା କରି ସତ୍ୟସେନ

ସୂର୍ଯ୍ୟ ଦେବଠାରୁ ବର ପାଇଛି ଏସନ ।

ସବୁକାଳେ ନବଯୁବା ହୋଇ ରହିଥିବ

କେତେବେଳେ ଜରାଜୀର୍ଣ୍ଣ ତା ଅଙ୍ଗ ନୋହିବ ।

ଏମନ୍ତ ସୁମେଧା ବାଛି ରୁକ୍ମିଣୀଙ୍କ ଆଗେ

ଅନେକ ନୃପତି ନାମ କହିଲା ସରାଗେ ।

ସୁମେଧା ମୁଖରୁ ଏହା ଶୁଣିଣ ରୁକ୍ମିଣୀ

ମନ୍ଦହାସ କରି ତାକୁ କହିଲେ ଏ ବାଣୀ ।

ଯେତେ ନୃପତିର ନାମ କହିଲୁ ତୁ ସଖି

ଭୋ ଭୃତ୍ୟର ଭୃତ୍ୟପଣେ ତାହାଙ୍କୁ ନ ଲେଖି ।

ମୋତେ ଅପରୂପ ବର ଜମ୍ବୁଦ୍ଵୀପେ କାହିଁ

ଗଜ ସଙ୍ଗେ ଇନ୍ଦୂର କି ସମାନ ହୁଅଇ ।

କେବଣ ବିଧାତା ମୋତେ କରିଛନ୍ତି ଜାତ

ନରମାନେ ଦିଶୁଛନ୍ତି ମୋତେ ଭୃତ୍ୟବତ ।

ସ୍ଵର୍ଗପୁରବାସୀ ଦେବ ଦିଗପାଳ ଯେତେ

ହୀନଲୋକ ପ୍ରାୟ ଦିଶୁଅଛନ୍ତି ସେ ମୋତେ ।

ଇନ୍ଦ୍ର ନଈର୍ଋତ ଯମ କୁବେର ବରୁଣ

ଏ ମୋତେ ଦିଶନ୍ତି ଯେହ୍ନେ ସେବାକାରି ଗଣ ।

ଦେବଗଣ ମଧ୍ୟେ ଶ୍ରେଷ୍ଠ ବ୍ରହ୍ମା ପଶୁପତି

ଗୁରୁଜନ ବୋଲି ତାଙ୍କୁ ମୁଁ କରେ ଭକତି ।

ଆଉ ଯେତେ ନୃପ ଅବା ଛନ୍ତି ଭୂମଣ୍ଡଳେ

ମୋର ଆଶ୍ରୟରେ ରହିଛନ୍ତି ସେ ସକଳେ ।

ମୁଁ ତାହାଙ୍କୁ ସ୍ଵାମୀ ପଣେ କେମନ୍ତେ ବରିବି

ପ୍ରାଣଯାଉ ପଛେ ଏହା କରି ନ ପାରିବି ।

ଅପାତ୍ରରେ ପୁଣ୍ୟ ଦେହ ନ କରି ଅର୍ପଣ

ପିତା ଘରେ ରହିଥିବି ଏ ମୋହର ପଣ ।

ଅବିବାହୀ ହୋଇ ପଛେ ବୁଢ଼ୀ ହେବି ମୁହିଁ

ବିଷ୍ଣୁ ବିନା ଆନେ ମୋର ମନ ନ ବଳଇ ।

ଏ ଦେହ ଅଜରାମର ନୁହଇ ତ କେଭେ

ପୃଥିବୀରେ ଜନ୍ମ ହେଲେ ନିଶ୍ଚେ ମୃତ୍ୟୁ ଲଭେ ।

ଶରୀରରେ ପ୍ରାଣ ଥିବାଯାଏ ମୁଁ ସ୍ଵାୟତ୍ତ୍ୱେ

ଏଡ଼େ ବିଡ଼ମ୍ବନ କଥା କରିବି କେମନ୍ତେ ।

ସୁମେଧା ବୋଇଲା ସଖି ଅସମ୍ଭବ କହୁ

ପିମ୍ପୁଡ଼ି ହୋଇଣ ଗିରି ବହିବାକୁ ଚାହୁଁ ।

ଆକାଶ ମାପିବା ପାଇଁ ବଢ଼ାଉଛୁ ନଳ

ସମୁଦ୍ର ଶୁଖାଇ କିଏ କରିପାରେ ସ୍ଥଳ ।

ବାଲି ପକାଇଲେ ସିନ୍ଧୁ ହୁଅଇ କି ପୋତି

ଚନ୍ଦ୍ର ସୂର୍ଯ୍ୟ କେ ଧରିବ ଦେଖାଇ ଶକତି ।

ଅଙ୍ଗୁଳି ପକାଇ ସୃଷ୍ଟି କେ ପାରିବ ମାପି

ମାନବ ହୋଇଣ କିଏ ଦେବତା ନ ସ୍ଥାପି ।

ଅସମ୍ଭବ କଥା ଯାହା ଦେଖା ଶୁଣା ନାହିଁ

ଅପୂର୍ବ ଗୋଟାଏ କାହୁଁ ଆସିବ ତୋପାଇଁ ।

ଇନ୍ଦ୍ର ଚନ୍ଦ୍ର ଆଦି ଦେବ ନାଗ ନର ଯେତେ

ଅଛନ୍ତି ଏମାନେ କେହି ନ ରୁଚିଲେ ତୋତେ ।

ଏଣୁ ନିଶ୍ଚେଁ ଜାଣିଲି ମୁଁ ମୋ ବୁଦ୍ଧି ବିଚାରେ

କାହାକୁ କି ବିଭା ନୋହି ଥିବୁ ପିତାଘରେ ।

ରୁକ୍ମିଣୀ ବୋଇଲେ ମୋର କର୍ମେ ଅଛି ଯାହା

ଅବଶ୍ୟ ଭୁଞ୍ଜିବି ଆନ କେ କରିବ ତାହା ।

କେବର ଯୋଗରେ ଧାତା ଦେଲା ମୋତେ ଜନ୍ମ

କା ଆଗେ କହିବି କିଏ ମୋ ଦୁଃଖ ଘେନିମ ।

ମୁଁ ହତଭାଗିନୀ କର୍ମେ ଅର୍ଜି ଅଛି ଯିସ

ତହିଁକି ନିସତ ହେଲେ ହେବ ଆଉ କିସ ।

ନବଯୁବା ବୟସରେ ଭର୍ତ୍ତା ମୋର ନାହିଁ

କି କାରଣେ ସ୍ତିରୀଜନ୍ମ ଦେଲା ମୋତେ ବିହି ।

ରାଜାର ଦୁହିତା ହୋଇ ହେଲି ନିରିମାକ୍ଷୀ

ଭୋ ଧର୍ମଦେବତା ତୁମ୍ଭେ ଅଟ ଲୋକସାକ୍ଷୀ ।

ବୁଡ଼ିଲି ଆତଙ୍ଗ ଜଳେ ନାହିଁ ପ୍ରତିକାର

କିଞ୍ଚିତେ ସୁଦୟା କରି ଉଦ୍ଧରିଣ ଧର ।

ନିଶ୍ଚୟ ମୋ ପାଇଁ ଭର୍ତ୍ତା ଭିଆଇଛ ଯେବେ

ଧାତିକାରେ ଦୟାକରି ଦିଅ ମୋତେ ଏବେ ।

ଯଦ୍ୟପି ସୁଦୟା ତୁମ୍ଭେ ନ କରିବ ଚିତ୍ତେ

ଏହା ମୁଁ ତଦନ୍ତ କରି ଜାଣିବି କେମନ୍ତେ ।

କନ୍ଦର୍ପ ବାଣର ଜ୍ଵାଳା ନ ପାରେ ମୁଁ ସହି

ନିଶ୍ଚୟ ଜୀବନ ମୋର ଯିବ ଏଥିପାଇଁ ।

ଏତେ ବୋଲି ରାଜଜେମା କରନ୍ତି ବିଳାପ

ବେଳୁବେଳ ହୃଦୟରେ ବଢ଼ିଲା ସନ୍ତାପ ।

ସୁମେଧା ବୋଇଲା ସଖି ନ ହୁଅ ଆରତ

ପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ହୋଇଅଛୁ ଜାତ ।

ବିଷ୍ଣୁ ବିନା ଆନେ ତୋର ନ ବଳଇ ମନ

ମୁଁ ଯାହା କହୁଛି ଏବେ ହେତୁକରି ଘେନ ।

ତୋ ଗର୍ଭରୁ ଏ ଜଗତ ହୋଇଛି ପ୍ରକାଶ

ଭୂତ ଭବିଷ୍ୟତ ବର୍ତ୍ତମାନ ତୋତେ ଦୃଶ୍ୟ ।

ନ ଜାଣିମା ନାରୀ ପ୍ରାୟେ ନ ହୁଅ ଆକୁଳ

ଅଳପ ଦିନରେ କାର୍ଯ୍ୟ ହୋଇବ ସଫଳ ।

ମାଗୋ ଯେଉଁ ନାରାୟଣ ପ୍ରଭୁ ବିଶ୍ଵମୟ

ତୁ ତାହାଙ୍କୁ ପତି ପଣେ ପାଇବୁ ନିଶ୍ଚୟ ।

ଏସନକ ସମୟରେ ଆଉ ଏକ ସଖୀ

ଦରହଷିତ ହୋଇଣ ବୋଲେ ଚନ୍ଦ୍ରମୁଖୀ ।

ଭୋ ଦେବି ରୁକ୍ମିଣୀ ତୁମ୍ଭେ ଆରତ ନ ହୁଅ

ଯେ ତୁମ୍ଭର ବର ତାଙ୍କୁ ଜାଣେ ମୁଁ ନିଶ୍ଚୟ ।

ଭାର୍ଯ୍ୟାପଣେ ଖଟିବାକୁ ତୁମ୍ଭେ ତାଙ୍କୁ ଯୋଗ୍ୟ

ପୂର୍ବରୁ ବିଧାତା ଏହା କରିଛି ସଂଯୋଗ ।

ରତନ ଦିଶଇ ଯେହ୍ନେ ସୁବର୍ଣ୍ଣରେ ଜଡ଼ି

ଗଙ୍ଗାଜଳ ଶୋହେ ଯେହ୍ନେ ପଦ୍ମପତ୍ରେ ପଡ଼ି ।

ନାରାୟଣ ପ୍ରଭୁ କୋଳେ କମଳା ବିଜୟେ

ରାମଚନ୍ଦ୍ର କୋଳେଯେହ୍ନେ ସୀତାଦେବୀ ଶୋହେ ।

ବ୍ରହ୍ମାଙ୍କ କୋଳରେ ଯେହ୍ନେ ବିଜୟେ ସାବିତ୍ରୀ

ଈଶ୍ଵର କୋଳରେ ଯଥା ଦେବୀ ହୈମବତୀ ।

ତୁମ୍ଭେ ତାଙ୍କ କୋଳେ ତଥା ଦିଶିବଟି ଶୋଭା

ପାରିଲେ ଉପାୟ କରି ବେଗେ ହୁଅ ବିଭା ।

ଶୁଣିଣ ରୁକ୍ମିଣୀ ଦେବୀ ଆନନ୍ଦିତା ହୋଇ

ବୋଇଲେ ମୋ ରାଣ ତୋତେ ସତକହ ସହି ।

କେବଣ କୁଳରେ ଜନ୍ମ କି ନାମ ତାଙ୍କର

କିଏ ତାଙ୍କ ପିତାମାତା କେଉଁଦେଶେ ଘର ।

ତୁ ତାଙ୍କର ରୂପ ଗୁଣ ଜାଣିଲୁ କେମନ୍ତେ

କପଟ ନ କରି ସଖି କହ ମୋ ଅଗ୍ରତେ ।

ସହଚରୀ ବୋଇଲେ ସେ ଯଦୁବଂଶେ ଜନ୍ମ

ବସୁଦେବ ସୁତ ବାସୁଦେବ ତାଙ୍କ ନାମ ।

ଶ୍ରୀକୃଷ୍ଣ ଗୋବିନ୍ଦ ମଧୁସୁଦନ ମୁରାରି

ଆବର ଥୋକାଏ ତାଙ୍କୁ ବୋଲନ୍ତି କଂସାରି ।

ବଳରାମ ନାମେ ପୁଣି ତାଙ୍କ ଜ୍ୟେଷ୍ଠ ଭ୍ରାତ

ଦେବକୀ ଦେବୀ ଗର୍ଭରୁ ହୋଇଛନ୍ତି ଜାତ ।

ମଥୁରାରେ ଜନ୍ମ ହୋଇ ବଢ଼ିଲେ ଗୋପରେ

କେ ତାଙ୍କ ମହିମା କହିପାରିବ ମୁଖରେ ।

ପରମାନନ୍ଦ ପୁରୁଷ ଅଟନ୍ତି ଗୋ ସେହି

ମର୍ତ୍ତ୍ୟପୁରେ ଜନ୍ମିଛନ୍ତି ନରଦେହ ବହି ।

କଂସରାଜା ବନ୍ଦିଘରେ ଜନମ ହୋଇଲେ

ଅନ୍ଧାର ନିଶିରେ ବସୁଦେବ ତାଙ୍କୁ ନେଲେ ।

ନନ୍ଦ ଘରେ ଦୁହିତାଏ ଥିଲା ଜନ୍ମ ହୋଇ

ସେ କନ୍ୟାକୁ ବସୁଦେବ ନେଇ ପାଲଟାଇ ।

କୋପେ ତାଙ୍କୁ କଂସରାଜା ପିଟୁଥିଲା ତୋଳି

ହାତରୁ ଖସିଣ ଶୂନ୍ୟେ ଗଲା ସେ ବିଜୁଳି ।

ଗଲାବେଳେ କଂସକୁ ସେ କହିଲା ବୁଝାଇ

ଯେ ତୋତେ ମାରିବି ଗୋପେ ବଢ଼ୁଅଛି ସେହି ।

ତା ବଚନେ କଂସାସୁର ହୋଇଣ ଉଚ୍ଚାଟ

ଗୋପପୁରେ ପଠାଇଲା ଅନେକ ଦର୍ପିଷ୍ଠ ।

ପୂତନା ଶକଟା ବକା ଅଘା ତୃଣା କେଶୀ

ଏହିପରି କେତେ ଦୁଷ୍ଟ କପଟରେ ଆସି ।

ଗୋପେ ରହି କୃଷ୍ଣଙ୍କ ଛିଦ୍ର ପାଞ୍ଚୁଥିଲେ

ମାୟାଧର ପ୍ରଭୁ ତାଙ୍କୁ କିଞ୍ଚିତେ ବଧିଲେ ।

ଆବର କାଳୀୟ ଦର୍ପ କଲେ ସେ ଭଞ୍ଜନ

ବଂଶୀନାଦେ ମୋହି ନେଲେ ଗୋପିଙ୍କର ମନ ।

ଗୋବର୍ଦ୍ଧନ ଗିରି ବାମହସ୍ତରେ ତୋଳିଲେ

ବତ୍ସା ହରଣେ ବ୍ରହ୍ମାଙ୍କୁ ଲଜ୍ଜା କରାଇଲେ ।

ଏହିରୂପେ ଆଲୋକିତ କର୍ମମାନ କରି

ଆଠବର୍ଷ ଯାଏ ଗୋପେ ଥିଲେ ରାମହରି ।

ମଥୁରାପୁରକୁ ତହୁଁ ଗଲେ ପୀତବାସ

ଧନୁଯାତ୍ରା ଦେଖିବାକୁ ଅଣାଇଲା କଂସ ।

ସେଠାରେ କଂସକୁ ବଧ କଲେ ଦଇତ୍ୟାରି

ଚାଣୁର ସହିତେ ଅଷ୍ଟମଲ୍ଲଙ୍କୁ ସଂହାରି ।

କଂସାସୁର ସାନଭାଇ ସୁନାସ ଦଇତ

ମୁଷ୍ଟିକର ମୂଳେ ତାକୁ କରିଲେ ନିହତ ।

କୁବଳୟା ଗଜକୁ ସେ ମାରି ଅବହେଳେ

ଉଗ୍ରସେନ ରାଜା କଲେ ମଥୁରା ମଣ୍ଡଳେ ।

ଝିଅ ଜୁଆଇଁର ଛଳେ ଜରାସନ୍ଧ ରାୟେ

କୋପେ ଧାଡ଼ିଦେଲା ଅଷ୍ଟାଦଶ ବାର ଯାଏ ।

ଚାରିଊଣା ଲକ୍ଷେରାଜା ଏକଯୋଗ ହୋଇ

ରଣେ ଲଜ୍ଜାପାଇ ଗଲେ ସଇନ୍ୟ ମରାଇ ।

ତହିଁପରେ ଆସି କାଳଦମନ ବାହିଲା

ମଥୁରାକୁ ରାହୁପ୍ରାୟ ଘୋଟିଣ ରହିଲା ।

ମାୟାଧର କୃଷ୍ଣ ତାହା ଜାଣି ମାୟା କଲେ

ମୁଚୁକୁନ୍ଦ କୋପେ ତାକୁ ଭସ୍ମ କରାଇଲେ ।

ସେ ଦିନୁ ମଥୁରାପୁର ଛାଡ଼ି ଚକ୍ରଧର

ଯାଦବଙ୍କୁ ଘେନି କଲେ ଦ୍ଵାରକାରେ ଘର ।

ଦ୍ଵାରକାକୁ ସରି ନୁହେଁ ଇନ୍ଦ୍ର ବାରସ୍ଵତୀ

ଲବଣ ସମୁଦ୍ର ବେଢ଼ିଅଛି ଚଉକତି ।

ବିଶ୍ଵକର୍ମା ର୍ନିମାଣ ସେ ଷାଠିବାନି ସୁନା

କଳ୍ପ କଳ୍ପାନ୍ତରେ କ୍ଷୟ ନୁହେଁ ସେ ପଟଣା ।

ସେ ଦ୍ଵାରକା ପୁରେ ମାଗୋ ଅଛନ୍ତି ଶ୍ରୀହରି

ତୋ ବାଞ୍ଛା ପୂରିବ ଯେବେ ପାରୁ ତାଙ୍କୁ ବରି ।

ଦେବତାଙ୍କୁ ଦୁର୍ଲ୍ଲଭ ଯେ ନରେ ଅଗୋଚର

ଅଳପ ପୁଣ୍ୟରେ ମିଳି ନ ପାରେ ସେ ବର ।

କୋଟିକଳ୍ପେ ଶିବସେବା କରିଥିବ ଯେହୁଁ

ପତିରୂପେ ସେ ପୁରୁଷ ପାଇବଟି ସେହୁ ।

ନିଶ୍ଚୟ କହିଲି ମାଗୋ ବାକ୍ୟ ନିରାଧାର

କୃଷ୍ଣବିନା ତୋ ରୂପକୁ ନାହିଁ ଆନ ବର ।

ସବୁସଖୀ ମନକୁ ସେ ରୁଚିଲା ଏ ବାଣୀ

ଆନନ୍ଦେ ପୁଲକି ଉଠି ହସିଲେ ରୁକ୍ମିଣୀ ।

ଆଗୋ ସଖି ଏତେକାଳେ ମନ ହେଲା ଶାନ୍ତି

ନିଶ୍ଚୟ ଜାଣିଲି ସ୍ଵାମୀ ମର୍ତ୍ତ୍ୟେ ଜନ୍ମିଛନ୍ତି ।

କେଉଁଦିନ ସୁଦୟା ସେ କରିବେ ମୋଠାରେ

ଦାସୀପଣେ ଖଟିବି ମୁଁ ତାଙ୍କ ଶ୍ରୀପୟରେ ।

ଏତେ ବୋଲି ସହଚରୀଗଣ ସଙ୍ଗେ ଘେନି

ମାତାଙ୍କ ଛାମୁରେ ଯାଇ ମିଳିଲେ ସେକ୍ଷଣି ।

ଖଣ୍ଡେ ଦୂରରୁ ଶୁତିଲେ ମାତାଙ୍କର ପାଦେ

ଉଠ ଉଠ ବୋଲି ମାତା ବୋଲନ୍ତି ଆନନ୍ଦେ ।

ମୁଖରେ ଚୁମ୍ବନ ଦେଇ ବସାଇଲେ କୋଳେ

ବଦନ ପୋଛନ୍ତି ମାଏ ଆପଣା ଅଞ୍ଚଳେ ।

ନିଜ ଅନ୍ତଃପୁର ମଧ୍ୟେ ଭୀଷ୍ମକ କାମିନୀ

ସିଂହାସନେ ବିଜେ କଲେ ରୁକ୍ମିଣୀଙ୍କୁ ଘେନି ।

ପ୍ରତ୍ୟକ୍ଷ ଦିଶିଲା ତହିଁ ଏସନକ ଶୋଭା

ବରୁଣ କାମିନୀ କୋଳେ ଲକ୍ଷ୍ମୀ ବିଜେ ଅବା ।

ଜନକ ରାଜାଙ୍କ ରାଣୀ ପରମା ସୁନ୍ଦରୀ

ସୀତାଘେନି ବିଜେ ଅବା ମିଥିଳା ନଗରୀ ।

ତେସନ ଦିଶନ୍ତି ତହିଁ ମାତା ସୁତା ବେନି

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି ।

ଦୁହିତାର ରୂପ ଦେଖି ବିଚାରନ୍ତି ମାୟେ

ବେଶଭଗ୍ନ ହୋଇଅଛି କିପାଁ ଏହା କାୟେ ।

କବରୀ ତା ଲୋଟୁଅଛି ଫିଟି ଅଛି ହାର

ମଳିନ ଦିଶଇ ମୁଖ ନେତ୍ରୁ ବହେ ନୀର ।

ଗଦଗଦ ସ୍ଵରେ ବାକ୍ୟ କହି ନ ପାରଇ

ଦେହଯାକ ରୋମାବଳି ପୁଲକି ଉଠଇ ।

ଖରତର ବହୁଅଛି ନିଃଶ୍ଵାସ ପବନ

ଶରୀରରୁ ଶ୍ରମଝାଳ ବହେ ଘନଘନ ।

ମୁଖ ପୋତି ବସିଅଛି ଶ୍ରଦ୍ଧା ନାହିଁ ମନେ

ଏପରି ଘଟଣା ଦେଖି ନ ଥିଲି ମୁଁ ଦିନେ ।

ଦୁହିତାର ମନକଥା ଜାଣଇ ଜନନୀ

ଉଭୟେ ସଙ୍କଟେ ପଡ଼ି ବିଚାରନ୍ତି ରାଣୀ ।

ଗୃହରେ ରହିଲା ଝିଅ ହୋଇ ନବଯୁବା

କୁଳକୁ କଳଙ୍କ ହେବ ନ କରିଲେ ବିଭା ।

ସୁକୁମାରୀ ସୁଲକ୍ଷଣୀ ରୂପେ ଅନୁପମା

ତ୍ରୈଲୋକ୍ୟ ମୋହିନୀ ମୋର ଅଟଇ ଏ ଜେମା ।

ସମ୍ପୂର୍ଣ୍ଣ ଷୋଳ ବରଷ ହୋଇଲାଣି ଯୋଗ

ଏକାଳେ ନୋହିଲା ୟାର ପତି ଅଙ୍ଗ ସଙ୍ଗ ।

ସ୍ତିରୀଙ୍କ ବେଦନା ସିନା ସ୍ତିରୀଏ ଜାଣନ୍ତି

ଲୋକାଚାରମତେ ଲାଜ ଅଙ୍ଗେ ବହିଥାନ୍ତି ।

ରକ୍ତ ମାଂସ ଦେହ ବହି ମୂର୍ଚ୍ଛି ନୁହେଁ ମନ

କୀଟୁଁବ୍ରହ୍ମ ପରିଯନ୍ତେ ସମସ୍ତେ ସମାନ ।

ଈଶ୍ଵର ପରାଏ ଯୋଗୀ ନ ପାରିଲେ ରହି

ସମାଧି ଛାଡ଼ିଲେ କାମବାଣେ ତ୍ରାସ ପାଇ ।

କାମେ ଋଷିମାନେ ଧୈର୍ଯ୍ୟ ନ ପାରନ୍ତି ଧରି

ସ୍ଵଭାବରେ ଅଟଇ ଏ ନବଯୁବା ନାରୀ ।

ଆଜଯାଏ ପିତା ଯେଣୁ ନ କଲେ ପ୍ରଦାନ

ତେଣୁ ମନେ ଖେଦ ପାଇ ଦେଲା ବେଶଭଗ୍ନ ।

ଏ ଦୁହିତା ପାଇଁ ରାଜା ସ୍ଵୟମ୍ବର କଲେ

ଚାରିଊଣା ଲକ୍ଷେ ରାଜା ଡକାଇ ଆଣିଲେ ।

ଆଠମାସ ପରିଯନ୍ତେ ସହିଲେ ଅର୍ଦ୍ଧୋଳି

ଏ କାହାକୁ ନ ବରିଲା ସର୍ବେ ଗଲେ ଚଳି ।

ପିତାଘରେ କନ୍ୟା ଯେବେ ହୁଏ ରଜୋବତୀ

ଚଉଦ ପୁରୁଷ ତାର ନରକେ ପଡ଼ନ୍ତି ।

ଏହାଜାଣୁ ଜାଣୁ ରାଜା କେମନ୍ତେ ଭୁଲିଲେ

କୁଳକୁ କଳଙ୍କ ହେବ ବିଡ଼ମ୍ବନ ହେଲେ ।

ଏମନ୍ତେ ବିଚାର କରି ରୁକ୍ମିଣୀ ଜନନୀ

ବୋଇଲେ ମନରୁ ଚିନ୍ତା ଛାଡ଼ ତୁ ରୁକ୍ମିଣୀ ।

ତୋ ପାଇଁରେ ନିଶ୍ଚେଁ ଧାତା ରଖିଅଛି ବର

ଅନିମିତ୍ତେ ଚିନ୍ତାକରି ନ ହୁଅ କାତର ।

ଚିନ୍ତାକଲେ ଶରୀରେ ଜାତ ହୁଏ ପ୍ରାସ

ତେଣୁକରି ବୁଦ୍ଧିବଳେ ସବୁ ଯାଏ ନାଶ ।

ବଳବୁଦ୍ଧି ନାଶଗଲେ କ୍ରିୟା ଭ୍ରଷ୍ଟ ହୁଏ

କ୍ରିୟାଭ୍ରଷ୍ଟ ହେଲେ ଲକ୍ଷ୍ମୀ କନ୍ଧରେ ନ ରହେ  

ଲକ୍ଷ୍ମୀ ଛାଡ଼ିଯାନ୍ତେ ରହି ନ ପାରେ ଜୀବନ

ଏ କଥା ବିଚାରି ମାତ ନ ହୁଅ ବିମନ ।

ପିତାଙ୍କ ଆଗରେ କହି କରାଇବି ସଭା

ଆପଣାମନକୁ ବର ବାଛି ହେବୁ ବିଭା ।

ଭାଇମାନେ ଅଙ୍ଗିକାର ଦେବେ ଏ କଥାରେ

ସବୁଦୁଃଖ ଯିବ ତୋର ଅଳପ ଦିନରେ ।

ମୁହିଁ କି କହିବି ମାତ ତୁ ନ ଜାଣୁ କିସ

ତିନିକାଳ କଥା ତୋତେ ହୋଇପାରେ ଦୃଶ୍ୟ ।

ରୁକ୍ମିଣୀଙ୍କୁ ଏତେ କହି ସତ୍ୟବତୀ ରାଣୀ

ଦାସୀଙ୍କୁ ବୋଇଲେ ସର୍ବେ ଶୁଣ ମୋର ବାଣୀ ।

ତୁମ୍ଭେମାନେ ନାନାଖେଳ କଉତୁକ ରଙ୍ଗେ

ସର୍ବଦା ବିହାର କର ରୁକ୍ମିଣୀର ସଙ୍ଗେ ।

ଏହା କହି ରାଣୀ ନିଜ ଅନ୍ତଃପୁରେ ଗଲେ

ପରୀକ୍ଷ ନୃପତି ଆଗେ ଶୁକ ଯେ କହିଲେ ।

ଏଥୁଅନ୍ତେ ଅସ୍ତାଚଳେ ଗଲେ ଦିନନାଥ

ନିତ୍ୟକର୍ମ ସାରି ସର୍ବେ ନିଦ୍ରାରେ ମୋହିତ ।

ରାତ୍ର ପାଞ୍ଚଘଡ଼ି ମାନେ ସତ୍ୟବତୀ ରାଣୀ

ଝିଅର ବେଦନା ନିଜ ମନେ ମନେ ଗୁଣି ।

ଚିନ୍ତାଜଳେ ବୁଡ଼ି ତାଙ୍କୁ ନିଦ୍ରା ନ ଆସଇ

ଭୀଷ୍ମଙ୍କ ନୃପତି ପାଶେ ମିଳିଲେକ ଯାଇ ।

ମୁଦୁସୁଲୀ ଜଣାଇଲା ବିଜେ କଲେ ରାଣୀ

ପରମ ସନ୍ତୋଷ ହେଲେ ନୃପ ତାହା ଶୁଣି ।

ଆସନରୁ ଉଠି ନିଜେ ପାଛୋଟିଣ ଗଲେ

କର ଧରିନେଇ ତାଙ୍କୁ ପାଶେ ବସାଇଲେ ।

ଦାସୀଏ ଅନ୍ତର ହେଲେ ହୋଇଲା ଏକାନ୍ତ

ରାଜାଙ୍କ ଛାମୁରେ ରାଣୀ କହିଲେ ବୃତ୍ତାନ୍ତ ।

ଭୋ ନାଥ ନିଶ୍ଚିନ୍ତ ହେଲେ ସବୁ ଜାଣି ଶୁଣି

ଯୁବତୀ ହୋଇଣ ଘରେ ରହିଲା ରୁକ୍ମିଣୀ ।

ସୁଲକ୍ଷଣୀ କନ୍ୟା ମୋର ହେଲା ନବଯୁବା

ତା ପାଇଁକି ବର ଖୋଜି ନ କଲ ତ ବିଭା ।

ପୂର୍ବାଚାର୍ଯ୍ୟ ଋଷିମୁନି ଶାସ୍ତ୍ରେ କହିଛନ୍ତି

ଝିଅ ଘିଅ ରଖି କେହି ନ ପାରେ ସାଇତି ।

ଦୁହିତାଏ ଥିଲେ ତାକୁ ପରେ ଦେବ ଯାଚି

କଳ୍ପ କଳ୍ପାନ୍ତରେ ଧାତା ଏହା ଭିଆଇଛି ।

ଯୁବତୀ ବୟସ ଏବେ ହୋଇଲା ତାହାର

ରକ୍ତ ମାଂସରେ ନିର୍ମିତ ସବୁରି ଶରୀର ।

ଯେବଣ କାଳରେ ଯାହା ଉଚିତ ଅଟଇ

ତୁମ୍ଭେ କି ନ ଜାଣ ତାହା ଜଣାଇବି ମୁହିଁ ।

ଗଞ୍ଜଣା ପାଇବା ଆମ୍ଭେ ନିନ୍ଦୁଥିବେ ଲୋକ

ଅଣାୟତ୍ତ ହେଲେ କୁଳେ ଲାଗିବ କଳଙ୍କ ।

ସବୁକାର୍ଯ୍ୟ ଦୁରେ ଥାଉ ମୋ ବଚନ ମାନି

ଝିଅକୁ ବିବାହ ଦିଅ ପାତ୍ର ମନ୍ତ୍ରୀ ଘେନି ।

ରାଣୀଙ୍କ ବଚନ ଶୁଣି ଭୀଷ୍ମକ ନୃପତି

ପୁତ୍ରମାନଙ୍କୁ ହକାରି ଆଣିଲେ ତଡ଼ତି ।

ରୁକ୍ମଣ ମୁଖକୁ ଚାହିଁ ବୋଲନ୍ତି ରାଜନ

ଭଗ୍ନୀ ପାଇଁ ବର ଖୋଜି ଆଣ ତୁ ବହନ ।

ତୁ ମୋହର ଜ୍ୟେଷ୍ଠ ପୁତ୍ର କୁଳକୁ କାରେଣି

ବୁଦ୍ଧିବଳେ ସବୁ କଥା ଜାଣୁ ପରିମାଣି ।

ତୋ ଭଗ୍ନୀ ରହିଲା ଗୃହେ ହୋଇ ନବଯୁବା

ସତ୍ଵରେ ଖୋଜାଅ ବର ବିଭା କରାଇବା ।

କୁଳଶୀଳ ରୂପ ଗୁଣ ସମସ୍ତ ଦେଖିବ

ଯେପରି ଆମ୍ଭଙ୍କୁ ପଛେ ନିନ୍ଦା ନ ମିଳିବ ।

ଏତେ କହି ନୃପ ନିଜ ପଲ୍ୟଙ୍କେ ଶୁତିଲେ

ପୁତ୍ରମାନେ ବିଦା ହୋଇ ଯେଝାପୁରେ ଗଲେ ।

ଏଥୁ ଅନନ୍ତରେ ଆସି ପାହିଲା ରଜନୀ

ପୂର୍ବ ଅଚଳରେ ଉଦେ ହେଲେ ଦିନମଣି ।

ରୁକ୍ମଣ ଆଦେଶ ଦେଲେ ଡଗରଙ୍କୁ ରାଇ

ଜେମା ଅନୁରୂପେ ବର ଖୋଜ ବେଗେ ଯାଇ ।

ଆଜ୍ଞାପାଇ ଦୂତମାନେ ଧାତିକାରେ ଗଲେ

ଦେଶେ ଦେଶେ ବୁଲି ବର ଅନ୍ଵେଷଣ କଲେ ।

ସିଂହଳ କଳିଙ୍ଗ ଅଙ୍ଗ ବଙ୍ଗ ସଉରାଷ୍ଟ୍ର

ମତ୍ସ୍ୟ ମଗଧ କୋଶଳ ଭୋଟ ମରହଟ୍ଟ ।

ନେପାଳ ଭୂପାଳ କାଶୀ ଦେଶ ଯେ ଅବନ୍ତୀ

ସିନ୍ଧୁ ଗୁଜୁରାଟ କନାଉଜରେ ବୁଲନ୍ତି ।

ପଞ୍ଚାଳ କିରାତ ଦେଶ ହସ୍ତିନା ବାରୁଣା

ମଘ ଚେରି ପାର୍ବତେୟ ଉତ୍ତର ପାଟଣା ।

ଏସନକ ଅଷ୍ଟାଦଶ ରାଜକୁଳ ଯେତେ

ବୁଲି ବୁଲି ନାନାଦେଶ ଖୋଜିଲେକ ଦୂତେ ।

ଦେଶେଦେଶେ ପୁରେପୁରେ ବହୁତ ଖୋଜିଲେ

ରୁକ୍ମିଣୀ ସଦୃଶ ବର କାହିଁ ନ ପାଇଲେ ।

ଜମ୍ବୁଦ୍ଵୀପଯାକ ଖୋଜି ବାହୁଡ଼ି ତ୍ଵରିତେ

କରଯୋଡ଼ି ଜଣାଇଲେ ରୁକ୍ମଣ ଅଗ୍ରତେ ।

ଭୋ ମଣିମା ସାବଧାନେ ଶୁଣ ଜେନାମଣି

ନାନା ଦେଶ ବୁଲି ଆମ୍ଭେ ଅଇଲୁ ଏକ୍ଷଣି ।

ଜମ୍ବୁଦ୍ଵୀପ ମଧ୍ୟେ ଛନ୍ତି ଯେତେ ରାଜପୁତ୍ର

ରୁକ୍ମିଣୀ ସମାନେ କେହି ନୁହନ୍ତି ସେ ପାତ୍ର ।

ଖୋଜି ଖୋଜି ଏକ ବର ପାଇଲୁ କେବଳ

ଚେଦିଦେଶେ ଦମଘୋଷ ସୁତ ଶିଶୁପାଳ ।

ସର୍ବ ଗୁଣେ ପରିପୂର୍ଣ୍ଣ ଅଟେ ସେ କୁମର

ତାଠାରୁ ଅଧିକ ଆଉ ନାହିଁ ଅନ୍ୟ ବର ।

ଯେତେ ସୁଲକ୍ଷଣ ସବୁ ତାଠାରେ ଅଛଇ

ଏ କନ୍ୟାକୁ ସେହି ବର ଖଞ୍ଜିଅଛି ବିହି ।

ଶୁଣି ସେ ରୁକ୍ମଣ ବୀର ସନ୍ତୋଷ ହୋଇଲା

ଦୂତକୁ ଘେନିଣ ପିତା ମାତା ପାଶେ ଗଲା ।

ସକଳ ବୃତ୍ତାନ୍ତ ଦୂତେ କହିଲେ ମଣାଇ

ରୁକ୍ମିଣୀ ସଦୃଶ ବର ନ ପାଇଲୁ କାହିଁ ।

ଚେଦିଦେଶେ ଦମଘୋଷ ନାମେ ମହାରାଜ

ଶିଶୁପାଳ ନାମେ ଅଛି ତା ଜ୍ୟେଷ୍ଠ ତନୁଜ ।

ମାତା ତାର ଦଇବକୀ ଉଗ୍ରସେନ ସୁତା

କ୍ଷତ୍ରିଗୁଣେ ଶିଶୁପାଳ ଅଟେ ଜଗଜ୍ଜିତା ।

ବୟସରେ ଅଷ୍ଟାଦଶ ବର୍ଷ ନବଯୁବା

କାମଦେବ ପରାଏ ତା ରୂପ ଦିଶେ ଶୋଭା ।

ଅମଳୀନ ସୂର୍ଯ୍ୟବଂଶ କ୍ଷତ୍ରୀ ଶୁଦ୍ଧ ଜାତି

ବଡ଼ ବିଚକ୍ଷଣ ସେହୁ ଉଗ୍ରସେନ ନାତି ।

ମହାରଥୀ ମଧ୍ୟରେ ସେ ଅଟଇ ଗଣିତା

ଷଡ଼ ଶାସ୍ତ୍ରରେ ନିର୍ଜିତ ଜାଣେ ସବୁ କଥା ।

ସକଳ ଗୁଣରେ ପାରେ ଜଗତକୁ ମୋହି

ଅବିଗୁଣ ବୋଲି ତାର ଅଙ୍ଗେ କିଛି ନାହିଁ ।

ଯେତେଗୁଣ ଖୋଜିବ ତାଠାରେ ସବୁ ଅଛି

ରୁକ୍ମିଣୀ ନିମନ୍ତେ ତାକୁ ବିଧାତା ଗଢ଼ିଛି ।

କିଛି ନ ବିଚାରି ରାୟେ ସାବଧାନ ହୁଅ

ଲଗ୍ନ ବେଳ କାଳ ବୁଝି କନ୍ୟା ଦାନ ଦିଅ ।

ଦୂତ ମୁଖୁଁ ଏହାଶୁଣି ଭୀଷ୍ମକ ଭୂପାଳ

ବହୁତ ବିସ୍ମୟ ହେଲେ ସୁମରି କପାଳ ।

ଆବର ମନରେ ଚିନ୍ତା କଲେ ନରାଧିପ

ପୋଡ଼ୁ ପୋଡ଼ୁ କନ୍ୟା ଜନ୍ମ ଅଟେ ମହାପାପ ।

ଅନେକ ଯତନେ ପାଳିଥିଲି ମୁଁ ଯାହାକୁ

ଏବେ ଦାସୀ କରାଇବି ଯାଚି ଦେଇ ତାକୁ ।

ଯଦ୍ୟପି ରାଜକନ୍ୟାର ଭିକ୍ଷୁ ହୁଏ ଭର୍ତ୍ତା

ସକଳ ପ୍ରକାରେ ତାର ସେ ଇଷ୍ଟ ଦେବତା ।

ରୁକ୍ମିଣୀ ପରାୟେ କନ୍ୟା ଦେବି ମୁଁ ତାହାକୁ

କେତେ କଷ୍ଟ ପାଇ ଯତ୍ନେ ପାଳିଥିଲି ତାକୁ ।

ଯା ପାଦରେ କୋଟି ଦାସୀ କରୁଥାନ୍ତି ସେବା

କି ପ୍ରକାରେ ଦାସୀପଣ କରିବ ସେ ଅବା ।

ଦାରିଦ୍ର୍ୟ ଭଞ୍ଜନୀ ମୋର ଯେବଣ ଦୁହିତା

ସାକ୍ଷାତେ ସେ କମଳିନୀ ଅଟେ ଲୋକମାତା ।

ଶିଶୁପାଳ ନୁହଇ ତା ସଦୃଶରେ ବର

ସ୍ଵୟମ୍ବର କଲି କାର୍ଯ୍ୟ ନୋହିଲା ମୋହର ।

ଖୋଜି ଖୋଜି ବର ନ ପାଇଲି ତା ସମାନେ

ଏଣିକି ପାଇବି ଲଜ୍ଜା ରଖିଲେ ସଦନେ ।

ଭୋଧର୍ମ ଦେବତା ମୋତେ ସାହା ହୁଅ ତୁମ୍ଭେ

କାହିଁ ବର ଭିଆଇଛ ଆଣିଦିଅ ଏବେ ।

ମୋ ବିଚାରେ ଯୋଗ୍ୟପୁତ୍ର ନୋହେ ଶିଶୁପାଳ

ଏମନ୍ତ ବିଚାରି ମଥା ପୋତି ମହୀପାଳ ।

ରୁକ୍ମଣକୁ ସିମ୍ବୋଧିଣ ବୋଇଲେ ରେ ବାବୁ

ତୁ ମୋହର ଜ୍ୟେଷ୍ଠପୁତ୍ର ବୁଦ୍ଧିବଳ ସବୁ ।

ତୋର ବିଚାରକୁ କଥା ଯୋଗାଇବ ଯାହା

ମୁଁ କେମନ୍ତେ ନାସ୍ତି କରି ପାରିବିଟି ତାହା ।

କେବଳ କଥାଏ ମାତ୍ର କହୁଅଛି ତୋତେ

ରୁକ୍ମିଣୀ ମନରେ ବାଧା ନୁହଇ ଯେମନ୍ତେ ।

ସ୍ୱୟମ୍ବରେ ଆସିଥିଲେ ନୃପତି ଅପାର

କେହି ଜଣେ ନ ରୁଚିଲା ମନକୁ ତାହାର ।

ସଂଖ୍ୟାରେ ଅଟଇ ଚାରିଊଣା ଲକ୍ଷେ ରାଜା

ସେମାନେ ବାହୁଡ଼ି ଗଲେ ପାଇଲି ମୁଁ ଲଜ୍ଜା ।

ଆଗହୁଁ ତ ହୋଇଅଛି ଏମନ୍ତ ବିଧାନ

ନପୁଣ କୁଳକୁ ଲାଜ ଲାଗେରେ ନନ୍ଦନ ।

କନ୍ୟାକୁ ମନାଇ ବର ଆଣି ବିଭାକର

ବହୁତ ସ୍ନେହେ ରୁକ୍ମିଣୀ ପାଳିତ ମୋହର ।

ରୁକ୍ମଣ ବୋଇଲା ପିତା ନ ବିଚାର କିଛି

ରୁକ୍ମିଣୀ ମନକୁ ନିଶ୍ଚେଁ ଏହା ହେବ ରୁଚି ।

ଉଭୟକୁଳ ବିଶୁଦ୍ଧ ଏଥୁ ଆନ ନାହିଁ

ୟାଠାରୁ ଅଧିକ ମର୍ତ୍ତେ ନ ପାଇବା କାହିଁ ।

ଦେବତାଙ୍କୁ ଆମ୍ଭେ ବନ୍ଧୁ ପଣରେ ଅଯୋଗ୍ୟ

ମାନବ ହୋଇ ପାଇବା କାହୁଁ ସ୍ଵର୍ଗଭୋଗ ।

ଏତେ କହି ଆଜ୍ଞା ଦେଲା ମୁଦୁସୁଲୀ ରାଇ

ଜେମାଙ୍କ ଆଗରେ ତୁମ୍ଭେ କହ ବେଗେ ଯାଇ ।

ଏହି ମାସ ଶୁକ୍ଲପକ୍ଷ ପଞ୍ଚମୀର ଦିନ

ତୁମ୍ଭଙ୍କୁ ଭୀଷ୍ମକ ରାଜା କରିବେ ପ୍ରଦାନ ।

ତୁମ୍ଭ ଅନୁରୂପ ବର ଖୋଜି ସେ ଅଛନ୍ତି

ଦମଘୋଷର ନନ୍ଦନ ଉଗ୍ରସେନ ନାତି ।

ସର୍ବଗୁଣେ ସୁଲକ୍ଷଣ ଶିଶୁପାଳ ଜେନା

ସମରେ ଅଜେୟ ତାର ଉଡ଼େ ବୀର ବାନା ।

ଋକ୍ମଣର ଆଜ୍ଞା ଘେନି ମୁଦୁସୁଲୀ ଗଲେ

କରଯୋଡ଼ି ରୁକ୍ମିଣୀଙ୍କ ଆଗେ ଜଣାଇଲେ ।

ମାଗୋ ସର୍ବ ଶୁଭବାର୍ତ୍ତା ଶୁଣି ହୁଅ ତୋଷି

ରତ୍ନ ବସ୍ତ୍ର ଅଳଙ୍କାର ବଧାଇ ଦିଅସି ।

ଭାଇ ରୁକ୍ମଣ ଡକାଇ କହିଲେ ସନ୍ଦେଶ

ପଞ୍ଚମୀ ତିଥିରେ ବିଭା କରିବେ ଅବଶ୍ୟ ।

ଫିଟିଲା ବିବାହ ଯାତ୍ରା ଦୁଃଖ ଗଲା ପାର

ସଫଳ ହୋଇଲା ସ୍ତିରୀ ଜନମ ତୁମ୍ଭର ।

ରୁକ୍ମିଣୀ ବୋଇଲେ ମୋର କେ ହୋଇବ ଭର୍ତ୍ତା

କୁଳ ଗୋତ୍ର ଜାଣୁ ଯେବେ କହ ତଥ୍ୟକଥା ।

ମୁଦୁସୁଲୀ ବୋଇଲା ସେ ସୂର୍ଯ୍ୟବଂଶେ ଜାତ

ଉଗ୍ରସେନ ରାଜା ନାତି ଦମଘୋଷ ସୁତ ।

ବୟସରେ ଅଷ୍ଟାଦଶ ରୂପେ ଜଗର୍ଜ୍ଜିଣା

ଦୈବକୀ ଗର୍ଭରୁ ଜାତ ଶିଶୁପାଳ ଜେନା ।

ସେ ବରକୁ ପାଇଲାଗୋ ସବୁଙ୍କରି ମନ

ତୋ ଆଗେ କହିବା ପାଇଁ ପେଷିଲେ ରୁକ୍ମଣ ।

ମୁଦୁସୁଲୀ ମୁଖୁଁ ଶୁଣି ଏସନକ ବାଣୀ

କୋପେ ପ୍ରଜ୍ଵଳିତ ହୋଇ କହିଲେ ରୁକ୍ମିଣୀ ।

ଲାଙ୍ଗୁଡ଼ ମାଡ଼ିଲେ ଯେହ୍ନେ ଫଣା ଟେକେ ସର୍ପ

ବୋଲେ ଆଲୋ ନିଲକ୍ଷଣୀ ଏଡ଼େ ତୁମ୍ଭ ଦର୍ପ ।

ନିଲକ୍ଷଣ କଥା ଆସି କହ ମୋର ଆଗ

ସିଂହ ଭାର୍ଯ୍ୟା ସଙ୍ଗେ କର ଶୃଗାଳକୁ ଯୋଗ ।

ଗଜମୁକ୍ତା ସଙ୍ଗେ ଗରଗଡ଼ ଗୁନ୍ଥ ଆଣି

ରତ୍ନ ସଙ୍ଗେ ଯୋଗ କରୁଅଛ କାଚମଣି ।

ଗଙ୍ଗୋଦକ ତୁଲେ ଭେଟାଉଛ କୂପଜଳ

ଆମ୍ବ ସଙ୍ଗେ ଗଣୁଅଛ ମହାକାଳ ଫଳ ।

ଛାର ଶିଶୁପାଳ କାହୁଁ ହେବ ମୋର ପତି

ଶ୍ରୀକୃଷ୍ଣ ବିନା ମୋହର ନାହିଁ ଅନ୍ୟ ଗତି ।

ଏତେ କହିଣ ରୁକ୍ମିଣୀ ଉଠିଗଲେ ରାଗେ

ତକ୍ଷଣେ ମିଳିଲେ ଦେବୀ ମାତାଙ୍କର ଆଗେ ।

ଶୋକଭର ହୋଇ ଦେବୀ ଯୋଡ଼ି ବେନିକର

ବୋଇଲେ ମୋ ପାଇଁ କିପାଁ ଶିଶୁପାଳେ ବର ।

ଯାବତ କାଳକୁ ମୋର କଥା ରହିଥାଉ

ନୋହିବି ବିଭା ଏ ଜନ୍ମ ଏହିମତେ ଯାଉ ।

ତୁମ୍ଭେ ସିନା ଜନ୍ମ ମୋତେ କରିଛ ଗୋ ମାତ

ଅନ୍ୟଥା କରିବ କିଏ ବିଧାତାର କୃତ୍ୟ ।

ଲଜ୍ଜା ଛାଡ଼ି କହୁଅଛି ଆଗରେ ତୁମ୍ଭର

ଜନ୍ମେ ଜନ୍ମେ ସ୍ଵାମୀ ମୋର ପ୍ରଭୁ ଚକ୍ରଧର ।

ପାରିଲେ ତାହାଙ୍କୁ ବିଭା କର ମୋତେ ନେଇ

ନୋହିଲେ ମରିବି ସିନା ଦୁଃଖେ ଧନ୍ଦି ହୋଇ ।

ଶିଶୁପାଳ ବର ବୋଲି ଶୁଣନ୍ତେ ମୁଁ କାନେ

ହୃଦୟ ପୋଡ଼ୁଛି ଦାବାନଳ ପ୍ରାୟ ବନେ ।

ଜୀବନ ଧରିବା ପାଇଁ ନାହିଁ ମୋର ଆଶ

ଭକ୍ଷିବଇଁ କାଳକୂଟ ଜଳେ ଦେବି ଝାସ ।

ନିଶ୍ଚୟ ମୁଁ ତଣ୍ଟି କାଟି ପଡ଼ିବି ଅନଳେ

ନୋହିଲେ ମରିବି ଲଜ୍ଜୁ ଲଗାଇଣ ଗଳେ ।

ଏତେ ବୋଲି ଉଚ୍ଚସ୍ଵରେ ରୋଦନ ସେ କରି

ବେନି ନୟନରୁ ବୁହାଇଲେ ଅଶ୍ରୁବାରି ।

ପୂର୍ଣ୍ଣଚନ୍ଦ୍ର ତୁଲ୍ୟ ମୁଖ ଦିଶିଲା କାଳିମା

ଏସନ ବିକଳେ ଶୋକ କରନ୍ତେ ଯେ ଜେମା ।

ତା ଦେଖି ନ ସହି ଦାସୀ ପରିବାରୀଗଣ

ଲୋତକ ବୁହାଇ ସର୍ବେ କରନ୍ତି ରୋଦନ ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକମୁନି

ରାଜାଙ୍କ ପାଶକୁ ଯାଇ ଜଣାନ୍ତି ଜନନୀ ।

ଆହେ ନାଥ ସାବଧାନେ ଶୁଣ ତଥ୍ୟ କଥା

ରୁକ୍ମିଣୀ ମରୁଛି ମନେ ପାଇ ଘୋର ବ୍ୟଥା ।

ପ୍ରାଣରୁ ଅଧିକ କରି ପାଳିଥିଲ ଯାକୁ

କାର୍ଯ୍ୟକାଳେ ଅବହେଳା କର କିପାଁ ତାକୁ ।

ଆଗେ ସ୍ଵୟମ୍ବର ତୁମ୍ଭେ କଲ ତାର ପାଇଁ

ଲକ୍ଷେରାଜା ଆସିଥିଲେ ସମଦଣ୍ଡ ବାହି ।

ରଥୀ ମହାରଥୀ ବୀରେ ହୋଇଥିଲେ ମେଳି

ଆଠମାସ ପରିଯନ୍ତେ ସହିଲ ଅର୍ଦ୍ଦୋଳି ।

ସରିଲା ଅନେକ ଦ୍ରବ୍ୟ ନ ପାଇଲ କାର୍ଯ୍ୟ

ଆପେ ବ୍ୟଥାପାଇ ପରେ ଉପୁଜିଲା ଲାଜ ।

ଏବେ ତ ଶିଶୁପାଳକୁ ଭିଆଇଲ ବର

ଉଗ୍ରସେନ ନାତି ଦମଘୋଷର କୁମର ।

ଆମ୍ଭେ ସର୍ବେ ଆନନ୍ଦିତ ହେଲୁ ଏହା ଶୁଣି

ତାକୁ ବିଭା ହେବ ନାହିଁ ବୋଲୁଛି ରୁକ୍ମିଣୀ ।

ହୃଦୟର କଥା ଝିଅ କହିଲା ଏମନ୍ତ

ଦେବକୀ ନନ୍ଦନ କୃଷ୍ଣ ଅଟନ୍ତି ମୋ କାନ୍ତ ।

ପ୍ରତିଜନ୍ମେ ସେହି କୃଷ୍ଣ ଅଟନ୍ତି ମୋ ପତି

ତାଙ୍କ ବିନା ଆନେ ମୋର ନ ବଳଇ ମତି ।

ସେ ମୋହର ପ୍ରାଣନାଥ ମୁଁ ତାଙ୍କରି ଦାସୀ

ନୋହିଲେ ମରିବି ନିଶ୍ଚେଁ ଅନଳରେ ପଶି ।

ଅଥବା ଜହର ଖାଇ ତେଜିବି ଜୀବନ

ଆନ ଜନେ ନ ଭଜିବି ଏ ମୋର ପ୍ରମାଣ ।

ଭୋ ନାଥ ଏଥକୁ ତୁମ୍ଭେ କର ସୁବିଚାର

ନୋହିଲେ ରୁକ୍ମିଣୀ ନିଶ୍ଚେଁ ଛାଡ଼ିବ ଶରୀର ।

ତା ସମାନେ ଝିଅ ମୋର ଯେବେ ଯିବ ନାଶ

ପ୍ରାଣେ କାର୍ଯ୍ୟନାହିଁ ନିଶ୍ଚେଁ ଜଳେ ଦେବି ଝାସ ।

ଏ ମୋହର ସତ୍ୟ ସତ୍ୟ ଅଟେ ଦୃଢ଼ବାଣୀ

ଏହା କହି ଅତିଉଚ୍ଚେ ଶୋକ କଲେ ରାଣୀ ।

ଦେଖିଣ ଭୀଷ୍ମକ ରାଜା ପାଇ ମନେ ବ୍ୟଥା

ବୋଇଲେ ଚିନ୍ତା ଲାଗଇ ରୁକ୍ମିଣୀର କଥା ।

ନବଯୁବା ବୟସ ତ ହୋଇଲା ତାହାର

ମନର ସଦୃଶ ତାକୁ ନ ମିଳିଲା ବର ।

ଏତେ ବୋଲିଣ ନିଃଶ୍ଵାସ ଛାଡ଼ି ନରସାଇଁ

ବୋଲେ କେତେ ଗଞ୍ଜି ହେବି ଏ ଦୁହିତା ପାଇଁ ।

ଭୋ ଧର୍ମଦେବତା ମୋତେ ପ୍ରତିକାର କର

ବୁଡ଼ିଲି ଚିନ୍ତାସାଗରେ ଉଦ୍ଧରିଣ ଧର ।

ଶୁକ ବୋଇଲେ ହୋ ପରୀକ୍ଷିତ ନୃପମଣି

ଇତି ଶ୍ରୀ ଏ ହରିବଂଶ ପୁରାଣର ଧ୍ଵନି ।

ଅନ୍ତଃପୁର ଭିତରକୁ ନୃପ ଉଠିଯାଇ

ଜ୍ୟେଷ୍ଠପୁତ୍ର ରୁକ୍ମଣକୁ ଆଣିଲେ ଡକାଇ ।

ଯେଉଁଠାରେ ବିଜେ କରିଛନ୍ତି ରାଜାରାଣୀ

ସେଠାରେ ପ୍ରବେଶ ହେଲା ସେ କୁମରମଣି ।

ପିତାମାତାଙ୍କୁ ଦେଖିଣ କରପତ୍ର ଯୋଡ଼ି

ବିନୟରେ ନିଉଛାଳି କଲା ପାଦେ ପଡ଼ି ।

କରଯୋଡ଼ି ପୁଚ୍ଛା କଲେ ହୋଇଣ ବିନୟୀ

ଭୋ ତାତ ବସିଛ କିପାଁ ଚିନ୍ତାଭର ହୋଇ ।

କିବା ରାଜ୍ୟକୁ ତୁମ୍ଭର ହେଲା ଶତ୍ରୁଭୟ

କି ଅବା ଶରୀରରେ ବ୍ୟାଧି ହୋଇଲା ଉଦୟ ।

ଧନହାନି ହେଲା କିବା ହେଲା ମାନଭଙ୍ଗ

କିବା ବନ୍ଧୁଜନେ ତୁମ୍ଭପ୍ରତି ହେଲେ ସଙ୍ଗ ।

କି ଅବା ସେବକମାନେ ନ କରିଲେ ସେବା

ପାତ୍ର ମନ୍ତ୍ରୀମାନେ ଆଜ୍ଞା ନ ମାନିଲେ ଅବା ।

ରାଜାଙ୍କ ଉପରେ ତୁମ୍ଭେ ରାଜଶିରୋମଣି

କି କାର୍ଯ୍ୟ କରିବି ଆଜ୍ଞା ଦିଅ ଏହି କ୍ଷଣି ।

ମହାରଥୀ ପଣେ ମୁହିଁ ଅଟେ ରଣରଙ୍କା

ମୋପରା ପୁତ୍ର ଥାଆନ୍ତେ ତୁମ୍ଭର କି ଶଙ୍କା ।

ଯେତେବେଳେ ଯେଉଁ ଦ୍ରବ୍ୟ ଖୋଜିବ ଆପଣ

ଆଜ୍ଞାଦେଲେ ଆଣିବି ମୁଁ ତାହା ସେହିକ୍ଷଣ ।

ରୁକ୍ମଣ ମୁଖରୁ ରାଜା ଏ ବଚନ ଶୁଣି

ଶୋକଭର ହୋଇ ତାକୁ କହିଲେ ସେ ପୁଣି ।

ତୁ ମୋହର ଜ୍ୟେଷ୍ଠପୁତ୍ର କୁଳେ ଅଟୁ ମୋକ୍ଷ

ବଳବନ୍ତ ବୁଦ୍ଧିମନ୍ତ ସର୍ବଗୁଣେ ଦକ୍ଷ ।

ବାବୁ ତୋ ପ୍ରସାଦେ ମୋର ସବୁ ଅଛି ସିନା

କେବଳ ଦୁସ୍ତର ହେଲା ରୁକ୍ମିଣୀ ବେଦନା ।

ପାଞ୍ଚପୁତ୍ର ମଧ୍ୟେ ମୋର ଦୁହିତା ଗୋଟିକ

ତୋ ପରା ସୋଦର ଥାଉଁ ସେ ପାଇଲା ଦୁଃଖ ।

ବେଭାରରେ ଝିଅ ଘିଅ ସାଇତିଣ ନୋହେ

ଯୁବତୀ ହୋଇଣ ଦେଖ ରହିଛି ସେ ଗୃହେ ।

ଲକ୍ଷେ ରାଜା ଡକାଇ ମୁଁ ସ୍ୱୟମ୍ବର କଲି

ଆଠମାସ ଯାଏ ତାଙ୍କୁ ରୁହାଇ ରଖିଲି ।

କେବଣ ଯୋଗରେ ଜନ୍ମ ହେଲା ମନ୍ଦଭାଗୀ

ବର ନ ମିଳିଲା ତେଡ଼େ ସଭା ଗଲା ଭାଙ୍ଗି ।

ଏବେ ଶିଶୁପାଳକୁ ତୁ କରନ୍ତେ ବରଣ

ତାହା ଶୁଣି ମୂର୍ଚ୍ଛା ଯାଉଅଛି କ୍ଷଣ କ୍ଷଣ ।

ଶୟନ ଭୋଜନ ନିତ୍ୟକର୍ମ ତାର ନାହିଁ

ବୋଲୁଛି ଅନଳେ ଝାସି ମରିବଇଁ ମୁହିଁ ।

ଚନ୍ଦ୍ରମା ପରାୟେ ମୁଖ ଦିଶୁଅଛି କାଳି

ଶରୀରରେ କେଶବାସ ନ ପାରେ ସମ୍ଭାଳି ।

ତୁ ବାବୁ ଜାଣୁ ତାଠାରେ ମୋର କେଡ଼େ ସ୍ନେହ

ସେ ମଲେ ମୁଁ ନିଶ୍ଚେ ଧରି ନ ପାରିବି ଦେହ ।

ସତ୍ୟ କହୁଅଛି ମୋର ପ୍ରାଣେ କାର୍ଯ୍ୟ ନାହିଁ

କଥାଏ କହିବି ବାବୁ କରିବୁ କି ତୁହି ।

ଭୀଷ୍ମକ ନୃପତି ମୁଖୁ ଏ ବଚନ ଶୁଣି

କୃତାଞ୍ଜଳି ହୋଇ ବୋଲେ ସେ କୁମରମଣି ।

ଭୋ ତାତ ଆପଣ ଅଟ ମୋ ଇଷ୍ଟ ଦେବତା

ପିଣ୍ଡର କାରେଣି ତୁମ୍ଭେ ଭକ୍ତି ମୁକ୍ତି ଦାତା ।

ଯାହା ଆଜ୍ଞା ଦେବ ତାହା ଶୀଘ୍ର କହ ମୋତେ

ଏ ଛାର କଥାକୁ କିପାଁ ଚିନ୍ତା କର ଏତେ ।

ଭୀଷ୍ମକ ବୋଇଲେ ବାବୁ ମୋ ବଚନ ମାନି

ଶିଶୁପାଳ ଛାଡ଼ି କୃଷ୍ଣେ ଦିଅ ତୋ ଭଗିନୀ ।

ଯଦୁରାଜା ବଂଶରେ ସେ ହୋଇଛନ୍ତି ଜାତ

ଦେବକୀ ଅଟଇ ମାତା ବସୁଦେବ ତାତ ।

ଉଗ୍ରସେନ ନୃପତିର ଅଟନ୍ତି ସେ ନାତି

ବଳବୀର୍ଯ୍ୟ ପରାକ୍ରମ ଅଙ୍ଗେ ବହିଛନ୍ତି ।

ସୁକୁମାର ସୁଲକ୍ଷଣ ପୁଣି ନବଯୁବା

ସାମାନ୍ୟ ନୁହନ୍ତି କିସ ପଟାନ୍ତର ଦେବା ।

ପ୍ରତ୍ୟକ୍ଷେ ସେ ନାରାୟଣ ମର୍ତ୍ତେ ଅବତରି

ଜଗତ ମୋହନ ରୂପ ଧରିଛନ୍ତି ହରି ।

କଉଣସି ଅବିଗୁଣ ତାଙ୍କଠାରେ ନାହିଁ

ରୁକ୍ମିଣୀର ମନ ବଳିଅଛି ତାଙ୍କ ତହିଁ ।

ଆଉ ଅନ୍ୟ ବରକୁ ସେ ନ କରେ ଗଣନା

ଶ୍ରୀକୃଷ୍ଣଙ୍କ ନାମ ଶୁଣି ହେଉଅଛି ବଣା ।

କୃଷ୍ଣ ବିନା ଆନେ ତାର ନ ବଳଇ ମନ

ଆନକୁ ଦେଲେ ସେ ନିଶ୍ଚେ ତେଜିବ ଜୀବନ ।

ତା ବିକଳ ଦେଖି ମୋର ବଢ଼ୁଅଛି ଚିନ୍ତା

ଏ ଶୋକ – ସାଗରୁ ବାବୁ ତୁ ସିନା ରଖନ୍ତା ।

ତେଣୁ ବିନୟରେ ତୋତେ କହୁଛି କୁମର

ଧାତିକାରେ ରୁକ୍ମିଣୀକି କୃଷ୍ଣେ ବିଭାକର ।

ତୁ ଯଦ୍ୟପି ଏ କଥାକୁ ଅନ୍ୟଥା କରିବୁ

ଭଗିନୀ ମରିବ ମୋତେ ଆଉ ନ ପାଇବୁ ।

ପିତାର ମୁଖୁ ରୁକ୍ମଣ ଏ ବଚନ ଶୁଣି

ଅତି କୋପେ କୋପାନଳ ହେଲା ବୀରମଣି ।

ରୋମମୂଳ ପୁଲକାଇ କମ୍ପେ ଥରହର

ଶରୀରୁ ଶ୍ରମଝାଳ ବହିଲା ସତ୍ୱର ।

କୋପେ ମହାମତ୍ତ ସିଂହ ପରାୟେ ସେ ହୋଇ

ରଟମଟ କରି ଦନ୍ତେ ଦନ୍ତକୁ ଚାପଇ ।

ତମ୍ବାଚକ୍ର ପରାୟେକ ବୁଲାଇ ନୟନ

ଅତ୍ୟନ୍ତ କୋପେ ନିଃଶ୍ୱାସ ଛାଡ଼େ ଘନ ଘନ ।

ଗର୍ଜନ କରି ବଚନ ବୋଲେ ଅମରଷ

ଅବଧ୍ୟ ଅଟଇ ରାଜା କହିବଇଁ କିସ ।

ବାଇ ଦୁଃଖୀ ଦରିଦ୍ର ଏ ତିନି ମହାପାପୀ

ଭଲ ମନ୍ଦ ଜ୍ଞାନ ନାହିଁ ତାଙ୍କର କଦାପି ।

ଷଣ୍ଢା ବକା ପୂତନାକୁ ବଧ କରିଅଛି

ତାଠାରୁ ପାତକୀ ଆଉ ଜଗତେ କେ ଅଛି ।

ମାଉସୀ ପିଉସୀ ଖୁଡ଼ୀ ଜେଠୀ ମଉଳାଣୀ

ଏହାଙ୍କୁ ଯେ ହରିଅଛି କୁଞ୍ଜବନେ ଆଣି ।

ଗୋପାଳ ପୁଅଙ୍କ ସଙ୍ଗେ ବତ୍ସା ଚରାଇଲା

ଗୋପୀଙ୍କ ପାଲଟା ଲୁଗା ଚୋରାଇଣ ନେଲା ।

ଚାରୁଣ ମୁଷ୍ଟିକ କେଶୀ କୁବଳୟା କଂସ

ଏହାଙ୍କୁ ବିଶ୍ୱାସଘାତୀ ହୋଇ କଲା ନାଶ ।

ଆଉ ଯେତେ ଦୁଷ୍ଟପଣ କେ କରିବ ଲେଖା

କୂଟେ କଟୁଆଳ କେଶ ଧରି ବୁଲେ ଏକା ।

ଲବଣୀ ଗୋଟିକା ଦୁଧ ଦହି ଛେନା ଘୃତ

ଗୋପୀଙ୍କ ଘରୁ ଚୋରାଇ ଖାଇଲା ସମସ୍ତ ।

ପ୍ରତ୍ୟକ୍ଷରେ ମହାପାପ କରିଛି ସେ ଯେତେ

ଗୋଟି ଗୋଟିକରି ତାହା କହିବି ମୁଁ କେତେ ।

ଜାତି କୁଳ ଶୀଳ ଧର୍ମ ନାହିଁ ତାର ଲେଶ

ଦେଖିଲେ ଅଯାତ୍ରା ତାଙ୍କୁ ଛୁଇଁଲେ ଯେ ଦୋଷ ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଜାତି ସେ ନୁହଇ

ଗଉଡ଼ ବାଉଡ଼ ହୀନ ପାମର ଅଟଇ ।

ନୁହଇ ସେ ପାତ୍ର ମନ୍ତ୍ରୀ ନୁହେଁ ଉଚ୍ଚକୁଳ

ଜନ୍ମହେଲା ଦିନୁଁ ହୀନ ଲୋକ ସଙ୍ଗେ ମେଳ ।

ଜାତିକୁଳ ନାହିଁ ତାର ନୁହେଁ ସେ ବରଣି

ଏଣୁ ତାକୁ କନ୍ୟା କେହି ନ ଦିଅନ୍ତି ଜାଣି ।

ମୁଁ ଅଟଇ ରାଜପୁତ୍ର ତେଜେ ଅନର୍ଗଳା

ଜାଣୁ ଜାଣୁ ହେବି କେହ୍ନେ ଗଉଡ଼ର ଶଳା ।

କେମନ୍ତେ କରିବି ଅବା ଏଡ଼େ ପାପକର୍ମ

କନ୍ଧରୁ ଲକ୍ଷ୍ମୀ ଛାଡ଼ିବ ନାଶଯିବ ଧର୍ମ ।

ବାଳୁତ ସ୍ୱଭାବ ଏହା ନ ଜାଣେ ରୁକ୍ମିଣୀ

ତୁମ୍ଭେ ତାତ ବାଇପ୍ରାୟେ କହୁଅଛ ବାଣୀ ।

କୁଳକୁ କଳଙ୍କ ହେବ ବୋଲି ନ ବିଚାରି

ଏଡ଼େ ଅପମାନ କଥା କହୁଛ କିପରି ।

ଚାରିଊଣା ଲକ୍ଷେରାଜା ଥିଲେ ଏଥେ ମିଳି

ତହୁଁ ଜଣେ ନ ବରିଲା ତୁମ୍ଭର ଦୁଲାଳୀ ।

ବିଭା ହେବି ନାହିଁ ବୋଲି କହୁଥିଲା ମିଛେ

କୁଳରେ କଳଙ୍କ ଆଣି ଲଗାଇବ ପଛେ ।

କୁଳବତୀ କନ୍ୟା ହୋଇ ନାହିଁ ତାର ଲଜ୍ଜା

ଛାର ଗଉଡ଼ର ପୁଣି ହେବ ସେ ଭାରିଯା ।

ସ୍ତିରୀଜାତି ସ୍ୱଭାବରେ ଚଞ୍ଚଳ ତା ମତି

ତେଣୁ ଜାଣି ନ ପାରେ ସେ ଭଲମନ୍ଦ ରୀତି ।

ବହୁପୁଣ୍ୟ କରିଥିବ ଯେହୁଁ ପୂର୍ବକାଳେ

ଶିଶୁପାଳକୁ ପାଇବ ସେହୁ ତପବଳେ ।

ଖଳ ଅବିଶ୍ୱାସୀ ଲୋକ ତାର ଦୁଷ୍ଟପଣ

କହିଲେହେଁ ସତ୍ୟବୋଲି କେବା ତା ନ ଶୁଣ ।

ପିତାତୁଲ୍ୟ ଜ୍ୟେଷ୍ଠଭ୍ରାତା ରୁକ୍ମିଣୀର ମୁହିଁ

ଅବଶ୍ୟ ମଙ୍ଗଳ କାର୍ଯ୍ୟ କରିବି ତା ପାଇଁ ।

ଦେଶକାଳ ପାତ୍ର ବୁଝି କରିଥିଲେ କାର୍ଯ୍ୟ

ସର୍ବଶୁଭ ହେବ ଆମ୍ଭେ ନ ପାଇବା ଲାଜ ।

ଏ ମୋର କହିବା କଥା ରୁକ୍ମିଣୀକୁ କହ

ମନରୁ ସନ୍ତାପ ଛାଡ଼ୁ ନ କରି ସନ୍ଦେହ ।

ସବୁ କଥା ଦୂରେ ଛାଡ଼ି କରୁ ମୋର ବୋଲ

ମୁଁ ନିଶ୍ଚେ କରିବି ତାର ସବୁକାର୍ଯ୍ୟେ ଭଲ ।

କାହିଁ ବସି କେତେ ପୁଣ୍ୟ କରିଥିଲା ପୂର୍ବେ

ତେବେ ଶିଶୁପାଳ ବର ହେବ ତାର ଏବେ ।

ଦୁଇକୁଳ ବିଶୁଦ୍ଧ ସେ ବଳେ ଜଗଜ୍ଜିତା

ଦମଘୋଷ ପିତା ଯାର ଦଇବକୀ ମାତା ।

ସଂଗ୍ରାମରେ ଅଜୟ ସେ ବୀର ଚୂଡ଼ାମଣି

ବୟସରେ ନବଯୁବା ରୂପେ କାମ ଜିଣି ।

ବୁଦ୍ଧିମନ୍ତ ବଳବନ୍ତ ରାଜନୀତିଜ୍ଞାତା

କ୍ଷତ୍ରିୟ ଗୁଣରେ ତାକୁ ନାହିଁ କେ ଜିଣନ୍ତା ।

ତାଠାରୁ ସୁନ୍ଦର ହୋଇ ଜଗତେ କେ ନାହିଁ

ସ୍ୱର୍ଗରୁ ନାୟିକା ୟାକୁ ଦେଖି ହେବେ ମୋହି ।

ଆଲୋ ଦାସୀମାନେ ତୁମ୍ଭେ ଏହିକ୍ଷଣି ଯାଅ

ରୁକ୍ମିଣୀକୁ ଏହା ସବୁ ବୁଝାଇଣ କହ ।

ମୁହିଁ ଯାଉଅଛି ବର ବରିବାର ପାଇଁ

ତୁମ୍ଭେ ସେ ସମସ୍ତେ ତାକୁ କହିବ ମଣାଇ ।

ଶୁକ ବୋଇଲେ ହୋ ଶୁଣ ପରୀକ୍ଷିତ ରାୟେ

ଇତି ଶ୍ରୀମଦ୍ଭାଗବତ ଗ୍ରନ୍ଥ ପୂଣ୍ୟମୟେ ।

ଶ୍ରୀହରି ଚରିତ ଏ ଯେ ଅପୂର୍ବ ଆଖ୍ୟାନ

ପଢ଼ନ୍ତେ ଶୁଣନ୍ତେ ହୁଏ ପାତକ ଦହନ ।

ଚାରିମୁଖେ ବ୍ରହ୍ମା ଯାହା ନ କରିବେ ଶେଷ

ଶାରଦା ପ୍ରସନ୍ନେ ଲେଖେ ମୁଁ ଅଚ୍ୟୁତ ଦାସ ।

 

ଶିଶୁପାଳକୁ ବରିବା ପାଇଁ ରୁକ୍ମଣର ଗମନ  ଏବଂ ରୁକ୍ମିଣୀଙ୍କର ଦୁର୍ଗାସ୍ତୁତି

 

ଏସନକ ଆଜ୍ଞାଦେଇ ସେ ରୁକ୍ମଣ ବୀର

ବରଣ ସାମଗ୍ରୀ ଘେନି ହୋଇଲା ବାହାର ।

ବଦରୀ ଶ୍ରୀଫଳ ଦୁର୍ବା ଅକ୍ଷତ ଚନ୍ଦନ

ନାନାରତ୍ନ ଅଳଙ୍କାର ଅମୂଲ୍ୟ ବସନ ।

କର୍ପୁର କସ୍ତୁରୀ ଗୁଆ ନାନା ପୁଷ୍ପହାର

ପାଟଛତ୍ର ବିତପନ ଧବଳ ଚାମର ।

ପାତ୍ରମନ୍ତ୍ରୀ ଅମନାତ୍ୟ ବାନ୍ଧବ ସହିତେ

ପୁରୋହିତ ଭାଟ ବନ୍ଦୀ ଜଉତିଷ ଯେତେ ।

ପଣ୍ଡିତ ଉତ୍ତମ ଜନ ରାଜା କର୍ମଚାରୀ

ସଜ ହୋଇ ବାହାରନ୍ତି ଆନନ୍ଦରେ ପୂରି ।

ବାଜଇ ମଙ୍ଗଳ ଶଙ୍ଖ ମହୁରୀ ବାଜଣା

ଯେ ଯାହାର ସଜ ହେଲେ ଚତୁରଙ୍ଗ ସେନା ।

ବୀର ବେଶ ହୋଇ ଆପେ ରୁକ୍ମଣ କୁମର

ନିଜ ଅଙ୍ଗେ ମଣ୍ଡିହେଲା ନାନା ଅଳଙ୍କାର ।

ବିଦ ମୁଦି ରତ୍ନହାର ବଳୟ କଙ୍କଣ

ଦେବାଙ୍ଗ ବସନ ବାଛି ପିନ୍ଧିଲା ତକ୍ଷଣ ।

ରାତ୍ର ବେନିଘଡ଼ି ଥାଉ ବାଜେ ବୀରତୂର

ଭୀଷ୍ମକ ନୃପତି ଆଗରେ ମିଳିଲା କୁମର ।

କରଯୋଡ଼ି ଜଣାଇଲା ମାତା ପିତା ଆଗେ

ରୁକ୍ମିଣୀକି ଡାକି ତୁମ୍ଭେ କହ ଅନୁରାଗେ ।

ସେ ମୋର ଭଗିନୀ ଅଟେ ପ୍ରାଣରୁ ଅଧିକା

ମୋ କଥାରେ କିପାଇଁ ସେ କରୁଅଛି ଶଙ୍କା ।

ତା ମଙ୍ଗଳ ଆମ୍ଭେମାନେ ଦେଖିବା ନୟନେ

ପିଲାଦିନୁ ପାଳିଥାଇ ଅନେକ ଯତନେ ।

ଚେଦି ଦେଶେ ହୋଇବ ସେ ପାଟ ମହାଦେଇ

ଏଥିରୁ ଅଧିକ କଥା ଖୋଜିଲେ ନ ପାଇ ।

ସେ ଏଥିରେ ଅବିଗୁଣ ନ ବିଚାରୁ କିଛି

ତା ମଙ୍ଗଳ କଥା ସିନା ମୁହିଁ କରୁଅଛି ।

ତୁମ୍ଭେ ତାର ଜନ୍ମଦାତା ପିତା ମାତା ଗୁରୁ

ସେ କିପାଁ ବାହାର ହେବ ତୁମ୍ଭର କଥାରୁ ।

ଯେହ୍ନେ ଶିଶୁପାଳ ପ୍ରତି ଚଳେ ତାର ମନ

ଆଗେ ତା ବୁଝାଇ ତୁମ୍ଭେ କରିବ ଯତନ ।

ଏତେ କହି ଚଳିଗଲେ ରୁକ୍ମଣ କୁମର

ଆରେଣି ଅଙ୍କୁଶ ଧରି ଆପଣାର କର ।

ମତ୍ତହସ୍ତୀ ପୃଷ୍ଠେ ଯାଇ କଲା ଆରୋହଣ

ବାଜଇ ବିବିଧ ବାଜା ଟମକ ନିଶାଣ ।

ସୁଲକ୍ଷଣୀ ନାରୀମାନେ ଦେଲେ ହୁଳହୁଳି

ବାଜିଲାକ ଯୋଡ଼ା ଶଙ୍ଖ ମଙ୍ଗଳ ମହୁରୀ ।

ପାତ୍ର ମନ୍ତ୍ରୀ ସହିତରେ ଚତୁରଙ୍ଗ ସୈନ୍ୟ

ସଙ୍ଗତେ ଘେନାଇ ବୀର ଚଳିଲା ବହନ ।

ଆନନ୍ଦ ଉତ୍ସବେ ଚଳିଯାନ୍ତି ଖରତର

ପାହିଲା ରଜନୀ ଉଦେ ହେଲେ ଦିନକର ।

ଭୀଷ୍ମକ ନୃପତି ଉଠି ନିତ୍ୟକର୍ମ ସାରି

ପାଟମହାଦେଈକି ସେ ଆଣିଲେ ହକାରି ।

ପତି ପତ୍ନୀ ଦୁହେଁ ତହିଁ ଏକାନ୍ତରେ ଥାଇ

ରୁକ୍ମିଣୀକି ସେ ସ୍ଥାନକୁ ଆଣିଲେ ଡକାଇ ।

ଶ୍ରୀଅଙ୍ଗ ଆଉଁସି ତାଙ୍କୁ କହନ୍ତି ଏ ବାଣୀ

ତୁ ଆମ୍ଭର ପଞ୍ଚଆତ୍ମା କୁଳର ମଣ୍ଡଣି ।

ଅନେକ ଜନ୍ମର ଯେବେ ତପ କରିଥାଇ

ମାନବ ଶରୀର ଧରି ସଂସାରେ ଜନ୍ମଇ ।

ବିଶେଷେ ତୁ ରାଜକନ୍ୟା ଅଟୁ ସୁଲକ୍ଷଣୀ

କେତେ କଷ୍ଟ ବିଧାତା ଯେ ଦେଲେ ତୋତେ ଆଣି ।

ନବଯୁବତୀ ବୟସ ହୋଇଲା ତୋହର

ଏତେ କାଳ ପରିଯନ୍ତେ ନ ମିଳିଲା ବର ।

ଝିଅ ଘିଅ ସାଇତିବ କେବା ଚିରକାଳ

ତୋ ନିମନ୍ତେ ହେଉ ଆମ୍ଭେ ସମସ୍ତେ ବିକଳ ।

ତୋ ଜ୍ୟେଷ୍ଠଭାଇ ରୁକ୍ମଣ ବୀର ଶିରୋମଣି

ଯା ନାମ ଶୁଣିଲେ ସ୍ୱର୍ଗେ କମ୍ପେ ବଜ୍ରପାଣି ।

ସେ ଯାହାକୁ ତୋ ପାଇଁକି ବରିଅଛି ବର

ତୁ ମାତା ତହିଁକି ନାସ୍ତି କେବେହେଁ ନ କର ।

କୃଷ୍ଣଙ୍କୁ ବରିବୁ ବୋଲି କରିଅଛୁ ଦୃଢ଼

ମୁଁ କହିବା କଥା ଶୁଣି ତାହା ଏବେ ଛାଡ଼ ।

ଜନ୍ମ ଜନ୍ମାନ୍ତରେ ଅଟେ ଯେ ଯାହାର ପତି

ବିଧାତା ଘଟାଏ ତାହା ନୁହେ ଆନଗତି ।

ଅମୂଲ୍ୟ ରତନ ମାଗୋ ଅସଂଖ୍ୟ ଭଣ୍ଡାର

ଦଇବ ଦିଅନ୍ତେ ସିନା ଭୋଗକରେ ନର ।

କେ ଆନ କରିବ ତାହା ନରଦେହ ବହି

କାଳେ କାଳେ କଥା ଥିବ କାର୍ଯ୍ୟ କିଛି ନୋହିଁ ।

ତୁ ପରମ ପଣ୍ଡିତା ମୁଁ କହିବଇଁ କିସ

ତିନିକାଳ କଥା ତୋତେ ସବୁ ହୁଏ ଦୃଶ୍ୟ ।

ସମୟକୁ ଚାହିଁ ମାଗୋ ମନ କର ଶାନ୍ତି

ସମସ୍ତଙ୍କ ବିଚାରକୁ ରୁଚିଲା ଏ ଘାନ୍ତି ।

ତୁ ଯଦ୍ୟପି ଅବିଚାରେ ଭାଙ୍ଗିବୁ ଏ କଥା

କାର୍ଯ୍ୟ ନ ପାଇବୁ ପଛେ ଜାତ ହେବ ବ୍ୟଥା ।

ଯେଉଁ ପୁତ୍ର ଭୁଜବଳେ ପୃଥ୍ୱୀ ଜିଣିପାରେ

ତା ବଚନ ଭାଙ୍ଗି ଆମ୍ଭେ ନ ପାରିବୁ ଡରେ ।

ଦଇବେ ଅବଳା ତୁହି ଅଟୁ ନବବାଳୀ

ଜ୍ୟେଷ୍ଠଭ୍ରାତା କଥା କେହ୍ନେ ଭାଙ୍ଗିବ ତୋ ଭଳି ।

ସେ ଯାହା ବିଚାର କରିଅଛି ପରିଘାଇ

କେ ତାହା ଭାଙ୍ଗିବ ଅବା ନରଦେହ ବହି ।

ପୁଣି ତ ଏ ବିଶେଷରେ ନୁହେଁ ସ୍ୱୟମ୍ବର

ଇଚ୍ଛା ଅନୁସାରେ କନ୍ୟା ବରିବାକୁ ବର ।

ଇଚ୍ଛାବର ବରିବାକୁ ଯେବେ ତୋ ସରାଗ

ସ୍ୱୟମ୍ବର କରି କିପାଁ ନ ବରିଲୁ ଆଗ ।

ଲଲାଟ ଲିଖନ ତୋର ଅଛି ଆଗୋ ଯାହା

ନିଶ୍ଚୟ ଭୋଗିବୁ ଆନ କେ କରିବ ତାହା ।

ଏହାଶୁଣି ରୁକ୍ମିଣୀର ବହେ ଅଶ୍ରୁଜଳ

ପିତା ମାତା ମୁଖ ଚାହିଁ ହୁଅଇ ବିକଳ ।

ନିଅବକାଶ ମନ୍ଦିରେ ଆଉ କେହି ନାହିଁ

ତିନେହେଁ ରୋଦନ କଲେ ପରସ୍ପରେ ଚାହିଁ ।

କପାଳରେ କର ତାଡ଼ି ରୁକ୍ମିଣୀ ବିକଳ

ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।

ଭୋ ଦଇବ ଏଡ଼େ ବିଡ଼ମ୍ବନ କଲୁ ଆଣି

ଶୃଗାଳକୁ ଦେଉଅଛୁ ସିଂହର ଘରଣୀ ।

ମୁଁ ପଛକେ ମରି ଜନ୍ମ ହେବି ଶତେବାର

ଜନ୍ମେ ଜନ୍ମେ ଶିଶୁପାଳ ବର ନୋହୁ ମୋର ।

ଏମନ୍ତ ବୋଲି ରୁକ୍ମିଣୀ କାନ୍ଦି ଉଚ୍ଚସ୍ୱରେ

କ୍ଷଣେ କ୍ଷଣେ ମୁର୍ଚ୍ଛାଯାଇ ଲୋଟିଲେ ଭୂମିରେ ।

ତା ଦେଖି ଜନନୀ ତୋଳିକୋଳେ ବସାଇଲେ

ଶ୍ରୀଅଙ୍ଗ ଆଉଁସି ଦେଇ ମୁଖେ ଚୁମ୍ବ ଦେଲେ ।

ଆଶ୍ୱାସି କହିଲେ ମାଗୋ ବିକଳ ତୁ ନୁହ

ତୋ ବିକଳ ଦେଖି ମୋର ସହୁ ନାହିଁ ଦେହ ।

ତୁ ପ୍ରତ୍ୟକ୍ଷେ ମହାଲକ୍ଷ୍ମୀ ନାରୀ ରତ୍ନନିଧି

ଯାହା ବାଞ୍ଛା କରିଅଛୁ ହେବ ନିଶ୍ଚେଁ ସିଦ୍ଧି  

କ୍ଷଣକ୍ଷଣକରେ କଥା ହୁଏ ଆନ ଆନ

ଏଥିପାଇଁ ଶୋକକରି ନ ହୁଅ ବିମନ ।

ମୋହର ମନକୁ ଏହା ପ୍ରତେ ଯାଉନାହିଁ

ଭୀଷ୍ମକ ରାଜା ବୋଇଲେ ରୁକ୍ମଣୀକୁ ଚାହିଁ ।

ମାଗୋ ଶୋକ ସମ୍ଭାଳିଣ ଥାଅ ସ୍ଥିର ହୋଇ

ଅତି ଆକୁଳ ନୋହିବ ଶାସ୍ତ୍ରେ ଅଛି କହି ।

ଏତେ ବୋଲି ତହୁଁ ପିତା ମାତା ଚଳିଗଲେ

ଜେମାଙ୍କୁ ତୋଷିବ ବୋଲି ଦାସୀଙ୍କୁ କହିଲେ ।

ଏଥୁ ଅନନ୍ତରେ ବସି ରୁକ୍ମିଣୀ ଏକାନ୍ତେ

ମହାମାୟାଙ୍କୁ ସ୍ମରଣା କଲେ ଦୃଢ଼ଚିତ୍ତେ ।

ଜୟ ଜୟ ଦୁର୍ଗେ ମାଗୋ ଜୟ ଭଦ୍ରାକାଳୀ

ରକ୍ଷିଣୀ ଭକ୍ଷିଣୀ ଚଣ୍ଡୀ ଚାମୁଣ୍ଡା ବେତାଳୀ ।

ଯୋଗମୁଦ୍ରା ଜ୍ଞାନରୂପା ଦୁର୍ଗତି ତାରିଣୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଠାକୁରାଣୀ ।

ପୃଥ୍ୱୀ ଆପ ତେଜ ବାୟୁ ଆବର ଆକାଶ

ପଞ୍ଚଭୂତ ଆତ୍ମା ଆପେ କରିଛୁ ପ୍ରକାଶ ।

ବେଦମାତା ଗାୟତ୍ରୀ ତୁ ଅନାଦି ଅପର୍ଣ୍ଣା

ଈଶ୍ୱର ଘରଣୀ ମାଗୋ ନାମ ତୋର ଉମା ।

ସ୍ଥାବର ଜଙ୍ଗମ କୀଟ ଆଦି ସୃଷ୍ଟି ଯେତେ

ପ୍ରଳୟ କାଳରେ ଆପେ ରଖୁ ଗର୍ଭଗତେ ।

ପୁନରପି ସୃଷ୍ଟିକାଳେ ଗର୍ଭୁ କରୁ ଜାତ

କେହି ଜାଣି ନ ପାରନ୍ତି ତୋର ଆଦିଅନ୍ତ ।

ଶୁମ୍ଭ ନିଶୁମ୍ଭ ମହିଷାସୁର ରକ୍ତବୀର୍ଯ୍ୟ

ଚଣ୍ଡ ମୁଣ୍ଡଆଦି ଯେତେ ଦୁର୍ଦ୍ଦାନ୍ତ ଦନୁଜ ।

କିଞ୍ଚିତ ସମରେ ତାଙ୍କୁ ପକାଇଲୁ ନାଶି

ତେଣୁ ସୁସ୍ଥେ ବିହରିଲେ ତିନିପୁର ବାସୀ ।

ତ୍ରିପୁରା ମୋହିନୀ ମାଗୋ ତୁ ସର୍ବମଙ୍ଗଳା

କରେ ଖଣ୍ଡା ଖପର ତୋ ଗଳେ ମୁଣ୍ଡମାଳା ।

ନାରାୟଣୀ ନାରସିଂହୀ ବାରାହୀ କୌମାରୀ

ଇନ୍ଦ୍ରାଣୀ ବ୍ରାହ୍ମଣୀ କାତ୍ୟାୟିନୀ ମାହେଶ୍ୱରୀ ।

ଏମନ୍ତେ ଅନେକ ରୂପ ଧରି ମାଗୋ ତୁହି

ତୋ ପାଦରେ ନମସ୍କାର କରୁଅଛି ମୁହିଁ ।

ଶରଣ ପଶିଲି ମାତ ତୋର ପଦାଗ୍ରତେ

ସଙ୍କଟ ତାରିଣୀ ବାରେ ରକ୍ଷା କର ମୋତେ ।

ତୁ କି ନ ଜାଣୁ ମାତ କୃଷ୍ଣ ମୋର ପତି

ତାଙ୍କବିନା ଆନେ ମୋର ନ ବଳଇ ମତି ।

ଶିଶୁପାଳ ଭୟ ଏବେ ଲାଗିଅଛି ମୋତେ

ସେ ମହାଭୟରୁ ରକ୍ଷା କର ଦୟାଚିତ୍ତେ ।

ଭାଇ ମୋତେ ଲଣ୍ଡଭଣ୍ଡ କରୁଛି ନ ଜାଣି

ମାଗୋ ଦୟାକରି ଦିଅ ଶ୍ରୀକୃଷ୍ଣଙ୍କୁ ଆଣି ।

ଓଁକାର ପରମ ହଂସ ଜ୍ୟୋତି ଶୂନ୍ୟମୟ

ଜୀବନ୍ୟାସେ ଭେଟୁ ତୁହି ଅଟୁ ବେଦମୟ ।

ତୁହି ଦେବୀ ଆଦିଶକ୍ତି ତୁ ଦେବୀ ଅନାଦି

ତୁହି ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦି ।

ସବୁରି ଘଟରେ ପୁରି ସର୍ବମନ ଜାଣୁ

ଦୁଃଖ ସୁଖ ବେନି କଥା ଆଗେ ପରିମାଣୁ ।

ଶିବ ଶକ୍ତିରୂପେ ତୁ ଯେ ହୋଇଛୁ ପ୍ରକାଶ

ସ୍ତିରୀ ଏକେ ପୁରୁଷେକ ହୁଅଇ ଅବଶ୍ୟ ।

ନମସ୍ତେ ମଙ୍ଗଳା ମାଗୋ ବାଞ୍ଛା କର ସିଦ୍ଧି

ସଙ୍କଟ ତାରିଣୀ ଦୁର୍ଗେ ନାମ କଳ୍ପନିଧି ।

ମଙ୍ଗଳାଙ୍କ ପାଦେ ବନ୍ଦି ମାଗଇ ଅଚ୍ୟୁତ

ରୁକ୍ମିଣୀ ଦେବୀଙ୍କୁ ଦୟା କର ଆଦିମାତ ।

 

ରୁକ୍ମିଣୀଙ୍କର ଦୁର୍ଗାଙ୍କଠାରୁ ବରଲାଭ ଓ କୃଷ୍ଣଙ୍କ ପ୍ରତି ଦୂତ ପ୍ରେରଣ

 

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃପତି

ଅତିଭାଗ୍ୟେ ଭାଗବତ ପୁରାଣର କୀର୍ତ୍ତି ।

ରୁକ୍ମିଣୀ ଦେବୀ ଏସନ ସ୍ତୁତି ଯହୁଁ କଲେ

ସନ୍ତୋଷେ ସର୍ବମଙ୍ଗଳା ପ୍ରସନ୍ନ ହୋଇଲେ  

ଲୋହିତ ପିଙ୍ଗଳ ପ୍ରାୟେ ବିରାଜଇ ତନୁ

ନୀଳ ଗଗନରେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।

ଯୋଗନିଦ୍ରାରେ ବିଘୂର୍ଣ୍ଣ ଦିଶେ ନେତ୍ରବେନି

କରେ ପାଶାକୁଶାଭୟବର ପଦ୍ମାସନୀ ।

ରକ୍ତବସ୍ତ୍ର ପରିଧାନ ଅଙ୍ଗେ କୋଟିହାର

ହୀରା ପଦକରେ ଶୋଭା ପାଉଅଛି ଉର ।

ମୁକୁଟ କିରୀଟ କର୍ଣ୍ଣାଞ୍ଚଳ ଜ୍ୟୋତିର୍ମୟେ

ରୁକ୍ମିଣୀ ଅଗ୍ରତେ ଆସି ଉଭା ହେଲେ ମାଏ ।

ବିମ୍ବାଧରେ ଅଳ୍ପହସି ବୋଲନ୍ତି ଭବାନୀ

ଅନିମିତ୍ତେ ଆତଙ୍କ ତୁ ନୁହସି ରୁକ୍ମିଣୀ ।

ପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ଜଗତର ମାତ

ପୃଥ୍ୱୀଭାର ନିବାରଣେ ହୋଇଅଛୁ ଜାତ ।

ଜନ୍ମେ ଜନ୍ମେ ବିଷ୍ଣୁଙ୍କର ଅଟୁ ତୁ ଘରଣୀ

ସକଳେ ବୋଲନ୍ତି ତୋତେ ଆଦି ଠାକୁରାଣୀ ।

ତୁ କିପାଇଁ ଏତେ ଚିନ୍ତା କରୁଛୁ ଗୋ ମାଏ

କାର୍ଯ୍ୟସିଦ୍ଧି ହେବ ତୋର ଛାଡ଼ ମନୁ ଭୟେ ।

ମନବାଞ୍ଛା ବର ତୋତେ ଦେଉଛି ପ୍ରସନ୍ନେ

ନିଜ ସ୍ୱାମୀ ପାଇବୁ ତୁ ଆଉ ଅଳ୍ପଦିନେ ।

ଏବେ ସବୁ କାର୍ଯ୍ୟସିଦ୍ଧି ହୋଇଲା ତୋହର

ନିଶ୍ଚିନ୍ତ ହୋଇଣ ମନୁ ଚିନ୍ତା ପରିହର ।

ତୋ ନିମନ୍ତେ ଏ ସ୍ଥାନକୁ ଆସି ଜଗନ୍ନାଥେ

ତୋତେ ଘେନିଯିବେ ନିଶ୍ଚେଁ ବସାଇଣ ରଥେ ।

ଯୁଦ୍ଧେ ହାରି ଅପମାନ ପାଇବ ରୁକ୍ମଣ

ଲଜ୍ଜାପାଇ ଶିଶୁପାଳ ଫେରିଯିବ ଜାଣ ।

ବରଯାତ୍ରୀ ହୋଇ ଆସିଥିବେ ଯେତେ ରାଜା

ସବୁଠାରୁ ବଳିଯିବ ସେମାନଙ୍କ ଲଜ୍ଜା ।

ଜରାସନ୍ଧ ପଳାଇବ ଅପମାନ ପାଇ

ତୋ କାର୍ଯ୍ୟ କରିବି ନିଶ୍ଚେଁ ମୁଁ ଏଠାରେ ଥାଇ ।

କ୍ଷୀରସମୁଦ୍ରରୁ ଜାତ ହେଲୁ ତୁ ଗୋ ପୂର୍ବେ

ମାନବ ଶରୀରେ ତାହା ପାସୋରିଛୁ ଏବେ ।

ପୃଥୀଭାରା ନିବାରିବେ କୃଷ୍ଣ ତୋତେ ଘେନି

ଏତେ କହି ଅନ୍ତର୍ଦ୍ଧାନ ହାଇଲେ ଭବାନୀ ।

ବିଜୁଳି ପରାୟେ ଶୁନ୍ୟେ ଗଲେ ମହାମାୟୀ

ରୁକ୍ମିଣୀ ହରଷ ହେଲେ ବାଞ୍ଛାବର ପାଇ ।

ସୁମେଧାକୁ ଆଦି ଯେତେ ସହଚରୀ ଥିଲେ

ନମ୍ର ହୋଇ ବିପ୍ରପାଦେ ସମସ୍ତେ ପଡ଼ିଲେ ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ

କହୁଁ କହୁଁ ଗତ ହୋଇଗଲା କିଛିଦିନ ।

ଚେଦୀ ଦେଶକୁ ରୁକ୍ମଣ ଆଗୁ ଯାଇଥିଲା

ଗନ୍ଧମାଲ୍ୟ ଦେଇ ଶିଶୁପାଳକୁ ବରିଲା ।

ବିଭାତିଥି ବାରବେଳ ଲଗ୍ନଆଦି କହି

ଲେଉଟି ଅଇଲା ତହିଁ ଦଣ୍ଡ ପାଲଟାଇ ।

ଆପଣା ନଗରେ ଆସି ପ୍ରବେଶ ହୋଇଲା

ପିତାମାତା ପାଦେ ବନ୍ଦି ବୁଝାଇ କହିଲା ।

ଭୋ ତାତ ଚେଦି ଦେଶକୁ ଆମ୍ଭେ ଥିଲୁ ଯାଇ

ଦମଘୋଷ ନନ୍ଦନକୁ ବରିବାର ପାଇଁ ।

ଦୁର୍ବାକ୍ଷତ ମାଲ୍ୟଦେଇ କରିଲୁ ବରଣ

ଆନନ୍ଦ ହୋଇଲେ ଏହା ଶୁଣି ସର୍ବଜନ ।

ମକର ଶୁକଳପକ୍ଷ ପଞ୍ଚମୀରେ ବିଭା

ନୃପତିମାନଙ୍କୁ ଏବେ ନିମନ୍ତ୍ରଣ ଦେବା ।

ବନ୍ଧୁ ବାନ୍ଧବଙ୍କୁ ତୁମ୍ଭେ କର ନିମନ୍ତ୍ରଣ

ମନ୍ତ୍ରିଏ କରନ୍ତୁ ବିଭା ସମ୍ଭାର ଭିଆଣ ।

ବିଚିତ୍ର ଛାୟାମଣ୍ଡପ ଶୁଦ୍ଧ ସ୍ୱର୍ଣ୍ଣବେଦୀ

ରାଜଯୋଗ୍ୟ ସମ୍ଭାରକୁ ଲୋଡ଼ା ଯେତେ ବିଧି ।

ପାକଶାଳା ରଙ୍ଗାଳୟ ଅଶ୍ୱ ଗଜଶାଳ

ରାଜାଙ୍କ ନବର ପାତ୍ରମନ୍ତ୍ରି ଘର ତୋଳ ।

ଚତୁର୍ବିଧ ଭକ୍ଷ ଭୋଜ୍ୟ ରାନ୍ଧଣାର ଦ୍ରବ୍ୟ

ଆମିଷ ଯେ ନିରାମିଷ ପୂରିଥିବ ସର୍ବ ।

ନାନା ଆଭରଣ ବସ୍ତ୍ର ଗନ୍ଧ ପୁଷ୍ପହାର

କର୍ପୂର କସ୍ତୁରୀ ଚୂଆ ଅତର ପନୀର ।

ଏମନ୍ତେ ସକଳଦ୍ରବ୍ୟ ସମ୍ପଦିଣ ଥିବ

ଲୋଡ଼ିବା କାଳରେ ଯେହ୍ନେ ଅଭାବ ନୋହିବ ।

ନାନାଦି ଉତ୍ସବ ନଗ୍ରଦାଣ୍ଡ ପରିମଳ

ଯେ ଯାହାର ଲାଗି ଲୋକେ କରନ୍ତୁ ସକଳ ।

ଛୟାଣୋଇ ସସ୍ରରାଜା ଘେନିଣ ଆପଣେ

ଜରାସନ୍ଧ ଆସିବେଟି ବରଜାତିପଣେ ।

ଭୋ ତାତ ରୁକ୍ମିଣୀ ବାଞ୍ଛାପୂର୍ଣ୍ଣ ହେଲା ଏବେ

ଈଶ୍ୱରଙ୍କୁ ସେବା ସେହୁ କରିଥିଲା ପୂର୍ବେ ।

କେତେ ଖୋଜିଖୋଜି ଆମ୍ଭେ ଧନ୍ଦି ହେଉଥିଲେ

ଏବେ କନ୍ୟାରୂପେ ବର ମିଳିଲାଟି ଭଲେ ।

ଶୁଣିଣ ସନ୍ତୋଷ ହୋଇ ଭୀଷ୍ମକ ନୃପତି

ବୋଇଲେ ରୁକ୍ମିଣୀ ବିଭା ହୋଇବ ଏ ଘାନ୍ତି ।

ପୁଣି ବିଚାରିଲେ ଏହା ପ୍ରତେ ହେଉ ନାହିଁ

ଜାଣି ନ ପାରୁଛୁ ଧାତା କି ଅଛି ଭିଆଇ ।

ଏତେ ଚିନ୍ତି ମନ୍ତ୍ରୀକୁ ସେ ଡାକି ଆଜ୍ଞା ଦେଲେ

ସତ୍ୱରେ ବିବାହ ଦ୍ରବ୍ୟ ଭିଆଅ ବୋଇଲେ ।

ସବୁରାଜା ନିମନ୍ତ୍ରିବା ପାଇଁ ଗଲେ ଚାର

ମନ୍ତ୍ରୀଗଣେ ଯୋଗାଡ଼ନ୍ତି ବିବାହ ସମ୍ଭାର ।

ବାଟଘାଟ ପହଁରିଲେ କାନ୍ଥେ ଦେଲେ ଝୋଟି

ହାଣ୍ଡି ତଣ୍ଡୁଳାଦି ଭିଆଇଲେ କୋଟି କୋଟି ।

ଶୁଣିଣ ଆନନ୍ଦ ହେଲେ ପୁରବାସୀ ଜନ

ବୋଲନ୍ତି ଦିଶିଲା ଏବେ ରାଜାଙ୍କର ପୁଣ୍ୟ ।

ରୁକ୍ମିଣୀଙ୍କୁ ବିବାହ ସେ କରିବେ ଉତ୍ସବେ

ସେ ଉତ୍ସବ ଆମ୍ଭେମାନେ ଦେଖିବା ସରବେ ।

ଯେ ଯାହାରେ ଆନନ୍ଦିତ ହେଲେ ସର୍ବଜନ

ରୁକ୍ମିଣୀର ବିଭା ଶୁଣି ସର୍ବେ ତୋଷମନ ।

ଦାସୀଗଣ ଜଣାଇଲେ ରୁକ୍ମିଣୀକୁ ଯାଇ

ଶୁଭ ବାର୍ତ୍ତା ଘେନି ଆମ୍ଭେ ଆସିଅଛୁ ଧାଇଁ ।

ଆମ୍ଭକୁ ବଧାଇ ମାଗୋ ଦିଅ ଧାତିକାର

ପଞ୍ଚମୀ ଦିନରେ ହେବ ତୁମ୍ଭ ବିଭାଘର ।

ଚେଦୀ ଦେଶକୁ ରୁକ୍ମଣ ବୀର ଯାଇଥିଲେ

ଶିଶୁପାଳକୁ ବରଣ କରି ସେ ଅଇଲେ ।

ପାତ୍ର ମନ୍ତ୍ରୀ ଅମନାତ୍ୟ ବାନ୍ଧବଙ୍କୁ ରାଇ

ନୃପତିମାନଙ୍କୁ ଆଣୁଅଛନ୍ତି ଡକାଇ ।

ତାମ୍ବୁଳ ଅକ୍ଷତ ଗୁଆ ଘେନି ଚାରଗଣ

ନାନାଦେଶେ ଯାଇଛନ୍ତି ଦେବେ ନିମନ୍ତ୍ରଣ ।

ଲକ୍ଷେରାଜା ସଙ୍ଗେ ଘେନି ଜରାସନ୍ଧ ରାୟେ

ବରଜାତି ହୋଇ ଆପେ ଆସନ୍ତି ଗୋ ମାଏ ।

ବିବାହ ମଣ୍ଡପ ବେଦୀ ହେଲାଣି ତିଆର

ଠାବେ ଠାବେ ତୋଳା ହେଉଅଛି ବସାଘର ।

ଭୋଜନ କରିବା ପାଇଁ ନାନାବିଧ ଦ୍ରବ୍ୟ

ସଂଯୋଗିଣ ମନ୍ତ୍ରିମାନେ ରଖୁଛନ୍ତି ସର୍ବ ।

ପୁରବାସୀ ନରନାରୀ ହୁଅନ୍ତି ହରଷ

ଉତ୍ସବରେ ପୁରିଅଛି ନଗ୍ର ଚଉପାଶ ।

ଗଣିକାଏ ବେଶ ହୋଇ କରୁଛନ୍ତି ନାଟ

ରାଜଦାଣ୍ଡେ ପଶିବାକୁ ନ ମିଳଇ ବାଟ ।

ମଙ୍ଗଳ ମହୁରୀ ଶଙ୍ଖ ବାଜେ ନିରନ୍ତର

ଠାବେ ଠାବେ ରଖିଲେଣି ଅନେକ ସମ୍ଭାର ।

ନିଶ୍ଚେ ବିଭାରାତ୍ର ତୋର ଫିଟିଲା ଗୋ ମାଏ

ଠାକୁରାଣୀ ହୋଇବୁ ତୁ ନାହିଁ ଆଉ ଭୟେ ।

ଶୁଣିଣ ରୁକ୍ମିଣୀ ଦେବୀ ସ୍ତମ୍ଭୀଭୂତ ହୋଇ

ବୋଇଲେ କିପରି ରକ୍ଷା ହେବି ଏଥୁ ମୁହିଁ ।

ଛାର ଶିଶୁପାଳକୁ ମୁଁ କେବେ ନୁହେଁ ବିଭା

ସମସ୍ତେ ବିଚାରି ତାକୁ କହୁଛନ୍ତି ଦେବା ।

ଅନେକ ସମ୍ଭାରେ ଆସିବ ସେ ବିଭା ହୋଇ

ପିତାମାତା ବିଚାରନ୍ତି ତାକୁ ଦେବାପାଇଁ ।

ନିଶ୍ଚିନ୍ତେ ରହିବା ମୋର ନୁହଇ ଉଚିତ

ଗୁପତରେ ଦ୍ୱାରକାକୁ ପଠାଇବି ଦୂତ ।

ଏମନ୍ତ ବିଚାରି ଦେବୀ ହୋଇଣ ନିର୍ବେଦ

ନୟନରୁ ଜଳ ତେଜି ଲଭିଲେ ବିଷାଦ ।

ରୁକ୍ମିଣୀଙ୍କ ଶୋକ ଦେଖି ଦାସୀ ପରିବାରୀ

ସମସ୍ତେ ରୋଦନ କଲେ ଚଉପାଶେ ଘେରି ।

ସୁମେଧା ବୋଇଲା ସଖୀ ନ ହୁଅ ବିମନ

ମୁଁ ଯାହା କହୁଛି ତାହା କର ଗୋ ବହନ ।

ଗୁପତରେ ଦ୍ୱାରକାକୁ ପଠାଇବା ଚାର

ସେ ଯାଇ କୃଷ୍ଣଙ୍କୁ କହୁ ସବୁ ସମାଚାର ।

ଯଦ୍ୟପି ଶ୍ରୀହରି ଆମ୍ଭ ବାରତା ପାଇବେ

ଜାଣୁଛି ମୁଁ ନିଶ୍ଚୟ ସେ ଏଠାକୁ ଆସିବେ ।

ଶରଣ ପଞ୍ଜର ବାନା ଅଟନ୍ତି ସେ ହରି

ସବୁଠାରେ ରହିଛନ୍ତି ସମଭାବେ ପୂରି ।

ଯେ ତାହାଙ୍କୁ ଯେଉଁରୂପେ କରଇ ଭାବନା

ସେହିରୂପେ ପୂରାନ୍ତି ସେ ତାହାର କାମନା ।

ତୁମ୍ଭେ ଯେବେ ତାଙ୍କଠାରେ ଲଗାଇଛ ଧ୍ୟାନ

ସେ ନିଶ୍ଚେଁ ଫେଡ଼ିବେ ଆସି ତୁମ୍ଭ ଅଭିମାନ ।

ଉଦ୍‌ଯୋଗରେ କାର୍ଯ୍ୟସିଦ୍ଧି କହିଛନ୍ତି ଶାସ୍ତ୍ରେ

ଉପାୟ କରିଣ ଆମ୍ଭେ ବରଗିବା ଦୂତେ ।

ରୁକ୍ମିଣୀ ବୋଇଲେ ଏହା ବିଷମ ସଂକଟ

ଏଠାକୁ ଦ୍ୱାରକାପୁର ବହୁଦୂର ବାଟ ।

ମୁଁ ଏଡ଼େ ଦୁର୍ଲ୍ଲଭ କଥା ପାଇବି ଯେ କାହିଁ

କିପାଁ ଏତେ ପରିଶ୍ରମ କରିବ ମୋ ପାଇଁ ।

ସୁମେଧା ବୋଇଲା ତୁମ୍ଭେ ଲକ୍ଷ୍ମୀ ଠାକୁରାଣୀ

ଆଜ୍ଞାଦେଲେ ନ ଭାଙ୍ଗିବେ କେହି ତୁମ୍ଭ ବାଣୀ ।

ଦେବତା ଗନ୍ଧର୍ବ ଆଦି ଯାହାକୁ ପେଷିବ

ସେ ଏହିକ୍ଷଣି ଦ୍ୱାରକା ଯାଇ ବାହୁଡ଼ିବ ।

ରୁକ୍ମିଣୀ ବୋଇଲେ ଯେବେ ଏ କଥା ନିୟତ

ମୋ ଛାମୁକୁ ଡାକିଆଣ ଯିବ ଯେଉଁ ଦୂତ ।

ବୁଦ୍ଧିମନ୍ତ ଜ୍ଞାନବନ୍ତ ଦେଖିବ ଯାହାକୁ

ଦୂତପଣେ ବରଗିବା ସିନା ଆମ୍ଭେ ତାକୁ ।

ବ୍ରାହ୍ମଣେ ଅଟନ୍ତି ସବୁ ଜାତିରେ ଅଗ୍ରଣୀ

ଦ୍ୱିଜ ଜଣେ ଡାକିଆଣ କୁଳଶୀଳ ଜାଣି ।

ଏହାଶୁଣି ଦାସୀମାନେ ଧାତିକାରେ ଗଲେ

ନଗ୍ର ଚଉପାଶେ ବୁଲି ଛଦ୍ମରେ ଖୋଜିଲେ ।

ପଶ୍ଚିମ ଦୁଆରେ ଏକ ବିପ୍ର ଥିଲେ ବସି

ତ୍ରିକଚ୍ଛ ବସନ ପିନ୍ଧି ଦେଇଛନ୍ତି ଖୋଷି ।

ମସ୍ତକରୁ ଗ୍ରୀବା ଯାଏ ଲମ୍ବିଅଛି ଜୁଡ଼ା

ବାମକନ୍ଧେ ଯଜ୍ଞପୁତ୍ର ଉତ୍ତରୀ ଦୋସଡ଼ା ।

ହସ୍ତେ ତମ୍ବାପାତ୍ରୀ ଗଳେ ତୁଳସୀର ମାଳ

ଅଙ୍ଗୁଳିରେ କୁଶବଟୁ କରେ ଜପାମାଳ ।

ଗଙ୍ଗା ମୂର୍ତ୍ତିକାର ଚିତା ଦ୍ୱାଦଶ ଯେ ଚିହ୍ନ

ମୁଖେ ରାମକୃଷ୍ଣ ହରି କରନ୍ତି ଭଜନ ।

ଯଜୁର୍ବେଦୀ ବ୍ରାହ୍ମଣ ସେ ଉତ୍ତମ ପଣ୍ଡିତ

କଣ୍ୱଶାଖା ଅଧ୍ୟୟନ କରନ୍ତି ସନ୍ତତ ।

ବେଦପୁର ଶାସନରେ ଅଟେ ତାଙ୍କ ଘର

ଭିକ୍ଷାଶୀ ବ୍ରାହ୍ମଣ ସେହୁ ନାମ ବିଦ୍ୟାଧର ।

ଅତିବୃଦ୍ଧ ଅଟନ୍ତି ସେ ବୟସେ ଅଶୀତି

ଆଜନ୍ମରୁ ଭିକ୍ଷୁକ ସେ ନାହିଁ ଅନ୍ୟ ବୃତ୍ତି ।

ପଶ୍ଚିମ ଦ୍ୱାର ନିକଟେ ବସିଥିଲେ ସେହି

ଦାସୀ ତାକୁ ଡାକି ନେଲା ଜେମା ଆଜ୍ଞା କହି ।

ରୁକ୍ମିଣୀ ଦେବୀ ଯେବଣ ସ୍ଥାନେ ଥିଲେ ବସି

ଭେଟ କରାଇଲା ତହିଁ ନେଇ ତାଙ୍କ ଦାସୀ ।

ଖଣ୍ଡେଦୂରୁ ଜେମାଦେଈ ବ୍ରାହ୍ମଣଙ୍କୁ ଦେଖି

ତଳେ ଉଭା ହେଲେ ଆସି ଆସନ ଉପେକ୍ଷି ।

ଭକତିରେ ନମସ୍କାର କରି ରାଜଜେମା

ବୋଇଲେ ହେ ଦ୍ୱିଜ ତୁମ୍ଭେ ପ୍ରତ୍ୟକ୍ଷରେ ବ୍ରହ୍ମା ।

ବିଦ୍ୟାବନ୍ତ ବୃଦ୍ଧ ପୁଣି ଗୁରୁସଙ୍ଗେ ସରି

ବିଶ୍ୱାସେ କହିବି କଥେ ପାରିବ କି କରି ।

ମହତ ଲୋକ ବଚନ ପାଷାଣର ଗାର

ଅସାଧୁଏ ନ କରନ୍ତି ପର ଉପକାର ।

ଅକୂଳ ସମୁଦ୍ରେ ମୁହିଁ ଭାସୁଛି ଏକ୍ଷଣି

ବଚନ ଧନ ଦେଇଣ ପାରିବ କି କିଣି ।

ମୋଠାରୁ ବାରତା ଘେନି ଦ୍ୱାରକାକୁ ଯିବ

କୃଷ୍ଣଙ୍କ ଛାମୁରେ ନେଇ ଲେଖାଗୋଟି ଦେବ ।

ଆୟାସ ପାଇଣ ଏହା ପାରିବ କି ସାଧି

ବ୍ରାହ୍ମଣ ବୋଇଲେ ତୁମ୍ଭେ ନାରୀରତ୍ନ ନିଧି ।

ପ୍ରତ୍ୟକ୍ଷେ ଜାଣିଲି ତୁମ୍ଭେ ଲକ୍ଷ୍ମୀ ଠାକୁରାଣୀ

ଦୁଃଖ ଦାରିଦ୍ର୍ୟ ଖଣ୍ଡଇ ତୁମ୍ଭର ଏ ବାଣୀ ।

ରୁକ୍ମିଣୀ ବୋଇଲେ ଆହେ ପଣ୍ଡିତ ଗୋସାଇଁ

ଶୁଭ ବାର୍ତ୍ତା ଆଣିଦିଅ ଏହିକ୍ଷଣି ଯାଇ ।

ନୋହିଲେ ଜୀବନ ମୋର ଛାଡ଼ିବି ଏକ୍ଷଣି

ଏହା ଶୁଣି ବୋଇଲେ ଯେ ଦ୍ୱିଜ ଶିରୋମଣି ।

ଯାହା ତୁମ୍ଭେ ଆଜ୍ଞା ଦେଲ ସେ ମୋର ସମ୍ମତ

ପୂର୍ବ ପୂଣ୍ୟବଳ ଥିଲେ ହେବି ତୁମ୍ଭ ଦୂତ ।

ଦିଅ ଆଜ୍ଞା ମାଗୋ ମୁହିଁ ଯିବି ଏହିକ୍ଷଣି

ତୁମ୍ଭପାଇଁ ଶ୍ରୀକୃଷ୍ଣଙ୍କୁ ନିଶ୍ଚେଁ ଦେବି ଆଣି ।

ଆଣିବି ବୋଲିଣ ଦ୍ୱିଜ ଦିଅନ୍ତେ ଭରଷା

ଶୁଣିଣ ରୁକ୍ମିଣୀ ଦେବୀ ବଳାଇଲେ ଆଶା ।

ପ୍ରଥମ କଥାରୁ ମୋତେ ଦିଶିଲା ସୁଲଭ

ଏ ବିପ୍ର କରିବ ନିଶ୍ଚେଁ ଗଲେ ମୋର ଲାଭ ।

ଏତେ ଭାଳି ବ୍ରାହ୍ମଣଙ୍କୁ ବସାଇ ଏକାନ୍ତେ

ବୋଇଲେ ଏ କଥା କେହି ନ ଜାଣେ ଯେମନ୍ତେ ।

ନ ଜାଣିବେ ପିତା ମାତା ଭାଇମାନେ ମୋର

ନୀତିଜ୍ଞ ପଣ୍ଡିତ ତୁମ୍ଭେ ହେବ ଗୁପ୍ତଚର ।

ଏତେ କହି ଭାଷା ଲେଖି ଆପଣେ ମୁଦିଲେ

ଅଷ୍ଟରତ୍ନ ମିଶାଇଣ ବିପ୍ର କରେ ଦେଲେ ।

ଆବର ପାଦୁକା ମନ୍ତ୍ର କହିଲେ ତାହାଙ୍କୁ

ବୋଇଲେ ଏ ମନ୍ତ୍ରବଳେ ଯିବ ଦ୍ୱାରକାକୁ ।

ଶ୍ରୀଫଳ ଗୋଟିଏ ନିଅ ଅନୁକୂଳ ବିଧି

ରିକ୍ତ ହସ୍ତ ହୋଇଗଲେ କାର୍ଯ୍ୟ ନୋହେ ସିଦ୍ଧ  

ଏତେ କହି ପୁଣ ପୁଣ ନମସ୍କାର କରି

ଯାଅ ବୋଲି ଆଜ୍ଞା ଦେଲେ ଭୀଷ୍ମକ କୁମାରୀ ।

ଜେମାଙ୍କ ବଚନ ଶୁଣି ହରଷିତ ମନ

ଦଇବେ ଦରିଦ୍ର ଦ୍ୱିଜ ପାଇ ବହୁ ଧନ ।

ପାଦୁକା ମନ୍ତ୍ର ସୁମରି ହୋଇଲେ ବାହାର

ମରୁତେ ବାଟ କଢ଼ାଇ ନିଅନ୍ତି ସତ୍ୱର ।

ଯାଉ ଯାଉ ଦ୍ୱିଜବର ବିଚାରିଲେ ମନେ

ପୂର୍ବ ଭାଗ୍ୟ ଦେଖାଗଲା ମୋର ଏତେ ଦିନେ ।

କୁଣ୍ଡୀନଗ୍ରେ ବିଭା ହେବେ ଲକ୍ଷ୍ମୀ ନାରାୟଣ

ଏଡ଼େବଡ଼ କାର୍ଯ୍ୟେ ମୋର ହେଲା ମଧ୍ୟପଣ ।

ଯୋଗୀଏ ଭଜନ୍ତି ଯାକୁ ଯୋଗେ ଲୟ ଦେଇ

ସେ ଅବ୍ୟକ୍ତ ବିଶ୍ୟରୂପ ଦେଖିବି ମୁଁ ଯାଇ ।

ପଛେ ହେବ ସିନା ରୁକ୍ମିଣୀର ସର୍ବଶୁଭ

ଆଗ ବିଷ୍ଣୁ ଦର୍ଶନ ମୁଁ କରିବଇଁ ଲାଭ ।

ତ୍ରିଲୋକ ଠାକୁର ସର୍ବ ଅନ୍ତର୍ଯ୍ୟାମୀ ହରି

ପୃଥିଭାରା ନିବାରଣେ ଛନ୍ତି ଅବତରି ।

ମୁହିଁ ଅଭିଶାପ ପାଇ ଜନ୍ମିଅଛି ଭବେ

ଲକ୍ଷ୍ମୀଙ୍କ ଦର୍ଶନେ ଜ୍ଞାନ ଉଦେହେଲା ଏବେ ।

ଏମନ୍ତ ବିଚାରି ଦ୍ୱିଜେ କୃତକୃତ୍ୟ ହୋଇ

ବେଗେବେଗେ ଚଳିଯାନ୍ତି କାର୍ଯ୍ୟେ ମନ ଦେଇ ।

କୁଣ୍ଡିନଗ୍ରୁ ଦ୍ୱାରାବତୀ ଶତେଯୂଣ ପଥ

ତିନିଦିନେ ଗମିଲେ ସେ ବିପ୍ର ତପୋବନ୍ତ ।

ପୁଷ୍ପମାଳା ଧରି ନାମ କରନ୍ତି ଭଜନ

ରାମ କୃଷ୍ଣ ବିନୁ ମୁଖେ ନ ସ୍ଫୁରଇ ଆନ ।

ଖଣ୍ଡେ ଦୂରୁ ଦେଖିଲେ ସେ ଦ୍ୱାରାବତୀ ପୁର

ଅଳକା ଭୁବନ ପ୍ରାୟ ଦିଶେ ଶୋଭାକର ।

ଅମୂଲ୍ୟ ଦ୍ୱାରକାପୁରୀ ସ୍ୱର୍ଣ୍ଣମୟ ଭୂମି

ଯହିଁ ବିଜେ କରିଛନ୍ତି ଆପେ ଅନ୍ତର୍ଯ୍ୟାମୀ ।

ବ୍ରହ୍ମା ଗଙ୍ଗାଧର ପାଦ ନିରୂପନ୍ତି ଯାର

କୁଶସ୍ଥଳୀ ଦ୍ୱାରକାକୁ କିସ ପଟାନ୍ତର ।

ଜାଜ୍ଜ୍ୱଲ୍ୟମାନ ଅଟଇ ଷାଠିବାନୀ ସୁନା

ଅମର ଭୁବନ ବିଶ୍ୱକର୍ମାର ଘଟନା ।

ଆପେ ନାରାୟଣ ପ୍ରଭୁ ଛନ୍ତି ଦେହ ଧରି

ଲକ୍ଷ୍ମୀଦେବୀ ଯାହାଙ୍କର ପାଦେ ପରିଚାରୀ ।

ଯା ଆଜ୍ଞାକୁ ଚାହିଁଛନ୍ତି ସକଳ ତ୍ରିଦଶ

ତାହାଙ୍କୁ ଅପୂର୍ବ ହେବ ଜଗତରେ କିସ ।

ଦେଖିକରି ଦ୍ୱିଜବର ମନେ ଲଭି ଶାନ୍ତି

ବୋଇଲେ ମୁକତି ନିଶ୍ଚେଁ ହେଲି ମୁଁ ଏ ଘାନ୍ତି ।

ଏତେ ଚିନ୍ତି ପୂର୍ବଦ୍ୱାରେ ପ୍ରବେଶ ହୋଇଲେ

ପୁଞ୍ଜା ଅରଗଳି ଜିଣି ଭିତରକୁ ଗଲେ ।

ଦ୍ୱାରେ ସୁଦର୍ଶନ ଚକ୍ର ବୁଲଇ ପ୍ରଚଣ୍ଡ

ଦୁଷ୍ଟ ପାପୀ ଶତ୍ରୁ ଗଲେ କରେ ଖଣ୍ଡ ଖଣ୍ଡ ।

ମିତ୍ର ଭକ୍ତ ଜ୍ଞାନୀ ଯେବେ ପଶଇ ଭିତରେ

ସେହି ସୁଦର୍ଶନ ତାକୁ ପାଳଇ ସେଠାରେ ।

ସୁହୃଦ ପଣରେ ଦ୍ୱିଜ ପଶେ ଭିତରକୁ

ତେଣୁ ସୁଦର୍ଶନ ଚକ୍ର ଛାଡ଼ିଦେଲା ତାଙ୍କୁ ।

ଗଡ଼ଦ୍ୱାର ଜିଣି ଦ୍ୱିଜ ନଗ୍ର ମଧ୍ୟେ ପଶି

ଅପୂର୍ବ ଭୂବନ ଦେଖି ହେଲେ ଅତି ତୋଷି ।

ଦାଣ୍ଡ ହାଟ ସୁନିର୍ମଳ ଅତ୍ୟନ୍ତ ସୁନ୍ଦର

ପୁରେ ପୁରେ ଦେଖି ଦେଖି ଚଳେ ଦ୍ୱିଜବର ।

ଯାଉ ଯାଉ ମିଳିଲେ ସେ ନଗ୍ରସିଂହ ଦ୍ୱାରେ

କୃଷ୍ଣ ବିଜେ କରିଛନ୍ତି ସେ ପୁର ମଧ୍ୟରେ ।

ବାହାର ଦ୍ୱାର ପର୍ଯ୍ୟନ୍ତେ ଗଲେ ଦ୍ୱିଜ ପଶି

ଦେଖିଲେ ଏମନ୍ତ ସ୍ଥାନେ କୃଷ୍ଣ ଛନ୍ତି ବସି ।

ଅଷ୍ଟରତ୍ନ ସିଂହାସନେ ଅପୂର୍ବ ମଣ୍ଡଣି

ନିଅବକାଶରେ ତହିଁ ବିଜେ ଚକ୍ରପାଣି ।

ଉଦ୍ଧବ ସହସ୍ରାଜିତ ସାତ୍ୟକି ଅକ୍ରୂର

ସୁରଥ ପ୍ରସନ୍ନାଜିତ କୃତବର୍ମା ବୀର ।

ଏହାଙ୍କୁ ସଙ୍ଗତେ ଘେନି ବିଜୟ ଗୋବିନ୍ଦ

ପାରୁଶରେ ବେଢ଼ି ବସିଛନ୍ତି ଯଦୁବୃନ୍ଦ ।

ନୀଳ ଜଳଧର ଜ୍ୟୋତି ବିରାଜଇ ତନୁ

ନିରଞ୍ଜନ ନିରାକାର କିବା କୋଟି ଭାନୁ ।

ବ୍ରାହ୍ମଣ ଆସନ୍ତେ ଦୂରୁ ଦେଖି ଭଗବାନ

ଜାଣିଲେ ସେ ଅନ୍ତର୍ଯ୍ୟାମୀ ପ୍ରଭୁ ତାର ମନ ।

ରୁକ୍ମିଣୀଙ୍କ ଦୂତ ବୋଲି ଜାଣିଲେ ସେ ଯହୁଁ

ସେ ବ୍ରାହ୍ମଣଠାରେ ଶ୍ରଦ୍ଧା ବଢ଼ିଲାକ ତହୁଁ ।

ଚାହୁଁ ଚାହୁଁ ବିପ୍ର ଆସି ନିକଟେ ମିଳନ୍ତେ

ସିଂହାସନ ଛାଡ଼ି ଉଭା ହେଲେ ଜଗନ୍ନାଥେ ।

ବ୍ରାହ୍ମଣ ଚରଣ ତଳେ ନମସ୍କାର କରି

ବେନି ପାଦ ପଖାଳିଲେ ଘେନି ଶୁଦ୍ଧ ବାରି ।

ଶ୍ରୀହସ୍ତେ ଆଲଟ ଧରି ବ୍ରାହ୍ମଣଙ୍କୁ ବିଞ୍ଚି

କର୍ପୂର ଚନ୍ଦନ ପାଣି ସର୍ବାଙ୍ଗରେ ସିଞ୍ଚି ।

ରତ୍ନ ଖଟେ ବସାଇଣ କରି ଦିବ୍ୟ ପୂଜା

ବ୍ରାହ୍ମଣର ପାଦ ମଞ୍ଚାଳିଲେ ଦେବରାଜା ।

ବହୁତ ଆଦର କରି ସଞ୍ଚା ବସା ଦେଲେ

ସ୍ନାନସାରି ବିପ୍ରବର ପାକ ସମ୍ପାଦିଲେ ।

ବିଷ୍ଣୁ ମନ୍ତ୍ରେ ପୂଜାକରି ଭୁଞ୍ଜିଲେ ସେ ଅନ୍ନ

ବ୍ରାହ୍ମଣର ଅଙ୍ଗୁ ପାପ ହୋଇଲା ଦହନ ।

ଦୟାମୟ କୃଷ୍ଣଙ୍କର ବିଚିତ୍ର ମହିମା

ନ ଜାଣନ୍ତି ହର ବ୍ରହ୍ମା ଇନ୍ଦ୍ର ଯାର ସୀମା ।

ସେ ପ୍ରଭୁଙ୍କ ପାଦପଦ୍ମେ ରହୁ ମୋର ମନ

ଅଚ୍ୟୁତ ଦାସ କବିକି ଦିଅ ସଦଜ୍ଞାନ ।

 

କୃଷ୍ଣଙ୍କର ଦୂତବେଶୀ ବ୍ରାହ୍ମଣଠାରୁ ପ୍ରଦତ୍ତ ଚିଟାଉ ଗ୍ରହଣ ଓ କୁଣ୍ଡୀନଗ୍ର ଅଭିମୁଖେ ଯାତ୍ରା

 

ଶୁକମୁନି ବୋଇଲେ ହେ ଅଭିମନ୍ୟୁ ଶିଷ୍ୟ

ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରସ ।

ଭୋଜନ ସାରିଣ ବିପ୍ର ସନ୍ତୋଷ ହୁଅନ୍ତେ

ସୁବାସ ତାମ୍ବୁଳ ତାଙ୍କୁ ଦେଇ ଜଗନ୍ନାଥେ ।

ବହୁତ ଆଦର କରି ବସାଇ ଆସନେ

ଦହର୍ସିତେ ପଚାରିଲେ କୋମଳ ବଚନେ ।

କେବଣ କୁଳରେ ଜନ୍ମ ତୁମ୍ଭ ନାମ କିସ

କେଉଁ ବେଦୀ ବିପ୍ର ତୁମ୍ଭେ ଘର କେଉଁ ଦେଶ ।

କି କାରଣେ ଆଗମନ କଲ ଏତେ କଷ୍ଟେ

ଆସିବାରେ ବ୍ୟଥା ପାଇ ନ ଥିଲ ତ ବାଟେ ।

ଏ କଥା ସଂକ୍ଷେପି କରି ମୋ ଆଗରେ କହ

ଶୁଣିଲେ ମନରୁ ମୋର ତୁଟିବ ସନ୍ଦେହ ।

ବ୍ରାହ୍ମଣ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ

ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ ।

ଚରାଚର ପ୍ରାଣୀ ତୁମ୍ଭ ଶରୀରରୁ ଜାତ

ତବ ଦରଶନେ ସ୍ୱାମୀ ହୋଇଲି ମୁକତ ।

 

ଅକିଞ୍ଜନ ଦ୍ୱିଜ ମୁହିଁ କର ମୋତେ ଦୟା

ଯେବନ୍ତେ ନ ଲାଗେ ତୁମ୍ଭ ବଇଷ୍ଣବୀ ମାୟା ।

ଯେବଣ କାର୍ଯ୍ୟରେ ଏଥେଁ ଆସିଅଛି ମୁହିଁ

ସେ କଥା ମୋଠାରୁ ଏବେ ଶୁଣ ଭାବଗ୍ରାହୀ ।

କୁଣ୍ଡଳୀ ପର୍ବତ ସୀମା ବେଣୀନଦୀ ତୀର

କୁଣ୍ଡୀ ନାମେ ନଗ୍ର ଅଛି ବିଦର୍ଭ ଦେଶରେ ।

ଭୀଷ୍ମକ ନାମରେ ସେହି ଦେଶ ନରପତି

ସାମବେଦୀ ବ୍ରାହ୍ମଣ ସେ ଉତ୍ତମ ଦ୍ୱିଜାତି ।

ସତ୍ୟବତୀ ନାମେ ତାଙ୍କ ପାଟ ମହାଦେଈ

ରୁକ୍ମିଣୀ ନାମରେ କନ୍ୟା ଅଛି ଅବିବାହୀ ।

ସର୍ବଗୁଣେ ସୁଲକ୍ଷଣୀ ରୂପେ ଅନୁପମା

ସାକ୍ଷାତରେ ମହାଲକ୍ଷ୍ମୀ ସେହି ରାଜଜେମା ।

କହିଲେ ନ ସରେ ତାର ଅଛି ଯେତେ ଗୁଣ

କେତେକାଳ ବସି ଧାତା କରିଛି ନିର୍ମାଣ ।

ସୁବର୍ଣ୍ଣ ପ୍ରତିମା ପ୍ରାୟ ଦିଶେ ରୂପକାନ୍ତି

ସମାନ ନୁହନ୍ତି ତାକୁ ଶଚୀ ହୈମବତୀ ।

ବଦନ ଦେଖିଲେ ଚନ୍ଦ୍ର ପଳାଇବ ଲାଜେ

ସିନ୍ଦୂରେ ମୁକୁତା ପ୍ରାୟ ଦଣ୍ଡ ଶୋଭା ସାଜେ ।

ଶରୀର ଅଟଇ ତାର କାମ ସିଂହାସନ

କଟାକ୍ଷ ବାଣରେ ମୋହି ପାରେ ତ୍ରିଭୁବନ ।

ବଚନ ଶୁଣିଲେ ଲାଜେ ପଳାଇବେ ପିକ

ଜିତେନ୍ଦ୍ରିୟ ଗୁଣେ ସମ ନୁହନ୍ତି ସନକ ।

ପଦ୍ମିନୀ ନାୟିକା ସେ ଅଟେ ନବବାଳା

ହସ୍ତେ ପଦ୍ମ ପାଦେ ପଦ୍ମ ପ୍ରତ୍ୟକ୍ଷେ କମଳା ।

ତା ରୂପ ବର୍ଣ୍ଣିବା ପାଇଁ ଶକ୍ତି ଅଛି କାର

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନାହିଁ ପଟାନ୍ତର ।

ଯେତେ ଗୁଣ ବାଛ ତେତେ ଅଛି ତାର ତହିଁ

ଅବିଗୁଣ ବାଛିବାକୁ ଏକମାତ୍ର ନାହିଁ ।

ତା ପାଇଁ ତା ପିତା ସ୍ୱୟମ୍ଭର କରିଥିଲେ

ଏକାବେଳେ ଲକ୍ଷେ ରାଜା ଆସି ରୁଣ୍ଡ ହେଲେ ।

ଆଠମାସ ପରିଯନ୍ତେ ସର୍ବେ ଥିଲେ ରହି

ରୁକ୍ମିଣୀ ତାହାଙ୍କୁ ନିତ୍ୟ ଦେଖୁଥାଏ ଯାଇ ।

କେହି ଜଣେ ନ ରୁଚିଲା ମନକୁ ତାହାର

ତେଣୁ ଗଳେ ମାଳା ଦେଇ ନ ବରିଲା ବର ।

ଲଜ୍ଜାପାଇ ଫେରିଗଲେ ସକଳ ନୃପତି

ସେ ଦିନ ରୁକ୍ମିଣୀ ମନେ ଲଭିଥିଲା ଶାନ୍ତି ।

ଏବେ ବିଭା ହେବାପାଇଁ ବଳିଲା ତା ମନ

ମାତା ପିତା ଜାଣି କଲେ ବର ଅନ୍ୱେଷଣ ।

ରୁକ୍ମଣ ନାମରେ ତାର ଅଟେ ଜ୍ୟେଷ୍ଠଭାଇ

ଶିଶୁପାଳକୁ ସେ ବରିଅଛି ତାର ପାଇଁ ।

ଏହି ମାଘ ଶୁକ୍ଳପକ୍ଷ ପଞ୍ଚମୀର ଦିନ

ବିଭାପାଇଁ କରିଅଛି ସର୍ବ ଆୟୋଜନ ।

ସର୍ବେ ସ୍ଥିର କରିଛନ୍ତି ଶିଶୁପାଳେ ଦେବେ

ରୁକ୍ମିଣୀ ମନକୁ ତାହା ନ ରୁଚିଲା କେବେ ।

ତୁମ୍ଭେ ଦୟାମୟ ପ୍ରଭୂ ସର୍ବ ଭାବଗ୍ରାହୀ

ଆରତ ଭଞ୍ଜନ ନାମେ ବାନା ଅଛି ବହି ।

ତୁମ୍ଭଠାରେ ନିଜ ଆତ୍ମା ସମର୍ପି ରୁକ୍ମିଣୀ

ଅତି ଆର୍ତ୍ତେ ପଠାଇଛି ମୋତେ ଡାକିଆଣି ।

ଯଦ୍ୟପି ତାଠାରେ ଦୟା ନ କରିବ ତିଳେ

ନିଶ୍ଚେଁ ପ୍ରାଣ ହରାଇବ ପଡ଼ି ସେ ଅନଳେ ।

ତୁମ୍ଭରୂପ ଅନୁରୂପେ କନ୍ୟା ସେହି ଜାଣ

ସମସ୍ତଙ୍କ ମୁଖେ କାଳି ଦେଇ ତାକୁ ଆଣ ।

ଅକର୍ମ କର୍ମ ଦାୟକ ତୁମ୍ଭେ ଦୟାନିଧି

କ୍ଷଣକରେ ସବୁ କାର୍ଯ୍ୟ କରିପାର ସିଦ୍ଧି ।

ଏଥିପାଇଁ ଆସିଅଛି ମୁହିଁ ତୁମ୍ଭ ପାଶ

ରୁକ୍ମିଣୀ ଦେବୀଙ୍କି ପ୍ରଭୁ ନ କର ନିରାଶ ।

ଏତେ କହି ବିପ୍ରବର ବସ୍ତ୍ର ଗଣ୍ଠି ଫେଡ଼ି

ଭାଷାପତ୍ର ସମର୍ପିଲେ ଶିରେ କର ଯୋଡ଼ି ।

ଆନନ୍ଦରେ ଗଦ ଗଦ ହୋଇ ଶିରୀପତି

ଆପଣେ ଘେନିଲେ ତାହା ପଦ୍ମକର ପାତି ।

ନିଜ ହସ୍ତେ ମୁଦ ଭାଙ୍ଗି କମଳଲୋଚନ

ଏକାଗ୍ର ଦୃଷ୍ଟିରେ ଚାହିଁ କରନ୍ତି ପଠନ ।

ପ୍ରଥମେ ପ୍ରଣାମ ଭୂମିଗତ ଶତେବାର

ତହିଁପରେ କରୁଅଛି କୋଟି ନମସ୍କାର ।

ତୁମ୍ଭେ ଦେବ ଜଳ ସ୍ଥଳ ବାୟୁ ଅଗ୍ନି ବ୍ୟୋମ

ବିଶେଷରେ ବୋଲାଉଛ ପୁରୁଷ ଉତ୍ତମ ।

ଜଗତର ସୃଷ୍ଟି ସ୍ଥିତି ସଂହାର କରତା

ଯୋଗ ଜ୍ଞାନ ଆଦି ବେଦ ବେଦାନ୍ତ ବକତା ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଯେତେ

ମହା ପ୍ରଳୟରେ ରଖୁଅଛ ଗର୍ଭଗତେ ।

ପୁଣି ଇଚ୍ଛା ହେଲେ ସୃଷ୍ଟି ସରଜନା କରି

ଯେଝା ପଦ ଦେଇ ତାକୁ ରଖୁଛ ଆବୋରି ।

ଅଚିନ୍ତ୍ୟ ମହିମା ପ୍ରଭୁ ଅଟଇ ତୁମ୍ଭର

ଅବ୍ୟକ୍ତ ଅନାଦି ଆଦି ତୁମ୍ଭେ ନିରାକାର ।

ଘଟ ପଟ ଆଦିକରି ବସ୍ତୁ ଅଛି ଯେତେ

ଦାରୁ ଶିଳା ତୃଣ ପତ୍ର ମୃତ୍ତିକା ସହିତେ ।

ସବୁଠାରେ ପୂରିଅଛି ତୁମ୍ଭ କଳେବର

ଭାବକୁ ନିକଟ ପୁଣି ଅଭାବକୁ ଦୂର ।

ବିଷମ ସଙ୍କଟ କାଳ ପଡ଼ିଅଛି ମୋତେ

ଏଥିରୁ ଉଦ୍ଧାରି ନିଅ ଦୟାକରି ଚିତ୍ତେ ।

ଜନ୍ମଜନ୍ମାନ୍ତରେ ଦାସୀ ମୁଁ ଅଟେ ତୁମ୍ଭର

ଏ ଜନ୍ମେ କିପାଇଁ ମୋତେ କରୁଅଛ ପର ।

ହୋମଘୃତ ନେଉଅଛି ଶ୍ୱାନ କରି ମାୟା

ତଥାପି ତୁମ୍ଭର ହୃଦେ ନୋହିଲାତ ଦୟା ।

ଦୁରାତ୍ମା ପାପିଷ୍ଠ ମୂଢ଼ ମୋ ଭାଇ ରୁକ୍ମଣ

ତୁମ୍ଭେ କି ନ ଜାଣ ପ୍ରଭୁ ତାର ଦୁଷ୍ଟପଣ ।

ସେ ଏବେ ମୋ ପାଇଁ ଶିଶୁପାଳକୁ ବରିଛି

ଏହି ପଞ୍ଚମୀରେ ବିଭା କରିବ କହୁଛି ।

ବିଭାଘର ଆୟୋଜନ ହେଲାଣି ସମସ୍ତ

ଶିଶୁପାଳଠାରେ ମୋର ନ ବଳଇ ଚିତ୍ତ ।

ତେଣୁ ଏ ଶରୀରେ ମୋର ପ୍ରୟୋଜନ ନାହିଁ

ବ୍ରାହ୍ମଣ ଆସିବାଯାଏ ଅଛି ବାଟ ଚାହିଁ ।

ଯଦ୍ୟପି ମୋଠାରେ ଦୟା ନ କରିବ ନାଥ

ନିଶ୍ଚେ ପ୍ରାଣ ହରାଇବି ଏ ମୋର ନିୟତ ।

ଆତ୍ମଘାତୀ ହେବି ପଛେ ନୋହୁ ମାନଭଙ୍ଗ

ଛାର ଶିଶୁପାଳ ଛୁଇଁ ନ ପାରେ ମୋ ଅଙ୍ଗ ।

ବ୍ରାହ୍ମଣର କନ୍ୟା ମୁହିଁ ଅଟଇ ଯୁକତେ

ଜନମୁଖେ ଅପବାଦ ନୋହୁ କିନା ମୋତେ ।

ଶୋକଜଳେ ବୁଡ଼ିଅଛି ଶିଶୁପାଳ ଭୟେ

ଏଥିରୁ ଉଦ୍ଧାରି ମୋତେ ନିଅ ଦେବରାୟେ ।

ପ୍ରିୟବତୀ ଭାର୍ଯ୍ୟା ଯେବେ ପତି ଅଭିଳାଷୀ

ବିପଦରେ ତାକୁ ରକ୍ଷା କରେ ପତି ଆସି ।

ମୁହିଁ ତୁମ୍ଭ ପାଦପଦ୍ମେ ପଶିଲି ଶରଣ

ଏ ଘୋର ବିପଦୁଁ ରକ୍ଷାକର ନାରାୟଣ ।

ତୁମ୍ଭ ବ୍ୟତିରେକେ ମୋର ନାହିଁ ଆନ ଗତି

ମୁଁ ତୁମ୍ଭର ନିଜ ଦାସୀ ତୁମ୍ଭେ ମୋର ପତି ।

ସିଂହ ଘରଣୀକି ଯେବେ ଛୁଇଁବ ଶୃଗାଳ

କେ ଲଜ୍ଜା ପାଇବ ପ୍ରଭୁ ମନେ ମନେ ଭାଳ ।

ଆକାଶରେ ସଲିଳକୁ ଚାତକ ପରାୟେ

ଆଶା କରିଅଛି ତବ ଆଗମନ ଯାଏ ।

ଏଥିରେ ଯଦ୍ୟପି ମୋତେ କରିବ ନିରାଶ

ନିଶ୍ଚୟେ ପାଇବ ପ୍ରଭୁ ସ୍ତିରୀହତ୍ୟା ଦୋଷ ।

ଏମନ୍ତ ବିନୟ ଭାଷା ସ୍ୱହସ୍ତେ ରୁକ୍ମିଣୀ

ଲେଖିଥିଲେ ଆପେ ତାହା ପଢ଼ି ଚକ୍ରପାଣି ।

ମୁଦ ସହିତରେ ଶିରେ ଲଗାଇ ସତ୍ୱର

ବ୍ରାହ୍ମଣ ମୁଖକୁ ଚାହିଁ କହନ୍ତି ମଧୁର ।

ପର ଉପକାରୀ ତୁମ୍ଭେ ଅଟ ଦ୍ୱିଜଶ୍ରେଷ୍ଠ

ତେଣୁ ସିନା ଆସିଅଛ ଏତେ ଦୂର ବାଟ ।

ସ୍ୱଚକ୍ଷୁରେ ସେ କନ୍ୟାକୁ ଦେଖିନାହୁଁ ଆମ୍ଭେ

ପରତେ ଯାଉଛୁ ଆସି କହିବାରୁ ତୁମ୍ଭେ ।

ସେ ଯେବେ ଆମ୍ଭକୁ ଦୃଢ଼େ କରିଛି ଆକାଙ୍‌କ୍ଷା

ଭାବ ଅନୁରୂପେ ଆମ୍ଭେ ହେଲୁ ତାର ସଖା ।

ପୁଣି ତ ଆପଣ ଆସି କହୁଛନ୍ତି ଏତେ

ଧର୍ମହାନୀ ହେବ ନିଶ୍ଚେଁ ଆମ୍ଭର ନ ଯାନ୍ତେ ।

ସେ ଆମ୍ଭର ପ୍ରିୟବତୀ ଅଟେ ପାଟବଂଶୀ

ଆମ୍ଭେ ଥାଉଁ ଅନ୍ୟର କି ହୋଇବ ସେ ଦାସୀ ।

ଯିବି ଧାତିକାରେ ତାକୁ ଆଣିବଇଁ ହରି

ସେ ଦେବା ଲେଖା ପଢ଼ିଲି ଆଦି ଅନ୍ତ କରି ।

ସର୍ବେ ଦେଖୁଥିବେ ହରି ଆଣିବି ମୁଁ ବଳେ

ଏ କଥା ଗୋଟିକ ରହିଥାଉ କାଳେ କାଳେ ।

ଆଗଭର ହୋଇଅଛି ତା ଭାଇ ରୁକ୍ମଣ

ଦେଖିବା ତା ଠାରେ ଅଛି କେତେ ବୀରପଣ ।

କିପରି ତା ଭଗିନୀକି ରଖିବ ସେ ରଖୁ

ଲକ୍ଷେ ରାଜା ଘେନି ଏହା ଜରାସନ୍ଧ ଦେଖୁ ।

ସବୁରି ମୁଖରେ କାଳି ଲଗାଇଣ ମୁହିଁ ।

ରୁକ୍ମିଣୀକି ବିଭାହେବି ଦେଖିବ ଗୋସାଇଁ ।

ଆହେ ଦ୍ୱିଜ ସତ୍ୟ ସତ୍ୟ ଆମ୍ଭର ଏ ବାଣୀ

ନନ୍ଦିଘୋଷ ରଥେ ଚଢ଼ି ଯିବୁ ଏହିକ୍ଷଣି ।

ଯଦ୍ୟପି ଇନ୍ଦ୍ର କୁବେର ଭାସ୍କର ବରୁଣ

ଦିଗପାଳମାନେ ଆସି କରିବେଟି ରଣ ।

ନବଖଣ୍ଡ ମେଦିନୀରେ ଛନ୍ତି ଯେତେ ରାଜା

ସେ ଯେବେ ରୁକ୍ମିଣୀ ପାଇଁ କରନ୍ତି ପରିଯା ।

ତଥାପି ତାହାକୁ ଆମ୍ଭେ ଆଣିବୁ ଅବଶ୍ୟ

ଏଥିରେ ସନ୍ଦେହ ତୁମ୍ଭେ ନ ବିଚାର ଲେଶ ।

ଏତେକ ସୁଲଭ ଆମ୍ଭେ ଛାଡ଼ିବୁ କେମନ୍ତେ

ବ୍ରାହ୍ମଣ ତ ଆସିଛନ୍ତି ଏଥିର ନିମନ୍ତେ ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତି

ଶୁଣ ହୋ ପରୀକ୍ଷ ରାଜା ସୁଭଦ୍ରାର ନାତି ।

ପରମ ଆନନ୍ଦ ହୋଇ ପ୍ରଭୁ ଦେବରାଜ

ସାରଥିକି ଆଜ୍ଞା ଦେଲେ ରଥ ବେଗେ ସାଜ ।

ପ୍ରଭୁଙ୍କ ଆଜ୍ଞାରେ ରଥ ସଜାଇ ଦାରୁକ

ବାଛିଣ ଯୋଚିଲେ ତହିଁ ଉତ୍ତମ ଘୋଟକ ।

ସୁବର୍ଣ୍ଣ କଳଶ ପରେ ଚିତ୍ରଧ୍ୱଜ ଉଡ଼େ

ସମୁଦ୍ର ଲହରୀ କିବା ଶୂନ୍ୟୁ ଖସି ପଡ଼େ ।

ସେ ରଥେ ବସିଲେ କ୍ଷୁଧା ତୃଷା ନ ବାଧଇ

ଯାହା ଇଚ୍ଛା କଲେ ତାହା ତକ୍ଷଣେ ମିଳଇ ।

ସେ ରଥ ସଜାଇ ଆପେ ସାରଥି ଆଣନ୍ତେ

ବିପ୍ର ହସ୍ତ ଧରି ବିଜେ କଲେ ଜଗନ୍ନାଥେ ।

ବ୍ରାହ୍ମଣ ବିଚାର କଲେ ନିସ୍ତରିଲି ମୁହିଁ

ଏ ଭବସଂସାରେ ଆଉ ଜନ୍ମ ମୋର ନାହିଁ ।

ଏମନ୍ତ ସମୟେ ଆଜ୍ଞା ଦ୍ୟନ୍ତେ ପୀତବାସ

ଦାରୁକ ସାରଥି ବାହି ନେଲେ ନନ୍ଦିଘୋଷ ।

ଉଡ଼ିଲେ ଘୋଟକମାନେ ଅନ୍ତରୀକ୍ଷ ମାର୍ଗେ

ମଧ୍ୟ ସ୍ୱର୍ଗେ ଲାଗିଯାନ୍ତି ପବନହୁଁ ବେଗେ ।

ବ୍ରାହ୍ମଣଙ୍କୁ ନିଜପାଶେ ବସାଇ ଶ୍ରୀହରି

ପୂର୍ବମୁଖେ ଚଳିଗଲେ ଶୂନ୍ୟଗତି କରି ।

ଉଦ୍ଧବ ଅକ୍ରୂର ବସୁଦେବ ହଳଧାରୀ

ନ ଜାଣନ୍ତି କେହି ଉଗ୍ରସେନ ଆଦିକରି ।

ରୁକ୍ମିଣୀ ଆରତ ହେବା ଜାଣି ଲକ୍ଷ୍ମୀସାଇଁ

ଉଦବେଗେ ଚଳିଗଲେ କାହାକୁ ନ କହି ।

ଆକାଶ ମାର୍ଗରେ ରଥ କରେ ଦିବ୍ୟ ଗତି

ଇନ୍ଦ୍ରଙ୍କୁ କହିଲେ ତାହା ଦେଖି ବୃହସ୍ପତି ।

ଦେଖ ଦେଖ ଜଗନ୍ନାଥ ରୁକ୍ମିଣୀଙ୍କ ପାଇଁ

ଏକା ଯାଉଛନ୍ତି ନନ୍ଦିଘୋଷରେ ଆରୋହି ।

ନ ଜାଣି ରୁକ୍ମଣ ଶିଶୁପାଳେ ଅଛି ବରି

ଏହିକ୍ଷଣି ନେବେ କୃଷ୍ଣ ରୁକ୍ମିଣୀଙ୍କି ହରି ।

ଏହାଙ୍କ ଉଦରୁ ଜାତ ହୋଇଣ ମଦନ

ପୃଥ୍ୱୀଭାର ନିବାରିବେ ମାରି ଯାତୁଧାନ ।

ଏସନ ବିଚାର କରୁଛନ୍ତି ସ୍ୱର୍ଗବାସୀ

ରଥ ଚଢ଼ି ଗଗନରେ ଗଲେ ବ୍ରହ୍ମରାଶି ।

ଅଚ୍ୟୁତ ବୋଲଇ ଏହା ପରୀକ୍ଷିତ ଆଗେ

ଶୁକ ମହାମୁନି କହୁଛନ୍ତି ଶାସ୍ତ୍ର ଯୋଗେ ।

ରୁକ୍ମିଣୀ ହରଣ ଗାଥା ସୁଧାରସ ବାଣୀ

ପବିତ୍ର ହୋଇବ ଜନେ କର୍ଣ୍ଣପଥେ ଶୁଣି ।

 

ହରିବଂଶ ଷଷ୍ଠ ଖଣ୍ଡ

କୁଣ୍ତୀନଗ୍ରେ ବରବେଶୀ ଶିଶୁପାଳର ପ୍ରବେଶ ଓ ବିଦ୍ୟାଧର ବ୍ରାହ୍ମଣର ପୂର୍ବଶାପ ବିବରଣ

 

ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରସ

ନିମନ୍ତ୍ରଣ ପାଇ ତେଣେ ରାଜା ଦମଘୋଷ ।

ପୁତ୍ରର ବିବାହ ପାଇଁ କଲେ ଅନୁକୁଳ

ବରବେଶେ ବାହାରିଲା ବୀର ଶିଶୁପାଳ ।

ଛୟାଣୋଇ ସସ୍ରରାଜା ଘେନି ସଙ୍ଗତରେ

ଜରାସନ୍ଧ ବିଜେ କଲା ବହୁତ ସମ୍ଭାରେ ।

ହାତୀ ରଥୀ ଅଶ୍ୱ ଆଦି ଚତୁରଙ୍ଗ ସେନା

ଗହଣ ଲଗାଇ ଚାଲିଯାନ୍ତି ଅକଳନା ।

ବାଜଇ ବିଜୟ ଶଙ୍ଖ ମଙ୍ଗଳ ମହୁରୀ

ବାଦ୍ୟ ନାଦ ଶବଦରେ କମ୍ପେ ତିନିପୁରୀ ।

ସଙ୍ଗୀରାଜାମାନଙ୍କର ଅପ୍ରମିତ ବଳ

ଦିଶନ୍ତି ଯେସନେ ମାଡ଼ିଆସେ ସିନ୍ଧୁଜଳ ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି

ଛତିଶ ପାଟକ ଲୋକେ ଘେନି ଚାଲିଛନ୍ତି ।

ଅସଂଖ୍ୟ ଧବଳ ଛତ୍ର ଅସଂଖ୍ୟ ଚାମର

ଗଗନେ ପତାକାରାଜି ଉଡ଼େ ଫରଫର ।

 

ଗୁରୁ ବିପ୍ର ପୁରୋହିତ ନଟ ଭାଟ ମୂଳେ

ଯାତ୍ରା ଗହଳରେ ଚାଲିଛନ୍ତି ଦଳେ ଦଳେ ।

ଜରାସନ୍ଧ ଆଦିକରି ସକଳ ନୃପତି

ଶିଶୁପାଳ ସଙ୍ଗେ ହୋଇଛନ୍ତି ବରଯାତ୍ରୀ ।

ପଟୁଆର କରି ସର୍ବେ ପଥବାହି ଗଲେ

କୁଣ୍ତୀନଗ୍ର ନିକଟରେ ପ୍ରବେଶ ହୋଇଲେ ।

ରୁକ୍ମଣ ବାରତା ପାଇ ହୋଇଲା ଆନନ୍ଦ ।

ମୁଖ ବିକାଶଇ ଯେହ୍ନେ ପୂର୍ଣ୍ଣିମାର ଚାନ୍ଦ ।

ପାତ୍ର ମନ୍ତ୍ରୀ ସଙ୍ଗେ ଘେନି ରାଜପୃଷ୍ଠେ ବସି

ପାଛୋଟାଇ ଘେନିଗଲା ଅଧବାଟୁ ଆସି ।

ଅମନାତ୍ୟଗଣ ଘେନି ଭୀଷ୍ମକ ନୃପତି

ଜଣ ଜଣ କରି ଖୋଜି ବିଚାର କରନ୍ତି ।

ରାଜାଙ୍କ ନଅର ପାତ୍ରମନ୍ତ୍ରିଙ୍କ ଉଆସ

ଯେଝା ଅନୁରୂପେ ଦେଲେ ଭିନ୍ନ ଭିନ୍ନ ବାସ ।

ସୈନ୍ୟ ସେନାପତି ଘର ଅଶ୍ୱ ଗଜ ଶାଳ

ପୂର୍ବରୁ ସଜାଡ଼ି ରଖିଥିଲେ ମାଳ ମାଳ ।

ସମସ୍ତେ ରହିଲେ ଯାଇଁ ଯେ ଯାହାର ବାସେ

ପାତ୍ର ମନ୍ତ୍ରୀମାନେ ଚର୍ଚ୍ଚା କରନ୍ତି ହରଷେ ।

ସୁଗନ୍ଧ ଚନ୍ଦନ ପାନ କସ୍ତୁରୀ କର୍ପୂର

ଯେ ଯାହା ନିଯୋଗେ ଲାଗି ଦିଅନ୍ତି ଅପାର ।

ପାକଶାଳାରେ ବ୍ରାହ୍ମଣେ ରାନ୍ଧି ନାନାଦ୍ରବ୍ୟ

ସୁବର୍ଣ୍ଣ ଥାଳିରେ ନେଇ ପରଷନ୍ତି ସର୍ବ ।

ଲକ୍ଷ ଲକ୍ଷ କୋଟି କୋଟି ଭୁଞ୍ଜି ଏକାବେଳେ

ଆଚମନ କରିଯାନ୍ତି ସୁବାସିତ ଜଳେ ।

ଅଧାମ ଗୋଟିକା ସର ଦହି ଛେନାପଣା

ଯେ ଯାହା ଲୋଡ଼ଇ ତାହା ମିଳେ ଅକଳନା ।

କର୍ପୂର ଚନ୍ଦନ ମୁଖବାସ ଗୁଆ ପାନ

ଭୁଞ୍ଜି କରି ଆନନ୍ଦିତ ହେଲେ ସର୍ବଜନ ।

ରାଜାଗଣ ଆଦିକରି ବାଦ୍ୟକାର ଯାଏ

ଆପଣେ ରୁକ୍ମଣ ଥାଇ ଚରଚା କରାଏ ।

ଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ରୁଣ୍ତ

ଦେଖଣାହାରିରେ ପୂରିଅଛି ରାଜଦାଣ୍ତ ।

ପ୍ରତିଦ୍ୱାର ଦାଣ୍ତ ହାଟ ଦିଶେ ପରିମଳ

ଆନନ୍ଦରେ ଦେଖୁଛନ୍ତି ବୁଲି ଦଳଦଳ ।

ବାଜଇ ମହୁରୀ ଶଙ୍ଖ ମର୍ଦ୍ଦଳ କାହାଳୀ

ସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହିଳି ।

କେ ବୀଣା ବଜାଏ କେହୁ ଗାଉଅଛି ଗୀତ

ବେଶ୍ୟାଗଣ ବେଶ ହୋଇ କରୁଛନ୍ତି ନୃତ୍ୟ ।

ସୁଲଳିତ ହୁଳହୁଳି ପଞ୍ଚସ୍ୱର ନାଦ

ଶୁଣିତ ସକଳ ଲୋକ ହୁଅନ୍ତି ପ୍ରମୋଦ ।

ଛାୟାମଣ୍ତପ ଯେ ବେଦୀ ସୁସଞ୍ଚ ପାତନା

ରତନ ମଣ୍ତଣି ଦିଶେ ଏକୁ ଏକ ଜିଣା ।

ବରବେଶେ ବସିଅଛି ଶିଶୁପାଳ ବୀର

ବାହେ ଅସରଳା ସୂତା ଗଳେ ରତ୍ନହାର ।

କର୍ଣ୍ଣରେ କୁଣ୍ତଳ ଶିରେ ଶୋହଇ ମୁକୁଟ

ଅଙ୍ଗେ ରତ୍ନ ଆଭରଣ ଦିଶେ ଝଟ ଝଟ ।

ନୟନେ କଜ୍ଜ୍ୱଳ ରେଖା ଶିରେ ପାଗବାନ୍ଧି

କଟିଦେଶେ ହଳଦିଆ ପାଞ୍ଚି ଅଛି ପିନ୍ଧି ।

କପାଳେ ସିନ୍ଦୂର ଟିକା ପାଦରେ ଅଳତା

ହସ୍ତରେ ଶ୍ରୀଫଳ କନ୍ଧେ ନୂତନ ପଇତା ।

ବେଦୀରେ ପଶ୍ଚିମ ଦିଗ ଅଧିବାସ ଘରେ

ଆନନ୍ଦେ ରହିଲା ବରଯାତ୍ରୀଙ୍କ ସଙ୍ଗରେ ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି

ଅତିଭାଗ୍ୟେ ଭାଗବତ ପୁରାଣର ବାଣୀ ।

ସପତ ସମୁଦ୍ର ପାଣି କେ ଶୋଷି ପାରିବ

ନଦୀବାଲି ଗଣି ସଂଖ୍ୟାକରି କେ କହିବ ।

ବିଷ୍ଣୁର ମହିମା ହାଦେ ଆଦି ଅନ୍ତ ନାହିଁ

କେ ବର୍ଣ୍ଣି ପାରିବ ତାହା ନରଦେହ ବହି ।

ଲକ୍ଷ୍ମୀ ନାରାୟଣ ବିଭା ଦୁର୍ଲ୍ଲଭ ଚରିତ

କହନ୍ତେ ନ ସରେ ଯାର ଲ ମିଳଇ ଅନ୍ତ ।

ଚାରିଊଣା ଲକ୍ଷେ ରାଜା ବରଯାତ୍ରୀପଣେ

ଶିଶୁପାଳ ସଙ୍ଗେ ଆସିଅଛନ୍ତି ଗହଣେ ।

ଏମନ୍ତ ସମ୍ଭାର ଦେଖି ଦାସୀଗଣ ଖରେ

ଧାଇଁ ଯାଇ ଜଣାଇଲେ ରୁକ୍ମିଣୀ ଛାମୁରେ ।

ବର ବରଜାତି ଆସି ରହିଲେଣି ସବୁ

ଏ ରାତି ପାହିଲେ ମାଗୋ କାଲି ବିଭା ହେବୁ ।

ଶୁଣିଣ ରୁକ୍ମିଣୀଦେବୀ ହୋଇଲେ ବିକଳ

କମଳ ନୟନ ଫୁଟି ବହେ ଅଶ୍ରୁଜଳ ।

ଆହା କୃଷ୍ଣ ପ୍ରାଣବନ୍ଧୁ ବୋଲିଣ ସୁମରି

କେଶବାସ ଅସମ୍ଭାଳ ଲୋଟନ୍ତି ସୁନ୍ଦରୀ ।

ଓଷ୍ଠ କଣ୍ଠ ସହିତରେ ତାଳୁ ଗଲା ଶୁଖି

ଉଚ୍ଚସ୍ୱରେ ଶୋକକରି ବୋଇଲେ ଗୋସଖି ।

ଦ୍ୱିଜବର ଗଲାବେଳୁ ଚାହିଁଅଛି ବାଟ

ଚାରିଆଡ଼େ ଦିଶୁଛନ୍ତି ମୋତେ ନନ୍ଦଚାଟ ।

ଗଗନର ଚନ୍ଦ୍ରମାକୁ ବଢ଼ାଇଲି ହସ୍ତ

ସ୍ୱପ୍ନଧନ କାହୁଁ ମୋତେ ହେବ ପରାପତ ।

ଫାନ୍ଦ ପାତିଲେ କି ବାୟୁ ହୋଇପାରେ ବନ୍ଦୀ

କୋଇଲି ସୂତାରେ ଗଜ କେ ରଖିବ ବାନ୍ଧି ।

ସମୁଦ୍ର ତରିବ କାହୁଁ ବାନ୍ଧି ତୃଣ ଭେଳା

ଦେବଙ୍କ ସଙ୍ଗରେ କାହିଁ ମାନବଙ୍କ ମେଳା ।

ବକ ସଙ୍ଗେ କାକ କାହୁଁ ହୋଇବ ସମାନ

ସିଂହପୁରେ ଶୃଗାଳକୁ ମିଳଇ କି ସ୍ଥାନ ।

ଅଶେଷ କୋଟି ବ୍ରହ୍ମାଣ୍ତେ ଯେ ପ୍ରଭୁ ଠାକୁର

ସେ ଲୋଡ଼ିଲେ କେଉଁକଥା ଅଭାବ ତାଙ୍କର ।

କେତେ ନାରୀରତ୍ନ ଅବା ନ ମିଳିବ ତାଙ୍କୁ

କିପାଁ ଏତେ ଶ୍ରମ ପାଇ ଆସିବେ ଏଥକୁ ।

ବତିଶ ସହସ୍ରନାରୀ ଇନ୍ଦ୍ର ତାଙ୍କୁ ଦେଲେ

ଆପଣେ ପାଦରେ ବନ୍ଦି ପୂଜାକରି ଗଲେ ।

ମୃଗତୃଷ୍ଣା ଜଳରେ କି ଦୂର ହୁଏ ତୃଷା

ମୁହିଁ ନିଲକ୍ଷଣୀ ବୃଥା ବଳାଇଛି ଆଶା ।

ମୋର ଏ ବିକଳ ଦେଖି ବୃଦ୍ଧ ଦ୍ୱିଜ ଗଲେ

ଯାଉ ଯାଉ ଟାଟେ ଅବା ଫୁଟିଣ ରହିଲେ ।

କିବା ପଥଶ୍ରମ ହେତୁ ସେ ବୃଦ୍ଧ ବ୍ରାହ୍ମଣ

ଅତି କଷ୍ଟେ ଭୋଗକରି ଲଭିଲେ ମରଣ ।

ବାଟବଣା ହୋଇ ଅବା ପଶିଲେ ଅବାଟେ

କିବା ବଧକଲେ ତାଙ୍କୁ ବ୍ୟାଘ୍ର ଚୌର ଖଣ୍ଟେ ।

ସିଂହ କି ଶାର୍ଦ୍ଦୁଳ ଅବା ବନହସ୍ତୀ ମିଳି

ଖାଇଥିବେ ନୋହିଲେ ତ ଦେଇଥିବେ ଦଳି ।

କି ଅବା ମୋ ଭାଇ ତାଙ୍କୁ ବାଟରେ ଦେଖିଲା

ଏଥିର କାରଣ କିଛି ଜଣା ତ ନ ଗଲା ।

କିବା କେଉଁ ବ୍ୟାଧି ଜାତ ହେଲା ତାଙ୍କ ଦେହେ

ନ ଯାଇ ରହିଲେ ଅବା ଆପଣାର ଗୃହେ ।

ଦ୍ୱାରାବତୀ ପୁରେ ଅବା ନ ପାରିଲେ ପଶି

କିବା ଗଉରବେ ରୁହାଇଲେ ହୃଷୀକେଶୀ ।

କି ଅବା ମୋ କଥା ପ୍ରଭୁ ନ ଶୁଣିଲେ କାନେ

ତେଣୁ ଦେଖା ନ ଦେଲେ ସେ ବିପ୍ର ଅପମାନେ ।

ଏତେ କହୁ କହୁ ଦେବୀ ହତଜ୍ଞାନ ହୋଇ

ଭୂତଳେ ପଡ଼ିଲେ ନିଜ ବିବେକ ହରାଇ ।

ଦାସୀ ପରିବାରୀଗଣ ସିଞ୍ଚାବିଞ୍ଚା କଲେ

ପୁଣି କ୍ଷଣକରେ ଦେବୀ ଚେତନା ପାଇଲେ ।

ବୋଲନ୍ତି ଭୋ ଧର୍ମ ମୋତେ ନୋହିଲଟି ସାହା

ଛାର ଶିଶୁପାଳ ପୁଣି ହେବ ମୋର ନାହା ।

ଏଡ଼େ ହୀନକଥା ମୁହିଁ ଶୁଣିଲି ମୋ କର୍ଣ୍ଣେ

ନିର୍ଲ୍ଲଜ ଜୀବନ କିପାଁ ଅଛି ଅକାରଣେ ।

ଖାଇବି ଗରଳ ପ୍ରାଣେ ଆଶା ନାହିଁ ଆଉ

କୃଷ୍ଣ ନାମ ଧରି ମୋର ଜୀବ ଚାଲିଯାଉ ।

ଏ କଥା ତ୍ରିଜୀବୀ ହୋଇଥିବ କାଳ କାଳ

ଛୁଇଁ ନ ପାରଇ ମୋତେ ପାପୀ ଶିଶୁପାଳ ।

ଏମନ୍ତ ବିଳାପ ବସି କରନ୍ତେ ରୁକ୍ମିଣୀ

କରଯୋଡ଼ି ଜଣାଇଲା ସୁମେଧା ମିତଣୀ ।

ପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ଅଛୁ ଅବତରି

ଆଦି ଅନ୍ନପୂର୍ଣ୍ଣା ତୁ ଯେ ବିଷ୍ଣୁ ମନୋହାରୀ ।

ଯହିଁକି ଭରସା ରଖି କରିଛୁ ନିର୍ବନ୍ଧ

ସେ କାର୍ଯ୍ୟ ନିଶ୍ଚୟ ତୋର ହେବ ଜାଣ ସିଦ୍ଧ ।

ନନ୍ଦିଘୋଷ ରଥେ ବସି ପ୍ରଭୁ ଦେବରାୟ

ଏଠାରେ ଏକ୍ଷଣି ତୋତେ ନେବେ ସେ ନିଶ୍ଚୟ ।

ମୁଁ ଯାହା କହିଲି ଏହା ଅଟେ ତଥ୍ୟବାଣୀ

ନାରଦ ଋଷିଙ୍କ ମୁଖୁଁ ପୂର୍ବେ ଥିଲି ଶୁଣି ।

ଆମ୍ଭେ ସର୍ବେ ଶାପଘେନି ହୋଇଥାଇ ଜାତ

ଅନେକ ଜନ୍ମର କଥା ଜାଣେ ଆଗୋ ମାତ ।

ସେ କଥାକୁ ମିଥ୍ୟାବୋଲି ନ ବିଚାର କିଛି

ସର୍ବଶୁଭ ଆଗମନ ମୋତେ ଦିଶୁଅଛି ।

ତୁ କିସ ନ ଜାଣୁ ମାଗୋ ମୁଁ କହିବି ବୋଧି

ଦୂତ ବିଳମ୍ବରେ ନିଶ୍ଚେଁ କାର୍ଯ୍ୟ ହୁଏ ସିଦ୍ଧି ।

ପ୍ରତିଜ୍ଞା କରିଣ ଏଥୁ ଯାଇଛନ୍ତି ଦ୍ୱିଜ

ନିଶ୍ଚୟ ଆସିବେ ସଙ୍ଗେ ଘେନି ଦେବରାଜ ।

ବେଳ ନ ବଳିବ ନିଶ୍ଚେଁ ଆସିବେ ମାଧୋଇ

ତେତେବେଳେ ଦେବୁଟିକି ତୁ ମୋତେ ବଧାଇ ।

ରୁକ୍ମିଣୀ ବୋଇଲେ ଏହା ପ୍ରତେ ଯାଉ ନାହିଁ

ସତେ କି ଶ୍ରୀକୃଷ୍ଣ ଆଜି ଆସିବେ ମୋ ପାଇଁ ।

କାହିଁ କୁଣ୍ତୀନଗ୍ର କାହିଁ ଦ୍ୱାରାବତୀ ପୁର

ଅଗମ୍ୟ ବନ କନ୍ଦର ପଥ ବହୁଦୂର ।

ଏତେଦୂର ଲଙ୍ଘି କୃଷ୍ଣ ମୋ ପାଇଁ ଆସିବେ

ଲେଉଟି ବାରତା ଘେନି ବ୍ରାହ୍ମଣ ମିଳିବେ ।

ବର ବରଜାତିମାନେ ସର୍ବେ ଛନ୍ତି ବସି

ସାତଘଡ଼ି ବେଳ ଏବେ ହୋଇଲାଣି ଆସି ।

ବାଟ ମଙ୍ଗଳନ ସାରି କଲେଣି ବରଣ

ସଭାକରି ବସିଛନ୍ତି ସବୁ ନୃପରାଣ ।

ମେଷଲଗ୍ନ ବେଳ ଅଟେ ତେରଘଡ଼ି ସଂଖ୍ୟା

ହସ୍ତଗ୍ରନ୍ଥି ପଡ଼ିବାକୁ ରହିଅଛି ଏକା ।

ଏତେବେଳେ ସଖି ଆଉ ଉପାୟ ତ ନାହିଁ

କେବଳ ମରିବି ବିଷ ପାନକରି ମୁହିଁ ।

ସରିଲା କଥାରେ ଆଉ କି ଅଛି ଭରସା

ଦରିଦ୍ର ଲୋକର ଯେହ୍ନେ ଧନୀ ହେବା ଆଶା ।

ଏମନ୍ତ କହି ରୁକ୍ମିଣୀ ପଡ଼ିଲେକ ଢଳି

ସୁମେଧା ଅଇଲା ତାଙ୍କୁ କୋଳକରି ତୋଳି ।

ଶ୍ରୀଅଙ୍ଗ ମାର୍ଜ୍ଜନା କରି ମୁଖେ ଜଳ ସିଞ୍ଚି

କୁସୁମ ବିଞ୍ଚିଣ ଧରି କୋମଳରେ ବିଞ୍ଚି ।

ଘଡ଼ିକେ ଚେତନା ପାଇ ଭୀଷ୍ମକ କୁମାରୀ

ଆହା କୃଷ୍ଣ ପ୍ରାଣନାଥ ବୋଲି ଶୋକକରି ।

ବିକଳ ହୁଅନ୍ତି ଅଙ୍ଗୁ ବହିପଡ଼େ ଝାଳ

ହୃଦୟ ପୋଡ଼ଇ ଯେହ୍ନେ କ୍ରୋଟର ଅନଳ ।

ସୁମେଧା ବୋଇଲେ ମାଗୋ ଦଣ୍ତକର କଥା

ବିଧାତାର ଘଟସୂତ୍ର ନୁହଇ ଅନ୍ୟଥା ।

ଆଗତ କଥାକୁ କିପାଁ ଶୋଚନା ତୁ କରୁ

କ୍ଷଣକରେ ଆନ ହେବ ବିଧାତା ବଳରୁ ।

ଦେହଧାରୀ ହେଲେ ନିଶ୍ଚେଁ ଦୁଃଖସୁଖ ଅଛି

କର୍ମର ଲିଖନ କେହି ନ ଜାଣନ୍ତି କିଛି ।

ଯାହାର କର୍ମରେ ଯାହା ଲେଖିଥାଏ ଷଠୀ

କାହାର ସାଧ୍ୟରେ ତାହା ଆନ ହୋଇବଟି ।

ପଣ୍ତିତେ କହନ୍ତି କ୍ଷଣଭଙ୍ଗୁର ଜଗତ

ଚାହୁଁ ଚାହୁଁ କ୍ଷଣକରେ ହୁଏ ବିପରୀତ ।

ଏକ୍ଷଣି ଆସିବେ ଦ୍ୱିଜ ଶୁଭବାର୍ତ୍ତା ଘେନି

ଛାଡ଼ ଛାଡ଼ ଚିନ୍ତା ମାଗୋ ବିଷ୍ଣୁର କାମିନୀ ।

ଦୁର୍ଗତିନାଶିନୀ ଦୁର୍ଗା ପାଦେ କର ଲୟ

ତା ଆଜ୍ଞାରେ ଏହିକ୍ଷଣି ହେବ ତୋର ଜୟ ।

ସୁମେଧା ମୁଖରୁ ଶୁଣି ଏମନ୍ତ ବଚନ

ମହାମାୟାଙ୍କୁ ରୁକ୍ମିଣୀ ବସି କଲେ ଧ୍ୟାନ ।

ଦୁର୍ଗତି ନାଶିନୀ ମାଗୋ ଜଗତର ମାତା

ମହାଘୋର ବିପଦରୁ ତୁହି ସେ ରଖନ୍ତା ।

ଜ୍ୟୋତିରୂପା ଆଦିଶକ୍ତି ଜୟା ତୁ ବିଜୟା

ବ୍ରହ୍ମାଣ୍ତ ଯାକରେ ପୂରି ରହିଛି ତୋ କାୟା ।

ସବୁରି ହୃଦରେ ଜ୍ଞାନରୂପେ ଅଛୁ ରହି

ତୋ ଆଜ୍ଞା ଲଙ୍ଘନ କରି ନ ପାରନ୍ତି କେହି ।

ସ୍ତିରୀଏ ଜାଣନ୍ତି ମାଗୋ ସ୍ତିରୀଙ୍କ ବେଦନା

ଏ ଘୋର ସଂକଟକାଳେ ହୁଅ ବଜ୍ରସେହ୍ନା ।

ବସୁଦେବ ସୁତ ବାସୁଦେବ ମୋର ପତି

ଅଦ୍ଭୁତେ ତାହାଙ୍କୁ ଆଣି ଦିଅ ଭଗବତୀ ।

ଦୁଷ୍ଟରାଜାମାନଙ୍କର ବଳ କ୍ଷୟ ହେଉ

ପାପୀ ଶିଶୁପାଳ ଲାଜେ ବାହୁଡ଼ିଣ ଯାଉ ।

ସବୁରି ଆଗରୁ ମୋତେ ନିଅନ୍ତୁ ଶ୍ରୀହରି

ସର୍ବଦା ରହିବି ତାଙ୍କ ପଦସେବା କରି ।

ଦୁର୍ଗମାଖ୍ୟ ଦୈତ୍ୟ ମାରି ଦୁର୍ଗା ତୁମ୍ଭ ନାମ

ଦୁର୍ଗା ଦୁର୍ଗା ସୁମରନ୍ତେ ପୂର୍ଣ୍ଣହୁଏ କାମ ।

ଏସନେକ ସ୍ତୁତି ଯହୁଁ କଲେକ ରୁକ୍ମିଣୀ

ଅଦ୍ଭୁତେ ଶୁଭିଲା ତାଙ୍କୁ ଆକାଶର ବାଣୀ ।

ଭୀଷ୍ମକ ନନ୍ଦିନୀ ତୁଗୋ ନ ହୁଅ ବିମନ

କୃଷ୍ଣ ଆସୁଛନ୍ତି ଚଢ଼ି ନନ୍ଦିଘୋଷ ଯାନ ।

ବ୍ରାହ୍ମଣଙ୍କୁ ନିଜସଙ୍ଗେ ଘେନି ବ୍ରହ୍ମରାଶି

ନିକଟରେ ପରବେଶ ହୋଇଲେଣି ଆସି ।

ମନୋରଥ ପୂର୍ଣ୍ଣ ଏବେ ହୋଇଲା ତୁମ୍ଭର

ଭେଟିବ କୃଷ୍ଣଙ୍କୁ ଆଉ ସନ୍ଦେହ ନ କର ।

ଶୁଣିଣ ପରମ ତୋଷ ହୋଇଲେ ରୁକ୍ମିଣୀ

ଆଦିତ୍ୟ ଉଦୟେ ଯେହ୍ନେ ବିକଶେ ନଳିନୀ ।

ଛାଡ଼ିଲେ ମନରୁ ଦେବୀ ଥୋକାଏ ସନ୍ଦେହ

ଆନନ୍ଦରେ ପୁଲକିତ ହେଲା ତାଙ୍କ ଦେହ ।

ସୁମେଧା ହରଷ ହୋଇ ବୋଲେ ଗୋ ରୁକ୍ମିଣୀ

ଅନ୍ୟଥା ନୁହଇ କେବେ ଦେବତାଙ୍କ ବାଣୀ ।

ମଙ୍ଗଳ ସୂଚନା ଏହି ଆକାଶ ବଚନ

ଏକ୍ଷଣି ଆସିବେ ନିଶ୍ଚେଁ ପ୍ରଭୁ ଭଗବାନ ।

ସୁମେଧା ବଚନେ ଦେବୀ ହେଲେ ତୋଷମତି

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି ।

ବ୍ରାହ୍ମଣକୁ ସଙ୍ଗତରେ ଘେନି ଜଗନ୍ନାଥ

ଶୂନ୍ୟମାର୍ଗେ ଆସୁଥିଲେ ଚଢ଼ି ନିଜ ରଥ ।

ମନବେଗେ ଯାନ ଚଳି ଆସଇ ଗଗନେ

କୁଣ୍ତୀନଗ୍ରେ ପ୍ରବେଶିଲେ ସାତଘଡ଼ି ମାନେ ।

କୁଣ୍ତଳି ପର୍ବତ ତଳେ ବେଣୀନଦୀ ତୀରେ

ଆକାଶରୁ ଖସି ଯାନ ରହିଲା ସଧୀରେ ।

ତିନିଯୁଣ ଆୟତନ ମନୋହର ତୋଟା

ଦୁର୍ବାସା ଋଷି ଆଶ୍ରମ ସେହି ସ୍ଥାନ ଗୋଟା ।

ନାନାବିଧ ତରୁଲତା ବିରାଜନ୍ତି ତହିଁ

ସେ ତୋଟାରେ ବିଜେ କଲେ ରଥରୁ ଓହ୍ଲାଇ ।

ସେ ସ୍ଥାନକୁ କୁଣ୍ତୀନଗ୍ର ଯୋଜନେକ ଦୂର

ରମ୍ୟସ୍ଥାନ ଦେଖି ବିଜେ କଲେ ଚକ୍ରଧର ।

ଅଶ୍ୱଙ୍କୁ ଫିଟାଇ ରଥ ରୁହାଇଲା ସୁତ

ବ୍ରାହ୍ମଣ ମୁଖକୁ ଚାହିଁ ବୋଲନ୍ତି ଅଚ୍ୟୁତ ।

ରୁକ୍ମିଣୀ ଛାମୁରେ ବାର୍ତ୍ତା ଦିଅ ବେଗେ ଯାଇ

ଆକୁଳ ସେ ହେଉଥିବ ତୁମ୍ଭ ବାଟ ଚାହିଁ ।

ଆମ୍ଭେ ଆସିବାର କଥା ବେଗେ ଯାଇ କହ

ଶୁଣିଲେ ଫିଟିବ ତାଙ୍କ ମନରୁ ସନ୍ଦେହ ।

ଏତେ ବୋଲି ବ୍ରାହ୍ମଣଙ୍କୁ କୋଳାଗ୍ରତ କରି

ଜୟମଙ୍ଗଳ ନାମରେ ମାଳା କରେ ଧରି ।

ବୋଇଲେ ଯେ ଦ୍ୱିଜ ଏହିମାଳା ତୁମ୍ଭେ ନେବ

ଆମ୍ଭ ଦତ୍ତବୋଲି କହି ରୁକ୍ମିଣୀଙ୍କୁ ଦେବ ।

ଆଜ୍ଞା ପାଇ ଦ୍ୱିଜବର ଉଠିଲେ ବହନ

କୃଷ୍ଣଙ୍କୁ ଛାଡ଼ିବା ପାଇଁ ନ ବଳଇ ମନ ।

ପୁଣି ଶ୍ରୀମୁଖରୁ ଦୃଢ଼ ବାରତା ସେ ପାଇ

କାର୍ଯ୍ୟାର୍ଥୀ ହୋଇଣ ଶୀଘ୍ରେ ଗଲେ ପିଠିଦେଇ ।

ପାଦୁକା ମନ୍ତ୍ରର ବଳେ ଚଳି ଅତିଖରେ

ପ୍ରବେଶ ହୋଇଲେ ଯାଇ ରୁକ୍ମିଣୀଙ୍କ ପୁରେ ।

ରୁକ୍ମିଣୀଙ୍କ ଦାସୀଗଣେ ଥିଲେ ବାଟ ଚାହିଁ

ଅଇଲେ ବ୍ରାହ୍ମଣ ବୋଲି ଜଣାଇଲେ ଯାଇ ।

ସ୍ଫୁରିଲା ବାମ ନୟନ କଥା ହେଲା ଜୟେ

ଦଧି ମାଛ ଶଙ୍ଖଚିଲ ଆଗେ ଦେଖାଯାଏ ।

ଏମନ୍ତ ସମୟେ ଦେବୀ ଦୂରେ ଦେଲେ ଦୃଷ୍ଟି

ଦେଖିଲେ ଆସୁଅଛନ୍ତି ସେହି ବିପ୍ରଗୋଟି ।

ଚାଲିବା ସମୟେ ଅଙ୍ଗୁ ବହୁଅଛି ଝାଳ

ପ୍ରଖର ନିଶ୍ୱାସ ବହେ ମନର ଚଞ୍ଚଳ ।

ଚାହୁଁ ଚାହୁଁ ରୁକ୍ମିଣୀଙ୍କ ଛାମୁରେ ମିଳିଲେ

ମାଳଗୋଟି ଥୋଇ ତାଙ୍କ ଆଗେ ଉଭାହେଲେ ।

ସୁମେଧା ନିରେଖି ଚାହିଁ ବ୍ରାହ୍ମଣ ବଦନ

ବିଚାରଇ ନିଶ୍ଚେଁ ହେଲା ଶୁଭ ଆଗମନ ।

ଏହାଙ୍କ ମୁଖରେ ହର୍ଷପୂରି ରହିଅଛି

ଏହି ସଂକେତରୁ କାର୍ଯ୍ୟ ହେଲା ମୁଁ ଜାଣୁଛି ।

ରୁକ୍ମିଣୀ ବୋଇଲେ ପଣ୍ତା ତୁମ୍ଭେ ମୋର ପିତା

ମୋ ପାଇଁରେ ଗଲ ଯେଣୁ ଏତେଦୂର ପନ୍ଥା ।

ଚାତକ ପରାୟେ ଚାହିଁ କରିଛି ମୁଁ ଆଶ

ନିରାଧାର ବାକ୍ୟ କହି ମନ କର ତୋଷ ।

ଭୋ ବିପ୍ର ଦ୍ୱାରକା ଗଲ ଏତେ ଦୁଃଖପାଇ

ସେଠାରେ କୃଷ୍ଣଙ୍କ ଭେଟ ପାଇଲ କି ନାହିଁ ।

ତୁମ୍ଭ ମୁଖୁ ମୋର ଦୁଃଖ ଶୁଣିଲେ କି ହରି

ସକଳ ବୃତ୍ତାନ୍ତ ମୋତେ କହ ତଥ୍ୟକରି ।

ଏତେ ବୋଲି ମସ୍ତକରେ ଯୋଡ଼ି ବେନିପାଣି

ବ୍ରାହ୍ମଣର ପାଦତଳେ ପଡ଼ିଲେ ରୁକ୍ମିଣୀ ।

ସୁମେଧାକୁ ଆଦି ଯେତେ ସହଚରୀ ଥିଲେ

ନମ୍ର ହୋଇ ବିପ୍ରପାଦେ ସମସ୍ତେ ପଡ଼ିଲେ ।

ସମସ୍ତଙ୍କୁ ସୁକଲ୍ୟାଣ କରି ଦ୍ୱିଜବର

ରୁକ୍ମିଣୀଙ୍କୁ ଚାହିଁ ଧୀରେ କହିଲେ ଏ ଗିର ।

ଆଗୋ ମାତ ମୁଁ ଜାଣଇ ଲକ୍ଷ୍ମୀ ତୁମ୍ଭେ ଅଟ

ଅନନ୍ତ ଶଯ୍ୟାରେ ବିଷ୍ଣୁ ପାଦତଳେ ଖଟ ।

ମାନବ ଶରୀରେ ଧରି ସେହି ନାରାୟଣ

କୃଷ୍ଣରୂପେ ଜନ୍ମିଛନ୍ତି ଅନାଦି କାରଣ ।

ଶ୍ରୀଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ ସାଜେ

ଦ୍ୱାରକା ଭୁବନ ମଧ୍ୟେ କରିଥିଲେ ବିଜେ ।

ଖଣ୍ତେଦୂର ମୁଁ ଯିବାର ଦେଖି ବ୍ରହ୍ମରାଶି

ସିଂହାସନ ଛାଡ଼ି ମୋତେ ପ୍ରଣମିଲେ ଆସି ।

ସେହି ସିଂହାସନେ ନେଇ ବସାଇଲେ ମୋତେ

ଆଲଟ ଧରିଣ ପୁଣି ବିଞ୍ଚିଲେ ଶ୍ରୀହସ୍ତେ ।

ରତନ ଝରୀରେ ତୀର୍ଥଜଳ ସେ ପୁରାଇ

ଆପଣେ ଶ୍ରୀକରେ ମୋର ପାଦଦେଲେ ଧୋଇ ।

ନାନାଦ୍ରବ୍ୟ ଆଣି ମୋତେ କରାଇ ଭୋଜନ

ତଦନ୍ତେ ପୁଚ୍ଛିଲେ ମୋର ଯିବାର କାରଣ ।

ମୁଁ ତୁମ୍ଭର ସବୁକଥା କହିଲି ପ୍ରମାଣି

ଶୁଣିଲା ମାତ୍ରକେ ହୃଷ୍ଟ ହେଲେ ଚକ୍ରପାଣି ।

ସେହିକ୍ଷଣି ନନ୍ଦିଘୋଷ ରଥ ଅଣାଇଲେ

କାହାକୁ ନ କହି ମୋତେ ଘେନି ବିଜେକଲେ ।

ସାରଥି ବାହିଲା ଯାନ ପବନହୁଁ ବେଗେ

ତକ୍ଷଣେ ମିଳିଲୁଁ ଆସି ବେଣୁନଦୀ ଲାଗେ ।

ଦୁର୍ବାସା ଆଶ୍ରମ ବନେ ଅଛନ୍ତି ମାଧୋଇ

ତୁମ୍ଭ ସମୀପକୁ ମୋତେ ଦେଲେ ପଠିଆଇ ।

ଆବର କର୍ଣ୍ଣରେ ମୋର କହିଲେ ବିଶ୍ୱାସ

ରୁକ୍ମିଣୀଙ୍କୁ ଗୁପତରେ ଦେବ ଏ ସନ୍ଦେଶ ।

ସୁବର୍ଣ୍ଣ ମନ୍ଦିର ଅଛି ନଗ୍ର ଐଶାନ୍ୟରେ

କାମାକ୍ଷୀ ନାମରେ ଦେବୀ ବିଜୟ ତହିଁରେ ।

କୁଣ୍ତୀନଗ୍ର ଅଧିଷ୍ଠାତ୍ରୀ ଅଟନ୍ତି ସେ ଦେବୀ

ମନୋରଥ ପାଏ ତାଙ୍କୁ ଯେ ପାରଇ ସେବି ।

ଦିଅଁ ମଙ୍ଗୁଳିବା ପାଇଁ ଅହ୍ୟ ନାରୀଚୟ

ରୁକ୍ମିଣୀଙ୍କୁ ଘେନି ତହିଁ ଯିବେ ତ ନିଶ୍ଚୟ ।

ଦେବୀଙ୍କୁ ଦର୍ଶନ କରି ବାହୁଡ଼ିବା ବେଳେ

ଦୂରଦେଶୁଁ ହରି ଆମ୍ଭେ ଘେନିଯିବୁଁ ବଳେ ।

ଏହି ଆଜ୍ଞାଦେଇ ମୋତେ ପେଷିଛନ୍ତି ହରି

ଏଥକୁ ଉଚିତ କାର୍ଯ୍ୟ କର ଗୋ ବିଚାରି ।

ଶୁଣିଣ ରୁକ୍ମିଣୀ ଦେବୀ ଲଭି ମନେ ଶାନ୍ତି

ଭାବିଲେ ନିସ୍ତାର ନିଶ୍ଚେଁ ପାଇଲି ଏ ଘାନ୍ତି ।

ଦୁଃଖ ଜାଣି ଦୟା ମୋତେ କଲେ ବନମାଳୀ

ଏଣିକି ଫିଟାଇ ମୋର ପାଦରୁ ଶାଙ୍କୋଳି ।

ଏତେ ବୋଲି ଦୁର୍ଗା ଦୁର୍ଗା ମନରେ ସୁମରି

ବ୍ରାହ୍ମଣଙ୍କୁ କହିଲେ ସେ ନମସ୍କାର କରି ।

ଆହେ ବିପ୍ରବର ତୁମ୍ଭେ ଅଟ ମୋର ଗୁରୁ

ଜୀବନ୍ତ ରହିଲା ମୋର ତୁମ୍ଭ ପ୍ରସାଦରୁ ।

ଆଜୁଁ ଧର୍ମପିତା ତୁମ୍ଭେ ହେଲ ମୋର ଜାଣ

ଶୁଝି ନ ପାରିବି କେବେ ତୁମ୍ଭର ଏ ଋଣ ।

କିଛିକାଳ ଥାଅ ଏବେ ସଙ୍ଗତେ ମୋହର

କୃଷ୍ଣଙ୍କୁ ଭେଟିଲେ ଋଣ ଶୁଝିବି ତୁମ୍ଭର ।

ବ୍ରାହ୍ମଣ ବୋଇଲେ ତୁମ୍ଭେ ଆଦି ଠାକୁରାଣୀ

ସୃଷ୍ଟି ଉତ୍ତପତ୍ତି ସ୍ଥିତି ପ୍ରଳୟ କାରିଣୀ ।

ସ୍ଥାବର ଜଙ୍ଗମ କୀଟ ତୁମ୍ଭ ଗର୍ଭୁ ଜାତ

ତୁମ୍ଭ କାର୍ଯ୍ୟ ଆପେ ସିଦ୍ଧ କଲ ତୁମ୍ଭେ ମାତ ।

ନିସ୍ତାର ପାଇଲି ମୁହିଁ ତବ ଅନୁରାଗେ

ଲଭିବି ବିପୁଳ ଲକ୍ଷ୍ମୀ ବସିବଇଁ ସ୍ୱର୍ଗେ ।

କହୁଁ କହୁଁ ସେ ବ୍ରାହ୍ମଣ ହେଲେ ନବଯୁବା

ସାକ୍ଷାତେ ଅନଙ୍ଗ ମୂର୍ତ୍ତି ଧଇଲେ କି ଅବା ।

ଧନଧାନ୍ୟ ଗୋପଲକ୍ଷ୍ମୀ ବଢ଼ିଲା ବହୁତ

ଚାରିବେଦ ଷଡ଼ଶାସ୍ତ୍ରେ ହେଲେ ସେ ନିର୍ଜିତ ।

ଯାହାକୁ ପ୍ରସନ୍ନ ହେଲେ ଲକ୍ଷ୍ମୀନାରାୟଣ

ତାକୁ କି ଅପୂର୍ବ ହେବ ଧନ କର୍ମ ଜ୍ଞାନ ।

ଲକ୍ଷ୍ମୀ ନାରାୟଣ ଦୁହେଁ ମର୍ତ୍ତ୍ୟେ ଅବତାର

କେ କହି ପାରିବ ବର୍ଣ୍ଣି ମହିମା ତାଙ୍କର ।

ଏହା ଶୁଣି ପଚାରିଲେ ପରୀକ୍ଷିତ ରାୟେ

ଭୋ ମୁନି ଏ କଥା ଲାଗେ ଅପୂର୍ବ ପରାୟେ ।

ଅତିବୁଦ୍ଧ ହୋଇଥିଲେ ସେ ବ୍ରାହ୍ମଣ ଗୋଟି

କ୍ଷଣକରେ ନବଯୁବା ହୋଇଲେ ପାଲଟି ।

କେଉଁଠାରେ କି ତପ ସେ କରିଥିଲେ ପୂର୍ବେ

ଲକ୍ଷ୍ମୀନାରାୟଣ ତାଙ୍କ ପୂଜା କଲେ ଏବେ ।

ଏଡ଼େ ପୁଣ୍ୟବନ୍ତ ଲୋକ ଯେବେ ସେ ବ୍ରାହ୍ମଣ

ଆଜି ଯାଏ ହୋଇଥିଲେ କିପାଇଁ ନିର୍ଦ୍ଧନ ।

ଏତେ ଲୋକ ଥାଉଁ କିପାଁ ରୁକ୍ମିଣୀ ତାହାକୁ

ଦୂତକରି ପଠାଇଲେ ଦ୍ୱାରକା ପୁରକୁ ।

ଭୋ ମୁନି ଏ କଥା ମୋତେ ବିସ୍ତାରିଣ କହ

ଶୁଣିଲେ ମନରୁ ମୋର ଫିଟିବ ସନ୍ଦେହ ।

ରାଜାର ବଚନ ଶୁଣି କହେ ଶୁକଯତି

ବୋଇଲେ କହିବା ଶୁଣ ପଣ୍ତୁ ପଣନାତି ।

ବହୁତକାଳର କଥା ପୁରାତନ ବାଣୀ

ଲୋମଶ ମୁନିଙ୍କ ମୁଖୁଁ ଥିଲୁ ଆମ୍ଭେ ଶୁଣି ।

ବ୍ରହ୍ମାଣ୍ତ ପୁରାଣେ ଉକ୍ତ ହୋଇଛି ଏ କଥା

ସଂକ୍ଷେପି କହିବା ଏବେ ଶୁଣ ମହାରଥା ।

ଦଇବରେ ଦିନେ ଆସି ପ୍ରଚେତା ମହର୍ଷି

ସ୍ୱର୍ଗଙ୍ଗା କୂଳେ ତପ କରୁଥିଲେ ବସି ।

ଯୋଗେ ବନ୍ଧଭେଦ ମୁଦ୍ରା ଛନ୍ଦି ତପଶୀଳ

ମହାମନ୍ତ୍ର ଜପୁଥିଲେ ଧରି ଜପାମାଳ ।

ଏମନ୍ତବେଳେ ଗୋମାତା ତୃଷାତୁର ହୋଇ

ସେ ମୁନିଙ୍କ ସନ୍ନିଧିରେ ପ୍ରବେଶିଲେ ଯାଇ ।

ସମାଧିରେ ଲାଗିଅଛି ମୁନିଙ୍କର ଲୟେ

ଗୋମାତା ଚାହିଁଲେ ତାଙ୍କୁ ପାଞ୍ଚଘଡ଼ି ଯାଏ ।

ତଥାପି ଧ୍ୟାନରୁ କ୍ଷାନ୍ତ ନୋହିଲେ ପ୍ରଚେତା

ବେଳୁଁ ବେଳ ବିକଳ ଯେ ହୁଅନ୍ତି ଗୋମାତା ।

କ୍ଷୁଧା ତୃଷା ପୀଡ଼ା ଦେବୀ ସହି ନ ପାରିଲେ

ଜଳ ତୃଣ ଦିଅବୋଲି ମୁନିଙ୍କୁ ଡାକିଲେ ।

ତୃଣ ଜଳ ବିହୁନରେ ପୋଡ଼ୁଛି ମୋ ପେଟ

ଧ୍ୟାନ ଛାଡ଼ି ତୃଣ ପାଣି ଦିଅ ମୁନି ଶ୍ରେଷ୍ଠ ।

ଶୁଣି ଉପହାସ କରି ବୋଇଲେ ସେ ମୁନି

ତପସ୍ଥାନେ କାହୁଁ ଆମ୍ଭେ ଦେବୁଁ ତୃଣପାଣି ।

ପଶୁ ସ୍ୱଭାବରେ କିଛି ନ ଜାଣୁ ସର୍ବଥା

ଆଖିରେ ଦେଖିଛୁ କିପାଁ ମାଗୁଅଛୁ ବୃଥା ।

ଗୋମାତା ଏ କଥା ଶୁଣି କଲେ ମହାକୋପ ।

ବୋଇଲେ ପ୍ରଚେତା ତୋର ଅଟେ ଏଡ଼େଦର୍ପ ।

ଜଗତରେ ଗୋ ବ୍ରାହ୍ମଣ ଅତିଥି ଦେବତା

ଏହାଙ୍କୁ ନ ପୂଜି ବୋଲାଉଛୁ ମହାଜ୍ଞାତା ।

ଦରିଦ୍ର ଭିକ୍ଷୁକଠାରୁ ହୀନ ତୋର ବୁଦ୍ଧି

ନିର୍ବାଣ ମୁକତି କାହୁଁ ପାଇବୁ ତୁ ସାଧି ।

ଛାଡ଼ିଲୁ ସାଧୁଙ୍କ ମାର୍ଗ କଲୁ ଅନାଚାର

ମାନବ ଶରୀରେ ଜାତ ହେବୁ ଶତେବାର ।

ଅତ୍ୟନ୍ତ ଦରିଦ୍ର ହୋଇ ରହିବୁ ନିରନ୍ନ

ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ପୋଷିବୁ ଜୀବନ ।

ଏସନକ ଶାପ ଶୁଣି ଭୟରେ ପ୍ରଚେତା

ବୋଲେ ଅପରାଧ କଲି କ୍ଷମା କର ମାତା ।

ତୁମ୍ଭେ ମାତ କାମଧେନୁ ଅନାଦି ଶକତି

ଶାପ ପ୍ରତିକାର କହ ଘେନି ମୋ ବିନତି ।

ଏମନ୍ତ କହି ବିନୟେ ନାନାସ୍ତୁତି କଲେ

ଶୁଣିଣ ଗୋମାତା ତାଙ୍କୁ ପ୍ରସନ୍ନ ହୋଇଲେ ।

ବୋଇଲେ ମୋ ଶାପ କେବେ ଅନ୍ୟଥା ନୁହଇ

ମର୍ତ୍ତ୍ୟପୁରେ ଜନ୍ମ ହେବୁ ନରଦେହ ବହି ।

ବ୍ରାହ୍ମଣ କୁଳରେ ଜନ୍ମି ଦରିଦ୍ର ହୋଇବୁ

ଭିକ୍ଷା ମାଗିଖାଇ ଦୁଃଖେ କାଳ କଟାଇବୁ ।

ଊନଶତ ଜନ୍ମ ତୋର ଯିବ ଏ ପ୍ରକାରେ

ଶତେଜନ୍ମ ହେବ ପୁଣି ଦ୍ୱାପର ଶେଷରେ ।

ସେ ସମୟେ ପୃଥିବୀର ଭାର ନିବାରଣ

କରିବା ପାଇଁକି ଜନ୍ମ ହେବେ ନାରାୟଣ ।

ମଥୁରାରେ ଜନ୍ମିଥିବେ କୃଷ୍ଣନାମ ବହି

କିଛିଦିନ ଦ୍ୱାରକାରେ ରହିବେ ସେ ଯାଇ ।

ଭୀଷ୍ମକ ଗୃହରେ ଲକ୍ଷ୍ମୀ ହେବେ ଅବତାର

ସେ ଜନ୍ମେ ରୁକ୍ମିଣୀ ନାମ ହୋଇବ ତାଙ୍କର ।

ଅତିବୃଦ୍ଧ ହୋଇଣ ତୁ ଭିକ୍ଷା ମାଗୁଥିବୁ

ରୁକ୍ମିଣୀ ପେଷିବେ ତୋତେ ଦୂତ ହୋଇଯିବୁ ।

ଦ୍ୱାରକାରେ ଶ୍ରୀକୃଷ୍ଣଙ୍କୁ କହିବୁ ବାରତା

ପ୍ରସନ୍ନ ହୋଇବେ ତୋତେ ଜଗତ କରତା ।

ଲକ୍ଷ୍ମୀନାରାୟଣ ଭେଟ ହେବେ ତୋର ଯୋଗେ

ଅନେକ ଯଶ ଅର୍ଜିବୁ ସେ ଦ୍ୱାପର ଯୋଗେ ।

ସୁଦୟା କରିବେ ତୋତେ ଲକ୍ଷ୍ମୀ ନାରାୟଣ

ସେ କାଳେ ତୁ ନବଯୁବା ହୋଇବୁ ଯେ ପୁଣ ।

ଧନଧାନ୍ୟ ଗୋପଲକ୍ଷ୍ମୀ ବଢ଼ିବ ବହୁତ

ଦ୍ୱାରକାରେ ହେବୁ ଯଦୁବଂଶ ପୁରୋହିତ ।

ଅନେକ ସମ୍ପଦ ଭୋଗକରି କୃଷ୍ଣ ସଙ୍ଗେ

ଦ୍ୱାରକା ଭୁବନେ ରହି ବିହରିବୁ ରଙ୍ଗେ ।

କିଛିକାଳ ଯଦୁବଂଶ ହୁଅନ୍ତେ ବିନାଶ

ତାଙ୍କ ସଙ୍ଗେ ମରି ସ୍ୱର୍ଗେ ପାଇବୁ ତୁ ବାସ ।

ଏତେ କହି କାମଧେନୁ ନିଜ ସ୍ଥାନେ ଗଲେ

ସେ ଦିନୁ ପ୍ରତେତା ଋଷି ନରଜନ୍ମ ହେଲେ ।

ପୂର୍ବରୁ ସେ ବଡ଼ ଲୋକ ବୋଲି ଆପେ ଜାଣି

ଦୂତକରି ପଠାଇଲେ ତାହାଙ୍କୁ ରୁକ୍ମିଣୀ ।

ଲକ୍ଷ୍ମୀ ନାରାୟଣଙ୍କୁ ସେ କରାଇଲେ ଭେଟ

ପୂର୍ବଶାପ ଗଲା ତେଣୁ ଫିଟିଲା ସଂକଟ ।

ଏତେ କହି ଶୁକମୁନି ବୋଇଲେ ରାଜନ

ହରିବଂଶ ଚରିତ ଏ ଅପୂର୍ବ ଆଖ୍ୟାନ ।

ପଢ଼ି ଶୁଣି ସଂସାରରୁ ମୋକ୍ଷ ହେବ ପ୍ରାଣୀ

ଶ୍ରୀହରି ଚିନ୍ତି ଅଚ୍ୟୁତ ଦାସ କବି ଭଣି ।

 

ବଳରାମଙ୍କ ସହିତ ଯାଦବମାନଙ୍କର କୁଣ୍ତିନଗ୍ରେ ପ୍ରବେଶ ଓ କୃଷ୍ଣଙ୍କ କର୍ତ୍ତୃକ ରୁକ୍ମିଣୀ ହରଣ

 

ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେ

ଦ୍ୱାରକାରେ ଉଗ୍ରସେନ ଆସ୍ଥାନେ ବିଜୟେ ।

ବଳରାମ ଆଦି ଯେତେ ଯଦୁବଂଶ ବୀରେ

ସୁଧର୍ମା ସଭାରେ ଆସି ବସିଲେ ସତ୍ୱରେ ।

ସମସ୍ତେ ଅଇଲେ ଏକା କୃଷ୍ଣ ନ ଦିଶନ୍ତି

କାହିଁଗଲେ ବୋଲି ସର୍ବେ ବିସ୍ମୟ ହୁଅନ୍ତି ।

ଏମନ୍ତ ସମୟେ ତହିଁ ଆସିଣ ଡଗର

ସଭାମୁଖେ ଜଣାଇଲା ଯୋଡ଼ି ବେନିକର ।

ଭୋ ମଣିମା ଉଗ୍ରସେନ ସାବଧାନେ ଶୁଣ

ରଥେ ବସି ଦ୍ୱାରକାରୁ ଗଲେ ନାରାୟଣ ।

କାହୁଁ ଏକ ବୃଦ୍ଧବିପ୍ର ଲେଖାଦେଲା ଆଣି

ନନ୍ଦିଘୋଷ ଚଢ଼ି ବିଜେ କଲେ ସେହିକ୍ଷଣି ।

ଏକା ହୋଇ ଯାଇଛନ୍ତି କେହି ନାହିଁ ସାଥେ

କେବଳ ସେ ବୃଦ୍ଧବିପ୍ର ବସିଥିଲେ ରଥେ ।

ଏସନକ ବାର୍ତ୍ତା ଯହୁଁ କହିଲା ଡଗର

ଯାଦବେ ବିସ୍ମୟ ହୋଇ କରନ୍ତି ବିଚାର ।

 

କେମନ୍ତେ ଜାଣିବା କାହିଁ ଗଲେ ଚକ୍ରପାଣି

କାହାକୁ ଏ କଥା ଆମ୍ଭେ ପଚାରିବା ପୁଣି ।

ଯାର ମାୟା ନ ଜାଣନ୍ତି ଦେବତା ଦାନବ

କେ ତାହା ନିର୍ଣ୍ଣୟ କରି ଆମ୍ଭଙ୍କୁ କହିବ ।

ଏମନ୍ତ ବିଚାର ସର୍ବେ କରୁଥିଲେ ବସି

ସେଠାରେ ପ୍ରବେଶ ହେଲେ ନାରଦ ମହର୍ଷି ।

ଶୂନ୍ୟୁ ଖସି ମୁନିବର ମିଳନ୍ତେ ସଭାରେ

ଯାଦବ ଉଠିଣ କର ନିବେଶିଲେ ଶିରେ ।

ଉଗ୍ରସେନ ନରପତି ସିଂହାସନ ଛାଡ଼ି

ବହୁତ ବିନୟ ହେଲେ ମୁନିପାଦେ ପଡ଼ି ।

ସମସ୍ତଙ୍କୁ ସୁକଲ୍ୟାଣ କରି ସେ ନାରଦ

ଆସନେ ବସିଲେ ମନେ ହୋଇଣ ଆନନ୍ଦ ।

ମୁନିଙ୍କୁ ମୁଖକୁ ଚାହିଁ ପ୍ରଭୁ ସଙ୍କର୍ଷଣ

ବୋଇଲେ କୃଷ୍ଣଙ୍କୁ ଦେଖିଅଛ କି ଆପଣ ।

ବହୁତ ବିସ୍ମୟ ଆମ୍ଭେ ହେଉଥିଲୁ ବସି

ସନ୍ଦେହ ପଡ଼ିବାକାଳେ ପ୍ରବେଶିଲେ ଆସି ।

ତିନିକାଳ କଥା ତୁମ୍ଭେ ଜାଣ ପରିମାଣି

ଆମ୍ଭଙ୍କୁ ନ କହି କେଣେ ଗଲେ ଚକ୍ରପାଣି ।

ସେ କଥା ସଂକ୍ଷେପ କରି କହ ମୁନିବର

ଶୁଣିଲେ ସଂଶୟ ମନୁ ହୋଇଯିବ ଦୂର ।

ବଳରାମ ମୁଖୁଁ ଏହା ଶୁଣି ଦେବଋଷି

ଦଣ୍ତ ଟେକି ନୃତ୍ୟ କଲେ ଟହ ଟହ ହସି ।

ବୋଲନ୍ତି ନ କହି ଯେବେ ଗଲେ ଯଦୁସାଇଁ

ସେ ଅବା ଭଣ୍ତିବେ ତୁମ୍ଭେ ଯାଅ ବେଗ ହୋଇ ।

କୁଣ୍ତୀନଗରକୁ ସର୍ବେ ଅତିଶୀଘ୍ରେ ଚଳ

ସେଠାରେ ହୋଇବ ନିଶ୍ଚେଁ ଭୟଙ୍କର ଗୋଳ ।

ଭୀଷ୍ମକ ରାଜାର କନ୍ୟା ଅଟଇ ରୁକ୍ମିଣୀ

ତାକୁ ହରି ଆଣିବାକୁ ଗଲେ ଚକ୍ରପାଣି ।

ତା ପାଇଁରେ ଶିଶୁପାଳ ହୋଇଅଛି ବର

ବରଜାତି ହୋଇଛନ୍ତି ଲକ୍ଷେ ନୃପବର ।

ସୈନ୍ୟ ଘେନି ଆସିଅଛି ଆପେ ଜରାସନ୍ଧ

ସର୍ବଦା କୃଷ୍ଣଙ୍କ ନାଶ ବିଚାରେ ସେ ମନ୍ଦ ।

କନ୍ୟା ଆଣିବାକୁ କୃଷ୍ଣ ଯାଇଛନ୍ତି ଏକା

ସଂଗ୍ରାମର କଥା ତହିଁ କେ କରିବ ସଂଖ୍ୟା ।

ତୁମ୍ଭେମାନେ ସଙ୍ଗତରେ ଚତୁରଙ୍ଗ ବଳ

ଘେନାଇଁ ଯେ ଯାହାମତେ ବେଗହୋଇ ଚଳ ।

ଶୁଣିଣ ଯାଦବମାନେ ବଜାଇ ନିଶାଣ

ରଥ ଗଜ ଘୋଟକରେ କଲେ ଆରୋହଣ ।

ରଥ ଚଢ଼ି ଆଗଭର ହେଲେ କାମପାଳ

ତାଙ୍କ ପଛେ ଗୋଡ଼ାଇଲେ ଚତୁରଙ୍ଗ ବଳ ।

ବାଜିଲା ଟମକ ଭେଣୀ ବୀରତୂର ବାଦ୍ୟ

ଗଗନ ଉଛୁଳି ଘୋଟେ ଭୟଙ୍କର ନାଦ ।

ଯାଦବଙ୍କ ପାଦଭରେ ପୃଥ୍ୱୀ ଟଳମଳ

ପାଦୁକା ମନ୍ତ୍ର ସୁମରି କ୍ଷେପିଗଲେ ବଳ ।

ମନ ପବନରୁ ବେଗ ହୋଇଣ ସେ ଗଲେ

ଦୁର୍ବାସା ଆଶ୍ରମ ପାଶେ କୃଷ୍ଣଙ୍କୁ ଭେଟିଲେ ।

ବେଣୀ ନଦୀତୀରେ ତୋଟା ଅତି ମନୋହର

ସେଠାରେ ବିଶ୍ରାମ କରିଥିଲେ ଚକ୍ରଧର ।

ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସକଳ

ମନେ ବିଚାରିଲେ ଏବେ ହେଲା ବିଭାବେଳ ।

ଏମନ୍ତ ସମୟେ ରାମ ହୁଅନ୍ତେ ପ୍ରବେଶ

ଦୂରୁ ଦେଖି ନମସ୍କାର କଲେ ହୃଷୀକେଶ ।

ରାମଙ୍କ ସଙ୍ଗରେ ଥିଲେ ଯେତେକ ଯାଦବ

ସମସ୍ତଙ୍କୁ ଯଥାମାନ୍ୟ କଲେ ବାସୁଦେବ ।

ଶ୍ରୀକୃଷ୍ଣଙ୍କୁ କୋଳାଗ୍ରତ କରି ହଳଧର

ବୋଇଲେ କିପାଁଇ କଲୁ ଏଡ଼େ ଅବିଚାର ।

ସକଳ ବୋଲନ୍ତି ତୋତେ ସର୍ବ ଗୁଣନିଧି

ସର୍ବଜ୍ଞ ହୋଇଣ କିପାଁ ହରାଇଲୁ ବୁଦ୍ଧି ।

ଖେଳ ଖେଳୁଥିଲୁ ଯେହ୍ନେ ବାଳକ ସ୍ୱଭାବେ

ତେସନ ସ୍ୱଭାବ ତୁହି ନ ଛାଡ଼ିଲୁ କେଭେ ।

ଦୁଷ୍ଟପଣେ ଉପଦ୍ରବ କରି ଗୋପପୁରେ

ଲବଣୀ ଚୋରାଇ ଖାଉ ପଶି ଘରେ ଘରେ ।

ଆଜଯାଏ ନ ଛାଡ଼ିଲୁ ସେହି ବାଳମତି

ଏକା ହୋଇ ଅଇଲୁ ତୁ ଏ ତୋର କି ରୀତି ।

ଏ କୁଣ୍ତୀନଗ୍ରେ ଭୀଷ୍ମକ ନାମେ ନୃପବର

ରୁକ୍ମଣ ନାମରେ ଅଛି ତା ଜ୍ୟେଷ୍ଠ କୁମର ।

ସବୁକାଳେ ଆମ୍ଭ ସଙ୍ଗେ କରଇ ସେ ଦ୍ୱନ୍ଦ୍ୱ

ଆବର ଆସିଛି ସୈନ୍ୟ ଘେନି ଜରାସନ୍ଧ ।

ଚାରିଊଣା ଲକ୍ଷେରାଜା ତାର ଅନୁଗତ

ସଙ୍ଗତରେ ଆଣିଛନ୍ତି ବଳ ଅପ୍ରମିତ ।

ଅଷ୍ଟାଦଶ ବାର ଦେଲା ଜରାସନ୍ଧ ଧାଡ଼ି

ତା ଭୟରେ ପଳାଇଲେ ମଥୁରାରୁ ଛାଡ଼ି ।

ସଙ୍ଗେ ନାହିଁ ରଥ ଗଜ ନାହିଁ ସୈନ୍ୟ ସଖା

ଶତ୍ରୁରାଜ୍ୟେ ପରବେଶ ହେଲୁ ଆସି ଏକା ।

ଏ କଥା ଲାଗଇ ମୋତେ ଅତି ଅଗୋଚର

ସୈନ୍ୟ ଘେନି ଆସିଅଛି ଜରାସନ୍ଧ ବୀର ।

ସବୁନୃପେ ସୈନ୍ୟ ଘେନିଛନ୍ତି ତାର ତୁଲେ

ବାରତା ପାଇଲେ ଛାଡ଼ି ଦେବେ କି ସେ ଭଲେ ।

ବହୁବାର ଗୋଡ଼ାଇ ଯେ ଥିଲା ଦୁଷ୍ଟପଣେ

ତା ସଙ୍ଗେ ଯୁଝିବ କିଏ ଏକାହୋଇ ଜଣେ ।

ଏ କଥା ବିଚାର ମନେ ନ କଲୁ ତୁ ହରି

ଆବର ବିଶେଷ ଆମ୍ଭେ ସବୁରି ବଇରୀ ।

ଦୁଷ୍ଟବୁଦ୍ଧି ଅଟେ ତୋର ନ ଜାଣିବା ପଣ

ଏ ବୁଦ୍ଧିରୁ ଲଜ୍ଜା ଆମ୍ଭେ ପାଇବାଟି ଜାଣ ।

ଉଗ୍ରସେନ ଏହିରୂପେ କହିଲା ମଣାଇ

ପୁଣି ମନ୍ଦହାସ କଲେ ଲକ୍ଷ୍ମୀଦେବୀ ସାଇଁ ।

ବଳରାମଙ୍କ ଛାମୁରେ ଯୋଡ଼ି କରପତ୍ର

ପ୍ରତିଜ୍ଞା କରି କହିଲେ ପ୍ରଭୁ ପଦ୍ମନେତ୍ର ।

ଆହେ ସ୍ୱାମି ଆପଣଙ୍କ ପ୍ରସାଦରୁ ମୁହିଁ

କୋଟି ଜରାସନ୍ଧ କୀଟ ପରାୟେ ମଣଇ ।

ତିନି ଭୁବନରେ ବୀର ଅଛନ୍ତି ବା ଯେତେ

ଏକତ୍ରିତ ହେଲେ ଜିଣି ନ ପାରିବେ ମୋତେ ।

ଏଥକୁ ଶୋଚନା କିପାଁ କର ହଳପାଣି

ବିଚାରିଲେ ତ୍ରିଭୁବନ ପାରଇ ମୁଁ ଜିଣି ।

ରୁକ୍ମିଣୀ ନାମରେ ଅଛି ଭୀଷ୍ମକର ଜେମା

ପ୍ରତ୍ୟକ୍ଷେ ସେ ମହାଲକ୍ଷ୍ମୀ ରୂପେ ଅନୁପମା ।

ଶିଶୁପାଳକୁ ବରଣ କରିଛି ତା ଭାଇ

ପିତାମାତା ଦୁହିତାଙ୍କ ମନ ପାଉନାହିଁ ।

ବରଯାତ୍ରୀ ହୋଇ ଜରାସନ୍ଧ ଆସିଅଛି

ଶିଶୁପାଳ ବରବେଶ ହୋଇଣ ବସିଛି ।

ତେରଘଡ଼ିବେଳେ ବିଭା ଶେଷ ହେବ ଆଜ

କୁଶ ବନ୍ଧାଇଲେ ନାଶଯିବ ସବୁକାର୍ଯ୍ୟ ।

ତେଣୁ ମୁଁହି ଏ ଚରିତ କାହାକୁ ନ କହି

ଏକା ବସିଅଛି କନ୍ୟା ହରିନେବା ପାଇଁ ।

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ନାରାୟଣ

ଭୋ ଦେବ ଦ୍ୱାରକାଲକ୍ଷ୍ମୀ ରୁକ୍ମିଣୀ ଯେ ଜାଣ ।

ଆପେ ଯେ ରୁକ୍ମିଣୀ ଦୂତ ଥିଲେ ପଠିଆଇ

ଆମ୍ଭେ ନ ଆସିଲେ ନିଶ୍ଚେଁ ମରିଥାନ୍ତେ ସେହି ।

ଏମନ୍ତ କହିଲେ ଯହୁଁ ପ୍ରଭୁ ହୃଷୀକେଶ

ବଳରାମ ଆଦି ସର୍ବେ ହୋଇଲେ ହରଷ ।

ସେ ତୋଟାରେ କୃଷ୍ଣ ସଙ୍ଗେ ରହି ଯଦୁବଳ

ଭୁଞ୍ଜିଲେ ଯେ ଯାହା ମୋତେ ସ୍ୱାଦୁ ଫଳମୂଳ ।

ଅଶ୍ୱଗଜ ସୁସ୍ଥ ହେଲେ ଜଳ ପାନକରି

ଯାଦବ ଗୋଷ୍ଠିରେ ବିଜେ କଲେ ଚକ୍ରଧାରୀ ।

ଯାଦବେ ଆସିବା ବାର୍ତ୍ତା ଚାରିଗଣ ଜାଣି

ଭୀଷ୍ମକ ଆଗରେ ଯାଇ କହିଲେ ସେକ୍ଷଣି ।

ସାବଧାନ ହୋଇ ତୁମ୍ଭେ ଶୁଣ ନରନାହା

ଗୁପତ ସନ୍ଦେସ ଆମ୍ଭେ ପାଇଅଛୁ ଯାହା ।

ନଗ୍ରୁ କିଛିଦୂର ଛଡ଼ା ବେଣୀ ନଦୀତୀରେ

କୃଷ୍ଣ ବିଜେ କଲେ ଆସି ରାମଙ୍କ ସଙ୍ଗରେ ।

ଉଗ୍ରସେନ ଆଦି ଯଦୁ ଭୋଜବଂଶୀ ଯେତେ

ସାତ୍ୟକି ସହସ୍ରାଜିତ ଉଦ୍ଧବ ସହିତେ ।

ରଥୀ ମହାରଥୀ ଗଜ ଅଶ୍ୱ ପଦାତିକ

ଚତୁରଙ୍ଗ ସେନା ଆସିଛନ୍ତି ଅସଂଖ୍ୟକ ।

ବୀରବେଶ ହୋଇ ସର୍ବେ କରନ୍ତି ପଲାଣି

ଏଥକୁ ଉଚିତ କାର୍ଯ୍ୟ କର ନୃପମଣି ।

ଡଗରା ମୁଖରୁ ଶୁଣି ଏସନ ବାରତା

ଭ୍ରମେ ଭୀଷ୍ମକ ରାଜା ଯେ ମନେ କଲେ ଚିନ୍ତା ।

ବହୁତ ବିସ୍ମୟ ହୋଇ କରନ୍ତି ବିଚାର

ଏଥକୁ ଅଇଲେ କିପାଁ ରାମ ଚକ୍ରଧର ।

ନିମନ୍ତ୍ରଣ ନାହିଁ ତାଙ୍କୁ କିପାଁ ଅନିମିତ୍ତେ

ସୈନ୍ୟ ଘେନି ଆସିଛନ୍ତି ଜାଣିବା କେମନ୍ତେ ।

ଆମ୍ଭର ତ ଲାଗିଅଛି ବିଭାଘର କାର୍ଯ୍ୟ

ଜାଣି ଶୁଣି ନ ଲୋଡ଼ିଲେ ଉପୁଜିବ ଲାଜ ।

ଶତ୍ରୁ ହେଉ ପଛେ ଆସି ଉତ୍ସବ କାଳରେ

ଯେ ମିଳଇ ଗଣି ତାଙ୍କୁ ବନ୍ଧୁଙ୍କ ସଙ୍ଗରେ ।

ଏ କଥା ବିଚାରି ତେବେ ଆଣିବି ମୁଁ ବରି

ଶୁଣିଲେ କୋପିବ ନିଶ୍ଚେଁ ଜରା ଦଣ୍ତଧାରୀ ।

ପରମ ଶତ୍ରୁ ତାଙ୍କର ଜରାସନ୍ଧ ରାୟେ

ସଙ୍କଟ ପଡ଼ିଲା ଏବେ କରେ କି ଉପାୟ ।

ଅଷ୍ଟାଦଶ ବେଳ ଯାଏ ଦେଲା ସେହି ଧାଡ଼ି

ତା ଭୟରେ ମଥୁରାରୁ ପଳାଇଲେ ଛାଡ଼ି ।

ଚାରିଊଣା ଲକ୍ଷେ ରାଜା ଏକୁଁ ଏକ ବଳୀ

ଉଭୟ ଭେଟରେ ନିଶ୍ଚେଁ ଉପୁଜିବ କଳି ।

ଏହା ଜାଣୁ ଜାଣୁ କିପାଁ ଏଥକୁ ଅଇଲେ

ପୂର୍ବ ପ୍ରାଣପୀଡ଼ା କି ସେ ମନୁ ପାସୋରିଲେ ।

ନାନାମାୟା ଜାଣିଛନ୍ତି କୃଷ୍ଣ କାମପାଳ

ସବୁବେଳେ ଲୋଡ଼ ତାଙ୍କୁ ହୁଅଇ କନ୍ଦଳ ।

ପୁଣି ବିଚାରଇ ତାଙ୍କ ମହିମା ଅପାର

ମାନବ ସୃଷ୍ଟିରେ ଯାହା ନୁହଇ ଗୋଚର ।

ମୁଁ ମଧ୍ୟ ପୂର୍ବରୁ ଜାଣେ ଥୋକେ ତାଙ୍କ ଗୁଣ

ଥୋକାଏ ବୋଲନ୍ତି ସେହୁ ସ୍ୱୟଂ ନାରାୟଣ ।

ରୁକ୍ମିଣୀ ବହୁତ ଆଶା ତାହାଙ୍କୁ କରିଛି

ବେଳ କାଳ ଜାଣି ଅବା ଧାତା ଅଣାଇଛି ।

ବିବାହ ସମୟ ଆସି ହୋଇଲା ନିକଟ

କାକତାଳ ନ୍ୟାୟରେ ସେ ଆସି ହେଲେ ଭେଟ ।

କାର୍ଯ୍ୟକାଳ ସମତୁଲ ହେଲା ଆସି ସର୍ବ

ଦଇବ ଜାଣଇ ସିନା ଏ କଥାର ଭାବ ।

ଏମନ୍ତ ବିଚାରି ରାଜା କ୍ଷଣେ ମୌନ ହୋଇ

ପୁଣି ବିଚାରିଲେ କିଛି ଜଣାଯାଉ ନାହିଁ ।

ବନ୍ଧୁପଣେ ଆଣିଥିବେ ଅବା ଦମଘୋଷ

ଆମ୍ଭେ ଡାକି ନ ଆଣିଲେ ପଛେ ହେବ ଦୋଷ ।

ଶିଶୁପାଳ ଅଟେ ତାଙ୍କ ମାଉସୀର ପୁଅ

ଉତ୍ସବରେ ଲୋଡ଼ିଥିବେ ଛାଡ଼ିଣ ଅପ୍ରିୟ ।

କାର୍ଯ୍ୟ ଗ୍ରାହୀ ଅଟେ ମୁହିଁ ଅନ୍ନ ଦେବି ଡାକି

ନ ଜାଣି ଆଗହୁଁ ଶଙ୍କା କରିବି କାହିଁକି ।

ଏମନ୍ତ ବିଚାର କରି ଭୀଷ୍ମକ ରାଜନ

ଶ୍ରୀକୃଷ୍ଣ ଛାମୁରେ ଯାଇ ମିଳିଲେ ବହନ ।

କୁଶଳ ପଚାରି ତାଙ୍କୁ ଗଉରବ କଲେ

ଅକ୍ଷତ ତାମ୍ବୁଳ ଗୁଆ ଗନ୍ଧମାଲ୍ୟ ଦେଲେ ।

ଯଥାବିଧି ପାଦପୂଜା କରି ନୃପବର

ବୋଇଲେ ପ୍ରତିଷ୍ଠା ଆଜ ହେଲା ମୋ ନବର ।

ତୁମ୍ଭ ପାଦରଜ ଯେଣୁ ମୋ ରାଜ୍ୟେ ପଡ଼ିଲା

ଜାଣିଲି ମୋ ପୂର୍ବ ଭାଗ୍ୟ ଆସି ଉଦେ ହେଲା ।

ଦେବଙ୍କ ଉପରେ ଦେବ ତୁମ୍ଭେ ବିଶ୍ୱମୟ

ଚାରିଖାନି ସୃଷ୍ଟି ତୁମ୍ଭ ଗର୍ଭରୁ ଉଦୟ ।

ଯା ପାଦେ ପୂଜନ୍ତି ବ୍ରହ୍ମା ବାସବ ଶଙ୍କର

ସେରୂପ ଦେଖି ପବିତ୍ର ହେଲା ଚକ୍ଷୁ ମୋର ।

ଯୁକତେ କନ୍ୟାକୁ ବିଭା କରୁଅଛି ଆଜ

ମୋ ପୁରେ ବିଜୟ କର ଆହେ ଦେବରାଜ ।

ଭୀଷ୍ମକ ନୃପତି ମୁଖୁଁ ଏସନକ ଗିର

ଶୁଣିଣ ପରମ ତୋଷ ହେଲେ ଦାମୋଦର ।

ବୋଇଲେ ରାଜନ ତୁମ୍ଭେ ସର୍ବଗୁଣେ ସାଧୁ

ବିଚାରରେ ପର ନୁହଁ ଆମ୍ଭ ଇଷ୍ଟ ବନ୍ଧୁ ।

ଉଗ୍ରସେନ ନୃପତିର ଭାର୍ଯ୍ୟା ଇନ୍ଦୁମତୀ

ପାଟବଂଶୀ ଅଟଇ ସେ ସୁପବିତ୍ର ଜାତି ।

ତା ଗର୍ଭରୁ ଜାତ ବେନି କନ୍ୟା ଅନୁପମ

ଦେବକୀ ଦୈବକୀ ବୋଲି ଦୁହିଁଙ୍କର ନାମ ।

ଦେବକୀ ଗର୍ଭରୁ ଆମ୍ଭେ ହୋଇଅଛୁଁ ଜାତ

ଶିଶୁପାଳ ଜେନାମଣି ଦୈବକୀର ସୁତ ।

ଧର୍ମରେ ମାଉସୀପୁଅ ଆମ୍ଭର ସେ ଭାଇ

ଦମଘୋଷ ନରପତି ମଉସା ଅଟଇ ।

ନ ଜାଣି କୋପ କରନ୍ତି ଜରାସନ୍ଧ ରାଜା

ଦମଘୋଷର ଖୁଡ଼ୁତା ଆମ୍ଭର ସେ ଅଜା ।

ଯିବା ଆସିବା ନୋହିଲେ ବନ୍ଧୁ ହୁଏ ପର

ତେଣୁ ଆମ୍ଭର ଆସିବା ଅଟଇ ବେଭାର ।

ମଉସା ଏ କଥା କହି ନାହାନ୍ତି କିଞ୍ଚିତେ

ବାଟେ ଯାଉ ଦଇବରେ ପହଞ୍ଚିଲୁ ଏଥେ ।

ଯୁକତେ ଦ୍ୱାରକାପୁରେ ବହୁଦୂର ବାଟ

ଚଳି ନ ପାଇଲୁ ଏଥେ ପାଇ ଘୋରକଷ୍ଟ ।

ଆବର ଶୁଣିଲୁ ତୁମ୍ଭ ଘରେ ହେବ କାର୍ଯ୍ୟ

ଉତ୍ସବ ଦେଖିବା ପାଇଁ ରହିଗଲୁ ଆଜ ।

କୃଷ୍ଣଙ୍କ ମୁଖରୁ ଶୁଣି ଏସନ ଭାରତୀ

ଅତ୍ୟନ୍ତ ଆନନ୍ଦେ ହେଲେ ଭୀଷ୍ମକ ନୃପତି ।

ସଙ୍ଗେ ଡାକିନେଇ ଦିବ୍ୟ ଘରେ ରଖାଇଲେ

ଜଣ ଜଣପ୍ରତିରେ ସେ ବହୁ ମାନ୍ୟ କଲେ ।

ରନ୍ଧନ ଭୋଜନ ଦ୍ରବ୍ୟ ଦଶଗୁଣ କରି

ଯୋଗାଇଲେ ପରିବାରୀମାନଙ୍କୁ ହକାରି ।

ଚନ୍ଦନ କର୍ପୂର ରତ୍ନ ବସ୍ତ୍ର ସମର୍ପିଲେ

ରାଜଯୋଗ୍ୟ ଉପଚାର ମାନ ଯୋଗାଇଲେ ।

ଅନେକ ଗୌରବ ପାଇ ରହିଲେ ଶ୍ରୀହରି

ବଳଦେବ ତୁଲେ ଉଗ୍ରସେନ ଆଦିକରି ।

ସମସ୍ତ ଯାଦବ ରହି ସନ୍ତୋଷେ ଭୁଞ୍ଜିଲେ

ଚନ୍ଦନ ବୋଲିଣ ଅଙ୍ଗେ ପୁଷ୍ପ ମଣ୍ତି ହେଲେ ।

ଅତିବେଗେ ଜଗନ୍ନାଥେ ସାରିଲେ ମଣୋହି

ପଞ୍ଚଭୂତ ଆତ୍ମା ଅଛି ରୁକ୍ମିଣୀର ତହିଁ ।

ଭୋଜନରୁ ଉଠି ପ୍ରଭୁ ଆଚମନ କରି

ବିଚାରନ୍ତି କନ୍ୟା ଆଜ ପାଇବି କିପରି ।

ମନେ ଉଦବେଗେ ହୋଇ ତାମ୍ବୁଳ ଭୁଞ୍ଜିଲେ

ବସନ ଭୂଷଣ ପିନ୍ଧି ସୁବେଶ ହୋଇଲେ ।

ଅମଳାନ ପୀତବସ୍ତ୍ର ତ୍ରିକଚ୍ଛରେ ପିନ୍ଧି

ଲୋଟଣି ଛନ୍ଦରେ ଗଭା ମସ୍ତକରେ ବାନ୍ଧି ।

ଶରଦ ଚନ୍ଦ୍ରମା ତୁଲ୍ୟ ଦିଶେ ମୁଖଗୋଟି

ଅର୍ଦ୍ଧବିକଶିତ ହୋଇ କମଳ କି ଫୁଟି ।

ପାଦେ ଲାଗି ହେଲେ ସ୍ୱାମି ରତନ କଠାଉ

ମଣିରତ୍ନ କିରଣରେ ଦିଶେ ଦାଉ ଦାଉ ।

ଉତ୍ତରୀ ବସନ ଗୋଟି କନ୍ଧେ ବେଢ଼ାଇଲେ

ଉଦ୍ଧବକୁ ସଙ୍ଗେ ଘେନି ବାହାର ହୋଇଲେ ।

ପଦଗାମୀ ହୋଇ ବିଜେ କଲେ ଲୀଳାଗତି

ଥୋକାଏ ଯାଦବ ବେଢ଼ିଛନ୍ତି ଚଉକତି ।

କୁଣ୍ତୀନଗ୍ର ଦାଣ୍ତେ ଦାଣ୍ତେ କରନ୍ତି ଗମନ

ଆଶ୍ଚର୍ଯ ହୋଇଲେ ଦେଖି ପୁରବାସୀ ଜନ ।

ଅପୂର୍ବ ମୋହନ ରୂପ ଦେଖି ନରନାରୀ

ଏକୁ ଆରେକ ଧାମନ୍ତି ଆଗରେ ଉଭାରି ।

ଶତେପୁର ଘେରି ସର୍ବେ ଦେଖି ପଦ୍ମମୁଖ

ବୋଲନ୍ତି ଖଣ୍ତିଲୁ ଆଜ ଥିଲା ଯେତେ ଦୁଃଖ ।

କୋଟି କନ୍ଦର୍ପକୁ ଜୟ କରେ ରୂପରାଶି

କେମନ୍ତେ ଗଢ଼ିଲାଧାତା କେତେକାଳ ବସି ।

ଏମନ୍ତ ଅପୂର୍ବ ରୂପ ଦେଖିଲା ତ ନାହିଁ

କେ ବୋଲେ ପବିତ୍ର ହେଲି ନୟନରେ ଚାହିଁ ।

କେ ବୋଲଇ ଏ ରୂପକୁ କି ବୋଲି ବର୍ଣ୍ଣିମା

ତିନି ଭୁବନରେ ଖୋଜି ନ ମିଳେ ଉପମା ।

ମସ୍ତକେ ବରହି ପୁଚ୍ଛ ଦିଶଇ ସୁନ୍ଦର

ନଖ ଦନ୍ତ ରୋମାବଳି ଅତି ମନୋହର ।

ନୟନର ଶୋଭା ଯେହ୍ନେ ନୀଳୋତ୍ପଳ ଫୁଟି

ଯେଣୁକରି ମୋହୁଛନ୍ତି ଚରାଚର ସୃଷ୍ଟି ।

ଗଣ୍ତ ମଣ୍ତଳରେ ଶୋହେ ମର୍କତ କୁଣ୍ତଳ

ଆକାଶେ ଉଦୟ ଯେହ୍ନେ ଆଦିତ୍ୟ ମଣ୍ତଳ ।

ଅମୃତ ଦୃଷ୍ଟିରେ ପୁଣି ଚାହାନ୍ତି ଅପାଙ୍ଗେ

ପୁଷ୍ପବାଣ ପ୍ରାୟ ବାଜେ କାମିନୀଙ୍କ ଅଙ୍ଗେ ।

ବିମ୍ବାଧରେ ମନ୍ଦହାସ କରିଣ ସେ କଥା

କହନ୍ତେ ଯୁବତୀଗଣ ପାଉଛନ୍ତି ବ୍ୟଥା ।

ନାସା ଫୁଲାଇଣ ଚାହିଁ ଦିଅନ୍ତି ସେ ଟେକି

ଗଜ ମୁକୁତାର ତେଜ ଦିଶଇ ଝଲକି ।

ଇନ୍ଦ୍ର ନୀଳମଣି ତୁଲ୍ୟ ବିରାଜଇ କାୟ

ବଦନରୁ ଗଳିପଡ଼େ ସତେ କି ଅମିୟ ।

ଚନ୍ଦ୍ରମା ପରାୟେ ମୁଖ ଦିଶଇ ଚହଟି

ହର ଡମ୍ବରୁକୁ ଜିଣି ଶୋଭା ପାଏ କଟି ।

ବିସ୍ତାରିତ ବକ୍ଷସ୍ଥଳ ଦୀର୍ଘ ବେନି ବାହୁ

ମଦନଦେବର ପ୍ରତିମୂର୍ତ୍ତି କିବା ଏହୁ ।

ଉଲଟ ରମ୍ଭା ପରାୟେ ଶୋହେ ଜାନୁ ବେନି

ଚାଲିଯାନ୍ତେ ଶୋଭାବତୀ ଦିଶଇ ମେଦିନୀ ।

ସଂସାର ଭିତରେ ଯେତେ ଶ୍ରେଷ୍ଠଗୁଣ ଥିଲା

ତା ଆଣି ବିଧାତା ଅବା ଏକଠୁଳ କଲା ।

ଏହାଙ୍କ ଶରୀରେ ସବୁ ପୂରାଇଛି ଆଣି

ମତ୍ସ୍ୟ ଚାପ ଅଙ୍କୁଶରେ ଶୋହେ ପାଦ ପାଣି ।

ବଳିଲା ସୁବର୍ଣ୍ଣ ପ୍ରାୟ ଦିଶଇ ଅଙ୍ଗୁଳି

ସେବତୀ ପାଖୁଡ଼ା ପରି ନଖ ଦିବ୍ୟ ଝଳି ।

ତ୍ରିକଚ୍ଛ ଖୋଷିଣ ପୀତବସ୍ତ୍ର ପିନ୍ଧିଛନ୍ତି

ଏହା ଦେଖି ମୁରୁଛିବ କେବଣ ଯୁବତୀ ।

ଥୋକାଏ ବୋଲନ୍ତି କେଭେ ଏ ମାନବ ନୁହେ

ଏକାଜଣେ ସମସ୍ତଙ୍କ ମନ ମୋହି ନିଏ ।

ଆବର ବୋଲନ୍ତି ତହିଁ ଥୋକାଏ ଯୁବତୀ

ରୁକ୍ମିଣୀଙ୍କ ଅନୁରୂପ ଅଟନ୍ତି ଏ ପତି ।

ନ ଜାଣି ରୁକ୍ମଣ ଶିଶୁପାଳକୁ ବରିଲା

ନ ଖୋଜି ନ ବୁଝି କିପାଁ ମତିଭ୍ରମ ହେଲା ।

ଏହାକୁ ରୁକ୍ମିଣୀ ଯେବେ ହୋଇଥାନ୍ତେ ବିଭା

ଲକ୍ଷ୍ମୀ ନାରାୟଣ ପରି ଦିଶିଥାନ୍ତେ ଶୋଭା ।

ନିଶ୍ଚେଁ ଯେବେ ବେଦଶାସ୍ତ୍ର ହୋଇଥିବ ସତ

ରୁକ୍ମିଣୀକୁ ଏହି ବର ହେବ ପରାପତ ।

ଶିବଙ୍କ ମସ୍ତକେ ଯେହ୍ନେ ଶୋହେ ଗଙ୍ଗାନୀର

ରତନେ ଜଡ଼ିତ ଯେହ୍ନେ ଶୁଦ୍ଧ ସ୍ୱର୍ଣ୍ଣହାର ।

ତେସନ ପ୍ରକାରେ ଦୁହେଁ ପାଇଥାନ୍ତେ ଶୋଭା

ନ ଜାଣି ରୁକ୍ମଣ କରେ ଶିଶୁପାଳେ ବିଭା ।

ଏମନ୍ତ ଭାଳେଣି କରି ନଗ୍ର ନରନାରୀ

ଦେଖନ୍ତି ଉତ୍ସୁକ ହୋଇ ଚଉପାଶେ ଘେରି ।

କୁଳବଧୂମାନେ ଲଜ୍ଜା ଛାଡ଼ିଦେଇ ଦୂରେ

ଦେଖିବାପାଇଁକି ଆସି ମିଳନ୍ତି ଦାଣ୍ତରେ ।

ଜଗତମୋହନ ରୂପ ନୟନରେ ଦେଖି

ଚଳି ନ ପାରିଣ ଚାହିଁ ରହନ୍ତି ନିରେଖି ।

କୃଷ୍ଣ କୃଷ୍ଣ ବୋଲି ବାଣୀ ଶୁଭେ ଚଉଦିଗେ

ଶୁଣିଣ ଡଗରା ମିଳି ଜରାସନ୍ଧ ଆଗେ ।

କରଯୋଡ଼ି ବୋଲେ ଶୁଣ ମଗଧ ଈଶ୍ୱର

କଥାଏ ଦେଖିଲେ ଆଜ ବଡ଼ ଚମତ୍କାର ।

ଉଗ୍ରସେନ ଆଦି ସବୁ ଯାଦବଙ୍କୁ ଘେନି

କୁଣ୍ତୀନଗ୍ରେ ବୁଲୁଛନ୍ତି ରାମକୃଷ୍ଣ ବେନି ।

ସ୍ନାହାନ ଭୋଜନ ଆଦି ନିତ୍ୟକର୍ମ ସାରି

ଦାଣ୍ତରେ ବୁଲନ୍ତି ସର୍ବେ ପାଦଗତି କରି ।

ନଗ୍ର ନରନାରୀ ଦେଖି ହୋଇଣ ଉଚ୍ଚାଟ

ଦାଣ୍ତେ ହାଟେ ପୂରିବାରୁ ନ ମିଳଇ ବାଟ ।

ବ୍ରାହ୍ମଣ କ୍ଷତ୍ରିୟ ଆଦି ଛନ୍ତି ଯେତେ ଜାତି

କୃଷ୍ଣ ରୂପ ଦେଖି ସର୍ବେ ମୋହିତ ହୁଅନ୍ତି ।

କି କାରଣେ ଆସିଛନ୍ତି ସେମାନେ ଏଠାକୁ

ସିଂହଦ୍ୱାର ନିକଟରେ ଦେଖିଲି ମୁଁ ତାଙ୍କୁ ।

ଡଗର ମୁଖରୁ ଶୁଣି ଜରାସନ୍ଧ ରାୟେ

କୋପଭରେ ଗରଜିଲା କାଳସର୍ପ ପ୍ରାୟେ ।

ଉଲ୍ଲସଇ ରୋମାବଳୀ ନୟନ ଚଞ୍ଚଳ

ରଟ ମଟ ଦନ୍ତପାଟି ବଦନ କରାଳ ।

ନିଃଶ୍ୱାସ ପବନ ଯେହ୍ନେ ଅଣଚାଶ ବାତ

ଗଦାଧରି ଆସ୍ଥାନରୁ ଡେଇଁଲା ତ୍ୱରିତ ।

ରେ ରେ କାର କରି ବୀର ଧାଏଁ ଶୀଘ୍ରଗତି

କୋଳକରି ଓଗାଳିଲା ଚେଦି ନରପତି ।

ଶିରେ କରପତ୍ର ଯୋଡ଼ି ବୋଲେ ଦମଘୋଷ

ଭୋ ଦେବ ମୋ କଥା ଘେନି ଛାଡ଼ି ମନୁରୋଷ ।

ପୃଥିବୀରେ ବଳବନ୍ତ ତୁମ୍ଭେ ମହାତେଜା

ଚାରି ଊଣା ଲକ୍ଷେ ନୃପ ତୁମ୍ଭର ପରଜା ।

ବଳବନ୍ତ ବିଦ୍ୟାବନ୍ତ ସର୍ବ ଗୁଣନିଧି

ସାନଲୋକ ପ୍ରାୟ କିପାଁ ହେଉଅଛ କ୍ରୋଧୀ ।

କ୍ରୋଧ ହେଲେ ନାଶ ଯିବ ଏଡ଼େକ ସମ୍ଭାର

ବିଭା ଶେଷ ହେବାଯାଏ ମନେ ଧୈର୍ଯ୍ୟଧର ।

ରାମ କୃଷ୍ଣ ଆସିବାରୁ କରିଅଛ ରୋଷ

ମୁଁ ଯାହା କହୁଛି ଏବେ ଶୁଣ ନୃପଈଶ ।

ପୃଥିବୀରେ ଯାଦବଙ୍କୁ ରଖନ୍ତା କେ ନାହିଁ

ତୁମ୍ଭ ସଙ୍ଗେ ଯୁଦ୍ଧେ ସେହୁ କରିବେଟି କାହିଁ ।

ଅଷ୍ଟାଦଶ ବେଳ ଧାଡ଼ି ହେବାରୁ ଭୟରେ

ମଥୁରା ଛାଡ଼ି ରହିଲେ ସମୁଦ୍ର ଭିତରେ ।

ସେ ଯେବେ ଏଠାକୁ ଆସି ଅଛନ୍ତି ନ ଜାଣି

ଏହିକ୍ଷଣି ପଳାଇବେ ତୁମ୍ଭ ନାମ ଶୁଣି ।

ନୋହିଲେତ ସର୍ବ ରାଜା କରିଥାଇ ସଭା

ଶରଣ ପଶିବା ପାଇଁ ଆସିଥିବା ଅବା ।

ଜନମ ଲଭିଲେ ନିଶ୍ଚେଁ ମରଣ ହୁଅଇ

କଳିଦ୍ଵନ୍ଦ୍ଵ ଉପୁଜିଲେ ସମାଧାନ ଥାଇ ।

ଦମଘୋଷ କଥା ଶୁଣି ବୋଲେ ଜରାସନ୍ଧ

ବଡ଼ ଦୁଷ୍ଟ ଗଉଡ଼ ସେ କରିପାରେ ଦ୍ଵନ୍ଦ୍ଵ ।

ତାଠାରେ କଦାଚ ମୋର ବିଶ୍ଵାସ ନୁହଇ

କେତେଥର ପଳାଇଛି ମୋତେ ଲଜ୍ଜାଦେଇ ।

ଏକା ଜଣକରେ ମୋର କରଇ ସେ ହାନି

ସେ ଏବେ ଆସିଛି ସଙ୍ଗେ ଯାଦବଙ୍କୁ ଘେନି ।

ବଡ଼ ମାୟାଧର ଅଟେ ସେ ଗୋପୀ ଲମ୍ପଟ

ଜାଗ୍ରତ ନୋହିଲେ ନିଶ୍ଚେଁ କରିବ ଅନିଷ୍ଠ ।

ସବୁ ନୃପେ ଠୁଳ କରି ସେ ଯାହା ସଇନି

ସାବଧାନ ହୋଇ ଥାଅ ଅସ୍ତ୍ର ଶସ୍ତ୍ର ଘେନି ।

ଦମଘୋଷ ବୋଲେ ସେହୁ ପଡ଼ିଛି ସଙ୍କଟେ

ଯାଦବଙ୍କୁ ଘେନି ଆସି ପଶିଅଛି ଥାଟେ ।

ଏଣୁ ସେ ବାହାର ହୋଇ କେଉଁବାଟେ ଯିବ

ଦୁଷ୍ଟପଣ କଲେ ନିଶ୍ଚେଁ ପ୍ରାଭବ ପାଇବ ।

ଜୀବନ୍ତା ଧରିବି ତାଙ୍କୁ ତୁମ୍ଭେ ଆଜ୍ଞା ଦେଲେ

କାର୍ଯ୍ୟହାନି ହେବ ଆଗ ଆମ୍ଭେ ଗୋଳକଲେ ।

ଦ୍ଵାବିଂଶତି ଦଣ୍ଡ ବେଳ ହୋଇଲାଣି ଆସି

ବରଯାତ୍ରୀ ହୋଇ ସବୁ ନୃପେ ଛନ୍ତି ବସି ।

ବାଟ ବରଣାଦି କାର୍ଯ୍ୟ ସରିଲା ସକଳ

ବେନିଦଣ୍ଡ ଗଲେ ହେବ ଶୁଭଲଗ୍ନ ବେଳ ।

ହାତଗଣ୍ଠି ପଡ଼ି ବିଭା ଶେଷ ହେବାଯାଏ

ସ୍ଥିର ହୋଇ ବସ ପଛେ କରିବ ଉପାୟେ ।

ଶୁଣି ଜରାସନ୍ଧ କୋପ ଛାଡ଼ି ତୋଷମନେ

ବାହୁଡ଼ି ବସିଲା ଯାଇ ଆପଣା ଆସନେ ।

ବ୍ରାହ୍ମଣମାନଙ୍କୁ ଡାକି ବୋଲେ ନୃପବର

ବିଭାଲଗ୍ନ ବେଳ ଧରି ମହାବାକ୍ୟ କର ।

କନ୍ୟା ଦାନ ବିଧାନର ପୂଜା ସାର ବେଗେ

ସୁବେଶ ହୋଇଣ କନ୍ୟା ଆସୁ ଏହି ଲାଗେ ।

ଏହା ଶୁଣି ଦ୍ଵିଜଗଣ କର୍ମ ଆରମ୍ଭିଲେ

ଆଜ୍ଞା ପାଇ ଦାସୀମାନେ ଭିତରକୁ ଗଲେ ।

ଅହ୍ୟ ମଣ୍ଡଳେ ପ୍ରବେଶି କନ୍ୟାକୁ ବସାଇ

ଦ୍ଵାଦଶ ତୀର୍ଥ ଜଳରେ ସ୍ନାହାନ କରାଇ ।

ତିଳ ଅଏଁଳାର ଘଟୀ ଅଙ୍ଗରାଗ ବୋଳି

ହଳଦୀ ଲେପନ କଲେ ମିଳି ସର୍ବ ଆଳୀ ।

ଝୀନବସନରେ ପୁଣି ଅଙ୍ଗ ଦେଲେ ପୋଛି

ଅମଳୀନ ନୂଆ ଶାଢ଼ୀ ପିନ୍ଧାଇଲେ ବାଛି ।

ମେଘାଡମ୍ବରୁ ବସନ ଉପରାଣ କଲେ

ଶ୍ରୀଅଙ୍ଗେ କର୍ପୂର ଚୂଆ ଚନ୍ଦନ ଲେପିଲେ ।

ସୁଗନ୍ଧ ତଇଳ କେଶ ସମ୍ମାର୍ଜନ କରି

କୁସୁମ ସଜାଇ ଯତ୍ନେ ଖୋଷିଲେ କବରୀ ।

ଗଳାରେ ମର୍କତ ହାର କର୍ଣ୍ଣେ ରତ୍ନ କାପ

ବଳୟ କଙ୍କଣ ବିଦ ଶତେସରି ଚାପ ।

ରତନ ଚର୍ଚ୍ଚିତ ଶୁଦ୍ଧ ସୁବର୍ଣ୍ଣର ଗୁଣା

ତିଳ ଫୁଲ ନାସିକାରେ ଦିଶଇ ସେ ଜିଣା ।

ଚନ୍ଦ୍ରମା ବଦନ ତେଣୁ ଦିଶେ ଦିବ୍ୟ ଶୋଭା

ପୂର୍ବଦିଗେ ଗୁରୁ ଶୁକ୍ର ଉଇଁଛନ୍ତି ଅବା ।

ରାଜୀବ ନେତ୍ରେ ରଞ୍ଜିଲେ କଜ୍ଜ୍ଵଳର ରେଖା

ଲଲାଟ ପଟରେ ଦେଲେ ସିନ୍ଦରର ଟିକା ।

ତ୍ରୈଲୋକ୍ୟ ମୋହିଲା ତେଣୁ ସେ ଅପୂର୍ବ ମୁଖ

ସହଚରୀମାନେ ଦେଖି ପାସୋରିଲେ ଦୁଃଖ ।

ତାଡ଼ ତୋଡ଼ର ବାହୁଟି ସୁବର୍ଣ୍ଣ କଙ୍କଣ

ଖଞ୍ଜିଣ ପ୍ରେୟସୀମାନେ ଦେଖାନ୍ତି ଦର୍ପଣ ।

କଟିରେ ଚିତ୍ର ମେଖଳା ରତ୍ନ ଓଢ଼ିଆଣୀ

ଅତିକ୍ଷୀଣ ମଝା ହର ଡମ୍ବରକୁ ଜିଣି ।

ରକ୍ତପଦ୍ମ ଚରଣରେ ନୂପୁର ବିରାଜେ

ସଧୀରେ ଚାଲିଣ ଯାନ୍ତେ ରୁଣୁଝୁଣୁ ବାଜେ ।

ଚମ୍ପକ କଳିକା ପ୍ରାୟ ଦିଶଇ ଅଙ୍ଗୁଳି

ଚନ୍ଦ୍ରମା ନିକଟେ ଯେହ୍ନେ ତାରାଗଣ ମିଳି ।

ରସାଣିଲା ସୁନାପ୍ରାୟ ଦିଶେ ଦେହକାନ୍ତି

ଝଟକ ବିଜୁଳି ଜିଣି ଚହଟଇ ଜ୍ୟୋତି ।

ନାରାୟଣ ସ୍ଵାମୀଙ୍କର ଅଟନ୍ତି ବଲ୍ଲଭା

କ୍ଷୀର ସମୁଦ୍ରର ଆସି ବିଜେ କଲା ଅବା ।

ଜନକ ଭୁବନେ ଯେହ୍ନେ ସୀତାଦେବୀ ଥିଲେ

ରାମଙ୍କୁ ବରିବା ପାଇଁ ମେଢ଼ରୁ ଅଇଲେ ।

ତେମନ୍ତ ପ୍ରକାରେ ଶୋଭା ଦିଶିଲା ସେକାଳେ

ରୁକ୍ମିଣୀ ପ୍ରବେଶ ହେଲେ ଅହିଅ ମଣ୍ଡଳେ ।

ପାରୁଶରେ ବେଢ଼ିଛନ୍ତି ଲକ୍ଷେ ପରିବାରୀ

କେହୁ ଛତ୍ର କେ ଚାମର କେ ଆଲଟ ଧରି ।

ବିଞ୍ଚିଣି ସୁବାସ ନୀର ଧୂମ ଧୂମକାଠି

ଥୋକାଏ କରନ୍ତି ଆଗ ପଛେ ପୁଷ୍ପବୃଷ୍ଟି ।

ସୁବର୍ଣ୍ଣ ହାନ୍ଦୋଳା ପରେ ବିଜୟ ରୁକ୍ମିଣୀ

ପାରୁଶେ ସୁମେଧା ସଖୀ ଖଟେ ମନ ଜାଣି ।

ବାଜିଲା ମଙ୍ଗଳ ଶଙ୍ଖ ଉପାଙ୍ଗ ମହୁରୀ

ହୁଳହୁଳି ଦେଉଛନ୍ତି କୁଳବତୀ ନାରୀ ।

ସଖୀଏ ଚାଳନ୍ତି କରେ ଟେକିଣ ଚାମର

ନାନାବାଦ୍ୟ ଶବଦରେ କମ୍ପେ ତିନିପୁର ।

ଶ୍ଵେତଛତ୍ର ଟେକିଛନ୍ତି ପରିବାରୀଗଣେ

ଦେବୀ ମନ୍ଦିରକୁ ଜେମା ବିଜୟେ ଗହଣେ ।

କେବଣ ସଖୀ ଆଲଟ ଧରି ଧୀରେ ବିଞ୍ଚି

ପନୀର ପିଚିକା ପାଣି କେ ପକାଏ ସିଞ୍ଚି ।

ଦେବୀ ପୂଜା ଉପହାର ଧରିଛନ୍ତି ଥୋକେ

ଦେଖିବା ପାଇଁ ଜନ୍ତାଜନ୍ତି ହ୍ଵନ୍ତି ଲୋକେ ।

କୁଣ୍ଡୀନଗ୍ର ମଧ୍ୟେ ଯେତେ ନର ନାରୀ ଥିଲେ

ରୁକ୍ମିଣୀଙ୍କୁ ଦେଖିବାକୁ ସମସ୍ତେ ଧାଇଁଲେ ।

ଅହ୍ୟ ମଣ୍ଡଳୀରେ ବିଜେ କଲେକ ରୁକ୍ମିଣୀ

ଆନନ୍ଦରେ ହୁଳହୁଳି ଦିଅନ୍ତି ତରୁଣୀ ।

ନଗର ଈଶାନକୋଣେ ଦେବୀଙ୍କ ଦେଉଳ

ବର୍ଣ୍ଣେ ନିର୍ମିତ ହୋଇଣ ଦିଶେ ପରିମଳ ।

ମହିଷମର୍ଦ୍ଦିନୀ ଚଣ୍ଡୀ ଧରି ଦିବ୍ୟକାୟା

ସେ ଦେଉଳେ ବିଜେ କରିଛନ୍ତି ମହାମାୟା ।

ଭକ୍ତି ନମ୍ର ହୋଇ ତାଙ୍କୁ ଦର୍ଶନ ଯେ କରେ

ଅଚିରେ ସକଳ ମନୋବାଞ୍ଛା ତାର ପୂରେ ।

ସେ ଦେବୀଙ୍କ ପାଦପଦ୍ମେ ଲଗାଇଣ ଧ୍ୟାନ

ରୁକ୍ମିଣୀ ଚଳନ୍ତି କୃଷ୍ଣଠାରେ ଦେଇ ମନ ।

ଏସନକ ସମୟରେ ଜରାସନ୍ଧ ରାୟେ

ଚାରିଊଣା ଲକ୍ଷେରାଜା ଡାକି ଆଜ୍ଞା ଦିଏ ।

ଦେବୀ ମନ୍ଦିରକୁ ବିଜେ କରୁଛି ରୁକ୍ମିଣୀ

ତୁମ୍ଭେ ସର୍ବେ ଯାଇ ରକ୍ଷା କର ସୈନ୍ୟ ଘେନି ।

ଚଉପାଶେ ଜଗିଥିବ ଘେନି ଯେଝାବଳ

ବିଳମ୍ବ ନ କରି ସର୍ବେ ଏହିକ୍ଷଣି ଚଳ ।

ନନ୍ଦ ଗଉଡ଼ର ପୋଏ ଜାତିଗୁଣେ ମନ୍ଦ

ଟିକେ ଛିଦ୍ର ପାଇଲେ ସେ ଆଚରିବେ ଦ୍ଵନ୍ଦ୍ଵ ।

ଅହିଅମଣ୍ଡଳୁଁ କନ୍ୟା ଆସିବା ପର୍ଯ୍ୟନ୍ତେ

ଦୃଢ଼ଭାବେ ଜଗି ରକ୍ଷା କରିବେ ସମସ୍ତେ ।

ଜରାସନ୍ଧ ଆଜ୍ଞା ପାଇ ନୃପତି ସକଳ

ତତକ୍ଷଣେ ଗଲେ ଘେନି ଚତୁରଙ୍ଗ ବଳ ।

ଯେ ଯାହା ଯାନରେ ବସି ସକଳ ନୃପତି

ରୁକ୍ମିଣୀର ଚଉପାଶେ ବେଢ଼ିଣ ଚାଲନ୍ତି ।

ତାଙ୍କ ପଛେ ବେଢ଼ାଇଲେ ଚତୁରଙ୍ଗ ଥାଟ

ସୂଚିମୁନି ଭେଦିବାକୁ ନ ରହିଲା ବାଟ ।

ବିବାହ ବେଦୀରେ ଜରାସନ୍ଧ ଅଛି ବସି

ଲଗ୍ନ ତେରଘଡ଼ି ବେଳ ପ୍ରବେଶିଲା ଆସି ।

ଦେବୀଙ୍କ ମନ୍ଦିରେ ବିଜେ ଭୀଷ୍ମକ କୁମାରୀ

ଚଉପାଶେ ଘେରିଛନ୍ତି ନୃପ ଶସ୍ତ୍ର ଧରି ।

ହେଠ ବଦନରେ ଜେମା ଲଭି ମନେ ତାପ

ଅନୁବ୍ରତେ କରୁଛନ୍ତି କୃଷ୍ଣ ନାମ ଜପ ।

ନୃପତିଙ୍କ ଘେର ଦେଖି କଲେ ମହାଭୟେ

ପ୍ରତେ ନାହିଁ ଶ୍ରୀକୃଷ୍ଣଙ୍କୁ ଭେଟିବାର ଯାଏ ।

ପୁଣି ବିଚାରନ୍ତି ବିପ୍ର ଭଣ୍ଡିଲେ କି ମୋତେ

ଧନଲୋଭୀ ହୋଇ ଅବା କରାଇ ସମ୍ପ୍ରତେ ।

ଦେବୀଙ୍କ ଛାମୁରେ ଦୁଃଖ ଜଣାଇବି ଯାଇ

ଏଥୁ ଗଲେ ଆଉ ଉପାୟତ ନାହିଁ ।

ନିଶ୍ଚେଁ ଦୁଷ୍ଟଭାଇ ମୋର ଶିଶୁପାଳେ ଦେବ

ଅକାଳ ମରଣ ମୋତେ ଖଞ୍ଜିଲା ଦଇବ ।

ରଥ ଗଜ ଅଶ୍ଵ ଚଢ଼ି ସକଳ ନୃପତି

ରୁକ୍ମିଣୀଙ୍କ ଦିବ୍ୟରୂପ ନିରୋପି ଦେଖନ୍ତି ।

ଯୁକତେ ସେ ରାଜକନ୍ୟା ଯୁବତୀ ବୟସ

ବିବାହ ସମୟ ଜାଣି ହୋଇଛନ୍ତି ବେଶ ।

ପାଶେ ବୋ କରୁଛନ୍ତି ଦାସୀ ପରିବାରୀ

ଦେଖିଣ ମୋହିତ ହେଲେ ସର୍ବ ଦଣ୍ଡଧାରୀ ।

କେ ବୋଲଇ ଧନ୍ୟ ବିହି ଗଢ଼ିଥିଲା ୟାକୁ

ତିନିପୁରେ ନ ମିଳଇ ଉପମା ଦେବାକୁ ।

କେ ବୋଲଇ ଏ କନ୍ୟାକୁ ନୁହଇ ଏ ବର

ତେଣୁ ହୃଦୟରେ ଚିନ୍ତା କରୁଛି ଅପାର ।

ନୋହିଲେ କିପାଁଇ ମୁଖ ମଳିନ ଦିଶନ୍ତା

ଏଣୁ ଲକ୍ଷ୍ୟ ହେଉଅଛି କରୁଛି ଏ ଚିନ୍ତା ।

ଶ୍ରୀକୃଷ୍ଣଙ୍କଠାରେ ୟାର ମନ ବଳିଥିଲା

ନ ବୁଝି ରୁକ୍ମଣ ଶିଶୁପାଳକୁ ବରିଲା ।

ଏହାର ବିଚାରେ ସିଦ୍ଧ ନୋହିଲା ତ କାର୍ଯ୍ୟ

ତେରଘଡ଼ିଠାରେ ବିଭା ହେବ ନିଶ୍ଚେଁ ଆଜ ।

କେ ବୋଲଇ କୃଷ୍ଣ ଆସିଥିଲେ ଏହାପାଇଁ

କି ଜାଣି କର୍ମରେ ଧାତା କି ରଖିଛି ଲିହି ।

କେ ବୋଲେ ସାକ୍ଷାତେ ଲକ୍ଷ୍ମୀ ଅଟେ ଏହିନାରୀ

ଜଗତ ଜନର ମାତା ବିଷ୍ଣୁ ମନୋହାରୀ ।

ନାରାୟଣ ବିନା ଆନ କେ ଏହାକୁ ନେବ

ନିଶ୍ଚୟ କଥାରେ ସନ୍ଧି ରଖିଛି ଦଇବ ।

ମୂର୍ଖପଣରେ ରୁକ୍ମଣ ଅବିଚାର କଲା

ଏ କନ୍ୟା ନିମନ୍ତେ ଶିଶୁପାଳକୁ ବରିଲା ।

ମହତ ବଚନ ବେଦଶାସ୍ତ୍ର ଯେବେ ସତ

ଏ କନ୍ୟାକୁ ବାସୁଦେବ ହ୍ଵନ୍ତୁ ପରାପତ ।

ଥୋକାଏ ବୋଲନ୍ତି ଏହି କଥା ଆନ ନୋହୁ

ରୁକ୍ମଣର ଦର୍ପ ହରୁ ବର ଫେରିଯାଉ ।

ଜଗତ ମୋହିନୀରୂପ ଧରି ଜନ୍ମ ହୋଇ

ଦ୍ଵାପର ଯୁଗର ଲକ୍ଷ୍ମୀ ଅଟନ୍ତିଟି ଏହି ।

ନାରାୟଣ ବିନା ୟାଙ୍କ ନୁହେ ଆନବର

କୃଷ୍ଣକୋଳେ ବସିଲେ ଏ ଦିଶିବ ସୁନ୍ଦର ।

ଥୋକାଏ ବୋଲନ୍ତି ଏହୁ ଯୁବତୀ ରତନ

ଅନେକ ଯତନେ ଧାତା କରିଛି ଗଠନ ।

ଅପାଦ ମସ୍ତକ ଆଙ୍ଗ ପ୍ରତିଅଙ୍ଗ ଯେତେ

ଏକ ଏକ କରି ଗୁଣ ବର୍ଣ୍ଣ ଅବା କେତେ ।

ଧନ୍ୟ ଧନ୍ୟ ମାତାପିତା କରି କେତେ ଧର୍ମ

ମାନବ ଶରୀରେ କଲେ କମଳାଙ୍କୁ ଜନ୍ମ ।

ଧନ୍ୟ ଏ ବିଦର୍ଭ ଦେଶ ଧନ୍ୟ ପ୍ରଜାଜନ

ବରୁଣ ନୃପତି ସମ ଭୀଷ୍ମକ ରାଜନ ।

ଏ ଦୁହିତା ପାଇଁ ପୂର୍ବେ ସ୍ଵୟମ୍ବର କରି

ଚାରିଊଣା ଲକ୍ଷେରାଜା ଆଣିଲେ ହକାରି ।

ଅନେକ ଆର୍ଦ୍ଦୋଳି ସହି ଆଠମାସ କାଳ

କଷ୍ଟ ସାର ହେଲା ମାତ୍ର ନ ପାଇଲେ ଫଳ ।

ବହୁତ ସମ୍ଭାରେ ଏବେ କରାଅନ୍ତି ବିଭା

ଲକ୍ଷେକ ନୃପତି ବସି ମଣ୍ଡିଛନ୍ତି ସଭା ।

ବ୍ରାହ୍ମଣ କ୍ଷତ୍ରିୟ ଆଦି ଚଣ୍ଡାଳ ପର୍ଯ୍ୟନ୍ତେ

ଅମୃତ ଯୋଗାଡ଼ ଖଞ୍ଜି ଦେଉଛନ୍ତି ନିତ୍ୟେ ।

ହାତୀ ଘୋଡ଼ା ଆଦିକରି ଚତୁରଙ୍ଗ ସେନା

ଆନନ୍ଦରେ ବିହରନ୍ତି ପାଇ ସମ୍ଭାବନା ।

କୁବେର ସମାନ ଧନୀ ଭୀଷ୍ମକ ନୃପତି

ମର୍ତ୍ତ୍ୟପୁରେ ସମୟାଙ୍କୁ ନୁହେଁ ସୁରପତି ।

ଏମନ୍ତ ବିଚାର ମନେ କରନ୍ତି ସକଳେ

ରୁକ୍ମିଣୀ ପଶିଲେ ଯାଇ ଦେବୀଙ୍କ ଦେଉଳେ ।

ଜଗତଜନନୀ ଦୁର୍ଗା ତହିଁ ଛନ୍ତି ବସି

ଛାମୁରେ ମିଳିଲେ ତହିଁ ଯାଇ ଶୁଭ୍ରକେଶୀ ।

ସ୍ଵହସ୍ତରେ ପୂଜା କଲେ ଗନ୍ଧ ପୁଷ୍ପ ଦେଇ

ଅନେକ ସ୍ତୁତି କରନ୍ତି ପାୟେ ପଡ଼ି ଶୋଇ ।

ଜୟ ତୁ ଚଣ୍ଡିକା ମାଗୋ ହିମଗରି ସୁତା

ସଂକଟତାରିଣୀ ଦୁର୍ଗା ଈଶ୍ଵର ବନିତା ।

ବ୍ରହ୍ମା ଇନ୍ଦ୍ର ଆଦିକରି ଦିଗପାଳ ଯେତେ

ବିପଦ କାଳରେ ଆଶ୍ରା କରିଥାନ୍ତି ତୋତେ ।

ତୁ ଦେବୀ ଅନାଦି ପୁଣି ତୁ ଯେ ଅଟୁ ଆଦି

କଳ୍ପନାରୁ ଜାତ କରୁ ସର୍ବକାମ ସିଦ୍ଧି ।

ରକ୍ଷଣୀ ଭକ୍ଷଣୀ ଚଣ୍ଡି ଚାମୁଣ୍ଡା ତୁ କାଳୀ

ଭୈରବୀ ରୂପରେ କରୁ ଶ୍ମଶାନରେ କେଳି ।

କିଳିକିଳା କୁହୁ କୁହୁ ଭୟଙ୍କର ଡାକ

ଏକ ଶରୀରେ ବ୍ୟାପୁ ଚରାଚର ଯାକ ।

ହବି ହୋମ ଯାଗ ଜପ ସବୁ ଅଟୁ ତୁହି

ତେଣୁ ତୋର ନାମଗୋଟି ମହାମାୟା କହି ।

ଆପଣା ଗର୍ଭରୁ ଜାତକରି ଚରାଚର

ସମୟେକ ପାଳି ପୁଣି କରୁଛୁ ସଂହାର ।

ଶୁଭାଶୁଭ କର୍ମ ତୁହି କରିପାରୁ ଆନ

ଯେ ତୋତେ ଭଜଇ ତାଙ୍କୁ ଦେଇ ଦିବ୍ୟଜ୍ଞାନ ।

ଚାରିଖାନି ଚାରବାନି ତୋର ମୂଳମନ୍ତ୍ର

ଯୋଗ୍ନୀ ଯୋଗମାୟା ତୁହି ବ୍ୟାପିଛୁ ଜଗତ ।

ତୋ ନାମ ଧରନ୍ତେ ଘୋର ବିପଦରୁ ରଖୁ

ଯାଠାରେ ତୁ କୋପକରୁ ଆପେ ତାକୁ ଭକ୍ଷୁ ।

ମହାମେଘ ପ୍ରାୟେ ଆସି ଘୋଟେ ତୋରମାୟା

ଚତୁର୍ଦ୍ଦିଗ ବ୍ରହ୍ମାଣ୍ଡରେ ପୂରିଛି ତୋ କାୟା ।

ସୃଷ୍ଟି ସ୍ଥିତି ଧ୍ଵଂସକାରୀ ବ୍ରହ୍ମା ବିଷ୍ଣୁ ଶିବ

ତୋ ଗର୍ଭରୁ ପୁତ୍ରରୂପେ ହୋଇଲେ ଭଦ୍ଭବ ।

ତେଣୁ ବେଦ ଭଣେ ତୋର ନାମ ଆଦିଶକ୍ତି

ତୋ ପାଦେ ଶରଣ ବାରେ ଘେନ ମୋ ବିନତି ।

ସଦାଶିବ ଭାରିଯା ତୁ ଅଟୁ ଆଦିନାରୀ

ତୋ ପ୍ରସାଦେ ପରାପତ ହେବେ ମୋତେହରି ।

ମହାଭୟ ଲାଗିଅଛି ଆସି ମୋତେ ଏବେ

ମୁଁ ଏଠାରୁ ଗଲେ ଶିଶୁପାଳେ ବିଭା ଦେବେ ।

ଯେବେ ଶ୍ରୀକୃଷ୍ଣଙ୍କୁ ଦେଖି ନ ପାରିବି ଡୋଳେ

ଏଠାରୁ ବାହାର ହେଲେ ପଶିବି ଅନଳେ ।

ତୁ ମାତ ଆଗହୁଁ ମୋତେ ଦେଇଅଛୁ ବର

ସମୟ ଯାଉଛି ଏବେ ବାଞ୍ଛା ପୂର୍ଣ୍ଣକର ।

ଏସନ ସମୟେ ସ୍ତୁତି କରନ୍ତେ ରୁକ୍ମିଣୀ

ପରମ ସନ୍ତୋଷ ହେଲେ ଭଗବତୀ ଶୁଣି ।

ନିଜରୂପ ଧରି ଉଭା ହୋଇଣ ଅମ୍ବିକା

ବୋଇଲେ ରୁକ୍ମିଣୀ କିପାଁ କରୁଅଛୁ ଶଙ୍କା ।

ଏହିକ୍ଷଣି ଭେଟିବୁଁ ତୁ ଦେବ ଚକ୍ରଧର

ଛାଡ଼ ମନୁ ଚିନ୍ତା ମାଗୋ ନୁହସି କାତର ।

ମୋ ଛାମୁରୁ ଗଲେ ତୋତେ ନେଇ ବନମାଳୀ

ସବୁ ରାଜାଙ୍କର ମୁଖେ ଲଗାଇବେ କାଳି ।

ସେ ତୋତେ ହରିନିଅନ୍ତେ ହେବ ଘୋରଯୁଦ୍ଧ

ଅନେକ ସୈନ୍ୟ ମରିବେ ନାଚିରେ କବନ୍ଧ ।

ରଣଚଣ୍ଡୀ ରୂପେ ମୁହିଁ ଘେନି ଯୋଗ୍ନୀଗଣ

ମେଦା ମେଦ ଖାଇ ସୁଖେ ବିହରିବି ଜାଣ ।

ରଥେ ଜୟକରି ତୋତେ ନେବେ ଚକ୍ରପାଣି

ଦ୍ଵାରାବତୀ ଭୁବନରେ ହେବୁ ଠାକୁରାଣୀ ।

ଏତେ କହି ଭଗବତୀ ଅନ୍ତର୍ଦ୍ଧାନ ହେଲେ

ରୁକ୍ମିଣୀ ମନରୁ ଭୟ ଭ୍ରାନ୍ତି ଦୂର କଲେ ।

ଏଥୁ ଅନ୍ତରେ ନୃପ ଶୁଣ ଦିବ୍ୟରସ

କୁଣ୍ଡୀନଗ୍ରେ ଭ୍ରମୁଥିଲେ ପ୍ରଭୁ ପୀତବାସ ।

ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସକଳ

ମନେ ବିଚାରିଲେ ଏବେ ହେଲା ବିଭାବେଳ ।

ଦେବୀ ମନ୍ଦିରକୁ ବିଜେ କରିଛି ରୁକ୍ମିଣୀ

ସେଠାରୁ ହରଣ କରି ନେବି ଏହିକ୍ଷଣି ।

ଏମନ୍ତ ବିଚାରି ପ୍ରଭୁ ନନ୍ଦିଘୋଷେ ବସି

ଉଦ୍ଧବକୁ ରାଇ ଆଜ୍ଞା ଦେଲେ ବ୍ରହ୍ମରାଶି ।

ବଳରାମ ସ୍ଵାମୀଙ୍କୁ ତୁ କହ ବେଗେ ଯାଇ

କନ୍ୟା ଘେନି ଯାଉଅଛୁ ଆମ୍ଭେ ବେଗ ହୋଇ ।

ସୈନ୍ୟ ଘେନି ତୁମ୍ଭେମାନେ ହୁଅ ସଜବାଜ

ଭୟଙ୍କର ରଣଗୋଳ ହୋଇବଟି ଆଜ ।

ଏମନ୍ତ କହିଣ କୃଷ୍ଣ ରଥ ଚାଳି ବେଗେ

ପ୍ରବେଶ ହୋଇଲେ ଦେବୀ ଦେଉଳର ଲାଗେ ।

ଚାରିଊଣା ଲକ୍ଷେରାଜା ଅପ୍ରମିତ ବଳ

ଚଉପାଶେ ଘେର ଦେଇ ଅଛନ୍ତି ସକଳ ।

ରଥ ଗଜ ପଦାତିକ ଅଶ୍ଵ ଅକଳନା

ନିର୍ବନ୍ଧେ ଜଗିଅଛନ୍ତି ଚତୁରଙ୍ଗ ସେନା ।

ସମୁଦ୍ର ଘୋଟିଲା ପ୍ରାୟେ ଦିଶଇ ସେ ଥାଟ

ପଶିବାକୁ ନ ମିଳଇ ତିଳେ ଛିଦ୍ରବାଟ ।

ଜଗନ୍ନାଥ ପଚାରିଲେ ଅକ୍ରୂରକୁ ଚାହିଁ

ନିଘଞ୍ଚରେ ବେଢ଼ିଛନ୍ତି ତିଳେ ବାଟ ନାହିଁ ।

ଅକ୍ରୂର ବୋଇଲେ ଆଜ୍ଞା ଦେବ ଯେବେ ହରି

ଆକାଶ ମାର୍ଗରେ ରଥ ନେବି ବହିକରି ।

ଶ୍ରୀକୃଷ୍ଣ ବୋଇଲେ ଏହା ହେବ ଚୌରକର୍ମ

ବଳେ ହରିନେବା ଅଟେ କ୍ଷତ୍ରିୟର ଧର୍ମ ।

ଏ ସୈନ୍ୟ ଭିତରେ ରଥ ବେଗକରି ବାହା

କେ ଆସିବ ସଂଗ୍ରାମକୁ ଦେଖିବା ନା ତାହା ।

ଆଜ୍ଞା ପ୍ରମାଣେ ଅକ୍ରୂର ଚଳାଇଲେ ରଥ

ତା ଦେଖି ନୃପତିଗଣ ହୋଇଲେ ଚକିତ ।

ଗରୁଡ଼କୁ ଦେଖି ଯେହ୍ନେ ଦୂର ହୁଏ ସର୍ପ

ମାର୍ଜ୍ଜାର ଦେଖିଲେ ଯେହ୍ନେ ମୂଷା ଛାଡ଼େ ଦର୍ପ ।

ସିଂହକୁ ଦେଖି ଯେସନେ ଭୟ କରେ ଗଜ

ବ୍ୟାଘ୍ରକୁ ଦେଖନ୍ତେ ଛାଗ ଯେହ୍ନେ ହୀନବୀର୍ଯ୍ୟ ।

ଚନ୍ଦ୍ରମାକୁ ଦେଖି ଯଥା ସାଙ୍କୁଡ଼େ କମଳ

ତେସନେ ସେ ରାଜାମାନେ ହେଲେ ହୀନବଳ ।

ଧାଡ଼ିଦେଇ ପାଇଛନ୍ତି ସର୍ବେ ପରାଜୟ

ତେଣୁ ଆଗେ ରହିବାକୁ କଲେ ମହାଭୟ ।

ଯେ ଯାହାର ଆଡ଼ହୋଇ ଗଲେ ସର୍ବଥାଟ

ସିଂହଦ୍ଵାର ପରିଯନ୍ତେ ଫିଟିଗଲା ବାଟ ।

ସେ ମାର୍ଗେ ଅକ୍ରୂର ବାହି ନନ୍ଦିଘୋଷ ଯାନ

ଦେବୀଙ୍କ ଦେଉଳ ଦ୍ଵାରେ ମିଳିଲେ ବହନ ।

ଚମତ୍କାର ହୋଇ ଚାହିଁ ଅଛନ୍ତି ସଭିଏଁ

ନନ୍ଦିଘୋଷ ଚଳିଗଲା ବିଜୁଳି ପରାୟେ ।

ଅର୍ଦ୍ଧ ନିଃଶ୍ଵାସକେ ମିଳେ ଦେଉଳ ଦୁଆରେ

ରୁକ୍ମିଣୀ ଜାଣିଲେ ତାହା ଥାଇଣ ଭିତରେ ।

ଲକ୍ଷ୍ମୀନାରାୟଣ ଦୁହେଁ ହେଲେ ଭେଟାଭେଟି

ମନରୁ ବେଦନା ଛାଡ଼ି ହେଲେ ମହାତୁଷ୍ଟି ।

ନନ୍ଦିଘୋଷ ରଥେ ବସିଛନ୍ତି ଚକ୍ରଧର

ଦେଉଳ ଭିତରୁ ଦେବୀ ହୋଇଲେ ବାହାର ।

ସିଂହାସନେ ବିଜେ କରିଛନ୍ତି ଜଗନ୍ନାଥ

ଲଜ୍ଜାରେ ରୁକ୍ମିଣୀ ନମ୍ର କଲେ ନିଜ ମାଥ ।

ମନେ ମନେ ଆନନ୍ଦିତା ହେଲେ ଠାକୁରାଣୀ

ସୂର୍ଯ୍ୟଙ୍କୁ ଦେଖିଲେ ଯେହ୍ନେ ବିକଶେ ନଳିନୀ ।

ଦରିଦ୍ରକୁ ନିଧି ଆସି ପ୍ରାପତ କି ହେଲା

କି ଅବା ଜନ୍ମାନ୍ଧ ଲୋକ ନୟନ ପାଇଲା ।

ମୃତ ଶରୀରରେ ପ୍ରାଣ ପଶିଲା କି ଆସି

କିବା ମର୍ତ୍ତ୍ୟେ ଜନ୍ମପାଇ ହେଲା ସ୍ଵର୍ଗବାସୀ ।

ତେସନ ଆନନ୍ଦ ମନେ ହୋଇଲେ ରୁକ୍ମିଣୀ

ଆଗେ ନନ୍ଦିଘୋଷ ରଥେ ବିଜେ ଚକ୍ରପାଣି ।

ଶ୍ରୀହସ୍ତ ଯୋଡ଼ି ରୁକ୍ମିଣୀ କଲେ ନମସ୍କାର

ସୁମେଧା ନାମରେ ସଖୀ ଅଛି ସଙ୍ଗତର ।

ଜଗନ୍ନାଥ ବିଚାରନ୍ତି ସିଦ୍ଧି ହେଲା କାର୍ଯ୍ୟ

ବିଳମ୍ବ ହୋଇଲେ ଆଉ ନ ମିଳଇ ସଜ ।

ଏତେ ଚିନ୍ତି କର ବଢ଼ାଇଲେ ବନମାଳୀ

ତା ଦେଖି ରୁକ୍ମିଣୀଦେବୀ ହସ୍ତଦେଲେ ତୋଳି ।

ତକ୍ଷଣେ ତାହାଙ୍କ ହସ୍ତ ଧରି ଦେବହରି

ସୁମେଧା ସଖୀର ହସ୍ତ ବାମଭୁଜେ ଧରି ।

ଦୁଇଜଣଯାକୁ ତୋଳି ଆଣି ଏକାବେଳେ

ରୁକ୍ମିଣୀଙ୍କୁ ବସାଇଲେ ଆପଣାର କୋଳେ ।

ସୁମେଧା ଦାସୀକୁ ବାମ ପାରୁଶେ ବସାଇ

ଅକ୍ରୂରକୁ ଆଜ୍ଞା ଦେଲେ ରଥ ନିଅ ବାହି ।

ଅକ୍ରୂର ବାହିଲେ ରଥ ପବନହୁଁ ବେଗେ

ଚଳିଲା ସେ ନନ୍ଦିଘୋଷ ଉଠି ଶୂନ୍ୟମାର୍ଗେ ।

ଚକିତ ହୋଇଣ ଚାହିଁଛନ୍ତି ସର୍ବଜନ

ରାମଙ୍କ ଛାମୁରେ ଯାଇ ମିଳିଲେ ବହନ ।

ଉଗ୍ରସେନ ଆଦି ସର୍ବେ ଛନ୍ତି ତହିଁ ମିଳି

ନନ୍ଦିଘୋଷ ରଥୁଁ ଓହ୍ଲାଇଲେ ବନମାଳୀ ।

ରୁକ୍ମିଣୀ ସହିତ କୃଷ୍ଣ ଉଗ୍ରସେନ ପାଦେ

ନମସ୍କାର କଲେ ଯାଇ ହର୍ଷ ଗଦଗଦେ ।

ତଦନ୍ତେ ବନ୍ଦିଲେ ଯାଇ ରାମଙ୍କ ପୟର

ବଳରାମ ବୋଇଲେ ତୁ ଶୁଣ ଚକ୍ରଧର ।

ଯେବଣ ସ୍ଥାନରେ ଜୟ ହୁଏ ସେ ଭୂମିରେ

କ୍ଷଣେ ନ ରହିବ ତହୁଁ ପଳାଇବ ଖରେ ।

ଏଣୁ କନ୍ୟା ଘେନି ତୁମ୍ଭେ ଯାଅ ବେଗହୋଇ

ପଛିଆଣି ଥାଟ ଆମ୍ଭେ ନେଉଛୁ ଚଳାଇ ।

ଅନେକ କାଳ ହୋଇଲା ନାହିଁ ଯେ ସମର

ଜରାସନ୍ଧ ଦର୍ପ ଆଜି କରିବି ମୁଁ ଚୂର ।

ରାମଙ୍କ ମୁଖରୁ ଆଜ୍ଞାପାଇ ଚକ୍ରପାଣି

ରୁକ୍ମିଣୀଙ୍କୁ ରଥେ ଘେନିଗଲେ ସେହିକ୍ଷଣି ।

ଅଚ୍ୟୁତ ଦାସ ତାଙ୍କର ପଛେ ଗୋଡ଼ାଇଲା

କାହିଁଗଲେ ଆଜଯାଏ ଭେଟ ନ ପାଇଲା ।

 

ହରିବଂଶ ଷଷ୍ଠ ଖଣ୍ଡ

ଯାଦବଙ୍କ ସହିତ ରାଜାମାନଙ୍କର ଗୋଳଯୁଦ୍ଧ ଓ କୃଷ୍ଣଙ୍କଦ୍ଵାରା ରୁକ୍ମଣର ବନ୍ଧନ

 

ଏଥୁ ଅନନ୍ତରେ କଥା ଶୁଣ ନୃପବର

ପଛିଆଣି ଥାଟେ ବିଜେ କଲେ ହଳଧର ।

ଜଗନ୍ନାଥ ଘେନିଗଲେ ରୁକ୍ମିଣୀଙ୍କୁ ହରି

ବିଜୁଳି ପରାୟେ ଗଲେ ଶୂନ୍ୟେ ଗତିକରି ।

ଅର୍ଦ୍ଧଘଡ଼ି ପରିଯନ୍ତେ ସର୍ବେ ଚାହିଁଥିଲେ

କେହି କିଛି ନ କହିଣ ନୀରବେ ରହିଲେ ।

ଥୋକେ ଚାହିଁ ନ ପାରିଲେ ଚକ୍ଷୁବେନି ଫେଡ଼ି

ନୃପତିମାନଙ୍କ କରୁଁ ଶସ୍ତ୍ର ପଡ଼େ ଝଡ଼ି ।

ସ୍ଵପ୍ନ ପ୍ରାୟ ବିଚାରିଲେ ଥୋକେ ଦଣ୍ଡଧାରୀ

ଥୋକାଏ କାତର ହେଲେ ଧର୍ମକୁ ସୁମରି ।

ଥୋକେ ରାଜା ବୋଲୁଛନ୍ତି ଦେଉଳକୁ ଚାହିଁ

ସମସ୍ତେ ଅଛନ୍ତି ଏଥେ ରୁକ୍ମିଣୀ ତ ନାହିଁ ।

ଥୋକାଏ ବୋଲନ୍ତି ଶେଷ ହୋଇ ନାହିଁ ପୂଜା

ଏକ୍ଷଣି ଆସିବେ ବୋଲି କହେ କେଉଁ ରାଜା ।

ଥୋକାଏ ବୋଲନ୍ତି ଦେଖ ଦେଉଳରେ ପଶି

ଭିତରେ ଅଛି କି ନାହିଁ କନ୍ୟା ଶୁଭ୍ରକେଶୀ ।

 

କେ ବୋଲେ କରୁଛ କିପାଁ ଏମନ୍ତ ବିଚାର

ସମସ୍ତଙ୍କ ସାକ୍ଷାତରୁ ଘେନିଗଲା ଚୋର ।

କେ ବୋଲଇ ଏହି କଥା ତଥ୍ୟ କରି ଘେନ

କହିବାକୁ ଅସମ୍ଭବ ଅତି ବିଡ଼ମ୍ବନ ।

ଆମ୍ଭେମାନେ ଜାଣୁଅଛୁ ତଥ୍ୟକରି କଥା

ଦେଉଳ ମଧ୍ୟେ ରୁକ୍ମିଣୀ ନାହାନ୍ତି ସର୍ବଦା ।

ନନ୍ଦିଘୋଷ ରଥେ ବସି କୃଷ୍ଣ ଆସିଥିଲେ

ସମସ୍ତଙ୍କୁ ଭୁଲାଇ ସେ ହରି ଘେନିଗଲେ ।

ଥୋକାଏ ନୃପ କହିଲେ ଏହା ତଥ୍ୟବାଣୀ

ଦେଉଳ ଭିତରେ ଆଉ ନାହାନ୍ତି ରୁକ୍ମିଣୀ ।

ଆଡ଼ ଉହାଡ଼ ବାଙ୍କରେ ଖୋଜି ଚଉକତି

ନ ଦେଖିଣ ଲଜ୍ଜା ପାଇ ସକଳ ନୃପତି ।

ବୋଇଲେ ଶ୍ରୀକୃଷ୍ଣ ନିଶ୍ଚେଁ କନ୍ୟା ନେଲା ହରି

ଆନର ବଳେ ଏ କର୍ମ କରିତ ନ ପାରି ।

ଏମନ୍ତ କହିଣ ସର୍ବେ ହୋଇ ଏକମୁଖ

ନେଲାନେଲାନେଲା ବୋଲି ଉଚ୍ଚେ ଦେଲେ ଡାକ ।

ଏକ ମୁଖରୁ ଆରେକ ଶୁଣି ଅତି ବେଗେ

ନେଲା ନେଲା ବୋଲି ଡାକ ଉଠେ ଚଉଦିଗେ ।

ସଇନ୍ୟ ମଧ୍ୟରେ ଧ୍ଵନି ଶୁଭେ କୋଳାହଳ

ନେଲା ନେଲା ବୋଲି ଡାକ ଦିଅନ୍ତି କେବଳ ।

ସ୍ତିରୀ ପୁରୁଷ ସମସ୍ତେ ହେଲେ ହାଲହୁଳି

ନେଲା ନେଲା କହି ସର୍ବେ ଛାଡ଼ନ୍ତି ବୋବାଳି ।

କୋଳାହଳ ଧ୍ଵନି ଶୁଣି ମଗଧ ନରେଶ

ବୋଲେ ଏ ରାଜାଙ୍କ ମଧ୍ୟେ ଗୋଳ ଉଠେ କିସ ।

ଏହା ଶୁଣି କରଯୋଡ଼ି କହଇ ରୁକ୍ମଣ

ଚାରି ଉଣା ଲକ୍ଷେ ରାଜା ସୈନ୍ୟ ଅପ୍ରମାଣ ।

ଘୋଡ଼ାଙ୍କର ହ୍ରେଷାରବ ହସ୍ତୀ ଘଣ୍ଟାଧ୍ଵନି

ପଦାତିଙ୍କ ମୁଖରାବେ କମ୍ପଇ ମେଦିନୀ ।

ରଥୀଙ୍କ ରଥଘୋଷ ବଡ଼ଇ ତରିଯା

ବିବାହ ଉତ୍ସବ ହେତୁ ବାଜେ ନାନାବାଜା ।

ଗୀତ ଗାଇ ନାଚୁଛନ୍ତି ବାର ବିଳାସିନୀ

ବ୍ରାହ୍ମଣେ କରନ୍ତି ଅତି ଉଚ୍ଚେ ବେଦଧ୍ଵନି ।

ଭଟ ଭଟ ଦେଉଛନ୍ତି ଭାଟ ବନ୍ଦୀ ମିଳି

ସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।

କ୍ରୟ ବିକ୍ରୟ କରନ୍ତି ବଣିଜାରଗଣ

ଘଡ଼ଘଡ଼ି ଶବ୍ଦ ଜିଣି ଫୁଟେ ବଜ୍ରବାଣ ।

ଅଶ୍ଵଶାଳ ଗଜଶାଳ ଛତ୍ରଶାଳ ଲୋକେ

ରନ୍ଧନ ଭୋଜନ ଆଦି କରୁଛନ୍ତି ଥୋକେ ।

ଅସଂଖ୍ୟକ ଲୋକ ପୂରିଛନ୍ତି ଦାଣ୍ଡେ ବାଟେ

ନାନା ଦ୍ରବ୍ୟ ଆଣି ଜନେ ବିକୁଛନ୍ତି ହାଟେ ।

ଶଙ୍ଖ ମହୁରୀ ଦମାଲୁ ଟମକ ନିଶାଣ

ବେଳୁବେଳ ଶବ୍ଦ ଉଠି ଶୁଭେ ଗରୁଟାଣ ।

ଭୋଦେବ ତୋ ଭଳି ରାଜା ଯହିଁ ବିଜେକରି

ତହିଁ ଗୋଳ ଶବ୍ଦ ଜାତ ନୋହିବ କିପରି ।

ବିବାହ ମଙ୍ଗଳଯାତ୍ରା ନଗରେ ଉତ୍ସବ

ତେଣୁ ଗୋଳ ଶବ୍ଦ ହେବା ନୋହେ ଅସମ୍ଭବ ।

ବିଶେଷରେ ହୋଇଲାଣି ବିଭାଲଗ୍ନବେଳ

ବାଟ ବରଣାଦି କର୍ମ ସରିଲା ସକଳ ।

ମୁକୁଟ କୌତୁକ ସୂତ୍ର ଶିରେ କରେ ବାନ୍ଧି

ଶିଶୁପାଳ ବସିଅଛି ବିଭାପାଞ୍ଚି ପିନ୍ଧି ।

ଅହିଅମଣ୍ଡଳେ କନ୍ୟା ନେଇଛନ୍ତି ମାତା

ନାନ୍ଦୀମୁଖୀ ଶ୍ରାଦ୍ଧ ବସି କରୁଛନ୍ତି ପିତା ।

ଏହିକ୍ଷଣି ବିଭାହେବ ତେରଘଡ଼ି ଅନ୍ତେ

ଏଥିରେ ସନ୍ଦେହ କିପାଁ କର ଅନିମିତ୍ତେ ।

ରୁକ୍ମଣ ମୁଖରୁ ଶୁଣି ଏମନ୍ତ ବଚନ

ଆସ୍ଥାନେ ବସିଲା ତୋଷେ ମଗଧ ରାଜନ ।

ତା ପାଶରେ ବସିଛନ୍ତି ଅନେକ ନୃପତି

ପୁଣି ନେଲା ନେଲା ଡାକ ଶୁଭେ ଚଉକତି ।

ବିଭାବେଦୀ ତଳେ ଖଟିଥିଲେ ଯେଉଁମାନେ

ନେଲା ନେଲା ବୋଲି ଡାକିଦିଅନ୍ତି ସେମାନେ ।

ନୃପତିମାନେ ଶୁଣିଲେ ଆସ୍ଥାନରେ ଥାଇ

ନେଲା ନେଲା ବୋଲନ୍ତି ସେ ଏକମୁଖ ହୋଇ ।

ନେଲା ଶବ୍ଦ ସମସ୍ତଙ୍କ ମୁଖୁଁ ବାହାରିଲା

ଜରାସନ୍ଧ ଶୁଣି ଆପେ ବୋଲେ ନେଲା ନେଲା ।

ବେଦୀରେ ବ୍ରାହ୍ମଣେ ହୋଇ ବିଚଳିତ ମତି

ନେଲା ନେଲା ବୋଲି ଟେକି ଢାଳିଲେ ଆହୁତି ।

ଭୀଷ୍ମକ ନୃପତି ନାନ୍ଦୀମୁଖୀ କରୁଥିଲେ

ମନ୍ତ୍ର ଛାଡ଼ି ନେଲା ନେଲା ମୁଖେ ଉଚ୍ଚାରିଲେ ।

ଶିଶୁପାଳ ବସିଥିଲେ ବରବେଶ ହୋଇ

ଅନିମିତ୍ତେ ନେଲା ନେଲା ବୋଲି ସେ କହଇ ।

ନାରୀଗଣ ନେଲା ନେଲା ବୋଲି ରାବଦ୍ୟନ୍ତି

ରୁକ୍ମିଣୀକି ନେଲା ବୋଲି କେହି ନ କହନ୍ତି ।

ବାତୁଳ ପରାୟେ ହେଲା ସବୁଙ୍କରି ମନ

ନେଲା ନେଲା ବ୍ୟତିରେକେ ନ କହନ୍ତି ଆନ ।

ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ଭଣି

ଅତିଭାଗ୍ୟେ ଭାଗବତ ପୁରାଣର ବାଣୀ ।

ନେଲା ନେଲା ବୋଲି ଶବ୍ଦ ଶୁଭେ ଏ ପ୍ରମାଣ

ଏଥିର ଚରିତ ବେଗେ ବୁଝ ହୋ ରୁକ୍ମଣ ।

ଜରାସନ୍ଧ ଆଜ୍ଞାପାଇ ରୁକ୍ମଣ କୁମର

ବାଜଣା ବଜାଇ କଲା ସମସ୍ତଙ୍କୁ ସ୍ଥିର ।

ଏମନ୍ତ ସମୟେ ତହିଁ ମିଳି ଚାରଗଣ

ବୋଇଲେ ସକଳ ନୃପ ସାବଧାନେ ଶୁଣ ।

ଯାଦବଙ୍କୁ ସଙ୍ଗେ ଘେନି କୃଷ୍ଣ ଆସିଥିଲେ

ଦେବୀ ମନ୍ଦିରରୁ କନ୍ୟା ହରି ଘେନିଗଲେ ।

ଅତିଯତ୍ନେ ଜଗିଥିଲେ ନରପତି ଗଣ

କାହୁଁ ଆସି ଝାମ୍ପିନେଲା ଯେସନେ ସଞ୍ଚାଣ ।

ବିଜୁଳି ପରାୟେ ପଶିଗଲେ ନନ୍ଦଚାଟ

ଦେଉଳରେ ଥାଇ କନ୍ୟା ଚାହୁଁଥିଲା ବାଟ ।

ଉଭୟ ମତ ନ ଥିଲେ ପାରନ୍ତା କି ପଶି

ସୁମେଧା ସହିତ ଗଲେ ନନ୍ଦିଘୋଷ ବସି ।

ଏମନ୍ତ ସମୟେ ଆସି କହେ ପୁଣି ଦୂତ

ଭୋ ଦେବ ମଗଧେଶ୍ଵର ହେଲା ବିପରୀତ ।

ଦେବୀ ମନ୍ଦିରରୁ କନ୍ୟା ବାହାର ହୁଅନ୍ତେ

କୃଷ୍ଣ ଘେନି ପଳାଇଲେ ନନ୍ଦିଘୋଷ ରଥେ ।

ଶୁଣି ଜରାସନ୍ଧର ଯେ ଉଡ଼ିଲା ସାହସ

ମୁଣ୍ଡରେ ପଡ଼ିଲା ଅବା ସହସ୍ରେ କୁଳିଶ ।

ମନ ଛନ୍ନ ଛନ୍ନ ହୋଇ ଗଳେ ଶ୍ରମଝାଳ

କ୍ରୋଟରାଗ୍ନି ପ୍ରିୟ ଦହେ ଚିତ୍ତ ଅନ୍ତରାଳ ।

ଗତଆତ୍ମ ପ୍ରିୟ ହେଲା ତେଡ଼େକ ରାଜନ

ଓଷ୍ଠ କଣ୍ଠ ଶୁଖି ମୁଖୁଁ ନ ଆସେ ବଚନ ।

ଲଲାଟରେ କରମାରି ସୁମରଇ ଧର୍ମ

ବିଚାରି ବୋଇଲେ ଏତ ବିପରୀତ କର୍ମ ।

ପୁଣି ବିଚାରଇ ମୋର ଦେହ ପ୍ରାଣଥାନ୍ତେ

ଏଡ଼େ ବଡ଼ ଅପମାନ ସହିବି କେମନ୍ତେ ।

ବାର ବାର କରି ଗୌଡ଼ ହେଲା ମୋତେ ଶଲ

ତା ସକାଶୁ ମୋର ଆଉ ଅଛଇ କି ଭଲ ।

କୌଣସି ଉପାୟେ ତାକୁ ନ ପାରିଲି ମାରି

ଝିଅଙ୍କ ବିକଳ ଦେଖି ତନୁ ହୁଏ ଘାରି ।

ଏବେ ତ ଏଠାକୁ ଆସି ଏଡ଼େ କର୍ମ କଲା

ଗଉଡ଼ଙ୍କ ଯୋଗୁଁ ମୋର ସର୍ବନାଶ ହେଲା ।

ଏମନ୍ତ ବୋଲିଣ ରାଜା ହୋଇ କୋପଭର

ଆଜ୍ଞାଦେଇ ବୋଲେ ସର୍ବେ ଗୋଡ଼ାଅ ସତ୍ଵର ।

ଚାରି ଊଣା ଲକ୍ଷେ ରାଜା ଯେ ଯାହାର ଥାଟ

ସଙ୍ଗେ ଘେନି ନିର୍ଭୟରେ ଓଗାଳିବ ବାଟ ।

ବାଟ ନ ଛାଡ଼ିବ ଥାଟେ ହୋଇ ଆଗୁଆଣି

ସବଂଶେ ମୁଁ ଯାଦବଙ୍କୁ ପକାଇବି ହାଣି ।

ଅଷ୍ଟାଦଶ ବାର ମୋତେ କରିଅଛି ଯାହା

ଆଗରେ ପଡ଼ିଲେ ଆଜ ପାସୋରିବି ତାହା ।

ଏତେ ବୋଲି ଆସ୍ଥାନରୁ ଉଠି ନରନାଥ

ଆରୋହିଲା ଯାଇ ଶତ୍ରୁ ନିବାରଣ ରଥ ।

ପଞ୍ଚାଶ ସହସ୍ର ବଳ ଲୁହା ଧନୁ କରେ

ଦାବାନଳ ବାଣ ଧରି ଦକ୍ଷିଣ ଭୁଜରେ ।

ବାସ୍ତରି ଭାରର ଗଦା ପାର୍ଶ୍ଵେ ଅଛି ଡେରି

କୁନ୍ତ ଯଷ୍ଟି ଭିନ୍ଦିପାଳ ଖଡ଼୍‌ଗ ଆଦି କରି ।

ରଥେ ଯୋଖିଛି ଚୋଖାର ଚାରିଗୋଟି ଅଶ୍ଵ

ତେଇଶ କ୍ଷଉଣି ବଳ ଖଟିଛନ୍ତି ପାଶ ।

ଶାଲ୍ଵ ଶିଶୁପାଳ ଦନ୍ତବକ୍ର ଆଦି ଯେତେ

ଏହିମତି ନାନାଶସ୍ତ୍ର ଧରିଣ ସମସ୍ତେ ।

ରେରେକାର କରି ଉଚ୍ଚେ ଦେଇ ସିଂହରଡ଼ି

ଧାଇଁଲେ ଯେସନେ ସିନ୍ଧୁ ଜଳ ଆସେ ମାଡ଼ି ।

ଆପେ ଜରାସନ୍ଧ ରାଜା ଥାଟେ ଆଗୁଆଣି

ସମସ୍ତେ କରନ୍ତି ତାର ପଛରେ ପଲାଣି ।

ମାରମାର ଧରଧର ଧ୍ଵନି ଭୟଙ୍କର

ଟଳମଳ ବସୁମତୀ କମ୍ପେ ଚରାଚର ।

କେ ବୋଲଇ କନ୍ୟାଚୋର କାହିଁ ପଳାଇଲା

କେ ବୋଲଇ ଆଜ ତାକୁ ଭଲଯୋଗ ଥିଲା ।

କେ ବୋଲେ ମନକୁ ଏହା ପ୍ରତେ ଯାଉନାହିଁ ।

ଜ୍ଵଳନ୍ତା ଅନଳେ କେବା ପଶିବ ଝସାଇ ।

ଏଡ଼େକ ଭରସା କାର ଅଛି ରବିତଳେ

ଲକ୍ଷେରାଜା ଆଗୁ କନ୍ୟା ହରି ନେବ ବଳେ ।

ଜରାସନ୍ଧ ଆଗରୁ କେ ନେବ ଦେହ ବହି

ଯେ ଏହା କରିଛି ତାର ପ୍ରାଣେ ଆଶା ନାହିଁ ।

ଜାଣୁ ଜାଣୁ ଗଳାରେ କା ଲଗାଇଲା ଫାଶି

ସ୍ଵହସ୍ତରେ ବିଷ କେହୁ ଭକ୍ଷିଲା ଭରସି ।

ଜରାସନ୍ଧ ପ୍ରାୟେ ରାଜା ଜୀବନରେ ଅଛି

ସୈନ୍ୟ ସମୁଦ୍ରରୁ ନେଲା ସ୍ତିରୀରତ୍ନ ବାଛି ।

ଇନ୍ଦ୍ରାଦି ଦେବଙ୍କୁ ଯାର ତଳେ ନାହିଁ ଶଙ୍କା

ରାଜାଧି ମହାରାଜା ଯେ କ୍ଷତ୍ରୀ ରଣରଙ୍କା ।

ନବଖଣ୍ଡ ମେଦିନୀରେ ଯେହୁ ଚକ୍ରବର୍ତ୍ତୀ

ଚାରି ଊଣା ଲକ୍ଷେ ରାଜା ଯାର ବଶବର୍ତ୍ତୀ ।

ସେ ଜରାସନ୍ଧର ବନ୍ଧୁ ଶିଶୁପାଳ ବିଭା

ସମସ୍ତଙ୍କୁ ଲଜ୍ଜାଦେଇ ଭଗ୍ନ କଲା ସଭା ।

ଅଭେଦ୍ୟ ସୈନ୍ୟ ଭିତରେ ଏକା ରଥେ ବସି

ଜୀବନକୁ ମୂର୍ଚ୍ଚିକନ୍ୟା ନିଅଇ ଭରସି ।

କେ ବୋଲଇ ପଳାଇଲେ କେତେଦୂର ଯିବ

ପଛେ ଗୋଡ଼ାଇଲେ ନିଶ୍ଚେଁ ଆଗରେ ପଡ଼ିବ ।

ଏମନ୍ତ ବୋଲିଣ ସର୍ବେ ଧାଇଁ ଅତି ରାଗେ

ଏକ ପଛକରି ଅନ୍ୟ ଚଳିଯାଏ ଆଗେ ।

ତର୍ଜନ୍ତି ଗର୍ଜନ୍ତି ବୀରେ କରନ୍ତି ପହିଜ

ବୋଲନ୍ତିରେ କନ୍ୟାଚୋର କାହିଁଯିବୁ ଆଜ ।

ଲକ୍ଷେକ ନୃପତି ମୁଖେ ଲଗାଇଲୁ କାଳି

ମୁଣ୍ଡ କାଟି ତୋର ମାଂସ ଦେବୁ ବିଶାବଳି ।

ଥୋକାଏ ବୋଲନ୍ତି କଲା କେଡ଼େ ଅନୁଚିତ

ଶାସ୍ତ୍ର ଅନୁସାରେ କଥା ଅତି ଗରହିତ ।

ଦେଖା ନାହିଁ ପୁଣି କର୍ଣ୍ଣେ ଶୁଣା ନାହିଁ କାଳେ

ଏକର କନ୍ୟା ଆରେକ ଘେନିଯାଏ ବଳେ ।

ଆବର ଶୁଣିଛୁ ଏହି ନାରୀଙ୍କର ପାଇଁ

ବଡ଼ ବଡ଼ ଲୋକେ ପୂର୍ବେ ଛନ୍ତି ନାଶଯାଇ ।

ସିନ୍ଧୁ ମଧ୍ୟେ ରାବଣର ବଡ଼ ଥିଲା ଲଙ୍କା

ସୀତା ହରି ପାଇଲା ସେ ମହାଘୋର ଶଙ୍କା ।

ଅଜ୍ଞାନରେ କଲା ଯହୁଁ ନାରହୃତ ପାପ

ନର ବାନରଙ୍କ ହସ୍ତେ ମଲା ତେଡ଼େ ନୃପ ।

ସୁଗ୍ରୀବ ଭାର୍ଯ୍ୟାକୁ ନେଇ ବାଳିବୀର ମଲା

ଅହଲ୍ୟାକୁ ହରି ଇନ୍ଦ୍ର ସସ୍ରଯୋନି ହେଲା ।

ଈଶ୍ଵର ପରାୟେ ଦେବ ନୋହିଲେ ନିସ୍ତାର

ନାରୀଯୋଗେ କଳୁଷିତ ହେଲେ ବେଦବର ।

ମାନବ ହୋଇଣ କର୍ମ କରିଅଛି ଯାହା

ଶରୀରେ ପ୍ରାଣ ଥିଲେ କେ ସହିବଟି ତାହା ।

ଥୋକାଏ ବୋଲନ୍ତି ସେହୁ ସ୍ଵୟଂ ଭଗବାନ

ତେଣୁ ବଳେ ନେଲେ ଛାଡ଼ି ଶାସ୍ତ୍ରର ବିଧାନ ।

ଏଡ଼େକ ଦୁଃସାଧ୍ୟ କର୍ମ ଆନେ ନୁହେଁ କରି

ପ୍ରତ୍ୟକ୍ଷରେ ଦେଖୁ ଦେଖୁ ନେଉଅଛି ହରି ।

ଏମନ୍ତ କହିଣ ସର୍ବେ ଧାଇଁ ଅତିବେଗେ

ସତ୍ଵରେ ମିଳିଲେ ମନୋହର ତୋଟା ଲାଗେ ।

ସେ ତୋଟା ଭିତରେ ଥିଲେ ସମସ୍ତ ଯାଦବେ

ଆଗୁଆଣି ଥାଟ ଆସି ମିଳିଲେ ସେ ଠାବେ ।

ସମୁଦ୍ର ଲହରୀ ଜିଣି ମାଡ଼ିଆସେ ଥାଟ

ରହ ଯେ ଯାଦବ ବୋଲି ଓଗାଳିଲେ ବାଟ ।

ପୂର୍ବରୁ ଏ କଥା ଜାଣିଥିଲେ ତ ଯାଦବେ

ଯେ ଯାହା ଯାନ ବାହନେ ଆରୋହିଲେ ସର୍ବେ ।

ଶସ୍ତ୍ର ଧରି ଧାଇଁଲେ ସେ ନ କରିଣ ଭୟ

ବୋଲନ୍ତି ରେ ନୃପେ ଆଜ ଯିବ ଯମାଳୟ ।

ପରସ୍ପରେ ଭେଟ ହେଲେ ଉଭୟ ସଇନୀ

ଆଗେ ଓଗାଳନ୍ତି ଶାଲ୍ଵ ଦନ୍ତବକ୍ର ଘେନି ।

ଏଗାର ସହସ୍ର ରାଜା ତାଙ୍କ ପଛ କତି

ରଥ ଅଶ୍ଵ ଗଜ କେତେ କଳନା ନ ଯାନ୍ତି ।

ବାଜଇ ବିବିଧ ବାଦ୍ୟ ଟମକ ନିଶାଣ

ନିର୍ଘାତ ଶବଦ ଜାଣି ପଡ଼େ ବଜ୍ର ବାଣ ।

ଧମଳ ଛତ୍ର ଚାମର ଚିରାଳ ଆଲମ୍ବ

ନୃପତିମାନଙ୍କ ଆଗେ ଦିଶଇ ଆରମ୍ଭ ।

ଜରାସନ୍ଧ ଆଦେଶରେ ଶାଲ୍ଵ ମହୀପାଳ

ସେନାପତି ହୋଇ ଆଗେ ଧାମେ ମହାବଳ ।

ଅଜଗବ ନାମେ ଧନୁ ଧରିଅଛି କରେ

ସହସ୍ରେ ନାରାଚା ସନ୍ଧି ବିନ୍ଧିଲା କ୍ରୋଧରେ ।

ନାରାଚ ଆସନ୍ତେ ଦୂରୁ ଦେଖି ଉଗ୍ରସେନ

କତୁରି ବାଣରେ କାଟି କଲେ ଛିନ୍ନ ଭିନ୍ନ ।

ତା ଦେଖି ଲଜ୍ଜିତ ହୋଇ ଶାଲ୍ଵ ମହାବୀର

ପୁଣି ଶତେବାଣ ଯୋଚି ବିନ୍ଧିଲା ସତ୍ଵର ।

କହୁ କହୁ ପାଞ୍ଚସସ୍ର ବାଣ କରେ ଧରି

ହସ୍ତବ୍ୟାଗ୍ରେ ପେଷିଦେଲା ଧନୁର୍ବେଦ ସ୍ମରି ।

ବାବଲ କୁନ୍ତମୁନା ଯେ ଲୌହ ସସ୍ରେ କାଣ୍ଡ

ଓଟାରି ବିନ୍ଧିଲା କୋପେ ହୋଇଣ ପ୍ରଚଣ୍ଡ ।

ସେ ବାଣେ ଆକାଶମାର୍ଗେ ହୋଇ ଏକମେଳ

ଭୟଙ୍କର ରୂପ ଧରି ଦିଶିଲେ କରାଳ ।

ସେ ବାଣ ଆସନ୍ତେ ଦୂରୁ ଉଗ୍ରସେନ ଦେଖି

ବାବଲ ନାମରେ ଶର ଧନୁର୍ଗୁଣେ ଯୋଖି ।

ମନ୍ତ୍ର ସୁମରିଣ ତାହା ବେଗେ ଦେଲେ ଛାଡ଼ି

ଶାଲ୍ଵରାଜା ବାଣମାନ ପଳାଇଲେ ଉଡ଼ି ।

ପୁଣି ମହା କ୍ରୋଧ ହୋଇ ଉଗ୍ରସେନ ରାଣ

ଧନୁର୍ଗୁଣେ ପୂରାଇଲେ ପଞ୍ଚବିଂଶ ବାଣ ।

ଶାଲ୍ଵରାଜା ଉପରକୁ ଆକର୍ଷିଣ ବିନ୍ଧି

ଧ୍ଵଜ ସାରଥି ଘୋଡ଼ାଙ୍କୁ ତିନି ତିନି ସନ୍ଧି ।

ସକଳ ସୈନ୍ୟଙ୍କ ଦେହେ ବିନ୍ଧି କାଣ୍ଡେ କାଣ୍ଡେ

ସିଂହପ୍ରାୟେ ଗରଜନ କଲେ ରଣଦାଣ୍ଡେ ।

ପୁଣି ଦଶଗୋଟି ବାଣ ବିନ୍ଧି ନରପତି

ସମ୍ଭାଳ ସମ୍ଭାଳ ବୋଲି ଶାଲ୍ଵକୁ ବୋଲନ୍ତି ।

ପୁଣି ଅର୍ଦ୍ଧ ନିମିଷକେ ଓଟାରି କୋଦଣ୍ଡ

ଶାଲ୍ଵକୁ ବିନ୍ଧିଲେ ବାଛି ପାଞ୍ଚଦଶ କାଣ୍ଡ ।

ଘୋଡ଼ାଙ୍କ ଉପରେ ଆଠ ଚକେ ଊନବିଂଶ

ଅଖକୁ ଅଠର ପୁଣି ସାରଥିକି ଦଶ ।

ପୀଢ଼କୁ ଦ୍ଵାଦଶ ବାଣ ସିଂହାସନେ ତିନି

ଦଣ୍ଡ ପତାକା ଧ୍ଵଜକୁ ପେଷି ବେନି ବେନି ।

ଧନୁକୁ ସତର କାଣ୍ଡ ତୂଣୀରକୁ ବିଂଶ

ହାତୀ ଘୋଡ଼ା ପଦାତିଙ୍କି ବିନ୍ଧି ଦଶ ଦଶ ।

କବଚକୁ ଲକ୍ଷକରି ପଞ୍ଚଦଶ ବିନ୍ଧି

ଧରଣୀ ଆକାଶ ତୁଲେ ଦିଗ ଦେଲେ ରୁନ୍ଧି ।

ଏକାବେଳେ ଏତେ ଶର ପେଷି ଉଗ୍ରସେନ

ସମ୍ଭାଳରେ ଶାଲ୍ଵ ବୋଲି କରେ ଗରଜନ ।

ସେ ବାଣେ ଗଗନ ପଥେ ପକ୍ଷୀପ୍ରାୟ ଉଡ଼ି

ଶାଲ୍ଵ ନୃପତିର ରଥେ ପଡ଼ିଲେ ଅଜାଡ଼ି ।

ସାରଥି ଅଶ୍ଵ ତୂଣୀର ଧନୁ ଧ୍ଵଜ ଆଦି

ଚାହୁଁ ଚାହୁଁ ନିମିଷକେ ପକାଇଲେ ଛେଦି ।

ସାରଥି ଅଶ୍ଵ ମରନ୍ତେ ବିରଥୀ ହୋଇଣ

ରଥୁଁ ଡେଇଁ ତଳେ ଉଭା ହେଲେ ନରରାଣ ।

ତାହା ଦେଖି ଉଗ୍ରସେନ ଅତି କ୍ରୋଧ ହୋଇ

ହାବୋଡ଼ା କାଣ୍ଡକେ ଧରି ବିନ୍ଧିଲେ ନିଠାଇ ।

ସେ ବାଣ ବାଜନ୍ତେ ଯାଇ ଶାଲ୍ଵ ବକ୍ଷସ୍ଥଳେ

ମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲା ଭୂତଳେ ।

ଦନ୍ତବକ୍ର ଦେଖିଥିଲା ନିଜ ରଥେ ଥାଇ

ରେରେକାର କରି ମାଡ଼ି ପଡ଼ିଲା ସେ ଧାଇଁ ।

ତ୍ରିଂଶବଳ ଧନୁ ତାର ଅଛି ବାମକରେ

ମହାମେଘ ପ୍ରାୟ ବୀର ଗର୍ଜି କୋପଭରେ ।

ଶାଲ୍ଵକୁ ପଛ କରିଣ ଆଗେ ହେଲା ଉଭା

ପ୍ରଳୟ ଅନଳ ଜିଣି ଦିଶେ ତାର ପ୍ରଭା ।

ଉଗ୍ରସେନ ମୁଖ ଚାହିଁ ମନେ ବହି ରୋଷ

କୂଟ କୁବଚନେ କରେ ବହୁତ ଝିଙ୍ଗାସ ।

ଆରେ ଉଗ୍ରସେନ ଅଟୁ ତୁ ବଡ଼ ପାପିଷ୍ଠ

ଆପଣା ପୁତ୍ରକୁ ଜାଣି କରାଇଲୁ ନଷ୍ଟ ।

ଗଉଡ଼ ବାଉଡ଼ ସେହୁ ବନ ପଶୁପତି

ନ ଜାଣନ୍ତି ଧର୍ମ କର୍ମ ସଦା ପାପମତି ।

ତୁ ତାଙ୍କୁ ଆବୋରି ଅଛୁ ଆମ୍ଭନ୍ତ ଯେ ଛାଡ଼ି

ସପଥ ଛାଡ଼ିଣ ଯାଉ କୁପଥରେ ମାଡ଼ି ।

ବିଚାରିଲେ ରାମ କୃଷ୍ଣ ତୋର ବଡ଼ ଦୋଷୀ

କପଟରେ ବଂଶ ତୋର ପକାଇଲେ ନାଶି ।

ଦିଗପାଳ ସମ ପୁତ୍ର କଂସ ଅଟେ ତୋର

ଯା ନାମ ଶୁଣିଲେ ସ୍ଵର୍ଗେ କମ୍ପେ ପୁରନ୍ଦର ।

ଭୁଜବଳେ ସାଧ୍ୟ କରି ପୃଥ୍ଵୀ ନବଖଣ୍ଡ

ଅମର ସମ୍ପଦ ଆଣି କରିଥିଲା ରୁଣ୍ଡ ।

ତା ପରା ପୁତ୍ରକୁ ତୋର ବଧିଲା ଶ୍ରୀହରି

ଷଣ୍ଢା ଶକଟା ଚାଣୁର କେଶୀ ଆଦିକରି ।

ହଂସ ଡିମ୍ବ ବେନି ନାତି ଥିଲେ ତୋର କୁଳେ

ବୁଡ଼ାଇ ମାଇଲା ତାଙ୍କୁ ଯମୁନାର ଜଳେ ।

ସେହିହେତୁ ଜରାସନ୍ଧ କ୍ରୋଧରେ ସେ ମଜ୍ଜି

ଅଷ୍ଟାଦଶ ବାର ଧାହି ଦେଲା ସୈନ୍ୟ ସାଜି ।

ତା ଭୟେ ମଥୁରାଗଡ଼େ ନ ପାରିଲେ ରହି

ସମୁଦ୍ରରେ ଲୁଚିଛନ୍ତି ପ୍ରାଣ ରକ୍ଷା ପାଇଁ ।

ଜରାସନ୍ଧ ରାଜାର ତୁ କରିନାହୁଁ ଦୋଷ

ଗଉଡ଼ଙ୍କୁ ସ୍ନେହକରି ଆପେ ଯାଉ ନାଶ ।

ଯୁକତେ ସମୁଧି ତୋର ଜରାସନ୍ଧ ରାୟେ

ଛାମୁକୁ ନେବି ତାହାର ନ କର ତୁ ଭୟେ ।

ତୁ ଯଦ୍ୟପି ଅପରାଧ କରିଛୁ ନ ଜାଣି

ତାହା ସବୁ ଉପେକ୍ଷିବେ ଜରା ନୃପମଣି ।

ମୁର୍ଖପଣେ ନ ଘେନିବୁ ଯେବେ ମୋର କଥା

ତୋ ପାଞ୍ଚି ପୋଛିବ ଆଜି କୃତାନ୍ତ ଦେବତା ।

ଏକା ଜଣକର ପାଇଁ ସର୍ବେ ନାଶଯିବେ

ପୃଥ୍ଵୀରେ ଯାଦବ ହୋଇ ଗୋଟିଏ ନ ଥିବେ ।

ଦନ୍ତବକ୍ର ମୁଖୁଁ ଶୁଣି ଏମନ୍ତ ବଚନ

କୋପେ ଚକ୍ଷୁ ରଙ୍ଗ କରି ରାଜା ଉଗ୍ରସେନ ।

ବୋଇଲେ ରେ ଦନ୍ତବକ୍ର ତୋର ଏଡ଼େ ଦର୍ପ

ବିଷ୍ଣୁ ନିନ୍ଦା କରି ଦୁଷ୍ଟ ଅରଜିଲୁ ପାପ ।

ତୋ ଭଳି ପାପୀଙ୍କି ନାଶ କରିବାର ପାଇଁ

ନାରାୟଣ ଜନ୍ମିଛନ୍ତି କୃଷ୍ଣନାମ ବହି ।

ତୁ ଏହା ନ ଜାଣି ତାଙ୍କୁ କହୁ ନିନ୍ଦାକରି

ସର୍ବେ ନାଶଯିବ ହେଲେ କୃଷ୍ଣଙ୍କ ବଇରୀ ।

ଶ୍ରୀକୃଷ୍ଣ ପ୍ରସାଦେ ମୋର ନାହିଁ କିଛି ଭୟ

ଯାଦବେ ଅଟନ୍ତି ତିନି ଭୁବନେ ଦୁର୍ଜ୍ଜୟ ।

କାଳ ଆସି ତୋର ବାଳ ଧଇଲାଣି ଭିଡ଼ି

ତେଣୁ ବିଷ୍ଣୁ ନିନ୍ଦା କରୁ ଅଜ୍ଞାନରେ ବୁଡ଼ି ।

ଜୀବନରେ ଆଶା ଥିଲେ ଏଥୁ ଯାଅ ଘୁଞ୍ଚି

କୃଷ୍ଣ ପାଇ ରୁକ୍ମିଣୀଙ୍କୁ ଧାତା ଅଛି ସଞ୍ଚି ।

ସମର କରିବ ଯେବେ ମୋ କହିବା ଛାଡ଼ି

ଦେହ ଘେନି ଜଣେ କେହି ନ ଯିବେ ବାହୁଡ଼ି ।

ଲକ୍ଷେ ନୃପ ଜଗିଥିଲ କରେ ଶସ୍ତ୍ର ଧରି

ସମସ୍ତଙ୍କ ଆଗେ କୃଷ୍ଣ କନ୍ୟା ନେଲେ ହରି ।

ତେତେବେଳେ ବୀରପଣ ନ ଥିଲା କି ଅଙ୍ଗେ

ଏବେ ଟାଣି ହେଉଅଛ କିପାଁ ମୋର ଆଗେ ।

ପ୍ରାଣ ଘେନି ଏଥୁଁ ସର୍ବେ ଯାଅ ଯେଝା ଘରେ

ଶିଶୁପାଳ ବିଭା ହେଉ ପୁଣି ଅନ୍ୟଠାରେ ।

ଏମନ୍ତ ପ୍ରକାରେ ଦୁହେଁ ହ୍ଵନ୍ତି କୁହାକୁହି

ଜରାସନ୍ଧ ଶୁଣୁଥିଲା ଖଣ୍ଡେ ଦୂରେ ଥାଇ ।

ବୋଲଇ ପାପିଷ୍ଠ ତୁରେ ଅଟୁ ମନ୍ଦମତି

ପୁତ୍ରହନ୍ତା ଶତ୍ରୁ ତୁଲେ କରୁଛୁ ପୀରତି ।

ଧିକ ତୋର କର୍ମଫଳ ଧିକ ତୋ ଜୀବନ

ଶତ୍ରୁ ପାଦତଳେ ଖଟି ହରୁଅଛୁ ଦିନ ।

କହୁଁ କହୁଁ ପ୍ରଜ୍ଵଳିତ ହୋଇ ସେ କ୍ରୋଧରେ

ଶାରଦ ବାରିଦ ପରି ଗରଜନ କରେ ।

ବାମେ ଗଦାବର ଟେକି ଦକ୍ଷେ ମୋଡ଼ି ନିଶ

ବୋଲେ ଉଗ୍ରସେନ ଛାଡ଼ ଜୀବନର ଆଶ ।

ସୋମବଂଶୀ ନୃପ ହୋଇ ବନ୍ଧୁବର୍ଗ ଛାଡ଼ି

ଜାତି କୁଳ ହରାଇଲୁ ଗୌଡ଼ ସଙ୍ଗେ ପଡ଼ି ।

ଅଲାଜୁକ ପୁରୁଷ ତୁ ଅଛୁ ଦେହ ବହି

ତୋ ବଂଶ ନାଶିଲେ ରାମକୃଷ୍ଣ ବେନି ଭାଇ ।

ତୁ ତାହାଙ୍କୁ ସେବା କରୁ ମୁଖେ ନାହିଁ ଲାଜ

ଦେଖିବା କିପରି ତୋତେ ରଖିବେ ସେ ଆଜ ।

ଶତ୍ରୁ ସଙ୍ଗେ ମିତ୍ର ହେଉ ସ୍ଵଭାବେ ତୁ ହୀନ

ଜନମହୁଁ ଅଲକ୍ଷଣେ ଗଲା ତୋର ଦିନ ।

ଆପେ ହାରିଲେ ପରକୁ କରୁଥାଉ ସାକ୍ଷୀ

ପିତା ଅର୍ଜିଲା ମଥୁରା ନ ପାରିଲୁ ରଖି ।

ପିତୃବୈରୀ ମାତୃବୈରୀ ପୁତ୍ରବୈରୀ ତିନି

ଆତ୍ମବୈରୀ ସମାନରେ ଏହାଙ୍କୁଟି ଘେନି ।

ଏ କଥା ଜାଣଇଁ ହୀନ ମୂର୍ଖ ଜାତି ହେଲେ

ତୁ କେହ୍ନେ ପୀରତି କଲୁ ରାମକୃଷ୍ଣ ତୁଲେ ।

ତୁ ପାପିଷ୍ଠ ନାଶ ଗଲେ ଯିବ ସବୁ ଶଲ

ନପୁଂସକ ପୁରୁଷ ତୁ କେବେ ନୋହୁ ଭଲ ।

ତିଳ ପ୍ରମାଣରେ ଆଜ କାଟିବି ତୋ ମାଂସ

ଜନମୁଖେ ହେଉ ପଛେ ନିନ୍ଦା ଅପଯଶ ।

ଇତି ଶ୍ରୀ ଏ ଭାଗବତ ପବିତ୍ର ପୁରାଣ

ଶୁକ ବୋଲନ୍ତି ହୋ ରାୟେ ପରୀକ୍ଷିତ ଶୁଣ ।

ଏତେ କହି ସଇନ୍ୟଙ୍କୁ ମଗଧ ଈଶ୍ଵର

ଆଜ୍ଞା ହେଲା ଶତେ ପୁର କରି ତୋଟା ଘେର ।

ଉଚ୍ଚବାଚ କରିବାରେ ନାହିଁ କିଛି କାର୍ଯ୍ୟ

କନ୍ୟା ଘେନି ଲେଉଟିଲେ ଯିବ ଆମ୍ଭ ଲାଜ ।

ଆଜ୍ଞାପାଇ ଚାରିଉଣା ଲକ୍ଷେ ଦଣ୍ଡଧାରୀ

ତୋଟାକୁ ବେଢ଼ିଲେ କରେ ନାନା ଶସ୍ତ୍ରଧାରୀ ।

ଜରାସନ୍ଧ ଆଦି ସର୍ବେ ଏକମୁଖ ହୋଇ

ମହାଭୟଙ୍କର ଯୁଦ୍ଧ ଆରମ୍ଭିଲେ ତହିଁ ।

ଗଜଙ୍କ ସହିତେ ଗଜ ହେଲେ ଭେଟାଭେଟି

ଅଶ୍ଵାରୋହୀ ଯୁଦ୍ଧକଲେ ଅଶ୍ଵ ସଙ୍ଗେ ଯୋଟି ।

ପଦାତି ସଙ୍ଗେ ପଦାତି ଲାଗି କଲେ ରଣ

ରଥୀଙ୍କି ଆବୋରି ରଥୀ ବରଷିଲେ ବାଣ ।

ମାର ମାର ଧର ଧର ବୋଲି ଦ୍ୟନ୍ତି ରଡ଼ି

ଗର୍ଜ୍ଜନ ଘାତରେ ଗିରିଶୃଙ୍ଗ ପଡ଼େ ଝଡ଼ି ।

ଘୋଡ଼ାଙ୍କର ହ୍ରେଷାରବ ଗଜ ଘଣ୍ଟାଧ୍ଵନି

ବୀରଙ୍କର ସିଂହନାଦେ କମ୍ପିଲା ଅବନୀ ।

ନିରନ୍ତର ପଡ଼ୁଅଛି ଶର ମାଳମାଳ

କକଡ଼ା ମାସରେ ଯେହ୍ନେ ବରଷଇ ଜଳ ।

ତେସନକ ଆକାଶରୁ ହେଲା ଶରବୃଷ୍ଟି

ନ ପଡ଼ିଲା ସୂର୍ଯ୍ୟ କର ନ ଦିଶଇ ସୃଷ୍ଟି ।

ଛୟାଣୋଇ ସସ୍ର ରାଜା ହୋଇଲେକ ରୁଣ୍ଡ

ଯାଦବଙ୍କ ଶରାଘାତେ ହେଲେ ଖଣ୍ଡ ଖଣ୍ଡ ।

ବୈଷ୍ଣବୀ ମାୟାରେ ଗୁଣ ନ ଜାଣନ୍ତି କେହି

ଉଗ୍ରସେନ ନରପତି ମନେ ବିଚାରଇ ।

ରାମକୃଷ୍ଣ ରୂପେ ବିଷ୍ଣୁ ସ୍ଵୟଂ ଅବତାର

ତାହାଙ୍କୁ ଜିଣିବା ପାଇଁ ସାମର୍ଥ୍ୟ କାହାର ।

ରଥ ଗଜ ପଦାତିକ ଅଶ୍ଵ ଆଦିକରି

ସମସ୍ତଙ୍କୁ ନିଜ ତେଜ ଦେଇଛନ୍ତି ହରି ।

ତେଣୁ ଯାଦବଙ୍କ ମନେ ନାହିଁ କିଛି ଶଙ୍କା

ଗୋଡ଼ାଇ ମାରନ୍ତି ସର୍ବେ ହୋଇ ରଣରଙ୍କା ।

ବାଜଇ ଟମକ ଭେରୀ ମୁରଜ ନିଶାଣ

ମର୍ଦ୍ଦଳ ଘୁମୁରା କଡ଼ା ଢୋଲ ବଜ୍ରବାଣ ।

ନାଚନ୍ତି ଧାମନ୍ତି ରୋଷେ ରଣେ ପରଚଣ୍ଡା

କରେ ଫଳା ଆଢ଼େଣୀ ଯେ କୁନ୍ତ ଫରୀଖଣ୍ଡା ।

କାଟନ୍ତି ପିଟନ୍ତି ରୋଷେ କେହୁ ଆଗେ ବଢ଼ି

ମଡ଼ାର ଉପରେ ମଡ଼ା କୁଢ଼ ହେଲେ ଛିଡ଼ି ।

ପରିଘାଇ ଯଦୁବୀରେ କରୁଛନ୍ତି ରଣ

ସଂଗ୍ରାମ ଭିତରେ ଆସି ପଶିଲା ରୁକ୍ମଣ ।

ସମରକୁ ଶଙ୍କା ନ କରିଣ ଅତି କୋପେ

କେଉଁଠି ରୁକ୍ମିଣୀ ଅଛି ବୋଲି ଖୋଜେ ଆପେ ।

ଏମନ୍ତ ସମୟେ ତାର ପାଶେ ଚାରଗଣ

ଜଣାଇଲେ କନ୍ୟା ଘେନି ଗଲେ ନାରାୟଣ ।

ଭୋଦେବ ରୁକ୍ମଣ ତୁମ୍ଭେ ବିଚାରୁଛ କିସ

ଅପୂର୍ବ ଘଟଣା ଏଥେ ହୋଇଲା ତ ଦୃଶ୍ୟ ।

ଦଇବର କୃତ୍ୟ ସିନା ଏକଥା ବୋଲିବା

ଗଉଡ଼ର ପୁତ୍ରେ ହେବେ ରାଜକନ୍ୟା ବିଭା ।

ଆରେକ ଚାର ଆସିଣ କହିଲା ବିନୟୀ

ଗୋଡ଼ାଇଲେ ତା ପଛରେ ଭେଟ ହେବାଯାଇ ।

ଆରେକ ଦୂତ ବୋଇଲା ଦେଖିଲି ମୁଁ ଆଗେ

ଏକା ହୋଇ ଯାଉଅଛି କେହି ନାହିଁ ସଙ୍ଗେ ।

କୃଷ୍ଣ ବେଣୀ ନଦୀତୀରେ ତଳେ ରହୁବର

ଅକ୍ରୂର ସାରଥି ରଥ ବାହେ ଧୀର ଧୀର ।

ଡଗର ମୁଖରୁ ଶୁଣି ଏମନ୍ତ ବଚନ

ସାରଥିକି ଚାହିଁ ବୋଲେ ଭୀଷ୍ମକନନ୍ଦନ ।

ରୁକ୍ମିଣୀକି ଘେନି କୃଷ୍ଣ ଯାଏ ଯେଉଁମାର୍ଗେ

ସେହିମାର୍ଗେ ରଥ ମୋର ବାହା ଅତିବେଗେ ।

ଆବର ସକଳ କଥା ମନୁ ଦୂର କର

କନ୍ୟା ନ ଆଣିଲେ ଚିତ୍ତ ଅଥୟ ମୋହର ।

କେତେ ଦୂର ଯିବ ମୋର ଆଗୁଁ ସେ ଗଉଡ଼

ମୁଁ ତାକୁ ବଧିବାଯାଏ ପ୍ରାଣ କଲି ପୀଢ଼ ।

ଆଜ୍ଞା ପାଇ ସୂତ ତାର ବାହିଲା ସ୍ୟନ୍ଦନ

ପବନୁ ବେଗରେ ରଥ କରଇ ଗମନ ।

ସୁଗନ୍ଧ ନାମରେ ବନ ଚୂଡ଼ଙ୍ଗ ଦେଶରେ

ଧର୍ମ ଗିରି ନାମେ ଏକ ପର୍ବତ ସେଠାରେ ।

ସେ ଗିରି ଦକ୍ଷିଣ କୋଣେ ଜଳଣି ଡିଙ୍ଗର

ଦେଖିଲେ ଯାଉଛି ନନ୍ଦିଘୋଷ ରହୁବର ।

ବିଜୁଳି ସମାନେ ତାର ବିରାଜଇ ଜ୍ୟୋତି

ଚୋଖାର ତୁରଙ୍ଗମାନେ ଖେପୁଛନ୍ତି ଧାତି ।

ରୁକ୍ମଣ ଦେଖି ଡାକିଲା ରଥପରେ ଉଠି

ଆରେ ଆରେ କନ୍ୟାଚୋର ରହରେ ପାଲଟି ।

ଆପେ ଯାହା ଅର୍ଜିଅଛୁ ଭୁଞ୍ଜିବୁ ସେ ଫଳ

ସରିଲା ତୋ ଯଶ ଶିରୀ ପୂରିଲା ତୋ କାଳ ।

ଗୋପପୁରେ ଗୋପନାରୀମାନଙ୍କୁ ଭୁଲାଇ

ହରିବା କଥା ଏଠାରେ କଲୁ କିରେ ବାଇ ।

ଆଜ ତାର ପ୍ରତିଫଳ ଦେବି ମୁହିଁ ତୋତେ

ଆଗରେ ପଡ଼ିଛୁ ଆଉ ଯିବ କିରେ ସତେ ।

ମିଛେ ମିଛେ ନାରାୟଣ ବୋଲାଉଛୁ ତୁହି

ତୁ ପାପୀର ସବୁ କଥା ଜାଣିଅଛି ମୁହିଁ ।

କଂସ ଡରେ ବସୁଦେବ ଚୋରାଇଣ ନେଲା

ନନ୍ଦ ଗଉଡ଼ର ଘରେ ତୋତେ ଛାଡ଼ିଦେଲା ।

ଗଉଡ଼ର ଅନ୍ନ ଖାଇ ହରାଇଲୁ ଜାତି

ନନ୍ଦସୁତ ବୋଲି ତୋତେ ସମସ୍ତେ ବୋଲନ୍ତି ।

ରାଜହତ୍ୟା ଗୋରୁହତ୍ୟା ସ୍ତିରୀହତ୍ୟା କଲୁ

ଆବର ଅନେକ ପାପ ତହିଁ ଅରଜିଲୁ ।

ମଥୁରା ରାଜ୍ୟ ତୋ ଯୋଗୁଁ ହୋଇଲା ବିଧ୍ଵଂସ

ନିର୍ଲ୍ଲଜ ମୁଖରେ ତୋର ଲାଜ ନାହିଁ ଲେଶ ।

ଯାଦବେ ଭଣ୍ଡିଲା ପ୍ରାୟ ମଣିଅଛୁ ମୋତେ

ମାଂସ କାଟି ବିଶାବଳି ଦେବି ଆଜ ତୋତେ ।

ତୋ ସମାନେ ଅଲାଜୁକ ଜଗତରେ ନାହିଁ

ଅବରଣେ ଆସି କନ୍ୟା ନେଉଛୁ ଚୋରାଇ ।

ଏଡ଼େ ମହାସଭାରେ ତୁ କରାଇଲୁ ଲାଜ

ତୋତେ ବଧ କଲେ ମୋର ସିଦ୍ଧ ହେବକାର୍ଯ୍ୟ ।

ଏମନ୍ତ ବୋଲି ସେ ରଥ ଧୂଆଇଁଲା ବେଗେ

କହୁଁ କହୁଁ ଓଗାଳିଲା କୃଷ୍ଣଙ୍କର ଆଗେ ।

ରୁକ୍ମିଣୀକୁ ବୋଇଲା ତୁ ମୂଢ଼ ବଡ଼ନଷ୍ଟା

କୁଳରେ କଳଙ୍କ ଲଗାଇଲୁ ତୁ ପାପିଷ୍ଠା ।

ଗୁପତରେ ଲେଖା ଦେଇ ବିପ୍ରକୁ ପଠାଇ

କଣ୍ଟ କରିଣ ବାଟକୁ ରହିଥିଲୁ ଚାହିଁ ।

ତୋତେ କି ବୋଲିବି ଏହା କରିଛି ସୁମେଧା

ସେ ପାପିନୀ ଘରେ ଥାଇ ଦେଲା ଏଡ଼େ ବାଧା ।

ଏହିକ୍ଷଣି ସମସ୍ତଙ୍କୁ ପୋଡ଼ିବି ମୁଁ ବାଣେ

କେ ରକ୍ଷା କରିବ ଆସି ଛିଡ଼ା ହେଉ ରଣେ ।

ଏତେ ବୋଲି ବୀରମଣି ଧନୁ ଧରି କରେ

ମନ୍ତ୍ର ସୁମରି ନାରାଚ ପେଷିଲା ସତ୍ଵରେ ।

କର୍ଣ୍ଣମୂଳ ପରିଯନ୍ତେ ଟାଣି ଧନୁ ଗୁଣ

ଅର୍ବୁଦେ ନାରାଚ ସନ୍ଧି ପେଷିଲା ସେ ପୁଣ ।

ସହସ୍ରେ ବେନି ବିଶିଖ ତୀକ୍ଷ୍‌ଣ ମୁନା ବାଛି

ହସ୍ତ ବ୍ୟଗ୍ରେ ବିନ୍ଧିଲା ସେ ଭୀଷ୍ମକର ବତ୍ସି ।

ଅର୍ଦ୍ଧ ନିମିଷକେ ସନ୍ଧି କୋଟି କୋଟି ଶର

ବିନ୍ଧନ୍ତେ ମଣ୍ଡଳାକାର ଦିଶେ ଧନୁ ଦାର ।

ଅନିବାର ଯୋଦ୍ଧା ସେହୁ ଅଟଇ ରୁକ୍ମଣ

କହୁଁ କହୁଁ ସରଜିଲା ଅସ୍ତ୍ର ଅପ୍ରମାଣ ।

ଭୂଷଣ୍ଡୀ ତୀକ୍ଷ୍‌ଣ ମୁନା ଯେ ଆବର ଶାବେଳି

ତୋମର ଗୁରୁଜ ଗଦା ପେଷେ ମହାବଳୀ ।

ବଜ୍ରପାତ ହେଲା ପ୍ରାୟ ଶୁଭେ ଗୁଣନାଦ

ଭୟେ ଚରାଚର ପ୍ରାଣୀ ହୋଇଲେ ସ୍ତବଧ ।

ଥରହର ବସୁନ୍ଧରା କମ୍ପେ ନବସୃଷ୍ଟି

ଦଶଦିଗଯାକେ ବାଣ ଆଚ୍ଛାଦିଲା ଘୋଟି ।

କକଡ଼ା ମାସରେ ଯେହ୍ନେ ବୃଷ୍ଟି କରେ ଘନ

ତେସନ ବାଣ ବରଷା କରଇ ରୁକ୍ମଣ ।

ଦିବସରେ ଅନ୍ଧକାର ନ ଦିଶଇ ପଥ

ଶରବ୍ରାତେ ନ ଚଳିଲା ନନ୍ଦିଘୋଷ ରଥ ।

ରଟମଟ କଟକଟ ଭୟଙ୍କର ନାଦ

ଦେବଗଣ ଦେଖି ସ୍ଵର୍ଗେ ଲଭିଲେ ବିଷାଦ ।

ରୁକ୍ମଣର ପରାକ୍ରମ ଦେଖି ଚକ୍ରପାଣି

ଶାରଙ୍ଗ ଧନୁରେ ଗୁଣ ଦେଇ ସେହିକ୍ଷଣି ।

ମନଭେଦୀ ନାରାଚକୁ ବାଛି କରେ ଧରି

ବିନ୍ଧିଲେ ଆକର୍ଣ୍ଣ ଯାଏ ଗୁଣକୁ ଓଟାରି ।

ସେ ବାଣ ବିଜୁଳି ପ୍ରାୟ ଗଗନରେ ଘୋଟି

ରୁକ୍ମଣର ବାଣମାନ ପକାଇଲା କାଟି ।

ପୁଣି କତୁରୀ ନାରାଚ ପୂରାଇ ଧନୁରେ

ରୁକ୍ମଣର ହସ୍ତରୁ ଧନୁ ଛେଦିଲେ ସତ୍ଵରେ ।

କଙ୍କପକ୍ଷ ତୀକ୍ଷ୍‌ଣ ମୁନା ବାଣ ପେଷି ପୁଣି

ସାରଥି ସହିତେ ଚାରିଅଶ୍ଵ ଦେଲେ ହାଣି ।

ବିରଥ ହୋଇଣ କୋପେ ଭୀଷ୍ମକର ବଳା

ରଥରୁ ଡେଇଁଲା କରେ ଧରି ଖଡ଼୍‌ଗଫଳା ।

ବିକ୍ରମ ସିଂହ ପରାୟେ ଧାଇଁ ଅତିବେଗେ

କ୍ଷଣକେ ମିଳିଲା ଯାଇ ନନ୍ଦିଘୋଷ ଆଗେ ।

ବିଚିତ୍ର ମଣ୍ଡଳ ଦେଇ କଲା ପାଦଗତି

ତା ଦେଖି ମନ୍ଦହାସ କରି ଲକ୍ଷ୍ମୀପତି ।

ହାବୋଡ଼ା ଶରେକ ସନ୍ଧି ପେଷିଲେ ତକ୍ଷଣ

ଭୟଙ୍କର ଧ୍ଵନିକରି ଚଳିଲା ସେ ବାଣ ।

ବାଜନ୍ତେ ସେ ଶର ଯାଇ ତାର ବକ୍ଷସ୍ଥଳେ

ତକ୍ଷଣେ ପଡ଼ିଲା ମୂର୍ଚ୍ଛା ହୋଇ ଭୂମିତଳେ ।

ପୁଣି ପାଶୁପତ ଶର ପେଷି ଚକ୍ରଧର

ବିଚାରିଲେ ଛେଦି ଦେବି ନିଶ୍ଚେଁ ଏହା ଶିର ।

ଏତେ ବୋଲି ବାଣ ଗୁଣେ ବସାନ୍ତେ ସେ ଆଣି

କରପତ୍ର ଯୋଡ଼ି ତାଙ୍କୁ କହିଲେ ରୁକ୍ମିଣୀ ।

ଭୋ ଦେବ ହେ ଜଗନ୍ନାଥ ପ୍ରଭୁ ଦେବରାଜା

ତ୍ରିଭୁବନ ପ୍ରାଣୀମାନେ ତୁମ୍ଭର ପରଜା ।

ଶୁଭାଶୁଭ କର୍ମ ତୁମ୍ଭେ କରିପାର ଆନ

ଭକତ ଜନଙ୍କ ବନ୍ଧୁ କରୁଣା ନିଧାନ ।

ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭେ ଜାତ କର

ପ୍ରଳୟ କାଳରେ ପୁଣି ଗର୍ଭରେ ସଂହର ।

ନିହନ୍ତା ବିହନ୍ତା ତୁମ୍ଭେ ସ୍ଵୟଂ ଭଗବାନ

ନାମ ସୁମରନ୍ତେ ପାପ ହୁଅଇ ଖଣ୍ଡନ ।

କୀଟୁଁ ଆଦି ବ୍ରହ୍ମଯାଏ ପୂରିଛି ଜଗତେ

ଶତ୍ରୁମିତ୍ର ଭାବ ପୁଣି ନାହିଁ ଯାର ଚିତ୍ତେ ।

ସର୍ବଘଟେ ପୂରିଅଛି ହୋଇ ଏକରୂପ

ଅହିଂସା ଶରୀରେ କିପାଁ ଧରୁଅଛ କୋପ ।

ଜଗତ ଜନ ସୋଦର ତୁମ୍ଭେ ବିଶ୍ଵବାସ

ଏଛାର ପାପୀର ବାରେ କ୍ଷମା କର ଦୋଷ ।

ବିଷ୍ଣୁ ନିନ୍ଦାକରି ଆପେ ହୋଇଅଛୁ ପାପୀ

ଆପଣା ପାପରେ ନାଶଯିବ ଏ ଅଦ୍ୟାପି ।

ବାରେକ ଏହାକୁ ରକ୍ଷା କର ଦେବ ସ୍ଵାମୀ

ଏତେ ବୋଲିଣ ରୁକ୍ମିଣୀ ସସ୍ର ପରଣାମି ।

ଭୋଦେବ ନ ଜାଣି ମନ୍ଦ କର୍ମ କଲା ମୂର୍ଖ

ଶରଣ ପଞ୍ଜର ନାଥ ବାରେ ୟାକୁ ରଖ ।

ଏ ତୁମ୍ଭଙ୍କୁ ବନ୍ଧୁପଣେ କେବେ ନୁହେଁ ଯୋଗ୍ୟ

ଆପେ ଯାହା ଅର୍ଜିଅଛି କରିବ ସେ ଭୋଗ ।

ଏହାର ଦୋଷକୁ ଦଣ୍ଡ ଅଟଇ ମରଣ

ତୁମ୍ଭେ ବଧ କଲେ ନିନ୍ଦା ପାଇବି ମୁଁ ଜାଣ ।

ବୋଲିବେ ରୁକ୍ମିଣୀ ଭାଇ କରାଇଲା ନାଶ

ଏଥିରୁ ଲାଗିବ ମୋତେ ଭ୍ରାତୃହତ୍ୟା ଦୋଷ ।

ଜନ ଅପବାଦ ତୁମ୍ଭେ ନ ଜାଣି କି ହରି

ଲୋକାପବଦାରୁ ମୋତେ ବାରେ କର ପାରି ।

ରୁକ୍ମିଣୀ ବିନୟ ଶୁଣି ତୋଷେ ପୀତବାସ

ସାତବେଣ୍ଟି କରାଇଲେ ରୁକ୍ମଣର କେଶ ।

କତୁରୀ ନାରାଚ ପୁଣି ପେଷିଲେ ବାହୁଡ଼ି

ଅଧେନିଶ ରଖି ତାର ଲଣ୍ଡାଇଲେ ଦାଢ଼ି ।

ପୁଣି ନାଗପାଶ ବାଣ ପେଷି ଚକ୍ରଧର

ନନ୍ଦିଘୋଷ ରଥେ ତାକୁ ବାନ୍ଧିଲେ ସତ୍ଵର ।

ଜୀବନରେ ନ ମାରିଣ ମଲାପ୍ରାୟ କରି

ରଥେ ବାନ୍ଧି ଦ୍ଵାରକାକୁ ବିଜେ କଲେ ହରି ।

କୁଶସ୍ଥଳୀ ଦ୍ଵାରକାରେ ମିଳିଲେ ବହନ

ରୁକ୍ମିଣୀ ଦେବୀଙ୍କ ଧରି ଭଗବାନ ।

ସୁମେଧା ସହିତେ ରଥୁ ଓହ୍ଲାଇଣ ଗଲେ

ପହଣ୍ଡ ମଣାଇ ଆଗେ ଅକ୍ରୂର ଚଳିଲେ ।

ଅନ୍ତଃପୁରେ ମିଳି ମାତା ପିତାଙ୍କ ଚରଣେ

ଭକ୍ତିଭରେ ନମସ୍କାର କଲେ ବେନି ଜନେ ।

ପୁତ୍ର ସଙ୍ଗେ ପୁତ୍ରବଧୂ ଦେଖି ମାତା ପିତା

ଆନନ୍ଦ ହୋଇଲେ ମନୁ ଛାଡ଼ି ସବୁ ଚିନ୍ତା ।

ଇନ୍ଦୁମତୀ ଆଦି ଅନ୍ତଃପୁର ନାରୀଗଣ

ହୁଳହୁଳି ଦେଇ ନେଲେ କନ୍ୟା ବନ୍ଦାଇଣ ।

ସୁମେଧା ରୁକ୍ମିଣୀ ଦୁହେଁ ଦ୍ଵାରକା ରହିଲେ

ଶୁଣ ହେ ପରୀକ୍ଷ ରାଜା ଶୁକମୁନି ବୋଲେ ।

ନନ୍ଦିଘୋଷ ରଥେ ବନ୍ଧା ହୋଇଛି ରୁକ୍ମଣ

ରୁକ୍ମିଣୀଙ୍କି ପାଇ ତୋଷ ହେଲେ ନାରାୟଣ ।

ସେ ପ୍ରଭୁଙ୍କ ପାଦପଦ୍ମେ ସଦା ମୋର ସେବା

ଅଚ୍ୟୁତ ଦାସକୁ ସ୍ଵାମୀ ଗତି ମୁକ୍ତି ଦେବା ।

 

ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ପରାଜୟ ଏବଂ ବିଭା ବେଦୀରେ ଶିଶୁପାଳର ଅପମାନ

 

ଏଥୁଅନ୍ତେ ଯୁଦ୍ଧକଥା ଶୁଣ ନୃପବର

ଯାଦବଙ୍କ ସଙ୍ଗେ ରାଜାମାନଙ୍କ ସମର ।

ଚାରିଊଣା ଲକ୍ଷେରାଜା ଘେନି ଜରାସନ୍ଧ

ଯାଦବଙ୍କୁ ଓଗାଳିଣ କଲା ଘୋରଯୁଦ୍ଧ ।

ଲକ୍ଷେପୁର କରି ମନୋହର ତୋଟା ବେଢ଼ି

ଯୋଦ୍ଧାଏ କରନ୍ତି ଯୁଦ୍ଧ ଉପରୋଧ ଛାଡ଼ି ।

ଯାଦବେ କରନ୍ତି ନାନା ଅସ୍ତ୍ର ବରଷଣ

ରାମଙ୍କୁ ଆଗରେ ଦେଖି ଜରାସନ୍ଧ ରାଣ ।

ଅରିନିବାରଣ ରଥେ ଚଢ଼ି ନୃପବର

ବାସ୍ତରି ଭାର ଗଦାକୁ ଘେନିଅଛି କର ।

ମେଘ ଘଡ଼ଘଡ଼ି ପ୍ରାୟ କଲା ଗରଜନ

ଶବଦେ କମ୍ପଇ ପୃଥ୍ଵୀ ପର୍ବତ କାନନ ।

ଧନୁ କମାଣ ମୁଦ୍‌ଗର ତୀର କୁନ୍ତ ଯଷ୍ଟି

ଶାବେଳି ପରଶୁ ଖଣ୍ଡା ଛେଲ କୋଟି କୋଟି ।

ଏମନ୍ତ ଅନେକ ଶସ୍ତ୍ର ରଥେ ଅଛି ଥୋଇ

କୃତାନ୍ତକ ରୂପ ଧରି ପଡ଼ିଲାକ ଧାଇଁ ।

 

ରାମଙ୍କୁ ଚାହିଁଣ କ୍ରୋଧେ ବୋଲେ ଜରାସନ୍ଧ

ଆରେ ରେ ଗଉଡ଼ ତୁହି ଅଟୁ ବଡ଼ମନ୍ଦ ।

ତୁମ୍ଭ ସକାଶରୁ ମୋର ହେଲା ଏତେ ହାନି

ଛାର ଦୁଇ ଗଉଡ଼କୁ ନ ପାରିଲି ଜିଣି ।

ବଳେ ମୋତେ ସରି ନୁହ ବୁଦ୍ଧି ତୁମ୍ଭ ଗାଢ଼

ଅଷ୍ଟାଦଶ ଧାଡ଼ିରେ ମୁଁ ଦେଲି ଯେତେ ବେଢ଼ ।

ବୁଦ୍ଧିବଳେ ମୋ ଆଗରୁ ପଳାଇଲ ବଞ୍ଚି

ସମୁଦ୍ର ଭିତରେ ପଶି ରହିଅଛ ଲୁଚି ।

କ୍ଷତ୍ରିୟର ଧର୍ମ ଏହା ନୁହଇ ଯୁକତେ

ଚୋର ଖଣ୍ଟ ଡକାୟତ ଲୁଚନ୍ତି ଗୁପତେ ।

ପରଧନ ପରନାରୀ ଚୋରାଇଣ ଗର୍ବେ

ମହାପାପୀ ହୋଇଲରେ ଜନ୍ମପାଇ ଭବେ ।

ନାନା ଅନାଚାର କଲ ଧର୍ମ ପଥ ଲେଛି

ତୁମ୍ଭଙ୍କୁ ମାଇଲେ ପାପଭାଗ ନିଶ୍ଚେଁ ଅଛି ।

ଗୌଡ଼ ହାଉଡ଼ ବାଉଡ଼ ତିନିନାମ ବହ

ରାଜ୍ୟ ଛାଡ଼ି ରାଜାଙ୍କର ଆଗେ ଉଭା ହୁଅ ।

ଗୋପୀଙ୍କି ହରିଲା ପ୍ରାୟେ ମଣିଲ କି ଏବେ

ପାପ ପୁଣ୍ୟ ବିଚାରକୁ ଛାଡ଼ିଲ ସ୍ଵଭାବେ ।

ଚାରି ଊଣା ଲକ୍ଷେ ରାଜା ନୟନେ ଦେଖିଲ

ତଥାପି ଅଜ୍ଞାନ ହୋଇ ଏଡ଼େ କର୍ମ କଲ ।

ଅଲଙ୍ଘିତ କର୍ମ ଯାହା ନ କରନ୍ତି କେହି

ଅବରଣେ ଆସି କନ୍ୟା ନେଉଛ ଚୋରାଇ ।

ଜଳନ୍ତା ଅନଳେ ପଶି ପ୍ରାଣେ କର ଆଶା

ସିନ୍ଧୁ ଲଙ୍ଘିଯିବ କିରେ କରିଛ ଭରସା ।

ଏତେ କହି ଜରାସନ୍ଧ କ୍ରୋଧରେ ଗରଜି

ବୋଲେ କାଳଦେବ ଆଜ ପୋଛିଲା ତୋ ପାଞ୍ଜି ।

ଦଇବ ଜାଣଇ କର୍ମେ ଲେଖିଅଛି ଯାହା

ଜଗତେ ଅନ୍ୟଥା କରି ପାରିବେ କେ ତାହା ।

ମୋ ଆଗୁ ପଳାଇଗଲ ଅଷ୍ଟାଦଶ ବେଳ

ଆଜ କାହିଁ ଯିବୁ ତୋର ପୂରାଇବି କାଳ ।

ଶତେ ପୁର ଘେର ମଧ୍ୟେ ପଡ଼ିଅଛି ଏବେ

ନିଶ୍ଚେଁ ନାଶଗଲ ସାତବଂଶର ଯାଦବେ ।

ଏକ ସ୍ଥାନେ ଆଣି ଧାତା କରିଅଛି ରୁଣ୍ଡ

ରୁକ୍ମିଣୀ ଛଳେ ଛେଦିବି ସମସ୍ତଙ୍କ ମୁଣ୍ଡ ।

ମୋ ଆଗରୁ ଜଣେ କେହି ନ ଯିବ ଉବୁରି

ଏତେ ବୋଲି ଜରାସନ୍ଧ ସିଂହନାଦ କରି ।

ପୁଣି କ୍ରୋଧହୋଇ ବୋଲେ ଶୁଣରେ ଗୋପାଳ

ପୂର୍ବରୁ ତ ଜଣାଅଛି ତୋତେ ମୋର ବଳ ।

ଯେଉଁ କର୍ମ କଲ ତୁମ୍ଭେ ହୀନ ଜାତି ହୋଇ

ରକ୍ତ ମାଂସ ଦେହେ ତାହା କେ ପାରିବ ସହି ।

ବରଘେନି ନୃପଗଣେ କରିଛନ୍ତି ସଭା

ମଙ୍ଗୁଳିଲା କନ୍ୟା ନେଇ ତୁମ୍ଭେ ହେବ ବିଭା ।

ଶିଶୁପାଳ ବସିଅଛି ବାନ୍ଧିଣ ମୁକୁଟ

କନ୍ୟାକୁ ଚୋରାଇ ନେଲା ତୋ ଭାଇ ପାପିଷ୍ଠ ।

ଏଡ଼େ ବଡ଼ ଦ୍ରୋହ କର୍ମ କଲ ଅନିମିତ୍ତେ

ଦେହେ ପ୍ରାଣ ଥିଲେ ଏହା ସହିବ କେମନ୍ତେ ।

ଏତେବୋଲି ନୃପବର ଧନୁଗୁଣ ଟାଣି

ଲକ୍ଷେକ ବାବଲ ଶର ବସାଇଲା ଆଣି ।

ବଳରାମ ଉପରକୁ ପେଷିଲା ସତ୍ୱର

ନାରାଚ ଆସନ୍ତେ ଦୂରୁ ଦେଖି ହଳଧର ।

କତୁରି ନାରାଚ କାଢ଼ି ଧନୁମଧ୍ୟେ ସନ୍ଧି

ସବୁ ବାଣଯାକ ତାର ପକାଇଲେ ଛେଦି ।

ଅସ୍ତ୍ରହତ ହେବା ଦେଖି ଜରାସନ୍ଧ ବୀର

ଧାତିକାରେ ପେଷିଲା ସେ ପାଞ୍ଚଶତ ଶର ।

ଜୁଳୁଜୁଳାପୋକ ଯେହ୍ନେ ଉଡ଼େ ଶୂନ୍ୟମାର୍ଗେ

ତେସନକ ଆସୁଥିଲେ ଉଡ଼ି ସେ ଆଶୁଗେ ।

ବଳରାମ ସ୍ୱାମୀ ଦେଖି ଦର୍ହସିତ ହୋଇ

ତୀକ୍ଷ୍‌ଣମୁନା ଶରେ କାଟି ଦେଲେ ଫୋପଡ଼ାଇ   

ଦେଖିଣ ମଗଧେଶ୍ୱର ମହାକୋପ କଲା

ପନ୍ଦର ସହସ୍ର ବାଣ ପୁଣି ସରଜିଲା ।

ଆବର ସେ ଲକ୍ଷ ଲକ୍ଷ କ୍ଷୁରକାଣ୍ଡ ବିନ୍ଧି

ନିମିଷକେ ଯୁଦ୍ଧଦାଣ୍ଡ ପକାଇଲା ରୁନ୍ଧି ।

ହସ୍ତବ୍ୟଗ୍ର ଦେଖାଇ ସେ ପୁଣି ବାଣରାଜି

ଧନୁର୍ବେଦ ସୁମରିଣ ବିନ୍ଧିଲା ଗରଜି ।

ତରସ୍ତ ହୋଇଲେ ଭୟ ପାଇ ଯଦୁବଳ

ସେନାଙ୍କ ଆକୁଳ ଦେଖି କ୍ରୋଧେ କାମପାଳ  

ଅଧାଚନ୍ଦ୍ର ଶତେବାଣ ବସାଇଣ ଚାପେ

ଧନୁର୍ବେଦ ସୁମରି ତା ପେଷିଦେଲେ କୋପେ ।

ସେ ବାଣେ ବିହଙ୍ଗ ପ୍ରାୟ ଆକାଶରେ ଉଡ଼ି

ଜରାସନ୍ଧ ବାଣ କାଟି କଲେ ଗଡ଼ିଗଡ଼ି ।

ତା ଦେଖି ମଗଧ ନୃପ ଆଶ୍ଚର୍ଯ୍ୟ ହୋଇଲା

ଧନ୍ୟ ଧନ୍ୟ ଗଉଡ଼ ତୁ ବୋଲି ପ୍ରଶଂସିଲା ।

ମୋ ସଙ୍ଗେ ଯୁଝିବା ବୀର ଜଗତରେ ନାହିଁ

କ୍ଷତ୍ରିୟ ତୁ ନୋହୁ କେହ୍ନେ ଦମ୍ଭେ ଅଛୁ ରହି ।

ଏତେ ବୋଲି ଗୁଣନାଦ କରି ନୃପବର

ପର୍ବାତାସ୍ତ୍ର ବସାଇଣ ବିନ୍ଧିଲା ସତ୍ୱର ।

କୋଟି କୋଟି ପର୍ବତ ସେ ଅସ୍ତ୍ରରୁ ବାହାରି

ପୃଥ୍ୱୀଠାରୁ ଶୂନ୍ୟଯାଏ ଘୋଟିଲେ ଆବୋରି ।

ଶିଖର ଗହ୍ୱର ଦ୍ରୁମଲତା ଶାଳ ଶିଳ

ମନ୍ତ୍ରବଳେ ଜାତ ହେଲେ ଯେହ୍ନେ ମେଘମାଳ ।

ଅନ୍ଧକାର ଆଚ୍ଛାଦିଲା ନ ଦିଶିଲା ସୃଷ୍ଟି

ଗଗନ ମାର୍ଗରୁ ହେଲା ଶାଳ ଶିଳ ବୃଷ୍ଟି ।

ଦେଖି ବଳରାମ ସ୍ୱାମୀ ବଜ୍ରଶର ପେଷି

କ୍ଷଣକେ ପର୍ବତମାଳ ପକାଇଲେ ନାଶି ।

ତା ଦେଖି ଅନେକ ଲଜ୍ଜା ପାଇ ସେ ନୃପତି

ପନ୍ନାଗ ଶର କାଢ଼ିଣ ପେଷିଲା ତଡ଼ତି ।

ଗରୁଡ଼ାସ୍ତ୍ର ବରଷିଲେ ଦେଖି କାମପାଳ

ଭୟପାଇ ଉଡ଼ିଗଲେ ଦେଖି ନାଗବଳ ।

ଦେଖି ଜରାସନ୍ଧ ରାଜା କୋପାନଳ ହୋଇ

ମେଘାସ୍ତ୍ର ପ୍ରୟୋଗ କଲା ଗୁଣରେ ବସାଇ ।

ଲକ୍ଷେପଦ୍ମ ମେଘ ହୋଇ ସେ ଅସ୍ତ୍ରରୁ ଜାତ

ଘୋର ଗରଜନ କରି ଘୋଟିଲେ ଜଗତ ।

ଜଳବ୍ୟାଜେ କରନ୍ତି ସେ ଶରଧାରା ବୃଷ୍ଟି

ଘଡ଼ଘଡ଼ି ଶବଦରେ କମ୍ପେ ନବସୃଷ୍ଟି ।

ଝଟକି ବିଜୁଳି ଘୋଟି ମାରେ ଘନ ଘନ

ହୁଂକାର ନାଦେ ବହଇ ପ୍ରଚଣ୍ଡ ପବନ ।

ତା ଦେଖି ଅତ୍ୟନ୍ତ କୋପ କରି କାମପାଳ

ପବନାସ୍ତ୍ର ପେଷି ଉଡ଼ାଇଲେ ମେଘମାଳ ।

ଅସ୍ତ୍ରହତ ହେବା ଦେଖି ଜରାସନ୍ଧ ନୃପ

ଅଗ୍ନିବାଣ ବରଷିଲା ଓଟାରିଣ ଚାପ ।

ଉଠିଲା ପ୍ରଚଣ୍ଡ ବହ୍ନି ଜ୍ୟୋତି ସପ୍ତଶିଖା

ଝଲକି ଅନଳ କଣା ପଡ଼ଇ ଅଲେଖା ।

ଦାଉ ଦାଉ ଦିଶି ଉଠେ ଜ୍ୱଳନ୍ତା ଅନଳ

ପରିଘାଇ ଯୁଦ୍ଧ କରେ ସଙ୍କୋଚନ ବାଳ ।

ଦେଖି ସର୍ବ ଜୀବଜନ୍ତୁ କଲେ ହାହାକାର

ସ୍ୱର୍ଗପୁରେ ଦେବଗଣ ହୋଇଲେ ଅସ୍ଥିର ।

ଜଗତ ଦହିଲା ପ୍ରାୟ ଦିଶଇ ଅନଳ

ଦେଖି ଜଳଧାରା ଶର ଧରି କାମପାଳ ।

ଗୁରୁଦତ୍ତ ମନ୍ତ୍ର ପଢ଼ି ଛାଡ଼ିଦେଲେ ଟାଣି

ମୂଷଳ ଧାରା ପ୍ରମାଣେ ବରଷିଲା ପାଣି ।

ଜଳଧାରା ଅସ୍ତ୍ରେ ଯହୁଁ ଲିଭିଲା ଅନଳ

ଦେଖି ଉଚ୍ଚେ ସିଂହନାଦ କଲେ ଯଦୁବଳ ।

ଇତି ଶ୍ରୀ ଏ ହରିବଂଶ ପୁରାଣ ଆଖ୍ୟାନ

ଶୁକ ବୋଲନ୍ତି ହେ ଶୁଣ ପରୀକ୍ଷ ରାଜନ ।

ବେଳୁବେଳ ବୃଦ୍ଧି ହେଲା ଦୁହିଙ୍କ ସମର

ଦେବଙ୍କୁ ଦୁର୍ଲ୍ଲଭ ଯାହା ନରେ ଅଗୋଚର ।

ନୃପତିମାନଙ୍କ ଆଗେ ମିଳିଣ ଯାଦବେ

ନାନାଶସ୍ତ୍ର ମାରି ଯୁଦ୍ଧ କରୁଛନ୍ତି ସର୍ବେ ।

ରଥୀଙ୍କ ଆଗରେ ରଥ ଯୋଟାଇଲେ ରଥୀ

ଗଜେ ଗଜ ପରିତାଳ ମାହୁନ୍ତେ କରାନ୍ତି ।

ଅଶ୍ୱାରୋହୀ ଆଗେ ମିଳି ଅଶ୍ୱାରୋହୀ ଗଣ

ପଦାତିଏ ପଦାତିଙ୍କି ଡାକି କଲେ ରଣ ।

ବେଳୁବେଳ ବଢ଼ି ଯୁଦ୍ଧ ହେଲା ଭୟଙ୍କର

ନାନା ଶସ୍ତ୍ର ଧରି ବୀରେ କରନ୍ତି ପ୍ରହାର ।

ଛେଲ ଚକ୍ରକୁନ୍ତ ଭାଲି ଗୁରୁଜ ଶକତି

ଶାବେଳି ତୋମର ଗଦା କୋପେ ପ୍ରହାରନ୍ତି ।

ରଣେ ଉନମତ୍ତ ହୋଇ ବଡ଼ ବଡ଼ ଭେଣ୍ଡା

ଝାମ୍ପିଣ ହାଣନ୍ତି କରେ ଉଞ୍ଚାଇଣ ଖଣ୍ଡା ।

କର ଚରଣ ସହିତେ ମୁଣ୍ଡ ପଡ଼େ ଛିଡ଼ି

ଜାନୁଭଗ୍ନ ହୋଇ ଥୋକେ ପଡ଼ିଲେ ଅଜାଡ଼ି ।

କାହାର ଛିଡ଼ିଲା ପାଦ ଛିଡ଼େ କାହା ମୁଣ୍ଡ

ଅଣ୍ଟାଠାରୁ ଛିଡ଼ି ଥୋକେ ହେଲେ ବେନିଖଣ୍ଡ ।

ଗୁରୁଜ ବାଜନ୍ତେ କାର ଛିଡ଼େ ଆଣ୍ଠୁ ଗଣ୍ଠି

ପ୍ରାଣ ଭୟେ କେ ପଳାଏ ରଣେ ଦେଇ ପିଠି ।

କାର ବାହୁ ଛିଡ଼ିପଡ଼େ ବାଜି କାଣ୍ଡ ଖଣ୍ଡା

ଗଦାଘାତେ ଥୋକେ ପଡ଼ି ହେଲେ ମସୀଗୁଣ୍ଡା ।

ତୀକ୍ଷ୍‌ଣଶର ବାଜି ଅଙ୍ଗୁ ବହନ୍ତେ ରୁଧିର

ଗେରୁବୋଳା ଗିରି ପ୍ରାୟ ଦିଶଇ ଶରୀର ।

ଚାରିଊଣା ଲକ୍ଷେ ରାଜା ଚତୁରଙ୍ଗ ବଳ

ଯାଦବଙ୍କ ବାଣେ ସର୍ବେ ହୋଇଲେ ଆକୁଳ ।

ଥୋକେ ମଲେ ଥୋକେ ଶସ୍ତ୍ର ନ ମାରନ୍ତି ଧରି

ଯାଦବଙ୍କୁ ନିଜ ତେଜ ଦେଇଛନ୍ତି ହରି ।

ତେଣୁ ସେ ଯାଦବ ବଳ ସମରେ ଦୁର୍ଜ୍ଜୟ

ଗୋଡ଼ାଇ ମାରନ୍ତି ମନେ ନାହିଁ ତାଙ୍କ ଭୟ ।

ଏକ ଏକ ପ୍ରହାରକେ ଶତ ଶତ ମାରି

ପଡ଼ନ୍ତେ ମଡ଼ାରେ ପୂର୍ଣ୍ଣ ହେଲା ବସୁନ୍ଧରୀ ।

ବିଷମ ଶସ୍ତ୍ରାଘାତରେ ହାତୀ ଘୋଡ଼ା ଛିଡ଼ି

କୁଢ଼ କୁଢ଼ ଗଦା ହେଲେ ରଣଦାଣ୍ଡେ ପଡ଼ି ।

ବହିଲା ରକତ ନଦୀ ରଣରଙ୍ଗ ସ୍ଥାନେ

ଶୁଷ୍କକାଷ୍ଠ ପ୍ରାୟ ଭାସିଯାନ୍ତି ମଡ଼ାମାନେ ।

ଲକ୍ଷ ଲକ୍ଷ କବନ୍ଧ ଯେ ନୃତ୍ୟ କଲେ ଉଠି

ପର୍ବତ କାନନ ତୁଲେ କମ୍ପେ ନବସୃଷ୍ଟି ।

ଶୃଗାଳ ବାୟସ ଶ୍ୱାନ ଶ୍ୟେନ ଗୃଧ୍ର ପକ୍ଷୀ

କୋଳାହଳ ଧ୍ୱନି କଲେ ରକ୍ତ ମାଂସ ଭକ୍ଷି ।

ଭୈରବୀ ଚାମଣ୍ଡା ରଣଚଣ୍ଡୀ ଭଦ୍ରକାଳୀ

ଯୋଗିନୀ ବିଜୟା ଜୟା କଙ୍କାଳୀ ବେତାଳୀ ।

ଶ୍ମଶାନବାସିନୀ ଭୂତ ପ୍ରେତଗଣ ସଙ୍ଗେ

ମେଦ ମେଦା ଖାଇ ନୃତ୍ୟ କଲେ ନାନାରଙ୍ଗେ ।

କିଳିକିଳା କୁହୁ କୁହୁ ଭୟଙ୍କର ଧ୍ୱନି

ନାଚନ୍ତି ଉଲଗ୍ନ ହୋଇ ଶ୍ମଶାନ ବାସିନୀ ।

ବିକଟବଦନୀ ମୁକ୍ତକେଶୀ ଦିଗମ୍ବରୀ

ଲହ ଲହ ଜିହ୍ୱାକରେ କାତି ଖଣ୍ଡା ଧରି ।

ମେଦ ମାଂସ ଭୋଜନରେ ହୋଇ ମତୁଆଳି

କ୍ଷଣେ ନୃତ୍ୟକରି କ୍ଷଣେ ଦ୍ୟନ୍ତି ହୁଳହୁଳି ।

ନିରନ୍ତରେ ପଡ଼ୁଅଛି ଯାଦବଙ୍କ ବାଣ

କୋଟି କୋଟି ହୋଇ ସେନା ମଲେ ଅପ୍ରମାଣ ।

ରଥାରୋହୀ ଅଶ୍ୱାରୋହୀ ଗଜାରୋହୀମାନେ

ରଣଯୋଗ କରିଗଲେ ଶମନ ଭୁବନେ ।

ମଡ଼ାର ଉପରେ ମଡ଼ା ପଡ଼ିଲେ ନିଘଞ୍ଚେ

ବହିଲା ରକତନଦୀ ବେନିତାଳ ଉଚ୍ଚେ ।

ଲକ୍ଷେ ରାଜାଙ୍କର ସଙ୍ଗେ ଥିଲେ ଯେତେ ବଳ

ଯାଦବଙ୍କ ଶରାଘାତେ ଲୋଟିଲେ ସକଳ ।

ଦମଘୋଷ ତୁଲେ ରଣ କଲେ ଶକ୍ରାଜିତ

ରୁକବାହୁ ଉଦ୍ଧବର ଯୁଦ୍ଧ ଅପ୍ରମିତ ।

ଜୟଦ୍ରଥ ନାମେ ସିନ୍ଧୁଦେଶ ନରପତି

ଆଠସସ୍ର ରାଜା ଥାନ୍ତି ତାର ପଛକତି ।

ତାହାଙ୍କୁ ଆବୋରି ଏକା ସୁରଥ କୁମର

ଆଗଭର ହୋଇ ସେହୁ କରଇ ସମର ।

ଦିଗପାଳ ସମାନେ ସେ ଅତି ବଳବାନ

ଏକାଳେ ଜିଣିଲା ସେହୁ ତିନିଲକ୍ଷ ସୈନ୍ୟ ।

ଜରାସନ୍ଧ ସୁତ ଅଟେ ସହଦେବ ଜେନା

ତା ସଙ୍ଗେ ସହସ୍ରେ ରାଜା ସୈନ୍ୟ ଅକଳନା ।

ତୋଟା ପୂର୍ବଭାଗେ ସେହୁ ରହିଥିଲା ବେଢ଼ି

ଉଗ୍ରସେନ ସଙ୍ଗେ ଯୁଦ୍ଧ କଲା ନିଶ ମୋଡ଼ି ।

ଯାଦବଙ୍କୁ ବିଷ୍ଣୁ ତେଜ ଦେଇଛନ୍ତି ହରି

ଯୁଝନ୍ତି ଯାଦବ ତେଣୁ ଶଙ୍କା ଦୂର କରି ।

ଆପେ ଜରାସନ୍ଧ ରାଜା ଆସିଅଛି ବାହି

ଦୁଷ୍ଟ ରାଜାଏ ଯୁଝନ୍ତି ଆଗଭର ହୋଇ ।

ସାଧୁ ଶାନ୍ତ ନୃପମାନେ ଅପସରି ଗଲେ

ସମର ଉପେକ୍ଷି ଯେଝା ସ୍ଥାନରେ ରହିଲେ ।

ବେଳୁଁ ବେଳ ସଂଗ୍ରାମ ଯେ ହେଲା ହାଲହୋଳ

ମେଦ ରକତେ ପଙ୍କିଳ ଦିଶେ ମହୀତଳ ।

ଚୌରାଶୀ କୋଟି ଯାଦବେ ବେଢ଼ ମଧ୍ୟେ ଥାଇ

ସଂଗ୍ରାମ କରନ୍ତି ମନେ ଭୟ କିଛି ନାହିଁ ।

ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତି

ସାବଧାନ ହୋଇ ଶୁଣ ପଣ୍ଡୁ ପଣନାତି ।

କ୍ଷଣକେ ସଂଗ୍ରାମ ତହିଁ ହୋଇଲେକ ଯେତେ

ସଂକ୍ଷେପ କରିଣ ତାହା କହିବଇଁ କେତେ ।

ଚାରିଊଣା ଲକ୍ଷେରାଜା ଅପ୍ରମିତ ବଳ

ଚୌରାଶୀକୋଟି ଯାଦବେ ହୋଇଛନ୍ତି ଠୁଳ ।

କେ କେତେ ମାଇଲେ ତାର ତଦନ୍ତ ନ ଜାଣି

ନିରନ୍ତର ମଡ଼ା ପଡ଼ି ପୂରିଲା ଧରଣୀ ।

ସୈନ୍ୟ ଘେନି ନୃପେ ଥିଲେ ଯାଦବଙ୍କୁ ବେଢ଼ି

ବିକଳରେ ପ୍ରାଣ ଘେନି ପଳାଇଲେ ଛାଡ଼ି ।

ସଂଗ୍ରାମରେ ପିଠିଦେଇ ଜୀବନ ବିକଳେ

ଜରାସନ୍ଧ ପଛେ ଯାଇ ରହିଲେ ସକଳେ ।

ସୈନ୍ୟ ଭଙ୍ଗ ହେବା ଦେଖି ଜରାସନ୍ଧ ବୀର

ରଥରୁ ଡେଇଁଣ ଗଦା ଘେନି ଧାତିକାର ।

ଚକ୍ରାକାର କରି ଗଦା ଶୂନ୍ୟରେ ବୁଲାଇ

ବଳରାମଙ୍କ ଉପରେ ପିଟିଲା ନିଠାଇ ।

ତାଳଧ୍ୱଜ ରଥଦଣ୍ଡେ ବାଜି ଗଦାବର

ନିର୍ଘାତ ପରାୟେ ଶବ୍ଦ ହେଲା ଭୟଙ୍କର ।

ବଜ୍ରେ ବଜ୍ର ବାଣ ବାଜି ଯେହ୍ନେ ପରିତାଳ

ଉଠିଲା ବହନିଶିଖା ହୋଇଣ କରାଳ ।

ଦେଖି ଜରାସନ୍ଧ ରାଜା ମନେ ଲଜ୍ଜାପାଇ

ଆବର ବେଳେକ ଗଦା ପିଟିଲା ଉଞ୍ଚାଇ ।

ରାମଙ୍କ ସାରଥି ତାହା ଦେଖି ଅତିବେଗେ

ରଥକୁ ଘୁଞ୍ଚାଇ ନେଲା ନ ରଖିଣ ଆଗେ ।

ତଳେ ବାଜି ତିନିତାଳମହୀ ହେଲା ଖୋଳି

ପୁଣି ଧାତିକାରେ ଗଦା ଧଇଲା ସେ ତୋଳି ।

ତିନିଥର ବୁଲାଇଣ ଉପରକୁ ଟେକି

ମଲୁରେ ଗଉଡ଼ ବୋଲି ପ୍ରହାରିଲା ଡାକି ।

ଦେହେ ନ ବାଜୁଣୁ ତାହା ଦେଖି କାମପାଳ

ବାମଭୁଜେ ଛାଟି ଗଦା ପକାଇଲେ ତଳ ।

ତିନିବେଳ ବ୍ୟର୍ଥ ଯହୁଁ ହେଲା ଗଦାତାର

ରାମ ବିଚାରରେ ବଳ ସରିଲା ଏହାର ।

ପୁଣି ଜରାସନ୍ଧ ଗଦା ତୋଳି ଧରୁ ଧରୁ

କତୁରୀ ବାଣରେ ରାମ କାଟିଲେ ମଧ୍ୟରୁ ।

ଦେଖି ଜରାସନ୍ଧର ଯେ ନ ସ୍ଫୁରଇ କିଛି

ଭଗ୍ନଗଦା ପକାଇଣ ସଂକୋଚନ ବତ୍ସି ।

ତୀକ୍ଷ୍‌ଣଧାରା ଖଡ଼୍‌ଗ କରେ ଧରି ଧାତିକାର

ଗରଜନେ କମ୍ପାଇଲା ପୃଥ୍ୱୀ ଚରାଚର ।

ପଦାଘାତେ ବସୁମତୀ ହେଲା ଟଳମଳ

ଦେଖନ୍ତି ଦେଖଣାହାରୀ ହୋଇ ବେନିବଳ ।

ଦେଖି ବଳରାମ ସ୍ୱାମୀ କୋପେ ପରଚଣ୍ଡ

ଶର ମାରି ଖଡ଼୍‌ଗ ତାର କଲେ ଦୁଇଖଣ୍ଡ ।

ତତକ୍ଷଣେ ରୁଦ୍ରତେଜ ଧରି ସଂକର୍ଷଣ

ମନ୍ତ୍ରପଢ଼ି ବସାଇଲେ ପାଶୁପତ ବାଣ ।

କର୍ଣ୍ଣମୂଳ ପରିଯନ୍ତେ ଧନୁର୍ଗୁଣ ଟାଣି

ଆଜ୍ଞାଦେଲେ ଜରାସନ୍ଧ ମୁଣ୍ଡ ପକା ହାଣି ।

କାଳାନ୍ତକ ବାଣ ସେହି ଭୟଙ୍କର ମୂର୍ତ୍ତି

ପ୍ରଳୟ ସମର ସମ ଦିଶେ ତାର ଜ୍ୟୋତି ।

କୋପେ ମହାରୁଦ୍ର ରୂପ ଧରିଛନ୍ତି ହଳୀ

ସ୍ୱର୍ଗମଣ୍ଡଳ ପର୍ଯ୍ୟନ୍ତେ ଘୋଟିଛି ମଉଳି ।

ଶୁକ୍ଳାମ୍ବର ବିଷ୍ଣୁ କୁନ୍ଦ ଇନ୍ଦୁ ପ୍ରାୟ ସଭା

କ୍ଷୀରସିନ୍ଧୁ ଉଛୁଳିଲା ପ୍ରାୟ ତାଙ୍କ ଶୋଭା ।

ଲହ ଲହ ଜିହ୍ୱା ଶିରେ ଶୋହେ ସପ୍ତଫେଣୀ

ମଧ୍ୟାହ୍ନ ଆଦିତ୍ୟ ଜାଣି ଦିଶେ ନେତ୍ରବେନି ।

ଦକ୍ଷକରେ ମୁଦ୍ରା ବାମ କର୍ଣ୍ଣରେ କୁଣ୍ଡଳ

ବେନି ଭୁଜେ ଶୋଭାପାଏ ଲଙ୍ଗଳ ମୂଷଳ ।

କୋଟିକାମ ଜିଣି ରୂପ ଦିଶେ ଶୋଭାବନ

ଅତିକୋପେ କୋପାନଳ ହେଲେ ସଂକର୍ଷଣ ।

ସ୍ୱର୍ଗ ମଞ୍ଚ ପାତାଳରେ ବିକାଶିଲା ତେଜ

ବୃହସ୍ପତି ସହିତରେ ଦେଖି ଦେବରାଜ ।

ଭୟ ପାଇ ଦେବଗଣ କଲେ ନାନାସ୍ତୁତି

ଜୟ ଜୟ କାମପାଳ ଅଣାକାର ମୂର୍ତ୍ତି ।

କ୍ଷିତି ଆପ ତେଜ ପୁଣି ବାୟୁ ଯେ ଆକାଶ

ଏ ପଞ୍ଚଭୂତାତ୍ମା ତବ ଶରୀରୁ ପ୍ରକାଶ ।

ଅକ୍ଷୟ ଅଜରାମର ତୁମ୍ଭେ ଆଦିମୂଳ

ନିରଞ୍ଜନ ନିରାକାର ଅଟୁ ଶୂନ୍ୟଠୁଳ ।

କାଳ କାମ ନିଦ୍ରା ବଞ୍ଚାଇଲ ଯୋଗ ସାଧି

ଅଷ୍ଟାଙ୍ଗ ଯୋଗକୁ ଆପେ କରିଅଛ ସିଦ୍ଧି ।

ସ୍ଥାବର ଜଙ୍ଗମ ଜୀବଜନ୍ତୁ ଚାରିଖାନି

ତୁମ୍ଭେ ଭିଆଇଲ ଚରାଚର ଏ ମେଦିନୀ ।

ପୃଥ୍ୱୀର ବିକଳ ସ୍ୱାମୀ ନ ପାରିଲ ସହି

ଭାରା ନିବାରଣେ ଜନ୍ମିଅଛ ଦେହ ବହି ।

ତୁମ୍ଭେ ଯେବେ ଅସୁରଙ୍କୁ ନ ମାରନ୍ତ ବଳେ

ନିଶ୍ଚୟ ପଡ଼ନ୍ତା ପୃଥ୍ୱୀଦେବୀ ରସାତଳେ ।

ସ୍ଥାପକ ନାଶକ ତୁମ୍ଭେ ସଂସାର କରତା

ନମସ୍ତେ ହେ କାମପାଳ ତିନିଲୋକ ପିତା ।

ପୁରାଣ ପୁରୁଷ ତୁମ୍ଭେ ଅଟ ବିଶ୍ୱମୟ

ସର୍ବଦା କାଳରେ ଦେବଗଣଙ୍କ ଆଶ୍ରୟ ।

ଦେବ ଦେବ ମହାଦେବ ପରଂବ୍ରହ୍ମରୂପୀ

ସାଧକେ ଜପନ୍ତି ହୃଦ – କମଳରେ ଜପି ।

ସନକାଦି ସିଦ୍ଧଗଣ ବସି ଯୋଗାସନେ

ଯେଉଁରୂପ ଧ୍ୟାନ କରୁଛନ୍ତି ଅବିଚ୍ଛିନ୍ନେ ।

ସେ ରୂପ ଦର୍ଶନ କଲୁ ଆମ୍ଭେ ଦେବଗଣ

ସୃଷ୍ଟି ନାଶଯିବ ରୂପ କର ସଂହରଣ ।

ବଳରାମ ବଳଭଦ୍ର ବଳୀ ଗୁଣଗ୍ରାହୀ

ଅଚ୍ୟୁତ ଦାସକୁ ସ୍ୱାମୀ ଭବୁଁ କର ତ୍ରାହି ।

ଏସନକ ସ୍ତୁତି ଯହୁଁ କଲେ ଦେବଗଣ

ଶୁଣିଣ ସନ୍ତୋଷ ହେଲେ ପ୍ରଭୁ ସଂକର୍ଷଣ ।

ଦେବେ ଜଣାଇଲେ ସ୍ୱାମି କୋପ କର ଶାନ୍ତି

ଏ ଜରାସନ୍ଧକୁ ବଧ ନ କର ଏ ଘାନ୍ତି ।

ତୁମ୍ଭ କୋପ ସହିବାକୁ ଏ ନୁହେଁ ଭାଜନ

ସମୟେକ ବଞ୍ଚିଥାଉ ଦିଅ ଜୀବଦାନ ।

ଯୁଧିଷ୍ଠିଙ୍କ ରାଜସୂୟ ଯାଗ ପରିଯନ୍ତେ

ଏହାକୁ ନ ମାରି ରକ୍ଷା କର ଦୟାଚିତ୍ତେ ।

ଏହାଯୋଗେ ଦେବକାର୍ଯ୍ୟ ହୋଇବ ବହୁତ

ତୁମ୍ଭେ କି ନ ଜାଣ ପ୍ରଭୁ ଏଥିର ତଦନ୍ତ ।

ଦେବଙ୍କ ବଚନେ ତୁଷ୍ଟ ହୋଇ ସଂକର୍ଷଣ

ସଂହରି ରଖିଲେ ତୂଣେ ପାଶୁପତ ବାଣ  

ଜରାସନ୍ଧ ମୁଖ ଚାହିଁ ବୋଇଲେକ ହଳି

ତୋ ପରାୟେ ରାଜା ଆସି ହେଲୁ ଏତେ ଭଳି ।

ଅନେକ ପ୍ରତିଜ୍ଞା କରି ରଣେ ପଶିଥିଲୁ

କିଞ୍ଚିତ ନାରାଚ ମୋର ସହି ନ ପାରିଲୁ ।

ବେଳେ ତୋତେ ଛାଡ଼ିଦେଲି ପ୍ରାଣଦାନ ଦେଇ

ବଳଥିଲେ ରଥେ ବସି ଯୁଝ ପରିଘାଇ ।

ବଳଦେବ କଥା ଶୁଣି ହସି ଉଗ୍ରସେନ

ବୋଇଲେରେ ଜରାସନ୍ଧ ପଳା ତୁ ବହନ ।

ବିଶ୍ୱରୂପ ଧରିଛନ୍ତି କୋପେ କାମପାଳ

ତା ସମ୍ଭାଳି ପାରିବାକୁ ନାହିଁ ତୋର ବଳ ।

ତୁହି କି ନ ଜାଣୁ ଅତି ବଳେ ବଳରାମ

ଯା ଦେହରେ କୋଟି କୋଟି ସିଂହ ପରାକ୍ରମ ।

ଲକ୍ଷେ ଜରାସନ୍ଧ ଯେବେ କରିବେ ଆରେଣି

ତଥାପି ଏହାଙ୍କୁ ଯୁଦ୍ଧେ ନ ପାରିବେ ଜିଣି ।

ମର୍ତ୍ତ୍ୟ ମଣ୍ଡଳରେ ତୁ ଯେ ଅଟୁ ମହାରାଜା

ସୁଖେ ରାଜ୍ୟ ଭୁଞ୍ଜିବୁ ତୁ ପ୍ରାଣ ଘେନି ଯା ଯା ।

ଉଗ୍ରସେନ ବାକ୍ୟ ଶୁଣି ମଗଧ ନୃପତି

ବଳରାମ ରୂପ ଦେଖି ମନେ କରି ଭୀତି ।

ଅତ୍ୟନ୍ତ ଭୟରେ ରାଜା ହୋଇଲା କାତର

ବାତେ ରମ୍ଭାବନ ପ୍ରାୟେ କମ୍ପେ କଳେବର ।

ରଥ ଗଜ ଅଶ୍ୱ ଆଦି ଯାନ କରି ତ୍ୟଜ୍ୟା

ପାଦଗତି କରି ଲାଜେ ପଳାଇଲେ ରାଜା ।

କୁଣ୍ଡୀ କଟକରେ ନ ପଶିଲା ମାନଭଙ୍ଗେ

ବାହାରେ ପଳାଏ ନୃପଗଣ ଘେନି ସଙ୍ଗେ ।

ପଡ଼ିଲେ ଅନେକ ସୈନ୍ୟ ରଣେ ହୋଇ ହତ

ଏତେ ତେତେ ବୋଲି ସଂଖ୍ୟା କେ କରିବ ଅନ୍ତ ।

ସନ୍ତପନ୍ତ ହୋଇ ରାଜା ଅତ୍ୟନ୍ତ କାତରେ

ଭଗ୍ନବଳି ଘେନି ଯାଇ ମିଳିଲା ରାଜ୍ୟରେ ।

ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତ

କୁଣ୍ଡୀନଗ୍ରେ ପରବେଶ ହେଲା ଯାଇ ଦୂତ ।

ଶିଶୁପାଳ ବସିଅଛି ବରବେଶ ହୋଇ

ଗୁପତେ କହିଲା ଦୂତ ବେଦୀ ପରେ ଯାଇ ।

ଆହେ ଯୁବରାଜ ତୁମ୍ଭେ ସାବଧାନେ ଶୁଣ

ଏଡ଼େ ବଡ଼ କାର୍ଯ୍ୟ ସବୁ ହେଲା ଅକାରଣ ।

ଯାଦବମାନଙ୍କୁ ଘେନି କୃଷ୍ଣ ଆସିଥିଲେ

ଦେବୀମନ୍ଦିରରୁ କନ୍ୟା ହରି ଘେନିଗଲେ ।

ଚାରି ଊଣା ଲକ୍ଷେ ରାଜା ଘୋର ଯୁଦ୍ଧ କରି

ଯାଦବଙ୍କୁ ନ ପାରିଣ ପଳାଇଲେ ଡରି ।

ରଥ ଅଶ୍ୱ ପଦାତିକ ମଲେ କୋଟି କୋଟି

ବୀରଗଣ ପଡ଼ିଛନ୍ତି ଧରଣୀରେ ଲୋଟି ।

ଜରାସନ୍ଧ ନୃପତିକି ରାମ ଜିଣି ରଣେ

ଶିରଶ୍ଛେଦ କରୁଥିଲେ ପାଶୁପତ ବାଣେ ।

ଦେବକାର୍ଯ୍ୟ ପାଇଁ ଇନ୍ଦ୍ର କହିଲେ ବହୁତ

ତେଣୁ ନ ମାରିଣ ଛାଡ଼ିଦେଲେ ହଳହସ୍ତ ।

ମନେ ମହା ଲଜ୍ଜାପାଇ ମଗଧ ଭୂପାଳ

ନିଜ ରାଜ୍ୟେ ପଳାଇଲେ ଘେନି ଭଗ୍ନବଳ ।

ସବୁ ନୃପେ ଚାଲିଗଲେ ଯେ ଯାହା ରାଜ୍ୟକୁ

କେହି ଜଣେ ନାହିଁ ଆଉ ଏଥେ ଦେଖିବାକୁ ।

ମହତ ମର୍ଯ୍ୟାଦା ସବୁ ହୋଇଲାତ ନାଶ

ତୁମ୍ଭେ ଏଥେ ଥାଇ ଆଉ କରିବଟି କିସ ।

ଏସନକ ଉପହାସ ଦେଖା ଶୁଣା ନାହିଁ

ମଙ୍ଗୁଳିଲା କନ୍ୟା ଆନ ବିଭା ହେଲା ନେଇ ।

ଛୟାଣୋଇ ସସ୍ରରାଜା ଜଗି ରହିଥିଲେ

ଭେଳିକି ଲଗାଇ କୃଷ୍ଣ କନ୍ୟା ଘେନି ଗଲେ ।

ଦୂତମୁଖୁ ଏ ବଚନ ଶୁଣି ଶିଶୁପାଳ

ଗରଳ ଭକ୍ଷିଲା ପ୍ରାୟ ହେଲା ଅନ୍ତରାଳ ।

ଓଷ୍ଠ କଣ୍ଠ ଶୁଖି ହେଲା ଚିତ୍ତ ଛନ୍ନ ଛନ୍ନ

ତୁଟିଲା ଯେ ବଳବୁଦ୍ଧି ହତ ହେଳା ଜ୍ଞାନ ।

ମନେ ମନେ ବିଚାର ସେ କଲା ଗୁଣି ଗୁଣି

ଭୋ ବିଧାତା ମୋତେ ଏହା କରାଇଲୁ ଆଣି ।

କେଉଁ ପାପ ଅର୍ଜିଥିଲି ଦେଲୁ ଏତେ ଦୁଃଖ

କେମନ୍ତେ ଚାହିଁବି ଆଉ ମୁଁ କାହାର ମୁଖ ।

ମରଣୁ ଅଧିକ ବାଧା ଘଟିଲା ତ ମୋତେ

ନିର୍ଲଜ ଜୀବନ ଧରି ରହିବି କେମନ୍ତେ ।

ଏମନ୍ତ ବିଚାରି ଶୋକ କଲା ଶିଶୁପାଳ

ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।

ଧାଈ ମୁଦୁସୁଲୀମାନେ ଅନ୍ତଃପୁରେ ଥିଲେ

ମୁଖେ ବାସ ଦେଇ ହସି ଉପହାସ କଲେ ।

ଶିଶୁପାଳ ମୁଖ ଚାହିଁ କେ ବୋଲଇ ହସି

କନ୍ୟା ତ ଗଲାଣି ତୁମ୍ଭେ କି କରିବ ବସି ।

କେ ବୋଇଲେ ପାଞ୍ଚି ପିନ୍ଧି ବାନ୍ଧିଛ ମୁକୁଟ

ତା କାଢ଼ି ଦେବାକୁ କେହ୍ନେ ନ ଲାଗିବ କଷ୍ଟ ।

କେ ବୋଲେ ଏତିକି ମାତ୍ର ଏଥୁ ହେଲାଫଳ

ପାଦରେ ଅଳତା ନେତ୍ରେ ଲାଗିଲା କଜ୍ଜଳ ।

କେଉଁ ଧାଈ ବୋଲେ ବାଟ ବରଣରେ ଶୋଭା

ଭାବୁଥିଲେ ଲାଗୁଥିବ ହେଲାପରି ବିଭା ।

କେ ବୋଲେ କିପାଇଁ ଏତେ କରୁଅଛ ଥଟ୍ଟା

ରୁକ୍ମିଣୀ ଗୁଣରୁ ସିନା ହେଲା ହଟହଟା ।

କେ ବୋଲେ ରୁକ୍ମିଣୀ କଲା କହ କେଉଁଦୋଷ

ତା ଭାଇ ରୁକ୍ମଣ ଯୋଗୁଁ ହେଲା ଏ ଭବିଷ୍ୟ ।

ସେ ଯେବେ କୃଷ୍ଣଙ୍କୁ ବରି ଆଣିଥାନ୍ତା ଆଗ

ରୁକ୍ମିଣୀ କିପାଇଁ ମନେ ବହିଥାନ୍ତା ଖଙ୍ଗ ।

କୋଟି କାମ ଜିଣି ଦିଶେ କୃଷ୍ଣଙ୍କ ମୂରତି

ତେଣୁ ଶିଶୁପାଳେ ତାର ନ ବଳିଲାମତି ।

ଏହା ଜାଣି ନଗ୍ରଲୋକ ଥିଲେ ଯେତେ ତହିଁ

ବୋଇଲେ ଯଥାର୍ଥ ଅଟେ ଏ ଯାହା କହଇ ।

ଭୀଷ୍ମକ ନୃପତି କରିଥିଲେ ସ୍ୱୟମ୍ବର

ରୁକ୍ମିଣୀ ତା ଇଚ୍ଛାମତେ କରିଥାନ୍ତା ବର ।

ରୁକ୍ମଣ ଗର୍ବିତ ପଣେ ଅଗ୍ରସର ହେଲା

ଏହାପରା କୁମରକୁ ବିଡ଼ମ୍ବନ କଲା ।

କେ ବୋଲେ ଜୀଇଁବାଠାରୁ ମୃତ୍ୟୁ ଶ୍ରେୟସ୍କର

ପାଦରେ ଅଳତା ପୁଣି କପୋଳେ ସିନ୍ଦୂର ।

ଅସରଳା ସୂତା ବାନ୍ଧି ବସିଅଛି ଏହି

ୟାଠାରୁ ନିର୍ଲ୍ଲଜ ଆଉ ଜଗତେ କେ ନାହିଁ ।

କୃଷ୍ଣଙ୍କୁ ଏ କେଉଁଗୁଣେ ସମ ହେବ ଅବା

ବେଦୀରେ ବସିଛି ସତେ ହେଲା ପରି ବିଭା ।

କେ ବୋଲେ ରୁକ୍ମଣ କୋପେ ଯୁଝିବାକୁ ଗଲା

କୃଷ୍ଣଙ୍କୁ ମାରିଣ କନ୍ୟା ଆଣିବ ବୋଇଲା ।

କନ୍ୟା ଦେବ ବୋଲି ୟାକୁ ରଖିଛି ବସାଇ

ଏ ନିର୍ଲ୍ଲଜ ବସିଅଛି ସତ ବୋଲି ଚାହିଁ ।

ଟେଳା ମାର ଯେବେ ଏଥୁଁ ନ ଗଲା ଏ ଉଠି

ଏତେବୋଲି ଧରି ପକାଇଲେ ତାର ପିଠି ।

ତା ଦେଖିଣ ଶିଶୁପାଳ ପାଇ ଘୋରଲଜ୍ଜା

ବିଚାରିଲା ପ୍ରାଣ ନିଶ୍ଚେଁ କରିବଇଁ ତେଜ୍ୟା ।

ହାତୁ ଅସରଳା ସୁତା ପକାଇଲା ଫେଇ

ଗୋଡ଼ରୁ ଅଳତା ପୋଛି ମୁକୁଟ ଛିଣ୍ଡାଇ ।

ସିନ୍ଦୂର ଲିଭାଇ ପୁଣି ଫିଙ୍ଗିଦେଲା ମୁଦି

ପୁରୁଣା ବସନ ପିନ୍ଧି ପାଲଟିଲା ଖଦି ।

ବେଦୀର ଉପରେ ଯେଉଁ ଦ୍ୱିଜେ ବସିଥିଲେ

ଏସନ ରହସ୍ୟ ଦେଖି ଯେଝା ଘରେ ଗଲେ ।

ପଣ୍ଡିତ ଜ୍ୟୋତିଷ ନଟ ଭାଟ ଆଦିକରି

ବିଫଳ ଆଶା ହୋଇଣ ପଳାଇଲେ ଫେରି ।

ଇତି ଶ୍ରୀ ହରିବଂଶ ପୁରାଣର କୀର୍ତ୍ତି

ପରୀକ୍ଷ ଆଗେ କହନ୍ତି ଶୁକ ବ୍ରହ୍ମଯତି ।

ଅତି ଭାଗ୍ୟେ ଭାଗବତ କୃଷ୍ଣଲୀଳା ରସ

ଅଚ୍ୟୁତ କହଇ ଜନେ ଶୁଣି ହୁଅ ତୋଷ ।

 

ହରିବଂଶ ଷଷ୍ଠ ଖଣ୍ଡ

କୃଷ୍ଣଙ୍କୁ ଜିଣିବାପାଇଁ ରୁକ୍ମଣର ତପସ୍ୟା

 

ଏଥୁଅନ୍ତେ ମନ ଦେଇ ଶୁଣ ମହୀପାଳ

କୁଣ୍ଡୀନଗ୍ରେ ଅପମାନ ପାଇ ଶିଶୁପାଳ ।

ମନ ଛନ୍ନ ଛନ୍ନ ଆତ୍ମା ହୁଅଇ ଅସ୍ଥିର

ବେଦୀରୁ ଓହ୍ଲାଇ ଅଶ୍ୱ ଚଢ଼ି ଧାତିକାର ।

ନବରୁ ବାହାରିଲା ଯେ ବଦନ ନୁଆଁଇ

ପଳାଏ ହସନ୍ତି ଲୋକେ କରତାଳି ଦେଇ ।

ଚାରିଊଣା ଲକ୍ଷେ ରାଜା ସଙ୍ଗେ ଆସିଥିଲେ

ଯେଝାବାଟେ ଖୋଜି ସର୍ବେ ପଳାଇଣ ଗଲେ ।

ଜରାସନ୍ଧ ଯାଇ ନିଜ ରାଜ୍ୟେ ପରବେଶ

ଚେଦିଦେଶେ ଚଳିଗଲା ନୃପ ଦମଘୋଷ ।

ଅନେକ ସଇନ୍ୟ ଅଶ୍ୱ ଗଜ ପଏକାର

ଯାଦବଙ୍କ ବାଣେ ମରି ଗଲେ ଯମପୁର ।

ବଳରାମ ସ୍ୱାମୀ ବଳେ ଜୟ କରି ରଣ

କୁଣ୍ଡୀ ନଗ୍ରେ ବାହାରିଲେ ଶଙ୍ଖ ବଜାଇଣ ।

ଚୌରାଶୀ କୋଟି ଯାଦବ ଘେନାଇ ସଙ୍ଗରେ

ଦ୍ୱାରାବତୀ ଭୁବନକୁ ଚଳିଲେ ତ୍ୱରିତେ ।

ପାଦୁକାମନ୍ତ୍ର ସୁମରି ଗଲେ ପଥ ବାହି

ରବି ଅସ୍ତେ ଦ୍ୱାରକାରେ ପ୍ରବେଶିଲେ ଯାଇ ।

ଯେ ଯାହା ଘରକୁ ଗଲେ ଯାଦବ ସକଳ

ଆପଣା ନବରେ ଯାଇ ବିଜେ କାମପାଳ ।

କୃଷ୍ଣଙ୍କୁ କହିଲେ ସ୍ୱାମୀ ସକଳ ବାରତା

ସଂଗ୍ରାମରେ ହୋଇଥିଲା ଯେତେ ଯେତେକଥା ।

ଶ୍ରୀକୃଷ୍ଣ ବୋଇଲେ ସ୍ୱାମୀ ମୋ ସଙ୍ଗେ ରୁକ୍ମଣ

ବହୁତ ସମର କଲା ବାଟରେ ଭେଟିଣ ।

ରୁକ୍ମିଣୀକି ନେବେ ବୋଲି ଆସି କୋପଚିତ୍ତେ

ଅନେକ ଭର୍ତ୍ସନା କରି ଗାଳି ଦେଲା ମୋତେ ।

ବଡ଼ ଦୁଷ୍ଟ ଅଟଇ ସେ ରୁକ୍ମଣ ପାମର

ନାନା ଶସ୍ତ୍ର ପେଷି କଲା ମୋ ସଙ୍ଗେ ସମର ।

ମୁଁ ତାହାର ଦୁଷ୍ଟପଣ ଦେଖି କ୍ରୋଧ ଚିତ୍ତେ

ନାଗପାଶେ ଧରିଆଣି ବାନ୍ଧିଦେଲି ରଥେ ।

ଖଡ଼୍‌ଗ ଟେକି ମୁଣ୍ଡ ତାର ଦେଉଥିଲି ହାଣି

ବହୁତ ବିନୟେ ମୋତେ କହିଲେ ରୁକ୍ମିଣୀ ।

ତାଙ୍କ କଥା ଘେନିଣ ମୁଁ ଜୀବନେ ନ ମାରି

ଦ୍ୱାରକାକୁ ଆଣିଅଛି ରଥେ ବାନ୍ଧିକରି ।

ସାତବେଣ୍ଟି କରିଅଛି କେଶ କାଟି ତାର

ଅଦ୍ୟାପି ରଥରେ ବନ୍ଧା ହୋଇଛି ପାମର ।

ଏହାଶୁଣି ମନ୍ଦହାସ କରି ବଳଦେବ

ବୋଇଲେ କିପାଇଁ ଦେଲ ଏତେ ପରାଭବ ।

ଭୀଷ୍ମକ ରାଜାର ଜ୍ୟେଷ୍ଠପୁତ୍ର ଅଟେ ସେହି

ପୁଣି ତୁମ୍ଭ ନିଜ ଶଳା ରୁକ୍ମିଣୀର ଭାଇ ।

ତାକୁ ଏତେ ଦଣ୍ଡ ଦେବା ନୁହଇ ଉଚିତ

ନ ଜାଣିବାପଣେ ସେହୁ କଲା ମନ୍ଦକୃତ୍ୟ ।

ଦୁଷ୍ଟବୁଦ୍ଧି ଧରେ ଲୋକ ଅଜ୍ଞାନ ବିହ୍ୱଳେ

ଆମ୍ଭେ ଏହା ନ ସହିଲେ ନିନ୍ଦିବେ ସକଳେ ।

ଯୁକତେ ତୁମ୍ଭ ଶ୍ୱଶୁର ଭୀଷ୍ମକ ରାଜନ

ତାହାଙ୍କର ଜ୍ୟେଷ୍ଠପୁତ୍ର ଅଟଇ ରୁକ୍ମଣ ।

ରୁକ୍ମିଣୀ ଉପ୍ରୋଧେ ଏହା ଦୋଷ କ୍ଷମାକର

ଜାଣୁ ଜାଣୁ ହେବା କେହ୍ନେ ବଇରୀ ତାହାର ।

ଶଳାକୁ ବାନ୍ଧିଛି ବୋଲି ସମସ୍ତେ କହିବେ

ଜନମୁଖେ ଅପବାଦ ହେବ ଠାବେ ଠାବେ ।

ଦୋଷ ଅନୁରୂପ ଦଣ୍ଡ ପାଇଲାଣି ସେହୁ

ବନ୍ଧନରୁ ଫେଡ଼ିଦିଅ ପିତା ପାଶେ ଯାଉ ।

ରାମଙ୍କ ମୁଖରୁ ଏହା ଶୁଣି ଚକ୍ରଧର

ରୁକ୍ମଣକୁ ବନ୍ଧନରୁ ଫିଟାଇ ସତ୍ୱର ।

ବୋଇଲେ ତୋ ଦୋଷ ଦେଖି ବାନ୍ଧି ରଖିଥିଲୁ

ରୁକ୍ମିଣୀ ଉପ୍ରୋଧ ତୋତେ ଫିଟାଇଣ ଦେଲୁ ।

ବଳରାମ ସ୍ୱାମୀ ତୋତେ କଲେ ଅନୁରାଗ

ତେଣୁ ଆମ୍ଭେ ଛାଡ଼ିଦେଲୁ ଥିଲା ଯେତେ ରାଗ ।

ଆପଣା ରାଜ୍ୟକୁ ଯାଅ ଛାଡ଼ି ଦୁଷ୍ଟବୁଦ୍ଧି

ସତ୍ୱରେ ଘେନାଇ ଆସ ବିଭା ସଞ୍ଚାବିଧି ।

ରୁକ୍ମଣ ରାମଙ୍କ ଯୋଗେ ଫିଟି ବନ୍ଧନରୁ

ତତକ୍ଷଣେ ପଳାଇଲା ଦ୍ୱାରକା ନବରୁ ।

ବନ୍ଧନରୁ ଫିଟି ମନେ ପାଇ ଘୋର କଷ୍ଟ

ବିଚାରଇ ସବୁକାର୍ଯ୍ୟ ଗଲା ମୋର ନଷ୍ଟ ।

ମୋ କପାଳେ ଏହା ଲେଖି ରଖିଥିଲା ବିହି

ଏତେ ଚିନ୍ତି ଶୋକ କଲା ଆକୁଳିତ ହୋଇ ।

କ୍ରୋଟରାଗ୍ନି ପ୍ରାୟେ ଚିତ୍ତ ହେଲା ଅନ୍ତରାଳ

ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।

ପୁଣି ବିଚାରଇ ମୋର କର୍ମ ଏଡ଼େ ହୀନ

ରାଜପୁତ୍ର ହୋଇଣ ମୁଁ ହେଲି ହୀନିମାନ ।

ଯାହା ମନେ ପାଞ୍ଚିଥିଲି ତା ନୋହିଲା ସିଦ୍ଧି

ତୁଟିଲା ମୋ ବଳବୀର୍ଯ୍ୟ ଗଲା ବିଦ୍ୟାବୁଦ୍ଧି ।

ଗୁରୁଜନ ବାକ୍ୟ ଲଙ୍ଘି କଲି ଅନୁକୁଳ

ମାନହାନି ହେଲା କାର୍ଯ୍ୟ ନୋହିଲା ସଫଳ ।

କା ଆଗେ କହିବି ଏହା କର୍ମଦୋଷ ମୋର

ଜୀଇଁବାଠାରୁ ମରଣ ଅଟେ ଶ୍ରେୟସ୍କର ।

କ୍ଷତ୍ରିପୁତ୍ର ହୋଇଣ ମୁଁ ହେଲି ସାତବେଣ୍ଟି

ଛାର ଗଉଡ଼ ମୋହର କାଟୁଥିଲା ତୋଟି ।

ଏତେ ପରପଞ୍ଚ ମୋତେ କଲା ପୁଣି ସେହି

ଅନଳେ ଝାସିବି ଆଉ ପ୍ରାଣେ କାର୍ଯ୍ୟ ନାହିଁ ।

ରାଜ୍ୟେ ଗଲେ କାହା ମୁଖ ଚାହିଁବି କିପରି

କି ବୋଲିବେ ଲୋକେ ମୋତେ ଏହା ଦେଖିକରି ।

ସମସ୍ତେ ଜଣନ୍ତି ମୋର ବୀର ଶୂରପଣ

କର୍ମ ଅବଳକୁ ସବୁ ହେଲା ଅକାରଣ ।

ଯୁଗ ଯୁଗାନ୍ତର ଯାଏ ଥିବ ଏହି କଥା

ଜନମୁଖେ ଅପବାଦ ନ ଯାଏ ସର୍ବଥା ।

ଏତେ ବୋଲି ଏଣେ ତେଣେ ଚାହିଁଣ ଲେଉଟି

କପାଳରେ କର ମାରେ ଊର୍ଦ୍ଧ୍ୱେ ଦେଇ ଦୃଷ୍ଟି ।

ଚାଲନ୍ତେ ଚରଣ ବେନି ନ ପଡ଼ଇ ତଳେ

ଭୟପାଇ ପଛଆଡ଼େ ଚାହେଁ ବେଳେ ବେଳେ ।

ପୁଣି କୃଷ୍ଣ ଆସି ବାଟୁ ବାନ୍ଧିନେବା ଭୟେ

ଖାଲ ପର୍ବତ ଡିଙ୍ଗର ମାଡ଼ି ଚାଲିଯାଏ ।

ବାଇ ବାତୁଳ ପରାୟେ ଛନ୍ନ ଛନ୍ନ ଚିତ୍ତେ

କି ଉପାୟ କରିବି ମୁଁ ଭାଳେ ପଞ୍ଚଭୂତେ ।

ଏ ଛାର ଜୀବନ ଘେନି ଯେବେ ମୁଁ ବଞ୍ଚିବି

ରାଜାମାନେ ପଚାରିଲେ କି ବୋଲି କହିବି ।

ବିଷ ଖାଇ ଦେହତ୍ୟାଗ କରିବି ଯଦ୍ୟପି

ଆତ୍ମଘାତୀ ଦୋଷରେ ତ ହେବି ମହାପାପୀ ।

ପୁଣି ଭାବେ ପ୍ରାଣ ଥିଲେ ସବୁ ଅର୍ଜିପାରି

ଶରୀର ଛାଡ଼ିଲେ ଶତ୍ରୁ ସାଧିବି କିପରି ।

ବ୍ରହ୍ମଚର୍ଯ୍ୟ ଦୀକ୍ଷା ଘେନି ବିଚାରି ସଂକଳ୍ପ

ଈଶ୍ୱରଙ୍କୁ ମନାଇବି କରି ଘୋରତପ ।

ଆହାର ବିହାର ଆଦି ଯେତେ ଭୋଗ ଅଛି

ତପ ସିଦ୍ଧି ହେବାଯାଏ ସବୁ ଦେବି ମୂର୍ଚ୍ଛି ।

ଯଦ୍ୟପି ପ୍ରସନ୍ନ ମୋତେ ହେବେ ଦିଗମ୍ବର

ରାମକୃଷ୍ଣ ଜିଣିବାକୁ ମାଗିବଇଁ ବର ।

ଯେବେ ତପକରି କିଛି ଫଳ ନ ପାଇବି

ଶିବଙ୍କର ପରେ ହତ୍ୟାଦେଇ ମୁଁ ମରିବି ।

ଏମନ୍ତ ନିଶ୍ଚୟ କରି ଆପଣା ମନରେ

ପ୍ରବେଶ ହୋଇଲା ଯାଇ ନର୍ମଦାର ତୀରେ ।

ନଦୀଜଳେ ସ୍ନାନକରି କଷାବାସ

ମୁଣ୍ଡେ ଜଟା ବାନ୍ଧି ଅଙ୍ଗେ ବୋଳି ହେଲା ଭସ୍ମ ।

ପୂଜାବିଧି ଉପଚାର ଭିଆଇ ସକଳ

ବେନି କର୍ଣ୍ଣ ପିନ୍ଧିଲା ସେ ତମ୍ବାର କୁଣ୍ଡଳ ।

ପ୍ରୋକ୍ଷଣି ପବିତ୍ର ସ୍ୱାହା ସ୍ୱଧା କୁଶବିଡ଼ି

କୁଶାସନ କମଣ୍ଡଳୁ ତୁଲେ ଆଶାବାଡ଼ି ।

ନାନାଦି ସୁଗନ୍ଧ ପୁଷ୍ପ ନାନାସ୍ୱାଦୁ ଫଳ

ଯତନେ ଥୋଇଲା ପୂଜା ବିଧାନ ସକଳ ।

ପବିତ୍ର ଆସନେ ବସି ମାଳା ଧରି କରେ

ମୃତ୍ତିକା ଶଙ୍କର ପୂଜା କଲା ଭକ୍ତିଭରେ ।

କାମ କ୍ରୋଧ ମୋହଆଦି ଛାଡ଼ି ବାହ୍ୟଜ୍ଞାନ

ମନ ପବନକୁ ଛନ୍ଦି ଲଗାଇଲା ଧ୍ୟାନ ।

ଲାଗିଲାକ ଭେଦମୁଦ୍ରା କଲା ଘୋରତପ

କୃଷ୍ଣଙ୍କୁ ଜିଣିବା ପାଇଁ କରିଛି ସଂକଳ୍ପ ।

ଶୁକ ବୋଲନ୍ତି ହୋ ରାୟେ ପରୀକ୍ଷିତ ଶୁଣ

ଇତି ଶ୍ରୀ ଏ ହରିବଂଶ ରୁକ୍ମିଣୀ ହରଣ ।

ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ୱଂସ

କହଇ ଅଚ୍ୟୁତାନନ୍ଦ କୃଷ୍ଣଲୀଳା ରସ ।

 

ବ୍ରହ୍ମାଦି ଦେବଗଣଙ୍କର ଦ୍ୱାରକା ପ୍ରବେଶ ଓ ରୁକ୍ମିଣୀ ବିଭା

 

ଏଥୁଅନ୍ତେ ରାମକୃଷ୍ଣ ଦ୍ୱାରକା ଭୁବନେ

ଯାଦବଙ୍କୁ ସଙ୍ଗେ ଘେନି ବସିଲେ ଆସ୍ଥାନେ ।

ଅନ୍ତଃପୁରେ ବାସ କଲେ ରୁକ୍ମିଣୀ ସୁମେଧା

ତୁଟିଲା ମନରୁ ଭ୍ରାନ୍ତି ଗଲା ସବୁ ବାଧା ।

ଯେତେ ନାରୀ କରିଥିଲେ ଅନ୍ତଃପୁରେ ବାସ

ରୁକ୍ମିଣୀଙ୍କ ରୂପ ଦେଖି ସର୍ବେ ହେଲେ ତୋଷ ।

ସଭାଭଙ୍ଗ କରି ଗଲେ ଉଗ୍ରସେନ ରାୟେ

ଅନ୍ତଃପୁରେ ବିଜେ କଲେ ରାମକୃଷ୍ଣ ଦୁହେଁ ।

ଯେ ଯାହାର ନିତ୍ୟକର୍ମେ ଲାଗିଲେ ଯାଦବେ

ସବୁରି ମନ ପୂରିଛି ଆନନ୍ଦ ଉତ୍ସବେ ।

ଏଥୁ ଅନନ୍ତରେ କଥା ଶୁଣ ପରୀକ୍ଷିତ

ରୁକ୍ମିଣୀଙ୍କୁ ହରିନେଲେ ଯହୁଁ ଗୋପୀନାଥ ।

କୁଣ୍ଡୀ କଟକରେ ହେଲା ଅତ୍ୟନ୍ତ ଚହଳ

ଭୀଷ୍ମକ ନୃପତି ଦେଖି ଏ କଥା ସକଳ ।

ଚାରି କୁମରଙ୍କୁ ଡାକି ଅଣାଇଲେ ପାଶ

ସତ୍ୟବତୀ ରାଣୀ ଆସି ହୋଇଲେ ପ୍ରବେଶ ।

ପାତ୍ର ଅମନାତ୍ୟ ମନ୍ତ୍ରୀ ପୁରୋଧା ସହିତେ

ଗୋଟି ଗୋଟି ହୋଇ ଆସି ମିଳିଲେ ସମସ୍ତେ ।

ସମସ୍ତଙ୍କୁ ଚାହିଁ ନୃପ ବୋଲନ୍ତି ଏ ବାଣୀ

କି ବୁଦ୍ଧି କରିବି ଏହା କଲା ମୋ ରୁକ୍ମିଣୀ ।

କୌଣସି ପ୍ରକାରେ କାର୍ଯ୍ୟ ନୋହିଲା ମୋହର

ଅକାରଣେ ବୃଥା ହେଲା ଏଡ଼େକ ସମ୍ଭାର ।

କେବଣ ଯୋଗେ ଦୁହିତା ହେଲା ମୋର ଜନ୍ମ

କାହିଁ ଦେଖି ନ ଥିଲି ମୁଁ ଅନ୍ୟାୟ କର୍ମ ।

କେତେ ଧନ୍ଦି ହେଲି ମୁହିଁ ତାହାର ନିମନ୍ତେ

ଲକ୍ଷେରାଜା ଅଗ୍ରେ ନିନ୍ଦା ହୋଇଗଲା ମୋତେ ।

ଯେବେ କୃଷ୍ଣପ୍ରତି ତାର ବଳିଥିଲା ମନ

ସ୍ୱୟମ୍ବର କାଳେ କିପାଁ ନ କଲା ବରଣ ।

ଆରେକ ଦୋଷ ତାହାର ଶୁଣ ବିପରୀତ

ଗୁପତରେ ଦ୍ୱାରକାକୁ ପଠାଇଲା ଦୂତ ।

ଆମ୍ଭେ ପିତାମାତା ଅଟୁ ତାର ଅଧିକାରୀ

ଆମ୍ଭଙ୍କୁ ନ କହି ଦୂତ ପେଷିଲା କିପରି ।

ଯେବଣ ଦୁହିତା ଅଟେ ଦାରିଦ୍ର୍ୟ ଭଞ୍ଜନୀ

ପ୍ରତ୍ୟକ୍ଷରେ କମଳା ସେ ଜଗତ ଜନନୀ ।

ଯା ନାମ ଧରନ୍ତେ ହୁଏ ମହାପାପ କ୍ଷୟ

ରୋଗ ଶୋକ ନାଶଯାଏ ଖଣ୍ଡି ସର୍ବଭୟ ।

ଏତେ ଗୁଣ ଥାଇ ଯେବେ କଲା ସେ ଅକର୍ମ

ବିଚାର ଏ କଥା ତାର ଅଟଇ କି ଧର୍ମ ।

ଭୋ ଧର୍ମ ହୋଇଲି ମୁହିଁ ଅକାରଣେ କଷ୍ଟୀ

ରୁକ୍ମିଣୀ ଯୋଗରେ ହେଲା ଏସନ ଅରିଷ୍ଟି ।

ଏଡ଼େକ ସମ୍ଭାର ମୋର ହୋଇଲା ବିଅର୍ଥ

କିଏ କନ୍ୟା ହରିନେଲା ନ ଜାଣଇ ତଥ୍ୟ ।

ମୁହିଁ ନେତ୍ରେ ଦେଖିନାହିଁ କୃଷ୍ଣ ନେଲେ ବୋଲି

ଏତେବେଳେ ଯାଏ ତଥ୍ୟ ବାର୍ତ୍ତା ନ ପାଇଲି ।

କାହାକୁ ପୁଚ୍ଛିବି ଏହା କେ କହିବ ମୋତେ

ଏମନ୍ତ କହିଣ ଶୋକ କଲେ ବିହ୍ୱଳିତେ ।

ଗର୍ଭକଷ୍ଟ ସହି ମାତ କରିଥିଲା ଜାତ

କେମନ୍ତେ ସମ୍ଭାଳି ହୋଇ ରହିବ ତା ଚିତ୍ତ ।

ଜନମୁଖେ ଅପବାଦ ନିଜମନେ ବ୍ୟଥା

ଚନ୍ଦ୍ରସୂର୍ଯ୍ୟ ଥିବାଯାଏ ଥିବ ଏହି କଥା ।

ପାଞ୍ଚପୁତ୍ର ମଧ୍ୟେ ମୋର ଦୁହିତା ଗୋଟିଏ

ତା ଲାଗି ହୋଇଲି ମୁହିଁ ଏତେ ସରିଯାଏ ।

ବେଦୀରେ ବସାଇ ବିଭା କରି ନ ପାରିଲି

କାର୍ଯ୍ୟ କାରଣ ନୋହିଲା ବିଡ଼ମ୍ବିତ ହେଲି ।

ରୁକ୍ମିଣୀ ଚିନ୍ତାରେ ଥୟ ନୁହଇ ମୋ ଦେହ

କି ବୁଦ୍ଧି କରିବି ସର୍ବେ ବିଚାରିଣ କହ ।

ଏମନ୍ତ ବିଚାର ସର୍ବେ କରୁଛନ୍ତି ବସି

ରୁକ୍ମଣର ବାର୍ତ୍ତା ଘେନି ଡଗରେକ ଆସି ।

କରଯୋଡ଼ି ଜଣାଇଲା ଶୁଣ ନୃପବର

ଆଜର ଚରିତ ହେଲା ଅତି ଅଗୋଚର ।

ଦେବୀ ମନ୍ଦିରେ ରୁକ୍ମିଣୀ ପୂଜା କରୁଥିଲେ

ସେଠାରୁ ଶ୍ରୀକୃଷ୍ଣ ତାଙ୍କୁ ହରି ଘେନିଗଲେ  

ରୁକ୍ମଣ ତା ଜାଣିପାରି ଏକା ରଥେ ବସି

ପଛେ ପଛେ ଗୋଡ଼ାଇଲେ କରେ ଧନୁ କଷି ।

ଥୋକେ ଦୂରଯାନ୍ତେ ବାଟେ ହେଲେ ଭେଟାଭେଟି

ରୁକ୍ମଣଙ୍କୁ ଦେଖି କୃଷ୍ଣ ରହିଲେ ପାଲଟି ।

ବହୁତ ଝିଙ୍ଗାସି ତାଙ୍କୁ କହିଲେ ରୁକ୍ମଣ

ପରସ୍ପରେ କଲେ ଦୁହେଁ ଭୟଙ୍କର ରଣ ।

କୃଷ୍ଣଙ୍କୁ ସମରେ ହାରି ରୁକ୍ମଣ ରହନ୍ତେ

ତୁମ୍ଭ ପୁତ୍ର ପ୍ରାଣ ଘେନୁଥିଲେ ଜଗନ୍ନାଥେ ।

ରୁକ୍ମିଣୀ କହିଲେ କାନ୍ଦି ପାଦତଳେ ଲୋଟି

ଜୀବନେ ନ ମାରି ତେଣୁ କଲେ ସାତବେଣ୍ଟି ।

ନନ୍ଦିଘୋଷ ରଥେ ବାନ୍ଧି ଦ୍ୱାରକାକୁ ନେଲେ

ବଳରାମ କହିବାରୁ ବନ୍ଧନ ଫେଡ଼ିଲେ ।

ଅପମାନ ପାଇ ପୁତ୍ର ନ ଆସେ ଘରକୁ

ତାପସ ବେଶରେ ଗଲେ ତପ ସାଧିବାକୁ ।

ସୁମେଧା ରୁକ୍ମିଣୀ ଦୁହେଁ କୃଷ୍ଣ ସଙ୍ଗତରେ

ନିଶ୍ଚିନ୍ତେ ରହିଲେ ଯାଇ ଦ୍ୱାରାବତୀ ପୁରେ ।

ମୋତେ ରାଇ ଆଜ୍ଞା ଦେଲେ ପ୍ରଭୁ ହୃଷୀକେଶ

ଶ୍ୱଶୁରଙ୍କ ଆଗେ ଯାଇ କହିବୁ ସନ୍ଦେଶ ।

ବିଭାର ସାମଗ୍ରୀ ଘେନି ଦ୍ୱାରକାକୁ ଆସି

କନ୍ୟାଦାନ କରନ୍ତୁ ସେ ବେଦୀପରେ ବସି  

ଏହାଶୁଣି ନୃପ ହର୍ଷ ବିସ୍ମୟେ ବୋଲନ୍ତି

ମନର ଭ୍ରାନ୍ତି ମୋହର ଫିଟିଲା ଏ ଘାନ୍ତି ।

ରୁକ୍ମିଣୀର ଯେବେ ଶୁଭ ବାରତା ପାଇଲି

ପାତକ ଧ୍ୱଂସନ କରି କୃତାର୍ଥ ହୋଇଲି ।

ଲକ୍ଷ୍ମୀ ନାରାୟଣ ଦୁହେଁ ଏକମେଳ ହେଲେ

ସମସ୍ତେ ଆନନ୍ଦ ହେବେ ଏ କଥା ଶୁଣିଲେ ।

ଯହିଁର ନିମନ୍ତେ କନ୍ୟା କରିଥିଲି ଜାତ

ଏବେ ମୋର ପୂର୍ଣ୍ଣ ହେଲା ସେହି ମନୋରଥ ।

ଆବର ଶୁଣିଲି ଯାହା ରୁକ୍ମଣର କଥା

ବିଚାରିଲେ ଶୁଭ ମୋର ଅଟେ ସେହି ବାର୍ତ୍ତା ।

ମୂର୍ଖପଣେ ଅରଜିଲା କୃଷ୍ଣଠାରେ ଦୋଷ

ଏଡ଼େ ବଡ଼ ଯୁଦ୍ଧେ ତାକୁ ନ କଲେ ସେ ନାଶ ।

ଅଶେଷ ବ୍ରହ୍ମାଣ୍ଡ ଯେହୁ କ୍ଷଣକେ ସଂହାରି

ଯା ଗର୍ଭରେ ଚରାଚର ସୃଷ୍ଟି ଅଛି ପୂରି ।

ତାଙ୍କଠାରେ ଦ୍ରୋହ କର୍ମ କରି ମୋର ସୁତ

ଜୀବନେ ବଞ୍ଚିଲା ଏହା ବଡ଼ ଆଚମ୍ବିତ ।

ଯେବେ କୃଷ୍ଣ ଦୟା କଲେ ନ ମାରି ଜୀବନେ

ଦେହେ ପ୍ରାଣ ଥିଲେ ନିଶ୍ଚେଁ ଆସିବ ସେଦିନେ   

ଭୀଷ୍ମକ ନୃପତି ମୁଖୁଁ ଏ ବଚନ ଶୁଣି

ସନ୍ତୋଷ ହୋଇଲେ ସର୍ବେ ସୁଧା ପ୍ରାସେ ମଣି ।

ବୋଇଲେ ଭୋ ଦେବ ତୁମ୍ଭେ ଅଟ ମହାଜ୍ଞାତା

ପ୍ରତ୍ୟକ୍ଷେ ଲକ୍ଷ୍ମୀ ହୋଇଲେ ତୁମ୍ଭର ଦୁହିତା ।

ପଦ୍ମରାଗ ମଣି ତୁମ୍ଭେ ରଖିଥିଲ ଘରେ

କାର୍ଯ୍ୟ କାଳେ ଲାଗିଲା ସେ ଦେବତାଙ୍କ ଶିରେ ।

ଗଭୀର ପଙ୍କରେ ଥାଏ ପଦ୍ମନାଡ଼ ଗୋଟି

କେଶର ଅଙ୍କୁର ସାତତାଳ ଜଳ ଫୁଟି ।

ବାହାରେ ଭିତରେ ବାସ ଚହଟଇ ତାର

ତା ଜାଣନ୍ତେ ଉଡ଼ିଆସି ଚୁମ୍ବେ ମଧୁକର ।

ପଦ୍ମିନୀ ଜାତି ନାୟିକା ଅଟଇ ରୁକ୍ମିଣୀ

ତେଣୁ ସେ ନାୟକ ବର ନେଲେ ତାହା ଜାଣି ।

କୃଷ୍ଣ ନାରାୟଣ ଲକ୍ଷ୍ମୀ ତୁମ୍ଭର ଦୁହିତା

ଆଗହୁଁ ଘଟାଇ ଏହା ରଖିଥିଲା ଧାତା ।

ରୁକ୍ମିଣୀ ଦେବୀ ନିରତେ ଲୋଡ଼ୁଥିଲା ଯାହା

ସୌଭାଗ୍ୟବେଳକୁ ବିହି ଘଟାଇଲା ତାହା ।

ଜଗନ୍ନାଥ ପ୍ରଭୁ ହେଲେ ତୁମ୍ଭର ଜାମାତା

ଏଥିରୁ ଅଧିକ ଆଉ ଅଛି କେଉଁ କଥା ।

ଶୁଣି ସେ ଭୀଷ୍ମକ ନୃପ ହୋଇଣ ଉସତ

ବୋଇଲେ ଏ କଥା କେବେ ମିଥ୍ୟା ନୁହଇ ତ ।

ଜନ୍ମେ ଜନ୍ମେ ହୋଇଥାଉ ରୁକ୍ମିଣୀ ମୋସୁତା

ନାରାୟଣ ସ୍ୱାମୀ ତାର ହେଉଥାନ୍ତୁ ଭର୍ତ୍ତା ।

ଏତେ ବୋଲି ଅତି ହୃଷ୍ଟ ହୋଇ ନରପାଳ

ଜାଣିଲେ ରୁକ୍ମିଣୀ ଜନ୍ମ ହୋଇଲା ସଫଳ ।

ଘୋଷଣା ଦିଆଇ କଲେ ସମସ୍ତଙ୍କୁ ସ୍ଥିର

ବୋଇଲେ ଯୋଗାଡ଼ମାନ ବେଗେ ସଜ କର ।

ସକଳ ସମ୍ଭାର ଘେନି ଦ୍ୱାରକା କୁ ଯିବା

କୃଷ୍ଣ ତୁଲେ ରୁକ୍ମିଣୀକୁ ବିଭା କରାଇବା ।

ଏସନକ ଆଜ୍ଞାଦେଇ ଭୀଷ୍ମକ ନୃପତି

ସଜ ହୋଇ ବାହାରିଲେ ଚଢ଼ି ମତ୍ତହସ୍ତୀ   

ଅପ୍ରମିତ ରଥ ଗଜ ବହୁତ ଘୋଟକ

କୋଟିଏ ପଦାତି ଘେନି ଅୟୁତ ପାଇକ ।

ବିବିଧ ଛନ୍ଦରେ ତହିଁ ବାଜିଲା ବାଜଣା

ଢୋଲ ଦମାଲୁ କଂସାଳ ଭେରୀ ବେଣୁ ବୀଣା ।

ଯୋଡ଼ାଶଙ୍ଖ କରତାଳ ମଙ୍ଗଳ ମହୁରୀ

ଉପାଙ୍ଗ ଅଧାଟି ବୀର କାହାଳି ଦୋସରୀ ।

ଉଦ୍ଦଣ୍ଡ ଏକଲକ୍ଷ ଯେ ସୁବର୍ଣ୍ଣର ଛତି

ଏତେ ଏତେ ବୋଲି କେବା କରିବା ଗଣତି ।

ନଟ ଭାଟ ଜଉତିଷ ବନ୍ଧୁ ଦ୍ଵିଜ

ଗଣିକା ଗୁଣିକା ଆଦି ସର୍ବେ ହେଲେ ସଜ ।

କେ ବୋଲେ ଦେଖିବା ଆଜି ନୟନେ ଶ୍ରୀହରି

ଏହାହୁଁ ଅଧିକ ପୁଣ୍ୟ ଅରଜି ନ ପାରି ।

ବିଷ୍ଣୁଙ୍କ ବିଭାରେ ଆମ୍ଭେ ହେବା କନ୍ୟାଜାତି

ଯଜ୍ଞଅନ୍ନ ଭୁଞ୍ଜିକରି ଲଭିବା ସଦ୍‌ଗତି ।

କେ ବୋଲେ ବିଳମ୍ବ ଆଉ କରୁଛ କିପାଇଁ

ଯେ ଯାହାରେ ଉଠ ସର୍ବେ ଯିବା ବେଗହୋଇ ।

ଏତେ ବୋଲି ରଥ ଗଜ ଘୋଟାକରେ ଚଢ଼ି

ବିଭାଘର ଦ୍ରବ୍ୟମାନ ବୁହାଇଲେ କାଢ଼ି ।

ପାତ୍ର ମନ୍ତ୍ରୀ ଅମନାତ୍ୟ ବନ୍ଧୁ ଗୁରୁଜନ

ଧାଈ ପରିବାରୀ ସଙ୍ଗେ ଘେନାଇ ରାଜନ ।

ଲକ୍ଷକୋଟି ନବତନ ପାଟ ଯେ ସିନ୍ଧୁଆ

ଝୋଲା ସାହାଲା ବସନ୍ତ ପତନୀ ଖଣ୍ଡୁଆ ।

ଫଳ ପୁଷ୍ପ ଦୁର୍ବାକ୍ଷତ ଚନ୍ଦନ ସହିତେ

ବିବାହକୁ ଉପଚାର ବିଧି ଲୋଡ଼ା ଯେତେ ।

ଯୌତୁକ ସମ୍ଭାର ନାନାଦ୍ରବ୍ୟନ୍ତ ଘେନାଇ

ଯୌତୁକ ସମ୍ଭାର ବିଜେ କଲେ ନରସାଇଁ ।

ଲକ୍ଷ୍ମୀ ନାରାୟଣ ବିଭା ହରିବଂଶେ ବାଣୀ

ପାପାଧିପାତକ ଧ୍ଵଂସ କର ଏହା ଶୁଣି ।

ବିଭାବିଧି ଉପଚାର ଘେନାଇ ସଙ୍ଗରେ

ଭୀଷ୍ମକ ଯେ ମିଳେ ଯାଇ ଦ୍ଵାରାବତୀ ପୁରେ ।

ଦେଖିଣ ପରମ ତୋଷ ହେଲେ ଚକ୍ରପାଣି

ବିଶ୍ଵକର୍ମା ରାଇ ଆଜ୍ଞା ଦେଲେ ସେହିକ୍ଷଣି ।

ବୋଇଲେ ଦ୍ଵାରକା ନଗ୍ର ମଣ୍ଡାଅ ତ୍ଵରିତେ

ବିବାହ ମଣ୍ଡପ ଆଦି ପୁର ଅଛି ଯେତେ ।

ଯେ ଆଜ୍ଞା କହିଣ ବିଶ୍ଵକର୍ମା ଚଳିଗଲେ

ପୁରେ ପୁରେ ନାନାଚିତ୍ର କରି ସେ ମଣ୍ଡିଲେ ।

ନଗ୍ର ଦେଖି ଅତିହୃଷ୍ଟ ହୋଇଣ ଭୀଷ୍ମକ

ମଣ୍ଡପେ ରଖିଲେ ନେଇ ବିଭା ବିଧିଯାକ ।

ବାର୍ତ୍ତାପାଇ ବଳରାମ ଉଗ୍ରସେନ ରାଜା

ଭୀଷ୍ମକଙ୍କୁ ଘେନି ଗଲେ କରି ପାଦପୂଜା ।

କାମଧେନୁ ରାଇ ଆଜ୍ଞା ଦେଲେ ଭଗବାନ

ଚତୁର୍ବିଧ ଖାଦ୍ୟପେୟ କର ସମ୍ପାଦନ ।

ସୈନ୍ୟ ଗଜ ଅଶ୍ଵଆଦି ଯାକୁ ଯେତେ ଅଣ୍ଟି

ଦଶଗୁଣ କରି ଦ୍ରବ୍ୟ ଦେଉଥିବ ବାଣ୍ଟି ।

ଆଜ୍ଞାପାଇ କାମଧେନୁ ନିଜ କଳ୍ପନାରୁ

ନାନାଦ୍ରବ୍ୟ ଜାତ କଲେ ଆପଣା ସ୍ତନରୁ ।

ଇନ୍ଦ୍ର ସମ୍ପଦରୁ ବଳି ଦିଶିଲା ଦ୍ଵାରକା

କାହିଁ କେତେ ଦ୍ରବ୍ୟ ତାହା କେ କରିବ ସଂଖ୍ୟା ।

ଲକ୍ଷ୍ମୀ ନାରାୟଣ ଦୁହେଁ ଯହିଁ ହେବେ ବିଭା

ସେ ଭୁବନ ଶୋଭା ବର୍ଣ୍ଣିକ କେ କହିବ ଅବା ।

ଚରାଚର ପୃଥ୍ଵୀପତି ଯେଉଁ ବିଶ୍ଵବାସୀ

ଅଶେଷ କୋଟିଦ୍ରବ୍ୟ ସେ କ୍ଷଣକେ ବିଳସି ।

ସେହି ସ୍ଵାମୀ ଦେହବନ୍ତ ହୋଇଛନ୍ତି ଯହିଁ

ତାଙ୍କର ମହିମା କିଏ ପାରିବଟି କହି ।

ଅଦୃଷ୍ଟ ଅଶ୍ରୁତ ଅଗୋଚର ସେହୁ କଥା

ଲକ୍ଷ୍ମୀ ନାରାୟଣଙ୍କର ବିବାହ ବ୍ୟବସ୍ଥା ।

ବ୍ରହ୍ମଲୋକେ ଏ ବାରତା ପାଇ ବେଦବର

ସାବିତ୍ରୀ ଦେବୀଙ୍କୁ ଘେନି ହୋଇଲେ ବାହାର ।

ମରାଳ ପୃଷ୍ଠରେ ବସି ଦ୍ଵାରକା ଭୁବନେ

ପ୍ରବେଶ ହୋଇଲେ ଆସି ଆନନ୍ଦିତ ମନେ ।

ବ୍ରହ୍ମାଙ୍କ ଆଗମ ଜାଣି ସକଳ ମହର୍ଷି

ଦ୍ଵାରାବତୀ ଭୁବନରେ ପ୍ରବେଶିଲେ ଆସି ।

ବଶିଷ୍ଠ ଯେ ବିଶ୍ଵାମିତ୍ର ଆବର ବାଲ୍ମୀକ

ଗୌତମ ପୌଲସ୍ତ୍ୟ ଶତାନନ୍ଦ ବିଭାଣ୍ଡକ ।

ସନକାଦି ସପ୍ତଋଷି ଭୃଗୁ ପରାଶର

ଚ୍ୟବନ ଲୋମଶ ଅଷ୍ଟାବକ୍ର ମୁନିବର ।

କପିଳ ସୌନକ ଦତ୍ତାତ୍ରେୟ ବେଦବ୍ୟାସ

ଜମଦଗ୍ନି ଋଷ୍ୟଶୃଙ୍ଗ ପ୍ରଚେଷ୍ଟା ବିପାଶ ।

ନାରାଦାଦି ଦେବଋଷି ବ୍ରହ୍ମଋଷି ଯେତେ

ରାଜଋଷି ଶିଷ୍ୟ ଉପଶିଷ୍ୟଙ୍କ ସହିତେ ।

ଦ୍ଵାରକା ଭୁବନେ ଆସି ମିଳିଲେ ସକଳେ

ବ୍ରହ୍ମାଙ୍କୁ ଦେଖିଣ କୃଷ୍ଣ ନମି ପାଦତଳେ ।

ସମସ୍ତ ଋଷିଙ୍କୁ ପୁଣି ନମସ୍କାର କଲେ

ପାଦ୍ୟ ଅର୍ଘ୍ୟ ଦେଇ ତାଙ୍କ ମନକୁ ରଞ୍ଜିଲେ ।

ଲକ୍ଷ୍ମୀ ନାରାୟଣ ବିଭା ଦେଖିବା ମାନସେ

ଆସନେ ବସିଲେ ସର୍ବ ଋଷିଏ ହରଷେ ।

ସ୍ଵର୍ଗପୁରେ ଏ ବାରତା ପାଇ ଦେବରାୟେ

ଐରାବତ ପୃଷ୍ଠେ ବସି କରିଲେ ବିଜୟେ ।

ଗଣଗନ୍ଧର୍ବ ଦେବତା ସ୍ଵର୍ଗ ବିଦ୍ୟାଧରୀ

ଅଷ୍ଟାବସୁ ବିଶ୍ଵଦେବା ଅପ୍‌ସରା କିନ୍ନରୀ ।

ଯମ କୁବେର ବରୁଣ ବାୟୁ ବୈଶ୍ଵାନର

ଗ୍ରହତିଥି ତାର ବାର ଚନ୍ଦ୍ର ଦିବାକର ।

ଚାରି ମେଘ ଚାରି ଯୁଗ ନୈର୍ଋତ ସହିତେ

ଯେ ଯାହା ଯାନରେ ଚଢ଼ି ଅଇଲେ ସମସ୍ତେ ।

ଦ୍ଵାରାବତୀ ଭୁବନରେ ପ୍ରବେଶ ହୁଅନ୍ତି

କୈଳାସ କନ୍ଦରେ ବାର୍ତ୍ତାପାଇ ପଶୁପତି ।

ବୃଷଭ ବାହନେ ବସି କଲେ ଆଗମନ

ଚଉପାରୁଶରେ ବେଢ଼ିଛନ୍ତି ଶିବଗଣ ।

ଡମ୍ଵରୁ ଡିଣ୍ଡମ ଢକା ବାଜେ ନବକୋଟି

ବାମ ଡାହାଣରେ ବିଜେ ନନ୍ଦି ଭୁରୁକୁଟି ।

କୁମାର ଗଣେଶ କାଳ ବିକାଳ ସହିତେ

ଦ୍ଵାରକା ଭୁବନେ ଆସି ମିଳିଲେ ତ୍ଵରିତେ ।

ଈଶ୍ଵରଙ୍କ ଆଗମନ ଦେଖି ନାରାୟଣ

ଯଥାବିଧି ପୂଜାକରି ନେଲେ ତତକ୍ଷଣ ।

ଇନ୍ଦ୍ରାଦି ଦେବଙ୍କୁ ପୂଜା କଲେ ବିଧିମତ

ସମ୍ଭାବନା ପାଇ ସର୍ବେ ହେଲେ ହରଷିତ ।

ସତ୍ୟଲୋକେ ବାସ କରି ଯେତେ ପ୍ରାଣୀ ଥିଲେ

ଲକ୍ଷ୍ମୀ ନାରାୟଣ ବିଭା ଶୁଣି ସେ ଅଇଲେ ।

ଅଷ୍ଟରତ୍ନ ବିମାନରେ ଚଢ଼ି ନବରଙ୍ଗେ

ଅଠର ମେବଚ୍ଛ ସୈନ୍ୟ ଛନ୍ତି ତାଙ୍କ ସଙ୍ଗେ ।

ସତ୍ୟବାଦୀ ପୁରୁଷ ସେ ନ ଜାଣନ୍ତି ମାୟା

ଶୁକ୍ଲମ୍ଵର ବିଷ୍ଣୁପ୍ରାୟେ ଦିଶେ ତାଙ୍କ କାୟା ।

କରେ ଜପାମାଳୀ ଧରି ଜଟା ବାନ୍ଧି ଶିରେ

ପ୍ରବେଶ ହୋଇଲେ ଆସି ଦ୍ଵାରାବତୀ ପୁରେ ।

ଯାଦବଙ୍କ ବନ୍ଧୁ ଯେତେ ମର୍ତ୍ତ୍ୟପୁର ରାଜା

ଗହଣ ଲଗାଇ ସର୍ବେ ବଜାଇଲେ ବାଜା ।

ଦ୍ଵାରକା ଭୁବନେ ଆସି ମିଳିଲେ ବହନ

ହସ୍ତିନାରୁ ବିଜେ କଲେ ରାଜା ଦୁର୍ଯ୍ୟୋଧନ ।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଆଦି ଷଡ଼ରଥୀ

ଅଷ୍ଟାଦଶ କ୍ଷୌଣୀ ବଳ ସଙ୍ଗତେ ଅଛନ୍ତି ।

ଯୁଧିଷ୍ଠିର ଭୀମାର୍ଜ୍ଜୁନ ନକୁଳ ସହିତେ

ସହଦେବ ତୁଲେ ପଣ୍ଡୁରାଜା ପାଞ୍ଚସୁତେ ।

ସାତ ଅକ୍ଷୌହିଣୀ ବଳ ସଙ୍ଗତେ ଘେନାଇ

ଦ୍ଵାରାବତୀ ଭୁବନରେ ମିଳିଲେ ସେ ଯାଇ ।

ପଞ୍ଚାଳ ଦେଶରେ ଆସି ଦ୍ରୁପଦ ରାଜନ

ମତ୍ସ୍ୟ ଦେଶରୁ ବିରାଟ କଲେ ଆଗମନ ।

ଏମନ୍ତେ ଅଇଲେ ତହିଁ ଯେତେ ମିତ୍ରରାଜା

ସମସ୍ତଙ୍କୁ ଉଗ୍ରସେନ ଆପେ କଲେ ପୂଜା ।

କୃଷ୍ଣ ପାଶେ ପରବେଶ ପାଣ୍ଡବ ଅର୍ଜ୍ଜୁନ

ଆନନ୍ଦ ହୋଇଲେ ତାଙ୍କୁ ଦେଖି ଭଗବାନ ।

ଅନେକ ଉତ୍ସବ ହେଲା ଦ୍ଵାରକା ନଗରେ

ବିଚିତ୍ର ମଣ୍ଡଣି ହୋଇଅଛି ପୁରେ ପୁରେ ।

ଆପେ ବିଶ୍ଵକର୍ମା ଯାହା କରିଛି ନିର୍ମାଣ

ମର୍ତ୍ତ୍ୟପୁରେ ଦୁର୍ଲ୍ଲଭ ସେ ଅପୂର୍ବ ଘଟଣ ।

ହୀରା ଲୀଳା ବଇଡୁର୍ଯ୍ୟ ଶୋଭେ ପନ୍ତି ପନ୍ତି

ମାଣିକ୍ୟର ଝରା ଝୁମ୍ପା ଲମ୍ଵେ ଚଉକତି ।

ରସାଣିଲା ପାନପତ୍ର ଶତେବାନି ହେମ

ଗଜଦନ୍ତ ପିତୁଳାରେ ରତନର କମ ।

ସୁବର୍ଣ୍ଣ କଳସ ପରେ ଚିରାଳ ଉଡ଼ଇ

ଧନ୍ୟ ସେ ଦ୍ଵାରକା ପୁର ପଟାନ୍ତର ନାହିଁ ।

ଆପେ ଲକ୍ଷ୍ମୀ ବିଜେ କରିଛନ୍ତି ଯେଉଁପୁରେ

ଶଙ୍ଖନିଧି ପଦ୍ମନିଧି ଖଟନ୍ତି ପୟରେ ।

କୃଷ୍ଣରୂପେ ନାରାୟଣ ଅବତାର ଯହିଁ

ସେ ପୁର ମହିମା ଅବା କେ ପାରିବ କହି ।

ଶୁଣ ହେ ପରୀକ୍ଷ ରାଜା କାମଧେନୁ ବିଧି

ଆପେ ସେ ଗାୟତ୍ରୀ ଦେବୀ ପାକ କରେ ସିଦ୍ଧି ।

ଷଡ଼ରସ ବ୍ୟଞ୍ଜନ ଯେ ନାନା ପିଠାପଣ

ଦିବ୍ୟଶାଳି ଅନ୍ନ ଖାଦ୍ୟପେୟ ଅକଳନା ।

ଇନ୍ଦ୍ରାଦି ଦେବତାଗଣ ସିଦ୍ଧ ସାଧ୍ୟ ଯେତେ

ହର ବ୍ରହ୍ମା ଦେବଋଷି ବ୍ରହ୍ମର୍ଷି ସହିତେ ।

ମର୍ତ୍ତ୍ୟାଦି ରାଜା ଯେତେ ବନ୍ଧୁ ମିତ୍ର ଜନ

ଯେ ଯାହା ଇଚ୍ଛାରେ ବସି କରନ୍ତି ଭୋଜନ ।

କାମଧେନୁ ପ୍ରସାଦରୁ ଅପୂର୍ବ ବା କିସ

ଦଧି ଦୁଗ୍‌ଧ ଆଦି କରି ଅନେକ ଗୋରସ ।

ନବାତ ସାକର ଖଣ୍ଡ ସାରି ସରଫେଣା

ଅମୃତପାଣି କଦଳୀ ଇକ୍ଷୁ ସାର ପଣା ।

ଆମ୍ବ ପଣସ ଖଜୁରି ଗୁଆ ନଟୀକାଳ

ଦାରାକ୍ଷ କମଳା ଆଦି ନାନା ସ୍ଵାଦୁ ଫଳ ।

କର୍ପୂର ସୁବାସ ପୁଷ୍ପ ସୁଗନ୍ଧ ଚନ୍ଦନ

ଲବଙ୍ଗ ହରିଡ଼ା ଜାତି ଫଳ ଗୁଆ ପାନ ।

ପଞ୍ଚ ଇନ୍ଦ୍ରିୟର ଭୋଗ ଯେ ଯାହାର ଇଚ୍ଛା

ବିଚାରିବା ମାତ୍ରେ ପୁରେ ତାର ମନୋବଞ୍ଛା ।

କାମଧେନୁ ପ୍ରସାଦରୁ ତୁଷ୍ଟ ବରଜାତି

ଯେ ଯାହା ଯୋଗାଡ଼ ମାନ ଭିନ୍ନ ଭିନ୍ନ ପ୍ରତି ।

ଜଣ ଜଣ ପ୍ରତି ଚର୍ଚ୍ଚା କରି ଲକ୍ଷ୍ମୀକାନ୍ତ

ଆପଣେ ଭୁଞ୍ଜିଲେ ସ୍ଵାମୀ ହୋଇ ମୂର୍ତ୍ତିମନ୍ତ ।

ଦେବତା ମାନବେ ମେଳ ହୋଇଛନ୍ତି ଆସି

ଆନନ୍ଦେ ଦେଖନ୍ତି ସର୍ବେ ପୁରେ ପୁରେ ପଶି ।

ଧନ୍ୟ ସେ ଦ୍ଵାରକାପୁରୀ ପବିତ୍ର ସୁସଞ୍ଚ

ନାହିଁ ପଟାନ୍ତର ସ୍ଵର୍ଗ ପାତାଳ ଯେ ମଞ୍ଚ   

କୋଇଲି ବୈକୁଣ୍ଠ ତୁଲ୍ୟ ଅତ୍ୟନ୍ତ ସୁଷମା

ଅସଂଖ୍ୟକ ଅଗୋଚର ଶ୍ରୀକୃଷ୍ଣ ମହିମା ।

ଦେବତା ଗନ୍ଧର୍ବ ନର ଯକ୍ଷ ଦିଗପାଳ

ପୁରେ ପୁରେ ବୁଲି ବୁଲି ଦେଖନ୍ତି ସକଳ ।

ମେଢ଼ ମଣ୍ଡପ ଜଗତି ଅଛଇ ଅଲେଖା

ଚଉପାଶେ ବେଢ଼ିଅଛି ସମୁଦ୍ର ପରିଖା ।

ଊର୍ଦ୍ଧ୍ଵଭାଗେ ବୁଲୁଅଛି ଚକ୍ର ସୁଦର୍ଶନ

କପଟେ ଶତ୍ରୁ ପଶନ୍ତେ କରଇ ଛେଦନ ।

ସମସ୍ତଙ୍କୁ ଅପୂର୍ବ ସେ ଦ୍ଵାରକା ନଗରୀ

ବାରସ୍ଵତୀ ପୁରୀ ତାକୁ ନୋହେ ସମସରି ।

ଆବର ସୁଧର୍ମା ସଭା ଅଛି ସେ ଭୁବନେ

ଯାଦବେ ଦିଶନ୍ତି ତହିଁ ଦେବତା ସମାନେ ।

ଅପୂର୍ବ ମଣ୍ଡଣି ପୁର ଦେଖି ଦେବତାଏ

ଶ୍ରୀକୃଷ୍ଣ ପ୍ରସାଦେ ତହିଁ ସର୍ବ ପୁଣ୍ୟମୟେ ।

ଆନନ୍ଦ ମନରେ ବୁଲି ଦେଖନ୍ତି ଅମରେ

ଶୁଣ ହେ ପରୀକ୍ଷ ରାଜା ଏଥୁ ଅନନ୍ତରେ ।

ବିଭାବେଦୀ ମଣ୍ଡପରେ ମିଳି ଦେବରାୟେ

ଅଷ୍ଟରତ୍ନ ଆସନରେ କରିଲେ ବିଜୟେ ।

ବେଦୀର ପଶ୍ଚିମଭାଗେ ବିଜେ ହୋଇ ହରି

ପୂର୍ବମୁଖେ ବସିଲେ ସେ ମଙ୍ଗଳା ସୁମରି ।

ବାମ ଦକ୍ଷିଣରେ ବଳରାମ ଉଗ୍ରସେନ

ପାରୁଶେ ବସିଲେ ବେଢ଼ି ଯଦୁ ବୀରଗଣ ।

ସାତ୍ୟକି ସହସ୍ରାଜିତ ଅକ୍ରୂର ଉଦ୍ଧବ

ପାର୍ଥ କୃତବର୍ମା ଶକ୍ରାଜିତ ବସୁଦେବ ।

ବେଦୀର ଉତ୍ତର ଭାଗେ ବସିଲେ ଏମାନେ

ଆବର ବସନ୍ତି ସର୍ବେ ଯେ ଯାହାର ସ୍ଥାନେ ।

ବେଦୀର ଐଶାନ୍ୟ କୋଣେ ଭୀଷ୍ମକ ନୃପତି

କମଳାସନେ ବସିଲେ ପଶ୍ଚିମ ମୂରତି ।

ନୈର୍ଋତ କୋଣେ ବିଜୟ କଲେକ ବରୁଣ

ଇନ୍ଦ୍ରକୁବେର ବସିଲେ ଅଇଶାନ୍ୟ କୋଣ ।

ଆଗ୍ନେୟ କୋଣରେ ବିଜେ ହେବ ବୈଶ୍ଵାନର

ବାୟବ୍ୟ କୋଣେ ବିଜୟେ ପବନ ଶଙ୍କର ।

ବୁଧ ବୃହସ୍ପତି ଆଦି ସକଳ ଦେବତା

ସଙ୍ଗେ ଘେନି ଦକ୍ଷିଣରେ ବିଜେ କଲେ ଧାତା ।

ବିଶ୍ଵକର୍ମା ନିର୍ମାଣ ସେ ନବରତ୍ନ ବେଦୀ

ଅତୁଲ୍ୟ ଶୋଭା ଯହିଁରେ ରଖିଛି ସମ୍ପାଦି ।

ସେ ବେଦୀ ଉପରେ ବିଜେ କଲେ ଦେବରାୟେ

ବେଢ଼ିଣ ବସିଲେ ତାଙ୍କୁ ସର୍ବଦେବତାଏ ।

ଯତନରେ ବିଶ୍ଵକର୍ମା ବେଦୀ ଅଛି ଗଢ଼ି

ଯେତେ ବସୁଥିଲେ ତେତେ ସ୍ଥାନ ଯାଏ ବଢ଼ି ।

ସୁବର୍ଣ୍ଣମୟ ଦ୍ଵାରକା ଶତେଯୂଣ ପ୍ରତି

ଯହିଁକି ଚାହିଁଲେ ତହିଁ ଛନ୍ତି ବରଜାତି ।

ଆପେ ବରବେଶ ହେଲେ ପ୍ରଭୁ ଚକ୍ରଧର

ବରଣ ପାଞ୍ଚି ପିନ୍ଧିଲେ ବଟୁ ଘେନି କର ।

ରାଜୀବନେତ୍ର କଜ୍ଜ୍ଵଳ ଦିଶେ ଅତିଶୋଭା

କ୍ଷୀର ସମୁଦ୍ରରେ ଯେହ୍ନେ ନୀଳନାଗ ପ୍ରଭା ।

ଗଣ୍ଡ ମଣ୍ଡଳରେ ଲୁଳେ ମକର କୁଣ୍ଡଳ

ତେଜରେ ସେ ନିନ୍ଦା କରେ ଆଦିତ୍ୟ ମଣ୍ଡଳ ।

ଶ୍ରୀଅଙ୍ଗେ ହଳଦୀ ଶୋହେ ପାଦରେ ଅଳତା

ଭୁଜରେ ବାନ୍ଧିଲେ ପ୍ରଭୁ ଅସରଳା ସୂତା ।

ଲଲାଟେ ଚନ୍ଦନ ପାଟି ଦିଶେ ଝଟଝଟ

ଗଳାରେ କୁସୁମହାର ମସ୍ତକେ ମୁକୁଟ ।

ଏସନକ ବରବେଶ ହେଲେ ବନମାଳୀ

ସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳିହୁଳି ।

ମଙ୍ଗଳ ମହୁରୀ ବାଜେ ଯୋଡ଼ା ଶଙ୍ଖଭେରୀ

ସାତ ବଳିତାରେ ବାଜେ ବନ୍ଦାଇଲେ ଅହ୍ୟନାରୀ ।

ଦ୍ଵାରକା ଭୁବନେ ହେଲା ହରିଦ୍ରାର କ୍ରୀଡ଼ା

ଦେବ ଗନ୍ଧର୍ବ ହୋଇଲେ ହଳଦିରେ ବୁଡ଼ା ।

ଅତି ଆନନ୍ଦେ କହନ୍ତି ଶୁକ ମହାମୁନି

ଶୁଣ ହୋ ପରୀକ୍ଷ ରାଜା ହରିବଂଶ ଧ୍ଵନି ।

ବ୍ରାହ୍ମଣଙ୍କୁ ସଙ୍ଗତରେ ଘେନି ବେଦବର

ମୃଗଚର୍ମ ଆସନରେ ବସିଲେ ସତ୍ଵର ।

ଦେବଋଷି ରାଜଋଷି ବ୍ରହ୍ମଋଷି ଘେନି

ଆଚାର୍ଯ୍ୟ ବରଣେ ବସି ଆପେ ପଦ୍ମଯୋନି ।

ହସ୍ତେ ଜଳେ କମଣ୍ଡଳୁ ପାତ୍ରୀ କୁଶବିଡ଼ି

ବେଦ ପୋଥି ଶ୍ରୁବ ଶ୍ରୁବ ପ୍ରୋକ୍ଷଣି ସଜାଡ଼ି ।

କନ୍ଧେ ଯଜ୍ଞ ଉପବୀତ ଉତ୍ତରୀୟ ପାଟ

ତୁଳସୀ ରୁଦ୍ରାକ୍ଷମାଳା ଶୋହେ କଣ୍ଠତଟ ।

କରେ ଜପାମାଳି ବେଦପୋଥି ଧରି ଧାତା

ଶ୍ରୀଅଙ୍ଗରେ ଘେନିଛନ୍ତି ଦୁଆଦଶ ଚିତା ।

ଚାରିମୁଖେ ବେଦମନ୍ତ୍ର ପଢ଼ି ବେଦବର

ଆଚାର୍ଯ୍ୟ ବରଣ ଘେନି ବସିଲେ ବେଦୀର ।

କୃଷ୍ଣାଜିନ ବ୍ୟାର୍ଘଚର୍ମ କମ୍ଵଳ ଆସନେ

ଆବର ସକଳ ଋଷି ବସିଲେ ସୁମନେ ।

ବାଟେ ବାଟବରଣର ବିଧାନ ଯେତେକ

ଆପଣେ କରିଲେ ତାହା ନୃପତି ଭୀଷ୍ମକ ।

କଳସରେ ଗଣେଶାଦି ପଞ୍ଚ ଦେବତାଙ୍କୁ

ପୂଜାକରି ପୂଜିଲେ ସେ ମାତୃକାଗଣଙ୍କୁ ।

ନାନ୍ଦିମୁଖୀ ଶ୍ରାଦ୍ଧ ସାରି ବସୋର୍ଦ୍ଧାରା ଦେଇ

ରୁକ୍ମିଣୀଙ୍କୁ ଅଣାଇଲେ ସୁବେଶ କରାଇ ।

ନିଜ କୋଳେ ବସାଇଲେ ଭୀଷ୍ମକ ନୃମଣି

ବ୍ରହ୍ମା ଇଚ୍ଚାରିଲେ ବାକ୍ୟ ଦେଶକାଳ ଭଣି ।

ଇଦଂ ପ୍ରତିବାକ୍ୟମାନ ଋଷିଏ କହନ୍ତି

ଶୁଣ ହୋ ପରୀକ୍ଷ ରାଜା ପୁଣ୍ୟମୟ କୀର୍ତ୍ତି ।

ରୁକ୍ମିଣୀ ବିବାହ କଥା ସୁଧାରସ ବାଣୀ

ଅବହେଳେ ତରିଯିବୁ କର୍ଣ୍ଣପଥେ ଶୁଣି ।

ଆପେ ବ୍ରହ୍ମା ବିଷ୍ଣୁଙ୍କର ଗୋତ୍ର ଉଚ୍ଚାରିଲେ

ଲକ୍ଷ୍ମୀ ନାରାୟଣ ହସ୍ତ କୁଶରେ ବାନ୍ଧିଲେ ।

ଡାହାଣା ବର୍ତ୍ତକ ଶଙ୍ଖେ ତୀର୍ଥଜଳ ଭରି

ଗୁବାକ ଅକ୍ଷତ ଗନ୍ଧ ପୁଷ୍ପଆଦି କରି ।

ଭୀଷ୍ମକ ନୃପତି ମୁଖ ଚାହିଁ କୁଶଧର

ଆଜ୍ଞାଦେଲେ ବାକ୍ୟ ପଢ଼ି କନ୍ୟାଦାନ କର ।

ଆବର ଏ କନ୍ୟାଦାନ ସାଙ୍ଗ ତା କରିଣ

ଯେତେ ଇଚ୍ଛା ଯଉତୁକ ଦିଅ ନାରାୟଣ ।

ବ୍ରହ୍ମାଙ୍କ ବଚନ ଶୁଣି ଭୀଷ୍ମକ ନୃପତି

ଆନନ୍ଦରେ ଜଳ ଟେକି ଯୌତୁକ ଦିଅନ୍ତି ।

କୋଟିଏ ସୁବର୍ଣ୍ଣମୁଦ୍ରା ସହସ୍ରେକ ଗାଈ

ନାନାରତ୍ନ ଅଭରଣ ସଂଖ୍ୟା ତାର ନାହିଁ ।

ହୀରା ନୀଳା ବଇଦୁର୍ଯ୍ୟ ମାଣିକ୍ୟ ମୁକୁତା

ଉଦ୍ଦଣ୍ଡ ଧବଳଛତ୍ର ଲକ୍ଷେ ପାଟଛତା ।

ଦାସ ଦାସୀ ମୁଦୁସୁଲୀ ରଥ ଅଶ୍ଵ ଗଜ

ସହସ୍ର ସହସ୍ର ସଂଖ୍ୟା ଦେଲେ ମହାରାଜ ।

ସୁନା ରୂପା ପାତ୍ରଆଦି ଯଉତୁକ ଯେତେ

କେ କହିବ ତାହା ସଂଖ୍ୟାକରି ଏତେ ଏତେ ।

କହିଲେ ନ ସରେ ଲକ୍ଷ୍ମୀ ନାରାୟଣ ବିଭା

ଦେବଗଣ ବସିକରି ମଣ୍ଡିଛନ୍ତି ସଭା ।

ତିନିବାର ସତ୍ୟକରି ଭୀଷ୍ମକ ରାଜନ

କୁଳଗୋତ୍ର ଉଚ୍ଚାରିଣ ଦେଲେ କନ୍ୟାଦାନ ।

ଧନ୍ୟ ସେ ଭୀଷ୍ମକ ରାଜା କେତେ ପୁଣ୍ୟ କଲେ

ବିଷ୍ଣଙ୍କ ଜାମାତା ପାଇ କନ୍ୟାଦାନ ଦେଲେ ।

ଶଙ୍କରଙ୍କୁ ଆଦି ଯେତେ ଦେବେ ଥିଲେ ତହିଁ

ଯେ ଯାହାରେ ଯଉତୁକ ଦେଲେ ପ୍ରୀତହୋଇ ।

ଶଙ୍ଖେ ତୀର୍ଥୋଦକ ଭରି ଦେବତା ସକଳ

ଲକ୍ଷ୍ମୀ ନାରାୟଣ କରେ ଢାଳନ୍ତି ସେ ଜଳ ।

ଧନ୍ୟ ଧନ୍ୟ ଯେତେପ୍ରାଣୀ ଦେଖିଲେ ସେ ବିଭା

ପୂର୍ବରେ ସେ କେତେ ତପ କରିଥିଲେ ଅବା ।

ଈଶ୍ଵରଙ୍କୁ ସେବା ପୂଜା କରିଥିଲେ କେତେ

କି ଅବା ସେ ଝାସ ଦେଇଥିଲେ ମହାତୀର୍ଥେ ।

ଲକ୍ଷ୍ମୀ ନାରାୟଣ ବିଭା ତ୍ରୈଲୋକ୍ୟ ଦୁର୍ଲ୍ଲଭ

ତେଣୁ ସେ ଦେଖିଲେ ନେତ୍ରେ ଏଡ଼େକ ସୁଲଭ ।

ଋଷିପତ୍ନୀ ଦେବସ୍ତିରୀ ଇନ୍ଦାଣୀ ସର୍ବାଣୀ

ସାବିତ୍ରୀ ସହିତେ ଅର୍ଘ୍ୟ ବନ୍ଦାଇଲେ ଆଣି ।

ସାତବଂଶ ଯାଦବଙ୍କ କୁଳବଧୂ ଯେତେ

ରାଣୀ ଇନ୍ଦୁମତୀ ମାତା ଦେବକୀ ସହିତେ ।

ଅର୍ଘ୍ୟ ବନ୍ଦାଇଲେ ସର୍ବେ ବେଦୀପରେ ମିଳି

ସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।

ଅପସରୀ ବିଦ୍ୟାଧରୀ କଲେ ପୁଷ୍ପବୃଷ୍ଟି

ଆନନ୍ଦରେ ପରିପୂର୍ଣ୍ଣ ହେଲା ନବସୃଷ୍ଟି ।

ବାଜଇ ଦୁନ୍ଦୁଭିବାଦ୍ୟ ସପ୍ତସ୍ଵର ବୀଣା

ମୁରୁଜ କଂସାଳଧ୍ଵନି ଏକୁଁ ଏକ ଜିଣା ।

ନାଚିଲେ ଅପ୍‌ସରାଗଣ ଟେକି ତାନ ମାନ

ଗନ୍ଧର୍ବେ ଲଳିତସ୍ଵରେ କରନ୍ତି ଗାୟନ ।

ବୃହତ୍ସାମ ଉଚ୍ଚାରିଣ ନାରଦ ମହର୍ଷି

ବୀଣାବାଦ୍ୟ ବଜାଇଲେ ନୃତ୍ୟରଙ୍ଗେ ପଶି ।

ଅଠାଶୀ ସହସ୍ର ଋଷି କଲେ ବେଦଧ୍ଵନି

ଆନନ ରସରେ ପୁରି ଉଠିଲା ମେଦିନୀ ।

ହସ୍ତଗ୍ରନ୍ଥି ଫିଟାଇଲେ ବ୍ରହ୍ମା ମନ୍ତ୍ର ପଢ଼ି

ଉଠିଲେ ଭୀଷ୍ମକ ରାଜା ଆସନକୁ ଛାଡ଼ି ।

ବେଦୀପରେ ଉଭା ହୋଇ ଶିରେ ଯୋଡ଼ି କର

ବୋଇଲେ ଏଠାରେ ଅଛ ସକଳ ଅମର ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଦେବ ବ୍ରହ୍ମଋଷି

ସମସ୍ତେ ବିଜୟ ଏଥେ କରିଅଛ ଆସି ।

ମୁଁ ଯାହା କରୁଛି ସର୍ବେ ଦୟାକରି ଶୁଣ

କନ୍ୟାଦେଇ କୃଷ୍ଣପାଦେ ପଶିଲି ଶରଣ ।

ସଂସାର କରତା ଏହି ନାରାୟଣ ସ୍ଵାମୀ

ସବୁରି ମନ ଜାଣନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ ।

ଶୁଭାଶୁଭ କର୍ମକରି ପାରନ୍ତି ସେ ଆନ

ଚରାଚର ସୃଷ୍ଟି ଏହି ପ୍ରଭୁଙ୍କ ଅଧୀନ ।

ପୃଥିବୀର ଭାରାଭର ନିବାରିବା ଅର୍ଥେ

ଦ୍ଵାପରେ ମାନବରୂପ ଧରିଛନ୍ତି ଏଥେ ।

ଯାହାଙ୍କୁ ଯୋଗୀଏ ବସି କରୁଥାନ୍ତି ଧ୍ୟାନ

ସେ ପ୍ରଭୁ ଶ୍ରୀକରେ ମୁହିଁ କଲି କନ୍ୟାଦାନ ।

ଅନେକ ଜନ୍ମର ତପ ହେଲା ମୋର ସିଦ୍ଧି

ମନ ଜାଣି ମୋତେ ଦୟା କଲେ କୃପାନିଧି ।

ରୁକ୍ମିଣୀ ହେତୁ ଉଦ୍ଧାର ହେଲା ମୋର ବଂଶ

ଯେତେ ପାପ ଥିଲା ମୋର ସବୁ ହେଲା ଧ୍ଵଂସ ।

ମୁଁ ଛାର ମାନବୀ ଦେହୀ ମର୍ତ୍ତ୍ୟପୁର ରାଜା

ମୂର୍ତ୍ତିମନ୍ତ ବିଷ୍ଣୁଙ୍କର ପାଦ କଲି ପୂଜା ।

ଯା ଧୋଇ ନ ପାରି ବ୍ରହ୍ମା ଲଭିଥିଲେ ଖେଦ

ଏବେ ମୁହିଁ ସ୍ଵହସ୍ତରେ ଧୋଇଲି ସେ ପାଦ ।

ଯେବଣ ପାଦରୁ ଗଙ୍ଗା ହୋଇଲେ ଉଦ୍ଭବ

ଯେଉଁ ପାଦୋଦକ ଶିରେ ବହିଛନ୍ତି ଶିବ ।

ଯେଉଁ ପାଦରଜ ଲାଗି ଅହଲ୍ୟା ମୁକତି

ଯେଉଁ ପାଦ ଅଶ୍ରେକରି ବଳୀ ହନୁମନ୍ତ ।

ଯେଉଁ ପାଦେ ଚାପିଛନ୍ତି ବଳିକୁ ପାତାଳେ

ଦେବଗଣ ଖଟିଛନ୍ତି ଯେଉଁ ପାଦତଳେ ।

କନ୍ୟାଦେଇ ସେ ପାଦକୁ ପୂଜା କଲି ମୁହିଁ

କେତେ ପୁଣ୍ୟ କରିଥିଲେ ଏ ଭାଗ୍ୟ ମିଳଇ ।

ବ୍ରହ୍ମା ଇନ୍ଦ୍ର ରୁଦ୍ର ବସି କରିଛନ୍ତି ସଭା

ଏଥିରୁ ଅଧିକ ପୁଣ୍ୟ କେ ପାଇବ ଅବା ।

ସୁଦୟା କରନ୍ତୁ ମୋତେ ପ୍ରଭୁ ନାରାୟଣ

ଆବର ସନ୍ତୋଷ ହୁଅ ସର୍ବ ଦେବଗଣ ।

ଏମନ୍ତ କହିଣ ନୃପ କନ୍ୟାକର ଧରି

କୃଷ୍ଣ କରେ ସମର୍ପିଲେ ମଙ୍ଗଳ ସୁମରି ।

ବ୍ରହ୍ମା ଶବଆଦି ଦେବେ କଲେ ଜୟଧ୍ଵନି

ଆନନ୍ଦ ହୋଇଲେ ଦେଖି ସୁର ସିଦ୍ଧ ମୁନି ।

ଭୀଷ୍ମକ ମୁଖକୁ ଚାହିଁ ବୋଲନ୍ତି ଶ୍ରୀହରି

ପ୍ରତ୍ୟକ୍ଷ ଲକ୍ଷ୍ମୀଙ୍କୁ ତୁମ୍ଭେ ଅଛ ଜନ୍ମ କରି ।

ମାନବ ହୋଇ ତୁମ୍ଭେ ଦିଗପାଳ ସମ

ଆବର ସକଳ ଗୁଣ ଅଟେ ଅନୁପମ ।

ଆମ୍ଭଙ୍କୁ ପାଇଲ ତୁମ୍ଭେ ପୂର୍ବ ତପବଳେ

ଦେହାନ୍ତେ ବସିବ ଯାଇ ବଇକୁଣ୍ଠ ଆଳେ ।

ଏତେ କହି ଆସନରୁ ଉଠି ଜଗନ୍ନାଥ

ଭୀଷ୍ମକ ନୃପତି ପାଦେ କଲେ ପ୍ରଣିପାତ ।

ଲେଉଟି ଭୀଷ୍ମକ ତାଙ୍କୁ କଲେ ନମସ୍କାର

ଅନନ୍ତ ଦୁହିତାପତି ବୋଲନ୍ତି ସଂସାର ।

ଭୀଷ୍ମକ ବୋଇଲେ ପ୍ରଭୁ କହିବି ମୁଁ କିସ

ସନାତନରୂପୀ ତୁମ୍ଭେ ଜଗତ ନିବାସ ।

ମୁଁ ଛାର ମାନବ ଅବା କହିବଇଁ କେତେ

ଏତିକି ସୁଦୟା ପ୍ରଭୁ ରଖିଥିବ ଚିତ୍ତେ ।

କେତେ ଯତ୍ନେ ରୁକ୍ମିଣୀକି ପାଳିଥିଲି ମୁହିଁ

ଲକ୍ଷେ ରାଜା ଅଣାଇଲି ପୂର୍ବେ ତାର ପାଇଁ ।

ସ୍ଵୟମ୍ବର କରୁଥିଲି ଲୋକାଚାର ମତେ

କୃଷ୍ଣ ବିନୁ ଆନେ ଦେବା ନ ଥିଲା ମୋ ଚିତ୍ତେ ।

ଏତେ ଦିନେ ସୁପ୍ରସନ୍ନ ହେଲେ ଜଗନ୍ନାଥ

ସନ୍ତାପ ଛାଡ଼ିଲି ପୂର୍ଣ୍ଣ ହେଲା ମନୋରଥ ।

ମୋ ପୁତ୍ର କୁଳକଳଙ୍କ ନ ଜାଣଇ ଏହା

କା କଥା ନ ମାନି କରେ ତାର ମନ ଯାହା ।

ନିର୍ବାଣ ମୁକତି ଛାଡ଼ି ଆପେ ଆଶ୍ରେକରି

ଜଗତନାଥଙ୍କ ସଙ୍ଗେ ହୋଇଲା ବଇରୀ ।

ତା ପାଇଁ ମୁଁ ମାଗୁଅଛି ବିନୟ ହୋଇଣ

ରୁକ୍ମଣର ଦୋଷ କ୍ଷମା କରିବେ ଆପଣ ।

ଏହା ଶୁଣି ଜଗନ୍ନାଥ ହୋଇ ଦର୍ହସିତ

ଭୀଷ୍ମକ ରାଜାକୁ ଉଠି କଲେ କୋଳାଗ୍ରତ ।

ବଳଦେବ ବସୁଦେବ ରାଜା ଉଗ୍ରସେନ

ବନ୍ଧୁପଣେ ଭୀଷ୍ମକଙ୍କୁ କଲେ ସନମାନ ।

ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି

ଅତିଭାଗ୍ୟେ ଭାଗବତ ପୁରାଣର ଧ୍ଵନି ।

ସରିଲା ବିବାହ ବିଧ୍ଵ ବେଦୀପରେ ବସି

ଅର୍ଜ୍ଜୁନକୁ କୋଳକଲେ ଧରି ହୃଷୀକେଶୀ ।

କୋଳରେ ବସାଇ ମୁଖେ ଦିଅନ୍ତି ଚୁମ୍ବନ

ଶରୀର ଆଉଁଷି ପୁଣି କଲେ ଆଲିଙ୍ଗନ ।

ଦକ୍ଷିଣେ ରୁକ୍ମିଣୀ ଦେବୀ ଛନ୍ତି ବିଜେ କରି

ବାମଭାଗେ ଅରଜୁନ ମଧ୍ୟରେ ଶ୍ରୀହରି ।

ଦୁର୍ଯ୍ୟୋଧନ ରାଜା ସେହିଠାରେ ବସିଥିଲା

ଅପମାନ ପାଇ ଭୀଷ୍ମ ଦ୍ରୋଣଙ୍କୁ ଚାହିଁଲା ।

କର୍ଣ୍ଣ ଅଶ୍ଵଥିାମା ଭୂରିଶ୍ରବା ଦୁଃଶାସନ

ବିଚାରନ୍ତି ଆମ୍ଭଙ୍କୁ ଏ ଦେଲା ଅପମାନ ।

ଯେ ଯାହା ମନରେ ସର୍ବେ କରନ୍ତି ବିଚାର

ଚିତ୍ତେ ଆମ୍ଭଠାରେ ହିଂସା କଲେ ଚକ୍ରଧର ।

କିଞ୍ଚିତ କୋପରେ ନାଶଗଲା ବୀରକଂସ

ଆବର କି ରକ୍ଷା ହେବେ କଉରବ ବଂଶ ।

ଏମନ୍ତ ବିଚାରି ଯହୁଁ ସର୍ବେ କଲେ ଭୟ

ଶକୁନି ବୋଇଲା ଅଛି ଏଥକୁ ଉପାୟ ।

କୃଷ୍ଣଠାରୁ ବଳରାମ ବଳିଷ୍ଠ ଅଟନ୍ତି

ତାଙ୍କୁ ଆଶ୍ରେକଲେ ଆମ୍ଭେ ନ ପାଇବା ଭୀତି ।

ବେଭାରେ ବିମାତା ପୁତ୍ର ପ୍ରଭୁ ସଙ୍କର୍ଷଣ

ତେଣୁ କୃଷ୍ଣ କଥାରେ ସେ ନ ଭୁଲିବେ ଜାଣ ।

ଶକୁନିର ଏ ବଚନ ଶୁଣି କୁରୁନାଥ

ବୋଇଲେ ଏ ମିଥ୍ୟା ନୁହେଁ ଅଟଇ ଯଥାର୍ଥ ।

ଆମ୍ଭେ ଯେବେ ବଳରାମ ଆଶ୍ରୟରେ ଥିବା

ସହସ୍ରେ ପାଣ୍ଡବ ହେଲେ କିପାଇଁ ଡରିବା ।

ସେ ମୋହର ବିଦ୍ୟାଗୁରୁ ଅଟନ୍ତି ଯୁକତେ

ମୋ ପାଇଁ ସେ ପାଣ୍ଡବଙ୍କୁ ଛାଡ଼ିବେ କିଞ୍ଚିତେ ।

ନାନା ନଟ କୂଟ କୃଷ୍ଣ କରନ୍ତି ଭିଆଣ

ସମସ୍ତେ ତ ଜାଣିଅଛ ତାହାଙ୍କର ଗୁଣ ।

ପାଣ୍ଡବେ ଜାରଜାତକା ଜାତି କୁଳ ନାହିଁ

ମୋତେ ଛାଡ଼ି ତାଙ୍କୁ ଆବୋରନ୍ତି କିସ ପାଇଁ ।

ଏମନ୍ତ ବିଚାର କରେ ରାଜା ଦୁର୍ଯ୍ୟୋଧନ

ଅନ୍ତର୍ଯ୍ୟାମୀ ନାରାୟଣ ଜାଣି ତାର ମନ ।

ବିଚାରିଲେ ଦୁର୍ଯ୍ୟୋଧନ କଲାଣି କପଟ

ଏଥର ଭାରତ ଯୁଦ୍ଧ ହୋଇଲା ନିକଟ ।

ଶୁଣ ହେ ପରୀକ୍ଷରାଜା ଏଥୁ ଅନନ୍ତରେ

ବିଭା ଶେଷହେଲା ଦେବେ ଗଲେ ଯେଝାପୁରେ ।

ଦୁର୍ଯ୍ୟୋଧନ ଆଦି ଯେତେ ନରପତିଗଣ

ଯେ ଯାହା ରାଜ୍ୟକୁ ଗଲେ ଲଗାଇ ଗହଣ ।

ତିନିଭାଇ ସଙ୍ଗେ ଘେନି ଯୁଧିଷ୍ଠିର ଗଲେ

ଅର୍ଜ୍ଜୁନ କୃଷ୍ଣଙ୍କ ସଙ୍ଗେ ଦ୍ଵାରକା ରହିଲେ ।

ବର କନ୍ୟା ବନ୍ଦାଇଲେ ଅନ୍ତଃପୁର ନାରୀ

ଚନ୍ଦ୍ରଶାଳାପୁରେ ବିଜେ ରୁକ୍ମିଣୀ ଶ୍ରୀହରି ।

ସେ ଦୁହିଁଙ୍କ ପାଦପଦ୍ମେ ନିବେଶି ମାନସ

କହଇ ଅଚ୍ୟୁତାନନ୍ଦ ଗୀତ ହରିବଂଶ ।

 

ଶିଷ୍ୟଗଣସହ ଦୁର୍ବାସାଙ୍କର ଦ୍ଵାରକା ଗମନ ଓ ରୁକ୍ମିଣୀଙ୍କର ରଜଃକୋଷ୍ଠୀ ଗଣନା

 

ନମାମି ପୁରୁଷୋତ୍ତମ କମଳାର କାନ୍ତ

ବିକଚ କମଳ ପ୍ରାୟ ଶୋହେ ବେନିନେତ୍ର ।

ଶ୍ରବଣେ ରତ୍ନକୁଣ୍ଡଳ ଗଳେ ବନମାଳ

କଟୀତଟେ ଶୋଭାବନ ସୁପୀତ ଦୁକୁଳ ।

ଲକ୍ଷ୍ମୀର ବଲ୍ଲଭ ସ୍ଵାମୀ କାଳିନ୍ଦୀର ନାଥ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିହସ୍ତ ।

କାଳଦମନ ପୂତନା ବକା ଅଘା ମାରି

ପୃଥ୍ଵୀଭାରା ନିବାରିଲ କଂସକୁ ସଂହାରି ।

ସଂସାରର ହିତ ଅର୍ଥେ ମର୍ତ୍ତ୍ୟେ ଅବତରି

ତୁମ୍ଭ ପାଦେ ଲେଟୁ ଶିର ସର୍ବଦା ମୋହରି ।

ହରିଙ୍କ ଚରିତ ଯେହୁ ଧରେ ହୃଦୟରେ

ଯମଦଣ୍ଡୁ ତରିଯାଏ ସେହୁ ଅକ୍ଲେଶରେ ।

ଅଖିଳ ଯୋଗୀ ପୁରୁଷ ଯେଉଁ ନରହରି

ତାହାଙ୍କୁ ସର୍ବଦା ହୃଦେ ଚିନ୍ତି ନରନାରୀ ।

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ପାଦପଦ୍ମେ କଲେ ଦିବ୍ୟପୂଜା ।

 

ଭୋ ଦେବ ରୁକ୍ମିଣୀ ବିଭା ଅନ୍ତେ କହ ପୁଣି

କେବଣ କୃତ୍ୟ କରିଲେ ହଳୀ ଚକ୍ରପାଣି ।

ପାପାଧି ପାତକମାନ ମୋର କଷ୍ଟକର

ବଦୟନ୍ତି ଶୁକମୁନି ଶୁଣ ଦଣ୍ଡଧର ।

କେବଣ ହିଁ ଦିନେ ଜାଣ ଦୁର୍ବାସା ମହର୍ଷି

ଦ୍ଵାରାବତୀ ଭୁବନରେ ପ୍ରବେଶିଲେ ଆସି ।

ଲକ୍ଷେ ଷାଠିଏ ସହସ୍ର ବାଳଖିଲ୍ୟା ଯତି

ଶିଷ୍ୟ ଉପଶିଷ୍ୟଗଣ ପଛରେ ଅଛନ୍ତି ।

ଏକ ବାଳଖିଲ୍ୟା ସଙ୍ଗେ ସହସ୍ରେକ ଶିଷ୍ୟ

ଶିଷ୍ୟ ଗୋଟିକେ ସହସ୍ର ପୁଣି ଉପଶିଷ୍ୟ ।

ଉପଶିଷ୍ୟ ଗୋଟିକରେ ବ୍ରହ୍ମ ଚାରି ଶତେ

ସନ୍ନ୍ୟାସୀ ତ୍ରିଦଣ୍ଡୀ ଏକଦଣ୍ଡୀଙ୍କ ସହିତେ ।

ଏ ବିଧି ପ୍ରକାରେ ପୁଣି କେତେ ତପୋବନ୍ତ

ପୁରାଣାଦି ଶ୍ରୁତି ସ୍ମୃତି ବେଦାନ୍ତ ପଣ୍ଡିତ ।

ବୃହତ ସାମଗାୟନ କରି ବଦନରେ

ଆସି ପ୍ରବେଶ ହୋଇଲେ ସର୍ବେ ଦ୍ଵାରକାରେ ।

ଧୋତି ଉତ୍ତରୀ ପ୍ରୋକ୍ଷଣୀ ଛତା ପୀଢ଼ା ଧରି

ଉଚ୍ଚସ୍ଵରରେ ବଦନେ ବୋଲି ହରି ହରି ।

ପବନ ଆହାରୀ କେହୁ ଭକ୍ଷେ ପତ୍ର ଫଳ

ଅମୀୟ ରସ ଭୁଞ୍ଜନ୍ତି କେଉଁ ତପଶୀଳ ।

ଆମିଷଭୋଜୀ କେବଣ ଋଷି ବଇରାଗୀ

କନ୍ଦମୂଳ ଫଳାହାରୀ କେବଣହିଁ ଯୋଗୀ ।

ଦ୍ଵାରକା ନଗରେ ଦେଖି ବହୁ ପ୍ରଶଂସିଲେ

ପୁରମାନ ଜିଣିକରି ଭିତରେ ପଶିଲେ ।

ମୁନି ଆଗମନ ଜାଣି ରାମ ବନମାଳୀ

ବାଟକୁ ଆସି ପାଛୋଟି କଲେ ନିଉଛାଳୀ ।

ଡାହାଣାବର୍ତ୍ତ ଶଙ୍ଖରେ ଜଳତିଳ ଭରି

ମୁନିଙ୍କ ଚରଣ ଧୋଇ ମହାନନ୍ଦ କରି ।

ପାଦ୍ୟ ଅର୍ଘ୍ୟ ଦେଇ କଲେ ଭକ୍ତିଭରେ ପୂଜା

କରପତ୍ର ଯୋଡ଼ି ସ୍ତୁତି କରି ଦେବରାଜା ।

ସନ୍ତୋଷ ହୋଇଣ ମୁନି ଭଣି ଦିବ୍ୟବାଣୀ

ମର୍ତ୍ତ୍ୟେ ଅବତାର ଆସି ହେଲ ଚକ୍ରପାଣି ।

ପୃଥିବୀର ଭାରାଭର ନିବାରିବା ପାଇଁ

କୌତୁକରେ ଜାତ ମର୍ତ୍ତେ ନରତନୁ ବହି ।

ବ୍ରହ୍ମାଙ୍କୁ ଅଗୋଚର ତୋ ବିଷ୍ଣୁକୂଟ ମାୟା

ନିରଞ୍ଜନ ପୁରୁଷ ହେ ନିରାକାର କାୟା ।

ପୁଣ୍ୟ ପୁରୁଷ ପୂରିଛ ଚରାଚର ଯାଏ

କଳ୍ପ କଳ୍ପାନ୍ତେ ବିକାଶ ପାଏ ତବ କାୟେ ।

ଜୀବ ଅଜୀବରେ ତୁମ୍ଭେ ସବୁଠାରେ ପୂରି

ଜଳ ସ୍ଥଳ ଅନଳରେ ସୂକ୍ଷ୍ମ ଦେହ ଧରି ।

ଗୋପ ନଗରରେ ଥିଲ ତୁମ୍ଭେ ନନ୍ଦଘରେ

ଅନେକ ଦୈତ୍ୟ ନାଶିଲ ତହିଁ ଅଖଡ଼ରେ ।

କଂସର ଦୂତ ସଙ୍ଗରେ ଅଇଲ ବାହୁଡ଼ି

ତୁମ୍ଭେ ସିନା କଂସ କେଶୀ ବକା ବେକମୋଡ଼ି ।

ପୁଣି ସୁଖେ ବିହରିଲ ମଥୁରା ନଗରେ

ଇନ୍ଦ୍ରର ସମ୍ପଦ ହେଲା ଯାଦବ ଘରେ ।

ଧନ ବିଦ୍ୟା ତାହାଙ୍କର ବର୍ଦ୍ଧିତ ସକଳ

ପୁରଗୋଟା ଦେଖାଗଲା ଅତ୍ୟନ୍ତ ନିର୍ମଳ ।

ଭୋ ଦେବ ତୁମ୍ଭେ ଆହ୍ଲାଦେ ସର୍ବ ପୁଣ୍ୟମୟେ

ସ୍ଵର୍ଗ ମଞ୍ଚ ପାତାଳରେ କରି ଜୟେ ଜୟେ ।

ତହୁଁ ଆସିଣ ରହିଲ ଏବେ ଦ୍ଵାରାବତୀ

କୋଟିଏ ସ୍ଵର୍ଗ ଏଥକୁ ନୁହଇ ସଙ୍ଗତି ।

କେତେକାଳଯାଏ ଥିଲା ଦ୍ଵାରକା ଗୁପତ

ତୁ ଦେବ ଆସି କରିଲୁ ଏହାକୁ ବିଦିତ ।

ଏବେ ସେହି ଭୂମି ଭାଗ୍ୟ ଆସି ବିକଶିଲା

ଶ୍ରୀ ପରମାନନ୍ଦ ସ୍ଵାମୀ ଯହୁଁ ବିଜେକଲା ।

କହନ୍ତେଣ ନ ସରଇ ଏଥିର ମହିମା

ଏତେକାଳେ ପ୍ରକଟିତ ହୋଇଲା ଗାରିମା ।

ଅନେକ ପୁତ୍ର ଦୁହିତା ହୋଇବେ ତୁମ୍ଭର

ବ୍ରହ୍ମା ଆଦି ଦେବଗଣେ ଯାହାଙ୍କ କିଙ୍କର ।

ପୃଥିବୀର ଭାରାଭର ଉଶ୍ଵାସିବା ପାଇଁ

ଦଶ ଅବତାର ତୁମ୍ଭେ ବହ ହେ ଗୋସାଇଁ ।

ଏତେ ବୋଲି ମହାଋଷି ବସିଲେକ ଧାତି

ମଣିମୟ ସିଂହାସନେ କୃଷ୍ଣାଜିନ ପାତି ।

କନ୍ଦମୂଳ ଆଣି ଯୋଗାଇଲେ ଆଦିମୂଳ

ହରଷେ ତାହା ଭକ୍ଷିଲେ ମହାତପଶୀଳ ।

ଏମନ୍ତ ସମୟେ ମୁଦୁସୁଲୀ ଜଣାଇଲେ

ପାକାସ୍ପରଶ ରୁକ୍ମଣୀ ଦେବୀ ଯେ ହୋଇଲେ ।

ବୈଶାକ ଶୁକ୍ଳ ସପ୍ତମୀ ଅଟେ ଗୁରୁବାର

ପୁଷ୍ୟା ନକ୍ଷତ୍ର ଯେ ପୁଣି ଅଟେ ସେ ଦିନର ।

କୌଳବ ନାମେ କରଣ ଶୁଭ ନାମେ ଯୋଗ

ମେଷେ ରବି କର୍କଟରେ ଚନ୍ଦ୍ରବାର ଭୋଗ ।

ସାନନ୍ଦ ନାମରେ ସମ୍ବତ୍ସର ଶୁଦ୍ଧକାଳେ

ସିଂହଲଗ୍ନ ଭୋଗ ଦ୍ଵାବିଂଶତି ଦଣ୍ଡବେଳେ ।

ଏମନ୍ତ ରୁକ୍ମିଣୀଦେବୀ ହେଲେ ରଜୋବତୀ

ଏତେ କହି ଭେରୀ ଶଙ୍ଖ ଦୁନ୍ଦିଭି ବଜାନ୍ତି ।

ରାମ କୃଷ୍ଣ ଶ୍ରୀଅଙ୍ଗରେ ହଳଦିର ପାଣି

କୁତୁହୋଳେ ଦାସୀଗଣ ନିଉଡ଼ିଲେ ଆଣି ।

ଦୁର୍ବାସାଙ୍କୁ ଆଦି ଯେତେ ଥିଲେ ତପଶୀଳ

ସବୁରି ଉପରେ ନିଉଡ଼ିଲେ ସେହି ଜଳ ।

ସପତ ବଂଶ ଯାଦବେ ଆସ୍ଥାନରେ ମିଳି

କୁଙ୍କୁମ ହଳଦୀ ଘେନି ହେଲେ ବୋଳାବୋଳି ।

ବେଳ ପାଞ୍ଚଘଡ଼ି ଥାଉ ରାତ୍ରି ଦଣ୍ଡେ ଯାଏ

ହଳଦୀ ଜଳରେ ପୂର୍ଣ୍ଣ ଦ୍ଵାରାବତୀ ହୁଏ ।

ନାରାୟଣ ପୁଚ୍ଛାକଲେ ଦୁର୍ବାସାଙ୍କୁ ଚାହିଁ

ବୋଇଲେକ ତୁମ୍ଭଠାରୁ ପଣ୍ଡିତ କେ ନାହିଁ ।

ରୁକ୍ମିଣୀ ଦେବୀଙ୍କ ରଚଚକ୍ର କୁହ ଫେଡ଼ି

ତହୁଁ ଦୁର୍ବାସା ଅଣ୍ଟାରୁ ଖଡ଼ିଗୋଟି କାଢ଼ି ।

ମନ ଦୃଢ଼ କରିଣ ସେ କାଟି ବାରକୋଠି

ମେଷରେ ଆଦିତ୍ୟ ପୁଣି ବୃଷରେ ଶୁକ୍ରଟି ।

କୁମ୍ଭରେ ଶନିଶ୍ଚର ଯେ ରାହୁଗ୍ରହ ବେନି

ଏସନ ଗ୍ରହଚକ୍ରକୁ କାଟି ମହାମୁନି ।

ପ୍ରଥମରେ ବାରଦୋଷ ସଂକ୍ଷେପିଲେ ଆଣି

ବଦୟନ୍ତି ମହାମୁନି ଶୁଣ ଚକ୍ରପାଣି ।

ଶନିବାରେ ଯେଉଁ ନାରୀ ହୁଏ ରଜୋବତୀ

ମାସକ ସମ୍ପୂର୍ଣ୍ଣେ ଜାଣ ମରେ ତାର ପତି ।

ରବିବାରେ ରଜୋବତୀ ହୁଏ ଯେଉଁ ନାରୀ

ବନ୍ଧ୍ୟା ଅପୁତ୍ରକୀ ସେହୁ ହୁଏ ଅବଧାରୀ ।

ସୋମେ ଯଦ୍ୟପି ସଂପୂର୍ଣ୍ଣ ଥିବ ଚନ୍ଦ୍ରବେଳା

ଯେବଣ କନ୍ୟା ଏଥିରେ ହୁଏ ରଜସ୍ଵଳା ।

ଅହ୍ୟ ସୁଲକ୍ଷଣୀ ହୋଇ ଯାଏ ତାର ଦିନ

ହୋଇବ ଭାଗ୍ୟବତୀ ସେ ଅର୍ଜି ଧନଧାନ୍ୟ ।

ତିନିଗୋଟି ପୁତ୍ର ତାର ହୋଇବ ସଂଜାତ

ଭର୍ତ୍ତା ଥାଉ ସେହି ନାରୀ ହୁଏ ମୃତ୍ୟୁ ପ୍ରାପ୍ତ ।

ମଙ୍ଗଳ ବାରରେ ରଜୋବତୀ ଯେହୁ ହୁଏ

ସଂପୂର୍ଣ୍ଣ ଷୋଳ ବରଷେ ବିଧବା ସେ ହୁଏ ।

ନିଜ ଭର୍ତ୍ତା ଥାଉଁ ଥାଉଁ କରେ ପରପୁଂସ

ଯେତେ ପୁତ୍ର ଦୁହିତା ତା ସର୍ବେ ଯାନ୍ତି ନାଶ ।

ଦୁର୍ଭାଗୀ ଦୋଚାରୀ ସେହୁ ହୁଏ ନିଲକ୍ଷଣୀ

କେଶ ନାସା ସ୍ତନ ତାର ହୁଏ ସବୁ ହାନି ।

ବୁଧବାରେ ଯେଉଁ ନାରୀ ହୁଏ ରଜୋବତୀ

ସଂପୂର୍ଣ୍ଣ ବରଷକେ ସେ ହେବ ପୁତ୍ରବତୀ ।

କୁଳବଧୂ ହୋଇକରି ଜୀବନ ତା ସାଧୁ

ନାତି ଅଣନାତି ବହୁ ଅର୍ଜେ ପୁତ୍ରବଧୂ ।

ଗୁରୁବାରେ ଯେଉଁ ନାରୀ ହୁଏ ରଜୋବତୀ

ଗୋଟିଏ ପୁତ୍ର ତାହାର ହୁଅଇ ଉତ୍ପତ୍ତି ।

ନଣନ୍ଦ ସୌତୁଣୀ ଖଟି ତାର ପାଦତଳେ

ଭର୍ତ୍ତାର ତୁଲରେ ସେହୁ ପଶଇ ଅନଳେ ।

ଶୁକ୍ରବାରେ ଯେ ନାରୀର ହୁଏ ରଜଯୋଗ

ସଂସାର ଭିତରେ ତାର ଅତ୍ୟନ୍ତ ସୁଲଭ ।

ଧନ ସମ୍ପତ୍ତି ବହୁତ ମିଳେ ଦିବ୍ୟବାସ

ସ୍ଵାମୀରେ ସୌଭାଗୀ ସେହୁ ହୁଅଇ ଅବଶ୍ୟ ।

ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ଚକ୍ରପାଣି

ଜଉତିଷ ବିଦ୍ୟା ଏହା ବେଦାନ୍ତର ବାଣୀ ।

ସାତବାର ସତାଇଶ ପନ୍ଦର ଯେ ତିଥି

ଏକ ଦିବସେ ଏମାନେ ଭୋଗ କରୁଛନ୍ତି ।

ତିଥିବାର ଯୋଗ ଗଣି ଏହୁ ତଥ୍ୟ କଥା

ପୁଣ ପୁଣ ତିଥି ପାତିଲେକ ମହାଜ୍ଞାତା ।

ପ୍ରତିପଦା ଷଷ୍ଠୀ ଏକାଦଶୀ ତିନିଦିନ

ନନ୍ଦା ନାମରେ ଏ ତିଥି ଅଟେ ବିଦ୍ୟମାନ ।

ଏ ତିଥିରେ ଯେଉଁ ନାରୀ ହୁଏ ରଜୋବତୀ

ଶୁଭଯୋଗେ ନାରୀ ପୁତ୍ର ହୁଏ ଯେ ପ୍ରାପତି ।

ଦ୍ଵିତୀୟା ସପ୍ତମୀ ଦୁଆଦଶୀ ତିଥି ତୁଲେ

ଭଦ୍ରାନାମେ ତିଥି ପୁଣ ଘଟଇ ସେ ଭଲେ ।

ଏ ଯୋଗରେ ରଜୋବତୀ ପାଏ ଯେଉଁ ବାମା

ବେଶ୍ୟାବୃତ୍ତି ଆଚରଇ ତାହାକୁ ଜାଣିମା ।

ତୃତୀୟା ଅଷ୍ଟମୀ ଆଦି ତିଥି ତ୍ରୟୋଦଶୀ

ଏ ତିଥିର ନାମ ଜୟା ବୋଲି ଦେବେ ଭାଷି ।

ଏ ଯୋଗରେ ରଜୋବତୀ ହୁଏ ଯେଉଁ କନ୍ୟା

ସାଧବୀ ତୁଲେ ତାହାକୁ କରିବ ଗଣନା ।

ଦାନଶୀଳା ଦୟାବତୀ ଅତ୍ୟନ୍ତ ସୁଶୀଳା

ତୀର୍ଥଯାତ୍ରା କରିଣ ସେ ହୁଏ ପୁଣ୍ୟବାଳା ।

ପୁତ୍ର ଦୁହିତା ସମ୍ପଦ ବଢ଼ଇ ତାହାରି

ସପତାଙ୍ଗେ ଲକ୍ଷ୍ମୀ ପୁଣି ଅର୍ଜେ ସେହୁ ନାରୀ ।

ଚୌଠୀ ନବମୀ ଆବର ଚତୁର୍ଦ୍ଦଶୀ ଦିନ

ଏ ଯୋଗରେ ଯେଉଁ ନାରୀ କରଇ ସ୍ନାହାନ ।

ଦରିଦ୍ରା ଦୁଃଖିତା ସେହୁ ହୁଏ କାଳେ କାଳେ

ପୁରାଣ ବଚନ ଏହା ମିଥ୍ୟା ନାହିଁ ତିଳେ ।

ନ ମିଳଇ ଧନବସ୍ତ୍ର ଦୁଃଖେ ଦିନ ନେଇ

ଚୋର ତସ୍କର ତା ଗର୍ଭୁ ସମୟେ ଜନ୍ମଇ ।

ପଞ୍ଚମୀ ଦଶମୀ ପଉର୍ଣ୍ଣମୀ ତିଥି ଦିନ

ପୂର୍ଣ୍ଣିମା ଯୋଗ ଯେ ଏଥି ଅଟେ ବିଦ୍ୟମାନ ।

ଏ ଯୋଗରେ ଯେଉଁ କନ୍ୟା ହୁଏ ରଜୋବତୀ

ଭୁଞ୍ଜଇ ବିପୁଳ ଲକ୍ଷ୍ମୀ ଲଭଇ ସନ୍ତତି ।

ଦାନୀପଣରେ ସର୍ବଦା ଯାଏ ତାର ଦିନ

ବୋଲନ୍ତି ଦୁର୍ବାସା ତୁମ୍ଭେ ଶୁଣ ଭଗବାନ ।

ଅମାସ୍ୟା ବିଷ୍ଟି କରଣ ପୁଣି ଚତୁର୍ଦ୍ଦଶୀ

ଯେହୁ ରଜୋବତୀ ହୁଏ ସେହୁ ମହାଦୋଷୀ ।

ଚନ୍ଦ୍ରଗ୍ରହଣ ମାସାନ୍ତ ଆଉ ସଙ୍କରାନ୍ତି

ଏ ଯୋଗେ ରଜ ହୋଇଲେ ବହୁ ଦୁଃଖ ପାନ୍ତି ।

ଯାତ୍ରା ତୀର୍ଥ ଉତ୍ସବ ଯେ ଆଉ ନଦୀଜଳେ

ସନ୍ଧ୍ୟା ମଧ୍ୟାହ୍ନ ଅଥବା ପ୍ରଦୋଷର କାଳେ ।

ଏ ଯୋଗରେ ରଜୋବତୀ ହୁଏ ଯେଉଁ ନାରୀ

ତିନିଗର୍ଭୁ ଅର୍ଜଇ ସେ ପତି ତାର ମରି ।

କୃତ୍ତିକା ନକ୍ଷତ୍ରେ ନାରୀ ହେଲେ ରଜସ୍ଵଳା

ଧନଧାନ୍ୟ ପୁତ୍ରସବୁ ନଷ୍ଟ ହୁଏ ଭଲା ।

ଯେ ରଜୋବତୀ ହୁଅଇ ନକ୍ଷତ୍ର ରୋହିଣୀ

ସର୍ବ ଶୁଭଯୋଗେ ତାର ମଙ୍ଗଳକୁ ଗଣି ।

ମୃଗଶିରା ନକ୍ଷତ୍ରରେ ହେଲେ ରଜସ୍ଵଳା

ଧନଧାନ୍ୟ ପୁତ୍ର ତାର ହୁଏ ଅସଙ୍ଖୋଳା ।

ଆରଦ୍ରା ନକ୍ଷତ୍ରେ ନାରୀ ହେଲେ ରଜୋବତୀ

ପତି ପତ୍ନୀ ବିଚ୍ଛେଦରେ ବହୁ ଦୁଃଖ ପାନ୍ତି ।

ରଜୋବତୀ ହେଲେ ପୁନର୍ବସୁରେ ନାୟିକା

ଶ୍ରୀବିଷ୍ଣୁ ବଲ୍ଲଭୀ ବୋଲି କରି ତାକୁ ଲେଖା ।

ପୁଷ୍ୟାନକ୍ଷତ୍ରରେ ନାରୀ ହେଲେ ରଜସ୍ଵଳା

ସାକ୍ଷାତେ ଜାଣିବ ସେହୁ ଅଟଇ ଚଞ୍ଚଳା ।

ଯେଉଁ ନାରୀ ରଜୋବତୀ ହୁଅଇ ଅଶ୍ଳେଷା

ଭର୍ତ୍ତା ବିଦେଶେ ରହେ ତା ନ ପୂରଇ ଆଶା ।

ମଘା ନକ୍ଷତ୍ରରେ ରଜୋବତୀ ହେଲେ ନାରୀ

ସ୍ଵାମୀର ଦୋରେହା ସେହୁ ହୁଏ ଭଲ କରି ।

ରଜୋବତୀ ହେଲେ ବେନି ଫାଲ୍‌ଗୁନୀ ନକ୍ଷତ୍ରେ

ପୁତ୍ର ସମ୍ପଦ ବହୁତ ହୁଏ ତାର ଗୋତ୍ରେ ।

ଯେଉଁ ନାରୀ ରଜୋବତୀ ହୁଅଇ ବିଶାଖା

ତାହାକୁ କରିବ ନିଶ୍ଚେଁ ବେଶ୍ୟାସଙ୍ଗେ ଲେଖା ।

ଅନୁରାଧା ନକ୍ଷତ୍ରରେ ହେଲେ ରଜୋବତୀ

ଭର୍ତ୍ତା ସହିତରେ ସେହୁ ଲଭଇ ସଦ୍‌ଗତି ।

ଜ୍ୟେଷ୍ଠା ନକ୍ଷତ୍ରରେ ଯେବେ ରଜୋବତୀ ହେବ

ବରଷକରେ ଯମଜ ପୁତ୍ର ଉପୁଜିବ ।

ଯେଉଁ ନାରୀ ରଜୋବତୀ ମୂଳାରେ ହୁଅଇ

ଚାରିଗୋଟି ପୁତ୍ର ତାର ନିଶ୍ଚୟ ଜନ୍ମଇ ।

ଜୀବନ୍ତେ ଅନେକ କାଳ ବଞ୍ଚେ ସେହୁ ନାରୀ

ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ହେ ଶ୍ରୀହରି ।

ପୂର୍ବଷାଢ଼ାରେ ଯେ ନାରୀ ହୁଏ ରଜୋବତୀ

ପାଞ୍ଚପୁତ୍ର ନିଶ୍ଚେଁ ତାର ହୁଅଇ ଉତ୍ପତ୍ତି ।

ଉତ୍ତରାଷାଢ଼ାରେ ହେଲେ ରଜୋବତୀ ନାରୀ

ପୁତ୍ର ଉପୁଜିଣ ତାର ଖଡ଼୍‌ଗେ ଯାଏ ମରି ।

ଯେହୁ ଅବା ରଜୋବତୀ ହୁଅଇ ଶ୍ରବଣା

କୁଳମଣ୍ଡନୀ ସେହୁ ଯେ ହୁଏ ଜଗଜ୍ଜିଣା ।

ଧନିଷ୍ଠାରେ ରଜ ହେଲେ ମାତାରେ ମଙ୍ଗଳ

ଶତଭିଷା ନକ୍ଷତ୍ରରେ ସମସ୍ତ କୁଶଳ ।

ଅଶ୍ଵିନୀ ବୋଲିଣ ପୁଣ ନକ୍ଷତ୍ରେକ ଅଛି

ତହିଁରେ ରଜ ହୋଇଲେ ହୁଅଇ ମଡ଼ିଛି ।

ପୂର୍ବ ଭାଦ୍ରବରେ ନାରୀ ରଜୋବତୀ ହ୍ଵନ୍ତେ

ପତି ପତ୍ନୀ ଦୁଃଖ ପାନ୍ତି ଜାଣ ଅବିରତେ ।

ଉତ୍ତର ଭାଦ୍ରବେ ଯେବେ ଅଷ୍ଟବାଦି ଶାଖା

ପ୍ରତି ଦିବସରେ ଜାଣ ଷାଠିଦଣ୍ଡ ଲେଖା ।

ଏକା ନିଃଶ୍ଵାସକେ ସସ୍ରେଯୁଗ ଭୋଗକରି

ବାୟବ୍ୟ କରଣ ମାହେନ୍ଦ୍ର ଯେ ସମସରି ।

ମୁହୂର୍ତ୍ତେ ମୁହୂର୍ତ୍ତେ ଯୋଗ ଆନ ଆନ ମୂର୍ତ୍ତି

କାଳବେଳେ ଯେତେ ଯୋଗ ହୋଇ ପ୍ରତି ପ୍ରତି ।

ଅକ୍ଷୟ ଅଜ୍ରାମର ହେ ପୁଂସ ଜଗଦୀଶ

ତୁମ୍ଭେ କି ନ ଜାଣ ସ୍ଵାମୀ କହିବି ମୁଁ କିସ ।

ତୁମ୍ଭେ ବେଦଶାସ୍ତ୍ର ସବୁ ଭିଆଇଛ ଅଙ୍ଗେ

ଅଦୃଷ୍ଟ ଯୋଗ ଫଳକୁ କରାଅ ସୁଢ଼ଙ୍ଗେ ।

ଏଣେ ଆତଯାତ ହ୍ଵନ୍ତି ଚନ୍ଦ୍ର ସୂର୍ଯ୍ୟ ବେନି

ଏଣେ ଆତଯାତ ଜାଣ ସକଳ ମେଦିନୀ ।

ଦ୍ଵାଦଶ ରାଶିକୁ ଏହୁ ଅଟନ୍ତି କରତା

ଜ୍ୟୋତିଷ ନକ୍ଷତ୍ରେ ଏ ଯେ ସୁଲଭ ବାରତା ।

ଦୀପିକା ଗ୍ରନ୍ଥେ ମାର୍ତ୍ତଣ୍ଡ ସଂହିତାର ବଳି

ସକଳ ଗ୍ରନ୍ଥରେ ଏହି ରଜଚକ୍ର ବୋଲି ।

ଆଗମ ନିଗମ ଏ ତ ସିଦ୍ଧାର୍ଥ ବଚନ

ବିଚାରି କାର୍ଯ୍ୟ କରିବ ୟାକୁ ସୁଜ୍ଞଜନ ।

ବାରଗ୍ରନ୍ଥ ଆଗମ ଏ ଅଟେ ଫଳଶ୍ରୁତ

ଏମନ୍ତେ ଅନେକ ଶାସ୍ତ୍ର ଘେନି ଆତଯାତ ।

ତାର ବାର ନକ୍ଷତ୍ର ସେ କରଣାଦି ଜାଣ

ନିଷ୍ଠାପର ବିଦ୍ୟା ଏକ ସପ୍ତାଙ୍ଗ ପ୍ରମାଣ ।

ଜାତକ ଯାତ୍ରାରେ ଜାଣ ବିଭାକାର୍ଯ୍ୟ କରି

ଲକ୍ଷେ ଗ୍ରନ୍ଥର ମୂଳରେ ଏହା ସାଧିପାରି ।

ମୟନାମେ ବିଶ୍ଵକର୍ମା ରଚିଲାକ ଆଣି

ନକ୍ଷତ୍ର ସଞ୍ଚାର କାଳେ ଗ୍ରହସ୍ଫୁଟ ଭଣି ।

ସଂସାରରେ ଆତଯାତ ଭବିଷ୍ୟ ବିଧାନ

ଯେ ଯେବଣ ଶାସ୍ତ୍ରମାନ ଅପୂର୍ବ ଘଟଣ ।

ବାରମାସ ସତାଇଶ ନକ୍ଷତ୍ର କରଣ

ଏଥିର ଯେ ଫଳାଫଳ କହିବା ତା ଶୁଣ ।

ମେଷ ସିଂହ ବୃଶ୍ଚିକ ଯେ କୁମ୍ଭଆଦି କରି

ସର୍ବ ଶୁଭବାର୍ତ୍ତା ତବ ରଜୋବତୀ ସ୍ତିରୀ ।

ବୃଷ କନ୍ୟା ଧନୁ ମୀନ ଚନ୍ଦ୍ରର ସହିତେ

ଧନଧାନ୍ୟ ବୃଦ୍ଧି ହୁଏ ଜାଣିବ ଯୁକତେ ।

ମିଥୁନ କକଡ଼ା ତୁଳା ମକର ଯେ ଚାରି

ଅନୁବ୍ରତେ ପୀଡ଼ା ଦିଏ ଅଟେ କ୍ଲେଶକାରୀ ।

ଯୋଗ ଚକ୍ରମାନ ତହୁଁ ପାତିଲେ ପଣ୍ଡିତେ

ବିଚାରିଲେ ସେ ସମସ୍ତ ଗୁଣ ଶୁଭଅର୍ଥେ ।

ବିଷ୍କୁମ୍ଭ ଯେ ଆୟୁଷ୍ମାନ ସୌଭାଗ୍ୟ ଶୋଭନ

ବ୍ୟତୀପାତ ହରଷଣ ପରିଘ ଯେ ବ୍ରହ୍ମ ।

ବହୁଶୁଭ ଏ ଯୋଗରେ ହେଲେ ରଜୋବତୀ

ଧନଜନ ଉପୁଜଇ ହେଲେ ଭାଗ୍ୟବତୀ ।

ପ୍ରୀତି ଧୃତି ଶୁଳ ଇନ୍ଦ୍ରଯୋଗେ ଯେଉଁ ନାରୀ

ପୁଷ୍ପବତୀ ହୁଏ ସେହୁ ଅଟଇ ଦୋଚାରୀ ।

ଶୁକ୍ଳ ବଜ୍ର ବରୀୟାନ ଶିବ ବଇଧୃତି

ସନ୍ତାନ ହାନି ହୁଅଇ ହେଲେ ରଜୋବତୀ ।

ଶୁଭ ବୃଦ୍ଧି ସିଦ୍ଧି ସାଧ୍ୟ ଅସୃକ ଏ ଯୋଗେ

ରଜୋବତୀ ହେଲେ ନାରୀ ରହେ ସୁଖଭୋଗେ ।

ଗଣ୍ଡ ଅତିଗଣ୍ଡ ଧ୍ରୁବ ସୁକର୍ମ ବ୍ୟାଘାତ

ଏତେ ପୁଷ୍ପବତୀ ହେଲେ ସବଂଶେ ନିପାତ ।

ଏଥୁ କରଣ ଚକ୍ରକୁ ପାତିଣ ପଣ୍ଡିତେ

ଯେଉଁ କରଣର ଯେଉଁ ଫଳ ହୁଏ ଯେତେ ।

ବୋଲନ୍ତି ଶୁଣ ହେ ପ୍ରଭୁ ଲକ୍ଷ୍ମୀଦେବୀ ସାଇଁ

ଜଉତିଷ ବଚନ ଏ ନିଶ୍ଚୟ ଘଟଇ ।

ବବ ବାଳକ କୌଳବ ତୈତିଳ ବାଣିଜ୍ୟ

ଏ ଯୋଗରେ ରଜୋବତୀ ହେଲେ ପାଇ ରାଜ୍ୟ ।

ବିଷ୍ଟି ଶକୁନି କିଂସ୍ତୁଘ୍ନେ ଆଉ ଗର ନାଗ

ଚତୁଷ୍ପଦ କରଣରେ ଷଷ୍ଠେ ପାପ ଭୋଗ ।

ଦୁର୍ବାସା ବୋଇଲେ ଶୁଣ ରୁକ୍ମିଣୀର ସାଇଁ

ଜଉତିଷ ବଚନ ଏ ସିଦ୍ଧାନ୍ତ ଅଟଇ ।

ଯେବେ ବାର ତିଥିଆଦି ହୁଅଇ ସଂଯୋଗ

ଫଳାଫଳ ହାନି ହୁଏ ଜାଣିବ ସୁବିଜ୍ଞ ।

ଗ୍ରହଙ୍କର ଉଚ୍ଚ ନୀଚ ସ୍ଥାନ ପରିମାଣି

କାଳବଶେ ରିପୁଭୋଗ କରାଇବ ଆଣି ।

ଏବେ ଯେ ରୁକ୍ମିଣୀ ଦେବୀ ହେଲେ ରଜୋବତୀ

ପ୍ରତ୍ୟକ୍ଷରେ ଲକ୍ଷ୍ମୀଦେବୀ ସେ ପଦ୍ମିନୀ ଜାତି ।

ତୁମ୍ଭେ ଦେବ ଦେବଙ୍କର ଅଟ ଶିରୋମଣି

ଆଦ୍ୟ ପାଟବଂଶୀ ତବ ଅଟନ୍ତି ରୁକ୍ମିଣୀ ।

ଗଣଗନ୍ଧରବଙ୍କର ଅଟନ୍ତି ସେ ମାତା

ଅନାଦି ଅପର୍ଣ୍ଣା ଦେବୀ ସର୍ବ ବୀଜଦାତା ।

ଦ୍ଵାପରରେ ଲକ୍ଷ୍ମୀ ସବୁ ସ୍ଥାନରେ କାରେଣୀ

ଏହି ଶୁଭଯୋଗ କଥା ଅଛଇ ମୁଁ ଜାଣି ।

ବଇଶାଖ ଶୁକ୍ଲପକ୍ଷ ସପତମୀ ତିଥି

ପୁଷ୍ୟା ନାମରେ ନକ୍ଷତ୍ର ଅଟଇ ଯୁକତି ।

ଗର ନାମରେ କରଣ ଶୁଭ ନାମେ ଯୋଗ

ମେଷ ସଂକରାନ୍ତିକି ଯେ ତେରଦିନ ଭୋଗ ।

ଚାରିପାଦେ ଚନ୍ଦ୍ର ପୁଣି କକଡ଼ାରେ ଅଛି

ସର୍ବ ମଙ୍ଗଳ ଯୋଗ ଏ ଦୋଷ ନାହିଁ କିଛି ।

ମେଷରେ ଆଦିତ୍ୟ ପୁଣି ବୃଷେ ବୁଧ ଶୁକ୍ର

କର୍କଟେ ଚନ୍ଦ୍ର ମଙ୍ଗଳ ଧନୁରେ ଯେ ବକ୍ର ।

କୁମ୍ଭରେ ଅଛଇ ରାହୁ ତୁଲେ ବୃହସ୍ପତି

ଏମନ୍ତ ବେଳେ ରୁକ୍ମିଣୀ ହେଲେ ରଜୋବତୀ ।

ସମସ୍ତ ମଙ୍ଗଳ ଏଥେ କିଛି ଦୋଷ ନାହିଁ

ମଙ୍ଗଳ ମାତ୍ର ଗ୍ରହରେ ଅଛି ବକ୍ର ହୋଇ ।

ଏତେ ବୋଲିଣ ଖଡ଼ିକୁ ଥୋଇଲେକ ମୁନି

ବିଷ୍ଟି ଭଦ୍ରାଯୋଗ ପୁଣ ପାଇଲାକ ଗଣି ।

ଦୁର୍ବାସାଙ୍କର ବଚନ ଶୁଣି ଚକ୍ରଧର

ବୋଇଲେ ବକ୍ର ଯୋଗରେ ଶୁଭ ସମାଚାର ।

ମଙ୍ଗଳବାର ତିଥିର ଯେବଣ ହିଁ ଦୋଷ

ସଂକ୍ଷେପିଣ କହ ମୁନି ଯେହ୍ନେ ଯିବ ନାଶ ।

ମୁନି ବୋଇଲେକ ତୁମ୍ଭେ ଶୁଣ ଦେବହରି

ଶୁଭାଶୁଭ କଥା ତୁମ୍ଭେ ପାର ଆନକରି ।

ପ୍ରଥମେ ରୁକ୍ମିଣୀଠାରୁ କନ୍ଦର୍ପ ଜନ୍ମିବ

ତାହା ହାତରେ ଶମ୍ବର ଅସୁର ମରିବ ।

ମୁନିଙ୍କ ବଚନେ ଜଗନ୍ନାଥେ ହେଲେ ତୁଷ୍ଟ

ବିଚାରି ବୋଇଲେ କଥା ନ କର ପ୍ରଘଟ ।

ଏଥୁ ଅନନ୍ତରେ ପୁଣି ଆସ୍ଥାନ ମଉଳି

ସମସ୍ତ ଯାଦବମାନେ ଯେ ଯାହାରେ ଚଳି ।

କୃଷ୍ଣ କାମପାଳ ବସୁଦେବ ଉଗ୍ରସେନ

ଉଦ୍ଧବ ଅକ୍ରୂର ଆଉ ସାତ୍ୟକି ଏ ପୁଣ ।

ଗୋଟି ଗୋଟି ହୋଇ ତହୁଁ ପ୍ରସ୍ଥାନ ସେ କଲେ

ନିଜ ନିଜ ମନ୍ଦିରରେ ଯାଇଣ ମିଳିଲେ ।

ସେ ରୁକ୍ମିଣୀକାନ୍ତଙ୍କର ଚରଣେ ଶରଣ

ମାଗଇ ଅଚ୍ୟୁତ ଦାସ ଅତି ଦୀନହୀନ ।

 

ରୁକ୍ମିଣୀଙ୍କର ବନ୍ଦାପନା

 

ଏଥୁ ଅନନ୍ତରେ ଆହେ ପରୀକ୍ଷ ରାଜନ

ଯାହା ଯାହା ହେଲା ତାହା କହୁଛି ତୁ ଶୁଣ ।

ଶିଷ୍ୟପୁତ୍ରମାନ ଘେନି ଦୁର୍ବାସା ମହର୍ଷି

ମନ ପବନ ଯାନରେ ଗଲେ ତହୁଁ ବସି ।

ପ୍ରବେଶ ହୋଇଲେ ଯାଇ ଗୋମତୀର ତୀରେ

ନିତ୍ୟାଚାର କର୍ମମାନ କରି ଯେ ଯାହାରେ ।

ଅମୃତ ବେଳରେ ରଜୋଯୋଗ ହେଲା ଯେଣୁ

ସନ୍ଦେଶ ବାରତା ଘେନି ଦୂତ ଯାଇ ତେଣୁ ।

କୁଣ୍ଡୀ ନଗରେ ପ୍ରବେଶ ହେଲା ତତକ୍ଷଣି

ଆସ୍ଥାନରେ ବସିଅଛି ଭୀଷ୍ମକ ନୃମଣି ।

ସକଳ ବାରତାମାନ କହିଲାକ ଯାଇ

ଶୁଣି ଭୀଷ୍ମକ ରାଜନ ଆନନ୍ଦିତ ହୋଇ ।

ବନ୍ଦାପନାର ସାମଗ୍ରୀ ଭିଆଇ ସକଳ

ଲୋକଙ୍କ ହସ୍ତରେ ଆଣି କରେ ସବୁ ଠୁଳ ।

ଲକ୍ଷେକ ହସ୍ତୀ ଯେ ବେନିଲକ୍ଷ ଅଶ୍ଵ ତହିଁ

ପାଞ୍ଚଲକ୍ଷ ଧେନୁ ମେଷି ପାଞ୍ଚଲକ୍ଷ ଗାଈ ।

ନେତ ପାତ ପତନୀ ଯେ କସ୍ତୁରୀ ମଞ୍ଜିଷ୍ଠା

ବସନ୍ତ ମାଧବୀ ନାନା ବର୍ଣ୍ଣରେ ଯେ ମଠା ।

ଝୋଲା ସାହାଲା ଆବର ନାନାବିଧ ଦ୍ରବ୍ୟ

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବସନ ସରବ ।

ଆମ୍ବ ପଣସ କଦଳୀ ନଟିକାଳ ଫଳ

ଡାଳିମ୍ବ ପେଣ୍ଡି ଖଜୁରୀ ଆଉ ବୃନ୍ଦାହୋଳ ।

ଛତୁ କୋରା ଗଜା ପୁଣ ଅନେକ ବେଭାର

ଉପହାର ସଜ କଲେ ଲକ୍ଷେକ ସମ୍ଭାର ।

ଗନ୍ଧ ଚନ୍ଦନ କସ୍ତୁରୀ ଆଦି ଚତୁଃସମ

ଅଷ୍ଟରତନେ ଜଡ଼ିତ ଗଜଦନ୍ତ କମ ।

ମୁକୁଟ କୁଣ୍ଡଳ ପୁଣ ହୃଦର ଭୂଷଣ

କର୍ଣ୍ଣାଞ୍ଚଳ ସୁଗନ୍ଧାଦି ସ୍ଵର୍ଣ୍ଣମାଳାମାନ ।

ଏସନ ସମୟେ ତହୁଁ ସେ ଭୀଷ୍ମକ ରାଜା

ଚାରିପୁତ୍ରକୁ ଘେନିଣ ଆପେ ହେଲେ ସଜ ।

ଧାଈ ସେବାକାରୀ ଆଦି ଝଡ଼ା ମୁଦୁସୁଲୀ

ଅଙ୍ଗଲଗା ସହିତରେ କୋଟିଏ ପୋଇଲୀ ।

ଅନେକ ଆୟମାନ ଯେ ଅଳଙ୍କାର ଘେନି

ମର୍କତ ବୈଦୁର୍ଯ୍ୟ ରତ୍ନଆଦି ନାନାମଣି ।

ଦଣ୍ଡ ସିଂହାସନେ ଏକଲକ୍ଷ ଯେ ବିମଳ

ଘେନିକରି ଦ୍ଵାରକାକୁ ଚଳେ ମହୀପାଳ ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକମୁନି

ଇତିଶିରୀ ଭାଗବତ ପୁରାଣର ଧ୍ଵନି ।

ଇତିଶିରୀ ଭାଗବତ ପୁରାଣର ଧ୍ଵନି ।

ଏହିମତେ କାମଦେବ ଅନେକ ତିଆରି ।

ଗୁରୁବାରେ ରଜୋବତୀ ହୋଇଲେ ରୁକ୍ମିଣୀ

ଉପବାସ କଲେ ସେହୁ ଶୁଭଦଣ୍ଡ ଘେନି ।

ରାତ୍ରେ ଉଜାଗର ହେଲେ ଜାଳି ଦୀପାବଳୀ

ଛାଡ଼ିଲେ ବେଶ ବିସନ ସଖୀସଙ୍ଗ କେଳି ।

ଶୁକ୍ଳବସ୍ତ୍ର ପିନ୍ଧି କଲେ ରଙ୍ଗ ବସ୍ତ୍ର ତେଜ୍ୟା

କୌଷେୟ ବସନ ପିନ୍ଧି କଲେ ଭୂମିଶଯ୍ୟା ।

କର୍ପୁର କସ୍ତୁରୀ ଗନ୍ଧ ପୁଷ୍ପ କଲେ ଦୂର

ବେଦଶାସ୍ତ୍ର ପ୍ରମାଣରେ ଯେ ବିଧି ଆଚାର ।

ଦ୍ଵିତୀୟ ଦିବସ ରାତ୍ର ଘଡ଼ିଏକ ଥାଉଁ

ନିତ୍ୟକର୍ମ ବିଧିମାନ ସାରିଲେକ ତହୁଁ ।

ଝୋଲ ଝୀନବସନକୁ ଅଙ୍ଗେ ପରିଧାଇ

ହଂସଗତି ପରାୟେକ ଯାନ୍ତି ପଥବାହି ।

କ୍ଷୀର ସାଗରୁ ଚଞ୍ଚଳା ବାହାରିଲେ କିବା

ତେସନ ପ୍ରକାରେ ତାଙ୍କୁ ଉପମା ଯେ ଦେବା ।

ଦିବାକରଙ୍କୁ ପ୍ରଣମି ଦେଲେ କ୍ଷୀରଦାନ

ଏକା ଗମ୍ଭୀରିରେ ପଶି ବଞ୍ଚିଲେ ସେଦିନ ।

ରଜନୀରେ ଦୀପ ଜାଳି ହେଲେ ଉଜାଗର

କାଳରାତ୍ରି ଉଜାଗରେ ପୋହିଲେ ଆବର ।

ଏମନ୍ତ ସେ ଦୁଇରାତ୍ରେ ବଞ୍ଚି ଯଥାବିଧି

ତୃତୀୟ ଚତୁର୍ଥ ରାତ୍ରେ କରି ସର୍ବ ସିଦ୍ଧି ।

ପଞ୍ଚମ ଦିବସେ ପୁଣି କରିଲେ ସ୍ନାହାନ

ବେଦଶାସ୍ତ୍ର ପ୍ରମାଣରେ ସାରି ନିତ୍ୟକର୍ମ ।

ଗନ୍ଧ ଚନ୍ଦନ କର୍ପୁର ଅଙ୍ଗେ ଦେଲେ ବୋଳି

ପଲ୍ୟଙ୍କେ ଶୟନ କଲେ ଶ୍ରୀକୃଷ୍ଣର ବାଳୀ ।

ପରିବାରୀଏ ଆଲଟ ମାନ ପକାଇଲେ

ଅଷ୍ଟରତନ କଙ୍କଣ ଶୁଭେ ଅତି ରୋଳେ ।

ନଡ଼ପ ଧୂପକାଠକୁ ଧର ପରିଜନେ

ଛାମୁରେ ଅତି ସାଦରେ ଯୋଗାଇ ବହନେ ।

ପଞ୍ଚଭୂତ ଆତ୍ମା ଦେବୀ କଲେ ତହିଁ ପୂଜା

ମନ ପବନ ଛନ୍ଦିଣ କରି ନାରୀରାଜା ।

ସାଷ୍ଟାଙ୍ଗରେ ଦେବୀପାଦେ କରେ ପ୍ରଣିପାତ

ଏପରି ପଞ୍ଚମ ଷଷ୍ଠ ହୋଇଲା ଅତୀତ ।

ସପତମ ରାତ୍ର ପୁଣ ବେନିଘଡ଼ି ଅଛି

ଅଭିଷେକ ମନ୍ଦିରରେ ବିଜୟ ମୃଗାକ୍ଷୀ ।

ଲାଗିଲା ଦିହୁଡ଼ି ହୁଳା ଅତି ତେଜୋମୟେ

ସିଂହାସନର ଉପରେ କରିଲେ ବିଜୟେ ।

ଛାମୁରେ ବେଢ଼ି ଅଛନ୍ତି ସର୍ବ ପରିବାରୀ

ନାନା ବର୍ଣ୍ଣରେ ପାରୁଶେ ଚାମରକୁ ଧରି ।

ନିରନ୍ତରରେ ଉଦିତ ମହା ଜ୍ୟୋତିର୍ମୟେ

ଦିବସରେ ଚନ୍ଦ୍ର କିବା ହୋଇଛି ଉଦୟେ ।

ଭେରୀ ମୃଦଙ୍ଗ ବାଜଇ ଶୁଭେ ଘୋର ଧ୍ଵନି

ଶୋଭା ପାଉଛନ୍ତି ତହିଁ ସକଳ ମେଦିନୀ ।

ପ୍ରଥମରେ ପଞ୍ଚାମୃତ ଦ୍ରବ୍ୟ ମିଶାଇଲେ

ରୁକ୍ମିଣୀଙ୍କ ଶିରେ ନେଇ ତାହା ନିଉଡ଼ିଲେ ।

ଅଷ୍ଟକୁମ୍ଭେ ଅଭିଷେକ କଲେ ବିଧିମତେ

ଡାହାଣାବର୍ତ୍ତ ଶଙ୍ଖରେ ନିଉଡ଼ି ତଦନ୍ତେ ।

ସୁଗନ୍ଧ ଲାଗ କରିଣ ପୋଛିଲେ ଶରୀର

ସୁଝୀନ ବସନ ଆଣି ପିନ୍ଧାଇ ଅଙ୍ଗର ।

କୁଞ୍ଚିତ କେଶରେ ବାନ୍ଧି ଯତନରେ ବେଣୀ

ମଥାରେ ମୁକୁତାବଳୀ ନୀଳଚନ୍ଦ୍ରମଣି ।

ଖଣ୍ଡ କପୋଳରେ ପୁଣି କସ୍ତୁରୀର ଚିତା

ମଦନ ଆର୍ଦ୍ରାବଳୀକି ଥୋଇଅଛି ଧାତା ।

ଉଚ୍ଚ ସଞ୍ଚ ନାସିକାରେ ଶୋଭଇ ବସଣୀ

ବୁଧ ଶୁକ୍ର ତାରା କିବା ଉଦେ ଦିନମଣି ।

ଏକପୁଡ଼ା ନାସାମଧ୍ୟେ ବିରାଜଇ ଗୁଣା

କୋଟିଚନ୍ଦ୍ର ଜ୍ୟୋତି ତାକୁ ଅଟଇ ଯେ ଊଣା ।

ସୁରଙ୍ଗ ଅଧର ଜ୍ୟୋତି ବଧୁଲିର କାନ୍ତି

ସିନ୍ଦୂର ମୁକୁତା ଜିଣି ଦିଶେ ଦନ୍ତପନ୍ତି ।

ଅଣ୍ଡିର କୋକିଳ ଯେହ୍ନେ ମଧୁରରେ କହେ

ଚନ୍ଦ୍ରମଣ୍ଡଳ ମଧ୍ୟେ କି ସୁଧାକର ବହେ ।

ଭ୍ରୂଲତା କି କାମଧେନୁ ଡୋଳା ଅଟେ ଶର

ଭ୍ରୂଲତା ଚାହାଣି ପୁଣି ସୁବିମ୍ଵ ଅଧର ।

କର୍ଣ୍ଣରେ ରତନ କାପ ମଣିହୀରା ଜଡ଼େ

ଶୂନ୍ୟମଣ୍ଡଳୁ ବିଜୁଳି କିବା ଖସିପଡ଼େ ।

ନାଭି ଉପରେ କି ଅବା ଭ୍ରମରର ଖଞ୍ଜା

ଶିରରେ ମଣି ଶୋଭିତ ଶତ୍ରୁ ଦର୍ପଗଞ୍ଜା ।

ଅନ୍ଧାର ରାତିରେ ଅବା ଉଦେ ଚନ୍ଦ୍ରଶିଖା

କର୍ଣ୍ଣମୂଳ ପରିଯନ୍ତେ ଲମ୍ଵିଅଛି ଶାଖା ।

ଶଙ୍ଖ ପଦ୍ମ ଶୋଭାପାଏ ଶ୍ରୀକର ପଲ୍ଲବେ

କଣ୍ଠେ ଆଭରଣ ଚାପସରି ଅତି ଦମ୍ଭେ ।

ହାର ଆଭରଣ ପୁଣ ଦିବ୍ୟ ରତ୍ନମଣି

ପଦ୍ମରାଗ ମାଣିକ୍ୟର ବାହା ଜ୍ୟୋତି ଜାଣି ।

ହସ୍ତୀର ଥୋରକୁ ଜିଣି ବଳି ବାହୁ ବେନି

ଯେହୁ ପାଳୁଅଛି ପୁଣି ସକଳ ମେଦିନୀ ।

ବିଦ ମୁଦ୍ରିକା କଙ୍କଣ ତାଡ଼ର ବାହୁଟି

ଅମୂଲ୍ୟ ଗୁରୁ ରତନ ରାଜେ କୋଟି କୋଟି ।

ଅଙ୍ଗୁଷ୍ଠି ଚମ୍ପକ କଢ଼ୀ ପ୍ରାୟ ଦିଶେ ଝଳି

ଶଙ୍ଖ ଚକ୍ର ପଦ୍ମ ଗଦା ଅଙ୍କା ରେଖାବଳୀ ।

ଜାତୀ ପାଖୁଡ଼ା ପରାୟେ ଶୋହେ ନଖପନ୍ତି

ଦର୍ପଣ ଆହ୍ଲାଦେ ଯେହ୍ନେ ବିରାଜଇ ଜ୍ୟୋତି ।

ବିସ୍ତାରିଣ ବକ୍ଷସ୍ଥଳ ଉଚ୍ଚ କୁଚବେନି

ନାହିଁ ପଟାନ୍ତର ତାକୁ ସମଗ୍ର ମେଦିନୀ ।

ସୁବର୍ଣ୍ଣ ଲିଙ୍ଗ ସ୍ଵରୂପେ ଦେବ କାଶୀବାସୀ

ଗରଳ ଜ୍ଵାଳା ଭୟେ କି ଲୁଚିଛନ୍ତି ଆସି ।

କାଳକୂଟ ବିଷ ଭକ୍ଷି ତେଜୁଥିଲେ ପ୍ରାଣ

ସୁଶୀତଳ ବକ୍ଷରେ କି ପଶିଲେ ଶରଣ ।

ସମୁଦ୍ରମନ୍ଥନୁ ଦେବେ ଅମୃତ ଲଭିଲେ

ଅସୁରଙ୍କ ଡରେ ଆପେ ରଖି ନ ପାରିଲେ ।

ତେଣୁ ଅତି ଯତ୍ନେ ସ୍ଵର୍ଣ୍ଣ କୁମ୍ଵରେ ପୂରାଇ

ଲୁଚାଇ ଥୋଇଲେ ମୃଗନାଭି ମୁଦ ଦେଇ ।

ତେଣୁ ଏହାକୁ ଦେଖିଲେ ବଳଇ ଶରଧା

କମନୀୟ ବାଞ୍ଛାନିଧି କଳ୍ପ କାମବାଧା ।

ହର ଡମ୍ଵରୁ ପ୍ରାୟେକ ଶୋହେ କଟୀମଝା

ଗମନ କରନ୍ତେ ମତ୍ତଗଜ ପାଏ ଲଜ୍ଜା ।

ଅମଳାନ ଝୀନ ବସ୍ତ୍ର ପିନ୍ଧିଛନ୍ତି ଭିଡ଼ି

ମରକତ ମୂର୍ତ୍ତିରେ କି ସ୍ଵର୍ଣ୍ଣ ରତ୍ନ ଜଡ଼ି ।

ପାଦରେ ନୂପୁର ବେନି ଅତିଶୟ ସାଜେ

ଚରଣ ଚାଳନ୍ତେ ସେହୁ ରୁଣୁଝୁଣୁ ବାଜେ ।

ଶୁକମୁନି ବୋଇଲେକ ଶୁଣ ନୃପମଣି

କହନ୍ଣେ ନ ସରିବ ରୁକ୍ମିଣୀ କାହାଣୀ ।

ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ସଂସାରେ ଜନ୍ମିଛି

ଅପର୍ଣ୍ଣା ଠାକୁରାଣୀ ସେ ଅନ୍ୟ କାହିଁ ଗଚ୍ଛି ।

କେଉଁ ବାମା ପଟାନ୍ତର ହୋଇବ ତାହାକୁ

କୋଟି ବିଶ୍ଵକର୍ମା ଗଢ଼ି ଅଛନ୍ତି ଯାହାକୁ ।

ଜଳସ୍ଥଳ ଅଗ୍ନି ଯାର ଗର୍ଭରୁ ସମ୍ଭୁତ

ରୂପେ ପଟାନ୍ତର ନାହିଁ ଯାହାକୁ ଜଗତ ।

ସେହି ରମଣୀର ପୁଣି ବନ୍ଦାପନା ବିଧି

ଅନ୍ତଃପୁର ମଧ୍ୟେ ଥାନ୍ତି ନାରୀ ରତ୍ନନିଧି ।

ସୁବର୍ଣ୍ଣ ବେଦୀ ଉପରେ ରତ୍ନ ସିଂହାସନ

ତା ଉପରେ ଚନ୍ଦ୍ରାତପ ଅତି ବିତପନ ।

ବେଳ ସାତଘଡ଼ିରେ ଯେ ଦେବ ହୃଷୀକେଶୀ

ରୁକ୍ମିଣୀ ଦେବୀଙ୍କି ଘେନି ବିଜେକଲେ ଆସି ।

ଛାମୁରେ ସୁଧର୍ମା ସଭା ଅତି ବିତପନ

ସମ୍ଭର୍ବେ ବସିଲେ ତହିଁ ସର୍ବ ଯଦୁଗଣ ।

ବଳଦେବ ଉଗ୍ରସେନ ସାତ୍ୟକି ଅକ୍ରୂର

ଉଦ୍ଧବ ଯେ ଅନାଧୃଷ୍ଟ ସସ୍ରାଜିତ ବୀର ।

ବସୁଦେବ ସହିତରେ କୃପବ୍ରହ୍ମା ତୁଲେ

ଦେବକୀର ଷଡ଼ପୁତ୍ର ମହା ମହା ମଲ୍ଲେ ।

ଯଦୁବଂଶ ଭୋଜବଂଶ କୁରୁ ଯେ ଚୁହାଣ

ଅନ୍ଧକାଦି ବିଷ୍ଣୁବଂଶ ଇତ୍ୟାଦି ପ୍ରମାଣ ।

ଏହି ରୂପରେ ଗଣିତା ଚୌଦକୋଟି ବଳ

ସେହିଠାରେ ସର୍ବେ ଆସି କରିଲେକ ମେଳ ।

ଜଗନ୍ନାଥ ଶ୍ରୀମତୀଙ୍କୁ ଘେନିଛନ୍ତି ବସି

ଭାଷ୍ମକ ନୃପତି ମିଳେ ଏ ସମୟେ ଆସି ।

ଶାସ୍ତ୍ର ପ୍ରମାଣରେ ଯାହା ବନ୍ଦାପନା ବିଧି

ଧନବସ୍ତ୍ର ତୁରଙ୍ଗମ ଗୋରୁ ମୈଷୀ ଆଦି ।

ଦେଖିଣ ସନ୍ତୋଷ ହେଲେ ଦେବ ହୃଷୀକେଶୀ

ଭୀଷ୍ମକ ନୃପତିକୁ ସେ ପ୍ରଣମିଲେ ଆସି ।

ଅଗ୍ରତରେ ଯେ ସୁଧର୍ମା ସଭା ବିତପନ

ଯାଦବମାନେ ଉଠିଣ ମାନ୍ୟ କଲେ ପୁଣ ।

ଗୌରବ ପାଇ ଭୀଷ୍ମକ ବସିଲେ ଆସ୍ଥାନ

ସର୍ବ ଯାଦବମାନଙ୍କୁ କରିଲେ ସେ ମାନ୍ୟ ।

ଦେବନ୍ଦ୍ର ଆଜ୍ଞା ବିହିଲେ ବିଦ୍ୟାଧରେ ରାଇ

ଲକ୍ଷ୍ମୀ ନାରାୟଣ ବିଭା କର ତୁମ୍ଭେ ଯାଇ ।

କିନ୍ନରୀ ଅପସରୀଏ ଯେତେ ଦେବକନ୍ୟା

ଦେବତାଙ୍କ କୁଳବଧୁ ସର୍ବ ବରାଙ୍ଗନା ।

ସୁବର୍ଣ୍ଣ ଥାଳୀରେ ପଞ୍ଚରତ୍ନକୁ ପୂରାଇ

ଦ୍ଵାରକାରେ ମିଳିଲେ ସେ ବିମାନ ଆରୋହି ।

ପାତାଳୁ ଅଇଲେ ନାଗ ଦୁହିତା ସକଳ

ରୁଣ୍ଡ ହେଲେ ଆସି ଦ୍ଵାରାବତୀର ମଣ୍ଡଳ ।

ନାଗକନ୍ୟା ଦେବକନ୍ୟା ଯଦୁଙ୍କ କାମିନୀ

ତକ୍ଷଣେ ମିଳିଲେ ଆସି କରେ ଅର୍ଘ୍ୟ ଘେନି ।

ବଜାନ୍ତି ଦୁନ୍ଦୁଭି ଶଙ୍ଖ ମହୁରୀ ଘୁମୁରା

ତାଳ କଂସାଳ ପଟ୍ଟହ ବାଦ୍ୟ ଅତିତ୍ଵରା ।

ବୀରକାହାଳି କଇଁଶୀ ଆଉ ଅଳାବେଣୀ

ଢୋଲ ଦମା ଟମକାଦି ଦାଉଣ୍ଡି ନିଶାଣି ।

ଏହିରୂପେ ବହୁବାଦ୍ୟ ବାଜେ ଘନଘନ

ଉଛୁଳି ପଡ଼ଇ ଶବ୍ଦ ଚଉଦ ଭୁବନ ।

ନଟ ଭାଟ ଜଉତିଷ ବିପ୍ର ବ୍ରହ୍ମଚାରୀ

ପଢ଼ନ୍ତି ମଙ୍ଗଳାଷ୍ଟକ ଆନନ୍ଦେ ଯେଝାରି ।

ଯଦୁବଂଶ ପୁରୋହିତ ଗାର୍ଗ ମହାଜ୍ଞାତା

ଦେଶକାଳ ପାତ୍ରମାନ ଉଚ୍ଚାରି ସର୍ବଥା ।

ପ୍ରଥମରେ ଗଣପତି ଦେବେ କଲେ ପୂଜା

ଦ୍ଵିତୀୟରେ ଦିଗପାଳ ପୂଜି ଦେବରାଜା ।

ଦ୍ଵାରପାଳ ଆଦି ଗ୍ରାମଦେବତୀ ଯେମାନେ

ଦ୍ଵାଦଶ ବିଶ୍ଵେଦେବାଙ୍କୁ ପୂଜି ଜଣେ ଜଣେ ।

ତଦନ୍ତେ ସପ୍ତଆଳତି କଲେ କରେ ଘେନି

ଅର୍ଘ୍ୟ ବନ୍ଦାଇଲେ ଲକ୍ଷ୍ମୀ ନାରାୟଣେ ବେନି ।

ଜୟଶଙ୍ଖ ଶୁଭଇ ଯେ ମଙ୍ଗଳର ଧ୍ଵନି

ପୂରି ଉଠେ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଏ ତିନି ।

ଅପ୍‌ସରୀ ବିଦ୍ୟାଧାରୀ ଏ ଅନ୍ତରୀକ୍ଷେ ଥିଲେ

ପୁଷ୍ପବୃଷ୍ଟି କରିଣ ସେ ଅର୍ଘ୍ୟ ବନ୍ଦାଇଲେ ।

ନାଗଙ୍କର କନ୍ୟାମାନେ ଆକାଶରେ ଥାଇ

ରୁକ୍ମିଣୀଙ୍କୁ ବନ୍ଦାଇଲେ ହୁଳହୁଳି ଦେଇ ।

ଦେବକୀ ଯଦୁକାମିନୀ ରହିଥିଲେ ଯେତେ

ଅନ୍ତଃପୁରର ନାୟିକା ଭଦ୍ରାର ସହିତେ ।

ଦୁର୍ବାକ୍ଷତ ତଣ୍ଡୁଳାଦି ଦେଇ ମୋଦଭରେ

ଘୃତ ମଧ ପିଠାମାନ କରି ଯତନରେ ।

ଦେବାଙ୍ଗ ଝୀନବସନ ଉପହାର ଦ୍ୟନ୍ତି

ଶୁଣ ପରୀକ୍ଷିତ ରାୟେ ଶ୍ରୀଶୁକ କହନ୍ତି ।

ରୁକ୍ମିଣୀଙ୍କ ବନ୍ଦାପନା ଶୁଣ ସୁଜ୍ଞଜନେ

ତରିବ ଭବସାଗର ଯିବ ସ୍ଵର୍ଗଧାମେ ।

ଲକ୍ଷ୍ମୀଙ୍କର ବନ୍ଦାପନା ଅପାରୁ ଅପାର

କହନ୍ତେଣ ନ ସରଇ ମହିମା ଏହାର ।

ଗୁଣକରେ ବୋଇଲେ ସେ ସସ୍ରଗୁଣେ ପୂରି

ଏସନ ଘଡ଼ନା ନାହିଁ ଜାଣ ତିନିପୁରୀ ।

ଯେବଣ ଲକ୍ଷ୍ମୀ ବରୁଣ ନୃପତି ଦୁହିତା

ଭାରାଭର ଅର୍ଥେ ହେଲେ ଭବେ ଦେହବନ୍ତା ।

ଯାହାର ପ୍ରସାଦେ ସ୍ଵର୍ଗ ସମ୍ପଦକୁ ପାଇ

ଚରାଚର ମେଦିନୀର ମାତା ଯେ ଅଟଇ ।

ଗୋବିନ୍ଦଙ୍କ କୋଳେ ସେହୁ ହେଲେ ବନ୍ଦାପନା

ଅଶେଷ ଲକ୍ଷ୍ମୀ ଭଣ୍ଡାର ଅଟଇ ସେ ସିନା ।

ଅନ୍ନ ବ୍ୟଞ୍ଜନ ରାନ୍ଧଣା ହୁଏ ଅନୁବ୍ରତେ

ଯେ ଯାହା ଅନୁରୂପରେ ଭୁଞ୍ଜନ୍ତି ସମସ୍ତେ ।

କର୍ପୁର କସ୍ତୁରୀ ଆଦି ସୁଗନ୍ଧ ଚନ୍ଦନ

ରୁକ୍ମିଣୀ ଦେହେ ବୋଲନ୍ତି ଆଣି ଦାସୀଗଣ ।

ଅନେକ ବିପ୍ରେ ଅଛନ୍ତି ବେଦୀପରେ ବସି

ବଶିଷ୍ଠ ବିଶ୍ଵାମିତ୍ରାଦି ସନକ ମହର୍ଷି ।

କପିଳ ଅଙ୍ଗିରା ଭୃଗୁ ଗାର୍ଗ ପରାଶର

ଅଗସ୍ତି ପୌଲସ୍ତି ଆଦି ମହାମୁନିବର ।

ଏକ ଏକ ଲକ୍ଷଶିଷ୍ୟ ଘେନି ସଙ୍ଗତରେ

ଆଶୀର୍ବାଦ ମନ୍ତ୍ରମାନ ପଢ଼ନ୍ତି ଉଚ୍ଚରେ ।

ନରନାରୀ ଦେବଗଣ କରି ଜୟେ ଜୟେ

ବୋଲନ୍ତି ପୃଥିବୀ ଭାର ଯିବ ଏବେ କ୍ଷୟେ ।

ଆଜହୁଁ ଦଶମାସରେ ପ୍ରଦ୍ୟୁମ୍ନ ଜନ୍ମିବ

ତେବେଟି ସିନା ଶମ୍ବର ଦଇତ୍ୟ ମରିବ ।

ବାଣା ବଜ୍ରନାଭ ପୁଣ ଗୋସିଂହ ନାରକା

ଶିଶୁପାଳ ଜରା ଶାଲ୍ଵ ଦନ୍ତବକ୍ର ଲେଖା ।

ଏବେ ସେମାନଙ୍କର ତ ତୁଟିଲା ଆୟୁଷ

କଉତୁକେ ମାୟାଧର କରିବେ ବିନାଶ ।

ରୁକ୍ମିଣୀଙ୍କ ବନ୍ଦାପନା ହୋଇଲା ସମାପ୍ତ

ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତ ।

ବଳଦେବ ଉଗ୍ରସେନ ବସୁଦେବ ତୁଲେ

ସମସ୍ତ ଯାଦବେ ଉଠି ଯେଝାପୁରେ ଗଲେ ।

ଦେବକନ୍ୟା ନାଗକନ୍ୟା ଯାଦବଙ୍କ ନାରୀ

ଯେ ଯାହା ପୁରକୁ ଗଲେ ବନ୍ଦାପନା ସାରି ।

ଲେଉଟି ଚାହାନ୍ତି ଥୋକେ ଖଣ୍ଡେଦୂର ଯାଇ

ଥୋକେ କାମିନୀଙ୍କ ଯିବାପାଇଁ ମନ ନାହିଁ ।

କେ ବୋଲଇ ଯେବେ ଦୟା କରିବେ ଆମ୍ଭଙ୍କୁ

ଦାସୀପଣେ ଖଟି ସେବା କରନ୍ତେ ଗୋ ୟାଙ୍କୁ ।

କେ ବୋଲନ୍ତି ଏ ଶ୍ରୀକୃଷ୍ଣ ପୁରୁଷ ପ୍ରଧାନ

ଏହାଙ୍କୁ ଭାରିଯାପଣେ ରୁକ୍ମିଣୀ ଭାଜନ ।

ଆଗହୁଁ ବିଧାତା ଏହା ଭିଆଇଣ ଥିଲା

ବେଳକାଳ ଯୋଗେ ଆଣି ଭେଟ କରାଇଲା ।

ଏମନ୍ତ ଥୋକାଏ ନାରୀ ବିଚାରିଣ ଚିତ୍ତେ

ଅସାଷ୍ଟମ ହୋଇଗଲେ ମଦନ ଆରତେ ।

ମଣିମା ମଣିମା ଡାକ ଶୁଭେ ଦିବ୍ୟବାଣୀ

ରୁକ୍ମିଣୀଙ୍କ ହସ୍ତ ଧରି ବିଜେ ଚକ୍ରପାଣି ।

ନିଅବିକାଶରେ ବିଜେ ଅନ୍ତଃପୁରେ ଯାଇ

ଧାଈ ମୁଦୁସୁଲୀମାନେ ଗଲେ ଆଡ଼ ହୋଇ ।

ନଗର ପଶ୍ଚିମ ଭାଗେ ବସନ୍ତି ମନ୍ଦିର

ସ୍ଵହସ୍ତରେ ବିଶ୍ଵକର୍ମା ଗଢ଼ିଛି ସେ ପୁର ।

ମଣି ମାଣିଜ୍ୟରେ ପୀଢ଼ ବଇଦୁର୍ଯ୍ୟ ଖମ୍ବ

ଶୁଦ୍ଧବର୍ଣ୍ଣେ ରୁଅ ଶେଣି ଦିଶଇ ଆରମ୍ଭ ।

ରସାଣିଲା ପାନପତ୍ର ନନ୍ଦାବର୍ତ୍ତା କମ

ଦର୍ପଣ ବାଡ଼ର ଜ୍ୟୋତି ଦିଶେ ଅନୁପମ ।

ଧାଡ଼ି ଧାଡ଼ି ଉଭାକ୍ରୋଣା ମେଲାକାଠ ଖମ୍ଵେ

ବିଚିତ୍ର ଚାମରପନ୍ତି ଜରା ଝୁମ୍ପା ଲମ୍ଵେ ।

ବୈଦୁର୍ଯ୍ୟ ମାଣିଜ୍ୟ ନୀଳା ଗଜମୋତି ମାଳ

ସୁବାସ କୁସୁମ ଧଣ୍ଡା ଅତି ପରିମଳ ।

ରତ୍ନରେ ଚର୍ଚ୍ଚିତ ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ

ସୁବର୍ଣ୍ଣ ତାରକାପନ୍ତି ସୂଚିକାମ ନୂଆ ।

ବେଲାଉଡ଼ କାଚବାଡ଼େ ରତନ ଖଞ୍ଜଣି

ମହାନିଶାକାଳେ କିବା ଉଦେ ଦିନମଣି ।

ତଳେ ଶୁଦ୍ଧ ସ୍ଵର୍ଣ୍ଣଭୂମି ପଦ୍ମରାଗ ପୀଢ଼

ଅଷ୍ଟରତନେ ଜଡ଼ିତ ଗବାକ୍ଷ ନିବାଡ଼ ।

ଲକ୍ଷ୍ମୀ ନାରାୟଣ କେଳିମନ୍ଦିର ବିଧାନ

ବଚନେ କହିବା ପାଇଁ କେ ଅଛି ଭାଜନ ।

ବିଚିତ୍ର ସୁପାତି ଖଟଦୋଳି ସେ ମନ୍ଦିରେ

ଅପୂର୍ବ ଅଟଇ ତାହା ମର୍ତ୍ତ୍ୟ ଭୁବନରେ ।

କୁବେର ଭଣ୍ଡାରେ ଯେତେ ରତ୍ନବସ୍ତ୍ର ଥିଲା

ତାହା ଆଣି ବିଶ୍ଵକର୍ମା ସେ ଦୋଳି ଗଢ଼ିଲା ।

ଇନ୍ଦ୍ର ତା ରଖିଲେ ନେଇ ଅମର ଭଣ୍ଡାରେ

ଜଗତ ପ୍ରଳୟ ହେଲା ଥୋକେ ଦିନାନ୍ତରେ ।

ମହାପ୍ରୟଳ ହୁଅନ୍ତେ ସୃଷ୍ଟି ନାଶଗଲା

ସେ ଦୋଳି ବିନାଶ ନୋହି ଜଳେ ଭାସୁଥିଲା ।

ପୁଣି କେତେକାଳେ ଧାତା ସଞ୍ଚିଲେ ଧରଣୀ

ସେ କାଳେ ରଖିଲେ ତାକୁ ନିଜ ପୁରେ ଆଣି ।

ଏକଦିନେ ସଦାଶିବ ବ୍ରହ୍ମଲୋକେ ଗଲେ

ବ୍ରହ୍ମାଙ୍କୁ ମାଗିଣ ତାହା କୈଳାସକୁ ନେଲେ ।

ପାର୍ବତୀ ସହିତେ ଶିବ ସେ ଦୋଳି ଶଯ୍ୟାରେ

ଥୋକେକାଳ ପହୁଡ଼ିଲେ ରଖି ନିଜ ପୁରେ ।

ତ୍ରେତାଯୁଗେ ତପ କଲେ ଜନକ ରାଜନ

ସେ ଦୋଳି ସନ୍ତୋଷେ ତାଙ୍କୁ ଦେଲେ ତ୍ରିଲୋଚନ ।

ସୀତା ସ୍ଵୟମ୍ଵର କାଳେ ରାମଙ୍କୁ ଜନକ

ସେ ଅପୂର୍ବ ଖଟଦୋଳି ଦେଲେ ଯଉତୁକ ।

ରାଜ୍ୟ ଛାଡ଼ି ରାମଚନ୍ଦ୍ର ବନବାସ ଗଲେ

ଭରତ ସେ ଦୋଳିପରେ ପାଦୁକା ପୂଜିଲେ ।

ରାବଣକୁ ବଧକରି ସେ ରଘୁନାୟକ

ସୀତା ଘେନି ଅଯୋଧ୍ୟାରେ ହେଲେ ଅଭିଷେକ ।

ସନ୍ତୋଷେ ଶ୍ରୀରାମ ତାହା ହନୁମନ୍ତେ ଦେଲେ

ଗୌରବ ପାଇଣ ହନୁ ଲାଞ୍ଜେ ବାନ୍ଧି ନେଲେ ।

ପ୍ରଭୁଙ୍କ ଆସନ ବୋଲି ଜାଣି ସେ ମାରୁତି

କଦଳି ବନରେ ଯତ୍ନେ ରଖିଲେ ସାଇତି ।

କୃଷ୍ଣ ଅବତାର ଯହୁଁ ହେଲେ ଭଗବାନ

ସେ ଦୋଳି ତାହାଙ୍କୁ ଆଣି ଦେଲେ ହନୁମାନ ।

ମଣିଗଣ କିରଣରେ ବିରାଜେ ସେ ଦୋଳି

ଚଉପାଶେ ଜଳୁଅଛି ରତ୍ନ ଦୀପାବଳି ।

ପାଖୁଡ଼ା ସେବତୀ ବିଞ୍ଚା ଅମୂଲ୍ୟ ଶଯ୍ୟାରେ

କର୍ପୂର ପନୀର ପାଣି ସିଞ୍ଚା ତହିଁପରେ ।

ବିଚିତ୍ର ସେ ବିପରୀତ ବିଶ୍ଵକର୍ମା କୂଟ

ଆପଣା ମନକୁ ବୁଲେ ବିଞ୍ଚଣି ଆଲଟ ।

ଉପରେ ଯେ ଚନ୍ଦ୍ରାତପ ରତ୍ନଝରା ମୋତି

କୋଟିଏ ଚନ୍ଦ୍ରମା ପ୍ରାୟ ବିରଜାଇ ଜ୍ୟୋତି ।

ମାହେନ୍ଦ୍ର ବେଳାରେ ଯୋଗ ଲଗ୍ନ ପରିମାଣି

ଶଯ୍ୟାରେ ବିଜୟ କଲେ ଶ୍ରୀକୃଷ୍ଣ ରୁକ୍ମିଣୀ ।

ପ୍ରଭୁଙ୍କ ପଦ୍ମଚରଣ ରୁକ୍ମିଣୀ ଚାପନ୍ତେ

ତା ଦେଖିଣ ଉପହାସ କରି ଜଗନ୍ନାଥେ ।

ବୋଇଲେ ତୁ ମହାଲକ୍ଷ୍ମୀ ଭୀଷ୍ମକ ଦୁଲାଳୀ

ଅପ୍ରମାଣ କଥା କେହ୍ନେ କଲୁ ତୋହଭଳି ।

ସାମବେଦୀ ଦ୍ଵିଜବର ଅଟନ୍ତି ତୋ ପିତା

ସୁପବିତ୍ର ପାଟବଂଶୀ ସତ୍ୟବତୀ ମାତା ।

କୁମାରୀ କାଳରୁ କଥା ଜଗତରେ ବାଜି

ଲକ୍ଷେ ରାଜା ଆସିଥିଲେ ସମଦଣ୍ଡ ସାଜି ।

ଆକାଶ ବଚନ ତହୁଁ ଆମ୍ଭେ ତହିଁ କଲୁ

ଅପମାନ ପାଇ ସ୍ଵୟମ୍ବର ଭଗ୍ନ କଲୁ ।

ଆବର କଥାଏ ତୁମ୍ଭେ କରିଲ ଅନୀତି

ପିତାଦତ୍ତ କନ୍ୟା ସିନା ରାଜଦତ୍ତ ପୃଥ୍ଵୀ ।

ସର୍ବେ ସ୍ଥିର କରିଥିଲେ ଶିଶୁପାଳେ ଦେବେ

ଆମ୍ଭେ ବଳାତ୍କାରେ ଯାଇ ଆଣିଲୁଟି ଯେବେ ।

ଜରାସନ୍ଧ ସେଥିଯୋକେ କରି ଗୁରୁକୋପ

ଆମ୍ଭ ଉପରେ ପଲାଣି କଲା ଅନର୍ଯ୍ୟାପ ।

ଆମ୍ଭେ ଯେବେ ସେହିଠାରେ ହୋଇଥାନ୍ତୁ ନାଶ

ଧର୍ମଶାସ୍ତ୍ର ପ୍ରମାଣରେ ଲାଗନ୍ତାଟି ଦୋଷ ।

ବଳରାମ ମାଇଲେଟି ଅନେକ ନୃପତି

ସେହି ହତ୍ୟାଦୋଷ ତୋତେ ଲାଗିଲାରେ ସତୀ ।

ଜାଣୁ ଜାଣୁ ଆମ୍ଭେ ପୁଣି ଅଜ୍ଞାନ ହୋଇଲୁ

ସ୍ତିରୀର କଥାରେ ଯେଣୁ ବିଶ୍ଵାସକୁ ଗଲୁ ।

ଶ୍ରୀରାମ ଭାରିଯାକୁ ରାବଣ ହରିଲା

ସଗୋତ୍ର ସହ ଶ୍ରୀରାମ ତାହାକୁ ମାଇଲା ।

ଆବର ବିଶେଷେ ଆମ୍ଭେ ନୋହୁ ରାଜସୁତ

କେଉଁପରି ଧଇଲୁ ତୁ ଆମ୍ଭର ଗୋ ହାତ ।

ଯଦୁବଂଶେ ଜାତ ସିନା ବଢ଼ିଲୁ ଅକୁଳେ

ପ୍ରତ୍ୟକ୍ଷେ ଜାତି ହୁଡ଼ିଲୁ ଜାଣୁ ଜାଣୁ ଭଲେ ।

ସୁକୁମାରୀ ସୁଲକ୍ଷଣୀ ଅଟୁ ରାଜପୁତ୍ରୀ

ସ୍ଵୟମ୍ବରେ ପୂରିଥିଲେ ମହା ମହା କ୍ଷତ୍ରୀ ।

ତହୁଁ ରାଜା ଏକ ଯେବେ ବରିଥାନ୍ତୁ ତୁହି

ସପତ ଦ୍ଵୀପରେ ରାଣୀ ଥାନ୍ତୁ ସିନା ହୋଇ ।

ଆବର କଥାଏ ତୁ ଗୋ ଶୁଣ କମଳାକ୍ଷି

ଜାଣୁଟିକି ଆମ୍ଭ ଦେହେ ଅନ୍ୟାଚାର ଲେଖି ।

ବସୁଦେବ ପୁତ୍ର ଆମ୍ଭେ ଯୁକତେ ଅଟୁତ

ଅନ୍ତୁଡ଼ିଶାଳେ ପୁତନା କରିଲୁ ନିପାତ ।

ତୃଣାବର୍ତ୍ତ ଯାମଳା ଯେ ଅରଜୁନ ବୃକ୍ଷ

ଅଘା ବକା ଷଣ୍ଢା ଆଦି ନାଶିଲୁ ପ୍ରତ୍ୟକ୍ଷ ।

ଚାଣୁର ମୁଷ୍ଟିକ ଆଉ କୁବଳୟା କେଶୀ

ହଂସ ଡିମ୍ବ ଆଦିକରି ସର୍ବ ଅଛୁ ନାଶି ।

ଜରାସନ୍ଧ ଅଷ୍ଟାଦଶ ବାର ଧାଡ଼ିଦେଲା

ରଥ ଗଜ ପଦାତିକ ବହୁତ ନାଶିଲା ।

ସଂଗ୍ରାମରେ ବଧ କଲୁଁ ଗୋ ବିପ୍ର ସହିତେ

ଅଲଙ୍ଘିତ କର୍ମ ଆମ୍ଭେ କରିଲୁ ସ୍ଵହସ୍ତେ ।

ଜାଣୁ ଜାଣୁ କେଉଁପରି କରିଲୁ ଭରତା

ତୋତେ ଅଧିକରେ ପାପ ଲାଗିଲା ସର୍ବଥା ।

ଆଗୋ ତୁମ୍ଭେ ବିଶେଷରେ ଅଟ କମଳିନୀ

ଜାଣୁ ଜାଣୁ ଅନ୍ୟାୟ ତ କରିଅଛ ପୁଣି ।

ଜାଣଟିକି ଆମ୍ଭେ ସଦା ଗୌଡ଼ ସଙ୍ଗେ ଥାଉଁ

ବନ କନ୍ଦରେ ବୁଲିଣ ଦିନକାଳ ନେଉ ।

ନନ୍ଦ କୋଳରେ ବଢ଼ିଲୁ ଆମ୍ଭେ ବାଳକାଳେ

ଭକ୍ଷ ଭୋଜନ ଶୟନ ସ୍ନାନଆଦି ବେଳେ ।

ଆବର ଯେତେ ଆମ୍ଭର ଅଛି ଅବିଗୁଣ

ତୁ ମହାପଣ୍ଡିତା ତାହା ନ ଜାଣୁ କି ପୁଣ ।

ଏବେ ସଖି କଥା ଏକ ପାରିଲେ ତୁ କର

ଇଚ୍ଛାସୁଖେ ରାଜାଟିଏ ଦେଖି କର ବର ।

କୁଳମୂଳ ଆମ୍ଭର ତ ବାଡ଼ିବୃତ୍ତି ନାହିଁ

ଜରା ଭୟରେ ପଶିଲୁ ସମୁଦ୍ରରେ ଯାଇ ।

ଗୌଡ଼ ବିଟାଳିଆ ହୋଇ ବୃତ୍ତି ନ ପାଇଲୁ

ଜାତି ଗୋତ୍ର ସହିତରେ ସବୁ ନଷ୍ଟ କଲୁ ।

ବଦୟନ୍ତି ଶୁକମୁନି ଶୁଣ ନରପତି

ପବିତ୍ର ହରିବଂଶ ଏ ପୁଣ୍ୟତମ କୀର୍ତ୍ତି ।

ସମ୍ପୁର୍ଣ୍ଣ ଚିନ୍ତା ଲଭିଲେ ଭୀଷ୍ମକ ନନ୍ଦିନୀ

ପୂର୍ଣ୍ଣିମା ମୁଖେ ଲଗାଏ କାଳି କେବା ଆଣି ।

ଓଷ୍ଠ କଣ୍ଠ ତାଳୁକା ଯେ ଶୁଖିଲା ଅଧର

ଶୋକେ ଗଦଗଦ ସେହୁ ହେଲେ ମନଭର ।

ଶରୀର ଭିତରୁ କିବା ଜୀବ ଗଲା ଛାଡ଼ି

ପିମ୍ପୁଡ଼ି ଉପରେ କିବା ପରବତ ମାଡ଼ି ।

ମୂଳ ଛେଦନେ ଯେସନେ ପଡ଼େ ତରୁବର

ଅଚେତ ହୋଇଣ ଢଳି ପଡ଼ିଲେ ଭୂମିର ।

ଏହା ଦେଖିଣ ଶ୍ରୀହରି ଆଶ୍ଚର୍ଯ୍ୟ ହୋଇଲେ

ଭୂମିରୁ ଉଠାଇ କରି କୋଳେ ବସାଇଲେ ।

ଅନେକ ଚାଟୁ ପଟଳ ବିନୟରେ ଭାଷି

ହେ ପ୍ରିୟେ ମୋହର ଦୋଷ ମନେ ନ ଧରସି ।

ତୁ ମୋହର ପଞ୍ଚଭୂତ ଆତ୍ମାର କାରେଣି

ଏପରି ହୋଇଲୁ କିପାଁ ଅବିଗୁଣ ଘେନି ।

ତୋହର ଚିତ୍ତ ସଖି ଗୋ ବିଡ଼ିବାର ପାଇଁ

ପରିହାସ ବଚନକୁ ସିନା କହିଲଇଁ ।

ତୁମ୍ଭେ ତହିଁକି ଖେଦ ଯେ ନ କର ଗୋ କିଛି

ତୁମ୍ଭ ସଙ୍ଗରେ ମୁହିଁ ଯୁଗେ ଯୁଗେ ଅଛି ।

ତୋହର ମୋହର ସିନା ସଂସାର ପାତନା

ଚିତ୍ତ ସ୍ଥିର ନ କରିଣ ଆପେ ହେଉ ବଣା ।

ଏସନରୂପେ ବିନୟୀ ହୋଇ ଭାବଗ୍ରାହୀ

ରୁକ୍ମିଣୀର ମନ ଦୁଃଖ ଛଡ଼ାଇ ମାଧୋଇ ।

ହାସ ପରିହାସେ ତହିଁ ପୁହାଇଲେ ରାତି

ପଲ୍ୟଙ୍କେ ଶୟନ କଲେ ହୋଇ ହୃଷ୍ଟମତି ।

ଲକ୍ଷ୍ମୀଙ୍କୁ କୋଳରେ ଘେନି ନିଦ୍ରିତ ଗୋବିନ୍ଦ

ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟପଦ ।

କାମଦେବ ବସେ ଯାଇ ମାତା ପାଦତଳ

କରେ ପୁଷ୍ପଧନୁ ଗୋଟି ଦିଶଇ ଉଜ୍ଜ୍ଵଳ ।

ଲକ୍ଷ୍ମୀଙ୍କ ବଦନ ଚାହିଁ ବୋଲଇ କନ୍ଦର୍ପ

ଉଠ ଉଠ ମାତା ଆଗୋ ଶୁଣ ତୁ ସ୍ଵରୂପ ।

ମୁହିଁ ତୋର ପୁତ୍ର ମାଗୋ ହୋଇବି ଯୁକତେ

ମୋତେ ଠାବ ଦେବୁ ମାତା ତୋର ଗର୍ଭଗତେ ।

ଈଶ୍ଵରଙ୍କ କ୍ରୋଧାନଳେ ହୋଇଥିଲି ଦହି

ବ୍ରହ୍ମଲୋକ ଆଦିକରି ସ୍ଥାନ ହିଁ ନ ପାଇ ।

ଏତେ କହିଣ ମଉନ ହେଲା ରତିପତି

ଶୁକମୁନି ବୋଇଲେକ ଶୁଣ ହୋ ନୃପତି ।

କେତେହେଁକ ବେଳେ ଦେବୀ ଶୟନ ତେଜିଲେ

ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ଏମନ୍ତ ବୋଇଲେ ।

ସାବଧାନେ ଶୁଣ ଏବେ ପ୍ରଭୁ ଯଦୁନାହା

ଏହିକ୍ଷଣି ସ୍ଵପନେ ମୁଁ ଦେଖିଲଇଁ ଯାହା ।

କରେ ପୁଷ୍ପଧନୁ ଶର ଧରି ଏକ ଜଣେ

ନିଦ୍ରାରେ କହିଲା ଆସି ମୋତେ ସେ ଏସନେ ।

ବିନୟ ହୋଇଣ ମୋତେ ଗର୍ଭେ ଠାବ ମାଗି

କହୁଁ କହୁଁ ଗର୍ଭେ ମୋର ପଶିଗଲା ବେଗି ।

ଶ୍ରୀଜଗନ୍ନାଥ ବୋଇଲେ ଏହୁ ସତ୍ୟବାଣୀ

ଆମ୍ଭେ ଏହିକଥା ଗୋଟି ଦେଖୁଅଛୁ ପୁଣି ।

ପରମ ମାହେଶ୍ଵରୀ ତୁ ଅନାଦି ଦେବତୀ

କାମଦେବ ଗର୍ଭୁ ତୋର ହେବ ଉତପତ୍ତି ।

ଦଗଧ ହୋଇଥିଲା ସେ ହର କୋପାନଳେ

ଏବେ ପୁଣି ଦେହବନ୍ତ ହୋଇବ ଶୟଳେ ।

ଶ୍ରୀକୃଷ୍ଣଙ୍କ ବଦନରୁ ଏ ବଚନ ଶୁଣି

ସାନନ୍ଦିତା ହୋଇଲେକ ଦେବୀ ଶ୍ରୀରୁକ୍ମିଣୀ ।

ଏହି ସମୟେ ସେ ରାତ୍ର ହୋଇଲା ପ୍ରଭାତ

ନିତ୍ୟକର୍ମ ଶେଷ କଲେ ପ୍ରଭୁ ଜଗନ୍ନାଥ ।

 

ହରିବଂଶ ଷଷ୍ଠ ଖଣ୍ଡ

ବ୍ରହ୍ମହତ୍ୟା ପାପ ଖଣ୍ଡନ ନିମିତ୍ତ ଶିବଙ୍କର ଯୋଗ ସାଧନା

 

ଏହା ଶୁଣି ପରୀକ୍ଷିତ ଶୁକଙ୍କୁ ପଚାରି

ଅପୂର୍ବ କଥା କହିଲ ଆହେ ବ୍ରହ୍ମଚାରି ।

ଯେଉଁ କାମଦେବ ପ୍ରଭା ଜଗତରେ ଘୋଟି

ଭ୍ରୁଭଙ୍ଗିରେ ଜିଣିପାରେ ଚରାଚର ସୃଷ୍ଟି ।

ବ୍ରହ୍ମା ଗଙ୍ଗାଧରେ ଯେହୁ କରିପାରେ ଆନ

ସେ କିପାଁ ଅନଳନେତ୍ରେ ହୋଇଲା ଦହନ ।

ଏଡ଼େ ବଡ଼ଲୋକ କିପାଁ ହୋଇଲା ବିନାଶ

କେବଣ ପ୍ରକାରେ ସେହୁ କାର କଲା ଦୋଷ ।

ଏହା ବିଶେଷିଣ ମୋତେ କହିବା ହେ ମୁନି

ପବିତ୍ର ହୋଇବି ମୁହିଁ ତବ ମୁଖୁଁ ଶୁଣି ।

ନୃପତିର ଭକତିକୁ ଦେଖି ମୁନିବର

ପୁରାଣ ପୁସ୍ତକ ଫେଇ କହନ୍ତି ସତ୍ଵର ।

ଶୁଣ ସାବଧାନେ ତୁମ୍ଭେ ପଣ୍ଡୁ ପଣନାତି

ପବିତ୍ର ହରିବଂଶକୁ ଅପୂର୍ବ ଭାରତୀ ।

ଅନେକ କାଳର ଏହୁ ପୁରାଣର ବାଣୀ

ବେଦବ୍ୟାସ ବଦନରୁ ଯାହା ଅଛୁ ଶୁଣି ।

ଶିବ ପୁରାଣରେ ଯାହା ହୋଇଛି ଉକତ

ତାରକା ବଧ ନିମିତ୍ତେ କାର୍ତ୍ତିକେୟ ଜାତ ।

ମୀନକେତନ ଲୀଳା ଏ ଅପୂର୍ବ ଭାରତୀ

ସାବଧାନ ହୋଇ ଶୁଣ ପଣ୍ଡୁ ନରପତି ।

ଏକଦିନେ ସଦାଶିବ କପିଳାସବାସୀ

ଶୂନ୍ୟମାର୍ଗେ ବିଜେ କଲେ ବୃଷପୃଷ୍ଠେ ବସି ।

ବ୍ରହ୍ମଲୋକେ ପରବେଶ ହୋଇ ଦେବହର

ଦେଖିଲେ ଯୋଗରେ ବସିଛନ୍ତି ବେଦବର ।

ବନ୍ଧଭେଦ ମୁଦ୍ରା ମନ ପବନ ସଂଯୋଗି

ଚିଆଁ ଚଇତନ ଘେନି ରହିଛନ୍ତି ଜାଗି ।

ଋକ୍ ଯଜୁ ସାମବେଦ ଅଥର୍ବ ସେ ଚାରି

ବିସ୍ତାରି ଗୀତା ପଢ଼ନ୍ତି ମୁଖରେ ଉଚ୍ଚାରି ।

ଦେଖି ସଦାଶିବ ସ୍ଵାମୀ ପାଇ ମନେ ଖେଦ

ବୋଇଲେ ଏସବୁ ଛାଡ଼ି ପଢ଼ ସାମବେଦ ।

ଆବର ବଚନେ ତାଙ୍କୁ କହିଲେ ବିଖଣ୍ଡ

ଶୁଣି ବ୍ରହ୍ମା ମୁଣ୍ଡପରେ ଜାତ କଲେ ମୁଣ୍ଡ ।

ଓଁକାର ପୂର୍ବକ ସାମବେଦର ଯେ ବାଣୀ

ଶିଶୁବେଦ ସହିତରେ ଉଚ୍ଚାରିଲେ ଆଣି ।

ସଦାଶିବ ବୋଇଲେ ତୁ ଅଟୁ ବଡ଼ଦୁଷ୍ଟ

କି କାରଣେ ପଞ୍ଚମୁଖ ବହିଲୁ ପାପିଷ୍ଠ ।

ଆମ୍ଭେ ପଞ୍ଚାନନ ଏହା ଜାଣନ୍ତି ସମସ୍ତେ

ତୁ ଆମ୍ଭ ସମାନ ହୋଇ ପାରିବୁ କେମନ୍ତେ ।

ବ୍ରହ୍ମାଏ ବୋଇଲେ ମୁହିଁ ସର୍ବ ଅଧିକାରୀ

କ୍ଷଣକେ ଭିଆଇ ପୁଣି କ୍ଷଣକେ ସଂହାରି ।

ମୁହିଁ ସେ ଜାଣଇ ପାପ ପୁଣ୍ୟ ଜ୍ଞାନଯୋଗ

ବନ୍ଧଭେଦ ମୁଦ୍ରାଆଦି ନରକ ସେ ସ୍ଵର୍ଗ ।

କିଛି ହିଁ ନ ଜାଣି ମନ ପବନ ତୁ ଛନ୍ଦୁ

ମୋ ବିଦ୍ୟା ସାଧନ କରି ମୋତେ କିପାଁ ନିନ୍ଦୁ ।

ବ୍ରହ୍ମାର ବଚନ ଶୁଣି କୋପେ ଶୂଳପାଣି

ଶରୀର କମ୍ପେ କଦଳିପତ୍ର ପ୍ରାୟ ଜାଣି ।

ଯେ ମୁଖରେ ଶିଶୁବେଦ ବ୍ରହ୍ମା କରେ ଗାନ

ଚାପୋଡ଼େ ମାରି ତାହାକୁ କରିଲେ ଛେଦନ ।

ଛିଣ୍ଡିଲା ବ୍ରହ୍ମକପାଳ ମହାଘାତ ପାଇ

ଈଶ୍ଵର ଦକ୍ଷିଣ କରେ ଲାଗିଲାକ ଯାଇ ।

ଦେଖିକରି ଦେବଗଣେ ପାଇ ଅମରଷ

ବୋଇଲେକ ସଦାଶିବ କଲେ ବଡ଼ ଦୋଷ ।

ବ୍ରହ୍ମହତ୍ୟା ପାତକ ଯେ ଲାଗିଲା ଅଦ୍ୟାପି

ଯାଅ ତୁମ୍ଭେ ସ୍ଵର୍ଗ ଛାଡ଼ି ହେଲ ମହାପାପୀ ।

ଏତେ ବୋଲି ଦେବତାଏ ନ କହିଲେ କଥା

ଶଙ୍କର ହେଠବଦନ କଲେ ଶୁଣିଣ ତା ।

ମନରେ ମହାବିଷାଦ ପାଇ ତ୍ରିପୁରାରି

ଗତଆତ୍ମା ପରାୟେକ ହେଲେ କାମଅରି ।

ହସ୍ତରେ ଲାଗିଣ ଅଛି ବ୍ରହ୍ମାଙ୍କର ମୁଣ୍ଡ

ରକତରେ ଜର ଜର ଶ୍ରୀକପାଳ ଖଣ୍ଡ ।

କ୍ଷଣ କ୍ଷଣକେ କରକୁ ଛିଞ୍ଚାଡ଼ନ୍ତି କାଶୀ

କଦାପି ସେ ମୁଣ୍ଡଗୋଟି ହସ୍ତରୁ ନ ଖସି ।

ଦେଖିଣ ଈଶ୍ଵର ହେଲେ ଅତ୍ୟନ୍ତ ଅଚେଷ୍ଟ

ବୋଇଲେ ଜାଣୁ ଜାଣୁ ମୁଁ ହେଲି ଜ୍ଞାନଭ୍ରଷ୍ଟ ।

କ୍ଷଣକରେ କୋପକୁ ମୁଁ ସହି ନ ପାରିଲି

ଜାଣୁ ଜାଣୁ ସଂସାରରେ ହାସ୍ୟାସ୍ପଦ ହେଲି ।

କେବଣ ପ୍ରକାରେ କରୁଁ ଛାଡ଼ିବ ମୁଣ୍ଡଟି

ଏମନ୍ତେ ଅନେକ ଚିନ୍ତା କଲେକ ଧୂର୍ଜ୍ଜଟି ।

କପିଳାସ କନଦରକୁ ଛାଡ଼ି ଉମାସାଇଁ

ଇନ୍ଦ୍ର ବାରସ୍ଵତୀପୁରେ ପଶିଲେକ ଯାଇ ।

ଦିଗମ୍ଵର ହୋଇଲେ ସେ ବୁଲି ପୁର ପୁର

ତଥାପି ହସ୍ତୁ ନ ଛାଡ଼େ ବ୍ରହ୍ମାଙ୍କର ଶିର ।

ଅଳକାପୁରରେ ତହୁଁ ମିଳିଲେକ ଯାଇ

ତଥାପି ବ୍ରହ୍ମାଙ୍କ ମୁଣ୍ଡ କରୁଁ ନ ଛାଡ଼ଇ ।

ହତ୍ୟାଦୋଷୀ ବୋଲି ତାଙ୍କୁ ବୋଇଲେ କୁବେର

ପବନପୁରରେ ଯାଇ ହେଲେ ତତପର ।

ଅଣଚାଶ ବାୟୁ ଥିଲେ ଆସ୍ଥାନରେ ବସି

ଈଶ୍ଵର ଗମନ ଜାଣି ଦୂରୁ ଗଲେ ଖସି ।

ଅନେକ ଲଜ୍ଜା ପାଇଣ ସଦାଶିବ ସ୍ଵାମୀ

ବୈଶ୍ଵାନର ପୁରେ ଯାଇ ମିଳିଲେ ତକ୍ଷଣି ।

ମହାର୍ଣ୍ଣବ ପୁରେ ବିଜେକରି ହୁତାଶନ

ସନ୍ନିଧେ ପ୍ରବେଶ ଯାଇ ହେଲେ ତ୍ରିଲୋଚନ ।

ସନ୍ତାପ ହେତୁ ଚଉଦ ଭୁବନେ ଭୁଲିଲେ

ଚନ୍ଦ୍ରଙ୍କର ପୁରେ ଯାଇ ପ୍ରବେଶ ହୋଇଲେ ।

ଦେଖିଣ ହେଠବଦନ ହୋଇଲେ ଶୀତାଂଶୁ

ବୋଇଲେ ତୁ ମହାପାପୀ କିପାଁ ଏଥେ ଆସୁ ।

ଶୁଣି ଅମ୍ଵିକାର ପତି ଅଭିମାନ ପାଇ

ଉଦୟ ପର୍ବତ ତଳେ ଭେଟି ଲକ୍ଷ୍ମୀସାଇଁ ।

ଖଣ୍ଡେଦୂରୁ ବୋଇଲେ ସେ ଆହେ କାଶୀବାସୀ

ଦେବତାମାନେ ପୁରରେ ନ ଦେଲେ ତ ପଶି ।

ମୁହିଁ ଜାଣୁ ଜାଣୁ ମୁଖ ଚାହିଁବି କେମନ୍ତେ

ତଥାପି ତ ପାପବାଧା ଲାଗେ ଦେଖି ତୋତେ ।

ସେଠାରୁ ଈଶ୍ଵର ଚଳିଗଲେ ଲଜ୍ଜାପାଇ

କାହାକୁ କିଛି ନ କହି ସ୍ତମ୍ଭୀଭୂତ ହୋଇ ।

ମହାବିସ୍ମିତ ହୋଇଣ ଗଲେ ଅତିବେଗେ

ପାତାଳେ ମିଳିଲେ ଯାଇ ନାଗଲୋକ ଆଗେ ।

ଦେଖିକରି ନାଗମାନେ ହେଲେ ହେଠମାଥ

ଟଳମଳ ବସୁନ୍ଧରୀ ବ୍ରହ୍ମାଣ୍ଡ ଯେ ସାତ ।

ଅନନ୍ତ ବୋଇଲେ ତୁହୋ ଶୁଣ ପଶୁପତି

ବ୍ରହ୍ମଘାତୀ ହୋଇ କେହ୍ନେ ଆସୁ ମୋର କତି ।

ଏବେ ମୋର ବଚନକୁ ଶୁଣ ତ୍ରିଲୋଚନ

ଧର୍ମଦେବତା ତହିଁକି ଯାଅସି ବହନ ।

ସେହି ତୋତେ ବ୍ରହ୍ମଜ୍ଞାନ କହିଲେ ନିଶ୍ଚୟ

ତେବେ ଯାଇ ବ୍ରହ୍ମହତ୍ୟା ହେବ ତୋର କ୍ଷୟ ।

ଶୁଣି ସଦାଶିବ ମନେ ହୋଇଲେକ ତୋଷି

ନିରଞ୍ଜନ ଅଗ୍ରତରେ ପ୍ରବେଶିଲେ ଆସି ।

ଅଲେଖ ଆସ୍ଥାନ ପରେ ବିଜେ ନିରାକାର

ଅଗ୍ରତରେ ପ୍ରବେଶିଲେ ଯାଇ ଶୂଳଧର ।

ପାଦ୍ୟ ଅର୍ଘ୍ୟଦେଇ ପୂଜା କଲେ ନିରାକାରେ

ଛାମୁରେ ଅନେକ ସ୍ତୁତି କଲେ ଭକ୍ତିଭରେ ।

ନିରଞ୍ଜନ ବୋଇଲେକ ଆସିଛ କିପାଇଁ

ପରିଶ୍ରମ ପାଇଲ ତ ଫଳ କିଛି ନାହିଁ ।

ଈଶ୍ଵର ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ

ମୁଁ କିସ କହିବି ଅବା ନ ଜାଣ କି ସ୍ଵାମୀ ।

ବ୍ରହ୍ମହତ୍ୟା ପାତକ ମୁଁ ଅର୍ଜିଲି ସ୍ଵହସ୍ତେ

ଏଥକୁ ପ୍ରତିକାର ଯେ ଅଟେ କିସ ମୋତେ ।

ସବୁପୁରେ ମିଳିଲଇଁ ନ ଚାହେଁ କେ ମୁଖ

ପାତକରୁ ବାଧିଲା ଯେ ସେ କଥା ଅଧିକ ।

ନିରଞ୍ଜନ ବୋଇଲେ ହେ ନ କର ତୁ ଚିନ୍ତା

ଭବିଷ୍ୟ ବର୍ତ୍ତମାନରେ ଅଛି ଯେ ବ୍ୟବସ୍ଥା ।

ତହିଁର କାରଣ ତୋତେ କହିବା କଥାଏ

ସାବଧାନ ହୋଇ କର ବ୍ରହ୍ମଜ୍ଞାନେ ଲୟେ ।

ବ୍ରହ୍ମା କପାଳ କରରୁ ନ ଛାଡ଼ଇ ତୋର

ବ୍ରହ୍ମଜ୍ଞାନ ଲୟେ ଯିବ ସେହି ପାପଭାର ।

ସଦାଶିବ ବୋଇଲେକ କହ ଜ୍ଞାନବୁଦ୍ଧି

କେଉଁପରି ପାପଯାଇ ହେବ କାର୍ଯ୍ୟସିଦ୍ଧି ।

ତୁମ୍ଭେ ତ ପରମଗୁରୁ ଅଟ ମହାଜ୍ଞାନୀ

କହ ବ୍ରହ୍ମଜ୍ଞାନ ମୋତେ ହେଉ ପାପହାନି ।

ଅନାଦି ବୋଇଲେ ତୁମ୍ଭେ ଶୁଣ ପଞ୍ଚମୁଖ

ଯେଉଁ ବ୍ରହ୍ମଜ୍ଞାନ ତାର ନାହିଁ ରୂପ ରେଖ ।

ମାତ୍ରା ଶୂନ୍ୟ ବିବର୍ଜିତ ସୂକ୍ଷ୍ମତନୁ ବହି

ଅକ୍ଷୁର୍ଣ୍ଣ ପୁରୁଷ ସେହି ସଦାନନ୍ଦମୟୀ ।

କେବଣ ତା ନାମ ଜପ ବସି ନିତିଦିନ

ନିଶ୍ଚେଁ ପାତକ ଶରୀରୁ ହୋଇବ ଖଣ୍ଡନ ।

ଆକାଶ ଉପରେ ଜାଣ ପରାକାଶ ମିଶା

ମନ ପବନ ତହିଁରେ ହୋଇଅଛି ଆଶା ।

ସେ ମନ ପବନ ଯେବେ କରିପାରୁ ଠୁଳ

ତେବେ ଜୀବ ପରମ ତୋ ହେବେ ଏକମେଳ ।

ଯେଣୁ ସେ ନିର୍ଧୂମ ଆତ୍ମା ପ୍ରଳୟର ଦେହୀ

ଜଗତର ଆଦିମୂଳ ରୂପ ରେଖ ନାହିଁ ।

ଇଅଁଳା ପିଅଁଳା ଶିଶୁମୁନା ଷଡ଼ଚକ୍ରେ

ଏକାଦଶ ପବନ ଯେ ବହୁଅଛି ବକ୍ରେ ।

କାହାକୁ ନିଗ୍ରହ ଯେବେ କରିପାରୁ ଲୟେ

ନିଶ୍ଚୟ ଅଙ୍ଗରୁ ତୋର ପାପ ଯିବ କ୍ଷୟେ ।

ମୋର ବୋଲ ମାନ ଏବେ ଆହେ ଦେବକାଶୀ

ଏକାମ୍ର କାନନକୁ ତୁ ଏକ୍ଷଣି ଯାଅସି ।

ଅନେକ କାଳରେ ସେହୁ ଅଟେ ସିଦ୍ଧଭୂମି

ପୁଣ୍ୟହୀନ ଲୋକ ତହିଁ ନ ପାରନ୍ତି ଗମି ।

ସୃଷ୍ଟି ପ୍ରଳୟ ହୋଇଲା ଯେବଣହିଁ କାଳେ

ସମସ୍ତେ ବିନାଶ ହେଲେ ବଡ଼ବା ଅନଳେ ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଶ୍ରୀବିଷ୍ଣୁ ସହିତେ

ଚରାଚର ଆଦି ନାଶଗଲେ ଯେ ସମସ୍ତେ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନି

ଏକାବେଳେ ବଇକୁଣ୍ଠେ ଲାଗେ ପ୍ରଳେ ପାଣି ।

ନବଦ୍ଵୀପ ସପ୍ତସିନ୍ଧୁ ହେଲା ଜଳମୟେ

ସେହି କାଳରେ ସମସ୍ତେ ହୋଇଗଲେ କ୍ଷୟେ ।

ଅନାଦି ନାରୀ ଯେ ତାହାଙ୍କର ଠାକୁରାଣୀ

ଗର୍ଭ ଭିତରେ ସେ ଭୂମି ସଂହାରିଲେ ଆଣି ।

ପାଞ୍ଚକୋଷ ଆୟତନ ଅଟେ ସେହି ସ୍ଥାନ

ଏକାମ୍ବର ଭୂମି ତାର ନାମ ଶତେ ବର୍ଣ୍ଣ ।

ରୁବ୍ରଧ୍ଵଜ ବୋଲିକରି ତହିଁ ବ୍ରହ୍ମା ଥିଲେ

କୋଟିଏକ ଅଶ୍ଵମେଧ ସେଠାରେ ସେ କଲେ ।

ପବିତ୍ର ପୁଣ୍ୟଭୂମି ସେ ଅଟେ ପୁଣ୍ୟସ୍ଥାନ

କୁଣ୍ଡ ଆବୋରିଛି ବିନ୍ଦୁ ସାଗରଟି ଜାଣ ।

ସେହି କୁଣ୍ଡର ଯେ ଅଇଶାନ୍ୟ ଦିଗ ଲାଗେ

ଅନନ୍ତ ପୁରୁଷୋତ୍ତମ ଅଛି ପୂର୍ବଭାଗେ ।

ସେହି ସ୍ଥାନର ମହିମା କହୁଁ ନ ସରଇ

ଅନନ୍ତ କୋଟିଏ ଲିଙ୍ଗ ରହିଛନ୍ତି ଯହିଁ ।

ସେ ପୁଣ୍ୟଭୂମିକୁ ପଟାନ୍ତର ଦେବା କିସ

ଯହିଁ ପ୍ରବେଶିଲେ ମୁକ୍ତି ଲଭନ୍ତି ମନୁଷ୍ୟ ।

ଅଷ୍ଟଭକ୍ତି ଯେ ଅଷ୍ଟାଙ୍ଗ ଯୋଗଆଦି କରି

ପାଞ୍ଚଗୋଟି ତୀର୍ଥ ତହିଁ ଅଛଇ ଆବୋରି ।

ତପି ଭଗବନ୍ତ ସିଦ୍ଧ ସାଧକର ମୂଳେ

ଅନେକ ଦେବତା ତହିଁ ରହିଛନ୍ତି ଠୂଳେ ।

ତୁ ଏବେ ସେହି ପୁରକୁ ଯାଅ ହୋ ଶଙ୍କର

ବ୍ରହ୍ମହତ୍ୟା ପାବକ ତୋ ଅଙ୍ଗୁ ଯିବ ପାର ।

ଶୁଣିକରି ଆନନ୍ଦିତ ହୋଇ ତ୍ରିଲୋଚନ

ତକ୍ଷଣେ ମିଳିଲେ ଯାଇ ଏକାମ୍ର କାନନ ।

ପାର୍ବତୀ ଆଦି ସକଳ ତେଜି ଦେବରାଜା

ବିନାୟକ ନନ୍ଦୀ ଭୃଙ୍ଗୀ କରି ସବୁ ତେଜ୍ୟା ।

ଶଙ୍କର ବାମ୍ଫୀରେ ସ୍ନାନ ସାରି ତ୍ରିପୁରାରି

ବସିଲେକ ତପସ୍ଥାନେ ଏକଲୟ କରି ।

ବନ୍ଧଭେଦ ମୁଦ୍ରା ବାୟୁ ଏକକରି ପୁଣି

ଆତ୍ମାକୁ ଧ୍ୟାୟି ବସିଲେ ତହିଁ ଶୂଳପାଣି ।

ପ୍ରଥମେ ସହସ୍ର ବର୍ଷ ଭକ୍ଷି ଲୁଣିଜଳ

ବେନିସସ୍ର ବର୍ଷ ତହିଁ ଖାଇ କନ୍ଦମୂଳ ।

ତୁଳସୀ ବେଲପତ୍ରୀ ଯେ ଆଉ ଦୁବଘାସ

ସଞ୍ଜୀବନୀ ମନ୍ତ୍ର ପଢ଼ି କଲେ ତାହା ଗ୍ରାସ ।

କ୍ଷୀର ଖାଇ ତିନିସସ୍ର ବରଷ ବଞ୍ଚିଲେ

ଏକପାଦେ ସସ୍ରଯୁଗ ରହି ତପ କଲେ ।

ଖରାଦିନେ ଚଉପାଶେ ଜାଳି ହୁତାଶନ

ସାତସସ୍ର ବର୍ଷ ତପ କଲେ ପଞ୍ଚାନନ ।

ବସ୍ତ୍ର ତେଜ୍ୟାକଲେ ପୁଣି ମହା ହିମକାଳେ

ମକରେ ବିଶ୍ରାମ କଲେ ଗଭୀର ସଲିଳେ ।

ଏମନ୍ତେ କଠୋର ତପ କଲେ ବେଦବର

କଉଣସିମତେ କରୁ ତ ଛାଡ଼ଇ ଶିର ।

ସଦାଶିବ ବୋଇଲେକ ନୋହିଲା ତ କାର୍ଯ୍ୟ

ପ୍ରପଞ୍ଚ ଶରୀର ମୁହିଁ କରିବି ଦହିଯ୍ୟ ।

ନିତ୍ୟାଚାର କର୍ମେ କିଛି ନୋହିଲା କାରଣ

ଘେନିବି ଅପର ଦୀକ୍ଷା ତେଜିବି ପରାଣ ।

ଏସନକ ବିଚାରିଣ ସବୁ କଲେ ଦୃଢ଼

ମନ ପବନ ଚୈତନ୍ୟ ସବୁ କଲେ ସ୍ଥିର ।

ବନ୍ଧ ଭେଦ ମୁଦ୍ରାରେ ସେ ସସ୍ରେ ପରିମାଣି

ମହାଯାଗରେ ବସିଲେ ଛନ୍ଦି ପାଦ ପାଣି ।

ଏସନ ଅନେକ ତପ କଲେ ଦେବ ହର

କରୁ ନ ଛାଡ଼ଇ କେବେ ବ୍ରହ୍ମାଙ୍କର ଶିର ।

ପଞ୍ଚଭୂତ ପଞ୍ଚତତ୍ତ୍ଵ ପଚିଶ ପ୍ରକୃତି

ଏକାଦଶ ଇନ୍ଦ୍ରି ନିଗ୍ରହିଣ ପଶୁପତି ।

ଏମନ୍ତେ ଅନେକ ଯୁଗ ଯୁଗାନ୍ତର ଯାଏ

ହୋଇଲେ ସେ ସଦାଶିବ ଯୋଗାରୂଢ଼ ପ୍ରାୟେ ।

ସମାଧି ଆସ୍ଥାନ ପରେ ବସି ତ୍ରିପୁରାରି

ଛାଡ଼ିଲେକ ନିଜ ବିନ୍ଦୁ ଚେତାଆଦି କରି ।

ଶୁଖିଲା ଯେ ସପ୍ତଧାତୁ ରହି ଅସ୍ଥିମାତ୍ର

ଦୁର୍ବଳ ହୋଇଲା ତହୁ ଈଶ୍ଵରଙ୍କ ଗାତ୍ର ।

ଏମନ୍ତ ଅନେକ ଯୁଗ ଯୁଗାନ୍ତର ଯାଏ

ଅତିଶୟ ଅସାଷ୍ଟମ ହେଲେ ଦେବରାୟେ ।

ଚକ୍ଷୁ ଇନ୍ଦ୍ରି ନାସିକାଦି ଏକାଦଶ ଭୋଗ

କ୍ଷୁଧା ତୃଷା ନିଦ୍ରାଆଦି ସର୍ବ ପରିତ୍ୟାଗ ।

ଅତିଶୟ ଅଶକତ ହେଲେ ଈଶ୍ଵରଟି

ବସିବା ସ୍ଥାନରୁ ସେହୁ ନ ପାରନ୍ତି ଉଠି ।

ଦୁର୍ବାଦଳ ପରି ଦେହ ଶୁଷ୍କକାଷ୍ଠ ଜାଣି

ନିଶ୍ଚଳ କର ଚରଣ ଫୁଟି ପାଦ ପାଣି ।

ସମୟେକ ବଞ୍ଚିଲେ ସେ ଜଳାହାର କରି

ସମୟେ ଅନ୍ତରେ ହେଲେ ପୁଣି ନିରାହାରୀ ।

ଆହାର ତେଜନ୍ତେ ଅଙ୍ଗୁଛାଡ଼େ ଧାତୁମାତୁ

ଧାତୁ ଛାଡ଼ନ୍ତେ ଘୋଟିଲା ଯେ ପରମତତ୍ତ୍ଵୁ ।

ସମାଧି ଲାଗିଲା ଯହୁଁ ପରଂହଂସମୟେ

ସୁଖ ଦୁଃଖ ଉପେକ୍ଷାକୁ ବହିଲେ ସେ କାୟେ ।

କେବଳ ପରମହଂସ ଘରେ ଚେତା ଥାଇ

ସେ ତେଜରେ ପଞ୍ଚଭୂତ ଆତ୍ମା ବିସର୍ଜଇ ।

ଏସନକ ବହୁଯୁଗ ହୁଅନ୍ତେ ଅତୀତ

ପ୍ରଳୟ କଳ୍ପ ଏ ଅନ୍ତେ ହୋଇଲାକ ଗତ ।

ଏମନ୍ତେ ଷାଠି ଲିତାରେ ଦଣ୍ଡ ପରିମାଣି

ବେନିଦଣ୍ଡେ ଘଡ଼ିଏକ ବିଧାତା ନିର୍ମାଣି ।

ଏମନ୍ତେ ଚାରି ଘଡ଼ିରେ ପ୍ରହରେକ ଲେଖା

ଚାରିପ୍ରହର ମଧ୍ୟରେ ଦିନେ ହୁଏ ଯୋଖା ।

ପଞ୍ଚଦଶ ଦିବସରେ ହୁଏ ଏକପକ୍ଷ

ତିରିଶ ଦିବସେ ମାସେ ହୁଅଇ ପ୍ରତ୍ୟକ୍ଷ ।

ବାରମାସେ ବରଷେକ ହୁଅଇ ସମ୍ପୂର୍ଣ୍ଣ

ରାତ୍ର ପୁଣି ଲେଉଟିଣ ହୁଅଇ ସେ ଦିନ ।

ସତ୍ୟଯୁଗ ଅଠାଇଶ ଲକ୍ଷସସ୍ର ବର୍ଷ

ତ୍ରେତାଯୁଗ ବାରଲକ୍ଷ ଛୟାଣୋଇ ଶେଷ ।

ଦ୍ଵାପର ଅଠରଲକ୍ଷ ସସ୍ରେ ବର୍ଷ ହୁଏ

କଳିଯୁଗ ଚାରିଲକ୍ଷ ବତିଶ ବୋଲାଏ ।

ଏସନେକ ଚାରିଯୁଗେ ଗଣ୍ଡାଏକ ବୋଲି

ଏ ଦିନେ ପୂର୍ଣ୍ଣ ରାତ୍ରେକ ହୁଅଇ ବୋଇଲି ।

ଏହିପରି ଏକସ୍ତରି ଗଣ୍ଡା ଭୋଗ ହେଲେ

ଜ୍ୟୋତିଷ ମତରେ ଏକ ମନ୍ଵନ୍ତର ବୋଲେ ।

ଏମନ୍ତେ ଚୌଦ ମନୁରେ କଳ୍ପେ ହୁଏ ଭୋଗ

ଅଷ୍ଟାଦଶ କଳ୍ପେ ମନୁ କରି ଏକଯୋଗ ।

ଚଉଦ ମନୁରେ ବ୍ରହ୍ମରାତ୍ର ଏକ ଲେଖା

ଦ୍ଵାଦଶ ବ୍ରହ୍ମ ରାତ୍ରିରେ ଧ୍ରୁବ ଜ୍ୟୋତିଶାଖା ।

ଚଣ୍ଡାଳ କନ୍ୟାକୁ ପୁଣି ଘୋଟେ ମହାକାଳ

ଏତେକାଳ ତପ କଲେ ସୁଢ଼ଳେ ସୁଢ଼ଳ ।

ତଥାପି ନ ଛାନଇଲା ଯେ ବ୍ରହ୍ମାଙ୍କର ଶିର

କହନ୍ତି ଶ୍ରୀଶୁକମୁନି ଶୁଣ ଦଣ୍ଡଧର ।

ଇତି ଶ୍ରୀ ଭାଗବତ ଗ୍ରନ୍ଥ ପୁଣ୍ୟମୟେ

ଶୁଣନ୍ତେ ପାପାଧିପାପ ଅଙ୍ଗୁ କ୍ଷୟଯାଏ ।

ନବଭକ୍ତି ଚୌରାଅଶୀ ଜ୍ଞାନ ଅଷ୍ଟଯୋଗ

ଋଷିସିଦ୍ଧି ଆଦିକରି ସବୁତିଥି ଯୋଗ ।

ପୁତ୍ର ପୌତ୍ର ଧନଧାନ୍ୟ ଆୟୁ ବର୍ଦ୍ଧମାନ

ଇହଲୋକେ ପରଲୋକେ ହୁଅଇ କାରଣ ।

ସଂକଳ୍ପ କରିଣ ଯେବା ଶୁଣି ଏହି ଗ୍ରନ୍ଥ

ଗୋରୁ ସ୍ଵର୍ଣ୍ଣ ଦାନଦିଏ ଦକ୍ଷିଣ ସହିତ ।

ସେ ପୁଣ୍ୟବଳରେ ପାପ ନ ରହଇ ଅଙ୍ଗେ

ସାଲୋକ୍ୟ ମୁକତି ପାଇ ବାସକରେ ସ୍ଵର୍ଗେ ।

ଯେବଣ ଶ୍ରୀକୃଷ୍ଣ ନାମ ଉଚ୍ଚାରନ୍ତେ ଥରେ

ସକଳ ପାତକ ଅଙ୍ଗୁ ଛାଡ଼ିଯାଏ ଦୂରେ ।

ସେ ବିଷ୍ଣୁନାମ ଏଥିରେ ନିରନ୍ତର ଗାନ

ଶ୍ରବଣେ ଶୁଣିଲେ ନରେ ଯିବ ସ୍ଵର୍ଗସ୍ଥାନ ।

ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ

ଇଦଂ ଏକାଦଶ ଅଧ୍ୟା ସମାପତ ହୁଏ ।

ଭଣଇ ଅଚ୍ୟୁତ ଦାସ ଗୀତବନ୍ଧେ ଏହା

କେବଳ ସହାୟ ମୋର ପ୍ରଭୁ ଚଉବାହା ।

 

ହର କୋପାନଳରେ ମଦନର ଭସ୍ମ ଓ ରତିଦେବୀର ବିଳାପ

 

ଜୟ ନୀଳାଚଳବାସୀ ପ୍ରଭୁ ଚକ୍ରପାଣି

ଅଶେଷ କୋଟି ବ୍ରହ୍ମାଣ୍ଡ କରତା କାରେଣି ।

ଲକ୍ଷ୍ମୀ ତୁଳାସୀ ବଲ୍ଲଭ ଦୀନଜନ ବନ୍ଧୁ

ସରସ୍ଵତୀ ପଞ୍ଚଭୂତ କୃପାଜଳ ସିନ୍ଧୁ ।

କଳାମୁଖ ଶୋଭାନୀଳ ଜଳଧର ଜାଣି

ବିକଚ କମଳନେତ୍ର ଶଙ୍ଖ ଚକ୍ରପାଣି ।

ପକ୍ଵ ବିମ୍ଵଫଳ ଜାଣି ସୁରଙ୍ଗ ଅଧର

ଭକ୍ତଜନ ହିତକାରୀ କରୁଣାସାଗର ।

ଅଷ୍ଟରତ୍ନ ସିଂହାସନ ପ୍ରଭୁ ଦେବରାଜେ

ଭାଇ ଭଗ୍ନୀ ଘେନି କଳ୍ପବଟ ତଳେ ବିଜେ ।

ଛାମୁରେ ବିନତାସୁତ ଯୋଡ଼େ ବେନିପାଣି

ଦରଶନେ ନିସ୍ତରନ୍ତି କୋଟି କୋଟି ପ୍ରାଣୀ ।

ଶ୍ରୀଜଗନ୍ନାଥ ଚରଣେ ସଦା ମୋ ଭକତି

ଅଚ୍ୟୁତ ଦାସ କବିର ନାହିଁ ଅନ୍ୟ ଗତି ।

ବୋଇଲେ ହୋ ମହାମୁନି ତୁମ୍ଭ ସୁଦୟାରୁ

ତରିବଇଁ ଅକ୍ଳେଶରେ ଭବ ପାରାବାରୁଁ ।

ଏଣିକି କିସ ହୋଇଲା କହ ମୋର ଆଗେ

ଦେଖୁ ଦେଖୁ ତେଜିବଇଁ ସୁଧା କେଉଁ ବାଗେ ।

ରାଜାର ଭକତି ଦେଖି ଭଣି ମହାମୁନି

ଶୁଣ ଆହେ ନରପତି ପାପନାଶ ବାଣୀ ।

ଯୋଗୀର ସ୍ଵରୂପ ହୋଇ ବସି ଦେବ ହର

ଧ୍ୟାନରେ ନିମଗ୍ନ ହେଲେ ଶଶାଙ୍କଶେଖର ।

ଏଥୁଅନ୍ତେ ଆନରସ ଶୁଣ ନରପତି

ବିକଟାସୁର ନନ୍ଦନ ଲୌହାସୁର ନାତି ।

ତାରକାସୁର ନାମରେ ଦୁର୍ଦ୍ଦାନ୍ତ ଦଇତ

ଅନେକ ତପସ୍ୟା ସେହୁ କରି ଅଲୋକିତ ।

ଅସଂଖ୍ୟା ବର ତାହାକୁ ଦେଲେ ପିତାମହ

ପୃଥିବୀର ଏକେଶ୍ଵର ହେଲା ଦୈତ୍ୟମୟ ।

ବଡ଼ଇ ବଳବନ୍ତା ସେ ଅତିଶୟ ଯୋଧୀ

ନବଦ୍ଵୀପ ସପ୍ତସିନ୍ଧୁ କ୍ଷଣେ ପାରେ ସାଧି ।

ଏସନକ ବର ତାକୁ ଧାତା ଦେଲେ ପୂର୍ବେ

ଯୁଗ ଯୁଗାନ୍ତେ ମରଣ ନୁହେ ତାକୁ କେବେ ।

ଖଡ଼୍‌ଗେ ନ ଛିଡ଼ିବୁ ଅନଳରେ ନ ପୋଡ଼ିବୁ

ଅକାଳେ ମୃତ୍ୟୁ ନୋହିବ ଜଳେ ନ ବୁଡ଼ିବୁ ।

ଗଣ ଗନ୍ଧର୍ବ ଦେବତା ହାରିବେଟି ତୋତେ

ଚଉଦ ଭୁବନ ତୁହି ସାଧିବୁ କିଞ୍ଚିତେ ।

ଦିନାକେତେ ସପ୍ତଦ୍ଵୀପ ବୁଲିବୁ ଯେ ତୁହି

ଅନ୍ତରୀଷେ ରଥ ତୋର ସଦା ବୁଲୁ ରହି ।

ଏହିରୂପେ ବର ପାଇ ହେଲା ଏକେଶ୍ଵର

କୋଟିଏକ ଧନୁ ସେହି ଧରେ ବାମକର ।

ବିନ୍ଧ୍ୟଗିରି ତଳେ ବହେ କୋଳା ନାମେ ନଦୀ

ପୁରାଣ ପର୍ବତଠାରୁ ପଶ୍ଚିମକୁ ଭେଦି ।

ସେ ନଦୀ ଦକ୍ଷିଣ କୂଳେ ଚିନ୍ତାମଣି ବନ

ଦିଗନ୍ତର ନାମେ ତହିଁ ନଗ୍ର ବିତପନ ।

ବିନ୍ଧ୍ୟଗିରି ସୀମାଠାରୁ ଚିତ୍ରକୂଟ ବେଢ଼ି

ଅଣଚାଶ ଯୋଜନ ସେ ପୁର ଅଛି ମାଡ଼ି ।

କୋଳାନଦୀ ବେଢ଼ିଅଛି ତାର ତିନିକତି

ଏକାଣୋଇ ଖର୍ବ ଘର ତହିଁରେ ବସନ୍ତି ।

ଆକାଶକୁ ଜିଣି ଦିଶେ ଗଡ଼ ସିଂହଦ୍ଵାର

କବାଟରେ ବେନିପୁଡ଼ା କୋଶେକ ଓସାର ।

ଶତେତାଳ ଗଭୀରରେ ପରିଖା ହୋଇଛି

ପାଞ୍ଚତାଳ ଉତ୍ସର୍ଗରେ ପାଚେରୀ ବେଢ଼ିଛି ।

ତା ମଧ୍ୟେ କଟକ ଦିଶେ ଅତି ଶୋଭାବନ

ଜଗତୀ ଅଟ୍ଟାଳି ମେଢ଼ ମଣ୍ଡପରେ ପର୍ଣ୍ଣ ।

ଇନ୍ଦ୍ରଭୁବନ ପରାୟେ ଦିଶେ ଗଡ଼ ସଞ୍ଚା

ବିହରନ୍ତି ପ୍ରାଣୀମାନେ ଯେ ଯାହାର ଇଚ୍ଛା ।

ପାତ୍ର ମନ୍ତ୍ରୀ ଅମାନତ୍ୟ ଖଞ୍ଜମୂଳେ ଲାଗି

ଅନେକ ଅସୁର ଗଡ଼େ ରହିଛନ୍ତି ଜଗି ।

ସେ ଗଡ଼ରେ ଅଭିଷିକ୍ତ ହୋଇଣ ତାରକା

ସମାରୋହ ରାଜ୍ୟ ନ କଲା ନ କରିଣ ଶଙ୍କା ।

ଭୟଙ୍କର ଦାନବ ସେ ସମର ପ୍ରଚଣ୍ଡ

ଏକା ରଥକେ ଭ୍ରମଇ ପୃଥ୍ଵୀ ନବଖଣ୍ଡ ।

ଇନ୍ଦ୍ର ଚନ୍ଦ୍ର ବ୍ରହ୍ମାଙ୍କୁ ସେ ନୃଜରେ ନ ଆଣେ

ରଥ ଗଜ ଅଶ୍ଵ ଚଢ଼ି ବୁଲେ ଏଣେତେଣେ ।

ଭୟଙ୍କର ରୂପ ଧରି ଏକ ଦିନକରେ

ସ୍ଵର୍ଗକୁ ସେ ଧାଡ଼ିଦେଲା ମହାମତ୍ତଭରେ ।

ସହସ୍ର ଯୋଜନ ମାଡ଼ି ଚଳାଇଲା ଦଣ୍ଡ

ପାଦଭରେ କମ୍ପମାନ ହୋଇଲା ବ୍ରହ୍ମାଣ୍ଡ ।

ହସ୍ତୀର ବଦନ କାର ସିଂହ କଳେବର

ବରାହ ଆକାରେ କେହୁ ଗର୍ଦ୍ଦଭ ଶଲାର ।

କପାଳ ବିକଟାଳ କା ଭୟଙ୍କର ଓଷ୍ଠ

କନ୍ଧରେ ନୟନ କାର ମସ୍ତକ ଗରିଷ୍ଠ ।

ନିର୍ଦ୍ଧୁମ ଅନଳ ଜିଣି ବିରାଜଇ ଜ୍ୟୋତି

ରଙ୍ଗବର୍ଣ୍ଣ କାହାର କେ କୃଷ୍ଣବର୍ଣ୍ଣ ଦ୍ୟୁତି ।

କେହି ଅବା ହରିତାଳ ପରି ଦେଖାଯାଏ

ସର୍ବାଙ୍ଗ ରକତବର୍ଣ୍ଣ ଦିଶଇ ତା କାୟେ ।

ଏସନ ସ୍ଵରୂପେ କରେ ଅସ୍ତ୍ରମାନ ଧରି

ଏକୁଁ ଆରେକ ଯଆନ୍ତି ବାହାସ୍ପୋଟ ମାରି ।

କେ ଅଶ୍ଵ ବାହନେ କେହୁ ବାସୁକୀରେ ସଜ

ଥୋକାଏ ଗମନ୍ତି ହୃଷ୍ଟେ ଚଢ଼ି ମତ୍ତଗଜ ।

ଅନୁବ୍ରତେ ମତୁଆଳ ଅନର୍ଯ୍ୟାପ ବଳ

ମହୁ ମାଂସ ମଦିରାରେ ସର୍ବେ ମତିଭୋଳ ।

ଅମର ଭୁବନେ ଯାଇ ହୋଇଲେ ପ୍ରବେଶ

ହୁରିଜୁରି କରିଲେକ ଦେବଙ୍କ ସର୍ବସ୍ଵ ।

ଅଗ୍ରତରେ ଦେବଗଣ ନୋହିଲେ କେ ଉଭା

ଅସୁର ହେଣ୍ଡି ମାରନ୍ତି କରି ଉଚ୍ଚୈ ବାଃ ବାଃ ।

ଦେବକୁମାରୀମାନଙ୍କୁ ବଳେ ନେଲେ ହରି

ଥୋକାଏ ବଳାତ୍କାରରେ ହରିଲେ ଅପ୍‌ସରୀ ।

ପଳାଇଲେ ଦେବାତାଏ ସ୍ଵର୍ଗ ଛାଡ଼ି ବେଗେ

ମହାଭୟ ପାଇ କେହି ନ ରହିଲେ ଆଗେ ।

ଅଶେଷ କୋଟି ବ୍ରହ୍ମାଣ୍ଡେ ନ ରହିଲେ କେହି

ବନ କନ୍ଦର ପ୍ରଭୃତି ସର୍ବ ଦେଲେ ଦହି ।

ମେଘମାନେ ପୃଥିବୀରେ ନ ବର୍ଷିଲେ ଜଳ

ଜାତ ନୋହିଲେ ମହୀରେ ସ୍ୱାଦୁଦ୍ରବ୍ୟ ଫଳ ।

ଅନ୍ନ ବିହୀନରେ ନଷ୍ଟ ହେଲେ ସର୍ବପ୍ରାଣୀ

ମଡ଼ାମାନ ଖାଇଲେକ ଦୈତ୍ୟମାନେ ଆଣି ।

ବ୍ରହ୍ମହତ୍ୟା କରି ଶିବ ଯୋଗୀ ହେଲେ ଯହୁଁ

ତାରକାସୁରର ଭୟ ଲାଗିଲାକ ତହୁଁ ।

ଦେବଗଣମାନେ କେହି ନ ରହିଲେ ଘରେ

ବନ କନ୍ଦରେ ଲୁଚିଲେ ତାରକା ଭୟରେ ।

ତ୍ରେତାଯୁଗରେ ରାବଣ ନାମେ ରାଜା ଥିଲା

ଦିଗବିଜେ କାଳେ ମେରୁ ପ୍ରଦକ୍ଷିଣ କଲା ।

ଇନ୍ଦ୍ରଜିତ ଥିଲା ପୁଣି ତାହାର କୁମର

ସେ ଦିଗବିଜେ କରିଲା ଅପାରୁଁ ଅପାର ।

ସୋମବଂଶେ ଥିଲା ତ୍ରିଲୋଚନ ନରପତି

ସେ ଦିଗବିଜେ କରିଲା ବହୁବାର ପୃଥ୍ଵୀ ।

କଂସାସୁର ନାମେ ଉଗ୍ରସେନର ଦୁଲାଳ

ସେ ଦିଗବିଜେ କରିଲା ମହୀ ତିନିବେଳ ।

କିନ୍ତୁ ଏହିପରି କେହି ପୂର୍ବୁ କରି ନାହିଁ

ତାରକ ଦିଗବିଜୟେ ଅଦ୍ଭୁତ ଅଟଇ ।

ଏକମନ ହୋଇ ତୁମ୍ଭେ ଶୁଣ ମହାରାୟେ

ଅଙ୍ଗରୁ ପାତକରାଶି ହୋଇଯିବ କ୍ଷୟେ ।

ତାରକାସୁରର ଭୟ ଲାଗେ ସ୍ଵର୍ଗପୁରେ

ଧରଣୀ ଯେ କମ୍ପମାନ ଦୈତ୍ୟ ପାଦଭରେ ।

ସକଳ ଦେବତାମାନେ ଏକରୁଣ୍ଡ ହୋଇ

ଇନ୍ଦ୍ରଙ୍କ ଆଗେ କହିଲେ ବିକଳରେ ଯାଇ ।

ଭୋ ପ୍ରଭୁ ପୃଥିବୀ ଦେବୀ ହେବ ରସାଗତ

ତୁମ୍ଭେ ନ ରଖିଲେ ସୃଷ୍ଟି ବିନଷ୍ଟ ନିୟତ ।

ପାରିଲେ ରଖ ଆମ୍ଭଙ୍କୁ ଆହେ ବଜ୍ରଧର

ନ ରଖିଲେ ନାଶଯିବ ନିଶ୍ଚେ ତିନିପୁର ।

ଆଲୋକିତ ବର ଧାତା ଦେଲେ ତାରକାକୁ

ଜାଣି ଶୁଣି ଶତ୍ରୁ ହେଲା ଆମ୍ଭ ଉପରକୁ ।

କେଉଁପରି ସେ ଅସୁର ହୋଇବଟି କ୍ଷୟେ

ଏବେହେଁ ପାରିଲେ ତୁମ୍ଭେ କରସି ଉପାୟେ ।

ଶୁଣିକରି ଶଚୀନାଥ ଲଭି ମନେ ତାପ

ବୋଇଲେ ତୁମ୍ଭେମାନେ ହୋ ଛାଡ଼ ମନୁ ତାପ ।

ବିଷ୍ଣୁଙ୍କର ଆଗେ ଯାଇ କହିବା ଏ ବାର୍ତ୍ତା

ସେହୁ ଜାଣନ୍ତି ତାରକା ମରିବାର କଥା ।

ସେହି ତ ପୃଥିବୀ ଭାରା କରିବେ ଉଶ୍ଵାସ

ତାହାଙ୍କର ଉପାୟରେ ଦୈତ୍ୟ ଯିବ ନାଶ ।

ଏତେ ବିଚାରି ସକଳ ଦେବେ ଚଳିଗଲେ

ଶ୍ରୀନାରାୟଣଙ୍କ ଆଗେ ଯାଇଣ ମିଳିଲେ ।

କରପତ୍ର ଯୋଡ଼ି ଦେବେ କରିଲେକ ସ୍ତୁତି

କିମର୍ଥେ ଆଗ ବୋଲି ପୁଚ୍ଛନ୍ତି ଶ୍ରୀପତି ।

ଦେବତାଏ ବୋଇଲେ ଯେ ତାରକାକର ଭୟ

ଉଦ୍ଧାର କର ଆମ୍ଭଙ୍କୁ ଆହେ ଦେବରାୟେ ।

ନାରାୟଣ ବୋଇଲେକ ଶୁଣ ହେ ତ୍ରିଦଶ

ଆମ୍ଭର ହସ୍ତେ ତାରକା ନୋହିବ ବିନାଶ ।

ଏସନକ ବର ସେହୁ ପୂର୍ବେ ଅଛି ପାଇ

ବ୍ରହ୍ମା ଇନ୍ଦ୍ର ବିଷ୍ଣୁ କରେ ମୃତ୍ୟୁ ତାର ନାହିଁ ।

ଜଳ ସ୍ଥଳ ଅନଳେ ସେ ନୋହିବ ବିନାଶ

ଜନ୍ମ ମରଣ ତାହାର ନାହିଁଟି ଅବଶ୍ୟ ।

ଏକ ମୃତ୍ୟୁଭେଦ ତାର ଅଛଇ ନିୟତ

ସାବଧାନେ ଶୁଣ ତୁମ୍ଭେ ଆହେ ଦେବତାନ୍ତ ।

ଯେବଣ ଦିନେ ତାରକା ପାଇଲାକ ବର

ଗୁପ୍ତ ମୃତ୍ୟୁଭେଦ ଆମ୍ଭେ ଜାଣୁଟି ନିକର ।

ଈଶ୍ଵର ବୀର୍ଯ୍ୟେ ପୁତ୍ରେକ ହୋଇବ ସଂଜାତ

ସେହୁ ନିଶ୍ଚେ ତାରକାକୁ କରିବ ନିହତ ।

ହିମବନ୍ତ ଉମାଦେବୀ ଅଛନ୍ତଟି ରହି

ଈଶ୍ଵରେ ତେଣିକି ଗଲେ ତାହ ଜଣା ନାହିଁ ।

ଆନ କରେ ତାରକାର ନୋହିବଟି ବଧ

ଦେବଙ୍କ ଆଗେ କହିଲେ ଏହା ଚକ୍ରାୟୁଧ ।

ଶୁଣିକରି ଦେବଗଣେ ଆନନ୍ଦିତ ହୋଇ

ବୋଇଲେ କହ ଈଶ୍ଵର ରହିଛନ୍ତି କାହିଁ ।

ଈଶ୍ଵର ଯେ ବ୍ରହ୍ମହତ୍ୟା ପାତକ କରିଲେ

କଇଳାସ ପୁର ତେଜି କେଉଁଆଡ଼େ ଗଲେ ।

ଦିଗମ୍ବର ବେଶ ଧରି ଗଲେ ଭଗବନ୍ତ

କେଉଁଠି ରହିଲେ କେହ୍ନେ ଜାଣିବା ତଦନ୍ତ ।

ବିଷ୍ଣୁ ବୋଇଲେ ଈଶ୍ଵର ଯେବେ ଯିବେ ନାଶ

ସକଳ ବ୍ରହ୍ମାଣ୍ଡ ନାଶଯିବଟି ଅବଶ୍ୟ ।

ତ୍ରିଭୁବନେ ଦୂତ ତୁମ୍ଭେ ଦିଅ ପଠିଆଇ

କେଉଁଠାରେ ଛନ୍ତି ଶିବ ଖୋଜନ୍ତୁ ସେ ଯାଇ ।

ଏହାଶୁଣି ଦେବେ ଦୂତ ପେଷି ଧାତିକାରେ

ଦୂତମାନେ ଖୋଜିଲେକ ପଶି ପୁରେ ପୁରେ ।

ଭୂଲୋକ ଭୁବଲୋକ ଯେ ସୁରଲୋକ ତିନି

ମୃତ୍ୟୁଲୋକ ସତ୍ୟଲୋକ ଆବର ମେଦିନୀ ।

ଇନ୍ଦ୍ରଲୋକ ସୂର୍ଯ୍ୟଲୋକ ଯେ ନକ୍ଷତ୍ର ଲୋକ

ବ୍ରହ୍ମଲୋକ ବିଷ୍ଣୁଲୋକ ଆଉ ନରଲୋକ ।

ନାଗଲୋକ ମହଲୋକ ମଣ୍ଡୁକୀ ଯେ ଆଦି

ଯମ ନଇର୍ଋତ ପୁଣ କୁବେରାଦି ଭେଦି ।

ଗୋମନ୍ତ କେଦାର ସାର ଆଉ ବାରାଣସୀ

ମଥୁରା ଦ୍ଵାରକାପୁର ଅଯୋଧ୍ୟା ଯେ କାଶୀ ।

ଗୋଦାବରୀ ସେତୁବନ୍ଧ ଆଦି କୁରୁକ୍ଷେତ୍ର

କନ୍ଦି ବିକନ୍ଦି ଖୋଜନ୍ତି ପଶିକରି ଦୂତ ।

ଉତ୍ତମ ଲୋକ ଦେଖିଣ ପୁଚ୍ଛନ୍ତି ଏସନ

ବ୍ରହ୍ମଘାତୀ ସଦାଶିବେ ଦେଖିଛ କି ପୁଣ ।

ସର୍ବେ ବୋଇଲେ ନ ଜାଣୁ ଆମ୍ଭେ ତଥ୍ୟବାଣୀ

ପୁନରପି ଠାବେ ଠାବେ ଖୋଜନ୍ତି ସେ ପୁଣି ।

କେତେଦିନେ ଫେରିଆସି କହିଲେ ବାରତା

କାହିଁ ନ ପାଇଲୁ ଆମ୍ଭେ ଦେବ ମଞ୍ଚମଥା ।

ଏହାଶୁଣି ଦେବଗଣେ ବିସ୍ମିତ ହୋଇଲେ

ଆନର ବଳେ ତାରକା ନ ମରିବ ଭଲେ ।

ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ ସ୍ଵର୍ଗବାସୀ

ଆମ୍ଭ ବିଚାରରେ ଜୀଇଁ ଅଛନ୍ତଟି କାଶୀ ।

ବ୍ରହ୍ମହତ୍ୟା ପାପ ତାଙ୍କ କ୍ଷୟ ହେବାପାଇଁ

ଅଷ୍ଟାଙ୍ଗ ଯୋଗ ସାଧନ୍ତି ଯାଇଁ ଉମାସାଇଁ ।

ଚଉଦମନୁ ଆସିଣ ହେଲା ପରବେଶ

ଅସ୍ଥିମାଂସ କିଛି ପୁଣ ନାହିଁ ତାଙ୍କ ଲେଶ ।

ଅମରେ ବୋଇଲେ ତୁମ୍ଭେ ଶୁଣ ଦେବରାୟେ

ତୁମ୍ଭର ଏଥକୁ କିଛି ଅଛି କି ଉପାୟେ ।

ଶ୍ରୀହରି ବୋଇଲେ କାମଦେବ ଆଣ ଯାଇ

ଈଶ୍ଵରଙ୍କ ତପସ୍ୟାକୁ ଭାଙ୍ଗି ସେ ପାରଇ ।

ଶୁଣିଣ ସନ୍ତୋଷ ହେଲେ ଅମର ନିକର

ଚିତ୍ରସେନ ଆଜ୍ଞା ଦେଲେ ଯାଅ ଧାତିକାର ।

ତହୁଁ ଚିତ୍ରସେନ ଅତି ତ୍ଵରା ହୋଇ ଗଲା

କାମଦେବ ଭୁବନରେ ପ୍ରବେଶ ହୋଇଲା ।

ସପତ ଦୁଆର ଜିଣି ଭିତରକୁ ପଶି

ଦେଖିଲାକ ରତି କାମ ଦୁହେଁ ଛନ୍ତି ବସି ।

ଚୌରାଶୀକୋଟି ନାୟିକା ମିଳି ସେହିପୁରେ

ଛତ୍ର ଚାମର ଧରିଣ ଉଭାରି ଆଗରେ ।

ହଡ଼ପ ଧୂପକାଠି କେ ଧରିଛି ବିଞ୍ଚଣୀ

କେହି ଆଲଟ ପକାଏ ଧୀରେ ଧୀରେ ଆଣି ।

ଗନ୍ଧ ଚନ୍ଦନ ବୋଳି କେ ଦ୍ୟନ୍ତି ନାନାରଙ୍ଗେ

ବିଳସନ୍ତି ସର୍ବନାରୀ କାମଦେବ ସଙ୍ଗେ ।

ଏସନ ସମୟେ ଯାଇ ମିଳେ ଚିତ୍ରସେନ

ବୋଇଲା କାମଦେବ ତୁ ଉଠ ହୋ ବହନ ।

ଦେବତାଙ୍କର ଆଜ୍ଞାକୁ ଘେନି ଧାତିକାରେ

ଯିବାପାଇଁ ସଜବାଜ ହୁଅ ତତପରେ ।

ଇନ୍ଦ୍ର ଅଗ୍ନି ସହିତରେ ସର୍ବେଛନ୍ତି ଚାହିଁ

ତୁମ୍ଭଙ୍କୁ ନେବାପାଇଁ କି ଦେଲେ ପଠିଆଇ ।

ଶୁଣିଣ ମୀନକେତନ ସନମତ କଲେ

ଯିବାପାଇଁ ଉଦବେଗେ ସଜବାଜ ହେଲେ ।

ରତି ବୋଇଲା ହେ ନାଥ ମାନ ମୋର ବାଣୀ

ଗଲେ ଲେଉଟିଣ କେବେ ନ ଆସିବ ପୁଣି ।

କାମଦେବ ବୋଲେ ପ୍ରିୟେ ଚିନ୍ତା ତୁ ନ କର

ଦେବତାଙ୍କୁ ଭେଟ ଦେଇ ଆସିବ ସତ୍ଵର ।

ଶୁଭେ ବିଦାୟ ଦିଅ ଗୋ ମୋତେ ହୃଷ୍ଟଚିତ୍ତେ

ଦୁଇ ଚାରି ଦିନେ ଫେରି ଆସିବି ତ୍ଵରିତେ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

ଇତି ଶିରୀ ଭାଗବତ ପୁରାଣର ଧ୍ଵନି ।

କହୁ ଚାଟୁ କହି ରତି ମନ ତୋଷ କରି

ଧାତିକାରେ ବାହାରିଲେ ଶମ୍ବର ଅଇରି ।

ଚିତ୍ରସେନ ଗନ୍ଧରବ ପଛରେ ଗୋଡ଼ାଇ

ଚନ୍ଦ୍ରକାନ୍ତି ପରାୟେକ ଶରୀର ଶୋଭଇ ।

ସର୍ବଗୁଣେ ସୁଲକ୍ଷଣ ତନୁ ନବଯୁବା

ଅପୂର୍ବ ରୂପରାଶି ଯେ ଦିଶେ ଦିବ୍ୟଶୋଭା ।

ସୁରଙ୍ଗ ଅଧର ଗୋଟି ଜବାପୁଷ୍ପା ଜାଣି

କହନ୍ତେଣ ବର୍ଷଇ କି ସୁଧାରସ ବାଣୀ ।

ଅଙ୍ଗୁଷ୍ଟି ଚମ୍ପକ କଢ଼ି ପ୍ରାୟେ ଶୋଭାପାଏ

ନବରତ୍ନ ହାରମାନ ବିରାଜଇ ଦେହେ ।

କହନ୍ତେଣ ନ ସହଇ କାମଦେବ ଗୁଣ

ଚାରିଖାନି ନବଦ୍ଵୀପେ ଅଧିକାରୀ ଜାଣ ।

ଯାହାର ନାମ ଗୋଟିକ ଜଗତେ ଅଜେୟ

ପ୍ରତ୍ୟକ୍ଷରେ ଦେଖାଯାଏ ଯେହ୍ନେ ଦବରାୟ ।

ସ୍ଵର୍ଣ୍ଣ ସିଂହାସନ ପରେ ଆଉଜି ମନ୍ମଥ

ବିଜୟା ନାମ ରଥରେ ବସିଅଛି ସେ ତ ।

ରଥ ବାହଇ ବସନ୍ତ ନାମରେ ସାରଥି

ବାମକରେ ବାଗ ଧରି ଚଳାଇଛି ଧାତି ।

ଏସନ ସଂଜାତେ ଯାଇ ଦେବ ସଭାତଳେ

କାମଦେବ ବିଜେକଲା ଅତି କୁତୁହୁଳେ ।

ଶତେକ ପାବଚ୍ଛ ତଳେ ଶୁଏ ପାଏ ପଡ଼ି

ଉଠିଣ ଉଭା ହୋଇଲା କରପତ୍ର ଯୋଡ଼ି ।

କାମଦେବ ରୂପଦେଖି ଦେବେ ହେଲେ ତୋଷ

ବୋଇଲେ ଲାବଣ୍ୟନିଧି ଅଟେ ଏ ପୁରୁଷ ।

ବିଧାତାଙ୍କର ଜୁଆଇଁ ରତିର ଭରତା

ଯେ ପୁଣି ଅଟଇ କୋଟି ବ୍ରହ୍ମାଣ୍ଡ କରତା ।

ପୁରୁଷ ଉତ୍ତମ ଜାଣ ଦେବଙ୍କ କାରେଣି

ଏକ ବାଣକେ ସଂସାର ପାରେ ସେହୁ ଜିଣି ।

ନିଶ୍ଚେଁ ଆମ୍ଭମାନଙ୍କର ଫିଟିଗଲା ଭ୍ରାନ୍ତି

ତାରକା ନିମନ୍ତେ ଆଉ ନାହିଁ ଆମ୍ଭ ଭୀତି ।

ଏହି ସଦାଶିବଙ୍କର ଭାଙ୍ଗିବଟି ତପ

ଏହିଗଣ ଗର୍ନ୍ଧବଙ୍କ ହରିପାରେ ଦର୍ପ ।

ଏସନକ ଭାଳି ଦେବେ ହୋଇଲେ ଆନନ୍ଦ

ଧାତିକାରେ ଆସନକୁ ତେଜି ଦେବଇନ୍ଦ୍ର ।

କାମଦେବକୁ କୋଳରେ ବସାଇଲେ ଆଣି

ଅନେକ ଚାଟୁପଟଳେ ବାକ୍ୟମାନ ଭଣି ।

ଇନ୍ଦ୍ର ବୋଇଲେ ରେ ବାବୁ ଶୁଣ ରତିପତି

ବଚନେ କହିବା ତୋତେ ନ କରିବୁ ନାସ୍ତି ।

କନ୍ଦର୍ପ ବୋଇଲା ଦେବ ତୁମ୍ଭେ ମୋର ପିତା

ବିଶେଷରେ ଦେବରାଜ ଜଗତ କରତା ।

ମୁଁ ତୁମ୍ଭ ବଚନ ଅବା ଲାଙ୍ଗିବି କେମନ୍ତେ

କି ଆଜ୍ଞା ଦେଉଛ ତାହା ନ କହ କିନା ମୋତେ ।

ଇନ୍ଦ୍ର ବୋଇଲେକ ବାବୁ ଶୁଣ ମନଦେଇ

ତାରକା ଡରେ ସ୍ଵର୍ଗରେ ନ ପାରିଲୁ ରହି ।

ଭୂଲୋକ ଯେ ଭୁବଲୋକ ସ୍ଵର୍ଲୋକ ସହିତେ

ଦେବଗଣେ ରହି ନ ପାରିଲେ ତିଳେ ମାତ୍ରେ ।

ଜଳ ସ୍ଥଳ ପାତାଳରେ ନୋହିବ ସେ କ୍ଷୟେ

ଏସନକ ବର ଦେଇଅଛନ୍ତି ଧାତାଏ ।

ବିଷ୍ଣୁଙ୍କ କରରେ ସେହୁ ନୋହିବ ବିନାଶ

ଈଶ୍ଵରଙ୍କ ପୁତ୍ର କରେ ଯିବ ନିଶ୍ଚେଁ ନାଶ ।

ପାର୍ବତୀ ଗର୍ଭରେ ସ୍ଥିତି ହେଲେ ହରବୀର୍ଯ୍ୟ

ପୁତ୍ରେକ ଜାତ ହୋଇବ ଅଲୋକିତ ତେଜ ।

ସେ ପୁତ୍ର ହସ୍ତେ ମରିବ ତାରକା ଅସୁର

କାମଦେବ ଆଗେ ଏହା କହି ବଜ୍ରଧର ।

ଆବର ବୋଇଲେ ବାବୁ ଶୁଣ ଆମ୍ଭ ବାଣୀ

ପୂର୍ବକାଳେ ବ୍ରହ୍ମହତ୍ୟା କରି ଶୂଳପାଣି ।

ସେ ବ୍ରହ୍ମହତ୍ୟା ଭୟରେ ଯୋଗ ସାଧି ଗଲେ

ଖୋଜି ନ ପାଇଲୁ ଆମ୍ଭେ ସେ କାହିଁ ରହିଲେ ।

ସଂପ୍ରତି ପିତାଙ୍କ ଘରେ ରହିଣ ପାର୍ବତୀ

ଶିବଙ୍କି ପାଇବା ପାଇଁ ତପ କରୁଛନ୍ତି ।

ତୁ ତାହାଙ୍କୁ ଖୋଜି ଏବେ ପୁରେ ପୁରେ ପଶି

ଯୋଗଭଗ୍ନ କଲେ ସୁସ୍ଥ ହେବେ ସ୍ଵର୍ଗବାସୀ ।

ତୋହର ଉପକାରରେ ସର୍ବେ ହେବେ ରକ୍ଷା

ଦିଗପାଳମାନଙ୍କର ପୂରା ମନୋବାଞ୍ଛା ।

ଘେନ ବନମାଳା ବାବୁ ବିରସ ନ ହୋଇ

ଏତେ ବୋଲି ଆସ୍ଥାନରୁ ଉଠି ଶଚୀସାଇଁ ।

ବିଜୟ ମାଳାକୁ କଣ୍ଠତଟୁ କାଢ଼ିଦେଲେ

କାମଦେବର ଗଳାରେ ନେଇ ଲମ୍ବାଇଲେ ।

ସମସ୍ତ ଦେବତାମାନେ କଲେ ଜୟଧ୍ଵନି

ଗର୍ନ୍ଧବେ ବୋଇଲେ ଶୁଭାସୂଚକ ବାଜେଣି ।

ଶ୍ରୀଫଳ ବଦରୀ ଦୁର୍ବାକ୍ଷତ ସୁମନସେ

ମଙ୍ଗଳାରୋପଣ କଲେ ବେଢ଼ି ଚଉପାଶେ ।

ହାର ନୁପୂର ଗଳାରେ ଦେଇ ଚନ୍ଦ୍ରମାଳା

ପୂଜା କରିଲେ ମିଳିଣ ସର୍ବ ଦେବବାଳା ।

ଆପଣେ ଶଚୀ ଆସିଣ ଅର୍ଘ୍ୟ ବନ୍ଦାଇଲେ

ମଙ୍ଗଳ ନିମନ୍ତେ ଉଚ୍ଚେ ହୁଳହୁଳି ଦେଲେ ।

ରମ୍ଭା ମେନକା ଯେ ତିଳୋତ୍ତମା ଆଦିକରି

କିନ୍ନରୀ ବିଦ୍ୟାଧରୀଏ ଛନ୍ତି ସର୍ବେ ପୂରି ।

ସୁବର୍ଣ୍ଣ ଥାଳିରେ ପଞ୍ଚ ରତନକୁ ଭରି

କାମଦେବେ ବନ୍ଦାଇଲେ ମଙ୍ଗଳ ଉଚ୍ଚାରି ।

ସମସ୍ତଙ୍କୁ ଲାଗିଅଛି ତାରକାର ଭୟେ

ବହୁମାନ୍ୟ କରି କଲେ ସର୍ବେ ଜୟେ ଜୟେ ।

ଏମନ୍ତ ଗୌରବ ଯହୁଁ କଲେ ସୁରସାଇଁ

କାମ ବିଚାରିଲା ଗଲେ ନିଶ୍ଚେଁ ମରିବଇଁ ।

ପୁଣି ମନେ ବିଚାରିଲା ଏ ସଙ୍କଟ କଥା

ମୁଁ ଏହାକୁ ନାସ୍ତିକରି ନ ପାରେ ସର୍ବଥା ।

ଜଣେ ନାଶ ଗଲେ ଯେବେ ସୃଷ୍ଟିହେବେ ସୁଖୀ

ଧର୍ମଶାସ୍ତ୍ର ପ୍ରମାଣରେ ମହାପୁଣ୍ୟ ଲେଖି ।

ଯଦ୍ୟପି କରିବି ମୁହିଁ ଏ କଥାରେ ନାସ୍ତି

ଶାପ ବିହି ଦେବଗଣେ ଦେବେ ନାନା ଶାସ୍ତି ।

ଏତେ ଚିନ୍ତି କାମଦେବ ସନମତ କଲା

ତୁମ୍ଭପାଇଁ ନିଶ୍ଚେଁ ପ୍ରାଣ ଦେବି ମୁଁ ବୋଇଲା ।

ଭୋ ଦେବଗଣେ ତୁମ୍ଭଙ୍କୁ ପଚାରଇ ମୁହିଁ

କେଉଁଠାରେ ଶିବ ଛନ୍ତି ଦିଅ ତା ବତାଇ ।

ଦେବତା ବୋଇଲେ ଆମ୍ଭେ ନ ଜାଣୁ ତଦନ୍ତ

କେଉଁଠାରେ ରହିଛନ୍ତି ଦେବ ପଞ୍ଚମାଥ ।

ବ୍ରହ୍ମହତ୍ୟା ଦୋଷ ଯେଣୁ କଲେ ଲିଙ୍ଗରାଜ

ସାଧିଲେ ଅଷ୍ଟାଙ୍ଗ ଯୋଗ ସବୁ କରି ତ୍ୟାଜ୍ୟ ।

ରୂପରେଖ ବିବର୍ଜିତ ନୋହି ରୂପବନ୍ତ

ସକଳ ଦେବେ କହନ୍ତି କାମର ଅଗ୍ରତ ।

ଇନ୍ଦ୍ର ବୋଇଲେକ ଆମ୍ଭେ ଜାଣୁ କିଛି ବିଧି

ଚୌଦମନୁ ପରିଯନ୍ତେ କଲେ ତପସିଦ୍ଧି ।

ଯେବଣଠାରେ ଈଶ୍ଵର କରି ଜପଲୟେ

ଆଡ଼ଦୀର୍ଘେ ପାଞ୍ଚକ୍ରୋଶ ଯେ ଧବଳମୟେ ।

ଏତିକି ମାତ୍ର ତୁମ୍ଭେ ତ ହେତୁ ରଖିଥିବ

ଯହିଁ ଶ୍ଵେତବର୍ଣ୍ଣ ପୁର ତହିଁ ଥିବେ ଶିବ ।

ପରମାତ୍ମା ଲୟକରି ସମାଧିରେ ବସି

ଯାଅ ବିଳମ୍ବ ନ କରି ଖୋଜ କାଶୀବାସୀ ।

ହା ହା ହୁହୁ ଗର୍ନ୍ଧବଙ୍କୁ ସଙ୍ଗତରେ ନିଅ

ଏମାନେ ସଙ୍ଗରେ ଥିଲେ ମଙ୍ଗଳ ନିଶ୍ଚୟ ।

କନ୍ଦର୍ପ ବୋଇଲେ ତାହା ମୁହିଁ ନ ଜାଣଇ

ଯେହ୍ନେ କାର୍ଯ୍ୟସିଦ୍ଧି ହେବ ତାହା କରିବଇଁ ।

ଏତେ ବୋଲି ଦେବଙ୍କୁ ସେ କରି ନମସ୍କାର

ଦୁର୍ଗା ମାଧବ ସୁମରି ହୋଇଲା ବାହାର   

ହସ୍ତକେ ଦୁର୍ବା ଅକ୍ଷତ ହସ୍ତକେ ଶ୍ରୀଫଳ ।

ଅଦଭୂତ ବେଶ ସାଜି ଗଳେ ବନମାଳ ।

ପ୍ରଥମେ ନିଜ ନବରେ ପ୍ରବେଶିଲା ଯାଇ

ରତିଦେବୀ ପଚାରଇ କନ୍ଦର୍ପକୁ ଚାହିଁ ।

ଅତି ଶୀଘ୍ରରେ ଫେରିଲେ ସଙ୍ଗେ ନାହିଁ କେହି

ସର୍ବାଙ୍ଗଯାକରୁ ଝାଳମାନ ବୋହିଯାଇ ।

କାମଦେବ ବୋଲେ ତୁମ୍ଭେ ଶୁଣ ସଙ୍ଗାତୁଣି

ମହାଘୋର ତପ କରୁଛନ୍ତି ଶୂଳପାଣି ।

ଦେବତାଙ୍କୁ ଲାଗିଅଛି ତାରକାର ଭୟ

ତାହା ଭାଙ୍ଗିବାକୁ ମୋତେ ପେଷେ ସୁରରାୟ ।

କାମଦେବ ବଦନରୁ ଏ ବଚନ ଶୁଣି

ପଡ଼ିଣ ମୂର୍ଚ୍ଛତି ହେଲେ ବ୍ରହ୍ମାର ଦୁଲଣୀ ।

ମୂଳ ଛେଦନ୍ତେ ଯେସନେ ପଡ଼େ ତରୁବର

ତେସନକ ହୋଇ ଟଳି ପଡ଼ିଲେ ଭୂମିର ।

ପାରୁଶରେ ବେଢ଼ିଥିଲେ ଦାସୀ ପରିବାରୀ

ମୁଖରେ ସଲିଳ ସିଞ୍ଚି କୋଳାଗ୍ରତ କରି ।

କୁସୁମ ଆଲଟ ଧର ବିଞ୍ଚି ଧୀରେ ଧୀରେ

କେତେବେଳେ ଜୀବ ଆସି ପଶିଲା ଶରୀରେ ।

ଶୋକ ଗଦଗଦ ନେତ୍ର ଚିତ୍ତ ଛନ୍ନଛନ୍ନ

ଆହା ପ୍ରାଣାନାଥ ବୋଲି କରନ୍ତି ରୋଦନ ।

କେବଣ ବିଧାତା ଆଣି ଏଡ଼େ ଦୁଃଖ

କରନ୍ତି ଶୋକ ଚାହିଁଣ କାମଦେବ ମୁଖ ।

ଅଶେଷ ଗୁଣଗ୍ରାହୀ ତି ପୁରୁଷ ଉତ୍ତମ

ଜଗଜ୍ଜନ ମୋହନ ହେ ଅଟେ ପ୍ରାଣଧନ ।

ସ୍ଵାମୀ ଯେତେବେଳେ ତୋତେ ଚିତ୍ରସେନ ଡାକେ

ମୁହିଁ ମନା କରିଥିଲି ପ୍ରତ୍ୟକ୍ଷ ଅନେକେ ।

ସେ ମୋହର ବଚନକୁ ଲଙ୍ଘିକରି ଗଲ

ଏହି ଜନମ ଗୋଟାକୁ ଅକାରଣ କଲ ।

ଏବେ ଅମର ସଭାକୁ ଲେଉଟିଣ ଯିବା

ପ୍ରୀତି ଉପୁଜାଇ ପ୍ରତିକାରକୁ ମାଗିବା ।

କନ୍ଦର୍ପ ବୋଇଲା ସଖି ନ କହ ଗୋ ଏହା

କାଳେ କାଳେ ଅଜ୍ରାମର ନୁହଇ ଏ କାୟା ।

ମହତ ବଚନ ସଖି ପାଷାଣର ରେଖ

ଜଳବିନ୍ଦୁ ସମାନରେ ଜୀବନକୁ ଲେଖ ।

ଅବଶ୍ୟ ପିଣ୍ଡରୁ ପ୍ରାଣ ଛାଡ଼ିବ ସର୍ବଥା

କେବଳ ମର୍ତ୍ତ୍ୟମଣ୍ଡଳେ ରହିଥିବ କଥା ।

ଆପଣେ ଯାହା ଅର୍ଜିବ କର୍ମ ବୋଲି ଭାବି

ତୁମ୍ଭେ ଏହା ଜାଣ ମୁହିଁ କିସ ଗୋ କହିବି ।

ପରମା ମାଧବୀ ତୁହି କି କହିବି ଆଉ

ସତ୍ୟ ରଖିବଇଁ ମୋର ଜୀବ ପଛେ ଯାଉ ।

ମୁହିଁ ସନମତ କଲି ଦେବଙ୍କ ଅଗ୍ରତେ

ତହିଁକି ନାସ୍ତି ଅବା ମୁଁ କରିବି କେମନ୍ତେ ।

ଏଥକୁ ବାରଣ ତୁହି ନ କର ଗୋ ସତି

ବାଚା ବିଚଳିତେ ପ୍ରାଣୀ ନର୍କଗତି ପାନ୍ତି ।

ହରିଶ୍ଚନ୍ଦ୍ର ନାମେ ପୂର୍ବେ ରାଜା ଏକ ଥିଲା

ସତ୍ୟେ ସପ୍ତଦ୍ଵୀପା ମହୀ ବିଶ୍ଵାମିତ୍ରେ ଦେଲା ।

ଦକ୍ଷିଣା ଦେବାପାଇଁକି ଆପେ ମହାରାଜା

ବିକ୍ରୟ କରିଲା ନେଇ ତନୟ ଭାରିଯା ।

ବଳୀ ମହାରାଜା ପୂର୍ବେ ସତ୍ୟ କରିଥିଲେ

ବାମନେ ଦାନ ଦେଇଣ ପାତାଳେ ପଶିଲେ ।

ଜୀମୁତବହନ ବୋଲି ରାଜା ଏକ ଥିଲା

ଶ୍ୟେନ ପକ୍ଷୀକି ଶରୀର କାଟି ଦାନଦେଲା ।

ଦଧିଚି ମହର୍ଷି ପୂର୍ବେ ସତ୍ୟ କରିଥିଲେ

ଶରୀର ଭିତରୁ ସେହୁ ଅସ୍ଥି କାଢ଼ିଦେଲେ ।

ଇନ୍ଦ୍ରଦେବଙ୍କ ଆୟୁଧ ବଜ୍ର ସେ ହୋଇଲା

ପର୍ବତଙ୍କ ପକ୍ଷ ସବୁ ତହିଁରେ ଛେଦିଲା ।

ସମୁଦ୍ର ମନ୍ଥନୁ ଉପୁଜିଲା କାଳେ ବିଷ

ଈଶ୍ଵରଙ୍କ ମୁଖ ଚାହିଁ ବୋଇଲେ ତ୍ରିଦଶ ।

କାହିଁପାଇଁ ସ୍ତମ୍ଭୀଭୂତ ହୁଅ ଦେବ କାଶୀ

ତୁମ୍ଭେ ହଳାହଳ ବିଷ ଆପ୍ୟାନ କରସି  

ତୋହଭଳି ଲୋକ କିପାଁ ତେଜୁ ଧର୍ମଘଟ

ଶୁଣି ଈଶ୍ଵର ଭକ୍ଷିଲେ ତହୁଁ କାଳକୂଟ ।

ବିଷ ଜ୍ଵାଳାରେ ଢଳିଣ ପଡ଼ି ଦେବକାଶୀ

ତକ୍ଷକ ବୋଲେ ଥୋକାଏ ମୋତେ ତ ଦିଅସି ।

ଶୁଣି ଈଶ୍ଵର ସେ ବିଷ କଲେ ବେନିଭାଗ

ଅର୍ଦ୍ଧେକ ତକ୍ଷକେ ଦେଲେ ଅର୍ଦ୍ଧେ ଭକ୍ଷି ଆଗ ।

ଅନନ୍ତ ନାମରେ ନାଗ ଅଛି ନାଗପୁରେ

ଅଶେଷ କୋଟି ଜଗତ ବହିଛି ସେ ଶିରେ ।

ସତ୍ୟରେ ସଂସାର ହେଇଅଛି ଆତଯାତ

ପନ୍ଦରତିଥି ସତୈଶ ନକ୍ଷତ୍ର ଯାବତ ।

ସତ୍ୟରେ ପୃଥିବୀ ଦେଉଅଛି ଶସ୍ୟଫଳ

ସତ୍ୟରେ ମେଘମାନେ ଯେ ବର୍ଷନ୍ତି ସଲିଳ ।

ସତ୍ୟେ ସମୁଦ୍ର କୂଳକୁ କେବେ ନ ଲଙ୍ଘଇ

ସତ୍ୟେ ରହିଅଛି ମେରୁ ମନ୍ଦର ଆଦି ହିଁ ।

ପୃଥ୍ଵୀ ଆପ ତେଜ ବାୟୁ ଆକାଶ ଯେ ପଞ୍ଚ

ସତ୍ୟେ ରହିଅଛି ସ୍ଵର୍ଗ ପାତାଳ ଯେ ମଞ୍ଚ ।

ଜାଣି ଶୁଣି କେଉଁପରି କହୁଛୁ ଏ କଥା

ନିଶ୍ଚୟ ସତ୍ୟ ମୋହର ରଖିବି ସର୍ବଥା ।

ରତି ବୋଇଲା ଭୋ ଦେବ ନ କହ ଏମାନ

ତୁମ୍ଭରଠାରୁ ମୋହର ନାହିଁ ଆନ ଜନ ।

ବ୍ରହ୍ମା ମୋର ପିତା ମାତା ଅଟେ ବ୍ରହ୍ମାୟଣୀ

ସନକ ସନାତନାଦି ଋଷି ଭାଇ ପୁଣି ।

ପିତା ତବ ଦେବଇନ୍ଦ୍ର ଦେବ ଶିରୋମଣି

କହିବାମାତ୍ରେ ସେ ନାସ୍ତି କରିବେଟି ପୁଣି ।

ଭୋ ଦେବ ଅଟ ତୁମ୍ଭେ ତ ସର୍ବ ବିଶ୍ଵବାସୀ

ମୁଁ ତୁମ୍ଭର ଅଟେ ଜନ୍ମେ ଜନ୍ମେ ସେବାଦାସୀ ।

ସବୁ ଅର୍ଜିପାରି ସିନା ଦେହେ ଥିଲେ ପ୍ରାଣ

ଜୀବଗଲେ ସଂସାରଟି ଅକାରଣ ଜାଣ ।

ନୋହିଲେ ସ୍ଵର୍ଗଭୁବନୁ ପଳାଇବା ଆସ

ଅନିମିତ୍ତେ ଶରୀରକୁ ନ କର ବିନାଶ ।

କାମ ବୋଲେ ଦେବଙ୍କର ପାଇଁ ଦେବି ପ୍ରାଣ

ତାହାଙ୍କ ପ୍ରସାଦେ ମୋର ଭୟ ନାହିଁ ଜାଣ ।

ଭୋ ସଖି ମନରେ ଭୟ କରୁ କାହିଁପାଇଁ

ତିନି ଜଗତରେ ଏହି କଥା ଥିବ ରହି ।

ରତି ବୋଇଲେ ମେନକା ନାମେ ଅପସରୀ

ବିଶ୍ଵାମିତ୍ର ତପ ଭଗ୍ନେ ଗଲା ସେହି ନାରୀ ।

ମୁନିଙ୍କ ଶାପେ ସେହୁ କଷ୍ଟ ଯେ ଲଭିଲା

ଆବର ସ୍ୱର୍ଗପୁରକୁ ଲେଉଟି ନଇଲା ।

ପୌଲସ୍ତିଙ୍କ ତପ ଭାଙ୍ଗିଯାନ୍ତେ ବେଲାବେଳୀ

ଚାହିଁବା ମାତ୍ରକେ ସେହୁ ଗଲା ପୁଣି ଜଳି ।

ସୋମବିନ୍ଦୁ ରାଜପୁତ୍ର ନାମେ ମେଘଦର୍ପ

ବିଭାଣ୍ଡର ଋଷି ଗଳେ ଲମ୍ବାଇଲେ ସର୍ପ ।

କୋପେ ଶାପ ଦେଲେ ବିଭାଣ୍ଡକ ମୁନିବର

ଶତେ ଜନ୍ମଯାଏ ସେହୁ ହେଲା ନିଶାଚର ।

ସଗର ରାଜାର ଷାଠିସସ୍ର ପୁତ୍ର ଥିଲେ

କପିଳ ମୁନିଙ୍କ ତପ ସେହୁ ଭଗ୍ନ କଲେ ।

ମତ୍ତଭରେ କୁତୂହଳେ ଝିଙ୍କିଦ୍ୟନ୍ତେ ଦାଢ଼ି

ଚାହିଁବାମାତ୍ରେ ସକଳ ଗଲେ ତହିଁ ପୋଡ଼ି ।

ଅନନ୍ତ ଶଯ୍ୟାରେ ନାରାୟଣ ଥିଲେ ଶୋଇ

ନିଦ୍ରା ଭାଙ୍ଗନ୍ତେଣ ବାଣୀ ବୀଣାକୁ ବଜାଇ ।

ଭାରିଯାକୁ ଅଭିଶାପ ଦେଲେ କୋପଚିତ୍ତେ

ଧବଳ କୃଷ୍ଠ ବ୍ୟାଥି ଯେ ହୋଇଲା ଯୁକତେ ।

ହିମବନ୍ତର ଗୃହରେ ଥିଲେ ଦେବୀ ଉମା

ନଦୀରେ ବାଳୁକା ଲିଙ୍ଗ ପୂଜି ରାଜଜେମା ।

ମରୁତଗଣ ଯାଇଣ ପକାନ୍ତେ ତା ଭାଜି

ଗୌରୀ ଅଭିଶାପେ ସେହୁ ହୋଇଲେଟି ଗଞ୍ଜି ।

ଅଙ୍ଗିରା ତପ ଭାଙ୍ଗିଲେ ଦେବ ସୁରରାୟେ

ହୋଲେ ସେ ହତପାଟ କୋଟି ଯୁଗଯାଏ ।

ଏବେ ତୁମ୍ଭେ ଶିବ ତପ ଭାଙ୍ଗିବ ହେ ଯାଇଁ

କେବେ ଫେରି ନ ଆସିବ ଜାଣିଥା ଏହାହିଁ ।

କାମଦେବ ବୋଲେ ସଖି ବାଧା ତୁ ନ ଦିଅ

ଈଶ୍ଵର ତପ ଭାଙ୍ଗିବି କହୁଛି ନିଶ୍ଚୟ ।

ଯହିଁ ତହିଁ ଥିଲେ ମୁହିଁ ଦିନେ ତ ମରିବି

ଜାଣୁ ଜାଣୁ ଦେବକାର୍ଯ୍ୟ କିପାଇଁ ଛାଡ଼ିବି ।

ଅନେକ ଯୁଗ ପର୍ଯ୍ୟନ୍ତ କଥା ଥିବ ରହି

କାମ ପ୍ରାଣ ଦେଥିଲା ଦେବତାଙ୍କ ପାଇଁ ।

ଏତେବୋଲି କାମଦେବ ହୋଇଲେ ବାହାର

ଅଳିଅଳ ବସନ୍ତ ଯେ ଗୋଡ଼ାଏ ସଙ୍ଗର ।

ହାହା ହୁହୁ ସହିତରେ ବହୁ ବିଦ୍ୟାଧରୀ

ରମ୍ଭା ମେନକା ପ୍ରଭୃତି ତିଳୋତ୍ତମା ନାରୀ ।

କାମଦେବ ସଙ୍ଗତରେ ଗମନ୍ତି ସମସ୍ତେ

ଯାଏ କାମ ପୁଷ୍ପବାଣ ଧରି ଦକ୍ଷ ହସ୍ତେ ।

କାମ ଦେବ ଶୋଭାପାଏ କୁସୁମର ଧନୁ

ତ୍ରୈଲୋକ୍ୟ ମୋହୁ ଅଛଇ ସୁଲାବଣ୍ୟ ତନୁ ।

ରତି ବୋଇଲେକ କାମଦେବ ମୁଖ ଚାହିଁ

ସ୍ଵାମି ତୁମ୍ଭର ସଙ୍ଗତରେ ମୁଁ ନିଶ୍ଚେଁ ଯିବଇଁ ।

ଏଥକୁ ନାସ୍ତି ତୁମ୍ଭେ ହେ ନ କର ସର୍ବଥା

ସଙ୍ଗେ ଥିଲେ ଜାଣିବଇଁ ହେବ ଯେଉଁ କଥା ।

କାମଦେବ ବୋଲେ ତୁହି ବ୍ରହ୍ମାଙ୍କ ନନ୍ଦିନୀ

ଷୋଡ଼ଶ ବୟସୀ ସୁକୁମାରୀ ସୁଲକ୍ଷଣୀ ।

ରମଣୀ ରତନ ତୁହି ଚାରୁ ଚନ୍ଦ୍ରମୁଖୀ

ଅନିମିତ୍ତେ କାତର ତୁ ନ ହୁଅ ସୁମୁଖୀ ।

ରହିଥାଅ ପିତାଘରେ ନ ହୋଇଣ ଗଞ୍ଜି

ଲେଉଟି ଆସିବି ଶୀଘ୍ର ଶିବତପ ଭାଙ୍ଗି ।

ରତି ବୋଇଲେ ହେ ସ୍ଵାମୀ ଶୁଣ ତଥ୍ୟକରି

ତୁମ୍ଭେ ଜାଣ ମୁହିଁ ଅଟେ ପତିଭକ୍ତା ନାରୀ ।

ପ୍ରାଣ ତେଜିବାକୁ ତୁମ୍ଭେ ଯାଉଛ ଯୁକତେ

ମୁଁ ତୁମ୍ଭଙ୍କୁ ଏତେବେଳେ ଛାଡ଼ିବି କେମନ୍ତେ ।

ଭୋ ସ୍ଵାମୀ ପତ୍ନୀର ପତି ଅଟଇ ଭୂଷଣ

ଭର୍ତ୍ତା ବିହୀନରେ ସ୍ତିରୀ ଜନ୍ମ ଅକାରଣ ।

ତୁହି ମୋର ଉପକାର କରିବୁ ତେତେହେଁ

ତୁମ୍ଭେ ନାସ୍ତି କଲେ ମୁହିଁ ଜୀବ ତେଜିବଇଁ ।

କନ୍ଦର୍ପ ବୋଇଲା ପ୍ରିୟେ ଘେନ ମୋର ଦୀକ୍ଷା

କହିବଇଁ ନିରାଧାର ନ କର ତୁ କକ୍ଷା ।

ସଂସାରେ ଭିତରେ ମୋତେ ଜିଣନ୍ତା କେ ନାହିଁ

ଉତ୍ପତ୍ତି ସ୍ଥିତି ପ୍ରଳୟ କରିପାରେ ମୁହିଁ ।

ଅତି କୋମଳ ମୋହର କାମଦେବ ମୂର୍ତ୍ତି

ମୁହିଁ ସ୍ଵଭାବେ ସମସ୍ତଠାରେ ବହେ ପ୍ରୀତି ।

ଚାରି ଜାତି ନାରୀ ଆଉ ଚାରି ଜାତି ପୁଂସ

ଏମାନେ ମୋର ବାଣରେ ମୋହିତ ଅବଶ୍ୟ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

କେବେ ନ ରହିଲା ସେହି ବ୍ରହ୍ମାଙ୍କ କୁମାରୀ ।

କାମଦେବ ସଙ୍ଗେ ରତି ହୋଇଲା ବାହାର

ସଙ୍ଗତରେ ଦାସୀଗଣ ହେଲେ ଆଗୁଁ ସାର ।

ପ୍ରବେଶ ହୋଇଲେ ଆସି ଉମାଙ୍କ ଆଗରେ

ସାଷ୍ଚାଙ୍ଗରେ ଶୁତିଲେକ ଅତି ମୋଦଭରେ ।

ପାର୍ବତୀ ବୋଇଲେ ଉଠ ଉଠ ରେ ମଦନ

ରତି ଘେନି କରୁ ବାବୁ କେଣିକି ଗମନ ।

ଅନିଳ ବସନ୍ତ ଗନ୍ଧରବ ବିଦ୍ୟାଧର

ଏମାନେ ସଙ୍ଗତେ ରହି ଅଛନ୍ତି ତୋହର ।

କାମଦେବ ବୋଲେ ମାଗୋ ତାରକାବଦ୍ଧା ଅର୍ଥେ

ଯାଉଅଛି ଶିବ ତପ ଭାଙ୍ଗିବି ଯଥାର୍ଥେ ।

ବ୍ରହ୍ମଚାରୀ ଦୀକ୍ଷା ନେଲେ ସେ ପ୍ରଭୁ ଧୂର୍ଜଟି

ତେଣୁ କରି ତାଙ୍କ ପାଶେ ଯାଏ ମୁହିଁ ଲୋଟି ।

ତୁମ୍ଭ ଦୁହିଁଙ୍କର ଯଦି ଭେଟ ଗୋ ହୋଇବ

ଯେଉଁ ପୁତ୍ର ଜନ୍ମ ହେବ ତାରକା ବଧିବ ।

ଅନାଦି ଦେବୀ ମାତା ତୁ ଅଟି ମାହେଶ୍ଵରୀ

ତୁମ୍ଭେ ସିନା ସରଜନା କର ବସୁନ୍ଧରୀ ।

ତୁମ୍ଭେଯେବେ ନ ରଖିବ ମାଗୋ ଏତେବେଳେ

ପୃଥିବୀ ପଡ଼ିବ ନିଶ୍ଚେ ଜାଣ ରସାତଳେ ।

କାମଦେବ ବାଣୀ ଶୁଣି ବୋଇଲେ ଗଉରୀ

ବ୍ରହ୍ମହତ୍ୟା ପାପ ପୂର୍ବେ କଲେ ତ୍ରିପୁରାରି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ବୁଲି ଦେବ କାଶୀ

ଈଶ୍ଵର ବଦନ ନ ଚାହିଁଲେ ସ୍ଵର୍ଗବାସୀ ।

ତେଣୁକରି ସଦାଶିବ ପାଇ ବହୁ ଲଜ୍ଜା

କପିଳାସ କନଦରକୁ କରି ପରିତ୍ୟଜା ।

ବିନାୟକ ସହିତରେ ନନ୍ଦୀ ଯେ ଭୃକୁଟୀ

ସସସ୍ତଙ୍କୁ ତେଜ୍ୟାକରି ଚଳିଲେ ଧୂର୍ଜଟୀ ।

ଦେଖ ମୁହିଁ ହେଲି ଏଥି ଆସି ନବଯୁବା

ନୁହଇ ସଧବା ମୁହିଁ ନୁହଇ ବିଧବା ।

କଉଣସି କୁଳକୁ ତ ନୋହିଲି କାରଣ

ପତିକି ଲଭିବି ପୁଣି ତୋର ଅନୁଗ୍ରହେ ।

ଏତେ ବୋଲିଣ ପାର୍ବତୀ ରୋଦନକୁ କରି

କମଳ ନୟନୁ ବହି ପଡ଼େ ଅଶ୍ରୁବାରି ।

କାମଦେବ ବୋଇଲେ ତୁ ଛାଡ଼ ମନୁଭ୍ରାନ୍ତି

ନିଶ୍ଚୟ କାର୍ଯ୍ୟସିଦ୍ଧି ଗୋ ହୋଇବ ଏ ଘାନ୍ତି ।

ଈଶ୍ଵରଙ୍କ ତପ ମୁହିଁ ଭାଙ୍ଗିବି ନିୟତ

ପାଇବୁ ତୁ ଅଙ୍ଗ ସଙ୍ଗ ହେବ ପୁତ୍ର ଜାତ ।

ଏବେ ତୁ ମୋହର ସଙ୍ଗେ ଆସ ଗୋ ମୃଗାକ୍ଷି

ଈଶ୍ଵରଙ୍କୁ ଖୋଜିବାଟି ଆଗୋ ପଙ୍କଜାକ୍ଷି ।

ପାର୍ବତୀ ବୋଇଲେ ମୁହିଁ ଲୋଡ଼ୁଥିଲି ଯାହା

କର୍ମବଳେ ଆସି ମୋତେ ଧର୍ମ ହେଲା ସାହା ।

କେତେବାର ଅନଳରେ କରିଥିଲି ହୋମ

ଈଶ୍ଵରଙ୍କୁ ଲଭିବାକୁ କଲି ଏତେ କର୍ମ ।

ଶୁଭ ଉଦୟ ସମୟ ହେଲା ଏବେ ଆସି

ଭାଗ୍ୟବଳେ ଭେଟିବଇଁ ଦେବଦେବ କାଶୀ ।

ଏତେ ବୋଲିଣ ବାହାର ହେଲେ ଦେବୀଉମା

ଶୁଣ ପରୀକ୍ଷ ରାଜନ ଭଣି ଶୁକବ୍ରହ୍ମା ।

ଏସନ ପ୍ରକାରେ ତହିଁ ସର୍ବେ ଚଳିଗଲେ

କପିଳାସ କନ୍ଦରରେ ପ୍ରବେଶ ହୋଇଲେ ।

ଦେଖିଲେ ସେ ପୁଣ୍ୟଭୂମି ସଦାଶିବ ଆଳ

ଅତିଅନ୍ତ ସୁସଞ୍ଚ ସେ ଦିଶେ ପରିମଳ ।

ତହିଁରେ ଈଶ୍ଵରଙ୍କୁ ଯେ ନ ପାଇଲେ ଲୋଡ଼ି

କନ୍ଦର ପର୍ବତ ଯାଇଁ ଖୋଜି ଦେଶେ ଛାଡ଼ି ।

ତହୁଁ ଅନୁସରିଣ ସେ ଖୋଜି ପୁର ଗିରି

ଉତ୍ତମଲୋକ ପୁଚ୍ଛନ୍ତି ନାମମାନ ଧରି ।

କେହି ଜଣେ ନ କହିଲେ ଈଶ୍ଵରଙ୍କ ଲେଶ

ବିନ୍ଧ୍ୟାଚଳରେ ଯାଇଣ ହୋଇଲେ ପ୍ରବେଶ ।

ତହିଁ ଲୋଡ଼ି ନ ପାଇଲେ ଅନେକ ସେ ଖୋଜି

ସୁଧାକର ପର୍ବତରେ ଖୋଜିଲୋକ ହେଜି ।

ପାର୍ବତୀ ଆଦି କରିଣ ସର୍ବେ ଛନ୍ତି ତୁଲେ

ଲୋଡ଼ି ନ ପାଆନ୍ତେ ତହୁଁ ଧାତିକାରେ ଗଲେ ।

ଚିତ୍ରାଙ୍ଗଦା ନଦୀକୂଳେ ଶୋଷକ କାନନ

ଅଗସ୍ତି ଋଷି ଆଶ୍ରମ ତହିଁ ବିତପନ ।

ଚଉରାଶୀ କୋଟି ଶିଷ୍ୟ ଘେନି ବ୍ରହ୍ମଋଷି

କୃଷ୍ଣାଜିନ ଛାଲ ମାଡ଼ି ସମାଧିରେ ବସି ।

ମନ ପବନ ଆସନେ ବନ୍ଧମୁଦ୍ରା ଭିଡ଼ି

ପରମହଂସ ଗୁମ୍ଫାରେ ବସି ବେଦ ପଢ଼ି ।

ଏସନ ସମୟେ ଯାଇ କନ୍ଦର୍ପ ମିଳିଲା

ମୁନିଙ୍କର ପାଦପଦ୍ମେ ନମସ୍କାର କଲା ।

କାମଦେବ ଚାହିଁ ମୁନି ସନ୍ତୋଷ ହୋଇଲେ

ଏଥକୁ ତୁମ୍ଭେ କିପାଇଁ ଆସିଲ ବୋଇଲେ ।

ମୀନକେତନ ବୋଇଲା ଖୋଜୁଁ କାଶୀବାସୀ

ଦେଖିଥିଲେ କହି ଦିଅ ଦୟାକରି ଋଷି ।

ମୁନି ବୋଇଲେ ତୁ ଯେବେ ଭାଙ୍ଗୁ ଶିବ ତପ

ନିଶ୍ଚୟ ସଂସାରୁ ତୋର ନାମ ହେବ ଲୋପ ।

ଆମ୍ଭ ଏହି କଥା ଗୋଟି କହିଲୁ କିପାଇଁ

ବାବୁ ବ୍ରହ୍ମାଙ୍କର ତୁହି ଅଟୁ ତ ଜୁଆଇଁ ।

ତୋର ଭଳି ଲୋକ କିପାଁ ଅଖଡ଼େ ମରିବୁ

ଏ ଦେହ ଥିଲେ ବାବୁରେ କରିପାରୁ ସବୁ ।

ଆମ୍ଭେ ଏଥେ ବ୍ରହ୍ମଜ୍ଞାନ କରୁଛୁ ସାଧନ

ଜାଣୁ ଜାଣୁ ନାଶ କିପାଁ ହେବୁ ଅକାରଣ ।

କାମଦେବ ବୋଲେ ମୁନି କିପାଁ ଏହା କୁହ

କେତେଦିନ ରହିଥିବ ଏ ନଶ୍ଵର ଦେହ ।

ଅବଶ୍ୟ ସଂସାରୁ ଦିନେ ଯିବ ଜୀବ ଛାଡ଼ି

ମୃତ୍ତିକାପରି ଶରୀର ଭବେ ଥିବ ପଡ଼ି ।

ମୁହିଁତ ଦେବସଭାରେ କଲି ସନମତ

ଏବେ ନାସ୍ତି କଲେ ହେବି ନରକ ପ୍ରାପତ ।

ପୁରୁଷଙ୍କର ବଚନ ପାଷାଣର ରେଖା

ଅକାରଣ ଜୀବନ ଏ କାହିଁ ନୋହେ ଲେଖା ।

ଏପରି କଥା କେବେହେଁ ଆଉ ନ କହିବ

କୁହ କେଉଁଠାରେ ରହିଛନ୍ତି ସଦାଶିବ ।

ଅଗସ୍ତି ବୋଇଲେ ମୋତେ ଯୋଗବଳେ ଦିଶି

ମର୍ତ୍ତ୍ୟ ଭୁବନରେ ରହିଛନ୍ତି ଦେବକାଶୀ ।

ମେରୁର ବାୟବ୍ୟ କୋଣେ ଏକାମ୍ର କାନନ

ତହିଁର ନୃପତି ବ୍ୟୋମନାମେ ରାଜା ପୁଣ ।

ନବକୁମାର ସଂଜାତ ହୋଇଲେ ତାହାର

ଏବେ ଏକେ ଶକତା ସେ ମହା ଧନୁର୍ଦ୍ଧର ।

ନବଖଣ୍ଡ ମେଦିନୀର ଅଟେ ଅଧିପତି

ତହିଁର ନିକଟେ ଜାଣ ଶ୍ଵେତପୁର ସ୍ଥିତି ।

ସେଠାରେ ତପ କରନ୍ତି ଦେବ ତ୍ରିଲୋଚନ

ପଞ୍ଚକୋଶ ଆୟତନ ଅଟଇ ସେ ବନ ।

ଜୀବ ଜନ୍ତୁମାନେ କେହି ନାହାନ୍ତି ସେଠାରେ

ପଞ୍ଚାନନ ବସିଛନ୍ତି ଯୋଗାସନ ପରେ ।

ରତି ବୋଇଲା ମୋହର ସ୍ଵାମୀ ଗଲେ ନାଶ

ବିଫଳ ହୋଇବ ନାରୀଜନ୍ମ ମୋ ଅବଶ୍ୟ ।

ପୂର୍ବେ ସାବିତ୍ରୀ ନାମରେ କନ୍ୟା ଏକ ଗଲା

ତା ଆୟୁ ଦେଇଣ ସ୍ଵାମୀ ଜୀବନ ରଖିଲା ।

ଊର୍ମିଳା ବୋଲି କରିଣ ତ୍ରିଶୁଙ୍କର ରାଣୀ

ଉର୍ତ୍ତାପାଇଁ ବୈଶ୍ଵାନରେ ଗଲେକ ସେ ଆଣି ।

ସାଧବୀ ନାମରେ ଭାର୍ଯ୍ୟା ଶଶବିନ୍ଦୁ ନାରୀ

ଭର୍ତ୍ତାର ନିମନ୍ତେ ସେହୁ ହେଲା ବନଚାରୀ ।

ଅତ୍ରି ମହାଋଷିଙ୍କର ଭାର୍ଯ୍ୟା ଅନୁସୂୟା

ଭର୍ତ୍ତାପାଇଁ ଗଙ୍ଗାଜଳେ ତେଜିଲେ ସେ କାୟା ।

ରୂପବତୀ ନାମେ ପୂର୍ବେ ଦ୍ଵିଜଭାର୍ଯ୍ୟା ଥିଲା

ଭର୍ତ୍ତା ଘେନି ରାତ୍ରରେ ସେ ବେଶ୍ୟାଘରେ ଗଲା ।

ଯାଆନ୍ତେ ଏକ ଋଷିଏ ପାଇଥିଲେ ଶୂଳି

ଗୋଡ଼ ବାଜନ୍ତେଣ ଶାପ ଦେଲେ ତପଶାଳୀ ।

ବୋଇଲେ ତୁ ନିଲକ୍ଷଣୀ କଲୁ ମହାଦୋଷ

ରାତ୍ର ପ୍ରଭାତରୁ ତୋର ଭର୍ତ୍ତା ଯାଉ ନାଶ ।

ପତିଭକ୍ତା ବୋଇଲେ ନ ପାହୁ ଆଜରାତି

ଏକ ରାତିକ ହେଉ ଯେ ପୁଣି ସାତରାତି ।

ରାତ୍ର ନ ପାହାନ୍ତେ ସର୍ବେ ହେଲେ ହରବର

ଯାଚି ବର ଦେଲେ ତାକୁ ଆସିଣ ଅମର ।

ଅଗସ୍ତ୍ୟ ବୋଇଲେ ତୁ ଯେ ନାରୀ ରତ୍ନନିଧି

ସ୍ଵାମୀକୁ ପାଇବୁ ନିଶ୍ଚେଁ ଅଛି ତୋର ବୁଦ୍ଧି ।

ଦ୍ଵାପର ଯୁଗର ଶେଷେ ଦ୍ଵାରାବତୀ ପୁରେ

କନ୍ଦର୍ପ ଜନମ ହେବ ରୁକ୍କିଣୀ ଗର୍ଭରେ ।

ବାସୁଦେବଙ୍କର ବୀର୍ଯ୍ୟେ ହେବ ଅବତାର

ସେକାଳେ ଲଭିବୁ ନିଜ ସ୍ଵାମୀକୁ ତୋହର ।

ପାର୍ବତୀଙ୍କୁ ବୋଇଲେ ତୁ ଈଶ୍ଵର ଘରଣୀ

ତୋ ଯୋଗୁଁ ଉଶ୍ଵାସ ହେବ ସକଳ ଧରଣୀ ।

ତୋହର ଗର୍ଭରୁ ହେବ କାର୍ତ୍ତିକେୟ ଜାତ

ସେ ପୁତ୍ର ତାରକା ଦୈତ୍ୟ କରିବ ନିହତ ।

ଏତେ ବୋଲି ବସିଲେ ସେ ମୁନି ଯୋଗାସନେ

ତହୁଁ କାମଦେବ ଗଲା ବସି ନିଜଯାନେ ।

ମନ ପବନହୁଁ ବେଗେ ଚଳି କ୍ଷିପ୍ରଗତି

ତକ୍ଷଣେ ମିଳିଲେ ଯହିଁ ଥିଲେ ପଶୁପତି ।

ଦେଉଳ ଅଟ୍ଟାଳିକା ଯେ ଅଳି ବିତପନ

ବାମ୍ପୀ କୂପ ତଡ଼ାଗରେ ପୂର୍ଣ୍ଣ ସେତୁ ସ୍ଥାନ ।

ତପସିଦ୍ଧ ଭୂମି ସେହୁ ଅତି ତେଜୋମୟେ

କୋଟିଚନ୍ଦ୍ର କିରଣ କି ହୋଇଛି ଉଦୟେ ।

ସେ ସ୍ଥାନରେ ରହିଛନ୍ତି ଜୀବ ଜନ୍ତୁମାନ

କୀଟ ପତଙ୍ଗ ପ୍ରଭୃତି ସର୍ବେ ଶ୍ଵେତବର୍ଣ୍ଣ ।

ଗଣ୍ଡା ଗୟଳ ହରିଣ ହସ୍ତୀ ବାହୁଟିଆ

ନେପାଳି ମୂଷା ଖୁରାଣ୍ଟି ଆଉ ବଣଭୂଆ ।

ଶାଳେହା ବଳିଆମାନ ବ୍ୟାଘ୍ର ଯେ ଭଲ୍ଲୁକ

ମୃଗ ଶମ୍ବର ବରାହ ଶୁଆ ଶାରୀ ଝିଙ୍କ ।

ସିଂହ ଗଜ ଓଟ ଗଧଆଦି ନାନଜାତି

ଈଶ୍ଵରଙ୍କ ପ୍ରସାଦରେ ସର୍ବେ ଶ୍ଵେତାକୃତି ।

ଡାହୁକ ବଳଙ୍ଗା ମୟୁର ଯେ କୁମ୍ଭାଟୁଆ

ଛଞ୍ଚାଣ ଯେ ଶଙ୍ଖଚିଲ କାକ ପାଣିକୁଆ ।

ଗଣ୍ଡା ଗୟଳ ଆବର ପକ୍ଷୀ ନୀଳକଣ୍ଠ

କାକତୁଣ୍ଡୀ ଚକ୍ରବାକ ଆଦି ଲମ୍ବଥଣ୍ଟ ।

ଏକାନ୍ତେ ଅନେକ ପକ୍ଷୀ କରି ବିନୋଦନ

ସଦାଶିବ ତେଜଲାଗି ସର୍ବେ ଶ୍ଵେତବର୍ଣ୍ଣ ।

ଭୂଲୋକ ଆଦି କରିଣ ସ୍ଵର୍ଗଲୋକ ଯାଏ

ପାଞ୍ଚକୋଷ ଆୟତନେ ସବୁ ଶ୍ଵେତମୟେ ।

ସ୍ଥାବର ଜଙ୍ଗମ କୀଟ ପକ୍ଷୀ ଲତାମାଳ

ଜୀବ ଜନ୍ତୁମାନେ ସବୁ ଦିଶନ୍ତି ଧବଳ ।

ଦେଖିଣ ସେ କାମଦେବ ମନରେ ବିଚାରି

ନିଶ୍ଚୟ ଏହି ସ୍ଥାନରେ ବିଜେ ତ୍ରିପୁରାରି ।

ଏହା ବିଚାରି ପଶିଲେ ଶ୍ଵେତବର୍ଣ୍ଣ ବନେ

ଗିରି ଗୁମ୍ଫା ଗୃହାମାନ ଖୋଜି ଅନୁକ୍ଷଣେ ।

ଆଡ଼ କନ୍ଦି ବିକନ୍ଦି ଯେ ପରବତମାଳ

ଅତି ନିର୍ବନ୍ଧ କରିଣ ଖୋଜନ୍ତି ସକଳ ।

ସୁପଥ ଦେଖିଣ ସେହୁ ଥୋକେଦୂର ଗଲେ

ବିନ୍ଦୁ ସାଗର ନିକଟେ ପ୍ରବେଶ ହୋଇଲେ ।

ଦେଖିଲେ ଅନନ୍ତ ପୁର୍ଷୋତ୍ତମ ଦେବରାଜା

ତପରେ ବସି ଅଛନ୍ତି ସର୍ବ କରି ତେଜ୍ୟା ।

ରତି ପାର୍ବତି ଗନ୍ଧର୍ବ ଆଦି ଦେବମୂଳେ

ସଙ୍ଗେ ପ୍ରଣିପାତ କଲେ ଯାଇ ପାଦତଳେ ।

କଳ୍ପାଦି ପୁରୁଷ ସେହୁ ଦେବ ପୁର୍ଷୋତ୍ତମ

ପାପାଧିପାତକ ଖଣ୍ଡେ ସ୍ମରନ୍ତେ ଯା ନାମ ।

ଶ୍ଵେତବର୍ଣ୍ଣ କଳେବର ଏକାମ୍ବର ବାସୀ

ଚଉବର୍ଗ ଦାତା ସ୍ଵାମୀ ପରଂବ୍ରହ୍ମ କାଶୀ ।

ସେ ସ୍ଵାମୀକୁ କାମଦେବ କଲେ ଯାଇ ସେବା

ଶୁକ ବୋଇଲେକ ରାୟେ ଏ ଅନ୍ତେ ଶୁଣିବା ।

ସଙ୍ଗେ ଛନ୍ତି ସଖାଗଣ ରତି ହୈମବତୀ

ଗନ୍ଧର୍ବ ଗାନ୍ଧର୍ବୀ ପିତ ବସନ୍ତ ସାରଥି ।

ପାଞ୍ଚକୋଶ ଆୟତନ ଏକାମ୍ର କାନନ

ଅଦ୍ଭୁତେ ବହିଲା ତହିଁ ବସନ୍ତ ପବନ ।

ମନ୍ଦ ମନ୍ଦ ସୁଶୀତଳ ପବନ ବହନ୍ତେ

ପଲ୍ଲବି ଉଠନ୍ତେ ବନେ ତରୁଲତା ଯେତେ ।

ଧାତୁମାତୁ ବର୍ଦ୍ଧମାନ ହେଲା ଚାରିଆଡ଼େ ।

ପାଷାଣ ତରଳି ଧାତୁରସ ବହି ପଡ଼େ ।

ବୃକ୍ଷଶିଖେ ବସି ରାବ ଦିଅନ୍ତି କୋକିଳ

ଫଳିତ ପୁଷ୍ପିତ ତରୁଲତା ପରିମଳ ।

ଭ୍ରମର ବୁଲନ୍ତି ଡାକଦ୍ୟନ୍ତି ଶାରୀ ଶୁଆ

ମୟୂରେ ନାଚନ୍ତି ଖେଳା କରେ କୁମ୍ଭାଟୁଆ ।

ଝିଙ୍କାରୀଙ୍କ କୋଳାହଳ ସୁକୋମଳ ବାଣୀ

ନାରଦ ତୁମ୍ବୁର ବୀଣା ବଜାଇଲେ ପୁଣି ।

ହାହା ହୁହୁ ଗର୍ନ୍ଧବେ ଯେ କରତାଳି ଧରି

ଗାବନ୍ତି ସୁସ୍ଵରେ ଗୀତ ଗାନ୍ଧାର ଉଚ୍ଚାରି ।

ଚଞ୍ଚକୀର ଚଞ୍ଚପୁଟେ ଚାଳି କର ପାଦ

ଏକଲୟେ ନୃତ୍ୟ କଲେ ଅପସରୀବୃନ୍ଦ ।

ବୀଣା ବଇଁଶୀ ମୃଦଙ୍ଗ ଯନ୍ତ୍ର ଅଳାବେଣୀ

ବଜାଇ ଗାୟନ କଲେ ସ୍ଵର୍ଗ ବିଳାସିନୀ ।

ଧାତୁ ମାତୁ ବର୍ଦ୍ଧମାନ ହେଲା ଯେ ଯାହାରେ

ଅକାଳେ ବସନ୍ତ ବାତ ବହିଲା ନିର୍ଭରେ ।

ଶୁଷ୍କକାଷ୍ଠ ପଲ୍ଲବିଲା ନବ ପ୍ରାଣ ପାଇ

ବିହରିଲୁ ପଶୁ ପକ୍ଷୀ ଯୂଥଯୂଥ ହୋଇ ।

ଆକାଶରୁ ଚନ୍ଦ୍ରଦେବ କଲେ ସୁଧାବୃଷ୍ଟି

ଅଜୀବରେ ଜୀବ ପଶି କଲେ ନବସୃଷ୍ଟି ।

ବସନ୍ତ ସହିତେ ଲାଗି ମଦନର ପ୍ରଭା

ବାଳ ବୃଦ୍ଧା ପାଲଟିଣ ହେଲେ ନବଯୁବା ।

ଭାଜିଲା ତପିଙ୍କ ତପ ଯୋଗୀଙ୍କର ଧ୍ୟାନ

ଉନ୍ମତ୍ତ ପରାୟେ ସର୍ବେ ହେଲେ ଛନ୍ନ ଛନ୍ନ ।

ଅଦେହ ଯେ ଅଣାକାର ହୋଇଥିଲେ ହର

ଧାତୁମାତୁ ବର୍ଦ୍ଧମାନ ହେଲା ତାହାଙ୍କର ।

କର ଚରଣ ନାସିକା ଇନ୍ଦ୍ରିୟ ସକଳ

ପଚିଶ ପ୍ରକୃତି ପଞ୍ଚଭୂତ ହେଲେ ଠୁଳ ।

ରକ୍ତ ମାଂସ ମେଦ ଅସ୍ଥି ମଜ୍ଜ ଆଦି ଯେତେ

ଯେ ଯାହା ଆଶ୍ରୟେ ରହି ବଢ଼ିଲେ ସମସ୍ତେ ।

ବ୍ରହ୍ମହତ୍ୟା ମହାପାପ ଛଡ଼ାଇବା ପାଇଁ

ଯୋଗ ସାଧୁଥିଲେ ଶିବ ଧ୍ୟାନ ମଗ୍ନ ହୋଇ ।

ସ୍ଵର୍ଗକୁ ଲାଗିଲା ଯହୁଁ ତାରାକାୟ ଭୟ

ତେଣୁ ସର୍ବଦେବେ କଲେ ଏସନ ଉପାୟ ।

ଲେଉଟିଣ ଦେହବନ୍ତ ହେଲେ ସଦାଶିବ

ନିଃଶ୍ଵାସ ବହିଲା ଅଙ୍ଗେ ପାଇ ପୂର୍ବଭାବ ।

ଶୋହିଲାକ ବସୁନ୍ଧରୀ ବ୍ରହ୍ମାଣ୍ଡ ଯେ ତିନି

ସ୍ଵର୍ଗ ମଞ୍ଚ ପାତାଳରେ ଶୁଭେ ଜୟଧ୍ଵନି ।

ଏସନ ସଞ୍ଜାତ ନେତ୍ରେ ଦେଖି ମନସିଜ

ବିଚାରି ବୋଇଲା ନିଶ୍ଚେ ହେଲା ଦେବକାର୍ଯ୍ୟ ।

ଯଦ୍ୟପି ଦେଖିଲି ସଦାଶିବଙ୍କର ଦେହ

ଏକ ବାଣ ବିନ୍ଧି ତାଙ୍କୁ କୁରାଇବି ମୋହ ।

ଏତେଭାଳି ଧନୁଶର ଧରି ରତିପତି

ପାର୍ବତୀଙ୍କୁ ବୋଲେ ମାଗୋ ଥାଅ ପଛକତି ।

ପୁଷ୍ପର ଧନୁକୁ କାମ ବାମ କରେ ଧରି

ଆକର୍ଷି ଆକର୍ଣ୍ଣ ଯାଏ ଆଣିଲା ଓଟାରି ।

ଦହନ ଶୋଷଣ ଆଉ ଉଦ୍ୟାନ ମାରଣ

ଆମଞ୍ଚନ ବୋଲି କରି ଏହି ପଞ୍ଚବାଣ ।

ମନ୍ତ୍ର ପଢ଼ି ଛାଡ଼ିଦେଲା ଅତ୍ୟନ୍ତ ବେଗରେ

ଇନ୍ଦ୍ରାଦି ଦେବେ ଦେଖନ୍ତି ଥାଇ ସ୍ଵର୍ଗପୁରେ ।

ମନ୍ତ୍ରବଳେ କାମବାଣ ଚଳେ ଶୀଘ୍ର ହୋଇ

ସଦାଶିବଙ୍କର ଅଙ୍ଗେ ଭେଦିଲାକ ଯାଇ ।

ସମାଧିରେ ବସିଥିଲେ ପ୍ରଭୁ ମହେଶ୍ଵର

ସର୍ବାଙ୍ଗେ ଭେଦିଲା ଯାଇ କାମ ପଞ୍ଚଶର ।

ମୋହଶରମାନ ଯାଇ ରୋମେ ରୋମେ ଗଳି

ତତକ୍ଷଣେ ଧାତୁମାତୁ ପଡ଼ିଲା ଉଛୁଳି ।

ଉତ୍କଣ୍ଠିତ ଗାତ୍ର ଉଲ୍ଲସିତ ରୋମମୂଳ

କାମଶରେ ଅସାଷ୍ଟମ ହୋଇଲେ ସୁଢ଼ଳ ।

ମନ ଛନ୍ନଛନ୍ନ କାମ ଅଙ୍ଗେ କରୁ ବାଧା

ମଦନରେ ଆର୍ତ୍ତ ଶିବ କାମେ ବଳେ ଶ୍ରଦ୍ଧା ।

ଛାଡ଼ି ଚଇତନ ପଥ ମାଡ଼ି ଯୋଗମୁଦ୍ରା

ଘୋଟିଯାନ୍ତେ କାମକଳା ତୁଟି ମହାମୁଦ୍ରା ।

ବେଳୁଁ ବେଳୁଁ କାମେ ମତ ହେଲା ବର୍ଦ୍ଧମାନ

ମଦନରେ ଅସାଷ୍ଟମ ତେଜି ବ୍ରହ୍ମଜ୍ଞାନ ।

ମହାଘୋର ତପସ୍ୟାକୁ ଭାଙ୍ଗେ କାମବଳୀ

ଦେଖୁ ଦେଖୁ କାତର ଯେ ହେଲେ ଦେବଶୂଳୀ ।

ଚୌଦମନୁ ଯାଏ ବୁଜିଥିଲେ ଯେ ନୟନ

ନେତ୍ରକୁ ଫେଡ଼ି ଚାହିଁଲେ ସେହୁ ପଞ୍ଚାନନ ।

ଫିଟିଲା ବୈଶ୍ଵାନର ଯେ ଅଗ୍ନି ଜ୍ଵାଳାବଳି

ଚାହିଁଦେବା ମାତ୍ରେ କାମଦେବ ଗଲା ଜଳି ।

ଦହନ ହୁତାଶନ ଯେ ଅତି ତେଜୋମୟେ

ନିର୍ଧୂମ ଶିଖା ଲାଗିଛି ବ୍ରହ୍ମଲୋକ ଯାଏ ।

ଲହ ଲହ ବିକରାଳ ଭୟଙ୍କର ତେଜ

କୋପାନଳ ନୟନରେ ଦଗ୍‌ଧ ମନସିଜ ।

ପୁଣି ଅମୃତ ନୟନେ ଚାହାଁନ୍ତେ ଲେଉଟି

ପାର୍ବତୀଙ୍କର ଉପରେ ପଡ଼େ ସୁଧାଦୃଷ୍ଟି ।

ଦେଖି କରି ଆନନ୍ଦିତ ହେଲେ ଦେବଶୂଳୀ

ଆସ ପ୍ରିୟେ ବୋଲି ଜାନୁ ଉପରକୁ ତୋଳି ।

ଉମା ମହେଶ୍ଵର ରୂପ ଅତିଅନ୍ତ ଶୋଭା

ଶୁଦ୍ଧ ସୁବର୍ଣ୍ଣ ପରାୟେ ଦିଶେ ଅଙ୍ଗଆଭା ।

ମହାଯୋଗୀ ପୁରୁଷ ସେ ଦେବ ଦେବରାୟେ

ହିମବନ୍ତର ନନ୍ଦିନୀ କୋଳେ ଶୋଭା ପାଏ ।

ପାର୍ବତୀଙ୍କୁ କୋଳେ ଘେନି ସଦାଶିବ ତୁଷ୍ଟି

ଅନଳେ ପାଉଁଶ ହେଲା କନ୍ଦର୍ପ ଦେହଟି ।

ରୋମ ମାଂସ ମଜ୍ଜା ଅସ୍ଥି ରଜ ବୀର୍ଯ୍ୟ ନାଡ଼ି

ଧନୁଶର ସହିତରେ ସବୁ ଗଲେ ପୋଡ଼ି ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକମୁନି

ଇତି ଶିରୀ ହରିବଂଶ ପୁରାଣର ଧ୍ଵନି ।

ରତି ମହାସତୀ କାମଦେବ ପଛେ ଥିଲେ

କାମଦେବ ଦଗ୍‌ଧ ହେବା ନୟନେ ଦେଖିଲେ ।

ଶରୀର ଭିତରୁ ଆତ୍ମା ଗଲେ ଯେହ୍ନେ ଛାଡ଼ି

ଆହା ସ୍ଵାମି ବୋଲିକରି ମୂର୍ଚ୍ଛାଗତେ ପଡ଼ି ।

ମୂଳଛେଦନେ ଯେସନେ ତରୁବର ଢଳି

ଗତଆତ୍ମା ପ୍ରାୟ ହେଲେ ବିଧାତା ଦୁଲାଳୀ ।

ପରିଜନ ସନ୍ନିଧରେ ସଙ୍ଗେ ବେଢ଼ିଥିଲେ

ମୁଖରେ ପାଣି ସିଞ୍ଚିଣ ଚେତା କରାଇଲେ ।

ପୁଷ୍ପବିଞ୍ଚଣି ଘେନିଣ ବିଞ୍ଚି ଧୀରେ ଧୀରେ

ଗତଆତ୍ମା ଆସି ପୁଣି ପଶଇ ଶିରୀରେ ।

ଚେତା ପାଇ ଉଠିକରି ବସିଲେ ତଡ଼ତି

ଉଚ୍ଚ ସ୍ଵରରେ ରୋଦନ କଲେ ମହାସତୀ ।

ଆହା ପ୍ରାଣନାଥ ମୋର ସର୍ବ ଗୁଣନିଧି

କେଉଁ ଧାତା ତୋତେ ଦେଲା ଏସନକ ବୁଦ୍ଧି ।

ଉପ୍ରୋଧରେ ନାଶଗଲ କରି ଅଣହେଳା

ଅଗାଧ ସମୁଦ୍ରେ ମୋର ବୁଡ଼ାଇଲ ଭେଳା ।

ତୁମ୍ଭର ବ୍ୟତିରେକ ମୋ ନାହିଁ ଆନ ଗତି

ମୁଁ ତୁମ୍ଭର ଭାର୍ଯ୍ୟା ତୁମ୍ଭେ ମୋର ଅଟ ପତି ।

ସର୍ବଗୁଣରେ ସୁନ୍ଦର ପୁରୁଷ ଉତ୍ତମା

କହନ୍ତେ ନ ସରେ ନାଥ ତୁମ୍ଭର ମହିମା ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନି

ଏକା ନାରାଚକେ ତୁମ୍ଭେ ସୃଷ୍ଟି ପାର ଜିଣି ।

ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି

ସୃଷ୍ଟି ଉତ୍ପତ୍ତି ସ୍ଥିତିର ଅଟ ଯେ କାରେଣି ।

ଚାରିଖାନ ଚାରିବାନି ସର୍ବ ତୋର ଦେହୀ

ବ୍ରହ୍ମା ବିଷ୍ଣୁ ମହେଶ୍ଵର ମୋହିପାରୁ ତୁହି ।

ଅନନ୍ତ ନିରଞ୍ଜନ ତୁ ଅଟୁ ବିଶ୍ଵବାସ

ତୁମ୍ଭେ ଯହିଁ ନାହିଁ ତହିଁ ଅଛି ଅବା କିସ ।

ଶଚୀଦେବୀ ଯାର ମାତା ଇନ୍ଦ୍ର ଯାର ପିତା

ତୁମ୍ଭେ ଗଣପତି ଅଟ ମୋର ନିଜ ଭର୍ତ୍ତା ।

କେଉଁ ଗୁଣ ବାହୁନିବି ସ୍ଵାମୀ ହେ ତୁମ୍ଭରି

ଭୂଲୋକ ଭୁବଲୋକାଦି ସଦା ଥାନ୍ତି ଡରି ।

ସର୍ବଜୀବକର୍ତତ୍ତା ତୁମ୍ଭେ ଅଟ ପୁଣ୍ୟ ଦେହୀ

ଯାବତ ଜୀବଜନ୍ତୁର ପିଣ୍ଡଟି ବୋଲାଇ ।

ଅଜୀବକୁ ଜୀବଦାନ କରିପାର ଭଲେ

ନବ ନାଟ୍ୟକାଦି ବିଦ୍ୟା ସାଧ୍ୟ ତୋରବୋଲେ ।

ଆହା କନ୍ଦର୍ପ ମୋହର ଗୁଣେ ବାରାନିଧି

କେବଣ ଦଇବ ଦେଲା ଏସନକ ବୁଦ୍ଧି ।

ପର ନିମନ୍ତେ ଜୀବନ ହରାଇଲ ନାଥ

ବାଚା ବିଚଳିତ ନୋହି ରଖାଇଲ ସତ୍ୟ ।

ଭୋ ଧର୍ମଦେବତା ମୋର ବିପକ୍ଷ ହୋଇଲୁ

କାମଦେବ ପ୍ରାୟ ସ୍ଵାମୀ ହରଣ କରିଲୁ ।

ମଦନ ବ୍ୟତିରେକ ମୋ ଅନ୍ୟ ଗତି ନାହିଁ

ଆହେ ପ୍ରାଣନାଥ ମୁହିଁ ପାଇବଇଁ କାହିଁ ।

ଏକାବେଳେ ଗିରିମୋର ବକ୍ଷେ ପଡ଼େ ମାଡ଼ି

ଶରୀର ଭିତରୁ ଆତ୍ମା ନେଲା କେବା କାଢ଼ି ।

ମହା କନ୍ଦର୍ପ ସୁନ୍ଦର ରୂପ ଅନୁପମ

ପାପ ନାଶଯାଏ ଧରନ୍ତେଣ ତୁମ୍ଭ ନାମ ।

ମୁହିଁ ବଡ଼ ନିଲକ୍ଷଣୀ ଅତି ପାତକିନୀ

କାମ ପ୍ରାୟେ ସ୍ଵାମୀ ମୋର ନଷ୍ଟ ହେଲା ପୁଣି ।

ଆବର ଜୀବନେ ମୋର ପ୍ରୟୋଜନ କିସ

ଅନଳେ ଝାସିବି ଦେହ ଖାଇବଇଁ ବିଷ ।

ବିଧାତା ନନ୍ଦିନୀ ମୁହିଁ ସତୀ ଶିରୋମଣି

ଏ ନବଯୁବା ବୟସ ନାଶଗଲା ଜାଣି ।

ଏ ଯଉବନ ଭାରା ମୁଁ ସହିବି କେମନ୍ତେ

ଜନମୁଖେ ଅପବାଦ ରଟିବ ଜଗତେ ।

କେଉଁ ଜନ୍ମେ କାହାର ମୁଁ କଲି କେଉଁ ଦୋଷ

କିବା ଈଶ୍ୱରଙ୍କଠାରେ ଭରିଲଇଁ ବିଷ ।

କିବା ଗୁରୁଙ୍କର ବାକ୍ୟ ଅନ୍ୟଥା କରିଲି

ସେଥିଯୋଗରୁ ମୁହିଁ ଯେ ବିଧବା ହୋଇଲି ।

କିବା ରୋପିଲା ବୃକ୍ଷକୁ କରେ ଉପାଡ଼ିଲି

କିବା ଫୁଟିଲା ଅନ୍ନରେ ଜଳ ଦେଇଥିଲି ।

କି ଅବା ବିଷ୍ଣୁକୁ ଛେଦନ କଲଇଁ

କି ଅବା ଶାସ୍ତ୍ର ପୁରାଣମାନ ନିନ୍ଦିଲଇଁ ।

କିବା ପରର ରମଣ ଭଙ୍ଗାଇଣ ଦେଲି

ପତି ଶୃଙ୍ଗାର ମାଗନ୍ତେ ତାଙ୍କୁ ନାସ୍ତି କଲି ।

ଗୋମାତା ଜଳ ପିଅନ୍ତେ ଦେଲି ହୁରୁଡ଼େଇ

କିବା ପଶୁ ଶୃଙ୍ଗାରକୁ ନ ଜାଣି ଛଡ଼ାଇ ।

ଗୋରସ ସଙ୍ଗରେ କିବା ଖାର ଆମିଷ ଭକ୍ଷିଲି

କ୍ଷୀର ସଙ୍ଗତରେ କିବା ଖାର ମିଶାଇଲି ।

କ୍ଷୁଧାର୍ତ୍ତ ଲୋକକୁ କିବା ନ ଦେଲି ଆାହାର

ଶ୍ରାଦ୍ଧ ଦିବସରେ କଲି ଗୋରୁଙ୍କୁ ପ୍ରହାର ।

କି ଅବା ସ୍ଵାମୀଙ୍କଠାରେ ହେଲି ଅଭକତ

କିବା ଅତିଥି ଫେରାଇ ଦେଲଇଁ ମୁହିଁତ ।

କି ଅବା ମିତ୍ର ସଙ୍ଗତେ କୂଟ ଆଚରିଲି

କି ଅବା ମଇତ୍ର ନାମ ଗୋଟିକ ଧଇଲି ।

କିବା ଶିବ ଜାଗରେ ମୁଁ କଲଇଁ ଶୟନ

ତମାଖୁ ନ ଦେଇ କିବା ଖାଇଲଇଁ ପାନ ।

କି ଅବା ଆଦିତ୍ୟବାରେ ଭୁଞ୍ଜିଲି ଆମିଷ

କି ଅବା ମୁଁ ଭୁଞ୍ଜିବସି ହେଲି ହସ ହସ ।

କିବା ପରର ଧନକୁ ଚୋରାଇ ଆଣିଲି

କି ଅବା ଅଣ୍ଟାର ସୁନା କାହିଁ ପକାଇଲି ।

କି ଅବା କଂସା ପାତ୍ରରେ ନାରିକେଳପାଣି

କି ଅବା ଅଜ୍ଞାନ ଯୋଗେ ନ ପାରିଲି ଜାଣି ।

କିବା ଓଦା ବସନରେ ଦେଉଳେ ପଶିଲି

କିବା ସାଷ୍ଟାଙ୍ଗରେ ଶିବଶକ୍ତି ନ ଦେଖିଲି ।

କିବା ଅଜ୍ଞାନ ବଶରେ ଭକ୍ଷିଲି ପାଉଁଶ

କିବା ପାଣି ପକାଇଲି ଜଳନ୍ତା ହୁତାଶ ।

କିବା ଅଜ୍ଞାନେ ଭୂତଳ ଉପରେ ଶୋଇଲି

ପତି ଡାକନ୍ତେଣ କିବା କର୍ଣ୍ଣେ ନ ଶୁଣିଲି ।

କେଉଁଯୁଗେ କାହାର ମୁଁ କଲି କେଉଁ ଦୋଷ

ଅନଳ ନୟନେ ପଡ଼ି ଭର୍ତ୍ତା ଗଲା ନାଶ ।

ବିଧବା ଲକ୍ଷଣ ଯୋଗ କରମରେ ଥିଲା

ଲଲାଟ ଲିଖନ ମୋର ଅନ୍ୟଥା ନୋହିଲା ।

କେମନ୍ତେ ମୁଁ ସହିବଇଁ ମଦନର ଭାର

ଜୀବନ ଗୋଟିକ ମୋର ହୋଇଲା ଅସାର ।

ଗନ୍ଧଚନ୍ଦନ ବସନ ଲାଗେ ବିଷ ପରି

କଙ୍କଣ ନୂପୁର ମୋର ହୋଇଲା ଭଗାରି ।

ସାଷ୍ଟାଙ୍ଗରେ ନାଶଗଲି ବିଫଳ ମୋ ଅଙ୍ଗ

କାହାକୁ ଘେନିଣ ମୁହିଁ କରବଇଁ ଭୋଗ ।

ଅତୁଲାଇତ ଭର୍ତ୍ତା ମୁଁ ପାଇବଇଁ କାହିଁ

ଜାଣୁ ଜାଣୁ ଅଷ୍ଟନିଧି କରୁ ତେଜିଲଇଁ ।

ଏସନକ କୃତ୍ୟ କର୍ମେ ମୋର ଲେଖାଥିଲା

ଲଲାଟ ଲିଖନ ଗୋଟି ମେଣ୍ଟଣ ନ ଗଲା ।

ଜୀଇଁବାଠାରୁ ମରଣ ଅଟେ ଶ୍ରେୟସ୍କର

କିଏ ଆଣି ଦେବ ମୋତେ ସ୍ୱାମୀକୁ ମୋହର ।

ଦେବଙ୍କ କୂଟ ବଚନ ଜାଣି ନ ପାରିଲ

ଊପ୍ରୋଧବଶ ହୋଇଣ ଅଖଡ଼େ ମରିଲ ।

କ୍ଷଣକେ ଖଣ୍ଡିଲ ମୋର ଚିରକାଳ ଆଶ

ମୋତେ ଆଗ ନ ମାରିଣ ଗଲ ତୁମ୍ଭେ ନାଶ ।

ଏମନ୍ତ ପ୍ରକାରେ ରତି କରଇ ବିଳାପ

ସକଳ ପ୍ରାଣୀଏ ଶୁଣି ଲଭିଲେ ସନ୍ତାପ ।

ଅଚ୍ୟୁତ ଦାସର ଚିତ୍ତ ହେଲା ଅସମ୍ଭାଳ

ବେନି ନୟନରୁ ବହି ପଡ଼େ ଅଶ୍ରୁଜଳ ।

 

ରତିର ଶିବସ୍ତୁତି ଓ ବରଲାଭ

 

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି

ଏସନକ ବହୁ ଶୋକ କଲା ଦେବୀ ରତି ।

ରମ୍ଭା ମେନକା ଉର୍ବଶୀ ଆଦି ଯେତେ ନାରୀ

କାମଦେବ ଗୁଣମାନ ବାହୁନନ୍ତି ସ୍ମରି ।

ଆବର ଗଣଗନ୍ଧର୍ବ ଋଷିଙ୍କ ସହିତେ

ବିକଳ ହୋଇଲେ ତାହା ଦେଖିଣ ସମସ୍ତେ ।

ଏକାମ୍ର ବନ ମଧ୍ୟରେ ପଡ଼ିଲା ବୋବାଳି

ହାଲହୋଳି ଦେଲେ ସର୍ବ ଜୀବଜନ୍ତୁ ମିଳି ।

କୀଟ ପତଙ୍ଗ ସହିତେ ଯେତେ ଦେହବନ୍ତା

ରତିର ବିଳାପ ଦେଖି ସର୍ବେ କଲେ ଚିନ୍ତା ।

ପାର୍ବତୀ ହିଁ ସେହିପରି ହେଲେ ଶୋକଭର

ମଦନକୁ ଭସ୍ମପାତ କରି ଦେବ ହର ।

କାମେ ଭୋଳ ହୋଇ ପ୍ରଭୁ ସତ୍ୱରେ ମିଳିଲେ

ପାର୍ବତୀଙ୍କୁ ଧରି ପ୍ରଭୁ ସତ୍ୱରେ ଉଠିଲେ ।

ହାସେ ପରିହାସେ ମାତି ଛାଡ଼ି ମନୁ ବ୍ରୀଡ଼ା

ମୁଖରେ ଚୁମ୍ବନ ଦେଇ ଆରମ୍ଭିଲେ କ୍ରୀଡ଼ା ।

ପାର୍ବତୀ ବୋଇଲେ ନାଥ ଶୁଣ ମୋ ବଚନ

ପାରୁଶରେ ବେଢ଼ିଛନ୍ତି ଦେଖ କେତେ ଜନ ।

ଗଣ ଗନ୍ଧର୍ବ ଯୁବତୀ ଅଛନ୍ତି ବହୁତ

ଲଜ୍ଜା ଛାଡ଼ି ହେଉଅଛ କିଁପା ବିଚଳିତ ।

ପତି ପତ୍ନୀ ସମ୍ମିଳନ ଏକାନ୍ତରେ ହୋଇ

ତୁମ୍ଭେ କି ନ ଜାଣ ନାଥ ଜଣାଇବି ମୁହିଁ ।

ବିଶେଷ କାମକୁ ଭସ୍ମ କଲ ତ୍ରିଅମ୍ବକ

ତେଣୁ ପ୍ରତି ମହାସତୀ କରୁଅଛି ଶୋକ ।

ସ୍ତିରିଏ ଜାଣନ୍ତି ସିନା ସ୍ତିରିଙ୍କର ବାଧା

ତାକୁ ଦେଖି ଶୃଙ୍ଗାରରେ ନାହିଁ ମୋର ଶ୍ରଦ୍ଧା ।

ରତିକୁ ସନ୍ତୋଷ ଆଗ କର ପଞ୍ଚମୁଖ

ପଶ୍ଚାତେ ଶୃଙ୍ଗାର କଲେ ଉପୁଜିବ ସୁଖ ।

ଏମନ୍ତ କହିଣ କରଯୋଡ଼ି ସେ ଭବାନୀ

ଶିବଙ୍କ ଚରଣ ତଳେ କଲେକ ଦଇନୀ ।

ପାର୍ବତୀଙ୍କ ବାକ୍ୟ ଶୁଣି ସଦାଶିବ ତୋଷ

ମୁହିଁ ବ୍ରହ୍ମହତ୍ୟା ଦୋଷେ କଲି ବନବାସ ।

ଚଉଦ ମନୁ ପର୍ଯ୍ୟନ୍ତେ କରିଲି ତପସ୍ୟା

ତଥାପି ନ ଗଲା ମୋର ସେହି ଦୁରଦଶା ।

ଏଡ଼େ ବଡ଼ ତପଗୋଟା ଭଗ୍ନ କଲା ଯେଣୁ

ଚାହିଁଲି ଅନଳ ନେତ୍ରେ ଭଗ୍ନ ହେଲା ତେଣୁ ।

ଅସ୍ଥି ଚର୍ମ ସହିତରେ କିଛିମାତ୍ର ନାହିଁ

ତୁମ୍ଭେ ତାକୁ ଲୋଡ଼ିଲେ ପାଇବ ଆଉ ତାକୁ କାହିଁ ।

ରତିଦେବୀ କରଯୋଡ଼ି ବୋଇଲେ ବଚନ

ଶୁଭାଶୁଭ କର୍ମଦାତା ତୁମ୍ଭେ ପଞ୍ଚାନନ ।

ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଯାର କରେ ପାଦପୂଜା

ଦେବଙ୍କ ଉପରେ ତୁମ୍ଭେ ଅଟ ଦେବରାଜା ।

ତୁମ୍ଭେ ପରାୟେ ଠାକୁର ବହୁ ପୁଣ୍ୟ ପାଇ

ଅଣାକାର ପୁରୁଷ ତୋ ରୂପ ରେଖ ନାହିଁ ।

ନମସ୍ତେ ଗିରିଜାପତି ଦେବ ଶୂଳପାଣି

ସର୍ବେସର୍ବା ତୁମ୍ଭେ କୋଟି ବ୍ରହ୍ମାଣ୍ଡ କାରେଣୀ ।

ଅକ୍ଷୟ ଅଜରାମର ଦେବ ପରଂଜ୍ୟୋତି

ସଇନ୍ଦୁ ବାମଦେବ ହେ ଅଣାକାର ମୂର୍ତ୍ତି ।

ପୃଥ୍ୱୀ ଆପ ତେଜ ବାୟୁ ଆକାଶର ମୂଳ

ଅନନ୍ତ ମହିମା ତୋର ହେ ଦେବ ସୁଢ଼ଳ ।

ଖଳବୁଦ୍ଧି ଅହଙ୍କାର ନାହିଁ ତବ ଅଙ୍ଗେ

ଦେବତାଙ୍କ ଅଗ୍ରେ ପୂଜା ପାଅ ଯେ ସର୍ବାଙ୍ଗେ ।

ଚଉରାଶୀ ଖଣ୍ଡ ଯୋଗ ସର୍ବ ଅଧିପତି

ଭୂତ ଭବିଷ୍ୟତାଜ୍ଞାତା ପ୍ରଭୁ ପଶୁପତି ।

ରବି ଅନଳ ଚନ୍ଦ୍ରମା ଅଟେ ତବ ନେତ୍ର

କର୍ପୂର କୁନ୍ଦ ଆଭାସ ଗୋକ୍ଷୀର ସୁଗୋତ୍ର ।

ଅଲେଖ ଲଲାଟ ତୁମ୍ଭ କୃଷ୍ଣବର୍ଣ୍ଣ ଜଟ

ଝର ଝର ଗଙ୍ଗା ବହିପଡ଼େ କଣ୍ଠତଟ ।

ନମସ୍ତେ ଚନ୍ଦ୍ରମଉଳି ନମୋ ସଦାଶିବ

ଯାହା ଅହ୍ଲାଦେ ବର୍ତ୍ତନ୍ତି ଚରାଚର ଜୀବ ।

ନବରତନ କିରୀଟ କର୍ଣ୍ଣରେ କୁଣ୍ଡଳ

ସୁର ସିଦ୍ଧ ମୁନିବନ୍ଦ୍ୟ ଗଳେ ମୁଣ୍ଡମାଳ ।

ନାନାମଣି ଆଭରଣ ଶିରେ କାଳସର୍ପ

ଅବହେଳେ ନାଶ କଲ ବାମଦେବ ଦର୍ପ ।

ପର୍ଶୁକୁଠାର ଆବର ହସ୍ତେ ଜପାମାଳ

ବାମରେ ପିନାକ ଦକ୍ଷ କରେ ଶୋହେ ଶୂଳ ।

ଶଙ୍ଖ ଚକ୍ର ଗଦା ପଦ୍ମ ଖର୍ପ କାତି ଯଷ୍ଟି

ବ୍ରହ୍ମକପାଳ ଶୋଭଇ ଯା ଦକ୍ଷକରେଟି ।

ଏମନ୍ତେ ଅନେକ ଅସ୍ତ୍ରଧାରୀ ବିଶ୍ୱମୟେ

ତେତିଶ କୋଟି ଦେବତା କର ଯାର ଲୟେ ।

ତାଣ୍ଡବ ନୃତ୍ୟରେ ଯାର ସଦା ଭୋଳମତି

ନମସ୍ତେ ମହାଭୈରବ ଦେବ ବିଶ୍ୱପତି ।

ଚଞ୍ଚପୁଟ ଚାଞ୍ଚପୁଟ ଭରହର ଭେଦ

ତୁମ୍ଭେ ଅନାଦି ଈଶ୍ୱର ମନ୍ଥି ଶିଶୁବେଦ ।

ଜପ ନିଶ୍ଚୟ ଧାରଣ ଆଦି ମହାଯୋଗ

ବାୟ ବିଶୁଦ୍ଧ ନିମନ୍ତେ ବହିଅଛି ଅଙ୍ଗ ।

ନିହନ୍ତା ବିହନ୍ତା ନାଥ ପୁଂସ ଆଦିମୂଳ

ନିରାକାର ସ୍ୱରୂପ ତୋ ନାହିଁ ଶୂନ୍ୟଠୁଳ ।

ଅଶେଷ ରୂପ ତୋହର କୃପାଜଳ ସିନ୍ଧୁ

ନମସ୍ତେ ହେ ଲିଙ୍ଗରାଜ ଉମା ପ୍ରାଣବନ୍ଧୁ ।

ଶିବଙ୍କ ପାଦେ ଶରଣ ଶ୍ରୀଅଚ୍ୟୁତ ଦାସ

ଯେବଣ ଶିବ ନାମଟି ପାପ କରେ ନାଶ ।

ଏସନକ ସ୍ତୁତି ଯହୁଁ ରତିଦେବୀ କଲେ

ଶୁଣିଣ ଶ୍ରୀ ସଦାଶିବ ସନ୍ତୋଷ ହୋଇଲେ ।

ଆସ ମହାସତି ଗୋ ନ ପାଅ ମନେ ତ୍ରାଶ

ନ ଜାଣି ଭର୍ତ୍ତା ତୋହର ହେଲା ପ୍ରାଣନାଶ ।

ଚଉଦମନୁ ତପ ମୋ ଭାଙ୍ଗି ଅବହେଳେ

ସେ ହେତୁ ନାଶଗଲା ସେ କର୍ମର ଅବଳେ ।

କେବଳ ମୋହର ତପ ଭାଙ୍ଗିଲାକ ଯେଣୁ

ପାର୍ବତୀର ଅଙ୍ଗସଙ୍ଗ ଲଭିବଇଁ ତେଣୁ ।

ସେହି ନାଶ ନୋହିଥାନ୍ତା ଯେବେଟି ଯୁକତେ

ନ ଲଭନ୍ତି ଉମା ଅଙ୍ଗସଙ୍ଗ କଦାଚିତେ  

ଯେବେ ମୋହର ଛାମୁକୁ ସେହୁ ଗୋ ନଯାନ୍ତା

ଏହି ରୂପେ କେତେ ଯୁଗ ବହିଯାଇଥାନ୍ତା ।

ସେହିପରି ଲୋକ ବୋଲି ମୋର ପାଶେ ଗଲା

କାମବାଣ ମାରି ମୋତେ ଏଠାକୁ ଆଣିଲା ।

ଆପଣାର ହାନି ହେଲା ପରେ ଉପକାରୀ

ଲଭିବୁ ତୁ ନିଜଭର୍ତ୍ତା ଯାଅ ନିଜପୁରୀ  

ଏତେ ବୋଲିଣ ତିକୁ ସନ୍ନିଧିକୁ ରାଇ

ଧାତୁବାଦ୍ୟ ଅଷ୍ଟାକ୍ଷର ଶିକ୍ଷା ଦେଲେ ତହିଁ ।

ଶିବ ବୋଇଲେ ଗୋ ରତି ଶୁଣ ସାବଧାନେ

ଏମନ୍ତ କଥା ଗୋଟିଏ ଚେତିଥିବୁ ମନେ ।

ଅନେକ ଫଳ ହୋଇବ ଲଭିବୁ କାରଣ

ଏମନ୍ତ ମହିମା ଗୋଟି ଏ ମନ୍ତ୍ର ର ଜାଣ ।

ସମୁଦ୍ର ମନ୍ଥନକାଳେ ହେଲା ଯହୁ ଜାତ

ଅତି ଆନନ୍ଦରେ ମୋତେ ଦେଲେ ଜଖଦ୍ଭୁତ ।

ସେ କାଳରେ ଏ ମନ୍ତ୍ରଟି ଦେଲେ ବେଦବର

ଏଥିର ମହିମା ଗୋଟି ଅତି ଅଗୋଚର ।

ଏ ମନ୍ତ୍ର ଥିଲେ ଅଙ୍ଗକୁ ନ ଲାଗଇ ବାଧା

ନୁହଇ ଯୁବକ ସେହୁ ନୁହେ ବାଳବୃଦ୍ଧା ।

ନ ଲାଗଇ କ୍ଷୁଧା ତୃଷ୍ଣା ନିଦ୍ରାଆଦି ତିନି

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ସଦା ଜୟ ଘେନି ।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ସିଦ୍ଧି

ଏ ମନ୍ତ୍ର ପ୍ରସାଦେ ସ୍ପୁରେ ନାନାବିଧ ବୃଦ୍ଧି ।

ଯେତେବେଳେରେ ଯାହାକୁ ବଳଇ ତା ମନ

ତକ୍ଷଣେ ପ୍ରାପତ ହୁଏ ଆସିଣ ସେମାନ ।

ଇନ୍ଦ୍ରଆଦି କରି ବ୍ରହ୍ମାପଦ ପରିଯନ୍ତେ

ଏହି ମନ୍ତ୍ର ପ୍ରସାଦରେ ମିଳେ ଅକସ୍ମାତେ ।

ଜଳନ୍ଦର ବିଦ୍ୟା ଏହୁ କୁହୁକ ମନ୍ତ୍ରଟି

ଭୂଲୋକ ଭୁବଲୋକାଦି କ୍ଷଣେ ପାରେ ଘୋଟି ।

ବ୍ରହ୍ମଜ୍ଞାନ ଆଦି ନବ ନାଟକାଦି ଯାଏ

ଅଗ୍ନିଖଣ୍ଡ ପାଣିମାନ ନ କଟାଇ ଦେହେ ।

ଭରହର ଜଉତିଷ କୁହୁକର ମୂଳେ

ଏ ମନ୍ତ୍ର ପ୍ରାସାଦେ ସାଧ୍ୟ ହୁଅନ୍ତି ସକଳେ ।

ନିଜ ଭର୍ତ୍ତାକୁ ପାଇବୁ ଏହି ମନ୍ତ୍ର ଯୋଗେ

ଛାଡ଼ ମନୋଭ୍ରାନ୍ତି ପଥୁ ଯାଅସି ଗୋ ବେଗେ ।

ଆବର ପଦାର୍ଥ ମୂଳଖଣ୍ଡ ଘେନିଯାଅ

ନବ ଉଚ୍ଚାଟନ ମଉଷଧି ସାଧି ଥାଅ ।

ଛାଡ଼ିବ ମନରୁ ବାଧା ହେବୁ ମହାଜ୍ଞାନୀ

ସନ୍ନିଧିରେ ଲୋକମାନେ ନ ପାରିବେ ଚିହ୍ନି ।

ଏତେ ବୋଲିଣ ସାନନ୍ଦେ ଦେଲେ ମୂଳଖଣ୍ଡି

ତ୍ରିତାପ କଷ୍ଟ ଯହିଁରେ ନ ପାରନ୍ତି ଦଣ୍ଡି ।

 

କାର୍ତ୍ତିକେୟ ଜନ୍ମ

 

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

ଏଥି ଅନନ୍ତରେ ତୁମ୍ଭେ ଶୁଣ ଆନବାଣୀ ।

ସମସ୍ତ ଲୋକମାନେ ଯେ ଯେଝାପୁରେ ଗଲେ

ଶିବ ପାର୍ବତୀ ଧବଳପୁରେ ବିଜେ କଲେ ।

ନାନା କଉତୁକମାନେ ସେଠାରେ ଆଚରି

ଯୁକତେ ଏକାମ୍ରବନ ସର୍ବପାପ ହରି ।

ଆଶ୍ୱିନ୍ୟ ଶୁକଳପକ୍ଷ ପୌର୍ଣ୍ଣମୀର ତିଥି

ଅଶେଷ ଧାତୁମା ତୁରେ ପୁରିଛି ଧରିତ୍ରୀ ।

ଜାଇ ଯୂଇ ମଲ୍ଲିମାଳ ଶୋହେ ପରିମଳ

ପୁନ୍ନାଗ କନିଅର ଯେ ସେବତୀ ବକୁଳ ।

କାଷ୍ଠ ପାଷାଣ ସମସ୍ତେ ପୁଲକିତ ହୋଇ

ସେଥିଯୋଗୁ ଏକାମ୍ୱର ବନ ଶୋଭାପାଇ ।

କାମିନୀ କାମମୁଦ୍ରା ଯେ ଦେବ ବିଶ୍ୱମ୍ବର

ପାର୍ବତୀଙ୍କ ପ୍ରାଣବନ୍ଧୁ ଅଟନ୍ତି ଶଙ୍କର ।

ଯୋଗାଧି ଯୋଗୀପୁରୁଷ ଗଳେ ମୁଣ୍ଡମାଳା

ପାର୍ବତୀଙ୍କ ସଙ୍ଗତରେ ସେ କଲେ ବହୁଲୀଳା ।

ଅନେକ କାଳର ଥିଲା ସେ ସଞ୍ଚିତ ରେତ

ମଦନ ପଞ୍ଚଶରରେ ଖସିଲା ତୁରିତ ।

ଈଶ୍ୱର ପାର୍ବତୀ ଭେଟ ପୂଣ୍ୟ ଯୋଗବଳେ

ତାରକା ବଧ ନିମନ୍ତେ ରଚି ଦେବକୁଳେ ।

ମହାଭୟ ଲାଗିଲାତ ସ୍ୱର୍ଗ ପାଟଣାକୁ

ସର୍ବେ ଚାହିଁ ରହିଁଛନ୍ତି ଶିବ ପାର୍ବତୀଙ୍କୁ ।

ଉଭୟଙ୍କ କ୍ରୀଡ଼ା ତହିଁ ହେଲା ଅତିରଙ୍ଗେ

ଈଶ୍ୱରଙ୍କୁ ପାର୍ବତୀ ଯେ ଚାହିଁ କାମବ୍ୟଗ୍ରେ ।

ନାନା ରଙ୍ଗରେ ବିନୋଦ କଲେ ଦେବକାଶୀ

ବଢ଼ିଲା ପ୍ରେମର ରସ ହେଲେ ଦୁହେଁ ତୋଷି ।

ଶୃଙ୍ଗାର ଅବଶେଷରେ ଖସେ ବ୍ରହ୍ମବୀର୍ଯ୍ୟ

ଅମୋଘ ଅକ୍ଷୟ ରେତ ଅତିଅନ୍ତ ତେଜ ।

ହିମବନ୍ତ ନନ୍ଦିନୀ ତା ସମ୍ଭାଳି ନ ପାରି

ପାଲଟିଣ ଶମ୍ଭୁ ବୀର୍ଯ୍ୟ ପଡ଼ିଲାକ ଢଳି ।

ଅକ୍ଷୟ ଅବିନାଶୀ ସେ ବୀର୍ଯ୍ୟ ତେଜୋମୟେ

କୋଟି ଶଶଧର କିବା ହୋଇଛି ଉଦୟେ ।

ଶୃଙ୍ଗାର ହେତୁ ଖାଲ ଯେ ହୋଇଲା ଭୂତଳ

ବିବର ଏକ ହୋଇଲା ଯେସନେ ପାତାଳ ।

ଶୁକମୁନୀ ବୋଇଲେକ ଶୁଣ ନରପତି

ଶଙ୍କର ବାମ୍ଫୀ ବୋଲିଣ ହୋଇଲାକ ଖ୍ୟାତି ।

ବିନ୍ଦୁସାଗର ନାମରେ ହୋଇଛି ବିଦିତ

ମହାପାତକୀ ପାତକ ଯହିଁରେ ବିଧ୍ୱସ୍ତ ।

ଥୋକାଏକ ବୀର୍ଯ୍ୟ ମଞ୍ଚ ପୁରରେ ରହିଲା

ଲୌହ ସୀସା କଞ୍ଚନାଦି ଚାରିବର୍ଣ୍ଣ ହେଲା ।

ଥୋକେ ମାଣିକ୍ୟ ଥୋକାଏ ହୋଇଲାକ ହୀରା

ଥୋକେ ସୁବର୍ଣ୍ଣ ଥୋକାଏ ହୋଇଲା ଯେ ପାରା ।

ଥୋକାଏ ହୋଇଲା ତମ୍ବା ଥୋକାଏକ ରୌପ୍ୟ

ଥୋକାଏ ଖର୍ପର ହେଲା ଏସନ ସ୍ୱରୂପ  

ଯେତେକ ହସ୍ତରେ ତୋଳି ଧଇଲେକ କାଶୀ

ସୁବର୍ଣ୍ଣ ହୋଇଲା ସେହୁ ଅଟେ ଅବିନାଶୀ ।

ଏସନ ଚରିତ ଦେଖି ଅମର ନିକର

ସ୍ୱର୍ଗ ତେଜି କ୍ରୀଡ଼ାସ୍ଥଳେ ପ୍ରବେଶି ସତ୍ୱର  

ଦେଖିଲେ ହର ପାର୍ବତୀ ଦିଗମ୍ବର ରୂପ

ଅବିନାଶି ପୁରୁଷର ନାହିଁ ପୁଣ୍ୟ ପାପ ।

ଉଲଗ୍ନ ହୋଇଣ ତହିଁ ଶଙ୍କର ଗଉରୀ

ଶାର୍ଦ୍ଦୁଳ ଛାଲ ଉପରେ ଛନ୍ତି ବିଜେ କରି ।

ନନ୍ଦୀ ଭୃକୁଟୀ ସନ୍ନିଧେ କେହି ଜଣେ ନାହିଁ

ସଦାନନ୍ଦ ରୂପେ ବିଜେ ତହିଁ ଉମାସାଇଁ ।

ଏସନ ସମୟେ ଯାଇ ଦେବଗଣେ ମିଳି

ସାଷ୍ଟାଙ୍ଗ ଭାବରେ ସର୍ବେ କଲେ ନିଉଛାଳି ।

ବ୍ରହ୍ମା ବିଷ୍ଣୁ ସହିତରେ ଯମ ନଇଋତ

ପବନ ବୈଶ୍ୱାନର ବରୁଣାୟ ପୁରହୂତ ।

ବିଶ୍ୱଦେବୋ ଆଦି ଅଷ୍ଟବସୁ ବୃହସ୍ପତି

ସନକ ସନାତନାଦି ଶ୍ରୀନାରଦ ଯତି ।

ତାରାଗଣ ଆବର ଯେ ଚନ୍ଦ୍ର ଦିବାକର

ଗଣ ଗନ୍ଧରବ ବିଦ୍ୟାଧର ଯେ କିନ୍ନର ।

ବୁଧ ଶୁକ୍ର ଶନିଶ୍ଚର ଆଉ ରାହୁ କେତୁ

ଷଡ଼ଋତୁ ନବ ନାଟକାଦି ଅଷ୍ଟ ଧାତୁ ।

ଯୁଗପୁରୁଷ ଯୁଗାନ୍ତ ପୁରୁଷ ଏ ବେନି

ଚତୁର୍ଦ୍ଦଶୀ ଭୁବନରେ ଯେତେ ଦେବଯୋନି ।

ଯେ ଯାହା ଯାନ ଆରୋହୀ ସର୍ବେ ଅତି ବେଗେ

ସମସ୍ତେ ମିଳିଲେ ଆସି ଶିବଙ୍କର ଆଗେ ।

ସମୟେ ସଂସାରରେ ନ ଥିଲେ ତ୍ରିପୁରାରି

ତେଣୁ କରି ଦେଖିବାକୁ ଶରଧା ସବୁରି ।

ଯେଝା ଅନୁରୂପେ ଦେଖା ଦରଶନି ଘେନି

ଈଶ୍ୱରଙ୍କ ଅଗ୍ରେ ଆସି ମିଳିଲେ ତକ୍ଷଣି ।

ଦେବଙ୍କୁ ଦେଖି ଶଙ୍କର ହେଲେ ମହାତୋଷ

ପବନେ ଚାହିଁ ବୋଇଲେ ସନ୍ନିଧିକୁ ଆସ ।

ଏ ବ୍ରହ୍ମରେତକୁ ତୁହି ସାଇତିଣ ଥିବୁ

ଉତ୍ତମ ସ୍ଥାନ ଦେଖିଣ ବିଚାରିଣ ଦେବୁ ।

ଯେବଣ ଶୁକ୍ର ଏଥିରୁ ହେବ ଅବତାର

ତାରକା ମାରି ଉଦ୍ଧାର କରିବ ସଂସାର ।

ଆଜ୍ଞାପାଇ ଦେବେ ହେଲେ ପରମ ସନ୍ତୋଷ

ବିଚାରିଲେ ଭୟ ଏବେ ତୁଟିବ ଅବଶ୍ୟ ।

ଅନେକ ସନ୍ତୋଷ ହୋଇ ଯେଝାପୁର ଗଲେ

ଅକ୍ଷୟ ବ୍ରହ୍ମବୀର୍ଯ୍ୟକୁ ବାୟୁ ସାଇତିଲେ  

ଅନେକ ଯତ୍ନେ ସାଇତି ରଖେ ବ୍ରହ୍ମରେତ

ଏସନ ସମୟେ ଶୁଣ ଦଇବର କୃତ୍ୟ  

ବାଳୁତ କୁମାରୀ କିଛିଦୂର ଷଡ଼ଗୋଟି

ଖେଳ ଖେଳନ୍ତି ସମସ୍ତେ ହୋଇ ଏକ ଗୋଷ୍ଠୀ ।

କାହାକୁ ବର୍ଷ ପନ୍ଦର କାହାକୁ ଯେ ବାର

କାହାକୁ ବର୍ଷ ଚଉଦ କାହାକୁ ଯେ ତେର ।

କାହାକୁ ବର୍ଷ ଏଗାର କାହାକୁ ଯେ ଦଶ

ଏହିପରି ଷଡ଼କନ୍ୟା କୁମାରୀ ବୟସ ।

ବରୁଣ କନ୍ୟା କରୁଣା ନାମରେ ଯେ ଜେମା

ରତିରେଖା ନାମରେ ଦୁଲଣୀ ଅନୁପମା ।

ଇନ୍ଦ୍ର ଦେବର ଦୁହିତା ଅର୍ବିନ୍ଦଲୋଚନୀ

ଚନ୍ଦ୍ରଙ୍କ ଦୁହିତାନାମ ସୀତାଂଶୁ ମାଳିନୀ ।

ଆଦିତ୍ୟ ଦୁହିତା ନାମ ଜ୍ୟୋତି ଯୋଗବତୀ

ସଖି ମେଳରେ ସରବେ ସ୍ନାହାନ କରନ୍ତି ।

ଧାଇ ମୁଦୁସୁଲୀ ରଖି ଚାଙ୍ଗୁଡ଼ାକୁ କୂଳେ

ସ୍ନାନ କରିବା ପାଇଁକି ପଶି ଶୀତଜଳେ ।

ରାତ୍ର ଘଡ଼ିଏକ ଥାଉଁ ସରୋବରେ ମିଳି

ମାର୍ଜନା ଲାଗି ହୋଇଲେ ତହିଁ ସର୍ବବାଳୀ ।

ଯୁକତେ ଶରଦ ଋତୁ ଅବଶେଷ କାଳ

ଉତ୍ତମ ଗନ୍ଧ ପବନ ବହଇ ଶୀତଳ ।

ଜଳ ଲହରୀ ଆଘାତେ ଶୀତ ଲାଗେ କାୟେ

ତେଣୁ ଶରୀର କମ୍ପଇ ରମ୍ଭାପତ୍ର ପ୍ରାୟେ ।

ଶରୀର କମ୍ପନ୍ତେ ମନେ ପାଇଲେକ ଭ୍ରାନ୍ତି

ଦେଖିଲେ ପାବଚ୍ଛ ତଳେ ଜଳୁଛି ଦହତି ।

ଯେ ଯାହାର ଆବୋରିଣ ରହି ଶୀତ ଅର୍ଥେ

ଅନ୍ୟୋଅନ୍ୟ ହେଉଛନ୍ତି କୁମାରୀ ସମସ୍ତେ ।

ବସ୍ତ୍ର ଫିଟନ୍ତେ ଉଲଗ୍ନ ହୁଏ କେଶବାସ

ରୋମ ଟାଙ୍କୁରଇ ସର୍ବେ ଶୀତରେ ଅବଶ ।

ନ ମାନି ଗୁରୁ ଗୌରବ ନ ମଣ୍ଡନ୍ତି ଲଜ୍ଜା

ପିନ୍ଧିବା ବସ୍ତ୍ର ସହିତେ କଲେ ସବୁତେଜ୍ୟା ।

ତେଜ ପ୍ରଖରେ ଜଳଇ ନିର୍ଧୁମର ଜ୍ୟୋତି

ଆନନ୍ଦେ ଅଗ୍ନି ପାଶରେ ବେଢ଼ି ବସିଛନ୍ତି ।

ଏସନ ଚରିତ ଦେଖି ପବନ ଦେବତା

ବିଚାରି ବୋଇଲେ ଏତ ସର୍ବ ଶୁଭକଥା ।

ନିଶ୍ଚୟ ଫିଟିଲା ଏବେ ଦେବତାଙ୍କ କଷ୍ଟ

ସୁଯୋଗେ ଆସିଣ ମୁହିଁ ପାଇଲଇଁ ଭେଟ ।

ଅଗ୍ନିର ଭିତରେ ଦେବି ଏହି ବ୍ରହ୍ମରେତ

ଏ କନ୍ୟାଙ୍କ ଗର୍ଭେ ପଶି ହେଉ ପୁତ୍ର ଜାତ ।

ଏସନ ବିଚାର କରି ପବନ ଦେବତା

ଭାଳନ୍ତି ହୃଦ ମଧ୍ୟରେ ଏ ତ ଶୁଭ କଥା ।

ଅଗ୍ନି ଭିତରେ ଦେଇଣ ଛାଡ଼ି ବ୍ରହ୍ମବୀର୍ଯ୍ୟ

ଅନଳ ଭିତରେ ସେହୁ ହୋଇଲା ଦହିଯ୍ୟ ।

ଅନ୍ତରାଳ ହୋଇକରି ଶେଷେ ଚଉକତି

ଦେଖେ ବିବସନ ହୋଇ କନ୍ୟାଏ ଅଛନ୍ତି ।

ନିଜ ସ୍ଥାନମାନ ଦେଖି ବାୟୁ ଦୃଷ୍ଟିମାର୍ଗେ

ଅନ୍ତରୀକ୍ଷୁଁ ତେଜେ ବୀର୍ଯ୍ୟ ଅତିଶୟ ବ୍ୟଗ୍ରେ ।

ମୂଳକମଳ ଜିଣିଣ ବ୍ରହ୍ମବୀର୍ଯ୍ୟ ଗଲା

ଭ୍ରମରଗୁମ୍ଫା ଭିତରେ ଯାଇଣ ପଶିଲା ।

ପଡ଼ିଗଲା ଦ୍ୱାରମାନ ଭେଟୁଁ ନାଭିଚକ୍ର

ଅତି ଅଦ୍ଭୁତ କରମ ହେଲା ଏସନକ ।

ସମସ୍ତ କନ୍ୟାମାନେ ଯେ ହେଲେ ଗର୍ଭବତୀ

ଦିନୁଦିନ ଗର୍ଭଭାରା ହୋଇଲାକ ଅତି ।

ଦେଖିକରି କନ୍ୟାମାନେ ଲଭି ମହାବ୍ୟଥା

ବିଚାରି ବୋଇଲେ ଏତ ଆଲୋକିତ କଥା ।

ଅବିବାହୀ କନ୍ୟା ଆମ୍ଭେ ପିତାଘରେ ଥାଉଁ

ପୁରୁଷର ନିକଟକୁ କଦାପି ନ ଯାଉଁ ।

ଆମ୍ଭମାନଙ୍କର ଏହି ଗର୍ଭ ହେଲା କାହୁଁ

କୁଳକୁ ତ ଲଜ୍ଜାକଥା କି କହିବୁ ଆଉ  

କେମନ୍ତେ ହେଲା ଆମ୍ଭର ଏସନ ଭବିଷ୍ୟ

ସଂସାର ମଧ୍ୟେ ପାଇବା ସିନା ଉପହାସ ।

କେଉଁ ବିଧାତା ଆମ୍ଭକୁ ବିଡ଼ମ୍ବନ କଲା

ଯଶ କୀର୍ତ୍ତି ଧର୍ମମାନ ସବୁ ବୁଡ଼ାଇଲା ।

ଏଡ଼େ ନିର୍ଲଜ୍ଜରେ ଆଉ ଚାହିଁବା କା ମୁଖ

ବିଧାତା ଦେଲା ଆମ୍ଭକୁ ଆଣି ବଡ଼ଦୁଃଖ ।

କହୁଁ କହୁଁ ଶରୀର ତ ହୁଅଇ ଚହଟି

ଚଡ଼ ଚଡ଼ ହୋଇ ଗର୍ଭ ଯାଉଅଛି ଫାଟି ।

କେମନ୍ତେ ପାଇବା ଆମ୍ଭେ ଏ କଷ୍ଟୁ ଉଦ୍ଧାର

ସର୍ବେ ନଳ ଭରି ଗର୍ଭ ଯେଝାରେ ଉଦ୍‌ଗାର ।

ଏତେ ବୋଲିଣ ଉଜାଣି ପବନକୁ ଭିଡ଼ି

ଉଦ୍‌ଗାରି ପୁତ୍ରମାନଙ୍କୁ ପକାଇଲେ କାଢ଼ି ।

ବାଳ ଅକ ଜିଣିକରି ବିରାଜଇ ଦେହ

ନଖ ମୁଖ ନାସିକା ଯେ ପାଦ ପୂର୍ଣ୍ଣକାୟ ।

ଅନାଦିଙ୍କ ସିଦ୍ଧେରେତ ମହାଜ୍ୟୋତିର୍ମୟେ

ସ୍ଵର୍ଗ ମଞ୍ଚ ପାତାଳରେ ହୋଇଲା ଉଦୟେ ।

କୁମାରୀମାନଙ୍କ ତହିଁ ବଳିଲା ଉତ୍ସାହା

ବିଚାରି ବୋଇଲେ କାହିଁ ଲୁଚାଇବା ଏହା ।

ନ ଶୁଣିଲେ ଆମ୍ଭ କଥା କେହି ଗୋ ମିତଣି

କାହାର ଗୋଚର ନେଇ ସମର୍ପିବା ପୁଣି ।

ଏତେ ବୋଲି ଝୀନବସ୍ତ୍ର ପାତିଲେ ଭୂମିରେ

ପଦ୍ମପତ୍ର ଗୁଡ଼ାଏକ ବିଛାଇ ତହିଁରେ ।

ଯତନେ ପତ୍ରେ ଶୁଆଇ ଷଡ଼ଗୋଟି ବାଳ

ଏକତ୍ଵ କରି ବାନ୍ଧିଲେ ଭିଡ଼ିଣ ପୋଟଳ ।

ବାହାରରେ ପଦ୍ମ ପତ୍ର ଗୁଡ଼ାଏ ଘୋଡ଼ାଇ

ସରୋବର ଭିତରକୁ ଦେଲେ ଫୋପାଡ଼ାଇ ।

ପୋଟଳା ସହିତ ପଡ଼େ ଅଗାଧ ଜଳରେ

ତକ୍ଷଣେ ବୁଡ଼ିଲା ସେହୁ କ୍ଷଣକ ମଧ୍ୟରେ ।

ପୁଣି ତକ୍ଷଣେ ଲେଉଟି ଆସେ ସେହି ବାଟେ

ଦେଖିଲେକ ଉପୁଚାଇ ଲାଗେ ଜଳଘାଟେ ।

କନ୍ୟାମାନେ ଲେଉଟିଣ ଗଲେ ଯେ ଯାହାରେ

ବଦୟନ୍ତି ଶୁକମୁନି ଶୁଣ ନୃପବରେ ।

ପବିତ୍ର ହରିବଂଶରେ ସୁଧାମୟ ବାଣୀ

ଅପୁତ୍ରୀ ପୁତ୍ର ଲଭିବ ନିଶ୍ଚେ ଏହାଶୁଣି ।

ଧନ ସମ୍ପଦମାନ ଯେ ହୋଇବ ବର୍ଦ୍ଧିତ

ଶୁଣନ୍ତେ ମହାପତକ ହେବ କ୍ଷୟପ୍ରାପ୍ତ ।

ଏଥୁଅନନ୍ତରେ ଅନାଦି ଦେବ ସିଦ୍ଧବୀର୍ଯ୍ୟ

ପୋଟଳା ଭିତରେ ହେଲା ଅତିଶୟ ତେଜ ।

ଶଡ଼ଗୋଟି ବାଳୁତ ଯେ ହେଲେ ବର୍ଦ୍ଧମାନ

ବିଧାତା ସଂଯୋଗେ ହେଲା ଏକତ୍ଵ ସେ ପୁଣ ।

ଛଅମୁଣ୍ଡ ଦୁଇପାଦ ଦୁଆଦଶ ଭୁଜ

ମହାବିଶ୍ଵ ମୂର୍ତ୍ତିଧାରୀ ବଳାବଳ ତେଜ ।

ପାଦ ପ୍ରହାରନ୍ତେ ଭାଙ୍ଗିଗଲା ସେ ପୋଟଳା

ସରୋବର ନିକଟରେ ମିଳି ଶମ୍ବୁବଳା ।

ଉତ୍ତାନଶାୟୀ ହୋଇଣ ଶୋଇଛନ୍ତି କୁଳେ

ଦେବେ ପୁଷ୍ପବୃଷ୍ଟି କଲେ ଅମର ମଣ୍ଡଳେ ।

ବ୍ରହ୍ମା ବିଷ୍ଣୁ ମହେଶ୍ଵର ମୂଳେ ସର୍ବଋଷି

ସାମାଗାୟନ କରନ୍ତି କଲ୍ୟାଣକୁ ଭାଷି ।

ବାଜିଲାକ ନାନାବାଦ୍ୟ ଜୟଶଙ୍ଖ ଧ୍ଵନି

ବେଦ ଅଭ୍ୟାସ କରିଲେ ସେ ନାରଦ ମୁନି ।

ଅପସରୀ ନାଚିଲେ ଗର୍ନ୍ଧବେ ଗାଇ ଗୀତ

ଯନ୍ତ୍ର ଅଳାବେଣି ଢୋଲ ମୃଦଙ୍ଗ ସହିତ ।

ସ୍ଥାବର କୀଟ ପତଙ୍ଗ ଆଦି ଚାରିଖାନି

ପରମ ସାନନ୍ଦ ହେଲେ ଶୁଣି ସର୍ବପ୍ରାଣୀ ।

ସ୍ଵର୍ଗରେ ଗର୍ନ୍ଧବମାନେ କଲେ ଜୟେ ଜୟେ

କୁମାର ବୋଲିଣ ନାମ ଦେଲେ ଦେବତାଏ ।

ଜାଜ୍ଜ୍ଵଲ୍ୟମାନ ଶୋଭା ଯେ ଦିଶେ ନବସୃଷ୍ଟି

ଘରେ ଘରେ ହୋଇଲାକ କାଞ୍ଚନର ବୃଷ୍ଟି ।

ସଂସାର ରକ୍ଷା ହୋଇଲା ଜନ୍ମିଲେ କୁମାର

ପାର୍ବତୀ ଯାହାର ମାତା ଜନଙ୍କ ଶଙ୍କର ।

ବିଶେଷରେ ତାରକାକୁ କରିବେ ନିପାତ

ତେଣୁ ଆନନ୍ଦିତ ସର୍ବେ ହୁଅନ୍ତେ ଅତ୍ୟନ୍ତ ।

ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଯେ ଶୂଦ୍ର ଚାରିଜାତି

ସସସ୍ତେ ଆନନ୍ଦ ହେଲେ ଦେଖି ସୁତମୂର୍ତ୍ତି ।

ଆମ୍ବ ପଣସ କଦଳୀ ଗୁଆ ନଟିକାଳ

ଦାରାକ୍ଷ ପେଣ୍ଡି ଖର୍ଜ୍ଜୁର ନାନ ସ୍ଵାଦୁଫଳ ।

ଗଜ ଅଶ୍ଵ ପଦାତିକ ନାନାଛତ୍ର ଆଣି

ଉପହାରମାନ ସର୍ବେ ଦିଅନ୍ତି ଯେ ପୁଣି ।

ଯହୁଁ ଜନ୍ମିଲେ କୁମାର ନାମେ ଆଦିପାଟ

ଉଜାଗର ହେଲେ ସର୍ବେ ଲଭିଣ ଉଚ୍ଚାଟ ।

ଥୋକାଏ ଏକ ଲୋକମାନେ ଜୂଆଖେଳ ଖେଳି

ଥୋକାଏ ଏକ ସ୍ଥାନରେ ବସି କଲେ କେଳି ।

ଥୋକାଏ ଦେବ ପୂଜନ୍ତି ଥୋକେ କରି ଜପ

ଥୋକେ ନୃତ୍ୟ ଗୀତ ଥୋକେ କରନ୍ତି ଆଳାପ   

ଶୁଣ ତୁମ୍ଭେ ସାବଧାନେ ଅର୍ଜ୍ଜୁନର ନାତି

ଏହି ସମୟେ କୀର୍ତ୍ତିକେଶ୍ଵର ଜନ୍ମରୀତି ।

ପାହିଲା ରଜନୀ ଗୋଟି ହୋଇଲା ପ୍ରଭାତ

ଦେଖିଲେ ପୌର୍ଣ୍ଣମୀଦିନ ପୁତ୍ର ହେଲେ ଜାତ   

ସେଦିନ ତୁଳ ସଂକ୍ରାନ୍ତି ପଡ଼େ ବିଦ୍ୟମାନ

ସେହେତୁ ପୂଜା କରନ୍ତି ସଂକ୍ରମଣ ଦିନ ।

ସରୋବର ତଟେ ଶିଶୁଗୋଟି ଅଛି ଶୋଇ

ଐଶାନ୍ୟ ଦିଗରୁ ରବି ଅଇଲେକ ଉଇଁ ।

ଲୋହିତ ପିଙ୍ଗଳ ବର୍ଣ୍ଣ ଚଢ଼ି ଦିବ୍ୟରଥ

ନିମିଷେ ବିଶ୍ରାମ ନାହିଁ ଭ୍ରମି ଶୂନ୍ୟପଥ ।

ଅଶ୍ଵଙ୍କର ଭେଡ଼ା ଅଟେ ଚୌବିଂଶ ଯୋଜନ

ଷାଠିଏ ଦଣ୍ଡେ ଭ୍ରମନ୍ତି ସେହୁ ଅନୁକ୍ଷଣ ।

ପ୍ରଭାତରୁ ଦିନମଣି ହୁଅନ୍ତେ ଉଦୟ

ରଙ୍ଗିମା ରୂପ ଦେଖିଣ ପାର୍ବତୀ ତନୟ ।

ବିକ୍ରମି ବାମକାରକୁ ବଢ଼ାଇ ସତ୍ଵର

ଆକର୍ଷି ରବିଙ୍କ ରଥ ଧଇଲେ କୁମର ।

ସ୍ତମ୍ଭୀଭୂତ ହୋଇ ତହିଁ ରହି ଅଶୁଂମାଳି

ରଥ ସହିତରେ ସୂର୍ଯ୍ୟ ନ ପାରିଲେ ଚଳି ।

ପଶ୍ଚିମ ଚନ୍ଦ୍ରମଣ୍ଡଳ ହୋଇଛି ଉଦିତ

ତହିଁକି ବଢ଼ାଇ ସେହୁ ଦେଲେ ଦକ୍ଷହସ୍ତ ।

ବାମ ଦକ୍ଷିଣ କରରେ ଚନ୍ଦ୍ର ସୂର୍ଯ୍ୟ ଧରି

ଦୋଷୀପ୍ରାଣୀ ପରାୟେକ ବନ୍ଧନ ସେ କରି ।

ଦେଖିଣ ଦେବତାମାନେ ପାଇ ମହାଭୟେ

କୀର୍ତ୍ତିକେଶ୍ଵରଙ୍କୁ ଆସି କହିଲେ ବିନୟେ ।

ଜୟ ଜୟ କାର୍ତ୍ତିକେୟ ମହେଶ୍ଵର ଶିଷ୍ୟ

ଧର୍ମ ଅର୍ଥ କାମ ମୋକ୍ଷ ଦିଅ ହେ ଅଶେଷ ।

ଅନାଦି ଦେବ ସଇନ୍ଦୁ ରୂପେ ହେଲ ଜାତ

ତୁମ୍ଭ ଯୋଗେ ଖଣ୍ଡିବ ହେ ମହୀଭାରା ସତ୍ୟ ।

ନମସ୍ତେ ହେ ଉମା ମହେଶ୍ଵରଙ୍କର ବଳା

ବୁଦ୍ଧିମନ୍ତ ବଳମନ୍ତ ତେଜ ଅନର୍ଗଳା ।

ପୃଥ୍ଵୀ ଆପ ତେଜ ବାୟୁ ଆକାଶାଦି ପଞ୍ଚ

ୟାକୁ ଘେନି ସମ୍ଭୁତ ଯେ ହେଲ ଆସି ମଞ୍ଚ ।

ନମସ୍ତେ ହେ ସମ୍ଭୁପୁତ୍ର ଗଣେଶ ଅଗ୍ରଜ

ଗୋଟିଏ ରୂପ ତୋହର ଦୁଆଦଶ ଭୁଜ ।

ମୟୂର ବାହନ ଯାର ଅଟ କାମରୂପୀ

ନିମିଷ ମାତ୍ରକେ ଯେହୁ ଚରାଚର ବ୍ୟାପୀ ।

ନାନ ରତ୍ନରେ ମଣ୍ଡିତ ଅଟେ ଯାର କାୟେ

ତୋ ବିଶ୍ୱ କୂଟକୁ ଜାଣି ପାରନ୍ତି କିଏ ।

କାଳ କାମ ନିଦ୍ରା ଖଣ୍ଡି ଗୁଣେ ଅତିଗୁଣ

ଯମ ନିୟମ ତୁମ୍ଭର ଧାରଣାଧାରଣ ।

କୁମାର କାର୍ତ୍ତିକେଶ୍ଵର ଚରଣ ନମାମି

ଦେବତାମାନେ ଏରୂପେ କଲେ ପରଣାମି ।

ଏସନକ ସ୍ତୁତି ଯହୁଁ କଲେ ଦେବଗଣ

ଚନ୍ଦ୍ର ସୂର୍ଯ୍ୟଙ୍କୁ କାର୍ତ୍ତିକ ଛାଡ଼ିଲେ ବହନ ।

ଯେ ଯାହାର ଆତଯାତ ହେଲେ ରବି ଶଶୀ

ଦିବସ ଶେଷରେ ପରବେଶ ରାତ୍ରି ଆସି ।

ବିନ୍ଦୁ ସରୋବର ତୀରେ ବିଜୟେ କୁମର

ସୁକୁମାର ସୁଲକ୍ଷଣ ବଳେ ବଳୀୟାର ।

ଏହା ଶୁଣିଣ ପରୀକ୍ଷ ନୃପତି ପଚାରି

ଶୁଣ ତୁମ୍ଭେ ମୋର କଥା ଏବେ ତପଚାରି ।

ଜନ୍ମ ହୋଇଣ ବାଳୁତ ଏଡ଼େ ଦର୍ପ କଲା

ବେନି ଭୁଜେ ଚନ୍ଦ୍ର ସୂର୍ଯ୍ୟେ ଆକର୍ଷି ଧଇଲା ।

ଉଦେ ହେବା ସ୍ଥାନୁ ଅସ୍ତ ପର୍ବତର ଯାଏ

ବାହୁକେଡ଼େ ବିସ୍ତାର ତ କହିବା ମୋତେ ହେ ।

ଏକା ଜଣକରେ କାୟା ବିସ୍ତାରିଲା କେତେ

ଏ କଥା ମନକୁ ମୋର ପାଉନାହିଁ ପ୍ରତେ ।

ମୁନି ବୋଇଲେ ହୋ ରାଜା ସାବଧାନେ ଶୁଣ

କାର୍ତ୍ତିକେଶ୍ଵର ଅଟନ୍ତି ସ୍ଵୟଂ ନାରାୟଣ ।

ପୃଥିବୀର ଭାରାଭର ନିବାରିବା ପାଇଁ

ନିରଞ୍ଜନ ଜାତ ହେଲେ ମୂର୍ତ୍ତିମନ୍ତ ହୋଇ ।

ବ୍ରହ୍ମାଙ୍କୁ ଅଗୋଚର ତା ବିଶ୍ଵକୂଟ ମାୟା

ମନ ପବନ ସଙ୍ଗରେ ମିଳି ନିଜ କାୟା ।

ଅନାଦି ଯାହାର ପିତା ଉମା ଗର୍ଭଧାରୀ

କେଡ଼େ କେଡ଼େ କଥାରୁ ସେ ପାରଇ ଉଦ୍ଧାରି ।

ବାଞ୍ଛାବଟ ତଳେ ଶୋଇଥିଲେକ ଗୋମାତା

ଯାନ୍ତେ ନାତେ ମାଇଲେକ ଧରମ ଦେବତା ।

ଦେଖିଣ ଗାୟତ୍ରୀ ଦେବୀ ପାଇ ମନେ ପ୍ରାସ

ବୋଇଲେ ତୁ ନିରଞ୍ଜନ ଲଭ ମହାଦୋଷ ।

ଜାଣୁ ଜାଣୁ କେମନ୍ତେ ତୁ ହୋଇଲୁ ଅଜ୍ଞାନୀ

ଗୋରୁ ଦେବତା ବ୍ରାହ୍ମଣ କାଳରୂପୀ ଜାଣି ।

ଯେବଣ ପାଦରେ ନାତ ମାଇଲୁ ଦୁର୍ବୁଦ୍ଧି

ସେହି ପାଦରେ ତୋହର ହେଉ କୁଷ୍ଠବ୍ୟାଧି ।

ଯୋନିରେ ଜନମ ତୁମ୍ଭେ ହେବ ଦଶବାର

ନିରଞ୍ଜନ ବୋଇଲେକ କହ ପ୍ରତିକାର ।

ଅନେକ ବିନୟୀ ହୋଇ ବୋଲୁଅଛୁ ତୋତେ

ଶାପକ ପ୍ରତିକାର ଯେ କହିଦେବା ମୋତେ ।

କେତେକାଳେ ଅଭିଶାପ ହେବ ମୋର ପାର

ଏଥିକୁ ତଦନ୍ତ ମୋତେ କହ ନିରାଧାର ।

ଗାୟତ୍ରୀ ବୋଇଲେ ତୁମ୍ଭେ ନ କର ଯେ ଭ୍ରାନ୍ତି

ଶାପକୁ କାରଣ ତୋର ହୋଇବ ଏ ଘାନ୍ତି ।

ଈଶ୍ଵର ପାର୍ବତୀ ପୁଣି କରିବେକ କେଳି

ଅନାଦି ରେତ ପଡ଼ିବ ମହୀରେ ଉଛୁଳି ।

ସେ ବିନ୍ଦୁକୁ ଷଡ଼କନ୍ୟା ଗର୍ଭରେ ଧରିବେ

ତହିଁରୁ ଜନମ ତୋର ହୋଇବଟି ଭବେ ।

ଏକ ବଦନରେ ଛଅମୁଖ ହେବ ତୋର

ଏକ ଜନ୍ମକେ ଶାପରୁ ପାଇବୁ ନିସ୍ତାର ।

ଶଙ୍କର ପିତା ଗିରିଜା ହେବେ ତୋର ମାତା

ଜଗଦ୍‌ବନ୍ଦନ ପୁରୁଷ ତୁମ୍ଭେ ମହାଜ୍ଞାତା ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ଏମନ୍ତ ଅଟଇ କାର୍ତ୍ତିକେୟ ଜନ୍ମରୀତି ।

ସଦାନନ୍ଦ ପୁରୁଷ ସେ ପରଂଜ୍ୟୋତିର୍ମୟେ

ଅଶେଷ କୋଟି ବ୍ରହ୍ମାଣ୍ଡ କରିପାରେ କ୍ଷୟେ ।

ତାହାଙ୍କ ମହିମା କେହୁ ମୁଖେ କହିପାରି

କୋଟି ପାତକ ବିନଷ୍ଟ ହୁଏ ଦଣ୍ଡଧାରୀ ।

ଶୁକମୁନି ବୋଇଲେକ ସାବଧାନେ ଶୁଣ

ଅଶେଷ ବାରାନିଧି ଏ ଅଟଇ ପ୍ରମାଣ ।

ବାଲିରେ ପୋତିହେବ କି କାହୁଁ ରତ୍ନାକର

ଚନ୍ଦ୍ର ସୂର୍ଯ୍ୟ ଧରିବାକୁ କ୍ଷମତା କାହାର ।

ସ୍ଵର୍ଗକୁ ନିଶାଣି କେହୁ କରେ ଦେହ ବହି

ଅଶେଷ ବିଷ୍ଣୁମାୟା କେ ପାରିବ କି କହି ।

ଠିକ ଠିକକରି ମୁହିଁ ବର୍ଣ୍ଣିଲି କେତେକ

ଅଚ୍ୟୁତ ଦାସ ଅଟଇ ଶ୍ରୀହରି ସେବକ ।

 

ହରିବଂଶ ଷଷ୍ଠ ଖଣ୍ଡ

ତାରକାସୁର ବଧ

 

ଏଥୁ ଅନନ୍ତରେ ନାରଦ ନାମେ ମହାମୁନି

ତାରକା ପାଶେ ମିଳିଲେ କରି ବେଦଧ୍ଵନି ।

ନାରଦଙ୍କୁ ଅସୁର ଯେ ଖଣ୍ଡେଦୁରୁ ଲୋଡ଼ି

ଶତେସସ୍ର ପ୍ରଣିପାତ ହୁଏ ପାଦେ ପଡ଼ି ।

ଧୂପ ଦୀପ ନଇବେଦ୍ୟ ଦେଇଣ ଆସନ

ଗନ୍ଧବ ଚନ୍ଦନ ଅର୍ପିଣ ତୋଷି ମୁନିମନ ।

ଅମୃତ ଷଡ଼ରସରେ ଭୋଜନକୁ ଦେଲା

ଅଷ୍ଟରତ୍ନ ସିଂହାସନେ ନେଇ ବସାଇଲା ।

ତାରକାସୁର ନିର୍ମଳ ଭକ୍ତି ମୁନି ଚାହିଁ

ମଉନେ ହେଠ ବଦନେ ବସିଲେକ ତହିଁ ।

ପ୍ରଖର ନିଃଶ୍ଵାସ ବହେ ହୁତାଶନ ଜାଣି

ଖେଦେ କହନ୍ତି ସେ ମୁନି ଗଦଗଦ ବାଣୀ ।

ତାରକା ବୋଲେ ମୁନି ହେ ଲାଗିଲା ସଂଶୟ

କିପାଇଁ ମନ ଦୁଃଖରେ ବସ ମହାଶୟ ।

ମହାପୁରୁଷ ହୋଇଣ ପାଅ ମନେ ଖେଦ

କି କଥା ଅଭାବ ଭବେ କିଅବା ଦୁଃସାଧ୍ୟ ।

ନାରଦ ବୋଇଲେ ବାବୁ ଶୁଣ ଗୁପ୍ତକଥା

ବହୁଲୋକ ଆଗେ ଫେଡ଼ି ନ କହି ସର୍ବଥା ।

ତାରକା ବୋଇଲେ ମୋତେ ଲାଗେ ବଡ଼ ଭ୍ରାନ୍ତି

ଦେଖିଲା ମାତ୍ରକେ ମନ ହେଉଥିଲା ଶାନ୍ତି ।

ନାରଦ ବୋଇଲେ ତୁହି ଶୁଣ ନୃପମଣି

ନ ପୁଣ କୋପ କରୁ ତୁ ଆମ୍ଭ ବୋଲ ଶୁଣି ।

ତାରକା ବୋଇଲା ତୁମ୍ଭେ ଶୁଣ ବ୍ରହ୍ମାଶିଷ୍ୟ

ମୋହର କୋପ କରିଲେ ହେବ ତବ କିସ ।

ବ୍ରହ୍ମାଙ୍କ ସମାନ ତୁମ୍ଭେ ଅଟ ତପଶାଳୀ

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ କ୍ଷଣେ ପାରୁ ଟାଳି ।

ଆବର ମହିମା ତୁମ୍ଭ କହିବଇଁ କେତେ

ଯାହା ଜାଣ ତାହା ଏବେ କହିବଟି ମୋତେ ।

ନାରଦ ବୋଇଲେ ତୁମ୍ଭେ ଶୁଣ ମହାରାୟେ

ଏତେକାଳେ ଆସି ତୋତେ ଲାଗିଲାକ ଭୟେ ।

ଭବିଷ୍ୟ ବଚନ ତୋତେ କହୁଁ ନିରାଧାର

ଯେ ତୋତେ ମାରିବ ମଞ୍ଚେ ହେଲା ଅବତାର ।

ପାର୍ବତୀ ଦେବୀର ରଜ ଈଶ୍ଵରଙ୍କ ବୀର୍ଯ୍ୟ

କାର୍ତ୍ତିକ ନାମେ ହୋଇଲା ଏକଇ ଆତ୍ମଜ ।

ପୁନଃପୁନଃ କରି କଥା କହିଲୁଟି ସାଧ୍ୟ

ସେ କାର୍ତ୍ତିକ ହସ୍ତେ ତୋର ହେବ ପ୍ରାଣ ବଧ ।

ସର୍ବଦା ଆମ୍ଭଙ୍କୁ ଯେଣୁ କରୁ ତୁହି ସେବା

ଜାଣୁ ଜାଣୁ କେଉଁପରି ଏହା ନ କହିବା ।

ନାନାଦି ଉପାୟ କରି ଏଥୁ ରକ୍ଷା ପାଅ

କୃତାନ୍ତ ଅଟଇ ତୋର ପାର୍ବତୀର ପୁଅ ।

ଏକଦିନରେ ସେହୁ ବାଳପୁଅ ସିନା

ମାରିବାପାଇଁ ଉପାୟ କରୁ ନାନା ।

ଶୁଣିଣ ତାରକାସୁର ଟହଟହ ହସି

ଏ ଛାର କଥାକୁ ମୋତେ କହ ଋଷି ଆସି ।

ସ୍ଵଭାବେ ବ୍ରାହ୍ମଣ ତୁମ୍ଭେ ବିଚାର ନ କର

ହାନିଲାଭ କଥା ବୁଝି ସମରକୁ ଡର ।

ତୁମ୍ଭେ ନ ଜାଣ ମୋହର ବଳବନ୍ତପଣ

ବପୁଊଣା ବଚନକୁ କହ ଅକାରଣ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ମୁଁ କରିପାରେ ଜୟେ

ଗଣ ଗର୍ନ୍ଧବ ଦେବତା କାକୁ ମୋର ଭୟେ ।

ଭବିଷ୍ୟ ବଚନମାନ କହି ବାରମ୍ବାର

ଅସମ୍ଭବ କଥାଗୋଟା ଭାଷା ମୁନିବର ।

ଆଜ ଜନ୍ମ ହେଲା ପୁତ୍ର କରିବଟି କିସ

ମାଗଣା କଥାକୁ ମୋତେ ଦେଉଅଛ ତ୍ରାସ ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଜିଣି ରଣେ

ନବଦ୍ଵୀପ ସହିତରେ ବୁଲିବି ମୁଁ କ୍ଷଣେ ।

ସୁର ସିଦ୍ଧ ଦେବଙ୍କୁ ମୁଁ ଜିଣି ନିମିଷକେ

ସଂସାର ଭାର ବହିବି ନଗରେ ଏକାକେ ।

ଏତେ ବୋଲିକରି ବୀର ଛାଡ଼େ ସିଂହରଡ଼ି

ଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।

ସମୁଦ୍ର ମନ୍ଥନ ଧ୍ଵନି କିବା ବଜ୍ରପାତ

କମ୍ପିଲାକ ବସୁନ୍ଧରା ବ୍ରହ୍ମାଣ୍ଡ ସହିତ ।

ପୁଣି ତାରକା ଡାକଇ କରି ଘୋରଧ୍ଵନି

ଘୁଞ୍ଚିଗଲା ବସୁନ୍ଧରା ସ୍ଵର୍ଗ ମର୍ତ୍ତ୍ୟ ତିନି ।

ସ୍ୱର୍ଗ ଭୁବନକୁ ଶୁଭେ ସେହି ରଡ଼ିଧ୍ୱନି

ଦେଖି ଶଙ୍କା ପାଇଲେକ ସୁରସିଦ୍ଧି ମୁନି ।

ଗର୍ଜି ରେରେକାର କରି ମାରି ବାହାସ୍ଫୋଟ

ବିକଟ ଦନ୍ତକୁ ଚାପି କରେ ରଟମଟ ।

ପ୍ରଖର ନିଃଶ୍ୱାସ ବହେ ଅଣଚାଶ ପ୍ରାୟେ

ଉଡ଼ନ୍ତା ପକ୍ଷୀର ପ୍ରାୟେ ଟଙ୍କାରଇ କାୟେ ।

ପୁଣି ତାରକା ଡାକଇ କରି ଘୋରଧ୍ୱନି

ଘୁଞ୍ଚିଗଲା ବସୁନ୍ଧରା ସ୍ୱର୍ଗ ମର୍ତ୍ତ୍ୟ ତିନି ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ପଶେ ରଡ଼ିଧ୍ଵନି

ଚମତ୍କାର ପଡ଼ିଲା ଯେ ଏକଶବ୍ଦେ ପୁଣି ।

ସ୍ଥାବର ଜଙ୍ଗମ କୀଟ ପତାଙ୍ଗାଦି କରି

ସମସ୍ତେ ଜୀବନ ଶଙ୍କା ପାଇଲେ ଯେଝାରି ।

ସବୁରି କର୍ଣ୍ଣେ ସମ୍ଭାଏ ତାର ସିଂହରଡ଼ି

ଆଗହୁଁ ଜାଣିଅଛନ୍ତି ତାରକାର ଧାଡ଼ି ।

ଏସନକ ସିଂହରଡ଼ି ଦ୍ୟନ୍ତେ ପୁଣି ପୁଣି

ଏକାମ୍ର କାନନେ ଥାଇ କାର୍ତ୍ତିକେୟ ଜାଣି ।

କେବଣ ଦୈତ୍ୟର ରଡ଼ି ବିଚାରି ହୃଦ୍‌ଗତ

ପ୍ରତିଜ୍ଞା କରନ୍ତି ହରସୁତ ଅପ୍ରମିତ ।

ମୋର ଛାମୁରେ ଏଡ଼େକ କାହାର ଭରସା

ଅନଳେ ଝାସ ଦେଇଛି ଜୀବେ ନାହିଁ ଆଶା ।

ଏସନ ମନ ମଧ୍ୟରେ କରନ୍ତି ଭାଳେଣି

ଧାତିକାରେ ବୀରମୂର୍ତ୍ତି ଧରି ସିଂହଠାଣି ।

ନୟନକୁ ଅନ୍ତରାଳେ କରି ବକ୍ରଦୃଷ୍ଟି

ଦେଖିଲେ ଅଗ୍ରେ ପଡ଼ିଛି ବଜ୍ରଫିମ୍ଫି ଗୋଟି ।

ଦକ୍ଷିଣ କରେ ସାଉଁଟି ଘେନିଲେ କୁମର

ବାମହସ୍ତରେ ଯୋଚିଲେ ସେ ପନ୍ନଗାଶର ।

ଶବଦକୁ ଅନୁସରି ମହାମନ୍ତ୍ର ସ୍ମରି

ଛାଡ଼ିଦ୍ୟନ୍ତେ ଫିମ୍ଫିଶାର ଗଲା ବେଗକରି ।

ହସ୍ତରୁ ଶର ଫିଟିଣ ଅତିରୋଷେ ଧାଏଁ

ହୁଂକାର ଧ୍ଵନି କରିଣ ଅଧାସ୍ଵର୍ଗେ ଯାଏ ।

ସତୁରି ଯୋଜନ ମୋଟ ପର୍ବତେକ ଥିଲା

ବାଜିକରି ଫିମ୍ଫିଶର ତହିଁ ଚଳିଗଲା ।

ତିନିଶତ ଯୋଜନକୁ ଫୁଟିଗଲା ଶର

କେତେ ଗୃହ ଅଟ୍ଟାଳିକା ଦେଉଳ ଆବର ।

ବିଜୁଳି ଜ୍ୟୋସ୍ନା ପରାୟେ ଚଳିଲା ତକ୍ଷଣ

ତାରକାସୁର ଲଲାଟେ ପଡ଼େ ଯାଇ ବାଣ ।

ସିଂହାସନେ ବସିଥିଲା ତାରକା ଅସୁର

ପାତ୍ର ଅମନାତ୍ୟଗଣ ଅଛନ୍ତି ପାଶର ।

ନାରଦ ଆଦି କରିଣ ସର୍ବେଛନ୍ତି ବେଢ଼ି

କୋଟିଏକ ବଳ ଧନୁ ଆଗେ ଅଛି ପଡ଼ି ।

କୋଦଣ୍ଡ କାଣ୍ଡ ଖଣ୍ଡା ଯେ ବାଣ ତୀକ୍ଷ୍‌ଣଯଷ୍ଟି

ଛତିଶ ଲୌହଶର ଯେ ମୁନା କୋଟି କୋଟି ।

ଗଦା ମୁଦୁଗର ଶିଙ୍ଗା ଆଦି ପରିଖଣ୍ଡା

ଅନେକ ଆୟୁଧେ ଜିତା ସେ ଅସୁରଷଣ୍ଢା ।

ଦକ୍ଷିଣ ଖମ୍ବ ମାଡ଼ିଣ ହଂସୁଲିରେ ବିଜେ

କାଖେ ହସ୍ତନାଇ ଠିଆ ଅନେକ ପହିଜେ ।

ଅଶ୍ଵ ଗଜ ରଥ ପଦାତିକ ଅପ୍ରମିତ

ଆସ୍ଥାନ ତଳରେ ଉଭା ହୋଇଣ ସମସ୍ତ ।

ଭ୍ରୂଭଙ୍ଗି ଅବହେଳାରେ କରେ ଯେଣେ ବୃଷ୍ଟି

ଦେବତାଙ୍କର ଓଳଗି ପଡ଼େ କୋଟି କୋଟି ।

ପହିହାରୀମାନେ ଲୋକ କରିଦ୍ୟନ୍ତି ଦୂର

ବେଣୁ ବଇଁଶି ଛାମୁରେ ବାଜେ ନିରନ୍ତର ।

ବୀରଛତ୍ର ଶ୍ଵେତଛତ୍ର ମୁକ୍ତାଛତ୍ର କରି

ଛାମୁରେ ଉଭାରିଛନ୍ତି ଧରି କୋଟି ଚାରି ।

ଇଦଂ ପ୍ରତିବାକ୍ୟ ପୁଣି ଶୁକଦେବ କହି

ଶୁଣ ପରୀକ୍ଷ ରାଜନ ଅତି ପୁଣ୍ୟଦେହୀ ।

ଏସନେ ସିଂହାସନରେ ବିଜୟେ ଅସୁର

କୁମର ପେଷନ୍ତେ ତହୁଁ ଚଳେ ଫିମ୍ଫିଶର ।

ଗର୍ଜିଣ ପଡ଼ିଲା ଯାଇ ତାରକା ଲଲାଟେ

ତକ୍ଷଣେ ଲଲାଟୁ ଚଳିଗଲା ପିଠିବାଟେ ।

ବାଣ ଚଳିଗଲା କେହି ନ ପାରିଲେ ଦେଖି

ଆସ୍ଥାନରେ ଥିବାଲୋକେ ବୁଜିଦେଲେ ଆଖି ।

ସପତ ପାତାଳେ ଭେଦି ବାଣ ଗଲା ଚଳି

ଯାଇ ନିକିଳିଲା ସେହୁ ବ୍ରହ୍ମଲୋକ ସ୍ଥଳୀ ।

ତହିଁ ଫିମ୍ଫିବାଣ ଯାଇ ନିର୍ବଳ ହୋଇଲା

ଜୀର୍ଣ୍ଣ କୂପରେ ପଡ଼ିଣ ତହିଁ ଚଳିଗଲା ।

ଅସୁର ତରାଟି ଚାହିଁଅଛି ବିକରାଳି

ମଲା କି ଜୀଇଁଲା ବୋଲି ସର୍ବେ ତହିଁ ଭାଳି ।

ବିଜୁଳି ମତରେ ହୃଦୁଁ ପିଠକି ନିକିଳି

ଆତ୍ମା ବିସର୍ଜିଲା ରାଜା ପଡ଼ିଲାକ ଢଳି ।

ଯେବଣ ସ୍ଥାନରେ ବସିଥିଲା ଖମ୍ବ ମାଡ଼ି

ତହିଁ ଆଉଜିଣ ଦେହୁଁ ଜୀବ ଗଲା ଛାଡ଼ି ।

ମଥାରୁ ମୁକୁଟ ଖସି ପଡ଼େ ମହୀସ୍ଥଳୀ

କଣ୍ଠ କପାଳରୁ ଶ୍ରମଝାଳ ପଡ଼େ ଗଳି ।

କର ଚରଣମାନ ଯେ ରହି ଯେଝାଠାରେ

ନିଃଶ୍ଵାସ ନ ବହେ ଚକ୍ଷୁ ନ ପଡ଼େ ଅନ୍ତରେ ।

ଆଚମ୍ବିତ ମରଣ ଯେ ହେଲା ତାରକାର

ଦେଖିକରି ଲୋକମାନେ ହେଲେ ଚମତ୍କାର ।

କେ ବୋଲେ ଠାକୁରେ କିପାଁ ହୋଇଲେ ମଉନ

କେ ବୋଲେ ଶରୀର ଅବା ନାହିଁ ତାର ଜ୍ଞାନ ।

କେହୁ ବୋଲନ୍ତି ଅଛନ୍ତି ଅବା ନିଦ୍ରା ଯାଇ

ଥୋକେ ବୋଲନ୍ତି ନିଃଶ୍ଵାସ ମାତ୍ର ନ ବହଇ ।

କେ ବୋଲେ ଫୁଟା ଅଙ୍ଗୁଷ୍ଠି ଜୀବଗୋଟି ପାଉ

ଅଙ୍ଗେ ଜ୍ଞାନ ପଶୁ ବୋଲି ଚିମୁଟିଲେ କେହୁ ।

କେହି ବୋଲନ୍ତି ଆଲଟ ଧରି କରେ ବିଞ୍ଚ

ମୂର୍ଚ୍ଛା ଯାଇଛନ୍ତି ଅବା ମୁଖେ ପାଣି ସିଞ୍ଚ ।

କହୁଁ କହୁଁ ରକ୍ତଧାର ବହେ ଫିମ୍ଫିଦ୍ଵାରେ

ଦେଖିଲେ ଘାଆ ହୋଇଛି ଲଲାଟ ପଟରେ ।

ସମସ୍ତଙ୍କୁ ସନ୍ଦେହ ଯେ ଲାଗେ ସେହିକଥା

ଥୋକାଏ ଲୋକମନକୁ ଲାଗିଲାକ ବ୍ୟଥା ।

ଥୋକେ ବୋଲନ୍ତି ଏ କଥା ବଡ଼ ଅସମ୍ଭବ

ଶ୍ରବଣେ ଶୁଣନ୍ତି ନାହିଁ ଅତ୍ୟନ୍ତ ଦୁର୍ଲ୍ଲଭ ।

ଯେବଣ ତାରକା କ୍ଷତ୍ରି ମଧ୍ୟେ ବୀରମଣି

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ କ୍ଷଣେ ପାରି ଜିଣି ।

ରାଜାଧିରାଜନ ବୀରବର ଶିରୋମଣି

ନିମିଷକେ ପାରେ ତ୍ରଇଲୋକ୍ୟଯାକ ଜିଣି ।

ଏଡ଼େ ବଡ଼ ରାଜା ଦେଲା ଅଖଡ଼ରେ ପ୍ରାଣ

କେହୁ ବୋଲଇ ଏ କଥା ତଥ୍ୟ କରି ଜାଣ ।

ଆମ୍ଭମାନଙ୍କର ମନ ବିଡ଼ିବାର ପାଇଁ

ମଦ୍ୟପାନେ ନିଶ୍ଚିନ୍ତରେ ଛନ୍ତି ନିଦ୍ରାଯାଇ ।

କେହୁ ବୋଇଲେ ଏ କଥା ଅଟଇ ନିଶ୍ଚୟ

ତାରକାସୁର ତ୍ରୈଲୋକ୍ୟ ମଧ୍ୟରେ ଅଜେୟ ।

ଫିମ୍ଫିର ଦୁଆରୁ ରକ୍ତ ବହେ ବେନି ଆଡ଼

କେହି ବୋଲଇ କପାଳେ ଦେଖ ହେ ଘାଉଡ଼ ।

ପିଛଡ଼ା ନ ଚଳଇ ଯେ ନିଃଶ୍ଵାସ ନ ବହେ

ନିଶ୍ଚୟେ ତାରକାସୁର ଗଲା ଜାଣ କ୍ଷୟେ ।

ଏତେ ବୋଲିଣ ସକଳେ କରନ୍ତି ରୋଦନ

ତହୁଁ ନାରଦ ମହର୍ଷି ହେଲେ ଅନ୍ତର୍ଦ୍ଧାନ ।

ତାରକା ମଲା ଜାଣିଲେ ସ୍ଵର୍ଗେ ପରମେଷ୍ଠୀ

ଅମର ଦୁନ୍ଦୁଭି ବାଇ କଲେ ପୁଷ୍ପବୃଷ୍ଟି ।

ସ୍ଵର୍ଗଭୁବନକୁ ସର୍ବେ ଯାଇଥିଲେ ଛାଡ଼ି

ଦେବତାମାନେ ବସିଲେ ଆସି ସ୍ଥାନ ମାଡ଼ି ।

ମେଘମାନେ ମିଳି କଲେ ଯେ ଯାହାରେ ବୃଷ୍ଟି

ସଂପୂର୍ଣ୍ଣରେ ଶସ୍ୟ ପୂର୍ଣ୍ଣ ହେଲା ନବସୃଷ୍ଟି ।

ବ୍ରାହ୍ମଣେ ଆଚାରେ କଲେ ପଢ଼ି ଚାରିବେଦ

ଅକଣ୍ଟକ ରାଜ୍ୟକଲେ ସ୍ଵର୍ଗରେ ଦେବେନ୍ଦ୍ର ।

ଏସନ ବାରତା ଘେନି ବ୍ରହ୍ମା ବେଗେ ଗଲେ

କପିଳାସ କନ୍ଦରରେ ପ୍ରବେଶ ହୋଇଲେ ।

ଦେଖିଲେ ଉମା ମହେଶ ସୁଖେ ଛନ୍ତି ବସି

ସ୍ତୁତି କରି ଅଗ୍ରତରେ ବ୍ରହ୍ମା ମିଳେ ଆସି ।

ତା ଦେଖି ହର ପାର୍ବତୀ ଆଶ୍ଵାସନା କଲେ

କୁଶଳ ବାରତାମାନେ ତାହାଙ୍କୁ ପୁଚ୍ଛିଲେ ।

ବେଦବର ବୋଇଲେ ହେ ଶୁଣ ବିଶ୍ଵନାଥ

ଷଡ଼ାନନ ପୁତ୍ର ତୋର ମର୍ତ୍ତ୍ୟେ ହେଲା ଜାତ ।

ବାଳୁତ ବୟସେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଧଇଲା

ଫିମ୍ଫି ପ୍ରହାର କରିଣ ତାରକା ନାଶିଲା ।

ଏକାମ୍ର କାନନେ ବିନ୍ଦୁ ସାଗରର କୂଳ

ତହିଁ ଜନ୍ମିଅଛି ତୋର ଯେବଣ ହିଁ ବାଳ ।

ଶୁଣିଣ ଉମା ମହେଶ ହୋଇ ତୋଷଚିତ୍ତ

ନନ୍ଦୀ ଭୃକୁଟିକୁ ପାଶେ ହକାରି ତ୍ଵରିତ ।

ବିଳମ୍ବ ନ କରି ତୁମ୍ଭେ ଚଳ ଏହିକ୍ଷଣ

ଏକାମ୍ର କାନନୁ ମୋର କୁମରକୁ ଆଣ ।

ଆଜ୍ଞା ପାଇକରୀ ନନ୍ଦୀ ଭୃକୁଟିଏ ଦୁଇ

ତକ୍ଷଣେ ଏକାମ୍ର ବନେ ମିଳିଲେକ ଯାଇଁ ।

କୁମାରକୁ ଭେଟିଲେ ସେ ବିନ୍ଦୁସର କୂଳ

ଶମ୍ଭୁଙ୍କର ଆଜ୍ଞା ବୋଲି କହନ୍ତି ସକଳ ।

ଶୁଣିଲେ କୁମରମଣି ପିତାଙ୍କ ବଚନ

କପିଳାସ କନ୍ଦରକୁ ଚଳିଲେ ତକ୍ଷଣ ।

ନନ୍ଦୀକି ହକାରି ବୋଇଲେକ ଶିବବାଳ

ଏକାମ୍ରକାନନେ ତୁହି ହୁଅ ରକ୍ଷାପାଳ ।

ସମୟେକ ରହି ତହିଁ ପାଅ ତୁହି ପୂଜା

ବିଳମ୍ବ ନ କରି ଏହିଠାରୁ ବେଗେ ଯା ଯା ।

ଏହା ଶୁଣିଣ ଚଳିଲେ ନନ୍ଦୀ ତତକ୍ଷଣି

ଅଷ୍ଟାଙ୍ଗ ଯୋଗରେ ଜିତା ହୋଇଲେ ସେ ପୁଣି ।

ଚତୁର୍ଦ୍ଦଶ ଭୁବନରେ ନନ୍ଦୀ ଅଧିପତି

ଚଉରାଶୀ ଖଣ୍ଡ ଜ୍ଞାନ ବସିଣ ସାଧନ୍ତି ।

ଭୃକୁଟୀ କାର୍ତ୍ତିକ ଯାଇ କପିଳାସେ ମିଳି

ଉମା ମହେଶ୍ଵର ଅଗ୍ରେ କଲେ ନିଉଛାଳି ।

ଶିବଗଣମାନେ ଦେଖି ସନ୍ତୋଷ ହୋଇଲେ

ଯେ ଯାହାରେ ମିଳି ସର୍ବେ ମାନ୍ୟ ବିଧିକଲେ ।

ରହିଲେ କୁମରମଣି ପିତାଙ୍କର କତି

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି ।

ଏଥୁ ଅନନ୍ତରେ ତହିଁ କେତେଦିନ ଯାଏ

କୁମାର ପୌର୍ଣ୍ଣମୀ ଦିନ ସଂକ୍ରମଣ ହୋଏ ।

ତଦନ୍ତରେ କାର୍ତ୍ତିକର ଶୁକ୍ଳ ଭୃଗୁବାର

ଉତ୍ତରାଷାଢ଼ା ନକ୍ଷତ୍ର ଅଟେ ସେ ଦିନର ।

ମାହେନ୍ଦ୍ର ନାମରେ ଯୋଗ ତୈତିଳକରଣ

କୁମାର ଦୋଳି ଶୁଆଣି ଦିନ ଆରୋପଣ ।

ଇନ୍ଦ୍ରାଦି ଯେତେକ ଦେବ ସ୍ଵର୍ଗପୁରବାସୀ

ସର୍ବେ ଉପହାର ଘେନି ମିଳିଲେକ ଆସି ।

ବ୍ରହ୍ମଋଷି ରାଜଋଷି ଦେବଋଷି ମେଳେ

ଚାରୁମୁଖୁଁ ବାର୍ତ୍ତାପାଇ ଅଇଲେ ସକଳେ ।

ଗନ୍ଧର୍ବ କିନ୍ନର ଆଦି ପିଶାଚାଦି ବଳ

ଦେବତା ଆଦି କରିଣ ମିଳିଲେ ସକଳ ।

ମରାଳ ଯାନେ ମିଳିଲେ ଆସି ବେଦବର

ଚାରମୁଖୁ ବାର୍ତ୍ତା ପାଇ ମିଳି ଯେ ଯାହାର ।

ପାର୍ବତୀ ପିତା ଅଟନ୍ତି ହିମହନ୍ତ ଗିରି

ଉପହାର ଦ୍ରବ୍ୟ ଘେନି ମିଳି ଶୀଘ୍ର କରି ।

ନାଗରାଜା ବାସୁକି ଯେ ବୈକୁଣ୍ଠରେ ଥିଲେ

ନାଗମାନ ଘେନି ସେହୁ ସତ୍ଵରେ ଅଇଲେ ।

ସନକ ସନାତନ ଯେ ବିଶ୍ଵଦେବା ମୁନି

ଅଙ୍ଗିରା ସହିତେ ଉର୍ଦ୍ଧ୍ଵରେତା ତପୋଧନି ।

ଶୁଭ ଅନୁକୂଳେ ଦୋଳି ଶୁଆଣି କରିଲେ

ବେଦଶାସ୍ତ୍ର ପ୍ରମାଣରେ ପୁତ୍ରନାମ ଦେଲେ ।

ଥୋକେ ବୋଇଲେ କାର୍ତ୍ତିକେ ହେଲେ ଯହୁଁ ଜନ୍ମ

ତେଣୁ କରି ହେଲା ଜାଣ କାର୍ତ୍ତିକେୟ ନାମ ।

ବ୍ରହ୍ମାଏ ବୋଇଲେ ଏହି ଅଟେ ନିରଞ୍ଜନ

ପୃଥିବୀର ଭାରାଭର କରିବ ଖଣ୍ଡନ ।

ଈଶ୍ଵର ଯାହାଙ୍କ ପିତା ପାର୍ବତୀ ଯା ମାତା

ବଳବନ୍ତ ଶିରୋମଣି ଭବିଷ୍ୟତ ଜ୍ଞାତା ।

ଏହାର ନାମଗୋଟି ଯେ କରିବ ସ୍ମରଣ

ସବୁକାଳେ ଯୁବାରୂପ ଥିବ ତାର ଜାଣ ।

କୁମାରଙ୍କର ଉପରେ ଅଟେ ଶିରୋମଣି

ଦ୍ଵିତୀ ନିରଞ୍ଜନ ଏହି ବ୍ରହ୍ମାଣ୍ଡ କାରେଣି ।

ଏତେ ବୋଲିଣ ସମସ୍ତେ କଲ୍ୟାଣ କରିଲେ

ଈଶ୍ଵର ଅର୍ଚ୍ଚନା କରି ଯେଝାପୁରେ ଗଲେ ।

ଛୟାଣୋଇ ରୁଦ୍ରଗଣ କଲେ ଶିବସେବା

ସେ କାଳର ଉତ୍ସବକୁ କିଏ କହିବ ବା  

ଇତିଶିରୀ ହରିବଂଶ ବାଣୀ ପୁଣ୍ୟମୟେ

ଇଦଂ ଏକାଦଶ ଅଧ୍ୟା ସମାପତ ହୋଏ ।

ପବିତ୍ର ଶ୍ରୀହରିବଂଶ ପୁରାଣକୁ ଗୀତେ

ମୁକ୍ତିମାର୍ଗ ଦେଖାଇଲେ ସାଧୁଜନ ହିତେ ।

କଳିକାଳ କଳମଷ ଛେଦନ ଏ ଗ୍ରନ୍ଥ

ପଢ଼ି ଶୁଣି ପ୍ରାଣୀମାନେ ହୋଇଲେ ମୁକତ ।

ଅଶେଷ ବିଷ୍ଣୁପୁରାଣ ଆଦିଅନ୍ତ ନାହିଁ

ମାନବ ହୋଇଣ ଅବା କେ ପାରିବ କହି ।

ଜନ୍ମରୁ ମୁରୁଖ ମୁହିଁ ପଢ଼ିନାହିଁ ପାଠ

କେବଳ ସାରଦା ମୋତେ ଦେଖାଇଲେ ବାଟ ।

ତାଙ୍କ ଭର୍ତ୍ତା ଗୋପୀନାଥ ମୂର୍ତ୍ତିମନ୍ତ ହୋଇ

ପଦ ଉଚ୍ଚାରଣ ମୋତେ ଦେଉଛନ୍ତି କହି ।

ଦୃଢ଼ ବିଶ୍ଵାସରେ ମୁହିଁ ପ୍ରଭୁ ଆଜ୍ଞା ମାନି

ସେ ଯାହା କହନ୍ତି ତାହା ଲେଖେ ପତ୍ର ଘେନି ।

ତହିଁରେ କି ଅର୍ଥ ଅଛି ନ ଜାଣେ ମୁଁ ଲେଶ

ସୁଜ୍ଞାନୀ ଜନ ମୋହର ନ ଘେନିବ ଦୋଷ ।

ହରି ନାମ ବେନି ବର୍ଣ୍ଣ ଅଟେ ମହାମନ୍ତ୍ର

ସେ ମନ୍ତ୍ରରେ ପ୍ରତିଷ୍ଠିତ ହୋଇଛି ଏ ଗ୍ରନ୍ଥ ।

ଗ୍ରହପୀଡ଼ା ରିପୁ ଅଗ୍ନି ଚୌର ରାଜଭୟ

ଅରିଷ୍ଟ ଉତ୍ପାତ ମହାପାପ ଏଥେଁ କ୍ଷୟ ।

ପବିତ୍ର ବିଷ୍ଣୁ ପୁରାଣ ଏ ଯେ ହରିବଂଶ

ପଢ଼ନ୍ତେ ଶୁଣନ୍ତେ ଅଙ୍ଗ ପାଏଯାଏ ନାଶ ।

ସହସ୍ରେ ଜନ୍ମରେ କରୁ ଈଶ୍ଵରଙ୍କୁ ସେବା

ପ୍ରୟୋଗ ବଟରେ ଉଠି ଝାସଦେବା ଅବା ।

ଯଜ୍ଞ ଦାନ ବାରବ୍ରତ ତୀର୍ଥ ଆଦି କରି

ହରିବଂଶ ଶ୍ରବଣକୁ କେହି ନୋହେ ସରି ।

ସବୁ ଛାଡ଼ି ସାଧୁଜନେ ହରିନାମ ଘୋଷ

ଶ୍ରୀହରି ଚରଣ ଭୃତ୍ୟ ମୁଁ ଅଚ୍ୟୁତଦାସ ।

 

ବ୍ରହ୍ମାଙ୍କର ଉପଦେଶରେ ରତିର ତପସ୍ୟା

 

ଶୁକମୁନିଙ୍କୁ ପୁଚ୍ଛନ୍ତି ପରୀକ୍ଷ ନୃମଣି

ତାରକା ବଧ ଅନ୍ତରେ କୁହ ଆନ ବାଣୀ ।

କାମଦେବ ଭସ୍ମ ହେଲା ମୁନିଙ୍କ କୋପରେ

ରତିଦେବୀ ରହିଲେକ କେବଣ ପ୍ରକାରେ ।

ଏକାମ୍ର କାନନେ କାମଦେବ ଭସ୍ମ ହେଲା

ରତିଦେବୀ କେଉଁପରି ଜୀବନ ରଖିଲା ।

ରାଜାର ବଚନେ ବଦୟନ୍ତି ଶୁକଯତି

ଇଦଂ ବାକ୍ୟ ଶୁଣ ତୁମ୍ଭେ ଦ୍ରୌପଦୀର ନାତି ।

ଯେତେବେଳେ କାମଦେବ ହେଲା ଭସ୍ମାକୃତି

ଯାଅ ବୋଲି ଆଜ୍ଞା ତାକୁ ଦେଲେକ ପାର୍ବତୀ ।

କର୍ଣ୍ଣରେ ତମ୍ବାକୁଣ୍ଡଳ ମଥାରେ ତ୍ରିଜଟା

ବାହୁରେ ଅନନ୍ତ ଡୋର ମାଥେ ଚିତାଗୋଟା ।

ତୁଳସୀ ରୁଦ୍ରାକ୍ଷମାଳ କଟିରେ କାଛଟି

ବିଭୂତି ଭୂଷଣ ହୋଇ ସର୍ବାଙ୍ଗେ ଯାକଟି ।

ଏହିପରି ରତି ତପସ୍ୱିନୀ ବେଶ ହୋଇ

କୁଶବଟୁ ଭୁବନରେ ମିଳିଲାକ ଯାଇ ।

ଖଣ୍ଡେଦୂରୁ ବ୍ରହ୍ମପାଦେ ଶୋଏ ଗଡ଼ଘାଲି

ଅସମ୍ଭାଳ ହୋଇ ଉଚ୍ଚେ ଛାଡ଼ଇ ବୋବାଳି ।

ଭୋ ପିତା ଧର୍ମ ଲଙ୍ଘିଲୁ ତୋର ଭଳି ଲୋକ

ତୁମ୍ଭ ହେତୁରୁ ବିନାଶ ହୋଇଲା କନ୍ଦର୍ପ ।

ତୁମ୍ଭେ ସେ ଜଗତଯାକଙ୍କର ପିତାମହ

କିସ ପ୍ରତିକାର ଅଛି ମୋତେ ଏବେ କହ ।

କନ୍ଦର୍ପ ପରାୟେ ଭର୍ତ୍ତା ହୋଇଲା ମୋ ନାଶ

ଜୀବନରେ କିସ କାର୍ଯ୍ୟ ଦେବି ଅଗ୍ନି ଝାସ ।

ତୁମ୍ଭପରି ପିତା ଅତି ପୁଣ୍ୟେ ପାଇଥିଲି

କାର୍ଯ୍ୟ ନୋହିଲାତ କିଛି ଧ୍ଵଂସି ମୁଁ ହୋଇଲି ।

ଯୁକତରେ ସ୍ତିରୀଲିଙ୍ଗ ଅଟେ ନବଯୁବା

କେମନ୍ତେ ସହି ରହିବି କନ୍ଦର୍ପର ପ୍ରଭା ।

ତୁମ୍ଭେ ତ ସର୍ବଜ୍ଞ କେଉଁ କଥା ବା ନ ଜାଣ

ଭୂତ ଭବିଷ୍ୟତ ତିନିକାଳ କଥାମାନ ।

ତୁମ୍ଭର ଦୁହିତା ହୋଇ ହେଲି ହୀନମାନି

ଇହ ପରଲୋକେ ମୁହିଁ ନୋହିଲି କାରେଣି ।

ବ୍ରହ୍ମା ବୋଇଲେ ଗୋ ମାତ ନ କର ତୁ ଶୋକ

ବିପତ୍ତି ପଡ଼ିଲାବେଳେ ଧରି ଧଇର୍ଯ୍ୟେକ ।

ଦୁଃଖ ସୁଖ ପାପ ପୁଣ୍ୟ ଶରୀରରେ ହୁଏ

ଜୀବ ଥିବା ପରିଯନ୍ତେ ତାହା ଘଟୁଥାଏ ।

ଦଇବରେ ହେଲା ଯେବେ ଏଡ଼େ ମନ୍ଦକର୍ମ

ତହିଁକି ନିସତ ହେଲେ ନାଶଯିବ ଧର୍ମ ।

ମାଗୋ ପରକାର୍ଯ୍ୟେ ପ୍ରାଣ ଦେଲା ତୋର ପତି

ଲଭିଲା ବହୁତ ପୁଣ୍ୟ ଶୁଣ ମହାସତୀ ।

ଅକ୍ଷୟ ଅଜରାମର ପୁଂସ କାମଦେବ

ସେହୁ ନ ଥିଲେ ସଂସାର କିପରି ଚଳିବ ।

କର୍ମର ଶୁଭାଶୁଭ ଯେ ପାପପୁଣ୍ୟ ଘେନି

ସମସ୍ତଙ୍କୁ ଲାଗେ ସିନା ମାଗୋ ଲାଭ ହାନି ।

ଏବେ ସେହି କାମଦେବ ହୋଇଅଛି ନାଶ

ଥୋକାଏ ଦିନ ଅନ୍ତରେ ପାଇବୁ ଅବଶ୍ୟ ।

ତିନିମନୁର ଅନ୍ତରେ ହେବ ସତ୍ୟଯୁଗ

ଏକସ୍ତରୀ ଗଣ୍ଡାଯୁଗ କରିବ ସେ ଭୋଗ ।

ଦ୍ଵାରକାରେ ଅବତାର ହେବେ ଜଗନ୍ନାଥ

ରୁକ୍ମିଣୀ ଗର୍ଭରୁ ମୀନକେତନ ସଂଜାତ ।

ସେ ମୀନକେତନ ପ୍ରତ୍ୟକ୍ଷରେ କାମଦେବ

ତାହାଙ୍କ ଯୋଗରୁ ତୋର ନିଶ୍ଚେଁ ଦୁଃଖ ଯିବ ।

ଏବେ ମାଗୋ ତୁହି ମଞ୍ଚ ଭୁବନକୁ ଯାଅ

ଜମ୍ବୁଦ୍ଵୀପ ଭ୍ରତଖଣ୍ଡ ଦେଶେ ରହିଥାଅ ।

ବନଡିଙ୍ଗର ପର୍ବତେ ଯାଇଣ ତୁ ଥିବୁ

ଢାଉରଙ୍ଗ ଗଛତଳେ ତପସ୍ୟା କରିବୁ ।

ସାରାବତୀ କଟକର ଶମ୍ବର ନୃପତି

ଦେବ ଗନ୍ଧର୍ବଙ୍କୁ ତାର ନାହିଁ କିଛି ଭୀତି ।

ଅନେକ ପ୍ରକାରେ ସେହୁ ବଳାଇବ ଆଶ

ବହୁ ପ୍ରକାରେ କହିବ ତୋତେ ଚାଟୁଭାଷ ।

ତୁହି ତାହା ବଚନକୁ ସଂପ୍ରତେ କରିବୁ

ସାରାବତୀ କଟକକୁ ତାର ସଙ୍ଗେ ଯିବୁ ।

କାଳବଳେ ପତି ସଙ୍ଗେ ହେବ ତୋର ଭେଟ

ସେହି ଦିନରୁ ଫିଟିବ ମନର ସଙ୍କଟ ।

ଆବର ବଚନ ତୋତେ କହିବା ବିଶ୍ଵାସ

ଶମ୍ବର ଦେଖିଣ ମାଗୋ କାମେ ହେବ ନାଶ ।

ମନ୍ତ୍ର ଗୋଟିଏ କହିବା ଯତ୍ନେ ରଖିଥିବୁ

ମଦନ ବାଧା ଜ୍ଵାଳାରୁ ଉଦ୍ଧାର ପାଇବୁ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଚାରି

ରକତ ମାଂସ ଶରୀର ଅଟଇ ସବୁରି ।

ବିଶେଷରେ ସ୍ତିରୀଜାତି ଅଟୁ ତୁହି ଯେଣୁ

ଆଗରୁ ଚିତ୍ତୋଇ ଏହା କହିଦେଲୁ ତେଣୁ ।

ସୁରାସୁର ଦେବ ନର ଦେଖି ହେବେ ଭୋଳ

ବିଡ଼ମ୍ବନା ହେଲେ ଝିଅ ନଷ୍ଟ ଯିବ କୁଳ ।

ଆବର କଥାଏ ତୋତେ କହିବା ସୁକେଶି

ବିଧବା ହୋଇଣ ଥାଅ ମାତା ସଙ୍ଗେ ବସି ।

ଦ୍ଵାପରେ ଲକ୍ଷ୍ମୀ ଗର୍ଭରୁ କାମ ହେବ ଜାତ

ଆମ୍ଭେ ଥାଇ ବିଭା ତୋତେ କରିଦେବା ମାତ ।

ରତି ବୋଲେ ଆହେ ତାତ ସ୍ତିରୀଦଶା ତିନି

ପାପ ପୁଣ୍ୟ ଆତଯାତ ହୁଅଇ ମେଦିନୀ ।

ବାଲ୍ୟକାଳେ ପିତାମାତା ପ୍ରତିପାଳି ଭଲେ

ଯୁବାକାଳେ ଦିନ ଯେହୁ ବଞ୍ଚେ ଭର୍ତ୍ତା କୋଳେ ।

ବୃଦ୍ଧକାଳେ ପାଳନ ଯେ କରଇ କୁମର

ପୁଣ୍ୟବତୀ ନାରୀଚିହ୍ନ ଏମନ୍ତ ପ୍ରକାର ।

ମୁହିଁ ବିଧବା ହୋଇଲି ଏବେ ଯୁବାକାଳେ

ଏ ଜନ୍ମ ଗୋଟିକ ମୋର ଗଲାତ ନିଷ୍ଫଳେ ।

କାମନାଶ ଗଲା ପୁତ୍ର ଜାତ ହେବ କାହୁଁ

ସଂସାରେ କାହାର ମୁଖ ଚାହିଁବଇଁ ଆଉ ।

କତର୍ଥିଣ ପାପ ଆତ୍ମା କରିବି ମୁଁ ତପ

ଉଜାଣି ମନ ପବନ ଖଣ୍ଡିବଇଁ ପାପ ।

ଶୁଣିକରି ପିତାମହ ସନ୍ତୋଷ ହୋଇଲେ

ମନ୍ତ୍ର ଗୋଟିଏକ ରତି କର୍ଣ୍ଣେ କହିଦେଲେ ।

କନ୍ୟାକୁ ଆପଣା ମନ୍ତ୍ରପୋଥି ଦେଲେ ଯାଚି

ବୋଇଲେ ଏ ପୁସ୍ତକର ସବୁବିଦ୍ୟା ଅଛି ।

ବେଦ ବେଦନ୍ତାଦି ମୃତ୍ୟୁ ସଞ୍ଜିବନୀ ଯାଏ

ନବ ନାଟକାଦି ବିଦ୍ୟା ଅଛି ଆଗୋ ମାଏ ।

ଏତେ ବୋଲି ବ୍ରହ୍ମା ଦେଲେ ସେ ପୁସ୍ତକଗୋଟି

ତତକ୍ଷଣେ ରତିଦେବୀ ଗୃହେ ତହୁଁ ଉଠି ।

ମାତା ବ୍ରହ୍ମାୟଣୀକୁ ସେ ନିକଟେ ଦେଖିଲେ

ଅମଳାନ ବସ୍ତ୍ରଗୋଟା ମାତାଠାରୁ ନେଲେ ।

ତହୁଁ ଭେଟିଲେ ଯାଇଣ ଇନ୍ଦ୍ର ଶଚୀ ବେନି

ବହୁ ପ୍ରକାରେ ବଧୂକୁ କହି ସସ୍ରଯୋନି ।

ରତି ବୋଇଲେ ମୁହିଁ ତ କାମଦେବଙ୍କୁ ହିଁ

କେମନ୍ତେ ଭେଟିବି କହ ପିତାମାତା ଦୁଇ ।

କାନ୍ତ ନିଧନେ ଜୀବନ ଅକାରଣ ମୋର

ସତ୍ୟ କହୁଛି ନିଶ୍ଚୟ ତେଜିବି ଶରୀର ।

କର୍ମରେ ଥିଲେ ତ ଭେଟ ନିଶ୍ଚେଁ ପାଇବଇଁ

କରିବି ଘୋର ତପସ୍ୟା କାନନରେ ଯାଇ ।

ଏତେ କହି ରତିଦେବୀ ସେଠାରୁ ଚଳିଲା

ମେରୁ ଐଶାନ୍ୟ ଭାଗରେ ଯାଇଣ ମିଳିଲା ।

ଦାନ ଧ୍ୟାନ କଲା ସେହୁ ନାନାତୀର୍ଥେ ପଶି

କୁରୁକ୍ଷେତ୍ର ପୁଣ୍ୟଜଳ ଗଙ୍ଗା ବାରାଣସୀ ।

ମହାତୀର୍ଥ କାବେରୀ ଯେ ମାତଙ୍ଗୀ ଗୋମତୀ

ପୁଣ୍ୟତୋୟା ଯମୁନା ଯେ ଆଉ ସରସ୍ୱତୀ ।

ସରଯୂ ବ୍ରହ୍ମକୁମାରୀ ନଦୀ ସ୍ଵର୍ଣ୍ଣରେଖା

ଏପରି ନାନାତୀର୍ଥରେ ଭ୍ରମିଲା ଅଲେଖା ।

ତାର ବାର ନକ୍ଷତ୍ରାଦି ହୃଦମଧ୍ୟେ ଗଣି

ଓଡ୍ରାଷ୍ଟ୍ରେ ମିଳିଲା ଯାଇ କାମର ଘରଣୀ ।

ବିରଜା ପୁରୁଷୋତ୍ତମ ବ୍ରହ୍ମନଦୀ ତଟେ

ଗର୍ନ୍ଧବ ବାରୁଣା ଗିରିବରର ନିକଟେ ।

ବନ ଡିଙ୍ଗର ପର୍ବତ ତହିଁ ଅତି ସଞ୍ଜ

ଅଧକୋଶ ଓସାର ସେ ତାଳେକ ଯେ ଉଚ୍ଚ ।

ପବିତ୍ର ଭୂମି ସେହୁ ତ ଅଟେ ପୁଣ୍ୟତମ

ବାସ କରିଥିଲେ ତହିଁ ପୂର୍ବେ ଦେବ ଧର୍ମ ।

ପାରୁଶେ ଅମରାବତୀ କଟକ ଶୋଭଇ

ସେହିଠାରେ ପ୍ରବେଶିଲେ ରତିଦେବୀ ଯାଇ ।

ଢାଉରଙ୍ଗ ଗଛଏକ ଅଛଇ ସେଠାରେ

କଳ୍ପ କଳ୍ପାନ୍ତର ଅଛି ଗୁପତ ଭାବରେ ।

ବ୍ରହ୍ମାଆଦି ଦେବଗଣେ ନ ଜାଣନ୍ତି ତାହା

ଅନେକ ଦୂର ପର୍ଯ୍ୟନ୍ତ ବିକାଶିଛି କାୟା ।

ବାଡ଼ବା ଅନଳୁଁ ସେହି ବୃକ୍ଷ ହୋଇ ଜାତ

ଯତ୍ନେ ଆରୋପଣ ତାକୁ କରିଲେ ବିଧାତ ।

ଦୁର୍ଗାମାଧବ ସୁମରି ଶୁଚିମନ୍ତ ହୋଇ

ସେ ବୃକ୍ଷତଳେ ବସିଲା ରତିଦେବୀ ଯାଇ ।

ଭୂମିଣ ଶୋଧିଣ ଅଙ୍ଗନ୍ୟାସ ବିଧିକରି

ହସ୍ତେ ଜପାମାଳି ମୂଳମନ୍ତ୍ରକୁ ସୁମରି ।

ବନ୍ଧଭେଦ ମୁଦ୍ରାକୁ ସେ ଲଗାଇ ନିଗୂଢ଼େ

ଯୋଗାସନରେ ବସିଲା ଅତିଶୟେ ଦୃଢ଼େ ।

ବ୍ୟାଘ୍ର ଚର୍ମକୁ କଟିରେ ଯତନରେ ଭିଡ଼ି

ଲୋଭ ମୋହ କାମ କ୍ରୋଧ ହିଂସାମାନ ଛାଡ଼ି ।

ଛାମୁରେ ମହେଶମୂର୍ତ୍ତି ଏକ ଗୋଟି ସ୍ଥାପି

ଚକ୍ଷୁ କର୍ଣ୍ଣ ନାସିକାକୁ ରୋଧି ମନ୍ତ୍ର ଜପି ।

ପ୍ରାତଃ ଆହ୍ନିକ ସକଳ ନିତ୍ୟକର୍ମ କରି

ବିଧବା ନାରୀଙ୍କ ବାରବତ୍ରମାନ ଧରି ।

ଥୋକାଏ ଦିନ ଭକ୍ଷିଲା କନ୍ଦମୂଳ ଫଳ

ଥୋକେଦିନ ଉପବାସେ ରହି ଭକ୍ଷିଜଳ ।

କାମଦେବକୁ ଧ୍ୟାୟିଣ ରହିଲା ସୁନ୍ଦରୀ

ଏକମନେ ବସି ସେହୁ ଦୃଢ଼େ ତପକରି ।

ଏସନ ରୂପରେ ବହୁକାଳ ଗତ ହେଲା

କେତେକ କାଳେ ଦ୍ଵାପରଯୁଗ ପ୍ରବେଶିଲା ।

ଏଥୁଅନନ୍ତରେ ତୁମ୍ଭେ ଶୁଣ ଦଣ୍ଡଧାରି

ଅତ୍ରିର ଭାରିଯା ଅନୁସୂୟା ନାମେ ନାରୀ ।

ଜନ୍ମହୁଁ ପତିଭକତା ଅତି ସୁଲକ୍ଷଣୀ

ଚତୁର୍ଦ୍ଦଶୀ ଭୁବନକୁ ଅଟଇ କାରେଣୀ ।

ଅନୁକ୍ଷଣେ ନବଯୁବା ଅଟଇ ସେ ସତୀ

ଯା ଆଜ୍ଞାରେ ବ୍ରହ୍ମା ବିଷ୍ଣୁ ହେଲେ ଉତପତ୍ତି ।

ଚନ୍ଦ୍ରମା ଦୁର୍ବାସା ଦତ୍ତାତ୍ରେୟ ପୁତ୍ର ତିନି

ଯାହାଙ୍କର ଗରଭରୁ ଅଛନ୍ତି ଜନମି ।

ପୁଷ୍ପକ ଯାନ ଆରୋହି ସେତୁ ଅତି ବେଗେ

ଅନ୍ତରୀକ୍ଷୁ ପ୍ରବେଶିଲା ରତିଦେବୀ ଆଗେ ।

ଅନୁସୂୟା ପାଦେ ରତି ପ୍ରଣିପାତ କଲା

କାମକୁ ସୁମରି ବହୁ ରୋଦନ କରିଲା ।

ଅନୁସୂୟା ବୋଲେ ମାଗୋ ଶୋକ ତୁ ନ କର

ଅବଶ୍ୟ ଦୁଃଖ ତୋହର ହୋଇଯିବ ପାର ।

ସମ୍ପୂର୍ଣ୍ଣ ଆଠମାସରେ କାମ ହେବ ଭେଟ

କ୍ଷୟ ହେଲା ଦୁଃଖ ତୋର ଫିଟିଲା ସଙ୍କଟ ।

ତହିଁର କାରଣ ତୁହି ସାବଧାନେ ଶୁଣ

ଦ୍ଵାରକାରେ ଅବତୀର୍ଣ୍ଣ ହେଲେ ନାରାୟଣ ।

ମନକେତନ ରୂପରେ ରୁକ୍ମିଣୀ ଉଦରେ

ଭେଟ ହୋଇବ ଯାଇଣ ଶମ୍ବର ନଗରେ ।

ତିନିମନୁ ପରିଯନ୍ତେ ପାଇବୁ ତୁ କଷ୍ଟ

ନବଯୁବାକାଳେ ତୋର ହେଲା ସ୍ଵାମୀଭ୍ରଷ୍ଟ ।

ଆପଣେ ସହିଲୁ ତୁ ଗୋ ବିରହ ଯାତନା

ଆୟୁଷ ତୁଟିବ ଯେବେ କରିବୁ ଶୋଚନା ।

ଏ ମହୀମଣ୍ଡଳେ ତୋର ରହିଲା କୀରତି

କଲୁ ବ୍ରତସିଦ୍ଧ ତୁହି ଏବେ ମହାସତୀ ।

ଚାରିପାଦେ ଧର୍ମ ତୋତେ କହିବାର ପାଇଁ

ପରିଭକ୍ତାମାନେ ମୋତେ ଦେଲେ ପଠିଆଇ ।

ଶୁଣିକରି ରତିଦେବୀ ହେଲେ ମହା ତୋଷ

ବୋଇଲେ ଭେଟ ପାଇଲି ସୁଯୋଗେ ନାରୀଶ ।

ଏତେ ବୋଲି ରତି ଅନୁସୂୟାଙ୍କ ଚରଣେ

ଶତେସସ୍ର ପ୍ରଣିପାତ କରିଲେ ତତ୍‌କ୍ଷଣେ ।

ଆସନ ପାଦାସନାଦି ଧୂପ ଦୀପ ଦେଇ

କରପତ୍ର ଯୋଡ଼ି ବହୁ ସ୍ତବ ସେ ପଢ଼ଇ ।

ଶୁଣିଣ ଅନୁସୂୟା ଯେ ହେଲେ ସୁପ୍ରସନ୍ନ

ବୋଇଲେ କର ପ୍ରସାରି ବିଭୂତିକୁ ଘେନ ।

ଏ ବିଭୂତି ମୋର ଯେହୁ ଘେନନ୍ତି କପୋଳେ

ଷୋଡ଼ଶା ରୂପ ଧରି ଅନ୍ତୁଡ଼ିର ଶାଳେ ।

ବଳ ବୁଦ୍ଧି ହୋଇ ତାର ଶତ୍ରୁ ହୋଏ ହାନି

ନିଃଶ୍ଵାସେ ଗମେ ସେ ସ୍ଵର୍ଗ ମଞ୍ଚ ଆଦି ତିନି ।

ଏ ବିଭୂତି ଚିତା କରି ଚାହିଁ ଦେଲା ମାତ୍ରେ

ଇନ୍ଦ୍ର ସମ୍ପଦ ଏଥିରୁ ହୁଅଇ ସମ୍ଭୁତେ ।

ହେଉ କଲ୍ୟାଣ ତୋତେ ଗୋ ଲଭ ନିଜ ଭର୍ତ୍ତା

ଅପଟାନ୍ତର ସାଧବୀ ସତସତ କର୍ତ୍ତା ।

ଏତେ କହି ଅନୁସୂୟା ବିଜେ କରି ଗଲେ

ଅଚ୍ୟୁତ କହଇ ତହିଁ ରତି ଯେ ରହିଲେ ।

 

ଶମ୍ବରାସୁର ଦ୍ଵାରା ରତି ହରଣ

 

ଶ୍ରୀ ଶୁକ କହନ୍ତି ଶୁଣ ଆହେ ପରୀକ୍ଷିତ

ଏଥୁ ଅନନ୍ତରେ ପୁଣି ହେଲା ଯେ ବୃତ୍ତାନ୍ତ ।

ସାରାବତୀ କଟକ ଯେ ପଶ୍ଚିମ ଦେଶରେ

ବେନିଲକ୍ଷ ଯୋଜନ ସେ ଅଟଇ ଓସାରେ ।

ତହିଁରେ ଶମ୍ବର ରାଜା କରଇ ରାଜୂତି

ଅନେକ କାଳରେ ସେହୁ ଅଟେ ନରପତି ।

ବହୁତ ମାୟା ଜାଣଇ ସେ ଦନୁଜ ଚନ୍ଦ୍ର

ବଳବନ୍ତ ବୁଦ୍ଧିମନ୍ତ ପଣରେ ଧୂରନ୍ଦ୍ର ।

ମହା ପ୍ରଜ୍ଞାରେ ରାଜୁତି କରଇ ରାକ୍ଷସ

ଯୁବତୀ ଅଛନ୍ତି ତାର ପୁଣି ଦଶସସ୍ର ।

ସ୍ତ୍ରୀକେ ପାଞ୍ଚପୁତ୍ର ପାଞ୍ଚ ଦୁହିତା ଉତ୍ପତି

ପୁତ୍ରକେ ପାଞ୍ଜନାତି ଯେ ନାତୁଣୀ ଜନ୍ମନ୍ତି ।

କୁବେରକୁ ଜିଣି ସେହୁ ଅଟେ ଧନବନ୍ତା

ଜନ୍ମ ମରଣକୁ ତାର ନାହିଁ କିଛି ଚିନ୍ତା ।

ଗଣଗନ୍ଧର୍ବ ଦେବତା ତାକୁ ନାହିଁ ଭୟେ

ଅନେକ ବିଦ୍ୟା ଜାଣଇ ସେ ଅସୁର ରାୟେ ।

ରଥ ଗଜ ଅଶ୍ଵ ତାର ଅଟେ ଅପ୍ରମିତ

ଚଉଦ କ୍ଷଉଣୀ ବଳ କେ କରିବ ଅନ୍ତ ।

ଅନିବାରଣ ସେମାନେ କାକୁ ନାହିଁ ଭୀତି

ବ୍ରହ୍ମା ବିଷ୍ଣୁ ମହେଶ୍ଵର ସାଧି ସେ ପାରନ୍ତି ।

ଅଚଳାଚଳ ସମ୍ପଦ ଭୋଗେ ନୃପମଣି

ଅମର ବାରସ୍ଵତୀର ପୁରକୁ ସେ ଜିଣି ।

ନାନାରୂପେ ଧରଇ ସେ ମହାମନ୍ତ୍ର ବଳେ

ସମ୍ବର ସମାନେ ରାଜା ନାହିଁ ମହୀତଳେ ।

ଏସନ ପ୍ରକାରେ କେତେ ଦିନ ବହିଗଲା

ସମଦଣ୍ଡ ଘେନି ଦିନେ ମୃଗୟାକୁ ଗଲା ।

ପାତ୍ର ମନ୍ତ୍ରି ଅମନାତ୍ୟ ଗମନ୍ତି ସଙ୍ଗରେ

ନିଯୋଗମାନେ ଧାମନ୍ତି ଅସ୍ତ୍ର ଧରି କରେ ।

ରଥୀ ମହାରଥୀ ଆଉ ଅପ୍ରମିତ ଗଜ

ରାଜାର ବିଜୟ ଦେଖି ସର୍ବେ ହେଲେ ସଜ ।

ନାନାଦି ଲୁହାର ତୀକ୍ଷ୍‌ଣମୁନା ଶରେ ଘେନି

ନୃପତି ସଙ୍ଗେ ଗୋଡ଼ାଇ ଗମନ୍ତି ସଇନି ।

କଟକୁଁ ଗମିଲେ ସର୍ବେ ଦକ୍ଷିଣର ମୁଖେ

ପୃଥ୍ଵୀ ହେଲେ ଘେନୁଅଛି ଭୟଙ୍କର ଡାକେ ।

ଅଗମ୍ୟ କାନନେ ଯାଇଁ ହୋଇଲେ ପ୍ରବେଶ

ମୃଗ ବରାହ ଲୋଡ଼ନ୍ତି ସର୍ବେ ଚଉପାଶ ।

ହରିଣୀ ବାହୁଟିଆ ଯେ ଭାଲୁ ବ୍ୟାଘ୍ର ହସ୍ତୀ

ରତ୍ନ ମଧ୍ୟରେ ପଶିଣ ଉତ୍ସୁକେ ଲୋଡ଼ନ୍ତି ।

ସେହି ଦିନ ବିଧାତାଏ ଘଟସୂତ୍ର କଲେ

ସର୍ବ ଜୀବ ଜନ୍ତୁ ଭୟେ ଦେଖି ପଳାଇଲେ ।

ପକ୍ଷୀ ମୃଗ ଆଦି ଗୋଟିଏକ କେହି ନାହିଁ

ସର୍ବେ ଆଶ୍ଚର୍ଯ୍ୟ ହୋଇଲେ ଚଉଦିଗ ଚାହିଁ ।

ଏମନ୍ତେ ଅଠର ଦଣ୍ଡ ହେଲା ଆସି ବେଳ

ଚାଲନ୍ତେ ଶ୍ରମରେ ବାଧା ପାଇଲେ ସକଳ ।

ଏକେ କ୍ଷୁଧା ପିପାସାରେ ବ୍ୟାକୁଳ ହୃଦୟ

ଘୁମାନ୍ତେ ନିଦ୍ରା ଆସିଣ ଘାରେ ନେତ୍ର ଦ୍ଵୟ ।

ଚାଲି ନ ପାରି ସଇନି ରହି ବୃକ୍ଷତଳେ

ନଦୀରେ ପଶିଣ ଜଳ ଭକ୍ଷନ୍ତି ବିକଳେ ।

କେହୁ ଶୋଇଗଲେ ଭୂମିପରେ ବସ୍ତ୍ର ପାଡ଼ି

ଥୋକେ ଦୂରୁ ଅପସରି ଆସେ କେ ବାହୁଡ଼ି ।

ଥୋକେ କନ୍ଦମୂଳ ଖାନ୍ତି ସେହିଠାରେ ରହି

ଥୋକାଏ ରାଜା ପଛରେ ଅଛନ୍ତି ଗୋଡ଼ାଇ ।

ତହୁଁ ଥୋକାଏକ ଦୂର ଗମନ୍ତେ ଭୂପାଳ

ପ୍ରବେଶ ହୋଇଲେ ଯାଇଁ ବ୍ରହ୍ମନଦୀ କଳ ।

ନୃପତି ଆଜ୍ଞା ଦେଲେକ ପାତ୍ର ମନ୍ତ୍ରୀ ରାଇ

ନଦୀର କୂଳରେ ତୁମ୍ଭେ ସର୍ବେ ଥାଅ ରହି ।

ନଦୀପାରି ହୋଇଗଲେ ଆମ୍ଭ ଭଲ ହେବ

ତେବେ ଜୀବ ଜନ୍ତୁ ଭେଟ ନିଶ୍ଚୟ ପଡ଼ିବ ।

ତୁମ୍ଭେମାନେ ସମସ୍ତେ ହୋ ନଦୀକୂଳେ ଥାଅ

ନୋହିଲେ ନିଜ ଦେଶକୁ ବାହୁଡ଼ିଣ ଯାଅ ।

ଏତେକ ବୋଲିଣ ତହିଁ ରୁହାଇ ସଇନି

ନଦୀ ପାରି ହୋଇଗଲେ ଏକା ନୃପମଣି ।

ଗନ୍ଧର୍ବ ବନେ ପ୍ରବେଶ ହୋଇଣ ତଡ଼ତି

ଦେଖିଲା ସେ ବନଶୋଭା ବୁଲି ଚଉକତି ।

ଅବସନ୍ତରେ ବସନ୍ତ ବହେ ଧୀରଧୀର

ଧାତୁ ମାତୁର ଯୋଗରେ ପୁଲକେ ଶରୀର ।

ପିକ ଝିଙ୍କାରିଏ ତହିଁ କରି ନାନା ଧ୍ଵନି

ରତି ଆହ୍ଲାଦରେ ପଲ୍ଲବିତ ତରୁଶ୍ରେଣୀ ।

ଶମ୍ବର ନରପତିର ଉଲୁସଇ କାୟ

ଖଣ୍ଡିଗଲା ମନ ଦୁଃଖ ଆନନ୍ଦ ହୃଦୟ ।

ତହୁଁ ଥୋକାଏକ ଦୂର ଯାଏ ନରପତି

ଧର୍ମପୁରରେ ଯାଇଣ ମିଳେ ବ୍ୟଗ୍ରଗତି ।

ଥୋକାଏ ଦୂରେ ଦେଖଇ ଗନ୍ଧରବ ନଦୀ

ମନେ ମନେ ବିଚାରଇ ରାଜା ଗୁଣନିଧି ।

ଦେଖେ ଭୈରବ ଗିରିରୁ ଜଳ ବହି ବ୍ୟଗ୍ରେ

ଝର ଝର ହୋଇକରି ଆସୁଛି ସରାଗେ ।

ବୃକ୍ଷଙ୍କର ଆହ୍ଲାଦରେ ସୁଶୀତଳ ଜଳ

ଶରଦେ ବସନ୍ତ ବାୟୁ ବହେ ପରିମଳ ।

ନୟନରେ ଦେଖିକରି ତାହା ନୃପବର

ତୃଷାରେ ଆର୍ତ୍ତ ହୋଇଣ ମିଳେ ନଦୀତୀର ।

କନ୍ଧରୁ ଧନୁକୁ କାଢ଼ି ଥୋଇ ନଦୀକୂଳେ

ଧାତିକାରେ ଜଳପାନେ ପଶିଲା ସଲିଳେ ।

ପେଟ ଭରିଣ ଆତୁରେ ପିଇଲା ସେ ଜଳ

ଆତ୍ମା ସନ୍ତୋଷ ହୋଇଣ ହୋଇଲା ଶୀତଳ ।

କୂଳରେ ଉଠି ନିଃଶ୍ଵାସ ଛାଡ଼େ ନରପତି

ଲେଉଟିଣ ଧନୁଶର ଧଇଲା ତଡ଼ତି ।

କିଛି ଦୂରେ ଦେଖେ ଏକ ପରବତ ଅଛି

ତାଉରଙ୍ଗ ଗଛ ତଳେ କନ୍ୟାଏ ବସିଛି ।

ମରକତ ପରାୟେକ ଶୋଭଇ ଶରୀର

ନୀଳମେଘରେ ଯେସନେ ଶଶୀ ଶୋଭାକାର ।

ତପସ୍ୱିନୀ ପ୍ରାୟ ଦେଖାଯାଏ ଦେହ ଜ୍ୟୋତି

ସାଗର ମଧ୍ୟରୁ କିବା ଲକ୍ଷ୍ମୀ ଉତପତ୍ତି ।

ସର୍ବଗୁଣେ ପରିପୂର୍ଣ୍ଣ କାମର ଘରଣୀ

ରୂପେ ପଟାନ୍ତର ତାକୁ କିସ ଦେବା ପୁଣି ।

ଏକ ଏକ ଗୁଣ ତାର କି କହିବା ଜାଣି

ଗଢ଼ିଛି ଯତନେ ବିଶ୍ଵକରମା ବିନ୍ଧାଣି ।

ପଦ୍ମିନୀ ସୁକୁମାରୀ ସେ ଅଟେ ଶୁଦ୍ଧଜାତି

କନ୍ଦର୍ପ ଅଟଇ ଯାହାରଟି ନିଜ ପତି ।

ଲମ୍ବମାନ ଦୀର୍ଘ ଜୂଡ଼ା ଚାମର ଚିକୁର

କୌଷେୟ ବସନ ପରିଧାୟିନୀ ଆବର ।

ନିବେଶି ଗଙ୍ଗାମୃତ୍ତିକା ଲଲାଟପଟରେ

ବିରାଜଇ ବେଣୀ ଗୋଟି ଯା ପୃଷ୍ଠ ଦେଶରେ ।

ବିସ୍ତାର ଦୀର୍ଘ ନୟନ ନୀଳବର୍ଣ୍ଣ ଡୋଳା

ପଦ୍ମକେଶରେ ଭ୍ରମର କରେ କିବା ଖେଳା ।

ହେଠ ବଦନରେ ବସି ଭୂମିପରେ ଦୃଷ୍ଟି

ଭ୍ରୁଭଙ୍ଗିରେ ମୋହୁଅଛି ଚରାଚର ସୃଷ୍ଟି ।

କଣ୍ଠ ତଟରେ ଲୁଳଇ ମର୍କତ କୁଣ୍ଡଳ

ନୀଳମେଘେ ଶୋହେ ଯେହ୍ନେ ଆଦିତ୍ୟ ମଣ୍ଡଳ ।

ବିସ୍ତାରିତ ନେତ୍ରଦ୍ଵୟ କପୋଳ ସୁସଞ୍ଚ

ନାହିଁ ପଟାନ୍ତର ତାକୁ ସ୍ଵର୍ଗଆଦି ମଞ୍ଚ ।

ଅଧର ଶୋଭିତ ବିମ୍ବ ଫଳର ଆକୃତି

ଲଲାଟ ସିନ୍ଦୂର ଟୋପି ଦିଶେ ଦିବ୍ୟଜ୍ୟୋତି ।

ହସ୍ତୀ ଥୋରହସ୍ତ ପ୍ରାୟେ ବାହୁ ବେନି ଦିଶେ

ବିକ୍ରମ ସିଂହ ପରାୟେ କଟିତଟ କି ସେ ।

ପଦ୍ମ ଆସନରେ ବସି ମହାମନ୍ତ୍ର ରଟି

ଏସନ ବେଳେ ପଡ଼ିଲା ରାକ୍ଷସର ଦୃଷ୍ଟି ।

କନ୍ୟାର ସମୀପେ ଯାଇ ଖଣ୍ଡେ ଦୂର ମିଳି

ରୂପ ନିରୋପଇ ପାଶେ ଯାଇ ମହାବଳୀ  

ଆପଣା ଅନ୍ତର୍ଗତରେ ବିଚାରେ ନୃବର

ବଡ଼ଇ ଦୁର୍ଲ୍ଲଭ କଥା ଅଟେ ଅଗୋଚର ।

ଏମନ୍ତ ସୁନ୍ଦରୀ ନାରୀ ନେତ୍ର ଦେଖିନାହିଁ

ଯୁବତୀରତ୍ନ ନିଧି ଏ ଜଗତେ ଅଟଇ ।

ବିଧାତା ନିର୍ମାଣ କଲା କେତେକାଳ ବସି

ପାଦକୁ ସରି ନୋହିବା ରମ୍ଭା ଉରୁବଶୀ ।

ସଂସାର ମଧ୍ୟରେ କେତେ ଗୁଣମାନ ଥିଲା

ଏହାର ଅଙ୍ଗରେ ଧାତା ସମସ୍ତେ ଥୋଇଲା ।

ସ୍ଥାବର କୀଟ ପତଙ୍ଗ ଯେତେ ଦେହଧାରୀ

ଏହାକୁ ଦେଖିଲେ କେବେ ମୁରୁଛି ନ ପାରି ।

ବୃକ୍ଷ ପାଷାଣ ମୃତ୍ତିକା ଯେତେକ ଅଜୀବେ

ଏହାକୁ ଦେଖିଲେ କାମଜଳେ ବୁଡ଼ିଯିବେ ।

ଇଷ୍ଟବନ୍ଧୁ ସୋଦର ୟା ଜଣେ କେହି ନାହିଁ

ଏ ଅରଣ୍ୟ ମଧ୍ୟରେ ଏ ଏକାକୀ ଅଛଇ ।

ସ୍ତିରୀଲିଙ୍ଗ ହୋଇ ୟାର ତପସ୍ଵୀର ବେଶ

କେବଣ କୂଳରେ ଜାତ ନାମ ୟାର କିସ ।

ପିତା ମାତା ଭର୍ତ୍ତା କିବା ୟାର କେହି ନାହିଁ

କେବଣ କାର୍ଯ୍ୟରେ ଏଥେ ବସିଛି କିପାଇଁ ।

ଏହାକୁ ଦେଖିଣ ଅଙ୍ଗେ ଲାଗେ କାମାବାଧା

ବେଳୁଁ ବେଳୁଁ ବଳୁଅଛି ଅତ୍ୟନ୍ତ ଶରଧା ।

ତଦନ୍ତ କରିଣ ୟାର ବୁଝିବା ସନ୍ଦେଶ

ଚାଟୁ ବଚନରେ ପୁଣି କରାଇବା ତୋଷ ।

ଏତେମତେ କାର୍ଯ୍ୟଗୋଟା ଯେବେ ନୋହେ ସିଦ୍ଧି

ଏହାର ପାଇଁ ଛାଡ଼ିବି ନିଶ୍ଚେଁ ରାଜବିଧି ।

ଅସୁରୀର ମାୟା ଗୋଟି ଭଲେ ଅଛି ଜାଣି

ମଣିମନ୍ତ୍ର ମହୌଷଧି ଅଛଇ ପ୍ରମାଣି ।

ଏମନ୍ତେ କାର୍ଯ୍ୟ ନୋହିବ ଯେବେଟିକି କାଳେ

ମୁହିଁ ମହାରାଜା ନେଇ ପାରଇଟି ବଳେ ।

ନୋହିଲେ କହିଲେ ମୁହିଁ ଦେବି ବହୁଧନ

ଦାସ ପଣରେ ଏହାର ରଞ୍ଜିବଇଁ ମନ ।

ନୋହିଲେ ସକଳ ଦ୍ରବ୍ୟ କରି ଉପହାର

ଚାକର ପରାୟେ ଖଟିଥିବି ନିରନ୍ତର ।

ଏସନ ବିଚାର କରେ ରାଜା ମନେ ମନ

କହୁଁ କହୁଁ ଅସାଷ୍ଟମ ହୋଇଲା ତକ୍ଷଣ ।

ତହୁଁ ସଧୀରେ ମିଳିଲା ଯାଇଁ ବୃକ୍ଷତଳେ

ନବଯୁବା ସ୍ଵରୂପକୁ ଧରି ମହୀପାଳେ ।

ଅସୁର କାମରୂପୀ ସେ ଜାଣେ ବହୁମାୟା

ମୀନକେତନ ପରାୟେ ଧରି ନିଜ କାୟା ।

ବାମକରେ ଦିବ୍ୟଧନୁ ଦକ୍ଷିଣରେ ଶର

ପ୍ରତ୍ୟକ୍ଷ କନ୍ଦର୍ପ ପରି ଦିଶଇ ଶମ୍ବର ।

ଲଜ୍ଜା ଛାଡ଼ି ରତିଦେବୀ ପାଶେ ଉଭା ହୋଇ

ଧୀରେ ଧୀରେ ପଚାରଇ ଦୈତ୍ୟକୁଳ ସାଇଁ ।

କାହାର ଦୁହିତା ତୁହି କାର ମନୋହରୀ

ଏ ବନେ ତପସ୍ୟା କିପାଁ କରୁ ଗୋ ସୁନ୍ଦରୀ ।

ବ୍ୟାଘ୍ର ଭଲ୍ଲୁକ ଶାର୍ଦ୍ଦୁଳ ଛନ୍ତି ବନହସ୍ତୀ

ଅବଶ୍ୟ ଲେଉଟି ତୋତେ ଭକ୍ଷିବେ ଏଘାନ୍ତି ।

ନୋହିଲେ ଅସୁର ଯେବେ ପାଇବେଟି ଲୋଡ଼ି

ସୁରା ସଙ୍ଗତରେ ମାଂସ ଭକ୍ଷିବେ ତ ପୋଡ଼ି ।

ମାତା ପିତା ଇଷ୍ଟବନ୍ଧୁ ସଙ୍ଗେ କେହି ନାହିଁ

ଏକାକୀ ବସିଛୁ କିପାଁ କେଉଁ ମନ୍ତ୍ର ଧ୍ୟାୟି ।

ସୁକୁମାରୀ ସୁଲକ୍ଷଣୀ ଅଟୁ ତୁ ନାୟିକା

ଏ ଯୁବା ବୟସ ଦେଖି ହେଲି ମୁହିଁ ଥକା ।

କେ ତୋହର ନିଜ ଭର୍ତ୍ତା କହ ଫେଡ଼ିକରି

କନ୍ଦମୂଳ ଭକ୍ଷି କିପାଁ ହେଲୁ ବନଚାରୀ ।

କିବା ଦୋଚାରୀ ହୋଇଣ ଛାଡ଼ିଲୁ ତୁ ଲଜ୍ଜା

ସ୍ଵଇଚ୍ଛାରେ କୁଳମୂଳ କଲୁ କିବା ତେଜ୍ୟା ।

କିବା ବ୍ୟାଧି ବଶେ ତୁହି ହୋଇଲୁ ପାଗଳ

ଥୟକରି କହିଦିଅ ମୋତେ ଥଳକୁଳ ।

କି ଅବା ମୃତ ହୋଇଲା ତୋର ନିଜପତି

ଏମାନ ସଂକ୍ଷେପି ମୋତେ କହ ଗୋ ଯୁବତୀ ।

ସ୍ତିରୀଙ୍କର ମଧ୍ୟେ ତୁହିଁ ଅଟୁ ଶିରୋମଣି

ଏ ଯୁବା ବୟସ ଗୋଟା ସାରୁ ଜାଣି ଶୁଣି ।

ଶମ୍ବର ନୃପତି ମୁହିଁ ସପ୍ତଦ୍ଵୀପ ରାଜା

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ପାଏ ପାଦପୂଜା ।

ଅନେକ ଧନ ରତନ ଦେବି ଉପହାର

ମୋହର ସଙ୍ଗେ ବିଳସ ଆଗୋ ରାମାବର ।

ଅନ୍ତଃପୁରେ ରହିବୁ ତୁ ସ୍ତିରୀଙ୍କ ସଙ୍ଗତେ

ପରିବାରୀ ପଣେ ସେବା କରିବେ ସମସ୍ତେ ।

ପାତ୍ର ମନ୍ତ୍ରୀ ପୁରୋହିତ ସର୍ବ ବିଦ୍ଵଜ୍ଜନ

ପାରୁଶରେ ଖଟିଥିବେ ତୋର ରାତି ଦିନ ।

ପୁତ୍ର ଭାରିଯା ମୋହର ନାତି ପଣନାତି

ସମରାଜ୍ୟ ଲୋକ ତୋତେ କରିବେ ଭକତି ।

ତୋର ବଚନକୁ ମୁହିଁ ନ ଲଙ୍ଘି ସର୍ବଥା

ଅନୁକ୍ଷଣେ ପାଳୁଥିବି ମୁଁ ତୋହର କଥା ।

ଯେତେକାଳ ପରିଯନ୍ତେ ପିଣ୍ଡେ ଥିବ ପ୍ରାଣ

ତେତେକାଳ ପରିଯନ୍ତେ ଖଟିଥିବି ଜାଣ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ହେବୁ ଠାକୁରାଣୀ

ଏକାଙ୍ଗ ମହାଦେଈ ତୁ ସଂସାର କାରେଣୀ ।

ଲାବଣ୍ୟ ପରି ସୁନ୍ଦର ଅଟେ ତୋର ଦେହୀ

ବୁଡ଼ିଲା କାମଜଳରୁ ଜଳ ମୋତେ ତ୍ରାହି ।

ଏ ତୋହର ରୂପ ଦେଖି ମତି ମୋର ଛନ୍ନ

କର ପ୍ରତିକାର ମୋତେରେ ନାରୀ ରତନ ।

ବଦନ ତୋଳିଣ ଦିଅ ଅପାଙ୍ଗରେ ଦୃଷ୍ଟି

ଯାଉ ବିରହସନ୍ତାପ କାମବାଧା ତୁଟି ।

କୋମଳ କରିଣ ମୋତେ କହ କଥାଟିଏ

ତୁଟୁ କନ୍ଦରପ ବାଧା ଯାଇ କାମଭୟେ ।

ଶୁକମୁନି ବୋଇଲେକ ଶୁଣ ନୃପମଣି

ଇତି ଶିରୀ ଭାଗବତ ପୁଣ୍ୟତମ ବାଣୀ ।

ଏସନ ପ୍ରକାରେ ତହିଁ ଶମ୍ବର ନୃପତି

ଚାଟୁ ବଚନରେ ତୋଷ କଲା ରତି ମତି ।

ଶୁଣିକରି ରତିଦେବୀ ହେଲେ ତୋଷମନ

ବୋଇଲା ଘଟିଲା ଅନୁସୂୟାରେ ବଚନ ।

ପୂର୍ବହେତୁ କଥା ମୋତେ ବ୍ରହ୍ମା ଛନ୍ତି କହି

ପାର୍ବତୀଙ୍କ କଥା ଗୋଟି ଅଛଇ ଚିତୋଇ ।

ଏତେକାଳେ ଆସିଣ ସେ ହୋଇଲାକ ଭେଟ

ତିନି ମନୁର ଅନ୍ତରେ ଫିଟିବ ସଙ୍କଟ ।

ଏତେ ଭାଳି ମଥାଟେକି ଚାହିଁଦେଲେ ରତି

ଆଗରେ ଉଭା ହୋଇଛି ଶମ୍ବର ନୃପତି ।

କୋଟି କନ୍ଦର୍ପ ପରାୟେ ବିରାଜଇ ତନୁ

ଆଦ୍ରାବଳୀର ଭିତରେ ଯେହ୍ନେ ରାଜେ ଭାନୁ ।

ଦେଖିକରି କାମନାରୀ ହେଲେ ମୋହ ପ୍ରାପ୍ତ

ବୋଇଲେ ଏ କାମଦେବ ଅଟଇ ନିୟତ ।

ଏତେ ବିଚାରି ମଦନେ ହେଲେ ଅସାଷ୍ଚମ

ହସି କଥା କହୁ କହୁ ହେଲା ମତିଭ୍ରମ ।

ପୁଣି ଦଣ୍ଡକ ଉତ୍ତାରୁ ପାଇ ଦିବ୍ୟ ହେତୁ

ସୁମରିଲେ ପିତା ମନ୍ତ୍ର ଗୋଟି କରି ତତ୍ତ୍ଵୁ ।

ଗୋପନ ମହା ମନ୍ତ୍ରକୁ କହି ମୋର ପିତା

ସେହି ମନ୍ତ୍ର ସୁମରିଣ ଲଭିଲେକ ଚିନ୍ତା ।

ସ୍ମରିବା ମାତ୍ରକେ ତୁଟିଗଲା କାମବାଧା

ଆନନ୍ଦ ହୋଇଲେ ରତି ମନେ ପାଇ ଶ୍ରଦ୍ଧା ।

ସଲଜ୍ଜିତେ ବଚନକୁ କହଇ ସୁନ୍ଦରୀ

ସାବଧାନେ ବାକ୍ୟ ମୋର ଶୁଣ ଦଣ୍ଡଧାରି ।

ମୋ ସମାନ ହୀନାନାରୀ ସଂସାରରେ ନାହିଁ

ଇଷ୍ଟବନ୍ଧୁ ସଖା ଲୋଡ଼ି ପାଇବଇଁ କାହିଁ ।

ସମୟେ ମୁଁ ପିତାଘରେ ନିଶ୍ଚିନ୍ତରେ ଥିଲି

ମନଇଚ୍ଛା ଭର୍ତ୍ତା ପୁଣ୍ୟବଳରେ ପାଇଲି ।

ତାହା ବ୍ୟତିରେକେ ମୋର ଆନେ ନାହିଁ ଗତି

ମୁଁ ତାହା ଭାରିଯା କାଳେ କାଳେ ମହାମତି ।

ସେ ମୋହର ପଞ୍ଚଭୂତ ଆତ୍ମାର କାରେଣି

ତାହା ଯୋଗ୍ୟ ତ୍ରଇଲୋକ୍ୟ ପାରେ ମୁହିଁ ଜିଣି ।

ବିଚକ୍ଷଣ ସ୍ଵାମୀ ମୋର ସୌନ୍ଦର୍ଯ୍ୟ ବାରିଧି

ନିସତ କାଳକୁ ଧାତା ଦେଲା ଏ ଦୁର୍ବୁଦ୍ଧି ।

ମୋ ବଚନକୁ ଅବଜ୍ଞା କରିଣ ସେ ଗଲେ

ସତ୍ୟଭଗ୍ନ ନୋହି ପରିକାର୍ଯ୍ୟେ ପ୍ରାଣ ଦେଲେ ।

ମୋହର ଦେଖନ୍ତେ ଭର୍ତ୍ତାହେଲେ ପ୍ରାଣେ ନାଶ

ସେ ଦିନୁ ମୁଁ ଧଇଲଇଁ ତପସ୍ଵିନୀ ବେଶ ।

ଶାଶୁ ଶ୍ଵଶୁର ଘରକୁ ନ ଗଲଇଁ ଲାଜେ

କରିବଇଁ ବାରବ୍ରତମାନ ସ୍ଵାମୀ କାର୍ଯ୍ୟେ ।

ଅତି ଅଭାଗିନୀ ମୁହିଁ ଅଟେ ନିଲକ୍ଷଣୀ

ସ୍ଵାମୀପାଇଁ ତପ କରେ ଏଥି ବସି ପୁଣି ।

ଆବର ବଚନ ତୁମ୍ଭେ ଶୁଣ ଦଣ୍ଡଧର

ବହୁଦୂର ମୋର ମାତା ପିତାଙ୍କର ଘର ।

ସଖୀଜନ ସଙ୍ଗତରେ ମୋହର କେ ନାହିଁ

ଦିଗ ବାଟ ନ ଦିଶଇ ଯିବି ଅବା କାହିଁ ।

ଏକେ ସ୍ତିରୀଜାତି ମୁହିଁ ଅଟେ ମହାପାପୀ

ଏ ଜନମ ଅକାରଣ ହେଲା ମୋ ଅଦ୍ୟାପି ।

ମାତା ପିତା ଭ୍ରାତା ମୁହିଁ କାହାକୁ ନ ପାଇ

ଅରଣ୍ୟ ମାଳତୀ ପ୍ରାୟ ଭାସିଣ ଗଲଇଁ ।

ଏତେ ବୋଲି ମହାସତୀ ରୋଦନକୁ କରି

ବେନି ଲୋଚନ ଫାଟିଣ ବହେ ଅଶ୍ରୁବାରି ।

ଶମ୍ବର ବୋଇଲା ତୁ ଗୋ ଶୁଣ ସୁଲକ୍ଷଣି

ମୋ ମାଗ୍ୟେ ତୋତେ ବିଧାତା ଘଟାଇଲା ଆଣି ।

ଆଜ ସରିଗଲା ଦୁଃଖ ତୋହର ନିୟତ

ଜିଣନ୍ତା କେ କାହିଁ ଜାଣେ ମୋତେ ତ୍ରିଜଗତ ।

ଭୋଗିବୁ ଅଚଳାଚଳ ବିଭୂତିକୁ ତୁହି

ଧର ଧଇର୍ଯ୍ର ତୁ ଛାଡ଼ ମନର ଖେଦ ହିଁ ।

ରତି ବୋଇଲା ମୁଁ ବଡ଼ଲୋକର ଦୁହିତା

ହେଲେ କି ହେବ କର୍ମେ ଯା ଲେଖିଥିବ ଧାତା ।

ସ୍ତିରୀ ସଂସାରକୁ ଏତ ନୁହଇ ବେଭାର

ଜନ ମୁଖରେ ଝିଙ୍ଗାସ ପାଇବି ଅପାର ।

ଏଡ଼େ ଅକର୍ମ କାହାର ବଳରେ ହୁଅଇ

ସଂସାରରେ ଜାତ ହେଲେ ଅବଶ୍ୟ ମରଇ ।

ଧନ ଜୀବନ ଯୌବନ ଜଳବିମ୍ବ ମତ

କହୁଁ କହୁଁ ଛାଡ଼ିଯିବ ଆତ୍ମା ପଞ୍ଚଭୂତ ।

ସଂସାରରେ ଜାତ ହେଲେ ଅମର କେ ନାହିଁ

କୀର୍ତ୍ତି ଅପକୀର୍ତ୍ତି ପାପପୁଣ୍ୟ ରହିଥାଇ ।

ତୁହି ତ ମହାରାଜନ ଅଟୁ ଜଗଜ୍ଜିତା

ଜାଣୁ ଜାଣୁ କେମନ୍ତେ ତୁ କହୁ ଏହି କଥା ।

ପର ଯୁବତୀକୁ ନେଇ ଭାରିଯା କରିବୁ

ପୁରାତନ ରାଜା ହୋଇ ଧର୍ମକୁ ଛାଡ଼ିବୁ ।

ଆହେ ନୃପତି ଯଦ୍ୟପି କରିବୁ ତୁ ବଳ

ସମୁଦ୍ର ହୋଇଣ ଯେବେ ଲଙ୍ଘିବଟି କୂଳ ।

ମେଘମାନେ ମହୀପରେ ନ କରିବେ ବୃଷ୍ଟି

କୃଷି ସୁଲଭରେ କାହିଁ ଉପୁଜିବେ ସୃଷ୍ଟି ।

ମଇତ୍ର ହୋଇଣ ଯେବେ ହେବ ଅଣହିତ

କନ୍ୟାକୁ ଧନଲୋଭରେ ବିକିବଟି ତାତ ।

ମାତା ହୋଇଣ ପୁତ୍ରକୁ ଯେବେ ଦେବ ବିଷ

କାହାକୁ ଲାଗିବ କହ ଜାଣି ସେହୁ ଦୋଷ ।

ସମ୍ବର ବୋଇଲା ମୁହିଁ ନ ଜାଣେ ଏମାନ

ଏ ତୋହର ମୁଖ ଦେଖି ହରାଇଛି ଜ୍ଞାନ ।

ବହନ୍ତା ନଦୀରେ ସୋଲଭେଳା ମେଲି ଦେଇ

ବାଇକୁ ତିଆରି ଲୋଡ଼ୁ ଧର୍ମଶାସ୍ତ୍ର କହି ।

କାଲ ଆଗରେ ବଜାଇ ନେଇ ସପ୍ତସ୍ଵର

ମର୍କଟ ଗଳେ ଲମ୍ବାଉ ମାଣିକ୍ୟକର ମାଳ ।

ଯେତେ କହିଲୁ ମୋତେ ତୁ ନ ରୁଚଇ କିଛି

ପଞ୍ଚଭୂତ ଆତ୍ମା ମୋର ତୋର ତହିଁ ଅଛି ।

ଦର୍ହସିତ ବଦନରେ କଥା ମୋତେ କହ

ଛାଡ଼ୁ ମୋର ମନରୁ ଯେ କାମବାଧା ମୋହ ।

ଯେବେ ନାସ୍ତି କରିବୁଟି ଆରେ ନାରୀରାଜ

ନିଶ୍ଚେଁ ତୋତେ ବଳେ ମୁହିଁ ଘେନିଯିବ ଆଜ ।

ଉଠରେ ସୁନ୍ଦରି ମୋର କଟକକୁ ଯିବା

ଭୃତ୍ୟର ଭୃତ୍ୟପଣରେ କରିଥିବି ସେବା ।

ଏ ଜନ୍ମ ସଫଳ ମୋର ହେବ ତୋର ଯୋଗେ

କାଳବେଳ ସଂଯୋଗରେ ଭେଟିଲୁ ସୁଭାଗ୍ୟେ ।

ଅଥବା ଯଦ୍ୟପି ମୋତେ କରିବୁ ନିରାଶ

ଅବଶ୍ୟ ଲଭିବୁ ହାଦେ ପୁଂସହତ୍ୟା ଦୋଷ ।

ରତି ବୋଇଲା ତୁ ଶୁଣ ଆହେ ନୃପମଣି

ତୁମ୍ଭେ ଅନ୍ୟାୟ କରିଲେ ନ ସହି ଧରଣୀ ।

ପରସ୍ତ୍ରୀ ହରଣେ ପରଲୋକେ ବହୁଦୋଷ

ପରସ୍ତ୍ରୀ ହରି ରାବଣ ବଂଶ ହେଲା ଧ୍ଵଂସ ।

ଇନ୍ଦ୍ର ଦେବତା ହରିଲେ ଗୌତମ ରମଣୀ

ଗୁରୁଙ୍କ ଶାପରେ ସେହୁ ହେଲେ ସସ୍ରଯୋନି ।

ଲୌହାସୁର ସୁତ ନାମ ମହିଷ ଅସୁର

ଦୁର୍ଗା ଦୃଷ୍ଟିରେ ବିନଷ୍ଟ ହୋଇଲା ପାମର ।

ଶମ୍ବର ବୋଇଲା ଏହା ନ କହ ମୋ ଆଗେ

ସାରାବତୀ କଟକକୁ ଚାଲ ଯିବା ବେଗେ ।

କଲି ଦୃଢ଼ବ୍ରତ ମୋତେ ଏମାନ ନ କହ

ତୋତେ ନ ନେଲେ ତେଜିବି ନିଶ୍ଚେଁ ମୋରକାୟ ।

ଏଥିରୁ ଅଧିକ ମୁହିଁ କହିବଇଁ କେତେ

ପ୍ରାଣତେଜ୍ୟା ହେଉ ଆଉ ନ ଛାଡ଼ିବି ତୋତେ ।

ମୋହର ନିମନ୍ତେ ଯେବେ କଲ ଏଡ଼େ ବ୍ରତ

ବିଚାରିଣ କାର୍ଯ୍ୟ କର ଆହେ ନରନାଥ ।

ନିଶ୍ଚେଁ ମୁହିଁ ଯିବି ଯେବେ ତୋହର ସଙ୍ଗତେ

ବଚନରେ ସତ୍ୟ ତୁହି କର ହେ ଯୁକତେ ।

ଶମ୍ବର ବୋଇଲା ତୁ ଗୋ କହୁଥିବୁ ଯାହା

ତ୍ରିବାର ସତ୍ୟ ମୋହର କରିବଇଁ ତାହା ।

ଅନେକ ବିୟନ ଭାବେ କହେ କରଯୋଡ଼ି

କିସ ମାଗୁ ମୋତେ କିପାଁ ନ କହୁ ତୁ ଫେଡ଼ି ।

ରତି ବୋଇଲା ତୁମ୍ଭେ ହୋ ଶୁଣ ନୃପବର

ପୂର୍ବେ ଯାର ସଙ୍ଗେ ମୁହିଁ କରିଥିଲି ଘର ।

ସେ ମୋହର ବଚନକୁ ନ କରଇ ଭଙ୍ଗ

ଦିବସରେ ତାର ମୋର ନାହିଁ ରତିରଙ୍ଗ ।

ତୁମ୍ଭେ ପୁଣି ସେହି କଥା ପ୍ରତିପାଳ ଯେବେ

ନିଶ୍ଚୟ ତୁମ୍ଭର ସଙ୍ଗେ ଯିବଇଁ ମୁଁ ତେବେ ।

ଆବର ବଚନ ମୋର କରିଥିବି ନିଷ୍ଠା

ନ ଭକ୍ଷିବି ଉଚ୍ଛିଷ୍ଟ ମୁଁ ନ ଛଇଁ ପାଲଟା ।

ସମୟେ ତୁମ୍ଭ ସଙ୍ଗରେ ଯିବି ଦିନ ବହି

ରାତ୍ରରେ ସଙ୍ଗ ହୋଇବ ଦିନେ ଭେଟ ନୋହି ।

ମୋହର ଗର୍ଭରୁ ହେବ ଯେବଣ ତନୁଜ

ତାହାର ଗୋଚରେ ଦେବୁ ତୋର ସମରାଜ୍ୟ ।

ଯେତେ ଭାରିଯା ତୋହର ଛନ୍ତି ପ୍ରିୟବତୀ

ନ ଚାହିଁବି ମୁଖ ତାଙ୍କ ନ ଯିବଇଁ କତି ।

ଯେତେବେଳେ ବୋଲିବଇଁ ତୋତେ ମୁହିଁ ଯାହା

ନ ଲଙ୍ଘି କରିବୁ ସେହି କଥା ନରନାହା ।

ଶମ୍ବର ବୋଇଲା ସଖି ଧରୁଛି ତୋ ପାଦ

ପୁଣ ପୁଣ ଆକଟ ତ ନ କର ବିଷାଦ ।

ଏ ମୋହର ସତ୍ୟ ସତ୍ୟ ତିନିବାର ସତ୍ୟ

ଶରୀରେ ଜୀବ ଥିଲେ ପାଳିବି ନିୟତ ।

ତୋହର ବ୍ୟତିରେକେ ମୋ ଆନେ ନାହିଁ ଗତି

ଆସ ଆସ ମୋ ରାଜ୍ୟକୁ ଯିବାରେ ଯୁବତି ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ମୁନିବର

ଶୁଣ ଆହୋ ସାବଧାନେ ପରୀକ୍ଷ ନୃବର ।

ଶମ୍ବର ବଚନେ ତୋଷ ହେଲେ ଦେବୀରତି

ବିଧାତା ସୁମରି ଚଳିଗଲେ ଶୀଘ୍ରଗତି ।

ଆଗେ ଯାଇ ରତି ପଛେ ଶମ୍ବର ରାଜନ

ସାରାବତୀ ପୁର ମାର୍ଗେ ଚଳିଲେ ବହନ ।

କାମରୂପ ଅସୁର ଯେ ଜାଣେ ନାନାମାୟା

ପାଦୁକା ମନ୍ତ୍ର ସୁମରି ବଢ଼ାଇଲା କାୟା ।

ପରମ ସନ୍ତୋଷେ ଦୁହେଁ ଚଳିଗଲେ ଖରେ

ତକ୍ଷଣେ ମିଳିଲେ ଯାଇ ସାରାବତୀ ପୁରେ ।

ଚତୁରଙ୍ଗ ସେନା ତାର ଅଧ ବାଟେ ଥିଲେ

ନୃପତି ଯିବାର ଦେଖି ପଛେ ଗୋଡ଼ାଇଲେ ।

ନିଜ ନବରେ ପ୍ରବେଶ ହୋଇଲା ଶମ୍ବର

ରତିକୁ ରଖିଲା ନେଇ ଅନ୍ତଃପୁରେ ତାର ।

ପାତ୍ର ମନ୍ତ୍ରୀ ଅମନାତ୍ୟ ଯେଝାପୁରେ ଗଲେ

ଯେ ଯାହା କାର୍ଯ୍ୟରେ ଲାଗି ନିତ୍ୟକର୍ମ କଲେ ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃମଣି

ଆଦିତ୍ୟ ଅସ୍ତ ଯାଆନ୍ତେ ପ୍ରବେଶ ରଜନୀ   

ରତିର କଥାକୁ ରାଜା ଥିଲାକ ଚିତ୍ତୋଇ

ରବି ଅସ୍ତ ହେବାକୁ ସେ ଥିଲା ବାଟ ଚାହିଁ ।

ପ୍ରଥମ ସନ୍ଧ୍ୟା ଘଡ଼ିକ ହୋଇଲା ଅତୀତ

କାମରେ ଅସ୍ଥିର ରାଜା ଚିତ୍ତ ବିହ୍ଵଳିତ ।

ଆପଣେ ସୁବେଶ ହୋଇ ଶମ୍ବର ନୃପତି

ନାନା ଅଳଙ୍କାର ଅଙ୍ଗେ ଭୂଷଣ ହୁଅନ୍ତି ।

ଅଗ୍ରୁ ଚନ୍ଦନ କର୍ପୂର କସ୍ତୁରୀ ପନିର

ଆପଣେ ଲେପନ ହୋଇ ଅଙ୍ଗେ ନୃପବର ।

ସୁବାସିତ କୁସୁମକୁ ମାଥେ ବାନ୍ଧି ଗଭା

ମଞ୍ଚପୁରେ ଇନ୍ଦ୍ରପ୍ରାୟେ ପାଇଲାକ ଶୋଭା ।

ମୃଦୁସୁଲୀ ପଠାଇଲା ରତିକୁ ହକାରି

ପଲ୍ୟଙ୍କ ଉପରେ ବିଜେ ପଥ ଅନୁସରି ।

ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରୀତି

ଅନ୍ତଃପୁର ଭିତରେ ସେ ଥିଲେ ଦେବୀ ରତି ।

ଛାମୁରେ ପ୍ରବେଶ ହେଲା ଯାଇ ମୁଦୁସୁଲୀ

ଧାତିକାରେ ଜଣାଏ ସେ ନୃପଆଜ୍ଞା ବୋଲି ।

ସାବଧାନ ହୋଇ ତୁମ୍ଭେ ଶୁଣ ଠାକୁରାଣୀ

ଠାକୁରଙ୍କ ଆଜ୍ଞା ହେଲା ଯିବ ଏହି କ୍ଷଣି ।

ଶମ୍ବର ନୃପତିଙ୍କର ବଡ଼ ଅନୁରାଗ

ଦୁଃଖ ପାଇଗଲା ତୋର ଦିଶିଲା ସୁଭାଗ୍ୟ ।

ନିଅବକାଶ ମନ୍ଦିରେ ଛନ୍ତି ବାଟ ଚାହିଁ

ବିଳମ୍ବ ନ କରି ଶୀଘ୍ରେ ଚଳରେ ସୁମୁହିଁ ।

ଶୁଣିକରି ରତିଦେବୀ ବୋଲେ ଧର୍ମ ଧର୍ମ

ଭୋ ଦୈବପୁରୁଷ ମୁହିଁ ଅର୍ଜିଲି ଏ କର୍ମ ।

ଯଦ୍ୟପି ଚାରିଚକ୍ଷୁରେ ଭେଟିବି ଅନଙ୍ଗ

ଅପର ସଙ୍ଗରେ କାହିଁ ହେବ ଅଙ୍ଗସଙ୍ଗ ।

ଶମ୍ବର ରାଜା ଯଦ୍ୟପି ବଳାଇଛି ଆଶ

ପିତା ମନ୍ତ୍ରବଳେ ତାକୁ କରାଇବି ତୋଷ ।

ଏତେ ବୋଲିଣ ଘେନିଲେ ସେ ଚନ୍ଦନ ଘଟି

ତକ୍ଷଣେ ଅଙ୍ଗରୁ ଛଡ଼ାଇଲେ ମଳକୁଟି ।

ନଖ ପାଦ ନାସିକା ଯେ କର ପାଦ ସଞ୍ଚ

ରତି ସଦୃଶେ ପ୍ରତିମା ଗଢ଼ିଣ ସୁସଞ୍ଚ ।

ତାର କର୍ଣ୍ଣେ ମନ୍ତ୍ର କହି ଜୀବନ୍ୟାସ କରି

କନ୍ୟାଏ ଜାତ କରିଲେ ନବଯୁବା ସରି ।

ସମ୍ପୂର୍ଣ୍ଣେ ଷୋଳବୟସୀ ଅତୁଲାଇ ବାମା

ରମ୍ଭା ମେନକା ଉର୍ବଶୀ ନୁହଁନ୍ତି ଉପମା ।

ସର୍ବ ଅଳଙ୍କାରେ ତାକୁ କରିଣ ସୁବେଶ

ବୋଇଲେ ତୁ ଶମ୍ବରର ଯାଇ ମନ ତୋଷ ।

ରାତ୍ରି ପାହିଲା ପର୍ଯ୍ୟନ୍ତେ ଥିବୁ ତାର କତି

ଦିବସେ ମାୟା କରିଣ ଯିବ ଶୀଘ୍ର ଗତି ।

ଶୁକ ବୋଇଲେକ ଶୁଣ ପରୀକ୍ଷ ରାଜନ

କେହି ନ ଜାଣନ୍ତି ଏହୁ ଗୁପ୍ତ କଥା ମାନ ।

ବିଶ୍ୱାସୀ ହୋଇଣ ମୁଦୁସୁଲୀ ଆସିଥିଲେ

ଏସନ ଚରିତମାନ କେହି ନ ଜାଣିଲେ ।

ମଣିମା ମଣିମା ଡାକ ପଡ଼େ ଚଉକତି

ଗମ୍ଭୀରୀ ମଧ୍ୟୁ ବାହାର ହେଲେ ମାୟାବତୀ ।

ଉଲ୍ଲୁକ ମନ୍ତ୍ରବଳରେ ଗୋପ୍ୟ କଲେ କାୟା

ଅନାଦି ସ୍ତିରୀ ସେ ଧାତା ନିର୍ମାଣିଛି ଯାହା ।

ରାତ୍ର ଘଡ଼ିକ ସମୟେ ଶମ୍ବରର କତି

ନିଅବକାଶ ମନ୍ଦିରେ ମିଳେ ମାୟାବତୀ ।

ଶମ୍ବର ଦେଖିଣ ମାୟାବତୀକି ଯେ ଭୋଳ

ଆସ ସୁନ୍ଦରୀ ବୋଲିଣ ବସାଇଲା କୋଳ ।

ପ୍ରେମରସରେ ସେ ଦିନ ପୁହାଇଲା ରାତି

ସୂର୍ଯ୍ୟ ଉଦୟ ହୁଅନ୍ତେ ହୋଇଲା ପ୍ରଭାତି ।

ଶମ୍ବର ପାରୁଶେ ମାୟାବତୀ ରହିଥିଲା

ଆଦିତ୍ୟ ତେଜ ଦେଖିଣ ମୋହ ସେ ହୋଇଲା ।

ଆଦ୍ୟହୁଁ ରତିକୁ ଏହା ବ୍ରହ୍ମା ଥିଲେ କହି

ସେଦିନୁ ପଥ ଚାହିଁ ସେ ଦିନ ଗୁଣ ଥାଇ ।

ନିତ୍ୟକର୍ମ ସାରି ରାଜା ବିଜୟେ ଆସ୍ଥାନେ

ରତି ବ୍ୟତିରେକେ ତାକୁ ନ ରୁଚଇ ଆନେ  

ଯାବତ ରାଜ୍ୟ ସୁଖକୁ ତେଜେ ନରପତି

ସତ୍ୟ ମଣାଇଣ ଥିଲା ଯେଣୁ ପୂର୍ବୁ ରତି ।

ଏସନକ ମାୟାକଥା ନ ଜାଣନ୍ତି ଆନ

ମାୟା ମୋହେ ବଶୀଭୂତ ଶମ୍ବର ନୃରାଣ ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତି

ଅତିଭାଗ୍ୟେ ଭାଗବତ ପୁରାଣର ରୀତି ।

ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି

ଏସନକ ସମୟରେ ପାହିଲା ରଜନୀ ।

ଅତିଶୟ ଗହନ ଏ ଅଟେ ହରିବଂଶ

ପାପାଧିପାତକ ଶୁଣି ହୋଇଯିବ ଧ୍ୱଂସ ।

ତୁମ୍ଭେ ପୁଚ୍ଛିଲ ପ୍ରଦ୍ୟୁନ ଜନମ ବାରତା

ଏସନ ପ୍ରକାରେ ଅଛି ପୂର୍ବର ଯେ କଥା ।

 

କନ୍ଦର୍ପର ପୂର୍ବଶାପ ବିବରଣ

 

ଏହାଶୁଣି ପରୀକ୍ଷିତ ରାଜା ଯେ ପଚାରି

ଆବର ବଚନ ମୋତେ କହ ତପଚାରି ।

ପୂର୍ବକାଳେ କାମଦେବ କଲେ କେଉଁ ଦୋଷ

ବିଷ୍ଣୁଙ୍କର ସୁତ ହୋଇ ହେଳେ ଗଲେ ନାଶ ।

ବ୍ରହ୍ମା ଶ୍ୱଶୁର ଯାହାର ଇନ୍ଦ୍ର ଯାର ପିତା

ରତି ଯାର ନାରୀ ପୁଣି ଶଚୀ ଯାର ମାତା ।

ଏଡ଼େ ବଡ଼ ଲୋକକୁଟି କଷଣ କିପାଇଁ

ଏଥିରେ ତଦନ୍ତ ମୋତେ କହିବା ବୁଝାଇ ।

ମୁନି ବୋଇଲେକ ତୁମ୍ଭେ ଶୁଣ ମହାରଥା

ଯାହା ପୁଚ୍ଛାକଲ ତାହା ଅସମ୍ଭବ କଥା ।

ଭବିଷ୍ୟ ପୁରାଣ ଏତ କଉତୁକ ବାଣୀ

କଣ୍ୱ ମହର୍ଷିଙ୍କଠାରୁ ପୂର୍ବେ ଅଛୁ ଶୁଣି ।

ସ୍ୱାରୋଚିଷ ମନୁର ଯେ ବିଂଶବର୍ଷ ଅନ୍ତେ

ସୁରେଶ୍ୱର ଇନ୍ଦ୍ରନାମେ ବସେ ସ୍ୱର୍ଗପଥେ ।

ବଡ଼ଇ ବିଚକ୍ଷଣ ସେ ମହାବ୍ରହ୍ମବେତ୍ତା

ସକଳ ଶାସ୍ତ୍ର ଜାଣଇ ପୁରାଣ ସଂହିତା   

ଏକଦିନେ ସେହି ସୁରେଶ୍ୱର ସସ୍ରଯୋନି

ଆସ୍ଥାନେ ବିଜେ କରିଛି ସର୍ବଦେବ ଘେନି ।

ବ୍ରହ୍ମଋଷି ଦେବଋଷି ରାଜର୍ଷି ସହିତେ

ଯେ ଯାହାର ଅନୁରୂପେ ବସିଲେ ସମସ୍ତେ ।

ତେତିଶକୋଟି ଦେବତା ବସି କଲେ ସଭା

ଏସନ ସମୟେ ଆସି ମିଳି ବିଶ୍ୱେଦେବା ।

ଖଣ୍ଡେଦୂର ଦେଖି ତାଙ୍କୁ ସମସ୍ତେ ଉଠିଲେ

ମୁନିଙ୍କ ଚରଣେ ଆସି ପ୍ରଣିପାତ କଲେ  

ଯେ ଯାହାର ଅନୁରୂପେ ସର୍ବେ କଲେ ସେବା

ସ୍ୱସ୍ତି କଲ୍ୟାଣ କରିଲେ ତାଙ୍କୁ ବିଶ୍ୱଦେବା ।

ମୁନିଙ୍କ ପଛରେ କାମଦେବ ମିଳେ ଆସି

ଆସ୍ଥାନରେ ପରିଯନ୍ତେ ଗଲେ ସେହୁ ପଶି ।

ରୂପବନ୍ତ ଗୁଣବନ୍ତ ବାସବର ବଳା

ତ୍ରୈଲୋକ୍ୟ ବିଜୟୀ ଧନୁର୍ଦ୍ଧର ଅନର୍ଗଳା ।

ଆସ୍ଥାନ ଉପରେ ଯାଇ ହୋଇଲେକ ଉଭା

ପଦ୍ମବନରେ ଯେସନେ ରାଜହଂସ ଶୋଭା ।

ନହୁଲି ବୟସ ତାର ମୋହନ ମୂରତି

ଚତୁର୍ଦ୍ଦଶ ଭୁବନରେ ନାହିଁ ଏହ୍ନେ ମୂର୍ତ୍ତି ।

ବିଶ୍ୱଦେବାଙ୍କୁ ଦେଖି ସେ କରିଲେ ଭର୍ତ୍ସନା

ବୋଇଲେ ଆଚ୍ଛା ଋଷିଏ ଦେଖିଲୁଟି କିନା ।

ଜାଣିପାରି ଦ୍ୱିତୀବ୍ରହ୍ମା କଲେ ଗୁରୁକୋପ

ବୋଇଲେ ଅନଙ୍ଗ ତୋର ଏତେ ବଡ଼ ଦର୍ପ ।

ଆମ୍ଭକୁ ମାନ୍ୟ ନ କଲୁ କଉଣସି ବାଗେ

ପୁଣି ହିଁ ପିଠି ଦେଇଣ ବସିଲୁ ଆରମ୍ଭେ ।

ଜାଣୁ ଜାଣୁ କେଉଁପରି ହେଲୁ ଜ୍ଞାନଭ୍ରଷ୍ଟ

ଏଡ଼େ ବଡ଼ କର୍ମ କେହ୍ନେ ଅର୍ଜିଲୁ ପାପିଷ୍ଠ ।

ଅନଙ୍ଗ ବୋଇଲେ ତୁମ୍ଭେ ବ୍ରହ୍ମାଙ୍କର ବଳା

ରତିର ଭାଇ ଲେଖାରେ ଆମ୍ଭର ତ ଶଳା ।

ତେଣୁକରି ତୁମ୍ଭଙ୍କୁଟି ଆମ୍ଭ ମାନ୍ୟ ନାହିଁ

ଅନିମିତ୍ତେ କୋପଭର ହୁଅ କିସ ପାଇଁ ।

ଶୁଣିକରି ବିଶ୍ୱଦେବା ହେଲେ କୋପଭର

ନୟନ ଅନ୍ତରାଳ ଯେ କମ୍ପଇ ଅଧର ।

ଆମ୍ଭକୁ ଭର୍ତ୍ସନା ବାକ୍ୟ ବୋଇଲୁ ଅନଙ୍ଗ

ଆମ୍ଭ ଅଭିଶାପେ ଭସ୍ମ ହେଉ ତୋର ଅଙ୍ଗ ।

ମତ୍ତଗର୍ବେ ଉପହାସ କରିଲୁ ତୁ ତାଳେ

ଅସ୍ଥି ସହ ଭସ୍ମହେଉ ନ ରହି ଯେ ତିଳେ ।

ଇନ୍ଦ୍ରଦେବ ବୋଇଲେକ ବିଶ୍ୱେଦେବା ଚାହିଁ

ବୋଇଲେ ଗର୍ବବିହୀନ ପୁରୁଷ ତୁ ହୋଇ ।

ବାଳୁତ ପୁଅକୁ କେହ୍ନେ ଦେଲୁ ଅଭିଶାପ

କୋପ ଶାନ୍ତି କରିବା ହେ ନ କରିଣ ତାପ ।

ଭୋ ମୁନି ଲକ୍ଷେକ ପୁତ୍ର ଅଛନ୍ତି ଗରିଷ୍ଠ

ଅନଙ୍ଗ ତାହାଙ୍କ ମଧ୍ୟେ ଅଟଇ ଯେ ଶ୍ରେଷ୍ଠ ।

ଯେହୁ ଅନଙ୍ଗ ସାକ୍ଷାତେ ସେହୁ ବାସୁଦେବ

ତ୍ରୈଲୋକ୍ୟ ବିଜୟ ପୁତ୍ର ମୋହର ଜାଣିବ ।

ଅନଙ୍ଗ ଜ୍ୟେଷ୍ଠ କୁମର ଅଟେ ଅଗ୍ରଲେଖା

ଦେବେନ୍ଦ୍ରପଣେ ସ୍ୱର୍ଗରେ ମିଳେ ତାକୁ ଟିକା ।

ଏଡ଼େ ବଡ଼ ପୁତ୍ର ତୋର କେଉଁ ଦୋଷ କଲା

ତୁମ୍ଭେ ଧର୍ମଶୀଳ ପୁଣି ଅଟୁ ନିଜେ ଭଲା ।

ବାଳୁତ ପୁଅର ଦୋଷ ଉପେକ୍ଷା କରିବ

ଇନ୍ଦ୍ରଦେବଙ୍କ ବଚନେ ତୁଷ୍ଟ ବିଶ୍ୱବେ ।

ଦର୍ହସିତେ ବୋଇଲେକ ଶୁଣ ହେ ମଘବା

ଅଭିଶାପକୁ ଯେ ପ୍ରତିକାର କହିଦେବା ।

ବ୍ରହ୍ମହତ୍ୟା ଦୋଷଗୋଟା କରିଲେ ଶଙ୍କର

ଏକାମ୍ର ବନେ ବିହିଲେ ଯାଇ ତପ ଘୋର ।

ସ୍ୱର୍ଗପୁରେ ଧାଡ଼ିଦେବ ତାରକା ଦଇତ୍ୟ

ତପ ଭଗ୍ନପାଇଁ ତହିଁ ଯିବୁ ତୁ ତ୍ୱରିତ ।

ଅନଳନୟନେ ତୋତେ ଚାହାନ୍ତେ ଶଙ୍କର

ହୋଇବୁ ତୁ ଭସ୍ମକୁଢ଼ ଜାଣିଥା ନିକର ।

ଏବେ ସମୟେ କରିବୁ ତୁହି କାମ ଭୋଗ

ତିନିମନୁ ଅନ୍ତରେ ଯେ ହେବ ଏହି ଯୋଗ ।

ଦେବଙ୍କର କାର୍ଯ୍ୟେ ତୁହି ହେବୁ ପ୍ରାଣେକ୍ଷୟେ

କୀର୍ତ୍ତି ରହିବ ତୋହର କଳ୍ପାନ୍ତର ଯାଏଁ ।

ଅନଙ୍ଗ ବୋଇଲେ ମୁନି ତୁମ୍ଭର ଯେ ଇଚ୍ଛା

ନ ଜାଣି ଅପ୍ରାଧ କଲି କର ମୋତେ ରକ୍ଷା ।

ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି

କାମଦେବ ଅଭିଶାପ ପୂର୍ବର କାହାଣୀ ।

ବାଳକାଳେ ମତ୍ତଗର୍ବେ ଅର୍ଜିଅଛି ଯାହା

କିଏ ସେ ଅନ୍ୟଥା ପୁଣି କରିବଟି ତାହା ।

ପୂର୍ବାର୍ଜିତ କର୍ମ ଯାହା ତାର କ୍ଷୟ ନାହିଁ

ଅବଶ୍ୟ ପାପ ପୂଣ୍ୟକୁ ଭୋଗିବ ଏ ଦେହୀ ।

ବିଶ୍ୱଦେବାଙ୍କ ଶାପରେ କାମଦେବ ନାଶ

ସେ ଆସି ରୁକ୍ମିଣୀ ଗର୍ଭୁ ଜନ୍ମିବେ ଅବଶ୍ୟ   

ମୁନିଙ୍କର ବଦନରୁ ଏସନକ ଶୁଣି

ଅନେକ କୃତକୃତ୍ୟ ସେ ପରୀକ୍ଷ ନୃମଣି ।

ଭୋ ମୁନି ନିସ୍ତରିଲି ମୁଁ ଜୀବନ ମୋ ଧନ୍ୟ

ଶୁଣିଲଇଁ ହରିବଂଶ ପବିତ୍ର ପୁରାଣ ।

ଅନେକ ଜନ୍ମ ପାତକ ହୋଇଲା ମୋ ଖଣ୍ଡି

କୃଦାନ୍ତ ଦେବତା ମୋତେ ନ ପାରିବ ଦଣ୍ଡି ।

ଶିବପୁରାଣ ଯେ ବିଷ୍ଣୁ ପୁରାଣର ବାଣୀ

କୋଟିଜନ୍ମ ପାପ ନାଶଯିବ ଏହାଶୁଣି ।

ହରିହର ଏକଆତ୍ମା ନାହିଁ ଭିନ୍ନାଭିନ୍ନ

ସେ ଦୁହିଁଙ୍କ ପାଦେ ସଦା ରହୁ ମୋର ମନ  

ମୁଁ ଦୀନ ଅଚ୍ୟୁତ ଦାସ ଜନ୍ମରୁ ମୁରୁଖ

ସୁଦୟା କରନ୍ତୁ ମୋତେ ହରି ପଞ୍ଚମୁଖ ।

 

ହରିବଂଶ ଷଷ୍ଠ ଖଣ୍ଡ

ପ୍ରଦ୍ୟୁମ୍ନ ଜନ୍ମ

 

ଏଥୁ ଅନନ୍ତରେ ହେଲା କେବଣ ହିଁ ବିଧି

ସଂକ୍ଷେପିଣ କହିବା ତା ମୋତେ ତପୋନିଧି ।

ରୁକ୍ମିଣୀ ଦେବୀର ପୁଣି ହେଲା ଗର୍ଭବାସ

ସଂକ୍ଷେପି କହିବା ମୋତେ ବ୍ୟାସଙ୍କର ଶିଷ୍ୟ ।

ଶୁକମୁନି ବୋଇଲେକ ଶୁଣ ସାବଧାନେ

ଅତିଭାଗ୍ୟେ ଭାଗବତ ପୁରାଣ ବିଧାନେ ।

ଏଥୁ ଅନନ୍ତରେ ହାଦେ କେତେହେଁକ ଦିନେ

ଦୁର୍ବାସା ମିଳିଲେ ଆସି ଦ୍ୱାରକା ଭୁବନେ ।

ହସ୍ତରେ ଯେ ବ୍ରହ୍ମଦଣ୍ତ ମାଥେ ବାନ୍ଧି ଠେକା

କପିଳାମଳ ବିଭୂତି ମସ୍ତକରେ ଟିକା ।

କର୍ଣ୍ଣେ ତମ୍ବାକୁଣ୍ତଳ ଯେ କଟିରେ କାଛଟି

ବିଶ୍ୱନାଥ ମୁଦ୍ରାଗୋଟି ଅତ୍ୟନ୍ତ ପ୍ରକଟି ।

ତୁଳସୀ ରୂଦ୍ରାକ୍ଷମାଳା ଭୂଷିତ କଣ୍ଠରେ

ଉତ୍ତରୀ ପକାଇଛନ୍ତି ବାମକନ୍ଧ ପରେ ।

କୋଟିଏକ ବାଳଖିଲ୍ୟା ଘେନି ବ୍ରହ୍ମଋଷି

ଦ୍ୱାରକାପୁରେ ପ୍ରବେଶ ହୋଇଲେକ ଆସି ।

କୁଶସ୍ଥଳୀ କଟକକୁ ଦେଖି ପ୍ରଶଂସିଲେ

ସ୍ତୁତି କରିଣ ଯେ ଯାର ନବରେ ପଶିଲେ ।

ଦେଖି ଦ୍ୱାରପାଳେ ପଥ ଛାଡ଼ିଦେଲେ ଡରେ

ଦୁର୍ବାସା ମିଳିଲେ ଯାଇ ଶ୍ରୀକୃଷ୍ଣ ଛାମୁରେ ।

ନବରତ୍ନ ମନ୍ଦିରରେ ବିଜେ ଚକ୍ରପାଣି

ସନ୍ନିଧିରେ ଉଭା ହୋଇ ଅଛନ୍ତି ରୁକ୍ମିଣୀ ।

ଏ ସମୟେ ମିଳିଯାନ୍ତେ ଯାଇ ମହାଋଷି

ଦେଖିଣ ପାଛୋଟି ନେଲେ ତହୁଁ ହୃଷୀକେଶୀ ।

ଆସନ ପରେ ବସାଇ ବୋଲନ୍ତି ବଚନ

ଜୟ ଜୟ ମହାଋଷି ବିଜ୍ଞ ତପୋଧନ ।

ଅଲଙ୍ଘିତ ବାକ୍ୟ ତୋର ଯେହ୍ନେ ସୁଧାଧାର

କ୍ଷୁଧା ତୃଷା ବିବର୍ଜି ମହାବିଜ୍ଞବର ।

କାଳ କାମ ନିଦ୍ରା ତୁମ୍ଭେ ଦେଇଅଛ ତେଜି

ଚଉଦ ଭୁବନେ ତବ ମହିମା ବିରାଜି ।

ଅତ୍ରି ମହାଋଷି ଯାର ଅଟନ୍ତି ତ ପିତା

ଅନୁସୂୟା ଅଟେ ପୁଣି ଯାର ନିଜ ମାତା ।

ନମସ୍ତେ ବ୍ରହ୍ମଋଷି ହେ ମହାବ୍ରହ୍ମଜ୍ଞାନୀ

ଅତୁଳାୟିତ ପୁରୁଷ ମହିମା କେ ଜାଣି ।

ଦୁର୍ବାସା ସନ୍ତୋଷ ହେଲେ ଶ୍ରୀକୃଷ୍ଣ ବଚନେ

ବୋଇଲେ ଶୁଣିବା ଆହେ ଦେଵ ଜନାର୍ଦ୍ଦନେ ।

ଅଶେଷ କୋଟି ବ୍ରହ୍ମାଣ୍ତେ ତୁମ୍ଭେ ଆଦି ପିତା

କି ଅବା ବର୍ଣ୍ଣିବି ମୁହିଁ ତୁମ୍ଭ ଗୁଣଗାଥା ।

ତୁହି ଦେବ ଅନନ୍ତ ହେ ମହାବିଶ୍ୱରୂପୀ

ସ୍ଥାବର ଜଙ୍ଗମ କୀଟ ସବୁଠାରେ ବ୍ୟାପୀ ।

ଦେବାଧି ଦେବଙ୍କ ପରେ ଅଟୁ ଦେବରାୟେ

ଅଶେଷ ଭୁବନେ ତବ ବ୍ୟାପିଅଛି କାୟେ ।

ଭୋଦେବ ଅଶେଷ ପୁରେ ଯେତେ ଜୀବ ଜାତ

ତୋହରଠାରୁ ସକଳ ହୁଅନ୍ତି ସମ୍ଭୁତ ।

ତୁହି ଦେବ ନାରାୟଣ ନର ଅବତାର

ପୃଥିବୀର ଭାରାଭର ତୁମ୍ଭେ ତ ଉଦ୍ଧାର ।

ଶ୍ରୀକୃଷ୍ଣ ବୋଇଲେ ମୁନି ତୁମ୍ଭହେତୁ ସିନା

ଦ୍ୱାରାବତୀ ଭୁବନ ଯେ ଅତ୍ୟନ୍ତ ପାତନା ।

ଭୋ ମୁନି ଏକାନ୍ତ କଥା ପଚାରଇ ତୋତେ

ଭୂତ ଭବିଷ୍ୟତ ବାଣୀ କହିବୁଟି ମୋତେ ।

ରୁକ୍ମିଣୀ ଦେବୀ ପ୍ରଥମ ମାସ ଗର୍ଭଗତ

ଜାଣଟିକି ମୁନି ଆହେ କିସ ହେବ ଜାତ ।

ଦୁର୍ବାସା ଋଷି ହସିଲେ ସେହି କଥା ଶୁଣି

ବୋଇଲେ କି ନ ଜାଣୁ ତୁ ପୁଚ୍ଛୁ ଚକ୍ରପାଣି ।

ବିଶ୍ୱକୂଟ ମାୟା ତୁହି ଭିଆଇଛୁ କିସ

କେ ତାହା ଅନ୍ୟଥା କହିପାରେ ଜଗଦୀଶ ।

ଏ ତୋହର ମାୟାଗୋଟି ଦେବେ ଅଗୋଚର

ମୋତେ ଏହା କାହିଁପାଇଁ ପୁଚ୍ଛ ଚକ୍ରଧର ।

ରୁକ୍ମିଣୀ ବୋଇଲେ କିସ କୁହ ଦୁଇଜଣେ

ଗୁପତ କରିଣ ମୋତେ ଲୁଚାଅ ଆପଣେ ।

ଦୁର୍ବାସ ବୋଇଲେ କିସ ତୁମ୍ଭଙ୍କୁ କହିବା

ଶୁଣିଲେ ବ୍ୟଥା ପାଇବ ହୋଇଅଛି ଯେବା ।

ରୁକ୍ମିଣୀ ବୋଇଲେ ମୁନି କହ ମୋତେ ଫେଡ଼ି

ହୃଦୟ ମନରୁ ଭ୍ରାନ୍ତି ଯାଉ ମୋର ଛାଡ଼ି ।

ଦୁର୍ବାସା ବୋଇଲେ ଜିଦି ଯେବେ ଧର ମାତ

ସାବଧାନେ କହିବାଟି ଶୁଣ ସେହି ତତ୍ତ୍ୱ ।

ମାଗୋ କାମ ଦଗ୍‌ଧ ହେଲା ହର କୋପାନଳେ

ସେ ଏବେ ତୁମ୍ଭ ଗର୍ଭରୁ ଜନ୍ମିବ ଶୟଳେ ।

ବଳବନ୍ତ ଗୁଣବନ୍ତ ବିଜ୍ଞ ଶିରୋମଣି

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହୋଇବ କାରେଣି ।

ନାରାୟଣ ଯାର ପିତା ଲକ୍ଷ୍ମୀ ଯାର ମାତା

ତ୍ରିଭୁବନରେ ତାହାକୁ କେ ହେବ ଶକତା ।

ଦ୍ୱିତୀନାରାୟଣ ଭବେ ହେବେ ଅବତାର

ଖଣ୍ତନ କରିବେ ନିଶ୍ଚେଁ ପୃଥିବୀର ଭାର ।

ଅନେକ ପୁତ୍ର ନାତି ଯେ ହୋଇବେ ତାଙ୍କର

ଚିରାୟୁ ଧନ ସମ୍ପଦ ହୋଇବ ଅପାର ।

ଏକ ଅବିଗୁଣ ହେବ ଅଛଇ କଥାଏ

କହିଲେଟି ଖେଦ ମନେ ପାଇବ ଗୋ ମାଏ ।

ରଜଚକ୍ର ଯୋଗୁଁ ଫଳ ଫୁଲ ହେବ ନଷ୍ଟ

ଥୋକେଦିନ ପୁତ୍ରତୋର ହେବେ ସ୍ଥାନଭ୍ରଷ୍ଟ ।

ଏ କଥାରେ ମନେ ଭ୍ରାନ୍ତି ନ କର ତୁ କିଛି ।

ଆଗୁହୁଁ ବିଧାତା ଯାହା ଭିଆଇଣ ଅଛି  

ଅନ୍ତୁଡ଼ିଶାଳରେ ପୁତ୍ର ଥାଆନ୍ତେ ତୋହରି

ଗୁପ୍ତେ ଦାନବ ଶମ୍ଵର ନେବ ତାଙ୍କୁ ହରି ।

ରୂପ ଦେଖିଣ ମୋହିତ ହୋଇବ ଦଇତ

ପ୍ରାଣେ ମାରିବାକୁ ତାର ନ ବଳିବ ଚିତ୍ତ ।

ମଞ୍ଜୁଷ ଭିତରେ ତାକୁ ଯତନେ ପୂରାଇ

ସପ୍ତ ସମୁଦ୍ର ମଧ୍ୟକୁ ଦେବ ଫୋପାଡ଼ଇ ।

ଅକୁଳିତ ସମୁଦ୍ରେ ସେ ପଡ଼ିବ ବହନ

ଆହାର ମଣିଣ ତାହା ଗିଳିଦେବ ମୀନ ।

ଆଗହୁଁ ବିଧାତା ଏହା ଅଛଇ ଭିଆଇ

ଧୀବର ଜାଲରେ ମୀନ ଧରାହେବ ଯାଇ ।

ମାଛ ପାଇଣ ଧୀବର ଆନନ୍ଦ ହୋଇବ

ସାରାବତୀ କଟକରେ ରାଜାକୁ ଭେଟିବ ।

ନୃପତି ଅଗ୍ରତେ ଦେବ ନେଇ ଦରଶନି

ମାୟାବତୀ ପୁରକୁ ସେ ମାଛ ଯିବ ଘେନି ।

ମୀନ କାଟନ୍ତେ ଗର୍ଭରୁ ଜନ୍ମିବ କୁମର

ତୁହଁ ମୀନକେତନ ଯେ ହେବ ଅବତାର ।

ସେ ଦିନ ରତିଦେବୀର ପୂର୍ଣ୍ଣ ହେବ ବାଞ୍ଛା

ଆପଣା ସ୍ଵାମୀକି ପାଇ ହୋଇବ ସେ ରକ୍ଷା ।

ତା ହସ୍ତେ ଶମ୍ବର ହେବ ସବଂଶରେ କ୍ଷୟ

ଲେଉଟି ତୋ ପୁରେ ଆସି ମିଳିବ ତନୟ ।

ମାଗୋ ତୁ ପ୍ରତ୍ୟକ୍ଷେ ଲକ୍ଷ୍ମୀ କୃଷ୍ଣର ଘରଣୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ଅଟୁ ଠାକୁରାଣୀ ।

କୀଟୁ ବ୍ରହ୍ମା ପରିଯନ୍ତେ କରୁ ଅନ୍ନଦାନ

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାହାଙ୍କ ଅଧୀନ ।

ମାଗୋ ଦେବତାଙ୍କୁ ତୁହି କରିପାରୁ ହତ

ତୋହର ବ୍ୟତିରେକରେ ଅପର ନାହିଁତ ।

ରୁକ୍ମିଣୀ ଭଣି ପ୍ରତ୍ୟକ୍ଷେ ତୁମ୍ଭେ ପିତାମହ

ଭୂତ ଭବିଷ୍ୟାଦି ତିନିକାଳ କଥା କହ ।

କେବେହେଁ ଅନ୍ୟଥା ନୁହେଁ ତୁମ୍ଭର ଯେ ବାଣୀ

ଶୁଣିକରି ଯେ ସନ୍ତୋଷ ହେଲେ ତପିମଣି ।

ଅନ୍ତର୍ଦ୍ଧାନ ହୋଇ ତହୁଁ ଚଳିଲେ ତକ୍ଷଣ

ଏଥୁ ଅନନ୍ତରେ ରସ ଶୁଣ ନୃପରାଣ ।

ମୁନି ଯାନ୍ତେ ଅନ୍ତଃପୁର ତେଜି ଭଗବାନ

ସୁଧର୍ମା ସଭାରେ ଆସି ମିଳିଲେ ବହନ ।

ଉଗ୍ରସେନ ଆଦିକରି ସମସ୍ତ ଯାଦବେ

ଆସ୍ଥାନେ ବସିଲେ ଆସି ଯେ ଯାହାର ଠାବେ ।

ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର

ଉଦ୍ଧବ ସହସ୍ରାଜିତ କୃତବର୍ମା ବୀର ।

ଦେବକୀର ଷଡ଼ପୁତ୍ର ରାମଙ୍କ ସହିତେ

ସୁଧର୍ମା ସଭାରେ ଆସି ବସିଲେ ସମସ୍ତେ ।

ଏସନ ସମୟେ ବାର୍ତ୍ତା ଜଣାଏ ଜ୍ୟୋତିଷ

ରୁକ୍ମିଣୀ ଦେବୀର ଗର୍ଭ ହେଲା ପାଞ୍ଚମାସ ।

ସକଳ ଯାଦବେ ଶୁଣି ସନ୍ତୋଷ ହୋଇଲେ

ଭୀଷ୍ମକ ନୃପତି ରାଜ୍ୟେ ଦୂତ ବରଗିଲେ ।

ଦେବକୀ ଯେ ଇନ୍ଦୁମତୀ ଆଦି ଯେତେ ବାଳୀ

ପାଞ୍ଚମାସ ବନ୍ଦାପନା କଲେ ସର୍ବେ ମିଳି ।

ଲଡୁମୁଆଁ ପଣା ଖଜା ଚିତାଉ ଉତ୍ସବ

ନଗର ମଣ୍ଡାଇ କଲେ ନାନାଦି ସମ୍ଭର୍ବ ।

ସକଳ ରାଜ୍ୟରେ କଥା ହୋଇଲା ପ୍ରକାଶ

ଦିନକୁଦିନ ରୁକ୍ମିଣୀ ପାଇଲେ ଅଳସ ।

କେଶବାସ ଆଦି ନାନାଭୋଗ ସେ ଛାଡ଼ିଲେ

ପଲ୍ୟଙ୍କ ସୁପାତି ତେଜି ଭୂମିଶଯ୍ୟା କଲେ ।

ନ ରୁଚଇ ଅନ୍ନପାଣି ନ ଚଳଇ ଦେହ

ଗନ୍ଧ ଚନ୍ଦନ କର୍ପୁରେ ନ ବଳିଲା ସ୍ନେହ ।

ଅତି ଅଶକତେ ଚଳି ନ ପାରଇ ଦେହୀ

ଗର୍ଭ ମହାଭାରା ଦେବୀ ନ ପାରନ୍ତି ସହି ।

ଏମନ୍ତ ପ୍ରକାରେ ତହୁଁ କେତେଦିନ ଗଲା

କ୍ରମେ କ୍ରମେ ଦଶମାସ ସମ୍ପୂର୍ଣ୍ଣ ହୋଇଲା ।

ଋଷଭ ଶୁକ୍ଳ ଯେ ଏକାଦଶୀ ଚନ୍ଦ୍ରବାର

ଚିତ୍ରାନାମରେ ନକ୍ଷତ୍ର ଅଟେ ସେ ଦିନର ।

ସକଳ ଶୁଭ ଯୋଗରେ ଶୁଭ ତାର ଅଛି

ବାର ନକ୍ଷତ୍ରର ଅବିଗୁଣ ନାହିଁ କିଛି ।

ବିଷ୍ଟି ନାମରେ କରଣ ଅତିଗଣ୍ଡ ଯୋଗ

ବୃଷ ସଙ୍କରାନ୍ତିକୁ ଯେ ବିଂଶଦିନ ଭୋଗ ।

ଏକାଦଶୀ ଦଣ୍ଡର କକଡ଼ା ଲଗ୍ନେ ଯଥା

ରୁକ୍ମିଣୀ ଦେବୀଙ୍କର ଯେ ହେଲା ଗର୍ଭବ୍ୟଥା ।

ପାରୁଶେ ବେଢ଼ିଲେ ଆସି ବହୁ ଦାସୀବୃନ୍ଦ

ଯେ ଯାହାର ଅନୁରୂପେ ହୋଇଣ ଆନନ୍ଦ ।

ଶ୍ରୋତ୍ରିୟ ବ୍ରାହ୍ମଣମାନେ ବେଦ ପାଠକରି

ଗୋ ଦୋହନ କରାଇଲେ ଶିବଙ୍କ ଉପରି ।

ଦେବତାମାନଙ୍କୁ ପୁଣି କଲେ ବହୁସ୍ତୁତି

ରୁକ୍ମିଣୀ ଗର୍ଭୁ କୁମର ଖସିପଡ଼େ କ୍ଷିତି ।

ଫଳ ଫୁଲ ରକତ ଯେ ମଳସୂତ୍ର ସଞ୍ଚ

ଧରାରେ ଶୟନ କଲେ ରୁକ୍ମିଣୀର ବତ୍ସ ।

ଜାଜ୍ଜ୍ଵଲ୍ୟମାନ ଜ୍ୟାତି ଯେ ମହା ଜ୍ୟୋତିର୍ମୟେ

ନିର୍ମଳ ଗଗନେ ଯେହ୍ନେ ଚନ୍ଦ୍ରମା ଉଦୟେ ।

ଅତୁଲାୟିତ ବଦନ ଶୋଭା ରୂପରାଶି

ପ୍ରତ୍ୟକ୍ଷରେ କାମ ଭବେ ବିଜେ କଲେ ଆସି ।

କୋଳାହଳ ଶବଦ ଯେ ଶୁଭେ ଘୋରଧ୍ଵନି

ଶୋଭାରେ ମୋହୁ ଅଛଇ ସ୍ଵର୍ଗ ମର୍ତ୍ତ୍ୟ ବେନି ।

ରୁକ୍ମିଣୀଙ୍କ ନିକଟରେ ଥିଲେ ପରିବାରୀ

ମୁଖରେ ପାଣି ସିଞ୍ଚିଣ ସଚେତ ସେ କରି ।

ତପତ ସଲିଳ ସ୍ଵର୍ଣ୍ଣ ଭାଣ୍ଡରେ ପୂରାଇ

ଦ୍ଵାଦଶ ନୀରରେ ପଞ୍ଚାମୃତକୁ କରାଇ ।

ତିଳ ଅଏଁଳାକୁ ଘୋଟି ଲେପିଲେକ ଅଙ୍ଗେ

ସ୍ଵର୍ଣ୍ଣଶାମୁକାରେ ନାଭି ଛେଦିଦେଲେ ବେଗେ ।

ଅର୍ଘ୍ୟ ବନ୍ଦାଇ ଦେବକୀ ଦେବୀ ଇନ୍ଦୁମତୀ

କୁଶସ୍ଥଳୀ ଦ୍ଵାରକାରେ ଆନନ୍ଦ ହୁଅନ୍ତି ।

କୁମର ଉତ୍ସବେ ହେଲା ହାଟବାଟ ଜୂର

ବାଜଇ ଯେ ଢୋଲ ଦମା ଭେରୀ ଶଙ୍ଖତୂର ।

ହାଟବାଟ ନଗରରେ ଉତ୍ସବ କରିଲେ

ମେଲା ମଣ୍ଡପରେ ସ୍ଵର୍ଣ୍ଣତ୍ରୋଣା ଲମ୍ବାଇଲେ ।

କାନ୍ଥ ବାଡ଼ମାନଙ୍କରେ ଦେଲେ ବହୁଝୋଟି

ନେତ ଉପାଙ୍ଗ ଚିରାଳ ଉଡ଼େ କୋଟି କୋଟି ।

ଦ୍ଵାରେ ଦ୍ଵାରେ ରମ୍ଭାତରୁ ଚୂତପତ୍ର ଡାଳ

ପୂର୍ଣ୍ଣକୁମ୍ଭ ପୂରାଇଣ ସ୍ଥାପିଲେ ସକଳ ।

ହାଟୁଆ ବାଟୁଆ ଆଉ ବଣିକ ପସାରି

ରୁକ୍ମିଣୀ ପୁତ୍ର ଜନ୍ମରେ ଆନନ୍ଦିତ ଭାରି ।

ଏଥୁ ଅନନ୍ତରେ ପୁଣି ଅମର ପୁରରେ

ବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ ।

ସାବଧାନ ହୋଇ ତୁମ୍ଭେ ଶୁଣ ମଘବାନ

ଏକ୍ଷଣି ରୁକ୍ମିଣୀ ଗର୍ଭୁ ପୁତ୍ର ହେଲେ ଜନ୍ମ ।

ମହୀର ଭାରାଭର ସେ କରିବେ ଉଶ୍ଵାସ

ବାଣା ବଜ୍ରନାଭ ଆଦି ସବୁ ଯିବେ ନାଶ ।

ଶୁଣି ମହାସନ୍ତୋଷ ଯେ ହେଲେ ପରମେଷ୍ଠୀ

ଇନ୍ଦ୍ର ଦୁନ୍ଦୁଭି ବଜାଇ କଲେ ପୁଷ୍ପବୃଷ୍ଟି ।

ସ୍ତିରୀଗଣମାନେ ରୁଣ୍ଡ ହୋଇଲେ ସକଳ

ଜୟ ମଙ୍ଗଳ ଉଚ୍ଚାରି ଅନ୍ତୁଡ଼ିର ଶାଳ ।

ଅଗରୁ ଚନ୍ଦନେ ଲଗାଇଲେ ସେ ବହନି

ହୁଳହୁଳି ଦ୍ୟନ୍ତି ମିଳି ଅହିଅ କାମିନୀ ।

ଗଜଦନ୍ତ ପଲ୍ୟଙ୍କରେ ସୁପାତି ସଜାଇ

ସ୍ତିରୀଗଣମାନେ ପୁଅ ଶୁଆଇଲେ ନେଇ ।

ରୁକ୍ମିଣୀଙ୍କୁ ଶୌଚକରି ସକଳ ଯୁବତୀ

ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଟାଣିଲେ ଚୌକତି ।

ରଥ ଗଜ ପଦାତିକ ଚତୁରଙ୍ଗ ବଳ

ଖଞ୍ଜାରେ ରହିଲେ ତହିଁ ଯେଝାରେ ସକଳ ।

ଜଗନ୍ନାଥ ବଳରାମ ଆଗେ ଉଭା ହୋଇ

ସକଳ ସଞ୍ଚା କରଲେ ଦ୍ରବ୍ୟନ୍ତି ଭିଆଇ ।

ସାତ୍ୟକି ଯେ ଅନାଧୃଷ୍ଟ ରାମ ଉଗ୍ରସେନ

ଉଦ୍ଧବ ଅକ୍ରୂର ଆଦି ହେଲେ ତୋଷମନ ।

ଏଥୁଅନ୍ତେ ଅସ୍ତାଚଳେ ଗଲେ ଦିନମଣି

କହୁଁ କହୁଁ ପ୍ରବେଶିଲା ଆସିଣ ରଜନୀ ।

ସକଳ ଯାଦବମାନେ ଯେଝାପୁରେ ଗଲେ

ଯଥାବିଧି ସ୍ନାନ ଭୋଜନାଦି ଶେଷ କଲେ ।

ରକ୍ଷକମାନେ ରହିଲେ ଅନ୍ତୁଡ଼ିର ଶାଳ

ଭିତରକୁ ବିଜେ କଲେ କୃଷ୍ଣ କାମପାଳ ।

ଅତି ଆନନ୍ଦ ଉତ୍ସବେ ରହିଲେ ସକଳେ

ବିଜେ କଲେ ସର୍ବେ ଯାଇ ନିଜ ନିଜ ଆଳେ ।

ବିଶ୍ଵେଦେବା ଶାପ ଏବେ ହୋଇଲା ମୋଚନ

ଶମ୍ଵର ନାଶିବା ପାଇଁ ଜନ୍ମିଲେ ପ୍ରଦ୍ୟୁମ୍ନ ।

ବାଳଅର୍କ ଜିଣି ପ୍ରଭା ଦିଶେ ସେ ଶିଶୁର

ଯେଣୁ ସେ ଅଟଇ ପ୍ରତିମୂର୍ତ୍ତି ମଦନର ।

ସେ ରତିପତିର ପଦେ ରହୁ ମୋର ମତି

ଅତି ଦୀନହୀନ ଅଟେ ମୁଁ ଦାସ ଅଚ୍ୟୁତି ।

 

ଶମ୍ବରାସୁର କର୍ତ୍ତୃକ ପ୍ରଦ୍ୟୁମ୍ନ ଅପହରଣ ଏବଂ ସମୁଦ୍ର ଗର୍ଭକୁ କ୍ଷେପଣ

 

ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି

ନାରଦ ମହାମୁନି ସେ ବାର୍ତ୍ତାପାଇ ପୁଣି ।

ମନପବନ ଚଢ଼ିଣ ଆସି ମହାଯତି

ଶମ୍ବର ପୁରେ ପ୍ରବେଶ ହେଲେ ତକ୍ଷଣାନ୍ତି ।

ସମ୍ଭର୍ବେ ଶମ୍ବର ରାଜା ଆସ୍ଥାନରେ ବସି

ବେଦ ଅଧ୍ୟୟନ କରି ମିଳିଲେକ ଋଷି ।

ପ୍ରତ୍ୟକ୍ଷରେ ବ୍ରହ୍ମାଙ୍କର ପରାୟେ ବଦନ

ରସାଣିଲା ସ୍ଵର୍ଣ୍ଣ ପ୍ରାୟେ ଦିଶେ ଛନ୍ନ ଛନ୍ନ ।

ବିଭୂତି ବିଲେପନ ସେ ଅତିଅନ୍ତ ଶୋଭା

ମର୍କତ ଲିଙ୍ଗ ପରାୟେ ଦେଖାଯାଏ ଆଭା ।

ମସ୍ତକରେ ମଣି କର୍ଣ୍ଣଯୁଗଳେ କୁଣ୍ଡଳ

ଚନ୍ଦ୍ରମା ପରାୟେ ସେହୁ ଦିଶେ ଢଳ ଢଳ ।

ରଙ୍ଗ ବସ୍ତ୍ର ପରିଧାନ ଓଢ଼ିଆଣୀ ବନ୍ଧ

ଉତ୍ତରୀ ଯଜ୍ଞୋପବୀତ ପ୍ରୋକ୍ଷଣୀ ଯେ ଛନ୍ଦ ।

କରେ ବେଦକାଣ୍ଡି ପୋଥି କମଣ୍ଡଳୁ ବୀଣା

ବୃହତ୍ସାମ ଗାୟନ ସେ କରି ଅଗଣନା ।

ମନ ପବନ ଦଣ୍ଡକୁ ଆରୋହିଣ ବେଗେ

ଅଦ୍ଭୁତେ ମିଳିଲେ ଯାଇ ଶମ୍ବରର ଆଗେ ।

ଯେସନେ ଚନ୍ଦ୍ରମା ଉଇଁ ଆସଇ ଆକାଶୁଁ

ତେସନେକ ସଞ୍ଜାତରେ ଦିଶେ ମୁନି ଆସୁ ।

ଦେଖିଣ ଶମ୍ବର ଉଠେ ଆସନକୁ ମାଡ଼ି

ସାଷ୍ଟାଙ୍ଗରେ ପ୍ରଣମଇ ମୁନିପାଦେ ପଡ଼ି ।

ଗନ୍ଧ ଧୂପ ଦେଇ କରି କରେ ପାଦପୂଜା

ଅନେକ ସ୍ତୁତି ବଚନ ବୋଲେ ମହାରାଜା ।

ଅଷ୍ଟରତନ ଆସନେ କୃଷ୍ଣାଜିନ ପାଡ଼ି

ଗୌରବ ପାଇ ବସିଲେ ଆସନକୁ ମାଡ଼ି ।

ରାଜାର ଭକତି ଦେଖି ଭଣି ମୁନିବର

ବିଶ୍ଵାସ କଥା ତୋତେ ହୋ କହିବା ନୃବର ।

ଯେଣୁ ସର୍ବକାଳେ ତୁହି କରୁ ଆମ୍ଭ ସେବା

ଏଡ଼େ ବଡ଼ କଥା କେହ୍ନେ ତୋତେ ନ କହିବା ।

ରକ୍ଷ ଭକ୍ଷ ବୀଣା ମଧୁକୈଟଭ ଅସୁରେ

ମହା ମହା ବୀର ଥିଲେ ଏହି ପୃଥିବୀରେ ।

ପାପ ଆଚରଣ କରି ଅଳ୍ପେ ଗଲେ ନାଶ

ବହୁକାଳ ବଞ୍ଚିଲୁ ତୁ ପୁଣ୍ୟତ୍ମା ପୁରୁଷ ।

ତେଣୁ କରି ତୋତେ ଆମ୍ଭେ କରୁ ବଡ଼ ଦୟା

ଅସୁରଙ୍କଠାରେ ହରି କରେ ବଡ଼ ମାୟା ।

ଆମ୍ଭର କର୍ଣ୍ଣରେ ଶୁଣି ପାଉ ବଡ଼ ତ୍ରାସ

ତୋହଭଳି ଲୋକ ଯେବେ ଯିବ ଅଳ୍ପେ ନାଶ ।

ସମୟେ ଭୋଗ କରିଲୁ ନିଷ୍କଣ୍ଟେ ଧରଣୀ

ଏତେକାଳେ ବିଧାତା ଯେ ଖଣ୍ଡିଲା ତା ଆଣି ।

ସେ କଥାମାନଙ୍କୁ ତୋତେ କହିବା ବତାଇ

ତେଣୁ କରି ଧାତିକାରେ ଅଇଲୁ ଚଳାଇ ।

ଆପଣା ଆୟୁଷ ଥିଲେ ସବୁ ଅର୍ଜିପାରି

ଶରୀର ଗଲେ କେହି ତ ନୁହଇ କାହାରି ।

ଶମ୍ଵର ବୋଇଲେ ତୁମ୍ଭେ ଭବିଷ୍ୟତ ଜ୍ଞାତା

ତୁମ୍ଭର ବଚନ କିଏ କରିବ ଅନ୍ୟଥା ।

ଏହି କଥା ଶୁଣି ମୋତେ ଲାଗେ ବଡ଼ ଭୟ

ଏଥିରୁ ପାରି ହେବାକୁ ଅଛି କି ଉପାୟ ।

ନାରଦ ବୋଇଲେ ତୁହି ନ ଜାଣୁ ବା କିସ

ନବ ନାଟକ ତୁଲରେ ଜାଣଉ ତୁ ସର୍ବସ୍ଵ ।

ସଚରାଚର ପୃଥ୍ଵୀରେ ଏକ ଚକ୍ରବର୍ତ୍ତୀ

ଅସୁରଙ୍କ ଶ୍ରେଷ୍ଠ ତୁହି ଜାଣୁ ମାୟାରୀତି ।

ତୋହର ବୁଦ୍ଧିରେ ତୁହି ରକ୍ଷା ହୁଅ ବାବୁ

ଆପଣେ ବିନାଶ ହେଲେ ନଷ୍ଟ ହେବ ସବୁ ।

ତୋର ଭଳି ଲୋକ ଜଣେ ଅତିପୁଣ୍ୟେ ପାଇ

ଅନେକ ଯଶ ଲଭଇ ଶ୍ରେଷ୍ଠ ସେ ବୋଲାଇ ।

କେହି କାହାର ନୁହଇ ଆପଣାର ଅନ୍ତେ

ସକଳ ଅର୍ଜିପାରି ଯେ ନିଜେ ନିଜେ ଥାନ୍ତେ ।

ତୋହର ଅଭାବେ ଆମ୍ଭେମାନେ ବଡ଼ ବ୍ୟଥା

ତେଣୁକରି ଗୁପତରେ କହିବୁଟି କଥା ।

ଶ୍ରୀକୃଷ୍ଣଙ୍କର ନନ୍ଦନ ହୋଇଲା ଜନମ

ସେ ତୋତେ ନିଶ୍ଚେମାରିବ ନାମ ତା ପ୍ରଦ୍ୟୁମ୍ନ ।

ଶମ୍ବର ବୋଇଲା ମୁନି କହ ମୋତେ ଫେଡ଼ି

କେମନ୍ତେ ତାକୁ ମାରିବି ହଂସା ଯାଏ ଉଡ଼ି ।

ଏକାନ୍ତରେ ଶମ୍ବରକୁ ଡାକି ମୁନିବର

ବୋଇଲେ ସତ୍ୟ କର ତୁ ଆମ୍ଭର ଆଗର ।

କାହାର ଆଗରେ ଏହି କଥା ନ କହିବୁ

ତୋହର ବ୍ୟତିରେକରେ ଆନେ ଫେଡ଼ିବୁ ।

ମୁନିଙ୍କର ବାକ୍ୟେ ରାଜା ସତ୍ୟ କଲା ଉଠି

ଆନର ଆଗେ କହିଲେ ମୂର୍ଦ୍ଧା ଯିବ ଫାଟି ।

ମୁନି ବୋଇଲେ ତୁ ଏବେ ଶୁଣ ନୃପବର

ଅନ୍ତୁଡ଼ି ଶାଳରେ ଯାଇ କର ତୁ ସଂହାର ।

ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମୁନି

ଶୁଣିଣ ଶମ୍ଵର ରାଜା ମନେ ହୁଏ ଗୁଣି ।

ଆପଣା ହୃଦଗତରେ ଭାଳେ ନୃପନିଧି

ମହା ସଂକଟ ପଡ଼ିଲା କରିବା କି ବୁଦ୍ଧି ।

ଭୋ ଧର୍ମଦେବତା ମୋତେ ପ୍ରତିକାର କର

ଏ ଦୁଃସହ ସଂକଟରୁ ଉଦ୍ଧରିଣ ଧର ।

ନାରଦ ମୁନି ବିଧାତ ପ୍ରତ୍ୟକ୍ଷେ ଅଟନ୍ତି

ତାହାଙ୍କ ବଚନ କେହୁ କରିବଟି ନାସ୍ତି ।

ତାହାଙ୍କର ଦୟା ଯେଣୁ ଅଛଇଟି ଚିତ୍ତେ

ସନ୍ଦେହ ବାରତାମାନ କହିଗଲେ ମୋତେ ।

କେମନ୍ତ ପ୍ରକାର ମୁହିଁ ହୋଇବିଟି ରକ୍ଷା

ନୋହିଳେ ବହିବି ଜାଣ ସନ୍ନ୍ୟାସର ଦୀକ୍ଷା ।

କରିବଇଁ ଦେଶାନ୍ତର ସାଧି ବ୍ରହ୍ମଜ୍ଞାନ

ଏ ରାଜସମ୍ପଦେ ମୋର ନାହିଁ ପ୍ରୟୋଜନ ।

ଏତେ ବୋଲିଣ ଅନେକ ସନ୍ତାପ କରଇ

ବେନି ନୟନରୁ ତାର ନୀର ବହିଯାଇ ।

ଭାବେ ସ୍ଵର୍ଗ ପାତାଳ ମୁଁ ଜିଣିପାରେ ଦର୍ପେ

ଅସଂଖ୍ୟ କୀର୍ତ୍ତି ମୋହର ଅଛି ସପ୍ତଦ୍ଵୀପେ ।

କର୍ମରେ ଅଛି ପୁଣି ତ ଏସନ ଭବିଷ୍ୟ

ବାଳୁତ ପୁତ୍ର ହାତରେ ହେବି ପ୍ରାଣେ ନାଶ ।

ଦେଖୁ ଦେଖୁ ମଣ୍ଡୁକୀ ତ ଗଜକୁ ଗିଳିଲା

ମରଣରୁ ଉଗୁଳିଣ ଲଜ୍ଜା ମୋ ବଳିଲା ।

ପୁଣି ଭାଳେ ଉପାୟରେ ହେବ କାର୍ଯ୍ୟସିଦ୍ଧି

ଆଗହୁଁ ଭାବିବାର ତ ନୁହେଁ ଭଲ ବୁଦ୍ଧି ।

ଆଗତ କଥାରୁ ଯେହୁ ଭାବନା କରଇ

ତାହାଠାରୁ ଅଜ୍ଞପ୍ରାଣୀ ଜଗତରେ ନାହିଁ ।

ବଳବୀର୍ଯ୍ୟ ପରାକ୍ରମ ପୌରୁଷ ଆୟୁଷ

ଶୋଚନା କଲେ ଏମାନ ଅଳ୍ପେ ପାଇନାଶ ।

ମୋହର ବୁଦ୍ଧିବଳରେ ସାଧିବଇଁ କାର୍ଯ୍ୟ

ନିର୍ବନ୍ଧରେ ନାଶିବି ମୁଁ ତାର ବଳବୀର୍ଯ୍ୟ ।

ଏତେ ଭାବିଣ ପାଦୁକା ମନ୍ତ୍ରକୁ ସୁମରି

ଘଡ଼ିକେ ମିଳିଲା ଯାଇ ଦ୍ଵାରାବତୀ ପୁରୀ ।

ନିର୍ବନ୍ଧେ କବାଟମାନ ଅଛି କିଳା ହୋଇ

କୃଷ୍ଣଙ୍କ ପୁରେ ପଶିଲା ବଳାତ୍କାରେ ଯାଇ ।

ରକ୍ଷାପାଳମାନେ ସର୍ବେ ଚାହିଁଛନ୍ତି ବସି

ନଗର ଭିତରେ ସେହୁ ଗୁପ୍ତେ ଗଲା ପଶି ।

ଅନ୍ତୁଡ଼ିଶାଳ ମଧ୍ୟରେ ନିର୍ଭୀକ ସେ ହୋଇ

କୁମରକୁ ଖୋଜଇ ସେ ମହାଦମ୍ଭ ବହି ।

ବାରସ୍ଵତୀ ପରାୟେକ ସେ ଅନ୍ତୁଡ଼ି ଶାଳ

ଉତ୍ତାନଶାୟୀ ହୋଇଣ ଶୋଇଅଛି ବାଳ ।

ଗଜଦନ୍ତ ପଲ୍ୟଙ୍କର ହଂସୁଲୀର ତୂଳି

ମସ୍ତକ ଉପରେ ଇନ୍ଦ୍ରଗୋବିନ୍ଦ ମୁଚୂଳି ।

ପାରୁଶରେ ବେଢ଼ିଛନ୍ତି ବହୁ ଧାଇଗଣ

ରୂପ ଦେଖାଯାଏ ଯେହ୍ନେ ଦ୍ଵିତୀ ନାରାୟଣ ।

ଖଣ୍ଡେ ଦୂରରୁ ଦେଖିଲା ତାହାଙ୍କୁ ଶମ୍ବର

ମନ ମଧ୍ୟରେ ଆନନ୍ଦ ହୁଅଇ ଅପାର ।

ଚାରିପାଖେ ଜଳୁଅଛି ରତ୍ନ ଦୀପାବଳି

ଜ୍ୟୋତି ବିରାଜଇ ଯେହ୍ନେ ଝଟକ ବିଜୁଳି ।

ସମ୍ପୂର୍ଣ୍ଣ ଚବିଶ ଦଣ୍ଡ ହୋଇଛି ରଜନୀ

ଦେବଙ୍କ ମାୟାରେ ସବୁ ଘୋଟିଛି ମେଦିନୀ ।

ଶମ୍ବର ବଧରେ ସୁସ୍ଥ ହେବେ ସ୍ଵର୍ଗବାସୀ

ନିଦ୍ରାବତୀକୁ ଆଗରୁ ତେଣୁ ଦେଲେ ପେଷି ।

ଦେଖିକରି ଆନନ୍ଦିତ ସେ ଶମ୍ବର ରାଜ

ବୋଇଲା ନିଶ୍ଚେଁ ମୋହର ସିଦ୍ଧ ହେବ କାର୍ଯ୍ୟ ।

ଏତେ ବଡ଼ ସୁଯୋଗରେ ଭେଟ ହୋଇଲାଇଁ

ନିଶ୍ଚେଷ୍ଟ ଭାବରେ ସର୍ବେ ନିଦ୍ରାଛନ୍ତି ଯାଇ ।

ଅନ୍ତୁଡ଼ିଶାଳରୁ ପୁତ୍ର ଆଜି ନେବି ହରି

ପୁଣି ସମୟେ ତାହାକୁ ପକାଇବି ମାରି ।

ଚୌରାଶିକୋଟି ଯାଦବ ରାମ କୃଷ୍ଣ ତୁଲେ

ସଂଗ୍ରାମରେ ନ ପାରିବେ ଜଣେ ଜଣେ ବଳେ ।

ତାହାଙ୍କ ଜାଣିବା ଯାଏ ଥାଇ କିସ କରି

ଚାହୁଁ ଚାହୁଁ ଶତ୍ରୁକୁ ଯେ ବଳେ ନେବି ଧରି ।

ଏତେ ଭାଳି ସନ୍ନିଧିରେ ମିଳିଲା ସେ ଯାଇ

ବାମ କରରେ ପୁତ୍ରକୁ ଧରେ ଗୋଟିଆଇ ।

ଦକ୍ଷକରେ ଯମଦାଢ଼ ଅଛଇ ସେ ଧରି

ବାମକରେ ପୁତ୍ରକୁ ସେ ଧରେ ଆଣ୍ଟକରି ।

ତିନିବେଳ ଆକର୍ଷିଣ ଧରେ ପୁଣ ପୁଣି

ତିଳେ ଭୂମିରୁ ନ ଉଠେ ସେହି ପୁତ୍ରମଣି ।

ପୁଣି ବେନିଭୁଜେ ପୁତ୍ର ଦରାଣ୍ଡି ଧରଇ

କୋପେ କୋପାନଳ ହୋଇ ଗର୍ଜନ ଛାଡ଼ଇ ।

ସର୍ବାଙ୍ଗଯାକରୁ ତାର ଗଳିପଡ଼େ ଝାଳ

ପୁଣ ପୁଣ ଆକର୍ଷିଣ ଧରେ ଶତେବେଳ ।

କୌଣସିମତେ କୁମର ନ ଉଠେ ଭୂମିରୁ

ପିମ୍ପୁଡ଼ି ପ୍ରାକର୍ମେ କାହିଁ ତଳିପାରେ ମେରୁ ।

ଶମ୍ବର ବିଚାରେ ୟାର ଅଟେ ବଡ଼ ମାୟା

ତୋଳି ନ ପାରିଲି ମୁହିଁ ବାଳୁତର କାୟା ।

ମୋର ଭଳି ଲୋକ ପୁଣି ନ ପାରିଲି ଚାଳି

ମଣ୍ଡୁକୀ ମୁହିଁ ଏହୁ ତ ସର୍ପ ମହାବଳୀ ।

ନୋହିଲେ ନାରଦ ମହାମୁନି କି କହନ୍ତେ

ବିଧାତା ଭେଟାଏ ଆଣି ଏଠାରେ ତ ମୋତେ ।

ବାଳେହେଁ ମୋତେ ଏହୁ ତ ଅବଶ୍ୟ ମାରନ୍ତା

କଅଁଳା ପୁଅ ବଡ଼ଇ ଅଟେ ସାମରଥା ।

ଏତେବେଳେ ଏହାର ନ କଲେ ପ୍ରାଣ ନାଶ

ଜଗତରେ ଅପଖ୍ୟାତି ପାଇବି ଅବଶ୍ୟ ।

ବିଧାଏ ମାରିବି ବୋଲି ପାଞ୍ଚିଅଛି ବୁଦ୍ଧି

ଜାଣୁଛି ମୋହର ନିଶ୍ଚେଁ ହେବେ କାର୍ଯ୍ୟସିଦ୍ଧି ।

ଏତେ ଭାଳି ପୁନରପି ସାଉଁଟି ଧରଇ

ତତକ୍ଷଣେ କୁମର ଯେ ଉଠେ ଶୀଘ୍ରହୋଇ ।

ସଞ୍ଚାଣ ବକ ପକ୍ଷୀକୁ ଧଇଲା ପରାୟେ

କୈବର୍ତ୍ତ ମାଛମାନଙ୍କୁ ଯେହ୍ନେ ଗୁନ୍ଥିନିଏ ।

କାଞ୍ଚନ ଲାଭ କରଇ ଯେହ୍ନେ ଦୁଃଖୀଜନ

ବ୍ୟାଘ୍ର ଛାଗଳକୁ ଯେହ୍ନେ କରଇ ଭୋଜନ ।

ମତ୍ତଗଜେ ଯେଉଁପରି କେଶରୀ ଧରଇ

ସେହିପରି ଶମ୍ବର ଯେ ମହାତୋଷ ବହି ।

ପ୍ରଦ୍ୟୁମ୍ନକୁ ଘେନିକରି ପୁରେ ଲେଉଟିଲା

ସର୍ବଦ୍ଵାର ଜିଣି ଗଲା କେହି ନ ଜାଣିଲା ।

ପାହିବାକୁ ତିନିଦଣ୍ଡ ଅଛଇ ରଜନୀ

ଚଳଇ ଶମ୍ବର ମୀନକେତନକୁ ଘେନି ।

ଥୋକାଏ ଦୂର ଯାଇଣ ଦେଖେ ପୁତ୍ର ମୁଖ

ବୋଲେ ଫିଟିଲା ଏବେ ତ ମନଭ୍ରାନ୍ତି ଦୁଃଖ ।

ପୁଣି ବିଚାରଇ ୟାକୁ ରାଜ୍ୟେ ନେବି ଧରି

ମାଂସ କାଟିବ ଏହାର ତୁଳା ପ୍ରାୟ କରି ।

ମାୟାବତୀ ହାତେ ଦେଇ ତୁଳା ରନ୍ଧାଇବି ମାଂସ

ସୁରା ସଙ୍ଗତରେ ୟାକୁ କରିବଇଁ ଗ୍ରାସ ।

ନୋହିଲେ ଗୋଟିକଯାକ ଭଜାଇକ ଘୃତେ

ମଣୋହିକି କରିବଇଁ ମହାତୋଷ ଚିତ୍ତେ ।

ପୁଣି ବିଚାରଇ ଏହୁ ମୋ ପ୍ରାଣ ବଇରୀ

ଏହାକୁ ଉପେକ୍ଷା କଲେ ଅବଶ୍ୟ ଏ ମାରି ।

ଦଣ୍ଡେ ରଖିବାକୁ ୟାକୁ ନ ବଳଇ ଚିତ୍ତ

ଏତେ ବୋଲି ଯମଦାଢ଼ ଉଞ୍ଚାଏ ଦଇତ ।

ବକ୍ଷରେ ମାରିବ ବୋଲି ଭାଳେ ଦୁଷ୍ଟମତି

ଏସନ ସମୟେ କଣ୍ଠେ ବସିଲେ ଭାରତୀ ।

ଚାରିଚକ୍ଷୁ ଏକକରି ଚାହିଁ ମହାରାୟେ

ଜାଜ୍ଜ୍ଵଲ୍ୟମାନ ଜ୍ୟୋତି କି ହୋଇଛି ଉଦୟେ ।

କୋଟିଏ ଚନ୍ଦ୍ରମା ଜିଣି ଅକଳଙ୍କ ଜ୍ୟୋତି

ଦର୍ହସିତ ବଦନରେ ଶୋଭା ସେ ପାଆନ୍ତି ।

ଶତେମାଢ଼ ସୁବର୍ଣ୍ଣର ପରି ତନୁ ଆଭା

ନିର୍ମଳ ଆକାଶ ଯେହ୍ନେ ଆର୍ଦ୍ରାବଳି ଶୋଭା ।

ପନ୍ନଗ ନାରାୟଣ ସେ ନାରାୟଣ ବଳା

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଚାରିକଳା ।

ଆଜାନୁ ବକ୍ଷସ୍ଥଳ କି ପ୍ରଳେ ଭୁଜଦଣ୍ଡ

ଆଲୋକ କର୍ଣ୍ଣମୁଳରେ ପୋହାଳାର ଖଣ୍ଡ ।

ଆପେ କନ୍ଦର୍ପ ଭୂତଳେ ନରତନୁ ବହି

ତାହାକୁ ଦେଖନ୍ତେ କିଏ ନୋହିବ ବା ମୋହି ।

ସୁଲଳିତ ଅଙ୍ଗୁଷ୍ଠି କି ଯେହ୍ନେ ଚମ୍ପାକଢ଼ି

ସୁରେଖ ସେବତୀ ରେଖ ଅଟଇ ପାଖୁଡ଼ି ।

ବିକଶିତ ପଦ୍ମପରି ବିରାଜଇ ନେତ୍ର

ଲୋହିତ କମଳକାନ୍ତି ପାଦ ପାଣି ଗାତ୍ର ।

ଅଧରର ଶୋଭାବନ ବଧୂଲିକୁ ଜିଣି

ଦ୍ଵିତୀ ନାରାୟଣ ମର୍ତ୍ତ୍ୟେ ଜନ୍ମିଛି କି ଜାଣି ।

ଦେଖିଣ ଶମ୍ବର ରାଜା ହୋଇଲାକ ମୋହି

ପୁଣି ପୁଣି ବାଳୁତର ରୂପ ନିରେଖଇ ।

ବୋଲେ କେବଣ ବିଧାତା ଗଢ଼ିଲା ଏହାକୁ

ନାହିଁ ପଟାନ୍ତର ତିନିପରରେ ଦେବାକୁ ।

ବାଳୁତାକାଳୁଁ ସୁନ୍ଦରପଣ ୟାର ଏତେ

ମୁଖ ଚାହିଁଲା ମାତ୍ରକେ ଦୟା ହୁଏ ଚିତ୍ତେ ।

ଦେଖୁ ଦେଖୁ ଏହାକୁ ମୁଁ କେମନ୍ତେ ମାରିବି

ସମୟେ ଛାଡ଼ିଣ ୟାକୁ ବନ୍ଦୀରେ ରଖିବି ।

ନୋହିଲେ ପୁତ୍ର କରିବି ଏହାକୁ ମୁଁ ଭଲେ

ପ୍ରୀତି ବଢ଼ାଇବି ନେଇ ପୁତ୍ରଙ୍କର ତୁଲେ ।

ପୁଣି ବିଚାରଇ ଏ ତ ସଂକଟର କଥା

ଏହି ଜୀଇଁଥାନ୍ତେ ମୁହିଁ ନ ଜୀଏଁ ସର୍ବଥା ।

ଦେଖୁ ଦେଖୁ ଆତ୍ମାବୈରି ଛାଡ଼ିବି କେମନ୍ତେ

ଭଭୟ ସଂକଟ ଆସି ପଡ଼ିଲାକ ମୋତେ ।

ଯଦି ଖଣ୍ଡ କ୍ଷୀରଦେଇ କାଳସର୍ପ ପୋଷି

ବେଦଶାସ୍ତ୍ର ପରମାଣେ ଦଂଶେ କାଳେ ଆସି ।

କର୍ପୁରର ବଳିତାରେ ଜାଳି ଦୀପାବଳି

ଆହାଲାଦ କଲେ ପଛେ ହେବ କି ଶୀତଳି ।

ଦେଖୁ ଦେଖୁ ବିଷ କେହ୍ନେ ଭକ୍ଷିବଇଁ କରେ

କର ପାଦ ବାନ୍ଧିହୋଇ ପଡ଼ଇ କେ ଜଳେ ।

ଶ୍ରୀନାରଦ ମହାମୁନି କହି ତଥ୍ୟବାଣୀ

ସର୍ବଶୁଭ ଅନୁକୂଳ ଅଛଇ ତା ଶୁଣି ।

କୁଶସ୍ଥଳୀ କଟକରେ ପଶିଲି ଧସାଇ

ସୁଦର୍ଶନ ଚକ୍ର ଯହିଁ ନିରତେ ବୁଲଇ ।

ତହିଁରେ ପଶିଲି ମାୟା ସ୍ଵରୂପକୁ ଧରି

ଅକଣ୍ଟକ ରାଜ୍ୟ ପୁତ୍ର ଆଣିଲି ମୁଁ ହରି ।

କୃନ୍ତାତକ ତେଜ ଯେଉଁ ପୁରେ ନ ଲାଗଇ

ଏଡ଼େ ବଡ଼ ଭରସା ମୋ ପଶିଲି ଧସାଇ ।

ଯାହା ବାଞ୍ଛା କରିଥିଲି ପାଇଲଇଁ ଭଲେ

ସପ୍ତାଙ୍ଗେ ମରିବି ୟାକୁ ମୁହିଁ ନ ମାଇଲେ ।

ଏତେ ବୋଲିଣ ପୁତ୍ରକୁ ଚାହିଁଲା ରାକ୍ଷସ

ଜଗମୋହନ ମୁରତି ଦେଖି ହେଲା ତୋଷ ।

ବିଶେଷରେ ସରସ୍ଵତୀ କଣ୍ଠେଛନ୍ତି ବସି

ଦେଖି ଶମ୍ବର ନୃପତି ହେଲା ମନେ ତୋଷି ।

ଏସନକ ବିଚାରିଣ ନିଜ ହୃଦଗତ

କଞ୍ଚାମାଟି ପେଣ୍ଡୁଳାଏ ଧଇଲା ଦଇତ ।

ବେନି କରରେ ଚକଟି କଲା ତାହା ମେଞ୍ଚା

ପୁତ୍ରକୁ ତହିଁରେ ଭରିକରି ଅତିସଞ୍ଚା ।

କରଯୁଗଳେ ଧଇଲା ଅତି ଆଣ୍ଟକରି

ଅନ୍ତରୀକ୍ଷେ ଫୋପଡ଼ାଇ ଦେଲା ଦେବଅରି ।

ବିଚାରଇ ମୋ କରରେ ନ ମରି ଏ ବାଳ

ଅକୁଳ ସମୁଦ୍ର ମଧ୍ୟେ ହେବ କଷତୁଳ ।

ଅବଶ୍ୟ ବୁଡ଼ି ମରିବ କେବଣ ବାଗରେ

ନିଶ୍ଚେଁ ପଡ଼ିବ କୁମ୍ଭୀର ଶମ୍ବର ଦାଢ଼ରେ ।

ଅଥବା ଯାଉ ଯାଉଣୁ ପଥେ ପ୍ରାଣ ଦେବ

ଏତେବେଳଯାଏ କିବା ସତେ ଜୀଇଁଥିବ ।

ନିସନ୍ଧି ମାଟି ମେଞ୍ଚାରେ ନିଃଶ୍ଵାସ ନ ଯାଏ

ଜାଣିଲଇଁ ନିଶ୍ଚେଁ ଏବେ ହୋଇବଟି କ୍ଷୟେ ।

ଏତେ ଚିନ୍ତି ନିଃସଂଶୟ ହେଲା ମହାବଳୀ

ସମୁଦ୍ରେ ପଡ଼ିଲା ଯାଇ ସେ ମାଟି ପିଣ୍ଡୁଳି ।

ବେନିଶତ ଯୋଜନ ସେ ଅନ୍ତରୀକ୍ଷେ ଗଲା

ଚୌରାଶୀକାଠି ଗଭୀର ଜଳରେ ପଡ଼ିଲା ।

ଭାଙ୍ଗିଲା ମୃର୍ତ୍ତିକାପିଣ୍ଡ ପଡ଼ନ୍ତେ ବହନ

ଆହାର ନିମନ୍ତେ ତାହା ଗିଳିଦେଲା ମୀନ ।

ଆଦ୍ୟରୁ ଘଟଣା ଏହା କରିଥିଲା ବିହି

ପାଞ୍ଚମନୁ ଯାଏ ମୀନ ଥିଲା ବାଟ ଚାହିଁ ।

ପଡ଼ିଲା ମାତ୍ରକେ ଥୋପ ଗିଳିଲା ତଡ଼ତି

ତୁଟିଲା କ୍ଷୁଧା ତାହାର ହୋଇଲା ତୃପତି ।

ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷିତ ରାୟେ

ଅତିଭାଗ୍ୟେ ଭାଗବତ ଗ୍ରନ୍ଥ ପୁଣ୍ୟମୟେ ।

ଏଥୁ ଅନନ୍ତରେ ଯାଇ ଶମ୍ବର ନୃପତି

ନିଜପୁରେ ପରବେଶ ହେଲା ଶୀଘ୍ରଗତି ।

ସାରାବତୀ କଟକରେ ହୋଇଲା ପ୍ରବେଶ

ରାତ୍ର ପାହିବାକୁ ଅଛି ମାତ୍ର ଦ୍ଵିନିମିଷ ।

ଏଥୁ ଅନନ୍ତରେ ତେଣେ ଦ୍ଵାରାବତୀ ପୁରେ

ରୁକ୍ମିଣୀ ପହୁଡ଼ି ଥିଲେ ଅନ୍ତୁଡ଼ିଶାଳରେ ।

ଧାଈ ମୁଦୁସୁଲୀ ଆଉ ଦାସୀ ପରିବାରୀ

ସବୁରି ନୟନେ ଥିଲା ନିଦ୍ରାବତୀ ଘାରି ।

କାକ କୁମ୍ଭାଟୁଆ ଶବ୍ଦ କର୍ଣ୍ଣବିଳେ ପାଇ

ଏକାବେଳେ ସମସ୍ତେ ଯେ ଉଠିଲେ ଚିଆଇଁ ।

ଦେଖିଲେ ଅନ୍ତୁଡ଼ିଶାଳେ ନାହିଁ ପୁତ୍ରମଣି

ଚକିତ ହୋଇଣ ସର୍ବେ କରନ୍ତି ଭାଳେଣି ।

ସ୍ତମ୍ଭୀଭୂତ ହୋଇଗଲେ ଉଡ଼ିଲା ସାହସ

ଅନ୍ତୁଡ଼ିଶାଳ ମଧ୍ୟରେ ଲୋଡ଼ି ଚଉପାଶ ।

ଗମ୍ଭୀରି ଭିତରେ ଆଦି କବାଟର କୋଣ

ଘର ବାହାର ନିରୋପି ଖୋଜି ଜଣେ ଜଣ ।

ଦେବକୀ ସୁଭଦ୍ରା ଇନ୍ଦୁମତି ଆଦି ନାରୀ

ଯାଦବକନ୍ୟା ଯେତେକ ବିଷ୍ଣୁ ମନୋହାରୀ ।

କରେ ଦୀପାବଳିମାନ ଘେନିଣ ସକଳ

ଲୋଡ଼ନ୍ତି ସେ ଚଉକତି ହୋଇଣ ବିକଳ ।

ଅନ୍ତୁଡ଼ିଶାଳରୁ ପୁତ୍ରଗୋଟି ଗଲା କାହିଁ

ସର୍ବେ ଆଶ୍ଚର୍ଯ୍ୟ ହୁଅନ୍ତି ଏକୁ ଆରେ ଚାହିଁ ।

କେହୁ ବୋଲନ୍ତି ଏହାତ ଅସମ୍ଭବ କଥା

ଦେଖିଲା ଶୁଣିଲା ନାହିଁ କର୍ଣ୍ଣରେ ସର୍ବଥା ।

ଅନ୍ତୁଡ଼ି ନଗ୍ରେ ପୁତ୍ରକୁ ସର୍ବେ ଥିଲେ ଜଗି

ଅଦଭୂତେ ମାୟାକରି କେଣେ ଗଲା ବେଗି ।

କେ ବୋଲଇ ପୁତ୍ରଗୋଟି ଏହିକ୍ଷଣି ଥିଲା

ଆଖି ପିଛଡ଼ା ମାତ୍ରକେ କେଣେ ଚାଲିଗଲା ।

କେଣିକି ଗଲା ତାହାକୁ କିଏ ନେଲା ହରି

ଅସମ୍ଭବ ମାୟା ଏହା ଜାଣି ତ ନ ପାରି ।

ଯେଉଁ ଦ୍ଵାରକାପୁରକୁ ଯମ କରେ ଭୟେ

ରକ୍ଷପାଳ ପରାୟେକ ଖଟି ଦେବତାଏ ।

ସମଦ୍ର ଯହିଁରେ ଖଣା ଅଗ୍ନିଯହିଁ ବାଡ଼

ସୁଦର୍ଶନ ଚକ୍ର ଯହିଁ ଭ୍ରମେ ସସ୍ରେଦାଢ଼ ।

ସେ ପୁର ଭିତରେ ପୁଣି ହେଲା ଏଡ଼େ କର୍ମ

ସକଳ ବିନାଶ ହେଲା ଦ୍ଵାରକାର ଧର୍ମ ।

କେହୁ ବୋଲେ ଏହି କଥା ଜାଣିତ ନ ପାରି

କେବଳ ମାୟା ଭିଆଇଅଛି ଦେବହରି ।

ଭୀଷ୍ମକ ରାଜନନ୍ଦିନୀ ରୁକ୍ମିଣୀ ସୁହଂସୀ

ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ହରିପାଟବଂଶୀ ।

ସବୁଙ୍କରି ସରଧା ଯେ ଜ୍ୟେଷ୍ଠ ପୁତ୍ରଠାରେ

ଏଡ଼େ କର୍ମ କଲା କେହୁ ଏଥିର ଭିତରେ ।

ଅସୁରମାନେ ଏଠାକୁ ଆସି ନ ପାରନ୍ତି

ଅରିଷ୍ଟ ଉତ୍ପାତମାନ କେ କଲା ଏ ଘାନ୍ତି ।

ଆଦିତ୍ୟର ତେଜ ଅଗ୍ନି ଭୟତ ପ୍ରଚଣ୍ଡ

ମାଛି ପଡ଼ିଲେ ହୁଅଇ ଯହିଁ ନବଖଣ୍ଡ ।

ରୋଗ ଶୋକ ବାଧା ଯହିଁ ତିଳେମାତ୍ର ନାହିଁ

ମୂର୍ତ୍ତିମନ୍ତ ନାରାୟଣ ଅଛି ଦେହ ବହି ।

ଥୋକାଏ ଲୋକ ବୋଲନ୍ତି ଏହି କଥା ତଥ୍ୟ

ରୁକ୍ମିଣୀ ନ ଜାଣି ଜାଣିଛନ୍ତି ଜଗନ୍ନାଥ ।

ଅଶେଷ କୋଟି ବ୍ରହ୍ମାଣ୍ଡେ ପୂରିତ ଯା କାୟା

ତାହାଙ୍କର ଅଗୋଚର ଅଛି କିବା ଏହା ।

ନାରଦଙ୍କ ଦୋଷ ନାହିଁ ହରିଙ୍କର କୃତ୍ୟ

ନୋହିଲେ ଅନିମିତ୍ତରେ ମଲା ଏ ବାଳୁତ ।

ବସୁଦେବ ଉଗ୍ରସେନ ସାତ୍ୟକି ଅକ୍ରୂର

ଅନାଧୃଷ୍ଟ ସସ୍ରାଜିତ ପ୍ରଶ୍ନାଜିତ ବୀର ।

ସୁରଥ ଯେ କୃପବ୍ରହ୍ମା ଉଦ୍ଧବ ସହିତେ

ଦେବକୀର ଷଡ଼ପୁତ୍ର ଉଗ୍ରସେନ ସୁତେ ।

ଇଷ୍ଟ ମିତ୍ର ସହୋଦର କୁଟୁମ୍ବାଦି ନର

ଜଗନ୍ନାଥଙ୍କ ଅଗ୍ରତେ ମିଳିଲେ ବହନ ।

ଚୌଷଠି କୋଟି ଯାଦବ ସର୍ବେ ପୂରିଛନ୍ତି

ଯେ ଯାହା ଅନୁରୂପରେ ବିକଳ ହୁଅନ୍ତି ।

ଉଭୟ ସଂକଟ କଥା କେମନ୍ତେ ଜାଣିମା

ବିକଳ ହୁଅନ୍ତି ଯହିଁ ଶ୍ରୀକୃଷ୍ଣଙ୍କ ବାମା ।

ସକଳ ଯାଦବବୀରେ ଚିନ୍ତାଭର ହୋଇ

ଜଗନ୍ନାଥଙ୍କ ଅଗ୍ରତେ ମିଳିଲେକ ଯାଇ ।

ବଳରାମ ବୋଇଲେକ ଶୁଣ ଚଉବାହା

ଆମ୍ଭଙ୍କୁ ନ କହି ତୁହି ଅର୍ଜିଲୁଟି ଏହା ।

ଆଦ୍ୟ ପାଟବଂଶୀ ତୋର ଅଟଇ ରୁକ୍ମିଣୀ

ତାହାର ଗର୍ଭରୁ ଜାତ ହେଲା ପୁତ୍ରମଣି ।

ଦ୍ଵିତୀ ନାରାୟଣ ସେ ଯେ ଅଟେ ଅବତାର

ଦେଖିବା ପାଇଁକି ଶ୍ରଦ୍ଧା ବହୁତ ଆମ୍ଭର ।

ଆମ୍ଭଙ୍କୁ ନ କହି ତୁ ଯେ କଲୁ ଘଟସୂତ୍ର

ଅନ୍ତୁଡ଼ିଶାଳରେ ନାହିଁ ଜନ୍ମ ହେବା ପୁତ୍ର ।

ଏଡ଼େ ନିରପେକ୍ଷ କିପାଁ ହୋଇଲ ଶ୍ରୀବତ୍ସି

ଜାଣିଲି ମୋଠାରେ ତୋର ନିଶ୍ଚେ ମାୟାଅଛି ।

ଶ୍ରୀକୃଷ୍ଣ ବୋଇଲେ ସ୍ଵାମୀ ଶୁଣ ହଳପାଣି

ନିକଟେ ଦୁର୍ବାସା ଏହା କହିଥିଲେ ଜାଣି ।

ସାରାବତୀ କଟକର ଶମ୍ବର ନୃପତି

ଦେବ ଗନ୍ଧର୍ବଙ୍କୁ ତାର ନାହିଁ କିଛି ଭୀତି ।

ନାନାବିଧି ଉପଦ୍ରବ କରେ ସେ ଅସୁର

ପୃଥ୍ଵୀଦେବୀ ନ ସହଇ ତାର ଭାଦଭାର ।

ଦେବାସୁର ମାନବରେ ନୁହଇ ସେ ଜୟ

ମୀନକେତନ ହସ୍ତେ ତା ବଂଶ ଯିବ କ୍ଷୟ ।

ତିନିମନୁ ପରିଯନ୍ତେ ଗତି ତପ କଲା

ଦିନେ ସେ ଶମ୍ବରାସୁର ତାହାକୁ ଦେଖିଲା ।

ମଦନେ ଅଦମ୍ଭ ହୋଇ ପାପୀ ନିଶାଚର

ରତିକି ରଖିଲା ନେଇ ଆପଣାର ପୁର ।

ତା ମାୟା ଭ୍ରମରେ ପଡ଼ି ରଖିଛି ଯତନେ

ମଦନକୁ ପାଇବ ସେ ଥାଇ ସେହି ସ୍ଥାନେ ।

ଯୋଗେଶ୍ଵର ପୁରୁଷ ହେ ସର୍ବ ଅନ୍ତର୍ଯ୍ୟାମୀ

ମୁଁ କିସ କହିବି ତୁମ୍ଭେ ନ ଜାଣ ବା ସ୍ଵାମୀ ।

ପୃଥିବୀ ଭରା କେମନ୍ତେ ହେବ ନିବାରଣ

ଶୁଣିକରି ସନ୍ତୋଷ ଯେ ହେଲେ ସଂକର୍ଷଣ ।

ବସୁଦେବ ଉଗ୍ରସେନ ସର୍ବ ଯଦୁବୃନ୍ଦ

ଶ୍ରୀକୃଷ୍ଣ ବଚନ ଶୁଣି ସକଳେ ଆନନ୍ଦ ।

ଆସ୍ଥାନ ମଉଳି ଯାନ୍ତେ ଯେଝା ପୁରେ ଗଲେ

ରଜନୀ ପ୍ରଭାତୁ ନିତ୍ୟକର୍ମ ଶେଷ କଲେ ।

ରୁକ୍ମିଣୀ ମନ ସନ୍ତୋଷ କରି ସର୍ବନାରୀ

ଚଳିଗଲେ କନ୍ୟାମାନେ ଯେ ଯାହାର ପୁରୀ ।

ଇତି ଶିରୀ ଭାଗବତ ଅତି ପୁଣ୍ୟମୟେ

ଇଦଂ ଏକାଦଶ ଅଧ୍ୟା ସମାପତ ହୁଏ ।

ଜୟ ଜୟ ଯୋଗେଶ୍ଵର ଯୋଗାରୁଢ଼ ମୂର୍ତ୍ତି

ରୂପ ରେଖ ବିବର୍ଜିତ ଯାହାର ଆକୃତି ।

କର ଚରଣ ନାସିକା ପାଦ ଅତିରଙ୍ଗ

ମନ ବୃଦ୍ଧି ଅହଂଙ୍କାର ନାହିଁ ଯାର ସଙ୍ଗ ।

ଅଚିନ୍ତା ଚିନ୍ତାମଣି ଯେ ଦେବଙ୍କର ରାଜା

ବ୍ରହ୍ମା ଇନ୍ଦ୍ର ରୁଦ୍ର ଯାର କରିଥାନ୍ତି ପୂଜା ।

ଦକ୍ଷିଣ ସିନ୍ଧୁତଟରେ କଳ୍ପବଟ ମୂଳେ

ବିଜୟେ ଜଗମୋହନ ଅତ୍ୟନ୍ତ ସୁଢ଼ଳେ ।

ସର୍ବପାଳକ କୋଟିଏ ବ୍ରହ୍ମାଣ୍ଡର ନାଥ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିହସ୍ତ ।

ପ୍ରତ୍ୟକ୍ଷେ ପରମାନନ୍ଦ ପରଂବ୍ରହ୍ମରାଶି

ଜୀବାତ୍ମା ପୁରୁଷ ପଞ୍ଚଆତ୍ମାରେ ପ୍ରକାଶି ।

ଅଶେଷ ମହିମା ଯାର କହି ଶେଷ ନୋହି

ମୁଁ କିସ କହିବି ଅବା ନରତନୁ ବହି ।

ସେ ଜଗନ୍ନାଥ ପାଦରେ ପଶ ହେ ଶରଣ

ଅଚ୍ୟୁତ ଦାସ ଭାଳଇ ତାହା ଅନୁକ୍ଷଣ ।

 

ମୀନ ଗର୍ଭରୁ ମନକେତନର ଜନ୍ମ

 

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ଚରଣରେ କଲେ ଦିବ୍ୟପୂଜା ।

ଭୋ ମୁନି କୃତାର୍ଥ ହେଲି ହରିବଂଶ ଶୁଣି

ଲଭିବି ମୋକ୍ଷପଦବୀ ସ୍ଵର୍ଗକୁ ନିର୍ଗୁଣି ।

ଏଥୁ ଅନନ୍ତରେ ପୁଣି ହେଲା କିସ ଆନ

ସଂକ୍ଷେପେ କହିବା ମୋତେ ବ୍ୟାସଙ୍କ ନନ୍ଦନ ।

ଏତେ ବୋଲି ରାଜା ପୁଣ ପୁଣ ପରଣାମି

ମୀନକେତନର କୀର୍ତ୍ତି କହିବା ଭୋ ସ୍ଵାମୀ ।

ରାଜାର ଭକତିଭାବ ଦୃଢ଼ତର ଜାଣି

ପୁରାଣ ପୁସ୍ତକ ଫେଡ଼ି ଭଣି ଶୁକମୁନି ।

ଶୁଣ ମହାରାଜା ସୋମବଂଶ ଅଧିକାରୀ

ସେ କଥା ତୋର ଆଗରେ କହିବା ବିଚାରି ।

ସମୁଦ୍ର ମଧ୍ୟରେ ଦୀର୍ଘକାୟ ମୀନ ଥିଲା

ମାଟିର ପିଣ୍ଡୁଳା ଗୋଟି କ୍ଷୁଧାରେ ଗିଳିଲା ।

ସାହେର ଭିତରେ ଚଳିଗଲା ମହାବଳୀ

କ୍ଷଣକେ ପ୍ରବେଶ ହେଲା ସିଦ୍ଧ ମଧ୍ୟସ୍ଥଳି ।

ଅନେକ କାଳରୁ ସେହୁ ଅଭିଶାପ ପାଇ

କାଳବେଳ ସଂଯୋଗକୁ ଥିଲା ବାଟ ଚାହିଁ ।

ଯେତେବେଳରେ ଶମ୍ବର ଫିଙ୍ଗିଦେଲା ମାଟି

କ୍ଷୁଧାକ୍ଷୁଧା ଆତୁରେ ସେ ମୀନ ପାଡ଼ିଲାକ ପାଟି ।

ମନପବନ ଯୋଗରେ ଚଳେ ଶୀଘ୍ରଗତି

ସଲିଳକୁ ଲଙ୍ଘି ମୀନ ଚଳେ ଧାତି ଧାତି ।

ନୈର୍ଋତ କୋଣୁ ଅଇଲା ଐଶାନ୍ୟ ଦିଗକୁ

ମନପବନ ପରାୟେ ଯାଏ ଗଭୀରକୁ ।

ଦ୍ଵାରକାପୁର ନିକଟୁ ଗଲା ମୀନରାୟେ

ଦିନରେ ଗମିଲା ଆଠ ଯୋଜନର ଯାଏ ।

ସାରାବତୀ ପାଶେ ପାରାବତୀ ଯେ ପାଟଣା

ପୂର୍ବେ ସପ୍ତଋଷିଙ୍କର ଅଟେ ତହିଁ ଠଣା ।

ଅମଳାନ ସୂର୍ଯ୍ୟବଂଶେ ଶିବି ନୃପ ଥିଲା

ନିଜ ମାଂସକୁ କାଟିଣ କପୋତକୁ ଦେଲା ।

ଅନେକ କାଳର ସେହୁ ଅଟେ ସିଦ୍ଧଭୂମି

ଲୋକନାଥ ପାରେଶ୍ଵର ବିଜେ ଦେବସ୍ଵାମୀ ।

ଶାନ୍ତି ନାମରେ କୈବର୍ତ୍ତ ନଗ୍ର ଅଧିକାରି

ସେ ସମୁଦ୍ର ମଧ୍ୟେ ସେହୁ ଅଟେ ପ୍ରତିହାରୀ ।

ଦିନେକ ପଡ଼ିଲା ତାର ବେଣ୍ଟକାର ବେଳ

ନୌକା ଚଢ଼ିଗଲା ସେହୁ ସିନ୍ଧୁ ମହାଜଳ ।

ଭେଳାଚଢ଼ି କାଠିଜାଲ ହସ୍ତରେ ସେ ବାନ୍ଧି

ପଞ୍ଚାଶ କ୍ରୋଶ ପର୍ଯ୍ୟନ୍ତେ ଯାଏ ଜଳଖେଦି ।

ବହୁତ ଜାଲିଆମାନେ ସେହିପରି ଆସି

ଫିରିକି ବେଣ୍ଟ କରରେ ଧରି କାଳଫାଶି ।

କିନ୍ତୁ ଶାନ୍ତି କଇବର୍ତ୍ତ ସେ ମୀନ ଧଇଲା

ଶମ୍ବର ନରପତିକି ନେଇ ଭେଟିଦେଲା ।

ଦେଖିଣ ଶମ୍ବର ହେଲା ଅତ୍ୟନ୍ତ ହରଷ

କୈବର୍ତ୍ତକୁ ଅନେକୁ ସେ କଲା ପଉରୁଷ ।

ମୁଦୁସୁଲୀଏ ତାହାକୁ ଭିତରକୁ ନେଲେ

ଠାକୁରଙ୍କ ଆଜ୍ଞା ବୋଲି ଆଗେ ଜଣାଇଲେ ।

ଶାନ୍ତି ନାମରେ କୈବର୍ତ୍ତ ଦେଲା ମାଛ ଆଣି

ରାଜା ଆଜ୍ଞାଦେଲେ ୟାକୁ ରାନ୍ଧ ଯତ୍ନେ ପୁଣି ।

କ୍ଷୁଧାରେ ମହାଆକୁଳ ଶମ୍ବର ନୃପତି

ଆପେ ମଣୋହି କରିବେ ଆସିଣ ଏଘାନ୍ତି ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି

ଆଗହୁଁ ବାଟ ଚାହିଁଣ ରହିଥିଲା ରତି ।

ଅନୁସୂୟାଙ୍କ କହିଲା ଦିନୁଁ ଦିନ ଗଣି

ବ୍ରହ୍ମାଏ କହିଅଛନ୍ତି ଆପେ ଅଛି ଜାଣି ।

ରାତ୍ର ନ ପାହୁ ଉଚ୍ଚାଟ ହୋଇଅଛି ମନ

ତିନି ମନ୍ୱନ୍ତର ଭୋଗ ବଳିଲାଣି ଦିନ ।

ତେଣୁ ହରଷ ବିସ୍ମୟ ହୋଇ ଶୁଭ୍ରକେଶୀ

ଦିନରାତ୍ରି ମଦନକୁ ଚାହିଁଅଛି ବସି ।

କ୍ଷୁଧା ତୃଷା ନିଦ୍ରା ତ୍ୟାଗକରି ସେ କାମିନୀ

ମରଣ ଦୀକ୍ଷାକୁ ଅନ୍ତର୍ଗତେ ଅଛି ଘେନି ।

ଯଦ୍ୟପି କାମଦେବଙ୍କୁ ନ ଭେଟିବି ଆଜ

ମରିବ ଜହର ଖାଇ ହେବ ସ୍ଵାମୀ କାର୍ଯ୍ୟ ।

ତିନିମନୁ ଯାଏ କରିଥିଲି ମୁଁ ଅବଧି

ମହତ ବଚନେ କାର୍ଯ୍ୟ ହେବାପାଇଁ ସିଦ୍ଧି ।

ଏସନ ବିଚାର କରି ହୁଅଇ ଆତଙ୍କ

ଶରୀରେ ଭେଦୁଅଛି କୁସୁମ ସାୟକ ।

ସ୍ଫୁରିଲା ବାମ ନୟନ ବାମଭୁଜ ତାର

ଉଲ୍ଲସଇ ରୋମାବଳି ପୁଲକେ ଶରୀର ।

ଅଦଭୂତେ ଆସି ହର୍ଷଜାତ ହେଲା ମନେ

ନାନାଶୁଭ ସଙ୍କେତ ସେ ଦେଖଇ ନୟନେ ।

କାମଦେବ ନାମଧରି ଜପେ ଅନୁକ୍ଷଣ

ବ୍ରହ୍ମାଙ୍କ ବଚନ ମନେ କରଇ ସ୍ମରଣ ।

ଚଞ୍ଚଳ ଚିତ୍ତରେ ବାମା ଚାହେଁ ଦଶଦିଶ

କ୍ଷଣକେ ବିସ୍ମରୁ ପୁଣି କ୍ଷଣକେ ହରଷ ।

ଏସନ ସମୟେ ପୁଣି କହେ ମୁଦୁସୁଲୀ

ମଣୋହି କହିବେ ନୃପ ରାନ୍ଧ ମଢ଼ଫୁଲି ।

ବୁଭୂକ୍ଷିତ ହୋଇଛନ୍ତି ଶମ୍ବର ନୃପତି

ବିଳମ୍ବ ନ କରି ମାଗୋ ରାନ୍ଧ ଶୀଘ୍ରଗତି ।

ଏହାଶୁଣି ମାୟାବତୀ ଉଠି ଧାତିକାର

ବ୍ୟଞ୍ଜନ ରାନ୍ଧିବା ପାଇଁ ହେଲେ ଆଗଭର ।

ମୀନ ଦେଖିଣ ସନ୍ତୋଷ ମଦନର ବାମା

ପନିକି ମାଡ଼ି ବସିଲେ ବ୍ରହ୍ମାଙ୍କର ଜେମା ।

କାନ୍ଧଠାରୁ ମାଛ ବେନିଖଣ୍ଡ କରି କାଟି

ଦକ୍ଷିଣ ହସ୍ତେ ଦରାଣ୍ଡି କାଢ଼ି ଅନ୍ତଗୋଟି ।

ଅନଙ୍ଗର ପଞ୍ଚଶର ଭେଦିଅଛି ଅଙ୍ଗ

କଣ୍ଠ ଗଦଗଦ ହୁଏ ଅଧର ସୁରଙ୍ଗ ।

ମୀନ ଗର୍ଭ ମଧ୍ୟେ ମୀନକେତନ ଯେ ଥିଲା

ମାଟି ପିଣ୍ଡୁଳା ଭାଙ୍ଗନ୍ତେ କୁମର ଜନ୍ମିଲା ।

କୋଟିଏ ଚନ୍ଦ୍ରମା ପ୍ରାୟେ ଦିଶେ ମୁଖଗୋଟି

ଦେଖି ରତିଦେବୀ ଶାନ୍ତ ହେଲେ ସେ ମୂର୍ତ୍ତିଟି ।

ସମସ୍ତେ ଆଶ୍ଚର୍ଯ୍ୟ ହେଲେ ତାକୁ ଚାହିଁ ଚାହିଁ

ଥୋକାଏ ବୋଇଲେ ଏକା କର୍ଣ୍ଣେ ଶୁଣା ନାହିଁ ।

ଦେଖିବାକୁ ଦୁର୍ଲ୍ଲଭ ଏ ଅତି ଅଗୋଚର

ମୀନ ଗର୍ଭରୁ ମନୁଷ୍ୟ ହୁଏ ଅବତାର ।

ରୂପ ଦେଖି କାମେ ସର୍ବେ ହୋଇଲେକ ମୋହି

ବ୍ରହ୍ମା ବିଷ୍ଣୁ ଗଙ୍ଗାଧର ଏହି କି ଅଟଇ ।

ଥୋକାଏ ବୋଇଲେ ଏ ତ ଅସମ୍ଭବ କଥା

ରାଜାଙ୍କ କଦାପି ଭଲ ନୁହଇ ସର୍ବଥା ।

ଥୋକାଏ ବୋଲନ୍ତି ଏତ ବିଧାତାର ମାୟା

ନୋହିଲେ ମୀନୁଁ ଜନ୍ମନ୍ତା କାହୁଁ ନରକାୟା ।

କେହୁ ବୋଲନ୍ତି ଏଥକୁ କିଛି ଭ୍ରାନ୍ତି ନାହିଁ

ଏସନ ଚରିତ ପୂର୍ବୁ ଧାତା ଅଛି ଲିହି ।

ବିଭାଣ୍ଡକର ନନ୍ଦନ ଋଷ୍ୟଶୃଙ୍ଗ ଯତି

ମୃଗୁଣୀର ଠାରୁ ସେହୁ ଜନ୍ମ ହୋଇଛନ୍ତି ।

ନୈର୍ଋତଙ୍କର ଭାରିଯା ସିଂହିକା ସୁନ୍ଦରୀ

ଈଷୀ ନାମରେ ବ୍ରାହ୍ମଣୀ ତାହାଙ୍କ କୁମାରୀ ।

ପଦ୍ମବନର ଭିତରୁ ଲକ୍ଷ୍ମୀ ଉତପତ୍ତି

ହିମବନ୍ତ ପର୍ବତର ଦୁହିତା ପାର୍ବତୀ ।

ଅଶ୍ଵଗର୍ଭୁ ଜାତହେଲେ ଅଶ୍ଵିନୀ କୁମାର

ଅଗସ୍ତି ବୃକ୍ଷୁ ସମ୍ଭୁତ ଅଗସ୍ତି ଆବର ।

ଐରାବତର ଭଗିନୀ ବିମଳା ହସ୍ତିନୀ

ତାର ଗର୍ଭୁ ଉପୁଜିଲା ପୁଣି ସେ ସର୍ପିଣୀ ।

ମୀନରୁ ମନୁଷ୍ୟ ଜାତ କିଛିଭୟ ନାହିଁ

ଅପାରୁଁ ଅପାର ଏହିରୂପେ ଜନ୍ମ ହୋଇ ।

ଏତେ ବିଚାରିଣ ମୁଦୁସୁଲୀ ଚଳି ବେଗେ

ବାର୍ତ୍ତା ଜଣାଇଲେ ଯାଇ ଶମ୍ବରର ଆଗେ ।

ଭୋ ଦେବ ସାବଧାନରେ ଶୁଣ ନୃପମଣି

ଅପୂର୍ବ କଥା ଦେଖିଣ ଅଇଲୁ ଏକ୍ଷଣି ।

ଯେବଣ ମୀନକୁ ଦେଇ ତୁମ୍ଭେଟି ଚଳାଇ

ଠାକୁରାଣୀଙ୍କର ହାତେ ତାହା ଦେଲୁ ନେଇ ।

କନ୍ଦର୍ପ ପରାୟେ ଏକ କୁମର ପାଇଲା

କୁମର ପାଇଣ ରାଣୀ ଆନନ୍ଦିତା ହେଲା ।

ଶୁଣ ମହାରାଜା ବଡ଼ ଆନନ୍ଦିତ ହୋଇ

ଧନ କାଞ୍ଚନ ବହୁତ ଦେଲାକ ବଧାଇ ।

ମାୟାବତୀକି ହକାରି ବୋଲେ ମହୀପାଳ

ଏ ପୁତ୍ର ଗୋଟିକି ତୁମ୍ଭେ ଯତନରେ ପାଳ ।

ପ୍ରାଣରୁ ଅଧିକ କରି ଏହାକୁ ପାଳିବ

ସମୟେ ଏହି ରାଜ୍ୟରେ ନୃପତି ହୋଇବ ।

ରଥ ଗଜ ପଦାତିକ ଭଣ୍ଡାରାଦି କରି

ସମ ରାଜ୍ୟରେ ମୋହର ହେବ ଅଧିକାରୀ ।

ଏ ମୋହର ସତ୍ୟ ସତ୍ୟ ନିରାଧାର ବାଣୀ

ମାୟାବତୀ ମୁଖ ଚାହିଁ ବୋଲ ନୃପମଣି ।

ତୁମ୍ଭେ ମୋର ପଞ୍ଚଭୂତ ଆତ୍ମା ଅଟ ଯେଣୁ

ପ୍ରକୃତ କଥା କହିଲି ତୁମ୍ଭଙ୍କୁ ମୁଁ ତେଣୁ ।

ଏତେବୋଲି ରାଜା ଅନ୍ତଃପୁରେ ବିଜେ କଲା

ନାନାବିଧ ମିଷ୍ଟଅନ୍ନ ମଣୋହି କରିଲା ।

ଏଥୁ ଅନ୍ତରେ ପ୍ରବେଶ ହୋଇଲା ରଜନୀ

ଅସ୍ତାଚଳ ପର୍ବତକୁ ଗଲେ ଦିନମଣି ।

ରାତ୍ରେ ମାୟାବତୀ ଅଙ୍ଗେ ଲେପି ହୋଇ ଘଟି

ମଳିକୁ ଉକୁଟି କଲେ ସେ ପ୍ରତିମା ଗୋଟି ।

ମୃତ ସଞ୍ଜିବନୀ ତାର କହି କର୍ଣ୍ଣପୁଟ

ଦିବ୍ୟବେଶ ହୋଇ ସେହୁ ଦେଲା ଆସି ଭେଟ ।

ଶୁଣ ହେ ପରୀକ୍ଷ ରାଜା ଶ୍ରୀଶୁକ ବୋଇଲେ

ଭାଗବତ ପୁରାଣକୁ ଶୁଣ ତୁମ୍ଭେ ଭଲେ ।

ଧର୍ମ ଅର୍ଥ କାମ ମୋକ୍ଷ ହେବ ପରାପତ

ଶ୍ରୀଜଗନ୍ନାଥ ଚରଣେ ରହୁ ମୋର ଚିତ୍ତ ।

 

ମୀନକେତନ ସଙ୍ଗେ ରତିର ପରିଚୟ

 

ଏଥୁ ଅନନ୍ତରେ ଜନେ ଶୁଣ ଦିବ୍ୟରୀତି

ତପସିଦ୍ଧ ହେଲା କାମେ ଭେଟିଲେକ ରତି ।

ଦ୍ଵିତୀ ନାରାୟଣ ସେହି ରୁକ୍ମିଣୀର ବଳା

ଅତୁଲାଇତ ପୁରୁଷ ରୂପ ଅନର୍ଗଳା ।

ଅନେକ ହୋଇଥିଲେ ଯେ ତିନିମନୁ ଯାଏ

ଏବେ ଆସି ପାଇଲେକ ଭେଟ ନିଜ କାୟେ ।

କେବଳ ଏ ମାୟାମୋହ ସଂସାର ବନ୍ଧନ

ବାଳୁତ ଭାବରେ ହୋଇଥିଲେ ସେ ଅଜ୍ଞାନ ।

ମୀନ ଗର୍ଭରୁ ଯେ ମୀନକେତନ ସଂଜାତ

ତୀର୍ଥଜଳେ ଅଭିକେ କରି ବିଧିମତ ।

ଏକାନ୍ତ ମନ୍ଦିରେ ଗଜପଲ୍ୟଙ୍କ ଶେଯାଇ

ସପାତି ଶଯ୍ୟା ଉପରେ ଶୋଇଦେଲେ ନେଇ ।

ନିରେଖି ଚାହିଁଲେ ଦେବୀ କାମର ବଦନ

ଅନୁସରି ସ୍ଥିର କଲେ ପତିର ଶଙ୍କୁନ ।

ରୂପ ରେଖ ବର୍ଣ୍ଣ ଚାହିଁ ହୋଇଲେକ ଶାନ୍ତି

ପାଇ ନିଜ ଭର୍ତ୍ତା ଫିଟିଗଲା ମନୋଭ୍ରାନ୍ତି ।

ଯେବଣ ମନ୍ତ୍ରଗୋଟିକ ବ୍ରହ୍ମା ଦେଇଥିଲେ

କାମଦେବ କର୍ଣ୍ଣେ ଦେବୀ ତାହାଙ୍କୁ କହିଲେ ।

ସେହି ମନ୍ତ୍ରଗୋଟି ଯହୁଁ ପଶିଲା ଶ୍ରବଣେ

ନବଯୁବା କନ୍ଦରପ ହେଲେ ତତକ୍ଷଣେ ।

କୋଟିଏ ଲାବଣ୍ୟରୂପ ଅତି ସୁକୁମାର

ନିରଞ୍ଜନ ରୂପକୁ ତ ନାହିଁ ପଟାନ୍ତର ।

ନିଜ ଭର୍ତ୍ତାକୁ ପାଇଣ ରତି ଛାଡ଼ି ଲଜ୍ଜା

ଦ୍ଵାର ଚିକୁର ବସନ କରି ସବୁ ତେଜ୍ୟା ।

ବେଳକୁବେଳ ଖେଦ ଯେ ବଢ଼ିଲା ଉଗୁଳି

ମଦନର ପୀଡ଼ା ପାଇ ବ୍ରହ୍ମାଙ୍କ ଦୁଲାଳୀ ।

ରତି ଭାବଭଙ୍ଗୀ ଦେଖି ସେ ମୀନକେତନ

ବୋଲେ ଜାଣୁ ଜାଣୁ କିପାଁ ହେଉ ତୁ ଅଜ୍ଞାନ ।

ମୁଁ ତୋହର ପୁତ୍ର ତୁହି ମୋହର ଜନନୀ

ଲଜ୍ଜା ସଙ୍କୋଚ ତେଜିଣ ଏଡ଼େକ ଅଜ୍ଞାନୀ ।

ଲଜ୍ଜା ଅଟେ ସିନା ନାରୀମାନଙ୍କ ଭୂଷଣ

ଲଜ୍ଜାକୁ ଯେ ଛାଡ଼େ ସେହୁ ହୁଏ ବିଡ଼ମ୍ବନ ।

ଲଜ୍ଜା ଯାର ଅଛି ତାର ଅଛି ଜାତିକୁଳ

ଲଜ୍ଜା ଥିଲେ ଧର୍ମକର୍ମ ମିଳଇ ସକଳ ।

ଲଜ୍ଜାହିଁ ଅଙ୍କୁଶ ମତ୍ତଗଜ ସବୁ ପ୍ରାଣୀ

ଲଜ୍ଜା ଅଟେ ଅଙ୍ଗଭୁଷା ଲଜ୍ଜା ରତ୍ନମଣି ।

ଲଜ୍ଜା ହୁଏ ଇହପରଲୋକେ ବଜ୍ରସେହ୍ନା

ଲଜ୍ଜା ସ୍ଥାପି ଧାତା କଲା ସଂସାର ରଚନା ।

କୁଳସ୍ତିରୀମାନେ କେଭେ ନ ଛାଡ଼ନ୍ତି ଲଜ୍ଜା

ବେଶ୍ୟାଏ କେବଳ ତାହା କରିଥାନ୍ତି ତେଜ୍ୟା ।

ରଜ ବୀର୍ଯ୍ୟ ସଂଯୋଗରୁ ପିଣ୍ଡ ହୁଏ ଗଢ଼ି

ତହିଁର ଭିତରେ ଲଜ୍ଜା ରହିଥାଏ ଜଡ଼ି ।

ଏ ଦେହକୁ ବହି ପ୍ରାଣୀ ଯେତେ ପାପକରି

ସେହି ଶୁଭାଶୁଭ କର୍ମେ ଆନ ଦେହ ଧରି ।

ଲୋଭ ମୋହ କାମବଶେ ଆପେ ଅର୍ଜି ଯାହା

ବେଦଶାସ୍ତ୍ର ପ୍ରମାଣରେ ଭୋଗକରି ତାହା ।

କେବେହେଁ ଅଜରାମର ନୁହେଁ ଏହି ଦେହ

ସଂସାର ମାୟାରେ ଜନେ ହେଉଥାନ୍ତି ମୋହ ।

ବ୍ରହ୍ମା ବିଷ୍ଣୁ ଶିବ ଆସି ହେଲେ ନରଦେହୀ

ଅବଶ୍ୟ ମରିବେ ଏଥେ ସନ୍ଦେହ ତ ନାହିଁ ।

ତୁ ବା ସ୍ତିରୀ ଜନ୍ମ ପାଇ ନ ଜାଣିଲୁ ଧର୍ମ

ଜାଣୁ ଜାଣୁ ମୁଁ କରିବି କେହ୍ନେ ପାପକର୍ମ ।

ତୁ ଏବେ କଟାଳ ଆଉ ନ କର ଗୋ ମୋତେ

ନିନ୍ଦିତ କରମ ମୁହିଁ କରିବି କେମନ୍ତେ ।

ଯଶ ଶିରୀ ଆୟୁ ନାଶ ହୋଇବ ଏଥିରେ

ଧର୍ମ ଲଙ୍ଘିଲେ କି ପ୍ରାଣୀ ରକ୍ଷା ହୋଇପାରେ ।

ରତି ବୋଇଲେ ଏତେବେଳେ ନ ରୁଚେ ଏକଥା

ଏ ତୋହର ପଞ୍ଚଶର ଦିଏ ମୋତେ ବ୍ୟଥା ।

ତୋହର ଶରୀରେ ଏବେ ପୂର୍ବଜ୍ଞାନ ନାହିଁ

ପଛେ ସେ କଥାମାନ ମୁଁ କହିବି ବୁଝାଇ ।

ତ୍ରାହି କର କାମଜଳୁଁ ମୋତେ ପ୍ରାଣନାଥ

ନୋହିଲେ ମରିବି ବିଷ ଖାଇଣ ନିୟତ ।

ଏସନ ବଚନ ଯହୁଁ କହିଲେକ ରତି

ମୀନକେତନ ବୋଲେ ଏ ନୁହଇ ଯୁକତି ।

ନରପତିର ଅଟ ଯେ ତୁମ୍ଭେ ପ୍ରିୟବତୀ

ଆବର ମୁଖେ ଏମାନ ନ କହ ଗୋ ସତି ।

ଶମ୍ବର ନୃପତି ଅଟେ ମହା ବଳିୟାର

ଶୁଣି ପାରିଲେ ସେ ଶାସ୍ତିଦେବ ଯେ ଅପାର ।

ଯୁକତରେ ରାଜପତ୍ନୀ ଅଟ ଯେଣୁ ତୁମ୍ଭେ

ପୋଡ଼ୁ ପୋଡ଼ୁ ଏହି କଥା ନ କହ ଗୋ କେବେ ।

ଗୋହତ୍ୟା ମାତୃହରଣ ଆଦି ସୁରାପାନ

ପାପାଧି ମହାପତକ ନୁହଇ ମେଣ୍ଟନ ।

ଯେଝା କଲା କର୍ମଗୋଟା କେବେ ପାର ନୋହି

ତୁ ଅବା ନ ଜାଣୁ ମାଗୋ ଜାଣେ ଏହା ମୁହିଁ ।

ରତି ବୋଇଲେ କହିବି ତୁମ୍ଭଙ୍କୁ ମୁଁ କେତେ

ନିଜ ଜ୍ଞାନ ହରାଇଣ ଅଛ ତ ଯୁକତେ ।

ତିନିମନୁ ପରିଯନ୍ତେ ବନେ ତପ କଲି

ଈଶ୍ଵର କୃପାରୁ ଆସି ଏଠାରେ ପାଇଲି ।

କାମଦେବ ବୋଇଲେ ଏ ଯୁଗାନ୍ତର କଥା

ଏଥକୁ ସଂପ୍ରତେ ମୁହିଁ ନ କରେ ସର୍ବଥା ।

ରତି ବୋଇଲା ତୁମ୍ଭେ ତ ଦ୍ଵିତୀ ନାରାୟଣ

ତୁମ୍ଭଯୋଗୁଁ ଖେଦ ମହୀଭରା ନିବାରଣ ।

ତୁମ୍ଭେ କନ୍ଦର୍ପ ମୁହିଁ ତ ଅଟେ ସିନା ରତି

ମୁହିଁ ତୁମ୍ଭ ଭାର୍ଯ୍ୟ ତୁମ୍ଭେ ଅଟ ମୋର ପତି ।

ବହୁଯୁଗ ଯାଏ ଏହିପରି ଆମ୍ଭେ ଥାଉଁ

ଏଥିରେ ସନ୍ଦେହ ତୁମ୍ଭେ ନ ମଣ ଯେ ଆଉ ।

ଶାନ୍ତି ନାମେ ସତ୍ୟଯୁଗେ ହେଲ ଅବତାର

ପାର୍ବତୀ ମାତା ତୁମ୍ଭର ଈଶ୍ଵର ପିଅର ।

ଅମୟ ଦୈତ୍ୟକୁ ବଧ କରିବାର ପାଇଁ

ବିଷ୍ଣୁଙ୍କ ନିଦ୍ରା ଭାଙ୍ଗିଲ ବୈକୁଣ୍ଠରେ ଯାଇ ।

ଭ୍ରୁଭଙ୍ଗୀ କୋପନୟନେ ଚାହୁଁ ବନମାଳୀ

ତତକ୍ଷଣେ ଦିବ୍ୟତନୁ ଗଲା ତବ ଜଳି ।

ଚୌଦମନୁ ପରିଯନ୍ତେ ସେବିଲି ଈଶ୍ଵର

ସୁପ୍ରସନ୍ନ ହୋଇବର ଦେଲେକ ଶଙ୍କର ।

ଶଚୀର ଗର୍ଭରେ ନେଇ କଲେ ତୋତେ ଜାତ

ସେ ଯୁଗେ ହୋଇଲ ତୁମ୍ଭେ ତିନିଗୋଟି ଭ୍ରାତ ।

ଇନ୍ଦ୍ର କୁଳବଧୂ ହଓଇ ନେଲି ପୁଣି ଦିନ

ତେବେହେଁ କର୍ମ ଲିଖନ ନୋହିଲା ଖଣ୍ଡନ ।

ସ୍ଵର୍ଗକୁ ଲାଗିଲା ଯର୍ହୁ ତାରକାର ଭୟେ

କାର୍ତ୍ତିକ ଜନ୍ମ ନିମନ୍ତେ ଦେବଙ୍କ ଉପାୟେ ।

ସଦାଶିବ ତପଲଗ୍ନ କରିବାର ପାଇଁ

ତାଙ୍କ ବଚନରେ ତୁମ୍ଭେ ଗଲ ତାଙ୍କ ପାଇଁ ।

ଈଶ୍ଵରଙ୍କ ତପଭଗ୍ନ କଲ ପୁଷ୍ପବାଣେ

ଚାହାନ୍ତେ ଭଷ୍ମ ହୋଇଲ ନାଥ ତତକ୍ଷଣେ ।

ଶିବ ପାର୍ବତୀ ଏକତ୍ର ହୋଇଲେକ ଯହୁଁ

କାର୍ତ୍ତିକ ଦେବ ଜନମ ଲଭିଲେ ଯେ ତହୁଁ ।

ତାରକା ନାଶି ଅବନିଭାରା କଲେ ହତ

ସେ ଦିନୁ ଘୋର ତପରେ ବସିଥିଲ ନାଥ ।

ମୃଗୟା ଯାଇଁ ଭେଟିଲା ମୋତେ ଯେ ଶମ୍ବର

ପ୍ରିୟଭାବ କରି ମୋତେ ରୁହାଇ ନବର ।

ଏବେ ରୁକ୍ମିଣୀ ଗର୍ଭରୁ ହୋଇଲେ ଜନମ

ପ୍ରସିଦ୍ଧ ନାମ ତୁମ୍ଭର ଅଟଇ ପ୍ରଦ୍ୟୁମ୍ନ ।

ଅନେକ କାଳୁ ତୁମ୍ଭଙ୍କୁ ଲଭିବାର ପାଇଁ

ମହତଙ୍କର ବଚନେ ଅଛି ବାଟ ଚାହିଁ ।

ଆହୁରିବେଳେ ତୁମ୍ଭଙ୍କୁ ପଡ଼ିଲା ସଙ୍କଟ

ଦେବ ସଭାରେ ଉର୍ବଶୀ କରୁଥିଲେ ନାଟ ।

ତେତିଶ କୋଟି ଦେବତା ଥିଲେ ତହିଁ ରହି

ନୃତ୍ୟ ଦେଖିବ ବୋଲିଣ ମିଳିଗଲ ତହିଁ ।

ସଭାତଳେ ଉଭା ନବଘଡ଼ି ପରିଯନ୍ତେ

ଉପରେ ଆସବୋଲି କେ ନ ବୋଇଲେ ତୋତେ  

ତେଣୁକରି ଲଜ୍ଜା ତୁମ୍ଭେ ପାଇଲ ଅପାର

ବ୍ରହ୍ମା ଉପରକୁ ବିନ୍ଧିଦେଲେ ପଞ୍ଚଶର ।

ମଦନରେ ଅସାଷ୍ଟମ ହେଲେ ବେଦପତି

ପଞ୍ଚବିଂଶ ବର୍ଷଯାଏ ଉର୍ବଶୀରେ ମାତି ।

ସୁଧର୍ମା ସଭାମଧ୍ୟରେ ବ୍ରହ୍ମାଭଳି ଲୋକ

ଛାଡ଼ିଲେ ମର୍ଯ୍ୟାଦା ସେହୁ ମହତ ବିବେକ ।

ସକଳ ଦେବତାମାନେ ଉପହାସ କଲେ

ଯେ ଯାହାର ଅନୁରୂପେ ସଭାରୁ ଚଳିଲେ ।

ଈଶ୍ଵର ଦେଖୁଥିଲେକ ଖଣ୍ଡେଦୂରେ ଥାଇ

ଟହ ଟହ ହୋଇ ହସି କରତାଳି ଦେଇ ।

ବୋଇଲେ ଧାତା ହୋଇ ତୁ ଏଡ଼େକ ନିଲଠ

ଏକା କାମଦେବ ତୋତେ ଦେଲା ଏଡ଼େକଷ୍ଟ ।

ତହୁଁ ବେଦପତି ଲଜ୍ଜା ପାଇଣ ସଭାରେ

ମହା ଅଭିଶାପ ଦେଲେ ଅତି କ୍ରୋଧଭରେ ।

ତତକ୍ଷଣେ ଭସ୍ମହେଲା ତୁମ୍ଭର ଶରୀର

ପୁଣି ସୁଦୟା ବହିଣ ଜ୍ୟାଇ ବେଦବର ।

ଆବର ଅନେକ ପୂର୍ବୁ ଘଟିଛି ବିଯୋଗ

ବିଶ୍ଵେଦେବାଙ୍କର ଶାପ ପୁଣି କଲ ଭୋଗ ।

ବାଞ୍ଛା ବଟମୂଳେ ପୂର୍ବେ ଗୋମାତ ଯେ ଥିଲେ

ନମସ୍କାର ନୋହିଲା ତୁ ବୋଲି କୋପକଲେ ।

ଶରୀର ବିହୀନେ ତୁମ୍ଭେ ହେଲ ଅକାରଣ

ଆକାଶ ଗଙ୍ଗା କୂଳରେ ଲଭିଣ ମରଣ ।

ଅନେକ ଚିନ୍ତା କରିଣ ଦେବ ଶଚୀପତି

ସେହି ସଙ୍କଟୁ ତାରିଲେ ଯାଇଣ ଝଟତି ।

ସମୟ ଅନ୍ତରେ ପୁଣି ପାଇ ନିଜ କାୟା

ଜ୍ଞାନ ହରାଇ ବସିଲ ହୋଇଣ ନିର୍ମାୟା ।

ତୁମ୍ଭେ ବିଚାର ଶମ୍ବର ଅଟେ ମୋର ପତି

ସେ କଥା ଗୋଟି କଦାଚ ନୁହଇ ଯୁକତି ।

ଏତେ ବୋଲି ମନ୍ତ୍ରଗୋଟି ସୁମରିଲେ ଯେଣୁ

ମୀନକେତନକୁ ଶୁଭାଶୁଭ ଦିଶେ ତେଣୁ ।

ସ୍ଵର୍ଗ ମର୍ତ୍ତ୍ୟ ଆଦିକରି ଯେତେ ଯହିଁ ବିଧି

ବିଧିବିଧାନ ସମସ୍ତ ହୋଇଲାକ ସିଦ୍ଧି ।

ଅନେକ ସାନନ୍ଦ ହୋଇ ରତିକି ବୋଇଲେ

ତୋହର ପ୍ରସାଦେ ମୋର ଦୁଃଖଗଲା ଭଲେ ।

ହେଲା ପାପକ୍ଷୟ ଦିବ୍ୟଚକ୍ଷୁ ପାଇଲଇଁ

ମୋତେ ଆପଦରୁ ତାରୁ କାଳେ କାଳେ ତୁହି ।

ସାକ୍ଷାତେ ସାଧବୀ ତୁହି ପରଂମାହେଶ୍ଵରୀ

ବିଚିତ୍ର ବ୍ରହ୍ମବୀର୍ଯ୍ୟରେ ଉଦ୍ଭବ ତୁମ୍ଭରି ।

ଅକ୍ଷୟ ଅଜରାମର ସର୍ବଦା ତ୍ରିଜୀବି

ମଲା ଦେହକୁ ଜୀଆଉ ଆଣି ମହାଦେବୀ ।

ଏ ତୋହର ଗୁଣ ମୁହିଁ ପାସୋରିବି କାହିଁ

ସ୍ତୁତିକଲେ କାମଦେବ ରତିମୁଖ ଚାହିଁ ।

ରତି ବୋଇଲେ ସ୍ଵାମୀ ତୁ ମୋର ପ୍ରାଣପତି

ତୋର ବ୍ୟତିରେକେ ମୋର ନାହିଁ ଆନ ଗତି ।

ତୁହି କାଳେ ପଞ୍ଚଭୂତ ଆତ୍ମାର କାରେଣି

ତୋହର ପ୍ରସାଦେ ମୁହିଁ ତ୍ରୈଲୋକ୍ୟକୁ ଜିଣି ।

ଏତେ ବୋଲି ଦେବୀ କାମଦେବ ପାଦତଳେ

ସାଷ୍ଟାଙ୍ଗରେ ଗଡ଼ଘାଲି ଶୋଇଲେ ବିକଳେ ।

ପବିତ୍ର ଗଙ୍ଗାଜଳରେ ଚରଣ ପଖାଳି

ପାଦୋଦକ ପାନକଲେ ବ୍ରହ୍ମାଙ୍କ ଦୁଲାଳୀ ।

ଆପଣେ ଘଟନ ଯାହା କରିଛି ବିଧାତା

ଅନେକ କାଳେ ଭେଟଣ ହୋଇଣ ସେ କଥା ।

ବହୁକାଳରୁ ବିଭିନ୍ନ ହୋଇଥିଲେ ବେନି

ହାସ୍ୟରସ କଉତୁକେ ବଞ୍ଚିଲେ ରଜନୀ ।

ଧାଈ ମୁଦୁସୁଲୀ ପରିବାରୀ ଯେତେ ଥିଲେ

କେହି ଜଣେ ନ ଜାଣନ୍ତି ସେ କଥାକୁ ଭଲେ ।

ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି

ଏସନକ ସମୟରେ ପାହିଲା ରଜନୀ ।

ଏଥୁ ଅନନ୍ତରେ ରତି କାମର ଶ୍ରବଣେ

ବାଳୁତର ମନ୍ତ୍ର ଗୋଟି କହିଦେଲେ କର୍ଣ୍ଣେ ।

ବ୍ରହ୍ମା ବୀଜମନ୍ତ୍ର କାମ କର୍ଣ୍ଣରେ ସଞ୍ଚାଇ

ପୁଣି ବାଳୁତ ରୂପକୁ ଧଇଲେକ ତହିଁ ।

ଏସନ ଚରିତ କେହି ନ ଜାଣନ୍ତି ଆନ

ମାୟାବତୀର ମନ୍ତ୍ରରେ ସର୍ବେ ତୋଷମନ ।

 

ହରିବଂଶ ଷଷ୍ଠ ଖଣ୍ଡ

ମୀନକେତନର ଅସ୍ତ୍ରଶିକ୍ଷା ଓ ଶମ୍ବରାସୁର ପୁତ୍ରଙ୍କର ବିନାଶ

 

ଶୁକମୁନି ବୋଇଲେକ ଶୁଣ ମହାରାୟେ

ହରିବଂଶ ବାଣୀ ଶୁଣି ପାପକର କ୍ଷୟେ ।

ଏସନ ପ୍ରକାରେ କେତେଦିନ ଗତହେଲା

ମୀନକେତନ ରତିର ସଙ୍ଗତେ ରହିଲା ।

ପ୍ରତିଦିନ କରେ ଯାହା ସେହି ମାୟାବତୀ

ଶମ୍ବର ଆଗରେ ମୁଦୁସୁଲୀଏ କହନ୍ତି ।

ମାୟାବତୀ ପୁରେ ମୀନକେତନ ଥାଆନ୍ତି

ରାତ୍ରେ ଯୁବା ଦିବସରେ ବାଳକ ହୁଅନ୍ତି ।

ପତି ପତ୍ନୀ ବିନୋଦେ ସେ କରି ନାନାରଙ୍ଗ

ଖଣ୍ଡିଲେ ବିରହ ବାଧା ଲଭି ଅଙ୍ଗ ସଙ୍ଗ ।

ବେଳୁବେଳ ବର୍ଦ୍ଧମାନ ହେଲା ପୁତ୍ର ମଣି

ଅନ୍ତଃପୁରେ ଥିବା ଲୋକ ନ ପାରନ୍ତି ଜାଣି ।

ଦିବସ ବରଷ ମାସ କ୍ଷଣେ କ୍ଷଣେ ଆନ

ଅତୁଲାଇତ ପୁରୁଷ ତେଜ ବର୍ଦ୍ଧମାନ ।

ଅନେକ ଶ୍ରଦ୍ଧା ପାଇଣ ଶମ୍ବର ଭୂପାଳ

କୋଟିନିଧି ମଣି ପୁତ୍ର ଧଇଲାକ କୋଳ ।

ମାୟାବତୀ କନ୍ୟାବଶ ହେଲେ ନୃପମଣି

କୋମଳ କରି କହଇ ସୁଧଧୂର ବାଣୀ ।

ଭୋଜନ ଶୟନ ଅବକାଶ ସମୟରେ

ରାଜାପାଶେ ପୁତ୍ରମଣି ଥାଏ ଆନନ୍ଦରେ ।

ଢାଲ ଛୁରୀ ଖଣ୍ଡା ଶସ୍ତ୍ର ଶାସ୍ତ୍ର ନାନାବିଧି

ବିନ୍ଧାଣ ଆଦି ଶିଖାଏ ସେହି ନୃପନିଧି ।

ବହୁତ ପୁତ୍ର ନାତିଏ ବନ୍ଧୁ ଅପ୍ରମାଣ

ସବୁଠାରୁ ଶ୍ରେଷ୍ଠ ଅଟେ ସେ ମୀନକେତନ ।

ଏଥୁଅନ୍ତରେ ସୁମନ୍ତ ନାମେ ମହାମୁନି

ଦ୍ଵାରକା ଭୁବନେ ଯାଇ ମିଳିଲେ ତକ୍ଷଣି ।

ସୁଧର୍ମା ସଭାରେ ସର୍ବ ଯାଦବଙ୍କୁ ଘେନି

ସମ୍ଭର୍ବେ ବସିଅଛନ୍ତି ରାମ କୃଷ୍ଣ ବେନି ।

ଏସନ ସମୟେ ମିଳିଲେକ ମୁନିବର

ସମସ୍ତ ଯାଦବ ଦେଖି କଲେ ନମସ୍କାର ।

ଆସନ ପାଦାସନରେ କଲେ ତାଙ୍କୁ ପୂଜା

ଉଭୟ କୁଳ ବାର୍ତ୍ତାକୁ ପୁଚ୍ଛି ଦେବରାଜା ।

ମୁନି ବୋଇଲେ ଭୋ କୃଷ୍ଣ ତୁମ୍ଭର ପ୍ରସାଦେ

ସକଳ ଋଷିମାନେ ଯେ ଛନ୍ତି ଅପ୍ରମାଦେ ।

ଗୋବିନ୍ଦ ବୋଇଲେ ତୁମ୍ଭ ଆଗମ କିମର୍ଥେ

ମୁନି ବୋଇଲେକ ତବ ଦର୍ଶନ ନିମନ୍ତେ ।

ଦେବଙ୍କର ଉପରେ ତୁ ଦେବଦେବ ହରି

ସକଳ ସଂସାର ଭାରା ଏକା ଅଛୁ ଧରି ।

ଯାଗତୀର୍ଥ ବ୍ରତ ଧର୍ମ ନିୟତ ସେ ତପ

ଚାରିଖାନି ଛପ୍ନକୋଟି କଳପ ସ୍ଵରୂପ ।

ଅନନ୍ତ ମାୟାଧର ତୁ ସର୍ବ ଗୁଣମଣି

ସର୍ବ ଅନ୍ତର୍ଯ୍ୟାମୀ କୋଟି ବ୍ରହ୍ମାଣ୍ଡ କାରେଣୀ ।

ଭୋ କୃଷ୍ଣ ଅଦ୍ଭୁତ କଥା ଦେଖିଲୁ ନେତ୍ରରେ

ପୁତ୍ରେକ ଅବତରିଛି ମୀନର ଗର୍ଭରେ ।

ଶମ୍ବର ରାଜନ ତାକୁ ପ୍ରତିପାଳି ଥାଇ

ମୀନକେତନ ନାମ ଯେ ଦେଲା ନୃପସାଇଁ ।

ଶ୍ରଦ୍ଧା କରିଣ ତାହାକୁ ପାଳେ ମାୟାବତୀ

ରାମ ବୋଇଲେ ପ୍ରଘଟ ନ କର ହେ ଯତି ।

ଦ୍ଵିତୀନାରାୟଣ ସେହୁ ରୁକ୍ମିଣୀ କୁମର

ନିକଟରେ ନାଶଯିବ ନୃପତି ଶମ୍ବର ।

ସପ୍ତାଙ୍ଗରେ ନାଶଯିବ କୁଟୁମ୍ବ ସହିତ

ସାରାବତୀ କଟକ ଯେ ହେବ ଭସ୍ମସାତ ।

ରତିକୁ ଘେନି ପ୍ରଦ୍ୟୁମ୍ନ ଦ୍ଵାରକା ଆସିବ

ତେବେ ସେ ପୃଥିବୀ ଭାରା ନିଶ୍ଚେ ନାଶଯିବ ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତି

ଇତିଶିରୀ ହରିବଂଶ ପୁରାଣର କୀର୍ତ୍ତି ।

କୃଷ୍ଣ କାମପାଳ ଶୁଣନ୍ତେଣ ଏହି ବାଣୀ

ଏକାନ୍ତେ ଭାଳନ୍ତି ବସି ହୋଇ ତୁନି ତୁନି ।

ରୁକ୍ମିଣୀ ପ୍ରଦ୍ୟୁମ୍ନ ବାର୍ତ୍ତା ମୁନି ମୁଖୁଁ ପାଇ

ଶୋକେ ଗଦ୍‌ଗଦ ଭାବରେ ଚିନ୍ତିତା ସେ ହୋଇ ।

ବୋଇଲେକ ଚକ୍ରକୂଟ ଜାଣ ଭଗବାନ

ତୁମ୍ଭ ମହିମା ମୁଖରେ କେ କରେ ବର୍ଣ୍ଣନ ।

ଆପଣା ସମାନ କରି ଜାତ ତାକୁ କଲୁ

ବାଳୁତ କାଳରୁ ପୁଣି ଦୁଃଖ ତାକୁ ଦେଲୁ ।

କେବଣ ଅପ୍ରାଧ କଲି ଆହେ ଶ୍ରୀନିବାସ

ଶତ୍ରୁଘରେ ପୁତ୍ରକୁ ମୋ ଦେଲୁ ପୁଣି ବାସ ।

ଯେବେ ଧର୍ମ ପ୍ରମାଣରେ ପୁତ୍ର ଆସେ ତହୁଁ

ନେତ୍ରେ ନ ଦେଖିବା ଯାଏ ପ୍ରତେ ଅଛି କାହୁଁ ।

ଏତେ ବୋଲି ମନଦୁଃଖେ ଭୀଷ୍ମକ ନନ୍ଦିନୀ

ଅଭିମାନେ ମଥା ପୋତି ବସେ ସୁହାଗିନୀ ।

ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ

କ୍ରୋଟରାଗ୍ନି ପରାୟେକ ଚିତ୍ତ ଅନ୍ତରାଳ ।

ରୁକ୍ମିଣୀ ଆରତ ଦେଖି ଦେବଦେବ ହରି

ପଲ୍ୟଙ୍କ ଉପରେ ବସାଇଲେ କୋଳକରି ।

ଆପଣା ଅଞ୍ଚଳେ ଅଶ୍ରୁ ପୋଛି ପଦ୍ମମୁଖ

ବୋଇଲେ ଭୋ ସଖି କିପାଁ କରୁ ମନେ ଦୁଃଖ ।

ଏ ଧରଣୀ ଭାରାଭାର ନିବାରିବା ପାଇଁ

ଦ୍ଵାପରେ ଲକ୍ଷ୍ମୀରୂପରେ ଅଛ ଜାତ ହୋଇ ।

ତୁମ୍ଭର ପୁତ୍ରକୁ ଅପଚୟ ନାହିଁ ସତୀ

ରତିକୁ ସଙ୍ଗରେ ଘେନି ଆସିବ ତଡ଼ତି ।

ଏହି ନିକଟରେ ଆସି ମିଳିବଟି ଆଗେ

ତୁ ଏହା ପ୍ରତ୍ରକ୍ଷେ ଜାଣିଥାଅ ଶାସ୍ତ୍ରଯୋଗେ ।

ତୁମ୍ଭେ ଯେବେ ପୃଥିବୀର ନ କରିବ କକ୍ଷା

ଅଶେଷ ଭାରାଭରଟି କେହ୍ନେ ହେବ ରକ୍ଷା ।

ଶୁଣିଣ ସନ୍ତୋଷ ହେଲେ ସେ ଦେବୀ ରୁକ୍ମିଣୀ

ବୋଇଲେ ତୁମ୍ଭ ଆଜ୍ଞା କେ ଭାଙ୍ଗେ ଚକ୍ରପାଣି ।

ନିହନ୍ତା ବିହନ୍ତା ତୁହି ପୁଂସ ଆଦିମୂଳ

ରୂପ ରେଖ ବର୍ଣ୍ଣ ତୁମ୍ଭ ନାହିଁ ଶୂନ୍ୟଠୁଳ ।

ଶୁଭାଶୁଭ କର୍ମ ତୁହି କରିପାରୁ ଆନ

ଏତେ ବୋଲି ରୁକ୍ମିଣୀ ଯେ ହୋଇଲେ ମଉନ ।

ଅନେକ ରୂପେ ବୁଝାଇ ସେ ଦେବାଧିରାଜା

ରଜନୀ ପ୍ରବେଶ ହ୍ଵନ୍ତେ କରିଲେକ ଶଯ୍ୟା ।

ନିଶ୍ଚେଷ୍ଟରେ ରାତ୍ରେ ନିଦ୍ରା ଗଲେ ବନମାଳୀ

ପାଦ ମଞ୍ଚାଳନ୍ତି ବସି ଭୀଷ୍ମକ ଦୁଲାଳୀ ।

ସେ ସୁମନ୍ତ କନ୍ଦମୂଳ ଭକ୍ଷଣ କରିଲେ

ମନଯାନରେ ଚଢ଼ିଣ ଧାତିକାରେ ଗଲେ ।

ଏଥୁ ଅନନ୍ତରେ ପୁଣି କେତେହେଁ କ ଦିନେ

ମୀନକେତନ ରହିଲେ ଶମ୍ବର ଭୁବନେ ।

ନିତ୍ୟେ ରତିଦେବୀ ଅଙ୍ଗେ ଘଷନ୍ତି ଯେ ଘଟି

କନ୍ୟାଏ ଜାତ କରିଣ କହି ମନ୍ତ୍ରଗୋଟି ।

ଅଦ୍ଭୁତ ଭାବରେକ ନ୍ୟା ହୁଏ ତହୁଁ ଜାତ

ରାତ୍ରରେ ରଞ୍ଜଇ ଯାଇ ଶମ୍ବର ଦଇତ ।

ଦିବସରେ ଉଦେ ହ୍ଵନ୍ତେ ପ୍ରଭୁ ଦିନମଣି

ତତକ୍ଷଣେ ଜଳନ୍ଧର ବିଦ୍ୟାକୁ ସେ ଜାଣି ।

ଏସନ କଥାଗୋଟା ଯେ ନ ଜାଣନ୍ତି ଆନ

ଚତୁର୍ମୁଖ କରିଛନ୍ତି ଯେ କଥା ଭିଆଣ ।

ଦିନୁଦିନ ବଢ଼େ ମୀନକେତନ ଶରୀର

ଯେସନେକ ବର୍ଦ୍ଧମାନ ହୁଏ କଳାକାର ।

ତେସନ ବୃଦ୍ଧି ପାଇଲେ ଗୋବିନ୍ଦଙ୍କ ବଳା

ସମ୍ପୂର୍ଣ୍ଣ ଭାବରେ ତେଜ ଅତି ଅନର୍ଗଳା ।

ଦେଖିଣ ସନ୍ତୋଷ ହେଲା ଶମ୍ବର ନୃପତି

କୁଶଳରେ ପ୍ରଜାମାନ ପାଳନ କରନ୍ତି ।

ପାତ୍ର ମନ୍ତ୍ରୀ ଅମନାତ୍ୟ ଡକାଇ ସମସ୍ତ

ଶମ୍ବର ନୃପତି ତାଙ୍କୁ ବୋଲଇ ଏମନ୍ତ ।

ଦେଶ ଘୋଷ ପାଟକଙ୍କୁ ଦିଅ ନେଇ ଲେଖା

ସର୍ବଗୁଣେ ପରିପୂର୍ଣ୍ଣ ପୁତ୍ର ମୋର ଏକା ।

ଦଣ୍ଡଛତ୍ର ସିଂହସନ ରାଜ୍ୟାଦି ସକଳ

ମୀନକେତନାକୁ ଦେବା ନିଶ୍ଚେଁ ଅନୁକୂଳ ।

ଶୁଣିଣ ସୁବୁଦ୍ଧି ମନ୍ତ୍ରୀ ଏମନ୍ତ ବୋଇଲା

ଜନ୍ମିତ ପୁତ୍ର ଥାଉଣୁ କେହ୍ନେ ହେବ ଭଲା ।

କଥାଗୋଟା କହୁଅଛ ମନକୁ ନ ଆସେ

ପରକୁ ମୋହର କର କେମନ୍ତ ବିଶ୍ଵାସେ ।

ଏସନ ବାରତା ଯହୁଁ ଶମ୍ବର ଶୁଣିଲା

ହାଣରେ ମନ୍ତ୍ରୀ ବଂଶକୁ ବୋଲି ଆଜ୍ଞା ଦେଲା ।

ତାହା ଶୁଣି ମନ୍ତ୍ରିବର କଲା ନମସ୍କାର

ତୁମ୍ଭ ବିଚାରକୁ ଗଲେ କର ନୃପବର ।

ତୁମ୍ଭ ବିଚାରକୁ ଯେବେ କଥା ଯୋଗାଇଲା

ରାଜ୍ୟଗୋଟା ଭୋଗ କରୁ ଆମ୍ଭର କି ଗଲା ।

ଏହା କହି ରାଜବିଧି ଅଣାଇ ସକଳ

ମୀନକେତନକୁ ରାଜ୍ୟେ କଲା ମହୀପାଳ ।

ଦଣ୍ଡଛତ୍ର ଧରି ସିଂହସନରେ ବସିଲେ

ଉତ୍ତମ ସୁଖରେ ପ୍ରଜାମାନ ସେ ପାଳିଲେ ।

ଆବର ଯେତେକ ପୁତ୍ର ଶମ୍ବରର ଥିଲେ

ତେଜ ବୀର୍ଯ୍ୟ ଦେଖି ମନେ ଭୟ ସେ କରିଲେ ।

ଲକ୍ଷ୍ମୀ ଯାର ମାତା ନାରାୟଣ ଯାର ପିତା

ରଥ ଗଜ ଅଶ୍ଵ ଆଖଡ଼ାରେ ଜଗଜ୍ଜିତା ।

ମାୟାବତୀ ଭୁବନରେ ଥାଇ ପୁତ୍ରମଣି

ନିଜ ପୁତ୍ର ବୋଲିକରି ସର୍ବେ ଛନ୍ତି ଜାଣି ।

ପରିବାରୀମାନେ ଦେଖି ବିଚାରନ୍ତି ମନ

ଏହାଙ୍କ ଚାଲିଚଳନ ଦିଶେ ଆନୁଆନ ।

ଯୁକତରେ ମାତା ପୁତ୍ର ଅଟନ୍ତି ଏ ଦୁଇ

କେମନ୍ତେ ମାତା ପୁତ୍ରର ଏକସଙ୍ଗ ହୋଇ ।

ଆବର ବିଶେଷେ ଏହୁ ରାଜାଙ୍କର ନାରୀ

ସବୁ ପୁତ୍ରଭାର୍ଯ୍ୟା ଛାଡ଼ି ୟାକୁ ସ୍ନେହକରି ।

କେମନ୍ତେ କହିବା ଏଡ଼େ ଅପ୍ରମାଣ କଥା

ଲୋକ ସମାଜେ ଗଞ୍ଜଣା ଆପଣାକୁ ବ୍ୟଥା ।

କେ ବୋଲଇ ଏଥି କିଛି ସନ୍ଦେହ ତ ନାହିଁ

ପ୍ରତ୍ୟକ୍ଷ କରି ଏହା ଯେ ଦେଖିଅଛି ମୁହିଁ ।

ଉଭୟ ସଂକଟ କଥା ଲାଗେ ବଡ଼ ଭୟ

ରାଜନୀତି ବିଚାରକୁ କେ କରି ନିର୍ଣ୍ଣୟ ।

କେ ବୋଲଇ ତୁମ୍ଭେମାନେ ତୁନି ହୋଇ ରହ

ନୟନେ ନ ଦେଖିଲେ କେ କରିବ ପ୍ରତ୍ୟୟ ।

ଯେ ଦିନ ବେନି ଚକ୍ଷୁରେ ପ୍ରତ୍ୟକ୍ଷ ଦେଖିବା

ଅତ୍ୟନ୍ତ ଦେଖିଲେ ରାଜା ଆଗରେ କହିବା ।

କେହି ବୋଲଇ ଆମ୍ଭେ ତ ନେତ୍ରେ ଦେଖିନାହୁଁ

ପର ମୁଖରୁ ଶୁଣିଣ ପ୍ରତେ ଯିବା କାହୁଁ ।

ସାମାନ୍ୟ କଥା ଏଥିକି ଲାଗେ ବଡ଼ଭୀତି

ଏସନ ବେଭାର ଦେଖା ନାହିଁ କେଉଁ କତି ।

ପ୍ରତ୍ୟକ୍ଷରେ ନିଜ ପୁତ୍ର ମାତା ତୁଲେ ଲୀଳା

ପୁତ୍ର ହୋଇ ମାତା ସଙ୍ଗେ କରେ ପୁଣି ଖେଳା ।

ଏହା ଶୁଣି ଥୋକାଏକ କରି ଉପହାସ

ଆନକୁ ନ ବୋଲ ଏହା ଶମ୍ବରର ଦୋଷ ।

ସାଉଣ୍ଟଲା ଭାର୍ଯ୍ୟାଠାରେ ବଳାଇଲା ସ୍ନେହ

ଜାତ କରିଲା ପୁତ୍ରର ଛାଡ଼େ ମାୟାମୋହ ।

ଏହି କଥାମାନ ମୋତେ ଦିଶୁନାହିଁ ଭଲ

ନିଶ୍ଚେଁ ସମ୍ବର ରାଜାର ଅଟଇ ସେ ସଲ ।

ଜାଣୁ ଜାଣୁ ଆପଣେ ଯେ କଲା ଏଡ଼େ କର୍ମ

ସମ୍ପୂର୍ଣ୍ଣରେ ନାଶଗଲା ସାରାବତୀ ଧର୍ମ ।

ଅକସ୍ମାତ ଲୋକ ଆସି ଏଡ଼େ କର୍ମ କଲା

ରାଜ୍ୟଭାର ସିଂହାସନ ସବୁ ତାକୁ ଦେଲା ।

ଏ କଥା ଶୁଣିଲେ ଅବା କି ବୋଲିବେ ଲୋକ

ପୋଷିଲା କୁକୁର ମୁଖେ ଦେଉଅଛି ବୋକ ।

ଥୋକାଏ ବୋଇଲେ ଏହା ଅଟେ ଚମତ୍କାର

ମୀନ ଗର୍ଭରୁ ମାନବ ହେଲା ଅବତାର ।

ଅଜ୍ଞାନ କୁଳଶୀଳକୁ ରାଜା ପ୍ରତ୍ୟେକରି

କେ ବୋଲଇ ଦୋଷ କିପାଁ ବାଛ ହେ ତାହାରି ।

ତା କଥା ନ ଜାଣ ତୁମ୍ଭେ କଥା ସ୍ଫୁଟ କର

ଜାଣିଲେ ନ ବର୍ତ୍ତିବଟି ବାଳୁତ କୁମର ।

ରାଜାର ବିଶ୍ଵାସୀ ଆମ୍ଭେ ଅନ୍ତଃପୁରେ ଥାଉଁ

ତାର ପ୍ରକୃତି ଜାଣିଣ ଦିନକାଳ ନେଉଁ ।

ଏଡ଼େ ବଡ଼କଥା କେହ୍ନେ ହୋଇବ ଗୁପତ

ଏ କଥା ଗୁପତ କଲେ ସରିବ ମହତ ।

ଏମନ୍ତ ବିଚାରି ମୁଦୁସୁଲୀ ଗୁପ୍ତେ ଗଲା

ରାଜାଙ୍କ ଛାମୁରେ ଯାଇ ବିନୟେ କହିଲା ।

ଭୋ ଦେବ ସାବଧାନେ ତୁ ଶୁଣ ନୃପନାଥ

ଅତ୍ୟନ୍ତ ଗୁପତ ଅଟେ ଗହନ ଚରିତ ।

ପ୍ରତ୍ୟକ୍ଷ କରି ନୟନେ ଦେଖୁ ଆମ୍ଭେ ଯାହା

ଶୁଣ ତୁହୋ ସାବଧାନେ କହଇ ମୁଁ ତାହା ।

ଭୋ ଦେବ ତୋହର ଭାର୍ଯ୍ୟା ମାୟାବତୀ ରାଣୀ

ମୀନକେତନ ନାମରେ ପୁତ୍ର ଚୂଡ଼ାମଣି ।

ସେ ଦୁହେଁ ଏକ ସଙ୍ଗରେ ହୋଇଲେ ବିନଷ୍ଟ

ପ୍ରତ୍ୟକ୍ଷେ ଦେଖିଲୁ ତାହା ନୃପଶ୍ରେଷ୍ଠ ।

ଶୁଣିଣ ଶମ୍ବର ରାଜା ଉପହାସ କଲା

ଆଲୋ ବିଡ଼ମ୍ବିତ କଥା କହୁ କେହ୍ନେ ଭଲା ।

ଆଲୋ ମାୟା ବତୀ ମୋର ଜୀବନର ମଣି

ତାହାର ଦୋଷ ତୁହି ଲୋ ବାଛୁ ନିଲକ୍ଷଣି ।

ମୋର ବ୍ୟତିରେକେ ଅନ୍ୟେ ନ ବଳେ ତା ଚିତ୍ତ

ସେ ଯାହା ବୋଲିବ ତାହା ମୋର ଶିରାଗ୍ରତ ।

ସର୍ବଗୁଣେ ପରିପୂର୍ଣ୍ଣ ମୋ ମୀନକେତନ

ସାରାବତୀ କଟକରେ ଅଟେ ନୃପରାଣ ।

ତାହାର ଅବିଗୁଣ ତ କିଛିମାତ୍ର ନାହିଁ

ଅକାରଣେ ଦୋଷ ତୁମ୍ଭେ ବାଛ କାହିଁପାଇଁ ।

ଦାସୀ ପରିବାରୀ ତୁମ୍ଭ ଜ୍ଞାନ ଅବା କେତେ

ଭଲମନ୍ଦ ନ ବିଚାରି କୁହ ମୋ ଅଗ୍ରତେ ।

ସମସ୍ତେ ଚତୁରୀ ତୁମଅଭେ ଜଣେ ନୁହଁ ଭଲ

କଥା ନ ଜାଣି ଯାହାକୁ ଯେଉଁ କଥା ବୋଲ ।

ଆଗେ ଆନବେଳେ ଯେବେ କୁହ ଏହି ବାଣୀ

ଅବଶ୍ୟ ନାସା ଶ୍ରବଣ ପକାଇବି ହାଣି ।

ଶୁଣିଣ ପରିବାରୀଏ ଚକିତ ହୋଇଲେ

ମସ୍ତକରେ ହସ୍ତଦେଇ ପଛକୁ ଘୁଞ୍ଚିଲେ ।

ରାଜାଭୟେ ମୁଦୁସୁଲୀ ନ କହିଲେ କଥା

ଧର୍ମକୁ ସାକ୍ଷୀ କରିଣ ପାଇ ମନେ ବ୍ୟଥା ।

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

ଇତି ଶିରୀ ହରିବଂଶ ପୁରାଣର ଧ୍ଵନି ।

ଏଥୁ ଅନନ୍ତରେ ପୁଣି କେତେଦିନ ଯାଏ

ଅନ୍ତଃପୁରେ ବିଜେକଲେ ସେ ଶମ୍ବର ରାୟେ ।

ଶୋଭାବତୀ ନାମରେ ଯେ ଶମ୍ବରର ରାଣୀ

ବାଣାସୁର ନୃପତିର ଅଟେ ସେ ଦୁଲଣୀ ।

ସେ ଆସିଣ ରାଜା ଆଗେ ସବୁ ଜଣାଇଲା

ଭୋ ଦେବ ନୃପନିଧି ତୁ ଶୁଣିବାକୁ ଭଲା ।

କେତନ ମାୟାବତୀର ସ୍ନେହ ଗୁରୁତର

ସଂସାର ମଧ୍ୟରେ ନିନ୍ଦା ହୋଇଲା ଅପାର ।

ସମରାଜ୍ୟଯାକ ସବୁ ହୋଇଲାଣି ଗୋଳ

ପାତ୍ରମନ୍ତ୍ରୀ ଆଦିକରି ଜାଣିଲେ ସକଳ ।

ମାତା ପୁତ୍ର ବୋଲିକରି ଯାହା ବୋଲୁଅଛ

ସେ କଥାଗୋଟା ଜାଣ ତ ସବୁ ଅଟେ ମିଛ ।

ଯଦ୍ୟପି ମନେ ପ୍ରତ୍ୟେ ନ କରୁଛ ଗୋସାଇଁ

ଏକାନ୍ତରେ ଡାକିନେଇ ଦେଖାଇବି ମୁହିଁ ।

ଶୁଣିଣ ଶମ୍ବର ରାଜା ହୋଇଲେ ମଉନ

ଆପଣା ଅନ୍ତର୍ଗତରେ ବିଚାରଇ ପୁଣ ।

ସପତଣୀମାନେ ସଦା ଛେଦଭେଦ କାରୀ

ତାହାଙ୍କର ବଚନକୁ ପ୍ରତୀତ ନ କରି ।

ଶୁଣିକରି ଶୋଭାବତୀ ପାଇଲାକ ଲାଜ

ବିଚାରିଲେ ନାଶ ହେବ ନିଶ୍ଚେଁ ଏ ଦନୁଜ ।

ଶମ୍ବର ବୋଇଲା ମୋତେ ନ କହିବୁ ଆଉ

ସପତଣୀ ହିଂସା ବହି ମିଥ୍ୟାକଥା କହୁ ।

ଶୁଣି କରି ମହାଦେଈ ଲଜ୍ଜାକୁ ପାଇଲେ

କଥା ନ ରହିଲା ବୋଲି ଭିତରକୁ ଗଲେ ।

ଏସନ ପ୍ରକାରେ ତହୁଁ କେତେଦିନ ଯାଏ

ସମରାଜ୍ୟେ ମହାଗୋଳ ଉପସ୍ଥିତ ହୁଏ ।

ଶମ୍ବର ରାଜାର ଲକ୍ଷେ ଅନେଶତ ବଳା

ବଳବନ୍ତ ତେଜବନ୍ତପଣେ ଅନର୍ଗଳା ।

ସନ୍ଦେହ ବାର୍ତ୍ତାକୁ ପାଇଥିଲେ ସେ ପୂର୍ବହୁଁ

ଯୁକତେ ଅହନ୍ତା କରିଥିଲେ ତ ଆଗହୁ ।

ଏକମୁଖି ହୋଇକରି ଚଳି ଅତିବେଗେ

ପ୍ରବେଶ ହୋଇଲେ ଯାଇ ଶମ୍ବରର ଆଗେ ।

ବୋଇଲେ ଭୋ ଦେବ ତୁମ୍ଭେ ଶୁଣ ନୃପମଣି

ସଂସାର ମୁଖେ ଲଭିଲା ଅପଖ୍ୟାତି ବାଣୀ ।

ମୀନକେତନ ଯେ ମାୟାବତୀର ବିଷୟ

ଅତି ଦୁରାପଦ ଅଟେ ଜାଣ ମହାରାୟ ।

ଏଥିରୁ ଅଧିକ ଆଉ ଅଛି କିବା ଲାଜ

ତୁମ୍ଭ ଆଜ୍ଞା ପାଇଲେକ କରିବୁଟି କାର୍ଯ୍ୟ ।

ପୁତ୍ରଙ୍କର ବଦନରୁ ଏହି କଥା ଶୁଣି

ହେଠ ବଦନ ହୋଇଣ ବସେ ନୃପମଣି ।

ବିସ୍ମିତ ହେବାରୁ କମ୍ପି ଉଠଇ କପାଳ

କାଳସର୍ପ ପ୍ରାୟେ ରାଜା କୋପେ କୋପାନଳ ।

ପଞ୍ଚଭୂତ ଆତ୍ମା ମାୟାବତୀଠାରେ ଅଛି

ଉପ୍ରୋଧେ ତାହାକୁ ତେଣୁ କିଛି ନ ବୋଲୁଛି ।

ଅନ୍ତର୍ଗତରେ ବିଚାରି ବୋଲେ ନୃପସାଇଁ

ନୟନରେ ନ ଦେଖିଲେ ପ୍ରତେ ମୋର ନାହିଁ ।

ପରିବାରୀଏ ବୋଇଲେ ଶୁଣ ମହାରାଜ

ପ୍ରତ୍ୟକ୍ଷ କରିଣ ତୋତେ ଦେଖାଇବି ଆଜ ।

ଆପଣଙ୍କୁ ଜଣାଅଛି ସମପ୍ତ ଉପାୟେ

ଥାଅ ସ୍ଥିରଭାବେ ରାତ୍ର ପ୍ରବେଶିବା ଯାଏ ।

ଯେ ଯାହାରେ ଜଗିଥିବା କାରଣକୁ ଜାଣି

ସମୟେ ଭେଟାଇବାକ ନେଇ ନୃପମଣି ।

ଏତେ ବୋଲିଣ ସମସ୍ତେ ହୋଇଲେକ ଆଡ଼

ଯେ ଯାହାରେ ଦୃଢ଼କରି ଛପି ଠଣା ବାଡ଼ ।

ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣି

ପାଞ୍ଚଦଣ୍ଡ ହୋଇଲାକ ଆସିଣ ରଜନୀ ।

ଶମ୍ବର ନୃପତି ପାଶେ ମାୟାକନ୍ୟା ପେଷି

ଆପଣେ ସୁବେଶ ହୋଇଲେକ ଶୁଭ୍ରକେଶୀ ।

ତଦନ୍ତେ ମୀନକେତନ କରାଇ ସୁବେଶ

କୋଟି କନ୍ଦର୍ପ ପରାୟେ ଦିଶି ରତିଈଶ ।

ପଲ୍ୟଙ୍କରେ ପହୁଡ଼ିଲେ ପତି ପତ୍ନୀ ବେନି

ଏ ସମୟେ ଦଶଦଣ୍ଡ ହୋଇଲା ରଜନୀ ।

ଦିଗନ୍ତରେ ରହିଥିଲା ଶମ୍ବର ନୃପତି

ଲୁଚି ଚାହିଁଲା ସେ ଜଳାକବାଟିର କତି ।

ଦେଖିଲା ମୀନକେତନ ମାୟାବତୀ କୋଳେ

ଶୋଇଛନ୍ତି ଅସାଷ୍ଟମେ ରଙ୍ଗରସ ଭୋଳେ ।

ଅଙ୍ଗେ ଅଙ୍ଗକୁ ଜଡ଼ାଇ ଦୁହେଁଛନ୍ତି ଶୋଇ

ବେନି ଜନଙ୍କର ଦେହେ ଜ୍ଞାନ ତିଳେ ନାହିଁ ।

ମାଣିକ୍ୟର ଦୀପାବଳି ଜଳେ ଚଉକତି

କୋଟିଏ ଚନ୍ଦ୍ରମା କିବା ଉଇଁଣ ଅଛନ୍ତି ।

ପୁଣି ପୁଣି ନିରେଖିଣ ଚାହେଁ ଦଣ୍ଡଧାରୀ

ହୋଇବ କି ନ ହୋଇବ ମନରେ ବିଚାରି ।

କିବା ଜଳନ୍ଧର ମାୟା କରିଅଛି ଆଣି

କିବା ହିଂସିଲେକ ମାୟାବତୀକୁ ସୌତୁଣୀ ।

ଏକାବେଳେ ୟାରଠାରେ ବଳାଇଲି ଚିତ୍ତ

କିବା ମୋତେ ଗ୍ରାସ କଲା ଆସି ପ୍ରେତ ଭୂତ ।

ପୁଣି ମନ୍ତ୍ର ମହୌଷଧି କରିଲା ବା କିଏ

କି ଅବା ମୋର ଆୟୁଷ ହେଲା ଆସି କ୍ଷୟେ ।

ଜାଣିତ ନ ପାରେ ମୁହିଁ କେସନ ଏ କୃତ୍ୟ

ଏହିପରି ହୃଦମଧ୍ୟେ ଭାଳେ ନୃପନାଥ ।

ପ୍ରାଣରୁ ଅଧିକ ମୋର ଅଟେ ମାୟାବତୀ

ଅସମୟ କାଳେ ହେଲା ବିପରୀତ ମତି ।

ଭୋ ଧର୍ମଦେବତା ବୋଲି ଛାଡ଼ିଲା ନିଃଶ୍ଵାସ

ବିଚଳିତ ମତି ହେଲା ବଳବୀର୍ଯ୍ୟ ନାଶ ।

ଦୈବ ବିପରୀତ କଥା ହେଲା ଆସି ଏଥେ

ମାୟାବତୀ ପ୍ରାୟେ ନାରୀ କଲା ଏ କେମନ୍ତେ ।

ପୁଣି ବିଚାରିଲା କେହ୍ନେ ନ ଯିବି ପରତେ

ଆଗହୁଁ ମୁଦୁସୁଲୀଏ କହିଛନ୍ତି ମୋତେ ।

ନ ଜାଣିବା ପଣେ ମୁହିଁ ମିଥ୍ୟା ତାକୁ ମଣି

ପୁଣି ମୋତେ କହିଥିଲେ ଶୋଭାବତୀ ରାଣୀ ।

ତାହାଙ୍କ ବଚନ ମୁହିଁ ଅବଜ୍ଞା କରିଲି

ଅନ୍ଧାରି ବିଜୟେ କରି ସାକ୍ଷାତେ ଦେଖିଲି ।

ପୁଣି ପୁତ୍ରମାନେ ମୋତେ କହିଲେ ବିଶ୍ଵାସ

ତାହାଙ୍କର ବଚନକୁ କଲି ଉପହାସ ।

ପ୍ରତ୍ୟକ୍ଷ କରି ଆସିଣ ଦେଖିଲି ନୟନେ

ଏଥିକି ନାସ୍ତି ଅବା ମୁଁ କରିବି କେସନେ ।

ପୁଣି ବିଚାରଇ ଅବା ପରେ ଦେବି ଦୋଷ

ନ ଜାଣିବାପଣେ ମୁଁ ତ କଲି କାଳେ ନାଶ ।

ବନସ୍ତ ଭିତରୁ ଯାହା ଆଣିଲି ସାଉଣ୍ଟି

କୁଳମୂଳ ନ ଜାଣିଣ ଏ କାର୍ଯ୍ୟ କଲିଟି ।

ଅଜ୍ଞାତ ଲୋକଙ୍କୁ ମୁହିଁ କଲି ଏଡ଼େ ଦୃଢ଼

ପ୍ରାଣରୁ ଅଧିକ କରି ପାଳିଥିଲି ଗାଡ଼ ।

ମୁହିଁ କିପାଁ ଏ କନ୍ୟାକୁ ବିଶ୍ଵାସ କରିଲି

ପରପୁତ୍ରକୁ ରାଜ୍ୟରେ ଅଧିକାର କଲି ।

ମାୟାବତୀ ବଶେ ମୁହିଁ କଲି ଏଡ଼େ କୃତ୍ୟ

ଆନକୁ କି ବୋଲିବଇଁ ଦେବର ବିଦିତ ।

ମୋହର ବୁଦ୍ଧି ତ ମୋତେ ଅଟେ ଅଗୋଚର

କାଠବୋଲି ଧରିଲଇଁ ହୋଇଲା କୁମ୍ଭୀର ।

ସରିଲା କଥାରେ ଆଉ ଅଛି କିସ କାର୍ଯ୍ୟ

ଏ ମୋହର କୁଳକୁ ଯେ ଅଟ୍ଟେ ବଡ଼ଲାଜ ।

ପୁଣି ମନେ ବିଚାରିଲା କରିବଇଁ କିସ

ଦେହ ବହିଣ ଦେଖିବି କେହ୍ନେ ଏ ଭବିଷ୍ୟ ।

ସମରାଜ୍ୟ ଲୋକେ ନିଶ୍ଚେଁ କରିବେ ଧିକ୍‌କାର

ଦୁହିଙ୍କୁ ମାରିଣ ମାଂସ ଭକ୍ଷିବି ନିକର ।

ନୋହିଲେ କଳ କୌଶଳ ଅବା ମୁଁ କରିବି

ପୁତ୍ରଙ୍କର ପାଶେ ନେଇ ଧରାଇଣ ଦେବି ।

ମରାଇବି ମାଡ଼ ନାନା ପ୍ରକାରେ ଯୁକତେ

ଜନମୁଖେ ବିଡ଼ମ୍ବନା ହୋଇଲାକ ମୋତେ ।

ତଦନ୍ତେ ମାୟାବତୀକୁ କରିବଇଁ ତେଜ୍ୟା

ଏସନକ ବିଚାରିଲା ସେ ଶମ୍ବର ରାଜା ।

ପଣ୍ଡିତଙ୍କ ଗୁଣ କହେ ସର୍ବଦା ସୁଯଶ

ଆପଣେ ଜାଣୁ ଜାଣୁ ତ ଗଲି ମୁହିଁ ନାଶ ।

ଏସନ ବିଚାର କରି ଚଳିଲା ନୃବର

ଏକାନ୍ତେ ପହୁଡ଼େ ଯାଇ ନିଜ ଜଗତୀର ।

ନିଦ ନ ମାଡ଼ଇ ଚିତ୍ତ ହୁଏ ଛନ୍ନ ଛନ୍ନ

ମାୟାବତୀ ପାଶେ ଖଟି ଅଛି ପଞ୍ଚମନ ।

ମାତା ପିତା ବୈରୀ ଆତ୍ମାବୈରୀ ଦାରାବୈରୀ

ବେଦ କହୁଛି ଏହାଙ୍କୁ ଦେଖିଲେଟି ମାରି ।

ରାତ୍ର ପାହିଲେ ବୃତ୍ତାନ୍ତ ବୁଝିବା ଯୁକତ

ଏସନକ ହୃଦମଧ୍ୟେ ଭାଳି ନୃପନାଥ ।

ନଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି

ଏସନ ବିଚାରନ୍ତେ ପାହିଲା ରଜନୀ ।

କାକ ପିକ ରାବ ଦେଲେ ଉଠି ସର୍ବ ପ୍ରାଣୀ

ଗଗନେ ଉଦୟ ଆସି ହେଲେ ଦିନମଣି ।

ନିତ୍ୟାଚାର ବେଭାରରେ ଲାଗିଲେ ସକଳେ

ନିତ୍ୟକର୍ମ ଶେଷକରି ତହୁଁ ମହୀପାଳେ ।

ସମ୍ଭର୍ବ ଆସ୍ଥାନେ ଆସି ବସି ଶ୍ରୀଘ୍ରଗତି

ପାତ୍ର ମନ୍ତ୍ରୀ ଆବର ଯେ ନାତି ପଣନାତି ।

ଲକ୍ଷେ ଅନେଶତ ସସ୍ର ପୁତ୍ରରେ ଉତ୍ତମ

ଅମରାସ୍ଵର ବୋଲିଣ ଜ୍ୟେଷ୍ଠପୁତ୍ର ନାମ ।

ତାକୁ ନିକଟକୁ ରାଇ ଗୁପ୍ତେ ଦଣ୍ଡଧାରୀ

ବିଶ୍ଵାସ ବଚନ କହେ ଅତି ଦୃଢ଼କରି ।

ବାବୁ ତୁମ୍ଭ ବଚନ ମୁଁ କଲଇଁ ଅନ୍ୟଥା

ଲୋକେ ମହା ଲାଜ ହେଲା ଆପଣାକୁ ବ୍ୟଥା ।

ମନ୍ଦାଚାରି ହେଲେ ମୀନକେତୁ ମାୟାବତୀ

ପ୍ରତ୍ୟକ୍ଷ କରି ଦେଖିଲି ମୁହିଁ ଆଜ ରାତି ।

ତୁମ୍ଭେମାନେ କହିଲ ଯେ ମୋତେ ସିଦ୍ଧ କଥା

ମୋର ମନକୁ ପ୍ରତୀତ ଲାଗିଲା ସର୍ବଥା ।

ଏବେ ସେହି କଥା ମୁହିଁ ଦେଖିଲି ନୟନେ

ଯେସନେକ ପ୍ରଭୁ ଭାର୍ଯ୍ୟା ଭେଟ ଏକସ୍ଥାନେ ।

ଏପରି ଅନ୍ୟାୟ କଥା କାହିଁ ଶୁଣାନାହିଁ

ଜଗତରେ ଅପଯଶ ବହୁ ଭୋଗିଲଇଁ ।

ଜାଣୁ ଜାଣୁ ବିଷ ମୁହିଁ କରିଲି ଭୋଜନ

କି କହିବି ଏହା ମୋର କପାଳ ଲିଖନ ।

ବାବୁ ତୁମ୍ଭେ ପୁତ୍ରେ ମୋର ପିଣ୍ଡ ଅଧିକାରୀ

ଏ ବିଡ଼ମ୍ବନା ଲଜ୍ଜାରୁ କର ମୋତେ ପାରି ।

ବାବୁ ଯେବେ ହୃଦେ ପାଞ୍ଚ ମୋହର କୁଶଳ

ତୁମ୍ଭର ଇଚ୍ଛାରେ ଏବେ ରକ୍ଷାକର କୁଳ ।

ନାନା ଉପାୟରେ ମୀନକେତନକୁ ମାର

ତେବେ ନିଶ୍ଚିନ୍ତ ହୋଇବ ଲଜ୍ଜା ହେବ ପାର ।

କୁମର ବୋଇଲେ ତାତ ତୋହର ପ୍ରସାଦେ

ଗଣଗନ୍ଧର୍ବ ଦେବତା ଜିଣିପାରୁ ହାଦେ ।

ଆମ୍ଭର ବାକ୍ୟ ଯଦ୍ୟପି ଆଗ କରିଥାନ୍ତ

ଏଡ଼େବଡ଼ ହନ୍ତସନ୍ତ କିପାଇଁ ହୁଅନ୍ତି ।

ଅନେକ ମନାଇଣ ଯେ କହିଲୁ ବିଶ୍ଵାସେ

କାଳେ ପଡ଼ିଗଲ ତୁମ୍ଭେ ମାୟାବତୀ ପାଶେ ।

ଅସତ୍ୟ ଲୋକ ଗୋଟାଏ କଲା ଏଡ଼େ କର୍ମ

ରାଜପତ୍ନୀ ହରିବାକୁ ହେଲା ସେ ଭାଜନ ।

ମାୟାବତୀ ରାଣୀ ପୁଣି କେହ୍ନେ ଏହା କଲା

ତୋ ପରା ସ୍ଵାମୀ ଥାଉଣୁ ପୁତ୍ରେ ଆଦରିଲା ।

ଏସନ ଲକ୍ଷଣ ସ୍ତିରୀଜାତ ମନ୍ଦବୁଦ୍ଧି

ଦଣ୍ଡକ ସୁଖ ପାଇଁକି ହରଇ ସମୃଦ୍ଧି ।

ଭୋ ପିତା ସେ କଥା ବିଚାରିଲେ ହେବ କିସ

ନିହନ୍ତା ବିହନ୍ତା ପୁଂସ ଭିଆଇଛି ଯିସ ।

ଶମ୍ବର ବୋଇଲା ସେହି କଥା ଛାଡ଼ ବାବୁ

ମୀନକେତନକୁ ନିଶ୍ଚେ ବେଢ଼ିଣ ମାରିବୁ ।

ନୋହିଲେ ଆନମତରେ ପ୍ରତିକାର ନାହିଁ

ଆଖଡ଼ା ଶାଳରେ ବେଢ଼ି ମାର ସର୍ବଭାଇ ।

ଯେବେକି ସେ ପରିଘାଇ ପାଇବ ବାରତା

ନ କହି ପଳାଇବ ସେ ହେବ ସବୁ ବୃଥା ।

ପୁତ୍ର ବୋଲେ ଆହେ ପିତା ତୁମ୍ଭ ଅନୁମତେ

ଅବଶ୍ୟ ମୀନକେତନ ମାରିବୁ ଯୁକତେ ।

ଏ କଥା ଆଗହୁଁ ଆମ୍ଭେ ଅଛୁ ସ୍ଥିରକରି

କେବଳ କଥାକୁ ତୋର ଥିଲୁ ଅବଧାରି ।

ଶୁଣିଣ ନୃପତି ମନେ ଆନନ୍ଦ ହୋଇଲା

ଶାଢ଼ୀ ସୁନାବଳା ନେଇ ଜଣେ ଜଣେ ଦେଲା ।

ପିତାଙ୍କ ଆଜ୍ଞା ଘେନିଣ କୁମରେ ଚଳିଲେ

ଆଖଡ଼ାଶାଳରେ ଯାଇଁ ସମସ୍ତେ ମିଳିଲେ ।

ମୀନ ଶୁକ୍ଳପକ୍ଷ ସପତମୀ ଅର୍କବାର

ମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର ।

ପରିଘ ନାମେ କରଣ ବିଷକୁମ୍ଭ ଯୋଗ

ମୀନ ସଂକ୍ରାନ୍ତିକି ଏକବିଂଶ ଦିନ ଭୋଗ ।

ସେହିଦିନ ବେଳ ହ୍ଵନ୍ତେ ଘଡ଼ିଏକ ମାନେ

ଆଖଡ଼ାଶାଳେ ମିଳିଲେ ସର୍ବେ ଶୁଭମନେ ।

ସତ୍ଵରେ ବାହାର ହେଲେ କେତନ କୁମରେ

ମୟାବତୀ ମୁଖ ଚାହିଁ ବୋଲନ୍ତି ସଧୀରେ ।

କୋମଳ ବଚନ କହେ ପଦ୍ମନ କୁମର

ଭୋ ସଖି ତୁ ସାବଧାନେ ଶୁଣ ମୋର ଗିର ।

ବାମନେତ୍ର କିପାଁ ମୋର କମ୍ପେ ଘନ ଘନ

ଉଲୁସଇ ରୋମାବଳି ଉଦବେଗ ମନ ।

ଅଧର କମ୍ପୁଅଛଇ ନିରୁତ୍ସାହ ଚିତ୍ତ

ଅବଶ୍ୟ ପ୍ରମାଦ ଆଜି ପଡ଼ିବ ସଙ୍ଗାତ ।

ଶୁଣିକରି ମାୟାବତୀ ଅନ୍ତର୍ଗତେ ଗୁଣି

ମନମଧ୍ୟରେ ବିଚାର କରଇ ତରୁଣୀ ।

ସ୍ଵାମୀଙ୍କି ଏ କଥାଗୋଟା ଜଣାନାହିଁ ଭଲେ

ଏସନ ବିଚାରି ଗୋଷ୍ଠି ଗୋଟିଏ କାଟିଲେ ।

ଶକୁନ କରିଣ ରତି କାଟିଦେଲେ କୋଷ୍ଠି

ଧୀରକରି ପଢ଼ିଲେ ସେ ବ୍ରହ୍ମା ମନ୍ତ୍ରଗୋଟି ।

ତତକ୍ଷଣେ ସବୁ ତାଙ୍କୁ ହୋଇଲାକ ଦୃଶ୍ୟ

ବର୍ତ୍ତମାନ ଆଗତ ଯେ ଭୂତାଦି ଭବିଷ୍ୟ ।

ମାୟାବତୀ ବୋଲେ ଶୁଣ ହେ ମଦନରାଜ

ଆଖଡ଼ାକୁ ବିଜେକର ତୁମ୍ଭେ ଦେବ ଆଜ ।

ଶମ୍ବରର ପୁତ୍ର ଲକ୍ଷେ ନବଶତ ଛନ୍ତି

ପିତାର ବଚନେ ସର୍ବେ ମେଳ ହୋଇଛନ୍ତି ।

ଅବଶ୍ୟ ପ୍ରମାଦ କରିବେଟି ତହିଁ ରହି

ଏମନ୍ତ ଭାଳିଣ ସର୍ବେ ମିଳିଛନ୍ତି ଯାଇଁ ।

ଅସୁରେ ତ ନିରାପକ୍ଷ ନାହିଁ ତାଙ୍କ ଜ୍ଞାନ

ଅବଶ୍ୟ ପ୍ରମାଦ ଆଜି ପଡ଼ିବଟି ଜାଣ ।

ମାୟାବତୀ ବୋଲେ ଯହୁଁ ଏସନକ ବାଣୀ

ମୀନ କେତନ ଅଳପ ହସିଲାକ ଶୁଣି ।

ବୋଇଲା ଦୈତ୍ୟମାନଙ୍କୁ ନାହିଁ ମୋର ଭୟ

କୋଟି ଶମ୍ବର ହେଲେ ମୁଁ କରିପାରେ ଜୟ ।

ତୁହି ଜାଣୁ ସତୀ ମୋର ଶୌର୍ଯ୍ୟ ବଡ଼ପଣ

ସୁରାସୁର ହେଲେ ମଧ୍ୟ କରିପାରେ ରଣ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳେ କେ ଅଛି ସମସରି

ଏକା ଜଣେ ମୁହିଁ ସବୁ ପାରଇଟି ମାରି ।

ମାୟାବତୀ ବୋଲେ ମୋର ବିଭୁତିଏ ଅଛି

ସେ ଯୋଗେ ପ୍ରମାଦ ତବ ନାହିଁ ଜାଣ କିଛି ।

ଅନଳରେ ନ ପୋଡ଼ିବ ଖଡ଼୍‌ଗେ ନ ଛିଡ଼ିବ

ସଂଗ୍ରାମରେ ଅପଜୟ କଦାପି ନୋହିବ ।

ତିନିମନୁ ହେଲା ମୁହିଁ ଅଛଇ ସାଇତି

ଅନେକ ଯତନେ ଦେଇଥିଲେକ ପାର୍ବତୀ ।

ଏତେବୋଲି ମାୟାବତୀ ମନର ଆତଙ୍ଗେ

ଶ୍ରୀକରେ ବଜ୍ରବିଭୂତି ଲେପି କାମ ଅଙ୍ଗେ ।

ଦିଗ ବିଜୟ ମଣିକୁ ଗର୍ଭେ ଥୋଇଥିଲେ

ତାହା କାଢ଼ି ମୀନକେତନ ହସ୍ତରେ ଦେଲେ ।

ରତି ଦେବା ମନ୍ତ୍ର ନବ ନାଟକାଦି ମୂଳେ

ପର୍ବ ହେତୁ ଜାଣିକରି ଯୋଗ ବିଧିବଳେ ।

ହୃଦୟେ ଧରନ୍ତେ ତେଜ ଦିଶେ ବର୍ଦ୍ଧମାନ

ଦିଗବିଜେ କାମଦେବ ପୁଷ୍ପ ପଞ୍ଚବାଣ ।

ଅଦ୍ଭୁତେ ଅସ୍ତ୍ରମାନ ଯେ ମିଳିଲା ତକ୍ଷଣେ

ମୀନ କେତନର ତେଜ ବଢ଼େ ଅନୁକ୍ଷଣେ ।

ରତିକୁ ଆଜ୍ଞା ମାଗିଣ ନବରୁ ବାହାର

ଆଖଡ଼ାଶାଳାରେ ଯାଇ ମିଳି ଧାତିକାର ।

ଖଣ୍ଡେକଦୂର ଛଡ଼ା ଯେ ନଗରୁ ବାହାର

ଆଖଡ଼ାଶାଳାରେ ଯାଇ ମିଳି ଧାତିକାର ।

ଖଣ୍ଡେକଦୂର ଛଡ଼ା ଯେ ନଗର ପ୍ରାନ୍ତରେ

ତହିଁ ଯାଇ ପ୍ରବେଶିଲେ ଅତି ସରାଗରେ ।

ତିନିଶତ ବଖରା ଯେ ଘରଗୋଟି ଭଲା

ନିବିଡ଼ ପାଷାଣେ ବିଶ୍ଵକର୍ମା ତା ରଚିଲା ।

ସେ ପୁରରେ ରାଜସୁତେ କରନ୍ତି ସାଧନ

ଢାଲ ଛୁରିକା କଟାରି ନାନା ଦିବ୍ୟମାନ ।

ସକଳ କୁମରେ ତହିଁ କରନ୍ତି ସାଧନା

ସେଠାରେ ଖେଳନ୍ତି ମୀନକେତନ ସେ ଜେନା ।

ପ୍ରଭାତରୁ ନିତ୍ୟକର୍ମ ସାରି ରାଜବାଳ

ବେଳ ସାତଘଡ଼ିରେ ସେ ଏକତ୍ରରେ ଠୂଳ ।

ନିତ୍ୟ ଅଭ୍ୟାସ ବିଦ୍ୟାକୁ ସାଧନା ସେ କରି

ସିଂହାସନ ମାଡ଼ିବସି ଯାଇଁ ଯେ ଯାହାରି ।

ଧନ୍ୟ ସେ ସମ୍ବର ରାଜା ଆଖଡ଼ାର ବିଧି

ଯାହା ବାଞ୍ଛାକରେ ତତକ୍ଷଣେ ହୁଏ ସିଦ୍ଧି   

ନାନା ବ୍ୟଞ୍ଜନ ପ୍ରଭୃତି ଶତୀଳର ବିଧି

ରୋଷଘରେ ରାନ୍ଧଣାକୁ କରି ତିନି ଯୋଗୀ ।

ରସାଣିଲା ସୁବର୍ଣ୍ଣର ପ୍ରାୟେ ଖମ୍ବମାନ

ବଖରାମାନ ଦିଶଇ ଆନୁଅନ ବର୍ଣ୍ଣ ।

ତହିଁରେ ମିଳଇ ଶମ୍ବର ନବସସ୍ର ସୁତ

ମନେ ବିଚାରନ୍ତି ଏବେ କରିବା କି କୃତ୍ୟ ।

ଯେମନ୍ତେ ନ ଜାଣିବ ସେ ମାରିବା ବିଶ୍ଵାସି

ଏମନ୍ତ ପାଞ୍ଚି ମନରେ ବିଚାରିଲେ ବସି ।

ଜ୍ୟେଷ୍ଠନନ୍ଦନ ଅମର ଅସୁର ବୋଇଲା

ଯେବେ ନ ପାରିବ ତୁମ୍ଭେ ମୋ ଭାଗ ରହିଲା ।

ମାଲ ବିନ୍ଧାଣ ବେଳରେ ବେକ ମାଡ଼ି ଧରି

ଅସ୍ଥି ମାଂସ ସହିତରେ ଦେବି ତୂଳାକରି ।

କେଉଁ କାଳୁ ତାକୁ ମୁହିଁ କରନ୍ତିଣି କ୍ଷୟେ

କେବଳ ରାଜାଙ୍କୁ ମନେ କରୁଥିଲି ଭୟେ ।

ସେହି ଯେବେ ଶ୍ରୀମୁଖରେ ଦେଲେ ପରମାଣ

କିଞ୍ଚିତ ମାତ୍ରକେ ତାର ଘେନିବି ପରାଣ ।

ଈଷତେ ଯମ ସଦନେ ଦେବି ପଠିଆଇ

ଭୀମାବର ନାମେ ପୁଣି ଥିଲାକ ତନୟି ।

ସେ ବୋଲେ ମୀନକେତନ ନାହିଁ ମୋର ଭୟ

ରାଜା ଆଜ୍ଞା କରିବାକୁ କରିଥିଲି ଲୟ ।

ଏକ ନାରାଚେକ ତାକୁ କରିପାରେ କ୍ଷୟ

ଇନ୍ଦ୍ର କୁବେର ବ୍ରହ୍ମାଦି ରକ୍ଷାକରି ନୁହେଁ ।

ଅଭୟ ଭଇରବ ଯେ ଅଗ୍ନି କାଳ ନଳ

ଏ ଚାରିପୁତ୍ରଙ୍କୁ ଧନୁ ଷାଠିସସ୍ର ବଳ ।

ସ୍ଵର୍ଗ ମର୍ତ୍ତ୍ୟ କ୍ଷଣକରେ ସାଧି ସେ ପାରନ୍ତି

ସୁର ଅସୁରଆଦି ତାକୁ ତିଳେ ନାହିଁ ଭୀତି ।

ରାଜାଙ୍କ ଅତ୍ୟନ୍ତ ପ୍ରିୟ ଅଟନ୍ତି ଏ ଚାରି

ପାଟ ମହାଦେଈ ପୁତ୍ର ରାଜ୍ୟେ ଅଧିକାରୀ ।

କାଳେ ମୀନକେତନକୁ ନ କରନ୍ତି ଶଙ୍କା

ଅନିବାରଣ ଯୋଦ୍ଧାଏ ସର୍ବେ ରଣରଙ୍କା ।

ସେମାନେ ବୋଇଲେ ତୁମ୍ଭେ ସର୍ବେ ହୁଅ ସ୍ଥିର

ପିତା ବଇରୀ ଆମ୍ଭର ଅଟେ ସେ ପାମର ।

ଆମ୍ଭେ ଯେ ମାରିବା ଆମ୍ଭ ପିତାର ବଇରୀ

ଏସନ ପ୍ରତିଜ୍ଞା ବୀର କର ଯେ ଯାହାରି ।

କେହୁ ବୋଲନ୍ତି ମୁହିଁ ତ ଆଡ଼ ହୋଇଥିବି

ଆଖଡ଼ାକୁ ଗଲାବେଳେ ଚୋଟ ବସାଇବି ।

କେହୁ ବୋଲନ୍ତି ଯେ ଏହୁ କଥାମାନ ଛାଡ଼

ଦଶବିଂଶ ଏକତ୍ରରେ ଚୋବାଇବା ହାଡ଼ ।

କେହୁ ବୋଲେ ବିଷଦେଇ ତାହାକୁ ମାରିବା

କେ ବୋଲେ ଖଣ୍ଡା ଦାଢ଼ରେ ତାକୁ ବିନାଶିବା ।

କେହୁ ବୋଲଇ ହେ ଭାଇ ଧର୍ମ ଯିବ ନାଶ

କ୍ଷତ୍ରିୟ ପୁତ୍ର ହୋଇଣ ଦେବା କିପାଁ ବିଷ ।

ଥୋକାଏ ପଣ୍ଡିତପଣେ ବୋଲନ୍ତି ବିଚାରି

ଏହା କିମ୍ଭୁତମାୟା ଯେ ଜାଣିତ ନ ପାରି ।

ଶୁଣିବାପାଇଁ ଦୁର୍ଲ୍ଲଭ ଅଟେ ଅଗୋଚର

ମୀନଗର୍ଭରୁ ମାନବ ହେଲା ଅବତାର ।

ଏଡ଼େ ଚମତ୍କାର କଥା ରାଜା ପ୍ରତେ କଲା

ଧନ ଭଣ୍ଡାର ପ୍ରଭୃତି ସବୁ ସମର୍ପିଲା ।

ଏଡ଼େ ବଡ଼କର୍ମ ପୁଣି କଲା ଆସି ସେହି

ନିଶ୍ଚୟ ଜାଣ ଏଥିରେ ଭଲଗତି ନାହିଁ ।

ଏସନକ ଅନ୍ୟୋଅନ୍ୟେ ସମସ୍ତ ବିଚାରି

ଟୋପ ଖୋଳିଲେ ସେ ତାଳେ ଗଭୀର ଯେ କରି ।

ତଥିମଧ୍ୟେ ସୋଲଖଟ ଏକଗୋଟି ପାଡ଼ି

ଚାରିକୋଣ ଚାରିଜଣ ବସିବାକ ମାଡ଼ି ।

ଗୌରବେ ମୀନକେତନେ ମଝିରେ ବସାଇ

ଏକାବେଳେ ଟେକୁଁ ଟୋପେ ପଡ଼ିବେ ସେ ଯାଇ ।

ଏସନ ବିଚାର କରି ସର୍ବେ ବସି ଜଗି

ଯମ ପରାୟେ ମୀନକେତନ ମିଳେ ବେଗି ।

ଆଗହୁଁ ସମସ୍ତ କଥା ଜାଣିଛି ସେ ଭଲେ

ସକଳ ବୃତ୍ତାନ୍ତ ରତିଦେବୀ କହିଥିଲେ ।

ପାବଚ୍ଛରେ ଗୋଡ଼ ଦେଇ ଉଠିଲେ ଉପରେ

ତରବାରୀ ଖଣ୍ଡାକୁ ସେ ଧରିଅଛି କରେ ।

କୃତାନ୍ତ ପରାୟେ ଦିଶେ ଭୟଙ୍କର ଜ୍ୟୋତି

ସବୁରି ଭିତରେ ବୀର ପଶିଲାକ ଧାତି ।

ଏମନ୍ତ ରୀତି ଦେଖିଣ ଶମ୍ଭର କୁମରେ

ଜଣେକ ମୂର୍ତ୍ତି ଲେଖାଏଁ ଧରି ଯେ ଯାହାରେ ।

କେ ଚକ୍ଷୁ ବୁଜିଛି କାର ଉପରକୁ ଦୃଷ୍ଟି

ବିଶ୍ଵରୂପ ବହିଲେ ସେ ହୋଇ ଏକ ଗୋଷ୍ଠୀ ।

ଅମରାସୁର ବୋଲିଣ ଶମ୍ବର ଦୁଲାଳ

ମୟାବୀ ଅସୁର ସେହୁ ତେଜେ ଅନର୍ଗଳ ।

ମୀନକେତନକୁ ଚାହିଁ ବୋଲେ କଟୁବାଣୀ

ଆରେ ମୀନକେତନ ତୁ ବଡ଼ଦୁଷ୍ଟ ପ୍ରାଣୀ ।

ମାୟାବତୀର ନନ୍ଦନ ରାଜା ଜ୍ୟେଷ୍ଠସୁତ

ତୋ ଭଳି ଲୋକ କେସନେ କଲା ଏଡ଼େ କୃତ ।

ତୋ ହେତୁ ସଂସାରେ ଶୁଭିଲା ଯେ ନିନ୍ଦାବାଣୀ

କ୍ଷୀର ଭିତରେ କ୍ଷାର ତୁ ଭରିଲୁରେ ଆଣି ।

ଜନ ମୁଖରେ ଶୁଭିଲା ଅପବାଦ କଥା

ଏକା ଜଣକରେ ତୁହି ଦିଆଇଲୁ ବ୍ୟଥା ।

ବିଶ୍ଵାସଘାତକ ତୁରେ ଅଟୁ ମହାପାପୀ

ବିଚାରିଲେ ମୁଖ ତୋର ନ ଚାହିଁ କଦାପି ।

ବିଡ଼ମ୍ବନ ଜନ୍ମ ତୁହି ମୀନଗର୍ଭେ ଥିଲୁ

କୌତୁକ ଜନ ପରାୟେ ମାନବ ହୋଇଲୁ ।

ସାଉଣ୍ଟା ମାଇପ ଗୋଟା ଆଣିଲେ ନୃପତି

କାଳବଳେ ତାହା ସଙ୍ଗେ ବଢ଼ାଇଲେ ପ୍ରୀତି ।

ସେ ମୂଢ଼ ନିଲକ୍ଷଣୀ ଯେ ହେଲା ବିଡ଼ମ୍ବନ

ଯେ ଯହିଁକି ଭାଜନ ତା ଦେଖାଇଲା ଗୁଣ ।

ପୋଷା କୁକୁର ଭାବରେ ଆଣିଲେ ସେ ତୋତେ

ଦେଖୁ ଦେଖୁ ପତ୍ନୀକି ତା ହରିଲୁ କେମନ୍ତେ ।

ସୁରାସୁର ମାନବେ ଯା ଅଟେ ଅଗୋଚର

ମୂଢ଼ପଣେ ସେହି କଥା କରିଲୁ ପାମର ।

ପୋଷିଲା କୁକୁର ମୁଖେ ଦେଲୁ ତୁରେ ଭୋକ

ସଂସାର ଧିକ୍‌କାର ତୋତେ କଲେଣି ଅନେକ ।

ଏହା କହି ମେଘ ପ୍ରାୟେ ଗର୍ଜି ମହାବଳ

ବନକୁ ଯେସନେ ମାଡ଼ି ବସଇ ଶ୍ୟାମଳ ।

ଆରେ ଆରେ ମୂଢ଼ ତୋର ଏଡ଼େ ବଡ଼ ଦର୍ପ

ଅଙ୍ଗୁଳି ଟିପିଣ ଚଳାଇଲୁ କାଳସର୍ପ ।

ଆବର ଜୀବନ୍ତେ ଏଥୁ ଯିବୁ କି ବାହୁଡ଼ି

ଭାଇଙ୍କୁ ଆଜ୍ଞା ଦେଲାକ ମାର ୟାଙ୍କୁ ବେଢ଼ି ।

ଏ ମୂଢ଼ ମଲେ ଆମ୍ଭର ସରିଯିବ ସଲ

ଏତେ ବୋଲିଣ ସମସ୍ତେ ହେଲେ ଏକମେଳ ।

ଦିହୁଡ଼ି ତେଜେ ପତଙ୍ଗ କୀଟ ଯେହ୍ନେ ପଡ଼ି

ମୀନକେତନକୁ ସେହି ପରାୟେକ ବେଢ଼ି ।

ସାବେଳି ଛୁରିକା ଯମଦାଢ଼ ଧରି କାତି

ଭାଲ ଖଣ୍ଡା କାଣ୍ଡ ଲୌହଶର ନାନାଜାତି ।

ଦଶବିଂଶ ପଞ୍ଚାଶତ କରେ ଶସ୍ତ୍ର ଧରି

ଯେ ଯାହାର ଅନୁରୂପେ ପ୍ରହାର ସେ କରି ।

କକଡ଼ା ମାସରେ ଯେହ୍ନେ କରେ ଜଳବୃଷ୍ଟି

ଉଲୁକାପାତ ପରାୟେ ଦିଶେ ନବସୃଷ୍ଟି ।

ରୁଣୁଝୁଣୁ ଶବଦ ଯେ ଶୁଭେ ମହାଗୋଳ

ଶସ୍ତ୍ରରେ ଶସ୍ତ୍ର ବାଜିଣ ହେଲେ ସମତାଳ ।

ଝଟଝଟ ଶବଦ ଯେ ଶୁଭେ ଘୋରଧ୍ଵନି

ହେଳାରେ ଘେନୁ ଅଛଇ ବ୍ରହ୍ମାଣ୍ଡ ସେ ତିନି ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତି

ଶୁଣ ତୁହୋ ସାବଧାନେ ପଣ୍ଡୁପଣ ନାତି ।

ଅବିନାଶୀ ପୁରୁଷଙ୍କ ଯେବଣ ନନ୍ଦନ

ଅଶେଷ କୋଟି ବ୍ରହ୍ମାଣ୍ଡେ ଅଟନ୍ତି କାରଣ ।

ସଂସାର ଭିତରେ ଯାର ଜନ୍ମ ମୃତ୍ୟୁ ନାହିଁ

ସକଳ ବିଦ୍ୟାରେ ଯେହୁ ସଦା ଗୁଣଗ୍ରାହୀ ।

ରତି ବିଭୂତି ଲଗାଇଛନ୍ତି ଯାର ଦେହେ

ସବୁ ଶରମାନ ପଡ଼ି ଭାଙ୍ଗିଯାଏ କାୟେ ।

ପାଷାଣରେ ବାଜି ବାଣ ଯେସନେ ଉପୁଡ଼ି

ତେସନ ପ୍ରକାରେ ଶସ୍ତ୍ରମାନ ଯାଏ ପଡ଼ି ।

ଡରେ ଥରହର ହୋଇ କମ୍ପଇ ଅବନୀ

ଗଗନ ପଥେ ଅଦୃଶ୍ୟ ହେଲେ ଦିନମଣି ।

ବେନି ଯୋଜନ ପର୍ଯ୍ୟନ୍ତେ ଦିଶେ ଧୂମମୟେ

ଅଲଙ୍ଘିତ ଯୁଦ୍ଧକରି ଶମ୍ବରର ପୋଏ ।

ମେରୁ ମନ୍ଦର ପରାୟେ ମୀନକେତୁ ଉଭା

ପୌର୍ଣ୍ଣମୀ ଚନ୍ଦ୍ରମା ପ୍ରାୟେ ଦିଶେ ତନୁପ୍ରଭା ।

ନାନାଶସ୍ତ୍ରମାନ ଅଙ୍ଗେ ବାଜୁଅଛି ଯାଇ

ତହିଁକି କାମଦେବର ଭୟ ତିଳେ ନାହିଁ ।

ମନରେ ବିଚାର କଲା ମନମଥ ବୀର

ମରଣ ସମୟ ଆ ହୋଇଲା ଏଥର ।

ଏତେବେଳେ ଉପ୍ରୋଧରେ ହେବ ବଡ଼ମନ୍ଦ

ଯେବେ ଆସିଣ କଲେଣି ଏମାନେଟି ଛନ୍ଦ ।

ଏସନ ବିଚାର କରି ସେ ମୀନକେତନ

ଦିଗବିଜେ ଧନୁକୁ ସେ ଧଇଲେ ବହନ ।

ଯେବଣ ଧନୁରେ ତିନିପୁର ହୁଏ କିଣି

ସେପରି ଧନୁଏ ଧାତା ସମର୍ପିଲେ ଆଣି ।

ଦେଖିକରି ସାନନ୍ଦିତ ହୋଇଲା ମନ୍ମଥ

ଖଡ଼ଗ ସଂହାରି ଧନୁ ଧଇଲାକ ହସ୍ତ ।

ଧନୁ ଟଙ୍କାର କରିଣ ଆମଞ୍ଚନ କଲେ

ନାରାଚ ପୂରାଇ ମନେ ଗୁରୁଙ୍କୁ ସ୍ମରିଲେ ।

ଗୁରୁଙ୍କୁ ଓଳଗି କରି ପୁଣ ଧନୁ ଧରି

ଅଭିମନ୍ତ୍ରଣ କରିଣ ବାଣ ଗୋଟା ଚାରି ।

ଆକର୍ଣ୍ଣ ପରିଯନ୍ତେ ସେ ଓଟାରି ଆଣିଲେ

ଅଧର ପୁଷ୍ଟ କରିଣ କ୍ରୋଧରେ ବିନ୍ଧିଲେ ।

ଦେବଶର ତତକ୍ଷଣେ ଗଲା ତହୁଁ ଚଳି

ଛିଣ୍ଡାଇ ପକାଇଲେ ସେ ପଞ୍ଚାଶ ମଉଳି ।

ପୁଣି ସହସ୍ରେ ନାରାଚ ମନ୍ତ୍ରି କରେ ଧରି

କୋପ ହୋଇଣ ବିନ୍ଧିଲେ ହୁଁ କାରକୁ କରି ।

ପୁନରପି କୌତୁକରେ ଧରି ସସ୍ରେ ଶର

ଚକ୍ଷୁ ପିଛଡ଼ା ମାତ୍ରକେ ପେଷି ଧାତିକାର ।

ବେଳକୁବେଳ ତାଙ୍କର କ୍ରୋଧ ଉଠେ ଜଳି

ସାତସସ୍ର ବାଣ କରେ ଧରି ମହାବଳୀ ।

ପୁଣି ପୁଣି କୋପଭରେ କରନ୍ତି ପେଷଣ

ଶୂନ୍ୟେ ଅଦୃଶ୍ୟ ହୋଇଲା ରବିର କିରଣ ।

ଜୁଳୁଜୁଳା ପୋକ ଯେହ୍ନେ ଆକାଶେ ଉଡ଼ନ୍ତି

ଅସ୍ତ୍ରମାନେ ସେହିପରି ଶୋଭାକୁ ପାଆନ୍ତି ।

କହିବା ମାତ୍ରକେ ବାଣ ଚଳିଯାନ୍ତି ଖରେ

ଯାଇଣ ପଡ଼ିଣ ଦୈତ୍ୟମାନଙ୍କ ଉପରେ ।

ଏକ ଏକ ନାରାଚକେ ଦଶବିଂଶ ଛିଡ଼ି

ତାଳଫଳ ପରାୟେକ ଭୂତଳରେ ପଡ଼ି ।

ଅନିବାରଣ ଯୋଧୀ ସେ ଲକ୍ଷ୍ମୀଦେବୀ ସୁତ

ପରିଘାଇ ଶସ୍ତ୍ରମାନ ବିନ୍ଧେ ଅପ୍ରମିତ ।

କାହାର କନ୍ଧ ଛିଡ଼ଇ ଛିଡ଼ଇ କା ଜାନୁ

ଶରଜାଳରେ ଅସ୍ଥିର ହୁଅଇ କା ତନୁ ।

କଟିଭାଗଠାରୁ କାରେ ହେଲା ଦୁଇଖଣ୍ଡ

ବେନିଫାଳ ହୋଇକରି ପଡ଼େ କାର ମୁଣ୍ଡ ।

ପଡ଼ିଣ ଭେଟିଲେ ସର୍ବେ ହାବୋଡ଼ାର ଘାଏ

ମୋହିତ ହୋଇଲା କେହୁ ପଡ଼ି ସେହିଠାଏ ।

ଏସନ ପ୍ରକାରେ ଯେତେ ଶମ୍ବରର ଶିଷ୍ୟ

ମୀନକେତନ ବାଣରେ ହେଲେ ସର୍ବେଧ୍ଵଂସ ।

ଏକ ଆରକରେ କେହୁ ନ ପାରି ସମ୍ଭାଳି

ରଥୀ ମହାରଥୀ ସର୍ବେ ପଡ଼ିଲେକ ଢଳି ।

ପ୍ରଚଣ୍ଡ ପବନେ ଯେହ୍ନେ ଲୋଟେ ରମ୍ଭାବନ

ଛିଡ଼ିଣ କନ୍ଧୁ ମସ୍ତକ ଦିଶିଲା ତେସନ ।

ମଡ଼ାର ଉପରେ ମଡ଼ା ପଡ଼ିଲେକ ମାଡ଼ି

ଥୋକେ ବୀର ପଳାଇଲେ ଧନୁଶର ଛାଡ଼ି ।

ବହିଲା ରକତ ନଦୀ ରଣରଙ୍ଗ ସ୍ଥାନେ

ଶୁଖିଲା କାଠ ପରାୟେ ଭାସି ମଡ଼ାମାନେ ।

ଚିଲ ସଞ୍ଚାଣ ଶୃଗାଳ ଆଉ ଗୃଧ୍ରପକ୍ଷୀ

ବୁଭୁକ୍ଷତ ହୋଇଣ ସେ ରକ୍ତମାଂସ ଭକ୍ଷି ।

ଅଲୋକିତ ଯୁଦ୍ଧ କଲା ସେ ମୀନକେତନ

ଜୟ ଜୟ ଉଚ୍ଚାରିଲେ ସ୍ଵର୍ଗେ ଦେବଗଣ ।

ଲକ୍ଷେ ଅନେଶତସସ୍ର ସୁତ ସେ ରାଜାର

ଏକା ଘଡ଼ିକେ ସମସ୍ତେ ହୋଇଲେ ସଂହାର ।

ଜୟ ଜୟ ଜଗନ୍ନାଥ ନୀଳାଚଳ ପତି

ଅଚ୍ୟୁତ ଦାସକୁ ଭବୁଁ କରିବା ମୁକତି ।

 

ଶମ୍ବରାସୁର ବଧ

 

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତି

ବଡ଼ ସଂଗ୍ରାମ କରିଲା ମାୟାବତୀ ପତି ।

ଜଣେକ ଉବୁରି ତହୁଁ ଗଲାକ ପଳାଇ

ରାଜାର ଅଗ୍ରତେ ବାର୍ତ୍ତା ଜଣାଇଲା ଯାଇ ।

ଭୋ ଦେବ ସାବଧାନେ ତୁ ଶୁଣ ନୃପନିଧି

ଅକାରଣେ ହରାଇଲୁ ଏଡ଼େକ ସମୃଦ୍ଧି ।

ଅସମ୍ଭବ କ୍ଷତ୍ରିୟ ମୀନକେତନ ବୀର

ଅନେକ ମାୟା ସମର ଜାଣେ ସେ ପାମର ।

ଲକ୍ଷେ ଅନେଶତସସ୍ର ଆପଣଙ୍କ ବଳା

ଏକକୁ ଆରେକ ସର୍ବେ ରଣେ ଅନର୍ଗଳା ।

ସମସ୍ତଙ୍କ ସଙ୍ଗେ ସେହୁ କରିଲା ସମର

ଅର୍ଦ୍ଧ ଘଡ଼ିକେ ସବୁଙ୍କୁ କରିଲା ସଂହାର ।

ବିକୋତି ମାଇଲା ସେହୁ ଆଶ୍ଚର୍ଯ୍ୟ ମାରେଣି

ସର୍ବେ ଲୋଟିଲେ କଦଳୀ ତରୁ ପ୍ରାୟେ ଜାଣି ।

ଗୁଣବନ୍ତ ପୁତ୍ରେ ତୋର ଅଖଡ଼େ ମରିଲେ

ସେଥି ନିମନ୍ତେ ଆଗହୁଁ ଜନ୍ମ ହୋଇଥିଲେ ।

ଏସନ ସମୟେ ଆସି ଅନ୍ୟ ଜଣେ ମିଳି

ଆସ୍ଥାନ ତଳେ କହଇ ଶିରେ ତରତୋଳି ।

ମଣ୍ଡଳ ପର୍ବତାଠାରୁ ଆଖ୍‌ଡ଼ା ଶାଳଯାଏ

ତାଳେକ ଉଚ୍ଚରେ ମଡ଼ା ପଡ଼ି ସବୁଠାଏଁ ।

ଆରେକ ଦୂତ ବୋଇଲା ଆସିଣ ଏମନ୍ତ

ମୀନକେତନ ଅଖଡ଼େ କଲା ସବୁ ହତ ।

ଏଡ଼େ ବଡ଼ ରାଜ୍ୟଗୋଟା ଜାଣି ନାଶକଲ

କିମ୍ଭୁତ ମାୟାକୁ ତୁମ୍ଭେ ଜାଣି ନ ପାରିଲ ।

ବଡ଼ ଅସମ୍ଭବ କଥା ଦେଖିଲୁ ନୟନେ

ଏତେ ଲୋକ ନାଶକଲା ହୋଇ ଏକା ଜଣେ ।

ଦୂତଠାରୁ ବାର୍ତ୍ତାପାଇ ଶମ୍ବର ନୃପତି

ସିଂହାସନୁ ଢଳିପଡ଼େ ଅଚେତନ କ୍ଷିତି ।

ପୁତ୍ରଙ୍କର ଗୁଣମାନ କରି ସୁମରଣ

ଘଡ଼ିକେ ଚେତନା ଲଭି କରଇ କାରୁଣ୍ୟ ।

ଆରେ ଆରେ ପୁତ୍ର ମୋର ସର୍ବ ଗୁଣଜ୍ଞାତା

ରଥୀ ମହାରଥୀ ତୁମ୍ଭେ ରଣେ ଜଗଜ୍ଜିତା ।

କେବଣ ବିଧାତା ମୋତେ ଦେଲା ଏଡ଼େ ଶାପ

ଏବେ ଲାଗିଲା ଆସିଣ ପୁତ୍ରଙ୍କର ତାପ ।

କହନ୍ତେ ନ ସରେ ଏକା ପୁତ୍ରଙ୍କର କଷ୍ଟ

ଅନେକ ପୁତ୍ର ମୋହର ହେଲେ ପ୍ରାଣଭ୍ରଷ୍ଟ ।

କେଉଁ ପ୍ରକାରେ ମୂର୍ଚ୍ଛିବି ତାହାଙ୍କର ଗୁଣ

ସଂସାରେ ରହିଥିବା ମୋ ହେଲା ଅକାରଣ ।

ଏତେ ବୋଲି ଉଚ୍ଚସ୍ଵରେ ରୋଦନ ସେ କରି

ବେନି ନୟନୁ ଫୁଟିଣ ବହେ ଅଶ୍ରୁ ବାରି ।

କ୍ରୋଟରାଗ୍ନି ପରାୟେକ ବହେ ପଞ୍ଚଭୂତ

ବାଇ ବାତୁଳ ପରାୟେ ହୁଅଇ ମୂର୍ଚ୍ଛିତ ।

ଧାଈ ମୁଦୁସୁଲୀ ଯାଇ କହି ଅନ୍ତଃପୁରେ

ଶୁଣି ନାରୀଏ ରୋଦନ କରି ଯେ ଯାହାରେ ।

କେଶବାସ ଅସମ୍ଭାଳ ହେଲେ ସର୍ବବାଳୀ ।

ପୁତ୍ର ଭର୍ତ୍ତା ସୁମରିଣ କାନ୍ଦନ୍ତି ହମ୍ବାଳି ।

ଏତେବୋଲି ରାଣୀମାନେ କରନ୍ତି ରୋଦନ

ଉଚ୍ଚସ୍ଵରେ ତେସନେ କାନ୍ଦଇ ନୃପରାଣ ।

ସୁବୁଦ୍ଧି ମନ୍ତ୍ରୀ ବୋଲଇ ରାଜା ମୁଖ ଚାହିଁ

ଅକାରଣେ କାହିଁପାଇଁ କାନ୍ଦୁ ନରସାଇଁ ।

ତୁହି ତ ମହାପଣ୍ଡିତ ବଳେ ବଳବନ୍ତା

ଧରସି ଧଇର୍ଯ୍ୟା ସ୍ଵାମି ଛାଡ଼ି ମନୁ ବ୍ୟଥା ।

ଆପେ ଅତୁଟରେ ଥିଲେ ସବୁ ଅର୍ଜିପାରି

ଆପଣାର ଅନ୍ତେ କେହି ନୁହଇ କାହାରି ।

କିଏ କାହାର କୁମର କିଏ କାର ପିତା

କିଏ କାହାର କୁଟୁମ୍ବ କିଏ କାର ମାତା ।

ଲଲାଟ ଲିଖନ କିଏ ଅନ୍ୟଥା କରିବ

ଯେତେଦିନ ଆସିଥିବ କେତେଦିନ ଯିବ ।

ତହିଁକି ଶୋଚନା କଲେ ହେବ ଆଉ କିସ

ଯାହା ଭିଆଣ କରିଛି ବିଧାତା ପୁରୁଷ ।

ଏବେ ମୋହର ବଚନ ଶୁଣ ନିରାଧାର

କୃତାନ୍ତ ହେଲା ତୋର ମୀନକେତନ ବୀର ।

ଅଜ୍ଞାତ କୁଳଶୀଳରେ କରିଲୁ ତୁ ସ୍ନେହ

କାର୍ଯ୍ୟ କାରଣ ନୋହିଲା ଉପୁଜିଲା କୋହ ।

ଏବେ ଏଥିକି ତୋହର ଅଛି କି ଉପାୟ

ପୁତ୍ରମାନେ ନାଶଗଲେ ଲାଗେ ତୋତେ ଭୟ ।

କାଠ ବୋଲିଣ ଧଇଲୁ ହେଲା ସେ କୁମ୍ଭୀର

ମୋହର ମନକୁ ଏହା ଲାଗେ ଚମତ୍କାର ।

ଛାଡ଼ ପରିତାପ ଏବେ ଆହେ ନରପତି

ଆପେ ରକ୍ଷା ପାଇବାର କରିକାକ ମତି ।

ଶମ୍ବର ନୃପତି ବୋଲେ ମନ୍ତ୍ରୀମୁଖ ଚାହିଁ

ମୀନକେତନ ନ ମାରୁ ଭଲଗତି ନାହିଁ ।

ମନ୍ତ୍ରୀ ବୋଇଲା ଆଗହୁଁ ଜାଣଇ ଏ କଥା

ତାକୁ ମାଇଲେ ସରବେ ପାଇବାକ ବ୍ୟଥା ।

ମନ୍ତ୍ରୀର ବଚନ ରାଜା କର୍ଣ୍ଣେ ନ ଶୁଣିଲା

ସାଜ ସାଜ ସମଦଣ୍ଡ ବୋଲି ଆଜ୍ଞା ଦେଲା ।

କୋପେଣ ଗର୍ଜଇ ରାଜା ମତ୍ତନାଗ ପ୍ରାୟେ

ମୀନକେତନର ମୁଣ୍ଡ କରିବଇଁ କ୍ଷୟେ ।

ପଞ୍ଚାଣୋଇ ସସ୍ର ବଳ ଧନୁ ଧରି କରେ

ବୀରବେଶ ହୋଇ ରାଜା ବସିଲା ରଥରେ ।

ସୈନ୍ୟଙ୍କୁ ଆଜ୍ଞାଦେଲା ସେ ହୁଅ ସଜବାଜ

ଚୋଖାର ତୁରଙ୍ଗ ଚଢ଼ି ମହା ମତ୍ତଗଜ ।

ରଥ ଆରୋହି ରହିଲେ ରଥୀ ଆଗସରି

ସାରଥି ଆଗରେ ଅଶ୍ଵବାଗକୁ ଯେ ଧରି ।

ପଞ୍ଚାଣୋଇ ଖର୍ବ ଅଶ୍ଵ ସାଜି ବାଜିପାଳ

ସୁବର୍ଣ୍ଣ କଳଶ ପରେ ନେତର ଚିରାଳ ।

ଗଜାରୋହୀ ମାହୁନ୍ତେ ଯେ ଧାଇଁ ଅତିବେଗେ

ଆଢ଼ଣ ଅଙ୍କୁଶମାନ ସାଜିଣ ସରାଗେ ।

ଝରଝର ହୋଇ ଗଣ୍ଡସ୍ଥଳୁଁ ବହେ ଝାଳ

ଧାଇଁଲେକ ମହାବୀରେ କରି କୋଳାହଳ ।

ରଥୀଙ୍କ ପଛେ ରାଉତେ ରହିଲେ ଆବୋରି

ତୀକ୍ଷ୍‌ଣକୋନ୍ତ ଶାବେଳି ସେ କୋନ୍ତ ମାନଧରି ।

ଖଣ୍ଡା ଅସିପତ୍ର କୋନ୍ତ ତୀକ୍ଷ୍‌ଣ ଧନୁର୍ବାଣ

ନାନାବିଧ ଶସ୍ତ୍ରମାନ କରି ସେ ଧାରଣ ।

ଗମନ୍ତି ମହାରୋଷରେ ଆଗ ପଛ ହୋଇ

ପଶ୍ଚିମ ମୂର୍ତ୍ତିରେ ତହୁଁ ଗଲେ ପଥବାହି ।

ପୁତ୍ରଙ୍କ ମରଣେ ରାଜା ଅତ୍ୟନ୍ତ ବିକଳ

ପ୍ରତିଜ୍ଞା କରିଣ ରୋଷେ ଚଳେ ମହୀପାଳ ।

ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ କରନ୍ତି ପହିଜ

ବୋଲନ୍ତି ମୀନକେତନ କେଣେ ଯିବୁ ଆଜ ।

ରାଜାରେ ଦ୍ରୋହ କରମ କଲା ତୋହଭଳି

ମାଂସ କାଟି ନିଶ୍ଚେଁ ତୋତେ ଦେବୁ ବିଷାବଳି ।

ନ ଜାଣୁ ଶମ୍ବର କଥା ଅଟେ ଅଗୋଚର

ଅବହେଳେ ଜିଣିପାରେ ସେହୁ ତିନିପୁର ।

ସେ ତୋତେ ପ୍ରତିପାଳିଲା ଅତି ଯତ୍ନକରି

ତାକୁ ବଶ୍ଵାସଘାତତା କଲୁ ନ ବିଚାରି ।

ମାୟାବତୀର ଉପ୍ରୋଧେ ରାଜା ଜ୍ଞାନ ପାଇ

ତେଣୁ ଏତେବେଳେ ଯାଏ ଅଛୁ ତୁରେ ଜୀଇଁ ।

ଆଜ ଜାଣିବାରେ ତୋର କେଡ଼େ ବଡ଼ପଣ

କାଳ ସମାପତ ହେଲା ମରିବୁ ଏକ୍ଷଣ ।

ଶମ୍ବର ରାଜନ ସୈନ୍ୟମାନଙ୍କୁ ସଜାଡ଼ି

ତୋହର ପାଇଁ ଯାଆନ୍ତି ରଥଗୋଟି ଚଢ଼ି ।

ଏସନରୂପେ ଯାଇଣ ମିଳିଲେ ସକଳ

ମୀନକେତନକୁ ମାର ବୋଲେ ମହୀପାଳ ।

ଆଖଡ଼ାଶାଳେ ମୀନକେତନ ବସିଥିଲେ

ଶମ୍ବର ସୈନ୍ୟମାନଙ୍କୁ ଦୂରରୁ ଦେଖିଲେ ।

ମାୟାବତୀ ମନ୍ତ୍ରଗୋଟି କଲେ ସୁମରଣ

ପାଇଲେ ସେ ଦିଗବିଜେ ଶୋଷକ ଯେ ବାଣ ।

ପୁଷ୍ପକେତୁ ରଥ ଘେନି ବସନ୍ତ ସାରଥି

ଆକଶ ମଣ୍ଡଳୁଁ ଖସି ପଡ଼ିଲାକ ଧାତି ।

କାମଦେବର ଗୋଚରେ ନେଇ ସମର୍ପିଲା

ପ୍ରଦକ୍ଷିଣ କରି ବୀର ତହିଁରେ ବସିଲା ।

ବାମକରରେ ଧରିଣ ସେ ବିଜୟା ଧନୁ

ସଇନିମାନଙ୍କୁ ଚହିଁ କମ୍ପାଏ ସେ ତନୁ ।

ରଥରେ ଥାଇଣ ତାହା ଦେଖିଲା ଶମ୍ବର

ପୁତ୍ରଙ୍କର ଶିରମାନ ଗଡ଼େ ଭୂତଳର ।

ରକତେ କର୍ଦ୍ଦମ ହୋଇଅଛି ମହିସ୍ଥଳ

ପୁତ୍ରଙ୍କୁ ଚାହିଁ ବିକଳ ହୁଏ ମହାବଳୀ ।

ସଇନିଙ୍କୁ ଚାହିଁକରି ବୋଲେ ନୃପବର

ମରୁ ମୀନକେତନରେ ଧାତିକାରେ ମାର ।

ରାଜାର ମୁଖୁଁ ଏସନ ଆଜ୍ଞାଗୋଟି ପାଇ

ଚତୁରଙ୍ଗ ବଳସବୁ ପଡ଼ିଲେଖ ଧାଇଁ ।

ପ୍ରହାରନ୍ତେ ନାନାଶସ୍ତ୍ର ସର୍ବେ ଆଗଭରି

ଛେଲ ଚକ୍ର ଖଣ୍ଡା ବର୍ଚ୍ଛା ଶସ୍ତ୍ରମାନ ଧରି ।

ଛତିଶ ଲୌହଶର ଯେ ଲାଙ୍କିଆର ମୂଳେ

ହୁଂକାର ନାଦ କରିଣ ଧାମନ୍ତି ସକଳେ ।

ଶସ୍ତ୍ରରେ ଶସ୍ତ୍ର ବାଜିଣ ହୁଏ ପରିତାଳ

ଉଠଇ ପ୍ରଚଣ୍ଡ ତେଜ ଜଳନ୍ତା ଅନଳ ।

ଶ୍ରାବଣ ମାସରେ ଯେହ୍ନେ ହୁଏ ଜଳବୃଷ୍ଟି

ଦିବସରେ ଅନ୍ଧାକାର ଦିଶେ ନବସୃଷ୍ଟି ।

ଯେହ୍ନେ ଜୁଳୁଜୁଳା ପୋକ ଉଡ଼ନ୍ତି ଚୌକତି

ବଢ଼ିଲାକ ରଣଗୋଳ ବେଳୁଁ ବେଳ ଅତି ।

ସନ୍ଧି ନ ଦିଶଇ ଅପ୍ରମିତ ବଳ ଥାଟ

ତିଳେହେଁ ପିମ୍ପୁଡ଼ି ଯିବାପାଇଁ ନାହିଁ ବାଟ ।

ଏକା ମୀକେତନକୁ ବାଣ ସେ ମାରନ୍ତି

ଦେବତାମାନେ ଆକାଶେ ଥାଇଣ ଦେଖନ୍ତି ।

ବଦୟନ୍ତି ଶୁକମୁନି ଶୁଣ ମହାରାୟେ

ଏ ହରିବଂଶ ପୁରାଣ ଅତି ପୁଣ୍ୟମୟେ ।

ଅଶୀ ଅର୍ବୁଦ ସଇନି ଯୁଦ୍ଧେ ଆସିଥିଲେ

ଏକା ମୀନକେତନକୁ ସଳେ ବେଢ଼ିଲେ ।

ଅହୋବଳ ସଂଗ୍ରାମରେ କିଛି ନାହିଁ ଚିନ୍ତା

ନିସ୍ତବ୍‌ଧ ଭାବେ କୁମାର ହୋଇଛି ଅଚିନ୍ତା ।

ଯେତେ ଶସ୍ତ୍ରମାନ ଦୈତ୍ୟମାରେ କୋପଭରେ

ସବୁ ଭଗ୍ନ ହୋଇଯାଏ କ୍ଷଣକ ମଧ୍ୟରେ ।

ମାୟାବତୀ ବିଭୂତି ସେ ଶରୀରେ ବୋଳିଛି

ତେଣୁକରି ଅସ୍ତ୍ରେ ଅଙ୍ଗେ ନ ଭେଦଇ କିଛି ।

ଥୋକାଏ ବାଣ ବାଜିଣ ପଡ଼ଇ ଉପୁଡ଼ି

ଥୋକାଏ ବାଣମାନେ ଯେ ଗଲେ ଶୂନ୍ୟେଉଡ଼ି ।

ଥୋକାଏକ ବାଣମାନ ହାବୋଡ଼ି ଶରୀର

ଥୋକାଏ ଉପୁଡ଼ି ପୁଣି ପଡ଼ନ୍ତି ତଳର ।

ଦେଖିଣ ମୀନକେତନ କୋପେ ପରଜ୍ଵଳି

ରଥର ଉପରେ ଯାଇ ବସେ ମହାବଳୀ ।

ବାମକରେ ଧନୁ ଧରି ଗୁଣ ଟଙ୍କାରିଲା

ଦେଖି ଯୋଦ୍ଧାମାନଙ୍କର ହୃଦୟ କମ୍ପିଲା ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ବାବଲ ଯେ ଶର

ଅଭିମନ୍ତ୍ର କରି ଗୁଣେ ବସାଏ ସତ୍ଵର ।

କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ଆଣି

ଗୁରୁଙ୍କୁ ସୁମରି ତାହା ବିନ୍ଧେ ତତକ୍ଷଣି ।

ଭାଲ ଛୁରା ଅର୍ଦ୍ଧଚନ୍ଦ୍ର ଆଉ ତୀକ୍ଷ୍‌ଣ ମୁନା

କହିବା ମାତ୍ରେ ପେଷଇ ମୀନକେତ୍ନ ଜେନା ।

ନିର୍ଘାତ ଶବଦ ଯେହ୍ନେ ମେଘ ଘଡ଼ଘଡ଼ି

ମେରୁ ମନ୍ଦର ପର୍ବତ ପଡ଼ିଲାକ ଝଡ଼ି ।

ଉଲୁକାପାତ ପରାୟେ ଦିଶେ ନବସୃଷ୍ଟି

ଗଗନ ମଣ୍ଡଳୁଁ ଯେହ୍ନେ କରେ ଜଳବୃଷ୍ଟି ।

ବାଣର ଜ୍ଵାଳାମାନ ଯେ ଦିଶଇ ପ୍ରଚଣ୍ଡ

ରଥ ଗଜ ଅଶ୍ଵସବୁ ହେଲେ ଖଣ୍ଡ ଖଣ୍ଡ ।

ଯେସନେ କଦଳି ବନ ଭାଙ୍ଗେ ବାତାଘାତେ

ରଥୀ ମହାରଥୀ ସବୁ ପଡ଼ିଲେ ତେମନ୍ତେ ।

ତଥାପି ମୀନକେତନ ନୁହେ ଶାନ୍ତି ମନ

ଅଭିମନ୍ତ୍ରଣ କରିଣ ବିନ୍ଧି ତୀକ୍ଷ୍‌ଣ ବାଣ ।

ଦଶବିଂଶ ପଞ୍ଚାଶତ ଶସ୍ତ୍ରମାନ ଧରି

କହୁଁ କହୁ କ୍ଷେପଇ ସେ ମନେ କ୍ରୋଧକରି ।

ଅଣଞ୍ଚାଶ ଦେବବାଣ ବିନ୍ଧଇ ମନ୍ମଥ

ଏକାଜଣକୁ ବେଢ଼ିଲେ ରଥୀଏ ଅର୍ବୁଦ ।

ରଥ ଗଜ ପଦାତିକ କେ ପାରିବ ଗଣି

ପାଦଭରେ ଟଲଟଳ ହୁଅଇ ଧରଣୀ ।

ବହେ ରକତର ନଦୀ ସାଗର ପରାୟେ

ମଡ଼ାମାନେ ଭାସିଯାନ୍ତି ସୋଲ ଭେଳା ପ୍ରାୟେ ।

ମାରମାର ଧରଧର ଶବ୍ଦ ବିକରାଳ

ନାଚନ୍ତି କବନ୍ଧମାନେ ହୋଇ ମାଳମାଳ ।

ଶ୍ମଶାନବାସିନୀ ଦେବୀ ରକ୍ଷିଣୀ ଭକ୍ଷିଣୀ

ଅନନ୍ତକୋଟି ଚାମୁଣ୍ଡା କରନ୍ତି ଭ୍ରମଣି ।

ଯୋଗିନୀ ବାସେଳି ଚଣ୍ଡୀ ମାତଙ୍ଗିନୀ କାଳୀ

ମେଦମେଦା ମାଂସ ଖାଇ ହେଲେ କୁତୁହଳି ।

ଟହଟହ କୁହୁକୁହୁ କଳିକିଳା ନାଦ

ଥୋକାଏ ନାଚନ୍ତି ମନେ ହୋଇଣ ଆନନ୍ଦ ।

ଲହଲହ ଜିହ୍ଵା କରେ ଖପର ଯେ ଖଣ୍ଡା

ଦିଗମ୍ବରୀ ମୁଣ୍ଡକେଶା ନାଚନ୍ତି ଚାମୁଣ୍ଡା ।

ଅସୁରଙ୍କ ମୁଣ୍ଡ ଛିଡ଼ି ପଡ଼ଇ ଧରଣୀ

ଉପରୁ ଝାମ୍ପନ୍ତି ତାହା ଦେଖି ପିଶାଚୂଣୀ ।

କେ ମୁଣ୍ଡମାଳ ଗୁନ୍ଥିଣ ଲମ୍ବାଏ ଗଳାରେ

କେ ଅନ୍ତପୁଟା କାଢ଼ିଣ କଣ୍ଠେ ହାର କରେ ।

ଏକ ମୀନକେତନ ଯେ ବହୁସୈନ୍ୟ ମାରି

ନିମିଷ ମାତ୍ରେ ଭକ୍ଷନ୍ତି ଦେବୀ ଶାକମ୍ଭରୀ ।

ଏପରି ଶମ୍ବର ରାଜା ଦଳ ଅପ୍ରମାଣ

ଘଡ଼ିକେ ବିନାଶ କଲା ସେ ମୀନକେତନ ।

ଭୟ ସୈନ୍ୟେ ପଳାଇଲେ ଶମ୍ବରକୁ ଛାଡ଼ି

କୃତାନ୍ତକ ଦେବପ୍ରାୟେ ଦିଏ ସେହୁ ଧାଡ଼ି ।

ବ୍ୟାଘ୍ରକୁ ଦେଖି ପଳାନ୍ତି ଯେସନେ ଛାଗଳ

ମାର୍ଜ୍ଜାରୀକୁ ଦେଖି ମୂଷା ଯେସନେ ବିକଳ ।

ସଞ୍ଚାଣ ଦେଖିଣ ଯେହ୍ନେ ଶ୍ୟେନ ଚାଲିଯାଏ

ତେସନେ ସଇନିମାନେ ପଳାନ୍ତି ଯେ ଭୟେ ।

ଗୁଣଘୋଷ ମନ୍ତ୍ରୀ ଏହା ଦେଖି ଦୂରେ ଥାଇ

ରହ ରହ ବୋଲି ସୈନ୍ୟ ଓଗାଳିଲା ଯାଇ ।

ବୋଲେ ମୁଁ ଜୀବନେ ଥାନ୍ତେ କାକୁକର ଭୀତି

ନିଭ୍ରାନ୍ତ ହୋଇଣ ରହୁ ମୋର ପଛକତି ।

ଏତେ ବୋଲି ଧନୁ ଏକ ଧରି ବାମକରେ

ରଥ ଟେକିଲା ନେଇଣ କନ୍ଦର୍ପ ଛାମୁରେ ।

ବୋଇଲେ ମୀନକେତନ ଏଡ଼େ ତୋ ଭରସା

ହୋଇଲୁ ମହାପାପୀ ତୁ ହୁଡ଼ି ଜୀବ ଆଶା ।

ଜାଣୁ ନା ଶମ୍ବର ରାଜା ତୋର ଉପକାରୀ

ତାର ତୁଲେ ଶତ୍ରୁ ତୁହି ହେଲୁ କେଉଁପରି ।

ଶମ୍ବର ରାଜାର ଧନ ଭଣ୍ଡାର ସହିତେ

ଏକାବେଳକରେ ସବୁ ସମର୍ପିଲା ତୋତେ ।

ତୁ ଏଡ଼େ ବିଶ୍ଵାସଘାତୀପଣ ଆଚରିଲୁ

ଜାଣି ଶୁଣି ଜନୀନକୁ କେମନ୍ତେ ହରିଲୁ ।

ଗୁରୁ ଗଉରବ ଛାଡ଼ିଦେଲୁ ଜାତି ଲଜ୍ଜା

ଧର୍ମ କର୍ମଆଦି ସବୁ କଲୁ ପରିତେଜ୍ୟା ।

ଆବର ବିନାଶ କଲୁ ତାର ନାତି ପୁତ୍ର

ଅମନାତ୍ୟ ସହିତରେ ମିତ୍ର ବନ୍ଧୁ ଗୋତ୍ର ।

ରଥ ଗଜ ଆଦିକରି ଚତୁରଙ୍ଗ ବଳ

ନାଶ କଲୁ ଅପ୍ରମିତ ସଇନି ସକଳ ।

ମାରନ୍ତେଣ ତୋତେ କିଛି ପ୍ରୟୋଜନ ନାହିଁ

ଆପଣେ ଶମ୍ବର ରାଜା ଆସିଅଛି ବାହି ।

ଏହିକ୍ଷଣି ତାଙ୍କ ପାଶେ ଦେବି ତୋତେ ଧରି

ମାଂସକୁ କାଟିବେ ତୋର ଛିନ୍ନଭିନ୍ନ କରି ।

ପାପିଷ୍ଠ ମୂର୍ଖ ତୁହିରେ କି ନ ବିଚାରୁ

ମୋର ଛାମୁରେ ସଇନିମାନଙ୍କୁ ତୁ ମାରୁ ।

ଏତେ ବୋଲି ଧନୁକୁ ସେ ଧରି ବାମକରେ

ମନ୍ତ୍ରି ବସାଇଲା ନେଇ ସହସ୍ରେକ ଶରେ ।

କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ଶର

ହୁଂକାର ନାଦ କରିଣ ବିନ୍ଧେ ଧାତିକାର ।

ତା ଦେଖି ପାଞ୍ଚଟି ବାଣ ବିନ୍ଧି କୃଷ୍ଣବଳା

ଅଧବାଟୁ ଶରସବୁ ବେନିଖଣ୍ତ କଲା ।

ପୁଣିହିଁ ମନ୍ତ୍ରୀ ପେଷିଲା ତିନିଶତ ବାଣ

ବାବଲ ତୀକ୍ଷ୍‌ଣ ମୁନା ଯେ ଶାବେଳି କମାଣ ।

କତୁରୀ ଆଦି କରିଣ ବାଣମାନ ମାରି

ମୀନକେତନର ଅଙ୍ଗେ ବିନ୍ଧେ ଯତ୍ନ କରି ।

ମୀନକେତନ ତାହାକୁ କରି ପ୍ରତିଅସ୍ତ୍ର

କାଟି ପକାଇଲେ ପୁଣି ସେ ବାଣ ସମସ୍ତ ।

ପୁନରପି ଶତେବାଣ ଗୁଣରେ ବସାଇ

ହୁଁ କାର ନାଦ କରିଣ ତୁହାଇ ବିନ୍ଧଇ ।

ମନ୍ତ୍ରୀର ସଙ୍ଗରେ ଯେତେ ସୈନ୍ୟ ସଖା ଥିଲେ

ସେହି ଶରରେ ସମସ୍ତେ ନାଶଗଲେ ଭଲେ ।

ରଥ ଗଜ ଅଶ୍ୱ ପଦାତିକ ଅପ୍ରମିତ

ମୀନକେତନ ବାଣରେ ସର୍ବେ ହେଲେ ହତ ।

ଏସକ କର୍ମଗୋଟା ଦେଖି ଦଣ୍ତଧାରୀ

ସୈନ୍ୟଙ୍କୁ ପଛ କରିଣ ଯାଏ ଆଗସରି ।

ଅଶ୍ୱଙ୍କର ବାଗ ଧରି ସାରଥି ଯେ ବସି

ଝଟକା ବିଜୁଳି ପରି ମିଳେ ଆଗେ ଆସି ।

ବୋଲେରେ ମୀନକେତନ ଅଟୁ ବଡ଼ ଦୁଷ୍ଟ

ଜାଣୁ ଜାଣୁ ମହାପାପ ଅର୍ଜିଲୁ ପାପିଷ୍ଠ ।

ପୁତ୍ରହୋଇ ମାତାଠାରେ ଯେବେ କାମବଶ

ଯଶ କି ଆୟୁଷ ତାର ସବୁ ଯାଏ ନାଶ ।

ଏହିପରି ଉଚ୍ଚବାଚ ହୋଇଣ ସେ ଦୁଇ

ରେ ରେ କାର କରି ରାଜା ପଶିଲା ଧସାଇ ।

ପଞ୍ଚାଣୋଇସସ୍ର ବଳ ଧନୁ ଧରି କରେ

ରଥ ଟେକେ ନେଇ ମୀନକେତନ ଛାମୁରେ ।

ବୋଇଲେ ପାପିଷ୍ଠତୋତେ ଉପ୍ରୋଧ ଯେ ନାହିଁ

ସର୍ବଦୋଷ ଉପେକ୍ଷିଲି ମାୟାବତୀ ପାଇଁ ।

ଅଚଳାଚଳ ସମ୍ପଦ ସମର୍ପିଲି ତୋତେ

ତୁହି ଦୁର୍ବିଚାର ପଣ କରୁଥିଲୁ ମୋତେ ।

ମୁହିଁ ତୋତେ କରୁଥିଲୁ କେତେ ପଉରୁଷ

ଉଭୟ କୁଳଧର୍ମକୁ କରିଲୁ ବିନାଶ ।

ଯେବେ ଦୋଷକଲୁ ତୋତେ ସବୁଦେଲି କ୍ଷମା

ଭଣ୍ତାର ସହିତେ ସମର୍ପିଲିରେ ଜାଣିମା ।

ତୁହି ମୁର୍ଖପଣ କଲୁ ନ ଜାଣିବା ପଣେ

ବାଳୁତ ଦୋଷକୁ ସହି ପାରନ୍ତି ସୁଜନେ ।

ତୁହି ସେ ନାଶ କରିଲୁ ଏଡ଼େକ ବିଭୂତି

ସଂସାର ମୁଖରେ ଲଭିଲୁଟି ଅପକୀର୍ତ୍ତି ।

ତୁ ମୋହର ପଞ୍ଚଭୂତ ଆତ୍ମାର କାରେଣି

କୁଳକୁ ମୋହର ନାଶକଲୁ ଜାଣି ଶୁଣି ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତି

ଇତି ଶିରୀ ହରିବଂଶ ଗୋବିନ୍ଦ କୀରତି ।

ମୀନକେତନେ ଏସନ ବୋଲି ମହାରାୟେ

ମାରିବାପାଇଁକି ତାକୁ କରଇ ଉପାୟେ ।

ଜାଣି ମୀନକେତନ ତା ଆଗହୁଁ ତର୍କିଲା

ରଥ ବାହାବୋଲି ସାରଥିକୁ ଆଜ୍ଞାଦେଲା ।

ଅର୍ଦ୍ଧ ଆକାଶରେ ରଥଗୋଟି ନେଇ ଟେକି

ସ୍ୱର୍ଗେ ସାଧୁ ସାଧୁ କଲେ ଦେବତାଏ ଦେଖି ।

ପୁଣି ସନ୍ନିଧେ କରିଲା ଆରି ରହୁବର

ଦେଖିଣ ସାଧୁ ସାଧୁ ଯେ କରିଲା ଶମ୍ବର ।

ଧନ୍ୟରେ ମୀନକେତନ ତୋର ବାପା ମାଏ

ଏ ତୋର କୂଟକୁ ମୋର ନାହିଁ ନା ଉପାୟେ ।

ବହୁବିଦ୍ୟା ଶିକ୍ଷା କଲୁ ରହି ମୋର ଦେଶେ

ବିଶ୍ୱାସେ ବିଷ ଭରିଲୁ ମୋରେ ଅବଶେଷେ ।

କାହାକୁ କହିବି ମୁହିଁ ଏହା ତ ଅର୍ଜିଲି

ଅଜ୍ଞାତ କୁଳଶୀଳକୁ ବିଶ୍ୱାସ ଯା ଗଲି ।

ମଥାର ଗଭା କୁସୁମ ହେଲା କାଳସର୍ପ

ସଂପୁଟରେ ନାଶଗଲି ବଂଶ ମୋର ଲୋପ ।

କେବଣ ପ୍ରକାରେ ଶତ୍ରୁ ହୋଇଲ ବିନାଶ

ଏସନ ବିଚାର ଗୋଟାକରେ ହୃଦ ଦେଶ ।

ପୁଣି ବିଚାରେ ଉପ୍ରୋଧ କେଭେ ନ କରିବି

କୁଳକଳଙ୍କ ଶତ୍ରୁକୁ କପଟେ ମାରିବି ।

ଏତକେ ବିଚାରି ବାମକରେ ଧନୁ ଧରି

ମୀନକେତନ ଉପରେ ବିନ୍ଧେ ରୋଷଭରି ।

ମନ୍ତ୍ର ସୁମରି ନାରାଚମାନଙ୍କୁ ତିଆରେ

ମୀନକେତନର ଶିର କାଟରେ ସତ୍ୱରେ ।

କର୍ଣ୍ଣମୂଳ ପରଯନ୍ତେ ଓଟାରିଣ ଶର

ସମ୍ଭାଳ ମୀନକେତନ ବୋଲେ ଧାତିକାର ।

ଗୁଣରୁ ଫିଟିଣ ବାଣ ଧାଏଁ ଅତିରୋଶେ

ବିଜୁଳି ଜ୍ୟୋତି ପରାୟେ ତେଜକୁ ପ୍ରକାଶେ ।

ନାରାଚ ଆସିବା ଦେଖି ସେ ମୀନକେତନ

ଆକର୍ଷିଣ ପେଷିଦେଲା ପାଞ୍ଚଗୋଟା ବାଣ ।

ଆକାଶ ମାର୍ଗରେ ଶର ହେଲେ ଭେଟାଭେଟି

ଶମ୍ୱର ନାରାଚ ସବୁ ପକାଇଲା କାଟି ।

ଦେଖିକରି ନରପତି ପାଇ ଅପମାନ

ପୁଣି ପଞ୍ଚସସ୍ର ବାଣ କରଇ ସନ୍ଧାନ ।

କର୍ଣ୍ଣମୂଳ ପରିଯନ୍ତେ ଓଟାରି ସେ ଆଣି

କୋପେ କୋପାଳନ ହୋଇ ପେଷେ ନୃପମଣି ।

ପୁଣି କହୁଁ କହୁଁ ଗୁଣ ଟଙ୍କାର ସେ କରି

ଲକ୍ଷେକୋଟି ଏକ ଦଶ ବିନ୍ଧେ ରୋଷଭରି ।

ଦିବସେ ପୃଥିବୀ ଦେବୀ ଦିଶେ ଅନ୍ଧକାର

ଶରେ ଉହାଡ଼ ହୋଇଲେ ପ୍ରଭୁ ଦିବାକର ।

ଝଲକଇ ତୀକ୍ଷ୍‌ଣ ମୁନ ବାଣଙ୍କର ତେଜ

ଜୁଳୁଜୁଳା ପୋକ ପରି ଦିଶନ୍ତେ ନାରାଜ ।

ଶସ୍ତ୍ରେ ଶସ୍ତ୍ର ବାଜିବାରୁ ରଣଝଣ ବାଜି

ସିନ୍ଧୁଲହରୀ ପରାୟେ ଉଠେ ଗଳଗାଜି ।

ଦେଖିଣ ମୀନକେତନ ଦିବ୍ୟଶର ମାରି

ସମସ୍ତ ବାଣ ଛେଦିଲା ଖଣ୍ତ ଖଣ୍ତ କରି ।

ଅନଳ ବାଣ ପୁଣିହିଁ ଶମ୍ବର ମାଇଲା

ମୀନକେତନ କ୍ଷଣକେ ତାହା ବିନାଶିଲା ।

ଦେଖି ପ୍ରଶଂସା ତାହାକୁ କରଇ ଶମ୍ବର

ଧନ୍ୟ ଧନ୍ୟ ବୀର ତୁହି ମହାବଳୀୟାର ।

ଅନେକ ଯୁଗ ପର୍ଯ୍ୟନ୍ତେ ମୁହିଁ ଦେହ ବହି

ମୋର ସମ ଯୋଦ୍ଧା ତିନିଭୁବନରେ ନାହିଁ ।

ଏକା ନାରାଚେ ତ୍ରୈଲୋକ୍ୟ ପାରେ ମୁହିଁ ଜିଣି

ଗଣ ଗନ୍ଧର୍ବଦେବଙ୍କୁ ନଜରେ ନ ଆଣି ।

କିନ୍ତୁ ପୂର୍ବୁ ରହିଅଛି ଏସନ ଭବିଷ୍ୟ

ପରିଚାର ହସ୍ତରେ ମୁଁ ହେବି ପ୍ରାଣେ ନାଶ ।

ଏସନ ମୀନକେତନେ ବୋଇଲେ ନୃପତି

ଶୁଣ ପରୀକ୍ଷରାଜନ ଭଣି ଶୁକଯତି ।

ଏହା ଶୁଣି ରତିପତି ମନେ କୋପ କଲେ

ଏକାବେଳେ ତିନିଶତ ବାଣ ସେ ପେଷିଲେ ।

ରଥକୁ ପଚିଶ ବାଣ କଲଶକୁ ଦଶ

ଚାଳକୁ ଦ୍ୱାବିଂଶ ବତାକୁ ଯେ ପଞ୍ଚବିଂଶ ।

ଗଣ୍ଠିକୁ କୋଡ଼ିଏ ଲେଖାମଣ୍ତଳକୁ ତ୍ରିଂଶ

ଖମ୍ୱକୁ ଦ୍ୱାଦଶ ବାଣ ପେଷେ ବହି ରୋଷ ।

ଚକକୁ ଯେ ତିନିତିନି ଅଖକୁ ପନ୍ଦର

ଅତି ରୋଷରେ ପେଷଇ ରୁକ୍ମିଣୀ କୁମର ।

ଝୁରାକୁ ନରଚା ପୁଣି ପେଷେ ଏକବିଂଶ

ଆଡ଼ିକେ ବାର ବାର ଯେ ଗଜକେ ଚାଳିଶ ।

ଅଶ୍ୱକେ ଅଠର ସାରଥିକୁ ଚାରିଶର

ଗୁଣକୁ ଚାରି ନାରାଚ ଧନୁକୁ ଏଗାର ।

କ୍ରୋଣାଖମ୍ୱେ ଶତେ ଶର ବେଠି ପଞ୍ଚବାଣ

ସିଂହାସନେ ଆଉଜିବା ପଚିଶ ପ୍ରମାଣ ।

ବିଶ୍ୱକର୍ମାରେ ନିର୍ମିତ ଶମ୍ବରର ରଥ

ନିମିଷକେ ଲଙ୍ଘିପାରେ ସ୍ୱର୍ଗଆଦି ମର୍ତ୍ତ୍ୟ ।

ଅଷ୍ଟ ରତନେ ନିର୍ମାଣ ଅପୂର୍ବ ମଣ୍ତଣି

ଖଣ୍ତ ବିଖଣ୍ତ କରିଣ ଛିଣ୍ତାଇଲା ପୁଣି ।

ଭାଙ୍ଗିଗଲା ରଥ ଗୋଟା ହୋଇ ଶତେଚୂର

ଶବଦରେ କମ୍ପମାନ ପୃଥ୍ୱୀ ଚରାଚର ।

ଅଶ୍ୱ ସହିତେ ସାରଥି ପଡ଼ି ଏକଠାଇଁ

ଅସ୍ତ୍ରଙ୍କ ତେଜରେ କିବା ଅନଳ ଜଳଇ ।

ବିରଥ ହୋଇଣ ସେହି ଶମ୍ବର ନୃପତି

ଆରେକ ରଥ ଚଢ଼ିଣ ମିଳେ ଶୀଘ୍ରଗତି ।

ଅନେକ ପ୍ରତିଜ୍ଞାମାନ କରି ନୃପରାଣ

ମନ୍ତ୍ରି ବସାଏ ଧନୁରେ ଏକବିଂଶ ବାଣ ।

କର୍ଣ୍ଣମୂଳ ପରିଯନ୍ତେ ଆଣିଣ ଓଟାରି

କନ୍ଦର୍ପର ଉପରକୁ ବିନ୍ଧେ ରୋଷଭରି ।

ଗର୍ଜି ଆସନ୍ତେଣ ମୀନକେତନ ତା ଦେଖି

ବାବଲ ଶତେକ ବାଣ ପେଷଇ ତହିଁକି ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ମଧ୍ୟେ ହେଲେ ଭେଟ

ନିର୍ଘାତ ଶବଦ ଶୁଭେ ଯେହ୍ନେ ରଟମଟ ।

ନିର୍ଘାତ ଅଗ୍ନି ଯେସନେ ପୋଡ଼େ ମହାବନ

ବାଣେ ବାଣ ବାଜିକରି ଦିଶଇ ତେସନ ।

ଦେଖି କୋପଭର ହୋଇ ଶମ୍ବର ନୃପତି

ପର୍ବତାଶର ଧନୁରେ ବସାଇଲା ଧାତି ।

ଅଭିମନ୍ତ୍ରଣ କରିଣ ଅତି ଭକତିରେ

ପେଷିଲା ସେ ବାଣଗୋଟି କନ୍ଦର୍ପ ଉପରେ ।

ନିର୍ଘାତ ଶବଦ ପ୍ରାୟେ କରି ଘୋରଧ୍ୱନି

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଘୋଟେ ତତକ୍ଷଣି ।

ଦେଖି ରତିପତି ସନ୍ଧେ ଅମୋଘ ଶକତି

ତତକ୍ଷଣେ ବାଣମାନେ ହେଲେ ବିନଶ୍ୟତି ।

ପର୍ବତଙ୍କ ପରେ ଯେହ୍ନେ ହୁଏ ହୁଏ ବଜ୍ରପାତ

କମ୍ପମାନ ବସୁନ୍ଧରୀ ମହୀ ଖଣ୍ତ ସାତ ।

ଭାଙ୍ଗିଗଲେ ଗିରିମାନେ ହୋଇ ମସିଗୁଣ୍ତା

ଉଡ଼ିଲେ ଗଗନମାର୍ଗେ କରିଣ ପ୍ରଚଣ୍ଡା ।

ଧାତିକାରେ ପୁଣି ଧରି ଜଳଧରା ଶର

କନ୍ଦର୍ପର ଉପରକୁ ବିନ୍ଧଇ ଶମ୍ବର ।

ପବନ ଶର ତହିଁକି ପେଷି ରତିସାଇଁ

ସମସ୍ତ ଶରମାନଙ୍କୁ ଦେଲେ ସେ ଉଡ଼ାଇ ।

ପୁଣି ଶମ୍ବର ରାଜନ ହୋଇ ଅତିରାଗ

ପନ୍ନଗାସ୍ତ୍ରକୁ ପେଷଇ ତହୁଁ ଅତି ବେଗ ।

ଲହଲହ ଜିହ୍ୱା ସେହୁ କରିଣ ଧାମନ୍ତି

ଝରଝର ବିଷମାନ ମୁଖୁ ଉଦ୍‌ଗାରନ୍ତି ।

ଗରୁଡ଼ ଶର ପେଷିଣ ସେ ମୀନକେତନ

ପ୍ରତିଅସ୍ତ୍ର ନିମିତ୍ତରେ କରଇ କ୍ଷେପଣ ।

ଗରୁଡ଼ ବିଶ୍ୱମୂରତି ଦେଖି ନାଗବଳ

ଛିନ୍ନଛତ୍ର ହୋଇକରି ପଳାଇ ସକଳ ।

ସ୍ୱର୍ଗେ ଦେବଗଣ ଦେଖି ହୋଇଲେ ତୃପତି

ଧନ୍ୟ କାମଦେବ ବୋଲି ପ୍ରଶଂସା କରନ୍ତି ।

ଦେଖିକରି ଶମ୍ବରର ବୁଦ୍ଧି ନ ସ୍ଫୁରିଲା

ଧନ୍ୟ ମୀନକେତନ ତୁ ବୋଲି ପ୍ରଶଂସିଲା ।

ସମ୍ମୁଖ ସମରେ ରାଜା ନ ପାରିଲା ଜିଣି

ମାୟାଯୁଦ୍ଧ ଆରମ୍ଭିଲା ଆଣି ତତକ୍ଷଣି ।

ବ୍ୟାଘ୍ର ଭଲ୍ଲୁକ ହସ୍ତୀ ଯେ ଗୟଳ କୁକୁର

ସିଂହ ଶାର୍ଦ୍ଦୁଳ ଶଶକ ଆବର ଶୁକର ।

ଗୃଧ ପକ୍ଷୀ ଗୋଧିକା ଯେ ସଞ୍ଚାଣାଦି କରି

ପ୍ରଚଣ୍ତ ମୂର୍ତ୍ତି ଧରିଣ ଧାଇଁ ରୋଷଭରି ।

ଥୋକାଏ ଦୂର ପଶିଲା ଅନଳର ଜ୍ୟୋତି

ଥୋକାଏ ଦୂରେ ସମୁଦ୍ର ମାଡ଼ିଣ ଆସନ୍ତି ।

ଥୋକେ ଦୂରେ ଦେଖାଯାଏ ଗହନ ବିପିନ

ଥୋକାଏ ଦୂରେ କେବଳ ଦିଶେ ରଙ୍ଗବର୍ଣ୍ଣ ।

ଏରୂପେ ମାୟା କରନ୍ତି ଶମ୍ବର ନୃପତି

କେଉଁଠାରେ ରଥମାନେ ଉଡ଼ିଣ ଯାଆନ୍ତି ।

ଜଳନ୍ଧର ମାୟାରେ ଯେ ଦିଶେ ଅନ୍ଧକାର

ଚନ୍ଦ୍ର ସୂର୍ଯ୍ୟ ଆଦିକରି ନୁହନ୍ତି ଗୋଚର ।

ବହୁକାଳର ବୃଦ୍ଧ ସେ ଶମ୍ବର ନୃପତି

ବୁଦ୍ଧି ମନ୍ତପଣେ ନାହିଁ ବଳି ତାକୁ କ୍ଷିତି ।

ନାନାକୂଟ କପଟ ସେ ଜାଣେ ଯୁଦ୍ଧସନ୍ଧି

ଉର୍ଣ୍ଣନାଭ ସୂତାରେ ସେ ମତ୍ତଗଜ ବାନ୍ଧି ।

ମାୟା ପ୍ରବଞ୍ଚନାମାନ କନ୍ଦର୍ପେ ଦେଖାଇ

ଆପଣା ମନ୍ଦିରେ ରାଜା ପ୍ରବେଶିଲା ଯାଇ ।

ରାଣୀମାନଙ୍କୁ ନିକଟେ ଆଣିଲା ହକାରି

ଜେନା ଜେନାମଣି ନାତି ପୁତ୍ରଆଦି କରି ।

ଦେଖିଲା କଟକଯାକ ପଡ଼େ ହାଲହୋଳି

ନିରନ୍ତର ଚୌକତିରୁ ଉଠଇ ବୋବାଳି ।

ନିସ୍ତବଧ ବସୁନ୍ଧରୀ ଉଲ୍‌କାପାତମୟେ

ସମସ୍ତଙ୍କୁ ଲାଗିଅଛି କନ୍ଦର୍ପର ଭୟେ ।

ବନ୍ଧୁଜନ ଦୁହିତାଏ କରନ୍ତି ରୋଦନ

କ୍ରୋଟରାନଳ ପରାୟେ ଦହେ ସର୍ବମନ ।

ଏସନ ସମୟେ ତହିଁ ମିଳି ମହୀପାଳ

ନବର ମଧ୍ୟେ ଦେଖିଲା ସର୍ବ ଅମଙ୍ଗଳ ।

ବେନି ନୟନ ଫୁଟିଣ ଅଶ୍ରୁଜଳ ବହି

ଅତି ଚିନ୍ତାଭର ହୋଇ ନବରେ ମିଳଇ ।

ମାୟାବତୀ ନିକଟରେ ମିଳି ନୃପବର

ତାକୁ ଦେଖି ହୃଦୟରେ ଧଇଲା ଅନ୍ତର ।

ଖଣ୍ତେ ଦୂରରୁ ରତିକୁ ଦେଖିଣ ବୋଇଲା

ଏହାର ହେତୁରୁ ମୋର ସର୍ବନାଶ ହେଲା ।

ଆଲୋ ତୋ ଯୋଗରୁ ମୋର ହେଲା ସର୍ବନାଶ

ସଂସାରେ ଅପକୀରତି ଲଭିଲି ଅଯଶ ।

କେବଣ ଦଇତୁଣୀ ତୁ ଅଛୁ ମୋ ନଗରେ

ଏ ତୋହର ମାୟା ମୁହିଁ ଜାଣି ତ ନ ପାରେ ।

ତୁ ମୁଢ଼ା ପାପିଷ୍ଠୀ ଆଲୋ ଅଟୁ ମନ୍ଦଜାତି

ପୁତ୍ରକୁ ଭର୍ତ୍ତା କରିଲୁ ଏସନକ ରୀତି ।

ସବୁ ଛାଡ଼ି ତୋର ସଙ୍ଗେ ବଳାଇଲି ମନ

କାଳସର୍ପ ହୋଇ ମୁଖେ ଦେଲୁ ତୁ ଚୁମ୍ବନ ।

କର୍ମ ବିପାକ ବେଳକୁ ତୋତେ ପ୍ରତେ ଗଲି

କୂଳମୂଳ ନ ଜାଣିଣ ଏ ଦଶା ଲଭିଲି ।

ଦେଖକନ୍ୟା ରାଜକନ୍ୟା ମୋହର ଭାରିଯା

ତୋହର ନିମନ୍ତେ ମୁହିଁ ସବୁ କଲି ତେଜ୍ୟା ।

ବିଶ୍ୱାସଘାତକୀ ତୁହି ଅତି ପାପମତି

ତୋହର ମୁଖ ଚାହିଁଲେ ନାହିଁଟି ନିଷ୍କୃତି ।

ସ୍ରୋତେ ଭାସି ଯାଉଥିଲୁ କୂଳରେ ଲାଗିଲୁ

ବାଟେ ସାଉଁଟି ଆଣନ୍ତେ ଏଡ଼େ କର୍ମ କଲୁ ।

କ୍ଷଣେ ରଖିବାର ତୋତେ ନୁହଇ ଯୁକତି

ମାଉଁସ କାଟିଣ ବଳି ଦେବି ମୁଁ ଘାନ୍ତି ।

ତୋହର ଜୀଅନ୍ତେ ମୋର କିଛି ନାହିଁ ଭଲ

ଏ ମୋହର ବଂଶକୁ ତ ହେଲୁ ଆସି ସଲ ।

ତୋତେ ନାଶ କଲେ ସରିଯିବ ସବୁ ଲଜ୍ଜା

ଅପବାଦ ଭୟେ କରିଥିଲି ସବୁ ତେଜ୍ୟା ।

ତୋତେ ବିନାଶିଲେ ମୋର ନାହିଁ କିଛି ପାପ

ଏତେ ବୋଲିଣ କରରେ ଧଇଲାକ ଚାପ ।

ଅଧର ପୃଷ୍ଟ କରିଣ ଧାଏଁ ନୃପମଣି

ବୋଇଲା ଲୋ ମାୟାବତୀ ପକାଇବି ହାଣି ।

ବେଳୁଁ ବେଳୁଁ ପ୍ରଜ୍ଜ୍ୱଳିତ ଅଧିକରେ କୋପ

କ୍ରୋଧଭରେ ହୋଇକରି କରେ ବହୁତାପ ।

ଅହି ଗରଜିଲା ପରି ଧାମଇଁ ସେ ରୋଷେ

ପ୍ରତିଜ୍ଞା କରି ମିଳଇ ମାୟାବତୀ ପାଶେ ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତି

ଅତିଭାଗ୍ୟେ ଶୁଣ ଏବେ ଭାଗବତ କୀର୍ତ୍ତି ।

ଶମ୍ବର ଶରୀରେ ଯେତେ ରାଜକଳା ଥିଲା

ସତୀର ଝିଙ୍ଗାସେ ସବୁ ବିନଷ୍ଟ ହୋଇଲା ।

ସରିଗଲା ଧର୍ମସବୁ ପାପ ବର୍ଦ୍ଧମାନ

ଗଳିଲା ତ୍ରିପଣ୍ତ ଝାଳ ହେହ କମ୍ପମାନ ।

ଅଧର ଓଷ୍ଠ ତାଳୁକା ଶୁଖି ପଡ଼େ କାଳି

ବଳବୀର୍ଯ୍ୟ ତୁଟିଗଲା କମ୍ପିଲା ମଉଳି ।

ପରମ ମାହେଶ୍ୱରୀ ସେ କାମଦେ ନାରୀ

ଝିଙ୍ଗାସନ୍ତେ ମହାରାଜା ହେଲା ହତଶିରୀ ।

କେଶ ଧରିବା ପାଇଁକି ବିଚାରନ୍ତେ ମତି

ଆକ୍ରୋଶି ବାମକରକୁ ବଢ଼ାଏ ନୃପତି ।

ଦେବ କିନ୍ନରମାନେ ଯେ ଅନ୍ତରୀକ୍ଷେ ଥିଲେ

ଶମ୍ବର ହସ୍ତ ଧରିଣ ଫୋପଡ଼ାଇ ଦେଲେ ।

ଉତ୍ତାନଶାୟୀ ହୋଇଣ ପଡ଼ିଲା ପ୍ରଚଣ୍ତା

ଆପଣାର ଅଙ୍ଗେ ପୁଣି ବାଜେ ନିଜ ଖଣ୍ତା ।

ଝରଝର ଶୋଣିତ ଯେ ବହଇ ନିରତ

ବେଳୁଁବେଳ ପ୍ରଜ୍ଜ୍ୱଳିତ ହୁଏ ଦୈତ୍ୟନାଥ ।

ପୁଣି ବଇରାଗେ ରାଜା ଧାତିକାରେ ଉଠି

କେଶ ଧରିବା ପାଇଁକି ଧାମଇଁ ଲେଉଟି ।

ଦେଖି ରତି ଉଚ୍ଚସ୍ୱରେ କରଇ ରୋଦନ

ଭୋ ସ୍ୱାମି କାମଦେବ ହେ କରିବା କାରଣ ।

ଏତେବେଳେ ନାଥ ଯେବେ କରିବ ନିରାଶ

ରାକ୍ଷସ ଦୁର୍ମତି ମୋତେ ମାରିବ ଅବଶ୍ୟ ।

ଏମନ୍ତ ସମୟେ ଯୁଦ୍ଧେ କାମଦେବ ଥିଲା

ମାୟା ଛାଡ଼ନ୍ତେ ରାଜାକୁ ନେତ୍ରେ ନ ଦେଖିଲା ।

ବିଚାରିଲା ରାଜା ଅବା ଗଲା ଅନ୍ତଃପୁରେ

ଏହା ବିଚାରିଣ ସେହି ବିନ୍ଧେ ଶର ଖରେ ।

ବେଗେ ଶର ଯାଇ ବାଜେ ଶମ୍ବର ଦେହରେ

ଶର ବାଜି ମୁଣ୍ତ ତାର ପଡ଼େ ଭୂତଳରେ ।

ପୁଣି ସେ ପଞ୍ଚାଶ ବାଣ ନିଜ କରେ ଧରି

କର୍ଣ୍ଣମୂଳ ପରିଯନ୍ତେ ଆଣିଲା ଓଟାରି ।

ମନ୍ତ୍ର ସୁମରି ନାରାଚ ପେଷ କୃଷ୍ଣବଳା

ଶମ୍ବର ପୁରକୁ ନାଶ କର ଯା ବୋଇଲା ।

ସେ ପୁରେ ବାସ କରନ୍ତି ଯେତେ ନରନାରୀ

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।

ରଥ ଗଜ ପଦାତିକ ଯେତେ ଅଗ୍ରଲେଖା

ମହାସତୀ ଝିଙ୍ଗାସରେ ସବୁ ଛେଦିପକା ।

ଯାବତ ସମ୍ପଦମାନ ତାର ନାଶଯାଉ

ଲକ୍ଷେ ପରିବାରୀ ଘେନି ମାୟାବତୀ ଥାଉ ।

ଏତେ ବୋଲି ନାରାଚକୁ ପେଷେ ଅତିବେଗେ

କୋଟିଗୁଣ ହୋଇଯାଏ ଯେ ଆକାଶେ ମାର୍ଗେ ।

ଜୀବଜନ୍ତୁ ଆଦିକରି ଯେତେ ତହିଁ ଥିଲେ

କାମ ଶରାଘାତେ ସର୍ବେ ବିନାଶ ହୋଇଲେ ।

ପ୍ରଚଣ୍ତ ପବନେ ଯେହ୍ନେ ଝଡ଼େ ପକ୍ୱଫଳ

ତେସନ ସଞ୍ଜାତେ ସର୍ବେ ପଡ଼ି ମହୀତଳ ।

ରକତରେ କରଦମ ହେଲା ବସୁନ୍ଧରୀ

ଜୟନାଦ କଲେ ଦେବେ ଥାଇ ସ୍ୱର୍ଗପୁରୀ ।

ବାଳବୃଦ୍ଧ ତରୁଣାଦି ହେଲେ ସବୁ କ୍ଷୟେ

ଚାହିଁଲେ ସେ ଚଉକତି ସବୁ ମଡ଼ାମୟେ ।

ଅନଳ ବାଣକୁ ପୁଣି ପେଷିଲେ ତଡ଼ତି

ଘରଦ୍ୱାର ଚାଳି ଗଳି ସବୁ ପୋଡ଼ିଯାନ୍ତି ।

ଲାଗିଲା ଯେ ହୁତାଶନ ମହାଧୂମମୟେ

ଶମ୍ବର ନଗରଯାକ କରିଦେଲା କ୍ଷୟେ ।

ଉଲୁକାପାତ ପରାୟେ ହେଲା ସମରାଷ୍ଚ୍ର

ସଗୋତ୍ର ସହିତେ ରାଜା ହେଲା ହତପାଟ ।

ଅଣଚାଶ ପବନ ଯେ ବହେ ପରଖର

ଚାହୁଁ ଚାହୁଁ ପୋଡ଼ିଗଲା ସବୁ ଘରଦ୍ୱାର ।

ଅଯୋନିସମ୍ଭୂତା ସେହୁ ଦେବୀ ମହାସତୀ

ତାର କୋପେ ପୁରଗୋଟା ହେଲା ବିନଶ୍ୟତି ।

ଏସନ ରୀତି ଦେଖିଣ ସ୍ୱର୍ଗେ ଶଚୀସାଇଁ

ଏକାନ୍ତେ ବୃହସ୍ପତିଙ୍କୁ ପୁଚ୍ଛା ସେ କରଇ ।

ବୋଇଲା ଭୋ ଗୁରୁ ଅଗ୍ନିଜଳେ ମଞ୍ଚପୁରେ

ଏଥିର ତଥ୍ୟ ବାରତା କହ ମୋ ଆଗରେ ।

କି ଅଵା ତହିଁକି କେଉଁ ଶତ୍ରୁ ଦେଲା ଧାଡ଼ି

ସତର୍କ ହୋଇ ନ ପାରି ରାଜ୍ୟ ଗଲା ପୋଡ଼ି ।

ଏଥିର ତଦନ୍ତ ମୋତେ କହିବାକ ଗୁରୁ

ଶୁଣିଣ ସରୁ ମୋହର ଭ୍ରାନ୍ତି ଯେ ମନରୁ ।

ଇଦଂ ପ୍ରତିବାକ୍ୟ ବଦୟନ୍ତି ବୃହସ୍ପତି

ସାବଧାନ ହୋଇ ତୁମ୍ଭେ ଶୁଣ ଶଚୀପତି ।

ଅନେକ କାଳର ଏହା ପୁରାତନ ବାଣୀ

ତିନି ମନ୍ୱନ୍ତର କଥା ଆମ୍ଭେ ଅଛୁ ଜାଣି ।

ସ୍ୱର୍ଗକୁ ଲାଗିଲା ଯହୁଁ ତାରକାର ଭୟ

ତାକୁ ବଧିବାକୁ ଦେବେ ରଚିଲେ ଉପାୟ ।

ହର କୋପେ କାମଦେବ ଭସ୍ମ ହୋଇଥିଲା

ସେ ଆସି ରୁକ୍ମିଣୀ ଗର୍ଭେ ଜନମ ଲଭିଲା ।

ବାଲ୍ୟକାଳରୁ ଶମ୍ବର ନେଲା ତାକୁ ହରି

ସମୁଦ୍ର ଫିଙ୍ଗିଦେଲା ସ୍ୱକରେ ନ ମାରି ।

ସାଗରେ ଯାଇଣ ସେହୁ ତକ୍ଷଣେ ପଡ଼ିଲା

ଆଧାର ନିମନ୍ତେ ତାକୁ ମୀନ ଗିଳିଦେଲା ।

କୈବର୍ତ୍ତ ଜାଲରେ ସେହୁ ହୋଇଲା ବନ୍ଧନ

ଶମ୍ବର ନୃପତି ପାଶେ ଦେଲା ସେ ନେଇଣ ।

ରାଜାର ଆଜ୍ଞାରେ ମୀନ ଅନ୍ତଃପୁରେ ନେଲେ

ମୀନକୁ କାଟନ୍ତେ ତହୁଁ ପୁତ୍ରେକ ପାଇଲେ ।

ଅନେକ ଯତନେ ତାହା ପାଳିଲେ ନୃପତି

ଅନ୍ତଃପୁରେ ରହିଥାଏ ମାୟାବତୀ କତି ।

କାଳେ ପତି ପତ୍ନୀ ବେନି ହେଲେ ଏକମେଳ

ଜାଣିଣ କୋପ କରିଲା ଶମ୍ଭର ଭୂପାଳ ।

ପୁତ୍ରକୁ ବୋଇଲା ୟାକୁ ନାଶ କର ଯାଇଁ

ଆଗହୁଁ ମୀନକେତନ ଥିଲେ ତା ଚିତ୍ତୋଇ ।

ଲକ୍ଷେ ଅନେଶ୍ୱତ ପୁତ୍ର ଶମ୍ବରର ଥିଲେ

ପ୍ରଦ୍ୟୁମ୍ନ ଶସ୍ତ୍ରାଘାତରେ ସବୁ ନାଶଗଲେ ।

ପୁତ୍ରଙ୍କ ଶୋକରେ ରାଜା ବହୁ ଯୁଦ୍ଧ କଲା

ପ୍ରଥମ ସମରେ ଅପଘାତ ସେ ପାଇଲା ।

ଜଳନ୍ଧର ମାୟାକୋଟା ରଚି ବୀରମଣୀ

ବାହୁଡ଼ି ନିଜ ମନ୍ଦିରେ ପ୍ରବେଶିଲା ପୁଣି ।

ମହାସତୀକୁ ଝିଙ୍ଗାସ କଲା ଅନିମିତ୍ତେ

ସତୀଙ୍କୁ ମାରିବାପାଇଁ ନପତି ବସନ୍ତେ ।

ତାହା ଜାଣିପାରି ମୀନକେତନ ଯେ ବୀର

ଶମ୍ବରକୁ ଏକବାଣେ କରିଲେ ସଂହାର ।

ରତିର ଗର୍ଭ ଆସିଣ ହେଲା ଚାରିମାସ

ଅନିରୁଦ୍ଧ କୁମର ଯେ ହୋଇବ ପ୍ରକାଶ ।

ଶୁଣି କୃତକୃତ୍ୟ ହେଲା ଦେବୀ ଶଚିନାଥ

ପୁଷ୍ପ ବୃଷ୍ଟିକଲେ ମୀନକେତନର ମାଥ ।

ଶୁକ ବୋଇଲେକ ଶୁଣ ହେ ପରୀକ୍ଷ ରାୟେ

ଏସନ ରୂପେ ଶମ୍ବର ପୁର ହେଲା କ୍ଷୟେ ।

ଅଷ୍ଟବକ୍ର ଶମ୍ବରକୁ କରିଥିଲେ କୋପ

ଉପହାସ କଲା ବୋଲି ଦେଲେ ଅଭିଶାପ ।

କୋପେ କୋପାନଳ ହୋଇ ସେହି ବ୍ରହ୍ମଋଷି

ବୋଇଲେକ ସମରାଜ୍ୟ ହେଉ ତୋର ଧ୍ୱଂସି ।

ତାଙ୍କର ବଚନ କିବା ଅନ୍ୟଥା ହୋଇବ

ଆଗହୁଁ ଭିଆଣ ଯାହା କରିଛି ଦଇବ ।

ଇତି ଶିରୀ ହରିବଂଶ ବେଦାନ୍ତର ବିଧି

ଧର୍ମ ଅର୍ଥ କାମ ମୋକ୍ଷ ହୋଏ ଏଥେ ସିଦ୍ଧି ।

ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେ

ଏଥେ ଛବିଶ ଅଧ୍ୟାୟ ସମାପତ ହୋଏ ।

 

ହରିବଂଶ ଷଷ୍ଠ ଖଣ୍ଡ

ରୁକ୍ମିଣୀ ନିକଟରେ ବ୍ୟାସଙ୍କର ସ୍ୱପ୍ନ ଫଳାଫଳ କଥନ,ରତି କନ୍ଦର୍ପର ଦ୍ୱାରକା ପ୍ରବେଶ ଓ ଅନିରୁଦ୍ଧ ଜନ୍ମ

 

ଇଦଂ ପ୍ରତିବାକ୍ୟ ଶୁକ ମହାମୁନି ଭାଷି

ସାବଧାନ ହୋଇ ଶୁଣ ନୃପ ସୋମବଂଶୀ ।

ଯେତେବେଳେ ଶମ୍ବରର ପୁର ହେଲା ହତ

ଜୀବଜନ୍ତୁ ମାତ୍ରେ ନାଶ ହୋଇଲେ ସମସ୍ତ ।

ମେଢ଼ ମଣ୍ତପାଦି ଭାଙ୍ଗି ଚୂର୍ଣ୍ଣଭୂତ ହେଲା

କୂଳ ଲଙ୍ଘି ସିନ୍ଧୁଜଳ ଦେଶେ ବ୍ୟାପିଗଲା ।

ଶାନ୍ତି ହେଲା ଅଗ୍ନିଶିଖା ନ ଜଳିଲା ଆଉ

ସମ ରାଜ୍ୟଯାକେ ଜଳ ଘୋଟେ ଚାହୁଁ ଚାହୁଁ ।

ଜଳତରଙ୍ଗ ବରୁଣପୁରେ ଦେଲା ଧାଡ଼ି

ସେହି ଦିନରୁ ସମୁଦ୍ର ଯାଇଥିଲା ଛିଡ଼ି ।

ପ୍ରଦ୍ୟୁମ୍ନ ସେଠାରେ ଯହୁଁ କଲେ ରଣଯୋଗ

ଧରା ଉଶ୍ୱାସିଲା ଦେବେ ପାଇ ହବିର୍ଭାଗ ।

ତତକ୍ଷଣେ ଜୟଶଙ୍ଖ ବଜାଇ ମଦନ

ମାୟାବତୀ ପାଶେ ଯାଇ ମିଳିଲେ ବହନ ।

ଆସ ଦେବୀ ଆଗେ ତୁମ୍ଭେ ଏ ରଥରେ ବସ

ସବଂଶ ସହ ଶମ୍ବର ହୋଇଲା ବିନାଶ ।

 

ଶୁଣକରି ରତିଦେବୀ ଆରୋହିଲେ ରଥ

ନିଜ ଭାରିଯାକୁ ଘେନି ଚଳିଲା ମନ୍ମଥ ।

ବସନ୍ତ ନାମେ ସାରଥି ବାହେ ରହୁବର

ପଶ୍ଚିମ ମୁଖରେ ତହୁଁ ଚଳେ ଧାତିକାର ।

ଥୋକାଏ ଦୂରେ ସେ ନଇର୍ଋତ କୋଣେ ଗଲେ

ପାରେଶ୍ୱର ମଣ୍ତଳରେ ପ୍ରବେଶ ହୋଇଲେ ।

ଦେଖିଲେ ସେଠାରେ ବିଜେ ଦେବ ଲୋକନାଥ

ପବିତ୍ର ପୁଣ୍ୟମୟ ସେ ଅତି ଶୁଦ୍ଧମନ୍ତ ।

ଦେଉଳରେ ପଶି ଦିଅଁ ଦରଶନ କଲେ

ଏକାନ୍ତରେ ପତି ପତ୍ନୀ ସେଠାରେ ଭାଳିଲେ ।

ଇଷ୍ଟବନ୍ଧୁ ଆମ୍ଭର ତ କେହି ନାହିଁ ସଖା

ସମସ୍ତ ବିନାଶି ଆମ୍ଭେ ହୋଇଲୁ ଯେ ଏକା ।

ବିନାଶ କାଳକୁ ହେଲା ବିପରୀତ ବୁଦ୍ଧି

ଅଖଡ଼େ ନାଶ କରିଲୁଁ ଅଚଳା ସମୃଦ୍ଧି ।

ଶମ୍ବର ରାଜା ଆମ୍ଭର ଅଟେ ଉପକାରୀ

ମହାପାତକ ଅର୍ଜିଲେ ତାହାକୁ ଯେ ମାରି ।

ଇଷ୍ଟବନ୍ଧୁ କୁଟୁମ୍ବାଦି ସୋଦର ସହିତେ

ଷଡ଼ ପରକାରେ ପିତା ଭଣି ଧର୍ମଶାସ୍ତ୍ରେ ।

ଆମ୍ଭେ ଲଙ୍ଘିଲୁଟି ତାହା ନରଦେହ ବହି

ଜାଣୁ ଜାଣୁ କଲେ ଆମ୍ଭେ ଏଡ଼େକ କର୍ମ ହିଁ ।

ଛାଡ଼ିଲୁ ଯେ ଧର୍ମ କର୍ମ ହେଲୁ ମହାପାପୀ

ଶବର ପ୍ରାୟେ ପ୍ରକୃତି ଧଇଲୁ ଅଦ୍ୟାପି ।

ବିଶ୍ୱାସଘାତକା ସ୍ୱାମିନିଦ୍ରା ବ୍ରହ୍ମଘାତ

ପାପାଧି ମହାପାତକ ଅଟେ ଏ ସାକ୍ଷାତ ।

ଜାଣୁ ଜାଣୁ ଏଡ଼େକର୍ମ କରିଲେ ସ୍ୱହସ୍ତେ

ଆବର ଶରୀର ଧର୍ମ ସହିବ କି ମୋତେ ।

ଏ ମୋର ମହାପାତକ ଯିବ କେହ୍ନେ କ୍ଷୟେ

ଜନମୁଖେ ଅପବାଦ ପାଇଛି ନିଶ୍ଚୟେ ।

ଏସନ ବିଚାର ତହିଁ କରନ୍ତି ସେ ବେନି

ଚିତ୍ରସେନ ମିଳେ କରେ ମାଳା ଏକ ଘେନି ।

ବୋଇଲା ଭୋ ସ୍ୱାମି ଶୁଣ ଏ ମୋହର ବାଣୀ

ତୋହର ତହିଁକି ମୋତେ ପେଷି ସସ୍ରଯୋନି ।

ଶମ୍ବର ମାଇଲୁ ବୋଲି କିପାଁ ପାଉ ତ୍ରାସ

ସେହି ମରି ନ ଥିଲେ ତ ପୃଥ୍ୱୀ ଯାନ୍ତା ନାଶ ।

ପ୍ରତ୍ୟକ୍ଷେ ନାରାୟଣ ତୁ ଚତୁର୍ଦ୍ଧାବତାର

ସର୍ବଭୂତ ଆତ୍ମା ତୁହି ଅଟୁ ନିରାକାର ।

କନ୍ଦର୍ପ ନାମରେ ତୁମ୍ଭେ ବହିଅଛ ବପୁ

ଅନିମିତ୍ତ ଖେଦଅଗ୍ନି ହୃଦେ କିପାଁ ଥାପୁ ।

ଲକ୍ଷ୍ମୀଦେବୀ ଯାର ମାତା କୃଷ୍ଣ ଯାର ପିତା

ଧନୁର୍ଦ୍ଧର ଚୂଡ଼ାମଣି ଭବିଷ୍ୟତଜ୍ଞାତା ।

ଏ ଛାର ପାପକୁ ତୁମ୍ଭେ ନ କର ହେ ଭୀତି

ଦ୍ୱାରକାପୁରକୁ ଏବେ ଯାଅ ଶୀଘ୍ରଗତି ।

ତୁହି ରତିଦେବୀ ଆଗୋ ନ ଜାଣୁ ବା କିସ

ପୂର୍ବ କଥା ସୁମରିଣ ବୁଝ ନାରୀଈଶ ।

ମାଗୋ ମୋତେ କହିଛନ୍ତି ଇନ୍ଦ୍ରାନ୍ଦି ବିବୁଧ

ତୋର ଗର୍ଭୁ ଜାତ ହେବ ଜାଣ ଅନିରୁଦ୍ଧ ।

ଏଣୁ ଉଶ୍ୱାସ ହୋଇବ ନିଶ୍ଚେଁ ବସୁନ୍ଧରୀ

ଦ୍ୱାପରେ ଚତୁର୍ଦ୍ଧାରୂପେ ଜନ୍ମିବେ ଶ୍ରୀହରି ।

ବେନିମାସ ଗର୍ଭ ତୋର ହେଲାଣି ନିକଟ

ଶାଶୁ ଶଶୁରଙ୍କ ପାଦେ ବେଗେ ଯାଇ ଭେଟ ।

ଏତେ ବୋଲି ଗନ୍ଧରବ ମାଳା ଏକ ଦେଇ

ବାହୁଡ଼ିଣ ସ୍ୱର୍ଗେ ଗଲା ବିମାନ ଆରୋହି ।

ରତି କନ୍ଦରପ ବେନି ଆରୋହିଣ ଯାନ

ଦ୍ୱାରକା ଭୁବନକୁ ସେ ଚଳିଲେ ବହନ ।

ଗନ୍ଧର୍ବ ବଚନ ମୀନକେତନ ଯେ ଶୁଣି

ପରମ ଆନନ୍ଦ ମନ ହେଲା ତତକ୍ଷଣି ।

ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତି

ଇତିଶିରୀ ହରିବଂଶ ପୁରାଣର କୀର୍ତ୍ତି ।

ଏଥୁ ଅନନ୍ତରେ ଶୁର ରାଜା ଆନବାଣୀ

ଅନ୍ତଃପୁରେ ବସିଥିଲେ ଭୀଷ୍ମକ ଦୁଲଣୀ ।

ପାରୁଶରେ ରହିଛନ୍ତି ସର୍ବେ ପରିବାରୀ

ଚାମର ଆଲଟମାନ ଧୀରେ ଧୀରେ କରି ।

ସଖୀମାନଙ୍କୁ ସଙ୍ଗରେ ଘେନିଛନ୍ତ ବସି

ଏମନ୍ତବେଳେ ପ୍ରବେଶ ବ୍ୟାସ ମହାଋଷି ।

ମୁନି ଆସନ୍ତେ ରୁକ୍ମିଣୀ ଦେବୀ ଦୂରୁଁ ଦେଖି

ଧାତିକାରେ ଉଠିଲେ ସେ ଆସନ ଉପେକ୍ଷି ।

କରପତ୍ର ଯୋଡ଼ି ଆଗେ ଉଭା ସେ ହୋଇଲେ

ଆସନ ପାଦ୍ୟ ଅର୍ଘ୍ୟାଦି ଦେଇ ପୂଜାକଲେ ।

ଋଷି ବୋଇଲେକ ମୁହିଁ ହୋଇଲି କୃତାର୍ଥ

ଲକ୍ଷ୍ମୀଦେଵୀଙ୍କର ଯେଣୁ ହୋଇଲା ସାକ୍ଷାତ ।

ମାଗୋ ସ୍ଥାବର ଜଙ୍ଗମ କୀଟ ଚାରିଖାନି

ଏ ତୋହର ଗର୍ଭୁ ମଧ୍ୟ ଉଦ୍ଭବ ଏ ପୁଣି ।

ତତ୍‌କିଞ୍ଚିତେ ଅନୁରାଗ କରୁ ଯାରେ ମାଏ

କୋଟି ଇନ୍ଦ୍ରପଦ ସେହି ମଣେ ତୁଚ୍ଛପ୍ରାୟେ ।

ନାମ ଧରନ୍ତେ ଯାହାର ଦୁଃଖ ଯାଏ ଖଣ୍ତି

କୃତାନ୍ତ ଦେବତା ପୁଣି ନ ପାରଇ ଦଣ୍ତି ।

ନିସ୍ତାରିଲି ନିସ୍ତାରିଲି ଚାହିଁ ତୋର ମୁଖ

ଏବେ ସେ ଖଣ୍ତିଲି ମୁହିଁ ମରଣର ଦୁଃଖ ।

ଏସନ ବଚନ ବ୍ୟାସ ବଦନରୁ ଶୁଣି

ଆନନ୍ଦରେ କୃତକୃତ୍ୟ ହୋଇଲେ ରୁକ୍ମିଣୀ ।

ବୋଇଲେ ଭୋ ମୁନି ତୁମ୍ଭେ ଅଟ ଦେବଗୁରୁ

ତୋହଭଳି ଲୋକ ଏଡ଼େ ପରଶଂସା କରୁ ।

ଭୂତ ଭବିଷ୍ୟତ ତୁ କି ଜାଣୁ ସର୍ବବୁଦ୍ଧି

ବ୍ରହ୍ମବେତ୍ତା ସାକ୍ଷାତରେ ଆତ୍ମା ପାରୁ ବାନ୍ଧି ।

ବେଦ ଷଡ଼ଶାସ୍ତ୍ର ଅଷ୍ଟାଦଶ ଯେ ପୁରାଣ

ଛତିଶ ସୁମୃତି ପୁଣି ନବ ବ୍ୟାକରଣ ।

ଅଦୃଶ୍ୟ ଦୃଶ୍ୟ ତୋତେ ତ ହୁଅଇ ସମସ୍ତ

ବଚନ ମାତ୍ରକେ ତୁହି ରଚିଲୁ ଜଗତ ।

ଶୌଚ ନିର୍ମଳ ପୁରୁଷ ଅଟୁ ସଦାକାଳେ

ବେଦ କହିବାରୁ ବେଦବ୍ୟାସ ସେ ଶୟଳେ ।

ଅଶେଷ ବିଦ୍ୟାରେ ତୁହି ଅଟୁ ଅଧିକାରୀ

କବିପଣେ ତୋତେ କେହି ନାହିଁ ସମସରି ।

ଭୋ ଦେବ ଆଜ ରାତ୍ରରେ ଦେଖିଲି ମୁଁ ଯାହା

ସାବଧାନ ହୋଇ ଶୁଣ କହଇ ମୁଁ ତାହା ।

ରାତ୍ର ଘଡ଼ିଏକ ଥାଉଁ ଶୁକ୍ଳାମ୍ବ୍ର ପୁରୁଷ

ନିଦ୍ରାକାଳେ ଶୟନରେ ହେଲେ ମୋତେ ଦୃଶ୍ୟ ।

ରଥ ଆରୋହି ମାଳାଏ ଧରିଅଛି କରେ

ଶ୍ୱେତ ପଦ୍ମମାଳ ଏକ ଲମ୍ବିଛି ଗଳାରେ ।

ଶ୍ୱେତବସ୍ତ୍ର ପରିଧାନ ରତନ ଭୂଷଣ

ଶ୍ୱେତ ମାରାଗ ବୈଦୁର୍ଯ୍ୟ ହସ୍ତରେ କଙ୍କଣ ।

ମଙ୍ଗଳ ଆରେପଣରେ ମିଳି ମୋର ଆଗେ

ମାଗି ଶାଳିଅନ୍ନକୁ ସେ ଭୁଞ୍ଜଲାକ ବେଗେ ।

ବସୁଦେବ ଉଗ୍ରସେନ କୃଷ୍ଣ କାମପାଳ

ଦେବକୀ ଇନ୍ଦୁମତୀଏ ବନ୍ଦାଇ ସକଳ ।

ସର୍ବେ ସାନନ୍ଦ ହୋଇଣ ବନ୍ଦାଇଲେ ଅର୍ଘ୍ୟ

ସପ୍ତବିଂଶ ଯାଦବେ ଯେ କରିଲେ ସରାଗ ।

ରୁକ୍ମିଣୀ ଦେବୀଙ୍କ ମୁଖୁଁ ଏ ବଚନ ଶୁଣି

ଧୀରକରି ବେଦବ୍ୟାସ କହିଲେକ ବାଣୀ ।

ଯେବଣ ସ୍ୱପନ ତୁମ୍ଭେ ଦେଖିଲ ସଦ୍ଭାବ

ଏହି ସ୍ୱପନେ ତୁମ୍ଭର ହେବ ବହୁ ଲାଭ ।

ସାକ୍ଷାତରେ ଲକ୍ଷ୍ମୀ ତୁ ଗୋ ଅଟୁ ରତ୍ନନିଧି

ସାବଧାନେ ହୋଇ ଶୁଣ ସ୍ୱପ୍ନର ଯେ ବିଧି ।

ବେଦ ବେଦାନ୍ତରେ ପୁଣି ଅଛି ଯେଉଁ ବାଣୀ

ବଶିଷ୍ଠ ମୁଖରୁ ଆମ୍ଭେ ଯାହା ଅଛୁ ଜାଣି ।

ମାଗୋ ପ୍ରଥମ ପ୍ରହରେ ସ୍ୱପ୍ନ ଯେବେ ଦେଖି

ଶୁଭାଶୁଭ ହୁଅଇ ଯେ ପୁରାଣେ ୟା ଲେଖି ।

କାଳି କଳାବର୍ଣ୍ଣ ଯେବେ ଦେଖିବ ସ୍ୱପନେ

ଏ ସର୍ବ ଅଶୁଭ ବୋଲି ଜାଣିବ ସୁମନେ ।

ଏକା ଜଳ ପରବତ ଆଉ ମେଘମାଳ

ଏ ତିନିଙ୍କୁ ଛାଡ଼ି ନୀଳ ବରନ ସକଳ ।

ଅଶୁଭ ଅଟଇ ଜାଣ ଆଗୋ ବରାନନେ

ମେଢ଼ ମଣ୍ତପ ଜଗତୀ ଦେଖିଲେ ସ୍ୱପନେ ।

ଯଶ ଆୟୁଷ ଶିରୀ ଯେ ହୁଅଇ ପ୍ରାପତ

ସ୍ୱପନେ ଯେବେ ଦେଖିବ ଧବଳ ପର୍ବତ ।

ଚନ୍ଦନରେ ବିଲେପନ ଅଙ୍ଗେ ଶ୍ୱେତପୃଷ୍ଠ

ସର୍ବାଙ୍ଗର ଆଭରଣ ଥିବ ଧଳାବାସ ।

ଏସନ ସ୍ୱପ୍ନ ଯଦ୍ୟପି ଦେଖିବ ସୁଦନ୍ତି

ସପ୍ତଦ୍ୱୀପା ପୃଥିବୀରେ ହେବ ଚକ୍ରବର୍ତ୍ତୀ ।

ଶ୍ୱେତହସ୍ତୀ ପରେ ଦେଖି ଗଳେ ପୁଷ୍ପମାଳ

ଜମ୍ବୁଦ୍ୱୀପ ମଧ୍ୟରେ ସେ ହେବ ମହୀପାଳ ।

ଶିରେ ଧବଳ କୁସୁମ ମଣ୍ତିଥିବ ଯେହୁ

ସପ୍ତଦ୍ୱୀପା ପୃଥିବୀରେ ରାଜା ହୋଇ ସେହୁ ।

ହସ୍ତୀର ଉପରେ ପୁଣି ଚଢ଼ିଥିବ ଯେବେ

ମୂର୍ଦ୍ଧା ଅଭିଷେକୀ ସେହି ହୋଇବଟି ଭବେ ।

ସ୍ୱପ୍ନରେ ଦେଖିବ ଯେବେ ହସ୍ତୀ ଦନ୍ତାଘାତ

ସମ୍ବତ୍ସର ମଧ୍ୟେ ତାର ହେବ ପୁତ୍ର ଜାତ ।

ସ୍ୱସ୍ନେ ହସ୍ତୀଥୋରେ ଯେବେ ହୋଇବ ବନ୍ଧନ

ଧନଧାନ୍ୟ ଲକ୍ଷ୍ମୀ ତାର ହେବେ ବର୍ଦ୍ଧମାନ ।

ସ୍ୱପନେ ହସ୍ତୀ ଯଦ୍ୟପି ପଛରେ ଗୋଡ଼ାଇ

ରଜନୀ ପାହିଲେ ନିଶ୍ଚେଁ ରାଜା ହେବ ସେହି ।

ଶ୍ୱେତଅଶ୍ୱ ଆରୋହି ଯେ ସୁଖରେ ଭ୍ରମଇ

ଦ୍ୱାଦଶ ଯୋଜନେ ସେହୁ ରାଜପଦ ପାଇ ।

ସ୍ୱପ୍ନେ ବାଲୁକା ଲିଙ୍ଗକୁ ଯେବେ ପୂଜୁଥିବ

ନବଯୁବା ନାରୀ ସେହୁ ନିଶ୍ଚୟ ପାଇବ ।

ସ୍ୱପ୍ନେ ଧବଳ ମଣ୍ତପ ଯେବେ ଦେଖିବଟି

କୁଟୁମ୍ବ ବଢ଼ିବେ ତାର ନିଶ୍ଚେଁ ଜାଣିବଟି ।

ସ୍ୱପ୍ନେ ନାବେ ବସି ଯେହୁ ପାରିହୁଏ ନଦୀ

ଶତ୍ରୁକ୍ଷୟ ଯାଇ ବର୍ଦ୍ଧମାନ ହୁଏ ବୁଦ୍ଧି ।

ସ୍ୱପ୍ନେ ସର୍ପ ଦଂଶିବଟି ଯେବେ ଦକ୍ଷକର

ଅବଶ୍ୟ ସୁନାବଳା ସେ ପାଇବ ସତ୍ୱର ।

ନଦୀ ବଢ଼ି ଯେବେ ଝଡ଼ି ପଡ଼ିବଟି ବୃକ୍ଷ

ସଂଗ୍ରାମେ ଯଶ ପ୍ରାପତ ହୋଇବ ପ୍ରତ୍ୟକ୍ଷ ।

ଗୋରସରେ ଅନ୍ନ ଯେବେ ଖାଇବ ସ୍ୱପନେ

ଅନ୍ନ ତାହାକୁ ମିଳଇ ଜାଣ ସବୁଦିନେ ।

ସ୍ୱପ୍ନେ ଗୋଦହନ ଯେହୁ କରେ ସମ୍ଭୁଆଳେ

ବସନ୍ତି ରାଜସଭାରେ ମନ୍ତ୍ରୀଙ୍କର ମେଳେ ।

ସ୍ୱପ୍ନେ ସ୍ତିରୀ ଯେବେଟିକି ଦେଶାନ୍ତରୀ ହେବ

ଷଡ଼ରସ ଭୋଜନ ସେ ଅବଶ୍ୟ ପାଇବ ।

ଦେବଆଳେ ହୁଏ ଯେବେ ପୁରାଣର ବାଣୀ

ଜୀବନ୍ତରେ ଅଇଶ୍ୱର୍ଯ୍ୟ ଭୋଗଇ ସେ ପ୍ରାଣୀ ।

ସ୍ୱପ୍ନରେ ଦେଖିବ ଯେବେ ନୃତ୍ୟଆଦି ଗୀତ

ଅନ୍ଧ ବଧିର ସେହୁ ସେ ହୋଇବ ନିୟତ ।

ସ୍ୱପ୍ନେ ରଜତବସ୍ତ୍ର ଯେ ଆଭରଣ ହ୍ୱନ୍ତି

ଶସ୍ତ୍ରାଘାତରେ ଶରୀରେ ପ୍ରାଭବ ପାଆନ୍ତି ।

ଗଳାରେ ମନ୍ଦାରମାଳା ହସ୍ତେ ଲୁହାବାଡ଼ି

ଦକ୍ଷିଣ ଦିଗେ ଗମଇ ମୈଷିପିଠି ଚଢ଼ି ।

ଏସନ ସଂଜାତ ଯେବେ ଦେଖିବ ସ୍ୱପନେ

ଅକାଳ ମରଣ ସେହୁ ଲଭେ କିଛିଦିନେ ।

ଗଧ ବାହନରେ ଯେହୁ ପଶ୍ଚିମେ ଗମନ୍ତି

ଶତ୍ରୁର ହସ୍ତରେ ସେହୁ ଛେଦନ ପାଆନ୍ତି ।

ଶୃଗାଳ ବାହନ ଯେହୁ ଦେଖଇ ସ୍ୱପନେ

ରାଜଦଣ୍ତ ଯୋଗେ ସେହୁ ପାଏ ପାଞ୍ଚଦିନେ ।

ସ୍ୱପନେ ଆଗରେ ଯାର ଉଡ଼ଇ ଶାଗୁଣା

ଲକ୍ଷ୍ମୀ ତୁଟଇ ତାହାର ଆୟୁ ହୁଏ ଊଣା ।

ସ୍ୱପ୍ନେ ନମସ୍କାର ଯେବେ କରି ଗୁରୁଜନ

ରାଜ୍ୟ ବିଯୋଗ ତାହାକୁ ପଡ଼ଇ ସେ ଦିନ ।

କାକ କୁମ୍ଭାଟୁଆ ଆଦି ସ୍ୱପ୍ନେ ରଟି ଆଗ

କଳାବସ୍ତ୍ର ପିନ୍ଧି ତେଳେ ଜରଜର ଅଙ୍ଗ ।

ଗଧ ମାର୍ଜ୍ଜାରୀ ଗୋଡ଼ାଇ ରଟନ୍ତି ଯା ସଙ୍ଗେ

ନିଶ୍ଚୟ ଅଶୁଭ ତାର ଘଟେ ନାନାରଙ୍ଗେ ।

ଭାରିଯା ବିଯୋଗ ହୁଏ ପୁଣି ସ୍ଥାନଭ୍ରଷ୍ଟ

ଅର୍ଥହାନି ହୁଏ ପୁଣି ପଡ଼େ ପୁତ୍ରକଷ୍ଟ ।

ସ୍ୱପନେ ଶୋଣିତ ଯେବେ ସୁଖେ ପାନକରି

ରକ୍ତସ୍ରାବ ବ୍ୟାଧି ହୋଇ ନିଶ୍ଚୟ ସେ ମରି ।

ମହୁ ମାଂସ ସ୍ୱପନରେ ଯେ କରେ ଭୋଜନ

ମୃତଶବ ଦହନ ଯେ କରେ ଶମଶାନ ।

ସ୍ୱପନେ ବ୍ୟାଘ୍ର ସରପ ବେଢ଼ନ୍ତି ଆସିଣ

ନୋହିଲେ ରକତ ଜଳେ ଯେ ହୁଏ ପତନ ।

ଏପରି ସ୍ୱପ୍ନ ଯଦ୍ୟପି ଦେଖିବଟି ପୁଣି

ଅବଶ୍ୟ ଉତ୍ପାତମାନ ଘଟଇ ତକ୍ଷଣି ।

ସ୍ୱପନ୍ନରେ ନାବ ଭାସଇ ଯଦ୍ୟପି ସଲିଳେ

ମତ୍ସ୍ୟ କଚ୍ଛପ ଧରିଣ ଗିଳୁଥାନ୍ତି ବଳେ ।

ଏପରି ସ୍ୱପନ ଯେଉଁ ପ୍ରାଣୀ ହାଦେ ଦେଖି

କାର୍ଯ୍ୟସିଦ୍ଧି ହୁଏ ତାର ପୁରାଣରେ ଲେଖି ।

ଦେବଯାତ୍ରା ତୀର୍ଥଯାତ୍ରା ସ୍ୱପ୍ନେ ଯେ ଦେଖନ୍ତି

ପିତୃଶ୍ରାଦ୍ଧେ ବ୍ରାହ୍ମଣ ଯେ ଭୋଜନ ଦିଅନ୍ତି ।

ସର୍ବମଙ୍ଗଳ ତାହାର ହୁଅଇ ନିଶ୍ଚୟ

ସତ୍ୟ ସତ୍ୟ ଏହି କଥା ନାହିଁଟି ସନ୍ଦେହ ।

ଯାହାର ଛାମୁରେ ସ୍ୱପ୍ନେ ବାଜେ ବୀରତୂର

ଅବଶ୍ୟ କର୍ଣ୍ଣ ତାହାର ହୁଅଇ ବଧିର ।

ମଲାଲୋକଙ୍କ ସଙ୍ଗରେ ସ୍ୱପ୍ନ ଯାର ଗୋଷ୍ଠି

ଯାବତୀୟ ଶୁଭକର୍ମ ତାର ହୁଏ ନଷ୍ଟି ।

ସ୍ୱପ୍ନେ ରତ୍ନ ଆଭରଣ ଯେ ପ୍ରାଣୀ ହୁଅନ୍ତି

ଦେହରେ କ୍ଲେଶ ଅନେକ କାଳ ଯାଏ ପାନ୍ତି ।

ମଣ୍ତଣି ଘୋଡ଼ା ଉପରେ ସ୍ୱପନେ ଯେ ଚଢ଼ି

ଅବଶ୍ୟ ବନ୍ଦିଘରେ ସେ ବନ୍ଧନରେ ପଡ଼ି ।

ସ୍ୱପନେ ଦେଖଇ ଯେହୁ ଷଡ଼ରସେ ଭୋଗ

ଅବଶ୍ୟ ଶରୀରେ ତାର ହୁଏ ଜ୍ୱରରୋଗ ।

ସ୍ୱପନରେ ଘରପୋଡ଼ି ଦେଖନ୍ତି ଯେ ନର

କୁଷ୍ଠବ୍ୟାଧି ସର୍ବାଙ୍ଗରେ ହୁଅଇ ତାହାର ।

ନୀଚଜନ ଆଚରଣ ସ୍ୱପ୍ନେ ଯେ କରନ୍ତି

ଗ୍ରହପୀଡ଼ା ଉପଦ୍ରବ ଅବଶ୍ୟ ଲଭନ୍ତି ।

ମେଷାରୁଢ଼ ରଜନୀରେ ଦେଖେ ଯେ ସ୍ୱପନେ

ବଜ୍ରବିଘାତ ତାହାର ଘଟେ ଅଷ୍ଟଦିନେ ।

ହସ୍ତେ ଶ୍ୱେତପଦ୍ମ ସ୍ୱର୍ଣ୍ଣ କଳସ ଯେ ଦେଖି

ମନୋବାଞ୍ଚ୍ଥା ସିଦ୍ଧ ତାର ହୁଏ ଚନ୍ଦ୍ରମୁଖି ।

କହନ୍ତେଣ ନ ସରଇ ସ୍ୱପନ ବେଭାର

ବେଦଶାସ୍ତ୍ର ବିହିତ ଯେ ଅପାରୁ ଅପାର ।

ବାତପିତ୍ତ ବ୍ୟାଧି ଯାର ପ୍ରବଳ ହୁଅଇ

ସ୍ୱପନ ଦେଖିଲେ ସେହୁ ବିଫଳ ଘଟଇ ।

ରତିଶ୍ରାନ୍ତେ ପଥଶ୍ରାନ୍ତେ ନିଦ୍ରିତ ଯେ ଥିବ

ତହିଁରେ ସ୍ୱପ୍ନ ଦେଖିଲେ କିଛି ନାହିଁ ଲାଭ ।

ବସ୍ତ୍ର ଫିଟିଥିବ ଯେବେ ଫିଟିଥିବ ବାଳ

ଉତ୍ତାନଶାୟୀରେ ତୁଣ୍ତୁ ଗଳୁଥିବ ଲାଳ ।

ଏସନ ସଞ୍ଜାତେ ଯେବେ ଦେଖିବ ସ୍ୱପନ

ଭଲମନ୍ଦ ବିବର୍ଜିତ ନାହିଁ ପାପ ପୁଣ୍ୟ ।

ମଦନାରତେ ନିଦ୍ରିତ ଭର୍ତ୍ତାଥିବ କୋଳ

ତହିଁ ସ୍ୱପନ ଦେଖିଲେ ନାହିଁ ଫଳାଫଳ ।

କ୍ଷୁଧା ତୃଷା ନିଦ୍ରାରେ ଯେ ହୋଇଥିବ କ୍ଲାନ୍ତି

ନିଶ୍ଚେଷ୍ଟେ ସ୍ୱପ୍ନ ଦେଖିଲେ ନାହିଁ ଫଳଶ୍ରୁତି ।

ସ୍ୱପ୍ନ ଦେଖିଣ ସଚେତେ ଉଠିଣ ବସିବ

ପିନ୍ଧିଲା ବସନ ଗୋଟି ପାଲଟି ରଖିବ ।

ଆନ ବସନ ଗୋଟିଏ ପିନ୍ଧିବ ସଜାଇ

ସ୍ୱପ୍ନ ବିଷୟ ଭାବିବ ଶୁଚିବନ୍ତ ହୋଇ ।

ବାଳ ଆଣ୍ଟରେ ବାନ୍ଧିବ ପୋଛି ବସ୍ତ୍ର କାୟେ

ଉଜାଗର ହୋଇବ ଯେ ରାତ୍ରଶେଷ ଯାଏ ।

ମଳ ମୂତ୍ର ଶଙ୍କା ଗୋଟି ନ ଥିବ ହୃଦରେ

ସ୍ଥାନ ଛଡ଼ା ନ ହୋଇଣ ଶୋଇ ଶଯ୍ୟାପରେ ।

ବାସି ଶେଯରେ କଦାପି ନ କରି ଶୟନ

ଆନ ବସନ ପାତିଣ ହେବ ଏକମନ ।

ରଜନୀ ପ୍ରଭାତକାଳୁଁ ନିତ୍ୟକର୍ମ ସାରି

ଦେବତା ଛାମୁରେ ସବୁ କହିବ ବିସ୍ତାରି ।

ନୋହିଲେ ଦେଖି ପଣ୍ତିତ ସୁବିଜ୍ଞ ବ୍ରାହ୍ମଣ

ତାଙ୍କୁ ଛାମୁରେ କହିବ ସ୍ୱପ୍ନ କଥାମାନ ।

ନୋହିଲେ ଯାଇଣ ଜଣ ଭିତରେଣ ପଶି

ଶୁଚିମନ୍ତ ହୋଇ ସ୍ୱପ୍ନ କଥାମାନ ଘୋଷି ।

ଏପରି ଅଟଇ ମାଗୋ ସ୍ୱପନର ବିଧି

ତେବେ ଯାଇ ହୁଏ ତାର ନିଶ୍ଚେ କାର୍ଯ୍ୟସିଦ୍ଧି ।

ଅଶୁଭ ସ୍ୱପ୍ନ ଦେଖିଲେ ଉଠି ନିଦ୍ରାଯିବ

ଯେତେକ କଥା ଦେଖିବ ସବୁ ପାସୋରିବ ।

ଅଥବା ମନରେ ଥାଇ କି ଅବା ନ ଥାଉ

ସେ କଥାରେ ମନଗୋଟି ନ ଦେବଟି ଆଉ ।

ଆତ୍ମାରେ ଚିନ୍ତିବ ମଧୁସୂଦନ ଦେବଙ୍କୁ

ସ୍ୱପନରେ ବାଧା ନ ଲାଗିବଟି ତାହାକୁ ।

ଶୁଭ ସ୍ୱପନ ଦେଖିଲେ ତୁମ୍ଭେ ଆଗେ ମାଏ

ଏ ତୋହର ଗ୍ରହରିଷ୍ଟ ଗଲା ସବୁ କ୍ଷୟେ ।

ଆବର କଥାଏ ମୋତେ ହୋଇଲାକ ଦୃଶ୍ୟ

ଶୁଣିଲେ ହୋଇବୁ ତୁହି ଅନେକ ସନ୍ତୋଷ ।

ତୋହର ପୁତ୍ରକୁ ମାଗୋ ଶମ୍ବର ହରିଲା

ମାଟି ମଞ୍ଜୁଷାରେ ଭରି ଜଳରେ ଫିଙ୍ଗିଲା ।

ଆଧାର ମଣିଣ ମୀନ ଗିଳେ ତାକୁ ଧରି

କୈବର୍ତ୍ତ ଜାଲେ ପଡ଼ନ୍ତେ ଆଣିଲା ସେ ଧରି ।

ଭେଟି କରିଲା ନେଇଣ ଶମ୍ବର ରାଜାକୁ

ରାନ୍ଧିବା ପାଇଁକି ତାହା ଦେଲା ସେ ରାଣୀକୁ ।

ମାୟାବତୀ ରାଣୀ ନେଇ ତାହାକୁ କାଟନ୍ତେ

ପୁତ୍ର ଏକ ପାଇଲେକ ତହୁଁ ଅକସ୍ମାତେ ।

ଦିନକୁ ଦିନ ବଢ଼ିଲା ତୋହର ନନ୍ଦନ

ପୂର୍ବହେତୁ କରାଇଣ ଦେଲା ସୁମରଣ ।

ରତି କାମଦେବ ବେନି ହେଲେ ଏକସଙ୍ଗ

ଦେଖି ପଡ଼ିହାରୀମାନେ ପାଇଲେ ବୈରାଗ ।

ରତି କନ୍ଦର୍ପର କଥା କହି ରାଜା ଆଗେ

ରାଜା ଶୁଣି ଆଜ୍ଞାଦେଲା ତହୁଁ ଅତିରାଗେ ।

ପୁତ୍ରଙ୍କୁ ବୋଇଲା ମୀନକେତନକୁ ମାର

ପାତ୍ର ମନ୍ତ୍ରୀ ବେଢ଼ିକରି କରିଲେ ସମର ।

ପରିଘାଇ ସମର ସେ କରିଲେ ବହୁତ

ଶେଷେ ତୋର ପୁତ୍ର କରେ ହେଲେ ସବୁ ହତ ।

ଜନପ୍ରଜା ଆଦିକରି ଜଣେ ନ ରହିଲେ

ଶମ୍ବରର ଘରଦ୍ୱାର ସବୁ ପୋଡ଼ିଦେଲେ ।

ମନମଥ ରତି ତହୁଁ ଦିବ୍ୟରଥେ ବସି

ଏକ୍ଷଣି ପ୍ରବେଶ ସେହୁ ହୋଇବେକ ଆସି ।

ବ୍ୟାସଙ୍କର ବଦନରୁ ଶୁଣି ଏହି ବାଣୀ

ପରମ ସାନନ୍ଦ ହେଲେ ତହୁଁ ସେ ରୁକ୍ମିଣୀ ।

ରୁକ୍ମିଣୀ ସଙ୍ଗର ଯେତେ ପରିବାରୀ ଥିଲେ

ଯେଝା ଅନୁରୂପେ ସର୍ବେ ଆନନ୍ଦିତା ହେଲେ ।

ପରମ ସାନନ୍ଦ ହୋଇ ସମସ୍ତ କାମିନୀ

ସ୍ତୁତି କରିଲେ ବ୍ୟାସଙ୍କ ଚରଣରେ ପୁଣି ।

ଏମନ୍ତ ସମୟେ ବାମନୟନ ସ୍ଫୁରିଲା

ଅକସ୍ମାତ ଶଙ୍ଖଚିଲ ଆଗେ ଦେଖାଦେଲା ।

ଅଦ୍ଭୁତେ ଶୁଭିଲା ଶଙ୍ଖ ମଙ୍ଗଳ ମହୁରୀ

ସୂର୍ଯ୍ୟଦେବ ବିକାଶିଲେ ତେଜପୁଞ୍ଜ ଧରି ।

ସ୍ତୁତି କଲ୍ୟାଣ ଶବଦ ଶୁଭେ ବେଦଧ୍ୱନି

ବୃହତସାମ ଗାୟନ କଲେ ବ୍ୟାସମୁନି ।

ଏକାଳେ ମୀନକେତନ ପ୍ରବେଶିଲେ ଯାଇ

ଗଗନମାର୍ଗରୁ ରଥ ଧୀରେ ଧୀରେ ବାହି ।

ଚନ୍ଦ୍ରମଣ୍ତଳ ପରାୟେ ଦିଶଇ ସେ ଯାନ

ଶୂନ୍ୟୁ ଖସି ଦ୍ୱାରକାକୁ କରଇ ଗମନ ।

ମୀନକେତନ କହିଲେ ସାରଥିକି ଚାହିଁ

ରୁକ୍ମିଣୀଦେବୀ ମନ୍ଦିରେ ରଥ ବାହି ।

ଶୁଣିଣ ସାରଥି ବେଗେ ଅଶ୍ୱଙ୍କୁ ଆଉଁଷି

ନକ୍ଷତ୍ର ଛିଡ଼ିଲା ପ୍ରାୟେ ରଥ ପଡ଼େ ଖସି ।

ସୁବର୍ଣ୍ଣ ଘଣ୍ଟି ଘାଗୁଡ଼ି ବାଜେ ରୁଣ ଝୁଣ

ତେଜ ବିକାଶଇ ଯେହ୍ନେ ଆଦିତ୍ୟ କିରଣ ।

ଗଗନ ମାର୍ଗରୁ ରଥ ଆସି ଭୂମିଭାଗେ

ପ୍ରବେଶ ହୋଇଲା ଯାଇ ରୁକ୍ମିଣୀଙ୍କ ଆଗେ ।

ସର୍ବେ ଚାହିଁଛନ୍ତି ମନେ ମଣି ଚମତ୍କାର

ମାତାଙ୍କ ପାଶରେ ଯାଇ ମିଳିଲା କୁମର ।

ରୁକ୍ମିଣୀ ମୁଖକୁ ଚାହିଁ ବ୍ୟାସ ତପୋବନ୍ତ

ବୋଇଲେ ସ୍ୱପ୍ନର କଥା ଦେଖ ହେଲା ସତ ।

ଏହି ଅଟେ ତୁମ୍ଭ ନିଜ କୁମର ମନ୍ମଥ

ଗୁପତରେ ଥିଲା ଆସି ହେଲା ଉପଗତ ।

ଏହାର ପାରୁଶେ ଅଛି ଯେଉଁ ମହାସତୀ

ସେ ତୁମ୍ଭର କୁଳବଧୂ ନାମ ଅଟେ ରତି ।

ତିନି ମନୁ ପରିଯନ୍ତେ କଲା ଘୋରତପ

ଏହାର ଉପାୟ ବଳେ ବର୍ତ୍ତିଲା କନ୍ଦର୍ପ ।

ଆବର ୟା ଗର୍ଭୁଜାତ ଅନିରୁଦ୍ଧ ହେବ

ଦ୍ୱାପରେ ଚତୁର୍ଦ୍ଧାରୂପ ଧରିବେ ମାଧବ ।

ଶୁଣିଣ ରୁକ୍ମିଣୀଦେବୀ ହେଲେ କୃତକୃତ୍ୟ

ଆନନ୍ଦେ ଅଶ୍ରୁ ଗଳଇ ପୁଲକଇ ଗାତ୍ର ।

ଉଲ୍ଲସଇ ରୋମାବଳି କଣ୍ଠ ଗଦଗଦ

ଅତି ହରଷରେ ମୁଖୁ ନ ଆସଇ ପଦ ।

ଇଦଂ ପ୍ରତିବାକ୍ୟ ନୃପେ ଶୁକମୁନି କହି

ସାବଧାନ ହୋଇ ଶୁଣ କୃତପୁଣ୍ୟ ଦେହୀ ।

ରତି କାମଦେବ ରଥୁ ଓହ୍ଲାଇଣ ବେଗେ

ପ୍ରବେଶ ବୋଇଲେ ଯାଇ ରୁକ୍ମିଣୀର ଆଗେ ।

ବ୍ୟାସଙ୍କ ପାଦରେ ଆଗ ନମସ୍କାର କଲେ

ଷଡ଼ାର୍ଘ୍ୟରେ ପୂଜାକରି ଅନେକ ବନ୍ଦିଲେ ।

ତଦନ୍ତେ ରୁକ୍ମିଣୀ ପାଦେ ଓଳିଗିଲେ ଆସି

ଚରଣରୁ ଧୂଳିନେଇ ମସ୍ତକେ ନିବେଶି ।

ପୁତ୍ର ପୁତ୍ରବଧୂ ଦେଖି ହରଷେ ରୁକ୍ମିଣୀ

କଲ୍ୟାଣ କରନ୍ତି ମନେ ପୂର୍ବକଥା ଗୁଣି ।

ରୁକ୍ମିଣୀଙ୍କ ସଙ୍ଗେ ଯେତେ ପରିବାରୀ ଥିଲେ

ଯେଝା ଅନୁରୂପେ ତାଙ୍କୁ ସର୍ବେମାନ୍ୟ କଲେ ।

ଆନନ୍ଦ ହୋଇଲେ ଦେଖି ସକଳ କାମିନୀ

ସ୍ୱସ୍ତି କଲ୍ୟାଣ କରନ୍ତି ବ୍ୟାସ ମହାମୁନି ।

ସୁଲଳିତ ବାକ୍ୟରେ ସେ କଲେ ଜୟ ଜୟ

ଦ୍ୱାରକା ଭୁବନେ ହେଲେ ପ୍ରଦ୍ୟୁମ୍ନ ଉଦୟ ।

ରୁକ୍ମିଣୀଦେବୀ ହରଷ କହିତ କେ ପାରି

ଆନନ୍ଦେ ଉତ୍କଣ୍ଠାମନା ହେଲେ ସେ ଚତୁରୀ ।

ଦରିଦ୍ରକୁ ପ୍ରାପ୍ତ କିବା ହେଲା କୋଟି ଧନ

କୋଟି ଜନ୍ମର ଅନ୍ଧ କି ପାଇଲା ଲୋଚନ ।

ବୁଭୁକ୍ଷିତେ ଷଡ଼ରସ ଭୋଜନ କି ମିଳି

ପୁତ୍ରବଧୂ କୋଳେ ଧରି ଭୀଷ୍ମକ ଦୁଲାଳୀ ।

ଦେବକୀ ଆଦି କରିଣ ପାଇ ସେ ବାରତା

ଧାମନ୍ତି ଦେଖିବା ପାଇଁ ହୋଇ ଉତ୍କଣ୍ଠିତା ।

ରାମ କୃଷ୍ଣ ଆଗେ ଦୂତେ ବାରତା କହିଲେ

ଭୋ ଦେବ ରତି କନ୍ଦର୍ପ ଦ୍ଵାରକା ଅଇଲେ ।

ରୁକ୍ମିଣୀ ଛାମୁରେ ଆସି ହୋଇଲେ ପ୍ରବେଶ

ଶୁଣି ସାନନ୍ଦ ଯେ ବଳଦେବ ହୃଷୀକେଶ ।

ଅନାଧୃଷ୍ଟ ଉଗ୍ରସେନ ସାତ୍ୟକି ଅକ୍ରୂର

ଉଦ୍ଧବ ଯେ ଶକ୍ରାଜିତ କୃପ ବ୍ରହ୍ମାବୀର ।

ସାତବଂଶ ଯାଦବ ଯେ ଚୌରାଅଶୀ ବଳ

ଯେଝା ଅନୁରୂପ ସଜ ହୋଇଲେ ସକଳ   

ମୀନକେତନ ସମୀପେ ଯାଇ ସର୍ବେ ମିଳି

ସୁଲଳିତ ମହୁରୀ ଯେ ଶୁଭେ ହୁଳ ହୁଳି ।

ରତି ସହିତରେ ମୀନକେତନ କୁମର

ହରି ବଳରାମ ପାଦେ କରି ନମସ୍କାର ।

ବସୁଦେବ ଉଗ୍ରସେନ ଯଦୁବଳ ଯେତେ

ଜଣେ ଜଣେ ମାନ୍ୟବିଧି କଲେ ଯେଝାମତେ ।

ଦ୍ଵାରକାପୁରରେ ଯେତେ ଥିଲେ ନରନାରୀ

ବାରତା ପାଇ ସାନନ୍ଦ ହେଲେ ଯେ ଯାହାରି ।

ଏକର ଆଗରେ କହି କୋମଳରେ ବାଣୀ

ବୋଲନ୍ତି ଅଇଲେ ତବ ପୁତ୍ର ଚୂଡ଼ାମଣି ।

ଏବେ ଏ ଦ୍ଵାରକାପୁର ପାଇବଟି ଶୋଭା

ଦ୍ଵିତୀ ନାରାୟଣ ତବ ପୁତ୍ର ନବଯୁବା ।

ସମୟେ ଶମ୍ବର ରାଜା ନେଇଥିଲା ଧରି

କେବଣ ପ୍ରକାରେ ତହୁଁ ଅଇଲେ ଉବୁରି ।

କେହୁ ବୋଲନ୍ତି ଆମ୍ଭେ ଯେ ପାଇଲୁ ବାରତା

ଶମ୍ବର ପୁରଯାକ ଗୋ କଲେ ଭସ୍ମୀଭୂତା ।

କେହୁ ବୋଲନ୍ତି ଏ ଜଗଦ୍‌ବନ୍ଦନ ପୁରୁଷ

ପୃଥ୍ୱୀଭାରାଭର ଏହି କରିବ ବିନାଶ ।

ଶ୍ରୀକୃଷ୍ଣଚନ୍ଦ୍ର ଯା ପିତା ଲକ୍ଷ୍ମୀ ଯାର ମାତା

କୁମର ଚୂଡ଼ାମଣି ଯେ କୋଟି ପୃଥ୍ଵୀଜିତା ।

ଏତେ ବୋଲି ଯଦୁଗଣେ ପରଶଂସା କରି

ଅନ୍ତଃପୁର ମଧ୍ୟେ ଯାଇ ଦେଖନ୍ତି ଯେଝାରି ।

ଦେବକୀ ଇନ୍ଦୁମତୀ ଯେ ସୁଭଦ୍ରା ରୁକ୍ମଣୀ

ସକଳ କାମିନୀମାନେ ମିଳି ଅର୍ଘ ଘେନି ।

ପଞ୍ଚରତନ ପୁରଇ ସୁବର୍ଣ୍ଣ ଥାଳିରେ

ହରଷେ ଅର୍ଘ୍ୟ ନେଇଣ ବନ୍ଦାଇଲେ ଶିରେ ।

ଧୂପ ଦୀପ ନଇବେଦ୍ୟ ପୂରାଇ ତଣ୍ଡୁଳ

କଦଳୀ ବୃନ୍ଦାହୁଳ ଯେ ନଟୀକାଳ ଫଳ ।

ମୃଗମଦର କସ୍ତୁରୀ ସର୍ବାଙ୍ଗରେ ଲେପି

ପୂର୍ଣ୍ଣକୁମ୍ଭରେ ଶ୍ରୀଫଳ ଚୂତଡାଳ ଥାପି ।

ଦ୍ଵାରେ ସୁବର୍ଣ୍ଣ ବେଦୀରେ ରମ୍ଭାତରୁ ପୋତି

ମେଲାକାଠେ ଲମ୍ବାଇଣ ତ୍ରୋଣା ଗଜମୋତି ।

ହାଟ ବାଟ ପହରିଣ ପିଚିକା ମାଇଲେ

ତଳେ ଶୁକଳ ବସନ ପାଏଡା ପାଡ଼ିଲେ ।

ସ୍ଵର୍ଣ୍ଣମୟ ଦ୍ଵାରକାରେ କରିଲେ ଉତ୍ସବ

କୋଟି ବାରସ୍ଵତୀ ତାକୁ ଅଟେ ଅସମ୍ଭବ ।

ଆଦିତ୍ୟ ସୋମ ମଙ୍ଗଳ ବୃହସ୍ପତି କରି

ଆସ୍ଥାନକୁ ଆବୋରିଣ ରହିଲେ ଯେଝାରୀ ।

ନାନା ଛନ୍ଦରେ ବାଜଣା ବାଜେ ଅପ୍ରମିତ

ଟଳମଳ ବସୁନ୍ଧରା ମହୀଖଣ୍ଡ ସାତ ।

ଏସନ ବାର୍ତ୍ତା ସ୍ଵର୍ଗରେ ପାଇ ସସ୍ରଯୋନି

ଐରାବତକୁ ଆରୋହି ବିଜୟେ ତକ୍ଷଣି ।

ଚୌରାଅଶୀ କୋଟି ବିଦ୍ୟାଧର ସଙ୍ଗେ ଧରି

ରବି ସୋମ ବୃହସ୍ପତି ବୁଧ ଆଦିକରି ।

ଶୁକ୍ର ଶନିଶ୍ଚର ରାହୁ ଚନ୍ଦ୍ର କେତୁ ମୂଳେ

ଦିଗପାଳ ଦେବତାଏ ଅଛନ୍ତି ସକଳେ ।

କିନ୍ନରୀ ଅଷ୍ଟବସୁ ଯେ ଆଉ ବିଶ୍ଵେଦେବା

ଯମ କୁବେର ନୈର୍ଋତ ଆଦି ବୃଦ୍ଧାଶ୍ରବା ।

ସକଳ ସନାତନ ଯେ ନାରଦ ମହର୍ଷି

ଗଉତମ ଭରଦ୍ଵାଜ ବିଶ୍ଵାମିତ୍ର ଋଷି ।

ପବନ ବଇଶ୍ୱାନର ଭାରଗବ ଯତି

ଅଙ୍ଗିରସ ଅଗସ୍ତି ଯେ ଆବର ପୌଲିସ୍ତି ।

ମରୀଚି ଅଷ୍ଟବକ୍ରାଦି ଶାୟନ୍ତନୁ ମୁନି

ସୂତ ପୌରାଣିକ ବିଭାଣ୍ଡକ ଆଦି ଘେନି ।

କପିଳ କାଳିଞ୍ଜନ ଯେ ଦୁର୍ବାସା ମହର୍ଷି

ଜୈମିନି ବଶିଷ୍ଠ ବଇଶମ୍ପାୟନ ଋଷି ।

ବାଲମୀକ ବୃହଦ୍ଧ୍ଵଜ ବାଳ ବ୍ରହ୍ମଚାରୀ

ସମସ୍ତ ଋଷିମାନେ ଯେ ଅଇଲେ ଯେଝାରି ।

ଦେବଋଷି ରାଜଋଷି ଆଉ ବ୍ରହ୍ମଋଷି

ସାମଗାୟନ କରିଣ ମିଳିଲେକ ଆସି ।

କୁଶବଟୁ ପୁରେ ବାର୍ତ୍ତ ପାଇ ବେଦପତି

ହଂସାରୁଢ଼ ହୋଇ ସେହୁ ମିଳି ଶୀଘ୍ରଗତି ।

ବାର୍ତ୍ତାପାଇ ରୁଦ୍ରଗଣ ଅଇଲେ ସତ୍ଵରେ

ଅନେକ ବ୍ରହ୍ମଋଷିଏ ଅଛନ୍ତି ସଙ୍ଗରେ ।

ଅନନ୍ତ କୋଟି ବୈଷ୍ଣବୀ ଅଶେଷ ଚାମୁଣ୍ଡା

ଦ୍ଵାରକାପୁରେ ମିଳିଲେ ଆସି ଉଗ୍ରଚଣ୍ଡା ।

ସର୍ବ ଅନୁରୂପେ ମାନ୍ୟ କଲେ ଦେବରାୟେ

ସୁଧର୍ମା ସଭାରୁ ବଳି ସଭା ଗୋଟା କିଏ ।

ମୀନକେତନର ରୂପ ଦେଖିବା ବିଚାରି

ଦ୍ଵାରକା ଭୁବନେ ଆସି ସର୍ବେ ବିଜେକରି ।

ଅପୂର୍ବ ରୂପ ଦେଖିଣ ତହିଁ ହେଲେ ତୋଷି

ଲାବଣ୍ୟ ଗୁଣନିଧି ସେ ଅଟେ ରୂପରାଶି ।

ପ୍ରତ୍ୟକ୍ଷରେ କାମଦେବ ଯହିଁ ପରକାଶ

ରୂପ ଦେଖିବା ମାତ୍ରକେ ସର୍ବେ ହେଲେ ବଶ ।

ବ୍ରହ୍ମାଏ ବୋଇଲେ ଦେବ ଶୁଣ ହୃଷୀକେଶି

ପୁତ୍ରର ନାମକରଣ ଏବେ ହୋ ଦିଅସି ।

ଜନ୍ମ ହୋଇବା ମାତ୍ରକେ ସମ୍ବର ହରିଲା

ସମ୍ବରକୁ ସମରରେ ଏହୁ ନାଶ କଲା ।

ଭୋ ଦେବ ଶାସ୍ତ୍ର ପ୍ରମାଣେ ଏସନକ ଅଛି

ବିଚାରି ନାମକରଣ ଦିଅ ଏବେ ବାଛି ।

ବ୍ରହ୍ମା ବାକ୍ୟରେ ବୋଲନ୍ତି ଶ୍ରୀମତୀରମଣ

ବିଚାରି ନାମକରଣ ଦିଅ ହେ ଆପଣ ।

ଏମନ୍ତ ବିଚାରି ଆରୋହଣ କଲେ ଦୋଳି

ଶ୍ରୀକରେ ପଞ୍ଚାଇ ବଳଦେବ ବନମାଳୀ ।

ବ୍ରହ୍ମା ରୁଦ୍ର ସହିତରେ ଗନ୍ଧର୍ବ ବାସବ

ବେନିଧାଡ଼ି ପଟୁଆରେ ଉଭାହୋଇ ସର୍ବ ।

ଶଚୀ ଆଦି ସହିତରେ ଗନ୍ଧରବ ନାରୀ

ଅର୍ଘ୍ୟ ଘେନିଣ ହସ୍ତରେ ସକଳେ ଉଭାରି ।

ଦେବକୀ ଇନ୍ଦୁମତୀ ଯେ ସୁଭଦ୍ରା ରୁକ୍ମିଣୀ

ଶ୍ରୀକୃଷ୍ଣଙ୍କ ମନୋହାରୀ ଯାଦବ କାମିନୀ ।

ଦେବାଙ୍ଗ ବସନ ପିନ୍ଧି ଅର୍ଘ୍ୟ ଘେନି କରେ

ଆନନ୍ଦେ ଉଭା ହୋଇଲେ ହାନ୍ଦୋଳା ପାଖରେ ।

ଦେବ ଦୁନ୍ଦୁଭି ବାଇଦ ବାଜେ ଶଙ୍ଖଧ୍ଵନି

ସାମବେଦକୁ ପଢ଼ନ୍ତି ମିଳି ସର୍ବ ମୁନି ।

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଜ୍ୟେଷ୍ଠ ନକ୍ଷତ୍ରର

ଆବର ଅଟଇ ସେହି ଦିନ ଚନ୍ଦ୍ରବାର ।

କୌସ୍ତୁଭ ନାମେ କରଣ ଇନ୍ଦ୍ରନାମେ ଯୋଗ

ମିଥୁନକୁ ପଞ୍ଚବିଂଶ ଦିନ ପୁଣି ଭୋଗ ।

ରାତ୍ର ପ୍ରଥମ ଦଣ୍ଡରେ ଅସ୍ତ ସନ୍ଧ୍ୟାବେଳେ

କେଉଁ ନାମ ଦେବ ବୋଲି ଭାଳନ୍ତି ସକଳେ ।

ବ୍ରହ୍ମା ବୋଇଲେ ପଦ୍ମିନୀ ଗର୍ଭୁ ହେଲା ଜାତ

ପଦ୍ମନ ବୋଲିଣ ନାମ ହୋଇବ ବିଖ୍ୟାତ ।

ହସ୍ତେ ପଦ୍ମ ପାଦେ ପଦ୍ମ ପୁରୁଷ ଉତ୍ତମ

ସର୍ବ ମନୁ ଜାତହୋଇ ମନସିଜ ନାମ ।

ଏ ପୁତ୍ରର ଅଙ୍ଗ ଯେଣୁ ବ୍ରହ୍ମା ବିଷ୍ଣୁ ଶିବ

ଦେବଗଣ ମଧ୍ୟେ ଇଷ୍ଟ ନାମ କାମଦେବ ।

ଚରାଚର ପ୍ରାଣୀଙ୍କର ଦର୍ପ ହରେ ଏକା

କନ୍ଦର୍ପ ବୋଲିଣ ନାମ ହେବ ତେଣୁ ଲେଖା ।

ସମସ୍ତଙ୍କ ମନ ମନ୍ଥି ପାରେ ଏହୁ ସୁତ

ତେଣୁ ଯେ ଏହାର ନାମ ହୋଇବ ମନ୍ମଥ ।

ଏତେ କହି ହଂସାରୁଢ଼େ ବିଧାତା ଚଳିଲେ

ଦେବଦେବୀମାନେ ତହୁଁ ନିଜପୁର ଗଲେ ।

ବସୁଦେବ ଉଗ୍ରସେନ ପଦ୍ମନକୁ ଘେନି

ଭିତରକୁ ବିଜେ କଲେ ଆନନ୍ଦିତେ ପୁଣି ।

କରେ ଅର୍ଘ୍ୟଥାଳି ଘେନି ସକଳ ନାରୀଏ

ପଦ୍ମନ ଶିରେ ବନ୍ଦାଣ କରନ୍ତି ଉତ୍ସାହେ ।

ସୁଲଳିତ ହୁଳହୁଳି ଦେଇ ଗାଇ ଗୀତ

ଦ୍ଵାରକାପୁର ଭିତରେ ଉତ୍ସବ ବହୁତ ।

ଶୁକମୁନି ବୋଇଲେ ହୋ ଶୁଣ ମହାରାୟେ

ଭାଗବତ ପୁରାଣ ଏ ଅତି ପୁଣ୍ୟମୟେ ।

ନିତ୍ୟକର୍ମ ଶେଷକରି ରାମ ନରହରି

ପଦ୍ମନକୁ ସଙ୍ଗେ ଘେନି ମଣୋହି ସେ କରି ।

ବସୁଦେବ ଉଗ୍ରସେନ ବଳରାମ ତୁଲେ

ଉଦ୍ଧବ ଅନାଧୃଷ୍ଟ ସେ ସାତ୍ୟକିର ମେଳେ ।

ସମସ୍ତେ ଷଡ଼ରସକୁ ଭୁଞ୍ଜି ତୋଷମନ

ଆନନ୍ଦେ ଉତ୍ସବମାନ କରନ୍ତି ସେ ପୁଣ ।

ଉଭୟ କୁଳ ମଣ୍ଡଣି କାମର ଘରଣୀ

ପରମାସୁନ୍ଦରୀ ସେହୁ ଯୁବା ସୁଲକ୍ଷଣୀ ।

ତିନି ମନୁର ଅନ୍ତରେ ପାଇ ନିଜ ପତି

ନିମିଷେକ ଜ୍ଞାନକରେ ସେ ଦିବସ ରାତି ।

ଆଗରୁ ବେନିମାସ ତା ହୋଇଛି ଉଦର

ଦିନୁ ଦିନୁ ବର୍ଦ୍ଧମାନ ହୋଏ କଳେବର ।

ଗର୍ଭବାସ ସ୍ତିରୀଙ୍କର ଯେହ୍ନେ ପୂର୍ବ ବିଧି

ମାସକୁ ମାସ ଉତ୍ସବ କରନ୍ତି ଯେ ସିଦ୍ଧି ।

କ୍ରମେ କ୍ରମେ ଦଶମାସ ହୁଅନ୍ତେ ସମ୍ପୂର୍ଣ୍ଣ

ମାହେନ୍ଦ୍ର ଯୋଗରେ ଅନିରୁଦ୍ଧ ହେଲେ ଜନ୍ମ ।

ମକର ମାସ ଶୁକଳପକ୍ଷ ଅର୍କବାର

ଦ୍ଵିଜା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ମକରେ ଆଦିତ୍ୟ ପୁଣ ମେଷେ ଛନ୍ତି ମିଶି

ଚୌଗ୍ରହ ଯୋଗ ହୋଇଛି ଏକଠାବେ ବସି ।

ବେଳ ପାଞ୍ଚଦଣ୍ଡେ ସୁତ କୁମ୍ଭଲଗ୍ନେ ଜାତ

କୋଷ୍ଠି କାଟିଲେ ଗାର୍ଗବ ନାମେ ପୁରୋହିତ ।

ପଦ୍ମନର ଭାରିଯା ଯେ ରତି ସଉଭାଗୀ

କୃଷ୍ଣ ବଳରାମ ସହ ସର୍ବେ ଥିଲେ ଜାଗି ।

ଦେବକୀ ଇନ୍ଦୁମତୀ ଯେ ରୁକ୍ମଣୀ ସୁନ୍ଦରୀ

ସୁଭଦ୍ରା ସହିତେ ଯେତେ କୃଷ୍ଣ ମନୋହାରୀ ।

ଯାଦବ କୁଳବଧୁଏ ଅନ୍ତୁଡି ସଜାଡ଼ି

ବିଧିମତେ କୁଳଚାରେ ପଦାର୍ଥକୁ ବାଢ଼ି ।

ଚତୁର୍ଦ୍ଧା ଅବତାର ସେ ପଦ୍ମନ କୁମର

ଦିନୁଁଦିନ ବର୍ଦ୍ଧମାନ ହୁଏ ତା ଶରୀର ।

ଏକୋଇଶ ଦିନେ ନାମକରଣ କରିଲେ

ଦୁର୍ବାସା ମହର୍ଷି ଅନିରୁଦ୍ଧ ନାମ ଦେଲେ ।

ଅନ୍ଥଃପୁରର ଭିତରେ ବଢ଼େ ପୁତ୍ରମଣି

ଶୁଣ ପରୀକ୍ଷିତ ରାଜା ଭଣି ଶୁକମୁନି ।

ଜୟ ତୁ ଦିନକର ହେ ପ୍ରଭୁ ନିରଞ୍ଜନ

ଅଶେଷ କୋଟି ବ୍ରହ୍ମାଣ୍ଡେ ପୂରିଛ କିରଣ ।

ସକଳ ପ୍ରାଣୀମାନଙ୍କ ଅଟୁ ମୋକ୍ଷଦାନୀ

ନିହନ୍ତା ବିହନ୍ତା ନାଥ କରୁ ଲାଭହାନି ।

ଏ ମହା ଘୋର ସଂସାର ଅଟେ ଅଗୋଚର

ଅଚ୍ୟୁତ ଦାସକୁ ନାଥ କରିବା ଉଦ୍ଧାର ।

 

ରେବତୀ ବିଭା

 

ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପମଣି

ଶୁକମୁନିଙ୍କ ପଚାରେ କୋମଳରେ ବାଣୀ ।

ହରିବଂଶ ପୁରାଣ ଏ ଅତି ପୁଣ୍ୟମୟେ

ପାପାଥି ମହାପାତକ ଶୁଣି ଯିବ କ୍ଷୟେ ।

ରୁକ୍ମିଣୀ ବିଭା ଶୁଣିଲି ଆହେ ତପଚାରି

ରେବତୀର ବିଭା ମୋତେ କହିବା ବିଚାରି ।

ସେ କଥା ଶୁଣିବା ପାଇଁ ବଳେ ମୋର ଶ୍ରଦ୍ଧା

ଖଣ୍ଡିବି ଦୁଷ୍କୃତମାନ ଅଙ୍ଗୁ ଯିବ ବାଧା ।

ଦ୍ଵାପରେ ମହାଭାରତ କରିବାର ପାଇଁ

ହରିହର ଜାତହେଲେ ରାମ କୃଷ୍ଣ ହୋଇ ।

ଲକ୍ଷ୍ମୀ ପାର୍ବତୀ ବେନି ଯେ ୟାଙ୍କ ପ୍ରିୟବତୀ

ଦ୍ଵାପରେ ରୂପ ହୋଇଲେ ରୁକ୍ମଣୀ ରେବତୀ ।

ରୁକ୍ମିଣୀ ଦେବୀ ପ୍ରତ୍ୟକ୍ଷେ ଅଟଇ ଚଞ୍ଚଳା

ରେବତୀ ଦେବୀ ପ୍ରତ୍ୟକ୍ଷେ ଅଟଇ ହିଙ୍ଗୁଳା ।

ଆଦ୍ୟହୁଁ ବିଧାତା ଅଛି ନିରିମାଣ କରି

ଏତେ ବୋଲି ପ୍ରଣିପାତ ହେଲେ ଦଣ୍ଡଧାରୀ ।

ରାଜାର ଅତି ନିର୍ମଳ ଜାଣିପାରି ଚିତ୍ତ

ପୁରାଣପୁସ୍ତକ ଫେଡି ବିଜ୍ଞ ତପୋବନ୍ତ ।

ବୋଇଲେକ ଶୁଣ ତୁମ୍ଭେ ଶୁଭଦ୍ରାର ନାତି

ଅତିଭାଗ୍ୟେ ଭାଗବତ ପୁରାଣର କୀର୍ତ୍ତି ।

ରାମାୟଣ ଗ୍ରନ୍ଥ ଆଦ୍ୟକାଣ୍ଡର ଚରିତ

ବଶିଷ୍ଠ ମୁଖରୁ ଯାହା ଶୁଣିଛୁ ଉଦନ୍ତ ।

ଆଦିବଂଶେ ଜନମିଲେ ଦେବ ନାରାୟଣ

ଆପଣା ଅଙ୍ଗକୁ ଆପେ କରିଲେ ନିର୍ମାଣ ।

ଗାୟତ୍ରୀ ନାମରେ ତହୁଁ କନ୍ୟା ହେଲା ଜାତ

ଆପଣା ଅଙ୍ଗରୁ ସ୍ଵାମୀ କରିଲେ ସମ୍ଭୂତ ।

କାଳ ନାମେ ନିଦ୍ରାକୁ ସେ କଲେ ଉତପତ୍ତି

ବେଦମାତା କପିଳା ଯେ ତହିଁତୁ ସମ୍ଭୂତି ।

କପିଳାର ତହୁଁ ଜାତ ହୋଇଲେ ନନ୍ଦିନୀ

ଦିନୁ ଦିନୁ ସ୍ନେହ ତାଙ୍କୁ କରନ୍ତି ଜନନୀ ।

ଈଶ୍ଵରଙ୍କର ବୃଷଭ କପିଳାସେ ଥିଲା

ତରିଯିବା ବେଳେ ନେତ୍ରେ ନନ୍ଦିନୀ ଦେଖିଲେ ।

ଉଭୟଙ୍କ ଅନୁମତେ ଏକସଙ୍ଗ ହେଲେ

ଗୋକର୍ଣ୍ଣ ମହର୍ଷି ତାଙ୍କଠାରୁ ଜନମିଲେ ।

ପ୍ରଚେତା ମୁନିଙ୍କ କନ୍ୟା ନାମେ ହୈମବତୀ

ତାହାକୁ ବିବାହ ହେଲେ ସେ ଗୋକର୍ଣ୍ଣ ଯତି ।

ବୈଦେୟ ନାମରେ ଋଷି ହେଲେ ତହୁଁ ଜାତ

ମନ୍ତ୍ରବଳେ ସାଧିଲେ ସେ ପୃଥ୍ଵୀ ନବସାତ ।

ବଡ଼ ବିଚକ୍ଷଣ ସେହୁ ଅଟେ ମହାଯତି

ଭୂତ ଭବିଷ୍ୟତ ବାର୍ତ୍ତା ଭଲେ ସେ ଜାଣନ୍ତି ।

ମୈଥିଳ ନାମରେ ଜାଣ ତାଙ୍କର ନନ୍ଦନ

ନବଖଣ୍ଡ ମେଦିନୀରେ ଅଧିକାର ପୁଣ ।

ସୂର୍ଯ୍ୟବଂଶେ ଜାତ ସୋମବଂଶ ନରପତି

ନବଦ୍ଵୀପ ଦାନ ଦେଲା ହୋଇ ତୋଷମତି ।

ରଥ ଗଜ ଅଶ୍ଵ ଧନ ଭଣ୍ଡାର ସହିତେ

ଦଣ୍ଡ ସିଂହାସନ ଛତ୍ର ରାଜବିଧି ଯେତେ ।

ସମସ୍ତ ପୃଥିବୀ ଦାନ ଘେନି ମୁନିବର

ଇନ୍ଦ୍ର ପରାୟେ ସମ୍ପଦ ପାଇ ଅଗୋଚର ।

ମିଥିଳା କଟକ ସେହୁ ଆପଣେ ଭିଆଇ

ସମୟେ ନୃପତି ହେଲା ଛତ୍ରାଦି ଧରାଇ ।

ମିଥିଳାର ପାଟବଂଶୀ ସ୍ତିରୀ ମାୟାବତୀ

ତାହାଙ୍କ ଗର୍ଭୁ ଜନ୍ମିଲେ ଖାଣ୍ଡିକ ସୁମତି ।

ସେହି ମିଥିଳା ନଗରେ ହେଲେ ମହାରାଜା

ସାଧନ୍ତି ଅଷ୍ଟାଙ୍ଗ ଯୋଗ ପାଳି ଜନ ପ୍ରଜା ।

ଅଚଳାଚଳ ସମ୍ପଦ ହୋଇଲା ତାହାରି

ଚତୁର୍ଦ୍ଦଶ ଲୋକେ ତାଙ୍କୁ ନାହିଁ ସମସରି ।

ଧର୍ମବନ୍ତ ତପୋବନ୍ତ ଗୁଣବନ୍ତ ବଳୀ

ବ୍ରହ୍ମଲୋକ ପରିଯନ୍ତେ ମହିମା ଉଗୁଳି ।

ଅଙ୍ଗୁଳି ନାମରେ ଭାର୍ଯ୍ୟା ଅଟେ ତାହାଙ୍କର

ଜନକ ରୈବତ ନାମେ ପୁତ୍ର ସେ ତାଙ୍କର ।

ଜନକ ପ୍ରତ୍ୟକ୍ଷେ ଜାଣ ଅଟନ୍ତି ଅନାଦି

ରେବତ ପୁତ୍ର ସାକ୍ଷାତେ ଅଟେ ଜମ୍ଭଭେଦୀ ।

ଖଣ୍ଡିକ ଋଷି ସମୟେ ଦେହ ତ୍ୟାଗ କଲେ

ପୁତ୍ରକୁ ରାଜ୍ୟ ଦେଇଣ ସ୍ଵର୍ଗକୁ ସେ ଗଲେ ।

ନବଦ୍ଵୀପ ମେଦିନୀକୁ ବାଣ୍ଟି ଦୁଇଭାଗେ

ଦୁଇପୁତ୍ରେ ରାଜା କଲେ ଅତ୍ୟନ୍ତ ସରାଗେ ।

ଜନକ ନାମେ ମହର୍ଷି ଅଟେ ଜ୍ୟେଷ୍ଠପୁତ୍ର

ମିଥିଳା କଟକେ ତାକୁ ଧରାଇଲେ ଛତ୍ର ।

ବଡ଼ାଇ ବିଚକ୍ଷଣ ତା ଗରିଷ୍ଠ ମହିମା

ମେରୁର ନିକଟେ ଜାଣ ଏହାଙ୍କର ସୀମା ।

ଅଷ୍ଟ ଅଇଶ୍ଵର୍ଯ୍ୟଭୋଗୀ ମହାଯୋଗଜ୍ଞାତା

ଅଷ୍ଟବିଧି ନାଟକର ଅଟେ ସେହୁ ବେତ୍ତା ।

ଅକ୍ଷୟ ଅଜରାମର ଅଟେ ତା ଶରୀର

କୋଟି କୋଟି କାମ ତାକୁ ନୁହେ ପଟାନ୍ତର ।

ଲକ୍ଷେ ପଞ୍ଚାଣୋଇସସ୍ର ଜନକରସୁତ

ସମସ୍ତେ ଧନବନ୍ତ ଯେ ମହାଶୂରବନ୍ତ ।

କୋଟିଏ ଲକ୍ଷ୍ମୀ ଖଟନ୍ତି ଯାହାଙ୍କର ବୋଲେ

ଦିବସେ ଗଣିତା ୟାକୁ କୋଟିଇନ୍ଦ୍ର ଗଲେ ।

କହନ୍ତେଣ ନ ସରଇ ଜନକର ଗୁଣ

କଳ୍ପକଳ୍ପାନ୍ତରେ ଯାର ନାହିଁଟି ମରଣ ।

ମିଥିଳା ନାମେ କଟକେ ହେଲା ସେହି ରାଜା

ଅତି ଆନନ୍ଦେ ଖଟିଲେ ସର୍ବ ଜନ ପ୍ରଜା  

ସମୟେକ ଯାଗକଲେ ସେହି ଦଣ୍ଡଧାରୀ

ତହୁଁ କନ୍ୟାଏ ଜନ୍ମିଲା ଅତି ସୁକୁମାରୀ ।

ରୂପ ଦେଖିଣ ସମସ୍ତେ ସନ୍ତୋଷ ହୋଇଲେ

ସୀତାବୋଲି ସେ କନ୍ୟାର ନାମ ଗୋଟି ଦେଲେ ।

ଜନକର ପଞ୍ଚଭୂତ ଆତ୍ମା ସେ କୁମାରୀ

ଅନେକ ଯତ୍ନେ ପାଳନ କଲେ ଦଣ୍ଡଧାରୀ ।

ଅଠର ମନୁ ବୟସୀ ବାଳୁତ ଯେ ଜେମା

ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ଅଟେ ସେହି ବାମା ।

ସ୍ନେହରେ ଜନକ ତାକୁ ନ କରନ୍ତି ବିଭା

ଖେଳଇ ବାଳୁତ କନ୍ୟା ନୋହି ନବଯୁବା ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ

ଭାଗବତ ପୁରାଣ ଏ ଅତି ପୁଣ୍ୟମୟେ ।

କନିଷ୍ଠ ପୁତ୍ର ରେବତୀ ନାମେ ଦଣ୍ଡଧାରୀ

ମେରୁ ପଶ୍ଚିମ ଭାଗର ହେଲେ ଅଧିକାରୀ ।

ମାହେନ୍ଦ୍ରଗିରି ନିକଟେ ରୈବତ ପର୍ବତ

ସେହିଠାରେ ମହାରାଜା ଧରେ ଦଣ୍ଡଛତ୍ର ।

ପଶ୍ଚିମ ସମୁଦ୍ର ଜିଣି ଅଟେ ସେହୁ ଭୂମି

ଧଇଲେକ ଦଣ୍ଡଛତ୍ର ଅଭିଷେକ ଘେନି ।

ଜନଙ୍କଠାରୁ ସେହି ଅଟଇ ସୁଦକ୍ଷ

ଅକ୍ଷୟ ଅଜରାମର ପୁଣି ରଣଦକ୍ଷ ।

ଧନବନ୍ତ ବଳବନ୍ତ ଧର୍ମଶୀଳ ସେହି

କଳ୍ପାକଳ୍ପାନ୍ତରେ ପରଂଯୋଗୀ ରୂପଧ୍ୟାୟି ।

ରାଜ୍ୟଭୋଗ କରଇ ସେ ହୋଇ ଜଗଜ୍ଜିତା

ଜନକ ଭାଇ ଯାହାର ଖାଣ୍ଡିକ ଯେ ପିତା ।

କ୍ଷତ୍ରୀବୃତ୍ତେ ନିପୁଣ ସେ ଅଟେ ମହୀପାଳ

ଏକା କେ ସାଧଇ ସେହୁ ସ୍ଵର୍ଗାଦି ପାତାଳ ।

ଶୁକବତୀ ନାମେ ତାର ଭାରିଯା ଅଟଇ

ସୁଲକ୍ଷଣୀ ନାରୀ ସେହୁ ତ୍ରିପୁର ମୋହଇ ।

ସର୍ବଗୁଣେ ସୁଲକ୍ଷଣ ତାହାର କୁମର

ସମସ୍ତେ ଖଟିଥାଆନ୍ତି ନୃପତି ପାଶର ।

ଯାଜନ ଯଜନ ଆଉ ଅଧ୍ୟାପନ ବିଧି

ଜଣେ ଜଣେ ପୁତ୍ରମାନେ କରି ସବୁ ବୁଦ୍ଧି ।

ରଥ ଗଜ ଅଶ୍ଵ ପଦାତିକ ଅପ୍ରମାଣ

ନିର୍ଘାତ ସଚିମୁନା ଯେ ଖଣ୍ଡା ବଜ୍ରବାଣ ।

ରୈବତ ନରପତି ଯେ ଜନକ ପଛରେ

ଯାଗ କରାଇଲେ ଗଙ୍ଗା ପଶ୍ଚିମ ପାଖରେ ।

ଯାଗ ଦେଖିବାକୁ ରାଜା ବରେ ଋଷିଗଣ

ସମସ୍ତେ ମୁନିମାନେ ଯେ କଲେ ଆଗମନ ।

ଆଚାର୍ଯ୍ୟ ବରଣ ହେଲେ ଦକ୍ଷପ୍ରଜାପତି

ମହାମନ୍ତ୍ର ପାଠକରି ଦିଅନ୍ତି ଆହୁତି ।

ତିଳତଣ୍ଡୁଳ ସମିଧ ଅନଳେ ପକାଇ

ବ୍ରହ୍ମଲୋକ ପରିଯନ୍ତେ ତେଜ ବିକାଶଇ ।

ସେ ଅଗ୍ନିରୁ କନ୍ୟା ଏକ ହୋଇଲା ସଂଜାତ

ପ୍ରତ୍ୟକ୍ଷେ ହିଙ୍ଗୁଳା ସେହୁ ଜାଣ ଆଦିମାତ ।

ସୁକୁମାରୀ ସୁଲକ୍ଷଣୀ ଭୁବନ ମୋହିନୀ

ନାହିଁ ପଟାନ୍ତର ତାକୁ ସମଗ୍ର ମେଦିନୀ ।

ରୈବତ ରାଜା ତାହାକୁ ସ୍ନେହରେ ପାଳିଲେ

ରେବତୀ ବୋଲିଣ ତାର ନାମ ସେ ରଖିଲେ ।

ବଡ଼ଇ ବିଚକ୍ଷଣା ସେ କନ୍ୟା ରୂପବତୀ

ରିଗ୍‌ବିଜେ କରିଲେ ତାକୁ ସଙ୍ଗରେ ନିଅନ୍ତି ।

ଭୋଜନ ଶୟନେ ରାଜା ଅତିସ୍ନେହ କରେ

ପ୍ରାଣରୁ ଅଧିକ କରି ପାଳେ ଯତନରେ ।

ଏସନ ପ୍ରକାରେ ବହୁଯୁଗ ବହିଯାଏ

ରେବତୀକୁ ପାଳନ୍ତି ସେ ରଇବତ ରାୟେ ।

ସମୟେକ ଦୁଇଭାଇ ହେଲେ ଭେଟାଭେଟି

ଦୁଇଙ୍କ କୋଳେ ଅଛନ୍ତି କନ୍ୟା ଦୁଇଗୋଟି ।

ଦୁଇଭାଇ ବିଚାର ଯେ କରନ୍ତି ଏସନ

ଦୁହିତାଙ୍କୁ କେଉଁ ଲୋକ କରିବା ପ୍ରଦାନ ।

ଅନଳୁଁ ସମ୍ଭୁତ ଏ ଯେ ଲକ୍ଷ୍ମୀ ଉମା ଘେନି

ନାହିଁ ପଟାନ୍ତର ୟାଙ୍କୁ ସମଗ୍ର ମେଦିନୀ ।

ଅନେକ କାଳ ହୋଇଲା ହେଲେ ଏ ଜନମ

ସମାନ ବରେନ ମିଳେ ଏହାଙ୍କ କରମ ।

ସ୍ତିରୀଏକ ହେଲେ ପୁଣି ପୁରୁଷେକ ଅଛି

ଜନମ ହୋଇଲେ ଜାଣ ମରଣ ଯେ ଗଚ୍ଛି ।

ରାତ୍ରେକ ହୋଇଲେ ପୁଣି ଦିବସେକ ହୋଇ

ପାପ ହୋଇଲେକ ପୁଣି ପୁଣ୍ୟେକ ଅଛଇ ।

ଆଗହୁଁ ବିଧାତା ଏହା ନିର୍ମାଣ କରିଛି

ଅବଶ୍ୟ କନ୍ୟା କାହାକୁ ଦେବା ନେଇ ଯାଚି ।

ଦେବେ ବାଳୁତ ଅଟନ୍ତି ଯୁବତୀ ନୁହନ୍ତି

ଯୁବତୀ ଦୁଷିତା ହେଲେ କୁଳ ନାଶଯାନ୍ତି ।

ଝିଅ ଘିଅ ବେଭାର ତ ସମ୍ଭାଳି ନୁହଇ

ନ ବିଚାରି କାର୍ଯ୍ୟ କଲେ ଆପେ ନାଶଯାଇ ।

କେତେକାଳ ଦୁହିତାଙ୍କୁ ସମ୍ଭାଳିଣ ଥିବା

ସମକଛେ ବର ଖୋଜି ୟାଙ୍କୁ ବିଭା ଦେବା ।

ଏସନ ବିଚାରି ଦୁହେଁ ଧାତାପାଶେ ଗଲେ

ବିନୟେ କର ଯୋଡ଼ିଣ ଏମନ୍ତ ବୋଇଲେ ।

ଭୋ ଦେବ ପିତା ତୁମ୍ଭେ ଏ ଜଗତ କରତା

ନିହନ୍ତା ବିହନ୍ତା ପୁଂସ ଅଟ ବିଶ୍ଵପିତା ।

ପ୍ରାଣୀଙ୍କ ବେଦନା ତୁମ୍ଭେ ଆପେ ଜାଣ ଭଲେ

ଅଘଟଣ ଘଟଣ ସେ ହୁଏ ତୁମ୍ଭ ବୋଲେ ।

ଆମ୍ଭର ଏ କନ୍ୟା ଦୁଇ ସୀତୟା ରେବତୀ

ଏହାଙ୍କ ସଦୃଶ ବର କେଉଁଠି ଅଛନ୍ତି ।

ବ୍ରହ୍ମା ବୋଇଲେ ଜନକ ରୈବତକୁ ଚାହିଁ

କୁମ୍ଭ ଦୁହିତାର ଯୋଗ୍ୟବର ଭବେନାହିଁ ।

ପ୍ରତ୍ୟକ୍ଷେ ଲକ୍ଷ୍ମୀ ପାର୍ବତୀ ଦେବୀ ଅବତାର

ଏହାଙ୍କ ଗର୍ଭରେ ଅଛି ବିଶ୍ଵ ଭାରାଭର ।

ଅନାଦି ଦେବୀ ଏହି ଯେ ତ୍ରିଦଶର ମାତ

ସାକ୍ଷାତରେ ଅନ୍ନପୂର୍ଣ୍ଣା ମୁକତିର ପଥ ।

ତୁମ୍ଭେ ଦୁହେଁ ନିସ୍ତରିଲ ଦୁହିତାଙ୍କ ଯୋଗେ

ଲେଉଟି ନିଜ ନବରେ ଯାଅ ଏବେ ବେଗେ ।

ଆଉ ଏହାଙ୍କ ନିମନ୍ତେ ଆରତ ଯେ ନୁହ

ଏ ତତ୍ତ୍ଵ ବାରତା ଆମ୍ଭଠାରୁ ଶୁଣି ଯାଅ ।

ସ୍ଵାୟମ୍ଭୁବ ମନୁ ଏକସ୍ତରୀ ଗଣ୍ଡାଯିବ

ତଦନ୍ତେ ସ୍ଵାରୋଚି ମନୁ ପ୍ରବେଶ ହୋଇବ ।

ବୈବସ୍ଵତ ମନୁ ଏକସ୍ତରୀ ଗଣ୍ଡା ଅନ୍ତେ

ନାରାୟଣ ଅବତାର ଏ ମଞ୍ଚ ଜଗତେ ।

ବଇକୁଣ୍ଠ ପୁର ତେଜି ଦେବ ନାରାୟଣ

ସୂର୍ଯ୍ୟବଂଶେ ଅବତାର ହୋଇବେକ ପୁଣ ।

ଦଶରଥ ରାଜା ପୁତ୍ର ରାମଚନ୍ଦ୍ର ରୂପେ

ଅଯୋଧ୍ୟାରେ ଜାତ ହେବେ ସେହୁ ଜମ୍ବୁଦ୍ଵୀପ ।

ମୁନିମାନଙ୍କର ଯାଗ ରଖିବାର ପାଇଁ

ବିଶ୍ଵାମିତ୍ର ମୁନି ରାମେ ଆଣିବେକ ଯାଇ ।

ତୁମ୍ଭେ କନ୍ୟାପାଇଁ କରିଥିବ ସ୍ଵୟମ୍ବର

ଅବହେଳେ ଧନୁଗୋଟି ଭାଙ୍ଗିବେ ସେ ବୀର ।

ସୀତା ତୁମ୍ଭର ବରିବ ତାଙ୍କୁ ମାଳା ଦେଇ

ଏହି କଥାଗୋଟି ତୁମ୍ଭେ ଥିବଟି ଚିତୋଇ ।

ତଦନ୍ତେ କେତେ କାଳରେ ହୋଇବ ଦ୍ୱାପର

ଗୋପେ ନନ୍ଦଗୃହେ ରାମକୃଷ୍ଣ ଅବତାର ।

ହରିହର ଏକଆତ୍ମା ଅଟନ୍ତି ସେ ଦୁଇ

ଧରଣୀର ଭାରାଭର ଉଶ୍ଵାସିବେ ସେହି ।

ବଳରାମରୁପେ ଜାତ ହେବେ ପଶୁପତି

ତାହାଙ୍କୁ ବିଭା କରିବ ତୁମ୍ଭର ରେବତୀ ।

ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେ

ଏ ହରିବଂଶ ପୁରାଣ ଅତି ପୁଣ୍ୟମୟେ ।

ପବିତ୍ର ଗଙ୍ଗାଜଳ ଏ ସୁମଧୁର ଗାଥା

କଣ୍ଣପୁଟକୁ ଅମୃତ ଏ ଅଟେ ଜାଣିଥା ।

ଏଥୁ ଅନ୍ତରେ ବ୍ରହ୍ମାଙ୍କ ଆଜ୍ଞାଗୋଟି ପାଇ

ଜନକ ରୈବତ ବେନି ଆସି ତୋଷ ହୋଇ ।

ସନ୍ଦେଶ ପାଇଣ ମନୁ ଫିଟିଗଲି ଭ୍ରାନ୍ତି

ଦୁହେଁ ଦୁହିତାଙ୍କୁ ଘେନି ପୁରେ ପ୍ରବେଶନ୍ତି ।

ଏସନକ ପରକାରେ ଗଲା କେତେଦିନ

ତ୍ରେତାଯୁଗେ ରାମଚନ୍ଦ୍ର ହେଲେ ଅବତୀର୍ଣ୍ଣ ।

ଦଶରଥର ନନ୍ଦନ ଅଜରାଜ ନାତି

ଅମଳାନ ସୂର୍ଯ୍ୟବଂଶୀ ଶୁଦ୍ଧପୂତ ଜାତି ।

କୁଳଶୀଳ ଧର୍ମଶୀଳ ଜ୍ଞାନଶୀଳ ତିନି

ନାମ ଧରନ୍ତେ ପାତକକ୍ଷୟ ଯାଏ ପୁଣି ।

ଜନକ ତା ଜାଣିପାରି କଲେ ସ୍ଵୟମ୍ବର

ସମଦଣ୍ଡେ ବିଜେ ତହିଁ ବହୁ ନୃପବର ।

ହରକୋଦଣ୍ଡ କେହି ଯେ ନ ପାରିଲେ ତୋଳି

ରାବଣ କୁମ୍ଭକର୍ଣ୍ଣ ଏ ସବୁ ଥିଲେ ମିଳି ।

ଦେବାସୁର ସହିତରେ ଗନ୍ଧରବ ଆଦି

ପାତାଳପୁରେ ବାସୁକୀ ସ୍ଵର୍ଗେ ଜମ୍ଭଭେଦୀ ।

ରଥ ମହାରଥୀ ଥିଲେ ବଳବନ୍ତ ମୂଳେ

କେହି ଭାଙ୍ଗି ନ ପାରିଲେ ଶିବଧନୁ ହେଳେ ।

ଏଡ଼େ ବଡ଼ ସଭାରେ ସେ ଦୈତ୍ୟଦର୍ପ ଗଞ୍ଜି

ଅବହେଳେ ରାମ ଧନୁ ବେନି ଖଣ୍ଡେ ଭାଜି ।

ଜନକ ମହର୍ଷି ଦେଖି ସନ୍ତୋଷ ହୋଇଲେ

ବ୍ରହ୍ମାଙ୍କ କହିବା କଥା ଘଟିଲା ଭାଳିଲେ ।

ମେଢ଼ର ଉପରେ ଥାଇ ଦେଖି ସେହି କଥା

ମାଳା ନେଇଣ ବରିଲେ ଜନକ ଦୁହିତା ।

ବ୍ରହ୍ମଋଷି ଦେବଋଷି ରାଜଋଷି ଥିଲେ

ଶ୍ରୀରାମ ସୀତାଙ୍କୁ ତହିଁ ବିଭା କରାଇଲେ ।

ତହୁଁ କେତେକ ଦିନରେ ହୋଇଲା ଦ୍ଵାପର

ଯଦୁବଂଶେ ରାମକୃଷ୍ଣ ହେଲେ ଅବତାର ।

ଅଷ୍ଟବର୍ଷ ପରିଯନ୍ତେ ନନ୍ଦଘରେ ଥିଲେ

କଂସକୁ ମାରି ଆସିଣ ମଥୁରା ରହିଲେ ।

ତହିଁ କେତେଦିନ ରହି ପିତୃଭୂମି ବୋଲି

ରାଜାର ଭୟେ ଅଇଲେ ପୁଣ କୁଶସ୍ଥଳୀ ।

ସ୍ଵର୍ଣ୍ଣମୟ ଦ୍ଵାରକାରେ ରହିଲେ ସକଳ

ସାତବଂଶ ଯାଦବ ଯେ ଚଉରାଶୀ ବଳ ।

ଅପରାପର ସମୃଦ୍ଧି କହି ତ କେ ପାରି

ବାରସ୍ଵତୀପୁର ତାକୁ ନୁହେ ସମସରି ।

ଅଚିନ୍ତେ ଯାଦବମାନେ ଥାନ୍ତି ତହିଁ ସୁଖେ

ଧନବନ୍ତ ବଳବନ୍ତ ବିଦ୍ୟାବନ୍ତ ଏକେ ।

ବହୁ କୀରତି ଶୁଭିଲା ସକଳ ମେଦିନୀ

ଦ୍ଵାରକାରେ ଅବତାର ରାମକୃଷ୍ଣ ବେନି ।

ଦ୍ଵାରକା ପୁରର ଭାରା କରିବେ ଉଶ୍ଵାସ

ସୁଜନଙ୍କୁ ପାଳି ଦୁଷ୍ଟ କରିବେ ବିନାଶ ।

ରଇବତ ରାଜା ଏହା ପାଇଣ ବାରତା

ନାରଦଙ୍କୁ ପୁଚ୍ଛା କଲେ ଏକାନ୍ତର କଥା ।

ନାରଦ ବୋଇଲେ ତୁମ୍ଭେ ଶୁଣ ରଇବତ

ପନ୍ନଗ ନାରାୟଣ ଯେ ଗୋପେ ହେଲେ ଜାତ ।

ଏ ତୋହର ପ୍ରିୟବତୀ ଦୁହିତା ରେବତୀ

ସର୍ବଶୁଭେ ବିଭା ତାଙ୍କୁ କର ଶୀଘ୍ରଗତି ।

ଆଗହୁଁ ବିଧାତା ତୋତେ ଯାହା ଛନ୍ତି କହି

ବିଚାରିଣ କାର୍ଯ୍ୟ କରେ ସେ କଥା ଚିତୋଇ ।

ରୈବତ ବୋଇଲା ମୁନି ଅଛି ତାହା ଜାଣି

ବିଧାତା କହିଲା ଦିନୁଁ ଅଛୁଁ ଦିନ ଗଣି ।

ଶଙ୍କୁନ ପୂରନ୍ତେ ଏବେ ଆସି ହେଲା ଭେଟ

ଏତେ କାଳରେ ତୁଟିଲା ଆସିଣ ସଂକଟ ।

ଏତେ ବୋଲି ରଇବତ ଭିତରେ ପଶିଲେ

ପୁତ୍ରଙ୍କୁ ବସାଇ ସର୍ବ ବୃତ୍ତାନ୍ତ କହିଲେ ।

ରେବତୀ ବିବାହ ଶୁଣି ସର୍ବେ ଆନନ୍ଦିତ

ବଳଦେବଙ୍କୁଟି ବିଭା ହୋଇଲେ ନିୟତ ।

ଯାବତ ବିଭା ଯୋଗାଡ଼ ଯେତେ ବିଧିଦ୍ରବ୍ୟ

ପାତ୍ରମନ୍ତ୍ରୀ ବସିକରି ଭିଆଇଲେ ସର୍ବ ।

ଧନ ବସ୍ତ୍ର ଅଳଙ୍କାର ଯଉତୁକ ବିଧି

ଦାସୀ ମୈଷୀ ଗଜଆଦି ନାନାଦି ସମୃଦ୍ଧି ।

ଖଡ଼ୁଗରା ହୀରା ନୀଳା ଅଶ୍ଵାଦି ସହିତେ

ବେଦ ଶାସ୍ତ୍ର ପ୍ରମାଣରେ ଯୋଗାଡ଼ାଦି ଯେତେ ।

ସକଳ ସମ୍ଭାର ଘେନି ରଇବତ ରାୟେ

ଦିନ ଅନୁକୂଳେ ସମଦଣ୍ଡ ଘେନି ଯାଏ ।

ପାତ୍ର ମନ୍ତ୍ରୀ ପୁରୋହିତ ଦାସୀ ପରିବାରୀ

ରାଜାଙ୍କ ସଙ୍ଗତେ ବିଜେ ହେଲେ ଯେ ଯାହାରି ।

ରଥି ଅଶ୍ଵାରୋହୀ ପଦାତିକ ଅପ୍ରମାଣ

ଫରୀ ଖଣ୍ଡା ବର୍ଚ୍ଛାଆଦି ଆଉ ବଜ୍ରବାଣ ।

ବିମଳ ଫାଟଛତ୍ର ଯେ ଆଲମ୍ବ ସହିତ

ମେଘନାଦ ଡମ୍ବରୁ ଯେ ଉଦଣ୍ଡ ବହୁତ ।

ଅଶ୍ଵଙ୍କର ହ୍ରେସାରବ ଗଜଘଣ୍ଟା ଧ୍ଵନି

ପାଦଭରେ କମ୍ପମାନ ସକଳ ମେଦିନୀ ।

ଲେଙ୍କା ଲମ୍ବହତା ଖୁଣ୍ଟିଆଦି ପଡ଼ିହାରୀ

ଅପ୍ରମିତ ବଳ ମୁଖେ କହିତ କେ ପାରି ।

ନାନାବିଧ ସମ୍ଭବରେ ଶଗଡ଼ ଉପରେ

ଥୋକାଏ ଭରିଲେ ନେଇ ରଥର ଭିତରେ ।

ବିଚିତ୍ର ହାନ୍ଦୋଳା ଅଷ୍ଟ ରତନେ ନିର୍ମାଣି

ମଗରମୁହିଁ ଯେ ମେରୁରତ୍ନ ଷାଠିବାନୀ ।

ବେଦାଙ୍ଗ ଝୀନବସନ ଉପରଣ ଦେଇ

ରେବତୀଙ୍କୁ ନେଇ ବିଜେ କରାଇଲେ ତହିଁ ।

ଝଡ଼ା ବାହୁଟିଆ ଚାଙ୍ଗୁଡ଼ାର ମୁଦୁସୁଲୀ

ପାରୁଶରେ ଖଟିଲେକ ସର୍ବେ ଆସି ମିଳି ।

କେ ଛତ୍ର ଧରିଛି କେହୁ ଚାମର ବିଞ୍ଚଣୀ

କେ ରତ୍ନଝରିରେ ରଖିଛନ୍ତି ବାସପାଣି ।

କେ ଗନ୍ଧନ ଚନ୍ଦନ ଘେନି କର୍ପୁର କସ୍ତୁରୀ

କେ ହଡ଼ପ ତାମ୍ବୁଳାଦି କରେ ଛନ୍ତି ଧରି ।

କେ ଧୂପାକଠି ଚାଙ୍ଗଡ଼ାମାନ କରେ ଘେନି

ଅଙ୍ଗେ ଚନ୍ଦନ ଲେପିଣ କେବଣ ତରୁଣୀ ।

କେହୁ ପାନିଅ ଧରିଣ ମଣ୍ଡୁଅଛି ଗଭା

କେ ଆଗେ ଦର୍ପଣ ଘେନି ହୋଇଛନ୍ତି ଉଭା ।

ବାସ୍ତରି ନିଯୋଗ ଯେତେ ନାନା ମନ୍ତ୍ରମାନ

ଆଗ ପଛରେ ଧାମନ୍ତି ବହୁତ ସଇନ ।

ପାଇକମାନେ ଆବୋରି ରାଉତର ବଳ

ରାଉତେ ଆବୋରି ହୟ ଗଜାଦି ସକଳ ।

ଗଜକୁ ଆବୋରି ରଥିପଣେ ଯେ ରହିଲେ

ଶୁଣ ପରୀକ୍ଷ ରାଜନ ଶ୍ରୀଶୁକ ବୋଇଲେ ।

ରୈବତ ରାଜା ସମ୍ପଦ କହି ତ କେ ପାରି

କୋଟିଏକ ଇନ୍ଦ୍ରପଦ ନୁହେଁ ତାକୁ ସରି ।

ନବଦ୍ଵୀପ ଭିତରେ ସେ ଏକା ମହୀପାଳ

ଯାହା ତେଜେ ଆତଯାତ ମଞ୍ଚାଦି ସକଳ ।

ଅଷ୍ଟନିଧି ନବ ନାଟକାଦି କିବା ନାହିଁ

ଅନେକ ଶ୍ରଦ୍ଧା ରେବତୀ ନନ୍ଦିନୀର ପାଇଁ ।

ବହୁଯୁଗରୁ ସାଇତି ଥିଲା ରାଜଜେମା

ସୁକୁମାରୀ ସୁଲକ୍ଷଣୀ ଅବିବାହୀ ବାମା ।

ଦୁହିତାକୁ ଜନ୍ମକରି ସେ ମହାରାଜନ

ଦୁଃଖିତ ମନରେ ରହିଥାଏ ରାତ୍ର ଦିନ ।

ବିଧାତା କହିବାରୁ ତ ପାଇଲା ସୁଯୋଗ

କନ୍ୟା ପ୍ରଦାନ ନିମନ୍ତେ କରେ ଉଦଯୋଗ ।

ମନ ମଧ୍ୟରେ ସେ ଶୁଭ ମଙ୍ଗଳ ବିଚାରି

ରଥେ ବିଜେ କଲେ କନ୍ୟା କର୍ତ୍ତା ବେଶ ଧରି ।

ଅନ୍ତରୀକ୍ଷ ମାର୍ଗେ ଚଳିଯାଏ ରହୁବର

ସମଦଣ୍ଡ ଘେନି ରାଜା ଚଳେ ଧାତିକାର ।

ବାଜଇ ଢୋଲ ଟମକ ମହୁରୀ ନିଶାଣ

କେ ମାରେ ଚରଖିବାଣ ବଇରଖ ବାଣ ।

ଶିଙ୍ଗା ବୀରକାହାଳି ଯେ ଉପାଙ୍ଗ ମହୁରୀ

ଢାଳ କଂସାଳ ମୃଦଙ୍ଗ ପଟ୍ଟହ ଦୋସରି ।

ଏମାନ ବଜାଇ ସେହୁ ଯାଆନ୍ତି ସକଳେ

ମେଷମାସ କୃଷ୍ଣପକ୍ଷ ଅର୍କବାର ବେଳେ ।

ମୂଳା ନାମରେ ନକ୍ଷତ୍ର ଅଟେ ସେ ଦିନର

ଚଳିଯାନ୍ତି ସମାରୋହେ ସଇନି ରାଜାର ।

ପାଦଭରେ କମ୍ପମାନ ହୁଏ ବସୁନ୍ଧରୀ

ପାଦୁକା ମନ୍ତ୍ରବଳରେ ଚଳନ୍ତି ଯେଝାରି ।

ପ୍ରଥମ ଦିବସେ ପ୍ଳକ୍ଷଦ୍ୱୀପରେ ରହିଲେ

ରନ୍ଧନ ଭୋଜନ ସାରି ରାତ୍ରେ ନିଦ୍ରା ଗଲେ ।

ତହୁଁ ପ୍ରଭାତ ସମୟେ ଚଳାଇଲେ ଥାଟ

ଜମ୍ବୁଦ୍ୱୀପରେ ଯାଇଣ ହୋଇଲେକ ଭେଟ ।

ଯମୁନା ନଦୀ ସେଠାରେ ଯାଉଅଛି ବହି

ଯୋଜନ ଯାଏ ଉତ୍ତରବାହିନୀ ସେ ହୋଇ ।

ସେଦିନ ରହିଲେ ଯାଇ ସର୍ବେ ନଦୀକୂଳେ

ଆନନ୍ଦ ମନ ହୋଇଣ ଅତ୍ୟନ୍ତ ନିଶ୍ଚଳେ ।

ଶ୍ୱେତଗିରି ବୋଲି କରି ପର୍ବତେକ ସଞ୍ଚ

ଦଶଯୋଜନ ପ୍ରତି ସେ ଅତିଶୟ ଉଚ୍ଚ ।

ତହିଁ ତଳରେ ଅମର ନାମେକ କାନନ

ଆଡ଼ ଦୀର୍ଘପ୍ରତିରେ ସେ ଶତେକ ଯୋଜନ ।

ଅପୂର୍ବ ତରୁଏ ଛନ୍ତି ତୋଟାର ଭିତରେ

ନନ୍ଦନ କାନନୁ ଧାତା ରୋପିଛି ଯତ୍ନରେ ।

ଫଳିତ ତରୁବରର ଅତିଅନ୍ତ ଶୋଭା

ବୃକ୍ଷ ଅଗ୍ରକୁ ଚାହିଁଲେ ଖସିପଡ଼େ ଗଭା ।

ଧାଡ଼ି ଧାନି ରେଖ ରେଖ ହୋଇ ପନ୍ତି ପନ୍ତି

ଲଳିତ ଲବଙ୍ଗଲତା ଶୋଭାକୁ ପାଆନ୍ତି ।

ଋତୁ ପ୍ରସଙ୍ଗ କାଳରେ ବୃକ୍ଷଙ୍କ ଉପରେ

ନାନା ପକ୍ଷୀଏ କ୍ରୀଡ଼ନ୍ତି ଅତି ମତ୍ତଭରେ ।

ପର୍ବତର ତଳେ ନଦୀତୀରେ ଦିବ୍ୟତୋଟା

ଲକ୍ଷେ ମାଢ଼ ସ୍ୱର୍ଣ୍ଣେଗଢ଼ା ଚୌରା ଗୋଟାଗୋଟା ।

ସେହି ତୋଟାରେ ରହିଲେ ରଇବତ ରାୟେ

ସ୍ୱର୍ଗରେ ଥାଇ ଦେଖନ୍ତି ସର୍ବ ଦେବତାଏ ।

ଏସନ ସମୟେ ଯାଇ ଦ୍ୱାରାବତୀ ପୁରେ

ନାରଦ ପ୍ରବେଶ ହେଲେ ସୁଧର୍ମା ସଭାରେ ।

ହସ୍ତେ ଦଣ୍ଡ କମଣ୍ଡଳୁ କାଖେ କୁଶବିଡ଼ି

ସ୍ୱାହା ବେଦକାଣ୍ଡି ଧୋତି ଉତ୍ତରୀୟ ପଡ଼ି ।

ମନପବନ ଯାନରେ ଚଢ଼ି ମହାମୁନି

ରୁଦ୍ରାକ୍ଷ ମାଳା ଭୂଷମ ସ୍ୱାହା ଯେ ପ୍ରୋକ୍ଷଣି ।

ମଥାରେ ପିଙ୍ଗଳଜଟା କର୍ଣ୍ଣରେ କୁଣ୍ଡଳ

ନିର୍ମଳ ଗଗନେ ଯେହ୍ନେ ଚନ୍ଦ୍ରମା ମଣ୍ଡଳ ।

ଅଙ୍ଗରେ ଶୋଭେ କପିଳା ମଳର ବିଭୂତି

ଆବର ଶୋଭାବନ ଯେ କୌଷୟେର ଧୋତି ।

ଏସନ ସଂଜାତେ ଆସି ମିଳି ମୁନିବର

ଦେଖିକରି ରାମ କୃଷ୍ଣ କଲେ ନମସ୍କାର  

ଉଗ୍ରସେନ ଆଦିକରି ସର୍ବ ଯଦୁବଳ

ମୁନି ପାଦେ ନମସ୍କାର କରିଲେ ସକଳ ।

ସୁବର୍ଣ୍ଣ ସିଂହାସନରେ ବସାଇଲେ ନେଇ

କଲ୍ୟାଣ ବାଞ୍ଛା କରନ୍ତି ମହା ତପୀସାଇଁ  

ସମାବେଦ ପଢ଼ି ମୁଖେ କଲ୍ୟାଣ କରିଲେ

ଏକଗୋଟି ବାର୍ତ୍ତା ଆମ୍ଭେ ପାଇଲୁଁ ବୋଇଲେ  

ଭୋ ଦେବ କାମପାଳ ତୁ ପ୍ରଭୁ ଅନ୍ତର୍ଯ୍ୟାମୀ

ତୁହି କି ନ ଜାଣୁ ତୋତେ କହିବା କି ସ୍ୱାମୀ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନି

ବିଶ୍ୱ ସଂସାରକୁ ତହିଁ ସୃଜିଅଛୁ ପୁଣି ।

ନିହନ୍ତା ବିହନ୍ତା ନାଥ ପୁଂସ ଆଦିମୂଳ

ରୂପ ରେଖ ବିବର୍ଜିତ ନାହିଁ ଶୂନ୍ୟ ଠୁଳ ।

ପଶ୍ଚିମ ଦେଶେ ରୈବତ ନାମରେ ରାଜନ

ଜନକର ଭ୍ରାତା ସେହି ଧାର୍ମିକ ସୁଜାଣ ।

ରେବତୀ ନାମେ ଦୁହିତା ତାର ଏକ ଅଛି

ସୁକୁମାରୀ ସୁଲକ୍ଷଣୀ ସୁନ୍ଦରୀ ମୃଗାକ୍ଷି ।

ଅନେକ ଯୁଗ ଯୁଗାନ୍ତ ପୁଣି ବହିଗଲା

ସ୍ନେହଭରେ ପିତା ତାକୁ ବିବାହ ନ ଦେଲା ।

ନ ପାଇଲା ବର ଅନୁରୂପେ ସପ୍ତଦ୍ୱୀପେ

ସନ୍ଦେଶ ବାର୍ତ୍ତା ପାଇଲା ବ୍ରହ୍ମାଙ୍କ ସମୀପେ ।

ସେଦିନୁ ଜାଣି ରହିଲା ଦିନ ଗଣି ଚାହିଁ

ଯତ୍ନେ ପ୍ରତିପାଳିଅଛି ତୁମ୍ଭ ବିଭାପାଇଁ ।

ଜ୍ୟେଷ୍ଠ ଭାଇର ଦୁହିତା ସୀତା ନାମେ ଥିଲା

ତ୍ରେତୟା ଯୁଗେ ତାହାକୁ ରାମ ବିଭା ହେଲା ।

ଏବେ ଦୁଆପର ଯୁଗ ହେଲା ଉପଗତ

ବେଦ ହିଁ ବୋଲୁଛି ତୁମ୍ଭେ ରେବତୀର ନାଥ ।

ଦୁହିତାକୁ ସଙ୍ଗେ ଘେନି ସମଦଣ୍ଡ ବାହି

ଥାଟଙ୍କୁ ଘେନିଣ ଥୋକେ ଦୂରେ ଅଛି ରହି ।

ତୁମ୍ଭେ ରାମ ରେବତୀକୁ ବିବାହ ଯେ ହୁଅ

ପୃଥିବୀର ଭାରାଭର ନିଶ୍ଚେଁ ହେବ କ୍ଷୟ ।

ଏମନ୍ତ କହି ନାରଦ ଛନ୍ତି ତହିଁ ବସି

ରଇବତ ରାଜା ଚାର ମିଳିଲାକ ଆସି ।

ଗଳାରେ ଶ୍ରୀହସ୍ତ ପତ୍ର ଲମ୍ବାଇଣ ଚାର

ସୁଧର୍ମା ସଭା ମଧ୍ୟରେ ମିଳି ଧାତିକାର ।

ହରି ବଳରାମଙ୍କୁ ସେ ପ୍ରଣାମ କରିଲା

ନାରଦ ମୁନିଙ୍କ ପାଦେ ତହୁଁ ପ୍ରଣମିଲା ।

ଉଗ୍ରସେନ ନୃପତିଙ୍କୁ ନିଉଛାଳି କରି

ଶ୍ରୀହସ୍ତପତ୍ର ଦେଇଣ କହେ ପୁରଃସରି ।

ଗୋବିନ୍ଦ ବୋଇଲେ କାହୁଁ ଅଇଲ ହେ ଦୂତ

ଚାର ବୋଇଲାକ ମୋତେ ପେଷିଲେ ରୈବତ ।

ରେବତୀ ନାମରେ ତାଙ୍କ ଦୁହିତାଏ ଅଛି

ସୁକୁମାରୀ ସୁଲକ୍ଷଣୀ ଅଟଇ ମୃଗାକ୍ଷି ।

ରାଜାଙ୍କ ପଞ୍ଚମାତ୍ମା ସେ ସୁନ୍ଦରୀ ଅଟଇ

ଚତୁର୍ଦ୍ଦଶପୁରେ ତାକୁ ବର ନ ଘଟଇ ।

ଅନେକ କାଳର ସେହୁ ଅବିବାହୀ ବାମା

ବହୁକାଳୁଁ ପିତାଘରେ ଅଛି ରାଜଜେମା  

କନ୍ୟା ଘେନି ପିତା ବ୍ରହ୍ମଲୋକେ ଯାଇଥିଲା

ବ୍ରହ୍ମାଙ୍କ ମୁଖରୁ ରାଜା ବାରତା ପାଇଲା ।

ଏବେ ସେ କନ୍ୟାକୁ ବିଭା କରାଇବା ପାଇଁ

ପାତ୍ର ମନ୍ତ୍ରୀ ସମଦଣ୍ଡ ଗେନି ଆସେ ବାହି ।

ଶ୍ୱେତଗିରି ନିକଟରେ ଅମର କାନନ

ତହିଁ ଆସି ରହିଛନ୍ତି ରୈବତ ରାଜନ ।

ତୁମ୍ଭ ତହିଁକି ପେଷିଲେ ମୋତେ ଦେଖାଦେଇ

ମୁଁ ଅଇଲି ତୁମ୍ଭ ପାଶେ ଜଣାଇବା ପାଇଁ ।

ଆପଣେ ନାରଦ କରେ ଘେନି ଲେଖାଗୋଟି

ମୁଦଭାଙ୍ଗି ପଢ଼ିଲେକ ଦେଇ ସୁଧାଦୃଷ୍ଟି ।

ପ୍ରଥମେ ଉଭୟକୂଳ ପ୍ରତି ସମ୍ଭାଷଣ

ତହିଁପରେ ଲେଖିଛନ୍ତି ଯଥା ବିଧି ମାନ୍ୟ ।

ତଦନ୍ତେ ପାଠ କରିଲେ କାର୍ଯ୍ୟ ଉପଦେଶ

ଲେଖିଅଛନ୍ତି ରୈବତ ପର୍ବତେ ମୋ ବାସ ।

ଜନକ ମହାଋଷି ଯେ ଅଟନ୍ତି ମୋ ଭାଇ

ପବିତ୍ର ପାଟବଂଶୀ ମୁଁ ଯୁକତେ ଅଟଇ ।

ସହସ୍ରେ ଚୌରାଶୀ ପୁତ୍ର ଅଟନ୍ତି ମୋହର

ସଂଗ୍ରାମରେ ଶକତା ସେ ମହା ଧୂରନ୍ଧର ।

ଆମ୍ଭର ଦୁହିତା ନାମ ରେବତୀ ଅଟଇ

ତାହା ସଦୃଶରେ ବର ନ ପାଇଲି କାହିଁ ।

ସାଇତି ରଖିଥିଲି ମୁଁ ବହୁଯୁଗ ଯାଏ

ବ୍ରହ୍ମାଙ୍କ ନିକଟୁଁ ବାର୍ତ୍ତା ପାଇଲି ଜାଣ ହେ ।

ଜନକ ଦୁହିତା ସୀତା ରାମଚନ୍ଦ୍ରେ ଦେଲେ

ସେଦିନୁ ସପତ ଋଷି ମୋତେ କହିଥିଲେ ।

ଦୁଆପରେ ଜନମିବେ ଦେବ ହଳଧାରୀ

ତୁମ୍ଭେ ଦୁହିତାକୁ ସମର୍ପିବ ଶୁଦ୍ଧଶାଳୀ ।

ଏ ମୋହର ସତ୍ୟ ସତ୍ୟ ଅଟେ ଦୃଢ଼ବାଣୀ

ସମଦଣ୍ଡେ ବରବେଶେ ଆସିବ ଏ କ୍ଷଣି ।

ଗଣ ଗନ୍ଧର୍ବ ଦେବତା ଘେନି ଯଦୁବଳ

ବିଳମ୍ବ ନ କରି ଆସିବଟି ତତକାଳ ।

ଲେଖାର କଥା ଶୁଣିଣ ପ୍ରଭୁ ଚକ୍ରଧର

ନାରଦ ସହିତେ ହେଲେ ଆନନ୍ଦ ଅପାର ।

ମୁନି ବୋଇଲେ ଏ ଅନୁକୂଳେ ଚାଲ ଯିବା

ବଳରାମ ରେବତୀଙ୍କୁ ବିଭା କରାଇବା  

ସାଜ ସମଦଣ୍ଡ ବୋଲି ଆଜ୍ଞା ଦେଲେ ହରି

ସାତବଂଶ ଯାଦବନ୍ତ ଯେଝାରେ ବାହାରି ।

ବସୁଦେବ ଉଗ୍ରସେନ ସାତ୍ୟକି ଅକ୍ରୂର

ଉଦ୍ଧବ ଯେ ଅନାଧୃଷ୍ଟ ସସ୍ରାଜିତ ବୀର ।

ବୃହଦ୍ଧ୍ୱଜ କୃପବର୍ମା ବୃକ୍ଷଧ୍ୱଜ ମୂଳେ

ସୁରଥ ଆଦି କରିଣ ଯାଦବ ସକଳେ ।

ଏସନେ ଯାଦବ ବୀରେ ରଥନ୍ତ ଆରୋହି

ବରଜାତି ବେଶଧରି ଉଭାରି ସେ ଯାଇ ।

ନନ୍ଦିଘୋଷ ଆରୋହଣ କରି ଦେବ ହରି

ମନଯାନେ ଯାନ୍ତି ନାରଦ ଯେ ତପଚାରୀ ।

ତାଳଧ୍ୱଜ ଆରୋହିଣ ବଳଦେବ ସ୍ୱାମୀ

ଆଗୁଆଣି ଥାଟଗୋଟା ଚଲାଇ ତକ୍ଷଣି  

ମୀନକେତନ ଆରୋହି ପୁଷ୍ପକେତୁ ଯାନ

କରେ ପଞ୍ଚଶର ଧନୁ ଅଛି ବିଦ୍ୟମାନ ।

କୋଟି ମଙ୍ଗଳ ମହୁରୀ କୋଟି ଶଙ୍ଖଧ୍ୱିନି

ହୁଳହୁଳି ଶବଦରେ କମ୍ପଇ ମେଦିନୀ ।

ନାନାଛନ୍ଦେ ବାଦ୍ୟମାନ ବାଜେ ଅକଳନା

ସାତବଂଶ ଯାଦବ ଯେ ଏକୁଁ ଏକ ଜିଣା ।

ଚୌରାଶୀ କୋଟି ଯାଦବେ ଏକୁଁଆରେ ସଜ

ଦିନକର ରଥପରି ଦିଶେ ତାଳଧ୍ୱଜ ।

ଦ୍ୱରାକାପୁରୁଁ ବାୟବ୍ୟ ମୁଖରେ ଚଳିଲେ

ଗୋମତୀ ଦକ୍ଷିଣ କୂଳେ ଥାଟ ଚଳାଇଲେ ।

ମୋହନ ପର୍ବତ ତଳେ ସୁବିସ୍ତୃତ ବନ

ରୁଦ୍ରବାରିଣୀ ପୋଖରୀ ତହିଁ ବିଦ୍ୟମାନ ।

ସେ ସରୋବର ପାରୁଶେ ପାଞ୍ଚଯୂଣେ ଯାଏ

ଅନେକ ଦୀର୍ଘ ପ୍ରତିରେ ଅଛଇ ପଦାଏ ।

କଣ୍ଟାଝୁଣ୍ଟା ବିବର୍ଜିତ ସେହି ଭୂମିଖଣ୍ଡି

କୁଟା ତୃଣ ନାହିଁ ବାଲି ଶୁଦ୍ଧ ସ୍ୱର୍ଣ୍ଣଗୁଣ୍ଡି ।

ବିଶ୍ୱଶମ୍ଭୁ ନାମେ ତହିଁ ଛନ୍ତି ଲିଙ୍ଗରାଜା

ପୂର୍ବେ ତାଙ୍କୁ ଶଚୀଦେବୀ କରିଥିଲେ ପୂଜା ।

ଦୁର୍ବାସା ମହର୍ଷି ବାସ କରିଥିଲେ ତହିଁ

ସେଠାରୁ ଗୋମତୀ ନଦୀ ଆସୁଅଛି ବହି ।

ସମସ୍ତ ଯାଦବ ସୈନ୍ୟ ସେଠାରେ ମିଳିଲେ

ରଇବତ ନରପତି ତେଣୁ ଆସୁଥିଲେ ।

ତିନିଯୁଣ ଯାଏ ବାଦ୍ୟ ଶୁଭେ ଅପ୍ରମାଣ

ମଙ୍ଗଳ ମହୁରୀ ଶଙ୍ଖ ଟମକ ନିଶାଣ ।

ଲହରୀ ଉଠନ୍ତେ ଯେହ୍ନେ ଶୁଭେ ସିନ୍ଧୁଜଳ

ତେସନ ଶୁଭଇ ଦୂରୁ ସୈନ୍ୟ ମୁଖଗୋଳ ।

ନିକଟରେ ଦୁଇବଳ ଭେଟାଭେଟି ହେଲେ

ଯେ ଯାହାରେ ମାନ୍ୟକରି ରଥୁଁ ଓହ୍ଲାଇଲେ ।

ପରସ୍ପରେ ପୁଚ୍ଛାପୁଚ୍ଛି ହୋଇଲେ କୁଶଳ

ବନ୍ଧୁ ସମ୍ଭାବନା ବିଧି କରନ୍ତି ସକଳ ।

ବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ଚକ୍ରଧର

ନବର ମଣ୍ଡିଣ ବିଭାବେଦୀ ନିର୍ଭା କର ।

ଆଖେଡ଼ା ରାନ୍ଧେଣୀ ଘର ଅଶ୍ୱ ରାଜଶାଳ

ବାଣ ବଣିଜାର ହାଟ ପାଟଣା ସକଳ ।

ବିଭାର ନିମନ୍ତେ ଲୋଡ଼ା ଯେତେ ଯେତେ ବିଧି

କାମଧେନୁକୁ ଘେନିଣ କରାଇବ ସିଦ୍ଧି ।

ଆଜ୍ଞାପାଇ ବିଶ୍ୱକର୍ମା ରଚିଲେ ସକଳ

ବିଚିତ୍ର ଉଆସ ଘୋଡ଼ା ହାତୀଙ୍କର ଶାଳ ।

ରଇବତ ରାଜାଙ୍କର ସୈନ୍ୟ ବଳ ଯେତେ

ଯାଦବଙ୍କ ଆଦି ତହିଁ ରହିଲେ ସମସ୍ତେ ।

ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ

ସକଳେ ରହିଲେ ତହିଁ ହୋଇଣ ଯେ ସୁସ୍ଥ ।

ବିଚିତ୍ର ମଣ୍ଡଣି ପୁରେ ପୁରେ ଶୁଦ୍ଧ ହେମ

ହୀରା ନୀଳା ବଇଡୁର୍ଯ୍ୟ ଦେବାଙ୍ଗ ବସନ ।

ଉପରେ ସ୍ୱର୍ଣ୍ଣ କଳସ ଚିତ୍ରଧ୍ୱଜ ଉଡ଼େ

ଆକାଶ ମଣ୍ଡଳୁଁ କିବା ତାରା ଖସିପଡ଼େ ।

ଲମ୍ବନ୍ତି ଶ୍ୱେତଚାମର ଗଜଦନ୍ତ ହୀରା

ସୁବର୍ଣ୍ଣ ନିର୍ମାଣ ହେତୁ ଦିଶେ ଅତିତ୍ୱରା ।

ଗନ୍ଧ ଚନ୍ଦନ କର୍ପୂର ପନୀରର ପାଣି

ସେବତୀ ପାଖୁଡ଼ାମାନ ସିଞ୍ଚନ୍ତି ସେ ଆଣି ।

ନିରନ୍ତର ମନ୍ଦଗନ୍ଧବହ ତହିଁ ବହେ

ସୁରଙ୍ଗ ପାଟ ଝୁମ୍ଫାରେ ପୁର ଶୋଭା ପାଏ ।

ହୀରାପଗଡ଼େ ହିଙ୍ଗୁଳ ରାଜେ ମାଳ ମାଳ

ଗଜଦନ୍ତର ପାତିଆ ଝଲକେ ସୁଢ଼ଳ ।

ଅପୂର୍ବ ଓଳି ଦୁଆର ଅପୂର୍ବ ଗହଣା

ଅମର ବାରସ୍ୱତୀକୁ ନିନ୍ଦେ ସେ ପାଟଣା ।

ଭିକ୍ଷୁକ ଆଦି କରିଣ ମହା ମହାରାୟେ

ସେ ଯେଡ଼େ ଭାଜନ ସେହି ତେଡ଼େ ଘରପାଏ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

ଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।

ଅମୃତ ରାନ୍ଧଣାମାନ ରାନ୍ଧି ସୂପକାରେ

ଲୋକମାନଙ୍କୁ ବରଚା କରନ୍ତି ଯେଝାରେ ।

ବହୁକ୍ଷତ୍ରି ବୈଶ୍ୟ ଶୂଦ୍ର ଚାରିଜାତି ମୂଳେ

ଷଡ଼ରସରେ ଭୋଜନ ଭୁଞ୍ଜନ୍ତି ସକଳେ ।

ଜର ଜଣକରେ ସଞ୍ଚା ଯେ ଯାହାକୁ ଲାଗି

କାମଧେନୁ ପ୍ରସାଦରେ ଯୋଗାନ୍ତି ତା ବେଗି  

ସବୁଙ୍କରି ଭୋଜନକୁ ସ୍ୱର୍ଣ୍ଣପାତ୍ରମାନ

ବିଶ୍ୱକର୍ମା ନିର୍ମିତ ସେ ଅତ୍ୟନ୍ତ ଘଟଣ ।

କହନ୍ତେଣ ଅଗୋଚର ଅତି ଅକଳନା

ନାନା ଛନ୍ଦରେ ବାଜଇ ନାନାଦି ବାଜଣା ।

ଅନେକ ଯୁଗରେ ରଇବତ ମହାରାୟେ

ଯୁଗ ଅନୁରୂପେ ତାର ବର୍ଦ୍ଧମାନ କାୟେ ।

ସତ୍ୟଯୁଗେ ଲୋକଙ୍କର ଏସନ ବେଭାର

ଅଠେଇଶ ହାତ ଉତ୍ସର୍ଗରେ କଳେବର ।

ତ୍ରେତୟାରେ ମାନବ ଯେ ଚୌଦହାତ ଉଚ୍ଚ

ଦ୍ୱାପରେ ସପତହାତ ଅତ୍ୟନ୍ତ ସୁସଞ୍ଜ ।

ପାପ କରମରୁ ନରମାନେ କଳିଯୁଗେ

ଦ୍ୱାଦଶ ଅଙ୍ଗୁଳି ଜାଣ ହୋଇବେ ଉତ୍ସର୍ଗେ ।

ବଦୟନ୍ତି ଶୁକମୁନି ଶୁଣ ନରନାଥ

କୃଷ୍ଣ ବଳଦେବ ସହ ଯାଦବ ସମସ୍ତ ।

ମନୋହର କାନନରେ ରହି ଯେ ଯାହାରେ

ଭୋଜନ ଆଦି କରିଲେ ଅତି ହରଷରେ  

ସାତବଂଶ ଯାଦବେ ଯେ ଅତି ମହାବଳ

ଏକୁଁ ଏକ ବଳବନ୍ତ ଅଟନ୍ତି ସକଳ ।

ବଳଦେବଙ୍କ ବିଭାରେ ସର୍ବେ ବରଜାତି

ଅମୃତ ଭୋଜନ ପାଇ ହେଲେ ତୋଷମତି ।

ବଳରାମ ବିଭାବାର୍ତ୍ତା ପାଇ ପଦ୍ମଯୋନି

ତକ୍ଷଣେ ମିଳିଲେ ଆସି ବ୍ରାହ୍ମଣଙ୍କୁ ଘେନି ।

କପିଳାସେ ବାରତାକୁ ପାଇ ଦେବ ହର

ପାର୍ବତୀ ସହିତେ ଆସି ମିଳି ଧାତିକାର ।

ବୃଷଭରେ ଆରୋହିଣ ସେ ଦେବ ଧୂର୍ଜ୍ଜଟୀ

ସଙ୍ଗେ ଛନ୍ତି ରୁଦ୍ରଗଣ ଛୟାଣୋଇ କୋଟି ।

ବିନାୟକ ନନ୍ଦିଆଦି ଭୃକୁଟି ସହିତେ

ଏକାଦଶ ରୁଦ୍ରଗଣ କାର୍ତ୍ତିକ ସମେତେ ।

ଶତକୋଟି ଅନ୍ତରୀକ୍ଷେ ଡମ୍ବରୁ ବାଜଇ

ଫୁଫୁକାରେ ସର୍ପମାନେ ଗରଜିଣ ଧାଇଁ ।

ଅନେକ ସମ୍ଭର୍ବେ ସ୍ୱାମୀ ପାର୍ବତୀ ରମଣ

ଶ୍ରୀହରି ସନ୍ନିଧେ ଆସି ମିଳି ତତକ୍ଷଣ ।

ଯମ ନଇର୍ଋତ ଆଉ ବରୁଣ କୁବେର

ପବନ ଦିନକର ଯେ ଚନ୍ଦ୍ର ବୈଶ୍ୱାନର ।

ତାର ବାର ନକ୍ଷତ୍ରାଦି କରଣର ମୂଳେ

ବୁଧ ଶୁକ୍ର ବୃହସ୍ପତି ଗନ୍ଧରବ ମେଳେ ।

ଶଚୀ ଆଦିକରି ଚନ୍ଦ୍ରଦେବ ହେଲେ ସଜ

ମିଳିଲେ ସେ ଚଢ଼ି ଐରାବତ ମହାଗଜ ।

ଭୃଗୁ ଭାର୍ଗବ ଗୌତମ ମୁନି ପରାଶର

ସନକ ଯେ ସନାତନ ଜୈମିନୀ ଅଙ୍ଗିର ।

କଉସ୍ତୁଭ ଉର୍ଦ୍ଧ୍ୱରେ ତା ଯୁଗଆଦି ମନୁ

ବାଳଖିଲ୍ୟା ମରୀଚି ଯେ ଆଉ ଶାୟନ୍ତନୁ ।

ଯମଦଗ୍ନି ବୈବସ୍ୱତ ଅଙ୍ଗରାଦି ମୁନି

ଅନେକ ଶିଷ୍ୟ ତାହାଙ୍କ ସଙ୍ଗେ ଛନ୍ତି ଘେନି ।

ବୃହତ ସାମ ଗାୟନ କରି ବଦନରେ

ପ୍ରବେଶ ହୋଇଲେ ଆସି ସର୍ବେ ସେ ସ୍ଥାନରେ ।

ମୁନିମାନଙ୍କର କରେ କମଣ୍ଡଳୁ ଅଛି

ଅସ୍ତୁ କଲ୍ୟାଣ କରନ୍ତି ବ୍ରହ୍ମାଙ୍କର ବତ୍ସି ।

ହସ୍ତେ କୁଶବଟୁ ପୋଥି ମାଥେ ଭସ୍ମଚିତା

ଅତିଶୟ ତେଜୋବନ୍ତ ଯୋଗେ ମହାଜ୍ଞାତା ।

ବଳଦେବ ରେବତୀର ବିଭାବାର୍ତ୍ତା ପାଇ

ଗୋବିନ୍ଦ ସମୀପେ ସର୍ବେ ପ୍ରବେଶିଲେ ଯାଇ ।

ଜଣ ଜଣକେ ମାନନା କରି ଦେବ ହରି

ବ୍ରହ୍ମା ରୁଦ୍ର ଚନ୍ଦ୍ର ସୂର୍ଯ୍ୟ ଋଷଆଦି କରି ।

ଯାହାକୁ ଯେସନ ରୂପେ କରି ଯେଉଁ ବିଧି

ଜଣ ଜଣକେ ଚରଚା କରି ସର୍ବସିଦ୍ଧି ।

ଦେଶ ବିଦେଶ ରାଜାଏ ଖବରକୁ ପାଇ

ସମସ୍ତେ ସେହି ସ୍ଥାନକୁ ଅଇଲେ ଚଳାଇ ।

ହସ୍ତିନାଧିପତି ମାନଗୋବିନ୍ଦ ନୃପତି

ଲୋହିତ ପିଙ୍ଗଳବର୍ଣ୍ଣ ନାରାୟଣ ଜ୍ୟୋତି ।

ଭୀଷ୍ମଦ୍ରୋଣ ସହିତରେ ଆସିଲେ ସେ ବାହି

ଅନେକ ଉପହାର ସେ ସଙ୍ଗତରେ ନେଇ ।

ବରୁଣା ନୃପତି ଯୁଧିଷ୍ଠିର ନରପତି

ଅନେକ ଆନନ୍ଦେ ତହିଁ ପ୍ରବେଶ ହୁଅନ୍ତି ।

ଭୀମ ଅର୍ଜ୍ଜୁନ ନକୁଳ ସହଦେବ ଚାରି

ରଥେ ରଥେ ଚଢ଼ିଣ ସେ ଗଲେ ଯେ ଯାହାରି ।

ବିଦର୍ଭ ଦେଶ ନୃପତି ଭୀଷ୍ମକ ରାଜନ

ଅନେକ ଯୌତୁକ ଘେନିଯାଏ ସେ ବହନ ।

ରଥେ କଉଶିକ କାଳିଞ୍ଜନ ଭଗଦତ୍ତ

ସମଦଣ୍ଡ ଘେନି ଆସି ମିଳିଲେ ତୁରିତ ।

ମଥୁରା ଠକୁରା ଉଗ୍ରସେନଙ୍କର ନାତି

ସୁନାସ ସୁତ ସୁରଥନାମେ ସେନାପତି ।

ବଡ଼ଇ ବିଚକ୍ଷଣ ସେ ରାଜା ପୁଣ୍ୟଦେହୀ

ରାମକୃଷ୍ଣ ସଙ୍ଗେ ବିଦ୍ୟା ପଢ଼ିଥିଲେ ସେହି ।

ବଳଦେବଙ୍କ ବିଭାରେ ମିଳି ଶୀଘ୍ରଗତି

ନାନା ଉପହାର ଦ୍ରବ୍ୟ ଘେନିଣ ଆସନ୍ତି ।

ଯେଝା ଅନୁରୂପେ ଗଉରବ ମାନ୍ୟ କଲେ

ନବରକୁ ଆବୋରିଣ ରାଜାଏ ରହିଲେ ।

ରଥ ଗଜ ଅଶ୍ୱମାନ କେ କରେ ଗଣିତା

ଶୁକ ବୋଇଲେ ଶୁଣ ହେ ନୃପ ମହାରଥା ।

ଦେବଋଷି ରାଜଋଷି ଆଦି ଶତମନୁ

ଗୋମାତା ସଙ୍ଗେ ଅଛନ୍ତି ଶତେ କାମଧେନୁ ।

ଏକ ଧେନୁରୁ ମହିମା ବହୁ ପୁଣ୍ୟବିଧି

ଯେତେ କଳ୍ପନା କରଇ ହୁଏ ତେତେ ସିଦ୍ଧି  

ସଭାର ମଧ୍ୟରେ ପୁଣି ସୁବର୍ଣ୍ଣର ବେଦୀ

ତା ଉପରେ ଛାମୁଡ଼ିଆ ଆକାଶକୁ ଭେଦି ।

ସ୍ଫଟିକର ବେଦୀ ପାଞ୍ଚକୋଶ ଆୟତନ

ମଣି ମାଣିକ୍ୟରେ ସେହୁ ଦିଶେ ତେଜିୟାନ ।

ଧାଡ଼ି ଧାଡ଼ି ରେଖ ରେଖ ପନ୍ତି ପନ୍ତି ଖଞ୍ଜା

ଗଜମୋତି ପୋହଳା ଯେ ଦିଶେ ପୁଞ୍ଜାପୁଞ୍ଜା ।

ହୀରାର ଚଉରା ପୁଣି ରାଜେ ଚଉପାଶ

ମଧ୍ୟାହ୍ନ ସମୟେ ଯେହ୍ନେ ଆଦିତ୍ୟ ପ୍ରକାଶ ।

ସହସ୍ରେ ବଖରା ପୁର ନିର୍ମାଣ ହୋଇଛି

କୁରୁବିନ୍ଦର କଳଶ ଶୋଭା ପାଉଅଛି ।

ସପ୍ତପାତାଳ ଉତ୍ସର୍ଗ ଲାଗେ ହେମପନ୍ତି

ଆକାଶ ମାର୍ଗରେ ଯେହ୍ନେ ଦିଶେ ଚନ୍ଦ୍ରଜ୍ୟୋତି ।

ନନ୍ଦାବର୍ତ୍ତ କମ ଗଜଦନ୍ତର ପିତୁଳି

ହିଙ୍ଗୁଳି ହରିତାଳ ଯେ ନାନା ବର୍ଣ୍ଣେ ଝଳି ।

ଦେବାଙ୍ଗ ଝୀନବସନ ଉଭାତ୍ରୋଣା ଲମ୍ବେ

ଚନ୍ଦ୍ରବିନ୍ଦୁ ଚିହ୍ନ ବସିଥାଇ ଖମ୍ବେ ଖମ୍ବେ ।

ଗଜମୋତି ମାଣିକ୍ୟର ରେଖ ପନ୍ତି ପନ୍ତି

ମନୋହର ମନ୍ଦିର ଯେ ଅତି ଶୋଭା ପାନ୍ତି ।

ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବଖରା ମୂଳରେ

ଚାହିଁବା ମାତ୍ରକେ ଯୋଗୀଜନ ମନ ହରେ ।

ଆପଣେ ଯା ବିଶ୍ୱକର୍ମା ନିର୍ମାଣିଲା ବସି

ବାରସ୍ୱତୀ ପୁର ପରି ଦିଶେ ଶୋଭାରାଶି   

ଧନ୍ୟ ସେ ବଳରାମଙ୍କ ବିବାହର ବିଧି

କହିଲେକ ନ ସରଇ କୋଟି ଯୁଗାବଧି ।

ଛାୟା ମଣ୍ଡପରେ ବିଜେକଲେ ମଞ୍ଚରାୟେ

ଅନ୍ତରୀକ୍ଷ ମାର୍ଗେ ରହି ସର୍ବଦେବତାଏ ।

ପାଣ୍ଡବଙ୍କ ସଙ୍ଗତରେ ଆସନ୍ତେ ଅର୍ଜୁନ

ଖଣ୍ଡେ ଦୂରରୁ ତାହାଙ୍କୁ ଦେଖି ଭଗବାନ ।

ମଣିମୟ ସିଂହାସନେ ବସାଇଲେ ନେଇ

ଅର୍ଜୁନଙ୍କୁ ଘେନି ବିଜେ ନନ୍ଦର ତନୟୀ ।

ନିସ୍ତରିଲି ନିସ୍ତରିଲି ବୋଲି କଲେ କୋଳ

ଏହି ଅନୂରୁପେ ମାନ୍ୟକରି ସେ ସକଳ ।

ଏସନ ରୀତି ଦେଖିଣ ଦୁର୍ଯୋଧନ ରାୟେ

କୋପେଣ କୋପାନଳ ଯେ କମ୍ପେ ତାର କାୟେ ।

ମନରେ ଅନେକ ଲଜ୍ଜାପାଇ ମହାବଳୀ

ଓଷ୍ଠ କଣ୍ଠ ତାଳୁ ଶୁଖି ପଡ଼ିଯାଏ କଳି ।

ଭୀଷ୍ମ ଦ୍ରୋଣ ଅଶ୍ୱଥିାମା ଦେଖି ସେହି କଥା

ଯେ ଯାହାର ଅନୁରୂପରେ ପାଇଲେକ ବ୍ୟଥା ।

ଏସନ ସମୟେ ଦୂତ ଆସି ଜଣାଇଲା

ଭୋଦେବ ବିଭାର ବେଳ ନିକଟ ହୋଇଲା ।

ବୈଶାଖ ଶୁକ୍ଳତୃତୀୟା ତିଥି ବୁଧବାର

ରୋହିଣୀ ନକ୍ଷତ୍ର ନାମ ଅଟଇ ଆଜର ।

ଶୁଭ ନାମେ ଯୋଗ ନାଗ ନାମରେ କରଣ

ଆଜି ବିଭା ମଙ୍ଗଳ ଯେ ହୋଇବ ଆପଣ ।

ବେଳ ପଞ୍ଚଦଣ୍ଡେ ମିଥୁନର ଲଗ୍ନଯୋଗ

ରେବତୀ ବଳଦେବଙ୍କ ବିଭାର ସଂଯୋଗ ।

ବିଭାରେ ବ୍ରହ୍ମା ଆଚାର୍ଯ୍ୟ ହୋଇଲେ ଆପଣ

ବେଦୀରେ ବିଜୟେ ଯାଇ କଲେ ଋଷିଗଣ ।

ସଙ୍ଗେ ସପ୍ତଋଷି ବାଳଖିଲ୍ୟା ମହାଯତି

ଆସନେ ବସିଲେ ବେଦୀ ଦକ୍ଷିଣର ଜାତି ।

ବସୁଦେବ ଉଗ୍ରସେନ ସକଳ ସଇନି

ବେଦୀ ଉତ୍ତର ଭାଗରେବ ସି ମାନ୍ୟଘେନି ।

ବଳରାମ ବସିଲେକ ପଶ୍ଚିମ ଭାଗରେ

ଜଗନ୍ନାଥ ବିଜେକଲେ ପାର୍ଥ ସହିତରେ ।

ରଥ ଗଜ ପଦାତିକ ଯେ ଯାହାର ମୂଳେ

ସର୍ବେ ରୁଣ୍ଡ ହୋଇ ବସିଲେକ ବେଦୀତଳେ ।

ଏସନ ସମୟେ ରଇବତ ନରପତି

ପ୍ରବେଶ ହୋଇଲେ ଆସି ବେଦୀ ପୂର୍ବକତି ।

ରେବତୀ ଦୁହିତାକୁ ସେ କରି ସଜବାଜ

ବେଦୀରେ ବିଜେ କରିଲେ ଯାଇଁ ମହାରାଜ ।

ସତ୍ୟଯୁଗର ମାନବ ଅତ୍ୟୁତ୍ସର୍ଗ କାୟେ

ଶିର ଲାଗିଅଛି ଅର୍ଦ୍ଧ ଆକାଶର ଯାଏ ।

ଅଷ୍ଟବିଂଶ ହାତ ବୁରୁଶାଳ କଳେବର

ପର୍ବତ ପରାୟେ ଦେଖାଯାନ୍ତି ଭୟଙ୍କର ।

ସେହି ସଦୃଶ ରେବତୀ ଦେବୀ ପୁଣି ଦିଶି

ପିତା କନ୍ୟା ଦୁହେଁ ଛନ୍ତି ଏକତ୍ରରେ ବସି ।

ବେଦୀରେ ପୂର୍ବଭାଗରେ ବସନ୍ତେ ସେ ଯାଇଁ

ଦେଖିଣ ନେତ୍ର ବୁଜିଲେ ସର୍ବେ ଶଙ୍କାପାଇ ।

ଥୋକେ ଉପହାସ କଲେ ଥୋକେ ଗଲେ ଉଠି

ଥୋକାଏ ରୂପ ବାହୁନି ଦେଖି ଏକ ଦୃଷ୍ଟି ।

ଥୋକାଏ ବୋଇଲେ ଏହା ଦେଖିଲାତ ନାହିଁ

କେହୁ ବୋଲେ ଅବା ଗଛ ଅଟନ୍ତି କି ଏହି ।

ଏ ସଂସାରୁ ବାହାର ତ ଏହାଙ୍କର କାୟ

ଥୋକାଏ ଲୋକ ଦେଖିଣ କଲେ ପୁଣି ଭୟ ।

ଥୋକାଏ ପଣ୍ଡିତପଣେ ଯେହୁ ସୁବୁଦ୍ଧିଟି

ବୋଇଲେ ସତ୍ୟଯୁଗର ଲୋକ ଏସନଟି ।

ଯୁଗ ଅନୁରୂପେ ଏହି ଆଚରନ୍ତି ସତ୍ୟ

ପରଧନେ ଲୋଭ ନାହିଁ ପରନାରୀ ରତ ।

ହିଂସା ଅପବାଦ କାମକ୍ରୋଧ ଲୋଭ ମୋହ

ବୃଦ୍ଧଜନେ ପ୍ରିୟଭାବ ସଦା ସୁଃଖ ସ୍ନେହ ।

ଶତେକ ସହସ୍ର ବର୍ଷ ଏହାଙ୍କ ଆୟୁଷ

କଳି କଳ୍ମଷ ନ ପଶେ ଏହାଙ୍କର ପାଶ ।

ଅନ୍ଧ ଦରିଦ୍ର ଭିକ୍ଷୁକ କେହୁ ଜଣେ ନାହିଁ

ଶ୍ରେଷ୍ଠ ମନୁଷ୍ୟ ବୋଲିଣ ପୁରାଣରେ ଲିହି ।

ବହୁପୁଣ୍ୟ କରିଥିଲେ ୟାଙ୍କ ଭେଟ ପାଇ

ଶୌଚ ଉତ୍ସର୍ଗ ନିର୍ମଳ ପୁରୁଷ ଯେ ଏହି ।

ଆବର ବିଶେଷ ଏହୁ ଅଟନ୍ତି ନୃପତି

ସପ୍ତସିନ୍ଧୁ ମଧ୍ୟରେ ଏ ଅଟେ ଅଧିପତି ।

ଅକ୍ଷୟ ଅଜରାମର ଅନାଦି ପୁରୁଷ

ମହାକଳ୍ପାନ୍ତରେ ଏହୁ ନ ଯାନ୍ତି ବିନାଶ ।

ଅଷ୍ଟାଙ୍ଗ ଯୋଗ ସାଧିଣ ଦେହେ ସର୍ବସିଦ୍ଧି

ନିରଞ୍ଜନ ଦେବ ଏହୁ କାଳ କଳ୍ପନିଧି ।

କରଞ୍ଜଦ୍ୱୀପେ କଟକ ୟାଙ୍କ ବିତପନ

ଅଷ୍ଟବସୁ ସଙ୍ଗତରେ ହୋଇଛନ୍ତି ଜନ୍ମ ।

ଜନକ ଭ୍ରାତା ୟାଙ୍କର ଅଟଇ ଯୁକତେ

ଅଶେଷ ବ୍ରହ୍ମାଣ୍ଡ ଜିଣିପାରି କ୍ଷଣମାତ୍ରେ ।

ଏହି ଦୁହିତାର ପୁଣି ବିବାହ କାରଣେ

ବ୍ରହ୍ମାଙ୍କ ତହିଁକି ପୂର୍ବେ ଗଲେ ବେନି ଜନେ ।

ବିଧାତା ଏହାଙ୍କୁ କହିଲେକ ସର୍ବକଥା

ସେ ଆସି ଏତେ କାଳରେ ଭେଟିଲେ ସର୍ବଥା ।

ଜନକ ଦୁହିତା ସୀତାଦେବୀ ନାମ ଥିଲେ

ତ୍ରେତୟାରେ ରାମଚନ୍ଦ୍ର ତାଙ୍କୁ ବିଭାହେଲେ ।

ପ୍ରତ୍ୟକ୍ଷେ ପୁରାଣେ ଶୁଣୁଥିଲୁ ଯେଉଁ ବାଣୀ

ପ୍ରତ୍ୟକ୍ଷେ ଧାତା ସେ କଥା ଭେଟାଇଲା ଆଣି ।

ଆଗହୁଁ ଦଇବ ଏହା କରିଅଛି ସିଦ୍ଧି

ଅନନ୍ତ ବିଭା ଦେଖିବା ଯଥାକର୍ମ ବିଧି ।

ଥୋକାଏ ବୋଲନ୍ତି ଏତ ଅସମ୍ଭବ କଥା

ଏସନ କନ୍ୟାର ବିଭା ଅଛି କି ବ୍ୟବସ୍ଥା ।

ଥୋକାଏ ବୋଇଲେ ୟାଙ୍କୁ ନିର୍ମାଣିଛି ବିଧି

ଆଗହୁଁ ଦଇବ ଯାହା କରିଅଛି ସିଦ୍ଧି ।

ଅନେକ କାଳର କନ୍ୟା ଅବିବାହୀ ଥିଲା

ଏତେକାଳେ ଧାତା ବିଭାଯୋଗ ଘଟାଇଲା ।

କାହିଁ କରଞ୍ଜ ଦ୍ୱୀପ ଯେ କାହିଁ ଜମ୍ୱୁଦ୍ୱୀପ

ଅଇଲେ ଅନେକ ଦୂରୁଁ କାର୍ଯ୍ୟର ସ୍ୱରୂପ ।

ମହାବିଚକ୍ଷଣ ରଇବତ ଦଣ୍ଡଧାରୀ

ଭୂତ ଭବିଷ୍ୟତ ବାର୍ତ୍ତା ଜାଣେ ତଥ୍ୟକରି ।

ପୃଥିବୀର ଭାରାଭର ନିବାରଣ ପାଇଁ

ହରିହର ଜାତ ମର୍ତ୍ତ୍ୟେ ନରତନୁ ବହି ।

ଏହି ବଳରାମ ପ୍ରତ୍ୟକ୍ଷରେ ଶୂଳପାଣି

ଯେ ରେବତୀ ସେ ପ୍ରତକ୍ଷେ ଉମା ଠାକୁରାଣୀ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।

ଏଥୁ ଅନନ୍ତରେ ଯାଇ ବେଦୀର ଉପରେ

ରେବତୀଙ୍କୁ ଘେନି ରଇବତ ନୃପବରେ ।

ବାଜଇ ଲକ୍ଷେ ମହୁରୀ ଲକ୍ଷେ ଶଙ୍ଖଧ୍ୱନି

ଗାବନ୍ତ ମଙ୍ଗଳ ଗୀତ ଅହିଅ କାମିନୀ ।

ବ୍ରହ୍ମାଏ ସାମ ଗାୟନ କରି ଉଚ୍ଚସ୍ୱରେ

ଚଣ୍ଡୀ ନୃସିଂହ କବଚ ପଢ଼ି ଯେ ଯାହାରେ ।

ଗନ୍ଧରବେ ନୃତ୍ୟ ଗୀତକରି ମୋଦ ବହି

ଉପାଙ୍ଗ କଂସାଳ ଅଳାବେଣୀ ବାଦ୍ୟ ବାଇ ।

ଇନ୍ଦ୍ରଆଦି କରିଣ ଯେ ସର୍ବ ଦେବତାଏ

ରାଜବର୍ଗ କ୍ଷତ୍ରକୁଳ ମର୍ତ୍ତେ ଯେତେ ରାୟେ ।

ବିଭା ସମ୍ଭାର ଦେଖିଣ ହୋଇ ତୋଷଚିତ୍ତ

ଯେ ଯାହାର ପରଶଂସା କରନ୍ତି ବହୁତ ।

କଳ୍ପ କଳ୍ପାନ୍ତରେ ଯାହା ଶୁଣିଲା ତ ନାହିଁ

ପ୍ରତ୍ୟକ୍ଷେ ନୟନେ ତାହା ଦେଖିଲୁ ଆମ୍ଭେ ହିଁ ।

କରଞ୍ଜ ଦ୍ୱୀପ ଲୋକେ ଯେ ସତ୍ୟଯୁଗେ ଜାତ

ସେ ଆସିଣ ଏତେ ଦୂରେ ହେଲେ ଉପଗତ ।

ଆଚାର୍ଯ୍ୟ ବରଣେ ବ୍ରହ୍ମା ବେଦୀପରେ ବସି

ଏ ସମୟେ ଏତାଦୃଶ ଦଣ୍ଡବେଳ ଆସି ।

ଉଭୟ ଗୋତ୍ର କରିଲେ ଧାତା ଉଚ୍ଚାରଣ

କୁଶ ଘେନି ବେନିକର କରିଲେ ବନ୍ଧନ  

ମହାମନ୍ତ୍ର ଉଚ୍ଚାରିଣ ବାନ୍ଧି କୁଶଗଣ୍ଠି

ଶଙ୍ଖେ ଜଳ ତିଳେନେଇ ଦେଲେ ପରମେଷ୍ଠି ।

ତିଳ ତୁଳସୀ ସଙ୍ଗରେ ଭରି ଗଙ୍ଗାଜଳ

ପୁନରପି ଉଚ୍ଚାରଣ କଲେ ବେନିକୁଳ ।

ଅନେକ ଯୌତୁକ ଦେଲେ ରଥ ଗଜ ଅଶ୍ୱ

ସୁବତ୍ସା ସହିତେ ଧେନୁ ଦେଲେକ ଅଶେଷ ।

ଦାସୀ ପରିବାରୀ ଗାଈ ସୁନା ରୂପା ତୁଲେ

ରୈବତ ରାଜ ଯୌତୁକ ମୋଦଭରେ ଦେଲେ ।

ମଞ୍ଚରୁ ଯେତେକ ଆସିଥିଲେ ଦଣ୍ଡଧାରୀ

ନାନାବିଧ ଯଉତୁକ ଦେଲେ ଯେ ଯାହାରି ।

ଯଦୁବଂଶ ନାରୀମାନେ ଅର୍ଘ୍ୟ ବନ୍ଦାଇଲେ

ସନକ ସନାତନାଦି ସ୍ତୁତିପାଠ କଲେ ।

ଗଣ ଗନ୍ଧର୍ବ ଦେବତା କଲେ ଜୟଧ୍ୱନୀ

ସ୍ତୁତି କଲ୍ୟାଣ କରିଲେ ନାରଦ ଯେ ମୁନି ।

ଇଦଂ ବାକ୍ୟ ବଦୟନ୍ତି ଶୁକ ପୁଣ୍ୟତମା

ହେ ରାଜା ଏ ବଳରାମ ରେବତୀ ମହିମା ।

ରେବତୀ କାୟା ଉତ୍ସର୍ଗ ହୋଇଥିଲା ଜାଣି

ବଳରାମ ଦେଲାଗି କ୍ଷୁଦ୍ର ହେଲା ପୁଣି ।

ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଦେଖିକରି ତାହା

ବୋଇଲେ ହୋଇଲା କେହ୍ନେ ଏହିରୂପେ ଏହା ।

ଅସୁର ଅଶଂରେ ଯେହୁ ହୋଇଥିବ ଜାତ

ଶରୀର ଅଟଇ ତାର ଅଠେଇଶ ହାତ ।

ଏଡ଼େ ଆଲୋକିତ କଥା ନ ଦେଖି ନୟନ

ବଳରାମ ଦେହଲାଗି ହୋଇଗଲା ସାନ ।

ଅବିବାହୀ କନ୍ୟା ଏ ତ ଚନ୍ଦ୍ରପ୍ରାୟେ ଦିଶି

ଦେଖିକରି ମୋହମାନ ହେଲେ ବ୍ରହ୍ମଋଷି ।

ଭଲ କନ୍ୟାଏ ପାଳିଣ ଥିଲେ ରଇବତ

ଯାହାକୁ ଯାହା ଘଟଣା କରିଛି ବିଧାତ ।

ତ୍ରିଭୁବନ ମୋହିନୀ ଏ ଅତୁଲାଇ ବାମା

ପରମ ମାହେଶ୍ୱରୀ ଏ ଅଟେ ରାଜଜେମା ।

ଏ ଯେବେ ସେହି ସ୍ୱରୂପ ଧରିଣ ଥାଆନ୍ତା ।

ଏହାକୁ କେବଣ ଲୋକ ବିବାହ ହୁଅନ୍ତା ।

ମହା ପର୍ବତ ପାରୁଶେ ଯେହ୍ନେ ଗିରି ଶୋଭା

ତେସନ ଏ ଦୁହିଁଙ୍କର ଅଟଇ ଯେ ଆଭା ।

କହୁଁ କହୁଁ ରୂପଗୋଟା ହୋଇଗଲା ଆନ

ଦେବତାଙ୍କ ମାୟା ଏ ତ ଅଟଇ ପ୍ରମାଣ ।

ଗଣ ଗନ୍ଧର୍ବ ଦେବତା ଯେତେ ତହିଁ ଥିଲେ

ମଞ୍ଚପୁର ରାଜାମାନେ ସମସ୍ତେ ଦେଖିଲେ ।

ସାତବଂଶ ଚଉରାଶୀ କୋଟି ଯଦୁବଳ

ବରଷକେ ଏହି ସ୍ଥାନେ ଆସିବେ ସକଳ ।

ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତ

କୁଶଗ୍ରନ୍ଥିକୁ ଫେଇଲେ ତହୁଁ ଚଉମାଥ ।

ଲାଜାହୋମ ଅନ୍ତେ ସୂର୍ଯ୍ୟଦେବ ଅର୍ଘ୍ୟଦେଲେ

ଷଡ଼ରସ ଭୋଜନକୁ ସକଳ ଭୁଞ୍ଜିଲେ ।

ବ୍ରହ୍ମା ଆଜ୍ଞାଦେଲେ ସର୍ବ ଦେବତାଙ୍କୁ ଚାହିଁ

ସ୍ୱର୍ଗ ମର୍ତ୍ତ୍ୟଲୋକ ଆସି ବାହନ ଆରୋହି ।

ରୈବତ ନୃପତି ଅଟେ ମହାଗୁରୁହଂସୀ

ସତ୍ୟଯୁଗ ମନୁଷ୍ୟ ଏ ଅଟେ ବିଶ୍ୱବାସୀ ।

ବହୁଦୂରରୁ ଆସିଛି କନ୍ୟାଗୋଟି ଘେନି

କୀର୍ତ୍ତି ରହୁ ଏହାଙ୍କର ସକଳ ମେଦିନୀ ।

ଅମରପୁର ପରାୟେ ଏହୁ ଶୋଭାବନ

ରୈବତ ପାଟଣା ନାମେ ହେଉ ଏ ପ୍ରମାଣ ।

ବଳରାମଙ୍କୁ ଚାହିଁଣ ଭଣି ବେଦବର

ଭୋ ସ୍ୱାମି ତୁମ୍ଭେ ଶୁଣିମା ବାକ୍ୟ ନୀଳାମ୍ୱର ।

ଏ ପର୍ବତ ଗୋଟି ତବ ଅଟେ ଉପକାରୀ

ରୈବତ ନାମ ଆଜହୁଁ ହେଉ ଯେ ଏହାରି ।

ସାତବଂଶ ଚଉରାଶୀ କୋଟି ଯଦୁବଳ

ବରଷକେ ଏହି ସ୍ଥାନେ ଆସିବେ ସକଳ ।

ତୁମ୍ଭର ସଖା ସୋଦର ପାରିଷଦ ଲୋକ

ଘୋଷଯାତ୍ରାକୁ ବିଜୟେ କରିବେ ଏତେକ ।

ଗଣ ଗନ୍ଧର୍ବ ଦେବତା ସଙ୍ଗେ ଶଚୀପତି

ଏହି ଯାତ୍ରାକୁ ଆସିବେ ହେ ରେବତୀ ପତି ।

ବଳରାମ ସନମତ କଲେ ସେ କଥାକୁ

ସର୍ବ ଦେବତାଙ୍କ ଶ୍ରଦ୍ଧା ବଳିଲା ଯାତ୍ରାକୁ ।

ସରିଲା ଚଉଠି ଅଷ୍ଟମଙ୍ଗଳାର ବିଧି

ଯେ ଯାହା ପୁରକୁ ଗଲେ ସର୍ବ ନୃପନିଧି ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଦେବତାଙ୍କ ମୂଳେ

ଯେ ଯାହା ଯାନ ଚଢ଼ିଣ ଗମିଲେ ସକଳେ ।

କୃଷ୍ଣ ବଳରାମ ଯଦୁବଳ ସଙ୍ଗେ ଧରି

ଦ୍ୱରକାପୁରେ ବିଜୟେ ଶୀଘ୍ର ଯାଇକରି ।

କନ୍ୟା ସମର୍ପଣ କରି ରଇବତ ରାୟେ

ଆପଣା ରାଜ୍ୟକୁ ତହୁଁ ସମଦଣ୍ଡ ଯାଏ ।

ପାଦୁକା ମନ୍ତ୍ରବଳରେ ରଥେକ ଆରୋହି

କରଞ୍ଜ ଦ୍ୱୀପେ ପ୍ରବେଶ ହୋଇଲେକ ଯାଇ ।

ଦୁହିତାକୁ ବିଭାଦେଇ ରାଜା ହୃଷ୍ଟଚିତ୍ତ

ଏଠାରୁ ରେବତୀ ବିଭା ହୋଇଲା ସମାପ୍ତ ।

ଇତିଶିରୀ ହରିବଂଶ ପୁରାଣର ବାଣୀ

ଅଠଷଠି ଅଧ୍ୟା ଏଥେ ସମାପତ ପୁଣି ।

ଜୟ ଜୟ କାମପାଳ ରେବତୀର ବନ୍ଧୁ

ଅପାର ମହିମା ତବ କୃପାଜଳ ସିନ୍ଧୁ ।

ଯୁଗ ଯୁଗପତି ତୁମ୍ଭେ ପରମ ପୁରୁଷ

ଯା ନାମ ଧରନ୍ତେ ଅଙ୍ଗୁ ହରଇ କଳ୍ମଷ ।

ଧବଳ ମୂରତି ତବ ଶ୍ୱେତବର୍ଣ୍ଣ କାୟେ

ଜନ୍ମ ମରଣ ବର୍ଜିତ କଳ୍ପାନ୍ତର ଯାଏ ।

ମସ୍ତକରେ ଶୋଭାପାଏ କୋଟି ସପ୍ତଫେଣି

ଚାମର ଚିକୁର କେଶ ଶୋଭା ଦିବ୍ୟବେଣୀ ।

ଦକ୍ଷିଣ କର୍ଣ୍ଣରେ ମୁଦ୍ରା ବାମରେ କୁଣ୍ଡଳ

ନୀଳବର୍ଣ୍ଣ ମେଘରେ କି ରବିର ମଣ୍ଡଳ ।

କଟିରେ ଝୀନବସନ କରେ ହଳ ସାଜେ

ଅଷ୍ଟାଙ୍ଗ ଯୋଗ ଜିତା ଯେ ଦେବ ଦେବରାଜେ ।

କୋଟି କନ୍ଦର୍ପ ସ୍ୱରୂପ କାମ କଳ୍ପନିଧି

ଅବହେଳେ ସାଧିପାରେ ଯେହୁ ଅଷ୍ଟସିଦ୍ଧି ।

ରେଖ ରୂପ ବିବର୍ଜିତ ଅଟଇ ଯାହାର

ଅନନ୍ତ ମାୟାଧର ଯେ ପ୍ରଭୁ ବିଶ୍ୱମ୍ୱର ।

କଳ୍ପତରୁ ସ୍ୱରୂପରେ ବିଜେ ସିଂହାସନ

ନାନା ରତନେ ଝଟକ ରାଜେ ତେଜବର୍ଣ୍ଣ ।

ବାଞ୍ଛା କଳ୍ପତରୁ କୂଟେ ଯେ ଦାରୁଣରୂପୀ

ସ୍ଥାବର ଜଙ୍ଗମ କୀଟ ପତଙ୍ଗରେ ବ୍ୟାପି  

ଅଶେଷ ମହିମା ଯାର କହୁ ନ ସରଇ

ମୁଁ କିସ କହିବି ତାହା ନରଦେହ ବହି ।

ସେ ବଳରାମ ଚରଣେ କୋଟି ନମସ୍କାର

ଅଚ୍ୟୁତ ଦାସକୁ ଭବୁଁ କରିବା ଉଦ୍ଧାର ।

 

ହରିବଂଶ ଷଷ୍ଠ ଖଣ୍ଡ

କୁମ୍ଭ ନିକୁମ୍ଭ ବଧ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ଚରଣରେ କରି ଦିବ୍ୟପୂଜା ।

ବୋଇଲେ ଭୋ ମୁନି କହ ମୋତେ ଆନବାଣୀ

ତଦନ୍ତେ କରିଲେ କିସ ହଳୀ ବେଣୁପାଣି ।

ଶ୍ରୀଶୁକ ବୋଇଲେ ତୁମ୍ଭେ ଶୁଣ ନରନାଥ

ସାତବଂଶ ଯାଦବନ୍ତ ଘେନି ଜଗନ୍ନାଥ ।

ବଳରାମ ସହିତରେ ତହୁଁ ଗଲେ ଚଳି

ଦ୍ୱାରକା ଅଭିମୁଖରେ ହୋଇ କୁତୂହଳୀ ।

ବିଭାର ସାମଗ୍ରୀମାନ ଆନନ୍ଦରେ ଭୁଞ୍ଜି

ସମ୍ଭରବେ ସବୁଙ୍କର ମନ ଅଛି ରଞ୍ଜି ।

ନାନା କଉତୁକେ ନିଦ୍ରା ଗଲେ ସର୍ବେ ରାତ୍ରେ

ବେଭାରେ ବୈଶାଖ ମାସ ଅଟଇ ଯୁକତେ ।

ଦକ୍ଷିଣା ପବନ ତହିଁ ବହେ ପରିମଳ

କୃଷ୍ଣଙ୍କ ପ୍ରସାଦେ ସର୍ବେ ମହା ମତୁଆଳ ।

ରଥିମାନେ ନିଦ୍ରା ଗଲେ ରଥର ଉପରେ

ଅଶ୍ୱଯୋଦ୍ଧା ଗଜଯୋଦ୍ଧା ଲୋଟନ୍ତି ଭୂମିରେ ।

ଧୀରେ ଧୀରେ କରି ତହୁଁ ଚଳିଯାନ୍ତେ ଥାଟ

ଥୋକାଏ ଆଗ ସରିଣ କଢ଼ାବନ୍ତି ବାଟ ।

ଥୋକାଏ ବୃକ୍ଷ ତଳରେ ରହି ନିଦ୍ରା ଯାଇ

ଥୋକାଏ ବସି ଶୀତଳ ଦ୍ରବ୍ୟମାନ ଖାଇ ।

ଥୋକେ ଡାଳିମ୍ୱ ଭକ୍ଷନ୍ତି ଥୋକେ ପିଇ ପଣା

କର୍ପୂର ବିଡ଼ିଆ ପାନ ଖାଇ ଅଗଣନା ।

ଅତି ଆନନ୍ଦେ ଚଳନ୍ତି ଦିବସ ରଜନୀ

କେ କାହାକୁ କୋଳ କରେ ଗାଢ଼େ ଯାଇପୁଣି ।

ସୁଶୀତଳ ଚନ୍ଦନ କେ ଲେପଇ ଅଙ୍ଗରେ

ଥୋକାଏ ରୁଣ୍ଡ ହୋଇଲେ ଚଳି ଧିରେଧିରେ ।

ଏସନ ପ୍ରକାରେ ତହୁଁ କେତେଦୂର ଗଲେ

ଗନ୍ଧବତୀ ନଗରର ତୋଟାରେ ପଶିଲେ ।

ଗନ୍ଧବତୀ ନାମେ ଗିରି ଅତିଶୟ ସଞ୍ଚ

ଦ୍ୱାବଶ କୋଶ ଦୀର୍ଘ ସେ ଦଶବେନି ଉଚ୍ଚ ।

ତହିଁର ପାଶେ ବିବର ଏକ ରହିଅଛି

ଅର୍ଦ୍ଧକୋଶ ଓସାରରେ ଗଭୀର ହୋଇଛି ।

ସାନନ୍ଦମନେ ପଶିଲେ ତହିଁରେ ସକଳେ

ରାମ ନିଦ୍ରିତ ଧରିଣ ରେବତୀକି କୋଳେ ।

ବିବର ଦ୍ୱାର ଜିଣିଣ ଭିତରକୁ ପଶି

ପଞ୍ଚଯୋଜନ ପର୍ଯ୍ୟନ୍ତେ କିଛି ଯେ ନ ଦିଶି ।

ଉଗ୍ରସେନ ବସୁଦେବ ଆଗୁଆଣି ଥିଲେ

ପ୍ରଥମରେ ବାଟଗୋଟି ସେହୁ କଢ଼ାଇଲେ ।

ଦିବସେ ସୁପଥମାନ ଦେଖାଯାଏ ଭଲା

ପଛ ଥାଟେ ନ ଜାଣନ୍ତି କିଏ କେଣେ ଗଲା ।

ଥୋକାଏ ଦୂର ଚଳିଲେ ସୁପଥର ମାର୍ଗେ

ନିବିଡ଼ ପାଷାଣ ପଡ଼ିଅଛି ତହିଁ ଲାଗେ ।

ସେ ଗର୍ତ୍ତେ ଶତେ ଦୁଆର ଅତି ଅଗଣନା

ସୈନ୍ୟଯାକ ସବୁ ତହିଁ ହୋଇଲେକ ବଣା ।

ସେହିବାଟେ ଚାଲିଗଲେ କେଡ଼େବଡ଼ ବଳ

ଗର୍ତ୍ତ ମଧ୍ୟେ ପଶି ନ ପାଇଲେ ଥଳକୂଳ ।

ବ୍ୟାଧ ଯେହ୍ନେ ପକ୍ଷୀମାନ ଯୋଖଇ ନଳରେ

ମାଛ ଯେହ୍ନେ ବନ୍ଦି ହୁଏ କୈବର୍ତ୍ତ ଜାଲରେ ।

ତେହ୍ନେ ଦୁର୍ଗମ ଭୂମିରେ ପଶିଲେକ ଥାଟ

ପଶିଣ ବଣା ହୁଅନ୍ତି ନ ପାଇଣ ବାଟ ।

ବିକଳେ ଦରାଣ୍ଡି ହୋଇ ବୁଲି ଚାରିଆଡ଼େ

ଆତଙ୍ଗେ ଚାଲି ଯାଆନ୍ତେ ପଡ଼ି ବଜ୍ରବାଡ଼େ ।

ଏକୁଁ ଆରେକ ପଛରେ ପଚାରନ୍ତି ରହି

ଚଳି ନ ପାରୁଛୁ ଆମ୍ଭେ ପଥଶ୍ରମ ପାଇ ।

କେ ବୋଲଇ ଏ ତ ଅଟେ ବିପରୀତ ବାଣୀ

ଏମନ୍ତ କଥା ଆମ୍ଭେ ସେ ଅଛୁ ପରିମାଣି ।

ଦେବର ନିର୍ବନ୍ଧ କେହୁ ଜାଣେ ତଥ୍ୟକରି

କେହୁ ବୋଲନ୍ତି ଏଥକୁ ଶଙ୍କା କିପାଁ ଧରି ।

ରାମ କୃଷ୍ଣ ସଙ୍ଗେ ଥିଲେ କାକୁ ନାହିଁ ଡର

ଏଥରୁ ବଳି ସଂକଟ ଥିଲା ଯେ ଆମ୍ଭର ।

ଜଗନ୍ନାଥ ପ୍ରସାଦରେ ସବୁ ଦୂର ହେଲା

ଏହି କିବା କଷଣଟି ହୋଇଅଛି ଭଲା ।

ଶ୍ରୀକୃଷ୍ଣଙ୍କ ମାୟାଠାରୁ ନୁହେଁ ଏ ସଙ୍କଟ

ଏହିକ୍ଷଣି ପାର ହେବା ଦିଶୁଅଛି ବାଟ ।

କେହୁ ବୋଲଇ ଏହାତ ଦଇବ କଷଣ

ଶୁଭକାଳରେ ଅଶୁଭ କରାଏ ଘଟଣ ।

ଏଡ଼େଭଳି ସଙ୍କଟ ତ ନୁହେଁ କେଭେ ଭଲ

ଗଣଗନ୍ଧର୍ବ ଦେବତା ହୋଇଥିଲେ ମେଳ ।

ଭାଙ୍ଗିଯାନ୍ତେ ନିଦ୍ରାସବୁ ଲାଗେ ମହାଭୀତି

ଧରାପରା ହୋଇକରି ଧାମନ୍ତି ଚୌକତି ।

ମହାସଙ୍କଟ ବ୍ୟୁହ ଯେ ଦୁରଗମ ବାଟ

ତହିଁରେ ପଶିବା ପାଇଁ ବଡ଼ାଇ ସଙ୍କଟ ।

ସେ ଗଡ଼ ମଧ୍ୟେ ଉଆସ ଅତିଶୟ ସଞ୍ଚ

ନାହିଁ ପଟାନ୍ତର ତାକୁ ସ୍ୱର୍ଗଆଦି ମଞ୍ଚ ।

ପୂର୍ବେ ନିର୍ମାଣିଲା ମୟନାମେ ବିଶ୍ୱକର୍ମା

କୁମ୍ଭକ ପାଟଣା ବୋଲି କଟକ ମହିମା ।

ଅତ୍ୟନ୍ତ ଗୁଣବନ୍ତ ସେ ଭୁମି ବିତପନ

ଦିର୍ଘପ୍ରତି ତାର ବିଂଶ ଦଶ ଆୟତନ ।

ଅଷ୍ଟରତନ ନିର୍ମିତ ଅଟଇ ସେ ପୁର

ସଂଗ୍ରାମେ ଜୟ କରି ନ ପାରି ଦେବାସୁର ।

କୁମ୍ଭକ ନାମରେ ତହିଁ ଅଟଇ ମହାରାଜ

ମଧୁ ନାମରେ ଦାନବ ଅଟେ ତା ତନୁଜ ।

ବସୁ ସତ୍ୟଗୁଗେ ସେହୁ ପୂଜିଲା ଶଙ୍କର

ସନ୍ତୋଷରେ ମହାଦେବ ଦେଲେ ତାକୁ ବର ।

ଅନେକ କାଳରୁ ସେହୁ ଅଛି ଦେହ ବହି

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ ।

ବଡ଼ାଇ ପ୍ରତାପୀ ସେହି ଦୈତ୍ୟ ରଣରଙ୍କା

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନିତ୍ୟ କରେ ଡକା ।

ଇନ୍ଦ୍ର ବଜ୍ରରେ ଅତୁଟ ଅଟେ ତାର ଅଙ୍ଗ

ଭୟଙ୍କର ଯୋଦ୍ଧାଗଣ ରଖିଥାଇ ସଙ୍ଗ ।

ଭୁଜକେ ଶତେକ ଇନ୍ଦ୍ର ଜିଣିପାରେ ରଣେ

ନବଖଣ୍ଡ ମେଦିନୀରୁ ଡାକି ଜଣେ ଜଣେ ।

ଦେବ ଇନ୍ଦ୍ର ଆଦିକରି କରୁଥାନ୍ତି ଭୟେ

ପାତାଳ ସ୍ୱର୍ଗ ଆଦିକି କରିପାରେ ଜୟେ ।

କୁମ୍ଭର ଯେ ସାନ ଭାଇ ନିକୁମ୍ଭ ଦଇତ

ଅନିର୍ବାର ଯୋଦ୍ଧା ସେହୁ ଦୈତ୍ୟବଳବନ୍ତ ।

ଯମ କୁବେର ନୈର୍ଋତ ଯାହାନାମେ ଡରି

ସ୍ୱର୍ଗପୁରେ ପଶି ଯେହୁ କଲେ ହୁରି ଜୂରି ।

ଦୁଇଭାଇ ରାଜ୍ୟ କରୁଥାନ୍ତି ଅପ୍ରମାଦେ

ଦେବେନ୍ଦ୍ର ବାସୁକି ଜିଣି ପାରନ୍ତି ବିବାଦେ ।

ଅନେକ କୂଟ କପଟମାନ ସେ ଆଚରି

ଯେ ଦିନ ଯାଦବେ ଗଲେ ରଇବତ ଗିରି ।

ଯିବାବେଳେ କୁମ୍ଭକ ସେ ବାର୍ତ୍ତା ଥିଲା ପାଇ

ଗୁପତ ଭାବରେ ଏତେ କପଟ ଭିଆଇ ।

ଗଡ଼ଦ୍ୱାର ମାଡ଼ିଯାଇ ବସିଲା ଆପଣେ

ବାଘମୁହୀଁ କଙ୍ଗୋଲାକୁ ଧରି ଜଣେ ଜଣେ ।

ଯୁକତରେ ଗୋ ବ୍ରାହ୍ମଣ ଅଟଇ ଯା ଭକ୍ଷ

ବୁଦ୍ଧିବଳେ କଉଶଳେ କରିଲେ ପ୍ରତ୍ୟକ୍ଷ ।

ଜାଲ ବସାଇ କୈବର୍ତ୍ତ ଯେହ୍ନେ ଥାଇ ଜଗି

ମାନବ ରକତ ପାଇଁ ତେହ୍ନେ ସେହୁ ଜାଗି ।

ଲୌହ ତୀକ୍ଷ୍‌ଣ ଶର ପାଶୁପତ ଗୁପ୍ତିକାତି

ଛୁରୀ ଯମଦାଢ଼ ବହୁ ସମ୍ପାଦି ଅଛନ୍ତି ।

କୋଦଣ୍ଡ କାଣ୍ଡ ଖଣ୍ଡା ଯେ ଧନୁ ବାରକନ

ତୀର କମାଣ ଶସ୍ତ୍ରନ୍ତ ଶକ୍ତି ଶୂଳନାନା ।

ଭିତରେ ଯାଦବ ସୈନ୍ୟ ହେଲେବେଗେ ଯାଇ

ପାଞ୍ଚ ଯୋଜନ ବ୍ୟୁହ ସେ ଅଛି ନିର୍ଭା ହୋଇ ।

ଏକଦ୍ୱାର ଆବୋରିଣ କୁମ୍ଭକ ଯେ ବସି

ଯାଦବମାନେ ବିକଳ ହ୍ୱନ୍ତି ତହିଁ ପଶି ।

ଏସନ ସଞ୍ଜାତ ଜାଣିପାରି ଦେବହରି

କେବଣ ଉପାୟ ବୋଲି ଚିତ୍ତରେ ବିଚାରି ।

ଏଡ଼େ ହରଷ କାଳରେ ହେଲା ଏଡ଼େ ମନ୍ଦ

ନିଶ୍ଚୟ ଜାଣିଲୁ ଆଜ ଘଟିବ ପ୍ରମାଦ ।

ବଡ଼ ଗରିଷ୍ଠ ଦାନବ ଅଟନ୍ତି ଏ ବେନି

ୟାଙ୍କନାମେ କମ୍ପମାନ ସମଗ୍ର ମେଦିନୀ ।

ଭାଙ୍ଗି ସ୍ୱର୍ଗ ଭୁବନ ଏ କଲେ ଲୁଟପାଟ

ଇନ୍ଦ୍ର ଗଙ୍ଗାଧରଙ୍କୁ ଏ କରନ୍ତି ଉଚ୍ଚାଟ ।

ଗୋରୁ ବ୍ରାହ୍ମଣ ମଇଁଷି କରନ୍ତି ଆହାର

ପାପ ପୁଣ୍ୟ କରମକୁ ନାହିଁ ନା ବିଚାର ।

ଆକୁଳ ହୋଇବା ଦେଖି ଯାଦବ ସଇନି

ଜଗନ୍ନାଥ ମନ ମଧ୍ୟେ କରନ୍ତି ଭାଳେଣି ।

ଗଡ଼ଦ୍ୱାରେ ଯୋଦ୍ଧାମାନେ ଥିଲେକ ଅନାଇଁ

ଯାଦବ ସଇନି ଦେଖି ବାହାସ୍ଫୋଟ ଦେଇ ।

ନିରେଖି ଚାହିଁଲେ ତାଙ୍କୁ ଦେବ ଚକ୍ରଧର

ଦେଖିଲେ ଦୈତ୍ର ଆବୋରିଛନ୍ତି ଗଡ଼ଦ୍ୱାର ।

କରରେ ଶସ୍ତ୍ର ଧରିଣ ଦୈତ୍ୟେ ବିକରାଳ

ରେରେକାଳ ଧ୍ୱନିରେ ସେ କରନ୍ତି ଚହଳ ।

କୁମ୍ଭକ ରାକ୍ଷସ ତହୁଁ ଅଶ୍ୱେକ ଆରୋହି

ରେରେକାର କରି ବେଗେ ଧାଇଁ ସେ ପଡ଼ଇ ।

କୁମ୍ଭକ ପଛେ ନିକୁମ୍ଭ ହୋଇଲା ବାହାର

ପାରିଦଣ୍ଡ ଆବୋରିଣ ଛନ୍ତି ଗଡ଼ଦ୍ୱାର ।

ପାତ୍ର ମନ୍ତ୍ରୀ ଅମନାତ୍ୟ ଗଜଅଶ୍ୱ ରଥ

ଗାଢ଼ଭାବେ ଆବୋରିଲେ ଗଡ଼କୁ ତୁରିତ ।

ମେଘ ଗଡ଼ଘଡ଼ି ଛିଟିକିଣି ବଜ୍ରବାଣ

ନାନାବିଧ ଶସ୍ତ୍ରମାନ ପେଷି ଅପ୍ରମାଣ ।

ଭୟଙ୍କର ଦିଶୁଛନ୍ତି ଦୈତ୍ୟ ମହାବଳୀ

ନାଚନ୍ତି ମନ୍ଦିରାପାନେ ଦେଇ ହୁଳହୁଳି ।

ବିକଟ ବଦନ କାର ଫୁରୁ ଫୁରୁ କେଶ

ମନ୍ଦାର ଆଭରଣ କେ ଭୟଙ୍କର ବେଶ ।

କହୁଁ କହୁଁ ଦୈତ୍ୟମାନେ ପଡ଼ୁଛନ୍ତି ମାଡ଼ି

ଯାଦବ ଦେଖିଣ ତାହା ଭୟେ କରଯୋଡ଼ି ।

କେଣିକି ଯିବା ଏବେ ହେ ବାଟ ଦିଶୁନାହିଁ

ଅସୁର ଦ୍ୱାରେ ଆବୋରି ଉପରକୁ ଚାହିଁ ।

ଓଷ୍ଠ କଣ୍ଠ ତାଳୁକା ଯେ ଶୁଖେ ବିକରାଳ

ଅଖଡ଼େ ପଡ଼ିଲୁ ଆସି ଶେଷ ଆମ୍ଭ କାଳ ।

କାହିଁ ଆମ୍ଭେ ଥିଲୁ କାହିଁ ହେଲୁ ଏଥେଁ ଆସି

ନ ଜାଣି କେଉଁ ସ୍ଥାନକୁ ଯିବୁ ଅବା ପଶି ।

ବରଜାତିପଣେ ଆସି ଭୁଞ୍ଜିଲୁ ଏ ଯୋଗ

କେହୁ ବୋଲନ୍ତି ଅଟଇ ଆମ୍ଭ ମନ୍ଦ ଭାଗ୍ୟ ।

ଭୟମନରେ ଯାଦବ ସୈନ୍ୟ ରୁଣ୍ଡହୋଇ

ପାଞ୍ଜ ଯୋଜନ ବ୍ୟୂହରେ ପଶନ୍ତି ଧସାଇ ।

ଏସନ ବାରତା ଗୋଟି ଜାଣି ଦେବ ହରି

କେଉଁ ଉପାୟ କରିବା ଚିତ୍ତରେ ବିଚାରି ।

ଏଡ଼େ ହରଷ ସମୟେ ଘଟେ ଆସି ମନ୍ଦ

ନିଶ୍ଚୟ ଜାଣିଲୁ ଆଜ ଦେବ ପରମାଦ ।

ଗରିଷ୍ଠ ଦାନବ କୁମ୍ଭ ନିକୁମ୍ଭ ଏ ବେନି

ୟାଙ୍କନାମେ କମ୍ପମାନ ସମଗ୍ର ମେଦିନୀ ।

ନ୍ୟାୟ ଅନ୍ୟାୟ ବିଚାର ନାହିଁ ନା ୟାଙ୍କର

ଅଜ୍ଞାନ ଦୈରାତ୍ମ୍ୟମାନ କରନ୍ତି ଅପାର ।

ଏହାଙ୍କୁ ନ ମାଇଲେ ତ ଭଲ ଦଶା ନାହିଁ

ଖଣ୍ଡିବି ଧରଣୀଭାର ଆଜି ନିଶ୍ଚେ ମୁହିଁ ।

ଏତେ ଭାଳିଣ ସାରଙ୍ଗ ଧନୁ ଧରି କରେ

ଦକ୍ଷିଣ ହସ୍ତରେ ଶସ୍ତ୍ର ବିନ୍ଧନ୍ତି ସତ୍ୱରେ ।

ବାଛିଣ ଶରମାନ ସେ ଆକର୍ଷିଣ ବିନ୍ଧି

ଯାଦବ ମାନେ ଯେଝାରେ ଶରମାନ ସନ୍ଧି ।

ନାରାଚ ଆସନ୍ତେ କୁମ୍ଭ ଦଇତ ଅନାଇ

ବାବଲ ପଞ୍ଚବାଣ ସେ ସନ୍ଧେ ବେଗେ ନେଇ ।

ମଧ୍ୟସ୍ଥଳେ ଦୁଇ ଶର ହୋଇ ଭେଟାଭେଟି

ଦୁଇ ଦୁଇ ଖଣ୍ଡ କରି ପକାଇଲେ କାଟି ।

ପୁଣି ସହସ୍ରେକ ବାଣ ପେଷି ଦେବ ହରି

ଆକାଶ ପଥରେ ଶର ଚଳେ ବେଗକରି ।

ଦୂରହୁଁ ଦେଖିଲା ତାହା ସେ କୁମ୍ଭ ଅସୁର

ତାମସ ସହସ୍ର ବାଣ ପେଷି ଧାତିକାର ।

ନାରାଚେ ନାରାଚ ବାଜି ହୋଇ ସମତୁଲ

ଉଠିଲା ପ୍ରଚଣ୍ଡ ବହ୍ନି ହୋଇ ବିକରାଳ ।

ଦେଖି ପ୍ରଶଂସା କଲେ ତାକୁ ଦେବହରି

ଧନ୍ୟରେ କୁମ୍ଭ ଅସୁର ତୋତେ କେବା ସରି ।

କୁମ୍ଭର ସାନଭାଇ ଯେ ନିକୁମ୍ଭ ଅସୁର

ବଳରାମ ପାଶେ ରଥ ଟେକେ ଧାତିକାର ।

ବାସୁଦେବ ଉଗ୍ରସେନ ଅନାଧୃଷ୍ଟ ଯୋଗୀ

କୃତବର୍ମା ସାତ୍ୟକି ଯେ ଉଦ୍ଧବ ଏ ଆଦି ।

ଶକ୍ରାଜିତ ସସ୍ରାଜିତ ପଦ୍ମନ କୁମର

ସଂଗ୍ରାମ ଆବୋରି ଯୁଦ୍ଧ କଲେ ଯେ ଯାହାର ।

ଅନିର୍ବାର ଯୋଦ୍ଧା ସେହୁ ବଳେ ମହାବଳୀ

ମନକଲେ ପରବତ ପାରନ୍ତି ସେ ଟାଳି ।

ପଞ୍ଚଜନ୍ୟ ଶଙ୍ଖ ଶବ୍ଦ କରନ୍ତେ ଶ୍ରୀହରି

ସର୍ବ ଯାଦବେ ଧାଇଁଲେ ଶବ୍ଦ ଅନୁସରି ।

ବ୍ୟୁହମଧ୍ୟେ ପଶି ଯେଟି ବଣା ହୋଇଥିଲେ

ଶଙ୍ଖ ଶବ୍ଦ ଶୁଣି ସେହୁ ଏକରୁଣ୍ଡ ହେଲେ ।

ସବୁ ପାସୋରିଲେ ଶ୍ରୀହରିଙ୍କ ମୁଖ ଦେଖି

ହୃଦୟ ମଧ୍ୟରେ ଭୟ ନାହିଁ କାହାରିକି ।

ଯୁଦ୍ଧ ଆରମ୍ଭ କରିଲେ ଶସ୍ତ୍ର ଧରି କରେ

ଅଧରକୁ ପୁଷ୍ଟକରି ଯୁଝନ୍ତି ଯେଝାରେ ।

କୋଦଣ୍ଡ ଅସିପତ୍ର ଯେ ଲାଙ୍କିଆଦି ବାଣ

ତୀକ୍ଷ୍‌ଣମୁନା ସାତମୁନା ବର୍କନା ଏ ଜାଣ ।

ଗଦା ମୁଦୁଗର ଆଉ ଭୁଷଣ୍ଡି ତୋମର

ଅସଂଖ୍ୟବାଣ ମାରନ୍ତି ହୋଇ କୋପଭର ।

ରଟମଟ ଶବ୍ଦ ବିକଟାଳ ଦାନ୍ତପାଟି

ଏକମୁଖ ନାରାଚ ସେ ବିନ୍ଧି କୋଟି କୋଟି ।

ରଣ ଝଣ ଶବଦ ସେ ଶୁଭେ ବିକରାଳି

ଗଗନ ପଥେ ଅଦୃଶ୍ୟ ହେଲେ ଅଶୁଂମାଳୀ ।

ହସ୍ତୀଙ୍କର କଣ୍ଠଧ୍ୱନି ଅଶ୍ୱ ହ୍ରେଷାରବ

ଗଜଙ୍କ ଘଣ୍ଟି ଘାଗୁଡ଼ି ଶୁଭେ ଅସମ୍ଭବ ।

କୋଦଣ୍ଡ କାଣ୍ଡର ରାବ କଙ୍କ ତଡ଼ମଡ଼ି

ନିର୍ଘାତ ଶବ୍ଦ କି ହୁଏ ମେଘେ ଘଡ଼ଘଡ଼ି ।

ପାଦଘାତେ ଥରହର ହୁଏ ବସୁମତୀ

ନିରନ୍ତର ବିଦ୍ୟୁନ୍ମାଳା ଝଟକେ ଚୌକତି ।

ଶ୍ରାବଣମାସରେ ମେଘ ବରଷିଲା ପରି

ବାଣମାନ ପଡ଼ୁଛହି ଶୂନ୍ୟୁ ସେହିପରି ।

ରଥୀର ସଙ୍ଗେ ରଥୀର ଯୁଦ୍ଧ ଅପ୍ରମିତ

ଯୋଦ୍ଧାଅଙ୍ଗେ ଯୋଦ୍ଧାଶର ମାରଇ ବହୁତ ।

ଯେଝା ଅନୂରୂପ ସର୍ବେ ସମର କରନ୍ତି

ଗଜଯୂଥ ସଙ୍ଗେ ଗଜ ଉଭାରି ଅଛନ୍ତି ।

ମାହୁନ୍ତ ମାନଙ୍କ ହସ୍ତେ ଅଛି ପୁଣି କୋନ୍ତ

ଅସୁରେ ଅଶ୍ୱ ଚଢ଼ିଣ ମାରନ୍ତି ବହୁତ ।

ଉଡ଼ନ୍ତା ପର୍ବତପ୍ରାୟ ଦିଶନ୍ତି ସକଳ

ଅଶ୍ୱ ଆରୋହି ରାଉତେ ଯାନ୍ତି ଦଳ ଦଳ ।

ବତିଶ ଆଢ଼େଣୀ ସଜ ହେଲେ ଯେ ଯାହାରେ

ସେ କାଳେ ସମର କେହୁ ମୁଖେ କହିପାରେ ।

ବାସ୍ତରି ବିନ୍ଧାଣେ ଲୁହାଶରେ ଶର ଛନ୍ଦି

ପଦାତି ଅଙ୍ଗେ ପଦାତି ଶରମାନ ବିନ୍ଧି ।

ଅଗୋଚର ସମର ଯେ ନାହିଁ ତିନି ପୁରୀ

ଜଣ ଜଣକେ ଯାଦବ ବିଷ୍ଣୁରୂପ ଧରି ।

ଆପଣାର ତେଜ ଦେଇଛନ୍ତି ଦେବରାୟେ

ଗୁପତେ ଜନମିଛନ୍ତି ଧରି ନରକାୟେ ।

ଅସୁର କାମରୂପୀ ଯେ ଜାଣି ବହୁମାୟା

ସମରରେ ଧରନ୍ତି ସେ ପରପଞ୍ଚ କାୟା ।

ଲହଲହ ଜିହ୍ୱା ବିକରାଳ ମୂର୍ତ୍ତି ନାନା

ରୂପ ଭୟଙ୍କର ଛନ୍ଦ ଜାଣନ୍ତି ସେ କିନା ।

ମୁଦ୍‌ଗର ଲୌହ ସାବେଳି ଭୈରବ କଟାର

କିଳିକିଳା ନାଦ ଦେଇ ଧାଇଁ ବିକରାଳ ।

ମଦିରା ଖାଇକରି ନାଟି ଖେମଟା ନାଟ

ଲହ ଲହ ବିକରାଳ ଦୀର୍ଘ ଥନ୍ତଲ ପେଟ ।

ମାଇଲେ ନ ମରନ୍ତି ସେ ଜୀଅନ୍ତା ଲେଉଟି

ଛିଣ୍ଡିଲା ମୁଖ ଗର୍ଜନ୍ତି ନୟନ ତରାଟି ।

ନିର୍ଭୟରେ ଦୈତ୍ୟସୈନ୍ୟ ପଡ଼ୁଛନ୍ତି ମାଡ଼ି

ଯାଦବଙ୍କ ବାଣେ ଦଶ ବିଂଶଯାନ୍ତି ଛିଡ଼ି ।

ଯେସନେକ ପକ୍ୱଫଳ ବୃକ୍ଷୁ ଝଡ଼ିପଡ଼େ

ସେ ରୂପେ କୋଟି କବନ୍ଧ ଭୂତଳରେ ଗଡ଼େ ।

ଦୁର୍ବାର ଦାନବ ବଳ ନାହିଁ କାକୁ ଶଙ୍କା

ମଡ଼ାନ୍ତ ମାଡ଼ିଣ ଆଗ ହ୍ୱନ୍ତି ରଣରଙ୍କା ।

ଦୈତ୍ୟଙ୍କ ବାଣ ନ ଲାଗେ ଯାଦବଙ୍କ ଅଙ୍ଗେ

ବିଷ୍ଣୁଙ୍କ ତେଜରେ ବିହରନ୍ତି ନାନାରଙ୍ଗେ ।

ବସୁଦେବ ଉଗ୍ରସେନ ଅନାଧୃଷ୍ଟ ବୀର

ରଥୀ ମହାରଥୀ ଜେନା ପାଇକ ଆବର ।

ଉଦ୍ଧବ ଶକ୍ରାଜିତ ଯେ ଆଉ କୃପବ୍ରହ୍ମା

କହନ୍ତେଣ ନ ସରଇ ଏହାଙ୍କ ମହିମା ।

ସାତବଂଶ ଯାଦବ ଚୌରାଶୀକୋଟି ବଳ

ଯେଝା ଅନୁରୂପେ ଦୈତ୍ୟ ମାରନ୍ତି ସକଳ ।

କଂସ ରାଜାର ସାନୁଜ ସୁନାସର ସୁତ

ଉଗ୍ରସେନ ନାତି ନାମ ଅଟଇ ସୁରଥ ।

ଯଦୁବଂଶ ଟୀକାୟତ ଜ୍ୟେଷ୍ଠପୁତ୍ର ଯେନା

ମହାରଥୀ ସଙ୍ଗେ ସେହୁ ଅଟଇ ଗଣନା ।

ରାମ କୃଷ୍ଣ ସହ ଶାନ୍ତିପନି ପୁରେ ଗଲେ

ଯନ୍ତ୍ର ମନ୍ତ୍ର ଆଦି ସର୍ବ ବିଦ୍ୟାନ୍ତ ଶିଖିଲେ ।

ବହୁ ଦୟା କରିଥାନ୍ତି ରାମ ଚକ୍ରପାଣି

ମଧୁବନ କଟକେ ସେ ଟୀକାୟତ ପୁଣି ।

ବଡ଼ଇ ଶୂରବନ୍ତ ସେ ଯଦୁବଂଶ ବଳା

ରେରେକାର କରି ରଥ ଚଢ଼ି ଅନର୍ଗଳା ।

ପଞ୍ଚାଶ ସହସ୍ର ବଳ ଧନୁ ଧରି କରେ

ଅଭିମନ୍ତ୍ରି ଶରମାନ ବିନ୍ଧେ ରୋଷଭରେ ।

ରଥ ଗଜ ଅଶ୍ୱ ପଦାତିକ ବଳ ଘୋଟି

ଦଶ ବିଂଶ ପଞ୍ଚାଶତ ବାଣକରେ ଲୋଟି ।

ମହାବାତେ ରମ୍ଭାବନ ଭାଙ୍ଗଇ ଯେସନେ

ଭୂତଳରେ ଯୋଦ୍ଧାମାନେ ଲୋଟନ୍ତି ତେସନେ ।

ବହିଲା ରକତନଦୀ ସମର ମଣ୍ଡଳେ

କ୍ରୀଡ଼ନ୍ତି ଯେ ଯୋଦ୍ଧାମାନେ ଅତି କୂତୁହଳେ ।

ଲକ୍ଷେକ କବନ୍ଧ ନାଚି ରଣରଙ୍ଗେ ଉଠି

ଗର୍ଜିଣ ଧାମନ୍ତି ସେହୁ ଜୀଇଣ ଲେଉଟି ।

ଗର୍ଭରୁ ମୁଣ୍ଡମାନ ଯେ ହୁଅଇ ବାହାର

ଛିଡ଼ିଗଲା ମୁଣ୍ଡ ପୁଣି ଲାଗଇ କାନ୍ଧର ।

ପୂର୍ବରୁ ଦଇତ୍ୟେ କରିଛନ୍ତି ଶିବସେବା

ସନ୍ତୋଷେ ବର ତାହାକୁ ଦେଲେ ମହାଦେବା ।

ତ୍ରିବାର ସତ୍ୟ କରିଣ ବୋଇଲେ ଧୂର୍ଜ୍ଜଟୀ

ତ୍ରିବାର ଛିଡ଼ିଲେ ମୁଣ୍ଡ ଲାଗିବ ଲେଉଟି ।

ମୁଣ୍ଡମାନ ଉପୁଜଇ ତେଣୁ ଉଦରରୁ

ପୁଣି କାଟିଦ୍ୟନ୍ତେ ଛିଡ଼ି ପଡ଼ଇ କନ୍ଧରୁ ।

ରଥ ଗଜ ପଦାତିକ ଅଶ୍ୱ ବଳବାନ

ସମସ୍ତଙ୍କୁ ଏହି ବର ଦେଲେ ତ୍ରିଲୋଚନ ।

ତେଣୁ ଅସୁରେ ମାଇଲେ କେବେ ନ ମରନ୍ତି

ତ୍ରିବାର ଛିଡ଼ିବାଯାଏ କନ୍ଧରେ ଲାଗନ୍ତି ।

ଯାଦବେ ମଣନ୍ତି ତାହା ଅପୂରୁବ ଚାହିଁ

ନିରନ୍ତରେ ଶସ୍ତ୍ର ଧରି ମାରନ୍ତି ନିଠାଇ ।

ଏକ ନାରାଚକେ ଦଶବିଂଶ ଛିଡ଼ିପଡ଼େ

ଅପ୍ରମିତ କନ୍ଧମାନ ଭୂତଳରେ ଗଡ଼େ ।

ନଦୀ ପରକାରେ ରକ୍ତଧାର ବହିଯାଏ

ମଡ଼ା ଭାସନ୍ତି ଶୁଖିଲା କାଠର ପରାୟେ ।

କଂସର ପୁତୁରା ଏକ ମାରେ ବହୁ ସୈନି

ସାଧୁ ସାଧୁ ସ୍ତୁତିକରି ସୁରସିଦ୍ଧ ମୁନି ।

ଭାଙ୍ଗିଣ ରାକ୍ଷସବଳ ଯାନ୍ତି ଏଣେ ତେଣେ

ପକ୍ଷିଏ ବାସ ଲଗ୍ନରେ ପଳାନ୍ତି ଯେସନେ ।

ରକତନଦୀ ପ୍ରଖର ସ୍ରୋତରେ ବହଇ

ଦନ୍ତେ ତିରଣ କାମୋଡ଼ି ବୋଲେ ରଖ ଭାଇ ।

ଶସ୍ତ୍ରକୁ ପକାଇ କେହୁ ପଶଇ ଶରଣ

ରକ୍ଷାକର ରକ୍ଷାକର ବୋଲେ କେ ଉଚ୍ଚେଣ ।

କାହାର ଆଣ୍ଠୁ ଯେ ଛିଡ଼େ ଛିଡ଼େ କାର ମୁଣ୍ଡ

ଶରାଘାତେ କାର ମୁଣ୍ଡ ହୁଏ ଖଣ୍ଡ ଖଣ୍ଡ ।

କାର ଚରଣ ଛିଡ଼ଇ ଛିଣ୍ଡେ କାର କର

କାହାର ନୟନ ବେନି ହୋଇ ନାରଖାର ।

କାହାର ଗୋଡ଼ ଛିଣ୍ଡଇ ଭାଙ୍ଗେ କାର ପିଠି

କାକୁ ରଥ ମାଡ଼ିଗଲା ନ ପାରଇ ଉଠି ।

ମଡ଼ାର ଉପରେ ମଡ଼ା ପଡ଼ି ଅତି ସଞ୍ଚ

ଦେଖିଣ ସନ୍ତୋଷ ହେଲେ ସ୍ୱର୍ଗପୁର ମଞ୍ଚ ।

ଶୁକମୁନି ବୋଇଲେକ ଶୁଣ ନୃପମଣି

ବଳକୁ ବେଳ ହୋଇଲା ମହତ ଆରେଣି ।

ବୀଣା ବଜାଇ ନାଚନ୍ତି ନାରଦ ମହର୍ଷି

ଆକାଶରେ ଥାଇ ଉଚ୍ଚ ଜୟ ଜୟ ଭାଷି ।

ଲାଗୁ ଲାଗୁ ବୋଲି ଆଣ୍ଟ କରିଣ ବୋଇଲେ

କଳି ଧୋକଡ଼ି ମୁଣିରୁ ବିଭୂତି ଫିଙ୍ଗିଲେ ।

ଚାହୁଁ ଚାହୁଁ ମହାଦ୍ୱନ୍ଦ ଲାଗେ ଗାଢ଼ଭରେ

ଭାଙ୍ଗିଲେ ଅସୁର ସୈନ୍ୟ ଯାଦବଙ୍କ ଡରେ ।

ମେଘାସୁର ବୋଲି କରି ବ୍ରହ୍ମାସୁର ବଳା

ବଳବନ୍ତ ଦୈତ୍ୟ ସେହୁ ଯୁଦ୍ଧେ ଅନର୍ଗଳା ।

ଈଶ୍ୱରଙ୍କୁ ସେବା କରି ପାଇ ରହୁବର

ଲକ୍ଷେ ପରାକ୍ରମ ଅଙ୍ଗେ ବହଇ ଅସୁର ।

ପାଞ୍ଚସସ୍ର ଲୁହାଧନୁ ବାମକରେ ଧରି

ବେଗେଣ ଧାମଇ ସେହୁ ରେରେକାର କରି ।

ରହ ରହ ସୈନ୍ୟ ବୋଲି ଓଗାଳିଲା ଆଗେ

ଅସମ୍ଭବ ଯୁଦ୍ଧ ସେହୁ ଜାଣେ ଅତି ବାଗେ ।

ବନ୍ଧକୁ ଆବୋରି ଯେହ୍ନେ ରହେ ବନ୍ଧଜଳ

ତେସନେକ ଆବୋରିଲେ ସେ ଅସୁର ବଳ ।

ଗୁଣସାଗର ମନ୍ତ୍ରୀ ଯେ ଅଛି ତାର ତୁଲେ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସେ ଜିଣିପାରେ ବଳେ ।

ସଙ୍ଗେ ଚତୁରଙ୍ଗ ବଳ ସୈନ୍ୟ ଅଗଣିତା

ଧାତିକାରେ ଧାଏଁ ସେହି ଗଣେ ମହାମତ୍ତା ।

ଅଶୀ ସହସ୍ର ଧନୁରେ ଗୁରାଇଣ ବାଣ

କର୍ଣ୍ଣମୂଳଯାଏ ଟାଣି ବିନ୍ଧେ ତତକ୍ଷଣ ।

ପୁଣି ଶହେବାଣ ଗୁଣେ ବସାଇ ସରାଗେ

ହୁଂକାର ଧ୍ୱନି କରିଣ ବିନ୍ଧେ ଅତିବେଗେ ।

ପୁଣି କହିବା ମାତ୍ରକେ ସସ୍ରେ ବାଣ ଧରି

ଯାଦବଙ୍କ ଉପରକୁ ବିନ୍ଧେ ରୋଷଭରି ।

ମେଘାସୁର ବାଣମାନ ବିନ୍ଧେ ସେହିମତେ

ଯେଝାରେ ବାଣ ବିନ୍ଧନ୍ତି ଯେଝା ଅନୁମତେ ।

ଚଳିଯାନ୍ତି ବାଣଗଣେ ଆକାଶକୁ ଘୋଟି

ଆଖି ପିଛଡ଼ାମାତ୍ରକେ ପେଷି କୋଟି କୋଟି ।

ମହୁପୋକ ଗର୍ଜି ଯେହ୍ନେ ଉପରକୁ ମାଡ଼ି

ଝଟଝଟ ବିଦ୍ୟୁତ୍ ଯେହ୍ନେ ଆକାଶରେ ପଡ଼ି ।

ଦୂରରୁ ଦେଖିଣ ତାହା ଉଗ୍ରସସେନ ନାତି

ବାବଲ ଶତେକ ବାଣ ପେଷି ଶୀଘ୍ରଗତି ।

ଶରେ ଶର ପରିତାଳ ହେଲା ଏକାବେଳେ

ଉଡ଼ିଲେ ନାରାଚମାନେ ଆକାଶ ମଣ୍ଡଳେ ।

ଦେଖିକରି ମେଘାସୁର କୋପେ ପରଜ୍ଜଳି

ପର୍ବତ ଶରକୁ ପୁଣି ପେଷେ ମହାବଳୀ ।

ଉଡ଼ିଣ ପର୍ବତମାନେ ରହିଲେ ଆକାଶେ

ଦିନକର ଅଦୃଶ୍ୟ ଯେ ସେ ତେଜର ତ୍ରାସେ ।

ଶାଳ ଶିଳ ବନଲତା ଯେତେ ଗିରିବର

ମନ୍ତ୍ରବଳେ ବାଣତେଜେ ହୋଇଲେ ବିସ୍ତାର ।

ବ୍ରଜଶର ବେଗେ ପେଷୁ ସେ ସୁରଥ ଜେନା

ଭାଙ୍ଗିକରି ଗିରିମାନେ ହୋଇଗଲେ ଚୂନା ।

ପୁଣି ପନ୍ନଗାଶରକୁ ପେଶିଲା ଅସୁର

ଗରୁଡ଼ ଶର ପେଷଇ ସେ ସୁରଥ ବୀର ।

ବ୍ରହ୍ମଶର ପେଷେ ପୁଣି ସେ ଅସୁର ଈଶ

ନିବିଡ଼ ଘୋର ଯାମିନୀ ଘୋଟେ ଦଶଦିଶ ।

ସୂର୍ଯ୍ୟଶର ପେଷିଦ୍ୟନ୍ତେ ସୁନାସ କୁମର

ଘୋଟିଗଲା ସୂର୍ଯ୍ୟତେଜ ଛାଡ଼ିଲା ଅନ୍ଧାର ।

ଶୁଣି ଜଳଧାରା ଶର ପେଷେ ଦ୍ୱୈତମଣି

ପବନା ଶରେ ସୁରଥ ପକାଇଲା ହାଣି ।

ବେଳକୁ ବେଳ ସମର ବଢ଼େ ଅନୁକ୍ଷଣ

ସମରେ ନିଃଶଙ୍କ ସେହି ସୁନାଶ ନନ୍ଦନ ।

ସୁରଥ କ୍ରୋଧେ ବୋଲଇ ଅସୁରଙ୍କୁ ଚାହିଁ

ଅକାରଣେ ବୈରି ତୁମ୍ଭେ ହେଲ କାହିଁପାଇଁ ।

ଅଶେଷ କୋଟି ବ୍ରହ୍ମାଣ୍ଡେ ଯେହୁ ଅଧିକାରୀ

କୁଟୁମ୍ବ ଅଟୁ ସକଳେ ଆମ୍ଭେ ଯେ ତାଙ୍କରି ।

ତାହାଙ୍କ ଆଶ୍ରିତେ ବର୍ତ୍ତିଅଛୁ ଯଦୁବଳ

ସେ ଆମ୍ଭର ଧନ ଧର୍ମ ଦରିଦ୍ର ସମ୍ବଳ ।

ତାହାଙ୍କ ପ୍ରସନ୍ନେ ଆମ୍ଭେ ଜଗଜ୍ଜିତା ଅଟୁ

ଏକା ନିଃଶ୍ୱାସକେ ତିନିପୁରଯାକ ଘୋଟୁ ।

ଅଇଲୁ କେଉଁ ବାଟରେ ପଶିଲୁ ଯେ କାହିଁ

ଏତେ ଦ୍ୱନ୍ଦ ହେବ ବୋଲି ଜଣା ନ ଥିଲା ହିଁ ।

ଆମ୍ଭ ଭଳି ଲୋକ ସଙ୍ଗେ ଲଗାଇଣ କଳି

ସାମାନ୍ୟ ନୁହଁ ତୁମ୍ଭେ ତ ଅଟ ମହାବଳୀ ।

ଗଣ ଗନ୍ଧର୍ବ ଦେବତା ହାରିଯିବେ ଭଲେ

ଏମନ୍ତ କୂଟ କପଟ କର ଯେ ଶୟଳେ ।

ଗୋ ବ୍ରାହ୍ମଣ ଦେବ ଋଷିଙ୍କର ଦର୍ପ ହରି

ଏଡ଼େ ଅନ୍ୟାୟ ବେଭାର ଅଟଇ ତୁମ୍ଭରି ।

ତୁମ୍ଭକୁ ନ ମାରୁ କାହିଁ ମହୀ ରହେ ଭଲେ

ଏଡ଼େ ବଡ଼ ସଙ୍କଟ ତ ଲଭି ତୁମ୍ଭ ତୁଲେ ।

ଏତେ ବୋଲି ତୀକ୍ଷ୍‌ଣମୁନା ବାଣ କରେ ଧରି

ଗୁଣରେ ବସାଇ ଶର ପେଷି ବେଗ କରି ।

କର୍ଣ୍ଣମୂଳ ପରିଯନ୍ତେ ଆକର୍ଷିଣ ଟାଣି

ସମ୍ଭାଳ ମେଘାସୁରରେ ବୋଲି ଉଚ୍ଚେ ଭଣି ।

ଅନିବାରଣ ଶର ଯେ ଚଳେ ଅତି ବେଗେ

କୃତାନ୍ତ ପରାୟେ ସେହୁ ରହେ ଅଧାସ୍ୱର୍ଗେ ।

ଦେଖିକରି ମେଘାସୁର ନୟନ ବୁଜିଲା

ତତକ୍ଷଣେ ବାଣ ପାଇଁ ଶରୀରେ ଭେଦିଲା ।

ଗଳାଠାରୁ ବେନିଖଣ୍ଡ ହୋଇଯାଏ ଛିଡ଼ି

ରଥର ଉପରୁ ବେଗେ ତଳେ ଗଡ଼ ଗଡ଼ି ।

ଛିଡ଼ିଯିବା ମୁଣ୍ଡଗୋଟା ପଡ଼ନ୍ତେ ଭୂମିର

ଗର୍ଭରୁ ଆରେକ ମୁଣ୍ଡ ହୋଇଲା ବାହାର ।

ପୁନରପି ସେହୁ ଧନୁ ଧରି ବାମକରେ

ନାରାଚ ପୂରାଇ ମନ୍ତ୍ରୀ ପେଷଇ ବେଗରେ ।

ସୁରଥ ବୋଇଲା ଏତ ବଡ଼ ବିପରୀତ

ମଲା ଲୋକ ପୁଣି ଜୀଇଁ ଉଠଇ କେମନ୍ତ ।

ମାଇଲେ ଏ ନ ମରନ୍ତି ଧରି ପୁଣି କାୟା

ନୋହିଲେ କି ଆମ୍ଭଠାରେ କଲେ ଏଡ଼େମାୟା ।

ଏମନ୍ତ ବିଚାର ମନେ କରନ୍ତେ ସୂରଥ

ଅଦ୍ଭୁତେ ଆକାଶପଥୁଁ ଶୁଭଇ ଏମନ୍ତ ।

ହେ କୁମରମଣି ତୁମ୍ଭେ ଶୁଣସି ଉତ୍ତର

ପୂର୍ବେ ଈଶ୍ୱରଙ୍କୁ ସେବା କରିଲା ଅସୁର ।

ବର ମାଗ ବୋଲି ଆଜ୍ଞାଦେଲେ ଦେବକାଶୀ

ଚିରାୟୁ ବର ମାଗିଲା ତହୁଁ ଦୈତ୍ୟଶିଷି ।

ମାଇଲେ ମୁଁ ନ ମରିବି ଜୀଇବି ଲେଉଟି

ଦିଗପାଳ ଦେବତାଏ ଥିବେ ମୋତେ ଖଟି ।

କରିବଇଁ ରାଜ୍ୟଭୋଗ ବର୍ତ୍ତି ଚିରକାଳ

ଛିଡ଼ିଲା ମୁଣ୍ଡ ପାଲଟି ଲାଗିବ ତ୍ରିବେଳ ।

ରଥଗଜ ଅଶ୍ୱ ପଦାତିକ ଆଦିକରି

ଏ ପ୍ରକାରେ ବର ତାଙ୍କୁ ଦେଲେ ତ୍ରିପୁରାରି ।

ତିନିବାର ମୁଣ୍ଡ ତାର ଛିଣ୍ଡିବା ବା ନିୟତ

ତେବେ ସେ ମରିବେ ଜାଣ ଦାନବ ସମସ୍ତ ।

ସମସ୍ତ ଯାଦବ କର୍ଣ୍ଣେ ଶୁଭନ୍ତେ ଏ କଥା

ଅସୁର ମରିବା ଛିଦ୍ର ପାଇ ସେ ବାରତା ।

ଯେ ଯାହା ଅନୁକ୍ରମରେ ମାରନ୍ତି ସଇନି

ମହାପବନେ ଯେସନେ ବୃକ୍ଷ ଲୋଟେ ଭୂମି ।

ଶରେ ଶର ପରିତାଳ ହ୍ୱନ୍ତେ ମହାଗୋଳ

ସମରଭୂମି ମଧ୍ୟରେ ଉଠଇ ପ୍ରବଳ ।

ସଂଗ୍ରାମରେ ମହାରଥୀ ସୁନାସର ବଳା

ଅଂଶାବତାର ଯେହୁ ସେ ବହେ ବିଷ୍ଣୁ କଳା ।

ଶରେ ଶର ବାଜିକରି ଶୁଭଇ ଶବଦ

ଅସଂଖ୍ୟ ପ୍ରମାଣେ ତହିଁ ନାଚନ୍ତି କବନ୍ଧ ।

ସନ୍ଦେଶ ବାରତା ଗୋଟି ପାଉ ପୁତ୍ରମଣି

କନ୍ଧରୁ ମୁଣ୍ଡ ଗୋଟିକ କାଟି ତତକ୍ଷଣି ।

ଛିଡ଼ି ମୁଣ୍ଡ ଭୂତଳରେ ପଡ଼ିଲା ଲେଉଟି

ପୁଣି ହିଁ ଆରେକ ବେଳ ପକାଇଲେ କାଟି ।

ଶିର କାଟନ୍ତେ ଆରେକ ଶିର ପୁଣି ଲାଗି

ପୁଣି ସେ ଶିର ସୁରଥ କାଟିଦିଏ ବେଗି ।

ପଡ଼ିଗଲା ମେଘାସୂର ରଥପରୁଁ ଢଳି

ଗଗନପଥେ ଅଦୃଶ୍ୟ ହେଲେ ଅଂଶୁମାଳୀ ।

ଜାଜ୍ଜ୍ୱଲ୍ୟମାନ ତେଜ ଯେ ଦିଶେ ସ୍ୱର୍ଗପୁରୀ

ଗଣ ଗନ୍ଧର୍ବ ଦେବତା ଜୟ ଜୟ କରି ।

ଗୁଣସାଗର ମନ୍ତ୍ରୀ ଯେ ଥୋକେ ଦୂରେ ଥିଲା

ରାଜାର ପଡ଼ିବା କଥା ନୟନେ ଦେଖିଲା ।

ଅଭିମନ୍ତ୍ରି ବାଣ ବେଗେ ଗୁଣରେ ବସାଇ

ସୁରଥର ଉପରକୁ ପେଷଇ ତୁହାଇ ।

ବାଣ ଆସନ୍ତେ ଦୂରରୁ ଦେଖି ଅସୁରର

ଏକବାଣ ପେଷି କାଟିଦେଲା ତାର ଶିର ।

ରଥପରୁ ଢଳିପଡ଼େ ସେ ଦୁର୍ଦ୍ଧାନ୍ତ ଦୈତ୍ୟ

ଦେଖିକରି ଦେବଗଣେ ହେଲେ ଆନନ୍ଦିତ ।

ଏହି ଅନୁକ୍ରମରେ ସେ ଯାଦବ ସକଳ

ଶର ପେଶି କ୍ଷୟ କଲେ ସେ ଦନୁଜ ବଳ ।

ବଳରାମଙ୍କ ସଙ୍ଗରେ ଯୁଦ୍ଧ ମହାଘୋର

କହନ୍ତେଣ ନ ସରଇ ଅସଂଖ୍ୟ ସମର ।

ବଡ଼ ବଳବନ୍ତ କୁମ୍ଭ ନିକୁମ୍ଭ ଅସୁର

ରାବଣ ପରାୟେ ସେହୁ ମହାବଳୀୟାର ।

ଦୁର୍ଦ୍ଦାନ୍ତ ଦଇତ ଦିଗପାଳ ଚୂଡ଼ାମଣି

ଏକଶରେ ତିନିପୁର ପାରନ୍ତି ସେ ଜିଣି ।

ତ୍ରେତାଯୁଗେ ରାମଚନ୍ଦ୍ର ଲଙ୍କା କଲେ ଜୟ

ଏ ଗଡ଼ ଅଜେୟ ଥିଲା ଏତେକାଳ ଯାଏ ।

ଦ୍ୱୈବ ଜାଣି ହେଲା ଆସି ବିପରୀତ ଧାଡ଼ି

ମରଣକୁ ଆଣିଲେ ଏ ନିଜସୁଖେ ଲୋଡ଼ି ।

ଜଗବନ୍ଧୁ ନାଥଙ୍କୁ ସେ ଦ୍ୱୈତ କଟାଳିଲେ

ତେଣୁ ଦାନବଙ୍କୁ ସେହି କାଳପ୍ରାୟ ହେଲେ ।

ଅକ୍ଷୟ ଅଜରାମର ପ୍ରଭୁ ନିରଞ୍ଜନ

ନାହିଁ ରୂପରେଖ ତାଙ୍କ ନାହିଁ ଚିହ୍ନ ବର୍ଣ୍ଣ ।

ଅବ୍ୟକତ ନିରାକାର ଜ୍ୟୋତି ଅଗ୍ନିପ୍ରାୟେ

ଅନାଦି ପୁରୁଷ ମର୍ତ୍ତ୍ୟେ ଆସିଣ ବିଜୟେ ।

ଅସୁର ବାଣ ତାଙ୍କର କରିବ ବା କିସ

ଯୁଗଯୁଗାନ୍ତେ ଶରୀର ନୁହେଁ ଯାର ନାଶ ।

ମୂଷଳ ବୁଲାଇ ରୋଷଭରେ ହଳପାଣି

ନିକୁମ୍ଭ ପରେ ପିଟିଲେ ନିରିଘାତ ଜାଣି ।

ଭାଙ୍ଗି ରଥଗୋଟା ତାର ହେଲା ଶତେଚୂର

ଲହରୀ ପ୍ରାୟ ଅନଳ ଉଠଇ ପ୍ରଖର ।

ଚାରିଅଶ୍ୱ ସାରଥୀ ଯେ ଗଲେ ସର୍ବେ ନାଶ

ରଥର ଉପରୁ ଡେଇଁ ପଡ଼ିଲା ରାକ୍ଷସ ।

ଲୌହପିଣ୍ଡକୁ ପିଟିଲା ବଳେ ଅଙ୍ଗେ ଆଣି

ପିଟନ୍ତେ ମୂଷଳ ମୁଣ୍ଡ ପାତି ହଳପାଣି ।

ତତକ୍ଷଣେ ସେହି ଦଣ୍ଡଗୋଟି ଗଲା ଭାଜି

ଶତେଖଣ୍ଡ ହୋଇକରି ତେଜ ହେଲା ଗଞ୍ଜି ।

ପୁନରପି ତୂଣୀରରୁ କାଢ଼ି ବେଗେ ଖଣ୍ଡା

ଫେରଦେଇ ଚିରାମାରି ସେ ଦ୍ୱୈତ୍ୟ ପ୍ରଚଣ୍ଡା ।

ପିଟନ୍ତେ କାମପାଳଙ୍କ ଶରୀରେ ନେଇ

ବିଶ୍ୱରୂପକୁ ଧଇଲେ ତହୁଁ ହଳସାଇଁ ।

ମନ୍ତ୍ର ପଢ଼ି ମୂଷଳକୁ ବୁଲାଇ ପିଟିଲେ

ଶିରକମଳ ତାହାର ଦ୍ୱିଖଣ୍ଡ କରିଲେ   

ବେକଠାରୁ ମୁଣ୍ଡ ପୁଣି ହେଲା ତା ବାହାର

କରେ ବାଣ ଧରି ସେହୁ ବିନ୍ଧେ ଧାତିକାର ।

ପୁନରପି ତିନିବାଣ ମାରି ହଳସାଇଁ

ଏକାବେଳେ ମୁଣ୍ଡ ତାର ଦେଲେକ ଛିଡ଼ାଇ ।

ଛିଡ଼ିଣ ମୁଣ୍ଡ ତାହାର ପଡ଼େ ଭୂତଳରେ

ଆମରେ ଦୁନ୍ଦୁଭି ଶବ୍ଦ କଲେ ଆନନ୍ଦରେ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି

ଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।

ଶ୍ରୀଜଗନ୍ନାଥଙ୍କ ସଙ୍ଗେ କୁମ୍ଭାସୁର ଭେଟ

ମେରୁ ମନ୍ଦର ଦୁଇ କି ହେଲେ ଏକଯୋଟ ।

ମହାଦର୍ପିଷ୍ଠ ଦାନବ ବଳେ ବଳବନ୍ତା

ସମ୍ମୁଖ ସମରେ ତାର କେ ହେବ ଶକତା ।

ଯୁଗାନ୍ତ ପୁରୁଷ ସଙ୍ଗେ ଦୈତ୍ୟବର ଭେଟି

ଅତିଶୟ ଶୋଭମାନ ଦିଶେ ନବସୃଷ୍ଟି ।

ବହୁଯୋଦ୍ଧା ଘେନି କୁମ୍ଭାସୁର ମହାବଳୀ

ନିର୍ବନ୍ଧେ କୃଷ୍ଣଙ୍କ ସଙ୍ଗେ ଆରମ୍ଭିଲା କଳି ।

ସ୍ୟନ୍ଦନ ଗୋଟିକ ଆଗେ ଟେକିଅଛି ନେଇ

କୃତାନ୍ତ ଦେବତା ପ୍ରାୟେ ରୂପ ତା ଦିଶଇ ।

ପୁତ୍ର ନାତି ସହୋଦର ସବୁ ଗଲେ ନାଶ

କିପାଁଇ ଏହାଙ୍କ ସଙ୍ଗେ କଲି ଅମରଷ ।

ଏତେ ଭାଳି ନାରାଚକୁ ଧନୁରେ ସେ ବାନ୍ଧି

ଲକ୍ଷକୋଟି ପରମାଣେ ଆକାଶ ନିରୋଧି ।

ଈଶ୍ୱର ଦେବଙ୍କୁ ସେହୁ ପୂର୍ବରୁ ମନାଇ

ନାନାବିଧ ଅସ୍ତ୍ରଶସ୍ତ୍ର ପାଇଥିଲା ସେହି ।

ରାବଣହୁଁ ବଳବନ୍ତ ଅଟେ ସେ ଦଇତ

ମାୟାକୂଟ ପ୍ରମାଣରେ ଯୁଝେ ଅପ୍ରମିତ ।

ତତକ୍ଷଣେ ଆଜ୍ଞା ଦେଲେ ଦେବ ଚକ୍ରପାଣି

ଯାଅ ବାଣେ କୁମ୍ଭକର ପକା ଶିର ହାଣି ।

ଏ ଆଜ୍ଞା ପାଇଣ ଶର ଗଲା ତତକ୍ଷଣ

କୁମ୍ଭକ କଣ୍ଠରେ ବାଣ ପଡ଼ିଲା ଯାଇଣ ।

କନ୍ଧଠାରୁ ଦୁଇଖଣ୍ଡ କରିଦେଲା ହାଣି

ହାଣନ୍ତେ କାନ୍ଧରୁ ଶିର ଉପୁଜେ ତକ୍ଷଣି ।

ନିଠାଇ ପିଟନ୍ତେ ପୁନରପି ତିନିଶର

ସାରଥି ସହିତେ ଦୈତ୍ୟ ଗଲା ଯମପୁର ।

ପଡ଼ିଲେ ଦାନବମାନେ ଗଲା ପୃଥ୍ୱୀଭାରା

ମଥା ଟେକିଣ ନିଃଶ୍ୱାସ ଛାଡ଼େ ବସୁନ୍ଧରା ।

ଇନ୍ଦ୍ରାଦି ଦେବତାମାନେ କଲେ ଜୟ ଜୟ

କୁମ୍ଭକ ଦ୍ୱୈତ୍ୟକୁ ଆମ୍ଭେ କରିଥିଲୁ ଭୟ ।

ତୁମ୍ଭେ ଏବେ ଅବହେଳେ ମାଇଲ ତାହାକୁ

ଏବେତ ଆମ୍ଭର ଭୟ ନାହିଁଟି କାହାକୁ ।

ଗୋଡ଼ାଇ ଯାଦବ ମାରି ଅସୁରଙ୍କ ବଳ

ରଥୀ ମହାରଥୀ ତହିଁ ପଡ଼ିଲେ ସକଳ ।

ନାନା ସମର କରିଣ ବହୁକାଳୁଁ ବର୍ତ୍ତି

ଯେଉଁମାନେ ଥିଲେ ସେହୁ ହେଲେ ବିନଶ୍ୟତି ।

ମଡ଼ା କୁଢ଼କୁଢ଼ ହୋଇ ପଡ଼ିଲେକ ସଞ୍ଚ

ପର୍ବତ ପରାୟେ ଦେଖାଯାଏ ଅତି ଉଚ୍ଚ ।

ତିନିତାଳ ଗଭୀରରେ ବହେ ରକ୍ତନଦୀ

ମଡ଼ାପରେ ମଡ଼ାମାନ ହୋଇଲେକ ଲଦି ।

ରକ୍ଷଣୀ ଭକ୍ଷିଣୀ ଦେବୀ ମାତା ଭଦ୍ରକାଳୀ

ମଦ ମାଂସ ଭକ୍ଷିଣ ସେ ହେଲେ ମତୁଆଳୀ ।

ଯେତେ ଭଗ୍ନବଳ ସବୁ ପଳାଇଣ ଥିଲେ

ଅନୁସରିଣ ଯାଦବେ ସକଳ ମାଇଲେ ।

ପାଞ୍ଚଜନ୍ୟ ଶଙ୍ଖଗୋଟି ଫୁଙ୍କିଲେ ଶ୍ରୀହରି

ସର୍ବ ଯାଦବେ ମିଳନ୍ତି ଶବ୍ଦ ଅନୁସରି ।

 

ରେବତୀଙ୍କର ଯମଜପୁତ୍ର ଜନ୍ମ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ଦଣ୍ଡଧାରୀ

ଶୁକମୁନିଙ୍କୁ ଚାହିଁଣ ଏମନ୍ତ ପଚାରି ।

କହିବା ଏ ହରିବଂଶ ପୁରାଣର ବାଣୀ

ତଦନ୍ତେ କିସ ହୋଇଲା ଆହେ ମହାମୁନି ।

ବଦୟନ୍ତି ମୁନିବର ଶୁଣ ଦଣ୍ଡଧର

ବିବର ଦ୍ୱାରୁଁ ଯାଦବେ ହୋଇଲେ ବାହାର ।

ଥୋକାଏ ଦୂରେ ମିଳିଲେ ଗୋମତୀର ତରେ

ଜଳରେ ଷଟକରମ ସାରିଲେ ସତ୍ୱରେ ।

ଅଶ୍ୱ ଗଜେ ପାଣିଦେଇ ପାନ କଲେ ଜଳ

ଶୌଚବନ୍ତ ହୋଇ ତହୁଁ ଚଳିଲେ ସକଳ ।

ସମସ୍ତେ ମିଳିଲେ ଯାଇ ଦ୍ୱାରାବତୀ ପୁର

ଶ୍ରୀକୃଷ୍ଣ ପ୍ରବେଶ ହେଲେ ଆପଣା ମନ୍ଦିର ।

ରେବତୀ ସଙ୍ଗରେ ରାମ ଅନ୍ତପୁର ପଶି

ଯଦୁକନ୍ୟାମାନେ ସର୍ବେ ମିଳିଲେକ ଆସି ।

ଭୋଜବଂଶେ ଥିଲେ ଯେତେ ଅହିଅ କାମିନୀ

ବର କନ୍ୟା ବନ୍ଦାପନା କଲେ ଅର୍ଘ୍ୟ ଘେନି ।

ଋକ୍ମିଣୀ ଦେବୀ ନମିଲେ ରେବତୀ ଚରଣେ

ଉଠ ଉଠ ସତୀ ବୋଲି ତୋଳିଲେ ସେ କ୍ଷଣେ ।

ସାତବଂଶ ଯାଦବେ ଯେ ଯାହାପୁରେ ଗଲେ

ନିତ୍ୟାଚାର କର୍ମମାନ ସକଳେ ସାରିଲେ ।

ସରିଲା ଯଥାବିଧିରେ ସବୁ କର୍ମମାନ

ବୋଲନ୍ତି ଶ୍ରୀ ଶୁକମୁନି ଶୁଣ ହେ ରାଜନ ।

ଅଶେଷ ଗୁଣାକର ଏ ପୁରାଣର ବିଧି

ହସ୍ତରେ ସମୁଦ୍ର ବାହିବାକୁ କାର ବୁଦ୍ଧି ।

ଗଙ୍ଗାବାଲି ଗଣିବାକୁ କାହାର ସାହାସ

ନଳ କାଠିରେ ମାପିବ କେହୁଟି ଆକାଶ ।

ଗଗନର ତାରା କେହୁ ମୁଖେ ଗଣିପାରେ

ବଡ଼ବା ଅନଳ କେହୁ ଭରିବ ତୁଣ୍ଡରେ ।

ଶ୍ରୀବିଷ୍ଣୁଙ୍କ ଦିବ୍ୟରୂପ ରଙ୍ଗା ଅବତାର

ଦିନଦିନକ ମହିମା ଅପାରୁଁ ଅପାର ।

ପୃଥିବୀର ଭାରାଭର ନିବାରିବା ପାଇଁ

ଶ୍ରୀହରି ଜାତ ହୋଇଲେ ନରଦେହ ବହି ।

ଅସୁରାଦି ରାଜା ଯେତେ ତାଙ୍କ ସୈନ୍ୟବଳ

ମୂଳ ସହିତରେ ପୁଣି ମାଇଲେ ସକଳ ।

ଚକ୍ରକୂଟ ବୁଦ୍ଧି ଯାର ଅଟେ ସର୍ବଦାହିଁ

ତାହାକୁ କିବା ଅସାଧ୍ୟ ମହୀରେ ଅଛଇ ।

ଏଥୁ ଅନନ୍ତରେ ତହୁଁ କେତେକ ଦିବସେ

ରେବତୀ ରଜୋବତୀ ଯେ ବସନ୍ତର ଶେଷେ ।

ଜ୍ୟେଷ୍ଠମାସ କୃଷ୍ଣପକ୍ଷ ପୁଣି ଚନ୍ଦ୍ରବାର

ଶ୍ରବଣା ନାମେ ନକ୍ଷତ୍ର ଅଟେ ସେ ଦିନର ।

ମକରରେ ଚନ୍ଦ୍ରସ୍ଥିତ ବୃକ୍ଷେ ରବି ରହି

ମଙ୍ଗଳ ଗୁରୁ ବିଛାରେ ଅଛନ୍ତି ଏ ଦୁଇ ।

ସପତାଙ୍ଗ ଗଣିତରେ ସେ ଅମୃତ ବେଳା

ଆଦିତ୍ୟ ଉଦୟବେଳେ ହେଲେ ରଜସ୍ଵଳା ।

ଶୁଭ ହୋଇଲାକ ସବୁ ଅଶୁଭ ଯେ ନାହିଁ

ଗର୍ଭରୁ ସଚରାଚର ଅଛନ୍ତି ଭିଆଇ ।

ଅନାଦି ରେବତୀ ସେହୁ ଅଟେ ସିଦ୍ଧମାତ

ଭାରାଭର ନିମିତ୍ତରେ ହୋଇଛନ୍ତି ଜାତ ।

ନିରାକାର ନିରଞ୍ଜନ ରୂପେ ସେହି ମୋହି

ଯୁଗ ଯୁଗାନ୍ତରୁ କନ୍ୟା ଥିଲା ଅବିବାହୀ ।

ଶୁଦ୍ଧସ୍ନାନ ସାରି ସେହୁ ସପ୍ତଦିନ ଅନ୍ତେ

ଶଯ୍ୟାରେ ବିଜେ କରିଲେ ରେବତୀ ଅନନ୍ତେ ।

ନାନା କଉତୁକେ ସେହୁ କଲେ ରତି କ୍ରୀଡ଼ା

ମନ ମଧ୍ୟରୁ ତେଜିଣ ଦେଇ ମହାବ୍ରୀଡ଼ା ।

ରେବତୀ ଦେବୀ ହୋଇଲେ ତହୁଁ ଗର୍ଭବତୀ

ଦେଖି ସାଧୁ ସାଧୁ କଲେ ସକଳ ଯୁବତୀ ।

ସର୍ବ ଯଦୁମାନେ ଦେଖି ଆନନ୍ଦିତ ଚିତ୍ତ

ସମ୍ପୂର୍ଣ୍ଣ ଦଶମାସରେ ବେନିପୁତ୍ର ଜାତ ।

କୁମ୍ଭ ଶୁକ୍ର ଦୁଆଦଶୀ ତିଥି ଅର୍କବାର

ପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ବେଳ ପାଞ୍ଚଘଡ଼ିରେ ଯେ ପୁତ୍ର ହେଲା ଜନ୍ମ

ପାଟ ଜଉତିଷମାନେ ଖୋଜି ଜାତ କର୍ମ ।

ଦୁଇ ପୁତ୍ରଙ୍କ କର୍କଟ ରାଶି ଯେ ହୋଇଲା

ଆନନ୍ଦାନନ୍ଦ ବୋଲିଣ ନାମ ତାଙ୍କ ହେଲା ।

ଦିନୁ ଦିନୁ ବର୍ଦ୍ଧମାନ ବଳରାମ ବଳା

ବିକ୍ରମସିଂହ ପରାୟେ ତେଜ ଅନର୍ଗଳା ।

ପୁତ୍ରମାନଙ୍କୁ ଦେଖିଣ ହଳୀ ତୋଷ ହ୍ଵନ୍ତି

ଦୁଇପୁତ୍ର କୋଳେ ଧରି ମୁଖେ ଚୁମ୍ବ ଦ୍ୟନ୍ତି ।

ବଢ଼ିଲେ ସେ ପୁତ୍ର ବେନି ପଦ୍ମନର ତୁଲେ

ଦେଖିଣ ଯାଦବମାନେ ହରଷ ହୋଇଲେ ।

ବଳରାମ ରେବତୀଙ୍କ ପାଦେ ମୋର ସେବା

ଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।

 

ରାମକୃଷ୍ଣଙ୍କର ଘୋଷଯାତ୍ରା ଓ ଶ୍ରୀୟା ସତ୍ୟବତୀ ସହ କୃଷ୍ଣଙ୍କର ବିଭା

 

ଶୁକ ବୋଇଲେ ହେ ଶୁଣ ଅଭିମନ୍ୟୁ ସୁତ

ପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।

ଏହିରୂପେ ତହୁଁ ଜାଣ କେତେ ଦିନ ଗଲା

ପୁନରପି ସେହି ମାସ ପ୍ରବେଶ ହୋଇଲା ।

ବ୍ରହ୍ମା ସତ୍ୟ କରିଥିଲେ ଯେବଣହି ବାଣୀ

ଦିନ ଗଣି ଜାଣିଲେ ତା ଦେବ ଚକ୍ରପାଣି ।

ସକଳ ଯାଦବମାନେ ହକାରି ଶ୍ରୀହରି

ଚାଲ ସର୍ବେ ଏବେ ଯିବା ଘୋଷଯାତ୍ରା କରି ।

ନିରାଧାର ଆଜ୍ଞା ଦେଇଛନ୍ତି ବେଦପତି

ଅକ୍ଷୟ ନାମେ ତୃତୀୟା ଦିବସର ରାତି ।

ଏହା କହିଣ ଘୋଷଣା ଦେଲେ ଜଗନ୍ନାଥ

ପାଇଣ ଯାଦବମାନେ ନିଶ୍ଚୟ ବାରତ ।

ରଥ ଗଜ ଅଶ୍ଵମାନ ଅରୋହି ଯେଝାରେ

ନନ୍ଦିଘୋଷ ରଥେ ବିଜେ ଦେବ ଦାମୋଦରେ ।

ରୁକ୍ମିଣୀଦେବୀ ସହିତେ କଲେ ତହିଁ କିଜେ

ସମ୍ଭର୍ବେ ଯାତ୍ରାକୁ ଗଲେ ତହୁଁ ଦେବରାଜେ ।

ପଦ୍ମନ ଅନିରୁଦ୍ଧ ଏ ପିତା ପୁତ୍ର ବେନି

ସଜ ହୋଇଲେ ରତିକି ସଙ୍ଗରେ ସେ ଘେନି ।

ବଳରାମ ଆରୋହିଲେ ତାଳଧ୍ଵଜ ରଥ

ରେବତୀକୁ କୋଳେ ଘେନି ବିଜୟ ତୁରିତ ।

ସାତବଂଶ ଆଦିକରି ଛପ୍ନକୋଟି ବଳ

ସଙ୍ଗହୋଇ ରଇବତେ ଚଳିଲେ ସକଳ ।

କେ ଥ କେ ଗଜ କେବା ଅଶ୍ଵନ୍ତ ଆରୋହି

ଯେଝା ଅନୁରୂପେ ସର୍ବେ ସଜବାଜ ହୋଇ ।

ନାନାଛନ୍ଦରେ ବାଜଣା ବାଜେ ଅପ୍ରମିତ

କମ୍ପମାନ ବସୁନ୍ଧରା ମହୀଖଣ୍ଡ ସାତ ।

ଦ୍ଵାରକା ଉତ୍ତର ଦ୍ଵାରୁ ରଇବତ ଯାଏ

ଅଠର ଯୋଜନ ବାଟ ସବୁ ସ୍ଵର୍ଣ୍ଣମୟେ ।

ବେନିକୋଶ ଓସାର ଯେ ତିଳେ ବକ୍ର ନାହିଁ

ଆପଣେ ବିଶ୍ଵକର୍ମା ତା ଅଛନ୍ତି ଭିଆଇ ।

ଅମର ବୈକୁଣ୍ଠ ବାଟ ସ୍ଵର୍ଗକୁ ନିଶୁଣି

ଅବହେଳେ ବିଜେ ତହିଁ କୋଟି କମଳିନୀ ।

ବିଚିତ୍ର ଛାୟାମଣ୍ଡପ ଅନ୍ତରୀକ୍ଷେ ରହି

ଆଦିତ୍ୟ କିରଣ ଅଙ୍ଗେ ନ ଲାଗଇ ତହିଁ ।

ପାରୁଶରେ ଉଭା ତ୍ରୋଣା ହୋଇଛି ମଣ୍ଡଣି

ନାନାଦି ଶୀତଳ ଦ୍ରବ୍ୟ ବାଢ଼ିଛନ୍ତି ଆଣି ।

ପାଚିଲା କଦଳୀ କାନ୍ଦି ଗୁଆ ତାଳପେଣ୍ଡା

ଲମ୍ବିଅଛି ଜାଈ ଯୂଇ ମଲ୍ଲୀଫୁଲ ଧଣ୍ଡା ।

ଉଦ୍ଦଣ୍ଡ ଧବଳଛତ୍ର ଧ୍ଵଜ ପନ୍ତି ପନ୍ତି

ବିଚିତ୍ର ଚିରାଳ ଉଡ଼ି ଶୂନ୍ୟେ ଶୋଭାପାନ୍ତି ।

ରଥ ଗଜ ପଦାତିକ ଅଶ୍ଵ ଅପ୍ରମାଣ

ଫିରିଫିରା ବୀରକେନା ମେଘା ବଜ୍ରବାଣ ।

ବଳରାମ ଚଳିଯାନ୍ତି ଆଗୁଆଣି ଥାଟେ

ତାଳଧ୍ଵଜ ରଥେ ବିଜେ କରିଛନ୍ତି ହୃଷ୍ଟେ ।

ଯାଦବଙ୍କ କୁଳବଧୁମାନଙ୍କୁ ଘେନାଇଁ

ମଧ୍ୟେ ଯାନ୍ତି ବସୁଦେବ ଉଗ୍ରସେନ ଦୁଇ ।

ଦେବକୀ ଯେ ପାଟବଂଶୀ ଇନ୍ଦୁମତୀ ବାମା

ସାତବଂଶ ଯାଦବଙ୍କ ଯେତେ ରାଜଜେମା ।

ରୁକ୍ମିଣୀ ସୁଭଦ୍ରା ଆଦି ଯେତେ ନାରୀ ଥିଲେ

ଥାଟର ଭିତରେ ପଶି ସମସ୍ତେ ଚଳିଲେ ।

ଇନ୍ଦ୍ର ଦେଇଥିଲେ ଯେଉଁ ସହସ୍ରେ ଯୁବତୀ

ରୂପଗୁଣେ ସୁଲକ୍ଷଣୀ ସକଳେ ଅଟନ୍ତି ।

ସର୍ବଦା ଷୋଡ଼ଶୀ କେଭେ ନୁହନ୍ତି ସେ ବୃଦ୍ଧା

ଅବହେଳେ କରନ୍ତି ସେ ମଦନର ବାଧା ।

ସୁବର୍ଣ୍ଣ ହାନ୍ଦୋଳା ଚଢ଼ି ଥାଟର ଭିତରେ

ଚଳନ୍ତି କାମିନୀଗଣ ଆନନ୍ଦ ମନରେ ।

ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦେବହରି

ପଛିଆଣି ଥାଟେ ବିଜେ କଲେ ଦଇତ୍ୟାରି ।

ନନ୍ଦିଘୋଷ ରଥେ ପ୍ରଭୁ କରିଛନ୍ତି ବିଜେ

ଛାମୁରେ ବିଜୟଶଙ୍ଖ ବୀରତୂର ବାଜେ ।

ଦଧି ମାଛ ଅନୁକୂଳ ଦେବ ଭଗବାନ

ଗହଣ ଲଗାଇ ଥାଟେ କରନ୍ତି ଗମନ ।

ଚଉଦିଗେ ଶୁଭୁଅଛି ଜୟ ଜୟ ଧ୍ଵନି

ସାମଗାୟନ କରନ୍ତି ସୁର ସିଦ୍ଧମୁନି ।

ଯାତ୍ରା ଉତ୍ସବରେ ଦେଖି ନାରାୟଣ ରୂପ

ମୁକତ ହୋଇଲେ ଜନେ ଖଣ୍ଡି ସର୍ବପାପ ।

ଆଗେ ଯାଏ ତାଳଧ୍ଵଜ ପଛେ ନନ୍ଦିଘୋଷ

ହରି ହରି ଶବଦରେ ପୂରେ ଦଶଦିଶ ।

ନନ୍ଦିଘୋଷେ ବସି କୃଷ୍ଣ ପ୍ରକାଶିଲେ ଶୋଭା

ଜଗନ୍ନାଥେ ଗୁଣ୍ଡିଚାକୁ ବିଜେ କଲେ ଅବା ।

ରୈବତ ପର୍ବତେ ସର୍ବେ ମିଳିଲେକ ଯାଇ

ବହୁ ସମ୍ଭର୍ବରେ ଯାତ୍ରାକଲେ ତହିଁ ଥାଇ ।

ନବର ଆବୋରି ସର୍ବେ ରହି ଯେ ଯାହାରେ

ହାଟ ପାଟଣା ପସରା ବାଢ଼ିଲେ ବାହାରେ ।

ଦେଶାଉର ବାର୍ତ୍ତାପାଇ ଛାମୁରେ ଜଣାଏ

କାଖରେ ହସ୍ତ ଦେଇଣ ଦ୍ଵାରେ ଉଭାହୋଏ ।

ଭୋ ଦେବ ସାବଧାନରେ ଶୁଣ ଜଗନ୍ନାଥ

ଦେଶାଉର ବାର୍ତ୍ତା ଯାହା ଶୁଣିଲୁଟି ତଥ୍ୟ ।

କାଶୀନଦୀ ତୀରେ ଅଛି ସିଂହଳ ପର୍ବତ

ତହିଁରେ ଅଛଇ ପୁଣି ଏକ ନରନାଥ ।

ସତ୍ୟବ୍ରତ ନାମଗୋଟି ଅଟଇ ତାହାରି

ପବିତ୍ର ପାଟବଂଶୀ ସେ ଅଛି ଅବତରି ।

ବେନି ଶତେକ ଯୋଜନ ରାଜ୍ୟ ସେହୁ କରେ

ବ୍ରହ୍ମା ହର ଇନ୍ଦ୍ର ତହିଁ ନ ପଶନ୍ତି ଡରେ ।

ପଞ୍ଚବିଂଶ ଯୋଜନ ସେ ଅଟେ ମହୀସ୍ଥଳୀ

ପାଷାଣ ହୀରା ମାରାଗେ ଦିଶେ ଭଳି ଭଳି ।

ସେହି ପର୍ବତ ଉପରେ କଟକ ଶୋଭନ

ଆଡ଼ ଦୀର୍ଘ ପ୍ରତିରେ ସେ ଶତେକ ଯୋଜନ ।

ନାମ ସତ୍ୟବ୍ରତ ତାର ଅସତ୍ୟ ନ କରି

ପିତାମାତା ଚରଣରେ ସେବେ ଦଣ୍ଡଧାରୀ ।

ଏକ ଭାରିଯା ତାହାର ନାମ ଶୋଭାବତୀ

ବିଶେଷରେ ଗୁଣବତୀ ଅଟେ ସେ ଯୁବତୀ ।

ସାବିତ୍ରୀ ପରାୟେ ପତିଭକ୍ତା ସେ ଅଟଇ

ପାଞ୍ଚଗୋଟି ପୁତ୍ର ବେନି କନ୍ୟା ତାର ହୋଇ ।

ବିଜୟ ହେ ବୀରବାହୁ ବିକ୍ରମ କେଶରୀ

ବସୁମେଳା ବସନ୍ତଙ୍କୁ ମିଶାଇଣ କରି ।

ଏହିରୂପେ ପାଞ୍ଚପୁତ୍ର ଅଟନ୍ତି ତାହାର

ବୁଦ୍ଧିମନ୍ତ ବଳବନ୍ତ ସର୍ବେ ଧୁରନ୍ଧର ।

ଦୁହିତାର ନାମ ଶ୍ରୀୟା ସତ୍ୟବତୀ ଜାଣ

ସୁକୁମାରୀ ସୁଲକ୍ଷଣୀ ଅଟନ୍ତି ସେ ପୁଣ ।

ଅତି ସୁନ୍ଦରୀ ଅଟନ୍ତି ସେହି ରାଜଜେମା

ନାହିଁ ପଟାନ୍ତର ତାଙ୍କୁ ଦେବାକୁ ଉପମା ।

ସମ୍ପୂର୍ଣ୍ଣେ ଷୋଳ ବୟସୀ ସେ ନାରୀ ଅଟଇ

ସପ୍ତଦ୍ଵୀପ ଖୋଜି ବର ନ ପାଇଲା କାହିଁ ।

କୌଣସି ପ୍ରକାରେ ରାଜା ନ ପାଇ ଉପାୟେ

ଶତଗୋଟି ଷଣ୍ଢ ଆଣି ପୋଷି ନୃପରାୟେ ।

ଯୋଜନ ଓସାରେ ଭିଆଇଛି ଏକ ଗଡ଼

ପଞ୍ଚତାଳ ଉତ୍ସର୍ଗରେ ଅଟଇ ସେ ଗାଢ଼ ।

ତାଳକ ଗଭୀରେ ଖଣା ଅଛି ଚୌପାଶରେ

କେହି ପଶିବାକୁ କ୍ଷମ ନୋହି ଜଗତରେ ।

ସେ ଖଣା ଭିତରେ ଶତେ ଷଣ୍ଢ ସେ ରଖାଇ

ଏକ ଏକ ଷଣ୍ଢକେ ଯେ ଶତେ ଶତେ ଗାଈ ।

ବଡ଼ ଉଦଣ୍ଡ ସେମାନେ ବଳେ ମହାବଳ

ଗୋଡ଼ାଇ ବିନ୍ଧନ୍ତି ସେହୁ ଉଜାଡ଼ନ୍ତି ବିଳ ।

ବେଭାରରେ ଗୋରୁମାନେ ଅତିଶୟ ଦୁଷ୍ଟ

ପୋଷା ନ ମାନନ୍ତି ସେହୁ ବହିଥାନ୍ତି ଆଣ୍ଟ ।

ଶତେ ମତ୍ତହସ୍ତୀ ଏକ ଷଣ୍ଢର ଯେ ବଳ

ଖୁଆଡ଼ ମଧ୍ୟେ ନିଶ୍ଚିନ୍ତ ବିହରି ସକଳ ।

ପାଟର ଦଉଡ଼ି ଏକ ପାତି ଗଡ଼ଦ୍ଵାରେ

ଶୁଣିଲେ ରାଜାମାକେ ଯେ ଆସିବେ ସତ୍ଵରେ ।

ସହସ୍ରେକ ହାତ ଯେହୁ ରଜ୍ଜୁ ଅଟେ ଲମ୍ବ

ଗଡ଼ଦ୍ଵାରେ ପୋତିଅଛି ସୁବର୍ଣ୍ଣର ଖମ୍ବ ।

ସେ ଖମ୍ବରେ ଲେଖିଅଛି ପାଷାଣରେ ଗାର

ସତ୍ୟ ସତ୍ୟ ତିନିବାର ସତ୍ୟ ଯେ ମୋହର ।

ଏ ରଜ୍ଜୁରେ ଶତେଷଣ୍ଢ ବାନ୍ଧି ଯେ ପାରିବ

ବେନି କୁମାରୀଙ୍କୁ ମୋର ବିଭା ସେ ହୋଇବ ।

ଏମନ୍ତ ବୋଲି ଘୋଷଣା ଦେଇ ନୃପରାୟେ

ଶୁଣି ଶଙ୍କା ପାଇଲେକ ସ୍ଵର୍ଗେ ଦେବତାଏ ।

ଏରୂପେ କେତେକ ରାଜା ମହାଲଜ୍ଜା ପାଇ

ଷଣ୍ଢ ବାନ୍ଧିବାକୁ ତାଙ୍କ ବଳବୁଦ୍ଧି ନାହିଁ ।

କେହୁ ବଳରେ ଷଣ୍ଢକୁ ସାଧି ଯେ ନ ପାରି

ଶୁଣି ଏହା ହାସ୍ୟ କଲେ ପ୍ରଭୁ ଚକ୍ରଧାରୀ ।

ବଳରାମ ବୋଇଲେ ହୋ ଦେଖକିନା ଯାଇ

ଉପାୟେ ଲକ୍ଷ୍ମୀ ମିଳଇ ଶାସ୍ତ୍ରେ ଅଛି କହି ।

ଉଦ୍‌ଯୋଗ କରିଲେ ନିଶ୍ଚେଁ ଫଳେ କର୍ମଫଳ

ତତପର ହେଲେ ଭାଇ କାର୍ଯ୍ୟ ସେ ସଫଳ ।

ସଭା ମଧ୍ୟରେ ଯାଦବମାନେ ରହିଥିଲେ

ଭୋ କୃଷ୍ଣ ବିଜେ କରନ୍ତୁ ବୋଲିଣ ରହିଥିଲେ ।

ଆମ୍ଭେମାନେ ଯାଆନ୍ତୁ ବା ତୁମ୍ଭ ସହିତରେ

ସଂଗ୍ରାମ ସଜ ନୁହେ ଏ କହେ ଯେ ରୂପରେ ।

ଜଗଦ୍‌ବନ୍ଦନ ପୁରୁଷ ତୁମ୍ଭେ ଭାବଗ୍ରାହୀ

ଗୋଚର ଅଗୋଚରାଦି କରି ପାର ତ୍ରାହି ।

ତୁମ୍ଭରେ ସ୍ଥାପିଲା ସିନା ସର୍ବ ବସୁନ୍ଧରୀ

ସକଳ ଅନ୍ତର୍ଯ୍ୟାମୀ ହେ ସର୍ବ ଅଧିକାରୀ ।

ଯେ ତୁମ୍ଭର ବିଚାରକୁ ଆସଇ ଉଚିତ

ତୁମ୍ଭେ ସେ ବୁଦ୍ଧି ନିର୍ମାଣ କର ଜଗଦ୍ଭୁତ ।

ଶୁଣିକରି ଜଗନ୍ନାଥ ହୋଇଲେକ ଶାନ୍ତି

ନିଶ୍ଚୟ କନ୍ୟା ଆଣିବା ମନେ ବିଚାରନ୍ତି ।

ଦାରୁକକୁ ଆଜ୍ଞା ଦେଲେ ରଥ ସଜ କର

ତତକ୍ଷଣେ ଦାରୁକ ଯେ ସାଜେ ରହୁବର ।

ସୁବର୍ଣ୍ଣ ନିର୍ମିତ ରଥେ କପିକେତ୍ନ ଧ୍ଵଜ

ଉଭା ତ୍ରୋଣ ମଣ୍ଡିଲା ସେ କରି ସଜବାଜ ।

ଶ୍ଵେତ ଗୋକ୍ଷୀର ବର୍ଣ୍ଣର ଅଶ୍ଵ ଯୋଚା ଯହିଁ

ମୁଁ କିସ ବର୍ଣ୍ଣି ପାରିବି ନରତନୁ ବହି ।

ବିଶ୍ଵକର୍ମା ନିର୍ମାଣିଛି ଯାହାକୁ ଯତନେ

ମନ କଲେ ସୃଷ୍ଟିଯାକ ଭ୍ରମିପାରେ କ୍ଷଣେ ।

କେତେ ମୁହିଁ ବର୍ଣ୍ଣିବଇଁ ତାହାର ଯେ ଗୁଣ

ଆପଣେ ବେଶ ହୋଇଣ ଦେବ ନାରାୟଣ ।

ଯାଇ ରଥର ଉପରେ କରିଲେ ବିଜୟେ

ଜୟ ମଙ୍ଗଳ ଭାସନ୍ତି ସ୍ଵର୍ଗେ ଦେବତାଏ ।

ଉଦ୍ଧବ ଯେ ଅନାଧୃଷ୍ଟ ସାତ୍ୟକି ଅକ୍ରୂର

ଏ ଚାରିଙ୍କୁ ବସାଇଲେ ପାଶେ ଚକ୍ରଧର ।

ମନଠାରୁ ବଳି ଯାନ ବାହଇ ସାରଥି

ଚାରିଜଣ ଯଦୁବୀରେ ସଙ୍ଗତେ ଅଛନ୍ତି ।

ଉଡ଼ିଲେକ ଚାରିଅଶ୍ଵ ପବନହିଁ ବେଗେ

ଦେଖନ୍ତି ଦେବତାମାନେ ଥାଇ ମଧ୍ୟ ସ୍ଵର୍ଗେ ।

ବୃହସ୍ପତି ବୋଇଲେକ ଇନ୍ଦ୍ରମୁଖ ଚାହିଁ

ଦାରୁକ ଦେଖ କେମନ୍ତେ ସ୍ୟନ୍ଦନକୁ ବାହି ।

ସୂର୍ଯ୍ୟବଂଶେ ଜାତ ସତ୍ୟବ୍ରତ ନରପତି

ବେନି ଦୁହିତା ତାଙ୍କର ଶ୍ରୀୟା ସତ୍ୟବତୀ ।

ଲକ୍ଷ୍ମୀ ଅଂଶରେ ଜନମ ମହାଚାରୁହଂସୀ

ଶ୍ରୀକୃଷ୍ଣ ବଲ୍ଲଭୀ ସେହୁ ଜାଣ ପାଟବଂଶୀ ।

ଦ୍ଵାପରେ ବିବାହ ହେବେ ଅନେକ ଯେ କନ୍ୟା

ଲକ୍ଷେ ବାସ୍ତରୀ ସହସ୍ର ନବତନ ଜେମା ।

ଅଷ୍ଟପାଟବଂଶୀ ଅଟେ ଏ ମଧ୍ୟରେ ଶ୍ରେଷ୍ଠ

ସମସ୍ତଙ୍କଠାରୁ ଜାଣ ରୁକ୍ମିଣୀ ଗରିଷ୍ଠ ।

ଅଶେଷ ମହିମା ତାଙ୍କ ନ ଜାଣନ୍ତି ଆନ

ଅତିଭାଗ୍ୟେ ନାମଗୋଟି ଅଟେ ଭଗବାନ ।

ସତ୍ୟବ୍ରତ ନରପତି ସତ୍ୟ କରିଥିଲା

ଇହ ପରଲୋକେ ତାର ଜ୍ଞାନ ଉଦେ ହେଲା ।

ବିଷ୍ଣୁଙ୍କ କରରେ ଦେବ ସେହି କନ୍ୟା ଦାନ

ଶ୍ରୀହସ୍ତ ବଢ଼ାଇ ବିଭା ହେବେ ଭଗବାନ ।

ଶତହସ୍ତୀ ପରାକ୍ରମ ବହିଛନ୍ତି ଷଣ୍ଢ

ଏକୁଁ ଏକ ସମସ୍ତେ ଯେ ଅତ୍ୟନ୍ତ ଉଦ୍ଦଣ୍ଡ ।

ସୁବର୍ଣ୍ଣ ଖମ୍ବରେ ଯେହୁ ତାହାଙ୍କୁ ବାନ୍ଧିବ

ରାଜା ସତ୍ୟ କରିଅଛି କନ୍ୟା ତାକୁ ଦେବ ।

ମୋହର ମୁରଲି ବଜାଇବେ ନାରାୟଣ

ଛାଡ଼ିବେ ଦୁଷ୍ଟପଣ ସେ ଶୁଣିଣ ଶ୍ରବଣ ।

ଶକଟାସୁର ଯାମଳା ବଧି ଦେବହରି

ତାହାଙ୍କୁ ଏ ଷଣ୍ଢମାନେ କେତେବେଳେ ସରି ।

ଏକ୍ଷଣି ଦେଖିବା ଲକ୍ଷ୍ମୀ ନାରାୟଣ ଭେଟ

ଦୁଷ୍ଟ ରାଜାମାନେ ଦେଖି ପାଇବେ ଉଚ୍ଚାଟ ।

ଏସନ ବିଚାର ଦେବେ କରି ସ୍ଵର୍ଗପୁରୀ

ଚଳିଯାନ୍ତି ନନ୍ଦିଘୋଷ ଆରୋହି ଶ୍ରୀହରି ।

କେତେଦୂରେ ବେଣୀଭଦ୍ରା ତଟେ ପ୍ରବେଶିଲେ

ଅଞ୍ଜନ ପର୍ବତ ତଳେ ଯାଇ ବିଶ୍ରାମିଲେ ।

ଉଦ୍ଧବ ମୁଖକୁ ଚାହିଁ ଭଣି ହୃଷୀକେଶୀ

ଯାଦବେ ଚାରିହେଁ ତୁମ୍ଭେ ଏଠାରେ ଥାଅସି ।

ନନ୍ଦିଘୋଷ ନିଶ୍ଚିନ୍ତରେ ଥିବ ତୁମ୍ଭେ ରହି

ଏଥିରେ ଥିଲେ ଜନମ ମୃତ୍ୟୁ ବାଧା ନାହିଁ ।

କ୍ଷୁଧା ତୃଷା ନିଦ୍ରା ବିବର୍ଜିତ ଏଥି ତିନି

ପ୍ରଳୟ କାଳେସଂହରେ ସମଗ୍ର ମେଦିନୀ ।

ତୁମ୍ଭେମାନେ ନିଶ୍ଚିନ୍ତରେ ଏଥେ ବସିଥିବ

କୌଣସି କଥାକୁ ମନେ ଶଙ୍କା ନ କରିବ ।

ସତ୍ୟବ୍ରତ କରିଅଛି ଏହି ଦୃଢ଼ବ୍ରତ

ଚାରିଊଣା ଲକ୍ଷେରାଜା ହୋଇ ଏକତ୍ରିତ ।

କାର ଶକ୍ତି ନାହିଁ ଷଣ୍ଢମାନ ବାନ୍ଧିବାରେ

କନ୍ୟା ନେବାକୁ ଆରମ୍ଭ କରି ଯେ ଯାହାରେ ।

ଆମ୍ଭେ ଯାଇ ତଥ୍ୟଭାବେ ବୁଝିବା ନା ତାହା

ଏହା ବୋଲି ବିଜେ କଲେ ତହୁଁ ଚଉବାହା ।

ସତ୍ୟବ୍ରତ କଟକରେ ମିଳି ତତକ୍ଷଣି

ଲକ୍ଷେରାଜା ସଭାକରି ବସିଛନ୍ତି ପୁଣି ।

ଦେଖିଲେ ଉତ୍ସବ ଲାଗିଅଛି ଘରେ ଘରେ

ନେତର ଚିରାଳ ଉଡ଼େ କଳସ ଉପରେ ।

ମେଲା କାଠର ମଣ୍ଡଣି ତ୍ରୋଣା ପନ୍ତି ପନ୍ତି

ହିଙ୍ଗୁଳ ହରିତାଳରେ ଶୋଭାକୁ ପାଆନ୍ତି ।

ଗଜଦନ୍ତର ସୁରଙ୍ଗ ପିତୁଳିର ଛନ୍ଦେ

ଲତାପୁଞ୍ଜର ପୁଲକେ ଚଉରାଶୀ ବନ୍ଧେ ।

ଅମରାବତୀ ପରାୟେ ଦିଶେ ଶୋଭମାନ

ଅଶ୍ଵଶାଳ ଗଜଶାଳ ଅତି ବିତପନ ।

ରୁକ୍ମଣ ଦନ୍ତବକ୍ର ଯେ ଶାଲ୍ଵ ଶିଶୁପାଳ

ସମ୍ଭର୍ବେ ବସିଛି ଜରାସନ୍ଧ ମହୀପାଳ ।

ଅନେକ ରଥ ପଦାତି ଗଜ ଅପ୍ରମିତ

ରଥୀ ମହାରଥୀ ମିଳି ଅଛନ୍ତି ସମସ୍ତ ।

ସମସ୍ତ ଆର୍ଦ୍ଦୋଳି ସହେ ସତ୍ୟବ୍ରତ ରାୟେ

ସବୁଙ୍କୁ ଲେଖି ଦିଅଇ ଯାହା ଯେହୁ ଚାହିଁ ।

ମେଢ଼ର ଉପରେ ରହିଛନ୍ତି କନ୍ୟା ବେନି

ମେଢ଼ ତଳରେ ଅଛନ୍ତି ସକଳ ସଇନି ।

ସମସ୍ତ ନୃପତିଙ୍କର କନ୍ୟା ନେବା ମନ

ଷଣ୍ଢେ ବାନ୍ଧିବାକୁ କେହି ନୁହନ୍ତି ଭାଜନ ।

ସତ୍ୟବ୍ରତ କରିଅଛି ଏହ୍ନେ ସତ୍ୟବିଧି

ଷଣ୍ଢେ ଯେ ବାନ୍ଧିବ ଦେବ କନ୍ୟାରତ୍ନ ନିଧି ।

ଅବଜ୍ଞା କରିଣ ଯେବା କନ୍ୟା ନେବ ବଳେ

ମୂର୍ଦ୍ଧା ଫାଟି ପ୍ରାଣ ତାର ଯିବ ମେଢ଼ ତଳେ ।

ତେଣୁ କେହି ଲୋକ ପୁଣି ଭରସି ନ ପାରି

ତଥ୍ୟ ଜାଣିବା ପର୍ଯ୍ୟନ୍ତେ ଛନ୍ତି ଅବଧାରୀ ।

ରାଜା ମହାରାଜା ଆଉ ଛତିଶ ପାଟକ

ଶୂରବନ୍ତପଣେ ମିଳି ରାଜାର କଟକ ।

ସବୁରି ଆଗେ ଜଣାଇଅଛି ଦଣ୍ଡଧର

ଷଣ୍ଢ ବାନ୍ଧି କନ୍ୟା ନିଅ ବଳ ଅଛି ଯାର ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ

ଭାଗବତ ପୁରାଣ ଏ ଅତି ପୁଣ୍ୟମୟେ ।

ଏସନବେଳେ ମିଳିଲେ ପ୍ରଭୁ ଦେବହରି

ଶୁକ୍ଳାମ୍ବର ପୁରୁଷ ସେ ବିଶ୍ଵରୂପ ଧରି ।

ନୀଳ ଇନ୍ଦିବର ପ୍ରାୟେ ବିରାଜଇ ବପୁ

ଧୀରେ ଗମନ କରନ୍ତି ଦାଣ୍ଡେ ମଧୁରିପୁ ।

ଲମ୍ବିତ ଜୁଡ଼ା ହସ୍ତରେ ଶୋହେ ତମ୍ବାଗଡ଼ୁ

ଧୋତି ଉତ୍ତରୀ ରୁଦ୍ରାକ୍ଷମାଳା କରେ ଖଡ଼ୁ ।

ଜାଜ୍ଜ୍ଵଲ୍ୟମାନ ତେଜରେ ଶୋହେ ଦିବ୍ୟତନୁ

ନୀଳମେଘେ ବିରାଜଇ ଯେହ୍ନେ-ଇନ୍ଦ୍ରଧନୁ ।

ଅପୂର୍ବ ପରାୟେ ମଣି ଚାହିଁ ସର୍ବଜନ

ମୋହିଲେ ସକଳ ଜନ ଦେବ ଜନାର୍ଦ୍ଦନ ।

ନୟନ ସ୍ଥିର କରିଣ ସର୍ବେ ଛନ୍ତି ଚାହିଁ

ବୋଇଲେ ଧନ୍ୟ ହୋଇଲୁ ନରତନୁ ବହି ।

ଏକ ଏକ ଗୁଣ ୟାଙ୍କ ବାହୁନିବା କେତେ

ଅଶେଷ କୋଟି ପୃଥ୍ଵୀରେ ଜୀବଜନ୍ତୁ ଯେତେ ।

ସବୁଙ୍କରି ତହୁଁ ୟାଙ୍କ ରୂପ ଦିବ୍ୟଶୋଭା

ମାୟାରୂପେ ନାରାୟଣ ଅଇଲେ କି ଅବା ।

ଅଗୋଚର ପଣ କରିଅଛି ଦଣ୍ଡଧର

ଶତେଷଣ୍ଢ ବନ୍ଧା ହେବ ଏକ ଦଉଡ଼ିର ।

ଏକ ଷଣ୍ଢର ପ୍ରାକର୍ମଶତ ହସ୍ତୀ ବଳ

ଷଣ୍ଢକରେ ଶତେଗାବ ବେଢ଼ିଛି ଗହଳ ।

ଏରୂପେ ଶତେ ଷଣ୍ଢରେ ଶହେ ପଲ ଗାବ

କିଏ ସେ ଜୀବନ ମୂଚ୍ଛ ଷଣ୍ଢଙ୍କୁ ବାନ୍ଧିବ ।

ଏମଞ୍ଚ ମଣ୍ଡଳ ଗୋଟା ନିନ୍ଦା ପୁଣ ପାଇ

କେବଣ ଦେବ ଆସେ ଏ ନରତନୁ ବହି ।

ସମସ୍ତଙ୍କର ମନକୁ ଗଲା ଏହି କଥା

ଷଣ୍ଢ ବାନ୍ଧିଣ କନ୍ୟା ଏ ନେବ ଯେ ସର୍ବଥା ।

କେହୁ ବୋଲେ ରାଜକନ୍ୟା ନେଉ ଏହୁ ପଛେ

ଷଣ୍ଢବନ୍ଧନ କଥାକୁ ଦେଖିବା ପ୍ରତ୍ୟକ୍ଷେ ।

ରାଜାମାନେ ସଭାମଧ୍ୟେ ସର୍ବେଛନ୍ତି ବସି

କେହି ଜଣେ ସେ କଥାକୁ ନ ପାରି ଭରସି ।

ଥୋକାଏ ବୋଇଲେ କିବା ଜାଣେ ମହୌଷଧି

ଏହା ଘେନିଣ ସଂସାର ହେଉଅଛି ସାଧି ।

କାହାର ଶରୀରେ ଅଛି କେବଣ ଯେ ଗୁଣ

ଜାଣି ନ ପାରିଲେ ଏହା ବିଧାତା ଘଟଣ ।

ସୂତାରେ ହୁଅଇ କାହିଁ ଗଜର ବନ୍ଧନ

ନବସୃଷ୍ଟି ଘୋଟିବାକୁ ଏକା କରେ ମନ ।

ଏକା ଦିନକରେ କରେ ତ୍ରୈଲୋକ୍ୟ ଆଲୋକ

ଏକା ଅନଳରେ ଦଗ୍‌ଧ ସର୍ବ ବନଯାକ ।

ଏକା ମେରୁ ଧରିଅଛି ଚରାଚର ମହୀ

ଏକା ବାସୁକୀ ବହିଛି ଏ ସମଗ୍ର ଭୂଇଁ ।

ଏକା ପବନ ତ୍ରୈଲୋକ୍ୟଯାକେ ଅଛି ବ୍ୟାପି

ଏକା ଅଗସ୍ତି ସପତସିନ୍ଧୁ ଗର୍ଭେ କ୍ଷେପି ।

ଏକା ହନୁମନ୍ତ ଦଗ୍‌ଧ କଲା ଲଙ୍କାପୁର

ଗଙ୍ଗାକୁ ଆଣିଲେ ଏକା ଭାଗୀରଥ ବୀର ।

ଏକା କାମ କରୁଅଛି ଜଗତକୁ ଜୟେ

ଏକା ହରିନାମେ ପାପମାନ ଅଙ୍ଗୁକ୍ଷୟେ ।

ଏକାକେ ଏ ତିନିପୁର କରିପାରେ ବଶ

ନେଉ କନ୍ୟା ଗୋଟି ୟାକୁ ପ୍ରାପ୍ତ ହେଉ ଯଶ ।

ଜରାସନ୍ଧ ଆଦିକରି ଯେତେ ରାଜା ଥିଲେ

ସମସ୍ତେ ବିଚାର କରି ମଉନେ ରହିଲେ ।

ଏମନ୍ତ ସମୟେ ଯାଇ ଦେବ ଭଗବାନ

ସଭାର ତଳରେ ତହୁଁ ମିଳିଲେ ବହନ ।

ସତ୍ୟବ୍ରତ ରାଜାକୁ ସେ ପୁଚ୍ଛନ୍ତି ସନ୍ଦେଶ

ବାନ୍ଧିବା ଷଣ୍ଢକୁ ତୋର ଆହେ ନୃପଈଶ ।

ରାଜା ବୋଇଲା ମୋହର ସେହି ଦୃଢ଼ବାଣୀ

ପ୍ରତ୍ୟକ୍ଷେ ଦେଖିଲେ କନ୍ୟା ଦେବି ଏହିକ୍ଷଣି ।

ଅନେକ କାଳରୁ ମୁହିଁ ସତ୍ୟ କଲି ଯାହା ।

ଦଇବବଳେ ସୁଯୋଗେ ଘଟାବଲା ତାହା ।

ଏ ତ ପୁଣ୍ୟ ପୁରୁଷ ଯେ ଦିଶୁଅଛି ଭଲା

ମହତ ଭେଟ ଆଣିଣ ଧାତା ବେଗେ କଲା ।

ଦୁର୍ବାସା ଋଷି କହିଣ ଥିଲେ ମୋ ନିକଟ

ଅବଶ୍ୟ ବିଷ୍ଣୁଙ୍କର ତୁ ପାଇବୁଟି ଭେଟ ।

ଏହି ସେ ବିଷ୍ଣୁ ଗୁପତ ରୂପେ ଛନ୍ତି ଆସି

ନୋହିଲେ ଏମନ୍ତ କେହୁ କହନ୍ତା ଭରସି ।

ସାମାନ୍ୟ ଲୋକ କହନ୍ତା କିବା ଏହା କଥା

ଏସନ ବିଚାରି ସତ୍ୟବ୍ରତ ମହାରଥା ।

କର ଯୋଡ଼ିଣ କହଇ ସଭାକୁ ସେ ଚାହିଁ

କିସ ବୋଲଇ ବ୍ରାହ୍ମଣ ଶୁଣ ତୁମ୍ଭେ ରହି ।

ରଥୀ ମହାରଥୀମାନେ ଅଛ ବହୁ ଯୋଧୀ

ଷଣ୍ଢ ବାନ୍ଧିବାକୁ ତୁମ୍ଭ ଅଛଇ କି ବୁଦ୍ଧି ।

ଏତେ କାଳଯାଏ କେହୁ ଷଣ୍ଢକୁ ନ ବାନ୍ଧ

ନିଶ ଫୁଲାଇ ବସିଛ ହୋଇଣ ମଦାନ୍ଧ ।

ଏ କଥାମାନ ନ ରୁଚେ ମୋହର ମନକୁ

ଛାତି ଫୁଲାଇ ବସିଛ ଆସିଛ ତୁଚ୍ଛାକୁ  

ଦୃଢ଼ କରିଅଛି ମୁହିଁ ଯେବଣ ବଚନ

ଶରୀରରେ ପ୍ରାଣ ଥିଲେ ନ ହୋଇବ ଆନ ।

ଏତେ ବୋଲି କର ତାଳି ଦେଲା ନରପତି

ପାରିଲେକ ରାଜାମାନେ ଉଠ ହୋ ଝଟତି ।

ଅଥବା ବଳ ଶରୀରେ ଯେବେ ତୁମ୍ଭ ନାହିଁ

ଉଠିଯାଅ ସଭାମଧ୍ୟୁ ବସିଛ କିପାଇଁ ।

କ୍ଷତ୍ରିୟଠାରୁ ଛତିଶ ପାଟକର ଯାଏ

ଯାର ବଳ ଅଛି ବେଗେ କରସି ଉପାୟେ ।

ଷଣ୍ଢକୁ ବାନ୍ଧି ଖମ୍ବରେ ଖଟାଅ ଯେ ଆଣି

ଅଧେ ରାଜ୍ୟ ସହିତରେ ଦେବଇଁ ଦୁଲଣୀ ।

ଆବର କଥାଏ ତୁମ୍ଭେ ଶୁଣ ହେ ଉଦନ୍ତ

ଜରାସନ୍ଧ ସହିତରେ ଅଛ ନୃପଯୂଥ ।

ଯାହାର ବଳ ଅଛଇ ଦେଖା ପରାକ୍ରମ

ଲାଭ କର କନ୍ୟା ରତ୍ନ ଉଦେ ହେଉ ଧର୍ମ ।

ଯେତେ ରାଜାମାନେ ତହିଁ ମଧ୍ୟେ ବସିଥିଲେ

ସମ୍ମତ କରିଣ ଏକେ ଏକେ ଯେ ଉଠିଲେ ।

ଜଣେ ଜଣେ ହୋଇ ଷଣ୍ଢ ପାଖରେ ମିଳନ୍ତି

ଗର୍ଜ୍ଜନ ନାଦ ଶୁଣିଣ ଦୂରୁ ପଳାବନ୍ତି ।

ଧରି ନ ପାରି ରାଜାଏ ଲାଜ ପାଇ ବସି

ଶୁଣି ପରୀକ୍ଷିତ ଭଣି ଶକୁ ମହାଋଷି ।

ଏଥୁ ଅନ୍ତରେ ସେ ଦେବ ନାରାୟଣ ସ୍ଵାମୀ

ଗୋଶାଳାଦ୍ଵାରେ ଯାଇଣ ମିଳି ଅନ୍ତର୍ଯ୍ୟାମୀ ।

ଦେଖିଲେ ଦ୍ଵାର ନିକଟେ ସୁବର୍ଣ୍ଣର ଖମ୍ବ

ରଜ୍ଜୁଏ ଖଞ୍ଜା ହୋଇଛି ସସ୍ରେ ହାତ ଲମ୍ବ ।

ଧାତିକାରେ ତାହା ଘେନି ଦେବ ଲକ୍ଷ୍ମୀସାଇଁ

ଶ୍ରୀକରେ କବାଟ ଫେଇ ଭିତରକୁ ଚାହିଁ ।

କବାଟ ଫିଟନ୍ତେ ଶବ୍ଦ ହେଲା ମହାରଡ଼ି

ଶୁଣିଣ ଷଣ୍ଢମାନେ ଯେ ଧାଇଁଲେ ତଡ଼୍‌ବଡ଼ି ।

ଗର୍ଜ୍ଜୁଛନ୍ତି ଧାଇଁଛନ୍ତି ଦେଇଣ କୁହାଟି

ଷଣ୍ଢଙ୍କର ପଛେ ପଛେ ଯାନ୍ତି ଜଗଜ୍ଜେଠି ।

କବାଟ ଫେଡ଼ନ୍ତେ ଗାଭୀମାନେ ଆକରଷି

ହମ୍ବାରାବ କରି କୃଷ୍ଣଚନ୍ଦ୍ରେ ବେଢ଼ି ଆସି ।

ଧାମନ୍ତି ଚାରିଆଡ଼ରୁ ଚଣ୍ଡୀରୂପ ଧରି

ନିର୍ଘାତ କରିଣ ସେହି ଖୂରାନ୍ତ ଉଭାରି ।

ଗୋରୁଏ ଧାମନ୍ତେ ଧୂଳି ଉଡ଼େ ଶୂନ୍ୟମାର୍ଗେ

ଅନ୍ଧାର ନିଶି ପରାୟେ ଦିଶେ ଦଶଦିଗେ ।

ସଭାର ମଧ୍ୟରେ ରାଜାମାନେ ବସିଥିଲେ

ପ୍ରମାଦ ପଡ଼ିଲା ବୋଲି ମନରେ ଭାଳିଲେ ।

ପଳାଇ ଲୁଚିଲେ ଯାଇଁ ବୃକ୍ଷଙ୍କ ଉପରେ

କରେ ବାଡ଼ି ଘେନିକରି ରହି ଯେ ଯାହାରେ ।

ଷଣ୍ଢଙ୍କ ପଛେ ଗୋରୁଏ ପଡ଼ିଲେକ ମାଡ଼ି

ଅଣ୍ଡିରା ବତ୍ସା ଧାମନ୍ତି ହୋଇ ତଡ଼ିବଡ଼ି ।

ରାଜାମାନେ ଦେଖିକରି ଲଭିଲେ ବିଷାଦ

ବୋଇଲେ ପଳାଇ ଯିବା ପଡ଼ିବ ପ୍ରମାଦ ।

ଗୋ ବ୍ରାହ୍ମଣ ଋଷି ସଦା ଅବଧ୍ୟ ଜଗତେ

ଏହାଙ୍କର ସଙ୍ଗେ ଆମ୍ଭେ ଲାଗିବା କେମନ୍ତେ ।

ଏହାଙ୍କ ସଙ୍ଗେ ଲାଗିଲେ ନିଶ୍ଚେ ଯିବା ମରି

ୟାଙ୍କ ପାଶୁଁ ଅପସରି ଯିବା ତେଣୁ କରି ।

ସତ୍ୟବ୍ରତ ନୃପ ମିଛେ ଗଲା ୟାଙ୍କୁ ପ୍ରତେ

ନ ଜାଣିବା ପଣେ ଏହୁ ମରିବ ଯୁକତେ ।

ଭିକ୍ଷୁକ ବ୍ରାହ୍ମଣ ଏତ ଅଳପ ବୟସ

ଜାଣୁ ଜାଣୁ ସଂପୁଟରେ ଯିବ ନିଶ୍ଚେ ନାଶ ।

ଥୋକାଏ ବୋଇଲେ ଏତ ଜାଣି ନ ପାରିଲା

ବଡ଼ିମାପଣ ଦେଖାଇ ଆପେ ନାଶ ଗଲା ।

ଥୋକାଏ ବୋଇଲେ ପୂର୍ବୁ ଅର୍ଜିଅଛି ଯାହା

କେ ଆନ କରିବ ଧାତା ଭେଟାଇଛି ତାହା ।

ନିଶ୍ଚେଁ ଏ ବ୍ରାହ୍ମଣ ମଲା ସତ୍ୟବ୍ରତ ଯୋଗେ

ଏତେବୋଲି ରାଜାଗଣେ ଅତ୍ୟନ୍ତ ଉଦ୍‌ବେଗେ ।

ଏସନ ବିଚାର ଯହୁଁ ଜାଣିଲେ ଶ୍ରୀହରି

ଗୋ ମୋହନ ମୁରଲୀକି ଧୀରେ ଚୁମ୍ବ କରି ।

ଗୁଣ୍ଡକେରୀ ରାଗିଣୀରେ କରନ୍ତେ ବାଦନ

ସେ ନାଦେ ମୋହିତ ହେଲେ ତିନିପୁର ଜନ ।

ଗୋରୁଙ୍କ କର୍ଣ୍ଣେ ଶୁଭିଲା ସେ ଅମୃତ ନାଦ

ଶ୍ରବଣ ପାତି ଶୁଣିଲେ ବେଣୁର ଶବଦ ।

ଷଣ୍ଢ ଗାଈ ବତ୍ସାମାନେ ରହି ଯେଝାଠାବେ

ସ୍ତମ୍ଭୀଭୂତ ହୋଇ ନାଦ ଶୁଣିଲେ ସରବେ ।

ଆକାଶ ମାର୍ଗରେ ଘୋଟି ଉଡ଼ୁଥିଲା ଧୂଳି

କ୍ରମେ ସ୍ଥିର ହୋଇ ଦେଖାଗଲେ ଅଂଶୁମାଳି ।

ଷଣ୍ଢ ଗାଈ ବତ୍ସାଙ୍କର ଶବ୍ଦ ଆଉ ନାହିଁ

ଚକିତ ହୋଇଲେ ତାହା ଦେଖି ସର୍ବେ ତହିଁ ।

ଯେବଣ କାଳେ ଥିଲେ ଶ୍ରୀକୃଷ୍ଣ ଗୋପପୁରେ

ଗୋମୋହନ ବେଣୁଧ୍ଵନି ଜାଣନ୍ତି ସେ ଭଲେ ।

ଗୋବତ୍ସା ହରିବାକାଳେ ଧାତା ଯାହା ଦେଇ

ଅଧର ନାସା ପୁଟରେ ଶ୍ରୀକୃଷ୍ଣ ତା ବାଇ ।

ଅପାନ ବନ୍ଦିରେ ପ୍ରାଣ ପବନକୁ ଛନ୍ଦି

ମନ ପବନ ବିନ୍ଦୁକୁ କଲେ ନେଇ ବନ୍ଦି ।

ଯଜୁର୍ବେଦ ପରାୟେକ ଶୁଭେ ବେଣୁଧ୍ଵନି

ପଞ୍ଚସ୍ଵରେ ଫୁଙ୍କନ୍ତି ଯେ ଦେବ ଚକ୍ରପାଣି ।

ମୋହନ ମୂରଲୀସ୍ଵନେ ହେଲେ ସର୍ବେ ବଶ

ସମସ୍ତେ ମିଳିଲେ ଆସି ଶ୍ରୀକୃଷ୍ଣଙ୍କ ପାଶ ।

କରେ ରଜ୍ଜୁ ଘେନି ହରି ପକାଇଲେ ଗଣ୍ଠି

ଅଣାବଣା ଯେବାଥିଲେ ହେଲେ ଏକ ଗୋଷ୍ଠି ।

ଗୋପଳୀଳା ପରି ବାମହସ୍ତେ ରଜ୍ଜୁ ଟାଣି

ଧୀର ଧୀର କରି ସ୍ଵର୍ଣ୍ଣଖମ୍ବେ ବାନ୍ଧି ଆଣି ।

ସଭାମଧ୍ୟୁ ରାଜାମାନେ ଯାଇଥିଲେ ଉଠି

ଅଗୋଚର କର୍ମ ଦେଖି ସକଳେ ଲେଉଟି ।

ଦେଖିଲେ ଦଉଡ଼ି ଧରିଅଛନ୍ତି ବ୍ରାହ୍ମଣ

ମୁରଲୀ ସ୍ଵନକୁ ଗୋରୁ ପାତିଛନ୍ତି କର୍ଣ୍ଣ ।

ଯେସନେ ମାଳୀ ଗୁନ୍ଥଇ ପୁଷ୍ପ ପନ୍ତି ପନ୍ତି

କୈବର୍ତ୍ତ ଯେଉଁ ପ୍ରକାରେ ଗୁନ୍ଥେ ମାଛଲେନ୍ତି ।

ଶତେ ଷଣ୍ଢଙ୍କୁ ବାନ୍ଧିଲେ ସେହି ପରକାରେ

ଜୟଧ୍ଵନି ଉଚ୍ଚାରଲେ ସ୍ଵର୍ଗରେ ଅମରେ ।

ରାଜାଗଣେ ସଭା ମଧ୍ୟେ ବସିଣ ଯେ ଥିଲେ

ହୋଇଲା ହୋଇଲା ବୋଲି ସକଳେ ଉଠିଲେ ।

ସର୍ବ ନୃପତି ବୋଇଲେ ସତ୍ୟବ୍ରତେ ଚାହିଁ

ଦିଅ ତୁମ୍ଭେ ଦୁହିତାଙ୍କୁ ଏବେ ନରସାଇଁ ।

ଆମ୍ଭେମାନେ ଥାଇ ଆଉ କରିବାଟି କିସ

ଅଲଙ୍ଘିତ କର୍ମ କଲେ ଧର୍ମ ଯିବ ନାଶ ।

ଏହା କହି ରାଜାମାନେ ରାଜ୍ୟେ ଚଳିଗଲେ

ଶୁଣ ହୋ ପରୀକ୍ଷ ରାଜା ଶ୍ରୀଶୁକ ବୋଇଲେ ।

ଷଣ୍ଢମାନଙ୍କୁ ଖମ୍ବରେ ବାନ୍ଧି ଜଗନ୍ନାଥ

ତ୍ରିଭଙ୍ଗି ଛନ୍ଦରେ ଉଭା ଖମ୍ବେଦେଇ ହସ୍ତ ।

ଅନେକ କାଳରୁ ଗୋପନଗ୍ରେ ରହିଥିଲେ

ଗୋପୀ ଗୋପାଳଙ୍କ ସଙ୍ଗେ ବହୁ କ୍ରୀଡ଼ାକଲେ ।

କଦମ୍ବ ଗଛେ ଆଉଜି ତ୍ରିଭଙ୍ଗିରେ ଉଭା

ଏବେ ସେହିମତି ପ୍ରଭୁ ଦିଶିଲେକ ଶୋଭା ।

ଗୌପାଶେ ବେଢ଼ି ଅଛନ୍ତି ଷଣ୍ଢ ଗାବ ବତ୍ସ

ତ୍ରିଭଙ୍ଗି ଗୋପାଳରୂପ ଦିଶନ୍ତି ପ୍ରତ୍ୟକ୍ଷ ।

ସର୍ବେ ବିସ୍ମୟ ହୋଇଲେ ସେ ରୂପକୁ ଚାହିଁ

ବୋଇଲେ ଏମନ୍ତ ରୂପ ନେତ୍ରେ ଦେଖା ନାହିଁ ।

ବଳବନ୍ତ ରାଜାମାନେ ନ ପାରି ଯା କରି

ଏ ଷଣ୍ଢକୁ ଆଣିଲେକ ବଳାତ୍କାରେ ଧରି ।

କେବଣ ଦେବତା ଏଥେ ଆସିଣ ଗୁପତେ

ଏକଦୃଷ୍ଟି ଦେଇକରି ଦେଖନ୍ତି ସମସ୍ତେ ।

ରୂପ ଦେଖିଣ ସକଳେ କରିଲେ ପ୍ରଶଂସା

ଜଗତ୍‌ବନ୍ଦନ ପୁରୁଷ ମୋହିଲେ ମନୀଷା ।

ମେଢ଼ର ଉପରେ ବସି ଦେଖି କନ୍ୟା ବେନି

ଧାତିକାରେ ଓହ୍ଲାଇଲେ ବରମାଳା ଘେନି ।

ପାରୁଶରେ ଖଟିଛନ୍ତି ବହୁ ପରିବାରୀ

ଛତ୍ର ଚାମର ବିଞ୍ଚଣି ହଡ଼ପକୁ ଧରି ।

ପଡ଼ିହାରୀ ଲୋକାନେ କରି ସୈନ୍ୟ ଦୂର

ମଙ୍ଗଳ ମହୁରୀ ଶଙ୍ଖ ବାଜେ ବୀରତୂର ।

ଉଦଣ୍ଡ ଏକଲକ୍ଷ ଯେ ଲମ୍ବେ ପନ୍ତି ପନ୍ତି

ଧବଳ ଛତ୍ର ପତାକାମାନେ ଶୋଭାପାନ୍ତି ।

ଆପେ ସତ୍ୟବ୍ରତ ରାଜା ପୁତ୍ର ସଙ୍ଗେ ଘେନି

ଶ୍ରୀକରେ ଧରନ୍ତି ବେନି କନ୍ୟାଙ୍କର ପାଣି ।

ଅନେକ ସାନନ୍ଦାମନା ହୋଇ ନରପତି

ଯାନ ବାହନ ତେଜିଣ ଯାଏ ପାଦଗତି ।

ଯେଉଁଠାରେ ଜଗନ୍ନାଥେ କରିଛନ୍ତି ବିଜେ

ସେଠାରେ ମିଳିଲେ ଯାଇ ସତ୍ୟବ୍ରତ ରାଜେ ।

ରାଜାଏ ଦେଖିଲେ ତାଙ୍କୁ ସଭା ମଧ୍ୟେ ଥାଇ

ଦୁହିତା ବେନି ଘେନିଣ ମିଳେ ରାଜା ଯାଇ ।

ଷଣ୍ଢ ଦଉଡ଼ି ହସ୍ତରେ ଧରି ଗୋପୀନାଥ

ତ୍ରିଭଙ୍ଗି ଛନ୍ଦରେ ଉଭା ପ୍ରଭୁ ଜଗନ୍ନାଥ ।

ଏସନ ସମୟେ ଯାଇ ଶ୍ରୀୟା ସତ୍ୟବତୀ

କୃଷ୍ଣଙ୍କ ଗଳାରେ ମାଳା ଲମ୍ବାଇଲେ ଧାତି ।

ଶ୍ରୀଖଣ୍ଡ ଚନ୍ଦନ ନେଇ ଲେପିଲେ ଶ୍ରୀଅଙ୍ଗେ

ନବତନ ଦିବ୍ୟବସ୍ତ୍ର ପିନ୍ଧାଇଲେ ଅଙ୍ଗେ ।

ଶୁଭିଲାକ ଜୟ ଜୟ ଶବ୍ଦ ଦିବ୍ୟଧ୍ଵନି

ବନ୍ଦାପନା କରିଲେକ ଅହିଅ କାମିନୀ ।

ବ୍ରାହ୍ମଣେ ବେଦ ପଢ଼ିଲେ ରାଗ ରାଗିଣୀରେ

ଅପ୍ରାଜିତା ଚଣ୍ଡୀପାଠ କଲେ ଦେବାଗାରେ ।

ବିଚିତ୍ର ଛାୟାମଣ୍ଡପେ ସୁବର୍ଣ୍ଣର ବେଦୀ

ତା ଉପରେ ଚନ୍ଦ୍ରାତପ ଅଛଇ ଆଚ୍ଛାଦି ।

ଆପେ ଜଗନ୍ନାଥ ଦେବ ବରରୂପ ଧରି

ପୂର୍ବ ମୁଖେ କଟାସନେ ବସି ଦେବହରି ।

ବରଣ ବାକ୍ୟ ଅନ୍ତରେ ସତ୍ୟବାକ୍ୟ କଲେ

ଦେଶକାଳ ବାକ୍ୟେ କୃଷ୍ଣନାଥଙ୍କୁ ବରିଲେ ।

ବେନି ଦୁହିତା ପାଶରେ ବସାଇ ନୃପତି

ଆପଣେ ବ୍ୟାସ ଆସିଣ କରମ କରନ୍ତି ।

ଉଭୟ କୁଳ ଗୋତ୍ରକୁ କରି ଉଚ୍ଚାରଣ

ମାହେନ୍ଦ୍ର ବେଳାରେ କୁଶଗଣ୍ଠି ବାନ୍ଧି ପୁଣ ।

ପୂର୍ବ ବରୁଣ ଦୁହିତା ହେଲେ ଯେହ୍ନେ ବିଭା

ତେସନ ପ୍ରକାରେ ସେହୁ ପାଇଲେକ ଶୋଭା ।

ଶ୍ରୀୟା ସତ୍ୟବତୀ ଦେବୀ ଆଦି ବୃଦ୍ଧମାତ

ସମୁଦ୍ରମଧ୍ୟୁ ଏମାନେ ହୋଇଛନ୍ତି ଜାତ ।

ଲକ୍ଷ୍ମୀଙ୍କ ସମାନେ ଜାଣ ଏହି ଆଠଜଣ

ଶ୍ରୀବିଷ୍ଣୁ ଦେବ ବଲ୍ଲଭୀ ଅଟନ୍ତି ଏ ପୁଣ ।

ଏହାଙ୍କରେ ସରଜିଲା ସକଳ ମେଦିନୀ

କଳ୍ପ କଳ୍ପାନ୍ତରେ ଏହୁ ଥାନ୍ତି ଦେହ ଘେନି ।

ଯେଉଁଠାରେ ନାରାୟଣ ହ୍ଵନ୍ତି ଅବତାର

ସର୍ବଦା ରହି ଥାଆନ୍ତି ଏମାନେ ସଙ୍ଗର ।

ଏମନ୍ତ ଚରିତ କେହି ନ ଜାଣନ୍ତି ଆନ

ଅନ୍ତର୍ଯ୍ୟାମୀ ପୁରୁଷ ତା ଜାଣି ଭଗବାନ ।

ଶ୍ରୀକରେ କର ଛନ୍ଦିଣ ହୋଇଲେ ଯେ ବିଭା

ତାଙ୍କ ମହିମା ବିଶେଷି କେ କହିବ ଅବା ।

ଅପ୍ରମିତ ଜଉତୁକ ଦେଲା ନରପତି

ଏକଶତ ଅଶ୍ଵ ଆଉ ଏକ ଶତ ହସ୍ତୀ ।

ମଇଁଷୀ ଦଶଲକ୍ଷ ଯେ ଗାବ ବେନିଲକ୍ଷ

ଅତୁଲାଇତ ବସନ ଦିଅଇ ପ୍ରତ୍ୟକ୍ଷ ।

ପୁନରପି ସତ୍ୟବାକ୍ୟ ପଢ଼ି ଦଣ୍ଡଧାରୀ

ଅର୍ଦ୍ଧେରାଜ୍ୟ ସମର୍ପିଲା କୋଟିଏକ ନାରୀ ।

କୋଟିଭାର ପାଣିଦ୍ରବ୍ୟ ଦେଲା ତଦନ୍ତରେ

ହୀରା ମାଣିକ୍ୟ ବୈଦୁର୍ଯ୍ୟ ଗୋମେଦ ସଙ୍ଗରେ ।

ବିଦ ମୁଦି କଙ୍କଣାଦି ଏକକୋଟି ଦେଇ

ଚାଟୁପଟଳ ବଚନ ବିନୟରେ କହି ।

ଫିଟିଲାକ କୁଶଗ୍ରନ୍ଥି ଲାଜା ହୋମ କଲେ

ଚରୁ ବାଢ଼ ତହୁଁ ପୁଣ ଘୃତ ଅନ୍ନ ଦେଲେ ।

ଗୋବିନ୍ଦ ବାମ ଡାହାଣେ ବସି କନ୍ୟା ବେନି

ନାରାୟଣ ବିଜେ କିବା ଲକ୍ଷ୍ମୀ ବାଣୀ ବେନି ।

ତହିଁକି ପଟାନ୍ତର ମୁଁ ଦେବଇଁ ବା କିସ

ବଦୟନ୍ତି ଶୁକମୁନି ଶୁଣ ନୃପଈଶ ।

ଅତି ଭାଗ୍ୟେ ଭାଗବତ ଶ୍ରୀମୁଖ ବଚନ

ଏସନକ ମାୟା କରିଛନ୍ତି ଜନାର୍ଦ୍ଦନ ।

ନାରାୟଣ ବୋଲି କେହୁ ନ ପାରିଲେ ଚିହ୍ନି

ଚିତ୍ରପଟ ପରାୟେକ ଦେଖି ସର୍ବ ପ୍ରାଣୀ ।

ରାଜାମାନେ ବିଚାରନ୍ତି ଏ ଅଟେ ବ୍ରାହ୍ମଣ

ଷଣ୍ଢ ବାନ୍ଧି କନ୍ୟା ନେଲା ନିଶ୍ଚେ ବଡ଼ପଣ ।

ଜାରାସନ୍ଧ ଆଦିକରି ଭାଳନ୍ତି ଏମନ୍ତ

ମାୟା ଲଗାଇ ଅଛନ୍ତି ଦେବ ଜଗନ୍ନାଥ ।

ସତ୍ୟବ୍ରତ ବୋଲେ ଶୁଣ ଆହେ ଅନ୍ତର୍ଯ୍ୟାମୀ

ଯେ ତୁମ୍ଭର ଇଚ୍ଛା ତାହା କର ଦେବ ସ୍ଵାମୀ ।

ଭୋଦେବ ତୁମ୍ଭଙ୍କୁ ମୁହିଁ କହିବଇଁ କିସ

ଅଶେଷ କୋଟି ବ୍ରହ୍ମାଣ୍ଡ ଅଟ ଜଗଦୀଶ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନି

ପଚିଶ ପ୍ରକୃତି ତୁମ୍ଭେ ଭିଆଇଛ ପୁଣି ।

ଆଦିମୂଳ ପୁରୁଷ ତୁ ଅନାଦି ଅନନ୍ତ

ମ୍ଳେଚ୍ଛାଦି ନାଶ ନିମନ୍ତେ ମର୍ତ୍ତ୍ୟେ ହୁଅ ଜାତ ।

ବାରମ୍ବାର ପୃଥ୍ଵୀ ତୁମ୍ଭେ ଥାଅ ରକ୍ଷାକରି

ଭକ୍ତଜନ ଉଦ୍ଧାରଣ ବାନା ଥାଅ ଧରି ।

ତୁମ୍ଭେ ଦେବ ସଞ୍ଚିଅଛ ଏହି ପୃଥ୍ଵୀକୁହିଁ

ଆତ୍ମା ପରମ ପୁରୁଷ ସର୍ବ ଗୁଣଗ୍ରାହୀ ।

ଅଛିଦ୍ର ଭାବରେ ତୁମ୍ଭେ ସର୍ବଠାରେ ବ୍ୟାପି

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ତୁମ୍ଭେ ବିଶ୍ଵରୂପୀ ।

ନମସ୍ତେ ଶ୍ରୀନାରାୟଣ ହେ ଅନନ୍ତଶାୟି

ଅଛିଦ୍ର ପୂର୍ଣ୍ଣାନନ୍ଦ ହେ ପ୍ରଭୁ ଭାବଗ୍ରାହୀ ।

ନମସ୍ତେ ଶ୍ରୀ ନାରାୟଣ ଯୋଗାଧି ପୁରୁଷ

ତୁମ୍ଭର ସଞ୍ଚିଲା ସିନା ପୃଥିବୀ ଅଶେଷ ।

ଲେଖନ୍ତେଣ ନ ସରଇ ତୁମ୍ଭ ଗୁଣମାନ

ଅଚ୍ୟୁତ ନାମ ଗୋଟିକ କହ ହେ ଆପଣ ।

ଏତେ ବୋଲି ରାଜା ସ୍ତୁତି ବହୁମତେ କରି

ନୃପତିର ପଞ୍ଚମନ ଜାଣି ନରହରି ।

ଦର୍ହସିତରେ ବୋଲନ୍ତି ତୁମ୍ଭେ ପିତା ତୁଲ

ବେନିକନ୍ୟାଙ୍କୁ ତୁମ୍ଭେ ତ ମୋତେ ଯାଚି ଦେଲ ।

ନୃପତି ବୋଇଲା କିପାଁ କହ ଏହି ବାଣୀ

ଦେବତାଙ୍କ ପରେ ତୁମ୍ଭେ ଦେବ ଶିରୋମଣି ।

ତୁମ୍ଭର ପଦାର୍ଥ ସିନା ନେଇ ଯଥାକାଳେ

କେବଳ କାରେଣୀ ମାତ୍ର ମୁହିଁ ଏ ଶୟଳେ ।

ଏମନ୍ତ ବିଚାରବେଳେ ଆସି ନନ୍ଦିଘୋଷ

ଶ୍ରୀକୃଷ୍ଣଙ୍କ ସମୀପରେ ହୋଇଲା ପ୍ରବେଶ ।

ଚାରିଗୋଟି ଯଦୁବୀର ଅଛନ୍ତି ତହିଁରେ

ସେମାନେ ବସିଅଛନ୍ତି ଆନନ୍ଦ ମନରେ ।

ବିଜୁଳି ପ୍ରାୟେ ଆକାଶୁଁ ଖସି ଆସି ବେଗେ

ଉପସ୍ଥିତ ହୋଇଲାକ ଗୋବିନ୍ଦଙ୍କ ଆଗେ ।

ଚମତ୍କାର ହୋଇ ଦେବେ ଚାହାନ୍ତି ଗଗନେ

ଶଙ୍କା ପାଇଲେକ ତହିଁ ଦୁଷ୍ଟ ରାଜାମାନେ ।

ସର୍ବେ ଜାଣିଲେ ନିଶ୍ଚେଁ ଏ ଅଟନ୍ତି ଶ୍ରୀହରି

ନୋହିଲେ କି ଆନଲୋକ ଏଡ଼େ କର୍ମ କରି ।

ଏମନ୍ତେ ବିଚାର କରି ଥୋକେ ନରପତି

ଭକତ ରାଜାମାନେ ଯେ ହେଲେ ବଶବର୍ତ୍ତୀ ।

ବୋଇଲେ ଆମ୍ଭ ଜୀବନ ହୋଇଲା ସଫଳ

ଦେଖିଲୁ ଶ୍ରୀନିରାକାର ମଦନ ଗୋପାଳ ।

ନନ୍ଦିଘୋଷକୁ ଦେଖିଣ ଦେବ ଜଗନ୍ନାଥ

ଧାତିକାରେ ବିଜେ କଲେ ଯାଇ ସେହି ରଥ ।

ଯୌତୁକ ଯା ଦେଇଥିଲେ ଉପହାରମାନ

ସଂକଳ୍ପ କରି ବ୍ରାହ୍ମଣେ କରିଲେ ପ୍ରଦାନ ।

ସତ୍ୟବ୍ରତେ ଅନାଇଣ ପ୍ରଭୁ ପୀତବାସ

ବୋଲନ୍ତି ଦ୍ଵାରକାପୁରେ ଯିବ ନୃପଈଶ ।

ତୁମ୍ଭେ ଆମ୍ଭ ପିତା ନନ୍ଦ ବସୁଦେବ ସରି

ପବିତ୍ର ପାଟବଂଶୀ ଏ ତୁମ୍ଭର କୁମାରୀ ।

ଭୀଷ୍ମକ ନୃପତି ତୁଲ୍ୟ ଅଟ ନରନାଥ

କହୁଁ କହୁଁ ଆକାଶରେ ଚଳିଯାଏ ରଥ ।

ପବନହିଁ ଅତିବେଗେ ଚଳେ ନନ୍ଦିଘୋଷ

ଗଗନ ପଥେ ଧାମନ୍ତି ଚାରିଗୋଟି ଅଶ୍ଵ ।

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି

ଇତିଶରୀ ହରିବଂଶ ପୁରାଣର ଧ୍ଵନି ।

ଶାଲ୍ଵ ଶିଶୁପାଳ ଦମଘୋଷ ଯେ ରୁକ୍ମଣ

ଜରାସନ୍ଧ ଅଗ୍ରତରେ ମିଳଇ ତତକ୍ଷଣ ।

ବୋଇଲେ ଦେଖିଲେ କୃଷ୍ଣ କେଡ଼େ ମାୟା କଲା

ବେଣ୍ଟକାରପଣେ ଆସି କନ୍ୟା ହରି ନେଲା ।

ଭେଳିଳି ଦେଖାଇ ଭଣ୍ଡିକରି ଗଲା ଯେତେ

ତାହା ତ ଜାଣି ନ ପାରି କେହି ଯେ କିଞ୍ଚିତେ ।

ବହୁବିଧ ମୟାଗୋଟି ଜାଣେ ପୀତବାସ

ସମୟେ କରିବ ସେହୁ ସକଳ ବିଧ୍ଵଂସ ।

ଜରାସନ୍ଧ ବୋଲେ କାହିଁ ନ କଲା କି କର୍ମ

ଅପାର ବେଳ ଧାଡ଼ିରୁ ରଖେ ତାଙ୍କୁ ଧର୍ମ ।

ଆବର ଯେ କଥାଗୋଟି ଭାବିଲେ କି ହେବ

କଥା ସରିଗଲା ଏବେ ଚାଲ ଯେଝା ଠାବ ।

ଦନ୍ତବକ୍ର ବୋଲେ ତାଙ୍କୁ ଧରିବା ହୋ ଆସ

ରୁକ୍ମଣ କହେ ସପ୍ତାଙ୍ଗେ ଯିବ ନିଶ୍ଚେଁ ନାଶ ।

ରୁକ୍ମିଣୀ ବିଭା ସମୟେ ହେଲା ଏହି ମତି

ଚେତି ନ ପାରିଣ ମୁହିଁ ପାଇଲଇଁ ଶାସ୍ତି ।

ଶାଲ୍ଵ ବୋଇଲା ତୁହି ତ କ୍ଷତ୍ରୀଅଂଶୀ ନୋହୁ

ଶତ୍ରୁର ପୌରୁଷ ଆମ୍ଭ ଆଗେ ଆସି କହୁ ।

ବନ୍ଧୁତା ଥିବାରୁ ତୁହି କହୁଛୁ କେତେହେଁ

କେତେ କେତେ ଅବସ୍ଥାକୁ ପାଇବା ଏ ଦେହେ ।

ଏଥିର ନିମନ୍ତେ ପଛେ ଯାଉ ଆମ୍ଭ ପ୍ରାଣ

କୃଷ୍ଣର ସହିତେ ନିଶ୍ଚେଁ କରିବାଟି ରଣ ।

ଜରା ବୋଲେ ସେ କଥାରେ କିଛି କାର୍ଯ୍ୟ ନାହିଁ

ଯିବଣି ବହୁଦୂର ସେ ଭେଟିବା ଯେ କାହିଁ ।

ଏତେ ବିଚାରି ସକଳେ ଯେଝାପୁରେ ଗଲେ

ଶୁଣ ପରୀକ୍ଷ ନୃପତି ଶ୍ରୀଶୁକ ବୋଇଲେ ।

ବହୁରାଜା ଆସି ତହିଁ ହୋଇଥିଲେ ମେଳି

ସତ୍ୟବ୍ରତ ରାଜା ସହେ ସବୁଙ୍କ ଆର୍ଦ୍ଦୋଳି ।

ଭକ୍ଷ ଭୋଜନ ଅକ୍ଷତ ଉପହାର ଦେଲେ

ସରିସମେ ରାଜା ଗଣେ ଗଉରବ କଲେ ।

ଏଥୁ ଅନନ୍ତରେ ତେଣେ ସେ ଦେବାଧିରାୟେ

ଚଳିଯାନ୍ତି ନନ୍ଦିଘୋଷେ କରିଣ ବିଜୟେ ।

ଦକ୍ଷିଣ ଦିଗୁଁ ବସନ୍ତ ବହେ ଧୀର ଧୀର

ବେନି କନ୍ୟା ଘେନି ରଥେ ଯାନ୍ତି ଦାମୋଦର ।

ବୈଶାଖ ଶୁକ୍ଳ ସପ୍ତମୀ ଅଟେ ଶୌରିବାର

ପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ଥୋକାଏ ଦୂର ଯାଇଣ ଶୂନ୍ୟୁ ରଥ ଖସି

ଯମୁନା ନଦୀକୂଳରେ ମିଳିଲେକ ଆସି ।

କାଳିନ୍ଦୀ ନାମେ ପର୍ବତ ଅଛି ତହିଁ ସଞ୍ଚ

ଅତି ପୁଣ୍ୟତର ଭୂମି ନାହିଁ ସ୍ଵର୍ଗ ମଞ୍ଚ ।

ବତିଶ ଯୋଜନ ଦୀର୍ଘ ଏକକୋଶ ପ୍ରତି

ବେନି ଯୋଜନ ଉଚ୍ଚ ସେ ଏ ରୂପରେ ସ୍ଥିତି ।

ସେଠାରେ ପ୍ରବେଶ ଯାଇ ହେଲା ନନ୍ଦିଘୋଷ

ଭଣଇ ଅଚ୍ୟୁତାନନ୍ଦ କୃଷ୍ଣ ଲୀଳାରସ ।

 

କାଳିନ୍ଦୀ, କମଳା ଓ ତୁଳସୀର ସହିତ କୃଷ୍ଣଙ୍କର ବିବାହ

 

ଏ ସମୟେ ନାରଦ ଯେ ଆସିଣ ମିଳିଲେ

ନନ୍ଦିଘୋଷ ରଥେ ଉଠି ବେଦଧ୍ଵନି କଲେ ।

ବର କନ୍ୟାଙ୍କୁ ଆଶିଷ କଲ୍ୟାଣ ବାଞ୍ଛିଲେ

ପାଦପଦ୍ମେ ଚିତ୍ତ ରଖି ଚୈତନ୍ୟ ଥୋଇଲେ ।

ମୁନି ବୋଇଲେକ ତୁମ୍ଭେ ଅନାଦିପୁରୁଷ

ତିନିକାଳ ବାର୍ତ୍ତାମାନ ହୁଏ ତୋତେ ଦୃଶ୍ୟ ।

ଦ୍ଵାପରରେ ଭାରାଭର ନିବାରଣ ଅର୍ଥେ

ଜନମ ହୋଇଲେ ପ୍ରଭୁ ଆସିକରି ମର୍ତ୍ତ୍ୟେ ।

ପାଣ୍ଡବଙ୍କୁ ଘେନି ତୁମ୍ଭେ କରି ବହୁକାର୍ଯ୍ୟ

ତେବେ ସିନା ମହାଭାରା ଯିବ ଦେବରାଜ ।

ଆବର ଏକ ବଚନ ଶୁଣିମା ଶ୍ରୀହରି

ଏକ୍ଷଣି ଭେଟିବ ତୁମ୍ଭେ କାଳିନ୍ଦୀ ସୁନ୍ଦରୀ ।

ଆଦିତ୍ୟ ଦୁହିତା ସେହୁ ଅଟେ ସୁଲକ୍ଷଣୀ

ଯମ ଶନିଶ୍ଚରଙ୍କର କନିଷ୍ଠ ଭଉଣୀ ।

ଛାୟାଦେବୀର ଗର୍ଭରୁ ହେଲେ ସେହୁ ଜାତ

ଅବିବାହୀପଣେ ସେହୁ ବଞ୍ଚି ମନୁ ସାତ ।

ଈଶ୍ଵର ସେବାକରି ସେ ପାଇଅଛି ବର

ବିଷ୍ଣୁଙ୍କ ଭାରିଯା ମୁହିଁ ହେବି ନିରାଧାର ।

ଶିବ ବୋଇଲେ ଏ ଯୁଗେ ନ ହୋଇବ ଭେଟ

ଦ୍ଵାପର ଯୁଗରେ ତୋର ଫିଟିବ ସଙ୍କଟ ।

ରଙ୍ଗାଅବତାର ତହିଁ ହେବେ ଦେବହରି

ଅଷ୍ଟପାଟବଂଶୀ ହେବେ ତାଙ୍କ ମନୋହାରୀ ।

ସେଦିନୁ ସେ ଆଶାକରି ରହିଅଛି ତୋତେ

ଆଉ ତିନିକନ୍ୟା ବିଭା ହୋଇବେ ଯୁକତେ ।

ବାଳିନ୍ଦୀ କମଳା ଆଉ ତୁଳସୀ ଏମନ୍ତ

ଅଷ୍ଟପାଟବଂଶୀ ଜାଣଆହେ ଜଗନ୍ନାଥ ।

ଧାତିକାରେ ବିଭା ହୋଇ କର ବଇଭୋଗ

କହୁଁ କହୁଁ ଘଟିଲାଣି ଆସି ଯେ ସୁଯୋଗ ।

ଏ ମାୟାମୋହ ସଂସାର ତୁମ୍ଭର ପାତନା

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧରେ କରିପାରେ ବଣା ।

ତୁମ୍ଭ ତହୁଁ ଅଧିକରେ ଭବେ କେହି ନାହିଁ

କୀଟ ପତଙ୍ଗାଦି ସର୍ବ ପାର ଯେ ଭିଆଇ ।

ଜଗନ୍ନାଥ ବୋଇଲେକ ଆହେ ମହାଋଷି

ଭୂତ ଭବିଷ୍ୟତ ବାର୍ତ୍ତା ତୋତେ ସବୁ ଦିଶି ।

କଥାବାର୍ତ୍ତା ହ୍ଵନ୍ତେ ରଥ ଚଳେ ଧୀର ଧୀର

ମୁନିଙ୍କୁ ପ୍ରଣିପାତ ସେ କରି ବହୁବାର ।

ଶ୍ରୀୟା ସତ୍ୟବତୀ ଦୁହେଁ ପ୍ରଣାମ କରିଲେ

ଉଠ ବିଷ୍ଣୁବଲ୍ଲଭା ଗୋ ବୋଲିଣ କହିଲେ ।

ଚଳିଯାଏ ନନ୍ଦିଘୋଷ ଯମୁନାର କୂଳେ

ଯାଇ ମିଳିଲେ କାଳୀୟ ପରବତ ତଳେ ।

ବେଣୀ ଗଙ୍ଗା ନାମେ ତହିଁ ନଦୀଯାଏ ଫୁଟି

ଭୂପାଳ ଦେଶସୀମାରେ ଗମଇ ସେ ଘୋଟି ।

ଚକ୍ରାବର୍ତ୍ତକ ହୋଇ ଯେ ବହୁଛି ତ୍ରିବେଣୀ

ଶମ୍ଭୁଲିଙ୍ଗ ଛନ୍ତି ତହିଁ କାମ ଚିନ୍ତାମଣି ।

ତହିଁପରେ ଏକ କଳ୍ପବଟ ରହିଅଛି

ବ୍ରହ୍ମା ପ୍ରଳୟ କାଳରୁ ସୁସଞ୍ଚେ ଶୋଭୁଛି ।

ସପ୍ତତାଳ ପରିଯନ୍ତେ ଭେଦିଛି ତା ମୂଳ

ଉତ୍ସର୍ଗରେ ସେହି ବୃକ୍ଷଗୋଟି ତିନିତାଳ ।

ଅଙ୍ଗିରା ମହର୍ଷି ତହିଁ ଯୋଗ କରିଥିଲେ

ଇନ୍ଦ୍ରଦେବ ଇନ୍ଦ୍ରପଦ ସେଠାରେ ପାଇଲେ ।

ଅତିଅନ୍ତ ମହିମା ଯେ ଅଟେ ସେ ସ୍ଥାନର

ଜନ ମନୁଷ୍ୟ ସେଠାରେ ନାହିଁ କାରବାର ।

ତହୁଁ ଉତ୍ତର ଦିଗକୁ ଗଲେ ସେହୁ ପଶି

ଦେଖିଲେ ତିନୋଟି କନ୍ୟା ମେଢ଼େ ଛନ୍ତି ବସି ।

ମୁନି ମନ ମୋହିନୀ ସେ ପରମା ସୁନ୍ଦରୀ

ସମ୍ପୂର୍ଣ୍ଣ ଚନ୍ଦ୍ରବଦନ ଦିଶଇ ମାଧୁରୀ ।

ରମ୍ଭା ଉର୍ବଶୀ ରୂପରେ ନୋହିବେ ସମାନ

ଯତନେ ବିଧାତା ତାକୁ କରିଛି ନିର୍ମାଣ ।

ବହୁକାଳରୁ ଅଛନ୍ତି ସେହୁ ପଥ ଚାହିଁ

ଦେବତା ମାୟା ଭୂମି ସେ ଜନ କେହି ନାହିଁ ।

ଏକମାତ୍ର ତିନିକନ୍ୟା ବସି ମେଢ଼ପରେ

ଧ୍ୟାନ କରୁଅଛନ୍ତି ଯେ ଶ୍ରୀବିଷ୍ଣୁ ମନରେ ।

ଯେତେବେଳେ ସେ ପଦାର୍ଥ କରନ୍ତି ସେ ଇଚ୍ଛା

ତେତେବେଳେ ଯୋଗାବନ୍ତି ତାହା ଧାତାବତ୍ସା ।

ବହୁଯୁଗରୁ ଅଛନ୍ତି ସେହୁ ଦେହ ବହି

ଅବିବାହୀ କନ୍ୟା ସେ ତ ଛନ୍ତି ବାଟ ଚାହିଁ ।

ଏବେ ଦ୍ଵାପରରେ ହରି ହେଲେ ଅବତାର

ତପସ୍ୟା ସମ୍ପୂର୍ଣ୍ଣ ଏବେ ହୋଇଲା ତାଙ୍କର ।

ଏହା ଶୁଣିଣ ପରୀକ୍ଷ ନୃପତି ପଚାରି

ବଡ଼ ଗହନ କଥା ତ ଭାଷ ତପଚାରି ।

ଦ୍ଵାପରରେ ନାରାୟଣ ହେଲେ ଅବତାର

ଅସୁର ମାରି ନାଶିବେ ଅବନୀରେ ଭାର ।

ଏରୂପେ ଅଟଇ ସିନା ଦେବଙ୍କ ଭିଆଣ

ତେଣୁ ମର୍ତ୍ତ୍ୟେ ଜନମିଲେ ଦେବ ଭଗବାନ ।

ଅଷ୍ଟପାଟବଂଶୀ ବିଭା ହେବେ ଦେବହରି

ପୂର୍ବରୁ କିଏ ସେମାନେ କୁହ ତଥ୍ୟକରି ।

ଏ କଥା ସଂକ୍ଷେପି ମୁନି କହିବ ମୋତେ ହେ

ଫିଟିଯିବ ମନେ ଭ୍ରାନ୍ତି ତୁଟିବ ସନ୍ଦେହେ ।

ରାଜାର ବଚନ ଶୁଣି ଭଣି ଶୁକଯତି

ଶୁଣ ତୁମ୍ଭେ ସାବଧାନେ ଅପୂର୍ବ ଭାରତୀ ।

ବହୁତ କାଳ ପୁରାଣ ପୁରାତନ ବାଣୀ

କଶ୍ୟପଙ୍କ ବଦନରୁ ଯାହା ଅଛୁ ଶୁଣି ।

ଏକଦିନେ ଚନ୍ଦ୍ର ସୂର୍ଯ୍ୟ ଆଉ ଇନ୍ଦ୍ରରାୟେ

ବସିନ୍ତକାଳେ ନନ୍ଦନବନକୁ ବିଜୟେ ।

ଦେଖିଲେ ନାନାବର୍ଣ୍ଣରେ ପଲ୍ଲବିତ ତରୁ

ଫଳିତ ପ୍ରସ୍ଫୁଟିତ ଯେ ହୋଇଅଛି ଗରୁ ।

କହନ୍ତି ବିହଙ୍ଗଗଣେ ସୁସ୍ଵରରେ ବାଣୀ

ଅତିହିଁ ମଧୁର ଭାବେ କରୁଛନ୍ତି ଧ୍ଵନି ।

ମଧୁ ଲୋଭରେ ଭ୍ରମରେ କରୁଛନ୍ତି କେଳି

ଭୂମିରେ ବିଞ୍ଚା ହୋଇଣ କର୍ପୂରର ଧୂଳି ।

ଏ ସମୟେ ଦେଖିଲେକ ଅପ୍‌ସରୀ ଉର୍ବଶୀ

ବିବସନେ ସ୍ନାନ କଲେ ଜଳମଧ୍ୟେ ପଶି ।

ସଂପୂର୍ଣ୍ଣ ଷୋଳବୟସୀ ଯୁବତୀ ତରୁଣୀ

ତ୍ରିଭୁବନ ମୋହିନୀ ସେ ସ୍ତିରୀରତ୍ନ ମଣି ।

ସଂପୂର୍ଣ୍ଣ ଚନ୍ଦ୍ରମା ପରି ଦିଶଇ ବଦନ

ତାହାର ସଙ୍ଗରେ ପୁଣି ଛନ୍ତି ଦୁଇଜଣ ।

ରମ୍ଭା ମେନକା ନାମରେ ଦୁଇଗୋଟି ନାରୀ

ଦେଖିଲେ ମୋହିତ ହେବେ ତପି ବ୍ରହ୍ମଚାରୀ ।

ତିନି ଦେବେ ତିନିଜଣେ କରିଲେ ବିହାର

ଇନ୍ଦ୍ର ରମ୍ଭାକୁ ଉର୍ବଶୀ ସଙ୍ଗେ ଶଶଧର ।

ଅଦିତ୍ୟ ସଙ୍ଗେ ମେନକା ହୋଇଲେ ଏକାନ୍ତ

ତାଙ୍କଠାରୁ ତିନକନ୍ୟା ହୋଇଲେ ସଂଜାତ ।

ତ୍ରୈଲୋକ୍ୟମୋହିନୀ ସେହି ତିନିଗୋଟି ବାମା

ସୁକୁମାରୀ ସୁଲକ୍ଷଣୀ ରୂପ ଅନୁପମା ।

ତିନିହେଁ ବିଚାର କଲେ କରିବା କି ବୁଦ୍ଧି

କେଉଁଠି ଛାଡ଼ିବା ନେଇ କନ୍ୟା ରତ୍ନନିଧି ।

ବିଶ୍ଵକର୍ମାକୁ ହକାରି ବୋଲି ବାକ୍ୟ ଦୃଢ଼

ମଞ୍ଚ ଭୁବନରେ ନେଇ ତିନି କନ୍ୟାଛାଡ଼ ।

ଅପୂର୍ବ ମନ୍ଦିର କରିଥିବ ଗୁପ୍ତସ୍ଥାନ

ଜାଣି ନ ପାରିବେ ଗଣ ଗନ୍ଧର୍ବ ସେମାନ ।

କପିଳା କାମଧେନୁ ଯେ ସଙ୍ଗେ ରହିଥିବ

ଯେତେବେଳେ ଯା ବାଞ୍ଚିବେ ଆଣି ସମର୍ପିବ ।

ପରିଜନମାନେ ୟାଙ୍କୁ କରିଥିବେ ସେବା

ନ ହୋଇବେ ବହୁ ଯୁଗଯାଏ ନବଯୁବା ।

କୁମାରୀ ରୂପ ଧରିଣ ଥିବେ ଚିରକାଳ

ଗଳିତ ନୋହିବ ତନୁ ନ ପାଚିବ ବାଳ ।

ଦ୍ଵାପରରେ ଅବତାର ହେବ ଦେବହରି

ଏ ତିନିହେଁ ପାଟବଂଶୀ ହୋଇବେ ତାଙ୍କରି ।

ଲକ୍ଷ୍ମୀର ସମାନେ ସେହୁ ପାଇବେକ ପୂଜା

ୟାଙ୍କୁ ବିବାହ ହୋଇବେ ପ୍ରଭୁ ଦେବରାଜା ।

ପୁତ୍ର ଦୁହିତା ୟାଙ୍କର ହେବ ଅପ୍ରମାଣ

ତେବେ ଯାଇ ଏହିମାନେ ଲଭିବେ କାରଣ ।

ଆମ୍ଭେମାନେ ଯାଇ ୟାଙ୍କୁ କରାଇବୁ ବିଭା

ଏତେ ବୋଲି ଚଳିଗଲେ ସେହୁ ତିନିଦେବା ।

କନ୍ୟା ଘେନି ବିଶ୍ଵକର୍ମା ମଞ୍ଚକୁ ଅଇଲା

ବହୁ ଯତନରେ ମେଢ଼ ନିର୍ମାଣ କରିଲା ।

ପରିବାରୀ ଆଦିକର ସଙ୍ଗତେ ଅଛନ୍ତି

ଯାହା ଲୋଡ଼ନ୍ତି ଯେ କାମଧେନୁ ତାହା ଦ୍ୟନ୍ତି ।

ପୂର୍ବଜନ୍ମେ ଏହିମାନେ ଲକ୍ଷ୍ମୀ ପରିବାରୀ

ସମୁଦ୍ର ମନ୍ଥନ କାଳେ ଥିଲେ ଅବତରି ।

ତେଣୁ କରି ଏମାନେ ଯେ ସବୁକାଳେ ଥାନ୍ତି

ଯହିଁ ନାରାୟଣ ତହିଁ ଏମାନେ ଜନ୍ମନ୍ତି ।

ଦୁଆପରେ ମହାଲକ୍ଷ୍ମୀ ରୁକ୍ମିଣୀ ହୋଇବେ

ସତ୍ୟଭାମା ରୂପେ ସରସ୍ଵତୀ ଜାତ ହେବେ ।

କାଳିନ୍ଦୀ ଶ୍ରୀୟା କମଳା ଆଉ ସତ୍ୟବତୀ

ଜାମ୍ବବତୀ ତୁଳସୀ ଯେ ଏ ଆଠ ଉତ୍ପତ୍ତି ।

ଆବର ବହୁତ କନ୍ୟା ହରି ହେବେ ବିଭା

ଅଷ୍ଟପାଟବଂଶୀକି ସେ କରୁଥିବେ ସେବା ।

ଶୁଣ ପରୀକ୍ଷ ରାଜନ ଭଣ ଶୁକଯତି

ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।

ତେଣୁ କରି କନ୍ୟାମାନେ ଏଥେଁ ଛନ୍ତି ରହି

ଅବିବାହୀ ଭାବେ ଛନ୍ତି ପଥକୁ ଅନାଇଁ ।

ଏତେକାଳେ ପ୍ରଭୁ ଆସି ହୋଇଲେକ ଭେଟ

ପୁରିଗଲା କଷ୍ଟ ଶୁଭ ହୋଇଲା ନିକଟ ।

ତହୁଁ କେତେଦୂର ନନ୍ଦିଘୋଷ ପ୍ରଭୁ ଗଲେ

ପର୍ବତ କ୍ରୋଟରେ ପୁଣ୍ୟଭୂମିଏ ଦେଖିଲେ ।

ପବିତ୍ର ପୁରେକ ତହିଁ ହୋଇଛି ନିର୍ମାଣ

ବାରସ୍ଵତୀ ପୁର ପରି ଦିଶଇ ଘଟଣ ।

ଅତିଘଞ୍ଚେ ନିର୍ମାଣ ସେ ପୁର ଅତି ସଞ୍ଚ

ତହିଁକି ପଟାନ୍ତର ଯେ ନାହିଁ ସ୍ଵର୍ଗ ମଞ୍ଚ ।

ଗଭୀର ସାତତାଳେକ ବିଚିତ୍ର ପାଟଣା

ଚାଙ୍ଗୁବନ୍ଧା ଫେରରେ ସେ ଗଡ଼ର ପାତନା ।

ଚାରିକତି ରୂପାବାଡ଼ ଅଛି ଦିଆହୋଇ

କେହି ନ ଜାଣନ୍ତି ତାହା ଅତି ସୁସଞ୍ଚହିଁ ।

ଗଡ଼ର ଦୁଆର ବେନିକ୍ରୋଣ ଆୟତନ

ଗଣ ଗନ୍ଧର୍ବ ଦେବତା ନୁହନ୍ତି ଭାଜନ ।

କ୍ରୋଟର ଭିତରେ ଏକ ଗୁପ୍ତସ୍ଥାନ ଅଛି

ତହିଁରେ ପ୍ରବେଶ ଇଚ୍ଛା କଲେ ନନ୍ଦବତ୍ସି ।

ସେ ସ୍ଥାନ ଦେଖିଣ ପ୍ରଭୁ ଆନନ୍ଦ ହୋଇଲେ

ଏଠାରେ କିସ ଅଛଇ ବୋଲି ତଲାସିଲେ ।

କେ ଏଥେ ବିଚିତ୍ର ପୁର କରିଛି ରଚନା

ଅବଶ୍ୟ ଏଥିରେ କେହୁ ରହିଅଛି କିନା ।

ନୋହିଲେ ହୋଇଛି କିପାଁ ଠଣା ଏଡ଼େ ବଡ଼

ପାଞ୍ଚକୋଶ ପରିଯନ୍ତେ ହୋଇ ଅଛି ଗାଢ଼ ।

ଏତ ବିଚିତ୍ର ଭୁବନ ନାହିଁ ଏଥେ ବାଟ

ଆମ୍ଭର ମନକୁ ଏକା ଲାଗୁଛି ସଙ୍କଟ ।

ଏକ ଏକ ପାଷାଣ ଯେ ଯୋଜନ ଓସାର

କେଉଁ ବିନ୍ଧାଣି ଗଢ଼ିଲା ବସି ଏହି ପୁର ।

କେଉଁବାଟେ ପଶି ଯିବା ନାହିଁ ତିଳେ ସନ୍ଧି

କାନ୍ଥ ଛେଦନ କରିବା ନାରାଚ କୁ ବିନ୍ଧି ।

କାନ୍ଥ ଡେଇଁଣ ପଶନ୍ତେ ରଥ ଯିବ କେହ୍ନେ

ଏମନ୍ତ ବିଚାର ସେହୁ କରି ମନେ ମନେ ।

ଶାରଙ୍ଗ ଧନୁକୁ ବାମ କରରେ ଉଠାଇ

ହାବୋଡ଼ାଶର ପେଷିଲେ ତହୁଁ ସେ ନିଠାଇ ।

ଦ୍ଵାରେକ ଫିଟିଲା ପାଞ୍ଚ ଯୋଜନ ଓସାରେ

ରଥ ସହିତରେ ଚଳିଗଲେ ସେହି ଦ୍ଵାରେ ।

ଦେଖିଲେ ଅଷ୍ଟରତନେ ପୁରେକ ନିର୍ମାଣ

ବିଶ୍ଵକର୍ମା ନିଜ କରେ କରିଛି ଗଠନ ।

କହନ୍ତେ ନ ସରଇ ସେ ଗଡ଼ର ମହିମା

କେତେକାଳୁଁ ତହିଁଛନ୍ତି ତିନିଗୋଟି କନ୍ୟା ।

ଭିତରେ ଦେଖିଲେ ଯାଇଁ ଗୋଟିଏକ ମେଢ଼

ସୁବର୍ଣ୍ଣେ ନିର୍ମାଣ ସେହୁ ଅତିଅନ୍ତ ଗାଢ଼ ।

ତିନିସସ୍ର ରହିଛନ୍ତି ତହୁଁ ପରିବାରୀ

ମନ ଜାଣି ସେବା କରୁଥାନ୍ତି ଯତ୍ନକରି ।

ସୁସ୍ଵାଦୁ ମଧୁର ପକ୍ଵଫଳ ନାନାଦ୍ରବ୍ୟ

ଇଚ୍ଛାକଲେ କାମଧେନୁ ଯୋଗାଏ ସରବ ।

ଅଚିନ୍ତାରେ ରହିଛନ୍ତି ତହିଁ ଦେବପୁତ୍ରୀ

ସକଳ ବିଦ୍ୟାମାନଙ୍କୁ ଜାଣି ସେ ଅଛନ୍ତି ।

ରଥେକ ଆସନ୍ତେ ତହୁଁ ଜାଣି ପରିବାରୀ

ବୋଇଲେ କିମ୍ଭୁତ ମାୟା ଜାଣି ତ ପାରି ।

ବିଧାତା ଗୋପନ ଭୂମି ଅଟେ ସିନା ଏହି

ଗଣ ଗନ୍ଧର୍ବ ଦେବତା ନ ଜାଣନ୍ତି କେହି ।

ଏ ପୁରେ ପଶିବା ପାଇଁ କାର ଶକ୍ତି ଅଛି

କେମନ୍ତେ ଏ ପୁର ମଧ୍ୟେ ବଳରେ ପଶୁଛି ।

ଆଦିତ୍ୟ ଦେବ ଅଟନ୍ତି ଏଥି ରକ୍ଷାପାଳ

ଭିତର ଲୋକ ପଶିଲେ ପୁରିବଟି କାଳ ।

ଏ ପୁରେ ପଶିବା ପାଇଁ କେ ହେବ ଶକତା

ମାନବ ନୁହଁନ୍ତି ଏହୁ ପ୍ରତ୍ୟକ୍ଷେ ଦେବତା ।

ତୁଳସା ବୋଇଲେ କହୁଅଛନ୍ତି ଦୁର୍ବାସା

ନାରାୟଣ ଏ ପୁରରେ ପଶିବେ ସହସା ।

ନିଶ୍ଚେଁ ଶ୍ରୀହରି ଆସିବେ ଏଥେଁ ରଥବାହି

ସେ ଅବତାର ବୋଇଲେ ଜାଣ ଆମ୍ଭପାଇଁ ।

କାଳିନ୍ଦୀ ବୋଇଲେ ସଖି ତୁମ୍ଭ ବାକ୍ୟ ଶୁଣି

ବାମନୟନ ସ୍ଫୁରଇ ମୋର ପୁଣି ପୁଣି ।

ଆଦିତ୍ୟ ଦେବତା ମୋତେ କହିଥିଲେ ଯାହା

ତୁମ୍ଭର ବଚନ ଶୁଣି ଚିତୋଇଲି ତାହା ।

ଦ୍ଵାପରେ ହରି ଜନ୍ମିବେ ଦେବକୀ ଉଦରେ

ଜାତହେବେ ମଥୁରାରେ ବଢ଼ିବେ ଗୋପରେ ।

କଂସ ମାରି ମଥୁରାରେ କାଳେକ ରହିବେ

ଜରାସନ୍ଧ ଭୟେ ଦ୍ଵାରକାକୁ ପଳାଇବେ ।

ଅନେକ ସମ୍ପଦ ତହିଁ ଅଜି ଦେବରାୟେ

ଭୃତ୍ୟପଣେ ଖଟିଥିବେ ପାଦ ଦେବତାଏ ।

ଦେବାଧି ଦେବରାଜା ସେ ଅଟନ୍ତି ଶ୍ରୀହରି

ଅବଶ୍ୟ ଏଠାକୁ ଆସିବେଟି ଅନୁସରି ।

ନୋହିଲେ ଏ ପୁରେ ଆନ ପାରେ କିବା ପଶି

ହେଲେ ହେବେ ଅବା ଗଣଗନ୍ଧର୍ବ ମହର୍ଷି ।

କମଳା ବୋଲେ କହିଣ ଅଛନ୍ତି ମଘବା

ନିକଟରେ ହେବେ ହରି ଆମ୍ଭଙ୍କୁ ଯେ ବିଭା ।

ଏତେକ ଲକ୍ଷଣ ଅଛି ଆମ୍ଭଙ୍କୁ ଏ ଯୋଗ

ବିଷ୍ଣୁଙ୍କ ବଲ୍ଲଭୀ ହୋଇ କରିବାଟି ଭୋଗ ।

ଏସନକ ଉଚ୍ଚବାଚ ହୁଅନ୍ତେ କୁମାରୀ

ମେଢ଼ର ନିକଟେ ଆସି ମିଳିଲେ ଶ୍ରୀହରି ।

ମାତଳି ଆକାଶୁ ମିଳେ ମାଳା ଘେନି କରେ

କରପତ୍ର ଯୋଡ଼ି କହେ ଶ୍ରୀହରି ଛାମୁରେ ।

ଇନ୍ଦ୍ର ଚନ୍ଦ୍ର ଦିବାକର ପେଷିଲେକ ମୋତେ

ତୁମ୍ଭର ବିବାହ ହେବ କନ୍ୟାଙ୍କ ସଙ୍ଗତେ ।

ପଛରେ ଆସୁଅଛନ୍ତି ଯୋଗାଡ଼ାଦି ଘେନି

ଦଣ୍ଡେ ମାତ୍ର ସ୍ଥିର ହୋଇ ରହିବାକ ପୁଣି ।

କହୁଁ କହୁଁ ତିନି ଦେବେ ଦେବତାଙ୍କ ତୁଲେ

ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରବେଶ ହୋଇଲେ ।

ବିଭା ଯୋଗାଡ଼ମାନ ସେ ଧରି ଅପ୍ରମିତ

ଆସି ଶ୍ରୀହରିଙ୍କ ପାଶେ ହେଲେ ଉପଗତ ।

ବିଚିତ୍ର ଦେବୀ ଉପରେ ମିଳି ବରଜାତି

ତିନିକନ୍ୟାଙ୍କୁ ବସାଇ ଆପଣାର କତି ।

ଆପେ ବୃହସ୍ପତି ହେଲେ ଆଚାର୍ଯ୍ୟ ବରଣ

ଉଭୟ କୁଳଗୋତ୍ରକୁ କରି ଉଚ୍ଚାରଣ ।

ପବିତ୍ର କୁଶେ ବାନ୍ଧିଲେ କନ୍ୟାଙ୍କର କର

ଡାହାଣବର୍ତ୍ତ ଶଙ୍ଖରେ ଭରି ଗଙ୍ଗାନୀର ।

ଅନେକ ଯୌତୁକ ଦେଲେ ମହାମନ୍ତ୍ର ସ୍ମରି

ରଥ ଗଜ ଭୂମି ଆଉ ଅଳଙ୍କାର ଭରି ।

ବିଭାବିଧି ସାରି କୁଶଗ୍ରନ୍ଥି ଫିଟାଇଲେ

ଦେବଙ୍କ ସହିତ ତିନି ଦେବେ ବାହୁଡ଼ିଲେ ।

ପଞ୍ଚକନ୍ୟା ରଥେ ଘେନି ଚଳି ଦେବରାୟେ

ଇତି ଶିରୀ ହରିବଂଶ ପୁଣ୍ୟତମମଏ ।

କାଳିନ୍ଦୀ ଶ୍ରୀୟା ତୁଳସୀ ଦେବୀ ସତ୍ୟବତୀ

କମଳା ଆଦି କରିଣ ଏ ପଞ୍ଚ ଯୁବତୀ ।

ଲକ୍ଷ୍ମୀଙ୍କର ପରିବାରୀ ଅଟନ୍ତି ଏମାନେ

ରୁକ୍ମିଣୀଙ୍କ ପଛେ ବିଭାହେଲେ ଜନାର୍ଦ୍ଦନେ ।

ଜାମ୍ବବତୀ ସତ୍ୟଭାମା ଏହି କନ୍ୟା ବେନି

ଦ୍ଵାପରରେ ଭୋଗ ଅଷ୍ଟପାଟବଂଶୀ ଘେନି ।

କନ୍ୟାଙ୍କୁ ଘେନିଣ ତହୁଁ ଗଲେ ନାରାୟଣ

ଯେଉଁଠାରେ ବଳରାମ ସହ ଯଦୁଗଣ ।

ସେଠାରେ ପ୍ରବେଶ ଯାଇ ହେଲେ ଦେବତାଏ

ରଥୁ ଓହ୍ଲାଇ ପ୍ରଣମି ରାମଙ୍କର ପାୟେ ।

ଦେବକୀ ଯେ ଇନ୍ଦୁମତୀ ବସ୍ଵଦେବ ଆଗେ

କହିଲେ ସମସ୍ତ କଥା ଅତ୍ୟନ୍ତ ସରାଗେ ।

କନ୍ୟାଏ ନମିଲେ ଯାଇଁ ଶାଶୁ ଶଶୁରଙ୍କୁ

ରୁକ୍ମିଣୀ ଆଦି କରିଣ ସେ ଗୁରୁଜନଙ୍କୁ ।

ଯଦୁବଂଶ ନାରୀ ଅର୍ଘ୍ୟ ବନ୍ଦାଇଲେ ଆଣି

ନିଜ ସ୍ଥାନେ ବିଜେ କଲେ ଦେବ ଚକ୍ରପାଣି ।

ପ୍ରବେଶ ହୋଇଲେ ଯାଇଁ ଦ୍ଵାରାବତୀ ପୁରେ

ସମ୍ଭର୍ବରେ ବିଜେକଲେ ଯେ ଯାହା ଠାବରେ ।

ଦ୍ଵାରକା ସମ୍ପଦ କେହୁ କହି ବା ପାରଇ

କୋଟି କୋଟି ଲକ୍ଷ୍ମୀ ବିଜେ କରିଛନ୍ତି ଯହିଁ ।

ଆପେ ନାରାୟଣ ଯହିଁ ହୋଇ ଦେହବନ୍ତ

ତହିଁର ମହିମା କେହୁ ବର୍ଣ୍ଣନେ ସମର୍ଥ ।

କୃତାନ୍ତ ପବନ ଦିନକର ସ୍ଵାହାବର

ଏହାଙ୍କ ତେଜ ଯହିଁରେ ନ ଲାଗେ ପ୍ରଖର ।

ସୁଧର୍ମା ସଭା ପରାୟେ ଅଟେ ସେ ପ୍ରତ୍ୟକ୍ଷ

ଧାଡ଼ି ଧାଡ଼ି ଶୋଭାମାନ ଯହିଁ ନାନା ବୃକ୍ଷ ।

କୋଟି କାମଧେନୁ ଘେନି କପିଳା ଗୋମାତା

ରହିଥାଏ ଅବସନ୍ତେ ବସନ୍ତ ଶୋଭିତା ।

ପ୍ରତ୍ୟକ୍ଷ ବିଜୟେ ଯହିଁ ହରି କମଳିନୀ

ସାତବଂଶ ଯାଦବନ୍ତ ସଙ୍ଗତରେ ଘେନି ।

ଚଉରାଶୀ କୋଟି ଅକଳିତ ବାରାନିଧି

ଲକ୍ଷ ବେନିଲକ୍ଷ କରି ଅଳଙ୍କାର ସିଦ୍ଧି ।

କୁବେର ସମାନେ ସର୍ବେ ପ୍ରାଣୀ ଧନବନ୍ତ

ଜଗନ୍ନାଥଙ୍କ ପ୍ରସାଦେ ନାହିଁ କାକୁ ଭୀତ ।

ରୋଗୀ ଦରିଦ୍ର ସେଠାରେ ଜଣେ କେହି ନାହିଁ

ନିଶ୍ଚିନ୍ତରେ ମହାନନ୍ଦେ ରହିଥାନ୍ତି ତହିଁ ।

ହରିବଂଶ ପୁରାଣ ଏ କର୍ଣ୍ଣ ସୁଧାରସ

ଅଚ୍ୟୁତ କହଇ ଜନେ ଶୁଣି ହୁଅ ତୋଷ ।

 

ହରିବଂଶ ଷଷ୍ଠ ଖଣ୍ଡ

ମଣି ବୃତ୍ତାନ୍ତ ଓ ମଣି ଘେନି ଯିବାବେଳେ ପ୍ରସନ୍ନାଜିତର ସିଂହଦ୍ଵାରା ବଧ

 

ପରୀକ୍ଷ ବୋଲେ ମୁନି ହେ ଶୁଣିଲ ଏ ରସ

ବହୁ ଜନମର ପାପ ହୋଇଲେ ମୋ ନାଶ ।

ଷଷ୍ଠ ପାଟବଂଶୀ ବିଭା ପାଇଲି ବାରତା

କହ ଜାମ୍ବବତୀ ସତ୍ୟଭାମା ବିଭା କଥା ।

ହରିହର ଅଙ୍ଗ ଏ ତ ଅଟେ ହରିବଂଶ

ବହୁ ଜନ୍ମର କଳ୍ମଷ ହୋଇଲାକ ଧ୍ଵଂସ ।

ଏତେ ବୋଲିଣ ରାଜନ ହୋଇଲେ ପ୍ରଣତ

ଷଡ଼ଅର୍ଘ୍ୟେ ପୂଜା କରି ହେଲେ କୃତକୃତ୍ୟ ।

ରାଜାର ବଚନ ଶୁଣି କହନ୍ତି ଯେ ମୁନି

ପବିତ୍ର ହରିବଂଶ ଏ ଦେବଶାସ୍ତ୍ର ବାଣୀ ।

ଶୁଣ ତୁମ୍ଭେ ସାବଧାନେ ଅଭିମନ୍ୟୁ ବଳା

ଏ ହରିବଂଶ ପୁରାଣ ବେଦାନ୍ତରେ ଖେଳା ।

ସୋମବଂଶେ ଜାତ ଯଦୁନାମେ ନରପତି

କର୍ମବଳେ ସାତବଂଶ ହେଲେ ଉତପତ୍ତି ।

ଭୋଜ ଅନ୍ଧକ ଯାଦବ ବୃଷ୍ଣି ହଇହୟେ

ବିଷ୍ଣୁ ଚୁହାଣେ ଏମନ୍ତ ସାତପୁତ୍ର ହୋଏ ।

ସବୁଠାରୁ ଅଟେ ଜ୍ୟେଷ୍ଠ ଭୋଜ ନରପତି

ସର୍ବେ ବିଚାରି ତାହାକୁ ଦେଲେ ଦଣ୍ଡଛତ୍ରୀ ।

ଆର ଷଡ଼ପୁତ୍ରେ ରାଜ୍ୟେ ଅମାତ୍ୟ ହୋଇଲେ

ମଥୁରାରେ ସାତବଂଶ ଯାଦବେ ରହିଲେ ।

ବେଳକୁ ବେଳ କୁଟୁମ୍ବ ହୋଇଲା ବହଳ

ଚୌରାଶୀ କୋଟି ଯାଦବ ହେଲେ ମହାବଳ ।

ମହାରଥୀଙ୍କ ସହିତେ ହୋଇଲେ ଗଣିତା

ବେଦ ବେଦାନ୍ତ ବିଦ୍ୟାରେ ଅଟନ୍ତି ଶକତା ।

ମଥୁରା କଟକ ବାଣ୍ଟି କରନ୍ତି ସେ ଭୋଗ

ରଥୀ ମହାରଥୀ ଏକୁଁ ଏକ ହୋଇ ଯୋଗ ।

ଅନ୍ଧକ ବଂଶରେ ଜାତ ଯଦୁନାମେ ବୀର

ଶକ୍ରାଜିତ ବୋଲି ଏକ ପୁତ୍ର ଯେ ତାହାର ।

ବଡ଼ ବିଚକ୍ଷଣ ଧନୁର୍ଦ୍ଧର ଶିରୋମଣି

ଏ ପଞ୍ଚ ଭୁବନ ପାରେ ବାରେକ ସେ ଜିଣି ।

ମହାରଥୀ ସଙ୍ଗରେ ସେ ଅଟଇ ଗଣିତା

ସକଳ ଶାସ୍ତ୍ର ବିଦ୍ୟାରେ ଅଟେ ଜଗଜ୍ଜିତା ।

ବେଭାରେ ପାତ୍ରପଣେ ସେ ରାଜ୍ୟକୁ କାରେଣି

ବହୁ ଦୟାକରେ ଉଗ୍ରସେନ ନୃପମଣି ।

କାଶୀ କାଞ୍ଚନ ଏ ବେନି ପୁତ୍ର ମହାତମା

ଦୁହିତା ଜାତ ଏକ ତା ନାମ ସତ୍ୟଭାମା ।

ପ୍ରସନ୍ନାଜିତ ବୋଲି ତା ଭାଇ ଯେ ଅନୁଜ

ସଂଗ୍ରାମେ ଶକତା ସହି ନୁହଇ ତା ତେଜ ।

ବଡ଼ଇ ଧନବନ୍ତ ସେ କୁବେରର ସମ

ପ୍ରସନ୍ନେ ପାଇଲେ ମଣି ସ୍ୟମନ୍ତର ନାମ ।

ସମୟରେ ଶକ୍ରାଜିତ ଦିଗମ୍ବର ହେଲେ

ଚନ୍ଦ୍ରଭାଗା ତୀରେ ବସି ଘୋର ତପ କଲେ ।

ବୋଲେ ଦିନକର ତୁମ୍ଭେ ବିରଞ୍ଚି ଦେବତା

ବିହନ୍ତା ପୁରୁଷ କର୍ମ ଅକର୍ମ କରତା ।

ଅଜୀବେ ତୁ ଜୀବଦାନୀ ତୋର ନାମ ସ୍ମରି

ସ୍ଵାମି ତୁମ୍ଭେ ସର୍ଜି ଥାପିଅଛ ବସୁନ୍ଧରୀ ।

ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଛ ଦେବ ପୁରି

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।

କାଳାନ୍ତକ ଯୁଗାନ୍ତକ ପ୍ରଳେନ୍ତକମୟ

ତୁମ୍ଭେ ଅସ୍ତ ହୁଅ ପୁଣି ତୁମ୍ଭେ ଉଦେ ହୁଅ ।

ତୁମ୍ଭେ ଦିନକର ନାଥ ତୁମ୍ଭେ ଜ୍ୟୋତିର୍ମୟ

ତୁମ୍ଭେ ଯୋଗରୁ ତିମିରି ହୋଇଯାଏ କ୍ଷୟ ।

ବରାଚର ଜଗତର ହୁଏ ବର୍ଣ୍ଣଭେଦ

ତୁମ୍ଭ ଯେ କର୍ତ୍ତା ତୁମ୍ଭର ନାହିଁ ଭେଦାଭେଦ ।

ଜଳସ୍ଥଳ ଅନଳ ଯେ ତଳାତଳ ଯାଏ

ଅନ୍ତରୀକ୍ଷ ଜିଣି ତୁମ୍ଭେ ହେଉଛ ଉଦୟେ ।

ତୁମ୍ଭେ ଦେବ ନିରାକାର ତୁମ୍ଭେ ନିରାଧାର

କଶ୍ୟପ ଯେ ପିତା ମାତା ଅଦିତି ତୁମ୍ଭର ।

ସ୍ଵାମି ଆବର ଅଦୃଶ୍ୟ ଯେତେ ବନଗାମୀ

ତୁମ୍ଭରି ଯୋଗୁଁ ସବୁଙ୍କୁ ଦୃଶ୍ୟ ହୁଏ ପୁଣି ।

କିରୀଟ ମୁକୁଟ ଶିରେ ଶ୍ରେଷ୍ଠ ରତ୍ନଜ୍ୟୋତି

ଝଟକନ୍ତି ହୀରାନୀଳା ମରକତ ମୋତି ।

ଏକ ଚକ ରଥ ସପ୍ତ ବାରିଧି ପରିଧି

ଏକ ନିମିଷକେ ଭ୍ରମୁ ସପତେ ପୟୋଧି ।

ଗରୁଡ଼ର ଜ୍ୟେଷ୍ଠଭାଇ ସାରଥି ତୋ ରଥେ

ଷଠଦଣ୍ଡେ ଗମେ ଦିବାରାତ୍ର ଶୁନ୍ୟ ପଥେ ।

ନମୋ ଜ୍ୟୋତିର୍ଲିଙ୍ଗ ସିଦ୍ଧ ସିଦ୍ଧାନ୍ତକ ବାନା

ନମୋ ଜ୍ୟୋତିର୍ଲିଙ୍ଗ ତୁହି ଦୟାସିନ୍ଧୁ ସିନା ।

ନମସ୍ତେ ବିରଞ୍ଚି ଦେବ ଅଂଶ ତୋର ଇନ୍ଦୁ

ନମସ୍ତେ ବିରଞ୍ଚି ଦେବ ଚରଣ ତୋ ବନ୍ଦୁ ।

ସୁମରି ଶ୍ରୀଜଗନ୍ନାଥ ଖଣ୍ଡ ଅପମୃତ୍ୟୁ

ଏ ଭବସାଗରୁ ମୋତେ ଉଦ୍ଧରି ଧରନ୍ତୁ ।

ଏହିପରି ସ୍ତୁତି ଯହୁଁ କଲେ ଶକ୍ରାଜିତ

ଛାମୁରେ ଆସିଣ ଉଭା ହୋଇଲେ ଆଦିତ୍ୟ ।

ଜାଜ୍ଵଲ୍ୟମାନ ଲୋହିତ ପିଙ୍ଗଳ ମୁରତି

କୋଟି ବାନି ସୁବର୍ଣ୍ଣର ରୂପ ନିନ୍ଦେ ଜ୍ୟୋତି ।

ଅଳଙ୍କାର ଭୂଷଣରେ ଶୋଭା ଦିଶେ ବପୁ

ଶକ୍ରାଜିତର ଛାମୁରେ ମିଳି ଅର୍କରିପୁ ।

ବରମାଗ ବୋଲି ତାକୁ ମୁଖେ ଦେଲେ ଦୀକ୍ଷା

ଶକ୍ରାଜିତ ବୋଲେ ପ୍ରଭୁ ଯାହା ତୁମ୍ଭ ଇଚ୍ଛା ।

ଅବାଞ୍ଛ କଳ୍ପତରୁ ହେ କାମକଳ୍ପ ନିଧି

ମୁଁ କିସ କହିବି ତୁମ୍ଭେ ନ ଜାଣ କି ବିଧି ।

ବିରଞ୍ଚି ବୋଇଲେ ଦଣ୍ଡେ ନ ପାରୁ ଯେ ରହି

ବିଶ୍ରାମିଲେ ତ୍ରଇଲୋକ୍ୟ ନ ବର୍ତ୍ତିବେ କେହି ।

ୟା ବୋଲି ଗଳାରୁ କାଢ଼ି ସ୍ୟମନ୍ତକ ମଣି

ଶକ୍ରାଜିତର ଗଳାରେ ଲମ୍ବାଇଲେ ଆଣି ।

ଏ ମଣି ଗଳାରେ ଥିଲେ ନାହିଁ କିଛି ରିଷ୍ଟ

ସମସ୍ତ ମଣି ରତ୍ନରେ ଏ ମଣି ବରିଷ୍ଠ ।

ସମୁଦ୍ର ମନ୍ଥନକାଳେ ମଣି ହେଲା ଜାତ

ଶ୍ଵେତ ପୀତ ଲୋହିତାଦି ଧରେ ନାନା ମତ ।

ଯେବଣ କାଳେ ଜାତ ମୋ ମାତା ଠାକୁରାଣୀ

ତାହାଙ୍କ ଲଲାଟେ ଥିଲା ଏହି ଶ୍ରେଷ୍ଠମଣି ।

ସହସ୍ର ବଦନ ବ୍ରହ୍ମା ପ୍ରତିଗ୍ରହ କରି

ଚଉରାଣୀ ମନୁ ବେଦକରାଣ୍ଡିରେ ଭରି ।

ଯେବଳ କାଳେ ହାରିଲା ବେଦ ଶଙ୍ଖାସୁର

ମଣିକୁ ଚୋରାଇ ନେଲା ବେଦ ସଙ୍ଗତର ।

ଦଣ୍ଡ କମଣ୍ଡଳୁ ଶ୍ରୁବ ପ୍ରଣିତା ପ୍ରୋକ୍ଷଣି

ଅସୁର କାମରୂପୀ ସେ ସବୁ ନେଲା ପୁଣି ।

ଶଙ୍ଖା ମାରି ଉଦ୍ଧରିଲେ ଦେବ ଚକ୍ରପାଣି

ବଡ଼ବାନଳେ ରଖିଲେ ସ୍ୟମନ୍ତକ ମଣି ।

ଦେବ ଦାନବେ ମନ୍ଥିଲେ ମିଳି ସିନ୍ଧୁସାତ

ତୃତୀୟ ମନ୍ଥନେ ଏହି ମଣି ହେଲା ଜାତ ।

ଆମ୍ଭ ଭାଗେ ପଡ଼ିଲା ଏ ସ୍ୟମନ୍ତକ ମଣି

ସେହିଦିନୁ ସାଇତିଣ ରଖିଅଛୁ ପୁଣି ।

ଏ ମଣି ପୂଜା କରନ୍ତେ ବସି ଏକମନେ

ଆଠଭାର ସୁବର୍ଣ୍ଣ ଯେ ମିଳେ ପ୍ରତିଦିନେ ।

ଏ ମଣି ଥିଲେ ଖଣ୍ଡଇ ଜାଣ ସର୍ବଭୟ

ବୁଦ୍ଧି ବିଦ୍ୟା ହୁଅଇ ତ ରଣେ ପାଇ ଜୟ ।

ଏ ମଣି ଥିଲେ ପାଖେ ନ ଲାଗେ ଅଗ୍ନିତେଜ

ଲଭଇ ସେ ପୁଣି ଫଳ ହୁଏ ସର୍ବକାର୍ଯ୍ୟ ।

ଜଳରେ ନ ବୁଡ଼ଇ ନ ଛିଡ଼ଇ ଖଡ଼ଗେ

ଅଦୃଶ୍ୟ ଦୃଶ୍ୟ ହୁଅଇ ତାକୁ ଅତିବେଗେ ।

ଅସିଦ୍ଧ ବିଦ୍ୟମାନ ଯେ ହୁଏ ତାର ସିଦ୍ଧି

ବ୍ରହ୍ମବିଦ୍ୟା ପରିଯନ୍ତେ ସ୍ଫୁରେ ଜ୍ଞାନବୁଦ୍ଧି ।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ବିଧି

ପାଦୁକା ଗୋଟିକା ଆଦି ସର୍ବ ମହୌଷଧି ।

ଏ ମଣି ଥାନ୍ତେ ପ୍ରାପତ ହୁଅନ୍ତି ସକଳ

ବହୁ ଯତ୍ନ ସହ ତୁମ୍ଭେ ଏହାଙ୍କୁ ସମ୍ଭାଳ ।

ଏତେ କହି ଚଳିଗଲେ ବିରଞ୍ଚି ଠାକୁର

ଆଲୋକିତ ବରପାଇ ଶକ୍ରାଜିତ ବୀର ।

ଚଳିଲେ ସେଠାରୁ ଅତି ଆନନ୍ଦିତ ହୋଇ

ଦ୍ଵାରାବତୀ କଟକରେ ପ୍ରବେଶିଲେ ଯାଇ ।

ଗୁପତେ ମଣି ଲୁଚାଇ ପୂଜା କଲେ ନିତ୍ୟେ

ଅଷ୍ଟଭାର ସ୍ଵର୍ଣ୍ଣ ତାକୁ ମିଳଇ ଯୁକତେ ।

ଶକ୍ରାଜିତର ସମ୍ପତି ହେଲା ଅପ୍ରମିତ

ଦିନୁଦିନ ବଢ଼ିଲା ତ ଧନ କୋଟି ସାତ ।

ମଣି ପ୍ରସାଦେ ହୋଇଲା ଦ୍ରବ୍ୟ ଆନୁଆନ

ଅନ୍ତର୍ଯ୍ୟାମୀ ନାରାୟଣ ପ୍ରଭୁ ଭଗବାନ ।

ଯାଦବଙ୍କ ସଭାରେ ଯେ ଶବଦ ଶୁଭିଲା

ଶକ୍ରାଜିତ ସ୍ୟମନ୍ତକ କେମନ୍ତେ ପାଇଲା ।

କମଳକର ବିରଞ୍ଚି ଦେଲେ ତାକୁ ବର

ସେ ମଣି ପ୍ରସାଦେ ସେହି ହେଲା ଧନେଶ୍ଵର ।

ବଡ଼ ପୁଣ୍ୟବନ୍ତ ସେହି ଅଟେ ଶକ୍ରାଜିତ

ନୋହିଲେ ପ୍ରସନ୍ନ କାହୁଁ ହୁଅନ୍ତେ ଆଦିତ୍ୟ ।

ଦେବଙ୍କ ଦୁର୍ଲ୍ଲଭ ମଣି ମଞ୍ଚରାଜା ପାଇ

ଅଷ୍ଟନିଧି ଖଟିଛନ୍ତି ନବରତ୍ନ ଦେଇ ।

ସବୁଙ୍କର ପରିମୁଖେ ବୋଲେ ନାରାୟଣ

ଦେଖିବା ସେ ମଣିଗୋଟି ସଭାକୁ ଯେ ଆଣ ।

ବଳରାମ ବୋଇଲେ ଯେ ସବୁ ଥିଲୁ ଶୁଣି

କେମନ୍ତ ରୂପ ତାହାର ଦେଖୁ ଦିଅ ଆଣି ।

ଏନେ ବଡ଼ କଥା ଯେବେ ହେଲା ଉପଗତ

ତାହା ଦେଖିବାକୁ କାର ନ ବଳିବ ଚିତ୍ତ ।

ଉଗ୍ରସେନ ବୋଲେ ଯେବେ କରିଥାଇ ପୁଣ୍ୟ

ତେବେ ସେ ପଦାର୍ଥଗୋଟି ଦେଖଇ ନୟନ ।

ଉଦ୍ଧବ ଯେ ଅନାଧୃଷ୍ଟ ଶକ୍ରାଜିତେ ଚାହିଁ

ବୋଲନ୍ତି ଦେଖନ୍ତୁ ମଣି ଆଣ କିନା ଯାଇ ।

ସୁଧର୍ମା ପ୍ରାୟ ଏ ସଭା ପାଉଅଛି ଶୋଭା

ଆଣ ଶକ୍ରାଜିତ ମଣି ସମସ୍ତେ ଦେଖିବା ।

ଶକ୍ରାଜିତ ଶୁଣି ମନେ ପାଇଲା ତରାସ

ମଣି ଆଣିଦେଲେ ଆଉ ନ ପାଇ ବିଶ୍ଵାସ ।

ନ ଦେଲେ ସଭାରେ ମୋତେ ବୋଲିବେ ବା କିସ

ପୁତ୍ର ବନ୍ଧୁ ଭାଇଆଦି ନ ଯିବେ ବିଶ୍ଵାସ ।

ଅନେକ ଦୁଃଖ ପାଇଲି ମୁଁ ଯେ ଦିବ୍ୟମଣି

ତହିଁକି ଧାତା କଷଣ ଦେଲା ମୋତେ ଆଣି ।

ଜଗନ୍ନାଥ ଭଳି ଲୋକ ଯହିଁ ଲୋଭ କଲେ

ଆବର ହାନିଲାଭ କି ସଂହାରିବା ଭଲେ ।

କେତେହେଁ ପରିଯା ଥାଇ କରିବାକ କିସ

ଯାହା ଅର୍ଜିଅଛି କର୍ମେ ମୋହର ଭବିଷ୍ୟ ।

ଜାଣିକରି ଯେବେ ଆମ୍ଭେ ଦେବା ରତ୍ନନିଧି

ଶ୍ରୀକୃଷ୍ଣଙ୍କ ଆଗେ କିପାଁ ହୋଇବା ବିବାଦୀ ।

ସେ ଯେବେ ଠାକୁର ହୋଇ କଲେ ପୁଣି ଲୋଭ

ଆମ୍ଭେ ନ ସହିଲେ କୁଳଧର୍ମ ନାଶଯିବ ।

ଏତେ ଭଳି ନିଜ ପାଶେ ଅକ୍ରୁରକୁ ରାଇ

ବୋଇଲା ଏ ମଣି ଆଜ ଥାଉ ତୁମ୍ଭ ତହିଁ ।

ଯତେନେ ଗୁପତ କରି ଏହା ରଖିଥିବ

ଶ୍ରୀକୃଷ୍ଣଙ୍କୁ ଆଦି କାହା ଆଗେ ନ କହିବ ।

ପ୍ରସନ୍ନାଜିତ ଅଟଇ ସାନଭାଇ ମୋର

ଏହାର ଗୋଚରେ ମଣି ଦେବ ନିରାଧାର ।

ଦଇବେ କଥା ପଡ଼ିଲେ କାଲି ବଞ୍ଚାଇବା

ପରଦିନ ନେଇ କୃଷ୍ଣ ଛାମୁରେ ତା ଦେବା ।

ଯାଦବ ସଭାରେ ରାମ କୃଷ୍ଣଙ୍କୁ ଦେଖାଇ

ଆଉ କି ଘରକୁ ଏହା ନେବା ଲେଉଟାଇ ।

ଏ ମଣି ଦେଖିଲେ କୃଷ୍ଣ ଆଉ କି ସେ ମୋତେ

ଲେଉଟାଇ ଦେବେ ବୋଲି ଯିବି ମୁଁ ପରତେ ।

ତୁମ୍ଭର ଗୋଚର ଆଜ ଥାଉ ଏହି ମଣି

ବଞ୍ଚାଇ ନୋହିଲେ ପଛେ ଦେବା ବେଳ ଜାଣି ।

ଏତେ ବୋଲି ଅକ୍ରୁରକୁ ମଣିଗୋଟି ଦେଇ

ଆପଣା ପୁରକୁ ଗଲେ ବଦନ ଶୁଖାଇ ।

ଅକ୍ରୁର ସେ ମଣିଘେନି ଗଲେ ନିଜ ବାସ

ଆଦିତ୍ୟ ଅସ୍ତ ହୁଅନ୍ତେ ରଜନୀ ପ୍ରବେଶ ।

ଯେ ଯାହାର ନିତ୍ୟକର୍ମ ବଢ଼ାଇ ସକଳେ

ଭୋଜନ ସାରଣ ନିଦ୍ରା ଗଲେ ନିଶାକାଳେ ।

ଅକଣ୍ଟକ ଦ୍ଵାରାବତୀ ପୁରେ ନାହିଁ ଭୟ

ନିଶ୍ଚିନ୍ତେ ଶୋଇଲେ ସର୍ବେ ହୋଇଣ ନିର୍ଭୟ ।

ଜ୍ୟେଷ୍ଠ ଶୁକ୍ଳ ଚଉଠୀ ଯେ ତିଥି ଭୌମବାର

ପୂର୍ବାଷାଢ଼ା ନାମେ ଋକ୍ଷ ଭୋଗ ସେ ଦିନର ।

ବିଷ୍ଟି ନାମରେ କରଣ ବଇଧୃତ ଯୋଗ

ବୃଷ ସଂକ୍ରାନ୍ତିରୁ ଉନବିଂଶ ଦିନ ଭୋଗ ।

ଶକ୍ରାଜିତ ସାନଭାଇ ପ୍ରସ୍ନାଜିତ ବୀର

ରାତ୍ର ସାତଘଡ଼ିଠାରେ ହୋଇଲା ବାହାର ।

ବାରବେଶ ଧରି ଆପେ ହୋଇ ଦିବ୍ୟସଜ

ଅଶ୍ଵପରେ ଆରୋହିଲା ଛାଡ଼ି ରଥ ଗଜ ।

ସିପାହୀ ବେଶ ଧରିଛି ଛାଡ଼ି ଫରୀ ଖଣ୍ଡା

ଛାଟେଣି କଷଣି କରେ ବାନ୍ଧି ପରଚଣ୍ଡା ।

ସିଂହର ଆଡ଼ବାଖର ସେହ୍ନା ଯମଦାଢ଼

କରେ ଧନୁ କଷି ଆଗେ ହୋଇଅଛି ଦୃଢ଼ ।

କୋରଡ଼ା ପ୍ରହାରି ଅଶ୍ଵ ଚଳାଇଣ ଖରେ

କ୍ଷଣକେ ମିଳିଲା ଯାଇ ଅକ୍ରୁରର ଦ୍ଵାରେ ।

କୋଳିଆ ଦ୍ଵାରକୁ ଜିଣି ଭିତରକୁ ପଶି

ଦେଖିଲା ଅକ୍ରୁର ଅଛି ମଣିଘେନି ବସି ।

ଅକ୍ରୁର ବୋଇଲା ବାବୁ ଅଇଲୁ କିପାଇଁ

ଅଶ୍ଵେକ ଆରୋହି ଅଛୁ ସଙ୍ଗେ କେହି ନାହିଁ ।

ପ୍ରସନ୍ମାଜିତ ବୋଇଲା ସଙ୍କେତ ଆଣିଛି

ମଣିଗୋଟି ଦିଅ ମୋତେ ନ ବିଚାରି କିଛି ।

ଜ୍ୟେଷ୍ଠଭାଇ ଶକ୍ରାଜିତ ପେଷିଛନ୍ତି ମୋତେ

ତୁମ୍ଭଠାରୁ ମଣିନେଇ ଯିବି ମୁଁ ତ୍ଵରିତେ ।

ଲୁଚାଇ ରଖିବି ଦୂରେ ନେଇ ରତ୍ନନିଧି

କୃଷ୍ଣର ସଙ୍ଗତେ କିପାଁ ହେବୁ ଆମ୍ଭେ ହାଦୀ ।

ସେ ଯେବେ ଠାକୁର ହୋଇ ଆଚରିଲେ ଲୋଭ

ଆମ୍ଭେ ନ ସହିଲେ କୁଳଧର୍ମ ନାଶଯିବ ।

ପ୍ରସନ୍ମାଜିତ ମୁଖରୁ ଶୁଣିଣ ଏ ଗିର

ତତକ୍ଷଣେ ମଣିଗୋଟି ଦେଲେ ସେ ଅକ୍ରୁର ।

ମଣିଘେନି ପ୍ରସ୍ମାଜିତ ଉଠି ସେହି ଲାଗେ

ଅଶ୍ଵ ଆରୋହଣ କରି ଚଳିଗଲେ ବେଗେ ।

ପଡ଼ିହାରୀ ଦେଲେ ଗଡ଼ କବାଟକୁ ଫେଡ଼ି

ଦ୍ଵାରକାପୁରୁଁ ବାହାର ରାତ୍ର ନବଘଡ଼ି ।

ସଖା ସୋଦର ସଙ୍ଗତେ ଜଣେ କେହି ନାହିଁ

ଏକା ଅଶ୍ଵକେ ଗମଇ ବୀର ପଥବାହି ।

କଣ୍ଠେଣ ଲମ୍ବାଇ ଅଛି ସ୍ୟମନ୍ତକ ମଣି

ଶୋଭା ପାଉଅଛି ଦିନକର ତେଜ ଜିଣି ।

ଜାଜ୍ଜ୍ଵଲ୍ୟମାନ ତା ତେଜ ଦିବାପ୍ରାୟ ଜ୍ୟୋତି

ନିଶି ଅର୍ଦ୍ଧରେ ଆଲୁଅ ଦିଶେ ଚଉକତି ।

ମଣି କଣ୍ଠରେ ଲମ୍ବାଇ ସେ ଯାଦବ ବୀର

ମିଳିଲା ଯାଇ ଗୋମତୀ ନଦୀ ଆଉ ତୀର ।

ଗୋମତ ପର୍ବତ ଜିଣି ଈଶାନକୁ ଚଳି

ପବନ ଘାତେ ଚଳଇ ଅଶ୍ଵ ମହାବଳୀ ।

ପର୍ବତ ଡିଙ୍ଗର ଶାଳ ଶିଳ ନଦୀ ଆଦି

ଚୋଖାର ସେ ତୁରଙ୍ଗମ ଚଳେ ମନଭେଦୀ ।

ବେନି ଘଡ଼ିରେ ମିଳିଲେ ପର୍ବତର ତଳେ

ଜୟନ୍ତୀନଦୀ ବହଇ ଜଳର ଉଲ୍ଲୋଳେ ।

ସେ ନଦୀକି ଜିଣି ବୀର ଗଲେକ ଚଳାଇ

ପର୍ବତର ଉପରକୁ ଭଲବାଟ ପାଇ ।

ପାଞ୍ଚ ଯୋଜନର ପଥ ଗିରିର ଉପର

ତାହା ଜିଣି ଅଶ୍ଵ ଚଢ଼ି ଚଳେ ମହାବୀର ।

ଗମନ୍ତେ ତିନି ପ୍ରହର ହୋଇଲାଗ ରାତି

ଗିରି ଉପରେ ଚଳନ୍ତେ ପ୍ରକାଶଇ ଜ୍ୟୋତି ।

ପବନ ଆଘାତେ ଅଶ୍ଵ କରେ ଶୀଘ୍ର ଗତି

ଅନ୍ଧାର ରାତିରେ ଯେହ୍ନେ ଦିନକର ଜ୍ୟୋତି ।

ପୂର୍ଣ୍ଣ ଶରତ ଶଶାଙ୍କ ତେଜ କି ବିକାଶେ

ତେସନ ପ୍ରସନ୍ମାଜିତ ବୀରବର ଦିଶେ ।

ସର୍ବ ଜୀବଜନ୍ତୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି

ଅପୂର୍ବ ପ୍ରାୟ ମଣିକି ଲେଉଟି ଚାହାନ୍ତି ।

କତିକି ଆସନ୍ତି ପୁଣି ପଳାନ୍ତି ସେ ଦୂରେ

ଜ୍ୟୋତି ବିକାଶଇ ସେହି ମଣିର ତେଜରେ ।

ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃପତି

ଦେବ ବିଡ଼ମ୍ବନ ଦେଖ ହୋଇଲା ଏ ରୀତି ।

ପର୍ବତ ଉପରେ ଏକ ସିଂହ ଚରୁଥିଲା

ଯାନ୍ତେଣ ସେ ମଣି ତେଜ ଦୂରହୁଁ ଦେଖିଲା ।

ଆଦିତ୍ୟ ମଣ୍ଡଳ ପ୍ରାୟ ଦିଶିଇ ସେ ଜ୍ୟୋତି

ପବନ ଆଘାତେ ଅଶ୍ଵ କରେ ଶୀଘ୍ରଗତି ।

ଦୂରହୁଁ ଦେଖିଣ ସିଂହ ବିଚାରଇ ମନେ

ଆଜତ ଅପୂର୍ବ ଜୀବ ଚରୁଅଛି ବନେ ।

ଅନେକ କାଳୁଁ ମୁଁ ଏହି ବନେ ଅଛି ରହି

ଏସନ ଅପୂର୍ବ ଜୀବ ମୋର ଦେଖିଲା ତ ନାହିଁ ।

ଆଜ ଯେବେ ଏ ଜୀବକୁ କରିବି ଭୋଜନ

ତେବେ ସନ୍ତୋଷ ହୋଇବ ମୋର ପଞ୍ଚମନ ।

ଅନେକ ଦିନରୁ ଜନ୍ତୁ ଭୋକିଲା ହୋଇଛି

ବିଚାରି ଧାତା ଆହାର ଯୋଗାଇଲା ବାଛି ।

ଏତେ ବିଚାରି ଧାଇଁଲା ସିଂହ ଅତି ବେଗେ

ମିଳିଲା ଯାଇଁ ପ୍ରସନ୍ମାଜିତ ବୀର ଆଗେ ।

ଦେଖିଲା ନବରତ୍ନେ ସେ ଅତ୍ୟନ୍ତ ସୁନ୍ଦର

ଅଶ୍ଵ ସହିତରେ ମାଡ଼ି ବସେ ଧାତିକାର ।

ବୁକୁ ଭାଙ୍ଗି ବିଦାରିଲା ହୃଦୟ କମଳ

ଅଶ୍ଵ ସହିତେ ହୋଇଲେ ଦୁଇ ଦୁଇ ଫାଳ ।

ପ୍ରସନ୍ମାଜିତର କଣ୍ଠେ ଯେଉଁ ମଣି ଥିଲା

ଜ୍ୟୋତି ବିକାଶନ୍ତେ ତାହା ସିଂହ ଯେ ଦେଖିଲା ।

ଅନେକ ଯତ୍ନେ ସେ ମଣି ଘେନି ନିଜ କରେ

ପ୍ରଭାତେ ମିଳିଲା ଯାଇ ପାତାଳ ବିବରେ ।

କୌତୁକେ ପ୍ରସନ୍ମାଜିତ ଗଲା ପ୍ରାଣେ ନାଶ

ଯାଦବେ ନ ଜାଣନ୍ତି ଯେ ଏ କଥାର ଲେଶ ।

ପାତାଳ ବିବରେ ସିଂହ ପଶିଲା ଝସାଇ

ଅନେକ ଦୂର ଯେ ତହିଁ ଗଲା ପଥ ବାହି ।

ହସ୍ତରେ ଘେନି ଅଛଇ ସ୍ୟମନ୍ତକ ମଣି

ଶୋଭା ବିକାଶୁଛି ନର କେଶରୀକୁ ଜାଣି ।

ବୃକ୍ଷରାଜ ଜାମ୍ବବାନ ପାତାଳରେ ଥିଲା

ବେଢ଼ିଲେ ବେଣ୍ଟକାରେ ସେ ବନ୍ଧନେ ପଡ଼ିଲା ।

ତ୍ରେତାଯୁଗ ମଲ୍ଲ ଋକ୍ଷ ବଡ଼ ବଳବନ୍ତ

ତାହାଙ୍କର ଲଙ୍କାଗଡ଼ ହୋଇଲା ଧୂମାନ୍ତ ।

ଜାମ୍ବବ ନୃପତି ତହିଁ ସିଂହକୁ ମାଇଲେ

ସ୍ୟମନ୍ତକ ମଣି ତାର ଗର୍ଭରୁ ପାଇଲେ ।

ଅଭିଷେକ ମଣି ଏହି ବିରଞ୍ଚି ଦେବର

ସ୍ୟମନ୍ତକ ମଣି ବୋଲି ଚିହ୍ନି ଋକ୍ଷବର ।

ଜାମ୍ବବତୀ ବୋଲି ତାଙ୍କ ଦୁହିତା କିଶୋରୀ

ତାହାଙ୍କ ଗଳାରେ ମଣି ଦେଲେ ଯତ୍ନ କରି ।

ଏସନ ଚରିତ କେହି ନ ଜାଣନ୍ତି ଆନ

ରାତ୍ରକ ଭିତରେ ହେଲା ଏତେକ ବିଧାନ ।

କାହାକୁ ଗୋଚର ପୁଣି ନୋହିଲା ଏ କଥା

ଜଗନ୍ନାଥ ଆଦିକରି ଯେତେ ମହାରଥା ।

ମଣିପାଇ ଜାମ୍ବବାନ ରହିଲେ ପାତାଳେ

ନମଇଁ ଅଚ୍ୟୁତାନନ୍ଦ କୃଷ୍ଣ ପାଦତଳେ ।

 

ସ୍ୟମନ୍ତକ ମଣି ଅନ୍ଵେଷଣେ ଶ୍ରୀକୃଷ୍ଣଙ୍କର ଯାତ୍ରା

 

ଏଥି ଉତ୍ତାରୁ ଯେ ପାଞ୍ଚଦିନ ବହିଗଲା

ଲଲାଟ ଲିଖନ ଯାହା ଦୈବ ଭିଆଇଲା ।

ଏକଦିନେ ବିସିଥିଲେ ସାତବଂଶ ବଳ

କୃଷ୍ଣ ଶ୍ରୀରାମ ସହିତେ ଆବର ସକଳ ।

ଖମ୍ବେ ଖମ୍ବେ ମାଡ଼ିବସି ଦିଶନ୍ତି ସେ ଶୋଭା

ଅମର ସଭା ମଧ୍ୟରେ ଯେସନେ ମଘବା ।

ଦକ୍ଷିଣ ଖମ୍ବକୁ ମାଡ଼ିବସେ ଉଗ୍ରସେନ

ଚାରିପାଖ ବେଢ଼ି ବସିଛନ୍ତି ଅନ୍ୟଜନ ।

ବୋଇଲେ ଶକ୍ରାଜତକୁ ଚାହିଁ ହଳପାଣି

ଦେଖିବାକୁ ଶ୍ରଦ୍ଧାକଲୁ ସ୍ୟମନ୍ତକ ମଣି ।

ଶ୍ରୀକୃଷ୍ଣଙ୍କୁ ଆଦିକରି ତହିଁ ଯେତେ ଥିଲେ

ସକଳେ ମଣି ଦେଖିବା ପାଇଁ ଶ୍ରଦ୍ଧାକଲେ ।

ଦେଖାଅ କିନା ସେ ମଣି ବୋଲୁଁ ଜଗନ୍ନାଥ

ସକଳେ ବୋଇଲେ ମଣି ଆଣ ଶକ୍ରାଜିତ ।

ପାତ୍ର ମନ୍ତ୍ରୀ ଯାଦବ ସେ ସଭାରେ ଯେ ଥିଲେ

ଠାକୁରଙ୍କ ହସ୍ତେ ଦିଅ ବୋଲିଣ ବୋଇଲେ ।

ଶକ୍ରାଜିତ ବୋଲେ ମଣି ମୋହଠାରେ ନାହିଁ

ମଣିର ବାର୍ତ୍ତା ତୁମ୍ଭଙ୍କୁ ଅକ୍ରୁର ଯେ କହି ।

ଜଗନ୍ନାଥ ଭଣି ଅକ୍ରୁର ତ କଲା ମାୟା

ଜାଣିଲେ ତାହାର ନାହିଁ ଆମ୍ଭଠାରେ ଦୟା ।

ଆମ୍ଭଙ୍କୁ କପଟ କରି ଲୁଚାଇଛୁ ମଣି

ସଦଭାବେ କାର୍ଯ୍ୟଥିଲେ ଦିଅ ବେଗେ ଆଣି ।

ଅକ୍ରୂର ବୋଇଲା ମଣି ମୋହଠାରେ ଥିଲା

ଅର୍ଦ୍ଧରାତ୍ରରେ ପ୍ରସନ୍ମାଜିତ ଆସି ନେଲା ।

ଅଶ୍ଵେକ ଚଢ଼ି ଅଇଲା ସଙ୍ଗେ କେହି ନାହିଁ

ମଣି ଘେନିଣ ସେ ରାତ୍ରେ ଗଲା ପୁଣି କାହିଁ ।

ଶକ୍ରାଜିତ ଅକ୍ରୂରକୁ ବୋଲଇ ଏମନ୍ତ

ଆଜକୁ ପାଞ୍ଚ ଦିବସ ହେଲା ନାହିଁ ସେ ତ ।

ଘର ବାହାର ଖୋଜିଲି ସକଳ ଠାବରେ

ବନ୍ଧୁବାନ୍ଧବଙ୍କ ଘର ଅରଣ୍ୟ କନ୍ଦରେ ।

ମଣି ଘେନି ପ୍ରସନ୍ମ ମୋ କେଉଁ କତି ଗଲା

ନିଶ୍ଚେ ଜାଣିଲି ମୋ ଭାଇ କେଉଁଠାରେ ମଲା ।

ଭୋ ଧର୍ମ ଦେବତା ତୁହି ଜାଣୁ ସିନା ଏକା

ଶୁଭାଶୁଭ କର୍ମ ତୁମ୍ଭ ପାଞ୍ଜିରେଣ ଲେଖା ।

ଏସନକ ଖଳ ବୁଦ୍ଧି ପ୍ରସରିଲା କାହୁଁ

ହୋଇଲା ମୋ ଜ୍ଞାନଧ୍ଵଂସ ନାଶଗଲି ତହୁଁ ।

ବହୁତ ବଚନ କେବେ ଭାଙ୍ଗେ ଏକଜଣ

ଏହିକ୍ଷଣି ଦେଖୁ ଦେଖୁ ହେଲା ଅକାରଣ ।

ଉପକାର ପାଇଥାନ୍ତି ଥାନ୍ତା ଧର୍ମ ଯଶ

ପାଆନ୍ତା ଅଜରାମର ପଦ ପଉରୁଷ ।

ମଣି ନ ଦେବି ବୋଲି ମୁଁ ବିଚାରିଲି ଚିତ୍ତେ

କାର୍ଯ୍ୟ କାରଣ ନୋହିଲା ରହିଲି ନିସତେ ।

ପୁଣି ବିଚାରିଲେ ଇଦଂ ବିଶ୍ଵକୂଟ ମାୟା

ଏ ସବୁ ଶ୍ରୀକୃଷ୍ଣ କଲେ ଛାଡ଼ି ମୋତେ ଦୟା ।

ଏକାଳେ ଆସି ମିଳିଲେ ତହୁଁ ଚାରଗଣ

ଦେଶାଉର ବାର୍ତ୍ତା ସ୍ଵାମୀ ସାବଧାନେ ଶୁଣ ।

ଶକ୍ରାଜିତ ସାନଭାଇ ପ୍ରସ୍ମାଜିତ ବୀର

ସଂଗ୍ରାମେ ଶକତା ବଳବନ୍ତ ଧନୁର୍ଦ୍ଧର ।

କିମ୍ଭୁତ ମାୟା ସେ ପୁଣ ଗୋଚର ନ ଗଲା

ଏତେ ବଡ଼ ରଥୀ ଗୋଟା ଅଖଡ଼େ ମରିଲା ।

ଗିରିବର ଶିଖେ ମୃତଶବ ଅଛି ପଡ଼ି

ପ୍ରଭାତକାଳେ ଆସିଲୁ ଆମ୍ଭେ ତାକୁ ଛାଡ଼ି ।

ପାଞ୍ଚଦିନ ହେଲା ତହୁଁ ପଡ଼ି ଅଛି ମଡ଼ା

ଦୁଇଫାଳ ହୋଇ ତହୁଁ ମନୁଷ୍ୟ ଯେ ଘୋଡ଼ା ।

ଶୁଣି ଶକ୍ରାଜିତ ମୁର୍ଚ୍ଛାଗତ ହୋଇ ପଡ଼ି

ଉଚ୍ଚସ୍ଵରେ ରୋଦନ ସେ କରେ ଶିର ତାଡ଼ି ।

ଆହା ଭାଇଗୋଟି ମୋର ଅଟୁ ପ୍ରାଣ ସରି

ଧନ ଜୀବନ କୁଟୁମ୍ବେ ଅଟ ଅଧିକାରୀ ।

ବୁଦ୍ଧିମନ୍ତ୍ର ବିଦ୍ୟାବନ୍ତ ଗୁଣବନ୍ତ ଭାଇ

ରୂପେ ଗୁଣେ ସୁଲକ୍ଷଣ ସର୍ବ ଗୁଣଗ୍ରାହୀ ।

ବାବୁ ଏସନ ଘଟଣା କେ କଲା ନିର୍ମାଣ

ଅଖଡ଼େ ତୋ ପରା ଭାଇ ଏବେ ଦେଲା ପ୍ରାଣ ।

ଆଉ କି ତୋତେ ଭାଇରେ ପାରିବି ମୁଁ ଦେଖି

କାନ୍ଦେ ଶକ୍ରାଜିତ ଲୁହ ବହେ ବେନି ଆଖି ।

ଆବର ସଭାରେ ଯେତେ ଯାଦବ ହିଁ ଥିଲେ

ଶକ୍ରାଜିତର ରୋଦନ ଦେଖି ଚିନ୍ତା କଲେ ।

ଅକଣ୍ଟକ ରାଜ୍ୟ ସେହି ଦ୍ଵାରାବତୀ ପୁରୀ

ବୈକୁଣ୍ଠ ଭୁବନ ତାକୁ ନୋହେ ସମପରି ।

ଯମ ଆଦିତ୍ୟ କିରଣ ନ ପାରଇ ପଶି

ଏଡ଼େ କର୍ମ ଗୋଟା କେହୁ କରନ୍ତା ଭରସି ।

କେମନ୍ତେ ଜାଣିବା ଏହା ହେଲା ମତିଭଙ୍ଗ

ଏମନ୍ତେ ବୋଲି ସମସ୍ତେ ହୋଇଲେ ଆତଙ୍ଗ ।

ବୋଇଲେ ସବୁ ବ୍ରହ୍ମାଣ୍ତେ ଅଧିକାରୀ ହରି

ଶୁଭାଶୁଭ କର୍ମ ସବୁ ପାରେ ଆନ କରି ।

ଆପେ ଆଜ୍ଞା ଦେଇ ରହି ଅଛନ୍ତି ଦ୍ଵାରକା

ଆପେ ଥାଉଁ ଥାଉଁ ଦେଖ ହେଉଛି ଏ ଦକା ।

ତାହାଙ୍କର ନ ଜାଣି କି ହୋଇ ଏଡ଼େ କର୍ମ

ଏକା ମଣି ଲାଗି ନାଶ ଗଲା ସବୁ ଧର୍ମ ।

ଦେବ ଭଣ୍ଡାରେ ସେ ଥାଉ ସବୁରିତ ଲୋଭ

ପୂଜନ୍ତେ ଆହୁଟ ଭାର ସୁବର୍ଣ୍ଣ ଯେ ଲାଭ ।

ଏମନ୍ତ ଦ୍ରବ୍ୟ ମୁର୍ଚ୍ଛିବ କେହୁ ଦେହ ଧରି

ଜୀବନ୍ତେ ବଧକୁ ଭୟ କେହୁ ନାହିଁ କରି ।

ଶ୍ରୀକୃଷ୍ଣ ନ ଜାଣି ଏଡ଼େ କର୍ମ କି ହୋ ହୋଇ

ଏକଥା ଗୋଟା ନିଶ୍ଚୟ ଶକ୍ରାଜିତ କହି ।

ବୋଲାବୋଲି ହେଉ ଶବ୍ଦ ଶୁଭେ ପୁରୀ ପୁରୀ

ସମସ୍ତେ କହନ୍ତି ଏହା କଲେ ଦେବହରି ।

ମଙ୍ଗଳ ବେଳେ ହୋଇଲା ଅମଙ୍ଗଳ ଶବ୍ଦ

ଘଡ଼ିଏ ପର୍ଯ୍ୟନ୍ତ ସଭା ହେଲା ନିସ୍ତବଧ ।

ଉଗ୍ରସେନ ବୋଲେ କେ ନ କହ କିପାଁ କଥା

ବସୁଦେବ ବୋଲେ ଲାଗେ ଆମ୍ଭଙ୍କୁ ତ ବ୍ୟଥା ।

ପୋଡ଼ି ଯାଉ ଜୀବ ପୁରାତନ ହେବା ମନ୍ଦ

ବଞ୍ଚିଥିବାରୁ ଶୁଣିଲୁ ନାନା ଅପବାଦ ।

ଯାଦବଙ୍କର ଅଚଳାଚଳ ଯେ ସମୃଦ୍ଧି

ଏ କଥା ପାଇଁ କିପାଇଁ ହୁଅ ଏଡ଼େ କ୍ରୋଧୀ ।

ଅନେକ ପରାକ୍ରମୀ ଏ ମରିବ ଅବଶ୍ୟ

କ୍ଷଣକ ମଧ୍ୟେ ହୋଇଲା ଦେଖ ପ୍ରାଣେ ନାଶ ।

ଏମନ୍ତ ବୋଲି ସଭାରୁ ସର୍ବେ ଉଠିଗଲେ

ଲୋକ ଅପବାଦ ବାଣୀ ଶ୍ରୀକୃଷ୍ଣ ଶୁଣିଲେ ।

ସଭା ମଉଳିଲା ସର୍ବେ ଗଲେ ପୁଣି ଉଠି

ବଳରାମ ଆଦି ମୁଖ ନ ଚାହିଁଲେ ଟେକି ।

ଲୋକ ଅପବାଦକୁ ଯେ ଭୟ କଲେ ହରି

ଶୁଭାଶୁଭ କର୍ମ କେହୁ ପାରେ ଆନକରି ।

ଦେହବନ୍ତ ହୋଇ ପ୍ରଭୁ ପାଇଲେକ ବ୍ୟଥା

ଲୋକ ଅପବାଦକୁ ଯେ ଲାଗେ ବଡ଼ଚିନ୍ତା ।

ଜଗବନ୍ଦନ ନାଥକୁ ଏସନ କଷଣ

କହନ୍ତି ହେ ଶୁକମୁନି ପରୀକ୍ଷ ହେ ଶୁଣ ।

ଯାଦବେ ଯାଇ ସେ ମୃତଶବକୁ ଆଣିଲେ

ଗୋମତୀ ନଦୀକୂଳରେ ରଖି ଦାହ କଲେ ।

ଶକ୍ରାଜିତ ବୋଲେ ସର୍ବ ଯାଦବଙ୍କୁ ଚାହିଁ

ସଭାର ଭାଷା ଶୁଣିଲେ ସମସ୍ତେ ତ ଥାଇ ।

ଯେଉଁ ସ୍ୟମନ୍ତକମଣି ଦେଲେ ଦିନମଣି

ମଣିର ଗୁଣ କହିଲେ ନ ସରଇ ପୁଣି ।

ଲୁଚାଇଥିଲି ଗୁପତ କରି ପୁଣି ଯାହା

କର୍ମର ବିପାକେ ମୋତେ ନୋଇଲା ସେ ସାହା ।

ଆଦ୍ୟହୁଁ ଏ କଥା ମୁହିଁ ଜାଣେ ହେତୁ କରି

ଏ ମଣି ମୋହର ତହୁଁ ନେବେ ଦେବହରି ।

ଡରୁଥିଲି ପଡ଼ିଲି ମୁଁ କର୍ମର ଅବଳେ

ପ୍ରାଣକୁ ଭୟ ପଡ଼ିଲା ଆସି ଏତେକାଳେ ।

ଭାଇ ମୋର ମଲା ପୁଣି ଦ୍ରବ୍ୟ ନାଶଗଲା

ଆବର ଦ୍ଵାରକାପୁରେ ମୋତେ କି ନୋହିଲା ।

ପୁଣି ସମୟେକ ମୁହିଁ ହେବି ଭାଗ୍ୟବନ୍ତ

ପୁଣି ସେବା କରିବି ମୁଁ ଛାୟାଦେବୀ କାନ୍ତ ।

ଆଲୋକିତ ବର ନେବି କହି ହୃଦବ୍ୟଥା

ଯାବତ ଚନ୍ଦ୍ରାର୍କେ ରହିଥିବି ସେହି କଥା ।

ପୁଣି ହିଁ କହୁଛି ଯାହା ଯାଦବେ ହେ ଶୁଣ

କପଟେ ମାଇଲେ ଭାଇ ମୋର ନାରାୟଣ ।

ଦ୍ରବ୍ୟେ ଲୋଭ କଲେ ଏଡ଼େ ବଡ଼ ପ୍ରଭୁ ହୋଇ

ଯାଦବେ ଆଉ ବିଶ୍ଵାସ ଯିବେ ତାଙ୍କୁ କାହିଁ ।

ଭଲେ ନ ଭାଗିଲେ କିପାଁ ମୋତେ ଲଜ୍ଜା ଛାଡ଼ି

ଏଡ଼େବଡ଼ କର୍ମ କଲେ ଉପରୋଧ ଏଡ଼ି ।

ବୋଇଲେ ବୈକୁଣ୍ଠ ହେବ ଦ୍ଵାରକା ଭୁବନ

ପ୍ରତ୍ୟକ୍ଷେ ଦେବତା ଏଥେ ଜାଣ ସର୍ବଜନ ।

ଯମ ଦର୍ପ ନାହିଁ ନାହିଁ ଅଗ୍ନିର ଯେ ଭୟ

ଶତେକ ଯୋଜନ ଭୂମି ସବୁ ସ୍ଵର୍ଣ୍ଣମୟ ।

ବାର ମାମରେ ବସନ୍ତ ବହେ ଧୀର ଧୀର

ଆଦିତ୍ୟ ତେଜ ଯହିଁ ନ ଲାଗଇ ପ୍ରଖର ।

ସେ ରାଜ୍ୟେ ହୋଇଲା ଆସି ମୋତେ ଏଡ଼େ କର୍ମ

ଏଥେ ବାସକରି ରହି ନ ଯୋଗାଇ ଧର୍ମ ।

ଏହା ଭାବି ଶକ୍ରାଜିତ ରୋଦନ ଯେ କରି

ଯାଦବ ସଭାରୁ ଉଠିଗଲେ ଯେ ଯାହାରି ।

ବସୁଦେବ ଉଗ୍ରସେନ ଯାଦବ ସହିତେ

ରାଜ୍ୟଯାକ ଗୋଳ ବାଜେ ସ୍ଥକିତ ସମସ୍ତେ ।

ଇତି ଶିରୀ ହରିବଂଶ ପୁରାଣର ଧନି

ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି ।

ଯାଦବ ସଭାରେ ଜଗନ୍ନାଥ ପାଇ ଲଜ୍ଜା

ଲୋକ ଅପବାଦକୁ ଯେ ଡରି ଦେବରାଜା ।

ମନି ଜାଣଇ ହୃଦରେ ଥାଇ ଯେଉଁ କଥା

ଶ୍ରୀମୁଖ ମଉଳି ଗଲା ନ ଟେକିଲେ ମଥା ।

ମାନବ ଦେହ ଆପଣେ ଅଛନ୍ତି ଯେ ବହି

ଶୁଭାଶୁଭ କଥା ପୁଣି ମେଣ୍ଟିଯିବ କାହିଁ ।

ସିଂହ ଶୁକଳ ଚଉଠୀ ଜାଣ ସେହି ଦିନ

ଜଳର ଭିତରେ ଜ୍ୟୋତ୍ସା ଚାହିଁ ଭଗବାନ ।

ଅଷ୍ଟମେ ଶନି ମଙ୍ଗଳ ରାହୁ ପାପରିଷ୍ଟ

ଗ୍ରହ ପୀଡ଼ା କରନ୍ତି ଏ ଗ୍ରହ ବଡ଼ ଦୁଷ୍ଟ ।

ଅପବାଦ ଶବ୍ଦ ରାଜ୍ୟେ ଶୁଭେ ମନ୍ଦବାଣୀ

ସ୍ଵାମୀକୁ ଦୁର୍ଧ୍ଵଂସବାଣୀ ବୋଲି ଦୁଷ୍ଟେ ପୁଣି ।

ଶୁଣ ପ୍ରାଣୀଏ ସଂସାରେ ଥାଇ ଯେତେ ମାୟା

ଅଜରାମର ନୁହଇ ରକ୍ତ ମାଂସ କାୟା ।

ଯାହାକୁ ଯେବଣ ଯୋଗ ଅଛି ଜନ୍ମକାଳେ

ଅବଶ୍ୟ ଫଳଇ ଫଳ ଜାଣ ଯଥାକାଳେ ।

ନାରାୟଣ ଭଳି ଲୋକ ନ ଗଲା ଯେ ପାର

ଜ୍ୟୋତି ବିବରଣେ ଯେହ୍ନେ ଶାସ୍ତ୍ରର ବିଚାର ।

ଯେ ଯାହା ଆପଣେ କରି ଅଛନ୍ତି ନିର୍ମାଣ

ତା ଲଙ୍ଘିଲେ ଦେବଶାସ୍ତ୍ର ହେବ ଅକାରଣ ।

ଆବର ବେଦ ଶାସ୍ତ୍ରରେ ରଚି ଏହି ଯୋଗ

ତେଣୁ କରି କର୍ମ ଆପେ କରିଛନ୍ତି ଭୋଗ ।

ରାମାବତାରେ ରାବଣ ନେଲା ସୀତା ହରି

କେତେ ଦୁଃଖ ନ ପାଇଲେ ବନେ ରହି କରି ।

ସେ ପ୍ରଭୁ ଭିଆଇଛନ୍ତି କରୁଛନ୍ତି ଭ୍ରମ

ସେହି ଯେ ଜାଣଇ ସିନା ଯାର ଯେଉଁ କର୍ମ ।

ସଂସାର ଜନକୁ ଭ୍ରମ କରାଇବା ପାଇଁ

ଅଜ୍ଞାନ ଯେ ଅପବାଦ ଆପେ ଅଛି ପାଇ ।

ସଭାରେ ଲାଜ ପାଇଲେ ଯହୁଁ ଦେବରାଜେ

ନିଜ ନବରକୁ ଆଉ ନ କଲେ ସେ ବିଜେ ।

ସାତ୍ୟକି ଅନାଧୃଷ୍ଟ ଯେ ଉଦ୍ଧବ ଅକ୍ରୂର

ଚାରିଜଣକୁ ପାଶକୁ ଡାକି ଚକ୍ରଧର ।

ତୁମ୍ଭେ ଚାରିଜଣ ଅଟ ଆମ୍ଭ ପ୍ରାଣସରି

ଏଡ଼େବଡ଼ ଲାଜ କଥା କହି ତ କେ ପାରି ।

ସ୍ୟମନ୍ତକର ଚରିତ ନ ଜାଣୁ ଯେ କିଛି

ଯାଦବମାନେ ଆମ୍ଭଙ୍କୁ ଅକାରଣେ ବାଛି ।

ଆମ୍ଭ ମନ ଜ୍ଞାନେ ଯେବେ ଜାଣୁ ଏହି କଥା

ଲୋକ ଅପବାଦକୁ ଯେ ପାଉଁ ବଡ଼ ବ୍ୟଥା ।

ଦୁଃଖ ପାଇବ ଯେ ତୁମ୍ଭେମାନେ ଆମ୍ଭପାଇଁ

ସ୍ଵର୍ଗ ମଞ୍ଚ ପାତାଳରେ ଖୋଜିବା ନା ଯାଇ ।

ଆମ୍ଭଙ୍କୁ ଯେ ଅପବାଦ ଦେଲେ ପୁଣି ଦୋଷ

ଖୋଜି ଭେଟ ନ ପାଇଲେ ସର୍ବେ ଯିବେ ନାଶ ।

ତୁମ୍ଭେମାନେ ଅଟ ପୁଣି ଆମ୍ଭ ପ୍ରିୟ ସଖା

ପରମ ବୈଷ୍ଣବଙ୍କର ସଙ୍ଗତରେ ଲେଖା ।

ଜାଣିବ ସିନା ତୁମ୍ଭେ ଏ କଥାର ତଦନ୍ତ

ଅଦୋଷରେ ଦୋଷ ଯେବେ ଦେଲେଣି ଆମ୍ଭନ୍ତ ।

ଉଦ୍ଧବ ବୋଲେ ଏମନ୍ତ କିପାଁ ଦେବ କହୁ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ମହାବାହୁ ।

ଅଲେଖ ପୁରୁଷ ତୁମ୍ଭ ରୂପରେଖ ନାହିଁ

ଅକାରଣ ପୁରୁଷ ତୋ ପାପପୁଣ୍ୟ କାହିଁ ।

ତୁମ୍ଭେ ମହାପ୍ରଭୁ ଆମ୍ଭେମାନେ ତୁମ୍ଭ ଭୃତ୍ୟ

ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭର ଯେ କୃତ୍ୟ ।

ଲକ୍ଷ୍ମୀର ବଲ୍ଲଭ ତୁମ୍ଭେ ଦେବ ଦେବରାଜା

ବ୍ରହ୍ମା ଇନ୍ଦ୍ର ଦେବରାଜ କରି ପାଦ ପୂଜା ।

ଶୁଭାଶୁଭ କର୍ମ ତୁହି ପାରୁ ଆନକରି ।

ତୁମ୍ଭ ମାୟାରୁ ଉବୁରି ପାରଇ କେ ହରି ।

ପ୍ରାଣୀର ପ୍ରାଣ ସବୁରି ପ୍ରାଣ ତୁହି ଜାଣୁ

ଭୂତ ଭବିଷ୍ୟତ ବର୍ତ୍ତମାନ ପରମାଣୁ ।

ତୁମ୍ଭେ ଯେବେ ଶ୍ରଦ୍ଧା କଲ ମଣି ଆଣି ଲୋଡ଼ି

ଆମ୍ଭେମାନେ କି ତୁମ୍ଭଙ୍କୁ ପାରିବୁ ଯେ ଛାଡ଼ି ।

ତୁମ୍ଭେ ଗଲେ ଆମ୍ଭେମାନେ ଥିବୁ ତୁମ୍ଭ କତି

ତୁମ୍ଭର ଯେ ଗତି ଜାଣ ଆମ୍ଭର ସେ ଗତି ।

ଦ୍ଵାରକାରୁ ବାହାରିଲେ ହୋଇ କୋପମୂର୍ତ୍ତି

ମଣି କାହିଁ ନ ପାଇଲେ ଖୋଜି ଦିବାରାତି ।

ଅନେକ ଦୂର ପର୍ଯ୍ୟନ୍ତ ଗଲେ ପଥ ବାହି

ବଳଦେବ ଆଦିଙ୍କୁ ଏ ଗୋଚର ଯେ ନାହିଁ ।

ରୁକ୍ମିଣୀ ଆଦି କରିଣ ନ ଜାଣନ୍ତି କିଛି

ମଣିର ଉଦ୍ଧେଶ୍ୟ ତୁମ୍ଭଁ ଗଲେ ନନ୍ଦବତ୍ସି ।

ମନେ ମନେ ସନ୍ତାପିତ ପ୍ରଭୁ ପାଇ ଲଜ୍ଜା

ସର୍ବ ସୁଖଭୋଗ ହରି କଲେ ପରିତ୍ୟଜ୍ୟା ।

ଯାନ ବାହାନ ନ ଚଢ଼ି ପାଦରେ ଗମନ

ଲପଲକ୍ଷ୍ୟ ଚାରିଆଡ଼େ ବୁଲି ଭଗବାନ ।

ଆଡ଼ତି କନ୍ଦର ବକ୍ର ପର୍ବତ ଯେ ମାଳ

ଦେଶେ ଦେଶେ ପଶି ଦେବ ଖୋଜନ୍ତି ସକଳ ।

ପ୍ରଥମେ ପ୍ରବେଶ ହେଲେ ସ୍ଵର୍ଗପୁରେ ଯାଇ

ଇନ୍ଦ୍ରେ କହିଲେ ବାରତା ତହୁଁ ପ୍ରଭୁ ପାଇ ।

ଷଢ଼ ଅର୍ଘ୍ୟେ ପୂଜା କଲେ ତହିଁ ସର୍ବମୁନି

କିମର୍ଥେ ଅଇଲ ବୋଲି ପଚାରନ୍ତି ପୁଣି ।

ଆବର ପ୍ରଭୁଙ୍କୁ ପଚାରିଲେ ବଜ୍ରପାଣି

ସମସ୍ତ କୁଶଳଟିକି କହ କମ୍ବୁପାଣି ।

ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହେ ମଘବା

ଶକ୍ରାଜିତ କଲେ ଦେବ ବିରଞ୍ଚିର ସେବା ।

ସ୍ୟମନ୍ତକ ମଣି ତାକୁ ଦେଲେ ଦିନକର

ପୂଜନ୍ତେ ନିତ୍ୟ ମିଳଇ ସ୍ଵର୍ଣ୍ଣ ଶତେଭାର ।

ପ୍ରସନ୍ନାଜିତ ହିଁ ମଲା ସେ ମଣି ହଜିଲା

ସର୍ବ ଯାଦବେ ବୋଇଲେ କୃଷ୍ଣ ଏହା କଲା ।

ତହିଁର ନିମନ୍ତେ ଆମ୍ଭ ସର୍ବେ ଆସିଅଛୁ

ଜାଣ କିଏ ମଣି ନେଲା ତୁମ୍ଭଙ୍କୁ ପୁଚ୍ଛୁଛୁ ।

ଗୋବିନ୍ଦଙ୍କ ମୁଖ ଶୁଣି ଏସନ ବଚନ

ଅମରପୁର ଖୋଜିଲେ ଦେବ ମଘବାନ ।

କୁବେର ବୋଇଲେ ମଣି ସ୍ୟମନ୍ତକ ନାହିଁ

କପିଳାସ କନ୍ଦରକୁ ଚଳ ଶୀଘ୍ର ହୋଇ ।

ଈଶ୍ଵରଙ୍କୁ ପଚାର ସେ ମଣିର ସନ୍ଦେଶ

ତହିଁ ମଣି ନ ପାଇଲେ ପ୍ରଭୁ ହୃଷୀକେଶ ।

ତହୁଁ ପାଦଗତି ହୋଇ ଧାତିକାରେ ଗଲେ

ବ୍ରହ୍ମାର ଛାମୁରେ ଯାଇ ତକ୍ଷଣେ ମିଳିଲେ ।

ସଂକ୍ଷେପି ପଚାରିଲେ ସେ ମଣିର ବାରତା

ପିତାମହ ବୋଲେ ଆମ୍ଭେ ନ ଜାଣୁ ସେ କଥା ।

ତହୁଁ ବାହାର ହୋଇଲେ ପାଇ ବଡ଼ ବ୍ୟଥା

ମଣି କାହିଁଗଲା ଆମ୍ଭେ ପାଇଲୁ ଅବସ୍ଥା ।

ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ର ଯେ ଲୋକ ଆଦିକରି

ପବନ ନୈଋତ ଯମ ବେଶ୍ଵାନର ପୁରୀ ।

ଗୋଲୋକକୁ ଆଦିକରି ବଇକୁଣ୍ଠ ଯାଏ

ମଣି ଖୋଜି ନ ପାଇଲେ ପ୍ରଭୁ ଦେବରାୟେ ।

ମନ ପବନ ଆରୋହି ତହୁଁ ଭଗବାନ

ମଞ୍ଚେ ପ୍ରବେଶ ହୋଇଲେ ଚଢ଼ି ମନଯାନ ।

ପାଞ୍ଚେହେଁ ମନ ପବନେ ଚଢ଼ିଗଲେ ଚଳି

ପ୍ରବେଶ ହୋଇଲେ ମଞ୍ଚପୁରେ ବନମାଳୀ ।

ଜମ୍ବୁଦ୍ଵୀପ ନବଖଣ୍ଡ ଆୟତନ ପୃଥ୍ଵୀ

ଅଭିଷେକୀ ଛୟାଣୋଇ ସମ ରାଜା ଛନ୍ତି ।

ସବୁଙ୍କୁ ପୁଚ୍ଛିଲେ ଜଣେ ଜଣେ ନନ୍ଦ ବତ୍ସି

ମଣିର ବାରତା ପ୍ରଭୁ ନ ପାଇଲେ କିଛି ।

ଅଗମ୍ୟ ଅଟଇ ପୁଣି ଗିରିଲତା ମାଳ

ନିର୍ଝର ଡିଙ୍ଗର ଖାଲ ଖୋଲ ନଦୀକୂଳ ।

କଳିଙ୍ଗ ଗଉଡ଼ ଅଙ୍ଗ ବଙ୍ଗ ମରହଟ୍ଟ

କାଞ୍ଚୀ କାବେରୀ କାଶ୍ମୀର କାଶୀ ସଉରାଷ୍ଟ୍ର ।

ମାଳବ ଖଣ୍ଡ ଅଯୋଧ୍ୟା ଆଦି ନାନା ଦେଶ

ଉଜାଣି ପ୍ରଖର ଚେଦୀ କନାଉଜ ମତ୍ସ୍ୟ ।

ବିଦର୍ଭ ପଞ୍ଚାଳ ମଗ ମହାରଣ୍ୟ ମଘ

ମାଳୀ ଗୁଆଳୀ କୋଣାର୍କ ମାଲ୍ୟାବନ୍ତ ରଙ୍ଗ ।

କୁରୁ ନିଷଧ କଳହ ଚଉରା ପାଟଣ

ଏମନ୍ତ ବୁଲିଲେ ଚାରିଆଡ଼ ଜଗଜ୍ଜିଣା ।

ଝମ୍ପାର ଝଙ୍କାର ଚମ୍ପା ଚୋଡ଼ ରଣସ୍ତମ୍ଭ

ସଉରେଖ ସେତୁବନ୍ଧ ବ୍ରହ୍ମାମୂଳ ଖମ୍ବ ।

ଉପାହଳ ତହୁଡ଼ି ଯେ ଓଡ୍ର ବ୍ରହ୍ମଦେଶ

ଅବନ୍ତୀ କୋଶଳ ରାଜ୍ୟ କାମାକ୍ଷୀ ମହେଶ ।

ମଗଧ ମଥୁରା ଆଦି ଯେତେକ ପାଟଣା

ଖେଚର ଭୂତର ଖୁରସାରି କୁମ୍ଭରଣା ।

କର୍ଣ୍ଣାଞ୍ଚଳ ଅଞ୍ଚଳ ଯେ ହଇହୟ ସଖା

ଯେତେ ନୃପତି ଅଛନ୍ତି କେ କରିବ ଲେଖା ।

ସନ୍ଧୁ ଯବନ ଅସୁର ଯକ୍ଷ ରକ୍ଷ ପୁର

ଦିବାରାତ୍ର ଖୋଜନ୍ତି ଯେ ପ୍ରଭୁ ଚକ୍ରଧର ।

କ୍ଷୁଧା ତୃଷା ବିବର୍ଜିତ ପାଦୁକାର ମନ୍ତ୍ରେ

ନିମିଷେ ବୁଲନ୍ତି ଚର ଅଚର ଜଗତେ ।

ଖୋଜନ୍ତି ଯେ ପାଞ୍ଚ ଏକ ହୋଇ ଅନୁକ୍ଷଣେ

ମଣିର ଯେ ବର୍ଣ୍ଣ ଚିହ୍ନ ନ ପାଇ ବିଷର୍ଣ୍ଣେ ।

କେତେକ ଦୂର ପଶ୍ଚିମ ଦିଗ ସିନ୍ଧୁତଟେ

ଜୟନ୍ତୀ ନଗର ଜମ୍ବୁ ନଦୀର ନିକଟେ ।

ତହୁଁ ଆଉ ଜୀବ ଜନ୍ତୁଙ୍କର ଗମ୍ୟ ନାହିଁ

ନୈର୍ଋତ କୋଣ ଛାଡ଼ିଣ ପଥେକ ଅଛଇ ।

ସେ ପଥକୁ ଅନୁସରି ବହୁଦୂର ଗଲେ

ସେ ପର୍ବତ ତଳେ ଏକ ବିବର ଦେଖିଲେ ।

ସପ୍ତପାତାଳ ପର୍ଯ୍ୟନ୍ତେ ସେ ବିବର ଗୋଟି

ଈଶାନେ ବକ୍ର ହୋଇଣ ଉତ୍ତରକୁ ଫୁଟି ।

ସେ ଦ୍ଵାରେ ଅଛଇ ଜାଣ ଅକ୍ଷୟ ଯେ ବଟ

ତାର ପରସାଦେ ଦେହ ହୁଅଇ ଅତୁଟ ।

ସେ ବଟର ମୂଳେ ଅଛି ସୁବର୍ଣ୍ଣ ଚଉରା

ଅଷ୍ଟରତ୍ନରେ ନିର୍ମାଣ ଦିବାକର ତୋରା ।

ପୂର୍ବକାଳେ ସେ ଚଉଁରା ଲଙ୍କାଗଡ଼େ ଥିଲା

କେତୁକା ନାମେ ରାକ୍ଷସୀ ସେଠାରୁ ଆଣିଲା ।

ଜାମ୍ବବ ରାଜା ଗୋଚରେ ଦେଲା ତାହା ଆଣି

ସେ ଆଣି ଏଥେ ରଖିଲେ ଶ୍ରଦ୍ଧାଦ୍ରବ୍ୟ ଜାଣି ।

ସେ ଚଉଁରା ପାଶେ ବିଜେକଲେ ଚକ୍ରପାଣି

ନୀଳ ଉତ୍ପଳ ଡୋଳାରୁ ବହେ ଶ୍ରମପାଣି ।

ଉଦ୍ଧବ ସାତ୍ୟକି ଅନାଧୃଷ୍ଟ ଆଦିକରି

ଚାରିପାଖରେ ବସିଲେ ଏ ଯାଦବ ଚାରି ।

ଶରୀରୁ ବହଇ ଶ୍ରମଝାଳ ଝର ଝର

ଭ୍ରମି ଭ୍ରମି ଅଶକତ ସବୁରି ଶରୀର ।

ଦକ୍ଷିଣ ପବନ ଲାଗି ପୁଲକିତ ଗାତ୍ର

ପଥଶ୍ରମେ ନିଦ୍ରା ଆସି ଘାରେ ତାଙ୍କ ନେତ୍ର ।

ପାଞ୍ଚେହେଁ ରାତ୍ରେ ଶୁତିଲେ ଚଉଁରା ମଣ୍ଡଳେ

କାଳ ଯାମିନୀ ଘୋଟିଲା ଆସିଣ ଶୟଳେ ।

ଶ୍ରୀହରିବଂଶ ପୁରାଣ ପୁଣ୍ୟମୟ ଧ୍ଵନି

ଶୁଣ ହୋ ପରୀକ୍ଷ ରାଜା କହେ ଶୁକମୁନି ।

ଉପରେ କଳପବଟ ସୁବର୍ଣ୍ଣ ବେଦୀ

ଅଷ୍ଟରତ୍ନେ ନିର୍ମାଣ ତା ଜ୍ୟୋତି ଶୁନ୍ୟଭେଦୀ ।

ନନ୍ଦନ ବନେ ସେ ବେଦୀ ପୂର୍ବକାଳେ ଥିଲା

ଦିଗବିଜେ କାଳେ ତାହା ରାବଣ ଆଣିଲା ।

ଲଙ୍କାଗଡ଼େ ଥୋଇଲା ତା ନେଇ ଅତି ଯତ୍ନେ

ସେଠାକୁ ଗମନ୍ତେ ଦିଗପାଳେ ଦିବାରାତ୍ରେ ।

କେତୁକା ରାକ୍ଷସୀ ତାହା ଶ୍ରଦ୍ଧାରେ ଆଣିଲା

ଜାମ୍ବବ ଛାମୁରେ ନେଇ ଯାଚିକରି ଦେଲା ।

ବିଶିଷ୍ଟ ମୁନି ଗୁପତେ ଜାମ୍ବବକୁ କହି

ଏ ବେଦୀରେ ନାରାୟଣ ବିଜେ ଦେହ ବହି ।

ସେ କଥା ଜାମ୍ବବ ରାଜା ଥିଲା ଅନୁସରି

ବାଟ ମଧ୍ୟେ ସ୍ଥାପିଅଛି ସୁବର୍ଣ୍ଣ ଚଉଁରୀ ।

ବିବରଦ୍ଵାରେ ମିଳିଲେ ସୂର୍ଯ୍ୟ ଅସ୍ତବେଳେ

ସୁସ୍ଥାନ ପାଇ ରହିଲେ ଆସି ରାତ୍ରକାଳେ ।

ସୁବର୍ଣ୍ଣ ଚଉରା ପରେ ଅଛି କଳ୍ପବଟ

ତ୍ରିଜଗତ ବାରିନିଧି ପର୍ବତ ନିକଟ ।

ଏଥିମଧ୍ୟେ ବିରରେକ ଅଛି ତହିଁ ଫୁଟି

ଜ୍ୟୋତି ବିକାଶୁ ଅଛଇ ତ୍ରିଜଗତ ଘୋଟି ।

ତୁମ୍ଭେ ଯାଦବ ତିନିହେଁ ଏହିଠାରେ ଥିବ

ଆମ୍ଭ ସଙ୍ଗତେ ଏକାକୀ ଏ ଉଦ୍ଧବ ଯିବ ।

ଏହି ବିବର ଭିତରେ ଖୋଜି ଅନୁସରି

ପାଉ କି ନ ପାଉ ଆମ୍ଭେ ଆସୁକିନା ଫେରି ।

ତିନିଦିନ ପରିଯନ୍ତେ ଏଥେ ଥିବ ବସି

ଏସନ ମଧ୍ୟେ ପ୍ରବେଶ ହେବୁ ଆମ୍ଭେ ଆସି ।

ତିନିଦିନ ମଧ୍ୟେ ଯେବେ ଭେଟ ନ ପାଇବ

ନିଶ୍ଚୟ ଆମ୍ଭଙ୍କୁ ମୂର୍ଚ୍ଛି ଦ୍ଵାରକାକୁ ଯିବ ।

ଏହା ବ୍ୟତିରେକେ ତୁମ୍ଭେ ନ କରିବ ଆନ

ଉଦ୍ଧବ ଘେନି ଚଳିଲେ ପ୍ରଭୁ ଭଗବାନ ।

ତିନି ଯାଦବେ ରହିଲେ ବେଦୀପରେ ବସି

ଉଦ୍ଧବ ଶ୍ରୀଜଗନ୍ନାଥ ଭିତରକୁ ପଶି ।

ରାତ୍ର ବେନିଦଣ୍ଡ ଥାଉଁ ଗର୍ତ୍ତରେ ପଶିଲେ

ବେନି ଯୋଜନ ବାୟବ୍ୟକୋଣେ ମାଡ଼ିଗଲେ ।

ଦେଖିଲେ ଥୋକାଏ ଦୂର ଯାଇ ଦିବ୍ୟପୁର

ଅମର ବାରସ୍ଵତୀ ଯେ ନୋହେ ପଟାନ୍ତର ।

ଦଶସହସ୍ର ଯୋଜନ ଆୟତନ ସ୍ଥଳୀ

ଅମୃତ ଦ୍ରବ୍ୟ ବିକନ୍ତି ବଣିକାରେ ମିଳି ।

ମେଢ଼ ମଣ୍ଡପ ଦେଉଳ ଚଗତୀ ଅଟ୍ଟାଳୀ

ଅଶ୍ଵ ଗଜଶାଳ ସକ୍ରଶାଳ ଭଳି ଭଳି ।

ଚଉରାଶୀ ସସ୍ର ଘର ଅଛି ସେହିଠାରେ

ଏକୁ ଏକ ତହିଁ ପୁଣି ଅଛନ୍ତି ସମ୍ଭାରେ ।

ରଥୀ ମହାରଥୀ ଏ ଯେ ସଂଗ୍ରାମେ ନିଃଶଙ୍କା

ତ୍ରେତା ଯୁଗରେ ଏମାନେ ବିଧ୍ଵଂସିଲେ ଲଙ୍କା ।

ରାବଣ ଦର୍ପ ଧ୍ଵଂସିଲେ ରାମ ପାଶେ ଥାଇ

ଅଜର ଅମର ବର ପାଇଛନ୍ତି ସେହି ।

ଜାମ୍ବବ ପ୍ରସାଦେ ନାହିଁ କାହାକୁ ଯେ ଭୟ

ତ୍ରିଜୀବ ବର ପାଇଣ ସମସ୍ତେ ଅଜେୟ ।

ସେ ପୁରେ ଯାଇଁ ପ୍ରବେଶ ହେଲେ ଲକ୍ଷ୍ମୀସାଇଁ

ନଗ୍ରେ ବୁଲନ୍ତେ ଉଦ୍ଧବ ପଛରେ ଗୋଡ଼ାଇ ।

ଆପଣେ ଶ୍ରୀ ଜଗନ୍ନାଥ ଅଛନ୍ତି ଯେ ରହି

ପୁରେ ପୁରେ ଖୋଜନ୍ତି ସେ ମଣି ଭାବଗ୍ରାହୀ ।

ନଗ୍ରଲୋକ ଦେଖି ଅପୁରବ ପ୍ରାୟ ମଣି

ପ୍ରଶଂସା କରନ୍ତି ଜଣେ ଜଣେ ଚକ୍ରପାଣି ।

ରାଜ୍ୟ ପରିମଳ ଦେଖି କେତେଦୂର ଗଲେ

ନବବର ସିଂହଦ୍ଵାରେ ପ୍ରବେଶ ହୋଇଲେ ।

ଏମନ୍ତ ସମୟେ ପାଞ୍ଚଦଣ୍ଡ ହେଲା ବେଳ

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ଭୁପାଳ ।

ପୂର୍ବହୁଁ ବିଧାତା ଏହା କରିଛି ନିର୍ମାଣ

ସେହି କି ଆନର ବଳେ ହୋଇବ ମେଣ୍ଟଣ ।

ଜାମ୍ବବ ଦୁହିତା ଜାମ୍ବବତୀ ତାର ନାମ

ସୁକୁମାରୀ ସୁଲକ୍ଷଣୀ ସୁନ୍ଦରୀ ସୁଷମା ।

ରାଜାଙ୍କର ଦୁହିତା ସେ ଅବିବାହୀ ଜେମା

ଲକ୍ଷ୍ମୀଙ୍କର ଅଂଶେ ଜାତ ଅଟଇ ସେ ବାମା ।

ସହସ୍ରେକ ପରିବାରୀ ଘେନି ସଙ୍ଗତରେ

କଉତୁକେ ରାଜଜେମା ଖେଳେ ସିଂହଦ୍ଵାରେ ।

ମୁଦୁସୁଲୀ ପୋଇଲୀ ଯେ ଧାଈ ପରିବାରୀ

ସେବା କରୁଛନ୍ତି ମନ ଜାଣି ଯେ ଯାହାରି ।

ରାକ୍ଷରାଜର ବତିଶ ସହସ୍ର ଯୁବତୀ

ତାଙ୍କ ଗର୍ଭରୁ ପଞ୍ଚାଶ ସହସ୍ର ସନ୍ତତି ।

ଏକା ଦୁହିତା ଗୋଟିଏ ନାମ ଜାମ୍ବବତୀ

ସେ ଦୁହିତା ସବୁବେଳେ ବିଷ୍ଣୁର ଭକତି ।

ତ୍ରେତାଯୁଗରେ ସେ ପୁଣି ହୋଇଲାକ ଜାତ

ଇନ୍ଦ୍ର ନନ୍ଦିନୀ ଅଇନ୍ଦ୍ରୀ ଅଟେ ଯାର ମାତ ।

ମାତା ଅଂଶ ଘେନି ହେଲା ସେ ଦୁହିତା ଜନ୍ମ

ସୁକୁମାରୀ ସୁଲକ୍ଷଣ ସୁନ୍ଦର ତା ବର୍ଣ୍ଣ ।

ଇନ୍ଦ୍ରଙ୍କର ନାତୁଣୀ ସେ ଜାମ୍ବବ ଦୁହିତା

ତା ସଦୃଶେ ନ ପାଇଲା ବର ତାର ପିତା ।

ଅବିବାହୀ ବାଳିକା ସେ ପିତା ଘରେ ଥାନ୍ତି

ଦୁଇଯୁଗ ବହିଗଲା ବିଭା ନ ହୁଅନ୍ତି ।

ପଦ୍ମବନରେ କି କରେ ରାଜହଂସୀ କେଳି

ସଖୀ ସଙ୍ଗେ ଖେଳୁଥାଇ ଜାମ୍ବବ ଦୁଲାଳୀ ।

ମଥା ଚାରୁବେଣୀ ଲମ୍ବିପଡ଼େ କଟି ଭାଗେ

ମଧୁକର କ୍ରୀଡ଼ଇ କି ପୁଷ୍ପ ଅନୁରାଗେ ।

ଖଣ୍ଡ ଇନ୍ଦୁ କି କପାଳେ ଭ୍ରୂଲତା କି ଧନୁ

ରସାଣିଲା ସ୍ଵର୍ଣ୍ଣମୟ ବିରାଜଇ ତନୁ ।

ଆରକ୍ତ ମଧୁକ ପୁଷ୍ପ ବିମ୍ବଫଳ କାନ୍ତି

ସୁରଙ୍ଗ ମଧୁଫେଣା କି ଅଧର ଶୋଭନ୍ତି ।

ଆଲୋକ କର୍ଣ୍ଣର ମୂଳେ ତଡ଼କିଆ ବେଣୀ

ଶିରଭୂଷଣ ଉପମା କି ଦେବାଟି ପୁଣି ।

ଅପାଙ୍ଗ ଚାରୁଲୋଚନ କଟାକ୍ଷ ଚାହାଣି

ଗଙ୍ଗାଧର ବ୍ରହ୍ମାଙ୍କୁ ସେ ହେଳେ ପାରେ ଜିଣି ।

ବିସ୍ତାର ଯେ ବକ୍ଷସ୍ଥଳ କ୍ଷୀଣ ମଝାଗୋଟି

ସୁରଙ୍ଗ ଝୀନ ବସନ ପରିଧାନ କଟି ।

ଉଲଟ କଦଳି ପ୍ରାୟ ଦିଶେ ତାର ଜାନୁ

ସୁରେଖ ମଣ୍ଡଳ ଯେହ୍ନେ ନିଷ୍କଳଙ୍କ ଭାନୁ ।

ଅଙ୍ଗୁଳିର ଶୋଭାବର୍ଣ୍ଣ ଅଟେ ଚମ୍ପାକଢ଼ି

ଲିଖିତ ଅଳତା ଲକ୍ଷ୍ୟ ଫୁଲର ପାଖୁଡ଼ି ।

ରୂପଗୁଣେ ଅନିନ୍ଦିତା ଅପୂର୍ବ ସୁନ୍ଦରୀ

ସ୍ଵର୍ଗ ମେନକା ଉର୍ବଶୀ ରୂପେ ନୁହେ ସରି ।

ସର୍ବରତ୍ନ ଅଳଙ୍କାରେ ଭୂଷଣ ତରୁଣୀ

ରୂପ ଅତିଶୋଭା ତାର ଗଳେ ଅଛି ମଣି ।

ଏହାର ନିମନ୍ତେ ଆମ୍ଭେ ପାଇଲୁ ଏ କଷ୍ଟ

ଅପବାଦ ହିଁ ସହିଲୁ ହୋଇ ଗୃହଭ୍ରଷ୍ଟ  

ଏବେ ବିଧାତା ଖଣ୍ଡିଲା ଆମ୍ଭର ଏ କଷ୍ଟ

କାର୍ଯ୍ୟ ସଫଳ ହୋଇଲା ପାଇ ମଣି ଭେଟ  

ସୁଧର୍ମା ସଭାରେ ଆମ୍ଭେ ଅଛୁ ଲାଜ ପାଇ

ଯାଦବଙ୍କ ଛାମୁରେ ଯେ ଦେବୁ ଏହା ନେଇ ।

ଏତେ ବୋଲି ଧଇଲେ ଯେ କନ୍ୟା ଭୁଜ ତୋଳି

ଦକ୍ଷିଣ କରେ କାଢ଼ିଲେ ତାର ଗଳା ମାଳି ।

ଶ୍ରୀହସ୍ତେ ଧିଲେ ଦେବ ମାଳ ଫେଡ଼ି ମଣି

ଉଚ୍ଚେ ରୋଦନ କରଇ ରାଜାର ଦୁଲଣୀ ।

ମୃଦୁସୁଲୀ ପରିବାରୀ ପୋଇଲୀ ଏ ଥିଲେ

ଶତେପୁର କରି ଆସି କୃଷ୍ଣଙ୍କୁ ବେଢ଼ିଲେ ।

ବୋଇଲେ ହୋ ମହାତମା ହେଲ କିପାଁ ବାଇ

ଏଡ଼େ ବଡ଼ ଭରସା ତୁ କରୁଛୁ କିପାଇଁ ।

ଜାମ୍ବବ ଏଥିରେ ରାଜା ଶୁଣିଲ କି ନାହିଁ

କାର୍ଯ୍ୟ କାରଣ ନୋହିବ ମରି ଦୁଃଖ ପାଇ ।

ରାଜାର ସିଂହଦୁଆରେ ଆସି ଡକା କରୁ

ରାଜାର କନ୍ୟାକୁ ଛୁଇଁ ଅଙ୍ଗୁ ମଣି ହରୁ ।

ଏଡ଼େ ନଷ୍ଟ କରି ତୋତେ ଗଢ଼ିଅଛି ବିହି

ଏପରି ଅନୀତି ଲୋକେ ଦେଖିବାରେ ନାହିଁ ।

ମଣି ରଖି ପଳାଇ ଯା ଏଥୁ ଧାତିକାରେ

ଜୀବନଠାରୁ ଅଧିକ ନାହିଁ ଏ ସଂସାରେ ।

ସୁଲକ୍ଷଣ ସୁକୁମାର ସୁନ୍ଦର ତୋ ରୂପ

ସରି ନୋହିବେ ତୁମ୍ଭଙ୍କୁ କୋଟିଏ କନ୍ଦର୍ପ ।

ତୋର ମନ୍ଦହାସେ ବଶ ହେବେ ତିନିପୁରୀ

ଏଣୁ କହୁଛୁ ତୁମ୍ଭଙ୍କୁ ପଳା ବେଗକରି ।

ନବର ଲୋକେ ଯଦ୍ୟପି ଶୁଣିବେ ଏ କଥା

ବହୁତ ଦଣ୍ଡ ଦଣ୍ଡିବେ ଦେଇଣ ଅବସ୍ଥା ।

ତୋ ରୂପ ଦେଖି ଆମ୍ଭର ବସିଲା ସୁଦୟା

ଅକାରଣେ ନ ନାଶ ତୋ ସୁକୁମାର କାୟା ।

ନ କର ବିଳମ୍ବ ଆଉ ପଳା ରଖି ମଣି

ନୃପତି ଜାଣିଲେ ନିଶ୍ଚେଁ ମରିବୁ ଏକ୍ଷଣି ।

ତ୍ରେତାଯୁଗରେ ଶ୍ରୀବିଷ୍ଣୁ ରାମ ଅବତାରେ

ଏହି ଋକ୍ଷରାଜ ଜାମ୍ବବାନ ମନ୍ତ୍ରଣାରେ ।

ରାବଣ ବଂଶ ନାଶିଲେ ଏ ଜାମ୍ବବ ବଳେ

ପୋଥି ଏକ ଅଛି ବ୍ରହ୍ମା ପୂର୍ବେ ଦେଇଥିଲେ ।

ସେ ପୋଥିରୁ ଏ ଔଷଧ ବାଛି ଦେଲା କହି

ଶ୍ରୀରାମ ଲକ୍ଷ୍ମଣ ତେଣୁ ପ୍ରାଣ ଛନ୍ତି ପାଇ ।

ପରିବାରୀଙ୍କର ମୁଖୁଁ ଏ ବଚନ ଶୁଣି

ଧୀର ଧୀର କରି ପ୍ରଭୁ କହି ମଧୁବାଣୀ ।

ରାଜାର ଆଗେ ନ କୁହ ଜାଣି ବା ନ ଜାଣି

ଗୁପତ କରଇ କଥା ସୁମହତ ପ୍ରାଣୀ ।

ତୁମ୍ଭେମାନେ ଯାହା ଯାହା ବୋଲଇ ନିୟତ

କର୍ମର ବଳେ ହୁଅନ୍ତି ପ୍ରାଣୀ ଆତଯାତ ।

ଯେବଣ ପ୍ରାଣୀଙ୍କୁ ପୂର୍ବୁ ଅଛି ଯେଉଁ ଯୋଗ

କେ ଆନ କରିବ ତାହା କରିବ ସେ ଭୋଗ ।

ଏ ମଣି ଯୋଗୁଁ ପାଇଲୁ ଆମ୍ଭେ ବଡ଼ ବ୍ୟଥା

ଶୁଣିଲୁ ଯେ ଅପବାଦ ଲୋକନିନ୍ଦା କଥା ।

ସ୍ଵର୍ଗ ମଞ୍ଚ ପାତାଳାଦି ଅଇଲୁଣି ଖୋଜି

ଅବଟୀ ଡିଙ୍ଗର ଖାଲ ଖୋଲ ଗିରିରାଜି ।

ଦେବଲୋକ ନାଗଲୋକ ହୁଅନ୍ତି ଆକୁଳ

ଦେବ ଭଣ୍ଡାର ପ୍ରଭୃତି ଖୋଜିଲୁ ସକଳ ।

ବହୁଦୂର ଖୋଜି କାହିଁ ନ ପାଇଲୁ ମଣି

ଏଠାରେ ଧାତା ଆମ୍ଭଙ୍କୁ ଭେଟାଇଲା ଆଣି ।

ତୁଟିଲା ଦୁଃଖ ଆମ୍ଭର ଫିଟିଲା ସନ୍ଦେହ

ଗୁପତ ନ କରି ତୁମ୍ଭେ ରାଜା ଆଗେ କହ ।

ଆମ୍ଭର ପଦାର୍ଥ ଆମ୍ଭେ ଘେନିଲୁ ଛଡ଼ାଇ

ବିଳମ୍ବ ନ କର ରାଜା ଆଗେ କହ ଯାଇ ।

ନ କହି ନେବା ଆମ୍ଭର ନୁହଇ ପ୍ରମାଣ

କହି ନେଉଅଛି ତୁମ୍ଭେ ସମସ୍ତେ ଗୋ ଶୁଣ ।

ଆବର ଅନେକ ଦ୍ରବ୍ୟ ଅଛି କନ୍ୟା ତହିଁ

ସେ ରତ୍ନମାନଙ୍କେ ଆମ୍ଭ ପ୍ରୟୋଜନ ନାହିଁ ।

ଏତେ ବୋଲି କରେ ମଣି ଘେନି ଦେବହରି

ଡକା ହେଲା ଡକା ହେଲା ବୋଲି ପରିବାରି ।

ଉଚ୍ଚେ ରୋଦନ କରନ୍ତି କନ୍ୟା ଜାମ୍ବବତୀ

କହୁଁ କହୁଁ ମହାଗୋଳ ହେଲ ଚଉକତି ।

ମାର ମାର ଧର ଧର ଶବ୍ଦ ଅସମ୍ଭାଳ

ସମରାଜ୍ୟ ହାଲହୋଳି ମୁଖରାବ ଗୋଳ ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତି

ଇତି ଶ୍ରୀ ଏ ହରିବଂଶ ଶ୍ରୀହରି କୀରତି ।

ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ଵଂସ

ଅଚ୍ୟୁତ କହଇ ଜନେ ହରିନାମ ଘୋଷ ।

 

କୃଷ୍ଣଙ୍କ ସହିତ ଜାମ୍ବବାନର ଯୁଦ୍ଧ

 

ଏଥୁଅନ୍ତେ ମନଦେଇ ଶୁଣ ପରୀକ୍ଷିତ

କୃଷ୍ଣ ଜାମ୍ବବାନ ଯୁଦ୍ଧ ହେଲା ଅଲୋକିତ ।

ରାଜାର ଛାମୁରେ ପଡ଼ିହାରୀ କହେ ଯାଇ

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ ।

ଜାମ୍ବବତୀ ଖେଳୁଥିଲେ ନଗ୍ର ସିଂହ ଦ୍ଵାରେ

ସ୍ୟମନ୍ତକ ମଣି ଥିଲା ତାହାଙ୍କ କଣ୍ଠରେ ।

ଅଦ୍ଭୁତେ କାହୁଁ ଅଇଲେ ମାନବ ଯେ ବେନି

କନ୍ୟାର କଣ୍ଠରୁ ମଣି ଯାଉଛନ୍ତି ଘେନି ।

ଆମ୍ଭଙ୍କୁ ବୋଇଲେ କହ ରାଜା ଆଗେ ଯାଇ

ଲେଉଟି ବାର୍ତ୍ତା ପାଇବା ଯାଏ ଥିବୁ ରହି ।

ଦୁଇଗୋଟି ମାନବ ସେ ସାହସ ଅଲେଖା

ଏ ବିବର ମଧ୍ୟେ ପଶି କରୁଛନ୍ତି ଡକା ।

ଯେବଣ ରାଜ୍ୟକୁ ଯମ କରୁଅଛି ଭୟ

ସଂଗ୍ରାମରେ ସରି ହୋଇ କେ କରିବ ଜୟ ।

କାହାକୁ ନାହିଁ ସେ ଦୁଇ ଜଣଙ୍କର ଭୟ

ଦେବ ଦାନବ ଗନ୍ଧର୍ବେ କରିବେ ସେ ଜୟ ।

ହରିହର ଦେବତାଙ୍କୁ ତିଳେ ନାହିଁ ଭୀତି

ଏ ରାଜ୍ୟେ ହୋଇଲା ପୂର୍ଣ୍ଣ ଏସନକ ରୀତି ।

ମାନବ ଦୁଇ ଅଟନ୍ତି ଆମ୍ଭର ଯେ ଭକ୍ଷ୍ୟ

ଏକ ଜଣେ ମଣି ଧରି ନେଉଛି ପ୍ରତ୍ୟକ୍ଷ ।

ଡଗରେ ବାର୍ତ୍ତା କହିଲେ ରାଜା ଆଗେ ଯାଇ

ଶୁଣିମା ନା ସାବଧାନେ ଋଷିକୁଳ ସାଇଁ ।

ଚାରଗଣଙ୍କ ମୁଖର ଏସନକ ଶୁଣି

ଖଡ଼ଗ ଧରି ବୋଲନ୍ତି କୋପେ ନୃପମଣି ।

ସଙ୍କେତ ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ ବେଗେ ରାଇ

ମଣିଚୋରକୁ ତୁ ବେଗେ ବାନ୍ଧିଆଣ ଯାଇ ।

ଯୁକତେ ଅଟନ୍ତି ନରେ ଆମ୍ଭ ଭକ୍ଷ୍ୟ ବଳି

ସିଂହଦ୍ଵାରେ ଏଡ଼େ କର୍ମ କରେ କେଡ଼େ ଭଳି ।

ରାଜାର ଆଜ୍ଞା ପ୍ରମାଣେ ମନ୍ତ୍ରୀ ଚଳିଗଲେ

ଗଡ଼ ସିଂହଦ୍ଵାରେ ଯାଇ କୃଷ୍ଣଙ୍କୁ ଭେଟିଲେ ।

ଲକ୍ଷେ ପୁର କରିଣ ଯେ ବେଢ଼ିଲେ ସଇନି

ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ଶଙ୍ଖଧ୍ଵନି ।

ଭୟଙ୍କର ଭାଲୁଙ୍କର ବଳ ଅନର୍ଗଳା

ବର୍ଣ୍ଣ ଦିଶଇ ତାଙ୍କର ଅତ୍ୟନ୍ତ ଯେ କଳା ।

ମହାମେଘ ପ୍ରାୟେ ଦିଶେ ତାଙ୍କ ରୋମାବଳି

ବିକଟ ଦନ୍ତ ବୁଦ୍‌ବୁଦ୍‌ଫେନ ପାଟି ରୁଳି ।

ବଜ୍ର ଲଙ୍ଗଳ ପରାୟେ ନଖ ମୁଖା ରୁହ

ଶସ୍ତ୍ରମାନ ନ କାଟଇ ପାଷାଣ କି ଦେହ ।

କହୁଁ କହୁଁ ଋକ୍ଷବଳ ପଡ଼ୁଛନ୍ତି ମାଡ଼ି

ଗଜନ୍ତି ମହାବଳୀଏ ଯେହ୍ନେ ଘଡ଼ଘଡ଼ି ।

ଆବର ବିଶେଷେ କରେ ଶସ୍ତ୍ରଛନ୍ତି ଧରି

କୋଦଣ୍ଡ ଲାଙ୍କିଆ କାଣ୍ଡ ଖଣ୍ଡା ଆଦି କରି ।

ମନ୍ତ୍ରିବର ଆଜ୍ଞା ଦେଲେ ସବୁଲୋକେ ଚାହିଁ

ପ୍ରାଣେ ଏହାଙ୍କୁ ନ ମାରି ବାନ୍ଧି ରଖ କହି ।

ତାହା ଶୁଣି ଧାଇଁଲେ ସେ ସକଳ ସଇନି

ଜୀବନ୍ତେ ବାନ୍ଧିଣ ନେବା କରେ ରଜ୍ଜୁ ଘେନି ।

ଶୁକ ବ୍ରହ୍ମା ବୋଲେ ଶୁଣ ଆହୋ ରାଜା ଦେବ

ପାଟବଂଶୀ ବିଭା ମଣି ହରଣର ଭାବ ।

ଏମନ୍ତେ ତାହାଙ୍କ ମନ ଜାଣି ଦେବ ହରି

ଧନୁକୁ ଯେ ଆମଞ୍ଚନ୍ତି ଗୁଣ ଦେଇକରି ।

ଉଦ୍ଧବକୁ ବୋଇଲେ ମୋ ଉହାଡ଼େ ଥାଅସି

କତୁରୀ ବାଣ ଗୁଣରେ ଦେଇ ବ୍ରହ୍ମରାଶି ।

ରଜ୍ଜୁ ଘେନି ଆସୁଥିଲେ ଯେତେ ଋକ୍ଷବଳ

ଧାମନ୍ତି ସକଳେ କରେ ଧରି ଶାଳ ଶିଳ ।

ତାହାଙ୍କ ଆସିବା ଦେଖି ପ୍ରଭୁ ଜଗନ୍ନାଥ

ଦୂରହୁଁ ବାଣେ ଛେଦିଲେ ତାଙ୍କ କରପତ୍ର ।

ସହସ୍ର ସହସ୍ର କେତେ ତଦନ୍ତ ନ ଜାଣି

ନିଃଶ୍ଵାସ ମଧ୍ୟେ ସକଳ ପକାଇଲେ ହାଣି ।

ଭୟଙ୍କର ଶର ଦେଖି ପଳାଇଲେ ବୀରେ

ମନ୍ତ୍ରୀର ପଛେ ଲୁଚିଣ ରହିଲେ ସକଳେ ।

ବହୁଋକ୍ଷ ବଳଙ୍କର ଛେଦନ ହୋଇଲା

ଘାଉଆ ହୋଇଣ ଭୟେ କିଏ କେଣେ ଗଲା ।

ରକ୍ତେ କର୍ଦ୍ଦମ ହୋଇଲା ପାତାଳ ନଗରୀ

ପ୍ରଳୟ ପ୍ରାୟ ରକତ ବହେ ବସୁନ୍ଧରୀ ।

ମହାବାତରେ ଯେସନେ ଉଡ଼େ ପତ୍ରମାନ

ଅର୍ଦ୍ଧକୋଶେ ଆୟତନ ଦ୍ଵାର ବିତପନ ।

ତାଳେକ ଉତ୍ସର୍ଗ ଉଚ୍ଚ ହେଲା ମଡ଼ ବୃଷ୍ଟି

ମହା ମହା ରଥୀ ମାନେ ପଡ଼ି ମହୀଲୋଟି ।

ଧାଇଁଲା ସେ ମନ୍ତ୍ରୀବର ଦେଖି ଅତି ବେଗେ

ଶୂଳ କରେ ଘେନିଯାଇ ଉଭା କୃଷ୍ଣ ଆଗେ ।

ଦେଖୁ ଦେଖୁ ଧାଇଁ ଆସି ମାରେ ବ୍ରହ୍ମଶର

ବଞ୍ଚାଇ ଆଡ଼ ହୋଇଲେ ଦେବ ଚକ୍ରଧର ।

ଗର୍ଜିଣ ସେ ମହାଶର ଭୂମିରେ ନିକିଳି

ପାଞ୍ଚ ଯୋଜନ ଯାଏ ସେ ତଳେ ଗଲା ଗଳି ।

ପୁଣି ମନ୍ତ୍ରୀବର ଧନୁ ଏକ ଧରି କରେ

ଏକାବେଳକେ ପଞ୍ଚାଣ ବାଣ ରୋଷଭରେ ।

ମାରିଣ ପୁଣି ମାଇଲା ଅମୋଘ ଯେ ଶର

ଦେଖି ଆଡ଼ ହୋଇଗଲେ ଦେବ ଚକ୍ରଧର ।

ପୁଣି ସେ ସଙ୍କେତ ମନ୍ତ୍ରୀ ଧନୁ ଧରି କରେ

ପଞ୍ଚାଶ ବାଣ ବିନ୍ଧିଲା ତହୁଁ ରୋଷଭରେ ।

ବିନ୍ଧିଲେ ଏକ ନାରାଚ ଧରି ଦେବ ହରି

ଅର୍ଦ୍ଧ ବାଟେ ପକାଇଲେ ଦୁଇଖଣ୍ଡ କରି ।

ପୁଣ ସନ୍ଧିଲା ସଙ୍କେତ ମନ୍ତ୍ରୀ ଶତେ ବାଣ

ଲାଘବ ଶର ଛେଦିଲେ ପ୍ରଭୁ ନାରାୟଣ ।

ମନ୍ତ୍ରୀ ମନେ ବିଚାରଇ ଧନ୍ୟ ଏ ମାନବ

ମର୍ତ୍ତ୍ୟମଣ୍ଡଳେ ମହିମା ତୋର ଅସମ୍ଭବ ।

ତ୍ରେତାଯୁଗେ ହନୁମନ୍ତ ସଙ୍ଗେ ମୁହିଁ ସରି

ରାମାୟଣ ଯୁଦ୍ଧେ ଯୋଦ୍ଧାମାନେ ଗଲେ ହାରି ।

ଦ୍ଵାପରେ ତୁ କେଡ଼େ ଲୋକ ମିଳିଲୁ ମୋ ଆଗେ

କଥା ରୁହାଇଲୁ ତିନିଲୋକେ ଯୁଗେ ଯୁଗେ ।

ସମ୍ଭାଳ ସମ୍ଭାଳ ଏବେ ଅସ୍ତ୍ର ମୁହିଁ ପେଷି

ଶରଜାଳାରେ ଅଦୃଶ୍ୟ ପଥ ହିଁ ନ ଦିଶି   

ପେଶିଲେ ବାବଲ ପଞ୍ଚାବାଣ ଚକ୍ରଧର

ଦୁଇ ଦୁଇ ଖଣ୍ଡ ହୋଇ ପଡ଼ିଲେ ସେ ଶର ।

ଦେଖିଣ ସେ ମନ୍ତ୍ରୀବର କୋପେ ପରଜ୍ଜ୍ଵଳି

ବଞ୍ଚାଇ ବାଣ ସହସ୍ରେ ପେଷି ମହାବଳୀ ।

ଶାଳ ଶିଳା ପର୍ବତ ଯେ ତରୁଲତା ମାଳ

ଉଡ଼ି ଆସୁଛନ୍ତି ମନ୍ତ୍ରବଳେ ଏ ସକଳ ।

ଦେଖିଣ ଶ୍ରୀଜଗନ୍ନାଥ ପବନାସ୍ତ୍ର ପେଷି

ଉଡ଼ି ସେ ଆକାଶେ ପଥେ ପଡ଼ି ଦଶ ଦିଶି ।

ବେଳୁଁ ବେଳ ମନ୍ତ୍ରୀ ବାଣ ହୋଇ କୋପାନଳ

କାଳାନ୍ତର ଶର ଯେହ୍ନେ ପ୍ରଚଣ୍ଡ ଅନଳ ।

ତେସନେ ବାଣ ଘୋଟିଲା ଆସି ଚଉକତି

ଅଦୃଶ୍ୟ ଯେ ଦଶଦିଗ ମେଘେ ମିତ୍ର ଜ୍ୟୋତି ।

ପୂର୍ବେ ଏ ଶର ପାର୍ବତୀ ଦେବି ତହିଁ ଥିଲା

କପିଳାସ କନ୍ଦରେ ତା ନନ୍ଦୀ ଯେ ପାଇଲା ।

ସେ ବାଣ ଆଣି ସନ୍ଧାନ କଲା ଏତେକାଳେ

ଧାଇଁ ସେହି ମହାଶର ମିଳି କୃଷ୍ଣ ତୁଲେ ।

ଶ୍ରୀକୃଷ୍ଣେ ପେଷିଲେ ମନ୍ତ୍ରୀ ମହାରୁଦ୍ର ଶର

କହୁଁ କହୁଁ ଘୋଟିଲା ସେ ଆସି ଧାତିକାର ।

ସୁଦର୍ଶନ ଚକ୍ରକୁ ସେ ବୋଇଲେ ଗୋସାଇଁ

ଅନିର୍ବାର ରୁଦ୍ରଶକ୍ତି ନିବାର ତୁ ଯାଇ ।

ଆଜ୍ଞା ପ୍ରମାଣେ ଚଳିଲା ଚକ୍ର ଅତି ବେଗେ

ଦୁହେଁ ଏକା ହୋଇ ତହୁଁ ଗଲେ ଅନୁରାଗେ ।

ଦେଖିଣ ସଙ୍କେତ ମନ୍ତ୍ରୀ ମନ ଛନ ଛନ

ଆପଣାର ମନ ମଧ୍ୟେ ବିଚାରେ ଏସନ ।

ମାନବ ନୁହଇ ଏହୁ ପ୍ରତ୍ୟକ୍ଷେ ଦେବତା

ଲାଗିଲା ତ ଅଗୋଚର ପ୍ରାୟେ ଏହି କଥା ।

ରୁଦ୍ର ଶକତି ବଞ୍ଚାଇ ଈଷତ ମାର୍ଗରେ

ଶସ୍ତ୍ରମାନ କାଟିବ କି ଏହାଙ୍କ ଅଙ୍ଗରେ ।

ଏତେକ ବିଚାରି ମନ୍ତ୍ରୀ ଅପଶରି ଗଲା

ଜାମ୍ବବ ଛାମୁରେ ଯାଇ ସର୍ବ ଜଣାଇଲା ।

ଶୁଣି କୋପଭର ହେଲା ଜାମ୍ବବ ନୃପତି

ବୋଇଲା ଜିଣି ପାରଇ ମୋତେ ଶିରୀପତି ।

ପାତ୍ର ମନ୍ତ୍ରୀ ପୁରୋହିତ ସୈନ୍ୟ ଯେ ଯାହାର

ଅଙ୍ଗ ବଳ ଘେନି ରାଜା ହୋଇଲା ବାହାର ।

କିଳିକିଳା ରେରେକାର ଭୟଙ୍କର ଧ୍ଵନି

ପାଦଭରେ କମ୍ପୁଅଛି ପୃଥ୍ଵୀ ଖଣ୍ଡ ତିନି ।

ବତିଶ ସହସ୍ର ତାର ନାତି ପଣନାତି

ସମଦଣ୍ଡ ଘେନିକରି ଧାଇଁଲା ନୃପତି ।

ଉଦ୍ଦଣ୍ଡ ଧବଳ ଛତ୍ର ଏକ ଲକ୍ଷ ମାଥେ

ପ୍ରଚଣ୍ଡ ଖଡ଼ଗ ରାଜା ଧରିଅଛି ହାତେ ।

ସକଳ ସଇନି ପଛେ ଅଛନ୍ତି ଗୋଡ଼ାଇ

ଶ୍ରୀକୃଷ୍ଣ ଛାମୁରେ ଯାଇ ମିଳି ଶୀଘ୍ର ହୋଇ ।

ଖଣ୍ଡେ ଦୂରୁ ଦେଖିଣ ସେ ହୋଇ କୋପଭର

ବୋଇଲେ ଚୋରରେ ଏଡ଼େ ଭରସା ତୋହର ।

ସିଂହର ଦ୍ଵାରେ ଶୃଗାଳ ପଶି କରୁ ଡକା

ଆବର ଧ୍ଵଂସିଲୁ ମୋର ବନ୍ଧୁବର୍ଗ ସଖା ।

ଏ ମୋର ମହିମା କି ରେ ଶୁଣିଲା ତୋ ନାହିଁ

ଆବର କି ପ୍ରାଣ ଘେନି ଯିବୁ ଆଜ କାହିଁ ।

କୃତାନ୍ତକ ଦେବତାରେ ପୋଛିଲା ତୋ ପାଞ୍ଜି

ବିଷ୍ଣୁ ବିନା କେହି ତୋତେ ନ ରଖିବେ ଆଜି ।

ଏତେ ବୋଲି ପ୍ରହାରିଲା ଖଡ଼୍‌ଗ ବହି ରାଗ

ଦେଖି ମହାବାହୁ ତାହିଁ ଢାଳିଲେ ଶ୍ରୀଅଙ୍ଗ ।

ବଜ୍ରାଘାତ ଜାଣି ଭୂମିପରେ ପଡ଼ି ବେଗି

ଖଡ଼ଗ ବିଅର୍ଥ ହେବା ଦେଖି ରାଜା ଭାଙ୍ଗି ।

ଲୁହାର ଯେ ଧନୁ ଏକ ଧଇଲା ନୃପତି

ଗୁଣ ଚଢ଼ାଇ ଝିଙ୍କାରି ଅଇଲା ଝଟତି ।

ସେ ଧନୁ ଗୋଟିକ ପୁଣ ଧରି ବାମକରେ

ସହସ୍ର ନାରାଚ ଯୋଚି ଦକ୍ଷିଣ ହସ୍ତରେ ।

କର୍ଣ୍ଣମୂଳ ଯାଏ ଆଣି ବେଗେ ଦେଲା ଛାଡ଼ି

ଗର୍ଜିଣ ନାରାଚମାନେ ଆସୁଛନ୍ତି ଉଡ଼ି ।

ପେଷିଲେ ଯେ ଅଧାଚନ୍ଦ୍ର ବାଣ ନାରାୟଣ

ଶତେ ଖଣ୍ଡ କରି କାଟ ପକାଇଲେ ବାଣ ।

ପୁଣ ଶତେ ବାଣ ଗୁଣ ବସାଇ ଜାମ୍ବବ

ହୁକାର କରି ମାରଇ ଅତି ଅସମ୍ଭବ ।

କଙ୍କପକ୍ଷ ତୀକ୍ଷ୍‌ଣମୁନା ବେନି ଶର ଘେନି

କହିଲା ମାତ୍ରେ ପେଷିଲେ ପ୍ରଚଣ୍ଡ ବହନି ।

ଶବ୍ଦ କରନ୍ତେ କତୁରୀ ଶତସସ୍ର ବାଣ

ଧନୁର୍ବେଦ ସୁମରିଣ ପେଷି ନାରାୟଣ ।

ବେନିଶର କାଟି ଶୂନ୍ୟେ ଖଣ୍ଡ ଖଣ୍ଡ କଲେ

ଶର ବେନିର ବିଅର୍ଥ ହେବାର ଦେଖିଲେ ।

ତ୍ରେତାଯୁଗେ ମଲ୍ଲ ସେହି ଜାମ୍ବବାନ ମନ୍ତ୍ରୀ

ବ୍ରହ୍ମା ଇନ୍ଦ୍ର ଶିବଙ୍କୁ ତ ନାହିଁ ତାର ଭୀତି ।

ପୂର୍ବେ ରାମଚନ୍ଦ୍ର ତାକୁ ଦେଇଛନ୍ତି ବର

କଳ୍ପ କଳ୍ପାନ୍ତରେ ହୋଇଥିବେ ସେ ଅମର ।

ପୁତ୍ର ପଉତ୍ର କୁଟୁମ୍ବ ଆଦି ପଣନାତି

ସ୍ଵର୍ଗ ମଞ୍ଚ ପାତାଳରେ ହେବ ମହାକ୍ଷତ୍ରୀ ।

ଗତ ଆଗତ ମାନ ସେ ଜାଣଇ ସକଳ

ଅନେକ କାଳର ବୃଦ୍ଧ ସେହି ମହାମଲ୍ଲ ।

ସର୍ବଗୁଣେ କୁଶଳ ସେ ମନ୍ତ୍ରୀ ବୁଦ୍ଧିମନ୍ତ

ସ୍ଵର୍ଣ୍ଣପୁର ଲଙ୍କା ହେଲା ଯାହାରେ ଧୂମାନ୍ତ ।

ଅକଳିତ ବାରିଧିରେ ରାବଣର ଯୁଦ୍ଧ

ଅମର କଟକ ଯାହା ବୁଦ୍ଧିବଳେ ସାଧ୍ୟ ।

ମହାନ୍ତ ପୁସ୍ତକ ପୁଣି ମନ୍ତ୍ର ସଞ୍ଜିବନୀ

ଏକା ବାଣକରେ ଜିଣି ପାରଇ ମେଦିନୀ ।

ବେଳୁଁ ବେଳ ଋକ୍ଷରାଜ ହେଲା କୋପଭର

ଚକ୍ଷୁ ପିଛାଡ଼ିବା ମାତ୍ରେ ବିନ୍ଧେ ବହୁଶର ।

ଆକାଶ ମାର୍ଗେ ଚଳିଲେ ବାଣମାନ ଘୋଟି

କନ୍ଦର ଜଳ ଯେସନେ ଆସଇ ଲେଉଟି ।

ରଟମଟ ରଣଝଣ ଶବ୍ଦ ଚଉକତି

ଗଗନ ମାର୍ଗରେ ବାଣମାନ ଝଟକନ୍ତି ।

ଯେସନେ ଶ୍ରାବଣ ମାସେ ପଡ଼େ ଜଳାଧାର

କୋଟି କୋଟି ଲକ୍ଷ ଲକ୍ଷ ପଡ଼ୁଅଛି ଶର ।

ବାଣକୁ ବାଣ ସେ ବିନ୍ଧି ଶତଗୁଣ କରି

ବିନ୍ଧନ୍ତେ ରାଜାର ଶର ନ ଆସଇ ଫେରି ।

ଦୁଇବାଣଙ୍କର ମଧ୍ୟେ ହେଲା ଭେଟା ଭେଟି

ଘୋର ବିକରାଳ ଶବ୍ଦ ଶୁଭେ ବଜ୍ରଘୋଟି ।

ଅନଳ ଜ୍ଵାଳାବଳି ଯେ ଶବଦ ପ୍ରଚଣ୍ଡ

କମ୍ପିଲା ସପ୍ତ ବ୍ରହ୍ମାଣ୍ଡ ପୃଥ୍ଵୀ ନବଖଣ୍ଡ ।

ଦେଖିଣ ଜାମ୍ବବ ରାଜା ସ୍ତମ୍ଭୀଭୂତ ହେଲା

ଧନ୍ୟରେ ମାନବା ବୋଲି ପ୍ରଶଂସା ସେ କଲା ।

ମୋହର ଛାମୁରେ ତୁ ଯେ ରହି କରୁ ରଣ

ସାମାନ୍ୟ ମାନବ ନୋହୁ ଅଟୁ ବଡ଼ ଜଣ ।

ଏତେ ବୋଲି ଧନୁରେ ସେ ବସାଇଲା ଶର

ରେରେକାର କରି ପୁଣି ବିନ୍ଧି ଧାତିକାର ।

ଚଳିଲା ବ୍ରହ୍ମ ଶକତି କହିବାର ବ୍ୟଗ୍ରେ

କହୁଁ କହୁଁ ମିଳିଲା ସେ ଗୋବିନ୍ଦର ଆଗେ ।

ତହିଁକି ପେଷିଲା ରୁଦ୍ରଶକ୍ତି ବନମାଳୀ

ବାଣେ ବାଣ ବାଜି ଦୁଇବାଣ ଗଲେ ଜଳି ।

ମହାଘୋର ଶବଦ ଯେ ଉଲ୍‌କାପାତ ତୁଲେ

ହୁତାଶନ ଜଳଇ କି ଗଗନ ମଣ୍ଡଳେ ।

ପୁଣି ଜାମ୍ବବ ପନ୍ନଗାଶର ଏକ ପେଷି

ଗରୂଡ଼ାଶର ତା ନିବାରିଲେ ବ୍ରହ୍ମରାଶି ।

ବେଗରେ ପର୍ବତାଶର ପେଷିଲେ ଜାମ୍ବବ

ବଜ୍ରଶରେ ନିବାରିଲେ ତାହା ବାସୁଦେବ ।

ପୁଣି ଜାମ୍ବବ ପେଷିଲା ମେଘାଶର ଧରି

ପବନାଶରେ ତା ନିବାରିଲେ ଦଇତ୍ୟାରି ।

ପେଷିଲେ ଅନଳ ବାଣ ପୁଣ ଋକ୍ଷପତି

ଜଳଧାରା ବାଣେ ନିବାରିଲେ ଯଦୁପତି ।

ବେଳକୁବେଳ ଜାମ୍ବବ ହୋଇ କୋପଭର

ସୈନ୍ୟଙ୍କୁ ଆଜ୍ଞାଦେଲେ ସେ ବେଢ଼ି ବେଗେ ମାର ।

ରାଜାର ଆଜ୍ଞାରେ ଧାଇଁଗଲେ ଋକ୍ଷବଳ

ନାନାଦି ଶସ୍ତ୍ର ମାରନ୍ତି ବେଢଞି ହୋଇ ଠୁଳ ।

ଛେଲ ଚକ୍ର ନାରାଚ ଯେ ତୀକ୍ଷ୍‌ଣମୁନା ଯାଠି

ଲାଙ୍କିଆ ଶାବେଳି କୁନ୍ତ ତୀର କୋଟି କୋଟି ।

ଗୁରୁଜ କୋଦଣ୍ଡ ଅସିପତ୍ର କାଣ୍ଡ ଖଣ୍ଡା

ବୃକ୍ଷ ଉପାଡ଼ି ଧାମନ୍ତି ଭାଲୁଏ ପ୍ରଚଣ୍ଡା ।

କେ ଶିଳା ଧରି ଧାମନ୍ତି ହୋଇ କୋପମୂର୍ତ୍ତି

କୃତାନ୍ତ ଦେବତା ପ୍ରାୟ ବିରାଜଇ ଜ୍ୟୋତି ।

ଦୀର୍ଘନଖ ଦଶନର ରଟମଟ ଶବ୍ଦ

ଖଡ଼ଗ ଧ୍ଵନି ଆବର ମୁଖରାବ ନାଦ ।

କଳାମେଘ ପ୍ରାୟେ ଦିଶେ ସର୍ବାଙ୍ଗ ଯେ କଳା

କେ ଶଙ୍ଖଗୋକ୍ଷୀର ପ୍ରାୟ କେହି କଳା ଧଳା ।

ଲକ୍ଷ କି କୋଟି ଅର୍ବୁଦ ତଦନ୍ତ ନ ଜାଣି

ଦେଖି ଉଦ୍ଧବ କହଇ ଶୁଣ ଚକ୍ରପାଣି ।

ଉଦ୍ଧବ ବୋଲଇ ତୁମ୍ଭେ ଶୁଣ ଦେବ ହରି

ଅସମ୍ଭବ ହେଲା ଚାଲ ଯିବା ଅପସରି ।

କେଶରୀ ଶାର୍ଦ୍ଦୂଳ ହସ୍ତୀ ବରାହଙ୍କ ମେଳ

ମାନବଙ୍କ ବଇରୀ ସେ ଅଟନ୍ତି ସକଳ ।

ବେଭାରେ ବନସ୍ତ ଜନ୍ତୁ ଦନ୍ତୟାଙ୍କ ବିଷ

ଏହାଙ୍କ ସଙ୍ଗେ ବିବାଦ ପ୍ରୟୋଜନ କିସ ।

ପୋଡ଼ୁ ପୋଡ଼ୁ ସ୍ୟମନ୍ତକ ମଣି କାର୍ଯ୍ୟ ନାହିଁ

ସର୍ବ ଯାଦବ ଘେନିଣ ଆସିବା ନା ବାହି ।

ଜଗନ୍ନାଥ ବୋଇଲେ ଏ ନୁହଇ ଉଚିତ

କାର୍ଯ୍ୟ କାରଣ ନୋହିବ ହୋଇବା ନିସତ ।

ଯାଦବ ସଭାରେ ଯାଇ ଚାହିଁବା କା ମୁଖ

ଅପବାଦ ଶବଦଟି ମରଣହୁଁ ଦୁଃଖ ।

ଏତେ ବୋଲିଣ ଧନୁରେ ସନ୍ଧି ଶତେ ବାଣ

କର୍ଣ୍ଣମୂଳ ପରିଯନ୍ତେ ଓଟାରି ତକ୍ଷଣ ।

ବିନ୍ଧନ୍ତେ ଋକ୍ଷଙ୍କ ଶିରେ ଧାତିକାରେ ପଡ଼ି

ଯେସନେ ବୃକ୍ଷରୁ ପକ୍ଵଫଳ ପଡ଼େ ଝଡ଼ି ।

ଦଶ ବିଂଶ ବାଣ ଯାଇ ଏକାବେଳେ ପଡ଼ି

ତାଳଫଳ ପ୍ରାୟେ ଶିର ପଡ଼େ ତଳେ ଛିଡ଼ି ।

ବହିଲା ରକତ ନଦୀ ରାଜ ସିହଂଦ୍ୱାରେ

ଏକତାଳ ଉଚ୍ଚ ବେନିତାଳ ଯେ ଓସାରେ ।

ଚଳାଚଳ ପ୍ରାୟେ ସୈନ୍ୟମାନେ ଛିଡ଼ିପଡ଼ି

କହନ୍ତି ଉଦ୍ଧବ କୃଷ୍ଣଙ୍କର ଆଗ ବଢ଼ି ।

ପାରୁଶେ ବେଢ଼ିଅଛନ୍ତି ଦେଖ ଋଷ ସୈନି

ଅପ୍ରମିତ କଳନା ତ ନାହିଁ ତାର ପୁଣି ।

ବହୁତ ଶର ପେଷିଲେ ତହିଁ ଦେବହରି

ଅନେକ ସୈନ୍ୟ ମାଇଲେ ନିଶୋଧନ କରି ।

ବତିଶ ସହସ୍ର ପୁତ୍ର ନାତି ପଣନାତି

ସମସ୍ତଙ୍କୁ କୃଷ୍ଣଚନ୍ଦ୍ର ମାଇଲେ ବିକୋତି ।

ଭୟପାଇ ଭାଲୁବଳ ପଳାଇଲେ ଭାଜି

କେଶବାସ ଅସମ୍ଭାଳ ରୋଷେ ଗଳଗାଜି ।

କର ଚରଣ ନାସିକା ଛିଡ଼ିଲାକ ଅଙ୍ଗ

କଟି ଭଗ୍ନହୋଇ କେହି କାର ଜାନୁଭଙ୍ଗ ।

ଏମନ୍ତ ସୈନ୍ୟ ପଡ଼ିଲେ କୃଷ୍ଣ ବାଣଘାତେ

ପ୍ରଚଣ୍ଡ ପବନ ଯେହ୍ନେ ରମ୍ଭାବନ ପାତେ ।

ମହାଭୟ ପାଇ ତହୁଁ ପଳାଇ ସଇନି

ବୋଇଲେ ବିଷମ ଶର ମାରନତି ଏ ବେନି ।

ନିକଟେ ଚାହିଁ ତାହାଙ୍କୁ ଜାମ୍ବବ ନୃପତି

କୋପାନଳ ହୋଇ ଧାଇଁ ଆସେ ଶୀଘ୍ରଗତି ।

ରହ ରହ ବୋଲି ସୈନ୍ୟ ଓଗାଳିଲେ ଆଗେ

ଐରାବତ ରହିଲା କି ମେରୁ ଗିରି ଲାଗେ ।

ତେସନ ସୈନ୍ୟ ରହନ୍ତେ କହେ ନୃପବର

କ୍ଷତି ବୃତ୍ତି ଛାଡ଼ି କିପାଁ ଅଧାଯୁଦ୍ଧ କର ।

ଚୋର ହୋଇଣ ଏହାର ଏଡ଼େକ ଭରସା

ଶୁତିଲା ସିଂହକୁ ଆସି ଖଣ୍ଡି ଆଳି ଶଶା ।

ମୋ ଆଗେ ପଡ଼ିଅଛୁ ତୁ ଯିବୁ ଆଜ କାହିଁ

ନିଶ୍ଚେଁ ପାଞ୍ଜି ପୋଛିଲାଣି ତୋର ଜନ୍ତୁସାଇଁ ।

ଏ ମୋହର ସିଂହଦ୍ଵାରେ ଏଡ଼େକ ତୋ ଡକା

ଅଶ୍ଵଗଜ ପଦାତି ତୋ ନାହିଁ କେହି ସଖା ।

ଏକା ଜଣକେ ଏଡ଼େକ କଟାଳ ତୁ କଲୁ

ଇଷ୍ଟବନ୍ଧୁ କୁଟୁମ୍ବ ମୋ ସୋଦର ମାଇଲୁ ।

ସତେ କି ସୈନ୍ୟ ମୋହର ମଲେ ତୋର ବାଣ

ଅଜ୍ରାମର ତ୍ରିଜୀବୀ ଏ ଜାଣେ ଜଣେ ଜଣେ ।

ଏହିକ୍ଷଣି ସମସ୍ତେ ଏ ବର୍ତ୍ତିବେ ଲେଉଟି

ଅବଶ୍ୟ ତୋ ଶିର ଗୋଟା ପକାଇବେ କାଟି ।

ଶ୍ରୀରାମର ମନ୍ତ୍ରୀ ମୁହିଁ ତ୍ରୈଲୋକ୍ୟ ପ୍ରସିଦ୍ଧି

ବଞ୍ଚାଇ ପାରିବି ଜାଣ ଅଛି ମୋର ବୁଦ୍ଧି ।

ମହାମନ୍ତ୍ର ପୋଥିଗୋଟା ମୋର ଅଛି ତହିଁ

ପୁସ୍ତକ ପ୍ରସାଦେ ମୋର ଜନ୍ମ ମୃତ୍ୟୁ ନାହିଁ  

ଯେତେବେଳେ ଲକ୍ଷ୍ମଣର ହେଲା ଶକ୍ତିଭେଦ

ଶଙ୍କା କରିଣ ବସିଲେ ପ୍ରଭୁ ରାମଚନ୍ଦ୍ର ।

ପୁସ୍ତକ ଫେଡ଼ି କହିଲି ମୁହିଁ ଦୃଢ଼ବାଣୀ

ବଞ୍ଚିଲେ ହନୁ ଆଣିଲା ବିଶଲ୍ୟକରଣୀ ।

ଦଧିଚି ମହର୍ଷି ଇନ୍ଦ୍ର ଆଗେ ସତ୍ୟ କଲେ

ଶରୀରୁ ଷୋଳଡମ୍ବରୁ କାଡ଼ି ପୁଣି ଦେଲେ ।

ଏ ପୁସ୍ତକ କାଢ଼ି ମୁହିଁ କଲି ମନ୍ତ୍ରଧ୍ଵନି

ପୁନରପି ଦେହ ଘେନି ବର୍ତ୍ତି ମହାମୁନି ।

ପଉଲସ୍ତ୍ୟ ଶାପେ ଜାଣ ବିଶ୍ଵେଦେବା ମଲେ

ଏ ପୁସ୍ତକ ପ୍ରସାଦେ ସେ ଶରୀର ପାଇଲେ ।

ଇନ୍ଦ୍ରଙ୍କ ଦେହରେ ହେଲା ସହସ୍ରେକ ଯୋନି

ସେହି ବ୍ୟାଧି ନାଶ କଲି ଏ ପୁସ୍ତକ ଘେନି ।

ଏହି ମନ୍ତ୍ର ପୋଥିକି ମୁଁ କରନ୍ତେ ପ୍ରକାଶ

ଗଳିତ କୁଷ୍ଠ ଯମର ଦେହୁ ଗଲା ନାଶ ।

ଯମ ଦେବତାର ଦନ୍ତ ହୋଇଲା ବିକଟ

ଅଗ୍ନି ଦେବତାର ବଢ଼ି ଯାଇଥିଲା ପେଟ ।

ଏ ପୁସ୍ତକ ଚାହିଁ ମନ୍ତ୍ର ପଢ଼ି କଲି ଭଲ

ମୁଣ୍ଡ କାଟନ୍ତେ ନ ମଲା ଦଶାନନ ମଲ୍ଲ ।

ଏ ପୁସ୍ତକ ଚାହିଁ ମୁହିଁ କହିଲି ଏ କଥା

ନାଭି କମଳରେ ଜୀବ ଅଛି ଦଶମଥା ।

ତା ଶୁଣି ଦ୍ଵାଦଶ ବାଣ ରାମ ପୁଣ ଧରି

ଛେଦିଲେ ନାଭିକମଳ ମଲା ଦଶଶିରୀ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ମନ୍ତ୍ର ମଉଷଧି

ବିଚାର ବିଧାତା ପୂର୍ବେ ବିହିଲା ଏ ବିଧି ।

ଦେଖ ଏ ପୁସ୍ତକ ବୋଲି ବାଣେ ଦେଲା ଛାଡ଼ି

ଜଳଧାରା ବାଣେ ମୃତ ସଞ୍ଜୀବନୀ ପଢ଼ି ।

ଅକଳିତ ବଳ ତହିଁ ଯେତେ ମରିଥିଲେ

ଲେଉଟି ସେ ଶସ୍ତ୍ର ଧରି ସମରେ ପଶିଲେ ।

ଜଗନ୍ନାଥ ବୋଇଲେକ ବଡ଼ ଅସମ୍ଭବ

ତ୍ରେତା ଯୁଗରେ ଚରିତ ଦ୍ଵାପରେ ଦୁର୍ଲ୍ଲଭ ।

ଏତେ ବୋଲି ଧଇଲେ ସେ ଧନୁ ଆଣ୍ଟକରି

ମାଇଲେ ସେ କୋପଭରେ ବାଣ ଆର୍ଦ୍ରାବଳି ।

ଦୁଇଖଣ୍ଡ କରି ତାହା ପକାଇଲା କାଟି

ଶ୍ରୀହରିର ଶ୍ରୀହସ୍ତେ ସେ ଲାଗଇ ପାଲଟି ।

ପ୍ରାଣ ଛାଡ଼ି ପଡ଼ିଲେ ସେ ପୁଣି ମହୀଲୋଟି

ଜାମ୍ବବ ମନ୍ତ୍ରୀର ମନ୍ତ୍ର ଜୀଇଁଲେ ଲେଉଟି ।

ତିନିବାର ପକାଇଲେ ହରି ତାଙ୍କୁ କାଟି

ମନ୍ତର ବଳେ ଜୀବନ ପାଇଲେ ଲେଉଟି ।

ବାହୁଡ଼ି ଘୋର ସମର କଲେ ଋକ୍ଷ ଯୋଧି

ଧନ୍ୟ ସେ ଶ୍ରୀରାମ ମନ୍ତ୍ରୀ ଧନ୍ୟ ତା ମୌଷଧି ।

ଛେଦି ପକାଇଲେ ଶତେବଳ ତାଙ୍କ ଶିର

ଜାମ୍ବବ ମନ୍ତ୍ରୀ ଜୀଆଇଁ ଦେଲେ ଶତେବାର ।

ଜାମ୍ବବ କାଟିଲା ସାତବାର ଶାର୍ଙ୍ଗଧନୁ ।

ଘୋର ସଂଗ୍ରାମ ଦେଖିଣ କମ୍ପେ ଶତଧନୁ  

ଅକ୍ଷୟ ଅଜରାମର ସେ ଧନୁ ତ୍ରିଜୀବୀ

ଅଦୃଶ୍ୟ ଅତୁଟ କଳେ କାଳ ଅପ୍ରାଭବୀ ।

କୋଟିବାର ଛେଦିଲେ ସେ ହୁଏ ଦୁଇଖଣ୍ଡ

ହସ୍ତ ଲାଗନ୍ତେ ହୁଅଇ ପୁଣି ଏକରୁଣ୍ଡ ।

ବିଶ୍ଵକର୍ମା ଗଢ଼ିଣ ସେ ଧନୁହୁଳ ଗୁଣ

ସର୍ବଜୟ ଧନୁଗୋଟି ଧରେ ନାନା ବର୍ଣ୍ଣ ।

ଶତବାର ପରିଯନ୍ତେ ଜାମ୍ବବ ତା କାଟି

ଶ୍ରୀହରିର ଶ୍ରୀହସ୍ତେ ସେ ଲଗାଇ ପାଲଟି ।

ଅଗୋଚର ସଂଗ୍ରାମ ସେ ନୁହଇ ଗୋଚର

ଦେଖଇ ଆଶ୍ଚର୍ଯ୍ୟ ହୋଇଲେ ଦେବ ଚକ୍ରଧର ।

ତାହା ଦେଖିଣ ଉଦ୍ଧବ ହୋଇଲା କାତର

ନିଃଶଙ୍କେ ଶ୍ରୀକୃଷ୍ଣ ପଛେ ରହେ ଧାତିକାର ।

ଶ୍ରୀଜଗନ୍ନାଥ ପ୍ରସାଦେ ତାର ନାହିଁ ଭୀତି

ନିଃଶଙ୍କେ ଉଦ୍ଧବ ଅଛି କୃଷ୍ଣ ପଛକତି ।

ବହିଲା ରକତନଦୀ ପାତାଳ ବୈକୁଣ୍ଠ

ଲହରୀ ଉଠେ ବିବର ଦ୍ଵାର ସନ୍ନିକଟ ।

ଚଉଦ ଦିବସ ଯାଏ ଲାଗିଲା ଆରେଣି

ଏକକୁ ଆରେକ କେହି ନ ପାରିଲେ ଜିଣି ।

ଶସ୍ତ୍ର ଦେହେ ଶସ୍ତ୍ର ବାଜି ହୁଏ ପରିତାଳ

ବଞ୍ଚନ୍ତି ଜାମ୍ବବ ପରସାଦେ ଋକ୍ଷବଳ ।

ଶିର ଛେଦନ୍ତେ ରୁଧିର କେତେ ବହିଗଲା

ପୁରି ତହିଁରେ ରୁଧିର ପଡ଼ଇ ସେ ଭଲା ।

ଶ୍ରାବଣ ମାସେ ଉଲ୍ଲୋଳ ହୋଇ ବହେ ନଦୀ

ପାତାଳୁଁ ଶୂନ୍ୟ ମଣ୍ଡଳ ଯାଏ ଅଛି ଭେଦି ।

ଶୁଣ ପରୀକ୍ଷ ରାଜନ ଶୁକମୁନି ଭଣି

ଇତି ଶିରୀ ହରିଂବଶ ପୁରାଣର ବାଣୀ ।

ପଢ଼ି ଶୁଣ ସାଧୁଜନେ ଭବୁଁ ହୁଅ ପାର

ଅଚ୍ୟୁତ କହଇ ଦୋଷ ନ ଘେନି ମୋହର ।

 

ଦ୍ଵାରକାରେ କୃଷ୍ଣରୂପୀ କୁଶ ପୁତ୍ତଳିକାର ଦହନ

 

ଏଥିଅନ୍ତେ ମନଦେଇ ଶୁଣ ପରୀକ୍ଷିତ

କୃଷ୍ଣ ଜାମ୍ବବାନ ଯୁଦ୍ଧ ହେଲା ଅଲୋକିତ ।

ମରନ୍ତି ଉପାୟେ ପୁଣି ଜୀଇଁ ଋକ୍ଷଥାଟ

ରୁଧିର ଉଛୁଳି ପଡ଼େ ଗର୍ତ୍ତଦ୍ଵାର ବାଟ ।

ସାତ୍ୟତି ଅକ୍ରୁର ଅନାଧୃଷ୍ଟ ତହିଁ ଥିଲେ

ବିବର ଦ୍ଵାରେ ଚଉଦ ଦିବସ ରହିଲେ ।

ବୋଇଲେ ତିନି ଦିବସ କଣ୍ଟ କଲେ ହରି

ଲେଖନ୍ତେ ଚଉଦ ଦିନ ଆଜକୁ ଯେ ସରି ।

ଭଲମନ୍ଦ ନ ପାରିଲୁ ଜାଣି ତଥ୍ୟ କଥା

ଏତେଦିନ ଯାଏ ଆମ୍ଭେ ନ ପାଇ ବାରତା ।

ବଚନକୁ ପ୍ରତିଆଶା କରି ଏତେ ଦିନ

ନ ପାଇଲୁ ବାରତା ନ ଦେଖି ବର୍ଣ୍ଣଚିହ୍ନ ।

ଏବେ ଦେଖିଲୁ ତ ଯାହା ବିପରୀତ କଥା

ବାରତା ନ ପାଇଲୁ ତ କିପରି ଅବସ୍ଥା ।

ବିବର ଦ୍ଵାରେ ଦେଖିଲୁ ଶୋଣିତର ଧାର

ବିବର ଦ୍ଵାରେ ଲହରୀ ବୁଦ୍‌ବୁଦ ଅପାର ।

ଅମଙ୍ଗଳ କଥା କହିବାକୁ ଅଗୋଚର

ଏହା ଦେଖିଣ ନୋହିବ କେ ଅବା କାତର ।

ସତ୍ୟବାଦୀ ପୁରୁଷ ସେ ପ୍ରଭୁ ନାରାୟଣ

ମଣିର ନିମନ୍ତେ ଆସି ହରାଇଲେ ପ୍ରାଣ ।

ଆବର ଚାହିଁବା ଆମ୍ଭେ କାହା ମୁଖ ଯାଇ

ଅନଳେ ଝାସିବେ ନିଶ୍ଚେଁ ମରି ବିଷ ଖାଇ ।

ଜଗନ୍ନାଥ ପ୍ରଭୁ ଗଲେ ଅଖଡ଼େ ବିନାଶ

କାହାକୁ ବୋଲିବା ଏହା ଆମ୍ଭ କର୍ମଦୋଷ ।

ଉଦ୍ଧବହିଁ ନାଶଗଲା ତାଙ୍କ ସଙ୍ଗେ ରହି

ଆମ୍ଭେମାନେ ସଙ୍ଗତରେ ନ ଗଲୁ କିପାଇଁ ।

ନାରାୟଣ ସଙ୍ଗେ ମଲେ ହୁଅନ୍ତେ ମୁକତ

ଖଣ୍ଡନ୍ତେ ଅଶେଷ ଜନମର ଦୁଷୁକୃତ ।

ଆହା କୃଷ୍ଣ ବୋଲି ଉଚ୍ଚେ ରୋଦନ ସେ କଲେ

ରୁଧିର ଧାରା ସନ୍ନିଧେ ବେଗେ ଚଳିଗଲେ ।

ଦେଖିଲ ରୁଧିର ନଦୀ ଦିଶେ ରଙ୍ଗମୟେ

କୁଳ ନ ଦିଶଇ ସୃଷ୍ଟି ପ୍ରସାରଣ ଯାଏ ।

ତା ଦେଖି ଅଧିକେ ଉଚ୍ଚସ୍ଵରେ ଶୋକ କରି

ଭେଳା ବୁଡ଼ାଇ ଆମ୍ଭର ଗଲେ ନରହରି ।

ମହୀଚର ଆଦିକରି ଛନ୍ତି ଯେତେ ଜୀବ

ଆବର ଦେହରେ କାହୁଁ ଏତେ ରକ୍ତ ହେବ ।

ଅଶେଷ କୋଟି ବ୍ରହ୍ମାଣ୍ଡ ଯାହା ଗର୍ଭଗତ

ଲୁଚଇ ଯାହାର ଲୋମମୂଳେ ସିନ୍ଧୁ ସାତ ।

ତାହାଙ୍କ ବ୍ୟତିରେକେ କି ଆନ ନାଶଗଲା

ନୋହିଲେ ଏତେ ରୁଧିର ଉଲ୍ଲୋଳ ହୋଇଲା ।

ଏତେ ବୋଲି ତିନିଜଣେ ଉଚ୍ଚେ ଶୋକକରି

ଭେଳା ବୁଡ଼ାଇ ଆମ୍ଭର ଗଲ ନରହରି ।

ପୁଣି ବିଚାରନ୍ତେ ଏଥେ କି କରିବା ଥାଇ

ଦ୍ଵାରକା ଭୁବନେ ଚାଲ ବାର୍ତ୍ତା ଦେବା ନେଇ ।

ଶକ୍ରାଜିତ କହିବାରେ ହେଲା ଏଡ଼େ କର୍ମ

ନାଶଗଲା ଦ୍ଵାରକାର ସଞ୍ଚିତ ଧରମ ।

ବସୁଦେବ ଉଗ୍ରସେନ କି ବୋଲିବେ ଶୁଣି

ଆବର ଶୁଣି କି ଦେହ ଧରିବେ ରୁକ୍ମଣୀ ।

ଅଚଳାଚଳ ସମ୍ପଦ ଦ୍ଵାରକାରେ ଅଛି

ଆହା ଜଗନ୍ନାଥ ଗଲ ଆମ୍ଭଙ୍କୁ ହିଁ ମୂର୍ଚ୍ଛି ।

ପରଦୁଃଖେ ଦୁଃଖୀହୋଇ ବ୍ୟାକୁଳେ ସେ ବୀରେ

ତଦନ୍ତ ବାରତା ଘେନି ଦ୍ଵାରବତୀ ପୁରେ ।

ପାଦୁକା ମନ୍ତ୍ରର ବଳେ ଚଳିଲେ ବହନ

ଦ୍ଵାରକାପୁରେ ପ୍ରବେଶ ହେଲେ ତିନିଜଣ ।

ସମସ୍ତ ଯାଦବେ ମିଳି ବସିଛନ୍ତି ଯହିଁ

ସାତ୍ୟକି ଅକ୍ରୁର ଅନାଧୃଷ୍ଟ ମିଳି ତହିଁ ।

ଉଗ୍ରସେନ ପଚାରିଲେ ପାଞ୍ଚଜଣ ଗଲ

ତିନିଜଣ ଆସି ଦୁଇ ରଖି କି ଅଇଲ ।

ପୁଣି ସ୍ୟମନ୍ତକ ମଣି କାହିଁ ଠାବ କଲ

ନ ପାଇ ଅବା କେବଣ କୃତ୍ୟ ତୁମ୍ଭେ କଲ ।

ଅକ୍ରୁର ବୋଲେ ବୁଲିଲୁ ଆମ୍ଭେ ଦେଶ ଦେଶ

ସ୍ଵର୍ଗେ ମଞ୍ଚେ ନ ପାଇଲୁ ମଣିର ସନ୍ଦେଶ ।

ପଶ୍ଚିମ ସିନ୍ଧୁର ତଟେ ଥୋକେ ଦୂର ଗଲୁ

ପର୍ବତ ତଳେ ଯାନ୍ତେଣ ବିବର ଦେଖିଲୁ ।

ଅପୂର୍ବ ସ୍ଥାନ ଦେଖିଲୁ ଅକ୍ଷବଟ ମୂଳେ

ନିଦ୍ରା ଗଲୁ ତହିଁ ଆମ୍ଭେ ବଞ୍ଚି ରାତ୍ରକାଳେ ।

ଆମ୍ଭଙ୍କୁ ବିବର ଦ୍ଵାରେ ରଖି ବ୍ରହ୍ମରାଶି

ଉଦ୍ଧବକୁ ଘେନି ସଙ୍ଗେ ଭିତରକୁ ପଶି ।

ଯିବାବେଳେ ଆମ୍ଭଙ୍କୁ ସେ ତଦନ୍ତ କହିଲେ

ଏହିକ୍ଷଣି ଆସିବୁ ଯେ ବୋଲିଣ ବୋଇଲେ ।

ଲେଉଟି ଏକ୍ଷଣି ଯେବେ ନ ପାରିବୁ ଆସି

ଦିନ ଅନ୍ତଯାଏ ଏଥେ ଥିବ ନିଶ୍ଚେ ବସି ।

ତଥାପି ଦିନାନ୍ତେ ଯେବେ ନୋହିବାକ ଭେଟ

ତିନିଦିନ ପରିଯନ୍ତେ ଚାହିଁଥିବ ବାଟ ।

ଏସନକ କଣ୍ଟଦେଇ ଗଲେ ଦେବହରି

ବିବର ଭିତରେ ତିନିବାର ସତ୍ୟକରି ।

ଆମ୍ଭ ତିନିଜଣ ଛାଡି ଭିତରେ ପଶିଲେ

ଏତେଦିନ ହୋଇଲା ସେ ବାହୁଡ଼ି ନଇଲେ ।

ଅନୁସରି ଆମ୍ଭେମାନେ ଚାହିଁଥିଲୁ ବାଟ

ଦିନକୁ ଦିନ ତହିଁରେ ଲାଗିଲା ଉଚ୍ଚାଟ ।

ଦିନ ଅନୁସରି ଚକ୍ଷୁ ହୋଇଲାକ ଅନ୍ଧ

ମନ ଧ୍ୟାନ ଅନୁକ୍ଷଣେ ଚିନ୍ତି ଶ୍ରୀଗୋବିନ୍ଦ ।

ବିବର୍ଜିତ କ୍ଷୁଧା ତୃଷା ନିଦ୍ରା ଆମ୍ଭେ ତିନି

ଏକମନେ ଭାବିଲୁ ଯେ ଲୟଭାବ ଘେନି ।

ମୁନିଜନମାନେ ଯେହ୍ନେ କରନ୍ତି ଧିଆନ

ଯୋଗୀମାନଙ୍କର ଯୋଗମାର୍ଗେ ମନ ।

ଆମ୍ଭେ ସେହିମତି ଚିନ୍ତି ଚିନ୍ତି ଦେବରାୟେ

ଉଦ୍ଦେଶ୍ୟ ନ ପାଇ ଦିନ ଚଉଦ ଯେ ପାଏ ।

ଆବର ଯେ ଦ୍ରୋହକର୍ମ କହିବା ବିଶେଷି

ବିବର ଭିତରେ ଗଲୁ ଥୋକେ ଦୂର ପଶି ।

ଅମଙ୍ଗଳ ଯୋଗ ତହିଁ ଦେଖି ବିପରୀତ

ସମୁଦ୍ର ଲହରୀ ପ୍ରାୟ ପୁରିଛି ରକତ ।

ମନ୍ଦାର ରଙ୍ଗବର୍ଣ୍ଣ ତା ସ୍ରୋତ ଚାରିଘାଟେ

ଝଲସି ପଡ଼ୁଅଛଇ ଗର୍ତ୍ତ ଦ୍ଵାରବାଟେ ।

କେବଣ ଦାନବ କଲା କେବଣ ହିଁ ଯୁଦ୍ଧ

ନ ଜାଣୁ କେ ନାଶକଲା ଶ୍ରୀହରି ଅବଧ୍ୟ ।

ଶୁକମୁନି ବୋଇଲେ ହେ ଶୁଣ ନୃପମଣି

ସିଂହାସନୁଁ ଢଳି ପଡ଼ିଲେକ ବଳୀ ଶୁଣି ।

କ୍ଷଣକେ ଚେତନା ପାଇ ଉଚ୍ଚେ ଶୋକ କଲେ

ଅଗାଧ ସମୁଦ୍ରେ ଭେଳା ବୁଡ଼ିଲା ବୋଇଲେ ।

ଦେବାଧି ଦେବରାୟ ତୁ ଅଟୁ ବ୍ରହ୍ମରାଶି

କୌତୁକ ମାନବ ଦେହୀ ଏ ଦ୍ଵାପରେ ଆସି ।

ଅସୁରଙ୍କ ମାୟା ତୁହି ଜାଣି ନ ପାରିଲୁ

ତୁମ୍ଭଭଳି ଲୋକ ପ୍ରାଣ ଅଖଡ଼ରେ ଦେଲୁ ।

ଏଡ଼େ ବଡ଼ ସମ୍ପଦ ତୁ ଅର୍ଜି ନାରାୟଣ

ତୋର ଅଭାବେ ହୋଇଲା ସବୁ ଅକାରଣ ।

ଅକଣ୍ଟକ ଲକ୍ଷ୍ମୀ ବସେ ନଗ୍ର ଦ୍ଵାରାବତୀ

ଅଚଳାଚଳ ସମ୍ପତ୍ତି ଇନ୍ଦ୍ରଙ୍କ ବିଭୂତି ।

କେଡ଼େ ବିପଦ ହରିଛୁ ତୋର ବୁଦ୍ଧି ବଳେ

ଦ୍ରୌପଦୀର ସ୍ଵୟମ୍ବର ଦେଖିଅଛୁ ଡୋଳେ ।

ଏଡ଼େ ସମ୍ପଦ ଅର୍ଜିଲୁ ହରି ଅବହେଳେ

ସର୍ବନାଶ ଗଲା ଏବେ କର୍ମର ଅବଳେ ।

ବସୁଦେବ ବଳରାମ କହି ଶୋକଭରେ

ଦଇବ ଘଟଣା ଯାହା ଲିହିଛି କର୍ମରେ ।

ରୁକ୍ମିଣୀ କାଳିନ୍ଦୀ ପାଟଶ୍ରୀୟା ସତ୍ୟବାଦୀ

କମଳା ବିମଳା ଆଦି ବହୁତ ଯୁବତୀ ।

ସାତବଂଶ ଯାଦବେ ଚୌରାଶୀ କୋଟି ବଳ

ଅନ୍ତଃପୁରେ ମଧ୍ୟେ ସର୍ବେ ହୋଇଲେ ବିକଳ ।

ପ୍ରଳୟକାଳେ ଯେସନେ ପଡ଼େ ହାଲହୋଳି

ସେହିରୂପେ ଅନ୍ତଃପୁରେ ପଡ଼ଇ ବୋବାଳି ।

ଦେବତାମାନଙ୍କର ଯେ ଯେତେକ ଦୁହିତୀ

ଶ୍ରୀକୃଷ୍ଣ ଗୁଣ ବାହୁନି ରୋଦନ କରନ୍ତି ।

ସାତବଂଶ ଯାଦବ ଚୌରାଶୀ କୋଟି ବଳ

ଆହାକୃଷ୍ଣ କେଣେ ଗଲ ରୋଦନ୍ତି ସକଳ ।

ଦ୍ଵାରକାରେ ସର୍ବେ ଲୋକ ପାଇଲେ ବାରତା

ଯେଝା ଅନୁରୂପେ ତାଙ୍କୁ ଲାଗିଲାକ ବ୍ୟଥା ।

ନୟନରୁ ଅଶ୍ରୁଜଳ ବହେ ଘନ ଘନ

ଜରା ଧାଡ଼ିରୁ ଅଧିକ ହେଲା ଗୋପ କାହ୍ନ ।

ସର୍ବ ନରନାରୀ ବଜ୍ରନାଭ ଜରା ଡରେ

ମଥୁରା ଛାଡ଼ି ରହିଲେ ଆସି ଗୋପପୁରେ ।

ରହିଲୁ ଯେ ଗୋପପୁରେ ଛାଡ଼ି ଏତେ ଦୂରେ

ଏଥୁ ପଳାଇ ରହିବା ଯାଇଁ କେଉଁ ପୁରେ ।

ବିଧାତାର ଘଟସୂତ୍ର ଲିହି କପାଳରେ

ଆଉ ରହିବାକୁ ସ୍ଥାନ ନାହିଁ ଏ ସଂସାରେ ।

ଏମନ୍ତ କହିର ସର୍ବେ କରୁଛନ୍ତି ଶୋକ

ଭାଟ ବଣିଜାର ଆଦି ଯେତେ ସ୍ଥିତି ଲୋକ ।

ସାତବଂଶ ଯଦୁ ଖୁଣ୍ଟ ଆଦି ପଡ଼ିହାରୀ

ମନ୍ତ୍ରୀ ସେବକ ରୋଦନ୍ତି ଯେ ଯାହାରେ କରି ।

ଶ୍ରୀକୃଷ୍ଣ ଗୁଣ ବାହୁନି କାନ୍ଦନ୍ତି ସକଳ

ନିରନ୍ତର ନୟନରୁ ବହେ ଅଶ୍ରୁଜଳ ।

ସୁଭଦ୍ରା ଆଦି ଭଗିନୀ ଯେତେ ଭାଇମାନେ

କେଶବାସ ଅସମ୍ଭାଳ କାନ୍ଦି ଅନୁକ୍ଷଣେ ।

ଅନନ୍ତ ଦ୍ଵାରକାନଗ୍ରେ ଲାଗେ ଚିନ୍ତା ବାଧା

ଭୋଜନ ନିଦ୍ରା ଶୟନେ ନାହିଁ କାର ଶ୍ରଦ୍ଧା ।

ସବୁରି ମନରେ ପ୍ରତେ ଅକ୍ରୁରର ବାଣୀ

ଶୁକମୁନି ବୋଇଲେ ହୋ ଶୁଣ ନୃପମଣି ।

ଯେଉଁ ଜଗନ୍ନାଥ କଳପଣା କାମନିଧି

ଅଜୀବ ଜୀବେ ଯାହାର ସାଧ୍ୟ ହୋଏ ସିଦ୍ଧି ।

ଜନ୍ମ ମୃତ୍ୟୁ ବିବର୍ଜିତ ରୂପରେଖ ନାହିଁ

ପ୍ରାଣେ ମୋକ୍ଷ ନିମନ୍ତେ ଯେ ଛନ୍ତି ଦେହ ବହି ।

ଯମ ମୃତ୍ୟୁପରେ ଯମ ଧର୍ମ ପରେ ଧର୍ମ

ସେ ସିନା ଭିଆଇଛନ୍ତି ଶୁଭାଶୁଭ କର୍ମ ।

ଗ୍ରହପୀଡ଼ା ରିଷ୍ଟ ରୋଗ ବାନ୍ଧି ନ ପାରିଲା

ଜନ ଅପବାଦ ହେଲା ପ୍ରାଣ କେଣେ ଗଲା ।

ସକଳ ରାଜ୍ୟରେ ଜଣାଇଲେ ଚାରଗଣ

ବୋଇଲେକ ନାଶ ଗଲେ ଦେବ ନାରାୟଣ ।

ଶକ୍ରାଜିତ ଅର୍ଥେ ନାଶ ଗଲେ ଦେବ ହରି

ଏସନକ ଶବଦ ଯେ ଶୁଭେ ମଞ୍ଚପୁରୀ ।

ଦୁଷ୍ଟ ରାଜାମାନେ ଶୁଣି ହୋଇଲେ ହରପ

ନାଶ ଗଲା କୃଷ୍ଣ ଆମ୍ଭ ବଢ଼ିଲା ଆୟୁଷ ।

ପ୍ରାକ୍ରମହିଁ ବଢ଼ିଲା ଯେ ବଢ଼ିଲା ସାହସ

ଏକାଙ୍ଗେ ଭୋଗ କରିବା ଏବେ ସ୍ଵର୍ଗବାସ ।

ଶାଲୁ ରାଜା ଶୁଣି ମହାନନ୍ଦେ କହେ କଥା

ଜାଣିଲି ଦୁର୍ଲ୍ଲଭ ଅଟେ ଶୁଣାଯିବା କଥା ।

ପୁଣ ବୋଲେ ପ୍ରତେ ଲାଗୁନାହିଁ ଏହା ଶୁଣି

ମଲା ହଜିଲା ଏ ଦୁଇ ସମାନ ବଖାଣି ।

ନିଶ୍ଚୟ ନାରାୟଣର ଦେହେ ଯେଉଁ ହରି

ଆଉ କିସ ଚରାଚର ରହେ ବସୁନ୍ଧରୀ ।

ଏବେ ସେ ଜାଣିଲୁ କଥା ହୋଇଲାକ ମନ୍ଦ

ଧର୍ମ ନାଶକଲା ନିଶ୍ଚେ ହୋଇଲାକ ଦ୍ଵନ୍ଦ୍ଵ ।

ଥୋକେ ରାଜା ବୋଲନ୍ତି ଯେ ପ୍ରତେ ନ ଲାଗିଲା

ସାନ୍ଦୀପନୀ ପୁତ୍ରମାନ ଦେଇଛି ଜୀଆଲା ।

ଯେ ପ୍ରଭୁ ସଂସାର କୋଟି ବ୍ରହାଣ୍ଡ ସର୍ଜିଲା

ସନାତନ ପୁରୁଷ ଯେ କର୍ତ୍ତା ସେ କି ମଲା ।

ଥୋକେ ରାଜା ବୋଲନ୍ତି ଯେ ଦେହବନ୍ତ ହୋଇଅଛି

ତେଣୁ କରି ସେ ଜନଙ୍କୁ ମରଣ ହିଁ ଗଚ୍ଛି ।

ପରମାନନ୍ଦ ଅଟନ୍ତି ଶୁଣି ଶୁଭାଶୁଭ

ତେଣୁ ସେ ଲୀଳାରେ କରେ ଜନ୍ମ ମୃତ୍ୟୁଭାବ ।

ଏସନକ ବିଚାରନ୍ତି ପୁର ନରନାରୀ

ଚିନ୍ତାଭର ବ୍ୟାକୁଳରେ ହୋଇ ଯେ ଯାହାରି ।

ଚଉଦଘଡ଼ି ହୋଇଛି ଏ ସମୟେ ବେଳ

ବସୁଦେବ ଆଗେ ମିଳି ଯାଦବ ସକଳ ।

ସ୍ଵ କୁଳର ପୁରୋହିତ ବର୍ଗ ତପଚାରୀ

କୁଶ ପିତୁଳା ରଚିଲେ ସଂକ୍ଷେପ ନ କରି ।

ନଖ ମୁଖ କର ପାଦ ନାଶିକା ଉଦର

ବେଦର ପ୍ରମାଣେ ପ୍ରେତ ବିଧି ଯେ ପ୍ରକାର ।

ନାରାୟଣ ମନ୍ତ୍ରେ ଜୀବନ୍ୟାସ ସେ କରାଇ

ଗଜଦନ୍ତ ପଲ୍ୟଙ୍କରେ ଶୁଆଇଲେ ନେଇ ।

ଦେବାଙ୍ଗ ଝୀନବସନ ଉପରେ ଘୋଡ଼ାଇ

ଗୋମତୀ କୂଳକୁ ଶବ ନେଲେକ ବୁହାଇ ।

ଆଗ ପଛରେ ବାଜଣା ବାଜେ ଅପ୍ରମିତ

ଉଦ୍ଦଣ୍ଡ ଯେ ଏକଲକ୍ଷ ଲକ୍ଷେ ପାଟଛତ୍ର ।

ମେଘଡମ୍ବରୁ ବିମାନ ଝରା ପନ୍ତି ପନ୍ତି

ଶ୍ମଶାନ ଭୂମିକି ସର୍ବେ ମିଳି ଘେନିଯାନ୍ତି ।

ଥୋକେ ପ୍ରବେଶ ଗୋମତୀ ନଦୀ ଆରକୂଳେ

ତତକ୍ଷଣେ ସର୍ବେ ଯାଇ ପ୍ରବେଶ ହୋଇଲେ ।

ଜଳପ୍ରାପତ ନମତେ ଦେଇ ଅନ୍ନ ଜଳ

ଦେବଦାରୁ ଚନ୍ଦନ ଯେ ଅଗୁରୁ ଗୁଗୁଳ ।

ପବିତ୍ର ଗୁଆ ଘୃତରେ ଜାଳିଲେ ଅନଳ

ଲାଗିଲା ଅନଳ ହେଲା ତେଜ ମହାବଳ ।

କୁଳ ପୁରୋହିତ ବେଶ କାଳ ଯେ ଉଚ୍ଚାରି

ନାରାୟଣଙ୍କର ଶବ ଅନଳରେ ଭରି ।

ପାରୁଶେ ବେଢ଼ି ଯାଦବ ଅନେକ ସଇନି

ପ୍ରଦ୍ୟୁମ୍ନର ହସ୍ତେ ଦିଆଇଲେ ମୁଖଅଗ୍ନି ।

ପ୍ରଚଣ୍ଡ ଅନଳ ଜଳି ଉଠେ ଜ୍ଵଳାବଳି

କେବେହେଁ ନ ପୋଡ଼ିଲା ସେ କୁଶର ପିତୁଳି ।

ନାସିକା କର ଚରଣ ନଖ ମୁଖ ସଞ୍ଚା

ଶୁଖିଲା କୁଶପିତୁଳା ଦିଶେ ଯେହ୍ନେ କଞ୍ଚା ।

ନାରାୟଣ ମନ୍ତ୍ରେ ଯହୁଁ କଲେ ଜୀବନ୍ୟାସ

ସିଦ୍ଧ ହୋଇ ରହିଲା ନ ଜଳେ ବ୍ରହ୍ମକୁଶ ।

ସିଦ୍ଧ ହୋଇ ରହିଲା ପାଦୁକା ନଦୀଘାଟେ

ପାତାଳ ବୈକୁଣ୍ଠ ବୋଲି ଗଲା ସେହି ବାଟେ ।

ଶୁକ ବୋଇଲେ ପରୀକ୍ଷ ଶୁଣ ମହାରାଜା

ଶ୍ରୀଭାଗବତ ସ୍ୟମନ୍ତ ମଣିର ପରିଯା ।

ସରିଲା ଶ୍ମଶାନ କାର୍ଯ୍ୟ ବହ୍ନ ଶୀତଳାଇ

ପ୍ରଦ୍ୟୁମ୍ନକୁ ସଙ୍ଗେ ଘେନି ସ୍ନାନ କଲେ ଯାଇଁ ।

ଦେବକୀ ରୋହିଣୀ ଆଦି ରୁକ୍ମିଣୀର ମୂଳେ

ରୋଦନ କଲେ ସେ ଆସି ମିଳି ନଦୀ କୂଳେ ।

ସ୍ନାନ ସାରିଣ ବିଧବା ବେଶକୁ ଧଇଲେ

ଆହାରେ ବିଧବା ବୋଲି ଉଚ୍ଚେ ଶୋକ କଲେ ।

କାଢ଼ିଲେ ସର୍ବନାରୀଙ୍କ ହସ୍ତୁ ସୁନା ଚୁଡ଼ି

ଲୋଟଣି ଜୁଡ଼ା କବରୀ ଖୋଷା ବେଗେ କାଢ଼ି ।

ଶରୀରୁ ରତନ ମାଳା ଯେତେ ଆଭରଣ

ସବୁ କାଢ଼ିଲେ ଯୁବତୀଗଣ ମିଳି ପୁଣ ।

ପାଦରୁ ନୂପୁର କାଢ଼ି ପୋଛିଲେ ଅଳତା

ଶୁକ୍ଳବସ୍ତ୍ର ପରିଧାନ ଭୀଷ୍ମକ ଦୁହିତା ।

ଛାଡ଼ି ଅଗୁର ଚନ୍ଦନ କର୍ପୂର କସ୍ତୁରୀ

ତଇଳ ତାମ୍ବୁଳ ତ୍ୟଜ୍ୟା କଲେ ନରନାରୀ ।

ଆଉ ଯେତେ ପାଟବଂଶୀ ଅବଳା ନିସ୍ତେଜ

କୂଳେ ଛିଡ଼ା ହୋଇଛନ୍ତି ପାଇ ମହାଲାଜ ।

ପୁନରପି ନଦୀ ମଧ୍ୟେ ପଶି ସ୍ନାନ କଲେ

ବାସୁଦେବ ନବରକୁ ବୋଲିଣ ଅଇଲେ ।

ପ୍ରଦ୍ୟୁମ୍ନର ହସ୍ତ ଧରି ଦେବୀ ଚଳି ଆଗେ

ଉଗ୍ରସେନ ଆଦି ସର୍ବଯାଦବଙ୍କ ସଙ୍ଗେ ।

ଓଦା ଲୁଗା ଓଦା ବାଳ ଅମଙ୍ଗଳ ମାନ

ମୃତ ଶିବ ପ୍ରାୟେ ହେଇଛନ୍ତି ଜଣ ଜଣ ।

ବାସୁଦେବଙ୍କୁ ଯେ ପ୍ରେତ ସାମଗ୍ରୀ ଅର୍ପିଲେ

ସର୍ବଯାଦବେ ଯେ ଯାହା ଆଶ୍ରମକୁ ଗଲେ ।

ରହିଲେ ବିଧବା ନାରୀମାନେ ଅନ୍ତଃପୁରେ

ଶ୍ରୀକୃଷ୍ଣ ଗୁଣ ସୁମରି ରହିଲେ କାତରେ ।

ବେଦଶାସ୍ତ୍ରର ପ୍ରମାଣେ କଲେ ଯଥା ବିଧି

ଶୀତଳ ଜଳ ସାମଗ୍ରୀମାନ ପୂର୍ବ ବିଧି ।

ନବଦିନ ପିଣ୍ଡ ସେହି ବାଢ଼ି ବିଧିମତେ

ପ୍ରେତ ଲାଗି କରାଇଲେ ନାରାୟଣ ମନ୍ତ୍ରେ ।

ଦଶଦିନେ ଭଦ୍ର ହୋଇ ପିନ୍ଧ ନୂଆ ବାସ

ସେଦିନ ରନ୍ଧନ କରି ଗୋତ୍ରେ କଲେ ଗ୍ରାସ ।

ଆପଣେ ଭିଆଣ କରିଅଛନ୍ତି ଯା ହରି

ତେଣୁ ସେହି କର୍ମମାନ ସମସ୍ତ ଆଚରି ।

ସମସ୍ତ ଯାଦବେ ଅର୍ଦ୍ଧରାତ୍ରେ ରୁଣ୍ଡ ହୋଇ

ନାରାୟଣ ପ୍ରତିପାଏ ବାହାରକୁ ନେଇ ।

ଏକଲକ୍ଷ କାଳଗଣ ଘେନି ଜନ୍ତୁପତି

ନାରାୟଣ ପୁରୁଷକୁ ଆବୋରି ଝଟତି ।

ଦ୍ଵାଦଶ ଦିବସ ସର୍ବେ ଭୁଞ୍ଜି ଗୁଆଘୃତ

ବାଢ଼ିଲେ ଦ୍ଵାଦଶ ପିଣ୍ଡ ହୋଇଲା ମୁକତ ।

ଲକ୍ଷେ କୋଟିଏ ଶୀତଳ ବାଢ଼ି ପ୍ରତିଦିନ

ଲକ୍ଷେକ ବିପ୍ରଙ୍କୁ ଦାନ ଦିଅନ୍ତି ଭୋଜନ ।

ଲକ୍ଷେ କୋଟି ଦେବ ଆଗେ ଶୀତଳ ଦିଅନ୍ତି

ଅପରାଜିତା ନୃସିଂହ କବଚ ପଢ଼ନ୍ତି ।

ବାରଦିନ ଷୋଡ଼ଶର ଅଛି ଯେଉଁ ବିଧି

ପ୍ରଦ୍ୟୁମ୍ନ ହସ୍ତରେ ତାହା ଦେଇ କଲେ ସିଦ୍ଧି ।

କୁଳପୁରହିତଙ୍କୁ ତା କଲେ ସବୁ ଦାନ

ରୁକ୍ମୁଣୀ ନନ୍ଦନ ପିଣ୍ଡ ବାଢ଼ିଲେ ପ୍ରଦ୍ୟୁମ୍ନ ।

ଶ୍ରୀକୃଷ୍ଣ ମାୟାରେ ସର୍ବେ ହୋଇଛନ୍ତି ମୋହି

ଅଦ୍ଭୁତ ଘଟଶ ଏହା ନ ଜାଣନ୍ତି କେହି ।

ସେ ମାୟାଧରଙ୍କ ପାଦେ ସଦା ମୋର ସେବା

ଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।

 

ହରିବଂଶ ଷଷ୍ଠ ଖଣ୍ଡ

ଶ୍ରୀକୃଷ୍ଣଙ୍କ ଦ୍ଵାରା ଜାମ୍ବବାନର ପରାଜୟ ଓ ଜାମ୍ବବତୀ ସହ କୃଷ୍ଣଙ୍କର ବିଭା

 

ଶୁକମୁନି ବୋଲେ ଶୁଣ ପରୀକ୍ଷ ନୃପତି

ଅପୂର୍ବ କଥାଏ କହୁଅଛି ଦିଅ ମତି ।

ଦିନକୁ ଦିନ ପ୍ରଦ୍ୟୁମ୍ନ ଯେତେ ପିଣ୍ଡ ଦେଲେ

ଶ୍ରୀଜଗନ୍ନାଥ ସେ ସବୁ ପ୍ରାପତ ହୋଇଲେ ।

ଅପୂର୍ବ ପଦାର୍ଥ ସବୁ ଭୁଞ୍ଜି ବନମାଳୀ

ଦିନୁଦିନ ବଳବନ୍ତ ହୋଇଲେ ଉଗୁଳି ।

ଜାମ୍ବବ ଜଗନ୍ନାଥର ଯୁଦ୍ଧ ଅପ୍ରମାଣ

ମରନ୍ତି ସେ ଯୋଦ୍ଧାମାନେ ଜୀଅନ୍ତି ତକ୍ଷଣ ।

ମୃତ ସଞ୍ଜିବନୀ ବଳେ ଦିବ୍ୟ ମନ୍ତ୍ର ପୋଥି

ସେ ସବୁ ଜାମ୍ବବ ମନ୍ତ୍ରୀ ରଖିଛି ସାଇତି ।

ତ୍ରେତାଯୁଗ ମନ୍ତ୍ରପୋଥି ସାଇତି ଯେ ଥିଲେ

ଦ୍ଵାପର ଯୁଗରେ ମହାକ୍ଷତ୍ରୀ ବୋଲାଇଲେ ।

ତେଣୁ ସେ ଭୂତ ଭବିଷ୍ୟ ବର୍ତ୍ତମାନ ଜ୍ଞାତା

ନବନାଟକ ଅଷ୍ଟାଙ୍ଗ ଯୋଗରେ ଶକତା ।

ଶ୍ରୀରାମ ତହୁଁ ଅମରବର ଅଛି ପାଇ

ବ୍ରହ୍ମା ବାରବର୍ଷ ଯାଏ ଜନ୍ମ ମୃତ୍ୟୁ ନାହିଁ ।

ବ୍ରହ୍ମା ବାରବର୍ଷ ଭୋଗ ଅନ୍ତେ ତାର ମୃତ୍ୟୁ

ଏମନ୍ତ ଯେ ଆଜ୍ଞା ଦେଇଛନ୍ତି ରାମତତ୍ତ୍ଵୁ ।

ଶ୍ରୀରାମ ଠାରୁ ଏମନ୍ତ ବର ଅଛି ପାଇ

ତା ସଙ୍ଗେ ଦ୍ଵାପରେ ଯୋଦ୍ଧା କେହି ସମ ନାହିଁ ।

ସଂଗ୍ରାମର ମାର୍ଗ ସେହୁ ଜାଣଇ ସକଳ

ବିବେକୀ ବୁଦ୍ଧିମନ୍ତ ଯେ କ୍ଷତ୍ରୀ ମହାବଳ ।

ତାହାଙ୍କ ସଙ୍ଗେ ସଂଗ୍ରାମ କରନ୍ତି ଶ୍ରୀହରି

ଏକୁ ଆରେକ ସଂଗ୍ରାମେ ଜାଣ ସମପରି ।

ମାନବାଶର ଘେନିଣ ଦୁହେଁ ଯୁଦ୍ଧ କଲେ

ଦେବଶର ଆଦିକରି ସମସ୍ତ ମାଇଲେ ।

ଦୁହିଁଙ୍କର ଶରୀରରେ ନୁହେଁ ଶସ୍ତ୍ରଭେଦ

ଯୁଦ୍ଧ ନ ସରିଲା ମନେ ମନେ ପାଇ ଖେଦ ।

ମାଲଯୁଦ୍ଧ କଲେ ପୁଣି ଦୁହେଁ ଯେ ବିଚାରି

ବିନ୍ଧାଣ ଗତି କରିଣ ଯାନ୍ତି ଅପସରି ।

ଗଣ୍ଠି ମୁଠି ଉଠାଇଣ ହୁଅନ୍ତି ସେ ଉଭା

ବିନ୍ଧ୍ୟଗିରି ମଧ୍ୟେ ମେରୁ ମନ୍ଦର କି ଶୋଭା ।

ମନ୍ତ୍ରୀ ସହିତ ଯେତେକ ଥିଲେ ରାଜବଳ

ମାଲଯୁଦ୍ଧ କରନ୍ତେ ସେ ଦେଖନ୍ତି ସକଳ ।

ପଡ଼ନ୍ତି ଗଡ଼ନ୍ତି ଦୁହେଁ ହ୍ଵନ୍ତି ମରାମରି

ଶିରେ ଶିର ତାଡ଼ି ପୁଣ ହ୍ଵନ୍ତି କୋଡ଼ାକୋଡ଼ି ।

ଭୁଜରେ ଭୁଜ ଛନ୍ଦିଣ ପାଦେ ପାଦ ଛନ୍ତି

ଉଚ୍ଚେ ଉଚ୍ଚ ପରିତାଳ କଣ୍ଠେ ହସ୍ତ ରୁନ୍ଧି ।

ତାଡ଼ନ ମର୍ଦ୍ଦନ ଭିଡ଼ାଭିଡ଼ି ଭୁଜ ଚାରି

ଆକର୍ଷଣ କରି ପୁଣି ହ୍ଵନ୍ତି ମରାମରି ।

ଉଠି ଲୋଟି ଘୋଟି ପାଦ ମାରନ୍ତି ଯେ କେହୁ

ଫାଟି ତ୍ରିପଣ୍ଡ ରୁଧିର ଧାରା ବହେ ଦେହୁଁ ।

ବେଳୁଁ ବେଳହୁଁ ସଂଗ୍ରାମ ବଢ଼େ ମହାବଳୀ

ଖାଲ ଡିଙ୍ଗର ପର୍ବତ ହେଲା ସମସ୍ଥଳୀ ।

ନିର୍ଘାତ ଶବଦ ପ୍ରାୟେ ବିଧା ବଜ୍ରମୁଷ୍ଟି

ଢଳ ଢଳ ବସୁନ୍ଧରା କମ୍ପେ ନବସୃଷ୍ଟି ।

କେହୁ ତଳେ କେ ଉପରେ ବସେ ତଳୁ ଉଠି

ଥୋକାଏ ଦୂର ପଳାଇ ଆସନ୍ତି ଲେଉଠି ।

ସଂଗ୍ରାମ ବଢ଼ିଲା ଅନୁକ୍ଷଣେ ଦିବରାତ୍ରେ

ଖଣ୍ଡ ଖଣ୍ଡ ହୋଇ ଛିଡ଼ିପଡ଼େ ବେନିଗାତ୍ରେ ।

ଆହାର ନିଦ୍ରା ମୈଥୁନେ ନାହିଁ ତାଙ୍କ ଇଚ୍ଛା

ପ୍ରାଣ ବିବର୍ଜିତ କଲେ ମରଣକୁ ବାଞ୍ଛା ।

ଅନୁକ୍ରମରେ ବଢ଼ିଲା ପାଞ୍ଚଦିନ ରଣ ।

ନାହିଁ ସ୍ନାନ ଭୋଜନାଦି ପାଞ୍ଚଦିନ ରଣ ।

ଦିନକୁ ଦିନ ଶରୀର ହୋଇଲା ଦୁର୍ବଳ

ଏକେ ଉପବାସ ଦୂଜେ ସଂଗ୍ରାମ ଜଞ୍ଜାଳ ।

କେତେବେଳେ ଶ୍ରୀକୃଷ୍ଣଙ୍କୁ ମନ୍ତ୍ରୀ ବସେ ମାଡ଼ି

ଆଣ୍ଠୁ ଆଣ୍ଠୁ ପରିତାଳ ମୁଣ୍ଡେ ମୁଣ୍ଡ କୋଡ଼ି ।

କ୍ଷଣ ଅନ୍ତେ ଜଗନ୍ନାଥ ମାଡ଼ିଣ ବସିଲେ

ବିଚିତ୍ର ବିନ୍ଧାଣ ଦେଖି ପୁଣି ଛାଡ଼ିଦେଲେ ।

ପୁଣ ବିନ୍ଧାଣ ଯୁଦ୍ଧେ ସେ ଲାଗିଲେ ଲେଉଟି

ଜଗନ୍ନାଥଙ୍କୁ ସେ ମାଡ଼ି ବସଇ ପାଲଟି ।

ଆକ୍ରୋଶି ବକ୍ଷରେ ମାଡ଼ି ବସେ ଆଣ୍ଠୁ ଭରେ

ମେରୁ କି ଆରୋହି ଅଛି ମନ୍ଦର ଉପରେ ।

ସଂଗ୍ରାମରେ ଜୟ କଲା ମନ୍ତ୍ରୀ ମହାବଳୀ

ତଳେ ପଡ଼ି ଜଗନ୍ନାଥ ନ ପାରିଲେ ଚଳି ।

ତଳେ ଜଗନ୍ନାଥ ପ୍ରଭୁ ଉପରେ ଜାମ୍ବବ

ତଳେ ହସ୍ତଭରି ମାଡ଼ିବସେ ଅସମ୍ଭବ ।

ଏମନ୍ତେ ଦିନ ଅଢ଼ାଇ ପ୍ରହର ଯେ ଆସି

କୃଷ୍ଣ ଉପରେ ଜାମ୍ବବ ଅଛି ମାଡ଼ି ବସି ।

ଶୁଣ ପରୀକ୍ଷ ନୃପତି ଭଣି ଶୁକମୁନି

ଦ୍ଵାରକା କଥା କହିବା ଶୁଣ ମହାଜ୍ଞାନୀ ।

ଦ୍ଵାରକାପୁରେ ପ୍ରଦ୍ୟୁମ୍ନ ପିଣ୍ଡଦାନ ଦେଲା

ସେ ଯାଇ ଶ୍ରୀକୃଷ୍ଣଙ୍କର ଶ୍ରୀହସ୍ତେ ପଡ଼ିଲା ।

ପାଇଣ ସନ୍ତୋଷ ହେଲେ ସ୍ଵାମୀ ନାରାୟଣ

ଅମୃତ ମଣୋହି ପ୍ରାୟେ ଭୁଞ୍ଜିଲେ ତକ୍ଷଣ ।

ପାଇ ସ୍ଵପକ୍ଵ ଆଧାର ହୋଇଲେକ ଶାନ୍ତି

ହୁଁଙ୍କାର ନାଦ କରିଣ ଉଠିଲେ ଝଟତି ।

ଲେଉଟି ମାଡ଼ି ବସିଲେ ଜାମ୍ବବକୁ ତଳେ

ପକାଇ ପାଦରେ ଚାପି ତାର ବକ୍ଷସ୍ଥଳେ ।

ମୁଷ୍ଟି ଆଣ୍ଟକରି ମୁଖେ ମାଇଲେକ ବିଧା

ନିର୍ଘାତ ଶବଦ ଶୁଣି କମ୍ପିଲେ ବିବୁଧା ।

ଜାମ୍ବବ ମୁଖରେ ବଜ୍ରସମ ବିଧା ପଡ଼ି

ଝଡ଼ି ଦାନ୍ତସବୁ ତାର ପଡ଼ିଲା ଉପୁଡ଼ି ।

ମାରନ୍ତେ ଉଞ୍ଚାଇ ବିଧା ପୁଣି ଦେବରାୟେ

ମହା ବିଶ୍ଵରୂପ ଦେଖି ଜାମ୍ବବର ଭୟେ ।

ବୋଇଲେ ମହାତମା ତୁ ନ ଚିହ୍ନିଲି ତୋତେ

ଚରାଚର ଜୀବେ ଛନ୍ତି ତୋ ଯୋଗୁଁ ଜଗତେ ।

ସାମାନ୍ୟ ନୋହୁ ଆଗହୁଁ ତୁହି ବଡ଼ ପଣ

କିବା ଇନ୍ଦ୍ର ଗଙ୍ଗାଧର ଦେବ ନାରାୟଣ ।

ମହେନ୍ଦ୍ର ଅଙ୍ଗଦ ନଳ ନୀଳ ହନୁମାନ

କିବା ତୁମ୍ଭେ ଜାମ୍ବୁମାଳୀ ସୁଗ୍ରୀବ ରାଜନ ।

କିବା ତୁମ୍ଭେ ରାମଚନ୍ଦ୍ର ଅଛ ଦେହ ବହି

ନୋହିଲେ କି ଆନବଳେ ଜିଣନ୍ତା କେ ନାହିଁ ।

ଆହୋ ମହାତମା ତୁମ୍ଭେ କିଏ ମୋତେ କହ

ଏ ତୁମ୍ଭେ ବଚନ ଶୁଣି ଫିଟୁ ମୋ ସନ୍ଦେହ ।

ମୁହିଁ ସାଧ୍ୟ ହୋଇଲି ଯେ ମହାତ୍ମା ତୁମ୍ଭଙ୍କୁ

କି ପୌରୁଷ ଅଇଜିବ ମାରି ଏ ଜୀବକୁ ।

ଜାମ୍ବବ ବଚନେ ପ୍ରଭୁ ହୋଇଲେ ସନ୍ତୋଷ

ତକ୍ଷଣେ ଜାମ୍ବବ ଛାଡ଼ି କ୍ଷମା କଲେ ଦୋଷ ।

ଦୟାଳୁ ପୁରୁଷ ସେହି ପ୍ରଭୁ ପୀତବାସ

ସରିଲାକ ଯୁଦ୍ଧ ଜାଣ ଦୁହେଁ ହେଲେ ତୋଷ ।

ଚିନ୍ତା ପାଇଲେକ ମନେ ମନେ ଯେ ଯାହାର

ପ୍ରୀତି ଉପୁଜାଇବାକୁ କରନ୍ତି ବିଚାର ।

ଜଗନ୍ନାଥ ମୁଖ ଦେଖି ଜାମ୍ବବ ନୃପତି

ବୋଲେ ଦେବ ନାରାୟଣ କୁ ବିଶ୍ଵ ମୂରତି ।

ସର୍ବଦା ତୁମ୍ଭ ଦାସର ଦାସ ମୁଁ ଅଟଇ

ରାମ ଅବତାରେ ରାମ ପାଦେ ଖଟିଥାଇ ।

ଏବେ ଦୃଶ୍ୟ ହେଉଛି ସେ ଶଙ୍ଖ ଚକ୍ର ଚିହ୍ନ

କଳି କଳୁଷ ଆଜହୁଁ ହୋଇଲା ଦହନ ।

ଦିବ୍ୟ ଦୃଷ୍ଟି କରି ଚାହିଁ ହୋଇ ଅବଗତ

ଦେଖିଲା ସ୍ଵରୂପ ରାଜେ ଶଙ୍ଖ ଚକ୍ରହସ୍ତ ।

ନିସ୍ତରିଲି ବୋଲି ପାୟେ ଶୁଏ ଗଡ଼ଘାଲି

ଉଠି କରଯୋଡ଼ି ସ୍ତୁତି କରେ ନିସ୍ତରିଲି ।

ଜୟ ଜୟ ନିରଞ୍ଜନ ନିରାକାର ସ୍ଵାମୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଅନ୍ତର୍ଯ୍ୟାମୀ ।

ଲକ୍ଷ୍ମୀର ବଲ୍ଲଭ ସ୍ଵାମୀ ତୁମ୍ଭେ ଦେବରାୟେ

ପୂଜନ୍ତି ଶୁକ ସନକ ଆଦି ତୁମ୍ଭେ ପାୟେ ।

ରୂପ ରେଖ ବର୍ଣ୍ଣ ଯାର ହାଦେ ଦେଖା ନାହିଁ

ତୁମ୍ଭେ ସର୍ଜିଲ ବାସବ ଚରାଚର ମହୀ ।

ଜଳ ସ୍ଥଳ ଅନଳରେ ଅଛ ତୁମ୍ଭେ ପୂରି

ଶୁଭାଶୁଭ କର୍ମ ତୁମ୍ଭେ ପାର ଆନକରି ।

ଅକ୍ଷୟ ଅଜରାମର କଳ୍ପାନ୍ତ ପୁରୁଷ

ଭୂତ ଭବିଷ୍ୟତ ବର୍ତ୍ତମାନ ସବୁ ଦୃଶ୍ୟ ।

ଶରୀରେ ମଦ ମତ୍ସର ଅହଙ୍କାର ନାହିଁ

ଅଛିଦ୍ର ପୁରୁଷ ତୁମ୍ଭେ ଛଦ୍ରମଧ୍ୟେ ରହି ।

ରାମ ଅବତାରେ ସ୍ଵାମୀ ପାଇଲ ଯେ କଷ୍ଟ

କୁମାର ବୟସେ ତୁମ୍ଭେ ହେଲ ରାଜ୍ୟ ଭ୍ରଷ୍ଟ ।

ଭାଇ ଭାରିଯା ସଙ୍ଗତେ ହୋଇ ବନଚାରୀ

ଦଣ୍ଡକ ଅରଣ୍ୟେ ସୀତା ଦଶମୁଖ ହରି ।

ସୀତା ଅନୁସରି ଯାନ୍ତେ ପମ୍ପାସର ତଟ

ରୁକ୍ଷ ବାନରଙ୍କ ସଙ୍ଗେ ହେଲା ତୁମ୍ଭ ଭେଟ ।

ସମୁଦ୍ରକୁ ବାନ୍ଧି ଲଙ୍କାଗଡ଼କୁ ଜିଣିଲ

ରାବଣର ବଂଶ ନାଶି ସୀତାଙ୍କୁ ଆଣିଲ ।

ସେ ଦୁଃଖ ତୁମ୍ଭର ତେଜ୍ୟା କରିବାର ପାଇଁ

ହୋଇଛ ରଙ୍ଗାବତାର ଏ ରୂପକୁ ବହି ।

ତୁମ୍ଭଙ୍କୁ ମୁହିଁ ଚଣ୍ଡାଳ ନ ପାରିଲି ଚିହ୍ନି

ପ୍ରଭୁଙ୍କ ସଙ୍ଗେ ନିଗ୍ରହ କଲି ମୁଁ ଅମାନି ।

ତୁମ୍ଭ ସେବା କରି ମୁହିଁ ସେବକ ହେ ହରି

ଏହା କହି ଶତେବାର ଦଣ୍ଡବତ କରି ।

ଶ୍ରୀଜଗନ୍ନାଥ ଜାମ୍ବବ ମୁଖକୁ ଅନାଇ

ଆମ୍ଭେ ହୁଡ଼ିଲୁ ତୁମ୍ଭର କିଛି ଦୋଷ ନାହିଁ ।

ଯାଦବ ସଭାରେ ଆମ୍ଭେ ପାଇ ବଡ଼ଲାଜ

ହଜିଲା ଯେ ସ୍ୟମନ୍ତକ ମଣି ଋକ୍ଷରାଜ ।

ଶୁଣିଣ ଜନମୁଖରୁ ମୁଁ ଝିଙ୍ଗାସ ବାଣୀ

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ତଲାସିଲି ମଣି ।

କେବଣ ଠାବରେ ମଣି ନ ପାଇଲୁ ଭେଟ

ପର୍ବତ ତଳେ ଭେଟିଲୁ ଏ ବିବର ବାଟ ।

ସାତ୍ୟକି ଅକ୍ରୁର ଅନାଧୃଷ୍ଟ ରଖି ଦ୍ଵାରେ

ଉଦ୍ଧବକୁ ଘେନି ଆମ୍ଭେ ପଶିଲୁ ବିବରେ ।

ଦେଖିଲୁ ଏ ତୁମ୍ଭ ପୁର ଅଟେ ଅକଳନା

ଅମର ବାରସ୍ଵତୀକୁ ଲକ୍ଷେ ଗୁଣ ଜିଣା ।

କଟକେ ପଶି ଚାହିଁଲୁ ଆମ୍ଭେ ଉଦବେଗେ

ଯାଇଣ ଭେଟିଲୁ ତୁମ୍ଭ ସିଂହଦ୍ଵାର ଲାଗେ ।

ଏ ତୁମ୍ଭ ଦୁହିତା ନାମ ଅଟେ ଜାମ୍ବବତୀ

ମଣି ଘେନି ଖେଳୁଥିଲା କନ୍ୟାଙ୍କର କତି ।

ତାରଗଣ ମଧ୍ୟେ ଯେହ୍ନେ ଉଦିତ ଚନ୍ଦ୍ରମା

ତେସନ ସଞ୍ଜାତ ଦିଶେ ତୋର ଯେଉଁ ଜେମା ।

ସ୍ୟମନ୍ତକ ଆଭରଣ ତାର କଣ୍ଠତଟେ

ପ୍ରତ୍ୟକ୍ଷେ ଆମ୍ଭେ ଯେ ଯାହା ଦେଖିଲୁ ନିକଟେ ।

ଅତିଦୁଃଖେ ଦୁଃଖୀ ଆମ୍ଭେ ଯହିଁର ନିମନ୍ତେ

ହସ୍ତର ପଦାର୍ଥ ତାହା ଛାଡ଼ିବୁ କେମନ୍ତେ ।

କନ୍ୟାହସ୍ତ ମଣି ଆମ୍ଭେ ଘେନିଲୁ ଉଛୁଡ଼ି

ତୁମ୍ଭ ସୈନ୍ୟମାନେ କଲେ ସଂଗ୍ରାମ ଯେ ହୁଡ଼ି ।

ଆମ୍ଭେ ମଣିକୁ ନିଅନ୍ତେ ଆମ୍ଭଙ୍କୁ ସେ ମାରି

ଘୋର ସଂଗ୍ରାମ ହୋଇଲା କହି ତା କେ ପାରି ।

ଏତେଦୂର ପରିଯନ୍ତେ ହୋଇଲା ଏ କଥା

ବିଧାତାର ଯୋଗ ଜାଣି ନ ପାରି ସର୍ବଥା ।

କେତେ ପରିଶ୍ରମ କଲୁ ଆମ୍ଭେ ସୁସ୍ଥେ ଥାନ୍ତୁ

ହେଉ କିବା ନୋହୁ କାର୍ଯ୍ୟ ବାର୍ତ୍ତା ଘେନିଯାନ୍ତୁ ।

ଆଉ କଥାଏ ଏବେ ତୁ ଶୁଣ ନୃପନାହା

ସ୍ମରଣ କର ତୁ ମନେ ବାଞ୍ଛା କଲୁ ଯାହା ।

ରାବଣ ମାରିଣ ଆମ୍ଭେ ଅଯୋଧ୍ୟା ଅଇଲୁ

ଜାନକୀକୁ କୋଳେ ଘେନି ଅଭିଷେକୀ ହେଲୁ ।

ଦେବଋଷି ରାଜଋଷି ବ୍ରହ୍ମଋଷି ମେଳେ

ଗଣଗନ୍ଧର୍ବ ଦେବତା ମିଳିଲେ ସକଳେ ।

ପଚିଶ ଯୂଥପତି ଯେ ଋକ୍ଷକପି ଯେତେ

ଲଙ୍କାରାଜା ବିଭୀଷଣ ଆଉ ସୈନ୍ୟ କେତେ ।

ଅଛନ୍ତି ଏ ଅଭିଷେକ ମଣ୍ଡପର କତି

ଶ୍ରଦ୍ଧାର ବଢ଼ିଲା ଏ କଥାରେ ତୁମ୍ଭ ମତି ।

ବୋଇଲେ ବଡ଼ ଏ ଦଶରଥର ନନ୍ଦନ

ଏହାଙ୍କ ସଙ୍ଗେ ସଂଗ୍ରାମ କରିବାକୁ ମନ ।

କ୍ଷତ୍ରି ବୃତ୍ତି ସବୁ ଜାଣେ ମାରି ଶରକାଳ

ମାଲଯୁଦ୍ଧ ଜାଣିବା କେତେ ଏହା ବଳ ।

ଜାଣିଲୁ ତୁମ୍ଭର ମନକଥା ଆମ୍ଭେ ତହୁଁ

ଏ ଯୁଗେ ସମର ଆଉ ହୋଇବ ବା କାହୁଁ ।

ଦ୍ଵାପରଯୁଗେ ସମରେ ଥିବ ବାଟ ଚାହିଁ

ଅଯୋଗେ ମିଳିବୁ ତୁମ୍ଭ ପୁରେ ଆମ୍ଭେ ଯାଇ ।

ଏତେ କାଳରେ ବିଧାତା ଭେଟ କଲା ଆଣି

ଆମ୍ଭେ ପାସୋରିଲୁ ତୁମ୍ଭେ ନ ପାରିଲୁ ଜାଣି ।

ଶୁଣି ଜାମ୍ବବ ନୁଆଁଇ କରେ ଦେଇ ମଥା

ବୋଲେ ଅନ୍ତର୍ଯ୍ୟାମୀ ନାଥ ଜାଣ ମନକଥା ।

ତ୍ରେତାଯୁଗେ ମନେ ବାଞ୍ଛା କରିଥିଲି ଯାହା

ଏତେକାଳ ଯାଏ ଚିତ୍ତେ ରଖିଅଛି ତାହା ।

ଏହା କହି ଜାମ୍ବବ ଶ୍ରୀଚରଣେ ପ୍ରଣମି

ସବୁ ଅପରାଧ କ୍ଷମା କର ଅନ୍ତର୍ଯ୍ୟାମୀ ।

ମୁଁ ହୀନ ପାମର ଋକ୍ଷ ଅଟେ ପଶୁଜାତି

ସେ କଥା ଲାଗି ସ୍ଵାମୀ କି ଦେଲେ ଏଡ଼େ ଶାସ୍ତି ।

ପର୍ବତକୁ ଟେକା ମାରି ମୁଁ ହୀନ ମନୁଷ୍ୟ

ଏ ମୋହର ଦୋଷରେଟି ମୁହିଁ ଗଲି ନାଶ ।

ନ ଜାଣିଣ ଦୋଷ କଲେ କିଛି ଦୋଷ ନାହିଁ

ଶ୍ରୀମୁଖେ କହିଲେ ଏହି କଥା ଯଦୁସାଇଁ ।

ତୁମ୍ଭେ ଆମ୍ଭର ସେବକ ଅଟ ପ୍ରାଣ ସଖା

ଯୋଗେଶ୍ଵର ପୁରୁଷ ତୁ ସିଦ୍ଧ ସଙ୍ଗେ ଲେଖା ।

ଭୂତ ଭବିଷ୍ୟତ ବର୍ତ୍ତମାନ ଜାଣ ବୁଦ୍ଧି

ସର୍ବବିଦ୍ୟା ପରିପୂର୍ଣ୍ଣ ଗୁଣ ମନ୍ତ୍ର ସିଦ୍ଧି ।

କରିଛ ତୁମ୍ଭେ ଅପାର ଉପକାର ଯାହା

ଏ ଜନମେ କିସ ଦେଇ ଶୁଝିବଇଁ ତାହା ।

ପୁଲକିତ ରୋମାବଳି ହେଲେ ଦେବହରି

ଆସ ଆସ ବୋଲି କୋଳେ ସମ୍ଭାଷଣ କରି ।

ମସ୍ତକେ ହସ୍ତ ବୁଲାଇ ପ୍ରଭୁ ବ୍ରହ୍ମରାଶି

ବ୍ରହ୍ମ ଷୋଡ଼ଶ ବରଷ ଯାଏ ଥାଅ ବସି ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଆଦି କରି

ନରେ ରାକ୍ଷସେ ସମରେ ନୋହିବେ କେ ସରି ।

ପୁତ୍ର ନାତି କୁଟୁମ୍ବାଦି ଅଚଳ ସମୃଦ୍ଧି

ପାତାଳୁଁ ସ୍ଵର୍ଗ ପର୍ଯ୍ୟନ୍ତେ ହୁଅ ଜମ୍ବଭେଦୀ ।

ଜାମ୍ବକ ବୋଇଲା ସ୍ଵାମୀ ଦେଲୁ ମୋତେ ବର

କଥାଏ ମାଗିବି ପ୍ରଭୁ ସତ୍ୟ ତୁମ୍ଭେ କର ।

ଶ୍ରୀଜଗନ୍ନାଥେ ବୋଇଲେ ମାଗିବ ହେ ଯାହା

ତ୍ରିବାର ସତ୍ୟ ଆବର ନିଶ୍ଚେଁ ଦେହୁ ତାହା ।

ଜାମ୍ବବ ବୋଲେ ଦୁହିତା ମୋର ନବଯୁବା

ପ୍ରଦାନ କରିବି ତୁମ୍ଭେ ହେବ ତାକୁ ବିଭା ।

ମୁହିଁ ଜାଣଇ ତୁମ୍ଭଙ୍କୁ ସେ କନ୍ୟା ପ୍ରାପତ

ଅବିବାହୀ ହୋଇଅଛି ଜାଣ ଯୁଗ ସାତ ।

ଇନ୍ଦ୍ରଦେବର ଭାରିଯା ଇନ୍ଦ୍ରାଣୀ ସେ ନାରୀ

ତାହାର ଗର୍ଭରୁ ଜାତ ହୋଇଲା କୁମାରୀ ।

ରାମାବତାରେ ତୁମ୍ଭଙ୍କୁ ମନେ ବରିଥିଲୁ

ଏକପତ୍ନୀ ବ୍ରତ ବୋଲି ଜାଣି ନ ବରିଲୁ ।

ଦ୍ଵାପର ଯୁଗେ ତୁମ୍ଭଙ୍କୁ ଭେଟିଲି ହେ ହରି

ବିଭା ହୋଇ କନ୍ୟା ନିଅ ଦ୍ଵାରକା ନଗରୀ ।

ଶ୍ରୀଜଗନ୍ନାଥ ସମ୍ମତ କଲେ ତାହା ଶୁଣି

ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ ସେ ଋକ୍ଷ ରାଜମଣି ।

ବିବିଧ ପଦାର୍ଥ ବିଭାପାଇଁ ଆଣ ସର୍ବ

ଧନ ବସ୍ତ୍ର ଅଳଙ୍କାର ଉପହାର ଦ୍ରବ୍ୟ ।

ତକ୍ଷଣେ ମନ୍ତ୍ରୀ ପଦାର୍ଥମାନ ନିର୍ଭାକରି

ବରବେଶ ହୋଇଲେକ ଆପେ ଦେବହରି ।

ସୁବର୍ଣ୍ଣ ବେଦୀରେ ବିଜେ ଦେବରାଜ ସ୍ଵାମୀ

ଦେବାଙ୍ଗ ବସ୍ତ୍ର ବେଢ଼ାଇ ଜାମ୍ବବତୀ ଆଣି ।

ଜାମ୍ବବତୀ ଜାମ୍ବବ ଏ ବସି ତହିଁ ଲାଗେ

ପଶ୍ଚିମେ ଶ୍ରୀଜଗନ୍ନାଥ ବସି ତହିଁ ଲାଗେ ।

ଲକ୍ଷେ ଜୟଶଙ୍ଖ ବାଜେ ଶତେକ ମହୁରୀ

ଢୋଲ ଟମକ ନିଶାଣ ମର୍ଦ୍ଦଳ ଯେ ଭେରୀ ।

ତାଳ କଂସାଳ ଉପାଙ୍ଗ ଡିବିଡିବି କୋଟି

ବେଣୁ ବୀଣା ମୃଦାଙ୍ଗାଦି ବାଜେ ପରିପାଟୀ ।

ଉଭୟ କୁଳ ଗୋତ୍ରକୁ ବୋଲି ଦ୍ଵିଜବରେ

କୁଶ ବନ୍ଧନ କରିଲେ ବରକନ୍ୟା କରେ ।

ହୁଳୁହୁଳି ବନ୍ଦାପନା ଦେଇ ନାରୀଗଣେ

ମଙ୍ଗଳ ଗୀତ ଗାବନ୍ତି ବରାଙ୍ଗନାମାନେ ।

ପୂରାଇ ଡାହାଣବର୍ତ୍ତ ଶଙ୍ଖେ ତୀର୍ଥଜଳ

ଅନେକ ଯୌତୁକ ଦେଲେ ଜାମ୍ବବ ଭୂପାଳ ।

ସହସ୍ରେକ ରଥ ଅଷ୍ଟରତ୍ନରେ ପୁରାଇ

ସମାରୋହେ ବେଦୀତଳେ ସମର୍ପିଲେ ନେଇ ।

ବେନିଲକ୍ଷ ଅଶ୍ଵ ରଥ ଅଶୀଲକ୍ଷ ଗଜ

ଲକ୍ଷେ ପରିବାରୀ ହେଲେ କରି ଦିବ୍ୟସଜ ।

ଗୋ ଭୂମି ମଇଁଷୀ ଦାସୀ ଦେଲେ ସମତୁଲେ

କୋଟି ବର୍ଣ୍ଣେ ବସ୍ତ୍ର ଦେଲେ ଆଣି ବେଦୀ ତଳେ ।

ପାତ୍ର ମନ୍ତ୍ରୀ ଅମନାତ୍ୟ ରାଜାଙ୍କ ସେବକ

ବିଷ୍ଣୁ ପ୍ରୀତିଅର୍ଥେ ଦେଲେ ସବୁ ଯଉତୁକ ।

ସରିଲା ବିଭା ବିଧାନ ସର୍ବେ ହେଲେ ତୋଷ

ଫିଟିଲା କୁଶବନ୍ଧନ ଉଠି ହୃଷୀକେଶ ।

ପୁରୋହିତ ବିଦ୍ଵଜନେ ଲାଜାହୋମ କଲେ

ଅଗ୍ନି ପ୍ରଦକ୍ଷିଣ କରି ଘୃତ ଭୁଞ୍ଜାଇଲେ ।

ଜାମ୍ବବ ବୋଲେ ଦେବାଧିଦେବଙ୍କର ରାଜା

ବ୍ରହ୍ମ ଇନ୍ଦ୍ର ଗଙ୍ଗାଧର କରି ତୋତେ ପୂଜା ।

ଅନୁଗ୍ରହ ନାଥ ତୁମ୍ଭେ ଚିନ୍ତ୍ୟ ଚିନ୍ତାମଣି

ସକଳ ବ୍ରହ୍ମାଣ୍ଡ ପରେ ତୁମ୍ଭେ କ କାରେଣି ।

ସର୍ବଦା ତୁମ୍ଭ ଦାସର ଅଟଇ ମୁଁ ଦାସ

ସର୍ବ ଜୀବ ପାଳକେ ହେ ତୁମ୍ଭେ ବିଶ୍ଵବାସ ।

ଦୁହିତା ଦେଇ ସମର୍ପି ଦେଲି ମୁହିଁ ତୋତେ

କୁଟୁମ୍ବ ସହିତେ ଦେବ ପାରିକର ମୋତେ ।

ଏତେ ବୋଲି ପୁଣ ପୁଣ ଜାମ୍ବବ ଉତ୍ସୁକ

ସ୍ୟମନ୍ତକ ମଣି ଦେଲା ଅକ୍ଷତ ଯୌତୁକ ।

ସାରି ବିଭାବିଧି ସର୍ବେ ହୋଇଲେକ ତୋଷ

ଅନ୍ତଃପୁରେ ବରକନ୍ୟା ହୋଇଲେ ପ୍ରବେଶ ।

ସ୍ନାନ ସାରିଣ ଶଉଚ ହେଲେ ଦେବହରି

ଉଦ୍ଧବ ସଙ୍ଗେ ମଣୋହି ସ୍ଥାନେ ବିଜେକରି ।

ଉତ୍ତମ ଦ୍ରବ୍ୟ ସୁପକ୍ଵ ଯୋଗାଡ଼ ବ୍ୟଞ୍ଜନ

ଏକତ୍ର ଭୁଞ୍ଜନ୍ତି ଜାମ୍ବବତୀ ନାରାୟଣ ।

ଅପୂର୍ବ ବ୍ୟଞ୍ଜନ ଶାଳୀଅନ୍ନ ଘୃତପକ୍ଵ

ମଢ଼ଫୁଲିଏ ପରଷୁଛନ୍ତି ଏକ ଏକ ।

ଭୁଞ୍ଜିଣ ତୃପତି ହେଲେ ଦେହ ନରହରି

ଅନେକ ଦିନର କ୍ଷୁଧା ପରିଶ୍ରମ ହରି ।

ଜନମୁଖେ ନିନ୍ଦା ଶବ୍ଦ ଶୁଭିଲାକ ଯେତେ

ଅତି ଆତଙ୍କ ହୋଇଣ ବୁଲି ତ୍ରିଜଗତେ ।

ସକଳ କାର୍ଯ୍ୟ ହିଁ ହେଲା ତୋଷ ହେଲା ମନ

ପାଟବଂଶୀ କନ୍ୟା ଲଭି ଦେହ ଭଗବାନ ।

ବିଶେଷେ ଜାମ୍ବବ ସଙ୍ଗେ ହେଲା ପ୍ରୀତିଭାବ

ଦ୍ଵାଦଶ ଦିନ ରହିଲେ ତହିଁ ବସୁଦେବ ।

ଚଉଠୀ ଅଷ୍ଟମଙ୍ଗଳା ଚନ୍ଦ୍ର ବନ୍ଦାପନା

ବେଦଶାସ୍ତ୍ରର ପ୍ରମାଣେ ଯେସନ ରଚନା ।

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ବାସର ସଉରି

ସ୍ଵାତୀନକ୍ଷତ୍ର ସୌଭାଗ୍ୟ ଯୋଗ ଧରିକରି ।

ରାତ୍ର ପାହାନ୍ତିରେ ଚାରେ ଜାମ୍ବବ ଜଣାଇ

ଶ୍ରୀଜଗନ୍ନାଥ ଲେଉଟା ରଥରେ ଆରୋହି ।

ଉଦ୍ଧବ ସାରଥି ହୋଇ ବାହଇ ସେ ରଥ

ଜାମ୍ବବତୀ ଘେନି ରଥେ ବିଜେ ଜଗନ୍ନାଥ ।

ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରାୟ ତାହା ମଣି

ଦେଖିଲେ ଯେ ଜଗନ୍ନାଥ ସଂସାର କାରେଣି ।

ଆଗରେ କନ୍ୟା ପଛରେ ପ୍ରଭୁ ଆଦିମୂଳ

ପୁରୁଷ ଉତ୍ତମ ନାହିଁ ଶୂନ୍ୟ ନାହିଁ ଠୁଳ ।

ଜଳସ୍ଥଳ ଅନଳ ଏ ସବୁ ଅଛି ବହି

ଏହାଙ୍କର ନାଶ ଗଲେ ସଂସାର କି ରହି ।

କେହି ବୋଇଲେ ନୁହନ୍ତି ଅବା ଦେବହରି

କେହି ବୋଲନ୍ତି ବୁଝିବା ସିନା ତଥ୍ୟକରି ।

କେ ବୋଲଇ ଇନ୍ଦ୍ର ଅବା ମାୟାଜାଲ କଲା

ମଲା ଲୋକ କେହି ଅବା ବାହୁଡ଼ି ଅଇଲା ।

ଏ କଥା ଗୋଟି ତ ବଡ଼ ଦେଖିଲୁ ପ୍ରତ୍ୟକ୍ଷ

ସାତ୍ୟକି ଅକ୍ରୁର ଅନାଧୃଷ୍ଟ କହି ମିଛ ।

ଏତେ ବୋଲିଣ ଯାଦବେ ହରଷରେ ଚାହିଁ

ରଥ ଉତୁରି ସଭାରେ ବିଜେ ପ୍ରଭୁ ଯାଇ ।

ଜାମ୍ବବତୀକି ଉଦ୍ଧବ ଅନ୍ତଃପୁରେ ନେଲେ

ଶ୍ରୀଜଗନ୍ନାଥ ଯାଦବେ ଏକତ୍ରେ ରହିଲେ ।

ଦେବକୀ ଯେ ଇନ୍ଦୁମତୀ ସୁଭଦ୍ରା ରୋହିଣୀ

ନିସ୍ତରିଲୁ ବୋଇଲେ ଯେ ଏ ବାରତା ଶୁଣି ।

ମୃଦୁସୁଲୀ ଜଣାଇଲା ରୁକ୍ମିଣୀ ଅଗ୍ରତେ

ମାଗୋ ଦିଶିଲା ତୋ ଭାଗ୍ୟ ବିଜେ ଜଗନ୍ନାଥେ ।

ଆଣିଛନ୍ତି ସ୍ୟମନ୍ତକ ମଣି ଅନୁପମା

କନ୍ୟା ଏକ ବିଭା ହୋଇ ଜାମ୍ବବତୀ ନାମା ।

ଆପେ ଯାଦବ ସଭାରେ ଅଛନ୍ତି ଯେ ବସି

କନ୍ୟାକୁ ଘେନି ଉଦ୍ଧବ ନଅରରେ ପଶି ।

ଏ କଥା ନିଶ୍ଚୟ ଆମ୍ଭେ ଅଇଲୁଣି ଦେଖି

ମିଛ କଥାରେ ଗୋ ମାତ ହୋଇଅଛୁ ଦୁଃଖୀ ।

ବିଧବା ଲକ୍ଷଣ ନାହିଁ ହୋଇଛ ବିରସ

ଜନ୍ମ ସଫଳ ହୋଇଲା ପାପ ଗଲା ନାଶ ।

ମୃଦୁସୁଲୀଙ୍କ ବଚନ ଶୁଣି କୃଷ୍ଣରାଣୀ

ନିସ୍ତରିଲି ନିସ୍ତରିଲି ବୋଲି ଠାକୁରାଣୀ ।

ଅନ୍ଧକୁ ପ୍ରାପତ କିବା ହେଲା ଦିବ୍ୟଚକ୍ଷୁ

ପଥେ ସମ୍ପଦ ପାଇ କି ଦରିଦ୍ର ଯେ ଭିକ୍ଷୁ ।

ଚାତକ ମୁଖେ କି ହେଲା ମେଘଜଳ ବୃଷ୍ଟି

ଚନ୍ଦ୍ର ଦେଖି ଯେହ୍ନେ ହର୍ଷେ କଇଁଫୁଲ ଫୁଟି ।

ବୁଭୁକ୍ଷିତି ପ୍ରାଣୀ କିବା ପାଇଲା ଭୋଜନ

ମୃତ ପିଣ୍ଡ ଗର୍ଭରେ କି ପଶିଲା ଜୀବନ ।

ସମସ୍ତ ପାଟବଂଶୀ ଏ କୃଷ୍ଣ ମନୋହରୀ

ରାମ ଜନ୍ମରେ ଯେସନେ ଅଯୋଧ୍ୟା ନଗରୀ ।

ଏକୁ ଆରେକ ହରଷ ହେଲେ ସେହିପରି ।

ତକ୍ଷଣେ ବେଶ ଭୂଷଣ ହେଲେ କୃଷ୍ଣ ନାରୀ ।

ଲୋଟଣୀଜୁଡ଼ା ପାରି କେ ବାନ୍ଧି ମଥାବେଣୀ

ମେଘାଡମ୍ବର ଖୋଷାକୁ ଖୋଷି ନାଗଫେଣୀ ।

କର୍ଣ୍ଣେ ତଡ଼ପ ମୁକୁତା ଝରା ଫେର କାପ

ବିବିଧ ରତନ ହାର ସପ୍ତଫେଣୀ ଧାପ ।

ବିଦ ମୁଦି ତାଡ଼ ତୋଡ଼ କଙ୍କଣ ବାହୁଟି

ନୁପୁର ମେଖଳା ରୁଣଝୁଣ ପାଦକଟୀ ।

ପିନ୍ଧି ଦେବାଙ୍ଗ ବାସନ ନାକେ ନାକଚଣା

ସମସ୍ତେ ସୁବେଶ ହେଲେ ଏକୁଁ ଏକ ଜିଣା ।

କସ୍ତୁରୀ ଆବର ଗନ୍ଧ ପୁଷ୍ପ ପନି ପାଣି

ଛାଡ଼ି ବିଧବାର ବେଶ ସୁନ୍ଦରୀ କାମିନୀ ।

ପଞ୍ଚରତ୍ନ ମାଣିକ୍ୟରେ ଭରି ଅର୍ଘ୍ୟସ୍ଥାଳୀ

ଶ୍ରୀକୃଷ୍ଣଙ୍କୁ ଅନୁସରି ବସି ସର୍ବ ବାଳୀ ।

ଶୁକମୁନି ବୋଲନ୍ତି ହୋ ଶୁଣ ନୃପମଣି

ଶ୍ରୀଭାଗବତ ପୁରାଣ ପୁଣ୍ୟମୟ ଧ୍ଵନି ।

ଯାଦବଙ୍କୁ ସଙ୍ଗେ ଘେନି ଶ୍ରୀହରି ଆନନ୍ଦେ

ଦେଖି ସାନନ୍ଦ ହୋଇଲେ ଯଦୁକୁଳ ବୃନ୍ଦେ ।

କୁଶସ୍ଥଳୀ ଦ୍ଵାରକାରେ ପାଇଣ ବାରତା

ପରମ ସାନନ୍ଦ ହେଲେ ଛାଡ଼ି ସର୍ବ ଚିନ୍ତା ।

ଛାଡ଼ିଲେ ମନ ବେଦନା ସକଳ ଯେ ଦୁଃଖ

ଲଭିଲେ ପରମ ସୁଖ ଦେଖି ପଦ୍ମମୁଖ ।

ନାରାୟଣ ବୋଇଲେକ ଉଗ୍ରସେନେ ଚାହିଁ

ବହୁତ କଷ୍ଟ ପାଇଲି ଏହି ମଣି ପାଇଁ ।

ସ୍ଵର୍ଗ ମଞ୍ଚ ପାତାଳକୁ କରି ଉପଲକ୍ଷ୍ୟ

ଦେବ ଭଣ୍ଡାର ପ୍ରଭୃତି ଧର୍ମ କରି ସାକ୍ଷ୍ୟ ।

ଖାଲ ଡିଙ୍ଗର ଅରଣ୍ୟ ଲତା ଗୁଳ୍ମମାଳ

ସପତ ଦ୍ଵୀପା ପୃଥିବୀ ଖୋଜିଲୁ ସକଳ ।

କାହିଁ ସ୍ୟମନ୍ତକ ମଣି ନ ପାଇଲୁ ଲେଶ

ବିବର ଦ୍ୱାର ଭେଟିଲୁ ଯାଇ ସିନ୍ଧୁ ପାଶ ।

ଏତିନିଙ୍କ ଦ୍ୱାରେ ରଖି ପଶିଲି ଭିତରେ

ଉଦ୍ଧବଙ୍କୁ ସଙ୍ଗେ ନେଇ ଗଲୁ ସେ ବିବରେ ।

ସୁମାର୍ଗେ ଦେଖି ଅନେକ ଦୂର ଆମ୍ଭେ ଗଲୁ

ବାରସ୍ଵତୀ ପ୍ରାୟ ତହିଁ ପୁରେକ ଦେଖିଲୁ ।

ଶ୍ରୀରାମ ମନ୍ତ୍ରୀ ଜାମ୍ବବ ତହିଁର ଯେ ରାଜା

ଅଚିନ୍ତା ଐଶ୍ୱର୍ଯ୍ୟେ ରହିଛନ୍ତି ଜନପ୍ରଜା ।

ନଗ୍ର ପରିମଳ ଦେଖି ଗଲୁ ଏତେ ବେଗେ

ଗଗନ୍ତେ ଯାଇଁ ମିଳିଲୁ ସିଂହଦ୍ଵାରେ ଲାଗେ ।

ଦେଖିଲୁ ଜାମ୍ବବ ରାଜା ଝିଅ ଜାମ୍ବବତୀ

ମଣି ଘେନି ଖେଳୁଅଛି କନ୍ୟାଙ୍କ ସଙ୍ଗତି ।

ମନମଧ୍ୟୁ ଚିନ୍ତାଗଲା ମଣି ଦେଖିକରି

କନ୍ୟାର ଗଳାରୁ ମଣି ଘେନିଲୁ ଉଛୁଡ଼ି ।

ଜାମ୍ବବ ମନ୍ତ୍ରୀ ସଙ୍ଗତେ ଘୋର ଯୁଦ୍ଧ ହେଲା

ପରାଜୟ ପାଇ ଯାଇଁ ରାଜାଙ୍କୁ କହିଲା ।

ସମଦଣ୍ଡ ଘେନି ରାଜା ଅଇଲାକ ବାହି

ରଥ ଗଜ ଅଶ୍ଵ ତାର କଳନା ନ ଯାଇ ।

ତ୍ରେତାଯୁଗ ମଲ୍ଲ କ୍ଷତ୍ରୀ ଅଟଇ ଜାମ୍ବବ

ଅଜରାମର ତ୍ରିବୀଜ ରାଜ୍ୟ ଅସମ୍ଭବ ।

ମୃତ ସଞ୍ଜିବନୀ ମନ୍ତ୍ର ଜାଣଇ ନିର୍ଭରେ

ମହାମନ୍ତ୍ର ପୋଥିଧାତା ଦେଇଛି ତା କରେ ।

ମାଇଲେ ସେ ନ ମରନ୍ତି ଜୀଅନ୍ତି ଲେଉଟି

ଅପର୍ଯ୍ୟାପ୍ତ ଋକ୍ଷସୈନ୍ୟ ତାର କୋଟି କୋଟି ।

ଆଧାନ ସନ୍ଧାନ ଦେବ ଶାସ୍ତ୍ର ଯାହା କଲୁ

ସୁଦର୍ଶନ ଚକ୍ର ଶତେବା ରହିଁ ମାଇଲୁ ।

କଉଣସି ଶସ୍ତ୍ର ଭେଦ ନୋହିଲା ତା ଅଙ୍ଗେ

ବିଚାରିଣ ମାଲଯୁଦ୍ଧ କଲୁ କାର ସଙ୍ଗେ ।

ଚବିଶ ଦିନ ପର୍ଯ୍ୟନ୍ତ ଲାଗିଣ ଆରେଣି

ଏକକୁ ଆରେକ କେହି ନ ପାରିଲୁ ଜିଣି ।

ବହୁ ପରିଶ୍ରମ ଆମ୍ଭେ ପାଇ ବେନିଜନ

ଶରୀର ପୀଡ଼ା ପାଇଲୁ ଆଶା ଛାଡ଼ି ପ୍ରାଣ ।

ଆହାର ନିଦ୍ରା ମୈଥୁନ ବିବର୍ଜିତ ପୁଣି

ବଞ୍ଚିବା ଆଶା ଛାଡ଼ିଲୁ ମୃତ୍ୟୁ ଆଶା ଘେନି ।

ଏସନ ସମୟେ କାହୁଁ ବିଧାତାର ବଳେ

ଷଡ଼ରସ ଅନ୍ନ ମିଳେ ମୋର କରତାଳେ ।

ଭଞ୍ଜନ୍ତେ ବଳ ହୋଇଲା ମନେ ପାଇ ତୁଷ୍ଟ

ମନେ ଭାବିଲୁ ଭୋଜନ ଦେଲେ ପରମେଷ୍ଠ ।

ଲେଉଟାଇ ଜାମ୍ବବକୁ ପାରି ଭୂମିତଳେ

ଆକ୍ରୋଶି ଶତେକ ବିଧା ମାରି ବକ୍ଷସ୍ଥଳେ ।

ବିଧା ଆଘାତେ ଜାମ୍ବବ ହେଲା ମୋହଗତ

ବୋଲେ କେ ବଶ ମହାତ୍ମା କହ ମୋତେ ସତ ।

ମୁଁ ଶ୍ରୀରାମ ମନ୍ତ୍ରୀ ପୂର୍ବେ ଅଛି ବର ପାଇ

ସ୍ଵର୍ଗ ମଞ୍ଚ ପାତାଳରେ ଜିଣନ୍ତା କେ କାହିଁ ।

ବ୍ରହ୍ମା ଇନ୍ଦ୍ର ଆଦି ଦିଗପାଳ ଶୂଳପାଣି

ଗନ୍ଧର୍ବ ମାନବ ନାଗ ନ କରିବେ ଜିଣି ।

ବର୍ଣ୍ଣ ଚିହ୍ନ ଦେଖିଣ ସେ ହୋଇଲା ସନ୍ତୋଷ

ଅପରାଧ ମାଗି ନେଲା କହି ଆମ୍ଭ ପାଶ ।

କଥାର ତଦନ୍ତ ଜାଣି ଜାମ୍ବବ ନୃପତି

ଛାଡ଼ି ସଂଗ୍ରାମ ଆମ୍ଭଙ୍କୁ କଲା ବହୁସ୍ତୁତି ।

ଆମ୍ଭେ ବୋଇଲୁ ଏ ମଣି ଅଟଇ ଆମ୍ଭର

ତୁମ୍ଭେ କେମନ୍ତେ ପାଇଲ କହ ନୃପବର ।

ସିଂହ ପୁରୁଷେକ ମାରି ଘେନି କରେ

ଯାଇଥିଲା ଭେଟିଲି ମୁଁ ପର୍ବତ ଉପରେ ।

ସିଂହକୁ ମାରି ଆଣି ସ୍ୟମନ୍ତକ ମଣି

ସନ୍ତୋଷ ହୋଇଲୁ ଆମ୍ଭେ ଏ ବଚନ ଶୁଣି ।

ଜାଣିଲୁ ପ୍ରସନ୍ନାଜିତ ସିଂହ ହସ୍ତେ ମଲା

ଜାମ୍ବବତୀ ବୋଲି ତାର ଦୁହିତାଏ ଥିଲା ।

ତାକୁ ବିଭାଦେଇ ମଣି ଦେଲା ଯଉତୁକ

ଗଉରବ କଲା ମନ୍ତ୍ରୀ ଆମ୍ଭଙ୍କୁ ଅନେକ ।

ବାରି ବସ ରହିଲୁ ଚଉରବ ପାଇ

ଜାମ୍ବବତୀକୁ ଘେନିଣ ଅଇଲଇଁ ମୁହିଁ ।

ସାତ୍ୟକି ଅକ୍ରୁର ଅନାଧୃଷ୍ଟ ରୁହାଇଲୁ

ବାହୁଡ଼ି ଆସନ୍ତେ ତାଙ୍କୁ ତହିଁ ନ ଭେଟିଲୁ ।

ଶ୍ରୀଜଗନ୍ନାଥ ଉକତି ପୁଣି ହଳପାଣି

ଇଦଂ ପ୍ରତିବାକ୍ୟ କହି ଶୁଣ ଚକ୍ରପାଣି ।

ସାତ୍ୟକି ଅକ୍ରୁର ଅନାଧୃଷ୍ଟ ମନ୍ଦବାଣୀ

ଶୁଣିଣ ଆମ୍ଭେ ରୋଦନ କଲୁ ପୁଣ ପୁଣି ।

ଏହାଙ୍କ କହତେ ପୁର ହେଲା ହାଲହୋଳି

ଅକଣ୍ଟକ ଦ୍ଵାରକାରେ ପଡ଼ିଲା ବୋବାଳି ।

ଅଶୁଭ ବିଧବା ରୂପ ଅନ୍ତଃପୁରେ ନାରୀ

ଶୋକ ସନ୍ତାପ ସାଗରେ ଆମ୍ଭେ ହେଲୁ ଘାରି ।

ଶକ୍ରାଜିତ ଯୋଗୁଁ ସିନା ହେଲା ଏତେ ମନ୍ଦ

ଅନିମିତ୍ତେ ଦୋଷ ଦେଇ କଲେ ଏତେ ଦ୍ଵନ୍ଦ୍ଵ ।

କହୁଁ କ୍ରୋଧ କଲେ ସେ ଦେବାଧି ଦେବରାଜେ

ରତ୍ନପାଦୁକା ଛାଡ଼ିଣ ପୟରରେ ବିଜେ ।

ସର୍ବ ଯାଦବେ ଗହଣେ ଛନ୍ତି ଅଗସରି

ହରଷିତ ବୃଷ୍ଟିପାଦ ଦ୍ଵାରକା ନଗରୀ ।

ଆନନ୍ଦ ଦେଖନ୍ତି ଦ୍ଵାରକାର ନରନାରୀ

ଉଦ୍ଧବର କରେ କର ଦେଇ ବିଜେ ହରି ।

ଅର୍ଘ୍ୟସ୍ଥାଳୀ କରେ ଘେନି ବିଜେ ଇନ୍ଦୁମତି

ଶ୍ରୀକୃଷ୍ଣଙ୍କ ଶିରେ ଅର୍ଘ୍ୟ ଘେନିଣ ବନ୍ଦାବନ୍ତି ।

ଆବର ଶ୍ରୀକୃଷ୍ଣଙ୍କର ଯେତେ ମନୋହାରୀ

ରୁକ୍ମିଣୀ ରେବତୀ ସଙ୍ଗେ ଘେନି ପରିବାରୀ ।

କାଳିନ୍ଦୀ ଶ୍ରୀୟା ତୁଳସୀ ଆଦି ଜାମ୍ବବତୀ

ସର୍ବ କନ୍ୟାମାନେ ଅର୍ଘ୍ୟ ଘେନିଣ ବନ୍ଦାନ୍ତି ।

ଜୟ ମଙ୍ଗଳ ମହୁରି ବାଜେ ଅପ୍ରମିତ

ଭିତର ପୁରକୁ ବିଜେ କଲେ ଜଗନ୍ନାଥ ।

ଦିବାକର ଅସ୍ତଯାନ୍ତେ ହୋଇଲା ରଜନୀ

ନିତ୍ୟକର୍ମ ସାରି ବିଜେ କଲେ ଚକ୍ରପାଣି ।

ସୁପକ୍ଵ ଅନ୍ନ ଭୁଞ୍ଜନ୍ତି ବସି ଦେବରାୟେ

ଆଚମନ ସାରି ପ୍ରଭୁ ପଲ୍ୟଙ୍କେ ବିଜୟେ ।

ସମସ୍ତ ଯାଦବେ ତହିଁ ଉଭା ହୋଇଥିଲେ

ଶକ୍ରାଜିତକୁ ଚାହିଁଣ ବାକ୍ୟ ଉଚ୍ଚାରିଲେ ।

ଆସ ଆସ ଶକ୍ରାଜିତ ତୁମ୍ଭ ମଣି ଦେଖ

ଏ ମଣି ଯୋଗୁଁ ପାଇଲୁ ଆମ୍ଭେ ଏତେ ଦୁଃଖ ।

ଏ ମଣିକି ଘେନି ତୁମ୍ଭେ ନିଜପୁରେ ଯାଅ

ଏକାନ୍ତ ବାଣୀ କହିଲେ ପ୍ରଭୁ ଦେବରାୟ ।

ତାହା ଶୁଣି ଶକ୍ରାଜିତ ବୋଲେ ଏ ବଚନ

ଏ ମଣିଗୋଟି ତୁମ୍ଭଙ୍କୁ ଦେଲି ଭଗବାନ ।

ଆଗହୁଁ ଯେବେ ଏ ମଣି ଦିଆ ହୋଇଥାନ୍ତା

ମୋ ଭାଇ ପ୍ରସନ୍ନାଜିତ କିପାଇଁ ମରନ୍ତା ।

ଦେଶ ବିଦେଶରେ ଯଶ ପୌରୁଷ ରହନ୍ତା

ତୁମ୍ଭ ମନରେ କିପାଇଁ ଦୁଃଖ ଉପୁଜନ୍ତା ।

ଭୋ ମହାପ୍ରଭୁ କଲଇଁ ପଦାର୍ଥରେ ଲୋଭ

ଦୋଷ ଅନୁରୂପେ ପାଇଲହିଁ ପରାଭବ ।

ଶ୍ରୀଜଗନ୍ନାଥ ରାଇଲେ ଯାଦବ ମାନନ୍ତ

ଆମ୍ଭଙ୍କୁ ଏ ମଣିଗୋଟି ଦେଲେ ଶକ୍ରାଜିତ ।

ଶୁଣିଣ ଉସତ ହେଲେ ସକଳ ଯାଦବ

ନିଜ ସ୍ଥାନେ ଗଲେ ଆଜ୍ଞା ଦେଲେ ବାସୁଦେବ ।

ଅବକାଶ ମନ୍ଦିରରେ ପହୁଡ଼ିଲେ ହରି

ସନ୍ନିଧେ ମିଳିଲେ ଆସି ଭୀଷ୍ମଙ୍କ କୁମାରୀ ।

ଧୀର ଧୀର କରି ପାଦ ମଞ୍ଚାଳି ରୁକ୍ମିଣୀ

କେତେ ରଙ୍ଗ ରସଭରେ ପାହିଲା ରଜନୀ ।

ନିତ୍ୟ କର୍ମ ସାରିଲେକ କୃଷ୍ଣ ହଳଧରି

ଯାଦବନ୍ତ ଘେନି ଆସ୍ଥାନରେ ବିଜେ କରି ।

ଶୁକ ବ୍ରହ୍ମା ବୋଇଲେ ହୋ ଶୁଣ ନୃପରାୟେ

ଶଏ ସତୁରୀ ଅଧ୍ୟାୟ ସମାପତ ହୁଏ ।

 

ସତ୍ୟଭାମା ପରିଣୟ

 

ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା

ଶୁକ ମୁନି ଚରଣରେ କଲେ ଦିବ୍ୟପୂଜା ।

ଭୋ ମୁନି ମଣି ଚରିତ କହିଲେ ବିଶେଷି

ଏଥୁ ଅନନ୍ତରେ କିସ କଲେ ବ୍ରହ୍ମରାଶି ।

ତାହା ମୋତେ ବିସ୍ତାରିଣ କହ ମୁନିବର

ଏ ତୁମ୍ଭ ବଚନ ଶୁଣି ପାପ ହେଉ ଦୂର ।

ରାଜାର ବଚନ ଶୁଣି କହେ ଶୁକଯତି

ଏକମନେ ଶୁଣ ତୁ ହୋ ସୁଭଦ୍ରାର ନାତି ।

ସୁଧର୍ମା ସଭାରେ ଯହୁଁ ବିଜେ ଭଗବାନ

ବଳଦେବ ସହିତରେ ରାଜା ଉଗ୍ରସେନ ।

ବସୁଦେବ ଆଦିକରି ସାତବଂଶ ଘେନି

ସୁଧର୍ମା ସଭାରେ ବସିଥିଲେ ଭାଇ ବେନି ।

ଏ ସମୟେ ଶେଷକାଳେ ଶକ୍ରାଜିତ ବୀର

ପ୍ରଣାମ କଲେ ସେ ଉଗ୍ରସେନର ପୟର ।

ଶତସସ୍ର ଦଣ୍ଡବତ ଆସ୍ଥାନରେ ତଳେ

ଛାମୁରେ ଉଭା ସେ କରଯୋଡ଼ିଣ କପାଳେ ।

ଶକ୍ରାଜିତ କହଇ ସେ କରି ବଡ଼ ଭୀତି

ଅପାର ଦୋଷ କଲି ମୁଁ ଅଜ୍ଞ ମୁଢ଼ମତି ।

ଶ୍ରୀକୃଷ୍ଣଙ୍କୁ ଅପଖ୍ୟାତି ଦେଲି ମୁଁ ନ ଜାଣି

ତହିଁକି କରନ୍ତି କୋପ ମୋତେ ଚକ୍ରପାଣି ।

ଉଗ୍ରସେନ ବୋଲଇ ସେ କ୍ଷମାର ସାଗର

ତୁମ୍ଭଙ୍କୁ କୋପ କିପାଇଁ ହେବ ତାହାଙ୍କର ।

ପୁଣି ଉଗ୍ରସେନ ବୋଲେ ଶକ୍ରାଜିତେ ଚାହିଁ

ତୁମ୍ଭଙ୍କୁ ଶ୍ରୀକୃଷ୍ଣ ଚିତ୍ତେ ବିକୃତି ଯେ ନାହିଁ ।

ଆସ ଆସ ଶକ୍ରାଜିତ ଦରଶନ କର

ବହୁଦିନର ତୁମ୍ଭର ପାପରାଶି ହର ।

ଏହା ଶୁଣିଣ ଚଳଇ ବେଗେ ଶକ୍ରାଜିତ

ଆସ୍ଥାନରେ ବିଜେ କରିଛନ୍ତି ବେନି ଭ୍ରାତ ।

ବୈକୁଣ୍ଠ ତେଜି ବିଜୟେ କି ସେ ବିଷ୍ଣୁନାଥ

କୃଷ୍ଣମୁଖ ଚାହିଁ ସ୍ତୁତି କରି ଶକ୍ରାଜିତ ।

ସାଧୁ ମୋହର ଜୀବନ ଅଟେ ଜନ୍ମେ ଜନ୍ମେ

ପ୍ରତ୍ୟକ୍ଷେ ନିରାକାର ମୁଁ ଦେଖିଲି ନୟନେ ।

ଏ ଦ୍ଵାରକା ଭୁବନରେ ବାସ ଯେତେ ଜନ

ତାହାଙ୍କ ଜୀବନ ଜନ୍ମ ଅଟଇ ଯେ ଧନ୍ୟ ।

ଅପାର ଦୋଷ କଲଇଁ ମୁହିଁ ଦୁଷ୍ଟ ମନ୍ଦ

ଚିହ୍ନି ନ ପାରି ଚିନ୍ତିଲ ଏଡ଼େ ପରମାଦ ।

ଅକସ୍ମାତେ ଦୋଷ ପ୍ରଭୁ ଦେଲି ଦୁଷ୍ଟପଣେ

ବହୁ ଭର୍ତ୍ସନା ବୋଇଲି କେଉଁ ବଡ଼ପଣେ ।

ସ୍ଵାମୀ ସଂସାର ପ୍ରସ୍ତାବେ ଦୋଷ ଦେଲି ଯେତେ

ଭାଇକି ମୋ ମାରି ମଣି ନେଲେ ଜଗନ୍ନାଥେ ।

ଯାଦବେ ପ୍ରତୀତି ଗଲେ ମୋର ବାକ୍ୟ ଶୁଣି

ପ୍ରସନ୍ନାଜିତ ମାଇଲେ ନିଶ୍ଚେ ଚକ୍ରପାଣି ।

ମୁଁ ହୀନ ପାମର ବୋଲି ସ୍ୱାମିକି ଯେ ତୁଟି

ଯାଦବେ ସଭାରୁ ଗଲେ ମୋ ବଚନେ ଉଠି ।

ଅଜ୍ଞାନପଣେ ନ ବୁଝି ବୋଇଲଇଁ ଯାହା

ମୋଠାରୁ ମନ୍ଦ ପାପିଷ୍ଠ ନାହିଁ ନା ଦୋରେହା ।

ମହାଭୟେ ହୁଦେ ଏକା ଶକ୍ରାଜିତ ବୋଲି

ସାଷ୍ଟାଙ୍ଗେ ଶୁତିଲା କୃଷ୍ଣପାଦେ ଗଡ଼ଘାଲି ।

ଅନେକ ପ୍ରକାରେ କଲି ପାଦପଦ୍ମେ ଦୋଷ

ସେ ସବୁ ଉପେକ୍ଷା କର ବସୁଦେବ ଶିଷ୍ୟ ।

ପାୟେ ପଡ଼ି ଶକ୍ରାଜିତ କରି ନିଉଛାଳି

ଶରୀରୁ ତ୍ରିପଣ୍ଡ ଶ୍ରମଝାଳ ପଡ଼େ ଗଳି ।

ଧୂଳି ମାଟିରେ ଅଦୃଶ୍ୟ ଶକ୍ରାଜିତ କାୟେ

ଭୟ ପାଇ ତା ଶରୀର ଗୋଟା ଖିନ୍ନ ହୋଏ ।

ମସ୍ତକରେ ବେନିକର ଦେଇ ଶକ୍ରାଜିତ

ବହଇ ଯାଦବ ହୋଇ ବିନୟ ଭାବିତ ।

ତୁମ୍ଭେ ଅଟ ବିଷ୍ଣୁ ନାଥ ପ୍ରଭୁ ଅବତାର

ତୁମ୍ଭେ ଦେବ ନିବାରିବା ପୃଥ୍ଵୀ ଭାରାଭର ।

ସୌନିଧି ନାମେ ତୁମ୍ଭର ବଇକୁଣ୍ଠ ତେଜି

ଚଉଦ ଭୁବନେ ବାନା ଅଛଇ ଦିରାଜି ।

ଜଗତର ଅଳଙ୍କାର ଯାହା ନାମଗୋଟି

କି ଉପମା ଦେବି ମୁହିଁ ଏ ମାନବ ସୃଷ୍ଟି ।

ସ୍ଵାମୀ ପୃଥ୍ଵୀ ଆପ ତେଜ ଦାୟବ୍ୟ ଆକାଶ

ପଞ୍ଚ ମହାଭୂତ ତହିଁ କରିଛନ୍ତି ବାସ ।

ପ୍ରାଣପାନ ବ୍ୟାନୋଦନ ସମାନ ପଞ୍ଚାତ୍ମା

ସାଧୁପୁରୁଷ ସଦୟ ପୁରୁଷ ମହାତ୍ମା ।

ତୁମ୍ଭେ ଯେ ବଞ୍ଚିଲ ନାଥ କାଳ କାମନିଦ୍ରା

ପରଂବ୍ରହ୍ମ ଯେ ସାଧିଲ ତୁମ୍ଭେ ସର୍ବମୁଦ୍ରା ।

ପାପଆଶା ତେଜି ଟେକି ଅଜପା ମୂରତି

ସତ୍ୟ ଧର୍ମପୁରୁଷ ତୁ ଅକ୍ଷୟ ତୋ ଜ୍ୟୋତି ।

ପାପ ଅହଙ୍କାର ଆଦି ନାହିଁ ତୋର ମିଥ୍ୟା

ତେଣୁ ତ୍ରିଦଶ ଦେବର ଭଗବତ ଦୀକ୍ଷା ।

ସତ୍ତ୍ଵ ରଜ ତମଗୁଣ ତୁମ୍ଭଠାରେ ତିନି

ଶତେ ବ୍ରହ୍ମାଣ୍ଡ ବ୍ୟାପକ ତୁମ୍ଭ ନାମ ଘେନି ।

ତେଣୁ ସଂଖ୍ୟା ନ ପଶଇ ଦେବ ତୁମ୍ଭ ଚିତ୍ତେ

ବ୍ରହ୍ମା ଶଙ୍କର ବିନୟୀ ତୁମ୍ଭ ପାଦଗତେ ।

ବର୍ତ୍ତମାନ କାଳ ଜାଣି ତୁହି ଦିନୁ ବର୍ତ୍ତୁ

ତୋହର ଶରୀର ସିନା ସର୍ବଜୀବ ଜନ୍ତୁ ।

ଯୋଗ ପବିତ୍ର ତାପନ ଧ୍ୟାନ ଅଧ୍ୟାପନ

ଏ ନବପୁରୁଷେ ତୁମ୍ଭଠାରେ ଭିନ୍ନ ଭିନ୍ନ ।

କାଳର ଉଦିତ ସ୍ଵାମି ଦମ୍ଭର ମହାତ୍ମା

ସ୍ଵର୍ଗରେ ପୂଜନ୍ତି ଇନ୍ଦ୍ରଆଦି ବେଦବ୍ରହ୍ମା ।

ସ୍ଵର୍ଗ ମଞ୍ଚ ପାତାଳ ସୁତଳ ରସାତଳ

ଭୁତଳ ତ୍ରିତଳ ତଳାତଳ ମହାତଳ ।

ଏତେକ ମଧ୍ୟଭୁବନ ଅଟେ ସଉନିଧି

ତହିଁ ତୁମ୍ଭ ଯୋଗାସନ ଅଟେ ନାନାବିଧି ।

ତହିଁରେ ଯାଇ ଗୁହାରି କଲେ ପଦ୍ମଯୋନି

ମର୍ତ୍ତ୍ୟମଣ୍ଡଳେ ଉଦିତ ନରଦେହ ଘେନି ।

ଉତ୍ପତ୍ତି ସ୍ଥିତି ପ୍ରଳୟ ତୁମ୍ଭେ ସର୍ବସଞ୍ଚା

ସର୍ବଜ୍ଞ ନାଥ ତୁ ଅଟୁ ଆଦିଅନ୍ତ ବଞ୍ଚା ।

ସ୍ଵାମୀ ଚନ୍ଦ୍ର ଦିବାକର ଦେବଦେବୀ ଆଦି

ଶ୍ରୀବିଷ୍ଣୁ ନାଥ ତୋ ନାମ ଚରାଚର ଭେଦୀ ।

ଦରିଦ୍ର ବ୍ରାହ୍ମଣ ପୂର୍ବେ ଥିଲା ଅନ୍ଧ ହୋଇ

ବେନି ଚକ୍ଷୁଲଭେ ତୁମ୍ଭ ଦରଶନ ପାଇ ।

ମହାକୂପର ମଧ୍ୟରେ ଥିଲା କୃକଲାସ

ତୁମ୍ଭେ ପ୍ରଭୁ ଫେଡ଼ିଲା ତା ପୂର୍ବପାପ ଦୋଷ ।

କାଳୀୟ ନାଗ ଯେ ମୋକ୍ଷ ତୁମ୍ଭ ଆଜ୍ଞାବଳେ

ହିରଣ୍ୟକଶିପୁ ବଧ କଲେ ଭକ୍ତ ଛଳେ ।

ତ୍ରୈଲୋକ୍ୟ ବିଦିତ ନାଥ ତବ ନାମଗୋଟି

ଯାହାର ଆଜ୍ଞା ପ୍ରମାଣେ ଅଛି ନବସୃଷ୍ଟି ।

ତୁହିଁ ଦେବ ବିଷ୍ଣୁନାଥ ଯୋଗୀ ମନରଞ୍ଜୁ

ପାପୀ ଦୁରାଚାର ଅସୁରଙ୍କ ସର୍ବ ଗଞ୍ଜୁ ।

ପରମ ନିରାକାର ତୁ ଅଟୁ ମହାତମା

ସବୁ ଦୋଷ ଅପରାଧ କର ମୋର କ୍ଷମା ।

ଅପାର ମହିମା ଯାର ନ ସରେ କହନ୍ତେ

ତୁ ଗୁଣସାଗର ନାଥ ତ୍ରାହି କର ମୋତେ ।

ନୀଳଗିରି ବିଷ୍ଣୁନାଥ ପାଦପଦ୍ମ ତଳେ

ଅଚ୍ୟୁତ ଦାସ କବି ଯେ ଭୃତ୍ୟ ସବୁକାଳେ ।

ଶକ୍ରାଜିତ ପ୍ରଣିପାତ ବହୁତ ବିନୟେ

ଦରହସିତ ବଦନେ କହି ଦେବରାୟେ ।

ଇଂଦ ପ୍ରତିବାଦ୍ୟ ପୁଣି କହନ୍ତି ପ୍ରସନ୍ନେ

ଉଠ ଶକ୍ରାଜିତ ଭ୍ରାନ୍ତି ନ କର ତୁ ମନେ ।

ଏ ମହୀମଣ୍ଡଳେ ଥିଲା କଂସ ମହାବଳୀ

କେହି ସହି ନ ପାରିଲେ କଂସର ଆର୍ଦ୍ଦୋଳି ।

ତେଣୁ ତ୍ରିଦଶେ ଗୁହାରି କଲେ ମୋତେ ଯାଇ

ଯଦୁ ବଂଶରେ ଜନମି କଂସ ମାରିଲଇଁ ।

ମହିମାରୁ ଉଗ୍ରସେନ ହେଲା ଦଣ୍ଡଧାରୀ

ଲଙ୍କାର ରାଜାର ନାମ ଅଟେ ଦଶଶିରୀ ।

ତା ଦର୍ପ ଧ୍ଵଂସିଲା ଏକା ବୀର ହନୁମନ୍ତ

ଶିଳାପରେ ହସ୍ତ ଦେଲେ ହୁଏ ଦେବ ଦୈତ୍ୟ ।

ଆମ୍ଭ ମହିମାରୁ ଧନ୍ୟ ମଥୁରା ନଗରୀ

କ୍ରୀଡ଼ା ବିନୋଦରୁ ଗୋପେ ନବୀନା ଚାତୁରୀ ।

ପୃଥ୍ଵୀର ଭାର ଉଶ୍ଵାସେ ଜନ୍ମ ଯଦୁକୁଳେ

ଦୁଷ୍ଟ ସଂହାରି ସନ୍ଥଙ୍କୁ ପାଳିବୁ ଯେ ହେଳେ ।

ରାମ ଅବତାରେ ଜାମ୍ବବ ମାଗିଥିଲା ବର

ବୋଲେ ସ୍ୱାମୀ ତୁମ୍ଭ ସଙ୍ଗେ କରିବି ସମର ।

ପୂର୍ବେ ତାର ସଙ୍ଗେ ଆମ୍ଭେ ସତ୍ୟ କରିଥିଲୁ

ଦ୍ୱାପର ଯୁଗରେ ଯୁଦ୍ଧ ହୋଇବ ବୋଇଲୁ ।

ଦଇବ ଆଦେଶ ଆମ୍ଭେ ଗଲୁ ତାର ପୁରେ

ତୁହୋ ଶକ୍ରାଜିତ ରୀତି ନ କର ମନରେ ।

ତୁହୋ ଶକ୍ରାଜିତ ରୀତି ନ କର ମନରେ

ମଣୋହିରେ ବଳଦେବ ସଙ୍ଗେ ବିଜେକରି ।

ଆମ୍ଭେ କହିଛୁ ତୁମ୍ଭର କିଛି ନାହିଁ ଦୋଷ

ଏହିପର ଆଜ୍ଞା ତାକୁ ଦେଲେ ପୀତବାସ ।

ଆସ ଆସ ଶକ୍ରାଜିତ ଘେନି ଆମ୍ଭ ଶାଢ଼ୀ

ଶ୍ରୀହସ୍ତେ ଶାଢ଼ୀ ତାହାଙ୍କୁ ଦେଲେକ ଶ୍ରୀହରୀ ।

ଶକ୍ରାଜିତକୁ ଯେ ଶାଢ଼ୀ ଦେଲେ ଦେବରାୟ

ପ୍ରଣିପାତ କର ଶାଢ଼ୀ ବାନ୍ଧିଲା ମଥାଏ ।

ଶ୍ରୀକୃଷ୍ଣ ବୋଇଲେ ଶକ୍ରାଜିତ ମୁଖ ଚାହିଁ

ବର ମାଗ ଶକ୍ରାଜିତ ସୁପ୍ରସନ୍ନ ମୁହିଁ ।

ଶକ୍ରାଜିତ ବୋଲେ ସ୍ଵାମୀ ଦେବ ଯେବେ ବର

ଆଜିଠାରୁ ମନୁ ମୋର ଭୟ ହେଉ ଦୂର ।

ରୂପବତୀ ସତ୍ୟଭାମା ମୋର ଦୁହିତାକୁ

ପ୍ରଦାନ କରିବି ନାଥ ଏ ସତ୍ୟ ତୁମ୍ଭଙ୍କୁ ।

ପରମଗତି ଲଭିବ ଦୁହିତା ପ୍ରସାଦେ

ମୋଠାରେ ସଦୟ ହେଲେ ବୋଲି ଜାଣି ହୃଦେ ।

ଯେତେବେଳେ ବିଭାହେବେ ସତ୍ୟ ବିମ୍ବଓଷ୍ଠୀ

ତେତେବେଳେ ମୋ ମନରୁ ଭ୍ରାନ୍ତିଯିବ ଫିଟି ।

ଉଗ୍ରସେନ ବୋଲେ ମୋତେ ସ୍ଵରୂପ ତୁ କହ

ତେବେ ଶକ୍ରାଜିତ ମନ ଫିଟିବ ସନ୍ଦେହ ।

ଛାଡ଼ି ଦେବ ସ୍ଵାମି ଶକ୍ରାଜିତ ଜ୍ଞାନ ନାହ

ଏହା ଅପରାଧ କ୍ଷମା କର ଭାବଗ୍ରାହୀ ।

ଉଗ୍ରସେନର ବଚନ ଶୁଣି ନାରାୟଣ

ବେଗେ ଚାହିଁ ସ୍ଵାମୀ ବସୁଦେବଙ୍କ ବଦନ ।

ପୁଣି ବଳଦେବ ମୁଖ ଚାହିଁ ଦେବହରି

ସାବଧାନେ ଶୁଣିମା ହୋ ପ୍ରଭୁ ହଳଧାରୀ ।

ଶକ୍ରାଜିତ ବୋଲେ ମୋତେ ଦେବ ତା ଦୁହିତି

ଏଥକୁ କି ଆଜ୍ଞା ମୋତେ ଦେବା ହଳପତି ।

ବଳରାମ ବୋଇଲେ ତା ହେଉ ଯେ ପ୍ରମାଣ

ଏଥକୁ କିଛି ଚିନ୍ତା ନ କର ନାରାୟଣ ।

ଉଗ୍ରସେନ ମୁଖ୍ୟକରି ସର୍ବ ଯଦୁବୀରେ

ଏକଥା ବିଚାରି କହ ସବୁରି ମନରେ ।

ସଧର୍ମା ସଭାରେ ଯେତେ ଲୋକ ବସିଥିଲେ

ସବୁରି ମନକୁ କଥା ଯୋଗାଇ ବୋଇଲେ ।

ନଗ୍ରଜନେ ବୋଲନ୍ତି ଏ କଥା ହେଉ ହେଉ

ଶୁଣି ସନମତ କଲେ ଜଗନ୍ନାଥ ତହୁଁ ।

ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତି

ଶ୍ରୀଭାଗବତର ସତ୍ୟଭାମା ବିଭା ରୀତି ।

ସଭା ମଉଳିଲା ତହୁଁ ଛାଡ଼ିଲେ ଆସ୍ଥାନ

ଯେ ଯାହା ମନ୍ଦିରେ ଗଲେ ଯାଦବ ପ୍ରଧାନ ।

ନବରକୁ ବିଜେ କଲେ ଯାଇ ତହୁଁ ହରି

ମଣୋହିରେ ବଳଦେବ ସଙ୍ଗେ ବିଜେକରି ।

ମଣୋହି ସାରିଣ ତହୁଁ କଲେ ଆଚମନ

କର୍ପୂର ତାମ୍ବୁଳ ଭୁଞ୍ଜି ରାମ ଭଗବାନ ।

ଯିବାପାଇଁ ଉଦବେଗ ପ୍ରଭୁ ଗୁଣମଣି

ତତକ୍ଷଣରେ ବାହାର ହୋଇଲେ ସେ ପୁଣି ।

ଶକ୍ରାଜିତ ପୁରେ ଯାଇ ପ୍ରବେଶ ହୋଇଲେ

ଯାନ ବାହନ ତେଜିଣ ପାଦଗତି କଲେ ।

କହେ ମହାତମା ବନ୍ଧୁବର୍ଗଙ୍କୁ ବସାଇ

ବସୁଦେବ ପୁତ୍ରଙ୍କୁ ମୁଁ କରିବି ଜୁଆଇଁ ।

ମୋହର ଦୁହିତା ଅଟେ ସତ୍ୟଭାମା ବାଳୀ

ବିଭା କରିବେ ତାହାକୁ ପ୍ରଭୁ ବନମାଳୀ ।

ତୁମ୍ଭମାନଙ୍କ ମନକୁ ବିଚାର ବେଭାର

ନିଶ୍ଚୟ ମୁଁ ଦେବି ବୋଲି ଶକ୍ରାଜିତ ବୀର ।

ଶକ୍ରାଜିତର ମୁଖରୁ ଏସନକ ଶୁଣି

ସକଳ ଶାନ୍ତି ଭଜିଲେ ସୁଧାପାନ ଜାଣି ।

ବୋଇଲେ କୃଷ୍ଣଚନ୍ଦ୍ରଙ୍କୁ ଶୁଭେ ଯାଇ ଆଣ

ଆମ୍ଭର ଘରେ ବିଜୟେ କମଳିନୀ ଜାଣ ।

ଚାଣ୍ଡାଳ ଘରେ ଯେସନେ ମଣିରତ୍ନ ଥାଇ

କାର୍ଯ୍ୟ କାରଣର ବେଳେ ଶିରରେ ଲାଗଇ ।

ପଙ୍କ ଭିତରେ ଯେସନେ ପଦ୍ମନାଡ଼ ଗୋଟି

କେଶର ପ୍ରକାଶେ ତହୁଁ ସାତତାଳ ଫୁଟି ।

ବାହାର ଭିତରେ ଥାଇ ଆବୋରଇ ସର୍ବ

ଉପରେ ଉଠି ମଧୂପ ଦେଉଥାଉ ଚୁମ୍ବ ।

ପଦ୍ମରାଗ ମାଣିକ୍ୟ କି ଆନେ ପାରେ ଯାଇ

ଦ୍ଵାପର ଲକ୍ଷ୍ମୀ ନୃସିଂହ ଅବତାର ହୋଇ ।

ଯେଝା ପରିଯା ଅବୋରିଛନ୍ତି ତହିଁ ଯାଇ

ଆଗହୁଁ ବିଧାତା ତାହା ଭିଆଇ ଅଛଇ ।

ସତ୍ୟଭାମା ନିରନ୍ତରେ ଲୋଡ଼ୁଥିଲେ ଯାହା

ସୁଭାଗ୍ୟ ବଳେ ବିଧାତା ଭେଟାଇଲା ତାହା ।

ଜଗନ୍ନାଥ ବନ୍ଧୁ ହେବେ ନରଦେହ ବହି

ଏହାହୁଁ ଅଧିକ ଭାଗ୍ୟ ପାଇବାକ କାହିଁ ।

ଶକ୍ରାଜିତର ଦୁହିତା ସତ୍ୟଭାମା ଜାତ

ନିର୍ବାଣ ମୁକତି ଆଣି କରାଇ ପ୍ରାପତ ।

ଏତେକ ବୋଲି ସନ୍ତୋଷ ହୋଇଲେ ସକଳ

ଜାଣିଲୁ ସତ୍ୟଭାମାର ବିଭା ଅନୁକୂଳ ।

ପୁରେ ଘୋଷଣା ଦିଆଇ ସବୁ କଲେ ସ୍ଥିର

ବିଭା ଯୋଗାଡ଼ ଭିଆଣ କଲେ ଧାତିକାର ।

ଏସନକ ଆଜ୍ଞା ଦେଇ ଶକ୍ରାଜିତ ପୁଣି

ଆପେ ଭିଆଇ ଆଣିଲେ ବନ୍ଧୁବର୍ଗ ଘେନି ।

ଷାଠି ସହସ୍ର ବାଜଣା ବାଜେ ଅପ୍ରମିତ

ଢୋଲ ଟମକ ନିଶାଣ ଆଦି ନାନାଯନ୍ତ୍ର ।

ଚାଙ୍ଗୁଦମା ବୀଣା ଶଙ୍ଖ ବଇଁଶୀ ମହୁରୀ

ଉପାଙ୍ଗ ବୀରକାହାଳୀ ତାଳ ଭେରୀ ତୁରୀ ।

ଉଦ୍ଦଣ୍ଡ ଲକ୍ଷେକ ମେଘାଡମ୍ବର ଯେ ଛତ୍ର

ଝଲକନ୍ତି ପରିମଳ ରତ୍ନ ପାନପତ୍ର ।

ଛତ୍ର ଚାମର ଆଢ଼େଣି ଧ୍ଵଜା ପନ୍ତି ପନ୍ତି

ଅଛନ୍ତି ଭାଟ ଜ୍ୟୋତିଷ ଆଦି ନାନା ଜାତି ।

ତୁରଙ୍ଗମ ନିଶାଣାଦି ରଥ ଅଶ୍ଵ ଗଜ

ବିଭା କରାଇବା ପାଇଁ ବରଜାତି ସଜ ।

କେ ବୋଲନ୍ତି ଆଉ ତୁମ୍ଭେ ବିଳମ୍ବ ନ କର

ସଙ୍ଗେ ସଙ୍ଗେ ଗୋଡ଼ାଇଣ ଯିବା ଧାତିକାର ।

ଲକ୍ଷ୍ମୀ ନାରାୟଣ ବିଭା ହେବା ବରଜାତି

ଭୁଞ୍ଜିବା ଶ୍ରୀବିଷ୍ଣୁ ପାକ ପାଇବା ମୁକତି ।

ଏତେ ବୋଲି ଘେନି ସର୍ବେ ବିଭାବିଧିମାନ

ସମାରୋହେ ସଜ ହେଲେ ବରଜାତି ସୈନ୍ୟ ।

ନବକୋଟି ନୂଆ ପାଟ ପତନୀ ସିନ୍ଧୁଆ

ଝୁଲା ଶାହାଲା ବସନ୍ତ ପାଟି କେହି ନୂଆ ।

କର୍ପୂର ଚନ୍ଦନ ଫୁଲ କସ୍ତୁରୀ ସହିତେ

ଶ୍ରୀଫଳ ଗୁଆ ନାନାଦି ଉପହାର ଯେତେ ।

ଯଉତୁକ ଭୋଜନାଦି ଦ୍ରବ୍ୟ ନାନାବିଧ

ଭିଆଇଲେ ଶକ୍ରାଜିତ ଅର୍ବୁଦ ଅର୍ବୁଦ ।

ପାତ୍ରମନ୍ତ୍ରୀ ପୁରୋହିତ ଭଦ୍ର ବନ୍ଧୁଜନ

ସକଳ ସଙ୍ଗତେ ଘେନି ବାହାର ବହନ ।

ସତ୍ୟଭାମାର ବିଚିତ୍ର ବିଭା ହରିବଂଶ

ଶୁଣନ୍ତେ ପାପାଧିପାପ ମହାପାପ ନାଶ ।

ବରଣ ଯୋଗାଡ଼ ଘେନି ଶକ୍ରାଜିତ ବୀର

ତ୍ଵରିତେ ମିଳିଲେ ବସୁଦେବର ମନ୍ଦିର ।

ଦେଖି ସାନନ୍ଦ ହୋଇଲେ ଦେବ ଚକ୍ରଧର

ବିଶ୍ଵକର୍ମା ରାଇ ଆଜ୍ଞା ଦେଲେ ବେଦବର ।

କୁଶସ୍ଥଳୀ ଦ୍ଵାରକାକୁ କର ଯା ମଣ୍ଡନ

ସ୍ଵର୍ଗପୁରଠାରେ ସେହୁ ହେବ ଶୋଭାମାନ ।

ଆଜ୍ଞାପାଇ ବିଶ୍ଵକର୍ମା ଚଳେ ଧାତିକାରେ

ନଗ୍ରପୁର ମଣ୍ଡାଇଲେ ରାତିକ ଭିତରେ ।

ଘୋଷଣା ଦିଅଇ ନଗ୍ରେ ଉତ୍ସବ କରାଇ

ଆନନ୍ଦ ହେଲେ ବନ୍ଦୀଏ ମୁକୁଳିଣ ଯାଇ ।

ଧାତିକାରେ ଶକ୍ରାଜିତ ନବରେ ପ୍ରବେଶ

ପୁର ମଣ୍ଡନ ଦେଖିଣ ହୋଇଲେ ହରସ ।

ଛାମୁଣ୍ଡିଆ ଜଗତୀ ଯେ ବିଚିତ୍ର ମଣ୍ଡଣି

ବରଣ ସାମଗ୍ରୀ ସୁବ ସଜାଡ଼ିଲେ ଆଣି ।

ଅଦୃଷ୍ଟି ଅଶ୍ରୁତି ସବୁ ଅସମ୍ଭବ କଥା

ଲକ୍ଷ୍ମୀ ନାରାୟଣଙ୍କର ବିଭାର ବ୍ୟବସ୍ଥା ।

ବାରତା ପାଇଣ ବହୁଲୋକେ ପଦ୍ମଯୋନି

ହଂସ ବାହନରେ ବିଜେ ବ୍ରହ୍ମା ନବମୁନି ।

ବଶିଷ୍ଠ ବାଲ୍ମୀକି ଭରଦ୍ଵାଜ ବିଶ୍ଵାମିତ୍ର

ବିଭାଣ୍ଡକ ପଉଲସ୍ତ୍ୟ ସନକାଦି ସପ୍ତ ।

ଜଇମିନି ଋଷ୍ୟଶୃଙ୍ଘ ବିଶ୍ଵେଦେବା ଋଷି

ସଙ୍ଗେ ଛନ୍ତି ଅଷ୍ଟବକ୍ର ବିଶ୍ରବା ତପସ୍ଵୀ ।

ସବିତା ଯେ ପରାଶର ଲୋମଶ ଶାନ୍ତନୁ

ଭୃଗୁ ଗାର୍ଗ ଚ୍ୟବନ ଯେ ମହାମୁନି ମନୁ ।

ଅତ୍ରି ଅଙ୍ଗିରସ କଣ୍ଵ ମୁନି ଅପ୍ରଚେତା

କପିଳ ବୈଶମ୍ପାୟନ ସତ୍ୟବ୍ରତ ଜ୍ଞାତା ।

ତକ୍ଷଣେ ସର୍ବେ ଦ୍ଵାରକା ପ୍ରବେଶିଲେ ଆସି

ପାୟେ ପଡ଼ିଣ ଶୋଇଲେ ଦେବକୀର ଶିଷି ।

ସ୍ତୁତି କଲ୍ୟାଣ ବାଞ୍ଛନ୍ତି ସର୍ବେ ଋଷିବୃନ୍ଦ

ବ୍ରହ୍ମାଙ୍କ ପୟରେ ପୂଜା କଲେ ଶ୍ରୀ ଗୋବିନ୍ଦ ।

ସର୍ବଋଷି ଗୃହେ ରଖି ଚର୍ଚ୍ଚାମାନ କରି

ସୁବର୍ଣ୍ଣର ସିଂହାସନେ ମୃଗଛାଲ ପାରି ।

ମାଡ଼ି ବସିଲେ ତହିଁରେ ସର୍ବ ତପଚାରୀ

ବେଦଧ୍ଵନି ବାହରଇ ମୁଖରୁ ସବୁରି ।

ଏକ ଋଷି ଲକ୍ଷ କୋଟି ଶିଷ୍ୟ ଅଗଣିତା

ସମସ୍ତେ ପଢ଼ିଅଛନ୍ତି ଯୋଗ ଶାସ୍ତ୍ରେ ଜିତା ।

ସମସ୍ତେ ଜାଣନ୍ତି ଯୋଗ ବିଦ୍ୟାର ମରମ

ଦେବଋଷି ରାଜଋଷି ମହାଋଷି ବ୍ରହ୍ମ ।

ଏମନ୍ତେ ବିପ୍ରେ ଆଗତ ବେଦବିଦ୍ୟାଜ୍ଞାତା

ନାରଦ ଯେ ମନଦଣ୍ଡ ଚଢ଼ି ଗାଇ ଗାଥା ।

ଲକ୍ଷ୍ମୀ ନାରାୟଣ ବିଭା ଦେଖିବାର ପାଇଁ

ସୁଧର୍ମା ସଭାରେ ସର୍ବ ଋଷି ମିଳି ଯାଇ ।

ଦେବଋଷିଏ ବାରତା ପାଇ ବ୍ରହ୍ମଗୁରୁ

ରାଜଋଷିଏ ଏ ବାରତା ପାଇ ସଙ୍ଖୋଳାରୁ ।

ରାଜଋଷିଏ ଅଇଲେ ଗୋଳ ଶୁଣିବାରୁ

ତେତିଶକୋଟି ଦେବତା ସ୍ଵର୍ଗ ମଣ୍ଡଳରୁ ।

ଜଳାଧିପତି ବରୁଣ ଓଳଗଇ ଦୁରୁ

କୁବେର ଧନ ଭେଟାଏ ନେଇଣ ଭଣ୍ଡାରୁ ।

କୈଳାସ କନ୍ଦରେ ହର ବାରତା ପାଇଲେ

ଚୌଦକୋଟି ଗଣ ଘେନି ତୁରିତେ ମିଳିଲେ ।

ପଚାରଇ ପରୀକ୍ଷିତ କହେ ଶୁକମୁନି

ଶ୍ରୀହରିବଂଶ ପୁରାଣ ପୁଣ୍ୟମୟ ଧ୍ଵନି ।

ବେଗେ ବେଗ ହୋଇ ସର୍ବେ ଚଳାଇ ଅଇଲେ

ପଥ ନ ପାଇଣ କେହି ପଛଭର ହେଲେ ।

ଲକ୍ଷ୍ମୀ ନାରାୟଣ ବିଭା ଦେଖି ଶ୍ରଦ୍ଧାକରି

ବୃଷଭ ବାହନେ ହର ଦ୍ଵାରକା ନଗରୀ ।

ଈଶ୍ଵର ଦେବଙ୍କୁ ଦେଖି ପ୍ରଭୁ ବନମାଳୀ

ଷଡ଼ର୍ଘ୍ୟେ ପୂଜା କରିଣ କହି ପୁରଃସରି ।

ଏଥୁ ଅନନ୍ତରେ ପୁଣି ଶୁଣ ଦିବ୍ୟ ରସ

ବରଣାସ୍ଥାନେ ଆସିଣ ହୋଇଲେ ପ୍ରବେଶ ।

ହସ୍ତରେ ମାଳା ଚନ୍ଦନ ଶକ୍ରାଜିତ ଘେନି

ବରଣ କଲାକ ଆସି ଦେବ ଚକ୍ରପାଣି ।

ବରବେଶରେ ପ୍ରବେଶ ହେଲେ ନାରାୟଣ

ସାତ ସହସ୍ର ବାଜଇ ଯନ୍ତ୍ର ଅନୁକ୍ଷଣ ।

ଢୋଲ ଟମକ ନିଶାଣ ବାଜେ ବାଦ୍ୟମାନ

ଆପେ ବ୍ରହ୍ମା ଥାଇ କଲେ ବରକୁ ବରଣ ।

ଚାଙ୍ଗୁ ତବଲ ବିପଞ୍ଚି ବୀଣା ଯେ ମହୁରୀ

ଉପାଙ୍ଗ ବୀର କାହାଳୀ ଶଙ୍ଖ ଭେରୀ ତୁରୀ ।

ଉଦ୍ଦଣ୍ଡ ମେଘାଡମ୍ବର ଏକଲକ୍ଷ ଛତ୍ର

ଝଲକନ୍ତି ଫିରିଫିରା ଆଦି ପାନପତ୍ର ।

ନାନା ଜାତିରେ ପତାକା ଉଡ଼େ ପନ୍ତି ପନ୍ତି

ନଟ ଭାଟ ଜଉତିଷ ମୂଳେ ସର୍ବ ଜାତି ।

ବ୍ରହ୍ମା ପ୍ରଭୃତି ତେତିଶକୋଟି ଦେବଗଣ

ଦିବ୍ୟ ଶୁକ୍ଳାସନେ ବିଜେ କରିଣ ତକ୍ଷଣ ।

ବୃହସ୍ପତି ଯେ ମଙ୍ଗଳ ଅଷ୍ଟକ ବଖାଣି

ମଙ୍ଗଳ ଗାଆନ୍ତି ମିଳି ସହସ୍ର ତରୁଣୀ ।

ତେତିଶ କୋଟି ଦେବତା ଜୟ ଜୟ କଲେ

ବ୍ରହ୍ମା ଆଦି ମୁନିମାନେ କଲ୍ୟାଣ ବାଞ୍ଛିଲେ ।

ଲୀଳାରେ ଗତି କରିଣ ଗଲେ ଭଗବାନ

ମଣିମା ବୋଲିଣ ଡାକ ଦ୍ୟନ୍ତି ମଘବାନ ।

ଶକ୍ରାଜିତ ପରେ ସର୍ବେ ବିଜେକଲେ ଯାଇ

ଦେଖି ପ୍ରଶଂସିଲେ ଉଗ୍ରସେନ ନରସାଇଁ ।

ଏସନକ ସମାରୋହେ ଉତ୍ସବ ତା ପୁରେ

କୋଟି ବିଶ୍ଵକର୍ମା ମିଳି ଗଢ଼ିଲେ ରାତ୍ରରେ ।

ବଇଡ଼ୁର୍ଯ୍ୟ ମାଣିକ୍ୟାଦି ନୀଳା ପନ୍ତି ପନ୍ତି

ରସାଣିଲା ପାନପତ୍ର ରଙ୍ଗ ଝଲକନ୍ତି ।

ମାଣିକ୍ୟ ମୁକ୍ତା ଲମ୍ବିଛି ସୁବର୍ଣ୍ଣର ଘଣ୍ଟି

ଅତି ବିତପନ ପୁର ଶୋହେ ନବସୃଷ୍ଟି ।

ରଙ୍ଗ କଳା ଶୁକ୍ଳ ଚାମରାଦି ଲୁଳେ ଖମ୍ବେ

ଦେବାଙ୍ଗ ଝୀନ ବସନ ମଣ୍ଡଳ ଆରମ୍ଭେ ।

ଧନ୍ୟ ସେ ପୁରକୁ କିସ ପଟାନ୍ତର ଯେବା

ନିରତେ ପୁର ନିର୍ମାଣ ବିଶ୍ଵକର୍ମା ଦେବା ।

ଅମର ବାରସ୍ଵତୀ ସେ ନୋହେ ତାକୁ ସରି

ଏପରି ପୁର ନିର୍ମାଣ ବିଶ୍ଵକର୍ମା କରି ।

ଶଙ୍ଖ ପଦ୍ମନିଧି ଜାତ ହୋଇଅଛି ଯହିଁ

କହିଲେ ନ ସରେ ଧନ ନେଲେ ନ ସରଇ ।

ଲକ୍ଷେକ ସୁରଭି ଧେନୁ ଘେନିଣ କପିଳା

କୃଷ୍ଣ ଆଜ୍ଞାରେ ସୁରଭି ଖଟି ଏକମେଳା ।

ଅନାଦି ଦେବୀ ସୁରଭି ଅଟେ ସର୍ବମାତ

ଯାହାର ସଞ୍ଚିଲା ଚରାଚର ଏ ଜଗତ ।

ଯେବଣ କାମଧେନୁରେ ଲକ୍ଷ ସୃଷ୍ଟି ଘୋଟି

ଲକ୍ଷ ଲକ୍ଷ କାମଧେନୁ ଦ୍ଵାରେ ଛନ୍ତି ଖଟି ।

ଅଷ୍ଟ ଅଇଶ୍ଵର୍ଯ୍ୟ ତୃପ୍ତ ଭୋଜନ ଯେ ବିଧି

କଳ୍ପନାନୁସାରେ ଧେନୁ କରେ କାର୍ଯ୍ୟ ସିଦ୍ଧି ।

ଷଡ଼ରସର ପ୍ରକାର ନାନାଦି ବ୍ୟଞ୍ଜନ

ଅନ୍ନ ପିଷ୍ଟକ କ୍ଷୀରିସା ସ୍ଵାଦୁ ଦ୍ରବ୍ୟମାନ ।

ଅମୃତ ପାଣି କଦଳୀ ପୁଣି ଗଙ୍ଗବାଣ

ଇକ୍ଷୁ ଗୋରସ କଟୁକ ଆମ୍ବିଳ ଲବଣ ।

ଆମ୍ବ ପଣସ ସହିତ ଦାରକ୍ଷର ଫଳ

ଡାଳିମ୍ବ ପୁଣି ଯେ ତିକ୍ତ ଦ୍ରବ୍ୟ ଏ ସକଳ ।

ଗୋରସ ଭିନ୍ନ ଗୋଟିକା ଦଧି ଛେନା ସର

ଅଧାମ ଆଦି ଘୃତରେ ନାନାଦି ପ୍ରକାର ।

ନବାତ ପଡ଼ିଣ କ୍ଷିରୀ ଖଣ୍ଡ ଖଣ୍ଡ ଫେଣା

ଅମୃତ ପଡ଼ିଣ ପାଣି ନବାତର ପଣା ।

ଦେହେ ଚନ୍ଦନ କର୍ପୂର କସ୍ତୁରୀ ଲେପନ

ଏ ଦ୍ରବ୍ୟ ସମ୍ଭାର ବରଜାତିର ଭୋଜନ ।

ଭୋଜନ ସାରି ତୃପତି ଯେ ଯାହାର ଇଚ୍ଛା

ତକ୍ଷଣେ ମିଳେ ଯାହାର ଯାହା ମନୋବାଞ୍ଛା ।

ଚାଣ୍ଡାଳ ଆଦି କରିଣ ଭଦ୍ରବ୍ୟକ୍ତି ଯେତେ

ସୁବରି ଭୋଜନ ପାଇଁ ସ୍ଵର୍ଣ୍ଣ ପାତ୍ର ତେତେ ।

କାମଧେନୁ ଅନୁଗ୍ରହେ ଭୁଞ୍ଜନ୍ତି ସସସ୍ତେ

ଭୁଞ୍ଜି ସନ୍ତୋଷ ହୋଇଣ ବସିଲେ ସୁଚିତ୍ତେ ।

ଭୋଜନର ଶେଷେ ପରିବାରୀ ବାଟ ଚାହିଁ

ଉଚ୍ଛିଷ୍ଟମାନ ସମୁଦ୍ରେ ମେଲନ୍ତି ସେ ନେଇ ।

ସୁପକ୍ଵ ଅନ୍ନ ବ୍ୟଞ୍ଜନ ଭୁଞ୍ଜି ସର୍ବଜନ

କନ୍ଦମୁଳାଦି ଆହାର କଲେ ଋଷିଗଣ ।

ଅନ୍ନ ବ୍ୟଞ୍ଜନ ଭୋଜନ ସାରି ଶୁଚିମନ୍ତେ

ଜଣେ ଜଣେ ବରଜାତି ସଙ୍ଖୋଳି ସମସ୍ତେ ।

ଦ୍ଵାରକାରେ ବିହରନ୍ତି ହରଷେ ସକଳ

ଦେବ ମାନବ ସମସ୍ତେ ହୋଇ ଏକମେଳ ।

ଏଥୁ ଅନନ୍ତରେ ବିଭା ଲଗ୍ନବେଳ ହୁଏ

ଅଷ୍ଟରତ୍ନ ବେଦୀପରେ ବିଜେ ଦେବରାୟେ ।

ରତ୍ନ କୋମଳ ଆସନେ ପୂର୍ବମୁଖ କରି

ବେଦୀର ପଶ୍ଚିମ ଭାଗେ ବିଜେ ଦେବହରି ।

ବାମ ଡାହାଣେ ବସିଲେ ରାମ ଉଗ୍ରସେନ

ପାରୁଶେ ବେଢ଼ି ଅଛନ୍ତି ଯାଦବ ସଇନ୍ୟ ।

ବଳଦେବ ବିଜେ ବେଦୀ ଅଇଶାନ୍ୟ ଭାଗେ

ସରଥ ଷଡ଼ କୁମର ବସିଲେ ତା ଲାଗେ ।

ସାତ୍ୟକି ଯେ ଅନାଧୃଷ୍ଟ ଅକ୍ରୁର ଉଦ୍ଧବ

ଶତଧନୁ ଆଦିକରି ସକଳ ଯାଦବ ।

କୃପାଚାର୍ଯ୍ୟ ଭୂରିଶ୍ରବା ରାଜା ବୃହତ୍ସେନ

ସମସ୍ତେ ବସିଲେ ବେଦୀ ଈଶାନ କୋଣେଣ ।

ବେଦୀ ପୂର୍ବଭାଗେ ଶକ୍ରାଜିତ ନରପତି

କଟକ ମାଡ଼ି ବସିଲେ ବେଦୀ ପୂର୍ବ କତି ।

ନଇର୍ଋତେ କୋଣେ ବିଜେ କଲେକ ବରୁଣ

ଇନ୍ଦ୍ର କୁବେର ଆବର ବେଦୀର ଈଶାନ ।

ଅଗ୍ନିକୋଣେ ବିଜେ କଲେ ଦେବ ବୈଶ୍ଵାନର

ବାୟବ୍ୟ କୋଣେ ରହିଲେ ବ୍ରହ୍ମାଙ୍କ କୁମର ।

ଊର୍ଦ୍ଧ୍ଵେ ଈଶ୍ଵର ବସିଲେ ଆସନେକ ମାଡ଼ି

ଅଲେଖ ମନ୍ତ୍ର ଜପନ୍ତି ମନଦଣ୍ଡ ଚଢ଼ି ।

ବୁଧ ଶୁକ୍ର ବୃହସ୍ପତି ତିନିକାଳଜ୍ଞାତା

ସୁବର୍ଣ୍ଣ ବେଦୀରେ ବିଜେ ସକଳ ଦେବତା ।

ବେନିତାଳ ଉତ୍ସର୍ଗ ସେ ପ୍ରତି ସସ୍ରତାଳ

ତେଣୁ ସେ ବେଦୀ ଉପରେ ବସଇ ସକଳ ।

ସେ ବେଦୀରେ ବିଜେକଲେ ନାରାୟଣ ରାୟେ

ପାରୁଶେ ବେଢ଼ି ଅଛନ୍ତି ସର୍ବ ଦେବତାଏ ।

ଆପେ ବରବେଶ ହୋଇ ବିଜେ ଚକ୍ରଧର

ପିନ୍ଧିଲେ ବରଣ ଖଦି ହୋଇ ବଟୂକର ।

ଲୋଚନେ କଜ୍ଜ୍ଵଳ ରଞ୍ଜୁ ଦିଶିଲାକ ଶୋଭା

କ୍ଷୀର ସମୁଦ୍ର ଭିତରେ ଯେହ୍ନେ ନାଗପ୍ରଭା ।

କର୍ଣ୍ଣାଞ୍ଚଳ ଯାଏ ଲାଗିଅଛି କଳାରେଖା

ନୀଳ ପର୍ବତରେ ଯେହ୍ନେ ଆର୍ଦ୍ରାବଳି ଲେଖା ।

ହଳଦୀ ତେଲ ଶରୀରେ ଲେପନ କରନ୍ତି

ଉଇଁଲା ମର୍କତ ପ୍ରାୟ ଦିଶଇ ସେ ଜ୍ୟୋତି ।

ହସ୍ତେ ଅସରଳା ସୂତା ପାଦେ ଲାକ୍ଷା ବୋଳି

ଗୀତ ଗାଇ ନାରୀମାନେ ଦ୍ୟନ୍ତି ହୁଳୁହୁଳି ।

ଅହିଅ ସୁଲକ୍ଷଣୀ ସେ ଯାଦବଙ୍କ ନାରୀ

ସେ କାମିନୀଏ ବନ୍ଦାନ୍ତି ଧରି ଅର୍ଘ୍ୟସ୍ଥାଳି ।

କର୍ପୂର ଘୃତ ବଳିତା ଦିବ୍ୟଗନ୍ଧ ଜ୍ୟୋତି

ସମସ୍ତେ ଉତ୍ସୁକ ହ୍ଵନ୍ତି ଯେ ଯାହାର ମତି ।

ସମସ୍ତେ କ୍ରୀଡ଼ା କରନ୍ତି ଯେ ଯାହାର ମତେ

ଅର୍ଘ୍ୟ ବନ୍ଦାନ୍ତି ଆନନ୍ଦେ ନାରୀମାନେ ଯେତେ ।

ଗନ୍ଧର୍ବଗଣ ଯେତେକ ଛାଡ଼ି ସବୁ କ୍ରୀଡ଼ା

ହଳଦୀ ଉତ୍ସବେ ମାତି ତେଜି ମନୁ ବ୍ରୀଡ଼ା ।

ଏକବର୍ଣ୍ଣ ଦିଶନ୍ତି ସ୍ତ୍ରୀ ପୁରୁଷ ସକଳ

ହାଟ ବାଟ ଦାଣ୍ଡ ଘାଟେ ହଳଦୀର ଗୋଳ ।

ବ୍ରହ୍ମାଆଦି ଋଷି ଏକ ଆସନରେ ଥିଲେ

ପ୍ରେମର ଭୋଳେ ହଳଦୀ କ୍ରୀଡ଼ା ଚୌଠି କଲେ ।

ବ୍ରହ୍ମା ପାଚିଲା ଦାଢ଼ିରେ ହଳଦୀର ରସ

ପର୍ବତ ପରେ ସୁବର୍ଣ୍ଣ କୁଢ଼ର ସଦୃଶ ।

ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି

ହରିବଂଶେ କୃଷ୍ଣ ସତ୍ୟଭାମା ବିଭା ରୀତି ।

ନବ ବ୍ରହ୍ମାଙ୍କୁ ସଙ୍ଗତେ ଘେନି ବେଦବର

ଆସନ ମାଡ଼ି ବସିଲେ ତହିଁ ଧାତିକାର ।

ବସିଲେ ଆଚାର୍ଯ୍ୟ ବରଣରେ ପଦ୍ମଯୋନି

ଦେବଋଷି ରାଜଋଷି ନାଗଋଷି ଘେନି ।

ବେଦ ପୋଥି କୁଶ ବିଡ଼ି ମନ୍ତ୍ରମାନ ପଢ଼ି

ହସ୍ତ ଦଣ୍ଡ କମଣ୍ଡଳୁ ବଟୁ କୁଶ ମୋଡ଼ି ।

ତୁଳସୀ ରୁଦ୍ରାକ୍ଷମାଳ ଲମ୍ବି କଣ୍ଠତଟେ

କନ୍ଧରେ ଯଜ୍ଞ ପଇତା ଉତ୍ତରୀ ପ୍ରକଟେ ।

ଶ୍ରୀଅଙ୍ଗେ ଶୋଭା କପାଳେ ଦ୍ଵାଦଶ ଯେ ଚିତା

ପୁଷ୍କର ବେଦକରାଣ୍ଡି କାଖେ ବ୍ରହ୍ମବେତ୍ତା ।

ବୃହତସାମ ଗାୟନ କଲେ ବେଦବର

ଆଚାର୍ଯ୍ୟ ବରଣ ପାଇ ବସିଲେ ବେଦୀର ।

ମଙ୍ଗଳ ବାଞ୍ଛା କଲେ ସେ ପଞ୍ଚପୂଜା ସାରି

ନାନ୍ଦୀଶ୍ରାଦ୍ଧ ବାଢ଼ିଲେ ସେ ଶାଖା ଅନୁସରି ।

ତଦନ୍ତେ ସତ୍ୟଭାମାକୁ ବସାଇଲେ ଆଣି

ବ୍ରହ୍ମା ଉଚ୍ଚାରିଲେ ଦେଶ କାଳ ବାକ୍ୟ ପୁଣି ।

ଇଦଂ ପ୍ରତିବାକ୍ୟ ଶୁଣ ଶୁକମୁନି କହି

ପରୀକ୍ଷ ରାଜା ପବିତ୍ର ଅଟୁ ପୁଣ୍ୟଦେହୀ ।

ପବିତ୍ର ଏ ସତ୍ୟଭାମା ବିଭା ପୁଣ୍ୟବିଧି

ପଢ଼ନ୍ତେ ଶୁଣନ୍ତେ ହେବ ସର୍ବକାର୍ଯ୍ୟ ସିଦ୍ଧି ।

ଆପଣେ ବ୍ରହ୍ମା ଯେ କୁଳଗୋତ୍ର ଉଚ୍ଚାରିଲେ

ଲକ୍ଷ୍ମୀ ନାରାୟଣ କରେ କୁଶକୁ ବାନ୍ଧିଲେ ।

ଡାହାଣ ବର୍ତ୍ତକ ଶଙ୍ଖ ଜଳତିଳ ଭରି

ବ୍ରହ୍ମା ଆଜ୍ଞାଦେଲେ ଶକ୍ରାଜିତ କରେ ଧରି ।

ସତ୍ୟଭାମା ବିଭାପାଇଁ ଉତ୍ତମ ଯେ ଦ୍ରବ୍ୟ

ଯାହା ସଞ୍ଚିତ ଥିଲା ଯେ ଯଉତୁକ ସର୍ବ ।

ଶୁଣିଣ ତା ଶକ୍ରାଜିତ ହରଷ ହୋଇଲେ

କୋଟିଏ ସୁବର୍ଣ୍ଣ ଶଙ୍ଖେ ଜଳ ଭରିଦେଲେ ।

ଅଷ୍ଟରତ୍ନ ଆଦିକରି ସ୍ଥାବର ସହିତେ

ଦାସଦାସୀ ସହିତରେ ଉପଦ୍ରବ୍ୟ ଯେତେ ।

ଦଶବତାର ହରିଙ୍କ ସତ୍ୟ ମନାଇଲେ

ଗୁଣକରେ ମାନ୍ୟକରି ସସ୍ରଗୁଣ ଦେଲେ ।

କହନ୍ତେ ଶେଷ ନୋହିବ ସତ୍ୟଭାମା ବିଭା

ଦିଗପାଳ ଦେବତାଏ ବସିଛନ୍ତି ସଭା ।

ଯେ ଯାହାର ଅନୁରୂପେ ସକଳ ଉତ୍ସୁକ

ଲକ୍ଷ୍ମୀ ନାରାୟଣେ ସେହୁ ଦିଅନ୍ତି ଯୌତୁକ ।

ଦେବକୀ ଶ୍ରୀ ଇନ୍ଦୁମତୀ ଯେତେ ନାରୀଗଣ

ବନ୍ଦାପନା କରନ୍ତି ସେ ହୋଇ ତନମନ ।

କିନ୍ନରୀଗଣେ ସ୍ଵର୍ଗରୁ କଲେ ପୁଷ୍ପ ବୃଷ୍ଟି

ଅତିଅନ୍ତ ଶୋଭାବନ ଦିଶେ ନବସୃଷ୍ଟି ।

ଅମର ଦୁନ୍ଦୁଭି ବାଦ୍ୟ ଶୁଭେ ଚଉପାଶେ

ହାହା ହୁହୁ ଗନ୍ଧରବେ ଗାଈ ଗୀତରସ ।

ଢାଳ କଂସାଳ ମୃଦଙ୍ଗ ବାଦ୍ୟ ଅଳାବେଣୀ

ନାନରଙ୍ଗରେ ନାଚନ୍ତି ସର୍ବ ବିଳାସିନୀ ।

ମଙ୍ଗଳ ମହୁରୀ ଭେରୀ ସୁଲଳିତ ଧ୍ଵନି

ଶୋଭାରେ ପରପୂର୍ଣ୍ଣ ଯେ ସକଳ ମେଦିନୀ ।

ଲକ୍ଷ୍ମୀ ନାରାୟଣଙ୍କର ବିବାହ ମଙ୍ଗଳ

କୁଶଗ୍ରନ୍ଥି ଫିଟିଲାକ ଚୌଦ ଦଣ୍ଡ ବେଳ ।

ଚାରିଦିଗରେ ବ୍ରାହ୍ମଣ ଅତି ଯତ୍ନକରି

କୁଶଗ୍ରନ୍ଥି ଫିଟାଇଲେ ନାଡ଼େ ନାଡ଼େ ଧରି ।

ଶକ୍ରାଜିତଙ୍କ ଆଜ୍ଞାରେ ଅଈଲେ କାମିନୀ

ଏକାସନେ ବସାଇଲେ ବର କନ୍ୟା ବେନି ।

ଜୟଶବ୍ଦ ଉଚ୍ଚାରନ୍ତି ସର୍ବ ସ୍ଵର୍ଗବାସୀ

ମଙ୍ଗଳ କାମନା କଲେ ସମସ୍ତ ମହର୍ଷି ।

ତହୁଁ ଶକ୍ରାଜିତ ଉଠି ମହାସନ ଛାଡ଼ି

ବେଦୀରେ ଉଭା ହୋଇଲେ କରପତ୍ର ଯୋଡ଼ି ।

ବୋଇଲେ ଗଣଗନ୍ଧର୍ବ ବସିଛି ଏଠାଇଁ

କୃଷ୍ଣେ ଶରଣ ପଶିଲି କନ୍ୟାଗୋଟି ଦେଇ ।

ମେଦିନୀର ମହାଭରା ନିବାରିବା ଅର୍ଥେ

ଦ୍ଵାପରରେ ନରତନୁ ବହି ଜଗନ୍ନାଥେ ।

ମହାପାତକ ନାଶିଲି କାର୍ଯ୍ୟ ହେଲା ସିଦ୍ଧି

ନିର୍ବାଣ ମୁକ୍ତି ପାଇଲି ହ୍ଵନ୍ତେ ପରଂବୁଦ୍ଧି ।

ମୋର କନ୍ୟା ସତ୍ୟଭାମା ଉଦ୍ଧାରିଲେ ବଂଶ

କୋଟିଏ ଜନମ ପାପ ହେଲା ସବୁ ଧ୍ଵଂସ ।

ମୁହିଁ ଛାର ମର୍ତ୍ତ୍ୟପୁରେ ଜନମ ହୋଇଲି

ନାରାୟଣଙ୍କୁ ମୁଁ ଚର୍ମ ନୟନେ ଦେଖିଲି ।

ଏ ମୋର କରେ ଥୋଇଲି ତାଙ୍କର ଚରଣ

ଅଙ୍ଗରୁ ମହାପାତକ ହୋଇଲା ଖଣ୍ଡନ ।

ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବସିଛନ୍ତି ସଭା

ଏଥିରୁ ବଳି ପୁଣ୍ୟ ମୁଁ ଅରଜିବି କିବା ।

ଏତେ ବୋଲି ଶକ୍ରାଜିତ ବୀର ଚୂଡ଼ାମଣି

ସଭା ଲୋକଙ୍କୁ ପ୍ରଣାମ କରେ ପୁଣି ପୁଣି ।

ଶୁଣିଣ ସାନନ୍ଦ ହେଲେ ଦିକ୍‌ପାଳ ସକଳ

ଆନନ୍ଦେ ଉସତ ହେଲେ ସର୍ବ ଯଦୁବଳ ।

ଶକ୍ରାଜିତେ ଚାହିଁ କରି ବୋଇଲେ ଶ୍ରୀହରି

ପ୍ରତ୍ୟକ୍ଷେ ଲକ୍ଷ୍ମୀ ତୋହର ଘରେ ବିଜେ କରି ।

ମାନବ ନୋହୁ ତୁ ଦିଗପାଳ ସଙ୍ଗେ ସରି

ଆମ୍ଭ ପ୍ରିୟବତୀ ଅଟେ ତୁମ୍ଭର କୁମାରୀ ।

ଏତେକ ବୋଲି ଉଠିଲେ ଦେବ ନାରାୟଣ

ପ୍ରଣମିଲେ ଯାଇ ଶକ୍ରାଜିତଙ୍କ ଚରଣ ।

ଶକ୍ରାଜିତଙ୍କୁ ଶ୍ରୀକୃଷ୍ଣ କଲେ ନମସ୍କାର

ଭକ୍ତିଭରେ ସାଷ୍ଟାଙ୍ଗରେ ନମି ବାରମ୍ବାର ।

ଶକ୍ରାଜିତ ବୋଇଲେକ କହିବି ମୁଁ କିସ

ସନାତନ ପୁରୁଷ ତୁ ଅଟୁ ଜଗଦୀଶ ।

ମୁହିଁ ହୀନ ପାମର ଯେ ନାହିଁ ମୋର ଜ୍ଞାନ

ଦୁହିତା ଗୋଟି ଦେଇଁଣ ପଶିଲ ଶରଣ ।

ଅନେକ ଯତନ କରି ତାକୁ ପାଳିଥିଲି

ଦୋଷାଦୋଷ ତାହାର ଯେ କ୍ଷମିବ ବୋଇଲି ।

ଜଗବନ୍ଧୁଙ୍କ ସଙ୍ଗରେ କଲି ମୁହିଁ ଭାବ

ନିର୍ବାଣ ମୁକ୍ତି ଲଭିବି ଏ ଜନମେ ଧ୍ରୁବ ।

କେବଳ ଏତିକି ମାଗେ ଆହେ ଦେବସ୍ଵାମୀ

ସତ୍ୟାକୁ ମୁଁ ଦେଇଥିଲି ସ୍ୟମନ୍ତକ ମଣି ।

ମଣି ଦେଇ ସମର୍ପିଲି ମୋହର ଦୁଲଣୀ

ସତ୍ୟଭାମା ଦୋଷକ୍ଷମା କରିବ ଭୋ ସ୍ଵାମୀ ।

ଶୁଣିକରି ଜଗନ୍ନାଥ ହେଲେ ହର୍ହସିତ

ଶକ୍ରାଜିତ ରାଜାଙ୍କୁ ସେ କରି କୋଳାଗ୍ରତ ।

ପ୍ରଫୁଲ୍ଲ ବଦନ ଗୋଟି ଟାଙ୍କେ ରୋମାବଳି

ଶ୍ଵଶୁରଙ୍କୁ ମାନନା ଯେ କରି ବନମାଳୀ ।

ବଳରାମ ଉଗ୍ରସେନ ବସୁଦେବ ସହ

ଶକ୍ରାଜିତେ ମାନ୍ୟ କଲେ ହୋଇ ମାୟାମୋହ ।

ଶୁଣ ଆହୋ ପରୀକ୍ଷିତ ଭଣି ଶୁକମୁନି

ଅତିଭାଗ୍ୟେ ଭାଗବତ ପୁରାଣର ଧ୍ଵନି ।

ସରିଲା ବିବାହ ବିଧି ସର୍ବେ ଛନ୍ତି ବସି

ଶକ୍ରାଜିତ ଆଗେ ମଣି ଥୋଉ ହୃଷୀକେଶୀ ।

ଶକ୍ରାଜିତ କରେ ହରି ମଣି ଦେଲେ ନେଇ

ବୋଇଲେ ଏହି ମଣିଟି ଥାଉ ତୁମ୍ଭେ ତହିଁ ।

ଏସନକ ଆଜ୍ଞା ଦେଲେ ପ୍ରଭୁ ଭାବଗ୍ରାହୀ

ସେହି ମଣିର ପ୍ରସ୍ତାବ ଏମନ୍ତ ଅଟଇ ।

ଦେଖିକରି ସଭାଜନେ ଲଭିଲେ ସନ୍ତୋଷ

ଶୁଣି ତହୁଁ ଶକ୍ରାଜିତ ହୋଇଲେ ହରଷ ।

କହନ୍ତେ ନ ସରେ ସତ୍ୟଭାମା ବିଭା କଥା

ଅଦୃଷ୍ଟ ଅଶ୍ରୁତ ଅଟେ ଅସମ୍ଭବ ବାର୍ତ୍ତା ।

ଋଷିମାନେ ସମସ୍ତେ ହିଁ ହୋମଯଜ୍ଞ ସାରି

ନାରାୟଣ ଉଭା ଛନ୍ତି ମନ ତୁଷ୍ଟି କରି ।

ହସ୍ତ ପ୍ରସାରିଣ ଚରୁଅନ୍ନକୁ ଭୁଞ୍ଜିଲେ

ରତ୍ନାଞ୍ଜଳି ଦେଇ ଅଗ୍ନିଦେବ ସ୍ତୁତି କଲେ ।

ସୂର୍ଯ୍ୟାବଲୋକନ କରି ଅନ୍ତଃପୁରେ ପଶି

ଉଚ୍ଚସ୍ଵରେ ଦେବଗଣେ ଜୟ ଜୟ ଭାଷି ।

ସତ୍ୟଭାମାଙ୍କର କର ଧରି ନାରାୟଣ

ପ୍ରବେଶ ହୋଇଲେ ପ୍ରଭୁ ନବର ଦ୍ଵାରେଣ ।

ତ୍ଵରିତେ ସୁଭଦ୍ରା ଆସି ଓଗାଳିଲେ ବାଟ

ଆଡ଼ ହୁଅ ବୋଲିକରି ଭଣି ନନ୍ଦଚାଟ ।

କୋଳକରି ସତ୍ୟଭାମା ତାଙ୍କୁ ବୋଧ କଲେ

ବିନୟ ବାକ୍ୟରେ ପୁଣି ବ୍ରହ୍ମା ପ୍ରବୋଧିଲେ ।

ରଙ୍ଗପାଟ ପତନୀ ଯେ ସସ୍ରଖଣ୍ଡ ଶାଢ଼ୀ

ରଙ୍ଗ ଶୁକ୍ଳକଳା ଆଦି ଭିନ୍ନେ ଭିନ୍ନେ ଧାଡ଼ି ।

ଆହୁରି ଅନେକ ଦ୍ରବ୍ୟ ଉପହାର ଦେଲେ

ଅନ୍ତଃପୁର ମଧ୍ୟେ ଯାଇ ପ୍ରବେଶ ହୋଇଲେ ।

ଏକ ଆସନେ ବସିଣ କଲେ ପଞ୍ଚଗ୍ରାସ

ଭୋଜନାନ୍ତେ ଅଚାମନ ସାରି ହୃଷୀକେଶ ।

ଆଦିତ୍ୟ ଅସ୍ତ ହୁଅନ୍ତେ ପ୍ରବେଶ ରଜନୀ

ମନ୍ଦିରେ ବିଜୟ କଲେ ପ୍ରଭୁ ଚକ୍ରପାଣି ।

ଟେରା ପଡ଼ନ୍ତେଣ ପରିବାରୀ ହେଲେ ଦୂର

ସତ୍ୟଭାମା ସହ ପହୁଡ଼ିଲେ ଚକ୍ରଧର ।

ଯେ ଯାହାର ଚରାଚର ଲାଗିଲେ ସମସ୍ତେ

ଅନେକ ସାନନ୍ଦ ତହିଁ ହେଲେ ଶକ୍ରାଜିତେ ।

ଚୌଠିକାଦି ଖେଳ ସାତ ମଙ୍ଗଳାଦି ସାରି

ସର୍ବେ ନିଶ୍ଚିନ୍ତେ ରହିଲେଲ ଦ୍ଵାରାବତୀ ପୁରୀ ।

ଦେବତାମାନେ ସମସ୍ତେ ଗଲେ ନିଜ ଦେଶ

ବିବାହ ଶେଷରେ ସର୍ବେ ଲଭିଲେ ସନ୍ତୋଷ ।

ଶ୍ରୋତା ବକତାଙ୍କୁ ଦୟା କରନ୍ତୁ ଶ୍ରୀହରି

ବିପ୍ରଙ୍କୁ ଦକ୍ଷିଣା ଦିଅ ନରେ ଶୁଣିକରି ।

ଯେବଣ ଶାସ୍ତ୍ର ଶୁଣନ୍ତେ ପରମାତ୍ମା ତୋଷ

ତହିଁକି ଉପମା ଅବା ଦେବଇଁ ମୁଁ କିସ ।

ଶୁଣ ପରୀକ୍ଷ ସମ୍ବାଦ ଶ୍ରୀହରି ଚରିତ

ଶଏ ସତୁରୀ ଅଧ୍ୟାୟ ହେଲା ସମାପତ ।

ନମସ୍ତେ ହେ ନାରାୟଣ ଲକ୍ଷ୍ମୀଦେବୀ କାନ୍ତ

ଶ୍ରୀବତ୍ସ କୌସ୍ତୁଭଧାରୀ ଶତଦଳ ନେତ୍ର ।

କର୍ଣ୍ଣରେ କୁଣ୍ଡଳ ଶିରେ କିରୀଟ ଶୋଭନ

ଅନାଥ ପ୍ରାଣୀର ବନ୍ଧୁଜଗତ ଜୀବନ ।

ସାରଦା ବଲ୍ଲଭ ସ୍ଵାମୀ ଲକ୍ଷ୍ମୀ ପ୍ରାଣନାଥ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚଉହସ୍ତ ।

ଇନ୍ଦ୍ରାଦି ଦେବଙ୍କ ଛଳେ ନରତନୁ ଧରି

ପୃଥ୍ଵୀଭାର ନିବାରିଲେ ଦନୁଜଙ୍କୁ ମାରି ।

ଶାଲ୍ଵ ଦନ୍ତଚକ୍ର ବାଣ ବଜ୍ରନାଭ ମୂଳେ

ଅନେକ ଦୁଷ୍ଟଙ୍କୁ ବଧ କଲେ କୁତୂହଳେ ।

ଅଚିନ୍ତ୍ୟ ମହିମା ପ୍ରଭୁ ଅଟଇ ତୁମ୍ଭର

ମୁଁ କିସ ବର୍ଣ୍ଣିବ ତାହା ମନୁଷ୍ୟ ମାତର ।

ସବୁ ଛାଡ଼ି ତବ ପାଦେ ପଶିଲି ଶରଣ ।

ମୁଁ ଦୀନ ଅଚ୍ୟୁତ ମୋତେ କର ପରିତ୍ରାଣ ।

 

ସତ୍ୟଭାମାର ବନ୍ଦାପନା

 

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ପାଦତଳେ କଲେ ଦିବ୍ୟପୂଜା ।

ସତ୍ୟଭାମା ବିଭା ଅନ୍ତେ କହେ ଆନବାଣୀ

କେଉଁ କୃତ୍ୟ କଲେ ପୁଣି ଦେବ ଚକ୍ରପାଣି ।

ମହାପାପ କ୍ଷୟ ମୋର ହେଉ ମହାମୁନି

ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି ।

କେବଣ ହିଁ ଦିନକରେ ବ୍ୟାସ ମହାଋଷି

କୁଶସ୍ଥଳୀ ଦ୍ଵାରକାରେ ପ୍ରବେଶିଲେ ଆସି ।

ପୁର ଦେଖିଣ ମହର୍ଷି ବହୁ ପ୍ରଶଂସିଲେ

ଦ୍ଵାର ଜିଣି ଆନନ୍ଦରେ ଭିତରେ ପଶିଲେ ।

ମୁନିଙ୍କର ଆଗମନ ଜାଣି ବନମାଳୀ

ବାଟକୁ ପାଛୋଟି ଆସି କଲେ ନିଉଛାଳି ।

ଡାହାଣା ବର୍ତ୍ତକ ଶଙ୍ଖେ ଜଳତିଳ ଭରି

ମୁନିଙ୍କ ପାଦପଦ୍ମରେ ଅଭିଷେକ କରି ।

ଧୂପ ଦୀପ ନଇବେଦ୍ୟ ଦେଇ କଲେ ପୂଜା

କରପତ୍ର ଯୋଡ଼ି ସ୍ତୁତି କଲେ ଦେବରାଜା ।

ଉଗ୍ରସେନ ଆଦିକରି ଯେତେ ଯଦୁବୀରେ

ଯେ ଯାହାରେ ପ୍ରଣମିଲେ ବ୍ୟାସଙ୍କ ପୟରେ ।

ସନ୍ତୋଷରେ ମହାଋଷି ଭଣି ମୃଦୁବାଣୀ

ଦେବଙ୍କ ଉପରେ ତୁହି ଦେବ ଶିରୋମଣି ।

ପୃଥିବୀର ମହାଭାରା ନିବାରିବା ପାଇଁ

ଦ୍ଵାପରେ ଜନମିଅଛୁ ନରଦେହ ବହି ।

ବ୍ରହ୍ମାଙ୍କୁ ହିଁ ଅଗୋଚର ତୋହର ମହିମା

ନିରଞ୍ଜନ ପୁରୁଷ ତୁ ଅଟୁ ମହାତମା ।

ବ୍ୟାସଙ୍କ ବଚନେ ନିରାକାର ହେଲେ ବୋଧ

ବୋଇଲେ ଭୋ ମୁନି ମୋର ବହୁତ ସମ୍ପଦ ।

ମୋତେ ଯେଣୁ ଅନୁଗ୍ରହ ଅଛଇ ତୋହର

ପାଦପଦ୍ମ ପଡ଼ିଲା ଏ ଦ୍ଵାରାବତୀ ପୁର ।

ଏତେ ବୋଲିଣ ଶ୍ରୀକୃଷ୍ଣ ବସି ସ୍ଥାନ ମାଡ଼ି

ମହର୍ଷି ବସିଲେ କୃଷ୍ଣାଜିନ ଛାଲ ପାଡ଼ି ।

ଦିବ୍ୟ ଭୋଜନାଦି ଦେଇ କଲେ ପାଦପୂଜା

ସବୁଙ୍କୁ ସନ୍ତୋଷ କରାଇଲେ ଦେବରାଜା ।

ଏହିକାଳେ ମୃଦୁସୁଲୀ ଆସି ଜଣାଇଲେ

ସତ୍ୟଭାମା ଦେବୀ ଆଜ ରଜୋବତୀ ହେଲେ ।

ମକର ମାସ ଶୁକଳ ପକ୍ଷ ଗୁରୁବାର

ମଘା ନାମରେ ନକ୍ଷତ୍ର ଅଟେ ସେ ଦିନର ।

ବବ ନାମରେ କରଣ ଶୋଭନ ଯେ ଯୋଗ

ମକର ସଙ୍କରାନ୍ତିକୁ କରକଟ ଭୋଗ ।

ଏତେ ବୋଲି ଆନନ୍ଦରେ କରି ଶଙ୍ଖଧ୍ଵନି

ରାମକୃଷ୍ଣ ଅଙ୍ଗେ ଢାଳି ହଳଦୀର ପାଣି ।

ବ୍ୟାସ ଆଦିକରି ଥିଲେ ଋଷି ସେ ସକଳ

ତାଙ୍କ ଉପରେ ଢାଳିଲେ ହଳଦୀର ଜଳ ।

ସାତବଂଶ ଯଦୁଗଣ ଆସ୍ଥାନରେ ମିଳି

ସମସ୍ତେ ହିଁ କଲେ ତହିଁ ହଳଦୀର କେଳି ।

ନାରାୟଣ ପୁଚ୍ଛା କଲେ ବ୍ୟାସମୁଖ ଚାହିଁ

ବୋଇଲେକ ତୁମ୍ଭଠାରୁ ବିଜ୍ଞ କେହି ନାହିଁ ।

ସତ୍ୟଭାମାଙ୍କର ଆଜ ରଜଚକ୍ର ଗଣ

ସଂକ୍ଷେପିଣ ବୋଲ ମୋତେ ତହିଁର ବିଧାନ ।

ଏତେ ବୋଲି କୃଷ୍ଣଚନ୍ଦ୍ର ହସ୍ତେ ଫଳ ଘେନି

ମୁନିଙ୍କ ଛାମୁରେ ଥୋଇ କରନ୍ତି ଦଇନୀ ।

ଗୋବିନ୍ଦଙ୍କ ବଚନରେ ମହାମୁନିବର

ଅଣ୍ଟାରୁ ପବିତ୍ର ଖଡ଼ି କାଢ଼ିଣ ସତ୍ଵର ।

ଶ୍ରୀୟା ଲେଖି କୋଷ୍ଠି ଯତ୍ନେ କୋଟି ପଞ୍ଚକୋଠି

ଗ୍ରହମାନେ ବସାଇଲେ ତହିଁ ଗୋଟି ଗୋଟି ।

ଗ୍ରହଙ୍କର ଉଚ୍ଚ ନୀଚସ୍ଥାନ ପରିମାଣି

କାଳକ୍ରମେ ରିଷ୍ଟଯୋଗ କରାବତି ଆଣି ।

ଏବେ ସତ୍ୟଭାମା ଦେବୀ ହେଲେ ରଜୋବତୀ

ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଏହୁ ପଦ୍ମିନୀ ସୁଜାତି ।

ତୁମ୍ଭେ ଅଟ ଯାଦବଙ୍କ ଦେବ ଶିରୋମଣି

ପାଟବଂଶୀ ଶ୍ରେଷ୍ଠ ସତ୍ୟଭାମା ଯେ ରୁକ୍ମିଣୀ ।

ଗନ୍ଧର୍ବ ଦେବତାଙ୍କର ଅଟନ୍ତି ସେ ମାତା

ଅନାଦି ଅପର୍ଣ୍ଣା ସେହୁ ସବୁ ଜୀବଦାତା ।

ଦ୍ଵାପରେ ଯୁଗେ ଠାକୁର ଅଟ ତୁମ୍ଭେ ପୁଣି

ୟାଙ୍କ ରଜଚକ୍ର କଥା କହିଲି ପ୍ରମାଣି ।

ଶୁଣିଣ ମହାସନ୍ତୋଷ ହେଲେ ଭାବଗ୍ରାହୀ

ବ୍ୟାସଙ୍କର ବଚନରେ ଭଣି ହୋଇ ହୋଇ ।

ସକଳ ଶୁଭ ହୋଇଲା ବୁଝିଲେ ପ୍ରମାଣି

ଏଥୁ ଅନନ୍ତରେ ସଭା ମଉଳିଲା ପୁଣି ।

ଯେ ଯାହାର ଭୁବନକୁ ଗଲେ ସର୍ବେ ଚଳି

ଏସନକ ପରକାରେ ହେଲା ରଜସ୍ଥଳୀ ।

କୃଷ୍ଣ ଉଗ୍ରସେନ ବସୁଦେବ କାମପାଳ

ଉଦ୍ଧବ ଅକ୍ରୁର ସହ ସର୍ବ ଯଦୁବଳ ।

ଯେ ଯାହା ମନ୍ଦିରେ ଯାଇ ହୋଇଲେ ପ୍ରବେଶ

ଶୁଣ ଆହେ ପରୀକ୍ଷିତ ଭଣି ବ୍ୟାସ ଶିଷ୍ୟ ।

ଶିଷ୍ୟଙ୍କୁ ଘେନିଣ ବେଦବ୍ୟାସ ମହାମୁନି

ମନ ପବନ ଦଣ୍ଡରେ ଚଳିଲେ ସେକ୍ଷଣି ।

ଇଦଂ ପ୍ରତିବାକ୍ୟ ଅଟେ ଅମୃତର ବାଣୀ

ରଜୋବତୀ ହେଲେ ସତ୍ୟଭାମା ଠାକୁରାଣୀ ।

ଏହି ବାର୍ତ୍ତା ଘେନି ଦୁତ ବେଗେ ଚଳିଗଲା

ଶକ୍ରାଜିତ ଆଗେ ଯାଇ ବାରତା କହିଲା ।

ଶୁଣିଣ ମହାସନ୍ତୋଷ ହେଲେ ନୃପମଣି

ଅନେକ ବଧାଇ ଦେଲେ ଧନରତ୍ନ ପୁଣି ।

ଗୁରୁବାରେ ରଜୋବତୀ ହେଲେ ସତ୍ୟଭାମା

ଅହୋରାତ୍ର ଉପବାସେ ରହି ରାଜଜେମା ।

ସପ୍ତମ ଦିନରେ ସ୍ନାନ ଶୁଚିମନ୍ତ ହୋଇ

ଶ୍ରୀକୃଷ୍ଣଙ୍କର ମନ୍ଦିରେ ପ୍ରବେଶିଲେ ଯାଇ ।

ଚନ୍ଦନ କସ୍ତୁରୀ ଯେ କର୍ପୂର ହେଲେ ଲାଗି

ପଲ୍ୟଙ୍କରେ ପହୁଡ଼ିଲେ କୃଷ୍ଣ ସଉଭାଗୀ ।

ଏଥୁ ଅନନ୍ତରେ ତହୁଁ ପ୍ରଭୁ ଦେବରାଜେ

ଦିବ୍ୟବେଶ ହୋଇକରି ପଲ୍ୟଙ୍କରେ ବିଜେ ।

ସତ୍ୟଭାମା ଦେବୀ ଥିଲେ ପଲ୍ୟଙ୍କେ ପହୁଡ଼ି

ତଳେ ଉଭାହେଲେ ଆସି ଶିରେ କର ଯୋଡ଼ି ।

ମଣିମା ମଣିମା ବୋଲି ଶୁଭେ ଦିବ୍ୟବାଣୀ

ସତ୍ୟଭାମା ହସ୍ତ ଧରି ନେଲେ ଚକ୍ରପାଣି ।

ଅବକାଶ ମନ୍ଦିରରେ ହୁଅନ୍ତେ ମୁରାରି

ଆଡ଼ ହୋଇଗଲେ ମୃଦୁସୁଲୀ ପରିବାରୀ ।

କାଳବେଳ ଯୋଗ ବେଳ ମାହେନ୍ଦ୍ରକୁ ଘେନି

ଶଯ୍ୟାରେ ବିଜୟ କଲେ ଦେବ କମ୍ବୁପାଣି ।

କୃଷ୍ଣଙ୍କୁ ଭେଟିଲେ ସତ୍ୟଭାମା ଠାକୁରାଣୀ

ସତ୍ୟଭାମାକୁ ରସିଲେ ପ୍ରଭୁ ଚକ୍ରପାଣି ।

ଅତିଭାଗ୍ୟେ ଭାଗବତ ଅଟେ ପୁଣ୍ୟମୟ

ପଢ଼ନ୍ତେ ଶୁଣନ୍ତେ ପାପ ହୋଇଯିବ କ୍ଷୟ ।

ସତ୍ୟଭାମାଙ୍କର ରତି ଅତି ପ୍ରେମରସ

ଶ୍ରୀକୃଷ୍ଣ ପାଦେ ଶରଣ ମୁଁ ଅଚ୍ୟୁତ ଦାସ ।

 

ଶତ ଧନୁର ଶିରଚ୍ଛେଦ

 

ଏଥୁ ଅନନ୍ତରେ ପରୀକ୍ଷ ନାମେ ନୃପନିଧି

ଶୁକ ବ୍ରହ୍ମାଙ୍କ ଚରଣେ କଲେ ପୂଜାବିଧି ।

ତହିଁର ଅନ୍ତରେ ପୁଣ ହୋଇଲାକ କିସ

ଏହା ମୋତେ ସଂକ୍ଷେପିଣ କହ ବ୍ୟାସଶିଷ୍ୟ ।

ରାଜାର ବାକ୍ୟେ କହନ୍ତି ଶୁକ ମହାମୁନି

ଶୁଣ ନୃପ ସାବଧାନେ ହରିବଂଶ ଧ୍ଵନି ।

କିଛି ଦିନ ଗତ ହେଲା ଏହି ପରକାରେ

ପାଣ୍ଡବଙ୍କୁ ଅନାଦର କଲେ କୁରୁବୀରେ ।

ଜଉ ସଜଳସ ଯୋଗେ ଘର ଭିଆଇଲେ

ପୁରଞ୍ଜନ ପଣ୍ଡା ଦ୍ଵାରା ପୁର ଜାଳି ଦେଲେ ।

ଦିନେ ଶ୍ରୀକୃଷ୍ଣ ଆସ୍ଥାନେ ବିଜେ କରିଛନ୍ତି

ଉଗ୍ରସେନ ବଳଦେବ ଏମନେ ଅଛନ୍ତି ।

କଥା ଭାଷା ହେଉଛନ୍ତି ନାନା ପରକାରେ

ଏ ସମୟେ ଦୂତ ଆସି ବାର୍ତ୍ତା ଜଣାଇଲେ ।

ପାଞ୍ଚଭାଇ ସହିତରେ ମାତା ଦେବୀ କୁନ୍ତୀ

ଛଅଜଣ ଜତୁଗୃହେ ପୋଡ଼ି ମରିଛନ୍ତି ।

ଏମନ୍ତ ବାରତା ଯହୁଁ ଶ୍ରୀକୃଷ୍ଣ ଶୁଣିଲେ

ନନ୍ଦିଘୋଷକୁ ସଜାଅ ଦାରୁକେ କହିଲେ ।

ଆଜ୍ଞା ପାଇଣ ଦାରୁକ ବେଗ ହୋଇ ଗଲା

ନନ୍ଦିଘୋଷ ରଥ ସେହୁ ବେଗେଣ ମଣ୍ଡିଲା ।

ରଥ ସାଜିଣ ସାରଥି ଅଗ୍ରେ କଲା ନେଇ

ସେ ରଥରେ ବିଜେକଲେ ଲକ୍ଷ୍ମୀଦେବୀ ସାଇଁ ।

ଶ୍ରୀକୃଷ୍ଣ ବାହାର ହେଲେ ଅତିବେଗେ ହୋଇ

ଅଧା ସ୍ଵର୍ଗରେ ଦେଖନ୍ତି ଦେବଗଣ ଥାଇ ।

ଆକାଶେ ମାର୍ଗେ ଚଳଇ ସେହି ଦିବ୍ୟ ରଥ

ବୃହସ୍ପତି କହନ୍ତି ହୋ ଶୁଣ ଶଚୀନାଥ ।

ଦେଖ ଦେଖ ଜଗନ୍ନାଥ ପାଣ୍ଡବଙ୍କ ପାଇଁ

ଏକା ଯାଉଛନ୍ତି ନନ୍ଦିଘୋଷକୁ ଆରୋହି ।

ନ ଜାଣିଣ ଦୁର୍ଯ୍ୟୋଧନ ଅଛି ମନ୍ଦ କରି

ନିଶ୍ଚେଁ ପାଣ୍ଡବମାନଙ୍କୁ ରଖିବେ ଶ୍ରୀହରି ।

ପୃଥିବୀର ମହାଭାରା ନିବାର ହୋଇବ

ଉଶ୍ଵାସ ହେବେ ପୃଥିବୀ ମରିବେ ଦାନବ ।

ବିଚାର କରନ୍ତି ଏସନକ ସ୍ଵର୍ଗବାସୀ

ଅର୍ଦ୍ଧାକାଶେ ନନ୍ଦିଘୋଷେ ଯାନ୍ତି ବ୍ରହ୍ମରାଶି ।

ଶୁକ ବୋଲନ୍ତି ହେ ଶୁଣ ପରୀକ୍ଷିତ ରାୟେ

ଇତି ଶିରୀ ଭାଗବତ ଅତି ପୁଣ୍ୟମୟେ ।

ଏଥୁ ଅନନ୍ତରେ ଶୁଣ କଥା ଦିବ୍ୟରସ

ପ୍ରବେଶ ହୋଇଲା ରଥ ଜଉଘର ପାଶ ।

ଦେଖିଲେ ଶବରୀ ପାଞ୍ଚପୁତ୍ର ପଡ଼ିଛନ୍ତି

ସଙ୍ଗେ ମାତା ପୁରଞ୍ଜନ ପୋଡ଼ି ମରିଛନ୍ତି ।

ଦେଖିବା ମାତ୍ରେ ଚିହ୍ନିଲେ ଶ୍ରୀବତ୍ସଲାଞ୍ଛନ

ମିଛେ ମିଛେ ଶୋକ ତହିଁ କଲେ ଭଗବାନ ।

ଆଗହୁଁ ଶ୍ରୀକୃଷ୍ଣ ତାହା ଅଛନ୍ତି ଭିଆଇ

ଶୋକ କରନ୍ତି ଲୋକଙ୍କୁ ଦେଖାଇବା ପାଇଁ ।

ଆହେ ପାଣ୍ଡବ ମୋହର ଅଟ ପଞ୍ଚଭୂତ

ଏକାକରି ମୋତେ ଛାଡ଼ିଗଲ ହେ କେମନ୍ତ ।

ତୁମ୍ଭଙ୍କୁ ନ ଦେଖି ହୃଦ ହେଉଛି ଦହନ

କାହିଁ ଛାଡ଼ିଗଲୁ ମୋତେ ଭୋ ସଖା ଅର୍ଜ୍ଜିୁନ ।

ଏତେ ବୋଲି ତହୁଁ ମୂର୍ଚ୍ଛାଗଲେ ଚକ୍ରପାଣି

ନାମ ଧରି ଉଚ୍ଚସ୍ଵରେ କାନ୍ଦି ପୁଣି ପୁଣି ।

ତୁମ୍ଭଙ୍କୁ ଘେନିଣ ପୃଥ୍ଵୀ ଭାରା ଉଶ୍ଵାସିବି

ଏବେ କାହାକୁ ମୁଁ ସଖା ବୋଲିଣ ବୋଲିବି ।

ଏତେ ବୋଲିଣ ବିଳାପ କରି ଚକ୍ରପାଣି

ମୁକ୍ତା ପ୍ରାୟ ଝଡ଼ି ଲୁହ ପଡ଼ଇ ଧରଣୀ ।

ଏସନକ ବାରତାକୁ ପାଇ କୁରୁବୀରେ

ତ୍ଵରିତେ ମିଳିଲେ ଆସି ଶ୍ରୀକୃଷ୍ଣ ଛାମୁରେ ।

ବିଦୁର ଧୃତରାଷ୍ଟ୍ରଙ୍କୁ ଦେଖି ଦେବହରି

ମହାତାପ ପାଇଲେକ ଉଚ୍ଚେ କାନ୍ଦି କରି ।

ଭୋ ତାତ ପାଣ୍ଡବେ ମୋର କାହିଁ ଛାଡ଼ିଗଲେ

ମୋର ପ୍ରାଣସଖା ମୋତେ ଛାଡ଼ି ପଳାଇଲେ ।

କୃଷ୍ଣଙ୍କର ଶୋକ ଧୃତରାଷ୍ଟ୍ର ଯେ ଶୁଣିଲେ

ପ୍ରବୋଧ ଦେଇଣ ଶୋକ ଶାନ୍ତି କରାଇଲେ ।

ହସ୍ତିନା ସଭାକୁ ନେଇ ସାନ୍ତ୍ଵନା କରାଇ

କୃଷ୍ଣ ଦେଖି ଦୁର୍ଯ୍ୟୋଧନ ଅପସରି ଯାଇ ।

ଆସ୍ଥାନେ ବିଜୟ ଯହୁଁ କଲେ ଦାମୋଦର

ଛାମୁରେ ବସିଲେ ଯାଇ ରାଜା କୁରୁବୀର ।

ଏହି ବେଳେ ଧୃତରାଷ୍ଟ୍ର ବୋଲନ୍ତି ଏ ଗିର

ସାବଧାନେ ଶୁଣ ତୁମ୍ଭେ ପ୍ରଭୁ ଚକ୍ରଧର ।

ପାଣ୍ଡବେ ଭସ୍ମ ହୋଇଲେ ଜଉଘରେ ପଶି

ଏବେ କାୟା ଶୁଦ୍ଧ କରିବାକୁ ହୃଷୀକେଶୀ ।

ଧୃତରାଷ୍ଟ୍ରଙ୍କ ବଚନ ଶୁଣିଲେକ ଯହୁଁ

ଯମୁନା ନଦୀରେ ପଶି ସ୍ନାନ କଲେ ତହୁଁ ।

ଶ୍ରୀକୃଷ୍ଣ ହସ୍ତିନା ସଭା ମଧ୍ୟେ ଛନ୍ତି ବସି

ଶୁକବ୍ରହ୍ମା ବୋଇଲେ ତୁ ଶୁଣ ରାଜବଂଶୀ ।

ଏଥୁ ଅନନ୍ତରେ ପୁଣି ଦ୍ଵାରକାରେ ଥାଇ

ଶତଧନୁକୁ ଅକ୍ରୂର କୃତବର୍ମା ରାଇ ।

ଶକ୍ରାଜିତ ଅଟଇ ତ ତୁମ୍ଭ ଜ୍ୟେଷ୍ଠ ଭାଇ

ତାହାର ହସ୍ତରେ ମଣି ଦେଲେ ଯଦୁସାଇଁ ।

ସେହୁ ଏକା ଗୋପନ ଯେ କଲା ତାହା ଶୁଣି

ତୁମ୍ଭଙ୍କୁ ଗୋପନ କରୁ ରଖିଅଛି ପୁଣି ।

ବର୍ତ୍ତମାନ ଶ୍ରୀକୃଷ୍ଣ ତ ଦ୍ଵାରକାରେ ନାହିଁ

ଶକ୍ରାଜିତକୁ ମାରିଣ ମଣି ଆଣ ଯାଇ ।

ଅକ୍ରୂର କୃତବର୍ମାର ଏହି କଥା ଶୁଣି

ଆଣିବାକୁ ଶତ ଧନୁ ଗଲେ ସେହି ମଣି ।

ମହାନିଶାକାଳେ ଶକ୍ରାଜିତ ଘରେ ପଶି

ପାପ ନ ବିଚାରି ତାକୁ ବଳାତ୍କାରେ ନାଶି ।

ସ୍ୟମନ୍ତକ ମଣି ଘେନି ତହୁଁ ସେ ଅଇଲା

ତାହାର କୁଟୁମ୍ବ ଯାକ ଶୋକେ ଭସାଇଲା ।

ସେହି ବାର୍ତ୍ତା ପାଇ ସତ୍ୟଭାମା ଶୋକକରି

କାନ୍ଦଇ ସେ ଉର ତାଡ଼ି ଗୁଣମାନ ସ୍ମରି ।

ଭୋ ପିତା ଅନେକ କଷ୍ଟେ ସୂର୍ଯ୍ୟଙ୍କୁ ସେବିଲୁ

ବିରଞ୍ଚି ନାରାୟଣଙ୍କୁ ତପେ ମନାଇଲୁ ।

କଠୋର ତପ ଦେଖି ସେ ପ୍ରସନ୍ନ ହୋଇଲେ

ସ୍ୟମନ୍ତକ ମଣି ତୋତେ କରତୋଳି ଦେଲେ ।

ମଣିପାଇ ପୁଣି ତୁହି ଦ୍ଵାରକାକୁ ଗଲୁ

ଯାଦବ ସଭାରେ ତାହା ତୁ ନ ଦେଖାଇଲୁ ।

ସେ ବାରତାଗୋଟି ପାଇ ତ୍ରୈଲୋକ୍ୟର ସାଇଁ

ମଣିର ବାରତା ତୋତେ ପଚାରିଲେ ଯାଇ ।

ଶ୍ରୀକୃଷ୍ଣଙ୍କୁ ନ ଦେଇଣ ପ୍ରସ୍ନାଜିକ ବୀର

ସେ ମଣି ନିମନ୍ତେ ସେହୁ ଗଲା ଯମଦ୍ଵାର ।

ପ୍ରସନ୍ନାଜିତକୁ ମାରି ସିଂହ ନେଲା ମଣି

ଲୋଭେ ସେ ଆପଣା କରେ ରଖିଥିଲା ପୁଣି ।

ତାହାକୁ ମାରିଣ ପଛେ ଜାମ୍ବବାନ ନେଲା

ପାତାଳ ବିବରେ ତାକୁ ଲୁଚାଇ ରଖିଲା ।

ଶ୍ରୀକୃଷ୍ଣଙ୍କୁ ଅପଖ୍ୟାତି ଦେଲେ କାହିଁପାଇଁ

ସଭାରେ ଲଜ୍ଜା ପାଇଲେ ତ୍ରୈଲୋକ୍ୟ ଗୋସାଇଁ ।

ଅପବାଦ ନିମିତ୍ତରେ କୃଷ୍ଣ ଚଳିଗଲେ

ଜାମ୍ବବର ନିକଟୁ ସେ ମଣିକୁ ଆଣିଲେ ।

ସୁଧର୍ମା ସଭାରେ ଯାଦବଙ୍କ ନିକଟରେ

ସେହି ସ୍ୟମନ୍ତକ ମଣି ରଖିଲେ ଯତ୍ନରେ ।

ଲଜ୍ଜାପାଇ ସେହି ମଣି କୃଷ୍ଣହସ୍ତେ ଦେଲୁ

ପୁଣି ହିଁ କିପାଇଁ ତୁହି ବାହୁଡ଼ାଇ ନେଲୁ ।

ମଣିର ନିମନ୍ତେ ବେନିଭାଇ ନାଶଗଲ

ଅକୁଳ ସମୁଦ୍ରେ ମୋର ଭେଳା ବୁଡ଼ାଇଲା ।

ଏହିମତି ସତ୍ୟଭାମା ବହୁତ କାନ୍ଦିଲେ

ଶକ୍ରାଜିତ ଶବ ତ୍ରୈଳଦ୍ରୋଣୀରେ ଭରିଲେ ।

ହସ୍ତିନା ପୁରକୁ ସେହି ବେଗେ ଚଳିଯାଇ

ଯହିଁ ବିଜେ କରିଥିଲେ ତ୍ରୈଲୋକ୍ୟ ଗୋସାଇଁ ।

ତାହାଙ୍କର ବଦନକୁ ଚାହିଁ ସତ୍ୟଭାମା

ମୋହେ ମୂର୍ଚ୍ଛାଗଲେ ହୋଇ ପଡ଼ିଲେକ ବାମା ।

ତୋଳି କୋଳ କରିଣ ଯେ ଧରି ବନମାଳୀ

ସଚେତ କରାଇ ତାଙ୍କୁ ପୁଚ୍ଛିଲେ ଏଭଳି ।

ଭୋ ସଖି କିଅର୍ଥେ ତୁମ୍ଭେ ରୋଦନ ଗୋ କର

ସଚେତ ହୋଇଣ ଏବେ ଭାଷ ମିଷ୍ଟଗିର ।

ଶ୍ରୀକୃଷ୍ଣ ବଚନେ ଶୋକ ସମ୍ବରଣ କରି

ପ୍ରଭୁଙ୍କ ଆଗରେ ସବୁ ବୋଲନ୍ତି ବିସ୍ତାରି ।

ସତ୍ୟଭାମା ମୁଖୁଁ ଶୁଣି ଏମନ୍ତ ବଚନ

ବିସ୍ମୟ ହୋଇ କହିଲେ ପ୍ରଭୁ ଭଗବାନ ।

ମାଉସୀ ପୁଅ ମୋହର ପାଞ୍ଚଗୋଟି ଭାଇ

ଜଉ ସଜଳସ ଗୃହେ ପୋଡ଼ି ମଲେ ସେହି ।

ଏବେ ତୁମ୍ଭର ପିଅର ସଖା ମୋର ଥିଲେ

ବିଧାତାର ବଶେ ସେହି ପ୍ରାଣ ହରାଇଲେ ।

ଏତେ କହି ଶୋକ କଲେ ତ୍ରିଦଶ ଠାକୁର

ନୟନରୁ ଅଶ୍ରୁଜଳ ବହେ ଝରଝର ।

ସତ୍ୟଭାମାକୁ ବୋଇଲେ ଶତଧନୁ ମାରି

ତେବେ ସେ ଶୋକର କଥା ବୁଝିବି ବିଚାରି ।

ଏମନ୍ତେ ବହୁ ପ୍ରଶଂସା କରି ଲକ୍ଷ୍ମୀସାଇଁ

ଧୃତରାଷ୍ଟ୍ରଙ୍କ ଆଗରେ ସବୁ କଥା କହି ।

ସତ୍ୟଭାମାକୁ ସଙ୍ଗତେ ଘେନି ନିଜ ରଥେ

ଦ୍ଵାରକା ପୁରକୁ ଚଳିଗଲେ ଜଗନ୍ନାଥେ ।

କୃଷ୍ଣଙ୍କର ଆଗମନ ଶୁଣି ଶତଧନୁ

ଅତିଭୟେ କମ୍ପମାନ ହେଲା ତାର ତନୁ ।

କୃତବର୍ମା ସମୀପକୁ ଅତିଖରେ ଯାଇ

ପଚାରିଲେ ଏବେ କିସ କରିବି ଗୋସାଇଁ ।

ସେ କଥା ଶୁଣି ବୋଇଲେ କୃତବର୍ମା ବୀର

ଶ୍ରୀକୃଷ୍ଣଙ୍କୁ ଦୋରେହାକୁ କେ ରଖିବ ଆର ।

କୃତବର୍ମା ବୋଇଲେକ ମୋର ବୁଦ୍ଧି ନାହିଁ

ଯାହା ତୋହର ବିଚାର କର ବେଗେ ଯାଇ ।

ତହୁଁ ଶଙ୍କାପାଇ ଶତଧନୁ ପଳାଇଲା

ଅକ୍ରୂର ଆଗରେ ଯାଇ ସମସ୍ତ କହିଲା ।

ତହୁଁ ଅକ୍ରୂର ବୋଇଲା ଶତଧନୁ ଶୁଣ

ତ୍ରିଦଶ ପ୍ରଭୁ ଅଟନ୍ତି ସେହୁ ନାରାୟଣ ।

ଆଦିଅନ୍ତ ନାହିଁ ତାର ମହିମା ଅପାର

ବ୍ରହ୍ମାଆଦି ଠାକୁର ନ ପାନ୍ତି ଅନ୍ତ ଯାର ।

ତା ବଇରୀକୁ ପୃଥ୍ଵୀରେ କେ ରଖିପାରିବ

ତାହାଙ୍କର କୋପରେ ତ ନିଶ୍ଚେଁ ନାଶଯିବ ।

ଏମନ୍ତ ନିରାଶ ବାଣୀ ଶତଧନୁ ଶୁଣି

ଅକ୍ରୁର ଆଗରେ କାନ୍ଦି କହେ ପୁଣି ପୁଣି ।

ତୁମ୍ଭର ବୋଲରେ ମୁହିଁ ପାପକର୍ମ କଲି

ନ ଜାଣିବା ପଣେ କୃଷ୍ଣ ବଇରୀ ହୋଇଲି ।

ଏତେ ବୋଲି ଶତଧନୁ ମଣିଗୋଟି ନେଇ

ଅକ୍ରୂର ଅଣ୍ଟିରେ ତାହା ବେଗେ ଭରିଦେଇ ।

ଅଶ୍ଵେକ ଆରୋହି ତହିଁ ପଳାଇଲା ଖରେ

ଯାଉଁ ଯାଉଁ ବାଟେ ତାକୁ ଦେଖିଲା ଡଗରେ ।

ଗୋଡ଼ାଇ ଗୋଡ଼ାଇ ଯହୁଁ ତାକୁ ନ ପାରିଲା

କୃଷ୍ଣଙ୍କୁ ଛାମୁରେ ଆସି ଖବର କହିଲା ।

ଶୁଣି ସେ ଭାବନ୍ତି ମଣି ଗଲା ଘେନିକରି

କେଉଁଆଡ଼େ ଗଲା ତାହା ଜାଣିବା କିପରି ।

ଏହା ଭାବି ସେହୁ ନନ୍ଦିଘୋଷେ ବିଜେ କଲେ

ବଳରାମ ବାହାରିଲେ ତାଙ୍କର ଆଗରେ ।

ଶଏ ଯୋଜନ ପର୍ଯ୍ୟନ୍ତେ ଗୋଡ଼ାଇଣ ଗଲେ

ମିଥିଳା କଟକେ ଯାଇ ତାହାକୁ ଭେଟିଲେ ।

ସେତେଦୂର ଯାଏ ସେହୁ ବେଗେ ପଳାଇଲା

ଯେ ଘୋଡ଼ାରେ ଚଢ଼ିଥିଲା ସେହି ଘୋଡ଼ାମଲା ।

ପଳାଇ ଫୁଟିଲା ସେହୁ ପାଦଗତି ହୋଇ

ଶ୍ରୀକୃଷ୍ଣ ରଥ ଉପରୁ ପଡ଼ିଲେକ ଡେଇଁ ।

ପଛେ ପଛେ ଗୋଡ଼ାଇଣ ତାହାକୁ ଭେଟିଲେ

ଚକ୍ରରେ ତାହାର ମୁଣ୍ଡ କାଟି ପକାଇଲେ ।

ଶତଧନୁର ମସ୍ତକ କାଟି ଚକ୍ରଧର

ପିନ୍ଧିଲା ବସନ ବେଗେ ଖୋଜନ୍ତି ତାହାର ।

ବସନ ଖୋଜିଣ ଯହୁଁ ମଣି ନ ପାଇଲେ

ରାମଙ୍କ ଆଗରେ ଯାଇ ଶ୍ରୀକୃଷ୍ଣ କହିଲେ ।

ଅକାରଣେ ଆମ୍ଭେ ଶତଧନୁକୁ ମାଇଲୁ

ତାହା ତହିଁ ସ୍ୟମନ୍ତକ ମଣି ନ ପାଇଲୁ ।

ଏହା ଶୁଣି ବଳରାମ ସ୍ତମ୍ଭୀଭୂତ ହୋଇ

ବିଚାରିଲେ ମୋତେ ମାୟା କଲା ଏ କହ୍ନାଇ ।

ଏତେ ଚିନ୍ତି ବଇରାଗ ପାଇ ହଳପାଣି

କୃଷ୍ଣଙ୍କ ମୁଖକୁ ଚାହିଁ ବୋଇଲେ ଏ ବାଣୀ ।

ମିଥିଳା ଦେଶରେ ଆମ୍ଭେ ଥିବୁ ଦିନା କେତେ

ଦ୍ଵାରକା ପୁରକୁ ତୁମ୍ଭେ ଯାଅ ନିଜ ରଥେ ।

ଏତେ କହି ବଳରାମ ମିଥିଳାରେ ରହି

ଜନକ ରାଜାଙ୍କୁ ତହିଁ ଭେଟିଲେ ସେ ଯାଇ ।

ଏ ବାରତା ଦୁର୍ଯ୍ୟୋଧନ ଚାରମୁଖୁଁ ଶୁଣି

ରାମଙ୍କ ପାଶକୁ ସେହୁ ଗଲା ସେହିକ୍ଷଣି ।

ତାଙ୍କଠାରୁ ଦୁର୍ଯ୍ୟୋଧନ ଗଦାବିଦ୍ୟା ପାଇ

ଗୁରୁରୂପେ ବରଣ ସେ କଲା ସେହିଠାଇଁ ।

ବଳରାମ ସେହିଠାରେ ରହିଲେ ନିଶ୍ଚିନ୍ତେ

ଦ୍ଵାରକାପୁରେ ପ୍ରବେଶ ହେଲେ ଗୋପୀନାଥେ ।

ସତ୍ୟଭାମାଙ୍କ ଆଗରେ କହିଲେକ ଯାଇ

ମାଇଲୁ ଶତଧନୁକୁ ଗୋଡ଼ାଇ ଗୋଡ଼ାଇ ।

ତାହାର ତହିଁ ସ୍ୟମନ୍ତମଣି ନ ପାଇଲୁ

କେସନ କଥା ଏ କିଛି ଅନ୍ତ ନ ଜାଣିଲୁ ।

ଆମ୍ଭ ପରିଶୋଧ କଲୁ ଶକ୍ରାଜିତ ଋଣ

ସମସ୍ତ ସାରିଲେ ହରି ପ୍ରେତ କାର୍ଯ୍ୟମାନ ।

ଅକ୍ରୂର ଯେ କୃତବର୍ମା ଦୁହେଁ ବିଚାରିଲେ

କାଶୀପୁର ନଗରକୁ ଯିବାକୁ ବୋଇଲେ ।

ମଣି ତ ନିତ୍ୟ ଦିଅଇ ବହୁ ଶୁଦ୍ଧ ସ୍ଵର୍ଣ୍ଣ

ସେଠାରେ ରହି କରିବା ବହୁ ଯଜ୍ଞଦାନ ।

ଏତେ କହି ଦୁହେଁ ଚଳିଗଲେ ଅତିଖରେ

ପ୍ରବେଶ ହୋଇଲେ ସେହୁ ଯାଇ କାଶୀପୁରେ ।

ଅକ୍ରୂର ଯେଉଁ ଦିନରୁ ଦ୍ଵାରକାରୁ ଗଲା

ଦ୍ଵାରକାପୁରେ ବହୁତ ଅନିଷ୍ଟ ହୋଇଲା ।

ବିଚାରି ଯାଦବମାନେ ସର୍ବେ ତହିଁ ଗଲେ

ଅକ୍ରୂରକୁ ବୋଧ କରି ସଙ୍ଗରେ ଆଣିଲେ ।

କିଛି ଦିନାନ୍ତରେ ରାମ ଦ୍ଵାରକାକୁ ଆସି

ସ୍ଵଧର୍ମା ସଭା ମଧ୍ୟରେ ସମସ୍ତେ ହିଁ ବସି ।

ଅକ୍ରୁର ମୁଖକୁ ଚାହିଁ କୃଷ୍ଣ ତହିଁ ପୁଚ୍ଛି

ସ୍ୟମନ୍ତକ ମଣିଗୋଟି ତୁମ୍ଭ ତହିଁ ଅଛି ।

ସହି ମଣି ଗୋଟିକ ଯେ ଅଟଇ ଆମ୍ଭର

ଶକ୍ରାଜିତ ରାଜାଙ୍କର ଅଛନ୍ତି କୁମର ।

ସେହି ଧନ ବେଭାରେ ତ ତାଙ୍କର ଅଟଇ

ଝିଅ ପୁଅଙ୍କୁ ତ ମିଳେ ଶାସ୍ତ୍ରରେ ଅଛଇ ।

ତାହାଙ୍କର ଭାଇ ପୁଅ ତା ପୁଅମାନଙ୍କୁ

ଏହି ଦ୍ରବ୍ୟମାନ ପ୍ରାପ୍ତ ହୋଇବ ତାହାଙ୍କୁ ।

ଯେତେ ଛନ୍ତି ତାର ବନ୍ଧୁଜନ ଆଦିକରି

ଶକ୍ରାଜିତ ବର୍ଷିକିଆ ଦେବେ ସେହୁ ସାରି ।

ଯେତେକ ଧନ ତାହାର ଗୃହେ ମଧ୍ୟେ ଥିବ

କୁଟୁମ୍ବ ମଧ୍ୟରେ ତାହା ବଣ୍ଟନ ହୋଇବ ।

ଯେବେ ତାହାଙ୍କର ବନ୍ଧୁ କୁଟୁମ୍ବ ନ ଥିବେ

ସନ୍ନ୍ୟାସୀ ଯତିମାନଙ୍କୁ ତାହା ବାଣ୍ଟି ଦେବେ ।

ଯେତେ ଧନ ସବୁ ନେବେ ଶାସ୍ତ୍ରର ପ୍ରମାଣେ

ଏସନକ ବଚନକୁ ଭଣି ନାରାୟଣେ ।

ଆହେ ଅକ୍ରୂର ବିଚାର ଏମନ୍ତ ଯେ କର

ସେ ମଣି ଦେଖାଅ ଆଣି ଯାଦବ ସଭାର ।

ଆମ୍ଭର ହୋଇଣ ପଛେ ଥାଉ ତୁମ୍ଭ ତହିଁ

ଏତେ ବୋଲି କୃଷ୍ଣ ରହିଲେକ ତୁନି ହୋଇ ।

ଶ୍ରୀକୃଷ୍ଣ ମୁଖରୁ ଯହୁଁ ଏମନ୍ତ ଶୁଣିଲା

ସଭାପତିଙ୍କ ସମ୍ମୁଖେ ମଣି ଦେଖାଇଲା ।

ଭାଦ୍ରବ ମାସରେ ଯେହ୍ନେ ସୂର୍ଯ୍ୟ ଆସେ ଉଇଁ

ତେମନ୍ତ ହୋଇ ମଣିର ତେଜ ଦେଖାଯାଇ ।

ସୁଧର୍ମା ସଭା ମଧ୍ୟରେ ଯେତେ ଲୋକଥିଲେ

ଶ୍ରୀକୃଷ୍ଣର ମଣି ଜାଣି ସର୍ବେ ଛାଡ଼ି ଦେଲେ ।

ଏହା ଯେହୁ ପ୍ରତିଦିନ ପଢ଼ଇ ଶୁଣଇ

ତାର ଅପବାଦ ଦୋଷ ସବୁ ନାଶଯାଇ ।

ଏହି ଯେଉଁ ସ୍ୟମନ୍ତକ ମଣିର ପ୍ରସ୍ତାବ

ଶୁଣିଲେ ହରଇ ପାପ ମହାପାପ ସର୍ବ ।

ଶ୍ରୀଅଚ୍ୟୁତ ଦାସ କବି ଗୀତେ ଏହା କହି

ହେ ରାମ କୃଷ୍ଣ କରିବା ମୋତେ ଭବୁଁ ତ୍ରାହି ।

 

ହରିବଂଶ ଷଷ୍ଠ ଖଣ୍ଡ

ପଞ୍ଚାଳ ଦେଶରେ ଦ୍ରୌପଦୀ ସ୍ଵୟମ୍ବର

 

ଏସନ ପ୍ରକାରେ ତହିଁ କେତେଦିନ ଗଲା

ଯାଦବ ସଭାରେ ଆସି ଚାର ଜଣାଇଲା ।

ସାବଧାନେ ଶୁଣ ବଳଦେବ ଚକ୍ରପାଣି

ବେଶାଉର ବାର୍ତ୍ତା ଯାହା ଆମ୍ଭେ ଅଛୁ ଶୁଣି ।

ହସ୍ତିନାର ରାଜା ଦୁର୍ଯ୍ୟୋଧନ ନରପତି

ପାଣ୍ଡବଙ୍କ ସଙ୍ଗେ ତାର ହୋଇଲା ଅପ୍ରୀତି ।

ଅତି ଉଗ୍ର ମାନୀ ଅଟେ ସେ ମାନଗୋବିନ୍ଦ

ସବୁକାଳେ ପାଞ୍ଚଇ ସେ ପାଣ୍ଡବଙ୍କ ମନ୍ଦ ।

ଝିମିଟି ଖେଳରୁ ଜାତ ହୋଇଲା କନ୍ଦଳ

ପାଣ୍ଡବେ କୌରବ ହେଲେ ସେଦିନୁ ଅମେଳ ।

ମାଲଯୁଦ୍ଧ ପାଣ୍ଡବଙ୍କୁ ନ ପାରି କୌରବେ

ଅସ୍ତ୍ର ଶସ୍ତ୍ର ପ୍ରହାରିଲେ ଜଗି ଠାବେ ଠାବେ ।

ଭୋଜନେ ଭୀମସେନକୁ ବିଷଲଡ଼ୁ ଦେଲେ

ମଲା ବୋଲି ବାନ୍ଧି ସିନ୍ଧୁଜଳେ ପକାଇଲେ ।

ଜଉ ସଜଳସ ଗୁଆଘୃତ ଛଣପଟେ

ପୋଡ଼ି ମାରିବାକୁ ଘର ଭେଇଲେ କପଟେ ।

ପାଣ୍ଡବଙ୍କୁ ବିଶ୍ଵାସରେ ସେ ଗୃହେ ରଖାଇ

ପୁରୋଚନ ହସ୍ତେ ଅଗ୍ନି ଲଗାଇଲେ ତହିଁ ।

ପାଣ୍ଡବେ ପୋଡ଼ି ମାଇଲେ ଶୁଭିଲା ଏଧ୍ଵନି

ଶୁଣି ପ୍ରତେ କଲେ ନର ସୁର ସିଦ୍ଧମୁନି ।

ପାଣ୍ଡବେ କିପରି ତହୁଁ ଉବୁରିଣ ଗଲେ

କୁମ୍ଭିରୀ ବିଦାରି ହିଡ଼ିମ୍ବକୁ ବଧ କଲେ ।

ପାଣ୍ଡବେ ଚିହ୍ନିଲୁ ଆମ୍ଭେ ଦେଖି ତଥ୍ୟକରି

ଏକ ଚକ୍ର ପୁରେ ଛନ୍ତି ଭିକ୍ଷୁ ରୂପ ଧରି ।

ଅର୍ଜ୍ଜୁନ ଧରିଛି ହରି ଗୋବିନ୍ଦର ମୂଣି

ତମ୍ବାପାତ୍ରି ଧରିଛନ୍ତି ଯୁଧିଷ୍ଠି ନୃମଣି ।

ଭୀମସେନର କନ୍ଧରେ ଅଛି ଚକ୍ରଭାର

ନକୁଳ ଯେ ସହଦେବ ଅଛନ୍ତି ସଙ୍ଗର ।

ପାଞ୍ଚପୁତ୍ର ଘେନି କୁନ୍ତୀ ତପସ୍ଵିନୀ ବେଶେ

ଭିକ୍ଷୁକ ବୃତ୍ତିରେ କାଳ ହରୁଛନ୍ତି କ୍ଳେଶେ ।

ସ୍ଵଚକ୍ଷୁରେ ଆମ୍ଭେ ଏହା ଆସିଅଛୁ ଦେଖି

ଶୁଣି ଜଗନ୍ନାଥ କଲେ ଥନଥନ ଆଖି ।

ଅନ୍ତର୍ଗତେ ଜାଣିଲେ ସେ ପାଣ୍ଡବଙ୍କ କଷ୍ଟ

ଯୁବାକାଳରେ ସେମାନେ ହେଲେ ସ୍ଥାନ ଭ୍ରଷ୍ଟ ।

ଦୁର୍ଯ୍ୟୋଧନର ସଙ୍ଗତେ ହୋଇଲେ ଅଭାବ

ଏମନ୍ତ ଦୁଃଖରେ ଅବା କେତେଦିନ ଯିବ ।

ପୁଣି ବିଚାରିଲେ ଯେବେ ହୋଇଲେ ସେ ଦୁଃଖୀ

ଧରାଭାର ନିବାରିଲେ ସର୍ବେ ହେବେ ସୁଖୀ ।

ଆମ୍ଭେ ଥାନ୍ତେ ତାଙ୍କରତ ନାହିଁ କିଛି ହାନି

ଧରାଭାର ନିବାରିକୁ ପାଣ୍ଡବଙ୍କୁ ଘେନି ।

ଏମନ୍ତ ସମୟେ ଆସି କହେ ଅନ୍ୟ ଚାର

ଆବର କଥାଏ ଶୁଣ ରାମ ଚକ୍ରଧର ।

ପାଞ୍ଚାଳ ଦେଶ ଈଶ୍ଵର ଦ୍ରୁପଦ ରାଜନ

ଦ୍ରୌପଦୀ ନାମରେ ତାର କନ୍ୟା ଅଛି ଜାଣ ।

ସେ କନ୍ୟା ପାଇଁକି ସ୍ଵୟମ୍ବର ହେଉଅଛି

ପାଞ୍ଚାଳ ରାଜନ ଲକ୍ଷେ ନୃପତି ବରିଛି ।

ଏ ରାତି ପାହିଲେ କାଲି ସ୍ଵୟମ୍ବର ହେବ

ଚକ୍ରକୂଟ ଲାଖ କରିଛନ୍ତି ବ୍ୟାସଦେବ ।

ଦ୍ରୂପଦ ଭିଆଇଛନ୍ତି ଅନେକ ସମ୍ଭାର

ଯେ ଲାଖ ବିନ୍ଧିବ କନ୍ୟା ହୋଇବ ତାହାର ।

ଚାର ମୁଖୁଁ ରାମକୃଷ୍ଣ ଏ ବଚନ ଶୁଣି

ପାଞ୍ଚାଳ ଦେଶକୁ ଚଳିଗଲେ ସେହିକ୍ଷଣି ।

ବଦୟନ୍ତି ଶୁକମୁନି ପରୀକ୍ଷିତ ଶୁଣ

ଏ ବାରତା ପାଇ ତୋର ପିତାମହଗଣ ।

ଯୁଧିଷ୍ଠିର ଆଦି ପାଞ୍ଚ ଭାଇ ସାଙ୍ଗ ହୋଇ

ଦ୍ରୂପଦ ପୁରକୁ ଚଳିଗଲେ ବେଗ ହୋଇ ।

କପଟରେ ଧରିଛନ୍ତି ଦ୍ଵିଜବର ବେଶ

ବ୍ରାହ୍ମଣ ସଭାରେ ଯାଇ ହୋଇ ପ୍ରବେଶ ।

ଏକଦୃଷ୍ଟି କରି ଦେଖୁଛନ୍ତି ନୃପମଣି

ସ୍ଵର୍ଗରୁ ମିଳିଲା ପ୍ରାୟେ ଦିଶନ୍ତି ସେ ପୁଣି ।

ଦେଖି ନରପତିମାନେ ବିଚାରନ୍ତି ମନେ

ଏମନ୍ତ ବ୍ରାହ୍ମଣ ଦେଖା ନଥିଲା ତ ଦିନେ ।

ମୂର୍ତ୍ତିମନ୍ତ ହୋଇ ଧର୍ମ ବିଜେ କଲେ ଅବା

କି ଅବା ପବନ ଏହି ଅଟନ୍ତି ମଘବା ।

ଅଶ୍ଵିନୀକୁମାର ଅବା ବିଜେ କଲେ ଆସି

ଏ ପାଞ୍ଚଜଣ ତେସନେ ଯାଉଛନ୍ତି ଦିଶି ।

ଏମନ୍ତ ସମୟେ ଆସି କୃଷ୍ଣ କାମପାଳ

ପ୍ରବେଶ ହୋଇଲେ ସେହି ରଙ୍ଗସଭା ତଳ ।

ଦ୍ରୂପଦ ଦେଖନ୍ତି ରାମ କୃଷ୍ଣ ଆଗମନ

ସଭା ମଧ୍ୟେ ବସାଇଲେ ଦେଇଣ ଆସନ ।

ଏଥୁ ଅନନ୍ତରେ ଉଠି ପାଞ୍ଚାଳ ଈଶ୍ଵର

ସଭା ମୁଖେ ଉଭା ହୋଇ କହିଲେ ଏ ଗିର ।

ଚାରିଋଣା ଲକ୍ଷେ ରାଜା ଅଛ ରୁଣ୍ଡ ହୋଇ

ଯେ ଲାଖ ବିନ୍ଧିବ ତାକୁ କନ୍ୟା ଦେବି ମୁହିଁ ।

ଜରାସନ୍ଧ ବୋଲେ ଶୁଣ ଦ୍ରୁପଦ ନୃପତି

ଦେଖିବା ଅଣାଅ ତୁମ୍ଭେ କନ୍ୟା ରୂପବତୀ ।

କେମନ୍ତେ ସେ କନ୍ୟା ଆଗ ନୟନେ ଦେଖିବା

ପଛେ ଲାଖ ବିନ୍ଧିବାକୁ ବିଚାର କରିବା ।

ଶୁଣିଣ ଦ୍ରୁପଦ ରାଜା ଅନ୍ତଃପୁର ଗଲେ

କନ୍ୟାକୁ ଅଣାଇ ମେଢ଼ପରେ ରଖାଇଲେ ।

ପର୍ବତ ଶିଖରେ ଯେହ୍ନେ ଖେଳଇ ବିଜୁଳି

ମେଢ଼ପରେ ଦିଶେ ତେହ୍ନେ ଦ୍ରୌପଦୀର ଝଳି ।

ପୂର୍ବା ଚଳେ ପୂର୍ଣ୍ଣ ଶଶୀ ହେଲା କି ଉଦୟ

ଦେଖିକରି ରାଜାମାନେ ହୋଇଲେ ଅଥୟ ।

କେ ବୋଲଇ ଧନ୍ୟ ଧନ୍ୟ ଅଟେ ଏ ଯୁବତୀ

କେ ବୋଲଇ ଏହା ତୁଲ୍ୟ ନାହିଁ ରୂପବତୀ ।

କୋ ବୋଲଇ ସୁଧାକାର ବିମ୍ବ ପ୍ରାୟ ମୁଖ

କେ ବୋଲେ କଟାକ୍ଷ ୟାର ମଦନ ବିଶିଖ ।

କେ ବୋଲେ ଭ୍ରୂଲତା ଅଟେ କନ୍ଦର୍ପ କୋଦଣ୍ଡ

ସୌନ୍ଦର୍ଯ୍ୟରେ ମୋହିପାରେ ସକଳ ବ୍ରହ୍ମାଣ୍ଡ ।

ସକଳ ଶୋଭା ଏହାର ଅଙ୍ଗେ ପୁରିଅଛି

ବତିଶ ଲକ୍ଷଣଯାକ ସମ୍ପୂର୍ଣ୍ଣରେ ଗଚ୍ଛି ।

ଶିବ ସେବାକରି ଯେହୁ ପୁଣ୍ୟ ଅର୍ଜିଥିବ

ଏ କନ୍ୟାର କରକୁ ସେ ଧରି ବିଭା ହେବ ।

ଯାହାକୁ ସେ ହସିକରି ଥରେ ଦେବ ଚାହିଁ

ଇନ୍ଦ୍ର ସମ୍ପଦ ତୁଚ୍ଛ ବିଚାରିବ ସେହି ।

ଏମନ୍ତ ଉଚ୍ଚାଟ ହୋଇ ନୃପେ ଭାଳୁଥିଲେ

କେଶିନୀ ମୁଖକୁ ଚାହିଁ ଦ୍ରୌପଦୀ ପୁଚ୍ଛିଲେ ।

କହ ଗୋ ସଜନି ସଭା ହୋଇଛି କିପାଇଁ

କିପାଁ ତାତ ମୋତେ ଏଥେ ଆଣିଲେ ଡକାଇ ।

କେଶିନୀ ବୋଇଲା ସଖି ନ ଜାଣୁ କି ସତେ

ସ୍ଵୟମ୍ବର ହୋଇଅଛି ତୋହର ନିମନ୍ତେ ।

ଚାରିଉଣା ଲକ୍ଷେ ରାଜା ବସିଛନ୍ତି ଦେଖ

ଦ୍ଵାରକାରୁ ଆସିଛନ୍ତି ଭୀମ ପଦ୍ମମୁଖ ।

ଲାଖ ଥୋଇ ରଙ୍ଗସଭା କରିଛନ୍ତି ପିତା

ଯେ ଲାଖ ବିନ୍ଧିବ ତାର ହେବୁ ତୁ ବନିତା ।

ଏମନ୍ତ କହି କେଶିନୀ ହୋଇଲା ମଉନ

କର୍ଣ୍ଣ ମୁଖ ଚାହିଁ ବୋଲେ ରାଜା ଦୁର୍ଯ୍ୟୋଧନ ।

କିପାଇଁ ବସିଛି ମିତ୍ର ଉଠ ଧାତିକାରେ

ଲାଖ ବିନ୍ଧି କିନ୍ୟା ନେବା ବିଳମ୍ବ ନ କର ।

କର୍ଣ୍ଣ ବୋଲେ ଏ କଥା ତ ଉଚିତ ନୁହଇ

ସଭା ମଣ୍ଡି ବସିଛନ୍ତି କେତେ ନରସାଇଁ ।

ସେମାନେ ବିନ୍ଧନ୍ତୁ ଆଗ ଉଠି ବେଳେ ବେଳେ

ଲାଖ ନ ବାଜିଲେ ପଛେ ବିନ୍ଧିବି ମୁଁ ହେଳେ ।

ଏମନ୍ତ ସମୟେ ଉଠି ଜରାସନ୍ଧ ବୀର

ଧୃଷ୍ଟଦ୍ୟୁମନକୁ ଚାହିଁ ବୋଲେରେ କୁମର ।

କେବଳ ବିଧାନେ ଲାଖ କରିଅଛି କହ

ଜାଣିଲେ ବିନ୍ଧିବା ପଛେ ନ ଥିବ ସନ୍ଦେହ ।

ଧୃଷ୍ଟଦ୍ୟୁମ୍ନ ବୋଲେ ଶୁଣ ଲାଖର ବିଧାନ

ସାତତାଳ ଉଚ୍ଚଖମ୍ବେ ଅଛି ରୋହିମୀନ ।

ତହିଁତଳେ ରାଧାଚକ୍ର ବୁଲେ ଆନ୍ତରାଳ

ଖମ୍ବ ତଳେ ପଟା ଭାଡ଼ି ତହିଁ ତଳେ ଜଳ ।

ଉପରକୁ ଗଣ୍ଠି ମୁଷ୍ଟି ତଳେ ଦେବ ଦୃଷ୍ଟି

ବିନ୍ଧନ୍ତେ ମାଛର ବାମଚକ୍ଷୁ ଯିବ ଫୁଟି ।

ଦକ୍ଷିଣ ଚକ୍ଷୁରେ ଭେଦି ରହିବ ସେ ଶର

ତେବେ ସେ ଜିଣିଲା କନ୍ୟା ହୋଇବ ତାହାର ।

ଏହା ଶୁଣି ଜରାସନ୍ଧ ପଟାପରେ ଉଠି

ଲାଖ ବିନ୍ଧିବାକୁ ଧନୁ ଧଇଲା ସାଉଁଟି ।

ଗୁଣ ଦେଉଁ ଦେଉଁ ମତି ବିଭ୍ରମ ହୋଇଲା

ବିନ୍ଧି ନ ପାରିଣ ଲଜ୍ଜାପାଇ ବାହୁଡ଼ିଲା ।

ତା ଦେଖି ମାନଗୋବିନ୍ଦ ଆସ୍ଥାନରୁ ଉଠି

ଚାଲନ୍ତେ ପାଦରୁ ସ୍ଵର୍ଣ୍ଣପଦ୍ମ ଝଡ଼େ ଫୁଟି ।

ଦ୍ରୋପଦୀ ଦେଖି ପୁଚ୍ଛିଲେ କେଶିନୀକୁ ଚାହିଁ

କେବଣ ଦେଶର ରାଜ ଅଟଇ ଗୋ ଏହି ।

କେଶିନୀ ବୋଇଲେ ଏ ତ ହସ୍ତିନା ନୃପତି

ଲକ୍ଷେ ରାଜା ଶିରୋମଣି ମାନଚକ୍ରବର୍ତ୍ତୀ ।

ଏ ପନ୍ନଗ ନାରାୟଣ ରୂପେ ଅବତାର

ନ କରଇ ପିତାମାତା ପାଦେ ନମସ୍କାର ।

ଧୃତରାଷ୍ଟ୍ର ଜ୍ୟୋଷ୍ଠ ସୁତ ନାମ ଦୁର୍ଯ୍ୟୋଧନ

ୟା ସମାନେ ରାଜା କେହି ନାହିଁ ତ୍ରିଭୁବନ ।

ଏମନ୍ତ ସମୟେ ଦୁର୍ଯ୍ୟୋଧନ ଲାଖତଳେ

ଉଭା ହୋଇ କନ୍ୟା ମୁଖ ଦେଖିଲା ନିରୋଳେ ।

ଚାହୁଁ ଚାହୁଁ ହୃଦୟରେ ବାଜି ପାଞ୍ଚଶର

କାମ ବିହ୍ଵଳରେ ତାକୁ ଦିଶିଲା ଅନ୍ଧାର ।

ବିଭ୍ରମ ହୋଇଣ ରାଜା ଜାଣି ନ ପାରିଲା

ଧନୁ ବୋଲି ଜଳଘଟ ଆକର୍ଷି ଧରିଲା ।

ଦେଖି ଉଚ୍ଚେ ଅଟ୍ଟହାସ କରି ଧୃଷ୍ଟଦ୍ୟୁମ୍ନ

ବୋଲେ ବାପପରି ତୋର ନାହିଁ କି ନୟନ ।

ନ ପାରିବା କାର୍ଯ୍ୟେ କିପାଁ ବଳାଉ ସାହସ

ତୁଁ କାହୁଁ ବିନ୍ଧୁବୁ ଲାଖ ବେଗେ ଫେରିଆସ ।

ଏହା ଶୁଣି ଦୁର୍ଯ୍ୟୋଧନ ବାହୁଡ଼ିଣ ଗଲା

ଅତି ଲାଜେ ମଥା ପୋତି ସଭାରେ ବସିଲା ।

ଦୁର୍ଯ୍ୟୋଧନ ହାରିଯିବା ଦେଖି ଶିଶୁପାଳ

ସିଂହପ୍ରାୟ ଗତି କରି ଗଲା ତତକାଳ ।

ଲାଖ ତଳେ ମିଳି କରେ ଧନୁ ଧରୁ ଧରୁ

ସମ୍ଭାଳି ନ ପାରି ଖସି ପଡ଼ିଲା ମଞ୍ଚାରୁ ।

କର୍ଣ୍ଣାଟ ଦେଶରେ ରାଜା ଉଠି କ୍ରୋଧଭରେ

ଧନୁ ଧରି ନ ପାରନ୍ତେ ପଡ଼ିଲା ମହୀରେ ।

ପୁଣ୍ଡରୀକ ବାସୁଦେବ ଦେଖି ଅତି କୋପେ

ପଟାରେ ଚଢ଼ିଣ ଗୁଣ ଦେଉ ଦେଉ ଚାପେ ।

ଅସମ୍ଭାଳ ହୋଇ ତଳେ ପଡ଼େ ମହୀପାଳ

ହସିଲେ ନୃପତିମାନେ ଦେଇ କରତାଳ ।

କଳିଙ୍ଗ ଦେଶର ରାଜା ନାମ ମୃଗସେନ

ସହସ୍ରେ ହସ୍ତୀରେ ବଳେ ବହେ ସେ ରାଜନ ।

ତେଡ଼େ ବଳା ହୋଇ ଲାଖ ବିନ୍ଧି ନ ପାରିଲା

ଧନୁ ଧରୁ ଧରୁ ଛେଚି ହୋଇଣ ପଡ଼ିଲା ।

ରୁକ୍ମଣ ଅତ୍ୟନ୍ତ ଗର୍ବେ ଗଲା ଉଠିକରି

ଲାଖ ବିନ୍ଧି ଭ୍ରମି ହୋଇ ପଳାଇଲା ଫେରି ।

ବିକ୍ରମକେଶରୀ ରାଜା ଯାଇ ଅତି ଗର୍ବେ

ଧନୁ ଧରି ନ ପାରିଲା ଦେଖୁଛନ୍ତି ସର୍ବେ ।

ସଭାରେ ବସିଲା ଆସି ଲାଜେ ମୁଖ ପୋତି

ଉଠିଲା ନିର୍ଝର ଦେଶ ରାଜା ଗଣପତି ।

ଲାଖର ତଳେ ସେ ଯାଇ ପ୍ରବେଶ ହୋଇଲା

ଧନୁ ଧରି ନ ପାରିଣ ଲାଜେ ବାହୁଡ଼ିଲା ।

କାଶୀଦେଶର ନୃପତି ନାମ କାଶୀଶ୍ଵର

ପ୍ରତିଜ୍ଞା କରିଣ ଉଠିଗଲା ସେ ସତ୍ଵର ।

ଲାଖ ଖମ୍ବତଳେ ଯାଇ କ୍ଷଣକେ ପ୍ରବେଶି

ପରାକ୍ରମ କରି ଧନୁ ଧଇଲା ଆକର୍ଷି ।

ଗୁଣ ଦେବା ପାଇଁ ଭୁଜେ ଭିଡ଼ନ୍ତେ ବହନ

ମୁଖବାଟେ ହେଲା ତାର ରୁଧିର ବମନ ।

ଚଳଦଳ ପତ୍ର ପ୍ରାୟ କମ୍ପିଲା ଶରୀର

ତେଣୁ ଭୟେ ଫେରିଗଲା ତେଡ଼େ ନୃପବର ।

ତା ଦେଖି ଆସ୍ଥାନୁ ଉଠି ରାଜା ଜୟଦ୍ରଥ

ଲାଖତଳେ ମିଳିଲା ସେ ଦୁଃଶୀଳାର କାନ୍ତ ।

ଧନୁକୁ ଧରିର ପଟା ଉପରେ ଉଠିଲା

ଜଳଭାଣ୍ଡେ ଦୃଷ୍ଟି ଦେଇ ଉର୍ଦ୍ଧ୍ଵ ମୁଷ୍ଟି କଲା ।

ଶର ପୁରାଇଣ ଗୁଣେ ଆଣନ୍ତେ ଓଟାରି

ଛେଚିହୋଇ ପଡ଼ିଲା ସେ ସମ୍ଭାଳି ନ ପାରି ।

ହତଜ୍ଞାନ ହୋଇ ତଳେ ପଡ଼ନ୍ତେ ଲେଉଟି

ଧୃଷ୍ଟଦ୍ୟୁମ୍ନ ବୋଲେ ପଳା ପଳା ବେଗେ ଉଠି ।

ଏହି ରୀତି କେତେ ରାଜା ପଡ଼ି ଉଠି ଗଲେ

କେହି ବିନ୍ଧି ନ ପାରିଣ ଲାଜେ ବାହୁଡ଼ିଲେ ।

ଲାଜ ପାଇ ମୁଖ ପୋତି ନୀରବ ହୋଇଣ

ସଭାରେ ବସିଲେ ଯହୁଁ ନରପତିଗଣ ।

ବଳରାମଙ୍କୁ ଚାହିଁଣ ପୁଚ୍ଛିଲେ ଶ୍ରୀହରି

ସଭାରେ ତ ବସିଛନ୍ତି ଲକ୍ଷେ ଦଣ୍ଡଧାରୀ ।

ଲାଖ ବିନ୍ଧି ନ ପାରିଲେ ଏ ନୃପତି ଗଣ

କେ ଆଉ ବିନ୍ଧିବ କହ ବିଚାରି ଆପଣ ।

ବଳରାମ ବୋଇଲେ ତୁ ଶୁଣ ଶିରୀପତି

ଏ ଲାଖ ବିନ୍ଧିବ ନିଶ୍ଚେ କର୍ଣ୍ଣ ମହାରଥୀ ।

ଶ୍ରୀକୃଷ୍ଣ ବୋଇଲେ କର୍ଣ୍ଣ ବିନ୍ଧି ନ ପାରିବ

ବ୍ୟାସକୂଟ ଲାଖ ଭେଦ ସେ କାହୁଁ ଜାଣିବ ।

ଏତେ କହି ମନେ ମନେ ଭାଳିଲେ ଶ୍ରୀପତି

ଦୁର୍ଯ୍ୟୋଧନ ସଙ୍ଗେ ଛନ୍ତି ଷଡ଼ ମହାରଥୀ ।

ସେ ଯଦ୍ୟପି ଲାଖ ବିନ୍ଧି କନ୍ୟା ରତ୍ନ ନେବେ

ପାଣ୍ଡବେ ନିରାଶ ହୋଇ ବାହୁଡ଼ିଣ ଯିବେ ।

ଏତେ ଚିନ୍ତି ସୁଦର୍ଶନ ରଥାଙ୍ଗକୁ ରାଇ

ଆଜ୍ଞା ଦେଲେ ଲାଖତଳେ ବୁଲୁଥିବ ଯାଇଁ ।

କେହି ଜାଣି ନ ପାରିବେ ଅଦୃଶ୍ୟରେ ଥିବୁ

ଯେତେ ବାଣ ଯିବ ସବୁ ଫୋପଡ଼ାଇ ଦେବୁ ।

ଆଜ୍ଞା ପାଇ ସୁଦର୍ଶନ ଯାଇ ଅତି ଖରେ

ଗୁପତେ ରହିଲା ରାଧାଚକ୍ରର ଉପରେ ।

ବଳରାମଙ୍କୁ ଏ କଥା ନୋହିଲା ଗୋଚର

ଦ୍ଵିଜଙ୍କ ମଧ୍ୟେ ଜାଣିଲେ ବ୍ୟାସ ମୁନିବର ।

ଦ୍ରୌପଦୀଙ୍କ ମୁଖ ଚାହିଁ ବୋଲଇ କେଶିନୀ

ମୁଁ ଯାହା କହିଛି ତାହା କର ଯାଜ୍ଞସେନୀ ।

ଦେଖିଲ ତ ଲାଖ ବିନ୍ଧି ନ ପାରିଲେ ନୃପେ

ବାଛି ଏକ ନୃପ ଏଥୁଁ ବର ତୁମ୍ଭେ ଆପେ ।

ପୂର୍ବରୁ ବ୍ୟବସ୍ଥା ଅଛି ଏସନକ ରୀତି

ମାଳା ଦେଇ ବରିଛନ୍ତି ଅନେକ ଯୁବତୀ ।

ତୁମ୍ଭେ ଏବେ ସେହି କଥା କର ଗୋ ସଙ୍ଗାତ

ଦ୍ରୌପଦୀ ବୋଇଲେ ଏହା ନୁହଇ ଯୁକତ ।

କର୍ମେ ଯାହା ଲେଖିଛନ୍ତି ବିଧାତା ପୁରୁଷ

ଜନ୍ମ ଘେନି ତାହା ଏବେ ଭୁଞ୍ଜିବ ଅବଶ୍ୟ ।

ଯୋଗଥିବା କଥା ବୋଲେ ନୁହଇ ତ ଆନ

ପିତାଙ୍କ ଆଦେଶ କିପାଁ କରିବି ଲଙ୍ଘନ ।

ସ୍ତିରୀଏ ହୋଇଲେ ନିଶ୍ଚେଁ ପୁରୁଷେକ ଅଛି

ଏଥିପାଇଁ ଭାବନା ତୁ ନ କର ଗୋ କିଛି ।

ଶୁଣିଣ କେଶିନୀ ଲାଜେ ହୋଇଲା ମଉନ

ଏଥୁ ଅନନ୍ତରେ ଉଠି ଦ୍ରୁପଦ ରାଜନ ।

ସଭାକୁ ଚାହିଁଣ ବୋଲେ ଶୁଣ ହେ ସକଳେ

ରାଜାମାନେ ଲାଖ ବିନ୍ଧି ନ ପାରିଲେ ଢାଳେ ।

ବୀର ମହାବୀର କ୍ଷତ୍ରୀ ମନ୍ତ୍ରୀ ସେନାପତି

ଯେ ଲାଖ ବିନ୍ଧିବ ତାକୁ ଦେବି ମୁଁ ଦୁହିତୀ ।

ଏହା ଶୁଣି କର୍ଣ୍ଣ ମୁଖ ଚାହିଁ କୁରୁନାଥ

ବୋଇଲେ ଏଥର ତୁମ୍ଭେ ବିନ୍ଧ ଆହେ ମିତ୍ର ।

ଆଜ୍ଞା ପାଇ କର୍ଣ୍ଣବୀର ଉଠିଲେ ସତ୍ଵରେ

ଅଷ୍ଟ ରତନ ମୁକୁଟ ଶୋଭା ପାଏ ଶିରେ ।

ଆଦିତ୍ୟ ନନ୍ଦନ ସେହି କୁନ୍ତୀଗର୍ଭୁ ଜାତ

ଶ୍ରୀଭୁଜଯୁଗରେ ବାନ୍ଧି ଅଛି ବୀର ନେତ ।

କର୍ଣ୍ଣରେ କୁଣ୍ଡଳ ବେନି ଜଗତ ମୋହିଲା

ଲକ୍ଷେ ରାଜାଙ୍କର ତେଜ ମଳିନ ଦିଶିଲା ।

କେଶିନୀ ମୁଖକୁ ଚାହିଁ ଦ୍ରୌପଦୀ ପୁଛଇ

କେଉଁ ଦେଶ ରାଜା ଏହୁ ପଟାରେ ଉଠଇ ।

କେଶିନୀ ବୋଇଲା ଏତେ କର୍ଣ୍ଣ ବୀର ରାଣ

ୟା ସମାନେ ବୀର ନାହିଁ ପୃଥିବୀରେ ଜାଣ ।

ଲକ୍ଷେ ଭାର ସ୍ଵର୍ଣ୍ଣ ୟାକୁ ଦିଏ ବସୁମତି

ସେ ଧନ ବିପ୍ରକୁ ଦାନ କରଇ ଏ ନିତି ।

କୁରୁ ନୃପତିର ଏହୁ ଅଟଇ ମଇତ୍ର

ଭାରତେ ଭାରୋଇ ମଲ୍ଲ ଏଇ ସୂତପୁତ୍ର ।

ବଳେ ଅତି ବଳିୟାର ରୂପେ ଅନୁପମ

ଆବର ବହିଛି ଅଙ୍ଗେ ଅପାର ବିକ୍ରମ ।

ଏ ଲାଖ ବିନ୍ଧିବ ଅବା ଲାଗି ପରତେ

ଏହିକ୍ଷଣି ଜଣାଯିବ ଦେଖିଲେ ସାକ୍ଷାତେ ।

ବିଚାର କରନ୍ତି ଦୁହେଁ ବସି ଏ ପ୍ରକାରେ

ପଟାରେ ଉଠିଲା କର୍ଣ୍ଣ ଯାଇ ଧାତିକାରେ ।

ଦେଖନ୍ତି ସଭାରେ ବସି ସକଳ ନୃପତି

ବାମକରେ ତୋଳି ଧନୁ ଧଇଲା ଝଟତି ।

ହୁଳରେ ପାଦ ଦେଇଣ ମାଡ଼ିଲା ସେ ଧନୁ

ଅବହେଳେ ଗୁଣଦେଲା ଆଦିତ୍ୟର ସୂନୁ ।

ଗୁଣ ଦେଇ ଧନୁ ଯହୁଁ ଆମଞ୍ଚନ କଲା

ସାଧୁ ସାଧୁ କର୍ଣ୍ଣ ବୋଲି ସଭାରେ ଶୁଭିଲା ।

ଧୃଷ୍ଟଦ୍ୟୁମ୍ନକୁ ଚାହିଁ ପଚାରଇ କର୍ଣ୍ଣ

ଲାଖର ବୃତ୍ତାନ୍ତ କହ କେବଣ ବିଧାନ ।

ଧୃଷ୍ଟଦ୍ୟୁମ୍ନ ବୋଲେ ଶୁଣ କର୍ଣ୍ଣ ମହାରଥୀ

ସାତତାଳ ଉଚ୍ଚେ ମୀନ କରିଅଛି ସ୍ଥିତି ।

ତହିଁ ତଳେ ରାଧାଚକ୍ର ସହସ୍ରେକ ଥର

ଶୂନ୍ୟେ ଥାଇ ଭ୍ରମୁଥାଇ ଅତ୍ୟନ୍ତ ପ୍ରଖର ।

ତା ଛାଇ ନିରୋପି ଜଳ ଘଟେ ଦେବ ଦୃଷ୍ଟି

ନାରାଚ ବିନ୍ଧନ୍ତେ ଥିବ ଉପରକୁ ମୁଷ୍ଟି ।

ଚକ୍ର ନିକିଳି ଫୁଟିବ ମୀନ ବାମ ଆଖି

ଏମନ୍ତ ହୋଇଲେ ନେବ କନ୍ୟା ଶଶୀମୁଖୀ ।

ଶୁଣି ଅତି ହରଷରେ କର୍ଣ୍ଣ ମହାବୀର

ପଟାପରେ ଉଭା ହେଲା ଧରି ଧନୁଶର ।

କରେ ଧନୁ ଆମଞ୍ଚିଣ କଲା ଗୁଣ ନାଦ

ସେ ଶବଦେ ନୃପଗଣ ହୋଇଲେ ସ୍ତବଧ ।

ତଳକୁ ଦୃଷ୍ଟି ଦେଇଣ ଉପରକୁ ମୁଷ୍ଟି

କର୍ଣ୍ଣର ଉପରେ ଅଛି ସମସ୍ତଙ୍କ ଦୃଷ୍ଟି ।

କୋପେ ଆକର୍ଷିଣ କର୍ଣ୍ଣ ନାରାଚ ବିନ୍ଧିଲା

ସୁଦର୍ଶନ ଚକ୍ରେ ବାଜି ଲେଉଟି ଅଇଲା ।

ବାହୁଡ଼ି ଭୂମିରେ ଆସି ପଡ଼ିଲା ତ୍ଵରିତେ

ନୋହିଲା ନୋହିଲା ବୋଲି ବୋଇଲେ ସମସ୍ତେ ।

ଲଜ୍ଜାପାଇ କର୍ଣ୍ଣବୀର ବସିଲା ସଭାରେ

ଭୀଷ୍ମ ମହାରଥୀ ତହୁଁ ଉଠିଲେ କ୍ରୋଧରେ ।

ଦେଖ ମୁଁ ବିନ୍ଧିବି ବୋଲି ଗର୍ଜି କହୁଥିଲେ

ଶ୍ରୀଖଣ୍ଡୀକି ଦେଖି ହୀନବୀର୍ଯ୍ୟ ସେ ହୋଇଲେ ।

ନିବର୍ତ୍ତି ରହିଲ ଆଉ ନ କହି ବଡ଼ିମା

ସଭାରୁ ଉଠିଲେ ତାହା ଦେଖି ଅଶ୍ଵଥାମା ।

କାଳାନ୍ତକ ରୁଦ୍ରରୂପ ଧରି ଦ୍ରୋଣସୁତ

ପଟାପରେ ଉଠି ବାଣ ବିନ୍ଧିଲେ ତ୍ଵରିତ ।

ରାଧାଚକ୍ର ଭେଦିଣ ସେ ଅନ୍ତରୀକ୍ଷେ ଗଲା

ସୁଦର୍ଶନ ଚକ୍ରେ ବାଜି ଲେଉଟି ପଡ଼ିଲା ।

ନୋହିଲା ନୋହିଲା ବୋଲି ସକଳେ କହନ୍ତି

ଲାଜେ ମଥା ପୋତିଦେଲେ ତେଡ଼େ ବଡ଼ ରଥୀ ।

ତହୁଁ ଅତି କ୍ରୋଧେ ଉଠି ଭୂରିଶ୍ରବା ବୀର

ପଟାର ଉପରେ ଯାଇ ଚଢ଼ିଲେ ସତ୍ଵର ।

ଜଳଘଟେ ଦୃଷ୍ଟି ଦେଇ ବିନ୍ଧନ୍ତେ ସେ ବାଣ

ସୁଦର୍ଶନ ଚକ୍ରେ ବାଜି ହେଲା ଅକାରଣ ।

ଲାଜ ପାଇ ଭୁରିଶ୍ରବା ବସନ୍ତେ ସଭାରେ

ତା ଦେଖିଣ ଦ୍ରୋଣାଚାର୍ଯ୍ୟ ଉଠିଲେ ସତ୍ଵରେ ।

ସିଂହ ପ୍ରାୟ ଗତିକରି ଭରଦ୍ଵାଜ ସୁତ

ପଟାରେ ଉଠିଣ ଧନୁ ଧଇଲେ ତ୍ଵରିତ ।

କ୍ଷତ୍ରିୟମାନଙ୍କ ଚାରୁ ଅଟନ୍ତି ସେ ଦ୍ରୋଣ

ନିଶ୍ଚଳରେ ଉଭା ହେଲେ କରେ ଧରି ବାଣ ।

ଆକର୍ଷି ନାରାଚ ଗୋଟି ବିନ୍ଧିଲେ କ୍ରୋଧରେ

ସୁଦର୍ଶନ ଚକ୍ରେ ବାଜି ପଡ଼ିଲା ଭୂମିରେ ।

ତା ଦେଖିଣ ଉପହାସ କଲା ଧୃଷ୍ଟଦ୍ୟୁମ୍ନ

ଲାଜ ପାଇ ବାହୁଡ଼ିଲେ ଭରଦ୍ଵାଜ ନାନ ।

ଦ୍ରୋଣ ଗୁରୁ ଅପମାନ ପାଇବାର ଦେଖି

ସଭାରୁ ଉଠିଲେ ଶଲ୍ୟ ରଙ୍ଗକରି ଆଖି ।

ଲାଖର ତଳେ ଯାଇ ସେ ହୋଇଣ ପ୍ରବେଶ

ବାମକରେ ଧନୁ ଧରି କଲେ ଗୁଣ ଘୋଷ ।

ଅତି ଯତନରେ ବାଣ ବିନ୍ଧନ୍ତେ ଆକର୍ଷି

ଷଡ଼ତାଳ ଭେଦିଗଲା ରାଧାଚକ୍ରେ ପଶି ।

ତହୁଁ ଯାଇ ସୁଦର୍ଶନ ଚକ୍ରରେ ବାଜନ୍ତେ

ଲେଉଟି ପଡ଼ିଲା ତଳେ ଦେଖନ୍ତି ସମସ୍ତେ ।

ଲଜ୍ଜା ପାଇ ଶଲ୍ୟବୀର ବାହୁଡ଼ିଣ ଗଲେ

ବଦନ ନୁଆଇଁ ସଭା ମଧ୍ୟରେ ବସିଲେ ।

ଏହିମତେ କେତେ ରାଜା ଉଠି ଆସିକରି

ଲାଖ ବିନ୍ଧି ନ ପାରିଣ ଗଲେ ଅପସରି ।

ସ୍ତବଧ ହୋଇଲେ ବସି ସକଳ ନୃପତି

ଲାଖ ବିନ୍ଧିବାକୁ କାର ନ ବଳଇ ମତି ।

ଏମନ୍ତବେଳେ ପୁଚ୍ଛିଲେ ସ୍ଵାମୀ ବଳରାମ

କଥାଏ ବିଚାରି କହ ପୁରୁଷ ଉତ୍ତମ ।

ଅତି ଅଗୋଚର ଲାଖ କରିଛି ଦ୍ରୁପଦ

ବିନ୍ଧି ନ ପାରିଣ ନୃପେ ଲଭିଲେ ବିଷାଦ ।

ଶ୍ରୀକୃଷ୍ଣ ବୋଇଲେ ଆହେ ବଳଦେବ

ତୁମ୍ଭେ କହୁଥିଲ କର୍ଣ୍ଣ ଏ ଲାଖ ବିନ୍ଧିବ ।

ବଳରାମ ବୋଇଲେ ସେ ଅଟେ ଦୃଷ୍ଟିଭେଦୀ

ତେଣୁ ଭାବୁଥିଲି ଅବା ପାରିବ ସେ ବିନ୍ଧି ।

ସାକ୍ଷାତେ ଦେଖିଲୁ କେହି ବିନ୍ଧି ନ ପାରିଲେ

ଆଉ କେ ବିନ୍ଧିବ କହ ତୁମ୍ଭେ ଜାଣିଥିଲେ ।

ଅତିଦୃଢ଼େ ପଚାରିଲେ ଯହୁଁ ବଳଦେବ

ମନମଧ୍ୟେ ବିଚାରିଣ ପ୍ରଭୁ ବାସୁଦେବ ।

ବୋଇଲେ କହିବା ତାହା ଶୁଣ ଶଙ୍କର୍ଷଣ

ବିନ୍ଧିବାକୁ ତିନିପୁରେ ଛନ୍ତି ତିନିଜଣ ।

ପାତାଳେ ବାସୁକୀ ରାଜା ସ୍ଵର୍ଗେ ଶଚୀନାଥ

ମର୍ତ୍ତ୍ୟପୁରେ ଅରଜୁନ କୁନ୍ତୀ ସାନସୁତ ।

ତ୍ରୈଲୋକ୍ୟ ଭିତରେ ଛନ୍ତି ଏହି ତିନିଜଣ

ଏ ତିନିଙ୍କ ବିନା ଅନ୍ୟ କେହି ନାହିଁ ଜାଣ ।

ଏହା ଶୁଣି ପଚାରିଲେ ପ୍ରଭୁ କାମପାଳ

ସ୍ଵର୍ଗ ତେଜି ଆସିବେ କି ଦେବ ଆଖଣ୍ଡଳ ।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ହଳଧାରୀ

ଇନ୍ଦ୍ରଙ୍କୁ ଯୋଗ୍ୟ ନୁହଇ ଦ୍ରୁପଦ କୁମାରୀ ।

ତେଣୁ ମର୍ତ୍ତ୍ୟପୁରେ ବିଜେ ନ କଲେ ବାସବ

ବାସୁକୀ ଆସିବ କଥା ଅଟେ ଅସମ୍ଭବ ।

ଚରାଚର ପୃଥିବୀ ଯେ ବହିଛନ୍ତି ଶିରେ

ତା ଛାଡ଼ି ଆସିଲେ ପୃଥ୍ଵୀ ନ ରହିବ ସ୍ଥିରେ ।

ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନି

ଅର୍ଜ୍ଜୁନର ଭାର୍ଯ୍ୟା ହେବେ ସେହି ଯାଜ୍ଞସେନୀ ।

ଇନ୍ଦ୍ର ଦେବତାର ବଧୂ ହେବେ ସେ ନିୟତ

ଏହା ଜାଣି ନ ଆସିଲେ ଦେବ ପୁରୁହୂତ ।

ବଳରାମଙ୍କୁ ବଞ୍ଚାଇ କହିଲେ ଶ୍ରୀହରି

ଇନ୍ଦ୍ରର ଅଯୋଗ୍ୟ ଏହି ଦ୍ରୁପଦକୁମାରୀ ।

ବଳରାମ ସ୍ଵାମୀ ତାହା ଜାଣି ନ ପାରିଲେ

କୃଷ୍ଣଙ୍କୁ ଚାହିଁଣ ପୁଣି ଏମନ୍ତ କହିଲେ ।

ତୁମ୍ଭେ ଲାଖଗୋଟି ବିନ୍ଧି ଆହେ ବନମାଳୀ

ଦ୍ଵାରକାପୁର ମଣ୍ଡନୀ ହୋଇବ ପାଞ୍ଚାଳୀ ।

ଅଯୋନି ସମ୍ଭୂତା ଅଟେ ଏହି ଯାଜ୍ଞସେନୀ

ଯାଗ ଅନଳରୁ ଜାତ କଲେ ବ୍ୟାସମୁନି ।

ଶ୍ରୀକୃଷ୍ଣ ବୋଇଲେ କନ୍ୟା ପ୍ରାପ୍ତ ନାହିଁ ମୋତେ

ଆପଣ କହୁଛ ଲାଖ ବିନ୍ଧିବି କେମନ୍ତେ ।

ମନଭେଦୀ ବାଣଗୋଟି ମୋ ହସ୍ତରେ ନାହିଁ

ତେଣୁ ଏ ଲାଖକୁ ବିନ୍ଧି ନ ପାରଇ ମୁହିଁ ।

ବଳରାମ ବୋଇଲେ ହେ ଶୁଣ ଦଇତ୍ୟାରି

ଇନ୍ଦ୍ରର ଅଯୋଗ୍ୟ ଯେବେ ଦ୍ରୁପଦ କୁମାରୀ ।

ତୁମ୍ଭେ ତ ବୋଲୁଛ କନ୍ୟା ମୋତେ ପ୍ରାପ୍ତ ନାହିଁ

ବାସୁକୀ ପୃଥିବୀ ଛାଡ଼ି ଆସି ନ ପାରଇ ।

ଅରଜୁନ ମରିଅଛି ଜତୁଗୃହେ ପୋଡ଼ି

ନିଶ୍ଚୟ ଦ୍ରୁପଦସୂତା ହେଲା ଘରବୁଢ଼ୀ ।

ଯେବେ ଲାଖ ବିନ୍ଧିବାକୁ ଆଉ କେହି ନାହିଁ

ଏ ପଞ୍ଚାଳଦେଶେ ଆମ୍ଭେ ଥିବା କିସ ପାଇଁ ।

ଦ୍ଵାରକାପୁରକୁ ଆସ ବେଗ ହୋଇ ଯିବା

ଶ୍ରୀକୃଷ୍ଣ ବୋଇଲେ ସ୍ଵାମୀ ଆଜକ ରହିବା ।

ଅବଶ୍ୟ ଏ ଲାଖ ଜଣେ ବିନ୍ଧିବ ଗୋସାଇଁ

ନ ଦେଖିଣ ଫେରିଯିବା କହ କିସପାଇଁ ।

ବଳରାମ ବୋଇଲେ ତୁ କୂଟକରି ମୋତେ

ଆପେ ଲାଖ ବିନ୍ଧିବାକୁ ବିଚାରୁଛୁ ଚିତ୍ତେ ।

ଶ୍ରୀହରି ବୋଇଲେ ସ୍ଵାମୀ ନ ବିଚାର ଆନ

ଏ ଲାଖ ବିନ୍ଧିବ ନିଶ୍ଚେଁ ପାଣ୍ଡବ ଅର୍ଜ୍ଜୁନ ।

ବଳରାମ ଏହା ଶୁଣି ମନ୍ଦହାସ କରି

ବୋଇଲେ ଆଶ୍ଚର୍ଯ୍ୟ କଥା କହୁଛୁ କିପରି ।

ଦିବସରେ ସ୍ଵପ୍ନ ଅବା ଦେଖିଲୁ କେମନ୍ତେ

ଜତୁଗୃହେ ପୋଡ଼ିମଲେ ପଣ୍ଡୁ ରାଜା ସୁତେ ।

ମଲାପ୍ରାଣୀ ଜୀଇଅଛି ଦେଖିଛୁ କାହାକୁ

ସେ କାହୁଁ ଆସିବେ ଏଥେଁ ଲାଖ ବିନ୍ଧିବାକୁ ।

ଶ୍ରୀକୃଷ୍ଣ ବୋଇଲେ ମୁହିଁ ଜୀବନରେ ଥାନ୍ତେ

ପାଣ୍ଡବେ ମରିବେ ଏହା ନ ବିଚାର ଚିତ୍ତେ ।

ମହୀଭାରା ନିବାରିବି ମୁଁ ତାହାଙ୍କୁ ଘେନି

ଏ ଲାଖ ବିନ୍ଧିବ ନିଶ୍ଚେଁ ବୀର ଫାଲଗୁନି ।

ଶ୍ରୀକୃଷ୍ଣ ମୁଖର ଏହା ଶୁଣି କାମପାଳ

ଶରୀର କମ୍ପାଇ କୋପେ ହେଲେ କୋପାନଳ ।

ବୋଇଲେରେ କୃଷ୍ଣ କରୁ ମୋହଠାରେ ମାୟା

ପାଣ୍ଡବଙ୍କଠାରେ ତୋର ଅଛି ଏଡ଼େ ଦୟା ।

ପାଣ୍ଡବେ ଜୀବନେ ଛନ୍ତି ଯେବେ ଜାଣିଥିଲୁ

ମୋତେ ନ କହିଣ କିପାଁ ଲୁଚାଇ ରଖିଲୁ ।

ମୋ ପ୍ରତି ହୃଦୟେ ତୋର ଏଡ଼େ ମାୟା କଥା

ତୋ ସଙ୍ଗେ ରହିବା ମୋର ଅଟେ ସିନା ବୃଥା ।

ଏତେ ବୋଲି କାମପାଳ କ୍ରୋଧେ ଉଠିଗଲେ

ତୋ ମୁଖ ଚାହିଁବି ନାହିଁ ବୋଲିଣ ବୋଇଲେ ।

କାଦମ୍ବରୀ ପାନେ ସଦା ଭୋଳ ତାଙ୍କ ମତି

ଥୋକାଏ ଦୂରକୁ ଯାଉ ପୁଣି ସେ ଭାଳନ୍ତି ।

ଆମ୍ଭେ ଯେବେ ଚାଲିଯିବୁ ଏଠାରୁ କ୍ରୋଧରେ

ପାଣ୍ଡବେ କହିବେ ଦୟା ନାହିଁ ଆମ୍ଭଠାରେ ।

ଆବର ଏଠାରେ ଅଛି ଜରାସନ୍ଧ ଦୁଷ୍ଟ

କି ଜାଣି କୃଷ୍ଣର ସଙ୍ଗେ କରିବ ଅନିଷ୍ଟ ।

ଏତେ ଚିନ୍ତି ବଳରାମ ବାହୁଡ଼ି ଅଇଲେ

ମୌନ ହୋଇ କୃଷ୍ଣଙ୍କର ସନ୍ନିଧେ ବସିଲେ ।

ଶୁକମୁନି ବୋଇଲେ ହୋ ଶୁଣ ପରୀକ୍ଷିତ

ଏଥୁ ଅନନ୍ତରେ ହେଲା ଯେବଣ ଚରିତ ।

ଆସ୍ଥାନକୁ ଚାହିଁ ବୋଲେ ଧୃଷ୍ଟଦ୍ୟୁମ୍ନ ବୀର

ସଭା ମଣ୍ଡି ବସିଅଛ ଲକ୍ଷେ ନୃପବର ।

ରଥୀ ମହାରଥୀ ମନ୍ତ୍ରୀ ସେନାପତି ଯେତେ

ଏକ ଏକ କରି ତାହା କହିବି ମୁଁ କେତେ ।

କେହି ଜଣେ ଲାଖଗୋଟା ବିନ୍ଧି ନ ପାରିଲ

ବଦନ ନୁଆଇଁ ସର୍ବେ ମଉନ ରହିଲି ।

କ୍ଷତ୍ରିୟ କୁଳକୁ ଲଜ୍ଜା ନୁହଇ କି ଏହା

ମୁଁ ଯାହା କହୁଛି ସର୍ବେ ଶୁଣ ଏବେ ତାହା ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି

ଛତିଶ ପାଟକ ଲୋକେ ସଭାରେ ଅଛନ୍ତି ।

ଏହାଙ୍କ ମଧ୍ୟରୁ ଲାଖ ଯେ ବିନ୍ଧି ପାରିବ

ନିଶ୍ଚୟ କହୁଛି କନ୍ୟା ରତ୍ନ ସେହି ନେବ ।

ଧୃଷ୍ଟଦ୍ୟୁମ୍ନ ମୁଖୁଁ ଏହା ଶୁଣି ଯୁଧିଷ୍ଠିର

ଅର୍ଜ୍ଜୁନ ମୁଖକୁ ଚାହିଁ ଦେଲେ ଧାତିକାର ।

ଠାକୁରଙ୍କ ମନ କଥା ଜାଣି ଅରଜୁନ

ବ୍ରାହ୍ମଣ ସଭାରୁ ଉଠି ଚଳିଲେ ବହନ ।

ବ୍ରାହ୍ମଣମାନେ ବୋଇଲେ ଶୁଣ ଆହେ ଦ୍ଵିଜ

ଆମ୍ଭମାନଙ୍କର ସାଧ୍ୟ ନୁହଇ ଏ କାର୍ଯ୍ୟ ।

କନ୍ୟା ରୂପ ଦେଖି ତୁମ୍ଭେ ହୋଇଲ କି ବାଇ

ଲୋଭ କଲେ ରାଜକନ୍ୟା ପାରିବ କି ନେଇ ।

ଯେବଣ ଲାଖକୁ ନୃପେ ପଳାଇଲେ ହାରି

ତୁମ୍ଭେ ତା ବିନ୍ଧିବ ଅବା କହ କେଉଁପରି ।

ଲୋଭଗ୍ରସ୍ତ ହୋଇ କିପାଁ କରୁଛ ସାହସ

ବ୍ରାହ୍ମଣଙ୍କୁ ନିନ୍ଦା ଦେବ ଲଭି ଅପଯଶ ।

ଯୁଧିଷ୍ଠି ବୋଇଲେ କିପାଁ କରୁଅଛ ମନା

ବିନ୍ଧି ନ ପାରିଲେ ପଛେ ଗାଳିଦେବ ସିନା ।

ବ୍ରାହ୍ମଣଙ୍କ ପରାକ୍ରମ ଅଟଇ ଅପାର

ବିପ୍ରକୁଳେ ଜନ୍ମିଥିଲେ ବୀର ପର୍ଶୁଧର ।

ଏକବିଂଶବାର ପୃଥ୍ୱୀ ନକ୍ଷତ୍ରୀ ସେ କଲେ

ବଶିଷ୍ଠ ମହର୍ଷି ବିଶ୍ଵାମିତ୍ରଙ୍କୁ ଜିଣିଲେ ।

ବ୍ରାହ୍ମଣ ଅଟନ୍ତି ଦ୍ରୋଣ କୃପା ଅଶ୍ଵଥିାମା

ଜଗତେ ବିଖ୍ୟାତ ଅଟେ ଏହାଙ୍କ ମହିମା ।

ଏ ବ୍ରାହ୍ମଣଠାରେ ଯେବେ ବୀରପଣ ଥିବ

ଧନୁ ଧରି ଛିଡ଼ା ହେଲେ ନିଶ୍ଚେଁ ଜଣାଯିବ ।

ଯୁଧିଷ୍ଟିଙ୍କଠାରୁ ଏହା ଶୁଣି ଦ୍ଵିଜଗଣ

ସନ୍ତୋଷ ହୋଇଣ ମନେ ବାଞ୍ଛିଲେ କଲ୍ୟାଣ ।

ବ୍ରାହ୍ମଣ ସଭାର ଉଠି ବୀର ଅରଜୁନ

ବିକ୍ରମକେଶରୀ ପ୍ରାୟେ କରନ୍ତି ଗମନ ।

ଜଗତି ଉପରେ ଥାଇ ଯାଜ୍ଞସେନୀ ଦେଖି

କେଶିନୀ ମୁଖକୁ ଚାହିଁ ବୋଇଲେ ଗୋ ସଖି ।

ଦେଖ ଦେଖ ଏ ବ୍ରାହ୍ମଣ କେମନ୍ତ ସୁନ୍ଦର

ଦ୍ଵିତୀବିଷ୍ଣୁ ପ୍ରାୟ ଦିଶେ ରୂପ ମନୋହର ।

ସତେ ଧନୁ ଧରି ଲାଖ ବିନ୍ଧିବେ କି ଏହି

ଏ ରୂପ ଦେଖିଣ ମନ କରୁଛି ନୁହଇ ।

କେଶିନୀ ବୋଇଲା ସଖି ହେଲୁ ଜ୍ଞାନହୀନ

ଦରିଦ୍ର ବ୍ରାହ୍ମଣଠାରେ ବଳଇ ତୋ ମନ ।

ଦ୍ରୌପଦୀ ବୋଇଲେ ମୁହିଁ ରାଜାର ଦୁଲଣୀ

ତଥାପି ହୋଇବି ଏହି ବିପ୍ରର ଘରଣୀ ।

ପ୍ରତିଜ୍ଞା କରିଅଛନ୍ତି ଜନକ ମୋହର

ଯେ ଲାଖ ବିନ୍ଧିବ ମୁହିଁ ହୋଇବି ତାହାର ।

ଏ ବ୍ରାହ୍ମଣ ଲାଖ ବିନ୍ଧି ନିଶ୍ଚେଁ ନେବେ ମୋତେ

ତୁ ଆଉ ସନ୍ଦେହ ଏହା ନ କର ଗୋ ଚିତ୍ତେ ।

ଏତେ ଭାଳି ଦୁଇସଖୀ ଚାହିଁ ରହିଥିଲେ

ଲାଖ ତଳେ ଅରଜୁନ ଯାଇ ଉଭା ହେଲେ ।

ସଭାକୁ ଚାହିଁଣ ଉଚ୍ଚେ ବୀର ଅରଜୁନ

ବୋଲନ୍ତି ସକଳେ ଶୁଣ ମୋହର ବଚନ ।

ଲାଖ ବିନ୍ଧି କନ୍ୟା ରତ୍ନ ଯେବେ ନେବି ମୁହିଁ

ଏ କଥାରେ ଗୋଳମାଳ ନ କରିବ କେହି ।

ଧୃଷ୍ଟଦ୍ୟୁମନ ବୋଇଲେ ଶୁଣ ଦ୍ଵିଜବର

ଯେ ଗୋଳ କରିବ ଶିର ଛେଦିବି ତାହାର ।

ତହିଁକି ମନରେ ଶଙ୍କା ନ ବିଚାର କିଛି

ଲାଖର ବିଧାନ ଏବେ ଶୁଣ ମୁଁ କହୁଛି ।

ଉପରକୁ ଗଣ୍ଠି ମୁଠି ଜଳେ ଦେବ ଦୃଷ୍ଟି

ବିନ୍ଧନ୍ତେ ମାଛର ବାମଚକ୍ଷୁ ଯିବ ଫୁଟି ।

ଦକ୍ଷିଣ ନୟନେ ବାଣମୁନ ଗଳିଥିବ

ଏମନ୍ତ ହୋଇଲେ ନିଶ୍ଚେଁ କନ୍ୟାରତ୍ନ ନେବ ।

ଶୁଣି ଅତି ଆନନ୍ଦରେ ବୀରବର ପାର୍ଥ

ଧନୁ ଧରି ପଟାପରେ ଉଠିଲେ ତୁରିତ ।

ଆପଣାର ମନ ମଧ୍ୟେ ବିଚାରନ୍ତି ପୁଣ

କର୍ଣ୍ଣ ଏ ଧନୁରେ ଆଗ ଦେଇଛନ୍ତି ଗୁଣ ।

ଏଥିରେ ସନ୍ଧିଣ ଯେବେ ବିନ୍ଧିବି ମୁଁ ଶର

ବୋଲିବ କନ୍ୟାରେ ଭାଗ ଅଛଇ ମୋହର ।

ଏତେ ଚିନ୍ତି ସେ ଧନୁରୁ ଗୁଣ ଓହ୍ଲାଇଲେ

ସମସ୍ତଙ୍କ ସାକ୍ଷାତରେ ପୁଣି ଗୁଣ ଦେଲେ ।

ବାମଭୁଜେ ଧନୁ ଧରି କରନ୍ତି ଟଙ୍କାର

ପ୍ରଥମେ ବନ୍ଦିଲେ ରାମ କୃଷ୍ଣଙ୍କ ପୟର ।

ତହିଁପରେ ଯୁଧିଷ୍ଠିଙ୍କୁ ନମସ୍କାର କଲେ

ଭୀଷ୍ମ ଦ୍ରୋଣଙ୍କୁ ଚାହିଁଣ ଶିରେ କର ଦେଲେ ।

ଶ୍ରୀକୃଷ୍ଣ ବୋଇଲେ ଦେଖ ଆହେ ଜ୍ୟେଷ୍ଠଭାଇ

ଆପଣଙ୍କୁ ନମସ୍କାର ଅର୍ଜୁନ କରଇ ।

ରାମ ବୋଇଲେ ରେ ପାର୍ଥ ଶୁଭ ତୋର ହେଉ

ଲାଖ ବିନ୍ଧି କନ୍ୟାଗୋଟି ଦୁର୍ଯ୍ୟୋଧନ ନେଉ ।

ଏହା ଶୁଣି ବୋଲନ୍ତି ଯେ କୃଷ୍ଣ ହସିଦେଇ

ଏମନ୍ତ କଲ୍ୟାଣ ସ୍ଵାମୀ ଶିଖିଥିଲ କାହିଁ ।

ବଳରାମ ବୋଇଲେ ମୁଁ କର୍ଣ୍ଣ ବୋଲି ସିନା

କହୁ କହୁ କହିଦେଲି ନ କର ଭାବନା ।

ବ୍ରାହ୍ମଣ ସଭାକୁ ଚାହିଁ ଯୁଧିଷ୍ଠିର ଭଣି

ଦେଖ ଲାଖବିନ୍ଧା ପଣ୍ଡା କରୁଛି ଦଇନୀ ।

ବ୍ରାହ୍ମଣେ ବୋଇଲେ ଆମ୍ଭ କଲ୍ୟାଣ ସେ ପାଉ

ଅନ୍ୟାୟାସେ ଲାଖ ବିନ୍ଧି ପାଞ୍ଚାଳିକି ନେଉ ।

ଏସନ କଲ୍ୟାଣ ଦ୍ଵିଜେ କରନ୍ତି ବହୁତ

ଦେଖି ମନେ ଅତିହୃଷ୍ଟ ହେଲେ ଜଗନ୍ନାଥ ।

ସଭାକୁ ଚାହିଁଣ ପୁଣି କହିଲେ ଅର୍ଜ୍ଜୁନ

ଆଉ କେ ବିନ୍ଧିବ ଲାଖ ଆସ ହେ ବହନ ।

ରାଜାଏ ବୋଇଲେ ତୁମ୍ଭେ ବିନ୍ଧ ଦ୍ଵିଜବର

ପୋଡ଼ା ବ୍ରଣେ ଚୂନ କିପାଁ ବୋଳୁଛ ଆମ୍ଭର ।

ଶୁଣି ଅତି ହରଷରେ ବୀର ଫାଲଗୁନି

ବାମକରେ ଧନୁ ଧରି କଲେ ଗୁଣ ଧ୍ଵନି ।

ଟଙ୍କାର ଶବଦେ ପୂରିଗଲା ତିନିପୁର

ମନଭେଦୀ ନାରାଚକୁ ଧଇଲେ ସତ୍ଵର ।

ଉପରକୁ ମୁଷ୍ଟି ରଖି ଜଳେ ଦେଲେ ଦୃଷ୍ଟି

ବିନ୍ଧନ୍ତେ ମାଛର ବାମଚକ୍ଷୁ ଗଲା ଫୁଟି ।

ମଣ୍ଡଣି କୁସୁମ ମାଳା ଛିଣ୍ଡିଣ ପଡ଼ିଲା

ଡାହାଣ ନୟନେ ବାଣ ବାଜିଗରି ଗଲା ।

ସ୍ଵର୍ଗ ଭୁବନରେ ଯାଇ ମିଳିଲା ବହନ

ବାଣ ଦେଖି ଆନନ୍ଦିତ ହେଲେ ମଘବାନ ।

ଅର୍ଜ୍ଜୁନର ବାଣ ବୋଲି ଚିହ୍ନି ସୁରପତି

ଦେବତାଙ୍କୁ ଘେନି ଅଧା ସ୍ଵର୍ଗରେ ଦେଖନ୍ତି ।

ଯେ ବେଳେ ମୀନର ବାମଚକ୍ଷୁ ଫୁଟିଗଲା

ମଣ୍ଡଣି କୁସୁମ ମାଳା ଛିଡ଼ିଣ ପଡ଼ିଲା ।

ଆନନ୍ଦରେ ଶଙ୍ଖଧ୍ଵନି କଲେ ନାରାୟଣ

ସକଳେ ବୋଲନ୍ତି ଧନ୍ୟ ଧନ୍ୟ ଏ ବ୍ରାହ୍ମଣ ।

ମେଢ଼ପରେ ବସିଥିଲେ ଦ୍ରୁପଦ କୁମାରୀ

ଦେଖି ଉଠିଲେ ବରଣମାଳା କରେ ଧରି ।

ବାରିଦ ମଧ୍ୟରୁ ଯେହ୍ନେ ଖସଇ ବିଜୁଳି

ତେସନେ ମେଢ଼ରୁ ଖସି ଆସନ୍ତି ପାଞ୍ଚାଳୀ ।

ଆସନ୍ତେ ଦେଖିଣ ମାନଗୋବିନ୍ଦ ବୋଇଲା

ଏ ଲାଖ ବିନ୍ଧାରେ ନିଶ୍ଚେଁ ସନ୍ଦେହ ରହିଲା ।

ଧୃଷ୍ଟଦ୍ୟୁମ୍ନ ବୋଲେ ଲାଖ ବିନ୍ଧିଲେ ନିଶ୍ଚୟ

ଛିଡ଼ିଲା କୁସୁମ ମାଳା କି ଅଛି ସନ୍ଦେହ ।

ନୋହିଲେ କି ଶଙ୍ଖଧ୍ଵନି କରନ୍ତେ ମାଧବ

ସାକ୍ଷାତ କଥାକୁ କେବା ନୋହିଲା ବୋଲିବ ।

ଜରାସନ୍ଧ ବୋଲେ ଆଣ୍ଟେ ପବନ ବହିଲା

ମଣ୍ଡଣି କୁସୁମମାଳା ତେଣୁ ଛିଡ଼ିଗଲା ।

ଶଙ୍ଖ ବଜାଇଲା କୃଷ୍ଣ କହୁଅଛ ତୁମ୍ଭେ

ସେ ଗଉଡ଼ ବଡ଼ ମନ୍ଦ ଏହା ଜାଣୁ ଆମ୍ଭେ ।

ନିରନ୍ତର ଶଙ୍ଖଟାଏ ଧରି ବୁଲୁଥାଏ

ହାନି ଲାଭ ଭଲ ମନ୍ଦ ନ ଜାଣି ବଜାଏ ।

ବଳରାମ ବୋଇଲେ ତୁ ନ ଜାଣି ଅଚ୍ୟୁତ

ଲାଖ ବିନ୍ଧୁ ବିନ୍ଧୁ ଶଙ୍ଖ ଫୁଙ୍କିଲୁ କେମନ୍ତ ।

ଦ୍ରୁପଦ ନୃପତି ତୋତେ ଦେଇଛି କି ଧନ

କିବା ଲାଞ୍ଚ ଦେଇଅଛି ପାଣ୍ଡବ ଅର୍ଜ୍ଜୁନ ।

ଶ୍ରୀହରି ବୋଇଲେ ଏହା ନୁହେ କେଭେ ମିଛ

ଶତେବାର ଲାଖ ବିନ୍ଧିପାରେ କୁନ୍ତୀ ବତ୍ସ ।

ଏସନ ସମୟେ ମନେ ଭାଳେ ପାର୍ଥବୀର

ବୋଇଲେ ଯଦ୍ୟପି ଲାଖ ନୋହିଛି ଏଥର ।

ଆଉ ଥରେ ବିନ୍ଧୁଅଛି ଦେଖ ଏବେ ମୁହିଁ

ଏକଦୃଷ୍ଟି କରି ସର୍ବେ ରହିଥାଅ ଚାହିଁ ।

ଏହା କହି ଅରଜୁନ କାର୍ମୁକ ଧଇଲେ

ନାରାଚ ପୁରାଇ ଗୁଣ ଆକର୍ଷି ଝିଙ୍କିଲେ ।

ବିଚାରିଲେ ଏ ଧନୁରେ ନାହିଁ ପୂର୍ବବଳ

ଏଥିରେ ବିନ୍ଧିଲେ କାର୍ଯ୍ୟ ହୋଇବ ନିଷ୍ଫଳ ।

ଇନ୍ଦ୍ରଙ୍କୁ ସ୍ମରଣ କଲେ ମନେ ଏତେ ଚିନ୍ତି

ଅଲକ୍ଷ୍ୟେ ଗାଣ୍ଡୀବ ଧନୁ ଦେଲେ ସୁରପତି ।

ସଭାମଧ୍ୟେ ଯେତେ ଥିଲେ ନ ଜାଣନ୍ତି କେହି

କେବଳ ଜାଣିଲେ ବ୍ୟାସ କୃଷ୍ଣ ଦୁହେଁ ତହିଁ ।

କୃଷ୍ଣଙ୍କୁ ସ୍ମରର କରି ପାର୍ଥ ବୀରରାଜ

ବିଷ୍ଣୁତେଜ ପରକାଶି ହେଲେ ଚତୁର୍ଭୁଜ ।

ମନଭେଦୀ ପାଶୁପତ ଦୁଇବାଣ ଧରି

ସେ ଦୁଇ ଧନୁରେ ସିନ୍ଧି ଝିଙ୍କିଲେ ଓଟାରି ।

ଶ୍ରୀକୃଷ୍ଣ ବୋଇଲେ ସ୍ଵାମୀ ଦେଖ ହଳଧର

ଚତୁର୍ଭୁଜ ହୋଇଅଛି ଅରଜୁନ ବୀର ।

ଶୁଣି ବଳରାମ ସ୍ଵାମୀ ନିରେଖି ଚାହିଁଲେ

ଧନ୍ୟ ଧନ୍ୟ ଅର୍ଜ୍ଜୁନ ତୁ ବୋଲି ପ୍ରଶଂସିଲେ ।

ଏଥୁଅନ୍ତେ ପାର୍ଥବୀର ଦୁଇବାଣ ଛାଡ଼ି

ଦିଅନ୍ତେ ଶୁଭିଲା ଯେହ୍ନେ ମେଘ ଘଡ଼ଘଡି ।

ମନଭେଦୀ ବାଣ ରାଧାଚକ୍ର ଭେଦି ଗଲା

ମାଛର ବାମ ନୟନେ ଫୁଟି ବାହାରିଲା ।

ଦକ୍ଷିଣ ନୟନ କୋଣେ ଲାଗି ହେଲା ବକ୍ର

ପାଶୁପତ ବାଣେ ଛିଡ଼ିଗଲା ଲାଖଚକ୍ର ।

ଆକାଶ ମଣ୍ଡଳୁ ଚନ୍ଦ୍ରବିମ୍ବ ପ୍ରାୟ ଦିଶି

ପଡ଼ିଲା ସେ ଲାଖଚକ୍ର ସଭାତଳେ ଆସି ।

ତା ଦେଖିଣ ନୃପଗଣ ହୋଇଲେ ଚକିତ

ଆନନ୍ଦରେ ଶଙ୍ଖଧ୍ଵନି କଲେ ଜଗନ୍ନାଥ ।

ଅନେକ ପ୍ରଶଂସା କଲେ ଦେଖି ହଳଧର

ବୋଲନ୍ତି ପାଣ୍ଡବେ ଧନ୍ୟ ମହିମା ତୁମ୍ଭର ।

ବରଣମାଳା ଧରିଣ ଦ୍ରୁପଦ କୁମାରୀ

ଆସନ୍ତେ ପାର୍ଥ ବୋଇଲେ ରହ ଗୋ ସୁନ୍ଦରି ।

ପିତାତୁଲ୍ୟ ଜ୍ୟେଷ୍ଠ ଭାଇ ମୋର ଛନ୍ତି ଜାଣ

ମୁଁ ତାଙ୍କୁ ନ କହି କେହ୍ନେ ଘେନିବି ବରଣ ।

ଏମନ୍ତେ ନିଷେଧ ବାକ୍ୟ କହନ୍ତେ ଅର୍ଜ୍ଜୁନ

ଶକୁନିକୁ ଡାକି ବୋଲେ ରାଜା ଦୁର୍ଯ୍ୟୋଧନ ।

ଦେଖ ମାମୁଁ ଏ ବିପ୍ରର ଧନେ ଲୋଭ ଅଛି

ତେଣୁ କନ୍ୟା ମାଳା ଦେଲେ ଏ ନାହିଁ କରୁଛି ।

ତୁମ୍ଭେ ସେ ବିପ୍ରକୁ ବୋଲ କନ୍ୟା ଗୋଟି ଦେଉ

ଯେତେ ଇଚ୍ଛା ତେତେ ଧନ ଆମ୍ଭ ଠାରୁ ନେଉ ।

ନୋହିଲେ ତାହାଙ୍କୁ ପାଞ୍ଚଗୋଟି କନ୍ୟା ଦେବା

ମହାପାତ୍ରପଣେ ଶାଢ଼ୀ ମୁଣ୍ଡରେ ବାନ୍ଧିବା ।

ହସ୍ତିନା ରାଜ୍ୟରେ ଧର୍ମାଧ୍ୟକ୍ଷପଣ ଦେଇ

ଅନେକ ସୁଖରେ ତାଙ୍କୁ ରଖାଇବା ନେଇ ।

ଏହା କହି ବ୍ରାହ୍ମଣଙ୍କୁ କନ୍ୟା ଘେନି ଆସ

ଶୁଣିଣ ଶକୁନି ଗଲା ଅର୍ଜ୍ଜୁନଙ୍କ ପାଶ ।

ବୋଲେ ଆହେ ଦ୍ଵିଜବର ଶୁଣ ମୋ ବଚନ

ତୁମ୍ଭଠାକୁ ପେଷିଛନ୍ତି ମୋତେ ଦୁର୍ଯ୍ୟୋଧନ ।

ଜାତିରେ ବ୍ରାହ୍ମଣ ତୁମ୍ଭେ ବେଭାରେ ବିକ୍ଷାଶୀ

ରାଜକନ୍ୟା ନେଲେ ତାକୁ ପାରିବ କି ପୋଷି ।

ଏଣୁ ଦୁର୍ଯ୍ୟୋଧନକୁ ସେ କନ୍ୟା ଗୋଟି ଦିଅ

ଯେତେ ଇଚ୍ଛା ତେତେ ଧନରତ୍ନ ବହିନିଅ ।

ଆବର ହସ୍ତିନା ରାଜ୍ୟେ ଅଧିକାରୀ ହେବ

ବାଡ଼ିବୃତ୍ତି ପାଇ ସୁଖେ କାଳ କଟାଇବ ।

ଶକୁନି ମୁଖରୁ ଏହା ଶୁଣି ଅରଜୁନ

ବୋଇଲେ ଯା କହିଛନ୍ତି ରାଜା ଦୁର୍ଯ୍ୟୋଧନ ।

ହସ୍ତିନା ରାଜ୍ୟରେ ଆମ୍ଭେ ହେବୁ ଅଧିକାରୀ

ଏ କଥା ଗୋଟିକ ସତ୍ୟ ଅଟଇ ତାଙ୍କରି ।

ଆଉ ଯାହା କହିଛନ୍ତି ତାହା ସବୁ ମିଛ

ମୁଁ ଯାହା କହୁଛି ତୁମ୍ଭେ ଯାଇ ତାଙ୍କୁ ପୁଚ୍ଛ ।

ଭାନୁମତୀ ନାମେ ତାର ଅଛି ଯେଉଁ ରାଣୀ

ସେ ତାହାକୁ ଦେଉ ଆମ୍ଭ ନିଶ୍ଚେଁ ନେବୁ କିଣି ।

ଯେତେ ଇଚ୍ଛା ତେତେ ଧନ ନେଉ କୁରୁପତି

ପାଞ୍ଚାଳୀକୁ ଦାସୀପଣେ ଖଟୁ ଭାନୁମତୀ ।

ଏହାଶୁଣି ଅଟ୍ଟହାସ କରି ନୃପଗଣ

ବୋଲନ୍ତି କହିଲେ ଭଲା କଥାଏ ବ୍ରାହ୍ମଣ ।

ଭୀଷ୍ମ ଦ୍ରୋଣ ଆଦି ଯେତେ ମହାରଥୀ ଥିଲେ

ବ୍ରାହ୍ମଣର କଥା ଶୁଣି ସମସ୍ତେ ହସିଲେ ।

ସଭା ମଧ୍ୟେ ଅପମାନ ପାଇ ଦୁର୍ଯ୍ୟୋଧନ

ଦୁଃଶାସନକୁ ଚାହିଁଣ କହିଲା ଏସନ ।

ମୁର୍ଖପଣେ ଏ ବ୍ରାହ୍ମଣ କହୁଛି ବଡ଼ାଇ

ବଳେ ମାରି କନ୍ୟା ଆଣ ତାଠାରୁ ଛଡ଼ାଇ ।

ଆଜ୍ଞାପାଇ ଦୁଃଶାସନ ବେଗେ ଚଳିଗଲା

ରେରେକାର କରି ପାର୍ଥ ଆଗରେ ମିଳିଲା ।

ଦ୍ରୁପଦ ବୋଇଲେ ଏହା ନୁହଇ ଉଚିତ

ଅନ୍ୟାୟ କରୁଛ କିପାଁ ଅନ୍ଧରାଜ ସୁତ ।

ଏହା ଶୁଣି ଦୁଃଶାସନ ଗର୍ଜି କୋପଚିତ୍ତେ

ଦ୍ରୁପଦଙ୍କୁ ପ୍ରହାରିଲା ବଜ୍ରସମ ମୁଥେ ।

ଘାଏ ଘୁମାଇଲା ପଡ଼ି ଦ୍ରୁପଦ ରାଜନ

ଦେଖି କୋପେ କୋପାନଳ ହେଲେ ଅରଜୁନ ।

ଗାଣ୍ଡିବ ଧନୁରେ ଗୁଣ ଚଢ଼ାଇଣ ଭିଡ଼ି

ମନେଭେଦୀ ନାରାଚକୁ ମନ୍ତ୍ରୀ ଦେଲେ ଛାଡ଼ି ।

ଭେଦିଲା ସେ ବାଣ ଯାଇ ମର୍ମ ସ୍ଥାନେ ଫୁଟି

ଜ୍ଞାନ ହାରି ଦୁଃଶାସନ ପଡ଼େ ଭୂମି ଲୋଟି ।

ଆବର ତା ସଙ୍ଗେ ଥିଲେ ଅଠାନବେ ଭ୍ରାତ

ମନଭେଦୀ ବାଣେ ସର୍ବେ ହେଲେ ମୋହଗତ   

ଦେଖି ଦୁର୍ଯ୍ୟୋଧନର ଯେ ନ ସ୍ଫୁରଇ କିଛି

ବୋଲେ ଏ ବିପ୍ରର ଏତେ ପରାକ୍ରମ ଅଛି ।

ଭୀଷ୍ମ ଦ୍ରୋଣ ଦେଖିକରି ହେଲେ ସନ୍ତାପିତ

କର୍ଣ୍ଣ ଶଲ୍ୟ ଆଦି ସର୍ବେ ଉଠିଲେ ତ୍ଵରିତ ।

ଲକ୍ଷେ ରାଜା ଆଦି ଯେତେ ବୀର ମହାବୀର

ପାର୍ଥକୁ ବେଢ଼ିଲେ ସର୍ବେ କର ଶତେପୁର ।

ଦେଖି କୋପେ କୋପାନଳ ହୋଇ ଭୀମସେନ

ବୁଲାଇଲା କାଳଚକ୍ର ପରାୟେ ନୟନ ।

ଯୁଧିଷ୍ଠି ବୋଇଲେ ପଣ୍ଡା ବସି କିପାଁ ଚାହଁ

ତୁମ୍ଭର ଯିବାକୁ ମନ ହେଲେ ଉଠିଯାଅ ।

ଶୁଣି ଭୀମ ଆସ୍ଥାନରୁ କ୍ରୋଧେ ଡେଇଁପଡ଼ି

ଲୁହା ଖମ୍ବଟାଏ କରେ ଧଇଲେ ଉପାଡ଼ି ।

ଚକ୍ରାକାରେ ବୁଲାଇଣ ପିଟନ୍ତେ ଗରଜି

ଭୟେ ଜରାସନ୍ଧ ସୈନ୍ୟ ପଳାଇଲେ ଭାଜି ।

ପୁଣି ଭୀମସେନ ପିଟି ସେହି ଲୌହଦଣ୍ଡ

ଜରାସନ୍ଧ ରଥ ଭାଙ୍ଗି କଲେ ଖଣ୍ଡ ଖଣ୍ଡ ।

ବିରଥୀ ହୋଇଣ ଗଦା ଧରି ଜରାସନ୍ଧ

ଭୀମସେନକୁ ଓଗାଳି କରେ ଘୋର ଯୁଦ୍ଧ ।

ନକୁଳ ସହଦେବ ସେ ସମରକୁ ଦେଖି

ଅଧର କମ୍ପାଇ କୋପେ ରଙ୍ଗ କଲେ ଆଖି ।

ଯୁଧିଷ୍ଠି ବୋଇଲେ ପଣ୍ଡା ଦୁହେଁ ତୁମ୍ଭ ମନ

ହେଉଅଛି ଯେବେ ଉଠି ଚଳ ହୋ ବହନ ।

ଆଜ୍ଞାପାଇ ସହଦେବ ନକୁଳ ଏ ବେନି

ଡେଇଁଣ ଧଇଲେ କରେ ଖଣ୍ଡା କୁନ୍ତ ଘେନି ।

ଚାରିଭାଇ ଏକମୁଖେ କରନ୍ତେ ସମର

ଭୟେ ଭାଜି ପଳାଇଲେ ଲକ୍ଷେ ନୃପବର ।

ଜରାସନ୍ଧକୁ ଧରିଣ ଭୀମ କ୍ରୋଧଭରେ

ଫିଙ୍ଗନ୍ତେ ପଡ଼ିଲା ଯାଇ ଦଶଯୂଣ ଦୂରେ ।

ଶିଖଣ୍ଡୀ ଧୃଷ୍ଟଦ୍ୟୁମନ ବାଣେ ପୀଡ଼ା ପାଇ

ଦୁର୍ଯ୍ୟୋଧନ ପଳାଇଲା ପଛକୁ ନ ଚାହିଁ ।

ଭୀଷ୍ମ ଦ୍ରୋଣ ଭୂରିଶ୍ରବା ଅଶ୍ଵଥିାମା କର୍ଣ୍ଣ

ଅର୍ଜ୍ଜୁନ ବାଣରେ ସର୍ବେ ହେଲେ ଛିନ୍ନଭିନ୍ନ ।

ବଳରାମ ହସିକରି ବୋଇଲେ ଗୋବିନ୍ଦ

କେତେ ଯେ ଦୁଃଖ ଆମ୍ଭଙ୍କୁ ଦେଲା ଜରାସନ୍ଧ ।

କିଞ୍ଚିତରେ ଭୀମ ତାକୁ ଦେଲା ଫୋପଡ଼ାଇ

କେତେଦୂରେ ପଡ଼ିଲା ସେ ଜଣାଗଲା ନାହିଁ ।

ଶ୍ରୀକୃଷ୍ଣ ବୋଇଲେ ଭୀମ ଅତି ବଳିୟାର

ଜରାସନ୍ଧ ପ୍ରତି ବଳ ଶତେଗୁଣ ତାର ।

ଭୀମହସ୍ତେ ଜରାସନ୍ଧ ମରିବ ନିଶ୍ଚୟ

ଏଥକୁ ମନରେ କିଛି ନ କର ସଂଶୟ ।

ଲାଖବିନ୍ଧା ସରିଲା ତ କିପାଁ ଏଥେ ଥିବା

ଦ୍ଵାରକା ପୁରକୁ ଚାଲ ବିଜେ କରି ଯିବା ।

ଏତେ କହି ରାମକୃଷ୍ଣ ରଥେ ଆରୋହିଲେ

ଦ୍ଵାରାବତୀ ଭୁବନକୁ ବିଜେ କରି ଗଲେ ।

ଭୀମାର୍ଜ୍ଜୁନ ବାହୁବଳେ ପରାଭବ ପାଇ

ହସ୍ତିନାପୁରକୁ ଗଲା କୁରୁ ନରସାଇଁ ।

ବଳେ ରଣ ଜୟକରି ଚାରିଭାଇ ଗଲେ

ଯୁଧିଷ୍ଠିଙ୍କ ଚରଣରେ ନମସ୍କାର କଲେ ।

ଯୁଧିଷ୍ଠି ବୋଇଲେ ବାବୁ ଶୁଣରେ ଅର୍ଜ୍ଜୁନ

ମଲା ଲୋକମାନଙ୍କୁ ତୁ ଦିଅ ଜୀବଦାନ ।

ଶର ପେଷି ଅରଜୁନ ସୁଧା ବୃଷ୍ଟି କଲେ

ଯୁଦ୍ଧେ ମରିଥିବା ଲୋକେ ଜୀବନ ପାଇଲେ ।

କନ୍ୟାକୁ ଘେନିଣ ସେହୁ ପଣ୍ଡୁ ପାଞ୍ଚପୁତ୍ରେ

କୁମ୍ଭାରଶାଳକୁ ଗଲେ ସେହି ଅର୍ଦ୍ଧରାତ୍ରେ ।

ପୁତ୍ରକୁ ଦେଖନ୍ତେ କୁନ୍ତୀ ହୋଇଣ ହରଷ

ବୋଇଲେ ସଭାକୁ ଯାଇ ଆଣିଅଛ କିସ ।

ଯୁଧିଷ୍ଠି ବୋଇଲେ ମାଗୋ ଅଲଭ୍ୟ ପଦାର୍ଥ

ସଭାରୁ ଆମ୍ଭଙ୍କୁ ଆଜ ହେଲା ପରାପତ ।

କୁନ୍ତୀ ବୋଇଲେ ରେ ବାବୁ ପାଇଅଛ ଯାହା

ପାଞ୍ଚ ଭାଇଯାକ ବାଣ୍ଡି ଭୋଗ କର ତାହା ।

ଏତେ କହି ସୀମସ୍ଥାନେ କୁନ୍ତୀ ନିଦ୍ରା ଗଲେ

ଯୁଧିଷ୍ଠିର ତାଙ୍କ ପାଦ ତଳରେ ଶୋଇଲେ ।

ଏହି କ୍ରମେ ନିଦ୍ରାଗଲେ ଭୀମାର୍ଜ୍ଜୁନ ଆଦି

ପାଞ୍ଚଭାଇ ପାଦତଳେ ଶୁତିଲେ ଦ୍ରୌପଦୀ ।

ଏଥୁ ଅନନ୍ତରେ ଶେଷ ହେଲା ନିଶିଥିନୀ

ଦ୍ରୁପଦ ରାଜନ ତେଣେ ପାତ୍ର ମନ୍ତ୍ରୀ ଘେନି ।

କେଣେଗଲା କନ୍ୟା ବୋଲି ଖୋଜନ୍ତି ଆକୁଳେ

କେଶିନୀ କହିଲା ଛନ୍ତି କୁମ୍ଭକାର ଶାଳେ ।

ତଥ୍ୟପାଇ ଧୃଷ୍ଟଦ୍ୟୁମ୍ନ ଶିଖଣ୍ଡି ଏ ବେନି

କୁମ୍ଭାରଶାଳକୁ ଗଲେ କେଶିନୀକୁ ଘେନି ।

ଅଚେଷ୍ଟ ନିଦ୍ରାରେ ଭୀମ ଶୋଇଛନ୍ତି ତହିଁ

ନିଃଶ୍ୱାସ ପବନେ ଚାଳ ଉଠଇ ପଡ଼ଇ ।

ଦେଖିକରି ଧୃଷ୍ଟଦ୍ୟୁମ୍ନ ଅତ୍ୟନ୍ତ ହରଷେ

ଲେଉଟି କହିଲେ ଆସି ପିତାଙ୍କର ପଶେ ।

ଏଥୁ ଅନନ୍ତରେ କଥା ଶୁଣ ପରୀକ୍ଷିତ

ଦ୍ଵାରକାପୁରେ ପ୍ରବେଶ ହୋଇ ଜଗନ୍ନାଥ ।

ବଳରାମଙ୍କୁ ଚାହିଁଣ କହିଲେ ଏ ବାଣୀ

ପଞ୍ଚାଳ ରାଜ୍ୟକୁ ବିଜେ କରିଯିବା ପୁଣି ।

ଦ୍ରୁପଦ ଅକ୍ଷତ ଦେଇଛନ୍ତି ବନ୍ଧୁଭାବେ

ପାଣ୍ଡବେ ସେଠାରେ ପାଞ୍ଚାଳୀକୁ ବିଭା ହେବେ ।

ସକୁଟୁମ୍ବ ହୋଇ ଚାଲ ଆମ୍ଭେ ଏଥୁ ଯିବା

ପାଣ୍ଡବେ ବିଭା ହୋଇବେ ଉତ୍ସବ ଦେଖିବା ।

କୃଷ୍ଣ ବାକ୍ୟେ ବଳରାମ ବୋଲନ୍ତି ଏସନ

ଆମ୍ଭର ତ ପ୍ରିୟଶିଷ୍ୟ ଅଟେ ଦୁର୍ଯ୍ୟୋଧନ ।

ସେ ଏହା ଶୁଣିଲେ ନିଶ୍ଚେଁ ବିଚାରିବ ଦୁଃଖ

ଏ ଘେନି ନ ଯିବୁ ଆମ୍ଭେ ଜାଣ ପଦ୍ମମୁଖ ।

ପୁତ୍ର ନାତି ଘେନି ତୁମ୍ଭେ ଚଳ ପୀତବାସ

ପାଣ୍ଡବଙ୍କୁ ବିଭାକରି ଶୁଭେ ଫେରି ଆସ ।

ଶୁଣି ଅତି ହରଷରେ ପ୍ରଭୁ ଚକ୍ରପାଣି

ହକାରିଲେ ପୁତ୍ର ନାତିମାନଙ୍କୁ ସେକ୍ଷଣି ।

ଅଷ୍ଟ ପାଟବଂଶୀ ଆଦି ସକଳ ନାୟିକା

ପୁତ୍ର ନାତି ପଣନାତି କେ କରିବ ସଂଖ୍ୟା ।

ସମସ୍ତଙ୍କୁ ସଙ୍ଗତରେ ଘେନି ଜଗନ୍ନାଥେ

ସମାରୋହେ ବିଜେ କଲେ ନନ୍ଦିଘୋଷ ରଥେ ।

ପାଞ୍ଚାଳ ଦେଶକୁ ଶୂନ୍ୟେ ଚଳିଗଲା ଯାନ

କୁମ୍ଭାର ଶାଳରେ ହରି ମିଳିଲେ ବହନ ।

କୁନ୍ତୀଙ୍କୁ ଦେଖିଣ କୃଷ୍ଣ ଶିରେ କର ଦେଲେ

ତହିଁପରେ ଯୁଧିଷ୍ଠିଙ୍କ ପାଦରେ ନମିଲେ ।

ବିଶ୍ଵକର୍ମା ରାଇ ଆଜ୍ଞା ଦେଲେ ନାରାୟଣ

ଏହିଠାରେ କର ଦିବ୍ୟ ପୁରେକ ନିର୍ମାଣ ।

ଆଜ୍ଞାମାତ୍ରେ ବିଶ୍ଵକର୍ମା ସେ କୁମ୍ଭାର ଶାଳେ

ଅପୂର୍ବ ଉଆସ ଭିଆଇଲେ ତତକାଳେ ।

ସେ ପୁର ଦିଶଇ ନାନାରତ୍ନେ ଶୋଭାବନ

ସମାନ ନୁହଇ ତାକୁ ଅଳକା ଭୁବନ ।

ହାଣ୍ଡି ଭାଙ୍ଗି ପଡ଼ିଥିଲା ଯେତେକ ଖପରା

ତା ସବୁ ହୋଇଲା ଶୁଦ୍ଧ ସ୍ଵର୍ଣ୍ଣ ରତ୍ନ ହୀରା ।

ଅଦଭୁତେ ଭିଆଇଲେ ଧନ୍ୟ ବିଶ୍ଵକର୍ମା

ଜଗତେ ବିଚିତ୍ର ଅଟେ ଯାହାର ମହିମା ।

ଶ୍ରୀକୃଷ୍ଣଙ୍କ ଆଗମନ ଜାଣି ସୁରରାଜ

ଶଚୀ ସହିତରେ ଚଢ଼ି ଐରାବତ ଗଜ ।

ଦେବତା ଗନ୍ଧର୍ବ ଯକ୍ଷ ଅପ୍ ସରାଙ୍କୁ ଘେନି

କୁମ୍ଭାରଶାଳେ ମିଳିଲେ ଆସି ସସ୍ରଯୋନି ।

ଦେଖିଣ ପାଣ୍ଡବେ ତାଙ୍କୁ କଲେ ପାଦପୂଜା

ଶ୍ରୀକୃଷ୍ଣଙ୍କୁ ନମସ୍କାର କରନ୍ତି ବିଡ଼ୋଜା ।

ଅଠାଶୀ ସହସ୍ର ଋଷି ଘେନି ବେଦବ୍ୟାସ

ତକ୍ଷଣେ ସେଠାରେ ଆସି ହୋଇଲେ ପ୍ରବେଶ ।

ବ୍ୟାସଙ୍କୁ ଦେଖିଣ କୁନ୍ତୀ ପାଞ୍ଚପୁତ୍ର ଘେନି

ପାଦ୍ୟ ଅର୍ଘ୍ୟ ଦେଇ କଲେ ଅନେକ ଦଇନୀ ।

ଏଥୁ ଅନ୍ତେ ପାଇ କଲେ ଦ୍ରୁପଦ ରାଜନ

ବିବାହ ସାମଗ୍ରୀ ଘେନି କଲେ ଆଗମନ ।

ନ ଚିହ୍ନି ବ୍ରାହ୍ମଣ ବୋଲି ଶଙ୍କା କରୁଥିଲେ

ପାଣ୍ଡବେ ବୋଲିଣ ଯହୁଁ ଦ୍ରୁପଦ ଜାଣିଲେ ।

ଆପଣାକୁ କୃତକୃତ୍ୟ ବିଚାରି ସେ ମନେ

ବୋଲନ୍ତି ଫଳିଲା ପୂର୍ବଭାଗ୍ୟ ଏତେଦିନେ ।

ଏତେ ଚିନ୍ତି ନୃପବର ଭିତରକୁ ପଶି

ଦେଖିଲେ ଇନ୍ଦ୍ର ଗୋବିନ୍ଦ ଦୁହେଁ ଛନ୍ତି ବସି ।

ଆବର ଅଛନ୍ତି ତହିଁ ବ୍ୟାସ ମହାମୁନି

ବେନିପୁତ୍ର ଘେନି ରାଜା କରନ୍ତି ଦଇନୀ ।

ଏଥୁଅନ୍ତେ କୁନ୍ତୀଦେବୀ ବ୍ୟାସଙ୍କୁ ଅନାଇଁ

ବୋଇଲେ କନ୍ୟାକୁ ବିଭା ହ୍ଵନ୍ତୁ ପାଞ୍ଚଭାଇ ।

ଶୁଣିଣ ବିରସ ହୋଇ ଦ୍ରୁପଦ ରାଜନ

ବୋଇଲେ ଏ କଥା ଅଟେ ଅତି ବିଡ଼ମ୍ବନ ।

ଏକ ଭାରିଯାର ହେବେ ପାଞ୍ଚଗୋଟି ପତି

କି ବିଚାର କରି ଏହା କହୁଛନ୍ତି କୁନ୍ତୀ ।

ଏହା ଶୁଣି ବ୍ୟାସଦେବ ପୁରାଣ ଫିଟାଇ

ପାଣ୍ଡବଙ୍କ ପୂର୍ବକଥା କହିଲେ ବୁଝାଇ ।

ଦୌପଦୀ ସାକ୍ଷାତେ ଆଦି ଅପର୍ଣ୍ଣା ଅଟନ୍ତି

ଇନ୍ଦ୍ର ପଞ୍ଚାଆତ୍ମା ପଞ୍ଚ ପାଣ୍ଡବ ବୋଲନ୍ତି ।

ଏଣୁ ଯାଜ୍ଞସେନୀରେ ସେ ପାଞ୍ଚ ପତି ହେବେ

ପୂର୍ବରୁ ଭିଆଇ ଏହା ରଖିଛନ୍ତି ଦେବେ ।

ଶୁଣିଣ ଦ୍ରୁପଦ ରାଜା ସଂଶୟ ଛାଡ଼ିଲେ

ଶୁଭଲଗ୍ନେ ପଆଣ୍ଡବଙ୍କୁ ବିଭା କରାଇଲେ ।

କନ୍ୟା ସଙ୍ଗେ ଯଉତୁକ ଦେଲେ ସେ ରାଜନ

ହାତୀ ଘୋଡ଼ା ଦାସ ଦାସୀ ଅମୂଲ୍ୟ ରତନ ।

ସର୍ବଶୁଭେ ଶେଷ ହେଲା ବିବାହ ଉତ୍ସବ

ଦେବତାକୁ ଘେନି ସ୍ଵର୍ଗେ ଚଳିଲେ ବାସବ ।

ଦ୍ଵାରକାକୁ ବିଜେକରି ଗଲେ ଶିରୀପତି ।

ଅଠାଶୀ ସହସ୍ର ଋଷି ଘେନି ବ୍ୟାସଯତି ।

ଅପଣା କୁଟିରେ ଯାଇ ମିଳିଲେ ହରଷେ

ଏଥୁଅନ୍ତେ ଚାର ଯାଇ ଧୃତରାଷ୍ଟ୍ର ପାଶେ ।

ମସ୍ତକରେ କରଯୋଡ଼ି ବୋଲେ ମହାରାଜ

କଥାଏ ଦେଖିଲି ମୁହିଁ ବଡ଼ାଇ ଆଶ୍ଚର୍ଯ୍ୟ ।

ପାଣ୍ଡବଙ୍କୁ ଜତୁଘରେ ପୋଡ଼ି ତୁମ୍ଭ ସୁତ

ନିଶ୍ଚେଁ ମଲେ ବୋଲି ହୋଇଥିଲେ ଆନନ୍ଦିତ ।

କେବଣ ଉପାୟେ ତହୁଁ ଉବୁରି ସେ ଗଲେ

ବ୍ରାହ୍ମର ବେଶରେ ଭିକ୍ଷା ମାଗି ବୁଲୁଥିଲେ ।

ପାଞ୍ଚାଳ ଦେଶର ଲାଖ ବିନ୍ଧିଲେ ଫାଲଗୁନୀ

ସେ ପାଞ୍ଚ ଭାଇଙ୍କୁ ବିଭା ହେଲେ ଯାଜ୍ଞସେନୀ ।

ଦ୍ରୁପଦ ରାଜନ ପୁରେ ଅଛନ୍ତି ପାଣ୍ଡବେ

ଏ କଥା ସାକ୍ଷାତେ ଦେଖି ଅଇଲି ମୁଁ ଏବେ ।

ଶୁଣିକରି ଧୃତରାଷ୍ଟ୍ର ଆନନ୍ଦ ହୋଇଲେ

ଅନ୍ତ୍ର ବସ୍ତ୍ର ଦାନ ଦେଇ ହାଟ ଜୂର କଲେ ।

ସବୁଙ୍କୁ ନୃପଭଣ୍ଡାରୁ ଦ୍ରବ୍ୟ ଆଣି ଦେଲେ

ପସରାତିମାନେ ପୁଣି ସନ୍ତୋଷ ହୋଇଲେ ।

ଆବର ବୋଇଲେ ମୋର ପୁତ୍ରେ ମନ୍ଦ ଚିନ୍ତି

ବିନା ଦୋଷେ ପାଣ୍ଡବଙ୍କୁ ଦେଲେ ଏହି ଶାସ୍ତି ।

ସେମାନେ କୁଶଳେ ଥିଲେ ମୋର ସବୁ ଭଲ

ଏତେ ବୋଲି ବିଦୁରଙ୍କୁ ପେଷି ତତକାଳ ।

ପାଣ୍ଡବଙ୍କୁ ଡକାଇଣ ହସ୍ତିନାକୁ ନେଇ

ଇନ୍ଦ୍ରପ୍ରସ୍ଥେ ରଖାଇଲେ ଅଧେ ରାଜ୍ୟ ଦେଇ ।

ଚାରିଭାଇ ସଙ୍ଗେ ଘେନି ଯୁଧିଷ୍ଠିର ରାଜା

ଇନ୍ଦ୍ରପ୍ରସ୍ଥେ ବାସକରି ପାଳିଲେ ପରଜା ।

ଶୁକମୁନି ବୋଇଲେ ହେ ଶୁଣ ପରୀକ୍ଷିତ

ଇତି ଶିରୀ ହରିବଂଶ ପୁରାଣ ରଚିତ ।

ଯାଜ୍ଞସେନୀ ସ୍ଵୟମ୍ଵର ଲାଖବିନ୍ଧା କଥା

ଶୁଣିଲେ ଖଣ୍ଡଇ ରୋଗ ଶୋକ ଭୟ ବ୍ୟଥା ।

ଇହଲୋକ ଧନଧାନ୍ୟ ବଢ଼ଇ ବହୁତ

ଅନ୍ତଃକାଳେ ମୋକ୍ଷଗତି ହୁଏ ପରାପତ ।

କହଇ ଅଚ୍ୟୁତାନନ୍ଦ ଦାସ ତୋଷମନେ

ସବୁ ଛାଡ଼ି ହରିନାମ ଘୋଷ ସାଧୁଜନେ ।

 

ନାରକାସୁର ବଧ

 

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ପଚାରିଲେ ଶୁକମୁନି ପାଦେ କରି ପୂଜା ।

ଦ୍ରୌପଦୀଙ୍କୁ ବିଭା ହୋଇ ପଣ୍ଡୁ ରାଜା ସୁତେ

ଇନ୍ଦ୍ରପ୍ରସ୍ଥେ ବାସକରି ରହିଲେ ନିଶ୍ଚିନ୍ତେ ।

ଦ୍ଵାରକା ଭୁବନେ ରହି ରାମକୃଷ୍ଣ ବେନି

ତହିଁପରେ କିସ କଲେ କହ ମହାମୁନି ।

ରାଜା ବାକ୍ୟେ ବୋଲନ୍ତି ସେ ଶୁକ ମହାଯତି

ମନଦେଇ ଶୁଣ ରାୟେ ଶ୍ରୀହରି କୀରତି ।

ରାଜ୍ୟପାଇ ପଣ୍ଡୁସୁତେ ଇନ୍ଦ୍ରପ୍ରସ୍ଥେ ବାସ

କରନ୍ତେ ବଢ଼ିଲା କ୍ରମେ ତାଙ୍କର ପୌରୁଷ ।

ଶ୍ରୀକୃଷ୍ଣ ହରଷ ହେଲେ ଏହି କଥା ଶୁଣି

ସାତ୍ୟକିକୁ ସଙ୍ଗେ ଘେନି ଗଲେ ଚକ୍ରପାଣି ।

ଇନ୍ଦ୍ରପ୍ରସ୍ଥକୁ ତକ୍ଷଣେ ବିଜେ କରିଗଲେ

ପାଣ୍ଡବ ପାଞ୍ଚଭାଇଙ୍କୁ ଯାଇଣ ଭେଟିଲେ ।

ପାଣ୍ଡବେ ହରଷ ହେଲେ କୃଷ୍ଣଙ୍କୁ ଦେଖିଣ

ଆନନ୍ଦ ସାଗରେ ମଗ୍ନ ହେଲେ ପାଞ୍ଚଜଣ ।

ଅତ୍ୟନ୍ତ ଦରିଦ୍ର କିବା ରତ୍ନ ପ୍ରାପ୍ତି ହେଲା

ଅନ୍ଧକୁ ଚକ୍ଷୁ ଆସି କି ପ୍ରାପତ ହୋଇଲା ।

ଶ୍ରୀକୃଷ୍ଣ ଦେଖିଣ ଯୁଧିଷ୍ଠିର ଠାକୁରଙ୍କୁ

ଦୂରେ ଥାଇ ପ୍ରଣିପାତ କଲେକ ତାହାଙ୍କୁ ।

ଭୀମ ଅର୍ଜ୍ଜୁନଙ୍କୁ କୃଷ୍ଣ କଲେ କୋଳାଗ୍ରତ

ନକୁଳ ସହଦେବ ଯେ କଲେ ପ୍ରଣିପାତ ।

କୋଇନ୍ତା ଚରଣେ କୃଷ୍ଣ ପ୍ରଣିପାତ କଲେ

ଶୋକସିନ୍ଧୁ ମଧ୍ୟେ କୁନ୍ତୀଦେବୀ ନିମଜ୍ଜିଲେ ।

ଶ୍ରୀକୃଷ୍ଣ କୁନ୍ତୀଦେବୀଙ୍କୁ କୁଶଳ ପୁଚ୍ଛନ୍ତି

ସମସ୍ତ କୁଶଳ ବୋଲି କୋଇନ୍ତା ବୋଲନ୍ତି ।

ଯେଉଁଦିନ ଦୂତପଣେ ଅକ୍ରୂର ଅଇଲା

ସେହିଦିନରୁ ସକଳ ଦୁଃଖ ମୋର ଗଲା ।

ତ୍ରିଦଶର ନାଥ ମହାପ୍ରଭୁ ଅଟୁ ତୁହି

ତୋହର ଯେ ମନକଥା ଜାଣିଅଛି ମୁହିଁ ।

ଦ୍ରୁପଦ କଟକେ ତୁମ୍ଭେ ପୁଅଙ୍କୁ ଭେଟିଲ

ସେଠାରେ ରହି ସମସ୍ତ ବାରତା ପାଇଲା ।

ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ଚାହିଁଣ ବୋଲନ୍ତି

ଶୁଣ ତୁହି ଦେବଦେବ ଲକ୍ଷ୍ମୀ ଦେବୀ ପତି ।

ପୂର୍ବରେ କେବଣ ପୁଣ୍ୟ କରିଅଛୁଁ ଆମ୍ଭେ

ଆମ୍ଭର ସଙ୍କଟ ହେଲେ ରକ୍ଷା କର ତୁମ୍ଭେ ।

ପରମ ଲକ୍ଷ୍ମୀ ଅଟନ୍ତି ଯାହାର ଭାରିଯା

ବ୍ରହ୍ମା ଈଶ୍ଵର କରନ୍ତି ଯାର ପାଦପୂଜା ।

ଜମ୍ବୁଦ୍ଵୀପ ମଧ୍ୟେ ଯେତେ ରାଜା ଛନ୍ତି ରହି

ପଦ୍ମପାଦେ ଖଟନ୍ତି ତା ଦାସ ଦାସ ହୋଇ ।

ସେହି ପ୍ରଭୁ ଦୟାକରି ଅଛନ୍ତି ଆମ୍ଭଙ୍କୁ

ଏଡ଼େ ଭାଗ୍ୟ ଅଛଇ କି ପଣ୍ଡୁଙ୍କ ପୁଅଙ୍କୁ ।

ଏସନକ କଥା ଶୁଣି ପ୍ରଭୁ ଭାବଗ୍ରାହୀ

ଚତୁର୍ମାସ୍ୟା କଟାବନ୍ତି କୃଷ୍ଣ ତହିଁ ରହି ।

ଏକଦିନେ ବିଚାରିଣ ବୀର ଅରଜୁନ

ହସ୍ତରେ ଘେନିଣ ସେହୁ ଧନୁଶସ୍ତ୍ର ତୁଣ ।

ଦିବ୍ୟ ମୂରତି ଧରିଣ ସଜ ସେହୁ ହେଲେ

ଶ୍ରୀକୃଷ୍ଣଙ୍କୁ ତାହାଙ୍କର ସଙ୍ଗେ ଘେନିଗଲେ ।

ଏକା ରଥରେ ଚଢ଼ିଣ ଦୁହେଁ ଚଳିଯାନ୍ତି

ବନ ମଧ୍ୟରେ ପଶିଣ ମୃଗୟା କରନ୍ତି ।

ଏମନ୍ତ ସମୟେ ଦେବଦୂତ ପ୍ରବେଶିଲା

ଶ୍ରୀକୃଷ୍ଣ ଆଗରେ କର ଯୋଡ଼ିଣ କହିଲା ।

ସାବଧାନେ ଶୁଣ ପ୍ରଭୋ ତ୍ରୈଲୋକ୍ୟ ଗୋସାଇଁ

ଦେବ ଇନ୍ଦ୍ର ବରଗିଲେ ଜଣାଇବା ପାଇଁ ।

ନାରାକା ଭୟରେ ସ୍ଵର୍ଗେ ରହି ନ ପାରିଲେ

ଛାମୁରେ ଜଣାଅ ବୋଲି ମୋତ ବରଗିଲେ ।

ନାରକାସୁରକୁ ମାରି ଉଦ୍ଧରିବୁ ତୁହି

ଛାମୁରେ ମୁଁ ଜଣାଇଲି ମୋର ଦୋଷ ନାହିଁ ।

ଦେବଦୂତ ଚାହିଁକରି ଭଣ ଭଗବାନ

ଆମ୍ଭେ ଦ୍ଵାରକା ପୁରକୁ ଯାଉଛୁ ବହନ ।

ଯୁଧିଷ୍ଠିର ବୋଇଲେକ ଶୁଣ ନାରାୟଣ

ଆମ୍ଭେ ପାଞ୍ଚଗୋଟି ଭାଇ ତୁମ୍ଭର ଶରଣ ।

ସର୍ବ ଶୁଭେ ବିଜେ କର ଦ୍ଵାରକାକୁ ତୁହି

ପଣ୍ଡୁଙ୍କର ପୁଅ କଥା ମନେ ଯେହ୍ନେ ଥାଇ ।

ଯୁଧିଷ୍ଠିର ଆଜ୍ଞା ଘେନି ତହୁଁ ଚଳିଗଲେ

ନନ୍ଦିଘୋଷ ରଥପରେ ଯାଇ ବିଜେ କଲେ ।

ତକ୍ଷଣେ ମିଳିଲେ ଯାଇ ଦ୍ଵାରାବତୀ ପୁରୀ

ନନ୍ଦିଘୋଷୁଁ ଉତୁରିଲେ ବିଳମ୍ବ ନ କରି ।

ସୁଧର୍ମା ସଭାରେ ବସିଛନ୍ତି ବଳଦେବ

ଉଗ୍ରସେନ ଆଦିକରି ସମସ୍ତ ଯାଦବ ।

ଉଗ୍ରସେନ ପ୍ରଣମନ୍ତି ଶ୍ରୀକୃଷ୍ଣ ପ୍ରବେଶି

ଶିରେ କରଦେଇ ବଳରାମ ପାଶେ ବସି ।

ପାଣ୍ଡବଙ୍କର କୁଶଳ ବାରତା କହିଲେ

ସାତ୍ୟକିର କର ଧରି ଭିତରକୁ ଗଲେ ।

ସତ୍ୟଭାମାଙ୍କ ପୁରରେ ପ୍ରବେଶିଲେ ଯାଇ

ଅବକାଶରେ ରହିଲେ ତ୍ରୈଲୋକ୍ୟ ଗୋସାଇଁ ।

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକ ମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।

ଗନ୍ଧ ଚନ୍ଦନ କୁସୁମ ଚରଣରେ ଦେଇ

କରପତ୍ର ଯୋଡ଼ିଣ ସେ ବିନୟେ ପୁଚ୍ଛଇ ।

ଭୋ ମୁନି ଅଇଲେ ଦେବ ଦେବଦୂତେ କହି

ତଦନ୍ତରେ କିସ କଲେ ଲକ୍ଷ୍ମୀ ଦେବୀ ସାଇଁ ।

ନାରକାକୁ କେଉଁପରି ମାଇଲେ ଶ୍ରୀହରି

ଏହା ବିସ୍ତାରିଣ ମୋତେ କହ ତପଚାରି ।

ରାଜାଙ୍କର ବଚନରେ ଭଣି ଶୁକଯତି

ଏକମନେ ଶୁଣ ତୁ ହୋ ପଣ୍ଡୁପଣନାତି ।

ଯେମନ୍ତ ପ୍ରକାରେ ବିଭା ହେଲେ ପାଟବଂଶୀ

ଭୋ ରାଜନ ତାହା ତୁହି ଶୁଣିଲୁ ବିଶେଷି ।

ଆବର ବିଭା ହୋଇଲେ ଷୋଳସସ୍ର ନାରୀ

ଏହାଙ୍କୁ ଆଣିଲେ କୃଷ୍ଣ ନାରକାକୁ ମାରି ।

ଏ କଥା ବିସ୍ତାରି ତୋତେ କହିବା ସମସ୍ତ

ଅତିଭାଗ୍ୟେ ଭାଗବତ ପୁରାଣ ଚରିତ ।

ସାବଧାନେ ଶୁଣ ଅଭିମନ୍ୟୁର ତନୟ

ନାରକାସୁର ବୋଲିଣ ଅଟେ ମହାରାୟ ।

ବରୁଣ ତହୁଁ କନକଛତ୍ର ସେହୁ ନେଲା

ସୂର୍ଯ୍ୟଠାରୁ ଅମୃତକୁ ଛଡ଼ାଇ ଘେନିଲା ।

ବଳତ୍କାରେ ମଣି ପର୍ବତକୁ ନେଲା ସେହି

ତାହାକୁ ଦେଖିଣ ଇନ୍ଦ୍ରଦେବ ଭୟପାଇ ।

ଇନ୍ଦ୍ରଦେବ ଏହି କଥା କୃଷ୍ଣେ କହିବାକୁ

ପୁଷ୍ପକ ବିମାନେ ଗଲେ ଦ୍ଵାରକା ପୁରକୁ ।

ସତ୍ୟଭାମା ପୁରେ କୃଷ୍ଣ ବିଜେ କରିଥିଲେ

ଇନ୍ଦ୍ରଦେବତା ସେଠାରେ ପ୍ରବେଶ ହୋଇଲେ ।

ନାରକାସୁରର ଯେଉଁ ଉପଦ୍ରବମାନ

ଶ୍ରୀକୃଷ୍ଣ ଅଗ୍ରେ କହିଲେ ଦେବ ମଘବାନ ।

ସମସ୍ତ ଶୁଣିଲେ ହରି ସାବଧାନ ହୋଇ

ବିନତା ପୁତ୍ରକୁ ରାଇ କହି ଭାବଗ୍ରାହୀ ।

ଉଗ୍ରସେନ ରାଜାଠାକୁ ବେଗେ ଚଳିଯିବୁ

ମୋହର ଆଜ୍ଞା ବୋଲିଣ ଅଗ୍ରେ ଜଣାଇବୁ ।

ବୋଲିବୁ ନାରକା ବିନାଶିବେ ଦାମୋଦର

ଚୌରାଶୀ କୋଟି ଯାଦବ ଯିବେ ସଙ୍ଗତରେ ।

କୃଷ୍ଣ ଆଜ୍ଞା ପାଇକରି ଗରୁଡ଼ ଚଳିଲା

ଉଗ୍ରସେନଙ୍କ ଛାମୁରେ ସବୁ ଜଣାଇଲା ।

ଗରୁଡ଼ ବଚନ ଯହୁଁ ଶୁଣିଲେ ନୃପତି

ସମଦଣ୍ଡ ସାଜିବାକୁ ଆଜ୍ଞା ସେହୁ ବ୍ୟକ୍ତି ।

ରାଜା ଆଜ୍ଞା ପାଇକରି ସାଜିଲେକ ଦଣ୍ଡ

ବୀରତୂର ଶବଦରେ କମ୍ପିଲା ବ୍ରହ୍ମାଣ୍ଡ ।

ସୈନ୍ୟ ସାଜିବାର ଦେଖି ଉଗ୍ରସେନ ରାୟେ

ଆନନ୍ଦରେ ପୁଲକଇ ତାହାଙ୍କର କାୟେ ।

ଦିବ୍ୟବେଶ ହୋଇଲେକ ସେ ଦେବାଧିରାୟ

ସତ୍ୟଭାମାଙ୍କୁ ଘେନିଣ ଗରୁଡ଼େ ବିଜୟ ।

ବସୁଦେବ ହକାରିଣ ମୁଖେ ଦେଲେ ଦୀକ୍ଷା

ଆସିବା ପର୍ଯ୍ୟନ୍ତେ ତୁମ୍ଭେ ପୁର କର ରକ୍ଷା ।

ତୁମ୍ଭର ପ୍ରସାଦେ ଆମ୍ଭେ ବିଜେକରି ଯିବୁ

ନାରକାସୁରକୁ ମାରି କୁଶଳେ ଆସିବୁ ।

ଆଜ୍ଞାପାର ଦ୍ଵାରକାରେ ନୃପତି ରହିଲେ

ଶୁଭଯୋଗ କୃଷ୍ଣ ସମଦଣ୍ଡ ବାହିଗଲେ ।

ଉଷା ଲଗ୍ନରେ ବାହାର ହେଲେ ହୃଷୀକେଶୀ

ଅପ୍ରମିତ ସୈନ୍ୟ ଘେନି ସଙ୍ଗେ ସାତବଂଶୀ ।

ଷଡ଼ମନ୍ତ୍ରୀ ଉଗ୍ରସେନ ବେଢ଼ିଛନ୍ତି ପାଶ

ମନ୍ତ୍ରଣା ଦେବାର କଥା ଜାଣନ୍ତି ବିଶେଷ ।

ସମରେ କୃଷ୍ଣ ଚଳିଲେ ସମଦଣ୍ଡ ବାହି

ଉତ୍ତରାଭିମୁଖେ ବଳ ପୁରୁଁ ବାହରଇ ।

ମାର ମାର ଧର ଧର ମହାଘୋର ଶବ୍ଦେ

ପୃଥିବୀ କମ୍ପଇ ସୈନ୍ୟଙ୍କର ପାଦନାଦେ ।

ପାତାଳରେ ବାସୁକୀର କମ୍ପେ ସପ୍ତଫେଣୀ

କ୍ଷୀର ରେଣୁରେ ଅନ୍ଧାର ଦିଶଇ ମେଦିନୀ ।

ଧୀରେ ଧୀରେ ଚଳିଗଲେ ଅପ୍ରମିତ ସୈନ୍ୟ

ବକୁଳାଞ୍ଜନ ପର୍ବତେ ମିଳିଲେକ ପୁଣ ।

ତହିଁରେ ରାଜା ଅଟଇ ନାରକା ଅସୁର

ଅତିବଡ଼ ରାଜା ସେହୁ ମହା ବଳିୟାର ।

ଅପ୍ରମିତ ବଳ ତାର ନୁହଇ କଳନା

ବତିଶ କ୍ଷଉଣୀବଳ ସର୍ବେ ଜଗଜ୍ଜିଣା ।

ଦେବଗଣ ଗନ୍ଧରବ କାକୁ ଭୟ ନାହିଁ

ବାହୁବଳେ ବହୁ ରାଜାଗଣ ଜିଣିଛଇଁ ।

ରାଜାଙ୍କ ସୁନ୍ଦରୀ କନ୍ୟା ଯେତେ ଯହିଁ ଥିଲେ

ଅନ୍ତଃପୁରରେ ଥୋଇଲା ଆଣି ବାହୁବଳେ ।

ମନରେ ସଂକଳ୍ପ କରି ରଖିଅଛି ଏହା

ଲକ୍ଷେ କନ୍ୟା ପୂର୍ଣ୍ଣ ହେଲେ ହୋଇବ ଯେ ବାହା ।

ଏମନ୍ତେ ସକଳ ରାଜ୍ୟୁ ରାଜକନ୍ୟା ଆଣି

ଅନ୍ତଃପୁରେ ଯତ୍ନକରି ଥୋଇଲାକ ପୁଣି ।

ସେ ରାଜା ରାଜ୍ୟରେ ଯାଇ ମିଳି ଚକ୍ରଧର

ନାରଦ ମିଳିଲେ ଯାଇ ନାରକା ଛାମୁର ।

ବ୍ରହ୍ମାଙ୍କର ସମାନରେ ଦିଶେ ଦିବ୍ୟଶୋଭା

ଅଦ୍ଭୁତେ ଆକାଶୁଁ ଖସି ହୋଇଲେକ ଉଭା ।

ତାଙ୍କୁ ଦେଖିଣ ନାରକା ବହୁ ଭକ୍ତି କଲା

ସିଂହାସନ ତ୍ୟାଗକରି ପାଦେ ପ୍ରଣମିଲା ।

ପ୍ରରିପାତ କରିଣ ସେ ଯୋଡ଼େ ବେନିକର

ଆହେ ମୁନି ଧନ୍ୟ ଆଜ ଜୀବନ ମୋହର ।

ଧନ୍ୟ ମୋହର ଜନନୀ କଲା ମୋତେ ଜନ୍ମ

ତୁମ୍ଭଙ୍କୁ ମୁଁ ଦେଖିଲଇଁ ସଫଳ ମୋ ଦିନ ।

ଏତେ ବୋଲିଣ ନାରକା ପାଦ ପଖାଳିଲା

ପାଦର ଉଦକ ଆଣି ଗର୍ଭକୁ କ୍ଷେପିଲା ।

ନାରକାର ଚିତ୍ତ ଯହୁଁ ନିର୍ମଳ ଦେଖିଲେ

ମହାମନ୍ତ୍ର ସ୍ମରି ମୁନି କଲ୍ୟାଣ ବାଞ୍ଛିଲେ ।

ନାରକା ବୋଇଲା ମୁନି ପଥଶ୍ରାନ୍ତ ହୋଇ

ମୋହର ପୁରକୁ ବିଜେ କଲେ କାହିଁପାଇଁ ।

ନାରଦ ବୋଇଲେ ତୋତେ ଦୟା କଲୁ ଚିତ୍ତେ

ଶରଧା କରି ଅଇଲୁ ଦେଖିବା ନିମନ୍ତେ ।

ମହାପ୍ରତାପୀ ତୁ ଅଟୁ ପୁଣି ବଳବନ୍ତା

ତ୍ରୈଲୋକ୍ୟ ମଧ୍ୟେ ବିଦିତ ଅଟେ ତୋର କଥା ।

ରବିତଳରେ ତୋହର ସମ କେହି ନାହିଁ

ବହୁ ଅବତାର ହୋଇଅଛୁ ଦେହ ବହି ।

ତୁମ୍ଭର ଯେମନ୍ତେ ବଳ ତୁମ୍ଭେ ତାହା ଜାଣ

ଏବେ ବିପତ୍ତି ପଡ଼ିଲା ତୁମ୍ଭର ପୁରେଣ ।

ଶ୍ରୀକୃଷ୍ଣ ତୋର ତହିଁକି ଆସେ ଦଣ୍ଡ ବାହି

ବକୁଳାଞ୍ଜନର ତଳେ ଛନ୍ତି ସୈନ୍ୟ ରହି ।

ଯଦ୍ୟପି ରଣ କରିବୁ ତୁହି ଅଙ୍ଗଛଳେ

କୋଟିଏ ଇନ୍ଦ୍ର ହୋଇଲେ ଜିଣିପାରୁ ବଳେ ।

ମଞ୍ଚ ରାଜାଏ ନୁହନ୍ତି କେହି ତୋତେ ସମ

ଶୂରବନ୍ତା ଶକତା ତୁ ପ୍ରତ୍ୟକ୍ଷରେ ଯମ ।

ତୋହଭଳି ଲୋକ ହୋଇ ସହିବ କେମନ୍ତେ

ଥାଟ ଘେନିଣ ଭେଟିଲେ ନିଶ୍ଚେଁ ଜଗନ୍ନାଥେ ।

ନାରଦଙ୍କ ବଚନରେ ନାରକା ଅସୁର

କୋପେଣ ଗର୍ଜ୍ଜଇ ସେହୁ ମେଘ ପରକାର ।

ଏଡ଼େ ବଡ଼ ଭରସା ତ କାହାର ହୋଇଲା

ମୋହର ରାଜ୍ୟକୁ ସେହୁ ସଇନ ବାହିଲା ।

ମନ୍ତ୍ରୀ ବୋଲେ ଦେବ କିସ କରିବା ଉପାୟ

କେବଣ ଦେଶର ସେହୁ ଅଟେ ମହାରାୟ ।

ଏବେ ମୁହିଁ ଭଲରୂପେ ଜାଣିଲଇଁ ତାହା

ବସୁଦେବର ନନ୍ଦନ ଅଟେ ଚଉବାହା ।

ମହାଯୋଦ୍ଧା ବଳବନ୍ତ ଛନ୍ତି ତାର ସଙ୍ଗେ

ଜଣେ ଜଣେ ସପ୍ତଦ୍ଵୀପ ଜିଣନ୍ତି ସେ ରଙ୍ଗେ ।

ଯାଦବ ବୀରମାନେ ତ ସର୍ବେ ରଣରଙ୍କା

ମହାଘୋର ସଂଗ୍ରାମକୁ ନ କରନ୍ତି ଶଙ୍କା ।

ଜରାସନ୍ଧ ସଙ୍ଗେ କାଳଯବନ ନୃପତି

ଅଠର ବେଳ ପର୍ଯ୍ୟନ୍ତ ଧାଡ଼ି ସେ ଦିଅନ୍ତି ।

ବିଷ୍ଣୁ ଅବତାର ସେହୁ ଅଟେ ଜଗଜ୍ଜିତା

ତିନିପୁରେ ତାକୁ କେହି ନୁହନ୍ତି ଜିଣନ୍ତା ।

ଯେବେ ଦେହ ବହି ଆସିବେକ ତ୍ରିପୁରାରି

କୃଷ୍ଣ ସଙ୍ଗେ ନ ପାରିବେ କେବେ ଯୁଦ୍ଧ କରି ।

ମନ୍ତ୍ରୀର ବଚନ ଶୁଣି ନାରକା ବୋଇଲା

ଏ କଥା ଶୁଣି ମୋ ମନେ ହରଷ ହୋଇଲା ।

କୃଷ୍ଣଙ୍କର ମହିମା ତୁ କହିଲୁ ମୋ ଆଗେ

ଏଡ଼େ ବଡ଼ ଯୋଦ୍ଧା ସେହୁ ହେଲା କେଉଁ ବାଗେ  

ମୋ ଆଗକୁ ଖେଳୁଆଳି ହୋଇଣ ଆସୁଛି

ନିଶ୍ଚୟ ଜାଣିଲି ସେହୁ ନ ଜାଣଇ କିଛି ।

ଯମର ଭୁବନେ ପୁଣି ପ୍ରବେଶିଲା ଆସି

ଆପଣାର ଗଳାରେ ସେ ଲଗାଇଲା ଫାଶି ।

ଦେହ ବହି ଜୀବନକୁ ନ କଲା ସେ ଆଶ

ନିଶ୍ଚୟ ଜାଣିଲି ସେହୁ ହେବ ପ୍ରାଣେ ନାଶ ।

କୋଟିଏ ଇନ୍ଦ୍ରକୁ ମୁହିଁ ଜିଣିପାରେ ଧରି

ଯାଦବ ଯୋଦ୍ଧାଏ ଉଗ୍ରସେନ ଆଦି କରି ।

ପୁଣି ଆଜ୍ଞା ଦେଲା ସୈନ୍ୟ ବେଗେ ସଜକର

ପରିଘାଇ ଯୁଦ୍ଧ ଆମ୍ଭେ କରିବା ନିଜର ।

ରାଜା ଆଜ୍ଞା ପ୍ରମାଣରେ ହେଲେ ସର୍ବେ ସଜ

ମାହୁନ୍ତ ଆଦି କରିଣ ସାଜିଲେକ ଗଜ ।

ଚୌରାଶୀ ସହସ୍ର ସଜ କରାଇଲେ ବାଜୀ

ଆଠ କୋଟି ପଦାତିକ ସମଦଣ୍ଡ ସାଜି ।

ନବେ ସସ୍ର ରଥ ସଜାଇଲେ ଅତି ବେଗେ

ସଇନି ସଜ ହୋଇଲେ ନାରକାର ଆଗେ ।

ମହୋଦର ଦୈତ୍ୟ ନାରକାର ସଙ୍ଗେ ଥିଲା

ତୁରିତ ଯାଅ ବୋଲିଣ ସୈନ୍ୟ ଆଜ୍ଞା ଦେଲା ।

ଆପେ ମହୋଦର ଦୈତ୍ୟ ଦିବ୍ୟବେଶ ହୋଇ

ସମ୍ଭର୍ବେ ବିଜୟ କଲା ରଥେକ ଆରୋହି ।

ଆଗୁଆଣି ଥାଟରେ ସେ ସମଦଣ୍ଡ ବାହି

ତିନି ଅୟୁତ ବାଦ୍ୟରେ ବ୍ରହ୍ମାଣ୍ଡ କମ୍ପଇ ।

ଶ୍ରୀକୃଷ୍ଣ ଛାମୁରେ ଯାଇ ଚାର ଜଣାଇଲେ

ମହୋଦର ଦୈତ୍ୟ ଆସୁଅଛି ପଟୁଆରେ ।

ଚତୁରଙ୍ଗ ବଳ ତାର ଅପ୍ରମିତ ସୈନି

ଯାହାଙ୍କର ପାଦଭରେ କମ୍ପଇ ମେଦିନୀ ।

ଭଗଦତ୍ତ ନାରକାର ପୁତ୍ର ରଣରଙ୍କା

ଆଗୁଆଣି ଥାଟେ ଅଛି ନାହିଁ ତାର ଶଙ୍କା ।

ବେଗୁଁ ବେଗେ ସୈନ୍ୟ ମାଡ଼ି ପଡ଼ୁଛନ୍ତି ଆଗେ

ପ୍ରତିଜ୍ଞା କରିଣ ସେହୁ ଆସେ ରଣରଙ୍ଗେ ।

ଡଗର ମୁଖୁଁ ଶ୍ରୀହରି ଏହି ବାର୍ତ୍ତା ପାଇ

ତାଳଧ୍ଵଜେ ଚଢ଼ି ବଳଦେବ ଗଲେ ଧାଇଁ ।

ରାମ ବୋଇଲେକ ଚାର କହିଲାକ ଯାହା

ଭୋ କୃଷ୍ଣ ସାବଧାନରେ ଶୁଣିଲ କି ତାହା ।

ନାରକାସୁର ଯଦ୍ୟପି କରିବ ଆରେଣି

ତୁହି ବିଚାରୁ ଏ କଥା କି ପ୍ରକାରେ ପୁଣି ।

ବଳବନ୍ତ ଯୋଦ୍ଧା ସେହୁ ନାରକା ଦଇତ

ଦିଗପାଳ ଦେବତାଏ ଡରନ୍ତି ସତତ ।

ଗୋପନେ ପୃଥିବୀ ଦେବୀ ଜନ୍ମାଇଛି ତାକୁ

ମଞ୍ଚପୁରେ ଯୋଦ୍ଧା କିଏ ଅଛି ଲେଖିବାକୁ ।

ଦର୍ହସିତ ହେଲେ ହରି ସେହି କଥା ଶୁଣି

ବୋଇଲେ ଏତେ ଭାଗ୍ୟ ମୋ ହୋଇବ କି ପୁଣି ।

ପଟୁଆର ଭଳି କିବା ପାଇବା ସମର

ଏମନ୍ତ ବୋଲିଣ କେହୁ ଅଛି ବୀର ଶୂର ।

ଏହା ଶୁଣି ବଳଦେବ ଗଲେ ବେଗେ ଧାଇଁ

ସଙ୍ଗତେ ଯାଦବ ବଳ ଘେନିଣ ଚଳଇ ।

ପାଞ୍ଚଯୁଣ ମାଡ଼ିକରି ଚଳିଗଲେ ଥାଟ

ନାରକା ସୈନ୍ୟଙ୍କ ସଙ୍ଗେ ହୋଇଲାକ ଭେଟ   

ରେରେକାର କରିଣ ସେ ପଡ଼ିଲାକ ମାଡ଼ି

ହୁଁ ହୁଁ କାର ଶବଦରେ ଛାଡ଼ି ଘୋର ରଡ଼ି ।

ଏକକୁ ଆରେକ ସୈନ୍ୟ ଉପ୍ରୋଧ ଛାଡ଼ିଲେ

ଗଦା ମୁଦୁଗର ଛେଲ ଛତ୍ର ପ୍ରହାରିଲେ ।

ଅଧରେ ଦନ୍ତ ଚାପି କେ ମାରେ ବଜ୍ରମୁଷ୍ଟି

ରଥର ଉପରେ କେହୁ ଧାଏଁ ଦେଇ ଦୃଷ୍ଟି ।

ରଥୀଙ୍କ ଆଗେ ଧାମନ୍ତି ମହାରଥୀମାନେ

ସସ୍ର ସସ୍ର ନାରାଚକୁ ମାରି ଅନୁକ୍ଷଣେ ।

ରକତରେ କରଦମ ହେଲା ମହୀସ୍ଥଳୀ

ମାଂସ ଭକ୍ଷଣ କରନ୍ତି ଯୋଗିନୀଏ ମିଳି ।

କିଳିକିଳା ନାଦ କରି ଧାଇଁ ରଣରଙ୍ଗେ

ରକତମାନ ଲାଗିଲା ଭେରବୀଙ୍ଗ ଅଙ୍ଗେ ।

ଶୂଳପାଶ ଆବର ଯେ ଘେନି ତୀକ୍ଷ୍‌ଣ ଖଣ୍ଡା

ରଣରଙ୍ଗେ ବିହରନ୍ତି ଦେବୀ ପରଚଣ୍ଡା ।

ପରିଘାଇ ଯୁଦ୍ଧ କଲେ ଦୈତ୍ୟେ ରଣରଙ୍କା

ଦେଖିଣ ଯାଦବ ସୈନ୍ୟ ମନେ କଲେ ଶଙ୍କା ।

ରଣକ୍ଷେତ୍ର ଛାଡ଼ି କେହୁ ପଳାବନ୍ତି ଡରେ

ଗୋଡ଼ାଇଣ ଶସ୍ତ୍ରମାନ ପିଟନ୍ତି ଅସୁରେ ।

ମହାଘୋର ସମରର ହୋଇଲା ଆରେଣି

ପର ଆପଣାର ସୈନ୍ୟ ନ ପାରିଲେ ଚିହ୍ନି ।

ଏକର ହସ୍ତୁ ଆରେକ ଶସ୍ତ୍ର ଉଛୁଡ଼ାନ୍ତି

ଗୋଡ଼ାଇଣ ଶସ୍ତ୍ର କେହୁ ପିଠିରେ ମାରନ୍ତି ।

ବଳଦେବ ପ୍ରତ୍ୟକ୍ଷରେ ଦେଖିଲେ ତା ଆଗେ

ରହ ରହ ବୋଲିଣ ସେ ଓଗାଳିଲେ ବେଗେ ।

ଯାଦବଙ୍କ ସୈନ୍ୟ ପଳାଇଣ ଯାଉଥିଲେ

ବଳଦେବ ଆଶ୍ରା କରି ସମସ୍ତେ ରହିଲେ ।

ତ୍ଵରିତ ନାରକା ସୈନ୍ୟ ପଡ଼ୁଛନ୍ତି ମାଡ଼ି

ବଳଦେବ ଦେଖିକରି ଧାଏଁ ରଡ଼ି ଛାଡ଼ି ।

ପରାକ୍ରମକୁ ଦେଖାଇ ଧାଇଁ ଅତିବେଗେ

ମେରୁ ଆଶ୍ରେ କରି ଯେହ୍ନେ ଐରାବତ ଲାଗେ ।

ଆଗହୁଁ ସଂଗ୍ରାମକୁ ସେ ଛନ୍ତି ପରିଘାଇ

ଦେଖିବା ମାତ୍ରକେ ପଡ଼ିଗଲେ ବେଗେ ଧାଇଁ ।

ପ୍ରଥମେ ହିଁ ବଳଦେବ ରଡ଼ିଏ ଛାଡ଼ିଲେ

କୃତାନ୍ତ ଦେବତା ପ୍ରାୟ ତେଜ ବିକାଶିଲେ ।

ଗହ ଗହ ଶବଦରେ ଶୁଭେ ଘୋର ଧ୍ଵନି

ଉଭୟ ବଳ ଶଙ୍କିତ ହେଲେ ତାହା ଶୁଣି ।

ନାରକା ସୈନ୍ୟ ପଳାଇ ଗଲେ ଯୁଦ୍ଧ ଛାଡ଼ି

ପଛରେ ଯାଦବ ସୈନ୍ୟ ଯାନ୍ତି ତଡ଼ବଡ଼ି ।

ନାରକାର ପୁତ୍ର ଭଗଦତ୍ତ ନାମେ ଯୋଧୀ

ଗଜମର୍ମ ବିଦ୍ୟାରେ ଜାଣେ ମହୌଷଧି ।

ଅୟୁତେଜ ଗଜ ପଛେ ଅଛଇ ଚଳାଇ

ବିନ୍ଧ୍ୟ ପର୍ବତେ ଯେସନ ଗରିମାଳ ଥାଇ ।

ତେସନେ ଦିଶଇ ଭଗଦତ୍ତ ହସ୍ତୀବଳ

ରେରେକାର କରି ସୈନ୍ୟ ଓଗାଳି ସକଳ ।

ଧାତିକାରେ ମିଳେ ବଳଦେବ ଆଗେ ଯାଇ

ହଳ ମୁଗଳ ଧରିଲେ ଥିଲେ ଉଭା ହୋଇ ।

ହସ୍ତୀବଳ ଘେନି କରି ପଡ଼େ ବେଗେ ଧାଇଁ

ତାହା ଦେଖି ବଳଦେବ ଓଗାଳିଲେ ଯାଇଁ ।

ପ୍ରଚଣ୍ଡ ନାଦ କରିଣ ଧରି ହସ୍ତି ହସ୍ତ

ଏକ ଉପରେ ଆରେକ କଚାଡ଼ି ତ୍ଵରିତ ।

ଦାନ୍ତମାନ ଉପାଡ଼ିଣ ଭାଙ୍ଗି ଭୁଜଦଣ୍ଡ

ହସ୍ତୀ ବୁକୁକୁ ବିଦାରି କରି ଖଣ୍ଡ ଖଣ୍ଡ ।

କାହା କୁମ୍ଭ ସ୍ଥଳରେ ମାରି ବଜ୍ର ମୁଷ୍ଟି

ପଦାଘାତରେ କେହି ବା ପଡ଼େ ମହୀଲୋଟି ।

ଏହି କାଳେ ଭଗଦତ୍ତ ଧଇଲା କୋଦଣ୍ଡ

ମନ୍ତ୍ରବଳେ ପୂରାଇଣ ଷାଠିସସ୍ର କାଣ୍ଡ ।

ଟାଣିଆଣି ଶସ୍ତ୍ରମାନ ବିନ୍ଧେ ଅତିରୋଷେ

ବାଣମାନ ଚଳିଯାଇ ଘୋଟିଲେ ଆକାଶେ ।

ପଞ୍ଚସସ୍ର ବାଣ ସେହୁ ଯୋଚି ପୁଣ ପୁଣି

କର୍ଣ୍ଣଯାଏ ଓଟାରିଣ ବିନ୍ଧେ ଗୁଣ ଟାଣି ।

ନିଃଶ୍ଵାସ ମାତ୍ରକେ ବାଣ ବିନ୍ଧି କୋଟି କୋଟି

ଚଳିଲେ ବାଣ ସମସ୍ତ ଆକାଶରେ ଘୋଟି ।

ଆକାଶ ମଣ୍ଡଳେ ଘୋଟିଗଲା ଦିବ୍ୟଶର

ସୂର୍ଯ୍ୟଦେବ ନ ଦିଶିଲେ ହେଲା ଅନ୍ଧକାର ।

ବଳଦେବ ଦେଖି ପାତିଲେକ ନେଇ ମୁଣ୍ଡ

ବାମମାନ ପଡ଼ିକରି ହେଲେ ମସିଗୁଣ୍ଡ ।

ଚୂନା ହୋଇ ବାଣମାନେ ପହିଁଲେ ଉପୁଡ଼ି

ତତକ୍ଷଣେ ପୁନରପି ତୂଣୁଁ ବାଣ କାଢ଼ି ।

ବାବଲ ଶତେକ ବାଣ ମାଇଲାକ ଟାଣି

ମୁଖ ବିସ୍ତାରିଣ ତାହା ଗିଳି ହଳପାଣି ।

ତେଣୁ କରି ଭଗଦତ୍ତ ରୋଷଭର ହୋଇ

ଅନେକ ନାରାଚମାନ ବିନ୍ଧିଲା ତୁହାଇ ।

ତାଙ୍କର ଦେହେ କେବେହେଁ ନୋହେ ଶସ୍ତ୍ର ଭେଦ

ଦେଖିକରି ଭଗଦତ୍ତ ଲଭିଲା ବିଷାଦ ।

ଧନୁ ଶସ୍ତ୍ର ତ୍ୟାଗ କଲା ରଥର ଉପର

ଫୁଟନ୍ତେ ବଳି ପଡ଼ିଲା ନିଃଶ୍ଵାସ ତାହାର ।

ବଳଦେବ ହାସ୍ୟ କଲେ ଭଗଦତ୍ତ ଚାହିଁ

ଦେବ ଅସ୍ତ୍ର ଗୁଡ଼ା ଏକ ଅଛୁ ବୃଥା ଥୋଇ ।

କୋପେ ହସ୍ତୀ ଲାଞ୍ଜ ଧରି ଦ୍ୟନ୍ତି ଫୋପଡ଼ାଇ

ବିକୃତ କରି ମାରନ୍ତି ନାନା ଦୁଃଖ ଦେଇ ।

ରେରେକାର କରି ସେ ଧାମନ୍ତି ଗଳାଗାଜି

ମେଘେ ମେଘେ ଘଷିହ୍ଵନ୍ତେ ଯେହ୍ନେଯାଏ ଭାଜି ।

ବଳଦେବ ମାରନ୍ତି ଯେ ତାକୁ ଅତି ରୋଷେ

ପଳାଇଲା ଭଗଦତ୍ତ ନ ରହିଣ ପାଶେ ।

ଦେବଙ୍କ ପାଶେ ନାରକା ଅଛି ଉଭା ହୋଇ

ଦଣ୍ଡଭଗ୍ନେ ଭଗଦତ୍ତ ମିଳେ ତହିଁ ଯାଇ ।

ସଇନ୍ୟଙ୍କର ବିକଳେ ନାରକା ଅସୁର

କଦଳି ପତ୍ର ପରାୟେ କମ୍ପେ ତା ଶରୀର ।

ସାରଥିକୁ ବୋଲେ ରଥ ଆଗକର କିନା

ଥାଟ ମୋର ଭାଜିଗଲେ ପଡ଼ି ବହୁସେନା ।

ବୃଥା ଶତ୍ରୁ ମୋହର ତ ମିଳେ କାହୁଁ ଆସି

ଏଡ଼େ ବଡ଼ ସମ୍ପଦ ମୋ ନାଶେ ରାଜ୍ୟେ ପଶି ।

ଆହୋ ସାରଥି ମୋହର ରଥ ବେଗେ ବାହା

ମୋହର ଥାଆନ୍ତେ ସୈନ୍ୟ ହୋଇଲେ ଅସାହା ।

ଏକ୍ଷଣି ଶତ୍ରୁ ମାରିବି କରିଣ ବିକୋତି

ପ୍ରାଣ ଘେନି ଜଣେ ଏଥୁ ନ ଯିବେଟି ବର୍ତ୍ତି ।

ଏ କଥା ଶୁଣି ସାରଥି ରଥ ସଜ କଲା

ଦିବ୍ୟ ବେଶ ହୋଇ ଦୈତ୍ୟ ରଥରେ ବସିଲା ।

ବାହିଲା ସାରଥି ରଥ ସମର ମଣ୍ଡଳ

ଦେଖିକରି ଆଗେ ଓଗାଳିଲେ ବଳେମ୍ବର ।

ଖଣ୍ଡେ ଦୁରୁ ଡାକଦେଲେ ରେ ନାରକାସୁର

ସମର ଦେଖି ମନରେ ନୁହସି କାତର ।

ସର୍ବେ ବୋଲନ୍ତି ନାରକାସୁର ବଡ଼ଯୋଧୀ

ରଣ ଦେଖି କିପାଁ ହେଉଅଛୁ ହତବୁଦ୍ଧି ।

କେମନ୍ତେ ଈଶ୍ଵରଙ୍କୁ ତୁ କରିଅଛୁ ସେବା

କେସନେ କବର ତୋତେ ଦେଲେ ଦେବଦେବା ।

କିଞ୍ଚିତ ସଂଗ୍ରାମକୁ ତ ନୋହିଲା ତୋ ବଳ

ଆମ୍ଭର ସଂଗ୍ରାମ ଏବେ କ୍ଷଣକେ ସମ୍ଭାଳ ।

ଏ ତୋହର ଶରୀରକୁ ଯେହ୍ନେ ପାର ରଖ

ନୋହିଲେ ପାଇବୁ ଏହିକ୍ଷଣି ବହୁଦୁଃଖ ।

ଏତେ ବୋଲି ବଳଦେବ ଧଆଇଁ କୋପକରି

ଦେଖି ନାରକା ଅସୁର ପଳାଇଲା ଡରି ।

ସବୁ ସୈନ୍ୟ ପଳାଇଲା ଦେଖିଲେକ ସ୍ଵଚ୍ଛେ

ଯଦୁ ସୈନ୍ୟ ଗୋଡ଼ାଇଣ ମାରି ପଛେ ପଛେ ।

ବେଳକୁ ବେଳ ସଇନ୍ୟ ପଡ଼ିଲେକ ମାଡ଼ି

ବାତା ଘାତରେ ଯେସନେ ଧାମନ୍ତି ତଡ଼ବଡ଼ି ।

ଦେଖିଣ ମହୋଦରର କମ୍ପିଲାକ ଅଙ୍ଗ

କୋପାନଳ ହୋଇକରି ବହେ ମହାଖଙ୍ଗ ।

ଗଦା ବୁଲାଇ ଧାମଇ ମହାକୁତୂହଳେ

ଧାତିକାରେ ମିଳେ ଯାଇଁ ପର୍ବତର ତଳେ ।

ନିରନ୍ତର ସୈନ୍ୟମାନେ ଆସୁଛନ୍ତି ରାଗେ

ରହ ରହ ବୋଲିଣ ସେ ଓଗାଳିଲା ଆଗେ ।

ମାନବ ସଇନ୍ୟ ଦେଖି ହର୍ଷ ମନ୍ତ୍ରୀମଣି

ଉପହାସରେ ଅସୁର କହେ ଗର୍ବଗାଣୀ ।

କି ଅବା ବାତୁଳ ତୁହି ଅଟୁରେ ମାନବା

ବାଟ ନ ଜାଣିବା ଦୋଷେ ବଣା ହେଲୁ ଅବା ।

ମୋହର ବଳ କିପାଇଁ ମାରୁଅଛୁ ଗଞ୍ଜି

ନିଶ୍ଚୟ ଯମ ଦେବତା ପୋଛିଲା ତୋ ପାଞ୍ଜି ।

ନ ଜାଣି ଶତ୍ରୁ କିପାଇଁ ହେଲୁ ମୋର ତୁଲେ

ଜଣେ ପ୍ରାଣଘେନି ତୁମ୍ଭେ ନ ଯିବଟି ଭଲେ ।

ଅକାରଣେ ମୃତ୍ୟୁ ତୋତେ ପ୍ରାପତ ହୋଇଲା

ଏତେ ବୋଲି ବୀରବର କୋପାନଳ ହେଲା ।

ମୋହର ପ୍ରତିଜ୍ଞା କିବା ଶୁଣିବା ତୋ ନାହିଁ

ଆକଣ୍ଟକ ରାଜ୍ୟ ମୋର ଭାଙ୍ଗୁ କାହିଁପାଇଁ ।

ଏହିକ୍ଷଣି ସମସ୍ତେ ହେଁ ହେବ ପ୍ରାଣେ ନାଶ

ଏତେ ବୋଲି ସେ ଦାନବ କଲା ମହାରୋଷ ।

ଗଦାବର ବୁଲାଇଣ ଧାଏଁ ଅତି କୋପେ

ଯୋଦ୍ଧାଙ୍କର ଉପରରେ ପିଟି ଅତି ତାପେ ।

ହୁଂକାର ନାଦ କରିଣ ଛାଡ଼େ ଘୋର ରଡ଼ି

ମେରୁ ଉପରେ ପର୍ବତ ପଡ଼େ ଯେହ୍ନେ ଝଡ଼ି ।

ଅଧରେ ଦନ୍ତ ଚାପିଣ ମାରି ବଜ୍ରମୁଷ୍ଟି

ହସ୍ତୀଙ୍କ ଉପରେ ପଡ଼ି ମୁର୍ଦ୍ଧା ଯାଏ ଫାଟି ।

ରଥର ପରେ ରଥ ସେ କଚାଡ଼େ ରୋଷରେ

ଗର୍ଜିଣ କଚାଡ଼େ ଏକ ଆରେକ ଉପରେ ।

ଅଶ୍ଵର ଉପରେ ନେଇ ଅଶ୍ଵଙ୍କୁ କଚାଡ଼ି

ବିକ୍ରମ ଗତି କରିଣ ଦିଏ ଘୋର ରଡ଼ି ।

ପଶ୍ଵ ପଦାତିକ ବଳ ପାଦେ ମରଦଇ

ବିଜୁଳିର ଜ୍ୟୋତି ଜିଣି ଶୂନ୍ୟରେ ଖେଦଇ ।

କାମରୂପୀ ଅସୁର ଯେ ଜାଣେ କୂଟମାୟା

ପର୍ବତର ପ୍ରାୟ ସେହୁ ବଢ଼ାଇଲା କାୟା ।

ଆକାଶ ମଣ୍ଡଳେ ମୁଣ୍ଡ ଲାଗିଲାକ ଯାଇ

ଦେବତାଏ ପଳାଇଲେ ଦେଖି ଭୟ ପାଇ ।

ଭୟଙ୍କର ରୂପ ସେହୁ ଧରେ ରୋଷଭରି

ହାତୀ ରଥୀ ଅଶ୍ଵ ଗଜ ମର୍ଦ୍ଦି ପାଦେ ଧରି ।

ଘୋର ଗର୍ଜ୍ଜନ କରିଣ ଧାଇଁ ମହାରୋଷେ

ଦେଖିଣ ଯାଦବ ବଳ ପଳାଇଲେ ତ୍ରାସେ ।

ସୈନ୍ୟଙ୍କର ଆତଙ୍ଗକୁ ଦେଖି ଦେବରାଜେ

ଗରୁଡ଼ୁ ଉତୁରି ନନ୍ଦିଘୋଷ ରଥେ ବିଜେ ।

ସତ୍ୟଭାମା ଗରୁଡ଼ର ପିଠିରେ ରହିଲେ

ଲକ୍ଷ୍ମୀଦେବୀ ପତି ଗରୁଡ଼କୁ ଆଜ୍ଞା ଦେଲେ ।

ଅନ୍ତର ହୋଇଣ ତୁହି ଦଣ୍ଡେକ ବିଶ୍ରାମ

ଦୈତ୍ୟର ସଙ୍ଗତେ ଆମ୍ଭେ କରିବୁ ସଂଗ୍ରାମ ।

ଏତେ ବୋଲି କୃଷ୍ଣ ଯାଦବଙ୍କୁ ପଛକରି

ରଥେ ଆରୋହିଣ ଗଲେ କରେ ଅସ୍ତ୍ର ଧରି ।

ତାହା ଦେଖି ଯଦୁଗଣେ ଧାଇଁ ଅତିବେଗେ

ମହାନାଦ କଲେ ସର୍ବେ ମିଳି କୃଷ୍ଣ ଆଗେ ।

କେତୁ ମଙ୍ଗଳ ପରାୟେ ଦିଶେ ଦିବ୍ୟତେଜ

ମେରୁରେ ଭେଟିକ କିବା ଐରାବତ ଗଜ ।

ରେରେକାର କରିଣ ସେ ଦୈତ୍ୟ ମହାକୋପେ

ନନ୍ଦିଘୋଷ ରଥେ ଗଦା ପିଟେ ଅତିତାପେ ।

ଦେଖିଣ ସାରଥି ରଥ ନେଲା ତହୁଁ କାଢ଼ି

ଗଦାବର ଭାଙ୍ଗି ଶତେଖଣ୍ଡ ହୋଇ ପଡ଼ି ।

ଗଦା ଭଗ୍ନ ହେଲା ମହୋଦର ଦୈତ୍ୟ ଆଗେ

ମହାବୃକ୍ଷ ଉପାଡ଼ିଣ ପିଟା ଅତି ବେଗେ ।

ରଥେ ଥାଇଣ ଦେଖିଲେ ତା ଦେବାଧିରାୟେ

ଅତି କୋପାନଳେ କମ୍ପ ଗଲା ତାଙ୍କ କାୟେ ।

ଭଗ୍ନ ସୈନ୍ୟ ଦେଖିକରି କମ୍ପେ ତାଙ୍କ ତନୁ

ଧାତିକାରେ ଧଇଲେ ସେ ଶାର୍ଙ୍ଗ ନାମେ ଧନୁ ।

ତିନିଶତ ବାଣ ବସାଇଲେ ଧନୁ ଗୁଣେ

ମନ୍ତ୍ରବଳେ ଦାନବକୁ ବିନ୍ଧି ତତକ୍ଷଣେ ।

ପୁଣି ହିଁ କୋପରେ ପାଞ୍ଚଲକ୍ଷ ଶର ଘେନି

ଉଚ୍ଚେ ମହାନାଦ କରି ବିନ୍ଧି ଚକ୍ରପାଣି ।

ହସ୍ତ ବ୍ୟଗ୍ରେ ପୁଣି ଦଶ ସହସ୍ର ଧଇଲେ

ଅଧରେ ଦନ୍ତ କାମୁଡ଼ି ଦୈତ୍ୟଙ୍କୁ ମାଇଲେ ।

ହୁଙ୍କାର ନାଦ କରିଣ ବିନ୍ଧି ତୀକ୍ଷ୍‌ଣ ଶର

ଅନ୍ଧାର ହେଲା ଦୃଶ୍ୟ ନ ହେଲେ ଦିନକର ।

ଶ୍ରାବଣ ମାସରେ ଯେହ୍ନେ ବର୍ଷେ ମେଘମାଳ

ତେସନେକ ଶର ବୃଷ୍ଟି କଲେ ନନ୍ଦବାଳ ।

ଅମୋଘ ଶସ୍ତ୍ର ବିନ୍ଧିଲା ସେହି ଦୈତ୍ୟବର

ସ୍ଵର୍ଗେ ଦେବତାଏ ଦେଖି ହୋଇଲେ କାତର ।

ଅର୍ଦ୍ଧାକାଶେ ଥାଇକରି ଦେଖି ଦେବଗଣେ

ମହୋଦର ଦୈତ୍ୟ ସୈନ୍ୟ ଦେଖନ୍ତି ନୟନେ ।

କୃଷ୍ଣଙ୍କର ପ୍ରତାପକୁ ଦେଖି ଯଦୁବଳ

ମନମଧ୍ୟେ ଆନନ୍ଦିତ ହୁଅନ୍ତି ସକଳ ।

କେଉଁଭାଗ୍ୟେ ବସୁଦେବ କୃଷ୍ଣେ କଲେ ଜାତ

ଧନ୍ୟ ଜୀବନ ତୋହର ଦଇବକୀ ମାତ ।

ଏସନକ ବିଚାରକୁ କରି ଯଦୁ ସୈନ୍ୟ

ସାନନ୍ଦ ହୋଇଲେ ଶୁଣି ପ୍ରଭୁ ଭଗବାନ ।

ବାଣ ଦିଶଇ ଯେସନେ ଜୁଳୁଜୁଳା ମାଳା

ପୃଥୀଯାକ ଘୋଟିଗଲା କୃଷ୍ଣ ବାଣ ଜ୍ଵଳା ।

ଏହା ଦେଖି ମହୋଦର ସ୍ତମ୍ଭୀଭୂତ ହେଲା

କୃଷ୍ଣଙ୍କର ବିଶ୍ଵମୂର୍ତ୍ତ ଦେଖିଣ ବୋଇଲା ।

କେବଣ ମାନବ ତୁହି ଅଟୁ କେଉଁ ଦେଶୀ

ଅକାରଣେ କାହିଁପାଇଁ ହେଉଅଛୁ ଧ୍ଵଂସି ।

ମୁହିଁ ତ ତୋହର ଶତ୍ରୁ ନୁହଇ ବିବାଦୀ

ଅକାରଣେ କିପାଇଁ ତୁ ଆସୁ ମୋତେ ସାଧି ।

ଅପୂର୍ବ ରାଜ୍ୟ ମୋହର କଲୁ ତୁହି ଧ୍ଵଂସ

କେବଣ କୂଳରେ ଜାତ ନାମ ତୋର କିସ ।

ଅନେକ କାଳରୁ ମୁହିଁ ଅଛି ଏଥେ ରହି

ଜମ୍ବୁଦ୍ଵୀପେ ମଧ୍ୟେ ତୋତେ ଦେଖିଲା ତ ନାହିଁ ।

ଶ୍ରୀଜଗନ୍ନାଥ ବୋଇଲେ ଶୁଣ ଦୈତ୍ୟବର

ବସୁଦେବ ନନ୍ଦନ ମୋ ନାମ ଚକ୍ରଧର ।

ଏ ରୂପରେ ବୋଇଲେକ ତାକୁ ଦେବ ହରି

ଦଇତ୍ୟ ମାରିବା ଯୋଗେ ନାମ ଦଇତ୍ୟାରି ।

ଜଗନ୍ନାଥ ଏସନକ ଆଜ୍ଞା କଲେ ଯହୁଁ

ସମସ୍ତେ ପଳାଇ ଗଲେ ନ ରହିଲେ କେହୁ ।

ପଳାଇଲେ ସୈନ୍ୟମାନେ ଛିନ୍ନଛତ୍ର ହୋଇ

ଯାଦବମାନେ ଦେଖନ୍ତି ଖଣ୍ଡେ ଦୂରେ ଥାଇ ।

ଏସନ ଦୁସ୍ତର କଥା ଦେଖି ଚକ୍ରଧର

କୌମଦକୀ ଗଦାବର ଘେନିଲେ ହସ୍ତର ।

ଗଦାବର ଘେନିଣ ସେ ପର୍ବତ ଭାଙ୍ଗିଲେ

ସୁଦର୍ଶନ ଚକ୍ର ଯୋଗେ ଅଗ୍ନି ଲିଭାଇଲେ ।

ଚକ୍ର ଯୋଗେ ଭାଙ୍ଗିଗଲେ ସର୍ବ ଦୁର୍ଗମାନ

ଅସୁରଙ୍କୁ ଜନାର୍ଦ୍ଦନ କରନ୍ତି ଛେଦନ ।

ପ୍ରବେଶିଲେ ନାରକାର ଦ୍ୱାରଦେଶେ ଯାଇ

ପାଞ୍ଚଜନ୍ୟ ଶଙ୍ଖନାଦ କଲେ ଦେବ ତହିଁ ।

ତିନିପୁରେ ଶଙ୍ଖ ଶବ୍ଦ ଶୁଭିଲାକ ଯହୁଁ

ଦୈତ୍ୟବଳ ହତବୀର୍ଯ୍ୟ ହୋଇଲେକ ତହୁଁ ।

ଦୂରେ ଥାଇ ମହୋଦର ଦୈତ୍ୟ ତାହା ଶୁଣି

କୋପେଣ ଧାଇଁଲା ବଜ୍ର ମୂଷଳେକ ଘେନି ।

ଦୈତ୍ୟବର ହସ୍ତରେ ସେ ଅସ୍ତ୍ର ଶୋଭାପାଇ

ଗଡ଼ର ଭିତରୁ ବେଗେ ଅଇଲାକ ଧାଇଁ ।

ହସ୍ତେ ଶୂଳ ଧରି ମହୋଦର ଦୈତ୍ୟବୀର

ବେଗେ ପ୍ରହାରିଲା ନନ୍ଦିଘୋଷର ଉପର ।

ଶୂଳ ମାରି ବୀରବର ଗର୍ଜିଣ ଉଠିଲା

ସପତ ବ୍ରହ୍ମାଣ୍ଡକୁ ସେ ଶବଦ ଶୁଭିଲା ।

ତୀକ୍ଷ୍‌ଣ ମୁନା ନାରାଚକୁ ମାରି ଦେବହରି

ହାତୁଁ ଶୂଳ ତାର କାଟିଦେଲେ ବେଗ କରି ।

ପୁଣ ଧାଇଁଲା ଦାନବ ପାଟିକୁ ବିସ୍ତାରି

ପାଶୁପତ ନାରାଚକୁ ପେଷି ଦେବହରି ।

ପୁଣି ଦାନବ ଶକତି ଗୋଟାଏକ ଧରି

ଶ୍ରୀକୃଷ୍ଣ ଉପରେ ଗର୍ଜି କୋପଭରେ ମାରି ।

ଅନ୍ତରୀକ୍ଷ ମାର୍ଗେ ହରି ଶକ୍ତି ବଞ୍ଚାଇଲେ

ଅମୋଘ ଶସ୍ତ୍ର ପ୍ରହାରି ମୁଣ୍ଡକୁ କାଟିଲେ ।

ଜଳର ଭିତରେ ସେହୁ ପଡ଼େ ମୁହଁ ମାଡ଼ି

ପାଞ୍ଚଗୋଟି ବାଣେ ତାର ପଞ୍ଚମୁଣ୍ଡ ଛିଡ଼ି ।

ତାହାର ସଙ୍ଗରେ ତାର ସାତପୁତ୍ର ଥିଲେ

ପିତାର ପଡ଼ନ୍ତେ ପୋଏ ରଣ ଆବୋରିଲେ ।

ପୁତ୍ରମନେ ସୈନ୍ୟ ଘେନି କୃଷ୍ଣଙ୍କୁ ବେଢ଼ିଲେ

ଶ୍ରାବଣର ଧାରା ଜିଣି ନାରାଚ ବର୍ଷିଲେ ।

ଦେଖିଣ ଶ୍ରୀକୃଷ୍ଣ ପାଶୁପତ ବାଣ ମାରି

ମାଂସ କାଟିଲେ ତାଙ୍କର ଟିକି ଟିକି କରି ।

ପୁଣି ସାତଜଣଙ୍କୁ ସେ ସାତବାଣ ମାରି

ଏକାବେଳକେ କାଟିଲେ ମୁଣ୍ଡ ସବୁଙ୍କରି ।

ଡଗର ମୁଖୁଁ ନାରକାସୁର ଏହା ଶୁଣି

ରାଗେଣ ଧାଇଁଲା ସେହୁ ଗର୍ଜି ବଳ ଘେନି ।

ଅଇରାବତ ଅଂଶରେ ଜନ୍ମିଛନ୍ତି ହସ୍ତୀ

ସମୁଦ୍ର ମନ୍ଥନୁ ହୋଇଅଛି ଉତପତ୍ତି ।

ମନ୍ତ୍ରବଳେ ହସ୍ତୀମାନେ କରନ୍ତି ଗର୍ଜ୍ଜନ

ତାଙ୍କ ପାଦଭରେ ପୃଥ୍ଵୀ ହୁଅଇ କର୍ଦ୍ଦମ ।

ହସ୍ତୀବଳ ଘେନି ଆସି କୃଷ୍ଣଙ୍କୁ ବେଢ଼ିଲେ

କୃଷ୍ଣଙ୍କର ବିଶ୍ଵରୂପ ଅସୁରେ ଦେଖିଲେ ।

ବାମରେ ଶାରଙ୍ଗ ଦକ୍ଷକରେ ସୁଦର୍ଶନ

କଉମୋଦୀ ଗଦା ପଦ୍ମ ଶଙ୍ଖବର୍ଣ୍ଣ ଚିହ୍ନ ।

ଚାରି ଭୁଜରେ ହିଁ ଚାରିଶସ୍ତ୍ର ଅଛି ରହି

ମହାବିଶ୍ଵ ମୂର୍ତ୍ତିରେ ସେ ତିନିପୁର ମୋହି ।

ଏସନ ରୂପ ତାଙ୍କର ଦେଖିଣ ନାରକା

ଧାଇଁ ବଜ୍ର ମୂଷଳକୁ ପିଟେ ରଣରଙ୍କା ।

ଶ୍ରୀକୃଷ୍ଣ ଦେଖିଣ ତାଙ୍କୁ ଦୁରୁ ବାଣ ମାରି

ସୈନ୍ୟମାନଙ୍କୁ ମାରନ୍ତି ଖଣ୍ଡ ଖଣ୍ଡ କରି ।

ନାରକାସୁର ସଙ୍ଗରେ ଯେତେ ବଳ ଥିଲେ

ସମସ୍ତ ନାଶ ହୋଇଲେ ଅଳପ ବର୍ତ୍ତିଲେ ।

ଏକା ହୋଇଣ ନାରକା ଅସୁର ରହିଲା

ଶ୍ରୀକୃଷ୍ଣଙ୍କ ସଙ୍ଗତରେ ବହୁ ଯୁଦ୍ଧ କଲା ।

ମହାପ୍ରତିଜ୍ଞା କରିଣ ଯୁଝୁଥିଲା ଦୈତ୍ୟ

ସୁଦର୍ଶନ ଚକ୍ରେ ତାକୁ କାଟିଲେ ଅନନ୍ତ ।

ନାରକାର ମୁଣ୍ଡ ଯହୁଁ ଭୂମିରେ ପଡ଼ିଲା

ଜୟ ଜୟ ଶବ୍ଦ ତହୁଁ ଆକାଶୁ ଶୁଭିଲା ।

ପୃଥିବୀ ଦେବୀ ଏମନ୍ତ ଦେଖିଲାକ ଯହୁଁ

ଛାମୁରେ ପ୍ରବେଶ ଆସି ହୋଇଲାକ ତହୁଁ ।

ଦିବ୍ୟଚକ୍ଷୁ ଘେନିକରି ଚାହିଁ ଏକଚିତ୍ତେ

ଦେଖିଲା ସ୍ଵରୂପ ସଙ୍ଖ ଚକ୍ର ଅଛି ହସ୍ତେ ।

ନିସ୍ତରିଲି ବୋଲିଣ ସେ ଶୋଇ ଗଡ଼ଘାଲି

ବହୁସ୍ତୁତି କରେ ବାକ୍ୟ ବିନୟରେ ବୋଲି ।

ଜୟ ଜୟ ନିରଞ୍ଜନ ନିରାକାର ସ୍ଵାମୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଅନ୍ତର୍ଯ୍ୟାମୀ ।

ଲକ୍ଷ୍ମୀର ବଲ୍ଲଭ ସ୍ଵାମୀ ତୁମ୍ଭେ ଦେବରାଜା

ଶୁକ ସନକ କରନ୍ତି ଯାର ପାଦପୂଜା ।

ରୂପ ରେଖ ବର୍ଣ୍ଣ ଚିହ୍ନ ନାହିଁ ତୋର ତିନି

ତୁହି ରହିଅଛୁ ନାଥ ସକଳ ମେଦିନୀ ।

ଜଳ ସ୍ଥଳ ଅନଳରେ ତୁହି ଅଛୁ ପୂରି

ଶୁଭାଶୁଭା କର୍ମମାନ ପାରୁ ଆନକରି ।

ଅଜରାମର ଅଟୁ ତୁ କାଳାନ୍ତ ପୁରୁଷ

ଭୂତ ଭବିଷ୍ୟତ ବର୍ତ୍ତମାନ ସବୁ ଦୃଶ୍ୟ ।

ମଦ ମତ୍ସରାଦି ତୋର ଶରୀରରେ ନାହିଁ

ଅଛିଦ୍ର ପୁରୁଷ ରୂପ ପୂର୍ଣ୍ଣାନନ୍ଦ ତୁହି ।

ମୁର୍ଖ ନାରକା ଅସୁର ତୋତେ ନ ଚିହ୍ନିଲା

ଆପଣା ଅର୍ଜିତ ଫଳ ପ୍ରତ୍ୟକ୍ଷ ଭୁଞ୍ଜିଲା ।

ମୁଁ ତୋର ଦାସୀର ଦାସୀ ଅଟେ ଦେବ ସ୍ଵାମୀ

ଏତେ ବୋଲି ପୃଥ୍ଵୀ ପୁଣ ପରଣାମି ।

ଶ୍ରୀଜଗନ୍ନାଥେ ବୋଇଲେ ପୃଥିବୀକୁ ଚାହିଁ

ଆବର କଥାଏ ତୋତେ ଦେବାକ ଚିତୋଇ ।

ଦୁଷ୍ଟଙ୍କର ଜ୍ଵାଳା ତୁହି ସହି ନ ପାରିଲୁ

ତୋହର ବଚନେ ତୋର ପୁତ୍ରକୁ ମାଇଲୁ ।

ପ୍ରବୋଧ ବଚନେ ପୃଥ୍ଵୀ ଦେବୀ ଶାନ୍ତି ପାଇ

ଅମୃତ କୁଣ୍ଡଳ ଦଣ୍ଡଛତ୍ର ଆଣିଦେଇ ।

ଯେତେକ ଦ୍ରବ୍ୟ ନାରକାସୁର ନେଇଥିଲା

ଛାମୁରେ ନେଇଣ ସବୁ ପୃଥ୍ଵୀଦେବୀ ଦେଲା ।

ପୁଣ ପୁଣ ପ୍ରଣମିଣ ଯୋଡ଼ି ବେନିକର

ପୃଥିବୀ ଦେବୀ କହନ୍ତି ପ୍ରଭୁଙ୍କ ଛାମୁର ।

ଭୋ ବିଷ୍ଣୁନାଥ ମୋତେ ତୁ ହୋଇଣ ପ୍ରସନ୍ନ

ନାରକାର ପୁତ୍ର ଭଗଦତ୍ତେ ଦିଅ ଦାନ ।

ତୋହର ପ୍ରସାଦେ ନାଥ ପାଉ ସେ ଅଭୟ

ଏହା ଶିରେ ପଦ୍ମପାଦ ଦିଅ ଦେବରାୟ ।

ପୃଥ୍ଵୀଦେବୀର ବଚନ ଶୁଣ ଚକ୍ରପାଣି

ଭଗଦତ୍ତକୁ ସୁଦୟା କଲେ ଦୟାମଣି ।

ଶ୍ରୀହସ୍ତରେ ଶାଢ଼ୀ ତାକୁ ସେହିଠାରେ ଦେଲେ

ସେହିକ୍ଷଣି ନବରର ମଧ୍ୟେ ବିଜେ କଲେ ।

ନାରକା ଅନ୍ତପୁରରେ ପ୍ରବେଶିଲେ ଯାଇ

ଦେଖିଲେ ଷୋଳସହସ୍ର କନ୍ୟା ଛନ୍ତି ତହିଁ ।

ସେଠାରେ ଶ୍ରୀକୃଷ୍ଣ ଯାଇ କଲେକ ବିଜୟେ

ଦେଖନ୍ତେ ସମସ୍ତେ କନ୍ୟାମାନେ ଦେବରାୟେ ।

ଶ୍ରୀକୃଷ୍ଣର ମୁଖଗୋଟି ଦେଖିଲେକ ଯହୁଁ

ମନରେ ଚିନ୍ତା କରିଣ ଆବୋରିଲେ ତହୁଁ ।

ବାଞ୍ଛାକଳ୍ପତରୁ ବୋଲି ନାମଗୋଟି ବହି

ସେ କନ୍ୟାମାନଙ୍କୁ କୃପା କଲେ ଭାବଗ୍ରାହୀ ।

ଘୋଟି ଚନ୍ଦନ ବୋଳାଇ ସ୍ନାନ କରାଇଲେ

ଉତ୍ତମ ଦେବାଙ୍ଗବସ୍ତ୍ର ତାଙ୍କୁ ପିନ୍ଧାଇଲେ ।

ନବରତ୍ନ ହାନ୍ଦୋଳାରେ ତାଙ୍କୁ ବସାଇଲେ

ଆଭରଣ ଦେଇ ଦ୍ଵାରକାକୁ ପଠାଇଲେ ।

ଐରାବତ ଅଂଶେ ଥିଲେ ଯେତେ ଗଜ ଜାତ

ମହାଗଜମାନଙ୍କର ଅଟେ ଚାରିଦନ୍ତ ।

ଏମନ୍ତେ ବାଛିଲେ ଚଉଷଠି ଦନ୍ତାଗଜ

ତାଙ୍କୁ ଦ୍ଵାରକାକୁ ପଠାଇଲେ ଦେବରାଜ ।

ଉତ୍ତମ ଉତ୍ତମ ବାଜୀମାନେ ଯେତେ ଥିଲେ

ସେ ଅଶ୍ଵମାନଙ୍କୁ ଦ୍ଵାରକାକୁ ପଠାଇଲେ ।

ସମସ୍ତ ଘେନିଣ ଉଗ୍ରସେନ ବେଗେ ଚଳି

ସମ୍ଭର୍ବେ ବିଜୟେ କରି ଦ୍ଵାରକାରେ ମିଳି ।

ଶ୍ରୀଭାଗବତର ରସ ନାରକାର ବାଣୀ

ମହାପାତକ ହରଇ ଏହି କଥା ଶୁଣି ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ

ନାରକା ଅସୁର ବଧ ସମାପନ ହୁଏ ।

 

ହରିବଂଶ ଷଷ୍ଠ ଖଣ୍ଡ

ପାରିଜାତ ହରଣ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପମଣି

ଶ୍ରୀଶୁକ ମୁନିଙ୍କୁ ପୁଚ୍ଛା କଲେ ପୁଣ ପୁଣି ।

ଏଥୁ ଅନନ୍ତରେ ହେଲା ଯେବଣ ଚରିତ

ତାହା ମୋତେ ବିସ୍ତାରିଣ କୁହ ତପୋବନ୍ତ ।

ରାଜାଙ୍କର ଅତିଭକ୍ତି ମାନସକୁ ଦେଖି

ପୁରାଣ ପୁସ୍ତକ ଫେଉ କହି ଶୁକଯତି ।

ଦ୍ଵାରକା ଭୁବନ ଚଳିଗଲେ ଭାବଗ୍ରାହୀ

ସ୍ଵର୍ଗକୁ ଯିବାକୁ ମନ ପୂର୍ବରୁ ଥିଲାହିଁ ।

ଲେଉଟି ଶ୍ରୀକୃଷ୍ଣ ଗଡ଼ ପ୍ରଦକ୍ଷିଣ କରି

ଖଗେଶ୍ଵର ପୃଷ୍ଠେ ବିଜେ କଲେ ଦେବହରି ।

ନାରାୟଣ ମୂର୍ତ୍ତିର ମୁଁ କି ଦେବି ଉପମା

ନନ୍ଦିଘୋଷେ ବିଜେ କଲେ ପୁରୁଷୋଉତ୍ତମା ।

ତେତିଶ କୋଟି ଦେବତା ଆସ୍ଥାନରେ ବସି

ଦୂରରୁ ଦେଖିଲେ ଆସୁଛନ୍ତି ହୃଷୀକେଶୀ ।

ତତକ୍ଷଣେ ଆସ୍ଥାନକୁ ତେଜି ଦେବେ ଉଠି

ଚନ୍ଦ୍ରଦେବତା ଅଇଲେ ବାଟକୁ ପାଛୋଟି ।

କରପତ୍ର ଶିରେ ଯୋଡ଼ି ସର୍ବେ ହେଲେ ଉଭା

କ୍ଷୀର ସମୁଦ୍ରେ ଯେସନେ ଶ୍ଵେତନାଗ ଶୋଭା ।

ସମସ୍ତେ ଦର୍ଶନ କଲେ ଦେବ ନାରାୟଣ

ଗରୁଡ଼ ପିଠରୁ ଉତୁରିଲେ ତତକ୍ଷଣ ।

ଦେବଙ୍କୁ ଘେନି ଆସ୍ଥାନେ ବିଜେ କଲେ ଯାଇ

ସତ୍ୟଭାମା ଦେବୀ ଅନ୍ତଃପୁରକୁ ଚଳଇ ।

ବୃହସ୍ପତି ପୁଚ୍ଛାକଲେ କିପାଁ ଆଗମନ

ତହୁଁ ଶ୍ରୀହରି ତାହାଙ୍କୁ କହନ୍ତି ବଚନ ।

ବୋଇଲେ ସେ ଗୋପପୁରେ କିଛିଦିନ ଥିଲୁ

ଜରା ଭୟେ ଦ୍ଵାରକାରେ ଆସିଣ ରହିଲୁ ।

ତୁମ୍ଭେମାନେ ସାବଧାନେ ରହିଥିବ ନିତି

ନିରନ୍ତର ଲାଗେ ସିନା ଦଇତ୍ୟଙ୍କ ଭୀତି ।

ଦେବତା ବୋଇଲେ ତୁମ୍ଭ ଦୈତ୍ୟାନ୍ତକ ବାନା

କଳପଣା କାମନିଧି ସଙ୍କଟକୁ ସେହ୍ନା ।

ଭାରା ନିବାରଣେ ହୋଇଅଛ ଅବତାର

ସଂସାର ସାଗରେ ଅଟ ନୌକା କାଣ୍ଡେୟାର ।

ତୋହର ସ୍ଥାପିଲା ଆମ୍ଭେ ସମସ୍ତ ଦେବତା

ଭକତ ବାନ୍ଧବ ତୁମ୍ଭେ ଅଟ ଜଗଜ୍ଜିତା ।

ତୁମ୍ଭେ ସ୍ଵର୍ଗକୁ ବିଜୟ କଲ ଚକ୍ରଧର

ସର୍ବେ ନିଶ୍ଚିନ୍ତ ହୋଇଲୁ କ୍ଷମତାରେ ତୋର ।

ଦେବତାଏ ପ୍ରବୋଧରେ ବହୁ ବାକ୍ୟ କହି

ସତ୍ୟଭାମାଙ୍କୁ ଘେନିଣ କୃଷ୍ଣ ତହିଁ ରହି ।

ଏମନ୍ତେ ସେ କିଛିଦିନ ରହି ସ୍ଵର୍ଗପୁରେ

ସତ୍ୟଭାମା ବାସକଲେ ଶଚୀଙ୍କ ସଙ୍ଗରେ ।

ଦିନେ ବସିଛନ୍ତି ରମ୍ଭା ଉର୍ବଶୀ ମେନକା

ସତ୍ୟଭାମାକୁ ଦେଖାନ୍ତି ସେ ଅଷ୍ଟ ନାୟିକା ।

ଶଚୀଦେବୀ ମଧ୍ୟ ସେହି ସ୍ଥାନେ ବସିଥିଲେ

ପାରିଜାତ ପ୍ରହରୀଙ୍କ ଆସିବା ଦେଖିଲେ ।

ଆଡ଼ ହୁଅ ଆଡ଼ ହୁଅ ବଚନ ଭାଷନ୍ତି

ବାଦ୍ୟ ବଜାଇ ସେମାନେ ଲୋକ ଘଉଡ଼ାନ୍ତି ।

ଏସନକ ଯହୁଁ ସତ୍ୟଭାମା ଯେ ଦେଖିଲେ

ରମ୍ଭାଙ୍କୁ ଚାହିଁଣ ଦେବୀ ବଚନ ଭାଷିଲେ ।

ଦାଣ୍ଡରେ କି ଗୋଳମାଳ ଶୁଭୁଅଛି ସଖୀ

ରମ୍ଭା କହୁଅଛି ସତ୍ୟଭାମା ମୁଖ ଦେଖି ।

ଶ୍ରୀକୃଷ୍ଣ ସାଧବୀ ତୁମ୍ଭେ ଅଟ ମହାମାୟୀ

ପାରିଜାତର କଥା କି କେବେ ଶୁଣାନାହିଁ ।

ଅପୂର୍ବ ପୁଷ୍ପ ଅଟଇ ସବୁର୍ଣ୍ଣର ଜ୍ୟୋତି

ପାଞ୍ଚଯୂଣ ଯାଏ ତାର ସୁବାସ ଚହଟି ।

ସମ୍ପୂର୍ଣ୍ଣ ବରଷକରେ ଫୁଟେ ଏହି କଢ଼ି

ବେନି ବର୍ଗ ଅନ୍ତିରରେ ପାଖୁଡ଼ାଏ ଝଡ଼ି ।

ଆଙ୍କୁଡ଼ି ବଢ଼ାଇ ପୁଷ୍ପ ତୋଳନ୍ତି ତୋଟାରେ

ଇନ୍ଦ୍ରଦେବଙ୍କୁ ଯୋଗାନ୍ତି ନିତି ମାଳେ ମାଳେ ।

ଆବର ଯେତେକ ପୁଷ୍ପ ଅଧିକା ହୁଅଇ

ଅଗ୍ନିରେ ପୋଡ଼ି ପାଉଁଶ ସମୁଦ୍ରେ ମେଲଇ ।

ଇନ୍ଦ୍ର ଇନ୍ଦ୍ରାଣୀ ସେ ପୁଷ୍ପ ଘେନନ୍ତି ହେ ଏକା

ସମୁଦ୍ର ମନ୍ଥନୁ ଉପୁଜିଲା କଳ୍ପଶାଖା ।

ସ୍ଵର୍ଗ ମଞ୍ଚ ପାତାଳରେ ଦିବ୍ୟ ତରୁବର

ଜଗଜ୍ଜନ ମୋହନ ସେ ଅତି ଶୋଭାକର ।

ପାଚିଲା ପତ୍ର ବୃକ୍ଷରୁ ଯେ ପଡ଼ଇ ଝଡ଼ି

ପବନ ଆଘାତେ ଅନ୍ତରୀକ୍ଷେ ଯାଏ ଉଡ଼ି ।

ଏସନକ ରମ୍ଭା କହିଲାକ ଦିବ୍ୟ ବାଣୀ

ସାନନ୍ଦ ହୋଇଲେ ସତ୍ୟଭାମା ତାହା ଶୁଣି ।

ମନେ ମନେ ବିଚାରନ୍ତି ତହୁଁ ମହାଦେବୀ

ଶ୍ରୀକୃଷ୍ଣଙ୍କୁ କହି ପୁଷ୍ପ ଦ୍ଵାରକାକୁ ନେବି ।

ଏମନ୍ତ ବିଚାରି ଦେବୀ ଭିତରକୁ ଗଲେ

ରମ୍ଭା ଉର୍ବଶୀ ମେନକା ତହୁଁ ଚଳିଗଲେ ।

ଶୁଣ ଆହେ ପରୀକ୍ଷିତ ଭଣି ଶୁକମୁନି

ଇତିଶିରୀ ହରିବଂଶ ପୁରାଣର ଧ୍ଵନି ।

ଏଥୁଅନ୍ତରେ ପୁଣି ସଭାହିଁ ମଉଳି

ସମସ୍ତ ଦେବତାମାନେ ଯେଝା ପୁରେ ଚଳି ।

ଇନ୍ଦ୍ରଙ୍କ ପୁରକୁ ବିଜେ କଲେ ଦେବ ହରି

ନିତ୍ୟକର୍ମ ସାରି ମଣୋହିରେ ବିଜେ କରି ।

ସତ୍ୟଭାମାକୁ ଘେନିଣ ପ୍ରଭୁ ପୀତବାସ

ଗୌରବ ପାଇ ରହିଲେ ତହିଁ ଦିନ ଦଶ ।

ଅଭେଦ ଆତ୍ମା ହୋଇଣ ଥାଆନ୍ତି ମଘବା

ଶଚୀ ଆଦିକରି ସର୍ବେ କରିଥାନ୍ତି ସେବା ।

ଏହିପରି କିଛିଦିନ ଗତ ହୋଇଯାନ୍ତେ

ଶ୍ରୀକୃଷ୍ଣଙ୍କୁ ସତ୍ୟଭାମା କହିଲେ ଏକାନ୍ତେ ।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ

ପାରିଜାତ ପୁଷ୍ପ ନେବି ଦ୍ଵାରକାକୁ ମୁହିଁ ।

ଜଗନ୍ନାଥ ବୋଇଲେ ସେ ଇନ୍ଦ୍ରଙ୍କର ପାଟ

ସେ ତରୁକୁ ଇନ୍ଦ୍ର ଦେବ କରିଛି ଆକଟ ।

ସେହି ପୁଷ୍ପ ଦେଖାଇବା ତୁମ୍ଭଙ୍କୁ ଏକାନ୍ତେ

କଉତୁକେ ଗଲେ ସତ୍ୟଭାମା ଜଗନ୍ନାଥେ ।

ଥୋକାଏ ବିଶ୍ଵାସୀ ଲୋକ ଗୋଡ଼ାବନ୍ତି ପଛେ

ସତ୍ୟଭାମା ସହିତରେ ବୁଲି ନନ୍ଦବତ୍ସେ ।

ଆକାଶ ଗଙ୍ଗାର ତୀର୍ଥ ଗୌରୀ ତୀର୍ଥେ ଜିଣି

ଆନନ୍ଦବନେ ଭ୍ରମନ୍ତି ଆନନ୍ଦରେ ପୁଣି ।

ବନମଧ୍ୟେ ପ୍ରବେଶିଲେ ଦେବ ତହୁଁ ଯାଇ

ଗରୁଡ଼ରେ ବିଜେ ସତ୍ୟଭାମା ଭାବଗ୍ରାହୀ ।

ଅବସନ୍ତରେ ବସନ୍ତ ବହେ ଘନ ଘନ

ଫଳପୁଷ୍ପରେ ଶୋଭଇ ସବୁ ବୃକ୍ଷମାନ ।

ସେ ବନକୁ କିସ ଅବା ପଟାନ୍ତର ଦେବା

ବୃଦ୍ଧ ତହିଁରେ ପଶିଲେ ହୁଏ ନବଯୁବା ।

କେତେ ଯେ ବୃକ୍ଷ ଅଛଇ ତାର ସୀମା ନାହିଁ

ଇନ୍ଦ୍ରଦେବତା ସେ ବନ ଅଛନ୍ତି ସଜାଇ ।

ସତ୍ୟଭାମାଙ୍କୁ ଘେନିଣ ଜଗନ୍ନାଥ ସଙ୍ଗେ

ନନ୍ଦନବନେ ଭ୍ରମନ୍ତି ହର୍ଷେ ନାନାରଙ୍ଗେ ।

ଭ୍ରମନ୍ତେ ମିଳିଲେ ପାରିଜାତ ତରୁ ତଳେ

ବିସ୍ତର ଅମର ବୃକ୍ଷ ଅଛଇ ପାର୍ଶ୍ଵରେ ।

ଯୋଜନ ଉତ୍ସର୍ଗ ବାର ବେନି ଯୂଣପ୍ରତି

ପ୍ରହରକୁ ପ୍ରହର ସେ ଧରେ ନାନା ମୂର୍ତ୍ତି ।

କୋଶକ ଓସାର ମୁଳ ଅଷ୍ଟରତ୍ନ ଚୌରା

ମଧ୍ୟାହ୍ନ ଆଦିତ୍ୟ ଜିଣି ଶୋହେ ମଣି ହୀରା ।

ପାଞ୍ଚଯୁଣ ଆୟତନ ହୋଇଛି ପାଚେରୀ

ଲୌହମୟ କବାଟ ଯେ ତହିଁ ଅଛି ପଡ଼ି ।

ଲକ୍ଷେକ ପାହାରୀଗଣ ଖଟନ୍ତି ବାହାରେ

ଚନ୍ଦ୍ର ସୂର୍ଯ୍ୟ ରଖୁଆଳ ଅଛନ୍ତି ତହିଁରେ ।

ଅପୂର୍ବ ପୁଷ୍ପ ଫୁଟଇ ସ୍ଵର୍ଣ୍ଣ ଜିଣି ଜ୍ୟୋତି

ପୁଷ୍ପ ଦେଖିଣ ଶରଧା ବଳିଲା ତା ପ୍ରତି ।

ସତ୍ୟଭାମା ବୋଲେ ତୁମ୍ଭେ ତ୍ରିଦଶର ସାଇଁ

ଏସନ ପୁଷ୍ପ ଆମ୍ଭର ଦେଖିଲା ତ ନାହିଁ ।

ଏହି ପୁଷ୍ପଗୋଟି ଆମ୍ଭେ ଦ୍ଵାରକାକୁ ନେବୁ

ମୋହର ପୁରକୁ ନେଇ ଏହାକୁ ରୋପିବୁ ।

ସତ୍ୟଭାମାଙ୍କର ଯହୁଁ ଶରଧା ଦେଖିଲେ

ନେବା ବୋଲି ପାରିଜାତ ବୃକ୍ଷ ଉପାଡ଼ିଲେ ।

ହୁଙ୍କାର ନାଦ କରିଣ ଉପାଡ଼ିଲେ ବୃକ୍ଷ

ଗରୁଡ଼ ପୃଷ୍ଠରେ ନେଇ ରୁହାଇଲେ ଗଛ ।

ଗରୁଡ଼ ମୁଖକୁ ଚାହିଁ ପ୍ରଭୁ ଆଜ୍ଞା ଦେଲେ

ଦ୍ଵାରକାକୁ ଯିବାପାଇଁ ତାହାକୁ ବୋଇଲେ ।

ଯେବଣ ଗନ୍ଧର୍ବମାନେ ତୋଟା ରଖିଥିଲେ

ଇନ୍ଦ୍ର ଦେବତାଙ୍କ ଆଗେ ଯାଇ ଜଣାଇଲେ ।

ସାବଧାନେ ଶୁଣ ଦେବ ଶଚୀଦେବୀ ସାଇଁ

ପାରିଜାତ ବୃକ୍ଷ ଉପାଡ଼ିଲେ ଭାବଗ୍ରାହୀ ।

ଗନ୍ଧର୍ବ ମୁଖରୁ ଯହୁଁ ବାରତା ପାଇଲେ

ବେଗେ ଆସି କୃଷ୍ଣଙ୍କୁ ସେ ପଥ ଓଗାଳିଲେ ।

ଐରାବତ ପୃଷ୍ଠେ ଚଢ଼ି ଦେବ ମଘବାନ

ଗରୁଡ଼ ପୃଷ୍ଠେ ବିଜୟ ପ୍ରଭୁ ଜନାର୍ଦ୍ଦନ ।

ଶତେପୁର କରି ସର୍ବେ ଯାଇ ଓଗାଳିଲେ

ବୀରବେଶ ଧରିଛନ୍ତି ଶସ୍ତ୍ର ଧରି କରେ ।

ରହ ରହ ବୋଲି ବେଗେ ଓଗାଳିଲେ ଯାଇ

ଗନ୍ଧର୍ବମାନେ ବେଢ଼ିଲେ ଶ୍ରୀକୃଷ୍ଣଙ୍କୁ ତହିଁ ।

ରାଗେ ଇନ୍ଦ୍ରଦେବ ଗନ୍ଧର୍ବଙ୍କୁ ଡାକ ଦେଲା

ବେଢ଼ିକରି ମାର ବୋଲି ବେଗେଣ ବୋଇଲା ।

ଧର ଧର ମାର ମାର ଲାଗିଲାକ ଗୋଳ

ନିଶ୍ଚିନ୍ତେ ରଥେ ଚଳନ୍ତି ମଦନ ଗୋପାଳ ।

କୋପେଣ ଡାକ ଦିଅନ୍ତି ଶଚୀଦେବୀ ସାଇଁ

ରହ ରହ ଗଉଡ଼ରେ ପଳାଉଛୁ କାହିଁ ।

ଗଉଡ଼ ହାଉଡ଼ ତୁମ୍ଭେ ଅଟ ମନ୍ଦ ଜାତି

ତେଣୁ କରି ତୋହର ତ ଏସନ ପ୍ରକୃତି ।

ଗୋରୁହତ୍ୟା ସ୍ତିରୀହତ୍ୟା ବ୍ରହ୍ମହତ୍ୟା କଲୁ

ରଖୁଆଳଙ୍କ ସଙ୍ଗତେ ବାଛୁରୀ ରଖିଲୁ ।

ମାଉସୀ ପିଉସୀ ଖୁଡ଼ୀ ଜେଠାଈ ମୌଳାଣୀ

ସବୁଙ୍କୁ ହିଁ ଅନାଚାର କଲୁ ବନେ ଆଣି ।

ଆବର ପର ଯୁବତୀ ସଙ୍ଗେ କଲୁ ପ୍ରୀତି

ନାନା ଯୋନିରେ ପଡ଼ିଲୁ ତୋର କିସ ଜାତି ।

ସୋଦର ମଉଳାଦି ତୁ ସ୍ଵହସ୍ତେ ମାଇଲୁ

ପିତୃଦ୍ରୋହୀ ରାଜଦ୍ରୋହୀ ପାପ ଅରଜିଲୁ ।

ଗଉଡ଼ଙ୍କ ସଙ୍ଗେ ଅନ୍ନ ତୁହି ଅଛୁ ଖାଇ

ଅଷ୍ଟବର୍ଷ ପରିଯନ୍ତେ ଗୋପେ ଥିଲୁ ରହି ।

ଆବର ପାତକମାନ କରିଅଛୁ ଯେତେ

ଏକ ଏକ କରି ମୁହିଁ କହିବଇଁ କେତେ ।

ସ୍ତ୍ରୀ ହତ୍ୟା ପାତକ କଲୁ ମୁହିଁ ଅଛି ଜାଣି

ମିଛେ ନାରାୟଣ ପଣେ ହେଉଅଛୁ ଟାଣି ।

ନଟମାନେ କହନ୍ତି ଯେ ବଡ଼ ବଡ଼ ବାଣୀ

ଆଜିର ଜାଣିବା ତୁହି କେଣେ ଯିବୁ ପୁଣି ।

ସାଧୁମାନଙ୍କର ଅଟେ ସତ୍କର୍ମ ଜୀବିକା

ସଂସାର ମଧ୍ୟେ ହୁଅନ୍ତି ଶ୍ରେଷ୍ଠ ମଧ୍ୟେ ଲେଖା ।

ଜଗନ୍ନାଥ କୋପ କଲେ ଇନ୍ଦ୍ର ବାକ୍ୟ ଶୁଣି

କାଳସର୍ପ ଜାଣି କୋପେ ଗଜ ଚକ୍ରପାଣି ।

ନୟନ ତରାଟିଣ ଯେ ଓଷ୍ଠେ ଦନ୍ତ ଚାପି

ବୋଇଲେ ଆମ୍ଭଙ୍କୁ ନିନ୍ଦା କଲୁ ମହାପାପୀ ।

ଅଜ୍ଞାନର ପାମର ତୁହି ଅଟୁ ମନ୍ଦବୁଦ୍ଧି

କିବା ଆବୋରିଲା ତୋତେ ଭୁତ ପ୍ରେତ ବ୍ୟାଧି ।

ଆମ୍ଭେ ବିଶ୍ଵନାଥ ଆମ୍ଭଙ୍କୁ ତ ବୋଲୁ ମନ୍ଦ

ଆୟୁ ତୋର କ୍ଷୟ ହେଲା ତୁଟିଲା ସମ୍ପଦ ।

ଏମନ୍ତ ବଚନ ଶୁଣି ଇନ୍ଦ୍ର ଦେବ ବୋଲେ

ସାନ ବଡ଼ ନ ଜାଣି ତୁ ଉବୁରିଲେ ଭଲେ ।

ପୁଣି ହିଁ ଦେବତା ହୋଇଲେ କରାଳ

ଆକ୍ରୋଶ କରିଣ ଧନୁ ଧଇଲେ ହସ୍ତର ।

ଗୁଣ ଟଙ୍କାର କରିଣ ନୁ ଆମଞ୍ଚିଲେ

ବାବଲ ଦଶବାଣକୁ ଗୁଣେ ବସାଇଲେ ।

ଭୂମିକୁ ଦୃଷ୍ଟି ଦେଇଣ ବିନ୍ଧି ଦୃଢ଼କରି

ଗରୁଡ଼ ଡେଣାରେ ବାଜି ପଡ଼ିଲା ଉପୁଡ଼ି ।

ଗନ୍ଧର୍ବ ଯେ ବେଢ଼ିଥିଲେ ଶତେପୁର କରି

କରେ ଧନୁଶର ଧରି ମାରି ଯେ ଯାହାରି ।

ଦଶତ୍ରିଂଶ ବାଣ ସର୍ବେ ଏକାବେଳେ ମାରି

ଏକ ବୈନତେୟ ତାହା ସମସ୍ତ ନିବାରି ।

ଶ୍ରାବଣ ମାସରେ ଯେହ୍ନେ ଜଳବୃଷ୍ଟି ହୁଏ

ଗନ୍ଧର୍ବମାନେ ନାରାଚ ବିନ୍ଧି ସେହି ପ୍ରାୟେ ।

ଗଦା ମୁଦ୍‌ଗର ମାରନ୍ତି ଚିତ୍ତେ ଦୟା ନାହିଁ

ଗରୁଡ଼ ପକ୍ଷରେ ବାଜି ସବୁ ଚୁନା ହୋଇ ।

ଗର୍ଜିଣ ଉଠିଲା ସେହି ବନିତାର ସୁତ

ଦେଖି ସର୍ବେ ପଳାଇଲେ ହୋଇ ଛିନ୍ନଛତ୍ର ।

ଦେବଙ୍କର ପଳାଇବା ଦେଖି ସୁନାସୀର

ଧାତିକାରେ ଟେକେ ଐରାବତ କରୀବର ।

ଶ୍ରୀଜଗନ୍ନାଥ ଦେଖିଲେ କିଛି ଦୂରେ ଧାଇ

କଠିନ ନାରାଚମାନ ବିନ୍ଧିଲେ ତୁହାଇ ।

ହସ୍ତୀ କୁମ୍ଭସ୍ଥଳରେ ସେ ବାଜି ବାଣ ଗୋଟି

ଛଇ ଛାଡ଼େ ବାଣଗୋଟି ଦେହେ ଗଲା ଫୁଟି ।

ପୁଣି ତୀକ୍ଷ୍‌ଣ ଶର କୃଷ୍ଣ ଘେନିଲେକ ବେଗେ

ମାହୁନ୍ତକୁ ମାଇଲେ ସେ ଅତିହିଁ ବିରାଗେ ।

ପାଞ୍ଚଟି କତୁରୀ ବାଣ ଯୋଚି ଧାତିକାରେ

ବିନ୍ଧନ୍ତେ ବାଜିଲା ଯାଇ ଐରାବତ ପରେ ।

ଫୁଟନ୍ତେ ଐରାବତ ନ ପାରଇ ଚଳି

ପଛଅଡ଼େ ଗରୁଡ଼ ଯେ ଧାଏଁ ମହାବଳୀ ।

ଗନ୍ଧର୍ବ ସଇନ୍ୟ ଆବୋରିଣ ରହିଥିଲେ

ଗରୁଡ଼ ଦେଖି ସେମାନେ ସର୍ବେ ପଳାଇଲେ ।

ମହା ବିଶ୍ଵରୂପ ଧରି ଧାଇଁ ଅତିବେଗେ

ଦିବସରେ ଅନ୍ଧକାର ହେଲା ଦଶଦିଗେ ।

ଆକାଶ ମାର୍ଗେ ଗରୁଡ଼ ଆସୁଅଛି ଉଡ଼ି

ପକ୍ଷ ଘାତ କରି ଦେଇ ମହାଘୋର ରଡ଼ି ।

ଦେଖିକରି ଜମ୍ଭଭେଦୀ କୋପେ ପରଜ୍ଵଳି

ବାବଲ ଦଶ ସହସ୍ର ବିନ୍ଧି ମହାବଳୀ ।

ଆକାଶ ମାର୍ଗରେ ବାଣ ଅଇଲେକ ଭିଡ଼ି

ଗରୁଡ଼ ପକ୍ଷରେ ବାଜି ପଡ଼ନ୍ତି ଉପୁଡ଼ି ।

କଥାର ବ୍ୟଗ୍ରେ ଶ୍ରୀହରି ମାରି ସସ୍ରେ ବାଣ

ବିନ୍ଧିବାରୁ ଅନ୍ଧକାର ହୋଇଲା ଗଗନ ।

ଜ୍ଵାଳାରେ ଇନ୍ଦ୍ର ଦେବତା ଅତି ବ୍ୟସ୍ତ ହେଲେ

ଗରୁଡ଼ ଦେଖି ଗନ୍ଧର୍ବେ ଭୟେ ପଳାଇଲେ ।

ମହାଘୋର ସଂଗ୍ରାମ ଯେ ଲାଗେ ବେଳୁଁ ବେଳେ

ବ୍ରହ୍ମାଙ୍କ ଅଗ୍ରତେ ଯାଇ ନାରଦ କହିଲେ ।

ଭୋ ପିତା ଇନ୍ଦ୍ର ଭୁବନେ କୃଷ୍ଣ ଯାଇଥିଲେ

ଆକାଶ ଗଙ୍ଗା କୂଳରେ ପାରିଜାତ ଛଳେ ।

ମହାଘୋର ସଂଗ୍ରାମ ଯେ ଲାଗିଅଛି ତହିଁ

ନାରଦହୁଁ ଶୁଣି ବ୍ରହ୍ମା ବେଗେ ଚଳିଯାଇ ।

ଯୁଦ୍ଧକ୍ଷେତ୍ରେ ଆସିଣ ସେ ମିଳି ବେଦବର

ମଧ୍ୟେ ଉଭା ହୋଇ ସ୍ତୁତି କଲେକ ଅପାର ।

ଜୟ ତୁହି ଜଗନ୍ନାଥ ଜୟ ପୀତବାସ

ଜୟ ତୁହି ଜଗନ୍ନାଥ ପରମ ପୁରୁଷ ।

ଜୟ ତୁହି ଜଗନ୍ନାଥ ଜଗଜ୍ଜନ ବନ୍ଧୁ

ଜୟ ତୁହି ଜଗନ୍ନାଥ କୃପାଜଳ ସିନ୍ଧୁ ।

ଜୟ ତୁହି ଜଗନ୍ନାଥ ସଂସାର କାରଣ

ଜୟ ତୁହି ଜଗନ୍ନାଥ ଲକ୍ଷ୍ମୀ ପ୍ରାଣଧାନ ।

ଜୟ ତୁହି ଜଗନ୍ନାଥ ବିପ୍ର ହିତକାରୀ

ଜୟ ତୁହି ଜଗନ୍ନାଥ ଶଙ୍ଖ ଚକ୍ରଧାରୀ ।

ଜୟ ତୁହି ଜଗନ୍ନାଥ ସର୍ବ ବିଶ୍ଵବାସ

ଜୟ ତୁହି ଜଗନ୍ନାଥ କରୁଣା ପ୍ରକାଶ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି

ଜଳସ୍ଥଳ ଅନଳରେ ଅଛୁ ତୁହି ପୁରି ।

ପୃଥିବୀର ମହାଭାରା ନିବାରିବା ପାଇଁ

ଦ୍ଵାପରେ ଜନମିଅଛୁ ନରଦେହ ବହି ।

ମୋହର ଜନ୍ମ ସଫଳ ହୋଇଲାକ ଆଜ

ବିଷ୍ଣୁ ରୂପ ଦେଖିଲଇଁ ଆହେ ଦେବରାଜ ।

ତୋହର ହିଁ ସଞ୍ଚିଲା ତ ଅଟେ ସୁରପତି

ଏସନ ପ୍ରକାରେ ସ୍ତୁତି କରି ବେଦପତି ।

ବ୍ରହ୍ମାଙ୍କର ବଚନରେ ହେଲେ ଦେବ ତୋଷ

ବିଷ୍ଣୁଙ୍କୁ ପ୍ରବୋଧି ଇନ୍ଦ୍ର ଆଗରେ ପ୍ରବେଶ ।

ପିତାମହ ଆଗମନ ଦେଖି ସୁନାସୀର

ଐରାବତ ପୃଷ୍ଠୁ ଓହ୍ଲାଇଲେ ଧାତିକାର ।

ଅଷ୍ଟରତ୍ନ ଶୁଦ୍ଧପାତ୍ରେ ଗଙ୍ଗାଜଳ ଥୋଇ

ବ୍ରହ୍ମାଙ୍କ ଚରଣେ ଅଭିଷେକ କଲେ ନେଇ ।

ଗନ୍ଧ ପୁଷ୍ପ ଧୂପ ଦୀପ ନଇବେଦ୍ୟ ଦେଲା

ପୁଣ ପୁଣ ଶତେବାର ପ୍ରଣିପାତ କଲା ।

କରପତ୍ର ଯୋଡ଼ି ଶିରେ କଲା ବହୁ ସ୍ତୁତି

ବୋଇଲା ପିତା ତୁମ୍ଭର ପ୍ରସାଦେ ମୋ ସ୍ଥିତି ।

ତୁହି ସିନା ସଞ୍ଚି ମୋତେ କରୁଛୁ ଏସନ

ତୋହର ପ୍ରସାଦେ ସିନା ମୋର ବଡ଼ପଣ ।

ସ୍ଵର୍ଗ ମଞ୍ଚ ପାତାଳ ମୁଁ କରିପାରେ ସାଧ୍ୟ

ସଂଗ୍ରାମେ ଜିଣନ୍ତା ନାହିଁ ତିନିପୁର ମଧ୍ୟ ।

ଏବେ ଦ୍ଵାରକା ପୁରକୁ ଦେଇଣ ମୁଁ ଧାଡ଼ି

ଯାଦବେ ମାରି ଦ୍ଵାରକା ଆଣିବି ଉଜାଡ଼ି ।

ଶୁଣିକରି ପିତାମହ ପାଇଲେ ବିରାଗ

ବୋଇଲେ ଏହା କଲେ ତୁ ଯିବ ତୋର ସ୍ଵର୍ଗ ।

କନ୍ଦ୍ର ହୋଇ କରିବୁଟି ଯିବେ ଅବିଚାର

ସଂସାର ନାଶଯିବ ତ ହେବ ନାରଖାର ।

ଛାଡ଼ ତୁହି ମନୁ ତାପ ଛାଡ଼ ଦୁଷ୍ଟମତି

ଚିରସ୍ଥାୟୀ ହେବ ତୋର ସକଳ ସମ୍ପତ୍ତି ।

ଛାଡ଼ ତୁହି ଦୁଷ୍ଟପଣ କର ଆମ୍ଭ ବୋଲ

ଆମ୍ଭ ବଚନ ଲଙ୍ଘିଲେ ନାହିଁ ତୋର ଭଲ ।

ଶୁଣି ଇନ୍ଦ୍ର ଦେବତା ଯେ ଲଭି ମନେ ଶାନ୍ତି

ତୁମ୍ଭେ ଯାହା ବୋଲିବ ତା କରିବି ଏ ଘାନ୍ତି ।

ପିତାମହ ବୋଲେ ଯୁଦ୍ଧ ନ କର ତୁ ହୁଡ଼ି

ନିଅନ୍ତୁ ପାରିଜାତକ ଯାଅ ଯୁଦ୍ଧ ଛାଡ଼ି ।

ଆମ୍ଭେ ଏଥିପାଇଁ ତାଙ୍କୁ ବୋଇଲୁ ବହୁତ

ଶ୍ରୀକୃଷ୍ଣଙ୍କ ସଙ୍ଗେ ତୁ ନ ଲାଗ କଦାଚିତ ।

ତୋ ରକ୍ଷା ନିମନ୍ତେ ବୋଲୁଅଛୁ ପରିଘାଇ

ସଂଗ୍ରାମ କଲେ କେବେହେଁ ନ ବର୍ତ୍ତିବୁ ତୁହି ।

କୂଟ କପଟରେ ପର୍ଣ୍ଣ ଦେବ ନାରାୟଣ

ତୋତେ ମାରି ସ୍ଵର୍ଗ କରିବେଟି ରଣଭଣ ।

ଇନ୍ଦ୍ର ଗୋବିନ୍ଦଙ୍କ ମେଳ କରିବା ଏ ଠାବେ

ନୋହିଲେ ଏ ସ୍ଵର୍ଗପୁର ନ ବର୍ତ୍ତିବ କେବେ ।

ଅନେକ ପ୍ରକାରେ ମୁହିଁ କହିଛି ତୋ ପାଇଁ

ଆମ୍ଭେ ଆସିଅଛୁ ସିନା ସମାଧାନ ପାଇଁ ।

ଶୁଣି ଇନ୍ଦ୍ର ଦେବତା ଯେ ପାଇ ମନେ ଭୀତି

ବୋଇଲା ନ ଲଙ୍ଘିବି ତୋ ଆଜ୍ଞା ବେଦପତି ।

ଅଙ୍ଗାର ପନ୍ନଗେ ବୋଲେ ବାହୁଡ଼ାଅ ଥାଟ

ବ୍ରହ୍ମା ବଚନ ଲଙ୍ଘିଲେ ହେବ ବଡ଼ କଷ୍ଟ ।

ଶୁଣି ଅଙ୍ଗାରପନ୍ନଗ ଆଣେ ଲେଉଟାଇ

ସମଦଣ୍ଡ ଗଲେ ନଇର୍ଋତ ଦିଗ ଦେଇ ।

ଅମରାବତୀ କଟକେ ଇନ୍ଦ୍ର ପ୍ରବେଶିଲେ

ଗୋବିନ୍ଦଙ୍କ ସନ୍ନିଧକୁ ବ୍ରହ୍ମା ଚଳିଗଲେ ।

ମନ୍ଦାକିନୀ କୂଳେ ଥିଲେ ପାରିଜାତ ଘେନି

ଏସନକ ସମୟରେ ମିଳି ପଦ୍ମଯୋନି ।

ଦୁରହୁଁ ଗୋବିନ୍ଦ ଦେଖି କଲେ ନମସ୍କାର

ଗୋବିନ୍ଦ ବୋଇଲେ ବ୍ରହ୍ମା କଲ କି ବିଚାର ।

ନିଶ୍ଚିନ୍ତେ ଏ ପୁଷ୍ପ ଭୋଗ କର ଚକ୍ରପାଣି

ଉପହାର ସ୍ଵରୂପରେ କୃଷ୍ଣେ ଦେଲେ ଆଣି ।

ଯେ ଯାହାର ଅନୁରପେ ସର୍ବ ଦେବବୃନ୍ଦେ

ନାରାୟଣଙ୍କୁ ଅକ୍ଷତ ଦିଅନ୍ତି ସାନନ୍ଦେ ।

ତାହାଙ୍କର ପାଦପଦ୍ମେ ସର୍ବେ କଲେ ପୂଜା

ଗରୁଡ଼ରେ ବିଜେ କଲେ ସେ ଦେବାଧିରାଜା ।

ସମସ୍ତ ଦେବଗଣଙ୍କୁ ଦେଇଣ ମେଲାଣି

ଆକାଶ ମାର୍ଗେ ଚଳିଲେ ପ୍ରଭୁ ଚକ୍ରପାଣି ।

ଅନନ୍ତ ଶ୍ରୀମାୟାଧର ଦେବ ବିଶ୍ଵବାସ

କୁଶସ୍ଥଳୀ ଦ୍ଵାରକାରେ ହୋଇଲେ ପ୍ରବେଶ ।

ଖଣ୍ଡେ ଦୁରରୁ ଥାଇଣ ଦେଖିଲେ ଶ୍ରୀହରି

ସୁନ୍ଦର ଶୋଭାବନ ସେ ଦ୍ଵାରକା ନଗରୀ ।

ମଧ୍ୟାହ୍ନର ଆଦିତ୍ୟ କି ହୋଇଛି ଉଦୟ

ତେସନ ହୋଇ ଖସିଲା ବିନତା ତନୟ ।

ସେ ଖଗେଶ୍ଵର ପିଠିରେ ଦିବ୍ୟରୂପ ଧରି

ଚତୁର୍ଭୁଜେ ବିଜେ କରିଛନ୍ତି ଦେବହରି ।

ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଧନୁ ଶୋଭା

ପୀତାମ୍ବର ଜ୍ୟେତିର୍ମୟ ନାନା ରତ୍ନ ଆଭା ।

ବିନତାନନ୍ଦନ ପୃଷ୍ଠେ କୃଷ୍ଣ ଛନ୍ତି ବସି

ବାହାନାଦ କରି ଖକ ପଡ଼ିଲାକ ଖସି ।

ପକ୍ଷୀବର ପକ୍ଷ ଶବ୍ଦ ଯେହ୍ନେ ଘଡ଼ଘଡ଼ି

ଶ୍ରାବଣ ମାସର ମେଘ ପଡ଼ଇ କି ଝଡ଼ି ।

ଅଣଚାପ ବାୟୁ ପରାୟେକ ବହି ବାତ

ଦଲଦଲ ବସୁନ୍ଧରା ପୃଥ୍ଵୀ ଖଣ୍ଡ ସାତ ।

ଶବ୍ଦାନୁସରି ଚାହିଁଲେ ଯେ ଯାଦବବୃନ୍ଦ

ଦେଖିଲେକ ଦିବ୍ୟରୂପ ଗରୁଡ଼ ଗୋବିନ୍ଦ ।

ନବରର ସିଂହଦ୍ଵାରେ ବିଜେ ଦେବ ହରି

ଦେଖିକରି ଅଇଲେକ ସର୍ବେ ଯେ ଯାହାରି ।

ଇନ୍ଦୁମତି ମନ୍ଦିରରେ ସୁରଥ ଯେ ଥିଲେ

ନବରେ ପ୍ରବେଶ ହ୍ଵନ୍ତେ ଦରଶନ କଲେ ।

ସୁରଥର ହସ୍ତ ଧରି ଦେବ ଦଇତ୍ୟାରି

ନବରକୁ ବିଜେ କଲେ ଗରୁଡ଼ୁ ଉତୁରି ।

ଉଗ୍ରସେନେ ନମସ୍କାର କଲେ ନାରାୟଣ

ନମସ୍କାର କଲେ ବସୁଦେବଙ୍କ ଚରଣ ।

ତହୁଁ ବଳଦେବଙ୍କର କଲେ ପାଦପୂଜା

ଇନ୍ଦୁମତୀଙ୍କୁ ନମିଲେ ପ୍ରଭୁ ଦେବରାଜା ।

ଆବର ଯାଦବଗଣେ ଯେଝା ମାନ୍ୟ କରି

ଜଣେ ଜଣେ ମାନ୍ୟଧର୍ମ କରି ଦେବ ହରି ।

ସନାତନ ପୁରୁଷ ଯା ଆଦିଅନ୍ତ ନାହିଁ

ସମସ୍ତ କରନ୍ତି ସଂସାରର ହିତପାଇଁ ।

ସେହୁ ଯେବେ ନ କରନ୍ତେ ଧର୍ମର ପାଳନା

ସମସ୍ତ ପ୍ରାଣୀମାନେ ତ ହ୍ଵନ୍ତେ ପଥବଣା ।

ଶୁଣ ଆହେ ପରୀକ୍ଷିତ ଭଣି ଶୁକଯତି

ଇତି ଶିରୀ ଭାଗବତ ପୁରାଣର କୀର୍ତ୍ତି ।

ଏଥୁ ଅନନ୍ତରେ ପୁଣି ଯାଦବ ସକଳ

ଯେ ଯାହା ପୁରକୁ ଗଲେ ହୋଇଣ ଚଞ୍ଚଳ ।

ସ୍ନାନ ନିତ୍ୟକର୍ମମାନ ସାରି ଦେବ ହରି

ଆନନ୍ଦ ମନେ ମଣୋହିଠାରେ ବିଜେ କରି ।

ଆପଣେ ଦେବକୀମାତା ପରଷନ୍ତି ଅନ୍ନ

ସୁବର୍ଣ୍ଣ ଥାଳିମାନ ଯେ ଦିଶେ ଶୋଭାବନ ।

ସୁପକ୍ଵ ଅନ୍ନ ବ୍ୟଞ୍ଜନ କରନ୍ତେ ଭୋଜନ

ପରମ ତୁପ୍ତି ଲଭିଲେ ପ୍ରଭୁ ଭଗବାନ ।

ସତ୍ୟଭାମା ପୁରେ ବୃକ୍ଷ ରୋପିଲେକ ନେଇ

ତାଙ୍କୁ ଘେନି ଅବକାଶେ ବିଜେ କଲେ ଯାଇ ।

ଏଥୁ ଅନନ୍ତରେ ଶୁଣ ଉଦେ ଦିନମଣି

ସୁଧର୍ମା ସଭାରେ ବିଜେ କଲେ ଚକ୍ରପାଣି ।

ଶୁକ ବୋଇଲେ ତୁ ଶୁଣ ପରିକ୍ଷିତ ରାୟେ

ଏ ପାରିଜାତ ହରଣ ସମାପତ ହୁଏ ।

ଜୟ ତୁ ଜଗତନାଥ ଲକ୍ଷ୍ମୀ ପ୍ରାଣବନ୍ଧୁ

ଅଶେଷ ମହିମା ଦେବ କୃପାଜଳ ସିନ୍ଧୁ ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ

ଦେବାଧିଦେବ ରାଜା ତୋ ଅଟେ ଦିବ୍ୟତେଜ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ପୁଣି

ଚୌରାଶିକୋଟି ଯାଦବ ପରେ ଶିରୋମଣି ।

କଳ୍ପନା କାମନିଧି ତୁ ସର୍ବ ଗୁଣଗ୍ରାହୀ

ତୋ ବିନା ଦୀନଜନର ପରିତ୍ରାଣ ନାହିଁ ।

ବ୍ରହ୍ମା ଇନ୍ଦ୍ର ଶିବ ତୋତେ କରୁଥାନ୍ତି ଲୟ

ଅକ୍ଷୟ ଅଜରାମର ନିରାକାର ମୟ ।

ତୁହି ତ ଅନାଦି ଅଟୁ ତୁହି ପରଂବ୍ରହ୍ମ

କ୍ଷୟ ବିବର୍ଜିତ ଅଣାକ୍ଷର ତୋର ନାମ ।

ସ୍ମୃତି ଶ୍ରୁତି ପ୍ରଭୃତି ତୁ ସରଜିଲୁ ଏକା

ଅନେକ ରୂପ ତୋହର କେ କରିବ ଲେଖା ।

ସତ୍ତ୍ଵ ରଜ ତମ ଗୁଣ ଅଛି ତୋ ଉଦର

ସନାତନ ଅଟୁ ତୋତେ ନାହିଁ ପଟାନ୍ତର ।

ପୃଥ୍ଵୀ ଆପ ତେଣ ପୁଣି ବାୟବ୍ୟ ଆକାଶ

ଏହି ପଞ୍ଚଗୁଣ ତୋର ଦେହର ପ୍ରକାଶ ।

କଳ୍ପନା କାମନିଧି ତୁ ବେଦାନ୍ତ ପୁରୁଷ

ମହୀଭାରା ପାଇଁ ଧରୁ ସ୍ଵରୂପ ବିଶେଷ ।

ବିଶ୍ଵ ସଂସାର ତୋହର ଖେଳଘର ଲୀଳା

କୌତୁକେ ମାନବରୂପ ଧରୁ ନନ୍ଦବଳା ।

ଦକ୍ଷିଣ ସିନ୍ଧୁ ତଟରେ ଶୋହେ ନୀଳଗିରି

ବିଜୟ ଶ୍ରୀରଘୁନାଥ ବିଶ୍ଵରୂପ ଧରି ।

ସୁବର୍ଣ୍ଣ ସିଂହାସନରେ ବିଜେ ଆଦିମୂଳ

ବରାନିଧି ତଳେ ମହାବଟ ତରୁତଳ ।

ଲକ୍ଷ୍ମୀର ବଲ୍ଲଭ ପାଦେ ଲୁଳୁ ମୋର ମାଥ

ଅଚ୍ୟୁତ ଦାସ ରଚିଲା ସୁଜନ ନିମିତ୍ତ ।

ପଣ୍ଡିତ ଜନମାନଙ୍କ ଦାସର ମୁଁ ଦାସ

ବିନୟେ ବୋଲଇ ମୁହିଁ କ୍ଷମାକର ଦୋଷ ।

ଜନ୍ମେ ଜନ୍ମେ ମୁର୍ଖ ମୁହିଁ ନ ଜାଣଇ ପାଠ

ପଣ୍ଡିତ ଜନଙ୍କ ସଙ୍ଗେ ମୋର ନାହିଁ ଭେଟ ।

ଶୁଦ୍ର ଜାତି ପ୍ରଧାନ ମୁଁ ମହାଗ୍ରାମେ ବସା

ଜନ୍ମେ ଜନ୍ମେ ତୁ କୃଷକାରୀ ଭୁମି ମୋର ଆଶା ।

ନବ ପଟ ଜୀବିକା ମୋ କୁଟୁମ୍ବ ପୋଷଣେ

ହରି ନାମ ଧରିଣ ମୁଁ ବର୍ତ୍ତେ ଭଣ୍ଡପଣେ ।

ହେ ସୁଜନମାନେ ତୁମ୍ଭ ଦାସର ମୁଁ ଦାସ

ବାଳୁତ ମତି ମୋହର ନ ଘେନିବ ଦୋଷ ।

ମଦ ମତ୍ସ୍ୟ ଅହଙ୍କାର ମାୟାମୋହେ ଜଡ଼ି

ଅଗାଧ ଭବ ସମୁଦ୍ରେ ଅଛଇ ମୁଁ ପଡ଼ି ।

ହରିନାମ ନୌକା ପାଇଲଇଁ ପୁଣ୍ୟବଳେ

ପରମ ଗତି ପାଇବି ଏହାର ହିଁ ଫଳେ ।

ଅଗାଧ ସମୁଦ୍ର ଏହି ହରିବଂଶ ଗ୍ରନ୍ଥ

କୋଟି ବ୍ରହ୍ମା ନ ଜାଣନ୍ତି ଏଥିର ତଦନ୍ତ ।

ମୁହିଁ ଅବା ସଂକ୍ଷେପିଣ କହିବଇଁ କାହିଁ

ଯାହା ମୁଁ କହଇ ମୋତେ ଅଗୋଚର ସେହି ।

ବେଦବରର ନନ୍ଦିନୀ ସଦା ମୋତେ ସାହା

ସେ ଯାହା କହଇ ମୁହିଁ ପତ୍ରେ ଲେଖେ ତାହା ।

ଅତି ଭାଗ୍ୟେ ଭାଗବତ ପୁରାଣର ପଦ

ଯତ୍ନେ ବେଦବ୍ୟାସ ଋଷି ରଚିଲେ ଏ ପଦ ।

ବିଷ୍ଣୁ ପଞ୍ଚର ସଂହିତା କଣ୍ଠେ ଭୂଷାମଣି

ପଦେ ପଦେ ସୁଧା ଏଥେଁ ପୁରାଇଛି ଆଣି ।

ଏହାକୁ ପଢ଼ିଲେ ହେବ ମହାପାପ କ୍ଷୟ

ଯଶ ଶ୍ରୀ ସମ୍ପଦ ଧର୍ମ ବାଞ୍ଛା ହେବ ଜୟ ।

ଅପୁତ୍ରିକ ପୁତ୍ରଲାଭ କରିବେ ଶୁଣନ୍ତେ

ବଇକୁଣ୍ଠେ ଯାଇ ବସିବେକ ଦେହ ଅନ୍ତେ ।

ସଂସାର ଜଳଧି ମାୟା ତୋହର ପାତନା

ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ବଣା ।

ରକ୍ତ ମାଂସେ ଗଢ଼ା ହୋଇଅଛି କାୟାଗୋଟି

ଜଳବିମ୍ବ ଆକାର ଏ ପ୍ରାଣ ଯିବ ଫୁଟି ।

କହୁଁ କହୁଁ ଶରୀରୁ ଛାଡ଼ିଯିବ ପ୍ରାଣ

ପୁତ୍ର ଭ୍ରାତା ଭାରିଯା ଯେ ସବୁ ଅକାରଣ ।

କାହାର ଭାରିଯା କିଏ ଅବା ସଖା ଅଙ୍ଗ

କେଉଁ ପାପ ପୁଣ୍ୟେ ହେଉଅଛି ଅଙ୍ଗସଙ୍ଗ ।

ଏ ମର୍ତ୍ତ୍ୟ ମଣ୍ଡଳେ ଅଜ୍ରାମର ନୁହେଁ କେହି

କୀର୍ତ୍ତି ଅପକୀର୍ତ୍ତି ମାନ ଶୁଭାଶୁଭ ହୋଇ ।

ଇହଲୋକେ ପୁଣ୍ୟ କଲେ ପରେ ତା ଭୁଞ୍ଜନ୍ତି

ଇହଲୋକେ ପାପ କଲେ ପରେ ନର୍କଗତି ।

ଦୟା କ୍ରିୟା ଆଦି ସର୍ବଧର୍ମ ମୋକ୍ଷଦାନ

ଆୟୂ ଶିରୀ ଧର୍ମମାନ ହୁଅଇ ବର୍ଦ୍ଧନ ।

ଶ୍ରୀକୃଷ୍ଣଙ୍କର ଚରଣେ ନିତ୍ୟ ମୋର ସେବା

ହରିବଂଶ ଶୁଣି ମୁକ୍ତି ମାର୍ଗେ ପ୍ରାପ୍ତ ହେବା ।

 

ଶ୍ରୀକୃଷ୍ଣଙ୍କର ଷୋଳସହସ୍ର କନ୍ୟା ବିବାହ ଏବଂ ପଶାଖେଳରେ ବଳରାମଙ୍କ ଦ୍ଵାରା ରୁକ୍ମଣ ବଧ

 

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ପାଦତଳେ କଲେ ଦିବ୍ୟପୂଜା ।

ଭୋ ମୁନି ତୋ ହେତୁ ଶୁଣିଲଇଁ ହରିବଂଶ

କୋଟି ଜନ୍ମର ପାତକ ହେଲା ମୋର ଧ୍ଵଂସ ।

ନାରକାକୁ ମାରି ପାରିଜାତକ ଆଣିଲେ

ଷୋଳସସ୍ର କନ୍ୟା ଆଣି କିସ ଅବା କଲେ ।

ସେମାନଙ୍କୁ ଆଣି କୃଷ୍ଣ କଲେ ଯେଉଁକଥା

ଏହା ମୋତେ ସଂକ୍ଷେପିଣ କହ ବ୍ରହ୍ମବେତ୍ତା ।

ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେ

ଷୋଳସସ୍ର କନ୍ୟା ଆଣି ବିଭାର ଉପାୟେ ।

ଏକାବେଳେ ସମସ୍ତଙ୍କୁ ବିଭା ହେଲେ ହରି

ଜଣେ ଜଣେ ମୂର୍ତ୍ତି ମୂର୍ତ୍ତି ପ୍ରକାଶିତ କରି ।

ଶ୍ରୀକୃଷ୍ଣର ମାୟା ଦେଖି ପରୀକ୍ଷିତ ରାୟେ

ମହିମାର କୃଷ୍ଣ ଷୋଳସସ୍ର ରୂପ ବହେ ।

ଶ୍ରୀ ଗାର୍ଗ୍ୟ ମହାମୁନି ଯେ ପୁରୋହିତ ହେଲେ

ଷୋଳ ସହସ୍ର ବେଦୀରେ ବିଭା କରାଇଲେ ।

 

ଏ ଜଗତ ହୋଇଅଛି ଯାହାଠାରୁ ଜାତ

ଏହି କଥା ଅଟଇକି ତାକୁ ବିପରୀତ ।

ଏମନ୍ତେ ଅଟନ୍ତି ପାଟବଂଶୀ ଆଠନାରୀ

ପୁଣି ବିଭାହେଲେ ଷୋଳସହସ୍ର କୁମାରୀ ।

ଏତେକ ମୂର୍ତ୍ତି ହୋଇଲେ ପ୍ରଭୁ ଭାବଗ୍ରାହୀ

ସମସ୍ତଙ୍କ ପୁରେ ରହି ଏକ ଏକ ହୋଇ ।

ସେ ସମସ୍ତ ସ୍ତରୀମାନେ ଏମନ୍ତ ମଣନ୍ତି

ପ୍ରଭୁଙ୍କର ସଉଭାଗୀ ଆମ୍ଭେ ପ୍ରିୟବତୀ ।

ଶୁକମୁନି ବୋଇଲେକ ଶୁଣ ପରୀକ୍ଷିତ

ଶୁଣ ତୁମ୍ଭେ ହରିବଂଶ କର୍ଣ୍ଣକୁ ଅମୃତ ।

ଶ୍ରୀକୃଷ୍ଣଙ୍କ ପୁରେ ଯେତେ ସ୍ତିରୀମାନେ ଥିଲେ

ଜଣେ ଜଣେ ଦଶଗୋଟି ପୁତ୍ର ଜନ୍ମାଇଲେ ।

ଜଣେ ଜଣେ ଏକ ଏକ କନ୍ୟା ଜାତ କଲେ

ଏ ରୂପରେ ଏକଲକ୍ଷ ଷାଠି ପୁତ୍ର ହେଲେ ।

ଏହି ଅନୁରୂପେ ପୁତ୍ର ହୋଇଲେକ ଜାତ

ଆବର ଅଶୀ ସନ୍ତାନ ହୋଇଲେକ ସମ୍ଭୁତ ।

ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ

ସବୁଠାରୁ ସୁକୁମାର ଅଟଇ ପଦ୍ମନ ।

ରୁକ୍ମବତୀ ନାମେ ଥିଲା ରୁକ୍ମଣ କୁମାରୀ

ସର୍ବଗୁଣେ ସୁଲକ୍ଷଣୀ ପରମା ସୁନ୍ଦରୀ ।

ସ୍ଵୟମ୍ବର କଲେ ତାକୁ ବିଭା ହେବାପାଇଁ

ଚାରିଊଣା ଲକ୍ଷେ ରାଜା ରୁଣ୍ଡ ହେଲେ ଯାଇ ।

ବେଶଭୁଷା ହୋଇ କନ୍ୟା ପୁରୁଁ ବାହାରିଲେ

ଝିଅର ହାତରେ ମାତା ମାଳଗୋଟି ଦେଲେ ।

ଯାହାକୁ ଇଚ୍ଛା ତୋହର ବର ଆଗୋ ମାୟେ

ଲକ୍ଷେ ରାଜା ରୁଣ୍ଡ ହୋଇ ଅଛନ୍ତି ସଭାୟେ ।

ମୁଖ ତୋଳି ଚାହିଁଲା ସେ ପ୍ରଦ୍ୟୁମ୍ନ ମୁଖକୁ

ସଭାରେ ମାଳା ଦେଇଣ ବରିଲା ତାହାକୁ ।

ଦେଖିକରି ସନ୍ତୋଷ ଯେ ହେଲେ ଭଗବାନ

ତତକ୍ଷଣେ ଆଜ୍ଞା ଦେଲେ ବିଭାର ବିଧାନ ।

ଗାର୍ଗ୍ୟ ପୁରୋହିତ ତହିଁ କରାଇଲେ ବିଭା

ଚୌଠୀ ଅଷ୍ଟମଙ୍ଗଳାକୁ ସାରି ଦେବ ଦେବା ।

ଏଥୁ ଅନନ୍ତରେ ପୁଣ ଶୁଣ ନୃପସାଇଁ

ପ୍ରଦ୍ୟୁମ୍ନ ପୁତ୍ରେ ରୁକ୍ମଣୀ ନାତୁଣୀକୁ ଦେଇ ।

ଏ କଥା ଶୁଣିଲେ ଯହୁଁ ରାଜା ପରୀକ୍ଷିତ

ମୁନିବରଙ୍କୁ ପୁଚ୍ଛିଲେ ଯୋଡ଼ି କରପତ୍ର ।

ପରୀକ୍ଷ ପୁଚ୍ଛଇ ତୁମ୍ଭେ ଶୁଣିମା ଗୋସାଇଁ

ଏ କଥା ବିଚାରି ମୋତେ କହିବା ବୁଝାଇ ।

ପୂର୍ବେ କୃଷ୍ଣ ସଙ୍ଗେ ଥିଲା ବଇରତା ପଣ

ତାର ଅପରାଧ କ୍ଷମା କଲେ ନାରାୟଣ ।

ପୁଣି ଶ୍ରୀକୃଷ୍ଣ ପୁଅକୁ ତାର ଝିଅ ଦେଲା

ଏହି କଥାରେ ମୁନି ହେ ସନ୍ଦେହ ଜନ୍ମିଲା ।

ତାର ନାତୁଣୀକୁ ଦେଲା ପ୍ରଦ୍ୟୁମ୍ନ କୁମରେ

କି ନିମନ୍ତେ ବିଭା ହେଲା କହ ମୋ ଆଗରେ ।

ଶୁକମୁନି ବୋଇଲେକ ପରୀକ୍ଷ ହୋ ଶୁଣ

ପୂର୍ବେ ଯାହା କରିଅଛି ଦଇବ ଘଟଣ ।

ଅତିପ୍ରିୟ ସଙ୍ଗେ ପ୍ରୀତି ଯେ ଲୋକ କରଇ

ଅବଶ୍ୟହିଁ ବିରୋଧି ତ ପଡ଼େ ଜାଣ ତହିଁ ।

ପ୍ରଦ୍ୟୁମ୍ନର ଜ୍ୟୋଷ୍ଠପୁତ୍ର ଅଟେ ଅନିରୁଦ୍ଧ

ତାହାର ବିଭାବେଳରେ ପଡ଼େ ବଡ଼ ମନ୍ଦ ।

ପ୍ରଦ୍ୟୁମ୍ନ ଗଦ ପ୍ରଭୃତି ଯେତେ ଥିଲେ ପୋଏ

ଶ୍ରୀକୃଷ୍ଣ ଆଦି କରିଣ ଯଦୁବଳ ଯାଏ ।

ଅନିରୁଦ୍ଧ କୁମରକୁ ଶଙ୍ଗେ ଘେନି ଗଲେ

ଭୋଜରାଜ ନିକଟକୁ ବେଗେ ଚଳିଗଲେ ।

ବିଭାର ବିଧାନମାନ ସରିଲା ଉତ୍ତାରେ

ସମସ୍ତ ନୃପତିମାନେ ବସି ବିଚାରିଲେ ।

ଦନ୍ତଚକ୍ର ମୁଖ୍ୟକରି ଯେତେ ରାଜା ଥିଲେ

ସମସ୍ତେ ହେଁ ରୁକ୍ମଣର ସଙ୍ଗେ ବିଚାରିଲେ ।

ବୋଲନ୍ତି ବଳରାମଙ୍କ ସଙ୍ଗତେ ଖେଳିବା

ପଶାରେ ବଳରାମଙ୍କୁ ସଭାରେ ଜିଣିବା ।

ଏସନ ପ୍ରକାରେ ବୁଦ୍ଧି ପାଞ୍ଚିଲା ରୁକ୍ମଣ

ପଶା ଖେଳିବାକୁ ତାଙ୍କୁ ଡକାଇ ଆପଣ ।

ରୁକ୍ମଣ ବଚନେ ବଳରାମ ତୋଷ ହେଲେ

ଦନ୍ତବକ୍ର ଆଦିକରି ଦୁଷ୍ଟ ରାଜା ଥିଲେ ।

ସମସ୍ତେ ମେଳ ହୋଇଣ ବସିଲେ ଆସ୍ଥାନେ

ରାମଙ୍କ ସଙ୍ଗେ ଖେଳଇ କୁମର ରୁକ୍ମଣେ ।

ପଶାଖେଳ ଖେଳଇ ସେ ଭୀଷ୍ମକ ନନ୍ଦନ

ଖେଳିବାକୁ ବସିଲେ ଯେ ଆପେ ବଳରାମ ।

ଏକଲକ୍ଷ ସ୍ଵର୍ଣ୍ଣ ଆଣି ତହିଁ ପୀଢ଼ କଲେ

ପ୍ରଥମ ପୀଢ଼ରେ ବଳରାମ ହାରିଗଲେ ।

ତଦନ୍ତେ କୋଟିଏ ମାଢ଼ ସ୍ଵର୍ଣ୍ଣପୀଢ଼ କଲେ

ସେ ପୀଢ଼ରେ ମଧ୍ୟ ବଳରାମ ହାରିଗଲେ ।

ପଶାରେ ବଳରାମଙ୍କୁ ହାରିବା ଦେଖିଣ

ଦୁଷ୍ଟ ରାଜାମାନେ ତହିଁ ହସିଲେକ ପୁଣ ।

ହସିବା ଦେଖିଣ ବଳରାମ ଯେ ଚଳିଲେ

ବେନିକୋଟି ମାଢ଼ ସ୍ଵର୍ଣ୍ଣ ରାମ ପୀଢ଼ କଲେ ।

ସେହି ପୀଢ଼ ସୁବର୍ଣ୍ଣକୁ ଜିଣି ବଳରାମ

ବେଳୁଁବେଳ ବଳରାମ ହ୍ଵନ୍ତେ ତମେ ପୂର୍ଣ୍ଣ ।

ନିଷିତ ହୋଇ ରୁକ୍ମଣ ଗୋଳିଆଇ ଦେଲା

ମୋହର ପଡ଼ିଲା ବୋଲି ସଭାରେ କହିଲା ।

ତାହା ଦେଖିଣ ବୋଲଇ ଦନ୍ତବକ୍ର ରାୟେ

ବଳରାମ ହାରିଗଲେ ନିଶ୍ଚୟ ସଭାୟେ ।

ଏମନ୍ତ ବୋଲିଣ ଦନ୍ତବକ୍ର ଯେ ହସଇ

ତମେ ବହୁକ୍ରୋଧ ପାଇଲେକ ରାମ ତହିଁ ।

ପୁଣି ତିନିକୋଟି ମାଢ଼ ସ୍ଵର୍ଣ୍ଣ ପୀଢ଼ କଲେ

ସେ ବେଳକ ବଳରାମ ପଶାରେ ଜିଣିଲେ ।

ପୁନର୍ବାର ରୁକ୍ମଣ ଯେ ବୋଲେ ନାହିଁ ନାହିଁ

ଏ ବେଳକ ପଶାରେ ହେ ଜିଣିଅଛି ମୁହିଁ ।

ତାହା ଶୁଣି ଦନ୍ତବକ୍ର ପୁଣି ହିଁ ବୋଇଲା

ଏମନ୍ତବେଳେ ସ୍ଵର୍ଗରୁ ବାଣୀଏ ଶୁଭିଲା ।

ଆହେ ତୁମ୍ଭେମାନେ ସର୍ବ ରାଜଗଣ ଶୁଣ

ସେ ରାମ ଜ୍ୟେଷ୍ଠ ଅଟନ୍ତି କୃଷ୍ଣଙ୍କର ପୁଣ ।

ତାହାଙ୍କର ସଙ୍ଗତେ ନ କର ବିଡ଼ମ୍ବନ

ସ୍ଵର୍ଗରେ କି ବୋଲି ଡାକୁଛନ୍ତି ଦେବଗଣ ।

ରୁକ୍ମଣ ବୋଇଲା ଅଛି ରାମବାଣୀ ଶୁଣି

ପୃଥିବୀରେ ରାମ ରାଜା ନୁହନ୍ତି ଯେ ପୁଣି ।

ପରମ୍ପରା ଅଛି ଯେହୁ ରାଜପୁତ୍ର ହୋଇ

ସେ ସିନା ପଶାର ଗୁଣ ସଂଗ୍ରାମ ଜାଣଇ ।

ଗୋଗୋଷ୍ଠରେ ଥାଇ ଗୋପାଳଙ୍କ କଥା ଜାଣ

ଗୋରୁ ଗାଈଙ୍କ କଥାରେ ତୁମ୍ଭ ନିଷ୍ଠାପଣ ।

ରୁକ୍ମଣ କଥାରେ ରାମ କୁପିତ ହୋଇଲେ

ମହାକ୍ରୋଧ ଜାତ ହ୍ଵନ୍ତେ କମ୍ପମାନ ହେଲେ ।

କୋପେ ବଳରାମ ତହୁଁ ପରିଘ ଧଇଲେ

ବାଳ ଧରିଣ ତାହାକୁ ଖୁନ୍ଦାଏ ମାଇଲେ ।

ଦନ୍ତବକ୍ର ବଦନରେ ରାମ ଖୁନ୍ଦା ବାଜି

ଯେତେକ ଦଶନ ଥିଲା ସବୁ ଗଲା ଭାଜି ।

ଆବର ଯେତେକ ଦୁଷ୍ଟ ରାଜା ତହିଁ ଥିଲେ

ଯେ ଯାହାର ଭବନକୁ ସର୍ବେ ପଳାଇଲେ ।

ବଳରାମଙ୍କର କୋପ କ୍ରମେ ବୃଦ୍ଧି ହେଲା

ତାହା ଦେଖିଣ ରୁକ୍ମଣ ପଳାଉଣ ଥିଲା ।

ବଳରାମଙ୍କ କୋପରେ ସେ ଯହୁଁ ପଡ଼ିଲା

ଲେଉଟି ପ୍ରହାର ପାଇ ତହିଁ ପଡ଼ି ମଲା ।

ଏମନ୍ତ ବାରତାମାନ ରୁକ୍ମିଣୀ ଶୁଣିଲେ

ବାର୍ତ୍ତା ଶୁଣି କାହାକୁ ହିଁ କିଛି ନ ବୋଇଲେ ।

ଶ୍ରୀକୃଷ୍ଣ ଯହୁଁ ଶୁଣିଲେ ଏସନକ କଥା

ସ୍ତମ୍ଭୀଭୂତ ହୋଇଣ ସେ ପୋତିଲେକ ମଥା ।

କାହାକୁ ଏହି ସମସ୍ୟା ଗୋଟା ନ କହିଲେ

ଦମ୍ଭେଣ ଦ୍ଵାରକାପୁରେ ବିଜେକରି ଗଲେ ।

ସାବଧାନ ହୋଇ ଶୁଣ ପରୀକ୍ଷ ରାଜନ

ରୁକ୍ମଣର ମରଣ ଯେ ଏମନ୍ତ ବିଧାନ ।

ଶ୍ରୀବଳରାମଙ୍କ ପଦ୍ମପାଦର ଯୁଗଳେ

ଅଚ୍ୟୁତ ଦାସ ଶରଣ ପଶଇ ନିରୋଳେ ।

 

ହରିବଂଶ ଷଷ୍ଠ ଖଣ୍ଡ

ଉଷାବତୀ କନ୍ୟା ହରଣ ଓ ହରିହର ଯୁଦ୍ଧ

 

ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେ

ଶୁକମୁନିଙ୍କ ଚରଣେ କହନ୍ତି ବିନୟେ ।

ରୁକ୍ମଣ ବିନାଶ ବାଣୀ କହିଲ ହେ ମୁନି

ଏଥୁ ଅନନ୍ତରେ କିସ ହୋଇଲାକ ପୁଣି ।

ରାଜାଙ୍କ ବିନୟ ଭାବ ଜାଣିଲେକ ଯହୁଁ

ପୁରାଣ ପୁସ୍ତକ ଫେଡ଼ି କହିଲେକ ତହୁଁ ।

ଶ୍ରୀଶୁକ ବୋଇଲେ ଶୁଣ ପରୀକ୍ଷିତ ରାୟେ

ବଳି ରାଜାଙ୍କର ପୁତ୍ର ବାଣାସୁର ରାୟେ ।

ଏମନ୍ତ ବର ମାଗଇ ସେହି ମହାରାୟେ

ସହସ୍ରେକ ଭୁଜ ମୋର ଯେସନେକ ହୁଏ ।

ତପରେ ତୋଷିଲା ସେହୁ ଦେବ ତ୍ରିପୁରାରି

ତାଣ୍ଡବ ନୃତ୍ୟ ରଙ୍ଗରେ ନାନାରସ କରି ।

ସନ୍ତୋଷ ହୋଇଣ ସେହୁ ଜ୍ଜେବ ତ୍ରିଲୋଚନ

ବୋଲନ୍ତି ବର ମାଗିଣ ଘେନ ତୁ ବହନ ।

ସେ କଥା ଶୁଣି ବୋଇଲା ବାଣାସୁର ରାୟେ

ଏହି ବର ମାଗୁଅଛି ହୋଇବା ସଦୟେ ।

ଆହେ ସ୍ଵାମୀ ସର୍ବଦାହିଁ ଥିବ ମୋର ପୁର

ଏହି ବର ମାଗୁଅଛି ଆହେ ଦେବହର ।

ବାଣାସୁରକୁ ଈଶ୍ଵର ପ୍ରସନ୍ନ ହୋଇଲେ

ଶୋଣିତ ପୁରରେ ଯାଇ ସ୍ଵୟଂ ବାସ କଲେ ।

ଏକମନେ ଶୁଣ ତୁହୋ ପରୀକ୍ଷ ନୃବର

ବଡ଼ ବଳିଷ୍ଠ ଅଟଇ ବାଣାସୁର ବୀର ।

ମହା ମହା ଯୋଦ୍ଧା ଥିଲେ ତିନି ପୁରେ ଯେତେ

ସଂଗ୍ରାମେ କେହି ନୋହିଲେ ତାର କ୍ଷତ୍ରିବୃତ୍ତେ ।

ଦିଗପାଳମାନେ ସ୍ଵର୍ଗ ଛାଡ଼ି ପଳାଇଲେ

ବାଣାସୁର ଡରେ କେହି ରହି ନ ପାରିଲେ ।

ସ୍ଵର୍ଗ ମଞ୍ଚ ପାତାଳେ ତା ସମ କେହି ନାହିଁ

ଦିନକରେ ଈଶ୍ଵରଙ୍କ ଛାମୁରେ କହଇ ।

ଶିରରେ ମୁକୁଟ ତାର ସୂର୍ଯ୍ୟର ପରାୟେ

ଈଶ୍ଵରଙ୍କ ପାଦତଳେ ଗଡ଼ଘାଲି ଶୁଏ ।

ତ୍ରିଲୋଚନଙ୍କ ଛାମୁରେ ହସ୍ତ ଯୋଡ଼ି କହି

ଭୁଜଦଣ୍ଡର କଣ୍ଡୁ ମୁଁ ସହି ନ ପାରଇ ।

ତୁମ୍ଭ ଅନୁଗ୍ରହେ ମୋତେ ଜିଣନ୍ତା କେ ନାହିଁ

ମଧ୍ୟ ଭୁବନେ ଯୁଝିବି କାହା ସଙ୍ଗେ ମୁହିଁ ।

ଏମନ୍ତ ବଚନ ଶୁଣି ଦେବ ତ୍ରିପୁରାରି

ସେ ମହାଦେବ ମନରେ କ୍ରୋଧ ଭାବ ଧରି ।

ତହୁଁ ସେହୁ ଆଜ୍ଞା ଦେଲେ ଏହି କଟକେଣ

ତୋହର ଶତ୍ରୁ ଜନ୍ମିବ ଧ୍ରୁବ କରି ଜାଣ ।

ଏ ତୋ ରଥଧ୍ଵଜ ଭାଙ୍ଗିଯିବ ଯେଉଁଦିନ

ସେହି ଦିନ ଶତ୍ରୁ ତୋର ହେବ ବିଦ୍ୟମାନ ।

ଆମ୍ଭର ସମାନ କେହି ଜଣେକ ଆସିବ

ତୋର ଏ ଦର୍ପ ସେହୁ ହେଳାରେ ଗଞ୍ଜିବ ।

ମହାଦେବଙ୍କ ବଚନ ଶୁଣି ବାଣାସୁର

ଉସନ ହୋଇଲା ଶୁଣି ତାହାଙ୍କର ଗିର ।

ମୋହ ସଙ୍ଗେ ଯୁଝିବାକୁ ଯେବେ କେ ଆସଇ

ବଡ଼ ଭାଗ୍ୟବନ୍ତ ବୋଲି ମଣିବଇଁ ମୁହିଁ ।

ଏମନ୍ତ ମନେ ବିଚାର କରଇ ରାଜନ

ତାର ରଥ ଧ୍ଵଜକୁ ସେ ଚାହେଁ ପ୍ରତିଦିନ ।

ଦଇବର ଘଟସୂତ୍ର ହୋଇଅଛି ଯାହା

କିଏ ଅବା ଆନ କରି ପାରିବଟି ତାହା ।

ବାଣାସୁରର ନନ୍ଦିନୀ ନାମ ତାର ଉଷା

ଅତି ସୁନ୍ଦରୀ ସେ ନାରୀ ଲକ୍ଷ୍ମୀଙ୍କ ସଦୃଶା ।

ରତିଙ୍କ ସମାନ ସେହୁ ଅଟଇ ସୁନ୍ଦର

ତିନି ଭୁବନରେ ନାହିଁ ତାକୁ ପଟାନ୍ତର ।

ଏକାକୀ ସେ ରହିଥାଇ ସଖୀଙ୍କର ମେଳେ

ରଙ୍ଗରସେ ଦିନ ସେହୁ ହରେ କୁତୂହଳେ ।

ଦିନେ ସେ କନ୍ୟା ପଲ୍ୟଙ୍କପରେ ଶୋଇଥିଲା

ପ୍ରଥମ ନିଦ୍ରାରେ ସେହୁ ସ୍ଵପନ ଦେଖିଲା ।

ପ୍ରଦ୍ୟୁମ୍ନର ପୁତ୍ର ଅନିରୁଦ୍ଧେ ଭର୍ତ୍ତା କରି

ନାନା ରଙ୍ଗ ରସରେ ସେ ବିନୋଦ ଆଚରି ।

ପଲ୍ୟଙ୍କରେ ଘେନି ବାଳୀ ଭୋଗ କରୁଥିଲା

ପୁଣି ସେ କୁମର ମଣି କେଉଁଆଡ଼େ ଗଲା ।

ଅନିରୁଦ୍ଧକୁ ନ ଦେଖି ସେହି ଉଷାବତୀ

ଆହା ପ୍ରାଣନାଥ ମୋର ଗଲୁଁ କେଉଁ କତି ।

ମୋତେ ତୁହି ଛାଡ଼ି କେଣେ ଗଲୁ ପ୍ରାଣନାଥ

ବେଗ ବେଗ ଦେଖା ତୁହି ଦିଅ ମୋ ଅଗ୍ରତ ।

ତୋତେ ନ ଦେଖି ଆକୁଳ ମୋର ପଞ୍ଚଭୂତ

କ୍ରୋଟର ଅଗ୍ନି ପରାୟେ ଦହେ ମୋର ଚିତ୍ତ ।

ସଖୀମାନଙ୍କ ବଦନ ଉଷା ଦେବୀ ଦେଖି

ବହୁତ ଲାଜ କରିଣ ଓହଲାଇ ଆଖି ।

ତହୁଁ ସଖୀଏ ବୋଲନ୍ତି ଶୁଣ ଗୋ ସଙ୍ଗାତ

ତୁମ୍ଭର ମନ କିପାଇଁ ଏଡ଼େ ସନ୍ତାପତି ।

କିବା କାନ୍ତକୁ ମନରେ ଦେଖିଲୁ କି ସହି

କି ଅବା ସାକ୍ଷାତ ଦେଖିଲୁଟି ତୁହିଁ କାହିଁ ।

ସଖିଙ୍କି ମଧ୍ୟେ ଉତ୍ତମ ଅଟେ ଚିତ୍ରରେଖା

ମହାବିଶ୍ଵାସୀ ତାହାର ଅଟେ ପ୍ରାଣ ସଖା ।

କୁଭାଣ୍ଡକ ମନ୍ତ୍ରି ଝିଅ ଅଟଇଟି ସେହି

ଆଗତ ଭବିଷ୍ୟ କଥା ସମସ୍ତ ଜାଣଇ ।

ଏମନ୍ତ ପ୍ରକାରେ ସେହୁ ପୁଚ୍ଛିଲା ଉଷାକୁ

ସ୍ଵପନ ଗେ ସଖି ଗୋ ଦେଖିଲୁ କାହାକୁ ।

ଉଷା ବୋଲଇ ଶୁଣ ଗୋ ମୋହର ଯୋ ପତି

ଦିବ୍ୟ ପୁରୁଷ ଦେଖିଲି ମୁହିଁ ଆଜ ରାତି ।

ଅତ୍ୟନ୍ତ ସୁନ୍ଦର ସେହୁ ଶ୍ୟାମଳ ଶରୀର

ପଦ୍ମପୁଷ୍ପ ପ୍ରାୟ ଚକ୍ଷୁ ବିରାଜେ ତାହାର ।

କଟି ଯୋଗେ ଶୋଭା ପାଉଅଛି କଳେବର

ରୂପ ଦିଶେ ଯେହ୍ନେ କାମଦେବର ଭଣ୍ଡାର ।

ସୁରଙ୍ଗ ଅଧରୁ ତାର ସୁଧାପନ ଦେଲା

ଦେଖୁ ଦେଖୁ ପ୍ରାଣନାଥ ଅନ୍ତର୍ଦ୍ଧାନ ଗଲା ।

ଚିତ୍ରରେଖା ବୋଇଲେ ଯେ ତାର ବୋଲ ଶୁଣି

ନିଶ୍ଚୟ ତାହାକୁ ମୁହିଁ ଦେବି ତୋତେ ଆଣି ।

ଚିତ୍ରପଟ ଚିତ୍ରରେଖା ଲେଖି ସବୁକୁହିଁ

ମହାଯୋଗିନୀ ମନ୍ତ୍ରରେ ସିଦ୍ଧ ସେ ଅଟଇ ।

ସ୍ଵର୍ଗ ଭୁବନରେ ଯେତେ ପୁରୁଷ ଅଛନ୍ତି

ଚିତ୍ରପଟରେ ଲେଖନ କଲାକ ସବୁନ୍ତି ।

ଦେବଗଣ ଗନ୍ଧରବ ଆଉ ଦିନକର

ଯକ୍ଷ କିଂପୁରୁଷମାନେ ପୁଣି ବିଦ୍ୟାଧର ।

ସମସ୍ତ ଲେଖି ଉଷାକୁ ନେଇ ଦେଖାଇଲା

ନିରୀକ୍ଷଣ କରି ବୋଲ ତାହାକୁ ବୋଇଲା ।

ଉଷା ବୋଲଇ ସଖି ଗୋ ନାହାନ୍ତି ଏଥିହିଁ

ତାହାଙ୍କର ପ୍ରାୟେ ଏଥେ ଜଣେ କେହି ନାହିଁ ।

ପୁଣି ପାତାଳ ପୁରର ଲୋକଙ୍କୁ ଦେଖିଲା

ସେହି ଚିତ୍ରପଟ ଉଷା ଆଗେ ଦେଖାଇଲା ।

ତହିଁରେ ମଧ୍ୟ ନ ଦେଖି ଉଷା ନାସ୍ତି କରି

ମଧ୍ୟପୁର ଲୋକଙ୍କୁ ସେ ଦେଲା ଚିତ୍ରକରି ।

ସବୁ ଦେଶରେ ଲୋକଙ୍କୁ ଦେଲାକ ସେ ଲିହି

ଉଷାଦେବୀ ଦେଖିକରି ବୋଲେ ଏଥେଁ ନାହିଁ ।

ପୁଣି ବସୁଦେବଙ୍କୁ ସେ ପ୍ରଥମେ ଚିତ୍ରିଲା

ଅନ୍ୟ ଅନ୍ୟ ଯାଦବଙ୍କୁ ତହିଁରେ ଲେଖିଲା ।

ତଦନ୍ତରେ ରାମକୃଷ୍ଣେ ତଦନ୍ତରେ ଲେଖି

ତହିଁରେ ତାଙ୍କର ପୁତ୍ର ନାତିଙ୍କୁ ଯେ ଆଙ୍କି ।

ତାହା ଆଣି ଦେଖାଇଲା ଉଷାର ନିକଟେ

ଅନିରୁଦ୍ଧ ରୂପ ଉଷା ଦେଖି ଚିତ୍ରପଟେ ।

ବୋଇଲା ଗୋ ସଖି ଏହି ରୂପ ମୁଁ ସ୍ଵପନେ

ଦେଖିଲା ବେଳକୁ ଘାରି ହେଉଥିଲି ମନେ ।

ଯେବେ ତୁ ଏହାକୁ ଆଣଇ ଦେବୁ ମୋତେ କହ

ନୋହିଲେ ମୁଁ ବିଷ ଖାଇ ଛାଡ଼ିବି ଏ ଦେହ ।

ଚିତ୍ରରେଖା ବୋଲେ କାମଦେବ ପୁତ୍ର ସେହୁ

ଏହାଙ୍କ ପାଇଁକି କିଛି ନ ଭାଳ ଗୋ ସହି ।

ତୋହରି ପାଇଁ ସଖି ଗୋ ଦ୍ଵାରକା ମୁଁ ଯିବି

ତାହାଙ୍କୁ ମୁଁ ଖୋଜିକରି ଅବଶ୍ୟ ହିଁ ଦେବି ।

ଏତେ ବୋଲି ଚିତ୍ରଲେଖା ବେଗେ ଚଳିଗଲା

ସବୁକଥା ସିଦ୍ଧ କରିପାରେ ଯୋଗବଳା ।

ଗୋପନେ ଦେଖିଲା ସେହି ଅନିରୁଦ୍ଧେ ଯାଇ

ପଲ୍ୟଙ୍କେ ଦେଖିଲା ଅଛି ନିଦ୍ରାରେ ସେ ଶୋଇ ।

ପଲ୍ୟଙ୍କ ସହିତ ତାକୁ ତହୁଁ ଘେନି ଗଲା

ବେଗୁଁ ବେଗ ଶୂନ୍ୟମାର୍ଗେ ଯାଇ ବିକ୍ରମିଲା ।

ଗୋପନେ ଶୋଣିତପୁରେ ପ୍ରବେଶିଲା ଯାଇ

ଉଷାର ଶୟନ ଗୃହେ ଶୁଆଇଲା ନେଇ ।

ଅନିରୁଦ୍ଧକୁ ଦେଖିଣ ରାଜାର କୁମାରୀ

ମଦନର ପଞ୍ଚଶର ହେଲା ତନୁ ଘାରି ।

ଅନିରୁଦ୍ଧ ପାଦପଦ୍ମେ ପ୍ରଣିପାତ କଲା

ଅନେକ ମତେ ପୂଜାର ବିଧି ମନାଇଲା ।

ଅପୂର୍ବ ଦେବାଙ୍ଗ ବସ୍ତ୍ର ତାହାଙ୍କୁ ପିନ୍ଧାଇ

ନାନାବିଧି ଅଳଙ୍କାରେ ସୁବେଶ କରାଇ ।

ସୁସ୍ଵାଦୁ ପଦାର୍ଥମାନ ଭୁଞ୍ଜାଇ ଯୁବତୀ

ଅନେକ ପ୍ରିୟ ଭାବରେ ବଢ଼ାଇଲା ପ୍ରୀତି ।

ଏସନକ ପରକାରେ ପୁର ମଧ୍ୟେ ଥାଇ

ଉଷା ଅନିରୁଦ୍ଧ ପ୍ରୀତି କ୍ରମରେ ବଢ଼ାଇ ।

ଥୋକାଏକ ଦିନ ବହିଗଲା ଏହି ମତେ

ଏକଦିନେ ପ୍ରହରୀଏ ଦେଖିଲେକ ରାତ୍ରେ ।

ଦେଖିକରି ସେହିମାନେ ମନେ ବିଚାରିଲେ

ରାଜାଙ୍କ ଛାମୁରେ ଯାଇ ସବୁ ଜଣାଇଲେ ।

ସାବଧାନ ହୋଇ ଏବେ ଶୁଣିମାକ ତୁମ୍ଭେ

ଉଷା କନ୍ୟାକୁ ନିର୍ବନ୍ଧେ ଜଗିଥାଉ ଆମ୍ଭେ ।

ପୁରୁଷ ପଶିଲା ପ୍ରାୟ ଦିଶଇ ମନ୍ଦିର

ଦୁହିତା ତୁମ୍ଭର ଦିଶୁ ଅଛଇ ଅସାର ।

ପ୍ରହରୀମାନଙ୍କ ମୁଖୁ ବାଣାସୁର ଶୁଣି

କନ୍ୟା କଥା ବୁଝିବାକୁ ଗଲା ସେହିକ୍ଷଣି ।

ଦୁହିତା ମନ୍ଦିରେ ଯାଇ ହୋଇଲା ପ୍ରବେଶ

ଦେଖିଲା ତହିଁ ବସିଛି କାମଦେବ ଶିଷ୍ୟ ।

ମର୍କତ ପ୍ରାୟ ଅଟଇ ନୀଳମଣି କାୟେ

ପଦ୍ମବନେ ଯେସନକ ଭୃଙ୍ଗ ଶୋଭାପାଏ ।

ବେନି କର୍ଣ୍ଣରେ ଶୋହଇ ମର୍କତ କୁଣ୍ଡଳ

କଣ୍ଠ ତଟେ ଶୋଭା ପାଉଅଛି ମୁକ୍ତାମାଳ ।

କଟୀରେ ପୀତ ଅମ୍ବର ଶୋଭା ପାଉଛଇ

କାମିନୀଏ ଦେଖିକରି କାମେ ହେବେ ମୋହି ।

ବସିକରି ପଶା ସେହୁ ଖେଳେ ଉଷା ସଙ୍ଗେ

କ୍ରୀଡ଼ା କରୁଛନ୍ତି ବଚନରେ ନାନାରଙ୍ଗେ ।

ବାଣାସୁର ନୃପତିକି ଦେଖି ଅନିରୁଦ୍ଧ

ବାମ ହସ୍ତେ ସାଉଣ୍ଟିଣ ଧଇଲା ଆୟୁଧ ।

ଆରହସ୍ତେ ଘେନିଲାକ ଲୁହା ଲଉଡ଼ିଏ

ମହାକୋପେ ନିରେଖଇ ଯମଦେବ ପ୍ରାୟେ ।

ରାଜାଙ୍କର ସଙ୍ଗତରେ ଯେତେ ଲୋକ ଥିଲେ

ଅନିରୁଦ୍ଧେ ଧରିବାକୁ ସର୍ବ ମନ କଲେ ।

ଲୁହାର ଲଉଡ଼ି ଘେନି ଗୋଡ଼ାଇ ପିଟିଲା

ସମସ୍ତଙ୍କୁ ମାରିଣ ସେ ଏକ କୁଢ଼ କଲା ।

ଏମନ୍ତ ଦେଖିଲା ଯହୁଁ ବାଣାସୁର ବୀର

ମନେ ବିଚାରେ ଏ ବଡ଼ ଲୋକର କୁମର ।

ଏହାକୁ ବନ୍ଦୀ କରିଣ ବାନ୍ଧି ଥୋଇଥିବା

ପଛରେ କିସ ହୋଇବ ତଦନ୍ତ ବୁଝିବା ।

ଏତେ ବୋଲି ବାଣାସୁର ବଳେ ତାକୁ ଧରି

କାରାଗୃହେ ବନ୍ଦୀ କଲା ଜଗାଇ ପ୍ରହରୀ ।

ଏ କଥା ଯହୁଁ ନାରଦ ଧ୍ୟାନରେ ଜାଣିଲେ

ଦ୍ଵାରାବତୀ ପୁରକୁ ସେ ବେଗେ ଚଳିଗଲେ ।

ବାରତା କହିଲେ ଯାଇ ଶ୍ରୀକୃଷ୍ଣ ଛାମୁର

ଶୋଣିତପୁରେ ନାତିକି ଦେଖିଲୁ ତୋହର ।

ବନ୍ଧନ କରି ଅଛଇ ବାଣାସୁର ରାୟ

ତହିଁକି ତୁମ୍ଭେ କିଛି ତ ନ କଲ ଉପାୟ ।

ଏମନ୍ତ ବଚନ ଯହୁଁ ଶ୍ରୀକୃଷ୍ଣ ଶୁଣିଲେ

ଯାଦବ ସୈନ୍ୟଙ୍କୁ ଘେନି ତକ୍ଷଣେ ସାଜିଲେ ।

ସାତ୍ୟକି ଅକ୍ରୂର ମୂଳେ ଶ୍ରୀକୃଷ୍ଣ ପ୍ରଦ୍ୟୁମ୍ନ

ସମକକ୍ଷ ଯୋଦ୍ଧା ଥିଲେ ଯେତେକ ନନ୍ଦନ ।

ହଳ ମୂଷଳ ଧରିଣ ଧାଇଁ ହଳପାଣି

ସଜ ହୋଇଲେକ ବଳ ତୈଶି ଅକ୍ଷୌହିଣୀ ।

ଶୋଣିତପୁରକୁ ବେଗେ ସଇନ୍ୟ ବାହିଲେ

ଶତେକ ପୁର କରିଣ ଗଡ଼ ବେଢ଼ାଇଲେ ।

ବିଧି ଯୋଗେ ବିପରୀତ ଏମନ୍ତ ଘଟିଲା

ଅଦ୍ଭୁତେ ବାଣର ରଥୁଁ ଧ୍ଵଜ ଛିଡ଼ିଗଲା ।

ଅଜେୟ ଅଟଇ ତାର ଅଟ୍ଟାଳିକାମାନ

ସମସ୍ତ ଭାଙ୍ଗି ସେମାନେ ସବୁ କଲେ ଚୂର୍ଣ୍ଣ ।

ଏମନ୍ତ ବାର୍ତ୍ତା ପାଇଲା ବାଣାସୁର ରାୟେ

ସୈନ୍ୟମାନଙ୍କୁ ପେଷିଲା ସିଂହଦ୍ଵାର ଯାଏ ।

ତାହା ଦ୍ଵାର ଜଗିଥାନ୍ତି ଦଶକ୍ଷୌଣୀ ବଳ

ତାଙ୍କ ସଙ୍ଗେ ଯୁଝନ୍ତେଣ ହେଲା ମହାଗୋଳ ।

ଏମନ୍ତ ବାରତା ଯହୁଁ ମହେଶ ପାଇଲେ

ଶ୍ରୀକୃଷ୍ଣ ସଙ୍ଗତେ ଆସି ଯୁଦ୍ଧ ଆରମ୍ଭିଲେ ।

ଈଶ୍ଵର ସଙ୍ଗତେ ଅଛି କାର୍ତ୍ତିକ କୁମର

ଆବର ରୁଦ୍ରଗଣ ଯେ ଅଛନ୍ତି ଅପାର ।

ଅତି ହିଁ ବେଗେ ଯାଇଁଣ କାର୍ତ୍ତିକ କୁମର

ପ୍ରଦ୍ୟୁମ୍ନ ସଙ୍ଗେ ସମର କଲା ମହାଘୋର ।

ବାଣାସୁରର ମନ୍ତ୍ରୀ ଯେ ଅଟନ୍ତି ଦ୍ଵିଜଣ

କୁଭାଣ୍ଡକ ମହାବୀର ମନ୍ତ୍ରୀ କୃପକର୍ଣ୍ଣ ।

ରାମଙ୍କ ସଙ୍ଗତେ ଯାଇ ଯୁଦ୍ଧ ଲଗାଇଲେ

ବହୁତ ପ୍ରତିଜ୍ଞା କରି ଶସ୍ତ୍ର ପ୍ରହାରିଲେ ।

ଯାଦବଙ୍କ ବୀରଶ୍ରେଷ୍ଠ ସାତ୍ୟକି କୁମର

ତାହାଙ୍କ ସଙ୍ଗେ ଯୁଝିଲା ବାଣାସୁର ବୀର ।

ଏମନ୍ତ ବାରତା ଯହୁଁ ଦେବତା ପାଇଲେ

ବ୍ରହ୍ମାଙ୍କୁ ମୁଖ୍ୟ କରିଣ ସମସ୍ତେ ଅଇଲେ ।

ସେମାନେ ଆସି ଦେଖିଲେ ହରିହର ରଣ

ରୋମେ ରୋମେ ଭେଦୁଅଛି ତାହାଙ୍କର ବାଣ ।

ମହାକୋପରେ ମହେଶ ବାୟବ୍ୟାସ୍ତ୍ର କଲେ

ପର୍ବତାଶର ପେଷିଣ ଶ୍ରୀକୃଷ୍ଣ ନାଶିଲେ ।

ତାହା ଦେଖିଣ ଈଶ୍ଵର ବ୍ରହ୍ମଶର କରି

ନାରାୟଣ ଅସ୍ତ୍ର ତାହା ଶ୍ରୀକୃଷ୍ଣ ନିବାରି ।

ବେଗେଣ ଅଗ୍ନି ଶରକୁ ପେଷି ତ୍ରିଲୋଚନ

ମେଘାଶର ପେଷି ନିବାରିଲେ ଭଗବାନ ।

ମହାରୋଷ ପ୍ରାପ୍ତ ହୋଇ ପାର୍ବତୀ ରମଣ

ତତକ୍ଷଣେ ପ୍ରହାରିଲେ ପାଶୁପତ ବାଣ ।

ଦୁରହୁଁ ଦେଖିଣ ତାହା ଦେବ ଚକ୍ରଧର

ତ୍ଵରିତେ ବିନ୍ଧିଲେ ଧରି ନାରାୟଣ ଶର ।

ବ୍ରହ୍ମଶର ପୁନରପି ପେଷି ଭାବଗ୍ରାହୀ

ଅଚେତନରେ ଈଶ୍ଵର ପଡ଼ି ମୋହଯାଇ ।

କାର୍ତ୍ତିକ କୁମର ସଙ୍ଗେ ପ୍ରଦ୍ୟୁମ୍ନ ଯୁଝିଲେ

ମହାଘୋର ସଂଗ୍ରାମରେ କେହି ନ ଘୁଞ୍ଚିଲେ ।

ମହାବେଗେ ନାରାଚକୁ ବିନ୍ଧି କୋପଭରି

ବାଣ ତେଜେ ସୈନ୍ୟମାନେ ପଳାଇଲେ ଡରି ।

କୁଭାଣ୍ଡକ କୃପକର୍ଣ୍ମ ଯୁଦ୍ଧ କରୁଥିଲେ

ସୌନନ୍ଦ ମୂଷଳ ଘେନି ରାମ ପ୍ରହାରିଲେ ।

ପ୍ରଭୁ ବଳରାମଙ୍କର ଶସ୍ତ୍ରାଘାତ ପାଇ

ଦୁହେଁଯାକ ଯମପୁର ଦେଖିଲେକ ଯାଇ ।

ଏମନ୍ତ ଚରିତ ଦେଖି ବାଣାସୁର ବୀର

ଶ୍ରୀକୃଷ୍ଣଙ୍କ ଅଗ୍ରତରେ ମିଳେ ଧାତିକାର ।

ପାଞ୍ଚଶତ ଭୁଜେ ପାଞ୍ଚଶତ ଧନୁ ଧରି

ବିନ୍ଧିଲାକ ବାଣାସୁର ଅତି ଯତ୍ନକରି ।

ବାଣାସୁର ପରେ କୃଷ୍ଣ ବାଣ ପ୍ରହାରିଲେ

ପାଞ୍ଚଶତ ଧନୁ ତାର କୋଟି ପକାଇଲେ ।

ପୁଣି ଦେବ କୃଷ୍ଣଚନ୍ଦ୍ର ବହୁଶର ଧରି

ବାଣାସୁରର ଉପରେ ବିନ୍ଧି ରୋଷ ଭରି ।

ସେ ବାଣାସୁରର ରଥ ଅଶ୍ଵ ଆଦିକରି

ତ୍ଵରିତେ କାଟିଲେ ତାହା ଦେବ ଦଇତ୍ୟାରି ।

ଧାଇଁଛନ୍ତି ପ୍ରାଣେ ନାଶ କରିବେ ତାହାକୁ

ତାହାର ମାତା ତ୍ଵରିତେ ଆସେ ଯୁଝିବାକୁ ।

ଉଲଗ୍ନ କେଶପାଶ ଯେ ମୁକୁଳିତ କେଶ

ଶ୍ରୀକୃଷ୍ଣ ଅଗ୍ରତେ ଆସି ହୋଇଲା ପ୍ରବେଶ ।

ଦେଖିଣ ଶିର ପୋତିଲେ ଦେବ ଚକ୍ରଧର

ତହୁଁ ବେଗେ ପଳାଇଲା ବାଣାସୁର ବୀର ।

ଦେବ ମହେଶ୍ଵର ତହିଁ ମୋହ ଯାଇଥିଲେ

ଜ୍ଞାନପ୍ରାପ୍ତ ହୋଇଣ ସେ ସଚେତ ହୋଇଲେ ।

ମହେଶ ଦେଖିଣ ବାଣାସୁର ବିପତ୍ତି

ତତକ୍ଷଣେ ପେଷିଲେ ସେ ଜ୍ଵର ସେନାପତି ।

ତିନିଗୋଟି ଶିର ତାର ଷଢ଼ଭୁଜ ହୋଇ

ବେଗେ ଶ୍ରୀକୃଷ୍ଣ ଉପରେ ପଡ଼ିଲାକ ଧାଇଁ ।

ଜ୍ଵର ସେନାପତିକି ଯେ ଦେଖି ଚକ୍ରଧର

ଜାତକଲେ ଶରୀରରୁ ବେଗେ ବିଷ୍ଣୁଜ୍ଵର ।

ବିଷ୍ଣୁଜ୍ଵର ଅତିବେଗେ ତାକୁ ଗୋଡ଼ାଇଲା

ମହେଶ୍ଵର ଜ୍ଵର ଦେଖି ବେଗେ ପଳାଇଲା ।

ରହିବାକୁ ତାର ତ୍ରିଭୁବନେ ଠାବ ନାହିଁ

ବିଷ୍ଣୁ ଦୋରେହା ପଳାଇ ରହିବ ବା କାହିଁ ।

ପୁଣି ହିଁ ଲେଉଟି ସେହି ଠାବକୁ ଅଇଲା

ଶ୍ରୀକୃଷ୍ଣଙ୍କ ପାଦତଳେ ଶରଣ ପଶିଲା ।

ସେ ସେନାପତି ଡାକିଲା ରଖ ନାରାୟଣ

ବାରେକ ରଖିବା ମୁହିଁ ପଶିଲି ଶରଣ ।

ନିରାକାର ପୁରୁଷ ତୁ ଅଛୁ ସବୁଠାଇଁ

ବ୍ରହ୍ମା ବିଷ୍ଣୁ ମହେଶ୍ଵର ସବୁ ଅଟୁ ତୁହି ।

ତ୍ରିଭୁବନେ ଛନ୍ତି ଯେତେ ଯେତେ ଦେବତାଏ

ତୋର ତେଜ ଘେନି ସର୍ବେ ହୁଅନ୍ତି ଉଦୟେ ।

ସବୁଠାରୁ ଶ୍ରେଷ୍ଠ ପୁଣି ଅଟେ ଇନ୍ଦ୍ର ଗଣ

ଚାଲିବାକୁ ବଳ ଦେଉଅଛୁ ନାରାୟଣ ।

କାହାରି ଆୟତ୍ତ ତାହା ନୁହଇ ଗୋସାଇଁ

ତୁହି ଯାହା ଭିଆଇଛୁ କାଳେ ତା ଫଳଇ ।

ତୁମ୍ଭର ଦେହରୁ ଯେଉଁ ଜ୍ଵର ଯାତ ହେଲା

ମୋତେ ପୀଡ଼ା ଦେବାପାଇଁ ପଛେ ଗୋଡ଼ାଇଲା ।

ତୁହି ପ୍ରଭୁ ମୋତେ ଏବେ ଉଦ୍ଧରିଣ ଧର

ଶରଣ ରକ୍ଷଣ ବାନା ଅଟଇ ତୁମ୍ଭର ।

କାକୁସ୍ଥ ବଚନ ତାର ଶୁଣି ଜନାର୍ଦ୍ଦନ

ବିଷ୍ଣୁ ଜ୍ଵରକୁ ହକାରି ବୋଲନ୍ତି ବଚନ ।

ଆହୋ ଜ୍ଵର ଶୁଣ ତୁମ୍ଭେ ମୋହର ବିଚାର

ଏକମନ ହୋଇ ମୋତେ ସ୍ମରିବ ଯେ ନର ।

ମୋର ପାଦପଦ୍ମେ ଯେଉଁ ନର ଦୃଢ଼କରି

ନ ଯିବୁ ତା ପାଶ ଆସିବୁଟି ଅପସରି ।

ତାହାର ଦେହରେ କେଭେ ପୀଡ଼ା ନ କରିବୁ ।

ଆମ୍ଭର ବଚନ ତୁହି ପ୍ରତିପାଳି ଥିବୁ ।

ଶ୍ରୀକୃଷ୍ଣର ତହୁଁ ଏସନକ ଆଜ୍ଞା ପାଇ

ହରଷ ହୋଇଣ ଜ୍ଵର ସେନାପତି ଯାଇ ।

ତେଣେ ଦେଖିଲାକ ଦୈତ୍ୟପତି ବାଣାସୁର

ଶ୍ରୀକୃଷ୍ଣଙ୍କ ନିକଟକୁ ଧାଏଁ ଧାତିକାର ।

ତାହାଙ୍କ ଆଗରେ ଆଣ ରଥ ରୁହାଇଲା

ବେଳକୁ ବେଳ ସଂଗ୍ରାମ ଘୋରତର ହେଲା ।

ମହାକୁନ୍ତ ଶାବେଳି ଯେ ଆୟୁଧାଦି କରି

ସହସ୍ର ଭୁଜିରେ ନାନା ଶସ୍ତ୍ରମାନ ଧରି ।

ଶ୍ରୀକୃଷ୍ଣଙ୍କର ଅଙ୍ଗରେ ପ୍ରହାରିଲା ନେଇ

ବାବଲ ଶରରେ ନିବାରିଲେ ଭାବଗ୍ରାହୀ ।

ସୁଦର୍ଶନ ଚକ୍ରଧରି ଦେବ ନାରାୟଣ

ବେଗେଣ କାଟିଲେ ବାଣାସୁର ଭୁଜମାନ ।

ବୃକ୍ଷର ଡାଳ କାଟିଲେ ଯେ ପ୍ରକାର ହୋଇ

ଭୁଜ କାଟନ୍ତେ ସେ ବାଣା ତେମନ୍ତ ଦିଶଇ ।

ଦୁରେ ଥାଇଣ ସଂଗ୍ରାମ ଛାଡ଼ି ତ୍ରିପୁରାରି

କୃଷ୍ଣ ମୁଖ ନିହାରିଣ ବହୁ ସ୍ତୁତି କରି ।

ଜୟ ତୁହି ଜଗନ୍ନାଥ ଅନାଦି ଅଚ୍ୟୁତ

ଜୟ ତୁହି ଜଗନ୍ନାଥ ଜଗଜ୍ଜନହିତ ।

ଜୟ ତୁହି ଜଗନ୍ନାଥ ମୋକ୍ଷର କାରଣ

ତୋହର ନାମ ଧରିଣ କରୁଥାନ୍ତି ଧ୍ୟାନ ।

ଜୟ ଜଗନ୍ନାଥ ବିଷ୍ଣୁରୂପ ଅଟୁ ତୁହି

ଶ୍ରୀକୃଷ୍ଣଙ୍କ ଗୁଣାଗୁଣ କେ ପାରିବ କହି ।

ତୋହର ନାମକୁ ନାଥ ଆକାଶ ବୋଲନ୍ତି

ତୋହର ନାମକୁ ନାଥ ଅନଳ କହନ୍ତି ।

ଭୋ ସ୍ଵାମୀ ପ୍ରାଣ ତୋହର ନିଶ୍ଚେଁ ଅଟେ ମୁହିଁ

ତୋହର ବୁଦ୍ଧି ବଳେଣ ଦମ୍ଭ ଅଛି ହୋଇ ।

ଇନ୍ଦ୍ରଦେବ ତୋହର ତ ଅଟେ ଭୁଜମାନ

ରୋମମାନେ ଅଉଷଧ ବୃକ୍ଷମାନେ ଗୁଣ ।

ତୋହର ବିନୁ ସଂସାରେ ଆନ ନାହିଁ କେହି

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ ତୁହି ।

ଯେତେବେଳେ ସଂସାରରେ ଧର୍ମ ହେଲା ଗୋପ୍ୟ

ତେତେବେଳରେ ଭୋସ୍ଵାମୀ ଦେଖିଲି ତୋ ରୁପ ।

ଜଗତଯାକ ଗର୍ଭରେ ଭରିଅଛୁ ତୁହି

ଏସନ ଚରିତମାନ ନ ଜାଣନ୍ତି କେହି ।

ତୁମ୍ଭ ତେଜୋମୂର୍ତ୍ତି ମୁହିଁ ଦେଖିଲି ଶ୍ରୀଧର

ସମସ୍ତେ ହିଁ ସେହି ମୂର୍ତ୍ତ ଦେଖିଲେ ଆବର ।

ଭଲ ହେଲା ବାଣାସୁର ଦେଖିଲା ଆବର

ଏହାକୁ ଭୋ ନାଥ ଏବେ ପ୍ରତିକାର କର ।

ତୋହର ଦାସର ଦାସ ପ୍ରହ୍ଲାଦର ବଂଶ

ଏହାକୁହିଁ ତୁମ୍ଭେ ରକ୍ଷାକର ପୀତବାସ ।

ଈଶ୍ଵରଙ୍କର ବଚନ ଶୁଣି ଚକ୍ରପାଣି

ପ୍ରସନ୍ନ ହୋଇ ତାହାଙ୍କୁ ବୋଳୁଛନ୍ତି ବାଣୀ ।

ତୁମ୍ଭର ପ୍ରସାଦେ ଯେହୁ ପାଇଅଛି ବର

ଆମ୍ଭର ସେ କଥା ନିଶ୍ଚେଁ ଅଟଇ ସ୍ଵୀକାର ।

ପୃଥିବୀର ମହାଭାର ଉଶ୍ଵାସିବା ପାଇଁ

ଏହାର ବହୁତ ଭୂଜ ଛେଦିଲଇଁ ମୁହିଁ ।

ଏବେ ୟାର ଚାରିଗୋଟି ଭୂଜ ରହିଥାଉ

ସର୍ବଦା କାଳରେ ଚିରଜୀବୀ ହୋଇ ରହୁ ।

ତୁମ୍ଭର ନାମଗୋଟିକ ଭଜୁଥାଉ ଏହି

ସଂସାରେ ରହୁ ଅଜରାମର ତନୁ ବହି ।

ଏମନ୍ତ ଶୁଣିଲା ଯହୁଁ ବାଣାସୁର ଦୈତ୍ୟ

ଶ୍ରୀକୃଷ୍ଣଙ୍କ ପାଦତଳେ କଲା ପ୍ରଣିପାତ ।

ଶୋଣିତପୁରକୁ ସେହୁ ବେଗେ ଚଳିଗଲା

ଅନିରୁଦ୍ଧ କୁମରକୁ ସଜାଇ ଆଣିଲା ।

ଊଷା ଦୁହିତାକୁ ବେଗେ ସଜ କରାଇଣ

ବର କନ୍ୟା ଆଣିଦେଲା କୃଷ୍ଣ ଛାମୁରେଣ ।

ଅଙ୍ଗବଳ ତାହାର ଯେ ଦେଲା କ୍ଷଉଣିଏ

ଅନେକ ଉତ୍ସବ କଲା ବାଣାସୁର ରାୟେ ।

ଏମାନ ସମସ୍ତ ଘେନି ପ୍ରଭୁ ଚକ୍ରଧର

ସମ୍ଭର୍ବେ ବିଜୟ କଲେ ଦ୍ଵାରାବତୀ ପୁର ।

ଦ୍ଵାରାବତୀ ପୁରେ ପଶି କଲେକ ଉତ୍ସବ

ଆନନ୍ଦ ହୋଇଲେ ତହିଁ ସମସ୍ତ ଯାଦବ ।

ଏକମନ ହୋଇ ଶୁଣ ହରିବଂଶ ପଦ

କାହାକୁ ହିଁ କିଛି ହିଁ ନ ଲାଗିବ ବିରୋଧ ।

ସର୍ବଦା କାଳେ ତାହାର ଜୟଲାଭ ହେବ

ଏହା ଯେହୁ ନିରନ୍ତରେ ମନରେ ସ୍ମରିବ ।

 

ନୃଗରାଜା ମୋକ୍ଷଣ

 

ଏଥୁଅନ୍ତରେ ପରୀକ୍ଷ ନାମେ ନୃପସାଇଁ

ବିନୟ ଭାବରେ ଶୁକମୁନିଙ୍କୁ ପୁଛଇ ।

ଭୋ ମୁନି ବୋଲଇ ବାଣାସୁର ଯୁଦ୍ଧ କଥା

ଭାଗବାତ ଶୁଣି ମୋର ମନୁ ଗଲା ବ୍ୟଥା ।

ଏଥୁଅନ୍ତେ କେଉଁ କୃତ୍ୟ କଲେ ଦେବହରି

ତହିଁର ଚରିତ ମୋତେ କହିବା ବିସ୍ତାରି ।

ଶୁକମୁନି ବୋଇଲେକ ହେ ପରୀକ୍ଷ ରାୟେ

ହରିବଂଶ ଶୁଣି ମହାପାପ କର କ୍ଷୟେ ।

ପଦ୍ମନର ମୂଳେ ଯେତେ ଶ୍ରୀକୃଷ୍ଣ ନନ୍ଦନ

ବନ ଭ୍ରମଣ ନିମନ୍ତେ ଗଲେ ଏକଦିନ ।

ଅନେକ ଦୁର ଗମନ୍ତେ କୁମରେ ଫୁଟିଲେ

ଜଳ ଲୋଡ଼ିଣ ଯାଇଣ ତୃଷାର ବିକଳେ ।

ଖଣ୍ଡେ ଦୁରରେ ଦେଖିଲେ ଏକକୁପ ଯାଇ

ଗୋପନେ ପଡ଼ିଅଛଇ କୃକଲାସ ତହିଁ ।

ଦେହ ଗୋଟିକ ତାହାର ବଡ଼ ପୁଷ୍ଠକରି

ଏଣ୍ଡୁଅର ରୁପଗୋଟି ବୀର ଅଛି ଧରି ।

ତାହାକୁ ହିଁ ଶ୍ରୀକୃଷ୍ଣର ନନ୍ଦନ ସଭିଏଁ

କୁପରୁ କାଢ଼ିବା ପାଇଁ କରନ୍ତି ଉପାୟେ ।

ଗ୍ରନ୍ଥି କରିଣ ଚର୍ମର ପାଶ ଲଗାଇଲେ

କେବେହେଁ ତହିଁ ଭିତରୁ ଆଣି ନ ପାରିଲେ ।

ଲେଉଟି କହିଲେ ଯାଇ ଶ୍ରୀକୃଷ୍ଣର ପୋଏ

ଭୋ ଦେବ କୂପ ଭିତରେ ପଡ଼ିଛି ଜନ୍ତୁଏ ।

ଉଠାଇବାକୁ ବହୁତ ଉଦଯୋଗ କଲୁ

କୌଣସି ପ୍ରକାରେ ତାକୁ ଆଣି ନ ପାରିଲୁ ।

ପୁତ୍ରଙ୍କ ବଚନ ଶୁଣି ଶ୍ରୀକୃଷ୍ଣ ଉଠିଲେ

କୂପର ସନ୍ନିଧେ ଯାଇ ସମସ୍ତେ ମିଳିଲେ ।

ଦେଖିଲେ ଜନ୍ତୁ ଗୋଟିଏ ପଡ଼ିଅଛି ତହିଁ

ଆଗହୁଁ ଜାଣନ୍ତି ତାହା ପ୍ରଭୁ ଭାବଗ୍ରାହୀ ।

ହସ୍ତ ବଢ଼ାଇ ତାହାକୁ ଶ୍ରୀକୃଷ୍ଣ ଧଇଲେ

ଓଟାରି ତାକୁ ଉପରେ ନେଇ ପକାଇଲେ ।

କୃଷ୍ଣହସ୍ତ ଯହୁଁ ତାର ଦେହରେ ଲାଗିଲା

ତାହା ନିଜ ରୁପଗୋଟି ପ୍ରକାଶ ହୋଇଲା ।

ସ୍ଵର୍ଗର ଦେବତା ପ୍ରାୟ ହେଲା ଦିବ୍ୟବେଶ

ତତକ୍ଷଣେ ହୋଇଲା ସେ ଉତ୍ତମ ପୁରୁଷ ।

ଶୁଦ୍ଧସ୍ଵର୍ଣ୍ଣ ପରାୟକ ତାର ରୁପକାନ୍ତି

ଅନେକ ଆଭରଣ ସେ ଦେହେ ଘେନିଛନ୍ତି ।

ମୁକୁଟ ଦିଶୁଅଛଇ ସୂର୍ଯ୍ୟତେଜ ପ୍ରାୟେ

ସୁଗନ୍ଧ ପୁଷ୍ପର ମାଳା ଅଛଇ ଗଳାଏ ।

ଉତ୍ତମ ବେଣ ଭୁଷଣ ଯେଣୁ ସେ ଧଇଲା

ତତକ୍ଷଣେ ଶ୍ରୀକୃଷ୍ଣଙ୍କ ଆଗରେ ମିଳିଲା ।

ବେଶ ଦେଖିଣ ଶ୍ରୀକୃଷ୍ଣ ପଚାରନ୍ତି ତାକୁ

ଏମନ୍ତ ବେଶେ ଅଇଲୁ କିମ୍ପା ଆମ୍ଭଠାକୁ ।

କିଏ ତୁହି ଅଟୁ ମୋତେ ଆଦିଅନ୍ତ କହ

କେବଣ ପାପ ଅର୍ଜିଣ ପାଇଲୁ ଏ ଦେହ ।

ଶ୍ରୀକୃଷ୍ଣ ପୁଛନ୍ତେ ଏହା ଶୁଣି ସେ ପୁରୁଷ

କରଯୋଡ଼ି ଜଣାଇଲେ ପୂର୍ବର ସନ୍ଦେହ ।

ତୁମ୍ଭେ ପ୍ରଭୁ ନାରାୟଣ ସର୍ବ ଅନ୍ତର୍ଯ୍ୟାମୀ

ଆପଣେ ଭିଆଇ ମୋତେ ପୁଛ କିପାଁ ସ୍ଵାମୀ ।

ସୂର୍ଯ୍ୟବଂଶୀ ରାଜା ମୁହିଁ ନାମ ମୋର ନୃଗ

କର୍ମର ଅବଳେ କଲି ପାପଦଶା ଭୋଗ ।

ସତ୍ୟଯୁଗେ ରାଜା ହୋଇ ପ୍ରଜା ପାଳୁଥିଲି

କ୍ଷତ୍ରୀଧର୍ମେ ଥାଇ କେତେ ଯଜ୍ଞ ଦାନ କଲି ।

ବତ୍ସାର ସହିତ ଗାଭି ନିତ୍ୟ ଦିଏ ମୁହିଁ

ସୁବର୍ଣ୍ଣର ଚାରିଖୁରା ଅଟେ ଶିଙ୍ଗ ଦୁଇ ।

ଏ ପ୍ରକାରେ ଗାଇମାନେ ଲକ୍ଷ ଲକ୍ଷ କରି

ଦେଉଥାଇ ନିତ୍ୟ ମୁହିଁ ବ୍ରାହ୍ମଣଙ୍କୁ ବରି ।

ଏକ ବ୍ରାହ୍ମଣ ଅଇଲା ମୋର ନିଜପୁରୀ

ଦରିଦ୍ର ଭିକ୍ଷୁକ ସେହୁ ଅଟେ ସଦାଚାରୀ ।

ଏମନ୍ତ ବ୍ରାହ୍ମଣ ଦେଖି ଗାଭିଏ ଦେଲଇଁ

ଯେସନ ପ୍ରକାରେ ଗାଇ ନିତ୍ୟ ମୁଁ ଦିଅଇ ।

ଦଇବର ସଂଯୋଗରେ ଜାଣ ଏକଦିନେ

ଏମନ୍ତ ଘଟଣା ଏକ କଲଇଁ ବିଧାନେ ।

ବ୍ରାହ୍ମଣକୁ ଦେଇଥିବା ଦାନ ଗାଇଗୋଟି

ସେହୁ ଆମ୍ଭର ଗୋଷ୍ଠରେ ପଶିଲା ଲେଉଟି ।

ଗୋରୁମାନଙ୍କ ସଙ୍ଗରେ ଥିଲା ସେହି ଗାଈ

ଦଇବେ ତାହା ନ ଜାଣି ଦାନ ଦେଲି ମୁହିଁ ।

ପୂର୍ବେ ଯେଉଁ ବିପ୍ର ତାକୁ ନେଇଥିଲେ ଦାନ

ସେ ଆସି ଦେଖିଲେ ସେହି ଗାଈ ଚିହ୍ନ ବର୍ଣ୍ଣ ।

ଆପଣାର ଧେନୁ ବୋଲି ବାନ୍ଧିଲେକ ଯହୁଁ

ତା ଛାଡ଼ି ନ ଦେଲେ ପଛେ ନେଇଥିଲେ ଯେହୁ ।

ସେ ଗାଈପାଇଁ ବ୍ରାହ୍ମଣ ମହାଗୋଳ କଲେ

ମୋ ଛାମୁକୁ ଧରାଧରି ହୋଇଣ ଆସିଲେ ।

ସେହି କଥାଗୋଟି ଯହୁଁ ଶୁଣିଲଇଁ ମୁହିଁ

ଭୟରେ ମୋହର ଦେହ କମ୍ପିଲା ଗୋସାଇଁ ।

ସେ ବ୍ରାହ୍ମଣ ଦୁହିଙ୍କୁ ମୁଁ ବହୁ ବୁଝାଇଲି

ଲକ୍ଷେ ଗାଈ ଦେବା ପାଇଁ ଦୁହିଙ୍କୁ କହିଲି ।

କୌଣସି ପ୍ରକାରେ ବୋଧ ନୋହିଲାକ ପୁଣ

ସେହି ଗାଈଗୋଟି ଛାଡ଼ିଗଲା ସେ ବ୍ରାହ୍ମଣ ।

ଦୈବଯୋଗେ ମୃତୁ ମୋର ହେଲା ସେ ଦିନର

କୃତକର୍ମ ଫଳ ମୁହିଁ ଭୁଞ୍ଜିଲି ଶ୍ରୀଧର ।

ଯମଦୁତମାନେ ଆସି ମୋତେ ଘେନିଗଲେ

ଯମର ଛାମୁରେ ନେଇ ଉଭା କରାଇଲେ ।

ମୋତେ ନୟନେ ଦେଖିଣ ବୋଲେ ଜନ୍ତୁପତି

ମନ୍ଦ କର୍ମ କରିଅଛୁ ମଞ୍ଚର ନୃପତି ।

ମଞ୍ଚପୁରେ ବହୁପୁଣ୍ୟ କରିଅଛୁ ତୁହି

କିଞ୍ଚିନ୍ମାତ୍ର ପାପକର୍ମ ତୋହର ଅଛଇ ।

ମୋ ଆଗେ କହ କେବଣ ଭୋଗ ତୁ ଭୁଞ୍ଜିବୁ

ଶୁଣିଲେ ଆମ୍ଭେ ତାହାର ବିଧାନ କରିବୁ ।

ଯମ ତହୁଁଏସନକ ବଚନ ମୁଁ ଶୁଣି

ବିଚାର କଲଇଁ ଏହା ମନେ ମନେ ଗୁଣି ।

ସୁଖର ଉପରେ ଦୁଃଖ ଯଦ୍ୟପି ହୁଅଇ

ମୋର ପକ୍ଷରେ ସେକଥା କେବେ ଭଲ ନୋହି ।

ମୋର ପାପ ଫଳ ମୁହିଁ ଆଗେ ଭୁଞ୍ଜି ବଇଁ

ଯମ ଛାମୁରେ ଏକଥା ପ୍ରକାଶ କଲଇଁ ।

ତତକ୍ଷଣେ ମୋତେ ସେହୁ କୃକଲାସ କଲେ

କୂପେ ପକାଇବା ପାଇଁ ଦୂତଙ୍କୁ ବୋଇଲେ ।

ତଦନ୍ତେ ବୋଇଲେ ମୋତେ ସେହି ଜନ୍ତୁପତି

ମୁକତିର କଥା ତୁମ୍ଭେ ଶୁଣ ହୋ ନୃପତି ।

ଯେବଣ ଦିନେ ତୁ ଜଗନ୍ନାଥଙ୍କୁ ଭେଟିବୁ

ନିଶ୍ଚିନ୍ତ ହୋଇଣ ତୁହି ସ୍ଵର୍ଗକୁ ଗମିବୁ ।

ଏବେ ଘଟସୁତ୍ର ହେଲା ଧର୍ମ ପ୍ରସ୍ତାବରେ

ଶୁଭବେଳେ ଭେଟିଲି ମୁଁ ତୁମ୍ଭର ପାଦରେ ।

ଯୋଗିଏ ଯେତେ ଅଷ୍ଟାଙ୍ଗ ଯୋଗମାନ କରି

ଅନୁବ୍ରତେ ଥାଆନ୍ତି ସେ ଶୁଦ୍ଧଚିତ୍ତେ ଧରି ।

ତେବେହେଁ ତୋତେ ସେମାନେ ଧରି ନ ପାରନ୍ତି

ପୂର୍ବ ପୁଣ୍ୟଫଳେ ମୁହିଁ ଦେଖିଲି ଏ ମୁର୍ତ୍ତି ।

ଭୋ ପ୍ରଭୋ ଏମନ୍ତ ଆଜ୍ଞା ମୋର ପ୍ରତି ହେଉ

ଯେସନେ କି ମନ ବୁଦ୍ଧି ତୁମ୍ଭ ତହିଁ ଥାଉ ।

ଯେଣୁକରି ନୃପନାଥ ଆଜ୍ଞାପ୍ରାପ୍ତ ହେଲେ

ପୁଷ୍ପକ ବିମାନେ ଚଢ଼ି ସ୍ଵର୍ଗପୁରେ ଗଲେ ।

ଏସନ ଚରିତ ମାନ ଦେଖି ଶିରୀପତି

ସବୁ ଯାଦବ ମାନଙ୍କୁ ହକାରି ବୋଲନ୍ତି ।

ବ୍ରହ୍ମସ୍ଵ ହରଣ କଲେ ଏମନ୍ତ ହୁଅଇ

ବ୍ରାହ୍ମଣଙ୍କ ହାସ୍ୟ କଲେଏହି ଫଳ ପାଇ ।

ଅଜ୍ଞାନେ ହେଉ କି ଅବା ଜ୍ଞାନେ ପାପ କଲେ

ସେ ପାପରୁ କେବେ ନୋହିବଟି ଭଲେ ।

ମହାପାପ କରିଥିଲେ ଷାଠିସସ୍ର ବର୍ଷ

ରଉରବ ନରକରେ ହୁଅଇ ପ୍ରବେଶ ।

ଯେଉଁପ୍ରାଣୀ ବ୍ରାହ୍ମଣଙ୍କୁ ହାସ୍ୟ କରିଥାଇ

ରୌରବ ନର୍କରେ ସେହୁ କୃମିପୋକ ହୋଇ ।

ମୋ ବଚନ କେତେବେଳେ ଅନ୍ୟଥା ନୋହିବ

ବ୍ରାହ୍ମଣଙ୍କୁ ପ୍ରତିଦିନ ସେବା କରୁଥିବ ।

ଯାଦବଙ୍କୁ ବୁଝାଇଲେ ଏହା ନାରାୟଣ

ନାରାୟଣ ପଦେ ନମେ ଶ୍ରୀଅଚ୍ୟୁତ ଦୀନ ।

 

ଶ୍ରୀକୃଷ୍ଣଙ୍କ ଦ୍ଵାରା ପୁଣ୍ଡରୀକ ବାସୁଦେବ ଓ କାଶୀରାଜା ବଧ ଏବଂ ବଳରାମଙ୍କ ଦ୍ଵାରା ତ୍ରୀବିଦ ବାନରର ମୃତ୍ୟୁ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।

ଦାନ ହରଣର କଥା ଆମ୍ଭଙ୍କୁ ବୋଇଲ

ଏଥୁଅନ୍ତେ ଯାହାହେଲା ବିଚାରିଣ ବୋଲ ।

ଶ୍ରୀକୃଷ୍ଣ ବିଜୟେ କରିଛନ୍ତି ଦ୍ଵାରକାରେ

ସେ କାଳେ ଯେ କଥାହେଲା ଶୁଣ ନୃପବରେ ।

ଦୁରାତ୍ମା ଦୃଷ୍ଟବୁଦ୍ଧି ଯେ ଅଟେ ପୁଣ୍ଡରୀକ

ଏକଦିନେ ଦ୍ଵାରକାକୁ ପଠାଇଲା ଦୁତ ।

ଶ୍ରୀକୃଷ୍ଣ ବିଜୟେ କରିଅଛନ୍ତି ସଭାର

ପ୍ରବେଶ ହୋଇଲା ଦୁତ ଯାଇ ସେହିଠାର ।

ପୁଣ୍ଡରିକ ବାସୁଦେବ କହିଥିଲା ଯାହା

ଶ୍ରୀକୃଷ୍ଣ ଆଗରେ ଦୁତ କହିଲାକ ତାହା ।

ବିରବର ବାନା ମୋର ବାସୁଦେବ ଚିହ୍ନ

ସେ ରୁପ ଧରଇ କିପାଁ ନନ୍ଦର ନନ୍ଦନ ।

ଜଗତ ଜନର ଜନ୍ମ ମରଣ ନିମନ୍ତେ

ଉତ୍ପତ୍ତି ହୋଇଛୁଁ ଆମ୍ଭେ ମହାଭାରା ଅର୍ଥେ ।

 

ସେ କିପାଁ ଆମ୍ଭର ଶଙ୍ଖ ଚକ୍ର ଅଛି ଧରି

ଇଛଇ ସେ ହୋଇବାକୁ ଆମ୍ଭ ସଙ୍ଗେ ସରି ।

ସେହୁ ଯେବେ ରଖିବାକୁ ଚାହେଁ ବଡ଼ପଣ

ବେଗେ ଆସି ଆମ୍ଭ ଠାରେ ପଶୁ ସେ ଶରଣ ।

ବେଗୁଁ ବେଗ ଛାଡ଼ୁ ଶଙ୍ଖ ଚକ୍ର ଦୁଇ

ଆମ୍ଭରି ସଙ୍ଗତେ ସରି କେବେହେଁ ନୁହଇ ।

ଏମନ୍ତ ବଚନ ଯହୁଁ ଯାଦବେ ଶୁଣିଲେ

ଟହଟହ ହୋଇକରି ସେମାନେ ହସିଲେ ।

ତହୁଁ ଶ୍ରୀକୃଷ୍ଣ ବୋଇଲେ ଶୁଣ ଆରେ ଦୁତ

ତାହାର ଆଗରେ ଯାଇ କହିବୁ ସମସ୍ତ ।

ଆମ୍ଭେ ବିଜେକରି ତାର ସନ୍ନିଧିକୁ ଯିବୁ

ସୁଦର୍ଶନ ଚକ୍ରଗୋଟା ପଛେ ଛାଡ଼ିଦେବୁଁ ।

ଏମନ୍ତ ଶୁଣିଣ ସର୍ବେ ହାସ୍ୟ କଲେ ତାକୁ

ସେ ଦୁତ ବାହୁଡ଼ି ଗଲା ପୁଣ୍ଡରୀକ ଠାକୁ ।

କ୍ରୋଧେଣ କହିଲା ଯାଇ ସମସ୍ତ ବାରତା

କୃଷ୍ଣଙ୍କର କଥାମାନ ସକଳ ବ୍ୟବସ୍ଥା ।

ପୁଣ୍ଡରୀକ ରାଜାଦୁତ ଗଲାକ ଉତ୍ତାରେ

ବେଗେଣ ସଜ ହୋଇଲେ ଦେବ ଚକ୍ରଧରେ ।

ସଙ୍ଗେ ପ୍ରଭୁ ତିନି ଅକ୍ଷୌହିଣି ସୈନ୍ୟ ଘେନି

ପୁଣ୍ଡରୀକର ଦେଶକୁ ଗଲେ ଚକ୍ରପାଣି ।

ଏଣେ ପୁଣ୍ଡରୀକ ରାଜା ସଇନ ସଜାଇ

ଯୁଦ୍ଧାରମ୍ଭ କଲାଆସି ବେଗୁଁ ବେଗ ହୋଇ ।

ମହା ପ୍ରତିଜ୍ଞା କରିଣ ଗରୁଡ଼ରେ ଚଢ଼ି

ହସ୍ତରେ ଶଙ୍ଖ ଚକ୍ରକୁ ଅଛି ସେହୁ ଧରି ।

ଶ୍ରୀବତ୍ସ ଚିହ୍ନ ଗୋଟିଏ ଅଛି ତା କାଖରେ

ପୀତାମ୍ବର ଶୋଭାପାଏ ତା କଟିଭାଗରେ ।

ମର୍କତ କୁଣ୍ଡଳଦ୍ଵୟ ଶୋଭଇ କର୍ଣ୍ଣର

କିରୀଟ ମୁକୁଟ ଶୋହେ ତାର ଶିରପର ।

ଏମନ୍ତ ପ୍ରକାରେ ବେଶ ଅଛି ରାଜା ଧରି

ଶ୍ରୀକୃଷ୍ଣ ଛାମୁରେ ରଥ ବେଗେଣ ଉଭାରି ।

ରହୁବରକୁ ଉଭାରି ଅଛି ପୁଣ୍ଡରୀକ

ତାହାର ସଙ୍ଗେ ଅଛନ୍ତି ସୈନ୍ୟବଳ ଲୋକ ।

ଖଣ୍ଡେଦୂରେ ଥାଇ ତାହା ଦେଖିଲେ ଶ୍ରୀବତ୍ସି

ଆପଣାର ବେଶ ପୁଣ୍ଡରୀକ ଧରିଅଛ ।

ପୁଣ୍ଡରୀକର ମୂର୍ତ୍ତିକୁ ଶ୍ରୀକୃଷ୍ଣ ଚାହିଁଲେ

ଯାଦବ ବଳଙ୍କୁ ତହୁଁ ବେଗେ ଆଜ୍ଞା ଦେଲେ ।

କୋନ୍ତ ଶାବେଳି ଲାଙ୍କିଆ ଆଦି ତୀକ୍ଷ୍‌ଣ ବାଣ

ଯଦୁପୁତ୍ରେ ତାହାଙ୍କୁ ହେ ବିନ୍ଧି ଅପ୍ରମାଣ ।

ବେଢ଼ିକରି ସେମାନେ ଯେ ବହୁ ଶସ୍ତ୍ରକଲେ

ମହା ମହା କ୍ଷତ୍ରିଙ୍କର ପ୍ରାଣ ବିନାଶିଲେ ।

ସଙ୍ଗେଥିଲା ତାର ଦଶ ଅକ୍ଷୌହିଣୀ ବଳ

ଯାଦବଙ୍କ ଶରେ ସର୍ବେ ଗଲେ ଯମଆଳ ।

ସୁଦର୍ଶନ ଚକ୍ର ଧରି ପ୍ରଭୂ ଚକ୍ରଧର

ତକ୍ଷଣେ ଛେଦିଲେ ପୁଣ୍ଡରୀକ ରାଜା ଶିର ।

ଯେମନ୍ତ ବେଶ ଧରିଣ ଯୁଦ୍ଧ କରୁଥିଲା

ସେହି ବେଶ ଧରିଣ ସେ ବୈକୁଣ୍ଠକୁ ଗଲା ।

ପୁଣ୍ଡରୀକ ନୃପତିକୁ ଚକ୍ରେ ଦେବ ହାଣି

କାଶିରାଜାକୁ ନାରାଚ ବିନ୍ଧିଲେକ ଟାଣି ।

ପାଶୁପତ ବାଣ ତାକୁ ବେଗେଣ ବିନ୍ଧିଲେ

ତାହାର ମୁଣ୍ଡ ଗୋଟିକ କାଟି ପକାଇଲେ ।

ହାବୋଡ଼ା ଶର ବିନ୍ଧିଲେ ପୁଣିହିଁ ନିଠାଇ

କାଶି ରାଜାର ମସ୍ତକ ଦେଲେକ ଉଡ଼ାଇ ।

କାଶୀ ନୃପତିର ସିଂହ ଦୁଆରେ ଯାଇଣ

ଉଡ଼ିଯାଇ ତାର ଶିର ପଡ଼ିଲା ତକ୍ଷଣ ।

ଯେତେକ ତାହାର ବଳ ମାଇଲେ ଶ୍ରୀପତି

ଲେଉଟି ଶ୍ରୀକୃଷ୍ଣ ବିଜେ କଲେ ଦ୍ଵାରାବତୀ ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ

କାଶୀ ନୃପତିର ଥିଲା ଜ୍ୟେଷ୍ଠ ଯେ ନନ୍ଦନ ।

ପିତା ଶିର ଯେଣୁକରି ନୟନେ ଦେଖିଲା

ମହାକଷ୍ଟ ପାଇଣ ସେ ବହୁଶୋକ କଲା ।

ପିତାର ନିମନ୍ତେ ସେହୁ ମହାଶୋକ କରି

ନିର୍ଭୟେ ସେବିଲା ଯାଇ ଦେବ ତ୍ରିପୁରାରି ।

କଠୋର ସେବାରେ ହର ପ୍ରସନ୍ନ ହୋଇଲେ

ବର ମାଗ ବୋଲି କୁମରକୁ ଆଜ୍ଞା ଦେଲେ ।

ଯେବେ ମୋତେ ସୁପ୍ରସନ୍ନ ହେଲ ବର ଦିଅ

ତୁମ୍ଭର ବର ପାଇଲେ ହୋଇବି ନିର୍ଭୟ ।

ମୋହର ପିତାର ବୈରୀ ବିନାଶ କରିବି

ତୁମ୍ଭର ପ୍ରସାଦେ ମୁହିଁ ଜଗଜ୍ଜୟୀ ହେବି ।

ଶିବ ବୋଇଲେ ବ୍ରାହ୍ମଣ ପୂଜି ଭକତିରେ

ତାହାଙ୍କୁ ପୂଜିଲେ ଯଶ ରହିବ ମହିରେ ।

ଏହିପରି ବର ଯହୁଁ କୁମର ପାଇଲା

ବ୍ରାହ୍ମଣଙ୍କୁ ଅକ୍ଷତସେ ଦେଇଣ ବରିଲା ।

ବ୍ରାହ୍ମଣମାନେ ହୋମରେ ମହାମନ୍ତ୍ର ସ୍ମରି

ହୋମ ଭିତରୁ କୃତିହା ପୁରୁଷ ବାହାରି ।

ତତକ୍ଷଣେ ଜାତହେଲା କୃତିହା ପୁରୁଷ

ତପ୍ତତମ୍ବା ପରାୟେକ ଦିଶେ ତାର ବେଶ ।

ନିର୍ଧୂମ ଅନଳ ଜିଣି ଦେହ ଦିଶେ ପୁଣି

କ୍ରୋଧେ ବହିଛି ସ୍ଫଟିକ ତେଜକୁ ସେ ଜାଣି ।

ହସ୍ତରେ ସେ ଘେନିଅଛି ଅଗ୍ନି ଜ୍ୟୋତି ଶୁଳ

ତାହାକୁ ବୋଇଲେ ତୁହି ଦ୍ଵାରକାକୁ ଚଳ ।

ଦ୍ଵାରକାକୁ ଯାଇଣ ସେ ଭୟ ଦେଖାଇଲା

ଯାଦବମାନେ ଦେଖନ୍ତେ ଶଙ୍କା ଉପୁଜିଲା ।

ସତ୍ୟଭାମା ତୁଲେ କୃଷ୍ଣ ପଶା ଖେଳୁଥିଲେ

ଆର୍ତ୍ତହୋଇ ଯଦୁଗଣେ ସର୍ବ ଜଣାଇଲେ ।

ମୁର୍ତ୍ତିମନ୍ତ ହୋଇ ଅଗ୍ନିଦେବ ଆସିଛନ୍ତି

ଦ୍ଵାରକାପୁରକୁ ପୋଡ଼ିଦେବ ସେ ଏ ଘାନ୍ତି ।

ଯାଦବଙ୍କ ମୁଖୁ ଏହା ଶୁଣି ହୃଷୀକେଶ

ଅନ୍ତର୍ଯ୍ୟାମୀ ଜାଣିଲେ ସେ କୃତିହା ପୁରୁଷ ।

ସୁଦର୍ଶନ ଚକ୍ରେ ଚାହିଁ ବେଗେ ଆଜ୍ଞା ଦେଲେ

ଏହି ଉତ୍ପାତ ବହନ ନିବାର ବୋଇଲେ ।

ଆଜ୍ଞାପାଇ ବେଗେ ବେଗେ ଗଲା ସୁଦର୍ଶନ

ତେଜ ବିକାଶିଲା କୋଟି ସୂର୍ଯ୍ୟର କିରଣ ।

ପ୍ରଚଣ୍ଡ ମୁରତି ଧରି ତ୍ଵରିତ ଅଇଲା

କୃତିହା ପୁରୁଷ ଦେଖି ବେଗେ ପଳାଇଲା ।

ସେହିକ୍ଷଣି ଲେଉଟିଣ ଗଲାକ ପଳାଇ

କାଶିପୁରେ ପ୍ରବେଶିଲା ଅତି ତ୍ଵରା ହୋଇ ।

କାଶୀପୁରେ ସେ କାଶୀନନ୍ଦନ ରାଜାକୁ

କୁଟୁମ୍ବର ସହିତରେ ନାଶିଲା ତାହାକୁ ।

ହୋମଠାରେ ଯେଉଁମାନେ ଥିଲେ ଆଚାର୍ଯ୍ୟ

ସବୁ ବ୍ରାହ୍ମଣଙ୍କୁ ଧରି କଲାକ ଦହିର୍ଯ୍ୟ ।

ସୁଦର୍ଶନ ଚକ୍ର ପଛେ ଗୋଡ଼ାଇଣ ଥିଲା

କାଶୀପୁର ଘରଯାକ ସବୁ ପୋଡ଼ିଦେଲା ।

ଏହାକୁ ଯେ ଏକଚିତ୍ତେ ପଢ଼ଇ ଶୁଣଇ

ମହାପାତକ ତା ପାଶେ କେବେହେଁ ନ ଯାଇ ।

ଶୁକମୁନି ବୋଲନ୍ତି ହୋ ଶୁଣ ନୃପବର

ନାରକାର ଥାଟେ ଦେଶ ଦ୍ଵିବନ୍ଦ ବାନର ।

ଅନେକ ଅନେକ ଦେଶ ଅଇଲା ଉଜାଡ଼ି

ସକଳ ରାଜା ପଳାଇ ଗଲେ ଦେଶ ଛାଡ଼ି ।

ବନ ପର୍ବତ ମାନଙ୍କୁ ମୁଣ୍ଡେ ବୋହିନେଇ

ପ୍ରଜାମାନଙ୍କୁ ମାରଇ ରୋଷଭର ହୋଇ ।

ମହାକୋପ କରିଣ ସେ ସିନ୍ଧୁ ଭିତରେଣ

ପାଣି ତୋଳିଣ ଆଣଇ ହୁଂକାର କରିଣ ।

ସମୁଦ୍ର କୁଳରେ ଥିଲେ ଯେଉଁ ଯେଉଁ ଦେଶ

ଜଳ ବୃଷ୍ଟି କରି ସେହୁ ସବୁ କଲା ନାଶ ।

ଉତ୍ତମ ସ୍ତିରୀମାନଙ୍କୁ ଅନ୍ତରୀକ୍ଷେ ନେଇ

ପର୍ବତ ଖୋଲି ଭିତରେ ପୂରାଇ ରଖଇ ।

ତାହାଙ୍କ ଉପରେ ସେହୁ ଘୋଡ଼ାଇ ପର୍ବତ

ତହିଁ ମଧ୍ୟରେ ରଖିଣ ହରଇ ସମସ୍ତ ।

ଏସନକ ପରକାରେ ସବୁ ନାଶ କଲା

ଏହି ପ୍ରକାରେ ସକଳ ଦେଶ ଉଜାଡ଼ିଲା ।

ତଦନ୍ତେ ଆସିଣ ଉପବନ ପ୍ରଦେଶରେ

ପଡ଼ିଲାକ ଆସି ବଳରାମଙ୍କ ଭେଟରେ ।

ଅତି ବଳବନ୍ତ ସେହୁ ରେବତୀର ସାଇଁ

ସେ ଉପବନ ଭିତରେ କ୍ରୀଡ଼ନ୍ତି ସେ ଯାଇଁ ।

ଏମନ୍ତ ସ୍ଵରୂପେ ଯହୁଁ ଦ୍ଵିବିଦ ଦେଖିଲା

ରାମ ମୁଖ ଦେଖିଣ ସେ ଖତାଇ ହୋଇଲା ।

ସେ ବନ ମଧ୍ୟରେ ଯେତେ ଶାଳଶିଳା ଥିଲା

ତା ସବୁ ଉପାଡ଼ି କପି ରାମଙ୍କୁ ଫିଙ୍ଗିଲା ।

ବକ୍ରଗତି କରି ରାମ ତାହା ବଞ୍ଚାଇଲେ

ମୁଷଳ ଧରିଣ ସେହୁ ନିର୍ଭୟେ ରହିଲେ ।

କ୍ରୋଧଭର ହୋଇକରି ବାନର ଧାଇଁଲା

ରାମଙ୍କ ଉପରେ ଦୁଷ୍ଟ ବିଧାଏ ମାଇଲା ।

ବଳରାମ ତା ସଙ୍ଗରେ ବହୁ ଯୁଦ୍ଧ କଲେ

ବଜ୍ର ସମାନରେ ମୁଥ ତାହାକୁ ମାଇଲେ ।

ରାମଙ୍କ ହସ୍ତେ ମହାଆଘାତକୁ ପାଇ

ଯମ ମନ୍ଦିର ଦ୍ଵିବିଦ ଦେଖିଲାକ ଯାଇ ।

ସେହି ବାନରକୁ ବଳରାମ ବଧ କଲେ

ଦ୍ଵାରକା ପୁରକୁ ରାମ ବେଗେ ଚଳିଗଲେ ।

ବଳରାମ ପ୍ରଭୁଙ୍କର ପାଦପଦ୍ମ ତଳେ

ଦୀନ ଅଚ୍ୟୁତ ନମଇ ଅତି ଭାବଭୋଳେ ।

 

ଶାମ୍ବର ଲକ୍ଷଣ କନ୍ୟା ପରିଣୟ

 

ଶୁକ ବୋଇଲେ ଶୁଣ ପରୀକ୍ଷ ନୃପବର

ଲକ୍ଷଣା କନ୍ୟାର ଯେହ୍ନେ ହେଲା ସ୍ଵୟମ୍ବର ।

ଦୁର୍ଯ୍ୟୋଧନ ରାଜାଙ୍କର ଝିଅ ସେ ଅଟଇ

ସୁନ୍ଦର ପଣେ ତାହାକୁ ପଟାନ୍ତର ନାହିଁ ।

ସମାରୋହେ ରାଜା କରିଅଛି ସ୍ଵୟମ୍ବର

ତହିଁ ମିଳି କୃଷ୍ଣ ପୁତ୍ର ଶାମ୍ବ ମହାବୀର ।

ମାଳା ଦେଇଣ ସେ କନ୍ୟା କାହାକୁ ନ ବରି

ନୃପତିମାନଙ୍କ ରୁପ ଦେଖୁଥିଲା ହେରି ।

ରଙ୍ଗସଭା ମଧ୍ୟେ କନ୍ୟା ଅଛି ଉଭାହୋଇ

ଶାମ୍ବ କୁମର ଧଇଲା ବଳେ ତାକୁ ଯାଇଁ ।

ବେନି ଭୁଜେ ତୋଳି ରଥ ଉପରେ ଥୋଇଲା

ଦ୍ଵାରକାକୁ ଯିବାପାଇଁ ଉଦଯୋଗ କଲା ।

ଏମନ୍ତ ଚରିତ ଦେଖ କୁରୁବୀର ମାନେ

ବିଡ଼ମ୍ବନ ଦେଖି କ୍ରୋଧ ପାଇଲେକ ମନେ ।

ମହାରଥୀ ଭୀଷ୍ମଙ୍କର ଅଗ୍ରେ ଜଣାଇଲେ

କୁରୁବୀରମାନେ ଅତି କୋପେଣ ଧାଇଁଲେ ।

କର୍ଣ୍ଣ ଶକୁନିର ମୁଳେ ବୀର ଦୁଃଶାସନ

ଭୁରିଶ୍ରବା ଆଦିକରି ରାଜା ଦୁର୍ଯ୍ୟୋଧନ ।

ସମସ୍ତେ ହିଁ ଏକମୁଖ ହୋଇଣ ଧାଇଁଲେ

ଶାମ୍ବ କୁମରକୁ ବେଢ଼ି ବାଣ ବୃଷ୍ଟି କଲେ ।

ହସ୍ତେ ଧନୁ ଧରି ଜାମ୍ବବତୀର କୁମର

ସବୁ ଶର ଛେଦି ପକାଇଲା ତାହାଙ୍କର ।

ଷଢ଼ରଥୀ ବେଗୁ ବେଗେ ଯାଇଣ ଭେଟିଲେ

ସହସ୍ର ସହସ୍ର ବାଣ ତାହାକୁ ମାରିଲେ ।

ଏକାହୋଇ ଶାମ୍ବବୀର କିଛିହିଁ ନ ଡରି

କୋପେ ଶର ବୃଷ୍ଟି କଲା ଦ୍ରୋଣ ମେଘ ପରି ।

ସେ ବାଣାଘାତରେ ପୀଡ଼ା ପାଇ କୁରୁବଳ

ଥୋକେ ଭାଜିଗଲେ ଥୋକେ ହୋଇଲେ ଆକୁଳ ।

ଏହାଦେଖି ଷଢ଼ରଥୀ ଏକଯୋଗ ହୋଇ

ଅଧର୍ମରେ ଯୁଦ୍ଧ କଲେ ଧର୍ମକୁ ନ ଚାହିଁ ।

ପାପ ପୁଣ୍ୟ କଥା କେହି ବିଚାର ନ କରି

ଏକମୁଖ ହୋଇ ସର୍ବେ ନାନା ଶସ୍ତ୍ର ମାରି ।

ସାରଥୀ ସହିତ ନେଲେ ଘୋଡ଼ାଙ୍କର ପ୍ରାଣ

କବଚ ତୁଣୀର କାଟି କଲେ ରଣଭଣ ।

ହସ୍ତର ଧନୁ ତାହାର କାଟି ପକାଇଲେ

ସର୍ବେ ବେଢ଼ିଣ ତାହାକୁ ବିରଥୀ କରିଲେ ।

କୁମର କନ୍ୟା ଦୁହିଙ୍କି ଧଇଲେ ଯାଇଣ

ହସ୍ତିନାପୁରେ ତାହାଙ୍କୁ ରଖିଲେ ବାନ୍ଧିଣ ।

ଏ କଥା ଜାଣି ନାରଦ ଯାଇ ଅତି ବେଗେ

ଦ୍ଵାରକାରେ ଜଣାଇଲେ ଶ୍ରୀକୃଷ୍ଣଙ୍କ ଆଗେ ।

ସାବଧାନ ହୋଇ ଶୁଣ ଦେବ ଚକ୍ରଧର

ଦୁର୍ଯ୍ୟୋଧନ ଶାମ୍ବକୁ ଯେ ଧଇଲା ତୋହର ।

ଅଧର୍ମ ସମର କୁରୁବୀରମାନେ କଲେ

କୁମର ପ୍ରତି ସେମାନେ ଉପ୍ରୋଧ ନ କଲେ ।

ଦୁର୍ଯ୍ୟୋଧନ ଆଦି ବେଢ଼ିଥିଲେ ଷଢ଼ରଥୀ

ଅଧର୍ମ ଯୁଦ୍ଧ କରିଣ କଲେକ ବିରଥୀ ।

ମୁନି ମୁଖୁ ବାରତା ପାଇଣ ଉଗ୍ରସେନ

ବୋଇଲେ ସେ ବେଗକରି ସାଜ ହୋ ସଇନ୍ୟ ।

ହସ୍ତିନା ପୁରକୁ ବେଗେ କରିଣ ବିନାଶ

ଶାମ୍ବ ଲକ୍ଷଣାକୁ ସର୍ବେ ତହୁଁ ଘେନି ଆସ ।

ଉଗ୍ରସେନଙ୍କର ଆଜ୍ଞା ପାଇଣ ବୀରଗଣେ

ସଇନ୍ୟ ଘେନିଣ ସଜ ହୋଇଲେ ବହନେ ।

ଉଗ୍ରସେନଙ୍କର ସଜ ଦେଖି ରାମ କହି

ହସ୍ତିନାକୁ ସୈନ୍ୟ ଯାଉଛନ୍ତି କାହିଁପାଇଁ ।

ଆମ୍ଭେ ହସ୍ତିନା ଭୁବନେ ବିଜେ କରିଯିବୁ

ଶାମ୍ବ କୁମରକୁ ତହୁଁ ଘେନିଣ ଆସିବୁ ।

ବଳରାମ ମହାପ୍ରଭୁ ଯାହା ଦେଲେ ଆଜ୍ଞା

ଦେହ ବହି କିଏ ଅବା କରିବ ଅବଜ୍ଞା ।

ତେଜୋମୟ ଅଟଇ ସେ ତାଳଧ୍ଵଜ ରଥ

ଆପଣେ ଚଢ଼ିଲେ ଘେନି ସବୁ ଅସ୍ତ୍ର ଶସ୍ତ୍ର ।

ବୃଦ୍ଧ ଯାଦବ ଯେତେକ ଉତ୍ତମ ଲୋକଙ୍କୁ

ସଙ୍ଗତରେ ଘେନିଗଲେ ହସ୍ତିନାପୁରକୁ ।

ହସ୍ତିନାପୁର ଭବନ ଉପବନେ ରହି

ଉଦ୍ଧବଙ୍କୁ ପଠାଇଲେ ସବୁ କଥା କହି ।

ଆବର କହିଲେ ତୁମ୍ଭେ ହସ୍ତିନାକୁ ଯାଅ

ଆମ୍ଭର ଆସିବା ମାନଗୋବିନ୍ଦଙ୍କୁ କହ ।

ରାମ ଆଜ୍ଞାରେ ଉଦ୍ଧବ ହସ୍ତିନାକୁ ଚଳି

ଧୃତରାଷ୍ଟ୍ରଙ୍କର ଆସ୍ଥାନରେ ଯାଇ ମିଳି ।

ଭୀଷ୍ମ ଦ୍ରୋଣ ଆଦିକରି ସବୁଙ୍କୁ ଭେଟିଲେ

ବଳରାମ ଆସିବାର ବାରତା କହିଲେ ।

ଶୁଣି ଆନନ୍ଦିତ ହେଲା ସେ କୁମରମଣି

ଦୁର୍ଯ୍ୟୋଧନ ଆଦି କୁରୁବୀରମାନେ ଶୁଣି ।

ବାର୍ତ୍ତାପାଇ ସମସ୍ତେ ହିଁ ଅର୍ଘ୍ୟ ଘେନି କରେ

ରାମଙ୍କୁ ଆଣିବା ପାଇଁ ଗଲେ କୁରୁବୀରେ ।

ଉପବନର ଭିତରେ ତାହାଙ୍କୁ ଦେଖିଲେ

ଯେ ଯାହାର ଅନୁରୁପେ ମାନ୍ୟଧର୍ମ କଲେ ।

ମହା ହରଷ ହୋଇଣ କୁରୁବୀରମାନେ

କରଯୋଡ଼ି ଉଭାହେଲେ ରାମ ସନ୍ନିଧାନେ ।

ବଳରାମ ପଚାରନ୍ତି ଶୁଣ ଭୀଷ୍ମ ଦ୍ରୋଣ

ରାଜାଙ୍କ ଉପରେ ଯେଉଁ ରାଜା ଉଗ୍ରସେନ ।

ତାଙ୍କ ଶ୍ରୀମୁଖରୁ ଆଜ୍ଞା ହୋଇଛି ତୁମ୍ଭଙ୍କୁ

କହିବା ପାଇଁ ବରଗି ଅଛନ୍ତି ଆମ୍ଭଙ୍କୁ ।

ଏକଚିତ୍ତ ହୋଇଣ ଯେ ତୁମ୍ଭେମାନେ ଶୁଣ

ଏ ଆଜ୍ଞା କଥା ଗୋଟିକ ନିୟତ ପ୍ରମାଣ ।

ଅଧର୍ମ ଆଚାର କରି ସମସ୍ତେ ଯୁଝିଲ

କିପାଁ କଅଁଳା ପୁଅକୁ ଅଦୋଷେ ମାଇଲ ।

ଏ ସମସ୍ତ କଥାମାନ ନ ବୁଝିଲ ତୁମ୍ଭେ

ତୁମ୍ଭର ଏ ସବୁ ଦୋଷ ଉପେକ୍ଷିଲୁ ଆମ୍ଭେ ।

ଯାହାଙ୍କର ସଙ୍ଗତେ ହୋ ବନ୍ଧୁପଣ କରି

ଯେତେ ଦୋଷ କରିଲେ ହେଁ ସବୁ ପରିହରି ।

ଶାମ୍ବ କୁମର ସହିତ ତୁମ୍ଭର ଯେ ଝିଅ

ଦୁହିଁଙ୍କ ଚିତ୍ତ ମିଳନ୍ତେ ହେଲେ ପତି ପ୍ରିୟ ।

ସେ କଥା କିଛି ନ ବୁଝି ଯୁଦ୍ଧ ଆରମ୍ଭିଲ

ଅଦୋଷେ ବନ୍ଧନ କରି ପୁତ୍ରକୁ ରଖିଲ ।

ତେଣୁକରି ମହାରାଜା ଆମ୍ଭଙ୍କୁ ପେଷିଲେ

ସବୁ କଥା କହିବାକୁ ଆମ୍ଭଙ୍କୁ କହିଲେ ।

ରାମଙ୍କ ମୁଖରୁ ଏହା ଶୁଣି କଉରବେ

ପରସ୍ପରେ ଚୁହାଁଚୁହିଁ ହୋଇଲେ ସରବେ ।

କ୍ରୋଧାଗ୍ନିରେ ଜଳିଉଠି ବୋଲନ୍ତି ସକଳେ

କାନରେ ଶୁଣିଲୁ ଏହା କର୍ମର ଅବଳେ ।

ପାଦ ସେବାକରି ଲୋକ ମସ୍ତକେ ବସଇ

ଚର୍ମର ପାଦୁକା ଅବା ଗର୍ବେ ଏହା କହି ।

ଆମ୍ଭର ସଙ୍ଗରେ କିସ ହେବ ବନ୍ଧୁପଣ

ପାଇବ ଟିକି ଶ୍ରୀକୃଷ୍ଣ ରାଜାଙ୍କ ଆସନ ।

ଆମ୍ଭଙ୍କୁ ଆଜ୍ଞା ସେହୁଟି ଦ୍ୟନ୍ତି କାହିଁପାଇଁ

ଭୀଷ୍ମ ଦ୍ରୋଣ କର୍ଣ୍ଣାର୍ଜୁନ ଅଛନ୍ତିଟି ଯହିଁ ।

ଏହି କୁରୁସାଗରରେ ସର୍ବେ ଛନ୍ତି ରହି

ଏ କଥା ଗୋଟା ତାଙ୍କର ମନରେ କି ନାହିଁ  

ଇନ୍ଦ୍ର ନ ପାରଇ ଯେଉଁ ରାଜ୍ୟେ ପଶିବାକୁ

ମଞ୍ଚରେ କିଏ ବା ଅଛି ସମାନ ହେବାକୁ ।

ରାମଙ୍କୁ ଏମନ୍ତ କହି କଉରବଗଣ

ହସ୍ତିନା ପୁରକୁ ଚଳିଗଲେ ତତକ୍ଷଣ ।

ଏମନ୍ତ ଦେଖିଣ ବଳରାମ କୋପକଲେ

ସଙ୍ଗରେ ଥିବା ଲୋକଙ୍କୁ ବେଗେ ଆଜ୍ଞାଦେଲେ ।

ଦୁଷ୍ଟ ପାମର ଅଟଇ ଏହି କୁରୁରାଣ

ମଞ୍ଚପୁର ମହାରାଜା ଅଟେ ଉଗ୍ରସେନ ।

ଇନ୍ଦ୍ର ଆଦିକରି ଦଶଦିଗପାଳ ପତି

ଯାହାଙ୍କ ସେବା କରନ୍ତି ହୋଇ ବଶବର୍ତ୍ତୀ ।

ସୁଧର୍ମା ସଭା ମାଡ଼ିଣ ଯେ ଲୋକ ବସଇ

ସେ କି ମହାରାଜାପଣେ ଗଣନା ନୁହଇ ।

ସ୍ଥାପି ଅଛନ୍ତି ଯାହାକୁ ପ୍ରଭୁ ଚକ୍ରଧର

ଛାମୁରେ କଥା କହନ୍ତି ଯୋଡ଼ି ବେନିକର ।

ଉଗ୍ରସେନ ମହାରାଜା ଏମନ୍ତ ଅଟଇ

ଇନ୍ଦ୍ରଦେବତା ନମନ୍ତି ଯାହାର ପାଦେହିଁ ।

ସେ ରାଜାର ପାଦତଳେ ଆମ୍ଭେ ସଦା ଥାଉଁ

ଆମ୍ଭର ମୁକୁଟ ତାଙ୍କ ପାଦେ ତଳେ ଯହୁଁ ।

ଯେବଣ ରାଜାର ପାଦଦୋକ ମୋକ୍ଷପାଇଁ

ଯାହା ତହିଁ ତୀର୍ଥଜଳ ସମାନ ନୁହଇ ।

ଲକ୍ଷ୍ମୀ ଯାହାଙ୍କର ନିତ୍ୟ ଭଜଇ ଚରଣ

ସେ ରାଜାଙ୍କୁ ନିନ୍ଦାକରେ ମୁର୍ଖ କୁରୁରାଣ ।

ଏମନ୍ତ ବୋଲିଣ ରାମ ମହାକୋପ କଲେ

ସୌନନ୍ଦ ମୁଷଳ ତହୁଁ ହସ୍ତରେ ଘେନିଲେ ।

ପୃଥିବୀ ମଧ୍ୟରେ ଯେତେ କୁରୁବୀରେ ଛନ୍ତି

ନିର୍ବଂଶ କରିଣ ମୁହିଁ ମାରିବି ଏ ଘାନ୍ତି ।

ଏମନ୍ତ ପ୍ରତିଜ୍ଞାମାନ କରି ହଳଧର

ବେଗେ ଯାଇଣ ମିଳିଲେ ହସ୍ତିନା ପାଶର ।

ହସ୍ତିନାପୁରକୁ ରାମ ଲଙ୍ଗଳେ ତାଡ଼ିଲେ

ଉପାଡ଼ି ପକାଇବାକୁ ମନେ ବିଚାରିଲେ ।

ମନେ ପାଞ୍ଚିଲେ ଗଙ୍ଗାରେ ପକାଇବା ନେଇ

ହସ୍ତିନା ଲୋକେ କମ୍ପିଲେ ଥରହର ହୋଇ ।

ନିଶ୍ଚୟେ ପଡ଼ିବେ ବୋଲି ସମସ୍ତେ ଭାଳିଲେ

ଭୟେ ଆର୍ତ୍ତ ହୋଇକରି ସର୍ବେ ଡାକଦେଲେ ।

ଜୟ ଜୟ କାମପାଳ ଜୟ ହଳଧର

ଜୟ ବଳରାମ ପ୍ରଭୁ ତ୍ରୈଲୋକ୍ୟ ଠାକୁର  

ବାସୁକିର ସସ୍ରେ ଶିର ମୁକୁଟ ଅଟଇ

ସେ ବାସୁକି ତୋତେ ଦିନରାତି ଖଟିଥାଇ ।

ସଂଖ୍ୟା କେ କରିବା କେତେ ଅଛି ବସୁନ୍ଧରୀ

ସେଥିରେ ଜୀବ ଜନ୍ତୁଏ ଯେତେ ଛନ୍ତି ପୁରି ।

ତୋହ ବିନା ତାଙ୍କୁ ରଖିବାକୁ କେହି ନାହିଁ

ଏ ସଂକଟରୁ ଆମ୍ଭଙ୍କୁ କର ପରିତ୍ରାହି ।

ଏମନ୍ତ ବୋଲିଣ କୁରୁବଳ ଡାକଦେଲେ

ଲକ୍ଷଣା କନ୍ୟାକୁ ନେଇ ଛାମୁରେ ଅର୍ପିଲେ ।

କୁମାର କୁମାରୀ ଦୁଇ ଆଗ କରିଛନ୍ତି

ଅତି ଆରତେ ଶରଣ ବୋଲିଣ ଡାକନ୍ତି ।

ଲକ୍ଷଣା ଶାମ୍ବକୁ ଅଗ୍ରେ ଯହୁଁ ନେଇ ଦେଲେ

ନୟନ ମେଲାଇ ରାମ ତାହାଙ୍କୁ ଚାହିଁଲେ ।

ତତକ୍ଷଣେ ବଳରାମ ଆନନ୍ଦିତ ହୋଇ

ଲଙ୍ଗଳୁ କାଢ଼ି ହସ୍ତିନାପୁର ତଳେ ଥୋଇ ।

ଶ୍ରୀହସ୍ତରେ ହଳଧରି ଉଭାହେଲେ ବୀର

ଦେଖି କୁରୁବୀର ସର୍ବେ ଭୟରେ କାତର ।

ସ୍ୱର୍ଣ୍ଣାଳଙ୍କାରେ ଭୂଷିତ ଆଠ ସସ୍ର ରଥୀ

ବତ୍ସାର ସହିତ ଗାଭୀ ଲକ୍ଷେ ମତ୍ତ ହସ୍ତୀ ।

ଚୋଖାର ଚୋଖାର ସସ୍ର ଘୋଡ଼ା ସେହୁ ଆଣି

ଅନେକ ଦାସୀ ମହିଷି ଦେଲେକ ସେ ପୁଣି ।

ଭୀଷ୍ମ ଦ୍ରୋଣ ଦୁର୍ଯ୍ୟୋଧନ ଦୁଃଶାସନ ଥାଇ

ଏତେକ ଯଉତୁକକୁ ସମ୍ଭାରରେ ଦେଇ ।

ଦ୍ୱାରକାପୁରରେ ଯାଇଁ ହୋଇଲେ ପ୍ରବେଶ

ଦେଖିକରି ହର୍ଷ ହେଲେ ପ୍ରଭୁ ହୃଷୀକେଶ ।

ହସ୍ତିନାପୁରରେ ଯେଉଁ ଯେଉଁ କୃତ୍ୟ କଲେ

ବଳରାମ ସେହି କଥା କୃଷ୍ଣଙ୍କୁ କହିଲେ ।

ମୋହର ମସ୍ତକେ ଥାଉ ଶ୍ରୀକୃଷ୍ଣ ଚରଣ

ଶ୍ରୀଅଚ୍ୟୁତ ଦାସ ପଦେ ମାଗଇ ଶରଣ ।

 

ଜରାସନ୍ଧ ବଧ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ମହାଶୟ

ଶୁକମୁନିଙ୍କ ଚରଣେ କଲେକ ବିନୟ ।

ଲକ୍ଷଣା ଶାମ୍ବର ମୁହିଁ ବିବାହ ଶୁଣିଲି

ଭାଗବତ ଶୁଣି ଗତି ମୁକତି ଲଭିଲି ।

ଏଣିକି କିସ ହୋଇଲା କହ ମହାଯତି

ପୁରାଣ ପୁସ୍ତକ ଫେଡ଼ି ଭଣି ଶୁକଯତି ।

ନାନାଭୂଷଣ ଭୁଷିତ ହୋଇ ଭଗବାନ

ସମ୍ଭ୍ରମେ ବିଜୟ କରି ଅଛନ୍ତି ଆସ୍ଥାନ ।

ବେଗେ ଦାରୁକ ନେଇଣ ରଥ ଯୋଗାବନ୍ତି

ଉଦ୍ଧବ ଅକ୍ରୁର ଆଦି ସର୍ବେ ବସିଛନ୍ତି ।

ନନ୍ଦିଘୋଷ ଆରୋହଣ କରି ହୃଷୀକେଶ

ପୁରରୁ ବାହାର ହୋଇ ଲଭିଲେ ସନ୍ତୋଷ ।

ଅନେକ ପରିବାରୀଏ ସଙ୍ଗତେ ଅଛନ୍ତି

ସୁଧର୍ମା ସଭାରେ ଯାଇ ସମସ୍ତେ ମିଳନ୍ତି ।

ଉତ୍ତମ ଆସନ ମାଡ଼ି ବସିଲେକ ଯାଇ

ତହିଁ ଉପରେ ବିଜୟ ପ୍ରଭୁ ଭାବଗ୍ରାହୀ ।

ସେ ସୁଧର୍ମା ସଭାମଧ୍ୟେ ଯେତେ ଲୋକ ଥିଲେ

ଶ୍ରୀକୃଷ୍ଣଙ୍କର ଦର୍ଶନ ସମସ୍ତେ ପାଇଲେ ।

ଅତ୍ୟନ୍ତ ସୁନ୍ଦର ପୁଣି ଦିଶିଲା ସେ ସଭା

ଜଗମୋହନ ମୁରତି ଅତିଅନ୍ତ ଶୋଭା ।

ଏହି ସମୟର କଥା ଶୁଣ ପରୀକ୍ଷିତ

ସେଠାରେ ମିଳିଲେ ସବୁ ରାଜାଙ୍କର ଦୁତ ।

ସଭା ତଳରେ ପ୍ରଣାମ କରିଣ ଶୋଇଲେ

ଉଠି କରପତ୍ର ଯୋଡ଼ି ବାର୍ତ୍ତା ଜଣାଇଲେ ।

ସବୁ ରାଜାଏ ଆମ୍ଭଙ୍କୁ କହିଛନ୍ତି ଯାହା

କରପତ୍ର ଯୋଡ଼ି ଆମ୍ଭେ ଜଣାଉଛୁ ତାହା ।

ଆହେ ଶ୍ରୀକୃଷ୍ଣ ତୁମ୍ଭେ ତ ଅଟ ମହାବାହୁ

ଆମ୍ଭ ମାନଙ୍କୁ ଉଦ୍ଧାର କରିବା ଯେ ହେଉ ।

ତେଣୁ ଶରଣ ପଶିଲୁଁ ତବ ଚରଣରେ

ଆମ୍ଭଙ୍କୁ ଏ ସଙ୍କଟରୁ ରକ୍ଷାକର ବାରେ ।

ଅନେକ କାଳରୁ ଆମ୍ଭେ ପାଇଛୁ କଷଣ

ଜରାସନ୍ଧ ବନ୍ଦୀ କରି ରଖିଅଛି ଜାଣ ।

ଆମ୍ଭେ ରାଜାଏ ଶରଣ ତୁମ୍ଭର ପାଦର

ଜରା ବନ୍ଧନୁ ଆମ୍ଭଙ୍କୁ ବାରେ ରକ୍ଷାକର ।

ଦଶସସ୍ର ମତ୍ତଗଜ ଜରାସନ୍ଧ ବଳ

ତୁମ୍ଭଙ୍କୁ ସେ ରାଜା ହୋଇଅଛି ଖଳବଳ ।

ସେ ଦୁଷ୍ଟ ରାଜାକୁ ତୁମ୍ଭେ ବେଗେ ଆସି ମାର

ଏ ଦୁଃସହ ସଂକଟରୁ ଆମ୍ଭଙ୍କୁ ଉଦ୍ଧର ।

ରାଜା ମାନଙ୍କର କଥା କହିବା ବେଳରେ

ନାରଦ ଆସି ସୁଧର୍ମା ସଭାରେ ମିଳିଲେ ।

ବଳରାମ କୃଷ୍ଣ ତାଙ୍କୁ ଦେଖିଣ ଉଠିଲେ

ନାରଦ ମହାମୁନିଙ୍କି ମାନ୍ୟ ଧର୍ମ କଲେ ।

ରାମ କୃଷ୍ଣ ଦୁଇଭାଇ ତାଙ୍କ ମୁଖ ଚାହିଁ

କୁଶଳ ବାର୍ତ୍ତା ପୁଚ୍ଛନ୍ତି ଚିତ୍ତେ ତୋଷ ବହି ।

ଭୋ ମୁନି ତୁମ୍ଭେ ଚଉଦ ପୁରେ ଭ୍ରମୁଥାଅ

କାହିଁ କିସ ଦେଖିଅଛ ଆମ୍ଭ ଆଗେ କହ ।

ପଣ୍ଡୁ ପୁତ୍ର ଯୁଧିଷ୍ଠିର କି କରୁଅଛନ୍ତି

ପାଞ୍ଚଭାଇଙ୍କି ଘେନି ସେ କି କି ଆଚରନ୍ତି ।

ଶ୍ରୀକୃଷ୍ଣ ବାକ୍ୟେ କହିଲେ ନାରଦ ମହର୍ଷି

ସାବଧାନ ହୋଇ ତୁମ୍ଭେ ଶୁଣ ହୃଷୀକେଶୀ ।

ତୁମ୍ଭର ମାୟାରେ ଜଡ଼ି ଅଛଇ ଜଗତ

ବିଷ୍ଣୁ ମାୟାରେ ପଡ଼ିଣ ସର୍ବେ ମୋହଗତ ।

ଜଗତଯାକରେ ତୁମ୍ଭେ ପୁରିଛ ଗୋସାଇଁ

ତୁମ୍ଭ ବ୍ୟତୀତ ସଂସାରେ ଆଉ କେହି ନାହିଁ ।

ସଂସାର ପ୍ରାଣୀଙ୍କୁ ରକ୍ଷା କରିବା ନିମନ୍ତେ

ମାନବ ରୂପ ଧରିଣ ଜନ୍ମିଛ ଜଗତେ ।

ତେତିଶ କୋଟି ଦେବତା ତବ ରୂପ ଚିନ୍ତି

ଅନୁବ୍ରତେ ତୋର ନାମ କୀର୍ତ୍ତନ କରନ୍ତି ।

ମନ ନିର୍ମଳ କରିଣ ପାପ ଦୁର କରି

ମୁକତି ମାର୍ଗର ହୋଇଅଛ ଅଧିକାରୀ ।

ଜାଣୁ ଜାଣୁ ତଥାପି ହିଁ ପଚାରୁଛୁ ତୁହି

ଏବେ ଶୁଣ ସବୁକଥା ସାବଧାନ ହୋଇ ।

ସେ ଯୁଧିଷ୍ଠିର ରାଜାର ଯେମନ୍ତ ବିଚାର

ସାବଧାନେ ଶୁଣ ତୁମ୍ଭେ ପ୍ରଭୁ ଚକ୍ରଧର ।

ତୁମ୍ଭ ଶ୍ରୀମୁଖରୁ ଯେବେ ବଚନ ଶୁଣିବ

ରାଜସୂୟ ଯାଗର ସେ ଉଦ୍‌ଯୋଗ କରିବ ।

ସନ୍ଥ ରାଜାମାନଙ୍କର ହୋଇଛି ବିଚାର

ନିର୍ମଳ ଚିତ୍ତରେ ତୁହି ଦେଖିବୁ ଶ୍ରୀଧର ।

ସ୍ୱର୍ଗପୁରେ ଦେବଋଷିଗଣେ ବୋଲୁଛନ୍ତି

ଯାଗକଲେ ଆମ୍ଭେମାନେ ଦେଖିବୁ ଶ୍ରୀପତି ।

ବେଗେଣ ସେହି ସ୍ଥାନକୁ ବିଜେ କରିଯିବୁ

ଯୁଧିଷ୍ଠିର ରାଜାଙ୍କର ବାଞ୍ଛା ପୂରାଇବୁ ।

ନାରଦ ମୁଖୁଁ ଏସନ ଶୁଣିଣ ଶ୍ରୀପତି

ତତକ୍ଷଣେ ଉଦ୍ଧବକୁ ହକାରିଲେ କତି ।

ଶ୍ରୀକୃଷ୍ଣ ବୋଲନ୍ତି ଧର୍ମ ବିଚାରକ ତୁମ୍ଭେ

ବୋଲ କେମନ୍ତ ବିଚାର କରିବା ହେ ଆମ୍ଭେ ।

ରାଜଦୁତ ମାନେ ଆସି କହନ୍ତି ଆମ୍ଭଙ୍କୁ

ଜରା ବନ୍ଦୀ କରିଅଛି ସକଳ ରାଜାଙ୍କୁ ।

ଯୁଧିଷ୍ଠିର ରାଜାଙ୍କର ରାଜସୂୟ କଥା

ଦେବର୍ଷି ନାରଦ ମୋତେ କହିଲେ ବାରତା ।

ବେଗେ ଯାଇ ଜରାସନ୍ଧ ରାଜାକୁ ମାରିବା

କି ଅବା ଯୁଧିଷ୍ଠିରଙ୍କ ଯାଗକୁ ଗମିବା ।

ବିଚାରିଣ ବୋଲ କେଉଁଠାକୁ ଯିବା ଆମ୍ଭେ

ଯେଣୁ ଉତ୍ତମ ବିଚାର କର କିନା ତୁମ୍ଭେ ।

ଏସନକ କଥା ଯହୁ ଶ୍ରୀକୃଷ୍ଣ କହିଲେ

ପ୍ରଣାମ ମରି ଉଦ୍ଧବ ଶିରେ କର ଦେଲେ ।

ଆବର ବୋଇଲେ ତାଙ୍କୁ ବିନୟ ସେ ହୋଇ

ଜଗତଯାକର ସିନା ନାଥ ଅଟୁ ତୁହି ।

ଯୁଧିଷ୍ଠିର ରାଜାଙ୍କର ଯାଗର ନିମନ୍ତେ

ନାରଦ ମହାମୁନି ଯେ କହିଲେ ଅଗ୍ରତେ ।

ତାଙ୍କର ତହିଁକି ଆଗେ ଯିବାକ ଗୋସାଇଁ

ଏକଥା ଗୋଟିକ ପ୍ରଭୋ ଉଚିତ ଅଟଇ ।

ରାଜାମାନଙ୍କର ଯେଉଁ ବନ୍ଦୀର ବ୍ୟବସ୍ଥା

ବର୍ତ୍ତମାନ ନ ବିଚାର ସେ ସକଳ କଥା ।

ତୁମ୍ଭର ନାମ ଅଟଇ ଶରଣ ପଞ୍ଜର

ଯୁଧିଷ୍ଠିର ପାଶେ ଯିବା ଅଟଇ ବିଚାର ।

ଆଗେ ତୁମ୍ଭେ ଇନ୍ଦ୍ରପ୍ରସ୍ଥେ ବେଗେ ଚଳିଯାଅ

ଯୁଧିଷ୍ଠିର ଦେବଙ୍କର ଦରଶନ ପାଅ ।

ରାଜସୂୟ ଯାଗ ଯେବେ ନିଶ୍ଚୟ କରିବେ

ତୁମ୍ଭର ଛାମୁରେ ସେ ତ ମଣାଇ କହିବେ ।

ଜରାସନ୍ଧକୁ ଯଦ୍ୟପି ମାରିବା ହୋ ଜିଣି

ତେବେ ସିନା ତୁମ୍ଭ ଯାଗ ହୋଇଲାକ ପୁଣି ।

ଜରାସନ୍ଧ ନୃପତିର ଦଶସସ୍ର ବଳ

ତାକୁ ଜିଣିବାକୁ କେହି ନାହିଁ ରବିତଳ ।

ଯୁଧିଷ୍ଠିର ନୃପତିଙ୍କି ଏମନ୍ତ ବୋଲିବ

ତୁମ୍ଭର ରାଜୁସି ଯଜ୍ଞ କି ପ୍ରକାର ହେବ ।

ପୁଣି ଉଦ୍ଧବ ବୋଇଲେ ଆହେ ମହାବାହୁ

ଯୁଧିଷ୍ଠିର ଦେବଙ୍କର ଯାଗ କାର୍ଯ୍ୟ ହେଉ ।

ମହାବଳୀ ଭୀମ ଅର୍ଜୁନକୁ ଘେନିଯିବ

ଭୀମର ହସ୍ତରେ ଜରାସନ୍ଧ ମରାଇବ ।

କୁଟକପଟେ ବ୍ରାହ୍ମଣ ବେଶ ଧରି ଯାଇ

ତୁମ୍ଭେ ମାଗିବ ସମର ଜରାସନ୍ଧେ ତହିଁ ।

ତୁମ୍ଭର ପାଖରେ ସେହି ଭୀମସେନ ଥିବ

ଜରାସନ୍ଧକୁ ତାହାର ହସ୍ତେ ମରାଇବ ।

ତେବେ ଯୁଧିଷ୍ଠିର ରାଜା ରାଜୁସି କରିବେ

ତୁମ୍ଭର ପ୍ରସାଦେ ରାଜାମାନେ ମୁକ୍ତ ହେବେ ।

ଉଦ୍ଧବହୁଁ ହରି ଯେଣୁ ଏକଥା ଶୁଣିଲେ

ସାଧୁ ସାଧୁ ବୋଲି ଉଦ୍ଧବଙ୍କୁ ପ୍ରଶଂସିଲେ ।

ଏହି କଥା ଗୋଟିକ ଯେ ରୁଚିଲା ସବୁନ୍ତି

ଉଦ୍ଧବକୁ ସମସ୍ତେହିଁ ପ୍ରଶଂସା କରନ୍ତି ।

ତାହା ଶୁଣି ବେଗେ ଆଜ୍ଞା ଦେଲେ ନାରାୟଣ

ଯାଦବ ସୈନ୍ୟଙ୍କୁ ମୋର ସଜ କରି ଆଣ ।

ଇନ୍ଦ୍ରପ୍ରସ୍ଥକୁ ସତ୍ୱରେ ବିଜେ କରି ଯିବା

ଯୁଧିଷ୍ଠିର ମହାରାଜା ସେଠାରେ ଭେଟିବା ।

ଆଜ୍ଞା ପାଇଣ ଧାଇଁଲେ ସର୍ବ ଯଦୁବୀର

ଯେ ଯାହାର ସୁସଜ୍ଜିତ ହେଲେ ଧାତିକାର ।

କୃଷ୍ଣ ସଙ୍ଗେ ବାହାରିଲେ ସ୍ୟନନ୍ଦରେ ଚଢ଼ି

ବିବିଧ ପ୍ରକାରେ ହାତୀ ଘୋଡ଼ାଙ୍କୁ ସଜାଡ଼ି ।

ତତକ୍ଷଣେ ଦାରୁକ ଯେ ରଥ ସଜ କଲା

ଶ୍ରୀକୃଷ୍ଣଙ୍କର ଛାମୁରେ ଆସି ଜଣାଇଲା ।

ଶୁଣିଣ ପ୍ରଭୁ ଶ୍ରୀକୃଷ୍ଣ ପୁଲକିତ ହୋଇ

ବଳରାମଙ୍କୁ ଦ୍ୱାରକା ପୁରରେ ରୁହାଇ ।

ଆଜ୍ଞା ମାଗିଣ ତାହାଙ୍କୁ ଚଳିଲେ ଶ୍ରୀହରି

ନାରଦ ମହାଋଷିଙ୍କି ବହୁମାନ୍ୟ କରି ।

ରାଜଦୁତଙ୍କୁ ବୋଇଲେ ତୁମ୍ଭେ ବେଗେ ଯାଅ

ନୃପତି ମାନଙ୍କୁ ଆଗେ ତ୍ୱରିତେ ଜଣାଅ ।

ଏମନ୍ତ ବୋଲି ଦୁତଙ୍କୁ ମେଲାଣି ସେ ଦେଲେ

ଆପେ ନନ୍ଦିଘୋଷ ରଥ ଚଢ଼ି ବିଜେ କଲେ ।

ଅପାର ରାଜ୍ୟ ଜିଣିଣ ସମ୍ଭର୍ବେ ଚଳିଲେ

ଇନ୍ଦ୍ରପ୍ରସ୍ଥରେ ଶ୍ରୀକୃଷ୍ଣ ଯାଇଣ ମିଳିଲେ ।

ଚାର ମୁଖରୁ ବାରତା ପାଇଣ ଯୁଧିଷ୍ଠି

ଚାରି ଭାଇଙ୍କି ଘେନିଣ ଆସନ୍ତି ପାଛୋଟି ।

ମହାବୀର ଅଟନ୍ତି ସେ ଭୀମ ଅର୍ଜୁନହିଁ

ସଙ୍ଗେ ଅଛନ୍ତି ତାଙ୍କର ମାଦ୍ରୀ ପୁତ୍ର ଦୁଇ ।

ସର୍ବେ ଆସି ଶ୍ରୀକୃଷ୍ଣଙ୍କୁ ନୟନେ ଦେଖିଲେ

ମହାଆନନ୍ଦ ହୋଇଣ କୋଳାଗ୍ରତ କଲେ ।

ତହୁଁ ତାହାଙ୍କୁ ଦେଖିଣ ପଣ୍ଡୁର ନନ୍ଦନେ

ଶିର ଲଗାଇଲେ ସର୍ବେ ଶ୍ରୀକୃଷ୍ଣ ଚରଣେ ।

ଯୁଧିଷ୍ଠିଙ୍କୁ ଦେଖି ହରି ମାନନା କରିଲେ

ଭୀମସେନ ଅର୍ଜୁନକୁ କୋଳାଗ୍ରତ କଲେ ।

ନକୁଳ ସହଦେବଙ୍କୁ କଲେ ସେହିପରି

ପରମ ସୁଖ ଜନ୍ମିଲା ଅନ୍ତରେ ତାଙ୍କରି ।

କୃଷ୍ଣ ଦେଖିଲେ ମଣ୍ଡିତ ହୋଇଛି କଟକ

ବିବିଧ ପ୍ରକାରେ ହୋଇ ଅଛଇ ଛଟକ ।

ଇନ୍ଦ୍ରପ୍ରସ୍ଥରେ ପୁରୁଷ ସ୍ତିରୀ ଥିଲେ ଯେତେ

ଧାଇଁ ଅଇଲେ କୃଷ୍ଣଙ୍କୁ ଦେଖିବା ନିମନ୍ତେ ।

ନବର ଭିତରେ ପଶିଲେକ ଭାବଗ୍ରାହୀ

ଯେଣୁ କରି ଅଟନ୍ତି ସେ ବ୍ରହ୍ମାଣ୍ଡ ଗୋସାଇଁ ।

କୁନ୍ତୀ ଦେବିଙ୍କୁ ଆପଣେ ଦେଖିଲେ ଶ୍ରୀପତି

ଯେହୁ ଯାହାର ବିଧାନେ ମାନନା କରନ୍ତି ।

ଦ୍ରୌପଦୀ ସୁଭଦ୍ରା ଦୁହେଁ ତ୍ୱରିତେ ଅଇଲେ

ଶ୍ରୀକୃଷ୍ଣଙ୍କ ପାଦତଳେ ପ୍ରଣିପାତ କଲେ ।

ରୁକ୍ମିଣୀ ପ୍ରଭୃତି କୃଷ୍ଣଙ୍କର ଯେତେ ନାରୀ

ଯେଝା ଅନୁରୁପେ ସର୍ବେ ମାନ୍ୟବିଧି କରି ।

ଏମନ୍ତ ପ୍ରକାରେ ତହୁଁ କିଛଦିନ ଯାନ୍ତେ

ଯୁଧିଷ୍ଠି ବୋଇଲେ ଯାଇଁ କୃଷ୍ଣଙ୍କ ଅଗ୍ରତେ ।

ତୁମ୍ଭେ ପ୍ରଭୁ ଶ୍ରୀମୁଖରେ ଆଜ୍ଞା ଯେବେ ଦେବ

ତେବେ ମୋହର ରାଜୁସୀ ଯାଗବିଧି ହେବ ।

ଏମନ୍ତ ବଚନ ଯହୁଁ ଶୁଣିଲେ ଶ୍ରୀପତି

ଯୁଧିଷ୍ଠିର ରାଜାଙ୍କୁ ସେ ବଚନ ବୋଲନ୍ତି ।

ମହତ ପୁରୁଷ ତୁମ୍ଭେ ପୂଣ୍ୟ କର୍ମ କଲେ

ସେ ଫଳରେ ପୂଣ୍ୟଲୋକ ପ୍ରାପ୍ତ ହେବ ଭଲେ ।

ଏବେ ତ୍ୱରିତ ରାଜୁସୀ ଯାଗ ଗୋଟି କର

ବିବିଧ ପ୍ରକାରେ ତୁମ୍ଭେ ଭିଆଅ ସମ୍ଭାର ।

ଇନ୍ଦ୍ର ସମାନ ତୁମ୍ଭର ଛନ୍ତି ଚାରି ଭାଇ

ରାଜାମାନଙ୍କୁ ଆଣିବେ ବରଣ କରାଇ ।

କୃଷ୍ଣଙ୍କର ବଦନରୁ ଏହି ବାକ୍ୟ ଶୁଣି

ଆନନ୍ଦିତ ହେଲେ ଯୁଧିଷ୍ଠିର ନୃପମଣି ।

ଚାରିଦିଗକୁ ତ୍ୱରିତେ ଗଲେ ଚାରିଭାଇ

ନୃପତିଙ୍କୁ ନିମନ୍ତ୍ରଣ କରିବାର ପାଇଁ ।

ଦକ୍ଷିଣ ଦିଗକୁ ବେଗେ ସହଦେବ ଗଲେ

ଆପଣା ସମାନେ ସେହୁ ବଳ ବାଛି ନେଲେ ।

ପୂର୍ବଦିଗକୁ ଚଳିଲେ କୁମାର ନକୁଳ

ତାହାଙ୍କ ସଙ୍ଗରେ ଗଲେ ମତ୍ସ୍ୟଦେଶ ବଳ ।

ପଶ୍ଚିମ ଦିଗକୁ ଭୀମସେନ ଚଳିଗଲେ

ଅନେକ ବଳ ତାଙ୍କର ସଙ୍ଗରେ ଚଳିଲେ ।

ଉତ୍ତରକୁ ଚଳିଗଲେ ଅରଜୁନ ବୀର

ପଞ୍ଚାଳ ସୈନ୍ୟଙ୍କୁ ସଙ୍ଗେ ନେଲେ ତାହାଙ୍କର ।

ନିମନ୍ତ୍ରଣ କରି ସବୁ ରାଜାଙ୍କୁ ଆଣିଲେ

ଅନେକ ଧନ ଘେନିଣ ସେମାନେ ଅଇଲେ ।

ଏକା ଜରାସନ୍ଧ ରାଜା ଆୟତ୍ତ ନୋହିଲା

ଆସିବା ନିମନ୍ତେ ସେହୁ ସ୍ୱୀକାର ନ କଲା ।

ଯୁଧିଷ୍ଠିର ରାଜା ଯହୁଁ ଏ କଥା ଶୁଣିଲେ

ଶ୍ରୀକୃଷ୍ଣ ଛାମୁରେ କର ଯୋଡ଼ିଣ କହିଲେ ।

କେମନ୍ତ ଉପାୟେ ଜରାସନ୍ଧକୁ ଜିଣିବା

ଭୋ ଚକ୍ରପାଣି ଏଥିରେ ବିଚାର କରିବା ।

କରପତ୍ର ଯୋଡ଼ି କୃଷ୍ଣ ବୋଲନ୍ତି ବଚନ

ସମର ମାଗିବୁ ଆମ୍ଭେ ଜରା ସମୀପେଣ ।

ଆମ୍ଭର ସଙ୍ଗତେ ପେଷ ଭୀମ ଅର୍ଜୁନଙ୍କୁ

ତିନିଜଣ ଯାଇ ଯୁଦ୍ଧ ମାଗିବୁ ତାହାକୁ ।

ତୁମ୍ଭେ ଆଜ୍ଞା ଦେଲେ ଆମ୍ଭେ ତିନି ଜଣ ଯିବୁ

ବ୍ରାହ୍ଣଣ ସ୍ୱରୂପ ଧରି ତା ପାଶେ ମିଳିବୁଁ  

ଆମ୍ଭର ଛାମୁରେ କହି ଅଛନ୍ତି ଉଦ୍ଧବ

ଏହା କଲେ ଜରାସନ୍ଧ ନିଶ୍ଚେଁ କ୍ଷୟ ଯିବ ।

ଭୀମସେନ ହସ୍ତେ ଅଛି ତାହାର ମରଣ

ଏ କଥା ଦେବତାଙ୍କର ହୋଇଛି ନିର୍ମାଣ ।

ଯୁଧିଷ୍ଠିର ରାଜା ଶୁଣି ଲଭିଲେ ହରଷ

ଯାହା ଇଛା ହୁଏ ତୁମ୍ଭେ କର ପୀତବାସ ।

ଭୀମ ଅର୍ଜୁନ ଆବର ପ୍ରଭୁ ଚକ୍ରଧର

ଜରାସନ୍ଧ ନିକଟକୁ ଗଲେ ଧାତିକାର ।

ଗୁପତେ ବ୍ରାହ୍ମଣେ ରୂପ ଧରି ତିନିଜଣ

ବେଗେଣ ଭେଟିଲେ ଯାଇଁ ଜରାସନ୍ଧ ରାଣ ।

ସୁବର୍ଣ୍ଣ ସିଂହାସନରେ ବସିଅଛି ରାୟେ

ବ୍ରାହ୍ମଣମାନଙ୍କୁ ଅନୁକ୍ଷଣ ଦାନ ଦିଏ ।

ଏମନ୍ତ ସମୟେ ତିନିଜଣ ପ୍ରବେଶିଲେ

ଜରାସନ୍ଧ ନିକଟରେ ପ୍ରାର୍ଥନା କରିଲେ ।

ଏକଲୟ କରି ହୃଦେ ଭାଳି ନୃପରାଣ

ଏହି ତିନି ପୁରୁଷ ତ ନୁହନ୍ତି ବ୍ରାହ୍ମଣ ।

କ୍ଷତ୍ରୀଙ୍କର ପରାୟେ ତ ଏମାନେ ଦିଶନ୍ତି

ଗଣ୍ଠି ମୁଷ୍ଟିରେ ଏମାନେ ଶୋଭା ପାଉଛନ୍ତି ।

ଜରାସନ୍ଧ ରାଜା ଏହା ବିଚାରି ମନର

ବୋଇଲେ ସେ ତୁମ୍ଭେମାନେ ଶୁଣ ଦ୍ୱିଜବର ।

କେଉଁ ଦ୍ରବ୍ୟ ପ୍ରୟୋଜନ ତୁମ୍ଭମାନଙ୍କର

ହରଷ ମନରେ ତାହା ବୋଲ ମୋ ଆଗର ।

ଆନନ୍ଦ ଲଭିଣ ତହୁଁ ବୋଲନ୍ତି ବଚନ

ସାବଧାନ ହୋଇ ତୁମ୍ଭେ ଶୁଣ ହୋ ରାଜନ ।

ତୋହର ମୁଖରେ ରାଜା ସତ୍ୟ ଉଚ୍ଚାରିବୁ

ଆମ୍ଭେ ଯାହା ମାଗିବୁ ତା ଅବଶ୍ୟ ତୁ ଦେବୁ ।

ସବୁଦିନ ଚିର କଥା ନୁହଇ ଏମାନ

ଏକା ନିଶ୍ୱାସେ ନ ଥାଏ ଜୀବନ ଯେସନ ।

ଏଥି ପୁର୍ବେ ନରପତି ହରିଶ୍ଚନ୍ଦ୍ର ଥିଲା

ପୃଥ୍ୱୀଯାକ ଦାନଦେଇ ସ୍ୱର୍ଗରେ ବସିଲା ।

ଶିବିରାଜା ଆପଣାର ମାଂସ କାଟି ଦେଇ

ଅକ୍ଷୟ ସ୍ୱର୍ଗଧାମକୁ ବେଗେ ଗଲା ସେହି ।

ବଳିରାଜା ବ୍ରାହ୍ମଣରେ ବହୁଦାନ କଲେ

ସେହି ପୁଣ୍ୟବଳେ ସେହୁ ବୈକୁଣ୍ଠ ଲଭିଲେ ।

ଆହୁରି ପର୍ବରେ ଥିଲେ ଅନେକ ନୃପତି

ଏ ମର୍ତ୍ତ୍ୟପୁରେ ଅନେକ କୀର୍ତ୍ତି କରିଛନ୍ତି ।

ଏ ଶରୀରେ ପ୍ରାଣ ତୋର ଅଛି ଏହିକ୍ଷଣି

କେତେବେଳେ ଚାଲିଯିବ କିଏ ଅଛି ଜାଣି ।

ଯେତେବେଳେ ଯାଏ ପ୍ରାଣୀ ଥାଏ ଜୀବନରେ

ସେତେବେଳେ ଯାଏ ନାନା ଧର୍ମ କରିପାରେ ।

ଆମ୍ଭର ବଚନେ ସତ୍ୟ କର ନୃପମଣି

ଗୋଟିଏ କଥା ଆମ୍ଭର ଅଛଇ ମାଗୁଣି ।

ଜରାସନ୍ଧ ରାଜା ସତ୍ୟ କଲାକ ସେକ୍ଷଣି

ମାୟାଧରଙ୍କର ମାୟା ନ ପାରିଲା ଜାଣି ।

ମାଗ ହୋ ବ୍ରାହ୍ମଣ ଯାହା ମାଗିବ ତା ଦେବି

ଶିରକମଳ ହେଲେହେଁ ନିଶ୍ଚେ ସମର୍ପିବି ।

ତାର ସତ୍ୟବାକ୍ୟ ଯହୁଁ ଶୁଣିଲେ ମୋହନ

ବୋଇଲେ ସେ ସାବଧାନେ ଶୁଣ ହୋ ରାଜନ ।

ଆମ୍ଭେ କିମ୍ପାଇଁ ଏଡ଼େକ ଅଧର୍ମ କରିବୁଁ

ଶିରକମଳ ତୋହର କି ଅର୍ଥେ ମାଗିବୁ ।

ଆମ୍ଭଙ୍କୁ ସମର ହାଦେ ଦିଅ ନୃପମଣି

ଏହି କଥା ଆମ୍ଭର ଯେ ଅଟଇ ମାଗୁଣି ।

ଜଣକ ସଙ୍ଗରେ ଆମ୍ଭେ ଜଣକେ ଯୁଝିବା

ଅଧର୍ମ ଯୁଦ୍ଧ କେବେହେଁ ଜାଣ ନ କରିବା ।

ଆମ୍ଭେମାନେ ବ୍ରାହ୍ମଣ ତ ନୋହୁ ଭୋ ରାଜନ

ଏ ଅଟନ୍ତି ଯୁଧିଷ୍ଠିର ଭାଇ ଭୀମସେନ ।

ବସୁଦେବ ସୁତ ମୁହିଁ କୃଷ୍ଣ ନାମ ମୋର

ଦୁଷ୍ଟ ନିବାରଣେ ମୋର ନର ଅବତାର ।

କୃଷ୍ଣମୁଖୁ ଜରା ଯହୁଁ ଏମନ୍ତ ଶୁଣିଲା

ଟହ ଟହ ହୋଇ ସେହି ହସିଣ ଉଠିଲା ।

ବୋଇଲା ଭଲ ହୋଇଲା ଆସିଅଛ ଏବେ

ଏସନକ କଥା ଜାଣି ନ ଥିଲୁ ଯେ ଆମ୍ଭେ ।

ଯେବେ ବୋଲ ଜଣେ ଜଣେ କରିବା ସମର

ତୁମ୍ଭସଙ୍ଗେ ଯୁଝି କିସ ପ୍ରୟୋଜନ ମୋର ।

ଭୟାଳୁ ପୁରୁଷ ତୁମ୍ଭେ ଅଟ ଏ ଜଗତେ

ସମୁଦ୍ରରେ ଲୁଚି ତେଣେ ରହିଛି ଗୁପତେ ।

ଏଣୁ ତୁମ୍ଭ ସଙ୍ଗତରେ ନୁହେଁ ଆମ୍ଭ ରଣ

ମୋ ସଙ୍ଗେ ସମାନ ଯୋଦ୍ଧା ନୁହଇ ଅର୍ଜ୍ଜୁନ ।

ଭୀମ ଅଙ୍ଗେ କିଛି ବଳ ଅଛି ମୁଁ ଜାଣଇ

ତା ସଙ୍ଗେ ସମର କଲେ କେ ନିନ୍ଦିବେ ନାହିଁ ।

ଯୁଝିବାକୁ ଇଚ୍ଛାଥିଲେ ଆସୁ ଭୀମସେନ

ଏତେ ବୋଲି ଲୁହାଗଦା ଦେଲାକ ବହନ ।

ଭୀମସେନ ହାତେ ଗଦା ବେଗେ ନେଇଦେଲା

ଆପଣା ହସ୍ତରେ ଗଦା ଗୋଟିଏ ଘେନିଲା ।

ନଗର ବାହାରେ ଦୁହେଁ ପ୍ରବେଶିଲେ ଯାଇ

ଦେଖିଲେ ସେ ସ୍ଥାନଗୋଟି ସମାନ ଅଟଇ ।

ସେ ସ୍ଥାନକୁ ବେଗେ ଯଆଇ ଯୁଦ୍ଧ ଆରମ୍ଭିଲେ

ବାମ ଦକ୍ଷିଣ ହୋଇଣ ଉଭୟେ ଭ୍ରମିଲେ ।

ଦେହେ ଦେହେ ମିଶାମିଶି ହେଲେ ମରାମରି

ବ୍ରଜ ଯେସନେ ପର୍ବତ ଉପରେ ଉଭାରି ।

ଦୁଇ ଜଣଙ୍କ ଉପରେ ଗଦାମାନ ବାଜି

ଧୁଳି ପରାୟେ ହୋଇଣ ବେଗେ ଗଲା ଭାଜି ।

ଅପାର ବେଳ ପର୍ଯ୍ୟନ୍ତ ଅନେକ ଯୁଝିଲେ

ଦୁଇଜଣ ମଧ୍ୟେ କେହି ନିଊନ ନୋହିଲେ  

ଭୀମସେନ ଅନାଇଲେ ଶ୍ରୀକୃଷ୍ଣ ବଦନ

ଭଲରୁପେ ଜାଣିଲେ ତା ଦେବ ଜନାର୍ଦ୍ଦନ ।

କୁଟାଖଣ୍ଡିଏ ଶ୍ରୀକୃଷ୍ଣ ଶ୍ରୀକରରେ ଧରି

ଚିରି ପକାଇଲେ ତାକୁ ଦୁଇଫାଳ କରି ।

ଏହି ପ୍ରକାରେ ସଙ୍କେତ ଭୀମସେନ ପାଇ

ଜରାସନ୍ଧ ରାଜାକୁ ସେ କଚାଡ଼ିଲା ତହିଁ ।

ଗୋଡ଼େକ ହାତରେ ଧରି ଗୋଡ଼େକ ମାଡ଼ିଲା

ଓଟାରି ଜରାସନ୍ଧକୁ ଦୁଇଫାଳ କଲା ।

ଜରା ରାକ୍ଷସୀ ତାହାର ଦେହେ ଯୋଡ଼ିଥିଲା

ଭୀମସେନ ଧରି ତାକୁ ବେନି ଫାଳ କଲା ।

କଟକର ଲୋକମାନେ କଲେ ହାହାକାର

ସମରେ ପଡ଼ିଲା ଜରାସନ୍ଧ ମହାବୀର ।

ଶ୍ରୀକୃଷ୍ଣ ଅର୍ଜୁନ ଦୁହେଁ ବେଗେ ଉଠିଗଲେ

ଭୀମସେନକୁ ତକ୍ଷଣେ କୋଳାଗ୍ରତ କଲେ ।

ସ୍ୱର୍ଗର ଦେବତାମାନେ କଲେ ଜୟ ଜୟ

ଦୁଷ୍ଟମତି ଜରାସନ୍ଧ ଏବେ ଗଲା କ୍ଷୟ ।

ତାହାର ଜ୍ୟେଷ୍ଠ କୁମର ସହଦେବେ ଆଣି

ରାଜ୍ୟେ ଅଭିଷେକ ତାକୁ କଲେ ଚକ୍ରପାଣି ।

ସହଦେବ ମଘଦେଶେ ରାଜା କରାଇଲେ

ବନ୍ଦୀ ନୃପତିମାନଙ୍କୁ ମୁକୁଳାଇ ଦେଲେ ।

ମଳିନ ବେଶରେ ଥିଲେ ସବୁ ନରନାଥ

କ୍ଷୁଧାରେ ଆତୁର ଥିଲେ ହୋଇଣ ଶଙ୍କିତ ।

ଶ୍ରୀକୃଷ୍ଣଙ୍କ ପାଦତଳେ ସମସ୍ତେ ନମିଲେ

କରପତ୍ର ଯୋଡ଼ି ସର୍ବେ ବଚନ ବୋଇଲେ ।

ଅଚଳ ଭାବରେ ଲକ୍ଷ୍ମୀ ହେଲୁ ଆମ୍ଭେ ପ୍ରାପ୍ତ

ଯେଣୁ ସମସ୍ତେ ଦେଖିଲୁ ଦେବ ଜଗନ୍ନାଥ ।

ନମୋ ନମୋ ନାରାୟଣ ବୋଲି ସ୍ତୁତି କଲେ

ତୁମ୍ଭ ଦିବ୍ୟ ଅବତାର ଦେଖିଲୁ ବୋଇଲେ ।

ଏବେ ଆମ୍ଭମାନଙ୍କୁ ଯେ ଦୟା ହୋଇଥାଉ

ରାଜେଶ୍ୱର ଇଚ୍ଛା ଆମ୍ଭ ନାହିଁ ମହାବାହୁ ।

ତୁମ୍ଭର ଅଭୟ ପାଦେ ଥାଉ ଆମ୍ଭ ଚିତ୍ତ

ଏକଲୟେ ଖଟୁଥିବୁ ଯେହ୍ନେ ଅବିରତ ।

ଏସନକ ସ୍ତୁତି ଶୁଣି ଲକ୍ଷ୍ମୀ ଦେବୀ ପତି

ପ୍ରସନ୍ନ ହୋଇଣ ତାଙ୍କୁ ବଚନ ବୋଲନ୍ତି ।

ଆମ୍ଭର ଆଜ୍ଞା ପ୍ରମାଣେ ତୁମ୍ଭେମାନେ ଯାଅ

ପ୍ରଜାମାନଙ୍କୁ ସୁଖରେ ପ୍ରତିପାଳୁ ଥାଅ ।

ମୋହର ପାଦପଦ୍ମରେ ଚିତ୍ତବୃତ୍ତି ଥିବ

ତୁମ୍ଭଙ୍କୁ ପ୍ରମାଦ ଆଉ କେଭେ ନ ପଡ଼ିବ ।

ପ୍ରାନ୍ତକାଳରେ ସମସ୍ତେ ପାଇବ ସଦ୍‌ଗତି

ଏସନକ ଆଜ୍ଞାଦେଲେ ପ୍ରଭୁ ଶିରୀପତି ।

ଏମନ୍ତ ଆଜ୍ଞା ଦେଇଣ ପ୍ରଭୁ ଭାବଗ୍ରାହୀ

ଜରାସନ୍ଧ କୁମରକୁ ବେଗେ ହକରାଇ ।

ଆଜ୍ଞା ତାହାକୁ ଦିଅନ୍ତେ ପ୍ରଭୁ ପୀତବାସ

ରାଜାମାନଙ୍କୁ କରାଅ ଏବେ ରାଜବେଶ ।

ଦିବ୍ୟ ଆଭରଣମାନ ଦିଅ ତାଙ୍କୁ ନେଇ

ସ୍ନାହାନ ଭୋଜନ ଅନ୍ତେ ସୁବେଶ କରାଇ ।

ଆମ୍ଭର ପାଶକୁ ତାଙ୍କୁ ବେଗେ ଘେନି ଆସ

ଏସନକ ଆଜ୍ଞା ତାକୁ ଦେଲେ ପୀତବାସ ।

ଶ୍ରୀକୃଷ୍ଣ ବଚନ ଶୁଣି ସହଦେବ ବୀର

ତାହାଙ୍କର ଆଜ୍ଞାମାନ ଘେନିଲା ଶିରର ।

ସମସ୍ତ ରାଜାମାନଙ୍କୁ ବେଗେ ଘେନିଗଲା

ବହୁ ଅଳଙ୍କାର ଦେଇ ବେଶ କରାଇଲା ।

ଉତ୍ତମ ରାଜ୍ୟେ ପଦାର୍ଥ ସେମାନଙ୍କୁ ଦେଇ

ରାଜାଙ୍କୁ ଘେନିଣ କୃଷ୍ଣ ଛାମୁରେ ମିଳଇ ।

ଶ୍ରୀହରି ବୋଇଲେ ଏବେ ଯେଝା ରାଜ୍ୟେଯାଅ

ନିଶ୍ଚିନ୍ତ ହୋଇଣ ସର୍ବେ ରାଜ୍ୟ କରୁଥାଅ ।

ବିବିଧ ପ୍ରକାରେ ଯାନ ବାହାନ ସେ ଦେଇ

ଯେ ଯାହାର ରାଜ୍ୟକୁ ସେ ଦେଲେ ପଠିଆଇ ।

ଜରାସନ୍ଧ ପୁତ୍ରେ ମଘଦେଶେ ରାଜାକରି

ବାହୁଡ଼ା ବିଜୟ ତହୁଁ କଲେ ଦେବହରି ।

ଇନ୍ଦ୍ରପ୍ରସ୍ଥର ନିକଟେ ପ୍ରବେଶିଲେ ଯାଇଁ

ଆପେ ଜୟ ଶଙ୍ଖ ବଜାଇଲେ ଭାବଗ୍ରାହୀ ।

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୟ ଶଙ୍ଖ ଶବ୍ଦ ଶୁଣି

ସାନନ୍ଦ ହୋଇଲେ ଯୁଧିଷ୍ଠିର ନୃପମଣି ।

ସମସ୍ତ କଥା ଶୁଣିଣ ହୋଇଲେ ଆନନ୍ଦ

ଯୁଧିଷ୍ଠିର ଆଗେ ଯାଇ ବୋଇଲେ ଗୋବିନ୍ଦ ।

ଭୀମାର୍ଜୁନ ବେନିଭାଇ ଆବର ଶ୍ରୀପତି

ପରମ ସାନନ୍ଦ ହୋଇ ବଚନ ବୋଲନ୍ତି ।

ଯୁଧିଷ୍ଠିର ନରପତି ମନରେ ଭାଳନ୍ତି

ଆମ୍ଭ ମହାପାପ କ୍ଷୟ ଗଲାକ ଏ ଘାନ୍ତି ।

ଦୟାମୟ କୃଷ୍ଣଙ୍କର ଅଭୟ ଚରଣେ

ଅଚ୍ୟୁତ ଦାସର ମନ ରହୁ ଅନୁକ୍ଷଣେ ।

ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣ କମଳେ

ଅଚ୍ୟୁତ ଦାସର ଶିର ନିରନ୍ତର ଲୁଳେ ।

 

ଯୁଧିଷ୍ଠିରଙ୍କର ରାଜସୁୟ ଯାଗ ଓ କୃଷ୍ଣଙ୍କ ଦ୍ୱାରା ଶିଶୁପାଳର ବଧ

 

ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପବର

ପାଦପଦ୍ମେ ପୂଜାକଲେ ଶୁକ ମୁନିଙ୍କର ।

ଜରାସନ୍ଧ ବଧ କଥା ଶ୍ରୀମୁଖୁ ଶୁଣିଲି

ପାପାଧି ମହାପାତକ ଦୁଷ୍କୃତ ହରିଲି ।

ଏଥୁ ଅନନ୍ତରେ କୃଷ୍ଣ କେଉଁ କୃତ୍ୟ କଲେ

ଏହା ମୋତେ ସଂକ୍ଷେପିଣ କହିବାକ ଭଲେ ।

ରାଜାର ବଚନ ଶୁଣି ଶୁକ ମହାଯତି

ବୋଇଲେ ଶୁଣ ହୋ ତୁମ୍ଭେ ସୁଭଦ୍ରାର ନାତି ।

ଯୁଧିଷ୍ଠିର ମହାରାଜା କୃଷ୍ଣଙ୍କୁ ବୋଲନ୍ତି

ବ୍ରହ୍ମା ଇଶ୍ୱର ଉପରେ ଅଟ ତୁମ୍ଭେ ପତି ।

ତୁମ୍ଭର ସମସ୍ତ ଆଜ୍ଞା ଶିରପରେ ଘେନି

ସଂସାର ରଚନା କରିଛନ୍ତି ପଦ୍ମଯୋନି ।

ଜଗତର ନାଥ ତୁମ୍ଭେ ଅକ୍ଷୟ ଅବ୍ୟୟ

ସବୁରି ଆତ୍ମାପୁରୁଷ ଅଟ ପୁଣ୍ୟମୟ ।

ତୁମ୍ଭ ସ୍ତୁତି ନିନ୍ଦା କେହି କରିବାକୁ ନାହିଁ

ହାନି ଅପଚୟ ଅବା ଏଥି ଅଛି କାହିଁ ।

ଯୁଧିଷ୍ଠିର ଦେବଙ୍କର ବଚନ ଶୁଣିଣ

ସାନନ୍ଦ ହୋଇ ବୋଲନ୍ତି ପ୍ରଭୁ ନାରାୟଣ ।

ରାଜସୂୟ କରିବାକୁ ବିଳମ୍ବ ନ କର

ଯାଜକମାନଙ୍କୁ ବେଗେ ନିମନ୍ତ୍ରଣ କର ।

କୃଷ୍ଣ ବଦନୁ ଏମନ୍ତ ଶୁଣି ମହୀପାଳ

ବରିଲେ ତପସ୍ୱୀଜନ ବ୍ରାହ୍ମଣ ସକଳ ।

ବ୍ୟାସ ବଶିଷ୍ଠ ଚ୍ୟବନ ଆବର ଭାର୍ଗବ

ଶୁକଦେବ ନାରଦ ଯେ ପୁଣି ବାମଦେବ ।

ଏମନ୍ତ ଅନେକ ଋଷି ବ୍ରାହ୍ମଣ ମାନଙ୍କୁ

ମାଳା ଚନ୍ଦନ ଦେଇଣ ବରିଲେ ତାହାଙ୍କୁ ।

ଯୁଧିଷ୍ଠିର ବରିଲେକ ସର୍ବ ନୃପବର

ପାତ୍ରମନ୍ତ୍ରୀ ଆଦିକରି ଯେତେ ପରିବାର ।

ଯୁଧିଷ୍ଠିରଙ୍କ ବରଣ ପାଇଣ ରାଜାଏ

ମହାସମ୍ଭର୍ବେ ସମସ୍ତେ କଲେକ ବିଜୟେ ।

ବ୍ରହ୍ମ କ୍ଷତ୍ରି ବୈଶ୍ୟ ଶୁଦ୍ର ଏ ଚାରି ବରିଲେ

ଆଉ କ୍ଷୁଦ୍ର ରାଜା ଯେତେ ପୃଥିବୀରେ ଥିଲେ ।

ଯାଗ ନିମନ୍ତ୍ରଣ ଶୁଣି ସମସ୍ତେ ଆସନ୍ତି

ମହାସୁସ୍ଥ ପାଇଣ ସେ ଆସ୍ଥାନେ ବସନ୍ତି ।

ଏହି ଅନୁକ୍ରମେ ଯାଗ ରାଜୁସି ବରଣ

ନୂତନ ସୁବର୍ଣ୍ଣ ପାତ୍ର ହୁଏ ପ୍ରତିଦିନ ।

ଦେବଙ୍କ ସମୁହେ ବାସୁଦେବ ଛନ୍ତି ରହି

ତହିଁର ସମ୍ପଦ କିସ କହିବଇଁ ମୁହିଁ ।

ବ୍ରହ୍ମାଣ୍ଡ ଆଦି କରିଣ ଦଶ ଦିଗପାଳ

ଗନ୍ଧର୍ବ ଗଣ ସହିତେ ବିଜେ ଆଖଣ୍ଡଳ ।

ଏପରି ତେତିଶ କୋଟି ଦେବତା ମଣ୍ଡଳେ

ଅଧାସ୍ୱର୍ଗେ ରହି ଯାଗ ଦେଖନ୍ତି ସକଳେ ।

ପାତାଳ ଭୁବନୁ ବିଜେ ନାଗ ଲୋକମାନେ

ସେ ଆସି ମିଳିଲେ ଯୁଧିଷ୍ଠିର ଯଜ୍ଞସ୍ଥାନେ  

ଚଉଦ ଭୁବନେ ଲୋକ ବସନ୍ତି ଯେତେକ

ରାଜସୂୟ ଯଜ୍ଞସ୍ଥାନେ ମିଳିଲେ ସେତେକ ।

ସମସ୍ତଙ୍କୁ ଶ୍ରୀକୃଷ୍ଣ ଯେ ଯାଇଣ ଦେଖନ୍ତି

ଆନନ୍ଦସାଗରେ ସର୍ବେ ନିମଜ୍ଜି ଅଛନ୍ତି ।

ରାଜୁସି ଯଜ୍ଞର ଅଟେ ଏମନ୍ତ ବେଭାର

ସମସ୍ତଙ୍କୁ ପୂଜିବାକୁ ହୁଏ ସେ ଦିନର ।

ହସ୍ତେ ଅର୍ଘ୍ୟପାତ୍ର ଘେନି ଯୁଧିଷ୍ଠି ରାଜନ

ଆବର ସେ ଧରିଛନ୍ତି ପୂଜା ଦ୍ରବ୍ୟମାନ ।

ସଭାକୁ ଚାହିଁଣ ପୁଚ୍ଛା କରନ୍ତି ସେ ଆପେ

ସମବେତ ହୋଇଅଛ ବସି ସର୍ବ ନୃପେ ।

କାହାକୁ ପୂଜିବି ଆଗ ପାଦ୍ୟ ଅର୍ଘ୍ୟଦେଇ

ଏକଥା ବିଚାରି ସର୍ବେ ଦିଅ କୋତେ କହି ।

ଯୁଧିଷ୍ଠି ମୁଖରୁ ଶୁଣି ଏସନକ ଗିର

ମଉନେ ବସିଲେ ନୃପେ ନ ଦେଇ ଉତ୍ତର ।

କେହି କାହାକୁ ଆଉ ଯେ ଉତ୍ତର ନ ଦେଲେ

ମଉନ ହୋଇଣ ତହିଁ ସକଳେ ବସିଲେ ।

ଏମନ୍ତ ସମୟେ ଉଠି ସହଦେବ ବୀର

କରଯୋଡ଼ି ବୋଲେ ଶୁଣ ସମସ୍ତେ ମୋ ଗିର ।

ସଭାମଧ୍ୟେ ବସିଅଛ ଲକ୍ଷେ ନୃପରାଣ

ପ୍ରତ୍ୟକ୍ଷେ ମୂର୍ତ୍ତିବନ୍ତ ଯେ ବିଜେ ନାରାୟଣ ।

ଯଜ୍ଞ ହିଁ ଏହି ଜଗତ କରତାହିଁ ରହି

ଅଗ୍ନିରୂପରେ ଏହି ଯେ ଭୁଞ୍ଜନ୍ତି ସବୁହିଁ ।

ଆପଣେ ଯେ ମୂର୍ତ୍ତିବନ୍ତ ହୋଇ ବିଜେ କରି

ତାଙ୍କ ବିନା କେ ହୋଇବ ଅର୍ଘ୍ୟେ ଅଧିକାରୀ ।

ଚୌଦଭୁବନ ଯାକର ଲୋକ ଥିଲେ ଯେତେ

ବ୍ରହ୍ମ ଆଦିକରି କୀଟ ପତଙ୍ଗ ସହିତେ ।

ସମସ୍ତେ ଶୁଣିଣ ଏହା ହୋଇଲେ ହରଷ

ସବୁରି ମନକୁ ଆସେ ପୂଜ ପୀତବାସ ।

ଏକଥାମାନ ତ ସର୍ବ ରାଜାଏ ଶୁଣିଲେ

ସଜ୍ଜନ ରାଜାମାନେ ଯେ ସାଧୁ ସାଧୁ କଲେ ।

ଧନ୍ୟ ଧନ୍ୟ ତୁମ୍ଭେ ସହଦେବ ମନ୍ତ୍ରୀବର

ଏକଥା ତୁମ୍ଭର ଅଟେ ଉତ୍ତମ ବିଚାର ।

ଭୀଷ୍ମଦେବ ଶୁଣିଣ ଯେ ଆନନ୍ଦ ହୋଇଲେ

ଭକ୍ତମାନେ ଶୁଣି ମନେ ସ୍ତୁତି ବଖାଣିଲେ ।

ବ୍ୟାସ ଆଦି ନାରଦ ଯେ ମହା ମହାମୁନି

ସହଦେବଙ୍କୁ ବୋଇଲେ ଧନ୍ୟ ମନ୍ତ୍ରୀମଣି ।

ତାହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହୋଇ

ଆନନ୍ଦାଶ୍ରୁ ତାହାଙ୍କର ନୟନୁ ଗଳଇ ।

ହରଷ ମନରେ ସେହୁ ଉତ୍ସୁକ ହୋଇଲେ

ଶ୍ରୀକୃଷ୍ଣଙ୍କ ପାଦପଦ୍ମେ ଅର୍ଘ୍ୟ ନେଇ ଦେଲେ ।

ଏମନ୍ତ ଦେଖିଣ ସର୍ବେ କଲେ ଜୟେ ଜୟେ

ପୁଣି ଆନନ୍ଦ ହୋଇଲେ ସର୍ବ ଦେବତାଏ ।

ଦୁନ୍ଦୁଭି ବଜାଇ ଦେବେ ଜୟଧ୍ୱନି କଲେ

ଅବିଚ୍ଛିନ୍ନେ ଆକାଶରୁ ପୁଷ୍ପ ବରଷିଲେ ।

ଯୁଧିଷ୍ଠିର କୃଷ୍ଣଙ୍କର ପାଦପଦ୍ମ ଧୋଇ

ସେ ପାଦଉଦକ ଶିରେ ସିଞ୍ଚିହେଲେ ନେଇ ।

ଗର୍ଭ ଭିତରକୁ ତହୁଁ କ୍ଷେପିଲେ ଥୋକାଏ

ଅବଶିଷ୍ଟ ରଖିଲେ ସେ ଯୁଧିଷ୍ଠିର ରାଏ ।

ଦ୍ରୌପଦୀ ଆଦି କରିଣ ପାର୍ଥ ବୃକୋଦର

ନକୁଳ ଯେ ସହଦେବ ଯୋଡ଼ିଛନ୍ତି କର ।

ଶ୍ରୀକୃଷ୍ଣଙ୍କର ଯେତେକ ପାଦର ଉଦକ

ମହାହରଷେ ଗର୍ଭକୁ କ୍ଷେପି ସର୍ବଲୋକ ।

ଯେତେ ଅବଶିଷ୍ଟ ଥିଲା କୃଷ୍ଣ ପାଦନୀର

ତାହା ଭକ୍ଷନ୍ତେ ପବିତ୍ର ହେଲା ତିନିପୁର ।

ସେ ପାଦଜଳ ଯୁଧିଷ୍ଠି ଠାକୁରେ ପାଇଲେ

ତେଣୁ ସୋମବଂଶ ପିତୃଲୋକ ନିସ୍ତରିଲେ ।

ଏକମନେ ଶ୍ରୀକୃଷ୍ଣଙ୍କୁ ଯେ ଜନ ସେବଇ

ରାଜସୂୟ ଯଜ୍ଞଫଳ ସେ ନିଶ୍ଚେ ଲଭଇ ।

ଯୁଧିଷ୍ଠିର ରାଜା ପାଦପଦ୍ମ ପଖାଳିଲେ

ପିନ୍ଧିବା ନିମନ୍ତେ ପୀତବାସ ଆଣିଦେଲେ ।

ଚନ୍ଦନ ବୋଳିଲେ ମାଳା ଆଭରଣ କଲେ

ପ୍ରଣାମ କରିଣ ଶିରେ କର ନିବେଶିଲେ  

ଜୟ ଜୟ ଶବଦରେ ହେଲା ଯହୁଁ ଗୋଳ

କ୍ରୋଧଭର ହୋଇ ତା ନ ସହି ଶିଶୁପାଳ ।

ମହା ଗୁରୁତମେ ଭୁଜ ତୋଳିଣ ଉଠିଲା

ଅତିକ୍ରୋଧେ ଗାଲତୁରି ଦେଇଣ ବୋଇଲା ।

ତପେ ଅଟ ସିଦ୍ଧ ପୁଣି ବୟସରେ ବୃଦ୍ଧ

ଏମନ୍ତ ଲୋକ ବସିଛି ଏହି ସଭା ମଧ୍ୟ ।

ସହଦେବ ବାଳକ ତା ବୁଦ୍ଧି ତୁମ୍ଭେ କଲ

ଅଧମ ଗୋପାଳକୁ ଏ ସଭାରେ ପୂଜିଲ ।

ଯେଉଁ ଗୋପାଳର ଜଣାନାହିଁ କୁଳ ମୁଳ

ରାଜୁସି ଯାଗରେ ଆଗେ ତାହାକୁ ପୁଜିଲ ।

ଅର୍ଘ୍ୟ ପୂଜା ଘେନିବାକୁ ଯୋଗ୍ୟ କିହୋସେହି

ଏହି ଛାର ଅକୁଳାକୁ ଅର୍ଘ୍ୟ ଦେଲ ନେଇ ।

ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ରାଜନ

ପାପିଷ୍ଠ ଅଟଇ ଦମଘୋଷର ନନ୍ଦନ ।

କୃଷ୍ଣନିନ୍ଦା କରି ଯେତେ ଗାଳିଦେଲା ସେହି

ତା ତୋତେ କହିବା ପାଇଁ ଚିତ୍ତ ନ ବଳଇ ।

ସନ୍ଥ ନରପତିମାନେ ତାର ଗାଳି ଶୁଣି

ଚକ୍ଷୁ ବୁଜିଲେ କର୍ଣ୍ଣରେ ଦେଇ ହସ୍ତ ବେନି ।

ଥୋକାଏକ ସଭାମଧ୍ୟୁ ଉଠିଣ ସେ ଗଲେ

ଶ୍ରୀକୃଷ୍ଣଙ୍କ ନିନ୍ଦା ଯହୁଁ ଶ୍ରୁତିରେ ଶୁଣିଲେ ।

ପାଣ୍ଡବମାନେ କର୍ଣ୍ଣରେ ଏ କଥା ଶୁଣିଣ

ବେଗେ ଧାଇଁଲେ ହସ୍ତରେ ଆୟୁଧ ଧରିଣ ।

ତାହା ଦେଖି ଶିଶୁପାଳ କଲା ଗୁରୁତମ

ହସ୍ତରେ ଧଇଲା ବେଗେ ଖଡ଼୍‌ଗ ଶରାସନ ।

ବୋଇଲା ରହରେ ଜାରଜାତ ଦୁଷ୍ଟ ମତି

ନିଃଶେଷ କରି ଆଜ ମୁଁ ମାରିବି ସବୁନ୍ତି ।

ତାହା ଦେଖିଣ ଶ୍ରୀକୃଷ୍ଣ ମନେ ବିଚାରିଲେ

ନିଶ୍ଚୟ ପଞ୍ଚପାଣ୍ଡବେ ଏହା ହସ୍ତେ ମଲେ ।

ମୁଁ ଯଦ୍ୟପି ଆଜ ୟାକୁ ଏଥେ ନ ମାରିବି

କେମନ୍ତେ ଏ ପୃଥ୍ୱୀ ଭାରା ଉଶ୍ୱାସ କରିବି ।

ଏମନ୍ତ ବିଚାର କରି ତହିଁ ଚକ୍ରଧର

ପେଷିଲେକ ସୁଦର୍ଶନ ଚକ୍ର ଧାତିକାର ।

ତକ୍ଷଣେ ଛେଦିଲେ ପ୍ରଭୁ ଶିଶୁପାଳ ମୁଣ୍ଡ

ମହା ବିଷମ ତେଜ ସେ ଦିଶିଲା ପ୍ରଚଣ୍ଡ ।

ସେ ଜ୍ୟୋତି ଗୋଟାକ ବଇକୁଣ୍ଠକୁ ଯେ ଗଲା

ତହୁଁ ଯାଇ ପ୍ରଭୁଙ୍କର ଭେଟ ନ ପାଇଲା ।

ପୁଣିହିଁ ସେଠାରୁ ତେଜ ଲେଉଟିଣ ଆସି

ଚାହୁଁ ଚାହୁଁ ଲୀନ ହେଲା କୃଷ୍ଣଅଙ୍ଗେ ପଶି ।

ଆଦ୍ୟ ଅବତାରେ ଦୈତ୍ୟ ହିରଣ୍ୟ ସେ ହୋଇ

ଦ୍ୱିତୀୟ ଅବତାରେ ସେ ରାବଣ ବୋଲାଇ ।

ତୃତୀୟ ଜନ୍ମରେ ହୋଇଥିଲା ଶିଶୁପାଳ

ଦ୍ୱାପର ଯୁଗେ ପାଇଲା ସେହି ମୋକ୍ଷଫଳ ।

ଗୋବିନ୍ଦଙ୍କୁ ସେ ବଇରୀ ପଣେ ଭଜି କରି

ବାହୁଡ଼ି ପୁଣି ପାଇଲା ବଇକୁଣ୍ଠ ପୁରୀ ।

ଶିଶୁପାଳର ଯେ ମୃତ୍ୟୁ ସମସ୍ତେ ଦେଖିଲେ

ଦୁଷ୍ଟରାଜାମାନେ ଡରେ ପଳାଇଣ ଗଲେ ।

ସର୍ବେ ଶୁଣିଛନ୍ତି ଶିଶୁପାଳର ଯେ କଥା

ସନ୍ଥରାଜାମାନେ ମନୁଁ ଛାଡ଼ି ମନ ବ୍ୟଥା ।

ପାଣ୍ଡବେ ରହିଲେ ତହିଁ କୃଷ୍ଣ ଆଶ୍ରେକରି

ରାଜୁସିଯାଗେ ସମସ୍ତେ ପୁଣ୍ୟ ଯେ ଆଚରି ।

ଭୁରି ଭୋଜନ ଦକ୍ଷିଣାମାନ ବିପ୍ରେ ଦେଲେ

ସବୁ ରାଜାମାନଙ୍କୁ ସେ ତୋଷ କରାଇଲେ ।

ଅମୃତ ସମ ଭୋଜନ ସର୍ବେ ତହିଁ କରି

ତହୁଁ ରାଜାମାନଙ୍କୁ ଯେ ଶ୍ରୀକୃଷ୍ଣ ହକାରି ।

ମେଲାଣି ଦେଲେ ଚାଙ୍ଗଡ଼ାମାନ କରେ ଧରି

ଆନନ୍ଦ ହୋଇ ସମସ୍ତେ ଗଲେ ଯେଝାପୁରୀ ।

ଏକା ଦୁର୍ଯ୍ୟୋଧନ ରାଜା ମନେ ଦୁଃଖ ବହି

ଏକାକୀ ହୋଇ ସଭାରେ ଅଛଇ ସେ ରହି ।

ଶତେଭାଇ ସଙ୍ଗେ ଘେନି ସଭାରେ ରହିଲା

ବାହାରେ ଆନନ୍ଦ କୁଟ ମନରେ ପାଞ୍ଚିଲା ।

ସବୁରିମତେ ସବୁରି ମନେ ବଡ଼ସୁଖ

ଏକା ଦୁର୍ଯ୍ୟୋଧନ ମନେ ପାଉଅଛି ଦୁଃଖ ।

ଥୋକାଏ ଦିନ ଶ୍ରୀକୃଷ୍ଣ ସେଠାରେ ରହିଲେ

ଯୁଧିଷ୍ଠି ରାଜା ଛାମୁରେ ଯାଇ ଜଣାଇଲେ ।

ଦ୍ୱାରକା ମୁଁ ଯିବି ମୋତେ ଦିଅ ଅନୁକୁଳ

ଶୁଣିଣ ଯୁଧିଷ୍ଠି ତହିଁ ହୋଇଲେ ବିକଳ ।

ଅତି ବଡ଼ କଷ୍ଟ ପାଇ ଯୁଧିଷ୍ଠିର ରାୟେ

ପତ୍ନୀ ପରିବାରୀ ଘେନି ଖଣ୍ଡେଦୁର ଯାଏ ।

ଦ୍ୱାରକାପୁରକୁ ବିଜେ କଲେ ଭାବଗ୍ରାହୀ

ଯେଉଁ ଜନ ନିତ୍ୟେ ଏହା ପଢ଼ଇ ଶୁଣଇ ।

ସକଳ ପାପରୁ ତରି ବଇକୁଣ୍ଠ ଯାଏ

ଅପୁତ୍ରୀକ ଜନ ଶୁଣି ଶତପୁତ୍ର ପାଏ ।

ମୁର୍ଖ ଅପଣ୍ଡିତ ଅଟେ ଅଚ୍ୟୁତ ଯେ ଦାସ

ଶ୍ରୀକୃଷ୍ଣ ଶ୍ରୀଚରଣକୁ ବଢ଼ାଇଛି ଆଶ ।

 

ରାଜୁସୀ ସଭାରେ ଦୁର୍ଯ୍ୟୋଧନର ଅପମାନ

 

ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା

ବିନୟେ ପୁଚ୍ଛିଲେ ଶୁକପାଦେ କରି ପୂଜା ।

ଭାଗବତ ପୁରାଣକୁ କହିବା ଗୋସାଇଁ

ଯାଗ ଅନ୍ତେ କିସ ହେଲା କହ କୃପାବହି ।

ଯାଗର ସକଳ ଲୋକ ଲଭିଲେ ସନ୍ତୋଷ

ଦୁର୍ଯ୍ୟୋଧନ ରାଜା କିମ୍ପା ହୋଇଲା ବିରସ ।

ଶୁକ ବୋଇଲେ ହୋଶୁଣ ପରୀକ୍ଷିତ ରାୟେ

ଯାଗର ଭଣ୍ଡାରେ ସେହୁ ଅଧିକାର ପାଏ ।

ରୋଷଘରେ ଅଧିକାରୀ ଅଟେ ଭୀମସେନ

ଭଣ୍ଡାର ର ଅଧିକାରୀ ଅଟେ ଦୁର୍ଯ୍ୟୋଧନ ।

ନୃପତିମାନଙ୍କ ଚର୍ଚ୍ଚା କରେ ସହଦେବ

ନକୁଳ ସାଇତି ରଖେ ଭଣ୍ଡାରରେ ଦ୍ରବ୍ୟ ।

ସନ୍ଥ ରାଜାମାନଙ୍କୁ ସେ କରେ ଆରାଧନ

ସମସ୍ତଙ୍କୁ ଚର୍ଚ୍ଚୁଥାଇ ବୀର ଅରଜୁନ ।

ଏମନ୍ତ ପ୍ରକାରେ ରାଜାସୂୟ ଯଜ୍ଞ କଲେ

ତିନି ଭୁବନର ଲୋକେ ସର୍ବେ ପ୍ରଶଂସିଲେ ।

ଯଜ୍ଞ ସମାପତ କରି ଯୁଧିଷ୍ଠି ରାଜନ

ଭାଇଙ୍କୁ ଘେନିଣ କଲେ ଅବଭୃତ ସ୍ନାନ ।

ସ୍ନାନ ସାରି ନବରକୁ ବିଜେ କଲାବେଳେ

ଅହ୍ୟସ୍ତିରୀ ହୁଳହୁଳି ଦ୍ୟନ୍ତି କୁତୁହଳେ ।

ଏକକୁ ଆରେକ କରିଲେକ ପରିହାସ

ତେଣୁକରି ଉପୁଜିଲା ବହୁତର ରସ ।

ଶ୍ରୀକୃଷ୍ଣଙ୍କର ଅଟନ୍ତି ଯେତେ ପାଟବଂଶୀ

ସମସ୍ତେହିଁ ହୋଇଛନ୍ତି ତହିଁ ମିଶାମିଶି ।

ରୁଣୁଝୁଣୁ ହୋଇ ପାଦ ନୁପୁର ବାଜଇ

ସେ ଧ୍ୱନି ଶୁଣି ଜଗତ ମନକୁ ରଞ୍ଜଇ ।

ରାଜୁସି ଯାଗ ସମ୍ପଦ କି କହିବି ମୁହିଁ

ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଯହିଁ ଅଛନ୍ତି ଟି ରହି ।

ସେହି ସଭା ନିର୍ମାଣିଛି ବିଶ୍ୱକର୍ମା ମୟ

ଶୋଭା ପାଉଅଛଇ ସେ ସୁଧର୍ମାର ପ୍ରାୟ ।

ସେହି ସଭାକୁ ଦେଖିଲେ ମନହୁଏ ମୋହି

କ୍ଷୁଧା ତୃଷା ନିଦ୍ରାଆଦି ତିନି ତହିଁ ନାହିଁ ।

ପାରୁଶରେ ସେବା କରୁଛନ୍ତି ଷଢ଼ଋତୁ

ସେ ସଭାରେ ଥିଲେହେଁ ନ ଥାଇ ଅପମୃତ୍ୟୁ ।

ଅଷ୍ଟ ରତ୍ନରେ ନିର୍ମିତ ଅଟେ ଯେଉଁ ସଭା

ସ୍ଫଟିକ ପରାୟେ ଦିଶେ ପାବଚ୍ଛର ପ୍ରଭା ।

ମର୍କତରେ ନିରିମିତ ଅଟେ ସିଂହାସନ

ଯହିଁରେ ବସନ୍ତି ଦେବ ଯୁଧିଷ୍ଠି ରାଜନ ।

ସେ ସଭାର ଗୁଣ କେତେ କହିବଇଁ ପୁଣ

ଯହିଁ ବିଜେ କରିଛନ୍ତି ଆପେ ନାରାୟଣ ।

କିସ ବା କହିବି ମୁହିଁ ତହିଁର ସମ୍ପତ୍ତି

ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଯହିଁ ବିଜେ କରିଛନ୍ତି ।

ସେ ସଭାରେ ବିଜେ କରିଅଛନ୍ତି ଯୁଧିଷ୍ଟି

ସେବକମାନେ ସକଳ ସନ୍ନିଧିରେ ଖଟି ।

ସେହି ସଭା ହୋଇଅଛି ଏମନ୍ତ ଶୋଭନ

ତହିଁ ଆସିଣ ମିଳିଲା ରାଜା ଦୁର୍ଯ୍ୟୋଧନ ।

ଯୁଧିଷ୍ଠିର ଦେବଙ୍କର ସମ୍ପଦ ଦେଖିଲା

ସେ ମାନଗୋବିନ୍ଦ ତାହା ସହି ନ ପାରିଲା ।

ଦୁର୍ଯ୍ୟୋଧନର ମାନସ ହେଇଛି ବିକଳ

ସଭାକୁ ଉଠନ୍ତେ ବାଟେ ଦେଖିଲାକ ଜଳ ।

ସ୍ଥଳ ମଧ୍ୟେ ଜଳ ମାୟାବଶେ ଦିଶୁଥିଲା

ଦୁର୍ଯ୍ୟୋଧନ ରାଜା ତାହା ଜାଣି ନ ପାରିଲା ।

ଅଳପ କରିଣ ତହିଁ ଉଠାଇ ବସନ

ତାହା ଦେଖିଣ ସମସ୍ତେ କଲେ ହାସ୍ୟମାନ ।

ମନ ମଧ୍ୟେ ମହାକ୍ରୋଧ କଲା ମହାରାୟେ

ମାୟାବିଳ ବୋଲି ସେ ନ ଜାଣି ଚାଲିଯାଏ ।

ସ୍ଥଳହେବ ବୋଲି ତହିଁପରେ ଚାଲିଗଲା

ତହିଁରେ ପଡ଼ିଯାଆନ୍ତେ ବସନ୍ତ ତିନ୍ତିଲା ।

ଏସନକ ପରକାରେ ଦେଖି ଭୀମସେନ

ଉପହାସ କରି ତାଳି ମାରେ ଘନ ଘନ ।

ସେହି ସଭାର ଆଗେଣ ଶ୍ରୀକୃଷ୍ଣ ହସିଲେ

ଭୀମସେନ ବେନିକରେ କରତାଳି ଦେଲେ ।

ହାସ୍ୟ କରିଣ ଉଠିଲେ ସଭାଜନମାନେ

ଦ୍ରୌପଦୀର ସହିତରେ ହସି ସ୍ତିରୀମାନେ ।

ସବୁରି ମୁଖରେ ତହୁଁ ହାସ୍ୟ ସେ ଦେଖିଲା

ତାହାର ମନ ମଧ୍ୟରେ କ୍ରୋଧ ଜାତ ହେଲା ।

ଅପମାନ ପାଇ ସଭାମଧ୍ୟୁ ବାହୁଡ଼ିଲା

କର୍ଣ୍ଣ ଶକୁନି ଦୁଃଶାକୁ ବସାଇ କହିଲା ।

ଆବର କୁରୁବୀରଙ୍କୁ ରାଇ ଦୁର୍ଯ୍ୟୋଧନ

ସକଳ କଥା କହିଲା ଦୁଃଖ ପ୍ରକାଶିଣ ।

ସେ ଦିନୁ ମାନଗୋବିନ୍ଦ କୁବୁଦ୍ଧି ପାଞ୍ଚିଲା

ପାଣ୍ଡବ ଭାଇ ମାନଙ୍କୁ ବହୁ ଦଃଖ ଦେଲା ।

ଯାହାକୁ ରଖିଅଛନ୍ତି ଦେବ ଜନାର୍ଦ୍ଦନ

ତାହାଙ୍କୁ କିସ କରିବ ସେ କୁଟ ପାଞ୍ଚିଣ ।

ଶ୍ରୀକୃଷ୍ଣଙ୍କର ଚରଣ ଭାବଇ ଅଚ୍ୟୁତ

ମୋରଠାରେ କୃପାକର ଆହେ ଜଗନ୍ନାଥ ।

ଅତିହିଁ ଅମୃତ ରସ ଅଟେ ଭାଗବତ

ରାଜୁସୀ ଯଜ୍ଞ ଏଠାରେ ହେଲା ସମାପତ ।

 

ଶାଲ୍ୱ ଦୈତ୍ୟ ବଧ

 

ଶୁକମୁନି ବୋଇଲେ ହେ ଶୁଣ ପରୀକ୍ଷିତ

ପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।

ଶାଲ୍ୱ ରାଜାର ଅଟଇ ଶିଶୁପାଳ ପ୍ରୀତି

ସବୁଦିନେ କୃଷ୍ଣଠାରେ ତାହାର ଅପ୍ରୀତି ।

ରୁକ୍ମିଣୀ ଦେବିଙ୍କ ବିଭାକାଳରେ ସେ ଯାଇ

ଅନେକ ଯେ ଅପମାନ ପାଇଥିଲା ତହିଁ ।

ସେ ଘେନି ଅନେକ ତପେ ଶିବ ଆରାଧିଲା

ତତ୍ପରେ ମହାଦେବଙ୍କୁ ପରିତୋଷ କଲା ।

ଅନେକ ନିଷ୍ଠାରେ ସେହି ଉପବାସେ ରହି

ସୂର୍ଯ୍ୟ ଅସ୍ତ ସମୟରେ ଜଳ ଚଳେ ପିଇ ।

ଏମନ୍ତ ଅନେକ ବର୍ଷ ତପସ୍ୟା ଆଚରି

ତହୁଁ ପ୍ରସନ୍ନ ତାହାକୁ ହେଲେ ତ୍ରିପୁରାରି ।

ମୟ ବିଶ୍ୱକର୍ମାକୁ ସେ ସନ୍ନିଧିକୁ ରାଇ

ବୋଇଲେ ଏହାକୁ ଦିଅ ପୁରେକ ଭିଆଇ ।

ଶାଲ୍ୱ ନରପତିକୁ ସେ ଦେଲେ ଏକପୁର

ପ୍ରସନ୍ନ ହୋଇ ତାହାକୁ ଦେଲେ ବହୁ ଶର ।

ଲୁହାର ପୁରେକ ଯହୁଁ ଦେଲେ ବ୍ୟୋମକେଶ

ବାହୁଡ଼ି ଅଇଲା ଶାଲ୍ୱ ହୋଇଲା ହରଷ ।

ଅନେକ କ୍ଷତ୍ରୀମାନଙ୍କୁ ଯୁଦ୍ଧେ ଜୟକରି

ପ୍ରବେଶ ହୋଇଲା ଆସି ଦ୍ୱାରାବତୀ ପୁରୀ ।

ପାଚେରୀ ଅଟ୍ଟାଳିମାନ ସମସ୍ତ ଭାଙ୍ଗିଲା

ଉଦ୍ୟାନ ତୋଟା ମାନଙ୍କୁ ସେହୁ ନାଶ କଲା ।

ଦ୍ୱାରାବତୀ ପୁର ମଧ୍ୟେ ପଥର ବର୍ଷିଲା

ବରଷାର ଧାରା ପ୍ରାୟ ଶର ବରଷିଲା ।

ସମସ୍ତ କୁମରମାନେ ଧନୁଶର ଧରି

ବେଢ଼ିଲେ ତାହାକୁ ଯାନ ବାହନେ ଉଭାରି ।

ଅନେକ ବାଣ ଘେନିଣ କୁମରେ ବିନ୍ଧିଲେ

ଶାଲ୍ୱ ନରପତିଙ୍କୁ ସେ ସର୍ବେ ଓଗାଳିଲେ ।

ଶାଲ୍ୱ ରାଜା ସେନାପତିମାନେ ଆସୁଥିଲେ

କୁମର ତାହାଙ୍କ ସଙ୍ଗେ ବହୁଯୁଦ୍ଧ କଲେ ।

ପ୍ରଦ୍ୟୁମ୍ନ କୁମର ଶସ୍ତ୍ର ରୋଷଭରେ ମାରି

ଶାଲ୍ୱ ରାଜାଙ୍କର ବଳ ଦେଖି ଅପସରି ।

ସେ ଶାଲ୍ୱ ରାଜାର ପୁତ୍ର ଅଟଇ ଦୁଷ୍ମନ୍ତ

ପଦ୍ମନ ସଙ୍ଗରେ ଯୁଦ୍ଧ କଲା ଅପ୍ରମିତ ।

ପଦ୍ମନ ସଙ୍ଗତେ ସେହୁ ବହୁ ଯୁଦ୍ଧ କଲା

ମୀନକେତନକୁ ବେଗେ ଗଦାଏ ମାଇଲା ।

ଦୁଷ୍ମନ୍ତର ଗଦାଘାତ ପାଇଣ ପଦ୍ମନ

କ୍ଷଣକାଳ ପରିଯନ୍ତେ ହେଲା ମୋହମାନ ।

ସାରଥୀ ରଥ ତାହାର ଆଡ଼ କରି ନେଲା

କ୍ଷଣକ ମାତ୍ରେ ପଦ୍ମନ ଚେତନା ପାଇଲା ।

ଦାରୁକ ପୁତ୍ର ତାଙ୍କର ଅଟଇ ସାରଥି

ତାହାର ମୁଖକୁ ଚାହିଁ ପଦ୍ମନ ବୋଲନ୍ତି ।

ସମର କ୍ଷେତ୍ରରେ ମୋତେ ନିନ୍ଦା କରାଇଲୁ

ମୋହର ରଥ କିପାଇଁ ଘୁଞ୍ଚାଇ ଆଣିଲୁ ।

ଦାରୁକ ପୁତ୍ର ବୋଇଲା ଶୁଣି ଧନୁର୍ଦ୍ଧର

ସାରଥିର ଧର୍ମ ସିନା ଅଟେ ଏ ପ୍ରକାର ।

ସଂଗ୍ରାମରେ ରଥି ଯେବେ ରଥେ ମୋହ ଯାଇ

ସାରଥି ସେଠାରୁ ରଥ ନେବ ଲେଉଟାଇ ।

ସାରଥିର ମୁଖୁଁ ଏମନ୍ତ ଶୁଣିଣ ପଦ୍ମନ

ବୋଇଲା ସେ ସଂଗ୍ରାମକୁ ବାହା ମୋର ଯାନ ।

ଆପଣେ ପୁଣି ହିଁ ଦିବ୍ୟ ଅବତାର ହୋଇ

ପଛେ କାମଧେନୁ ଧରି ଟେକିଲାକ ନେଇ ।

ସେ ଦୁଷ୍ମନ୍ତ ସେନାପତି ଆଗରେ ମିଳିଲା

ବାଣକେ ମୀନକେତନ ତା ମୁଣ୍ଡ କାଟିଲା ।

ଯହୁଁ ଶାଲ୍ୱ ନୃପତିର ସେନାପତି ମଲା

ସଇନ୍ୟଯାକ ତାହାର ଛିନ୍ନ ଛତ୍ର ହେଲା ।

ଗୋଡ଼ାଇ ଯାଦବ ମାନେ ଅନେକ ମାଇଲେ

ଖଣ୍ଡେ ଦୁରୁ ଶାଲ୍ୱ ରାଜା ତାହା ନିରେଖିଲେ ।

ପଦ୍ମନର ସଙ୍ଗତରେ ରଣ ଘୋରତର

ମାୟାଶର ବୀରବର କଲାକ ଅପାର ।

ଚଉକତିରେ ଯାଦବେ ଦେଖୁଛନ୍ତି ରହି

ଜଳ ପରବତ ପୁରିଅଛି ସବୁଠାଇଁ ।

ଯେଣେ ନିରେଖିବ ତେଣେ ଅପ୍ରମିତ ସୈନ୍ୟ

ପଦ୍ମନ କୁମାର କୁ ଯେ ବିନ୍ଧି ସର୍ବେ ବାଣ ।

ଅନେକ ପ୍ରକାର ମାୟାଯୁଦ୍ଧ ସେ ରଚିଲା

ଏହି ପ୍ରକାରେ କୋଡ଼ିଏ ତ୍ରିଂଶଦିନ ଗଲା ।

ତେତେବେଳେ କୃଷ୍ଣ ଦ୍ୱାରାବତୀରେ ନ ଥିଲେ

ରାଜୁସି ଯାଗ ନିମନ୍ତେ ଇନ୍ଦ୍ରପ୍ରସ୍ଥେ ଥିଲେ ।

ଏସନକ ସମୟରେ କୃଷ୍ଣ ଆସୁଛନ୍ତି

ଦୁରହୁଁ ଥାଇଁ ଦେଖିଲେ ଦ୍ୱାରକାର ଗତି ।

ପାଚେରୀ ଦେଉଳ ଆଦି ପ୍ରସାଦ ସକଳ

ସମସ୍ତହିଁ ଭାଙ୍ଗି ହୋଇଅଛି ସମତୁଲ ।

ମହାଘୋର ଯୁଦ୍ଧ କରୁଅଛି ଶାଲ୍ୱବୀର

ପଦ୍ମନ କୁମର ସଙ୍ଗେ ସଂଗ୍ରାମ ତାହାର ।

ଏମନ୍ତ ପ୍ରକାର ଯହୁଁ ଦେଖିଲେ ଶ୍ରୀପତି

ସାରଥି କୁ ରାଇ ଆଜ୍ଞା ବେଗେ ସେ ଦିଅନ୍ତି ।

ଶାଲ୍ୱ ରାଜା ନିକଟକୁ ବାହା ବେଗେ ଯାନ

ଶୁଣିଣ ସାରଥି ରଥ ବାହିଲା ବହନ ।

ନନ୍ଦିଘୋଷ ରଥେ ବସିଛନ୍ତି ଶିରୀପତି

ଗରୁଡ଼ଧ୍ୱଜରେ କପିକେତନ ରାଜନ୍ତି ।

ସେ ରଥ ଦେଖିଲା ଯହୁ ଶାଲ୍ୱ ମହାବୀର

ମହା ତେଯୋବନ୍ତ ଶକ୍ତି ଧଇଲା ହସ୍ତର ।

ଅତି ବେଗେ ଦାରୁକର ଉପରେ ମାଇଲା

ସ୍ୱର୍ଗୁ କି ଉଲୁକା ପାତ ନିଶାର କାଳେ ହେଲା ।

ଶାରଙ୍ଗ ଧନୁରେ ବାଣ ଯୋଚିଣ ଶ୍ରୀପତି

ଏକାବେଳେ କାଟିଲେ ଶାଲ୍ୱରାଜା ଶକ୍ତି ।

ଶାଲ୍ୱରାଜା ତାହା ଦେଖି ବାଣେକ ସନ୍ଧିଲା

ସେ ବାଣ ଯାଇ କୃଷ୍ଣଙ୍କ କରରେ ବାଜିଲା ।

ଶାରଙ୍ଗ ଧନୁ ହସ୍ତରୁ ଖସିଣ ପଡ଼ନ୍ତେ

ତହୁଁ ମହାବିସ୍ମିତ ଯେ ହେଲେ ଜଗନ୍ନାଥେ ।

ଦେଖିକରି ଶାଲ୍ୱରାଜା କୋପେଣ ଗର୍ଜଇ

ମହାକୋପେଣ ବିଷମ ତେଜୋବନ୍ତ ହୋଇ ।

ଶ୍ରୀକୃଷ୍ଣଚନ୍ଦ୍ରେ ଚାହିଁଣ ବୋଲେ ଶାଲ୍ୱ ମୁଢ଼

ସେ ବେଳର ବୁଦ୍ଧି ଏବେ ଛାଡ଼ରେ ଗଉଡ଼ ।

ସମସ୍ତଙ୍କୁ ମାରି ବହିଅଛୁ ମତ୍ତଗର୍ବ

ଗୋତ୍ରସହ ଆଜି ଯମ ଭୁବନକୁ ଯିବ ।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ରକ୍ଷ ମୁଢ଼ ବାଇ

ରୋଷଭରେ ଗର୍ଜିଲେ କି ବଡ଼ଲୋକ ହୋଇ ।

ଏସନକ ବଚନକୁ ବୋଲି ଚକ୍ରଧର

କୌମୋଦିନୀ ଗଦା ନେଇ ମାଇଲେ ହୃଦର ।

ଗଦାବର ବାଜି ଶାଲ୍ୱ ରାଜା ମୋହଯାଇ

କାମରୁପୀ ଦୈତ୍ୟ ମାୟା ବେଶେ ଅଛି ରହି ।

ମାୟାବୀ ଅସୁର ମାୟା କରି ଶାଲ୍ୱ ରାଣ

ମାୟାରେ ସେ ଦୈତ୍ୟ ଏକ ପେଷିଲାକ ପୁଣ ।

କାନ୍ଦି କାନ୍ଦି ଶୋକଭରେ କୃଷ୍ଣଙ୍କୁ କହିଲା

ଦ୍ୱାରକାରେ ପଶି ଶାଲ୍ୱ ବହୁ ଯୁଦ୍ଧ କଲା ।

ବସୁଦେବ ସହିତରେ ସବୁ ବନ୍ଦୀ କଲା

କୁପବର୍ମା ସାତ୍ୟକୀକୁ ବିନାଶ କରିଲା ।

ଏମନ୍ତ ବାର୍ତ୍ତା ଶ୍ରୀକୃଷ୍ଣଙ୍କୁ କହନ୍ତେ ସେ ଦୁତ

ଶାଲ୍ୱ ଆସିଣ ମିଳିଲା ଶ୍ରୀକୃଷ୍ଣ ଅଗ୍ରତ  

ବସୁଦେବ ନାଗପାଶେ ବାନ୍ଧି ଆଣିଅଛି

ଡାହାଣ ହସ୍ତରେ ସେହୁ ଖଡ଼ଗ ଧରିଛି ।

ମାୟାରେ ବସୁଦେବର ମସ୍ତକ କାଟିଲା

ସେ ମସ୍ତକ ଘେନି ଶାଲ୍ୱ ରାଜା ଚଳିଗଲା ।

ଏକଥା ନୟନେ ଯହୁଁ ଦେଖିଲେ ଶ୍ରୀପତି

ଲୋକାଚାରେ ନ ଜାଣିଲା ପରାୟେ ହୁଅନ୍ତି ।

ପୁଣି ହିଁ ନିଜ କରରେ ଶାର୍ଙ୍ଗଧନୁ ଧରି

ତୀକ୍ଷ୍‌ଣ ତୀକ୍ଷ୍‌ଣ ବାଣମାନ ପେଷ ବେଗକରି ।

ତହୁଁ କଉମୋଦୀ ଗଦା ଧରି ଭାବଗ୍ରାହୀ

ଶାଲ୍ୱରାଜା ଲୌହଶର ଭାଙ୍ଗିଣ ପକାଇ ।

ତଦନ୍ତରେ ଶାଲ୍ୱରଥ ଭାଙ୍ଗି ପକାଇଲେ

ରଥଭଗ୍ନ କରି ସେ ବିକ୍ରମ ମୂର୍ତ୍ତି ହେଲେ ।

ବିରଥୀ ହୋଇଣ ଗଦା ଘେନି ଶାଲ୍ୱବୀର

ମହାକୋପରେ ଧାଇଁଲା ଶ୍ରୀକୃଷ୍ଣ ଉପର ।

କୃଷ୍ଣ ପାଶୁପତ ଅସ୍ତ୍ର ଧଇଲେକ ପୁଣି

ଗଦା ସହିତରେ ଭୁଜ ପକାଇଲେ ହାଣି ।

ସୁଦର୍ଶନ ଚକ୍ରଗୋଟି ଧରି ଦେବରାୟେ

ଯେସନେ ଉଚ୍ଚରେ ଦେଖାଯାଏ ସୂର୍ଯ୍ୟପ୍ରାୟେ ।

ହସ୍ତୁ ବେଗେ ସୁଦର୍ଶନ ଚକ୍ର ଛାଡ଼ିଦେଲେ

ଶାଲ୍ୱ ରାଜା ମୁଣ୍ଡ କାଟି ତଳେ ପକାଇଲେ ।

ତାହାର ଯେତେକ ବଳ ଥିଲେ ଉବୁରିଣ

ହାହାକାର କରି ସର୍ବେ କଲେ ପଳାୟନ ।

ଦେବଗଣମାନେ ସର୍ବେ ଲଭିଲେକ ତୋଷ

ଆନନ୍ଦେ ଦେବତାମାନେ କଲେ ଜୟଘୋଷ ।

କୃଷ୍ଣଙ୍କ ଚରିତ ଏହୁ ଅତ୍ୟନ୍ତ ପବିତ୍ର

ଶୁଣିବା ମାତ୍ରକେ ଦେହୁଁ ଛାଡ଼ଇ ଦୁଷ୍କୃତ ।

କୃଷ୍ଣଙ୍କ ଅଶେଷ କୀର୍ତ୍ତି ଅଟେ ଭାଗବତ

ଇଦଂଶାଲ୍ୱ ରାଜା ବଧ ହେଲା ସମାପତ ।

ସନ୍ତୋଷ ଚିତ୍ତେ କହନ୍ତି ବ୍ୟାସଙ୍କ ନନ୍ଦନ

ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ ।

ଶାଲ୍ୱ ନରପତି ମରିବାର ବାର୍ତ୍ତା ଶୁଣି

କ୍ରୋଧରେ ଧାଇଁଲା ଦନ୍ତବକ୍ର ନୃପମଣି ।

ବେନି ହସ୍ତେ ତାର ବେନି ଗଦା ଶୋଭାପାଇ

ବୀର ମୂର୍ତ୍ତିରେ ଧାଇଁଲା ପାଦଗତି ହୋଇ ।

ପ୍ରଥମେ ଯାଇଣ ସେହୁ କୃଷ୍ଣଙ୍କୁ ଭେଟିଲା

ଦନ୍ତବକ୍ର ବୋଲେ ମୋର ବାଞ୍ଛା ସିଦ୍ଧ ହେଲା ।

ସଖା ସୋଦର ମୋହର ଶାଲ୍ୱ ଶିଶୁପାଳ

ଏ ଗଉଡ଼ ହସ୍ତେ ତାଙ୍କ ପୁରିଲାକ କାଳ ।

ଏହି ଗଉଡ଼ ସଙ୍ଗତେ ଆଜ ମୁଁ ଯୁଝିବି

ଗଦାର ପ୍ରହାରେ ୟାର ଜୀବନ ହାରିବି ।

ଦନ୍ତବକ୍ରର ବଚନ ଶୁଣି ଲକ୍ଷ୍ମୀସାଇଁ

କୌମୋଦକି ଗଦା ଘେନି ପଡ଼ିଲେକ ଡେଇଁ ।

ଶ୍ରୀକୃଷ୍ଣ ମିଳିଲେ ଯାଇଁ ଦନ୍ତ ବକ୍ର ଆଗେ

ଦେଖିକରି ଦଇତ୍ୟ ଯେ ଧାଏଁ ଅତି ବେଗେ ।

ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଗଦା ବାଜିକରି

ଉପୁଡ଼ି ପଡ଼ିଲା ଗଦା ଶରୀରେ ଉଭାରି ।

କୃଷ୍ଣ ହସ୍ତେ ଥିଲା କୌମୋଦକୀ ଗଦାବର

ଦନ୍ତ ବକ୍ରର ବୁକୁରେ ମାଇଲେ ସତ୍ୱର ।

ଦନ୍ତବକ୍ର ନରପତି ରକ୍ତ ଉଦ୍‌ଗାରିଲା

ଏକା ପ୍ରହାରକେ ସେହୁ ପ୍ରାଣ ବିସର୍ଜିଲା ।

କୃଷ୍ଣର ଅଙ୍ଗରେ ତାର ପ୍ରବେଶିଲା ତେଜ

ଶାଲ୍ୱରାଜା ପରି ସେହୁ ହୋଇଲା ଦହିର୍ଯ୍ୟ ।

ଐରୀଭାବେ ଶିଶୁପାଳ ପାଇଲାକ ଯାହା

ଦୁଷ୍ଟ ଦନ୍ତବକ୍ର ରାଜା ପାଇଲାକ ତାହା ।

ତାହାର ସଙ୍ଗତେ ପୁଣି ବିଦ୍ୟୁରଥ ଥିଲା

ଦୁରେ ଥାଇଣ ଭାଇର ମରଣ ଦେଖିଲା ।

ଡାହାଣେ ଖଡ଼ଗ ବାମେ ଢାଲ ଗୋଟା ଧରି

ବିକ୍ରମ ଗତିରେ କୃଷ୍ଣ ଛାମୁରେ ଉଭାରି ।

ସୁଦର୍ଶନ ଚକ୍ରବର ଧରି ଚକ୍ରଧର

ବେଗେ କାଟି ପକାଇଲେ ବିଦ୍ୟୁରଥ ଶିର ।

ସାବଧାନ ହୋଇ ଶୁଣ ପରୀକ୍ଷ ରାଜନ

ଆଗେ ନେଇଥିଲେ ପ୍ରଭୁ ପୂତନାର ପ୍ରାଣ ।

ତଦନ୍ତରେ ଦନ୍ତବକ୍ର ସାନ ଭାଇ ମଲା

ଦୁଷ୍ଟ ଦୈତ୍ୟଙ୍କର ମୃତ୍ୟୁ ସମୁଳେ ହୋଇଲା ।

ଦଇତ୍ୟକୁ ମାରି ବିଜେ ଦ୍ୱାରକାରେ ହରି

ରତ୍ନ ମଣ୍ଡିତ ହୋଇଛି ସବୁଙ୍କର ପୁରୀ ।

ତାହା ଦେଖି ଜଗନ୍ନାଥେ ହୋଇଲେ ହରଷ

କହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ  

 

ହରିବଂଶ ଷଷ୍ଠ ଖଣ୍ଡ

ବଳରାମଙ୍କ ତୀର୍ଥ ଭ୍ରମଣ

 

ଏଥୁ ଅନନ୍ତରେ ନୃପ ଶୁଣ ଦିବ୍ୟରସ

ଦ୍ୱାରକା ଭୁବନେ କୃଷ୍ଣ ହୋଇଣ ପ୍ରବେଶ ।

ବସୁଦେବ ବଳଦେବ ଉଗ୍ରସେନ ପାଦେ

ଯଥାବିଧି ପୂଜା କରି ରହିଲେ ଆନନ୍ଦେ ।

ଏହିପରି ଗତହେଲା ତହୁଁ କିଛି ଦିନ

କୁରୁ ପାଣ୍ଡବ ସମର ଶୁଣି ଭଗବାନ ।

ବାରୁଣାବନ୍ତରେ ଯାଇ ପ୍ରବେଶ ହୋଇଲେ

ଅର୍ଜ୍ଜୁନ ରଥରେ ଆପେ ସାରଥି ସେ ହେଲେ ।

ଶ୍ରୀବଳରାମ ଠାକୁର ଯୁଦ୍ଧକୁ ନ ଯାଇ

ତୀର୍ଥ ଭ୍ରମଣ କରିଲେ ବଇରାଗ ପାଇ ।

ସରସ୍ୱତୀ ନଦୀତୀରେ ପ୍ରବେଶ ହୋଇଣ

ସ୍ନାହାନ ସାରିଲେ ତହିଁ ହୋଇ ତୋଷମନ ।

ତଦନ୍ତରେ ଯମୁନାରେ ସ୍ନାହାନ ସାରିଣ

ପ୍ରବେଶ ହୋଇଲେ ତହୁଁ ନୈମିଷା ଅରଣ୍ୟ ।

ସାନ ବଡ଼ ହୋଇ ତହିଁ ଯେତେ ଋଷି ଥିଲେ

ବଳରାମଙ୍କୁ ଦେଖିଣ ସକଳେ ଉଠିଲେ ।

ତାଙ୍କୁ ଦେଖି ପ୍ରଣମନ୍ତି ସର୍ବ ଋଷିମାନେ

ପାଦପୂଜି ବସାଇଲେ ଉତ୍ତମ ଆସନେ ।

ସମସ୍ତ ଋଷିମାନେ ଯେ ମିଳି ସବୁଦିନ

ଶ୍ରବଣେ ଶୁଣନ୍ତି ହରିବଂଶ ଯେ ପୁରାଣ ।

ସୁତମୁନି ପୌରାଣିକ ପୁରାଣ କହନ୍ତି

ସକଳ ଋଷିଏ ମିଳି ପୁରାଣ ଶୁଣନ୍ତି ।

ସୁତ ପୁରାଣ ପୁସ୍ତକ ବସି କହୁଥିଲେ

ବଳରାମଙ୍କୁ ଦେଖିଣ କେବେ ନ ଉଠିଲେ ।

ସୁତ ପୌରାଣିକ ଯହୁଁ ମାନନା ନ କରି

ଦେଖିକରି ବଳରାମ ମନରେ ବିଚାରି ।

ଅଜ୍ଞମତି ସୁତ ମୋତେ ଦେଖି ନ ଉଠିଲା

ମୋତେ ମାନ୍ୟଧର୍ମ ସେହୁ କିଛିହିଁ ନ କଲା ।

ସମସ୍ତ ବ୍ରାହ୍ମଣମାନେ ଛନ୍ତି ଉଭା ହୋଇ

ଏକମାତ୍ର ଆସନରେ ବସିଅଛି ଏହି ।

ଧର୍ମ ବିଚାରେ ଅଧର୍ମ ଅଟେ ଏହି କଥା

ବାଳୁତ ପୁଅର ଅଟେ ଏସନ ବ୍ୟବସ୍ଥା ।

ଧର୍ମ ସ୍ଥାପିଣ ଅଧର୍ମ ନାଶିବା ନିମନ୍ତେ

ଆମ୍ଭେମାନେ ଜନ୍ମ ଲଭିଅଛୁ ଏ ଜଗତେ ।

ବଳରାମ ମନ ମଧ୍ୟେ ଏମନ୍ତ ଭାଳିଲେ

ଡାହାଣ ହାତକୁ ସେହୁ ଛିଞ୍ଚାଡ଼ିଣ ଦେଲେ ।

ବଳରାମ ହସ୍ତେ ଯେଉଁ କୁଶବଟୁ ଥିଲା

କୁଶ ବାଜି ପୌରାଣିକ ମୁଣ୍ଡ ଛିଡ଼ିଗଲା ।

ଦେଖିକରି ଋଷିମାନେ ବଚନ ବୋଲନ୍ତି

ଭୋ ରାମ ଅର୍ଜିଲୁ ତୁହି ବହୁ ଅପକୀର୍ତ୍ତି ।

ରାମଙ୍କ ଆଗେ ମିଳିଲେ ସର୍ବ ଋଷିଗଣ

ବୋଲନ୍ତି ସମସ୍ତେ ଥାଇ ବରିଛୁ ବ୍ରାହ୍ମଣ ।

ବ୍ୟାସ ମହାଋଷିଙ୍କର ତନୟ ଅଟଇ

ତାହାକୁ ଭୋ ରାମ ତୁମ୍ଭେ ମାଇଲ କିପାଇଁ ।

ନିଶ୍ଚୟ ବ୍ରହ୍ମହତ୍ୟା ଯେ କଲ ରାମ ତୁମ୍ଭେ

ତଥ୍ୟ ବଚନ ଗୋଟା ତ କହିଲୁ ଯେ ଆମ୍ଭେ ।

ବଳରାମ ବୋଇଲେକ ଶୁଣ ଋଷିଗଣ

ଏ ପୁତ୍ର ଗୋଟିକ ଆମ୍ଭେ ନ ଜାଣୁ ବ୍ରାହ୍ମଣ ।

ବର୍ତ୍ତମାନ ପ୍ରାୟଶ୍ଚିତ ଆମ୍ଭଙ୍କୁ କରାଅ

ଆଉ ଆମ୍ଭେ କି କରିବୁ ସେହି କଥା କହ ।

ମୁନିଏ ବୋଇଲେ ଯେବେ ଏ ରୂପରେ କର

ଏ ବନେ ପଶି ବକୁଳ ଦଇତ୍ୟକୁ ମାର ।

ସକଳ ଋଷିଏ ଆମ୍ଭେ ଯାଗ କରୁ ଥାଇଁ

ପ୍ରତ୍ୟହ ପାମର ଆସି ଅମେଧ୍ୟ ପକାଇ ।

ମୃତ ପୁରୁଷ ମାନଙ୍କୁ କାହୁଁ ବହି ଆଣି

ଯାଗକୁଣ୍ଡ ମଧ୍ୟେ ତାଙ୍କୁ ପୋଡ଼ିଦିଏ ପୁଣି ।

ତାହାଙ୍କୁ ତୁମ୍ଭେ ଯଦ୍ୟପି ମାରିବ ଗୋସାଇଁ

ତେବେ ସିନା ଯାଗ କର୍ମ ଭଲେଣ ହୁଅଇ  

ଆହୁରି କଥା ଗୋଟିଏ ଅବଶ୍ୟ କରିବ

ସୂତପୁତ୍ର ପୌରାଣିକ ପୁରାଣ ପଢ଼ିବ ।

ଆବର କଥା ଗୋଟିଏ ତୁମ୍ଭେ ଏବେ ଶୁଣ

ବର୍ଷେ ପରିଯନ୍ତେ ତୁମ୍ଭେ କରିବ ଭ୍ରମଣ ।

ଅନେକ ତୀର୍ଥରେ ବୁଲି ଧର୍ମ ଆଚରିବ

ବ୍ରହ୍ମହତ୍ୟା ଗୋଟି ତେବେ ତୁମ୍ଭ ପାର ଯିବ ।

ଏହି ତିନିକାର୍ଯ୍ୟ ତୁମ୍ଭେ କର ବଳୀବର

ଶୁଶି ହେଉ ବୋଲି ବୋଇଲେକ ହଳଧର ।

ନିଜ ଆତ୍ମାରୁ ଜନମ ଲଭି ଯେଉଁ ପୁତ୍ର

ସେ ସିନା ଆତ୍ମଜ ବୋଲି ଅଟଇ ବିଖ୍ୟାତ ।

ସୂତପୁତ୍ର ପୌରାଣିକ ହେଉ ଏବେ ଆସି

ହରିବଂଶ ପୁରାଣ ଯେ ପଢ଼ୁଥାଉ ବସି ।

ବକୁଳ ଦୈତ୍ୟକୁ ଆମ୍ଭେ ଅବଶ୍ୟ ମାରିବୁ

ବର୍ଷେ ପରିଯନ୍ତେ ନିଶ୍ଚେଁ ତୀର୍ଥରେ ବୁଲିବୁ ।

ଏମନ୍ତ ବଚନ ଋଷି ମାନଙ୍କୁ ବୋଇଲେ

ଯଜ୍ଞ କରିବା ନିମନ୍ତେ ରାମ ଆଜ୍ଞା ଦେଲେ ।

ସୈନ୍ୟ ସଜକରି ଦୈତ୍ୟ ଅଇଲା ସେ ପୁଣି

ଯାଗ କରୁଥିବା କଥା ଦୁତମୁଖୁଁ ଶୁଣି ।

ଆକାଶେ ଥାଇ ପାଉଁଶ ମେଞ୍ଚା ଉଡ଼ାଇଲା

ଅମେଧ ପଦାର୍ଥ ଯଜ୍ଞଶାଳେ ବରଷିଲା ।

ଦୈତ୍ୟ ଆସନ୍ତେ ପୃଥିବୀ ଦଲଦଲ ହୋଇ

ମହା ଭୟଙ୍କର ରୂପ ତାହାର ଦିଶଇ ।

ଏସନକ ରୂପଯହୁଁ ଦୈତ୍ୟର ଦେଖିଲେ

ହଳ ମୁଷଳକୁ ରାମ ବେଗେ ଧ୍ୟାନ କଲେ ।

ତକ୍ଷଣେ ହଳ ମୁଷଳ ହସ୍ତରେ ପ୍ରବେଶି

ଆଣ୍ଟରେ ତାହାକୁ ରାମ ଧଇଲେ ଆକ୍ରୋଶି ।

ବେଗେ ବଳରାମ ତାର ହୃଦରେ ପିଟିଲେ

ରକ୍ତବାନ୍ତି କଲା ଦୈତ୍ୟ ପଡ଼ିଣ ଭୁତଳେ ।

ଦାନବର ହୃଦ ଯେଣୁକରି ଫାଟିଗଲା

ଦେଖୁଦେଖୁ ସେହିକ୍ଷଣି ପ୍ରାଣ ବିସର୍ଜିଲା ।

ମହାଋଷିମାନେ ତହୁଁ ହରଷ ଲଭିଲେ

ଧନ୍ୟ ବଳରାମ ବୋଲି ସର୍ବେ ପ୍ରଶଂସିଲେ ।

ସେଠାବରୁ ବଳରାମ ବିଜେ କରିଗଲେ

ସରଯୂ ନଦୀରେ ଯାଇଁ ସ୍ନାହାନ ସାରିଲେ ।

ତଦନ୍ତେ ଗଣ୍ଡୁକୀ କୁଳେ ସ୍ନାନ କଲେ ଯାଇ

ଚିତ୍ରୋତ୍ପଳା ନଦୀକୂଳେ ବଳରାମ ହୋଇ ।

ତହୁଁ ପାର୍ବତୀ ତୀର୍ଥକୁ ବେଗେ ଚଳିଗଲେ

ତହିଁ ପ୍ରବେଶ ହୋଇଣ ସ୍ନାହାନ ସାରିଲେ ।

ସେ ତୀର୍ଥକୁ ଜିଣି ରାମ ବେଗେ ଚଳିଗଲେ

ଯାଆନ୍ତେ ପର୍ଶୁରାମଙ୍କୁ ପଥରେ ଭେଟିଲେ ।

ତହିଁ ରାମ ଚଳିଲେକ ତୀର୍ଥ କୃଷ୍ଣବେଣୀ

ବ୍ୟାସ ସରୋବରେ ଯାଇ ପ୍ରବେଶିଲେ ପୁଣି ।

କାବେରୀ ନଦୀରେ ପଶି ସ୍ନାହାନ ସାରିଲେ

ଶ୍ରୀରାମନାଥଙ୍କୁ ତହିଁ ଦରଶନ କଲେ ।

ତହୁଁ ବଳରାମ ସେତୁବନ୍ଧ ଯାଇଁ ହୋଇ

ଅପୂର୍ବ ଫଳମାନ ସେ ଲକ୍ଷେ ଦାନ ଦେଇ ।

ଆବର ଅପାର ତୀର୍ଥ ଭ୍ରମଣ କରିଲେ

ପ୍ରଭାସ ତୀର୍ଥରେ ରାମ ଯାଇଣ ମିଳିଲେ ।

ସେଠାରେ ରାମଙ୍କ ଆଗେ ବ୍ରାହ୍ମଣେ କହନ୍ତି

କୁରୁ ପାଣ୍ଡବ ସମର ଯେ ପ୍ରକାର ରୀତି ।

ଭୀଷ୍ମ ଦ୍ରୋଣ ରଥୀ ମହାରଥୀ ଆଦିକରି

ଅଷ୍ଟାଦଶ କ୍ଷୌଣୀବଳ ପାଣ୍ଡବେ ସଂହାରି ।

ଏବେ ଭୀମସେନ ସଙ୍ଗେ ରାଜା ଦୁର୍ଯ୍ୟୋଧନ

ଯୁଦ୍ଧ କରୁଅଛି ଗଦା ହସ୍ତରେ ଘେନିଣ ।

ବ୍ରାହ୍ମଣଙ୍କଠାରୁ ରାମ ଏହି କଥା ଶୁଣି

କୁରୁ କ୍ଷେତ୍ର ମଣ୍ଡଳକୁ ବିଜେ କଲେ ପୁଣି ।

ଦୁରହୁଁ ଦେଖିଲେ ସେହୁ ଲକ୍ଷ୍ମୀଦେବୀ ପତି

ପାଣ୍ଡବ ଚାରିଭାଇଙ୍କୁ ସଙ୍ଗେ ଘେନିଛନ୍ତି ।

ସଙ୍ଗରେ ଅଛନ୍ତି ଧର୍ମ କ୍ଷଉଣୀଏ ବଳ

ମାନଗୋବିନ୍ଦଙ୍କୁ ବେଢ଼ି ଅଛନ୍ତି ସକଳ ।

ବଳରାମଙ୍କୁ ନୟନେ ସମସ୍ତେ ଦେଖିଲେ

ପ୍ରଣାମ କରିଣ ପାଦ ତଳରେ ନମିଲେ ।

ସବୁରି ଚିତ୍ତ ମଧ୍ୟରେ ଭୟ ଯେ ପ୍ରବେଶି

ବଳରାମ ଦେବ କିପାଁ ମିଳିଲେକ ଆସି ।

ବଳରାମ ଦେଖିଲେ ଯେ ଦୁର୍ଯ୍ୟୋଧନ ଭୀମ

ଗଦା ଘେନିଣ କରରେ କରନ୍ତି ସଂଗ୍ରାମ ।

ଗଦାକୁ ଘେନିଣ ବାମ ଦକ୍ଷିଣେ କରନ୍ତି

ଏକକୁ ଆରେକ ବୀରେ ଡାକିଣ ପିଟନ୍ତି ।

ପୂର୍ବର ଦୋଷ ମାନଙ୍କୁ ହୃଦେ ଛନ୍ତି ଧରି

କୋପେଣ ପିଟନ୍ତି ବୀରେ ଉପ୍ରୋଧ ନ କରି ।

ରାମ ଦେଖିଣ ଭାଳିଲେ ଦୁହେଁ ସମତୁଲ

ଉଭୟ ଯୁଦ୍ଧ ବିଦ୍ୟାରେ ଅଟନ୍ତି କୁଶଳ ।

ଗଦା ବିଦ୍ୟାରେ ଅଧିକ ଅଟେ ଦୁର୍ଯ୍ୟୋଧନ

ବଳବନ୍ତ ପଣେ ଏକ ଏହି ଭୀମସେନ ।

ଏହିକ୍ଷଣି ଯୁଦ୍ଧ ମୁହିଁ ପାରନ୍ତି ରୁହାଇ

ଶ୍ରୀକୃଷ୍ଣଙ୍କର ତହିଁରେ ସୀଉକାର ନାହିଁ ।

ବଳରାମ ମନେ ମନେ ଏହା ବିଚାରିଲେ

ଦ୍ୱାରକାପୁରକୁ ବେଗେ ତହୁଁ ଚଳିଗଲେ ।

ରେବତିକୁ ସଙ୍ଗତରେ ଘେନି ଚଳିଯାଇ

ପୁଣି ନୈମିଷାରଣ୍ୟରେ ପ୍ରବେଶ ସେ ହୋଇ ।

ସେଠାରେ ରହିଣ ରାମ ଯାଗକର୍ମ କଲେ

ଋଷିମାନଙ୍କୁ ହସ୍ତରେ ଦକ୍ଷିଣା ସେ ଦେଲେ ।

ବଳରାମ ସେହିଠାରେ ସର୍ବକାର୍ଯ୍ୟ ସାରି

ରେବତୀ ଘେନି ଦ୍ୱାରକାପୁରେ ବିଜେ କରି ।

ବଳରାମ ଚରିତ ଯେ ଶ୍ରବଣେ ଶୁଣଇ

ଏହି ଭବ ସମୁଦ୍ରରୁ ସେହୁ ତରିଯାଇ ।

ଶ୍ରୀବଳରାମଙ୍କ ପଦ ଅରବିନ୍ଦ ନିତ୍ୟେ

ଅଚ୍ୟୁତ ଦାସ ଶରଣ ପଶେ ଏକଚିତ୍ତେ ।

 

ଦାମୋଦର ପଣ୍ଡାର କୃଷ୍ଣଭକ୍ତି

 

ଏଥୁ ଅନନ୍ତରେ ଶୁକ ମୁନିଙ୍କ ଆଗରେ

କରପତ୍ର ଯୋଡ଼ି ତହୁଁ ପରୀକ୍ଷ ପଚାରେ ।

ବିଷ୍ଣୁଙ୍କର କୀର୍ତ୍ତି ଏହି ପୁରାଣ ଅଟଇ

ଶୁଶିଲେ ମୋହର ଚିତ୍ତ ତୃପ୍ତି ନ ଭଜଇ ।

ତବ ପ୍ରସାଦେ ଥୋକାଏ ଶୁଣିଲଇଁ ମୁହିଁ

ଆଉ କିଛି ହରିବଂଶ ଶୁଣାଅ ଗୋସାଇଁ ।

ଭାଗବତ ପୁରାଣକୁ କର୍ଣ୍ଣରେ ଶୁଣିବି

ମନରେ ମୁଁ ଅନୁବ୍ରତ ଶ୍ରୀକୃଷ୍ଣ ଭଜିବି ।

ପ୍ରତିଦିନ ଶିରେ ମୁହିଁ କରିବି ପ୍ରଣାମ

ମନରେ ସୁମରୁଥିବି ଗୋବିନ୍ଦରଙ୍କ ନାମ ।

ଯଦ୍ୟପି ପ୍ରସନ୍ନ ହେଲୁ ମୋହଠାରେ ତୁହି

ତେବେ ମୋ ଭଜନ ସିଦ୍ଧ ହୋଇବ ଗୋସାଇଁ ।

ରାଜାଙ୍କର ବଚନକୁ ଶୁଣି ଶୁକମୁନି

ଶରୀର ପୁଲଳିତ ସେ ହେଲା ତତକ୍ଷଣି ।

କୃଷ୍ଣ ପାଦପଦ୍ମେ ଏକଚିତ୍ତେ ଲୟଦେଲେ

ସାଧୁ ପରୀକ୍ଷିତ ରାଜା ବୋଲି ପ୍ରଶଂସିଲେ ।

ଶୁଣ ତୁ ରାଜନ ଏବେ ହରିବଂଶ କଥା

ଶରୀରୁ ଛାଡ଼ିବ ତୋର ଭବଭୟ ବ୍ୟଥା ।

ଦାମୋଦର ବୋଲି ଥିଲା ଏକଇ ବ୍ରାହ୍ମଣ

ସର୍ବଦା କରଇ ସେହୁ ଶ୍ରୀକୃଷ୍ଣ ସ୍ମରଣ ।

ବେଦ ଅଧ୍ୟୟନ ସେହୁ କରଇ ଅପାର

ନିଷ୍ଠାଚାରେ ପଣ୍ଡିତ ସେ ଅଟେ ଦ୍ୱିଜବର ।

ଅନୁକ୍ଷଣେ କୃଷ୍ଣନାମ ଭଜନ କରଇ

ଦୁଃଖର କଥାକୁ ସୁଖ ପରାଏ ମଣଇ ।

ଉପବାସେ ତାହାଙ୍କର ଅତି କ୍ଷୀଣକାୟେ

କ୍ଷୀଣ ଶରୀର ହେଲେ ହେଁ କୃଷ୍ଣେ ମତି ଥାଏ ।

ଏ ପ୍ରକାରେ ବହିଗଲା କେତେହେଁକ ଦିନ

ସେହି ବ୍ରାହ୍ମଣର ନାରୀ ବିଚାର କରିଣ ।

ବିଷ୍ଣୁଙ୍କର ସଖା ଏକା ମୋ ସଖା ଅଟନ୍ତି

ପୂର୍ବରେ ଏମନ୍ତ କଥା ଶୁଣିଅଛି ଶ୍ରୁତି ।

କିଞ୍ଚିତ ମାତ୍ରକ ଯେବେ ଦିଅନ୍ତେ ଠାକୁର

ଏହି ଦୁଃଖ ସମୁଦ୍ରରୁ ହୋଇଯାନ୍ତୁ ପାର ।

ସେ ବ୍ରାହ୍ମଣୀ ମନମଧ୍ୟେ ଏସନ ଭାଳଇ

ଭୟକରି ବ୍ରାହ୍ମଣକୁ କହି ନ ପାରଇ ।

ଏକଦିନେ ସେ ବ୍ରାହ୍ମଣୀ ଯୋଡ଼ି ବେନିକର

ବୋଇଲାକ ଶୁଣ ନାଥ ମୋହର ଏ ଗିର ।

ଏଥିପୂର୍ବେ ଭଗବାନ ଥିଲେ ତୁମ୍ଭ ମିତ

ପୂର୍ବେ ମୁହିଁ ଶୁଣିଅଛି ଏମନ୍ତ ଚରିତ ।

ଦ୍ୱାରକାପୁରର ନାଥ ଅଟନ୍ତି ଶ୍ରୀପତି

କହିବାକୁ ଅଗୋଚର ତାହାଙ୍କ ସମ୍ପତ୍ତି ।

ତାଙ୍କୁ ଭେଟିବାକୁ ତୁମ୍ଭେ ଦ୍ୱାରକାକୁ ଯାଅ

ଆମ୍ଭ ଦରିଦ୍ର ଅବସ୍ଥା ତାଙ୍କ ଆଗେ କହ ।

ଆମ୍ଭର ନିକଟ ଅଟେ ଦ୍ୱାରାବତୀ ପୁର

ସେଠାକୁ ଯିବା ଆମ୍ଭର ଅଟଇ ବେଭାର ।

ଘରଣୀର ଏ ବଚନ ଶୁଣି ସେହି ଦ୍ୱିଜ

ମନ ମଧ୍ୟରେ ପାଇଲା ଅତିଶୟ ଲାଜ ।

ବୋଇଲା ଆମ୍ଭେ ଯଦ୍ୟପି ଯିବା ଦ୍ୱାରକାକୁ

କେମନ୍ତ ପ୍ରକାରେ ଯାଇ ଭେଟିବା ତାହାଙ୍କୁ ।

ତ୍ରଇଲୋକ୍ୟନାଥ ସେହୁ ଏଡ଼େ ବଡ଼ ଜଣ

ଆମ୍ଭର ବେଶ ଅଟଇ ଅତି ଦୀନହୀନ ।

କେମନ୍ତ ପ୍ରକାରେ ତାଙ୍କ ଛାମୁକୁ ଗୋ ଯିବା

କି ପଦାର୍ଥ ଦେଇ ତାଙ୍କ ପାଶରେ ଭେଟିବା ।

ଏମନ୍ତ ବଚନ ଶୁଣି କହଇ ବ୍ରାହ୍ମଣୀ

ସ୍ୱାମୀ ଆଗେ କରଯୋଡ଼ି ବୋଲଇ ଭୋ ସ୍ୱାମୀ ।

ସେ ପ୍ରଭୁ ଅଟନ୍ତି ବ୍ରହ୍ମଜ୍ଞାନେ ଜ୍ଞାନବାନ

ତୁମ୍ଭେ ଯିବା ମାତ୍ରକରେ ଦେବେ ଭଗବାନ ।

ହସ୍ତରେ କିଛି ନେବାକୁ ବିଚାର ଯେ କର

ତୁମ୍ଭର ଦ୍ରବ୍ୟରେ କିସ କାର୍ଯ୍ୟ ତାହାଙ୍କର ।

ତଥାପି ଯାହା ମିଳିବ ଆଣିବି ଭିଆଇ

ଏତେକ ବୋଲି ବ୍ରାହ୍ମଣୀ ବେଗେ ଚଳିଯାଇ ।

ଅକାଣ୍ଡିଆ ହୋଇଅଛି ତଣ୍ଡୁଳ ପୁଳାଏ

ବ୍ରାହ୍ମଣୀ ମାଗିଆଣିଲା ଘର ପାଞ୍ଚଯାଏ ।

ବ୍ରାହ୍ମଣର ଅଗ୍ରତରେ ନେଇ ତାକୁ ଦେଲା

ତାକୁ ଘେନି ଯିବା ଲାଗି ବ୍ରାହ୍ମଣୀ ବୋଇଲା ।

ଅପାର କାଳର ଛିଣ୍ଡା ବସ୍ତ୍ର ଘରେ ଥିଲା

ତଣ୍ଡୁଳ ବାନ୍ଧିବା ପାଇଁ ତାକୁ ଆଣି ଦେଲା ।

ଏଣେ ବାନ୍ଧିଲେ ତେଣେ ତ ଗଳିଣ ପଡ଼ଇ

ବହୁତ ପରସ୍ତ କରି ବାନ୍ଧିଲା ଘେରାଇ ।

ବାନ୍ଧି ବାନ୍ଧି ତାହାକୁ ସେ ମହାମୋଟ କଲା

ତେବେ ତହିଁରୁ ଚାଉଳ ଆଉ ନ ଗଳିଲା ।

ଶ୍ରୀକୃଷ୍ଣଙ୍କର ଛାମୁକୁ ଦରଶନୀ ନେଇ

ସମୁଦ୍ରର ନିକଟରେ ପ୍ରବେଶିଲେ ଯାଇଁ ।

ସମୁଦ୍ର ପାର ହୋଇଣ ଯାଇଁ ତତ୍‌କ୍ଷଣାନ୍ତି

ଦ୍ୱାରକାପୁରରେ ଅତିବେଗେ ପ୍ରବେଶନ୍ତି ।

ବଡ଼ଦାଣ୍ଡରେ ବ୍ରାହ୍ମଣ ଚଳଇ ସତ୍ୱର

ସେ ପୁରମଧ୍ୟେ ଦେଖଇ ଉତ୍ତମ ଆଗାର ।

ବାସୁଦେବଙ୍କ ନବରେ ଯାଇଁ ପ୍ରବେଶିଲେ

ସବୁଦ୍ୱାର ମାନ ଜିଣି ଭିତରକୁ ଗଲେ ।

ଷୋଳ ସହସ୍ର ଅଟନ୍ତି କୃଷ୍ଣଙ୍କର ନାତି

ଶତଅଷ୍ଟୋତ୍ତର ପୁର ଭିନ୍ନ ଭିନ୍ନ ପ୍ରତି ।

ତହିଁ ମଧ୍ୟରେ ଥିବାର ପୁରେକ ଦେଖିଲେ

ବିଜେ କରିଛନ୍ତି ପ୍ରଭୁ ରୁକ୍ମିଣୀର ତୁଲେ ।

ପଲ୍ୟଙ୍କ ଉପରେ ହରି ବିଜେ କରିଛନ୍ତି

ମଇତ୍ର ଆସନ୍ତେ ସେହୁ ଦୁରହୁଁ ଦେଖନ୍ତି ।

ପଲ୍ୟଙ୍କ ଉପରୁ ବେଗେ ଓହ୍ଲାଇ ମୁରାରି

ସେ ବ୍ରାହ୍ମଣ ମଇତ୍ରକୁ କୋଳାଗ୍ରତ କରି ।

ହର୍ଷେ ମଇତ୍ରକୁ କୋଳାଗ୍ରତ କଲେ ଯାଇଁ

ଆନନ୍ଦାଶ୍ରୁ ତାହାଙ୍କର ନୟନୁ ବହଇ ।

ବ୍ରାହ୍ମଣର ହସ୍ତ ଧରି ତହୁଁ ଘେନିଗଲେ

ପଲ୍ୟଙ୍କ ଉପରେ ନେଇ ତାଙ୍କୁ ବସାଇଲେ ।

ମିତ୍ର ବ୍ରାହ୍ମଣର ପାଦ ଧୋଇଣ ଶ୍ରୀପତି

ସେ ପାଦ ଉଦକ ନେଇ ଶିରରେ ସିଞ୍ଚନ୍ତି ।

କର୍ପୂର କସ୍ତୁରୀ ଗନ୍ଧ ଆପଣେ ଆଣିଲେ

ହସ୍ତେ ଘେନିଣ ତାଙ୍କର ଦେହରେ ବୋଳିଲେ ।

ଭଣ୍ଡାର ଭିତରୁ ସ୍ୱର୍ଣ୍ଣ ଧୂପକାଠି ଆଣି

ବ୍ରାହ୍ମଣଙ୍କ ପାଖେ ଥୋଇଦେଲେ କମ୍ବୁପାଣି ।

ବନ୍ଦାପନା କରି ତାଙ୍କୁ ଭିତରକୁ ନେଲେ

ଗଡ଼ୁ ଗୋଟିଏ ନେଇଣ ଛାମୁରେ ଥୋଇଲେ ।

ଶ୍ରୀକୃଷ୍ଣ ସେ ବ୍ରାହ୍ମଣକୁ ଅର୍ଚ୍ଚନା କରନ୍ତି

ରୁକ୍ମିଣୀ ବିଞ୍ଚଣି ଧରି ତାହାଙ୍କୁ ବିଞ୍ଚନ୍ତି ।

କୁଶଳ ବାରତାମାନ ତାହାଙ୍କୁ ପୁଚ୍ଛିଲେ

ଭୋ ମଇତ୍ର ଅଇଲଟି କହ ତୁମ୍ଭେ ଭଲେ ।

ପାର୍ଶ୍ୱରେ ପରିବାରୀଏ ଉଭା ହୋଇଛନ୍ତି

ଏକୁ ଆରେକ ପାଖରେ ବଚନ ବୋଲନ୍ତି ।

ଏଡ଼େ ବଡ଼ ଦୀନ ହୀନ ହୋଇଣ ବ୍ରାହ୍ମଣ

ମଧ୍ୟ ଭୁବନ ମଧ୍ୟରେ ନାହିଁ ଏକ ଜଣ ।

ଦେଖ ଗୋ ବ୍ରାହ୍ମଣ ଯେଉଁ ବସ୍ତ୍ର ପିନ୍ଧିଅଛି

ମଳିନ ବସନେ ଶଏ ଗଣ୍ଠି ପଡ଼ିଅଛି ।

କ୍ଷୁଧାରେ ତାଙ୍କର ପେଟ ଯାଉଅଛି ପଶି

ଦେଖ ଗୋ ଦେହରେ ଶିରାମାନ ଦିଶୁଅଛି ।

ଏ ବ୍ରାହ୍ମଣ ଗୋଟି କେହ୍ନେ ଭେକ ଅଛି ବହି

ସେବା କରନ୍ତି କେମନ୍ତେ ତ୍ରୈଲୋକ୍ୟ ଗୋସାଇଁ ।

ସବୁଙ୍କର କଥାମାନ ଶୁଣୁଛନ୍ତି ହରି

ମିତ୍ରବରକୁ ସମସ୍ତ ବାରତା ପଚାରି ।

ଆମ୍ଭର ପୂର୍ବର କଥା ଶୁଣିଛ କି ତୁମ୍ଭେ

ଚାଟଶାଳୀରେ ତ ପଢ଼ୁଥିଲୁଁ ତୁମ୍ଭେ ଆମ୍ଭେ ।

ତୁମ୍ଭର ପଢ଼ିବା କଥା ଅଛଇ ମନର

ଗୁରୁବାର ପାଠ ତୁମ୍ଭେ ଘେନିଲ ଅପାର ।

ପାଠର ବେଭାରମାନ ସକଳ ଜାଣିଲ

ଆମ୍ଭର ପ୍ରାୟେକ ତୁମ୍ଭେ କେବେହେଁ ନୋହିଲ ।

ଆହେ ମଇତ୍ର ବିବାହ ହୋଇଛ କି ତୁମ୍ଭେ

କଥାଟିଏ ଏତେକାଳେ ସ୍ମରୁଅଛୁ ଆମ୍ଭେ ।

ଏକଦିନେ ଗୁରୁପତ୍ନୀ ଆମ୍ଭଙ୍କୁ ବୋଇଲେ

ତୁମ୍ଭ ଆମ୍ଭ ଦୁଇଜଣେ ବେଗେ ବରଗିଲେ ।

ଗୋଛିଏ ସମିଧ ବାବୁ ଆଣ ଯାଇ ତୁମ୍ଭେ

ଜାଣଟିକି ମଇତ୍ର ହେ ଗଲୁଁ ଆମ୍ଭେ ତୁମ୍ଭେ ।

ବନସ୍ତ ମଧ୍ୟରେ ଯାଇ ପ୍ରବେଶ ହୁଅନ୍ତେ

ସେହି ସମୟରେ ବର୍ଷା ହେଲା ଅକସ୍ମାତେ ।

ପୁଣି ସେତେବେଳେ ମହାବତାସ ବହଇ

ମେଘ ଗରଜନ ହେଉ ବିଜୁଳି ସ୍ଫୁରଇ ।

ଅନ୍ଧକାର ହୁଅନ୍ତେଣ ଦିଗ ନ ଦିଶିଲା

ସେହି କାଳରେ ରଜନୀ ଆସି ପ୍ରବେଶିଲା ।

ଆମ୍ଭେ ଦୁଇ ମଇତ୍ର ହୋ ଧରାଧରି ହୋଇ

ମହା ଅରଣ୍ୟ ମଧ୍ୟରେ ବୁଲିଲେଟି ଯାଇଁ ।

ଅନ୍ଧକାର ଯୋଗେ କେବେ ବାଟ ନ ଦିଶିଲା

ପୁଣି ସେତେବେଳେ ମହାନିଶା ହୋଇଥିଲା ।

ଆମ୍ଭର ଗୁରୁ ଅଟନ୍ତି ବଡ଼ ଦୟାଶୀଳ

ଆମ୍ଭଙ୍କୁ ଲୋଡ଼ିଲେ ଯାଇଁ ପ୍ରଭାତ କାଳର ।

ଯେତେବେଳେ ଦ୍ୱିଜବର ଆମ୍ଭଙ୍କୁ ଦେଖିଲେ

ସନ୍ତୋଷ ହୋଇଣ ସେହୁ ବଚନ ବୋଇଲେ ।

ଆରେ ବାବୁ ତୁମ୍ଭେମାନେ ଏଡ଼େକର୍ମ କଲ

କାଠଛାର ଆଣିବାକୁ କିପାଁ ତୁମ୍ଭେ ଗଲ ।

ଏହା କହି ପ୍ରସନ୍ନରେ ସେହି ଦ୍ୱିଜବର

ଦେହରେ ହାତ ବୁଲାଇ ଯାଚିଦେଲେ ବର ।

ଆଶୀର୍ବାଦ କରୁଅଛୁ ବିଦ୍ୟାପ୍ରାପ୍ତ ହେଉ

ତିନି ଜଗତରେ ତୁମ୍ଭ ଯଶ ରହିଥାଉ ।

ଏ କଥା ଗୋଟି ମଇତ୍ର ସୁମର ହେ ତୁମ୍ଭେ

ସେ କଥା ଗୋଟିକ ମନେ ରଖିଅଛୁ ଆମ୍ଭେ ।

ତ୍ରି ସନ୍ଧ୍ୟାରେ ଗୁରୁଦେବ ସେବା ଯେ କରନ୍ତି

ତାଙ୍କ ଆଶୀର୍ବାଦେ ଯଶ ସବୁଠାରେ ପାନ୍ତି ।

ଗୁରୁଙ୍କ ଚରଣେ ସେବା ଯେ ଜନ କରଇ

ସେ ଲୋକ ହୃଦରେ ଗୁରୁ ସଦା ଥାନ୍ତି ରହି ।

ଏହି କଥା ଗୋଟିକ ଯେ ଶୁଣି ଦ୍ୱିଜବର

ଶ୍ରୀକୃଷ୍ଣ ମୁଖକୁ ଚାହିଁ ବୋଲନ୍ତି ଉତ୍ତର ।

ଆମ୍ଭର ପାଠ ପଢ଼ିବା ଯେଉଁ କଥା ପାଇଁ

ସେହିକଥା ଆମ୍ଭର ତ ସଙ୍ଗେ ସଙ୍ଗେ ଥାଇ ।

ପଢ଼ିବା ଶୁଣିବା ସାଧ୍ୟ ଆମ୍ଭେମାନେ କଲୁ

ତୁମ୍ଭର ସଙ୍ଗତେ ବେଦ ପଢ଼ିବାକୁ ଗଲୁ ।

ବ୍ରାହ୍ମଣ ବୋଇଲେ ତୁମ୍ଭେ ବେଦେ ଅଟ ଭିନ୍ନ

ଯେଣୁକରି ତୁମ୍ଭେ ସଦା ଅଟ ଜ୍ଞାନବାନ ।

ଏ ପ୍ରକାରେ ଦୁଇଜଣ କଥାଭାଷା ହ୍ୱନ୍ତି

ପୁଣି ହିଁ ଶ୍ରୀକୃଷ୍ଣ ଦ୍ୱିଜବରେ ପଚାରନ୍ତି ।

ଭୋ ମଇତ୍ର ତୁମ୍ଭେ ବହୁ କାଳେ ଆସିଅଛ

ଆମ୍ଭପାଇଁ ତୁମ୍ଭେ କି କି ଦ୍ରବ୍ୟ ଆଣିଅଛ ।

ତାହା ଶୁଣିଣ ପଣ୍ଡାଏ କଥା ନ କହିଲେ

ଲଜ୍ଜାପାଇ ଦ୍ୱିଜବର ମସ୍ତକ ପୋତିଲେ ।

ଅନ୍ତର୍ଯ୍ୟାମୀ ମହାପ୍ରଭୁ ଜାଣନ୍ତି ସବୁ ହିଁ

ମିତ୍ରବରକୁ ପୁଣିହିଁ ପଚାରନ୍ତି ତହିଁ ।

ଆଣିବା ତଣ୍ଡୁଳ ମିତ ଲୁଚାଇଣ ଅଛ

ବୁଜୁଳାଗୋଟି ଓଟାରି ଆଣିଲେ ଶ୍ରୀବତ୍ସ ।

ଏ ଦ୍ରବ୍ୟ ମଇତ୍ର ଆଣିଅଛ ଆମ୍ଭପାଇଁ

ଲୁଚାଇଣ ରଖିଅଛ ପଛରେ କିପାଇଁ ।

ଆପେ ଶ୍ରୀକୃଷ୍ଣ କର୍ପଟି ଖଣ୍ଡ ଦେଲେ ଫେଇ

ପୃଥୁକ ତଣ୍ଡୁଳମାନ ବନ୍ଧାଅଛି ତହିଁ ।

ମହାପୃଥୁକ ଚାଉଳ ସୁସଞ୍ଚ ଗୁଡ଼ିଏ

ଦେଖି ଆନନ୍ଦ ହୋଇଲେ ସେ ଦେବାଧିରାୟେ ।

ଆମ୍ଭପାଇଁ ମଇତ୍ର ଯେ ଦ୍ରବ୍ୟ ଆଣିଅଛ

କାଳେ ମୁଁ ଦେଖିବି ବୋଲି ଗୁପତ କରିଛ ।

ଆମ୍ଭମନ ଜାଣି ତୁମ୍ଭେ ଦ୍ରବ୍ୟ ଅଛ ଆଣି

ଥୋଇଛ ଲୁଚାଇ କିପାଁ ନ ଦିଅ ହେ ପୁଣି ।

ତୁମ୍ଭର ପ୍ରସାଦେ ମୋତେ ଦ୍ରବ୍ୟ ବଡ଼ ନୋହି

ଭକ୍ତିରେ ଭକ୍ତ ଯା ଦିଏ ତାହା ପାଏ ମୁହିଁ ।

ମଇତ୍ର ଅଗ୍ରତେ କୃଷ୍ଣ ଏମନ୍ତ ବୋଇଲେ

ବାମ ହସ୍ତରେ ଶ୍ରୀକୃଷ୍ଣ ତଣ୍ଡୁଳ ଘେନିଲେ ।

ଆନନ୍ଦ ମନରେ ତାହା ହସ୍ତରେ ଘେନିଣ

ଥୋକାଏ ତଣ୍ଡୁଳ ନେଇ ଭକ୍ଷିଲେ ମୁଖେଣ ।

ପୁଣି ଆବର ମୁଠାଏ ହସ୍ତରେ ଘେନିଲେ

ଲକ୍ଷ୍ମୀଦେବୀ ଯାଇ ତାଙ୍କ ହସ୍ତୁ ଛଡ଼ାଇଲେ ।

ଲକ୍ଷ୍ମୀ ବୋଇଲେ ଏତିକି ହେଉ ଭାବଗ୍ରାହୀ

ମୁହିଁ ଏ ପାଦ ନିରତେ ସେବା କରୁଥାଇଁ ।

ଆରେକ ମୁଠି ଯଦ୍ୟପି ଭୁଞ୍ଜିବଟି ତୁମ୍ଭେ

ମୋତେ ଦୟା ଛାଡ଼ିଲକି ଦେବରାଜ ଏବେ ।

ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ମୀଦେବୀ ଯାହାକି ବୋଇଲେ

ଏକା ଶ୍ରୀକୃଷ୍ଣ ଶୁଣିଲେ ବିପ୍ର ନ ଶୁଣିଲେ ।

ତହିଁ ଉତ୍ତାରେ ପୁଣିହିଁ ଦେବ ଶିରୀପତି

ବ୍ରାହ୍ମଣ ମିତ୍ରଙ୍କୁ ଘେନି ଭୋଜନ କରନ୍ତି ।

ରଜନୀ ପ୍ରବେଶ ହ୍ୱନ୍ତେ ଏକା ପଲ୍ୟଙ୍କେଣ

ନିଶ୍ଚିନ୍ତେ ଶୋଇଲେ ପ୍ରଭୁ ମିତ୍ରଙ୍କୁ ଘେନିଣ ।

ଶ୍ରୀକୃଷ୍ଣ ସଙ୍ଗରେ ଏକା ବ୍ରାହ୍ମଣ ଶୋଇଲା

ଅଳପେ ଅଳପେ ମୁକ୍ତି ପ୍ରତ୍ୟକ୍ଷେ ପାଇଲା ।

ପ୍ରଭାତ କାଳରେ ଦ୍ୱିଜବର ଉଠିକରି

ସ୍ନାହାନ ସନ୍ଧ୍ୟା ତର୍ପଣ ବେଗେ ବେଗେ ସାରି ।

ଆପେ ଶ୍ରୀକୃଷ୍ଣ ବୋଲନ୍ତି ସେ ଦ୍ୱିଜବରଙ୍କୁ

ଭୋ ମଇତ୍ର ବିଜେକର ତୁମ୍ଭର ପୁରକୁ ।

ଆମ୍ଭର ଉପରେ ତୁମ୍ଭେ ଦୟା ରଖିଥିବ

ଏହିମତି ହୋଇ ବେଳେ ବେଳେ ଆସୁଥିବ ।

ଖଣ୍ଡେଦୁରଯାଏ କୃଷ୍ଣ ପଛେ ଗୋଡ଼ାଇଲେ

ବ୍ରାହ୍ମଣଙ୍କୁ ଓଳଗିଣ ଲେଉଟି ଅଇଲେ ।

ଲକ୍ଷ୍ମୀର ପାଲଟ ଅଟେ ଯେବଣ ଶ୍ରୀଅଙ୍ଗ

ସେ ଅଙ୍ଗ ଲଗାଇ ମିତ୍ରେ ଆଉଁସି ଶ୍ରୀରଙ୍ଗ ।

ଆପଣେ ଯେ ଶ୍ରୀହସ୍ତରେ ପାଦ ପଖାଳିଲେ

ଲକ୍ଷ୍ମୀଆଗେ ଉଭାହୋଇ ଚାମର ବିଞ୍ଚିଲେ ।

ବିପ୍ର ବୋଇଲେ ମୁହିଁ ତ ଭିକ୍ଷୁକ ବ୍ରାହ୍ମଣ

କେବଳ ଜାତିରେ ମୁହିଁ ଅଟେ ବଡ଼ପଣ ।

ଏତେକରୁ ପ୍ରଭୁ ମୋତେ ଏଡ଼େକର୍ମ କରି

ପରମ ଦୟାଳୁ ପ୍ରଭୁ ଅଟ ହେ ମୁରାରି ।

ଦରିଦ୍ର ବ୍ରାହ୍ମଣ ମୁହିଁ ଧନେ ଆଶା କଲି

ବ୍ରାହ୍ମଣୀର ବଚନେ ମୁଁ ଦ୍ୱାରକା ଅଇଲି ।

ମୋହର ତ ଗୁଣ ନାହିଁ ଅଟେ ମୁର୍ଖମତି

ଶ୍ରୀଅନ୍ତର୍ଯ୍ୟାମୀ ପୁରୁଷ ଏମନ୍ତ ସେବନ୍ତି ।

ଯାହାକୁ ଯେମନ୍ତ ଧନ ପାରନ୍ତି ସେ ଦେଇ

ଲୋଭେ ନାଶଯାଏ ତାହା ଯେହୁ ନ ଚିନ୍ତଇ ।

ଏମନ୍ତ ବିଚାର କରି ଚଳଇ ବାଟରେ

ପ୍ରବେଶ ହୋଇଲା ଯାଇ ଆପଣା ଦେଶରେ ।

ତହିଁ ଦେଖିଲା ବ୍ରାହ୍ମଣ ଶୋଭନୀୟ ପୁର

ସୂର୍ଯ୍ୟକିରଣ ତାହାକୁ ନୋହେ ପଟାନ୍ତର ।

ମନ୍ଦିର ଦେଖି ବ୍ରାହ୍ମଣ ଚକିତ ହୋଇଲା

ଏ ପୁର ଗୋଟିକ ଏଥେ କାହୁଁ ବା ଅଇଲା ।

ପୁଣିହିଁ ବିଚାର କଲା ମନମଧ୍ୟେ ତହିଁ

ମୋହର ରହିବା ଘର ନୁହଇ ବା ଏହି ।

ଏହି ପୁର ଗୋଟି କିଏ ଏଥି ଭିଆଇଲା

କିବା ଏତେ ଆସି କେଉଁ ଦେବତା ରହିଲା  

ବ୍ରାହ୍ମଣୀକି କିଏ ଅବା ଏଥୁ ତଡ଼ିଦେଲା

ଦଇବ ପୁରୁଷ ମୋତେ ଏସନକ କଲା ।

ଏଥି ଆସି ରହିଲେକି ଅତି ଉଗ୍ରଲୋକେ

ଧାଇଁ ଧାଇଁ ଯାଅ ଆସ କରୁଛନ୍ତି ଥୋକେ ।

ପଦକମାନ ହୃଦରେ ଆଭରଣ ହୋଇ

ଦାସୀଏ ଯିବା ଆସିବା କରୁଛନ୍ତି ରହି ।

ଏମନ୍ତ ପ୍ରକାରେ ଯହୁଁ ଦେଖିଲା ବ୍ରାହ୍ମଣ

ସ୍ଥିର ନୟନେ ଚାହିଁଲା ଚକିତ ହୋଇଣ ।

ଅତି ପରିମଳ ଭାବେ ବହଇ ପବନ

କୋମଳରେ ଶୁଭୁଅଛି କୋକିଳର ସ୍ୱନ ।

ଦାସ ଦାସୀ ପରିବାରୀ ସର୍ବେ ଯାଉଥିଲେ

ଯିବା ବେଳରେ ସେମାନେ ପଣ୍ଡାଙ୍କୁ ଦେଖିଲେ ।

ଶତ ଶତ ଚାମରାଦି ପଡ଼ୁଅଛି ତହିଁ

ଯେ ଯାହାର ମତେ ପୁରେ ପ୍ରବେଶିଲେ ଯାଇଁ ।

ବ୍ରାହ୍ମଣୀ ଆଗେ କହିଲେ ଶୁଣ ସାଆନ୍ତାଣି

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋ ବାଣୀ ।

ଦରିଦ୍ର ବ୍ରାହ୍ମଣ ଏକ କାହୁଁ ଆସି ଦ୍ୱାରେ

ସନ୍ତପତି ହେଉଅଛି ତାହାର ମନରେ ।

ଶୁଣିଣ ମହା ଆନନ୍ଦ ହୋଇଲେ ବ୍ରାହ୍ମଣୀ

ତକ୍ଷଣେ ପଲ୍ୟଙ୍କ ତେଜି ଅଇଲେକ ପୁଣି ।

ଦାସୀ ମାନଙ୍କୁ ଘେନିଣ ଆସନ୍ତି ତ୍ୱରିତ

ଆନନ୍ଦରେ ନୟନରୁ ହୋଇ ଅଶ୍ରୁପାତ ।

ପଦ୍ମବନୁ ଲକ୍ଷ୍ମୀ ଯେହ୍ନେ ବାହାରି ଆସନ୍ତି

ଦାସୀଙ୍କ ସଙ୍ଗେ ବ୍ରାହ୍ମଣୀ ତେମନ୍ତ ଦିଶନ୍ତି ।

ବେଗେ ଆସିଣ ବ୍ରାହ୍ମଣୀ ପଣ୍ଡାଙ୍କୁ ଭେଟିଲେ

ଭକ୍ତିରେ ସାଷ୍ଟାଙ୍ଗେ ପ୍ରାୟେ ପଡ଼ିଣ ଶୋଇଲେ ।

ତକ୍ଷଣେ ଦୋଳା ଉପରେ ବସାଇ ପଣ୍ଡାଙ୍କୁ

ମାନ୍ୟକରି ଘେନିଗଲେ ଘର ଭିତରକୁ ।

ଦେଖିଲେ ସୁନ୍ଦର ଦିଶେ ସେହି ପୁରମାନ

ସ୍ଫଟିକରେ ତେଜୋମୟ ଦିଶୁଅଛି ପୁଣ ।

କାନ୍ଥେ ନିର୍ମିତ ହୋଇଛି ସୁବର୍ଣ୍ଣ ପିତୁଳି

ପୁର ମଧ୍ୟରେ ଜଳୁଛି ରତ୍ନ ଦୀପାବଳି ।

ମର୍କତର ଚାଳ ସୁବର୍ଣ୍ଣର ଦିବ୍ୟ ଶେଣୀ

ତ୍ରୋଣମାନ ଲମ୍ବିଛନ୍ତି ମୁକ୍ତାମାଳ ଜିଣି ।

ତହିଁରେ ଅପୂର୍ବ ହୋଇ ରହିଛି ଚାନ୍ଦୁଆ

ଧୂପକାଠି ମାନଙ୍କରେ ଦିଶୁଅଛି ଧୁଆଁ ।

ଗଜଦନ୍ତ ପଲ୍ୟଙ୍କରେ ଲମ୍ବେ ରତ୍ନଝରା

ସୁପାତି ଶେଯ ଉପରେ କର୍ପୁର ପାୟେଡ଼ା ।

ଏମନ୍ତ ନିର୍ମାଣ ପୁର ଦେଖିଣ ବ୍ରାହ୍ମଣ

ପଞ୍ଚମନ ସ୍ଥିରକରି ବିଚାରଇ ପୁଣ ।

କୃଷ୍ଣ ହାତ ତୋଳି ମୋତେ କିଛି ହିଁ ନ ଦେଲେ

ଲକ୍ଷ୍ମୀ ଠାକୁରାଣୀଙ୍କି ଯେ ଆଗେ ବରଗିଲେ ।

ଏଡ଼େବଡ଼ ସମ୍ପତ୍ତି ତ ମୋତେ ଦେଲେ ହରି

ଫେଡ଼ି ନ କହିଲେ କିଛି କଥା ମଧୁହାରୀ ।

ବଡ଼ଲୋକ ପ୍ରଭୁଙ୍କର ଗୁଣ ଅଟେ ଏହି

ଦେଖିବା ଘେନିବା କଥା ନ ଜାଣନ୍ତି ସେହି ।

ବଡ଼ଲୋକ ଯଦ୍ୟପି କି ବହୁ ଧନ ଦ୍ୟନ୍ତି

ଲୋକଙ୍କ ଆଗରେ କେତେବେଳେ ନ କହନ୍ତି ।

କି ଅବା କେବଣ ଜନ୍ମେ ଭକ୍ତି ଥିଲା ମୋର

ସେହି ଭକତି ବଳରେ ଦେଲେ ଚକ୍ରଧର ।

ଏମନ୍ତ ବୋଲିଣ ବିଚାରଇ ଦ୍ୱିଜବର

ମନ ବୁଦ୍ଧିକୁ ଥୋଇଲା ଶ୍ରୀପାଦପଦ୍ମର ।

ପ୍ରତିଦିନ ସେହି ଦ୍ୱିଜ ଭଜନ କରଇ

ଭୋଗପାଇ ଦ୍ୱିଜବର ଅସକତ ନୋହି ।

କୃଷ୍ଣପାଦପଦ୍ମେ ଅବିରତ ଥାଇ ମନ

ମହାଆନନ୍ଦ ମନରେ ବଞ୍ଚଇ ସେ ଦିନ ।

ଦେହ ଥିବାଯାଏ ବେନି ଜନ ଭୋଗ କଲେ

ଅବଶେଷରେ ସେ ଦୁହେଁ ବୈକୁଣ୍ଠ ପାଇଲେ ।

ଦ୍ୱିଜ ଦାମୋଦର କଥା ଯେ ଜନ ଶୁଣଇ

ସର୍ବପାପୁଁ ମୁକ୍ତ ହୋଇ ବୈକୁଣ୍ଠ ଲଭଇ ।

ମାୟାମୋହ ସାଗରକୁ କେବେହେଁ ନ ଡରି

ସେହି ପ୍ରାଣୀ ତରେ କୃଷ୍ଣ ନାମ ଆଶ୍ରେ କରି ।

ବଞ୍ଚିଲା ସେ ଦାମୋଦର କୃଷ୍ଣେ ଦେଇ ଚିତ୍ତ

ସେ ପାଦେ ଶରଣ ପଶେ ଦୀନ ଯେ ଅଚ୍ୟୁତ ।

 

କୁରୁକ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ

 

ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେ

ଏଥୁ ଅନନ୍ତରେ ଯାହା କଲେ ଦେବରାୟେ ।

ଦିନେ ସୂର୍ଯ୍ୟ ଅସ୍ତାଚଳ ସନ୍ନିହିତ ହୋଇ

ସମସ୍ତେ କୁରୁକ୍ଷେତ୍ରକୁ ଗଲେକ ଚଳାଇ ।

ସମସ୍ତ ଦେଶର ଲୋକ ସେ ସ୍ଥାନକୁ ଗଲେ

ବାର୍ତ୍ତାପାଇ ଦ୍ୱାରକାରୁ ସମସ୍ତେ ଅଇଲେ ।

ରାମ ଶ୍ରୀକୃଷ୍ଣ ଆବର ପିତା ବସୁଦେବ

ପ୍ରଦ୍ୟୁମ୍ନ ସାତ୍ୟକି ତୁଲେ ଅନେକ ଯାଦବ ।

ସମ୍ଭ୍ରମେ ବାହାର ହେଲେ ରାଜା ଉଗ୍ରସେନ

ଆବର ଯେତେକ ଥିଲେ ଶ୍ରୀକୃଷ୍ଣ ନନ୍ଦନ ।

ରୋହିଣୀ ଯେ ଇନ୍ଦୁମତୀ ଦେବକୀ ସହିତେ

ଆବର ଅନ୍ତଃପୁରର କୃଷ୍ଣନାରୀ ଯେତେ ।

ସମସ୍ତେ ରୁଣ୍ଡ ହୋଇଣ କୁରୁକ୍ଷେତ୍ର ଗଲେ

ଏକା ଅନିରୁଦ୍ଧ ଦ୍ୱାରାବତୀରେ ରହିଲେ ।

ଅତି ପବିତ୍ର ଅଟଇ କୁରୁକ୍ଷେତ୍ର ସ୍ଥାନ

ତହିଁ ତପ କରିଥିଲେ ଯମଦଗ୍ନି ନାନ ।

ପୃଥ୍ୱୀର ଯେତେକ କ୍ଷତ୍ରୀ ସବୁ ଧରି ନେଲେ

ସବୁଙ୍କୁ ହାଣି ରୁଧିରେ ତର୍ପଣ ଯେ କଲେ ।

ତର୍ପଣ କରିଣ ଅସ୍ଥି ପାଞ୍ଚକୁଢ଼ କରି

ମହାପବିତ୍ର ତୀର୍ଥ ସେ ପାପମାନ ହରି ।

ଅନେକ ଯାଗ ଯଜ୍ଞାଦି ତର୍ପଣ କରିଲେ

କ୍ଷତ୍ରିବଧ ପାପମାନ ତହିଁ ଛଡ଼ାଇଲେ ।

ପବିତ୍ର କୁରୁକ୍ଷେତ୍ର ଯେ ଭ୍ରତଖଣ୍ଡେ ଏହି

ସମସ୍ତ ଦେଶର ଲୋକ ପ୍ରବେଶିଲେ ତହିଁ ।

ଜଗି ବସିଥିଲେ ସର୍ବେ ସୂର୍ଯ୍ୟ ଅସ୍ତବେଳେ

ତୀର୍ଥ ଭିତରେ ପ୍ରବେଶି ସ୍ନାହାନ ସାରିଲେ ।

ଅହୋରାତ୍ର ସମସ୍ତେ ହିଁ ଉପବାସେ ଥାଇ

କାଞ୍ଚନ ଧନ ଆବର ଗୋରୁ ଦାନ ଦେଇ ।

ସମସ୍ତେହିଁ ପାରଣାକୁ ସାରି ଆରଦିନ

ଯେଯାହାର ବାସକଲେ ବୃକ୍ଷର ତଳେଣ ।

ଗଛ ମୂଳରେ ଥାଇଣ ଭେଟିଲେ ସବୁନ୍ତି

ଯେଉଁ ଯେଉଁ ରାଜ୍ୟ ଲୋକମାନେ ଆସିଛନ୍ତି ।

ମତ୍ସ୍ୟ ମଗଧ ଆବର ମଘଦେଶ ଲୋକ

ପଞ୍ଚାଳ ଦେଶର ମୁଳେ ଥିଲେକ ଯେତେକ ।

ଅନେକ ଦେଶରୁ ଆସିଥିଲେ ନରପତି

ବସୁଦେବ ଆଗେ ସର୍ବେ ବଚନ କହନ୍ତି ।

ତ୍ରୈଲୋକ୍ୟର ଅଧିପତି ଅଟନ୍ତି ଶ୍ରୀଧର

ସେହି ସିନା ହୋଇଛନ୍ତି ତୁମ୍ଭର କୁମର ।

ହସିବା ବସିବା କିମ୍ବା ଭୁଞ୍ଜିବା ଶୟନେ

କ୍ରୀଡ଼ା ରଙ୍ଗରସ କରୁଥାନ୍ତି ଅନୁକ୍ଷଣେ ।

ତୁମ୍ଭେମାନେ ଅବ୍ୟକତ ବ୍ରହ୍ମ ସଙ୍ଗ ହୋଇ

ଅନନ୍ତ ସୁଖରେ ପାର ହେବ ଭବନଈ ।

ପାଣ୍ଡବ ପାଞ୍ଚ ଭାଇଙ୍କୁ ଘେନି ଦେବୀ କୁନ୍ତୀ

ବସୁଦେବ ଉଗ୍ରସେନ ଯାଇଣ ଭେଟନ୍ତି ।

କୁନ୍ତୀ ଦେବୀଙ୍କର ଦୁଃଖ କଥାମାନ ଯେତେ

କହି ବସୁଦେବ ଉଗ୍ରସେନଙ୍କ ଅଗ୍ରତେ ।

ଶୁଣିକରି ସେମାନେ ଯେ ପାଇ ମନେ ବ୍ୟଥା

ଦଇବର ଘଟସୂତ୍ର ଯେବଣ ବ୍ୟବସ୍ଥା ।

ସେହି କଥା କିଏ ଅବା କରିବାକୁ ଆନ

ସବୁଙ୍କ ଉପରେ ଦୈବ ଅଟଇ ପ୍ରଧାନ ।

ସମସ୍ତେ ସେହି ଠାବରେ ଭେଟାଭେଟି ହ୍ୱନ୍ତି

ଏକମନେ ଶୁଣ ତୁମ୍ଭେ ପରୀକ୍ଷ ନୃପତି ।

ଗୋପୁ ଆସୁଥିଲେ ନନ୍ଦ ଯଶୋଦା ସକଳ

ଆବର ଯେତେକ ଥିଲେ ଗୋପୀ ଯେ ଗୋପାଳ ।

ସମସ୍ତ ଯାଦବ ସେଠାବରୁ ଚଳିଗଲେ

ରାମ କୃଷ୍ଣ ଦୁଇ ଭାଇ ତହିଁ ପ୍ରବେଶିଲେ ।

ନନ୍ଦ ଯଶୋବନ୍ତୀଙ୍କର ପାଦସ୍ଥଳେ ଯାଇ

ପ୍ରଣିପାତ କଲେ ରାମ କୃଷ୍ଣ ବେନିଭାଇ ।

ଆନନ୍ଦରେ ଅଶ୍ରୁ ଜଳ ନୟନରୁ ବହି

ବକ୍ଷସ୍ଥଳ ତିନ୍ତି ତାଙ୍କ ବସ୍ତ୍ର ଓଦା ହୋଇ ।

ଯଶୋବନ୍ତୀ ଯହୁଁ ରାମ କୃଷ୍ଣଙ୍କୁ ଦେଖିଲେ

ମହାସୁଖ-ସମୁଦ୍ରରେ ନିର୍ଭରେ ବୁଡ଼ିଲେ ।

ଆନନ୍ଦିତ ହେଲେ ରାମ କୃଷ୍ଣ ବେନିଭାଇ

ଯଶୋଦା ଦେବୀ କୋଳରେ ବସାଇଲେ ନେଇ ।

ଅତ୍ୟନ୍ତ ପୁଲକେ ନେତ୍ର ଅଶ୍ରୁଜଳ ବହେ

ଗଦ ଗଦ ହ୍ୱନ୍ତେ କଣ୍ଠେ ବାକ୍ୟ ନ ସମ୍ଭାଏ ।

ହର୍ଷଭରେ ଦେବୀଙ୍କର ଅଶ୍ରୁଜଳ ବହି

ରାମ କୃଷ୍ଣଙ୍କର ଶିରେ ପଡ଼ୁଅଛି ଯାଇ ।

କିଏ କହିବ ଯଶୋଦା ଦେବୀଙ୍କର ଭାବ

ସେ ଭାବ ଏକା ଜାଣନ୍ତି ପ୍ରଭୁ ପଦ୍ମନାଭ ।

ଦେବକୀ ରୋହିଣୀ ଦେବୀ ତହିଁ ପ୍ରବେଶିଲେ

ଯଶୋଦାଙ୍କୁ ପ୍ରବୋଧିଣ ବଚନ ବୋଇଲେ ।

ଭୋ ଯଶୋଦା ଦେବୀ ତୋର ପ୍ରସାଦରେ ସିନା

ଦ୍ୱାରକାପୁର ସମ୍ପଦ ଅର୍ଜିଅଛୁ କିନା ।

ତୋହର ପୁତ୍ର ଅଟନ୍ତି ରାମ ଦାମୋଦର

ମହାଦୁଃଖ ସମୁଦ୍ରରୁ ଉଦ୍ଧରିଣ ଧର ।

ଏହି ସୁଖ ସମ୍ପଦ ତ ଯେତେ ଅଛୁ ପାଇ

ଜାଣିଲେ ସବୁ ଏମାନ ତୁମ୍ଭର ଅଟଇ ।

ରୁକ୍ମିଣୀ ମୁଳେ କୃଷ୍ଣର ଯେତେ ପାଟବଂଶୀ

ଯଶୋଦା ଦେବୀଙ୍କୁ ସର୍ବେ ମାନ୍ୟକଲେ ଆସି ।

ତାହାଙ୍କୁ ଦେଖି ଯଶୋଦା କୃତକୃତ୍ୟ ହୋଇ

ଆଶୀର୍ବାଦ କରନ୍ତି ସେ ମିଷ୍ଟବାକ୍ୟ କହି ।

ମାତାଙ୍କ ପାଖରୁ କୃଷ୍ଣ ଆଡ଼ ହୋଇ ଯାଇ

ଏକାନ୍ତରେ ଗୋପୀଙ୍କି ଯେ ଭେଟି ଭାବଗ୍ରାହୀ ।

ଗୋପୀଏ ଦେଖି ତାହାଙ୍କୁ ଆନନ୍ଦିତ ହେଲେ

ଧାଇଁଆସି ଶ୍ରୀକୃଷ୍ଣଙ୍କୁ କୋଳାଗ୍ରତ କଲେ ।

ଚାହିଁଣ ଗୋପୀମାନଙ୍କୁ ଭଣି ପୀତବାସ

ସବୁକାଳେ ଅଟୁ ଆମ୍ଭେ ତୁମ୍ଭର ବିଶ୍ୱାସ ।

କଂସ ରାଜାଙ୍କୁ ଭେଟିବୁ ବୋଲି ଚଳିଗଲୁ

କାର୍ଯ୍ୟେ ବଶୀଭୂତ ହୋଇ ଯାଇ ନ ପାରିଲୁ ।

କାର୍ଯ୍ୟ ଶେଷ ହେଲେ ଆମ୍ଭେ ଅବଶ୍ୟ ହିଁ ଯିବୁ

ଗୋପପୁରେ ପ୍ରବେଶିଣ ତୁମ୍ଭଙ୍କୁ ଭେଟିବୁ ।

ତୁମ୍ଭମାନଙ୍କୁ ଆମ୍ଭେ ତ ଭେଟିଲୁ ଗୋ ଏଥି

ନ ଭେଟିଲେ ତୁମ୍ଭ ମନେ ଜନ୍ମନ୍ତା ଅଭକ୍ତି ।

ତେଣୁ ପୂର୍ଣ୍ଣାନନ୍ଦ ନାମ ଆମ୍ଭର ଅଟଇ

କୀଟୁ ବ୍ରହ୍ମ ପରିଯନ୍ତେ ସର୍ବଦେହେ ଥାଇ ।

ଆମ୍ଭବିନୁ ସଂସାରରେ ଆନକେହି ନାହିଁ

ଆମ୍ଭେ ମଧ୍ୟ ତୁମ୍ଭ ଆତ୍ମା ମଧ୍ୟେ ଅଛୁ ରହି ।

ଅତିଶୁଦ୍ଧ ଚଇତନ ଆବର ପବନ

ଆନ ମତେ ଅଟୁ ଆମ୍ଭେ ପୂର୍ଣ୍ଣ ସନାତନ ।

ଏମନ୍ତ ଭାବେ ଶ୍ରୀକୃଷ୍ଣ ଗୋପୀଙ୍କୁ କହିଲେ

ସେମାନଙ୍କୁ କୃଷ୍ଣ ଜ୍ଞାନମାର୍ଗ ଦେଖାଇଲେ ।

ଅତି ଆନନ୍ଦିତ ହୋଇ ଗୋପୀଏ ବୋଲନ୍ତି

ସାବଧାନେ ଶୁଣ ତୁମ୍ଭେ ଲକ୍ଷ୍ମୀଦେବୀ ପତି ।

ତୁମ୍ଭର ପ୍ରସାଦେ ସର୍ବଜ୍ଞାନ ପ୍ରାପ୍ତ ହେଲୁ

ଆମ୍ଭଙ୍କୁ ଏମନ୍ତ ଆଜ୍ଞା ବାସୁଦେବ ଦେଲୁ ।

ଏହି ତୋହର ଅଭୟ ପାଦପଦ୍ମ କଥା

ଆମ୍ଭର ମନରୁ ଯେହ୍ନେ ନ ଯାଏ ସର୍ବଥା ।

ତୋର ରୁପଗୋଟି ସଦା ହୃଦେ ଧରିଥିବୁ

ତୋହର ଗୁଣ ମୁଖରେ ଗାୟନ କରିବୁ ।

ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏମନ୍ତ ବୋଇଲେ

ତେଣୁ ସେ ଗୋପୀମାନଙ୍କୁ ଏହି ଆଜ୍ଞା ଦେଲେ ।

ଯାବତ ଗୋପୀଏ ଶ୍ରୀକୃଷ୍ଣଙ୍କ ସଙ୍ଗେ ଥିଲେ

ତାବତ ସେମାନେ କୃଷ୍ଣନାମ ସୁମରିଲେ ।

ଅନ୍ତଃକାଳେ ଗୋପୀମାନେ ବୈକୁଣ୍ଠକୁ ଯିବେ

ହରି ପରିବାରୀ ହୋଇ ଭୋଗ ବିଳସିବେ ।

ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତି

ପାଣ୍ଡବଙ୍କର ଭାରିଯା ଦ୍ରୌପଦୀ ଅଟନ୍ତି ।

ରୁକ୍ମିଣୀ ଆଦି ଯେତେକ ପାଟବଂଶୀ ଥିଲେ

ଆନନ୍ଦରେ ସମସ୍ତଙ୍କୁ ଦ୍ରୌପଦୀ ଭେଟିଲେ ।

ଅତ୍ୟନ୍ତ ଆନନ୍ଦ ହୋଇଲେକ ସର୍ବନାରୀ

ହରଷରେ ଦ୍ରୌପଦୀଙ୍କୁ କୋଳାଗ୍ରତ କରି ।

ସବୁଙ୍କୁ ଦ୍ରୌପଦୀ ଦେବୀ କୁଶଳ ପୁଛନ୍ତି

ଏକୁ ଆରେକ ସଙ୍ଗେ ପୀରତି କରନ୍ତି ।

ଶ୍ରୀକୃଷ୍ଣଙ୍କ ପାଟବଂଶୀମାନଙ୍କୁ ଯେ ପୁଣି

ପୁଣ ପୁଣ ପଚାରନ୍ତି ପାଣ୍ଡବ ଘରଣୀ ।

ଷୋଳସସ୍ର ବାଳିକାରେ ପାଟବଂଶୀ ଆଠ

ଶ୍ରୀକୃଷ୍ଣର ତୁଲେ ତୁମ୍ଭେ ଦିନରାତି ଖଟ ।

କିଏ ତୁମ୍ଭେ କେଉଁ ରୂପେ ଥାଅ ଉଭାହୋଇ

ଭଲା ଶ୍ରୀକୃଷ୍ଣଙ୍କୁ ତୁମ୍ଭେ ଅଛ ଯେ ମନାଇ ।

ଏହା ଶୁଣି ଆଗସରି ରୁକ୍ମିଣୀ କହନ୍ତି

ମୋହର ଯେ ବଡ଼ଭାଇ ଅତି ଦୁଷ୍ଟମତି ।

ମୋ ପାଇଁ ଶିଶୁପାଳକୁ ବରିଣ ଆଣିଲେ

ବଳବନ୍ତ ରାଜାମାନେ ତାହାସଙ୍ଗେ ଥିଲେ ।

ମତ୍ତହସ୍ତୀ ଦେଖି ଯେହ୍ନେ ଶିବା ଜଗିଥାଇ

ସିଂହକୁ ଦେଖିଣ ସେହି ଯେମନ୍ତ ହୁଅଇ ।

ତେମନ୍ତ ପରାୟେ ମୋତେ ପ୍ରଭୁ ଜଗିଥିଲେ

ଅନେକ ରାଜାମାନଙ୍କୁ ସେଠାରେ ଜିଣିଲେ ।

ମୋତେ ନେଇଣ ଦ୍ୱାରକାପୁରେ ବିଭାହୋଇ

ପାଦପଦ୍ମର ଦାସୀ ମୁଁ ସର୍ବଦା ଅଟଇ ।

ତୁମ୍ଭେ ଗୋ ମୋତେ ଏମନ୍ତ କଲ୍ୟାଣ କରିବ

ତାଙ୍କ ପାଦେ ଚିତ୍ତ ମୋର ଅନୁବ୍ରତେ ଥିବ ।

ତାହାଙ୍କ ପଛେ କହନ୍ତି ଦେବୀ ସତ୍ୟଭାମା

ମୋର କଥାରେ ଅଛଇ ବହୁତ ଗାରିମା ।

ମୋର ପିତା ସମନ୍ତ୍ୟକ ମଣି ହଜାଇଲା

ମଣି ହଜାଇଣ ସେହୁ କୃଷ୍ଣେ ଦୋଷଦେଲା ।

ପାତାଳପୁରେ ପାଇଲେ ପ୍ରଭୁ ଚକ୍ରପାଣି

ମୋହର ପିତା ହସ୍ତରେ ମଣି ଦେଲେ ଆଣି ।

ଯାଦବଙ୍କ ସଭାରେ ମୋ ପିତା ଲଜ୍ଜା ପାଇ

ଶ୍ରୀକୃଷ୍ଣଙ୍କୁ ବିଭା ମୋତେ ଦେଲେକ ସେ ନେଇ ।

ସେହି ମଣି ପିତା ମୋର ଯଉତୁକ ଦେଲା

ଏମନ୍ତ ପ୍ରକାରେ ପିତା ବିଭା କରାଇଲା ।

ଦ୍ୱାରକାପୁରକୁ ପ୍ରଭୁ ମୋତେ ଘେନିଗଲେ

ପଦ୍ମପାଦ ତଳେ ଦାସୀ କରିଣ ରଖିଲେ ।

ଏବେ ଏତେକ କଲ୍ୟାଣ ତୁମ୍ଭେ ମୋତେ କର

ଜନ୍ମେ ଜନ୍ମେ ଖଟିଥିବି ଶ୍ରୀକୃଷ୍ଣ ପୟର ।

ସର୍ବଦାହିଁ ଶ୍ରୀକୃଷ୍ଣଙ୍କୁ ଆମ୍ଭେ ଭଜୁଥିବୁଁ

ପାଦପଦ୍ମ ଧୂଳିନେଇ ଶିରେ ବୋଳୁଥିବୁ ।

ରୁକ୍ମିଣୀ ସତ୍ୟଭାମା ଯେ ବଚନ କହିଲେ

ଗୋପୀମାନେ ତାଇ ଖଣ୍ଡେଦୁରେ ଶୁଣୁଥିଲେ ।

ସମସ୍ତ ଗୋପିଏ ଶୁଣି ପ୍ରଶଂସା କରନ୍ତି

ଧନ୍ୟ ଧନ୍ୟ ପାଟବଂଶୀ ତୁମ୍ଭ ଜୀବନଟି ।

ଶ୍ରୀକୃଷ୍ଣର ଗୁଣ ନିତ୍ୟ କରୁଛ ଭଜନ

ଅନୁବ୍ରତେ ତାଙ୍କ ଗୁଣ କରୁଛ ଗାୟନ ।

ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ

କୃଷ୍ଣ ବିଜେ କରିଛନ୍ତି କୁରୁକ୍ଷେତ୍ର ସ୍ଥାନ ।

ଏ କଥା ଶୁଣି ସକଳ ଋଷିଗଣମାନେ

କୁରୁକ୍ଷେତ୍ର ମଣ୍ଡଳକୁ ଅଇଲେ ବହନେ ।

ବ୍ୟାସ ବଶିଷ୍ଠ ମହର୍ଷି ମୁନି ପରାଶର

ଗାର୍ଗବ ଅଙ୍ଗିରା ଜଇମିନି ଋଷିବର ।

ଭରଦ୍ୱାଜ ଭାରଦ୍ୱାଜ ମୁନି ସନାତନ

ନାରଦଙ୍କୁ ମୁଖ୍ୟକରି ଯେତେ ତପୋଧନ ।

କଣ୍ୱଋଷି ସନକ ଯେ ଆଉ ବୃହସ୍ପତି

ବିଶ୍ୱାମିତ୍ର ଆଦିକରି ସମସ୍ତେ ମିଳନ୍ତି ।

ସର୍ବଋଷିମାନେ ଆସି କୃଷ୍ଣଙ୍କୁ ଦେଖିଲେ

ଋଷିଗଣଙ୍କୁ ଦେଖିଣ ଶ୍ରୀକୃଷ୍ଣ ଉଠିଲେ ।

ସେ ଋଷିଗଣଙ୍କ ପାଦେ ପ୍ରଣାମ କରିଣ

ଅର୍ଘ୍ୟଦେଇ ପୂଜା କଲେ ବିନୟ ଭାବେଣ ।

ମହା ହରଷ ହୋଇଣ ପୂଜନ୍ତି ମୁରାରି

ଋଷିଗଣ ସମସ୍ତେ ହିଁ ଜୟ ଜୟ କରି ।

ଆମ୍ଭେ ଋଷିଗଣମାନେ ପବିତ୍ର ହୋଇଲୁ

ତୁମ୍ଭ ପାଦପଦ୍ମ ଯେଣୁ ନୟନେ ଦେଖିଲୁ ।

ଆମ୍ଭଙ୍କୁ ତ ତୁମ୍ଭେ ଅଛ ମାୟାରେ ଯେ ମୋହି

ଦଇବ ଏମନ୍ତ ମାୟା ଅଛଇ ଭିଆଇ ।

ତୁମ୍ଭଙ୍କୁ ଏକମନରେ ଦେଖଇ ଯେ ନର

ଜନ୍ମ ଜନ୍ମାନ୍ତର ପାପ ନ ଥାଇ ତାହାର ।

ଯେଉଁ ନାମ ଧରନ୍ତେଣ ପୂତ ହୁଏ ଚିତ୍ତ

ପ୍ରାଣୀମାନେ ନାମ ଭଜି ହୁଅନ୍ତି ମୁକତ ।

ଅନେକ ସ୍ତୁତି କରିଣ ମୁନିମାନେ କହି

ଶ୍ରୀକୃଷ୍ଣର ପଦ୍ମପାଦ ହୃଦମଧ୍ୟେ ଥୋଇ ।

ଶ୍ରୀମୁଖକୁ ଚାହିଁ ଆଜ୍ଞା ମାଗି ମୁନିମାନେ

ଯେ ଯାହାର ଆଶ୍ରମକୁ ଚଳିଲେ ବହନେ ।

ଖଣ୍ଡେଦୁର ମୁନିଙ୍କର ପଛରେ ଗୋଡ଼ାଇ

ବସୁଦେବ କରପତ୍ର ଯୋଡ଼ିଣ ଜଣାଇ ।

ଲେଉଟି ଗମନ କରୁଛନ୍ତି ମୁନିବରେ

କର୍ମ ନ ସାରି ମୋହର ଯାଅ କି ପ୍ରକାରେ ।

ଏମନ୍ତ ବଚନ ବସୁଦେବଙ୍କର ଶୁଣି

ମୁନିମାନେ ବିଚାରନ୍ତି ମନମଧ୍ୟେ ପୁଣି ।

ଯାହାଙ୍କର ପୁତ୍ର ହୋଇଛନ୍ତି ଭଗବାନ

ସେହି ଲୋକ କାହିଁପାଇଁ ପୁଚ୍ଛେ ବ୍ରହ୍ମଜ୍ଞାନ ।

ଶୁଣିକରି ବୋଲନ୍ତି ସେ ନାରଦ ଗୋସାଇଁ

ଜାଣିଲେହିଁ ଏହିକଥା ବୋଲିବା କିପାଇଁ ।

କୃଷ୍ଣଙ୍କୁ ଜଗତ ଆତ୍ମା ବୋଲି ସେ ଜାଣଇ

ତେବେହେଁ ସେ ପୁତ୍ରବୋଲି ସ୍ନେହ କରୁଥାଇ ।

ମୁନିମାନେ ବୋଲନ୍ତି ହୋ ଶୁଣ ବସୁଦେବ

କୃଷ୍ଣନାମ ଗୋଟି ମୁଖେ କୀର୍ତ୍ତନ କରିବ ।

ଶ୍ରୀକୃଷ୍ଣଙ୍କୁ କର୍ମମାନ ସମର୍ପଣ କଲେ

ସଂସାର ବନ୍ଧନୁ ପ୍ରାଣୀ ମୁକ୍ତ ହୁଏ ଭଲେ ।

ମାୟାମୋହେ ସଂସାରରେ ଯେବେ ଜନ୍ମ ହୋଇ

ତିନି ପ୍ରକାର ଋଣ ଯେ ତାହାର ହୁଅଇ ।

ଦେବଋଣ ଋଷିଋଣ ଆଉ ପିତୃଋଣ

ଏମନ୍ତ ପ୍ରକାରେ ପ୍ରାଣୀଙ୍କର ତିନିଋଣ ।

ଏହି ସଂସାରରେ ଯାର ସୁପୁତ୍ର ଜନ୍ମଇ

ସେହି ପୁତ୍ର ପିତୃଋଣ ଅବଶ୍ୟ ଶୁଝଇ ।

ତତ୍ତ୍ୱଜ୍ଞାନ ଉପାର୍ଜନ କରଇ ସେ ଯେବେ

ଋଷିମାନଙ୍କର ଋଣ ଶୁଝି ପାରେ ତେବେ ।

ଯେ ପୁତ୍ର ଅବଗାହନ ପ୍ରତିଦିନ କରେ

ଦେବଋଣ ସେହି ପୁତ୍ର ନିଶ୍ଚେ ଶୁଝିପାରେ ।

ଏହି ତିନିଗୋଟି କର୍ମ ଯେଉଁ ପୁତ୍ର ସାରି

ବାନପ୍ରସ୍ଥ ଧର୍ମ ପୁଣି ପାରଇ ଆଚରି ।

ନିଃଶଂସୟ ରୂପେ କୃଷ୍ଣଙ୍କର କର୍ମ କଲେ

ଏ ଭବସାଗରୁ ସେହି ତରିଯାଏ ଭଲେ ।

ମୁନିମାନଙ୍କ ମୁଖରୁ ଶୁଣି ବସୁଦେବ

ପୁଣ ପୁଣ ବଚନକୁ କହି ତାଙ୍କ ଠାବ ।

ଏ ଭୂମିର ନାମ ଗୋଟି ଅଟେ କୁରୁକ୍ଷେତ୍ର

ଯାଗ କରିବା ନିମନ୍ତେ ଅଟଇ ପବିତ୍ର ।

ତୁମ୍ଭେ ଋଷିଗଣମାନେ ସର୍ବେ ରୁଣ୍ଡ ହୋଇ

ମୋହର ଏ ଯାଗ ଗୋଟି କରାଅ ଗୋସାଇଁ ।

ରାମ କୃଷ୍ଣ ପିତା ଅଟନ୍ତି ତ ବସୁଦେବ

ତାଙ୍କର ବଚନ କିଏ ଅନ୍ୟଥା କରିବ ।

ବସୁଦେବଙ୍କ ଚରିତ ଶୁଣି ମୁନିମାନେ

ତତକ୍ଷଣେ ଯାଗ ଆରମ୍ଭିଲେ ସେହିସ୍ଥାନେ ।

ଉତ୍ତମ ପ୍ରକାରେ ଯାଗ ସମାଧାନ କଲେ

ସେହିମାନଙ୍କୁ ଭୋଜନ ଦକ୍ଷିଣା ଅର୍ପିଲେ ।

ଯା ପୁତ୍ର ଅଟନ୍ତି ନିଜେ ପ୍ରଭୁ ପଦ୍ମନାଭ

ସଂସାର ମଧ୍ୟରେ ତାଙ୍କୁ କିବା ଅସମ୍ଭବ ।

ଅନେକ ଦେଶର ନରପତିମାନେ ଥିଲେ

ସେହି ନୃପତିମାନଙ୍କୁ ଭୋଜନ ସେ ଦେଲେ ।

ଯେଉଁ ରାଜା ଯେ ପ୍ରକାର ଭାଜନ ଅଟଇ

ଅଳଙ୍କାର ଆଦି କରି ଦ୍ରବ୍ୟମାନ ଦେଇ ।

ଦକ୍ଷିଣା ଧନ ପାଇଣ ସର୍ବ ମୁନିମାନେ

ବେଗ ହୋଇ ଚଳିଗଲେ ଯେ ଯାହାର ସ୍ଥାନେ ।

ଏମନ୍ତ ହୋଇଣ ଚଳିଗଲେ ବିଦ୍ୟମାନେ

ପ୍ରବେଶ ହୋଇଲେ ଯାଇ ଆପଣା ଭୁବନେ ।

ହସ୍ତିନାପୁରେ ପାଣ୍ଡବମାନେ ଚଳିଗଲେ

ଏକାହୋଇ ନନ୍ଦରାଜା ପଛକୁ ରହିଲେ ।

ଅନେକ ପ୍ରକାର ସ୍ନେହ କରିଣ ଶ୍ରୀପତି

ନନ୍ଦ ଯଶୋଦାଙ୍କୁ କେଭେ ଛାଡ଼ି ନ ପାରନ୍ତି ।

ଥୋକାଏ ଦିନ ସେମାନେ ସେ ସ୍ଥାନରେ ରହି

ଗୋପପୁରକୁ ଚଳିଲେ ବେଗ ବେଗ ହୋଇ ।

ରାମକୃଷ୍ଣ ସହିତରେ ସର୍ବେ ଚଳିଗଲେ

କୁଶସ୍ଥଳୀ ଦ୍ୱାରକାରେ ଯାଇ ବିଜେ କଲେ ।

ଯେଉଁ ନର ଶୁଣେ କୁରୁକ୍ଷେତ୍ର ତୀର୍ଥ କଥା

ଶରୀରୁ ଛାଡ଼ଇ ତାର ଭବଭୟ ବ୍ୟଥା ।

ଶ୍ରୀକୃଷ୍ଣ ପାଦପଦ୍ମରେ ନିବେଶିଣ ଚିତ୍ତ

ଅଚ୍ୟୁତ ଦାସ ଲେଖଇ ହରିବଂଶ ଗୀତ ।

ସାବଧାନ ହୋଇ ଶୁଣ ରାଜା ପରୀକ୍ଷିତ

ଇଦଂ କୁରୁକ୍ଷେତ୍ର କଥା ହେଲା ସମାପତ ।

 

ଶିବଙ୍କ ରକ୍ଷାପାଇଁ ବିଷ୍ଣୁ ମାୟାରେ ଭସ୍ମାସୁରର ମୃତ୍ୟୁ

 

ଶ୍ରୀ ଶୁକମୁନିଙ୍କୁ ପୁଣି ପରୀକ୍ଷ ପଚାରି

ବିନୟ ଭାବରେ କରପତ୍ର ଯୋଡ଼ିକରି ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ତିନି ଦେବତା

ତାଙ୍କୁ ସେବିଲେ କି ଫଳ ପାଇ ବ୍ରହ୍ମବେତ୍ତା ।

ଯାହାଙ୍କୁ ସେବିଲେ ତତକାଳ ବର ପାଇ

ଏକଥା ଗୋଟି ବିସ୍ତାରି କହିବା ଗୋସାଇଁ ।

ଶୁକବ୍ରହ୍ମା ବୋଇଲେ ହେ ଶୁଣ ନୃପରାୟେ

ତହିଁର ଯେ ଫଳଶ୍ରୁତି କହିବା ଥୋକାଏ ।

ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଯେ ସେବା କରଇ

ତହିଁର ଫଳ ବହନ ଶ୍ରୁତିମାନେ ପାଇ ।

ସେହି କଥା ଗୋଟି ଯେବେ ସିଦ୍ଧ ଯେ ନୋହିବ

ଷଢ଼ ବରଷ ଯେ ଯାଇ ବନରେ ରହିବ ।

ଏକମନ ହୋଇ ତହିଁ ବିଷ୍ଣୁ କଥା ଶୁଣି

ପଞ୍ଚ ପବନକୁ ଦୃଢ଼େ ସାଧିବ ଉଜାଣି ।

ଏହି କର୍ମମାନ ଯେହୁ କରି ନ ପାରଇ

କେବଳ ବିଷ୍ଣୁ ପାଦରେ ଚିତ୍ତ ତାର ଥାଇ ।

ସାଧକେ ଯଦ୍ୟପି ମନ ଦେଇଣ ସେବନ୍ତି

ଶ୍ରୀ ବିଷ୍ଣୁ ଦେବ ତାହାକୁ ପ୍ରସନ୍ନ ହୁଅନ୍ତି ।

ବିଷ୍ଣୁ ସେବିଣ ଅକ୍ଷୟ ବର ସେହୁ ପାଏ

ସର୍ବଦା କାଳରେ ସେହି ସୁଖୀ ହୋଇଥାଏ ।

ଏଥିପାଇଁ କଥାଟିଏ ଅଛି ଦୃଷ୍ଟାନ୍ତର

ପୁରାତନ କଥାଗୋଟି ଅଛି ଏ ପ୍ରକାର ।

ଶକୁନି ଦୈତ୍ୟର ଥିଲା ଏକଇ କୁମର

ନାମ ଗୋଟି ତାହାର ଯେ ଅଟେ ଭସ୍ମାସୁର   

ଏକଦିନେ ପୁଚ୍ଛିଲା ସେ ନାରଦଙ୍କୁ ଚାହିଁ

କଥାଏକ ପୁଚ୍ଛିବି ମୁଁ କହିବ ଗୋସାଇଁ ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବ ଏହି ତିନି

ଏହାଙ୍କ ମଧ୍ୟରୁ ଏକ ସେବଇ ଯେ ପୁଣି ।

ଏଥି ମଧ୍ୟରେ କିଏ ବା ଶୀଘ୍ର ବର ଦେଇ

ଏକଥା ସଂକ୍ଷେପି ମୋତେ କହିବା ଗୋସାଇଁ ।

ନାରଦ ବୋଇଲେ ଶୁଣ ଆରେ ଭସ୍ମାସୁର

ବର ବେଗେ ପାଇବୁ ତୁ ଶିବେ ସେବା କର ।

ମହା ଭୋଳା ଲିଙ୍ଗ ସେହୁ ବେଗେ ବର ଦେଇ

ଯା ବାଞ୍ଛା କରିବୁ ବେଗେ ପାଇବୁରେ ତୁହି ।

ନାରଦ ମୁଖୁଁ ଏସନ ଶୁଣି ଭସ୍ମାସୁର

ନିଗମ ସ୍ଥାନରେ ତପ କଲା ମହା ଘୋର ।

ନିରାଶ ହୋଇଣ ଦେହୁ ମାଂସ ଯେ କଟାଇ

ଅଗ୍ନିରେ ପକାଇ ତାହା ହୋମ ଯେ କରଇ ।

କିଛିଦିନ ଗତ ହେଉଁ ମାଂସ ଶେଷ ହେଲା

ଶିର କାଟି ହୋମ କରିବାକୁ ଇଛା କଲା ।

କୈଳାସେ ଥାଇ ଏକଥା ଈଶ୍ୱର ଜାଣିଲେ

କଠୋର ତପ ଦେଖିଣ ସୁପ୍ରସନ୍ନ ହେଲେ ।

ଅସୁର ଆଗେ ଆସି ଈଶ୍ୱର ମିଳିଲେ

କିପାଁ ତପ କରୁଅଛୁ ତାକୁ ପଚାରିଲେ ।

ସେ ଭୋଳାଲିଙ୍ଗ ପ୍ରସନ୍ନ ହୋଇଲେ ସତ୍ୱର

ଯାହା ଇଛା ବର ମାଗ ଆରେ ଦୈତ୍ୟବୀର ।

ତାହା ଶୁଣିଣ ବୋଇଲା ଶିବଙ୍କୁ ଦାନବ

ଭୋ ସ୍ୱାମୀ ଏମନ୍ତ ବର ତୁମ୍ଭେ ମୋତେ ଦେବ   

ଯେଉଁ କ୍ଷଣି ଯାର ମୁଣ୍ଡେ ଦେବି ମୁହିଁ ହାତ

ସେକ୍ଷଣି ତାର ଶରୀର ହେବ ଭସ୍ମସାତ ।

ଯେଣୁ ଏକଥା ସୁଣିଲେ ଦେବ ତ୍ରୀପୁରାରି

ମନେ ମହାଦୁଃଖ ଜନମିଲା ତାହାଙ୍କରି ।

ଦଇତ୍ୟ ବଚନେ ହର୍ଷ ବିସ୍ମୟ ହୋଇଲେ

ହେଉ ବୋଲି ମହେଶ୍ୱର ସ୍ୱୀକାର କରିଲେ ।

ଦାନବକୁ ବର ଦେଇ ଦେବ ପଶୁପତି

କପିଳାସ କନ୍ଦରକୁ ବିଜେ କରିଯାନ୍ତି ।

ବର ପାଇ ଦୈତ୍ୟ ମନେ ମନେ ବିଚାରଇ

ଏକଥା ଗୋଟିକ ମୋତେ ଭଣ୍ଡିଲେ କି ସେହି ।

ଏମନ୍ତ ବିଚାର କରି ଦୈତ୍ୟ ଡାକଦେଲେ

ଶୁଣିକରି ଭୋଳାଲିଙ୍ଗ ପୁଣି ଲେଉଟିଲେ ।

ଭସ୍ମାସୁର ବୋଲେ ତୁମ୍ଭେ ଭଣ୍ଡିବର ଦେଲ

ମହାପ୍ରଭୁ ହୋଇ କିପାଁ ଏ ପ୍ରକାର କଲ ।

ଏହା ସତ୍ୟ ଅଟେ ବୋଇଲେକ ମହାଦେବ

ଯେଉଁ ବର ଦେଲୁ ଆମ୍ଭେ ମିଛ ସେ ନୋହିବ ।

ଅସୁର ବୋଇଲା ଯେବେ ବରତୋର ସତ୍ୟ

ଦେଖା ମୁହିଁ ଦେବି ଏବେ ତୋର ମୁଣ୍ଡେ ହସ୍ତ ।

ଏତକ ବୋଲିଣ ସେହି ଭସ୍ମାସୁର ବୀର

ଇଶ୍ୱର ମୁଣ୍ଡକୁ ହାତ ବଢ଼ାଏ ପାମର ।

ଦେଖି ଭୟ ପାଇ ପଳାଇଲେ ଦେବ ହର

ପଛେ ପଛେ ଗୋଡ଼ାଇଲା ସେ ଦାନବ ବୀର ।

ପୃଥିବୀ ଶେଷ ପର୍ଯ୍ୟନ୍ତ ହର ପଳାଇଲେ

ବୈକୁଣ୍ଠପୁରେ ଯାଇଁ ପ୍ରବେଶ ହୋଇଲେ ।

ଆରତ ହୋଇଣ ହର ପଳାଉଅଛନ୍ତି

ବୈକୁଣ୍ଠପୁରରେ ଥାଇ ଦେଖିଲେ ଶ୍ରୀପତି ।

ମାୟାଧର ପୁରୁଷ ଯେ ହେଲେ ବ୍ରହ୍ମଚାରି

କରେଣ ଶଙ୍ଖ ଧଇଲେ ଦେବ ଦଇତ୍ୟାରି ।

କଟିରେ ପିନ୍ଧିଅଛନ୍ତି କୃଷ୍ଣସାର ଚର୍ମ

ବ୍ରହ୍ମଚାରୀ ବେଶ ହୋଇଛନ୍ତି ଅନୁପମ ।

ଦୁହିଁଙ୍କର ମଧ୍ୟେ ମିଳିଗଲେ ଚକ୍ରଧର

ବୈକୁଣ୍ଠନାଥ ବୋଇଲେ ଶୁଣ ଭସ୍ମାସୁର ।

ଗୋଡ଼ାଇ ତୁ ଅଛୁ କିପାଁ ଏତେ ଶ୍ରମ କରି

ପଳାଇ ଯାଉଅଛନ୍ତି ଦେବ ତ୍ରିପୁରାରି ।

ତୋର କଥାମାନ କହ ଆମ୍ଭର ଆଗର

ନିଶ୍ଚୟ ତୋହର କାର୍ଯ୍ୟକରିବା ନିକର ।

ସବୁକଥା କହିଲା ସେ କରି ଆଦି ଅନ୍ତ

ସଂପୂର୍ଣ୍ଣରୂପେ ଶୁଣିଲେ ପ୍ରଭୁ ଜଗନ୍ନାଥ ।

ତହୁଁ ବିଷ୍ଣୁ ବୋଇଲେ ତୁ ଶୁଣ ଦୈତ୍ୟବୀର

କେମନ୍ତ ପ୍ରକାରେ ମନେ ପ୍ରତ୍ୟେଗଲୁ ତୋର ।

ସବୁଦିନେ ମିଛୁଆ ତ ଦେବ ପଶୁପତି

ସତକରି କଥା ସେହୁ କେବେ ନ କହନ୍ତି ।

ପ୍ରେତ ପିଶାଚ ଯେବଣ ଠାବରେ ରହନ୍ତି

ସେହି ସ୍ଥାନରେ ଏହି ତ ବିଶ୍ରାମ କରନ୍ତି ।

ଯେବେ ଏହାର ବଚନ ଅଟଇଟି ସତ

ତୋହର ମୁଣ୍ଡରେ ତୁହି ଦିଅ ତୋର ହସ୍ତ ।

ଯେବେ ସେ ତାହାର ବର ଦେଲା ମିଛ ହୋଇ

ତୋହର ଆଗୁଁ ପଳାଇଯିବ ଅବା କାହିଁ ।

ବିଷ୍ଣୁମାୟାରେ ଅସୁର ମୋହିତ ହୋଇଲା

ଆପଣାର ମୁଣ୍ଡରେ ସେ ନିଜହସ୍ତ ଦେଲା  

ତତକ୍ଷଣେ ଭସ୍ମସାତ ହେଲା ତା ଶରୀର

ଧୂଳିସଙ୍ଗେ ମିଶିଗଲା ତେଡ଼େକ ଅସୁର ।

ଯେତେବେଳେ ଭସ୍ମାସୁର ଭୂମିରେ ପଡ଼ିଲା

ମହାଦେବଙ୍କ ମନରୁ ଭୟ ଦୁର ହେଲା ।

ଦେଖିଣ ମହେଶ ବଡ଼ ଲଜ୍ଜା ପ୍ରାପ୍ତ ହେଲେ

ପ୍ରଭୁଙ୍କ ଛାମୁରେ ଆସି ତକ୍ଷଣେ ମିଳିଲେ ।

ପରସନ୍ନ ହୋଇ ଭଣି ଦେବ ଚକ୍ରଧର

କେଡ଼େ ପାପ ଅର୍ଜ୍ଜୁଥିଲା ମୂଢ଼ ଭସ୍ମାସୁର ।

ତହିଁର ଫଳ ଅସୁର ତ୍ୱରିତେ ପାଇଲା

ଆପଣା ଇଚ୍ଛାରେ ସେହୁ ବିନାଶ ଲଭିଲା ।

ତୁହି ଯାହା ପୁଚ୍ଛାକଲୁ ପରୀକ୍ଷ ନୃବର

ବ୍ରହ୍ମା ମହେଶ ଅଟନ୍ତି ଏମନ୍ତ ପ୍ରକାର ।

ଭାଗବତ ପୁରାଣ ଯେ ପଢ଼ଇ ଶୁଣଇ

ପାପାଧି ପାତକମାନ ତାକୁ ନ ଲାଗଇ ।

 

ଭୃଗୁ ଉପାଖ୍ୟାନ

 

ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜା

ଶୁକମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।

ଭୋ ମୁନି ବୋଇଲେ ଭସ୍ମାସୁର ନାଶଗଲା

ତଦନ୍ତରେ ପୁଣିହିଁ କେଉଁ କୃତ୍ୟ ହେଲା ।

ଶ୍ରୀ ଶୁକ ବୋଇଲେ ଶୁଣ ପରୀକ୍ଷିତ ରାୟେ

ଭାଗବତ ପୁରାଣ ଯେ ସାଧୁରସମୟେ ।

ଏକଦିନେ ସବୁ ମହାଋଷିମାନେ ଆସି

ରୁଣ୍ଡ ହୋଇ ସରସ୍ୱତୀ ନଦୀତୀରେ ବସି ।

ପରସ୍ପରଙ୍କ ମଧ୍ୟରେ କରନ୍ତି ବିଚାର

ବ୍ରହ୍ମା ମହେଶ ଆବର ପ୍ରଭୁ ଚକ୍ରଧର ।

ଏ ତିନି ଦେବତା ମଧ୍ୟେ ଅଟନ୍ତି କେ ବଡ଼

ଏହି କଥା ବିଚାରନ୍ତି ସର୍ବେ କରି ଦୃଢ଼ ।

ଭୃଗୁ ଋଷିଙ୍କି ଅନାଇଁ ବୋଲନ୍ତି ସମସ୍ତେ

ଏହି କଥା ଗୋଟି ଆମ୍ଭେ ଜାଣିବା କେମନ୍ତେ ।

ଭୃଗୁ ଋଷି ବୋଇଲେକ ବ୍ରହ୍ମା ଠାକୁ ଯିବୁଁ

ଏ କଥା ଗୋଟିକି ବୁଝି ତୁମ୍ଭଙ୍କୁ କହିବୁ ।

ଏତେ ବୋଲି ବ୍ରହ୍ମାଙ୍କର ପାଶେ ଚଳିଗଲେ

ଧାତାଙ୍କୁ ଦେଖିଣ ଋଷି ମାନ୍ୟ ଧର୍ମ କଲେ ।

ମାନନା କରିଲେ ମଧ୍ୟ ଆପେ ପିତାମହ

ଅଜ୍ଞାନ ହୋଇ ଭୃଗୁଙ୍କୁ କଲେ ସେହୁ କୋହ ।

ସେଠାବରୁ ମହାଋଷି ବେଗେ ଗଲେ ଖସି

ଯେତେ ଋଷି ଥିଲେ ତହିଁ ସମସ୍ତେ ହିଁ ତ୍ରାସି ।

ତଦନ୍ତେ ଯାଇ ମିଳିଲେ କପିଳାସ ପୁର

ତହିଁ ଦେଖିଲେ ବିଜୟ ଅନାଦି ଶଙ୍କର ।

ଦେଖିଣ ଭୃଗୁ ଋଷିଙ୍କି ଦେବ ତ୍ରିଲୋଚନ

ଆସ୍ଥାନ ତ୍ୟାଗ କରିଣ ଉଠିଲେ ବହନ ।

ଆଦର କରିଣ ତାଙ୍କୁ ମାନ୍ୟଧର୍ମ କଲେ

ଅନେକ କାର୍ପଣ୍ୟ ହୋଇ ଋଷିଙ୍କି ବୋଇଲେ ।

ମହା ନିଷ୍ଠୁର ହୃଦୟ ଅଟଇ ତୁମ୍ଭର

ମେରୁ ମନ୍ଦର ପର୍ବତ ତହିଁ ହୋଇ ଚୁର ।

ଏ କଥା ଶୁଣି ମହର୍ଷି ବେଗେ ଚଳିଯାଇ

ବିଷ୍ଣୁଙ୍କ ପାଶେ ମିଳିଲେ ମନେ ଦୁଃଖ ପାଇ ।

ତାହାଙ୍କୁ ଦେଖିଣ ଋଷି ନାତେକ ମାଇଲେ

ଜଗନ୍ନାଥ ତାଙ୍କୁ ପଲ୍ୟଙ୍କରେ ବସାଇଲେ ।

ନ ଜାଣି ମାଇଲ ତୁମ୍ଭ ପାଦ ବ୍ୟଥା ହେବ

ଏଦୋଷ ଗୋଟିକ ମୁନି ମୋତେ ଯେ ଲାଗିବ ।

ତୁମ୍ଭର ଚରଣ ରଜ ଦେହରେ ଲାଗିଲା

ତେଣୁକରି ମୋର ଦେହ ପବିତ୍ର ହୋଇଲା ।

ଏ ତୁମ୍ଭର ପାଦରଜ ଯେଉଁ ପ୍ରାଣୀ ପାଇ

ଲକ୍ଷ୍ମୀ ତାହାର ଗୃହରେ ସଦା ରହିଥାଇ ।

ବିଷ୍ଣୁଙ୍କର ବଚନରେ ଭଣି ଭୃଗୁଋଷି

ବିଷ୍ଣୁଙ୍କର ଗୁଣ ତହିଁ ବୁଝିଲି ବିଶେଷି ।

ଆନନ୍ଦ ପାଇଣ ମୁନି ପୁଲକିତ ହେଲେ

ସରସ୍ୱତୀ କୁଳକୁ ସେ ବେଗେ ଚଳିଗଲେ ।

ସବୁ ଋଷିମାନଙ୍କର ଅଗ୍ରେ ଯାଇ କହି

ବିଷ୍ଣୁ ସବୁଠାରୁ ବଡ଼ ସନ୍ଦେହ ତ ନାହିଁ  

ସମସ୍ତଙ୍କଠାରୁ ବଡ଼ ଅଟନ୍ତି ଅନନ୍ତ

କୀଟୁଁ ବ୍ରହ୍ମ ପରିଯନ୍ତେ ତା ତହିଁ ଏକତ୍ର ।

ବିଷ୍ଣୁ ଗୁଣ ବିଶେଷିଣ କହି ମୁନିଗଣ

ଦେବଋଷି ବ୍ରହ୍ମଋଷି କରନ୍ତି ଗାୟନ ।

ହରିଙ୍କର ଅଙ୍ଗ କୀର୍ତ୍ତି ଅଟେ ହରିବଂଶ

ତାଙ୍କର ଚରିତ କହି କେ କରିବ ଶେଷ ।

ଶ୍ରୀହରିବଂଶ ଅଟଇ କର୍ଣ୍ଣକୁ ଅମୃତ

ପଢ଼ ନରନାରୀମାନେ ଭଣଇ ଅଚ୍ୟୁତ ।

 

ବିପ୍ରପୁତ୍ରର ପୁନର୍ଜୀବନ ଲାଭ

 

ଏଥୁଅନନ୍ତରେ ପୁଣି ସୁଭଦ୍ରାର ନାତି

ଭକତିଭାବ ହୋଇଣ ଶୁକଙ୍କୁ ପୁଚ୍ଛନ୍ତି ।

ଭୃଗୁମୁନି କହିଲେକ କୃଷ୍ଣଗୁଣ ଗାଥା

ତଦନ୍ତରେ ପୁନରୁପି ହେଲା କେଉଁକଥା ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନ

ଏଥୁଅନନ୍ତରେ ହେଲା ଯେଉଁ କଥାମାନ ।

ଦ୍ୱାରକାପୁରରେ ଥିଲା ଏକଇ ବ୍ରାହ୍ମଣ

ତାହାର ଗୋଟିଏ ପୁତ୍ର ହୋଇଲା ଜନମ ।

ଜନମ ହେବା ମାତ୍ରକେ ତାର ମୃତ୍ୟୁ ହେଲା

ଦେଖିକରି ବ୍ରାହ୍ମଣର ଶୋକ ଜନମିଲା ।

ମୋହର ଜ୍ଞାନରେ କିଛି ପାପ କରିନାହିଁ

ବ୍ରାହ୍ମଣର କଥାମାନ ନ ଶୁଣିଲେ କେହି ।

ଏମନ୍ତ ପ୍ରକାରେ ଥୋକେ ଦିନ ବହିଗଲା

ପୁଣି ବ୍ରାହ୍ମଣୀର ଗର୍ଭ ଉଦୟ ହୋଇଲା ।

ଯୁଧିଷ୍ଠିରଙ୍କର ଭାଇ ଅଟନ୍ତି ଅର୍ଜ୍ଜୁନ

ସେହୁ ଆସି ରହିଥିଲେ ଦ୍ୱାରକା ଭୁବନ ।

ସେହିକାଳେ ବ୍ରାହ୍ମଣର ପୁତ୍ରଜାତ ହେଲା

ଜନମ ଲଭିବା ମାତ୍ରେ ଯମପୁର ଗଲା ।

ପୁତ୍ରର ମରଣ ହ୍ୱନ୍ତେ କୁପିଲା ବ୍ରାହ୍ମଣ

ବେଗେ ପ୍ରବେଶିଲା କୃଷ୍ଣ ସିଂହଦୁଆରେଣ ।

ମହାଆତଙ୍ଗେ ବ୍ରାହ୍ମଣ କରଇ ଗୁହାରି

ମଲାପୁତ୍ରକୁ ପାଇବି କାହିଁ ଲୋଡ଼ିକରି ।

ଏ ପ୍ରକାରେ ମୋର ନବଗୋଟି ପୁତ୍ର ମଲା

ବ୍ରାହ୍ମଣ ଯାଇଣ କୃଷ୍ଣ ପାଖରେ କହିଲା ।

ଶ୍ରୀକୃଷ୍ଣର ପାଶେ ବସିଥିଲେ ଯେ ଅର୍ଜ୍ଜୁନ

ବ୍ରାହ୍ମଣ ଗୁହାରିକୁ ଶୁଣି ବିଦ୍ୟମାନ ।

ବ୍ରାହ୍ମଣର ମୁଖକୁ ଚାହିଁ ଅରଜୁନ କହି

କ୍ଷତ୍ରିବୀର୍ଯ୍ୟେ ଜାତ ହୋଇ ଏଥେ କେହି ନାହିଁ ।

କ୍ଷତ୍ରିୟ ପୁତ୍ର ଯଦ୍ୟପି ଏଥେ ରହିଥାନ୍ତା

ତୁମ୍ଭର ପୁତ୍ର ଜନମି କିପାଇଁ ମରନ୍ତା  

ଏବେ କ୍ରୋଧ ତେଜି ଏହିଠାରୁ ତୁମ୍ଭେ ଯାଅ

କିଛିଦିନ ନିଶ୍ଚିନ୍ତରେ ମନ୍ଦିରରେ ଥାଅ ।

ପୁତ୍ର ଜାତ ହେଲେ କହିବଟି ମୋତେ ଆସି

ମୁହିଁ ତୋର ପୁତ୍ରକୁ ଯେ ରଖିବି ବିଶେଷି ।

ଯଦ୍ୟପି ତୋର ପୁତ୍ରକୁ ରଖି ନ ପାରିବି

ଅନଳ ଜାଳିଣ ମିୁହିଁ ନିଶ୍ଚୟ ମରିବି ।

ଅର୍ଜ୍ଜୁନ ବଚନ ଶୁଣି ବୋଲଇ ବ୍ରାହ୍ମଣ

ଧନ୍ୟ ଧନ୍ୟ ଅଟୁ ତୁହି ବୀର ଅରଜୁନ ।

ମହିମଣ୍ଡଳେ ଧାନୁକୀ ଚୁଡ଼ାମଣି ତୁହି

ବହୁତ ଲୋକର ମୁଖେ ଶୁଣିଅଛି ମୁହିଁ ।

ତାହା ଶୁଣିଣ ବ୍ରାହ୍ମଣ ସବୁଙ୍କୁ କହିଲା

ଯୁଧିଷ୍ଠିର ସାନଭାଇ ରଖିବ ବୋଇଲା ।

ଏମନ୍ତେଣ ତହିଁ ଗଲା କେତେହେଁକ ଦିନ

ବ୍ରାହ୍ମଣୀ ପ୍ରସବ କଲା ଏକଇ ନନ୍ଦନ ।

ବେଗରେ ବ୍ରାହ୍ମଣ ଯାଇ ପାର୍ଥକୁ କହିଲା

ମୋହର ପୁତ୍ର ଗୋଟିଏ ଜନମ ହୋଇଲା ।

ତାହା ଶୁଣିଣ ଅର୍ଜ୍ଜୁନ ଗାଣ୍ଡୀବ ଧରିଣ

ତୁରିତେ ମିଳିଲା ଯାଇ ବ୍ରାହ୍ମଣ ଘରେଣ ।

ଗାଣ୍ଡୀବ ଧନୁରେ ଗୁଣଦେଇ ବୀରବର

ଦିବ୍ୟ ଶସ୍ତ୍ରମାନ ବାଛି ଧରେ ଧାତିକାର ।

ତଳର ପାଚେରୀମାନ ନିସନ୍ଧି କରିଣ

ଶସ୍ତ୍ର ପେଷିଣ ଅର୍ଜ୍ଜୁନ କଲେ ଆଚ୍ଛାଦନ ।

ପବନ ଦେବତା ତହିଁ ପଶି ନ ପାରିଲା

ଏମନ୍ତ କରି ଅର୍ଜ୍ଜୁନ ନାରାଚ ସନ୍ଧିଲା ।

ଏମନ୍ତ ସମୟେ ଶୁଣ ପଣୀକ୍ଷ ରାଜନ

ବ୍ରାହ୍ମଣର ପୁତ୍ରଜାତ ହେଲା ସେହିଦିନ ।

ବ୍ରାହ୍ମଣର ପୁତ୍ର ଜାତ ହୋଇଣ କାନ୍ଦିଲା

ତତକ୍ଷଣେ ଅନ୍ତର୍ଦ୍ଧାନ ହୋଇ କେଣେ ଗଲା ।

ଆନବେଳେ ପୁତ୍ରର ଯେ ଶବ ପଡ଼ିଥାଇ

ଏବେ ଶବ ସହ କେଣେ ଗଲାକ ଉଭାଇ ।

ଏମନ୍ତ ପ୍ରକାରେ ତହିଁ ଦେଖିଣ ବ୍ରାହ୍ମଣ

ଅର୍ଜ୍ଜୁନକୁ ବୋଇଲା ସେ ବଡ଼ ଧିକ୍‌କାରିଣ ।

ତହୁଁ ବ୍ରାହ୍ମଣ ବଚନେ ଚଳିଲା ଅର୍ଜ୍ଜୁନ

ବେଗେ ଯାଇ ପ୍ରବେଶିଲା ଯମର ଭୁବନ ।

ଅନୁସରିଣ ତାହାକୁ ବହୁତ ଖୋଜିଲା

ବ୍ରାହ୍ମଣ ପୁତ୍ରର ଚିହ୍ନ ବର୍ଣ୍ଣ ନ ପାଇଲା ।

ଫେରିଆସି ଶ୍ରୀକୃଷ୍ଣଙ୍କୁ ବୋଇଲେ ଅର୍ଜ୍ଜୁନ

ନିଶ୍ଚୟ ଅଗ୍ନିରେ ମୁହିଁ ହୋଇବି ଦହନ ।

ବ୍ରାହ୍ମଣ ଅଗ୍ନି ଜାଳିଛି ମରିବି ନିୟତ

ଧାଇଁ ଯାଇ ହସ୍ତ ତାର ଧଇଲେ ଅଚ୍ୟୁତ ।

ବ୍ରାହ୍ମଣ ପୁତ୍ରକୁ ବେଗେ ଆଣିବା ହେ ଯାଇଁ

ନନ୍ଦିଘୋଷ ସାଜ ବୋଲି ଦାରୁକ କୁ କହି ।

ଅର୍ଜ୍ଜୁନ ବୀରକୁ ସଙ୍ଗେ ଘେନିଣ ମୁରାରି

ନନ୍ଦିଘୋଷ ରଥପରେ ବେଗେ ବିଜେକରି ।

ଦାରୁକ ସାରଥୀ ବେଗେ ବାହିଲାକ ଯାନ

ବିଜେକଲେ ସ୍ୱର୍ଗପୁରେ ତହୁଁ ଦୁଇଜଣ ।

ସାତଗୋଟି ସମୁଦ୍ର ଯେ ସାତଟା ପର୍ବତ

ସେମାନଙ୍କୁ ଜିଣିଗଲେ ଅର୍ଜ୍ଜୁନ ଅଚ୍ୟୁତ ।

ତହିଁ ଉତ୍ତାରେ ପଡ଼ିଲା ଅନ୍ଧକାର ଭୂଇଁ

ସେଠାରୁ ତେଣିକି ଆଉ ପଥ ନ ଦିଶଇ ।

ନନ୍ଦିଘୋଷ ରଥ ଘେନି ନ ପାରିଲେ ଯାଇ

ସୁଦର୍ଶନ ଚକ୍ରବରେ ବୋଲନ୍ତି କହ୍ନାଇ ।

ଆଗରେ ବାଟ କଢ଼ାଅ ବୋଲି ଆଜ୍ଞା ଦେଲେ

ପଥ ଦିଶୁ ନାହିଁ ଯିବା କେମନ୍ତ ପ୍ରକାରେ ।

କୋଟିଏ ସୂର୍ଯ୍ୟର ତେଜ ଯେହ୍ନେ ବିରାଜଇ

ବାଟ କଢ଼ାଇଣ ଚକ୍ର ଆଗରେ ଚଳଇ ।

ପ୍ରଭୁ ରାମଚନ୍ଦ୍ରଙ୍କର କୋଦଣ୍ଡ ଯେସନ

ସୁଦର୍ଶନ ଚକ୍ର ତେଜ ଦିଶଇ ତେସନ ।

ଅନ୍ଧକାର ଭୂମି ମାଡ଼ି ବେଗେ ଚଳିଗଲେ

ତଦନ୍ତେ ଯାଇଁ କାଞ୍ଚନ ଭୂମିରେ ମିଳିଲେ ।

ସେ ଭୂମି ତେଜ ଦେଖିଲେ ଚକ୍ଷୁ ଝଲସଇ

ସୁଦର୍ଶନ ଚକ୍ରତେଜ ମିଳିଗଲା ତହିଁ ।

ସେହି କାଞ୍ଚନ ଭୂମିକି ପାର ହେବା ପରେ

ପ୍ରବେଶ ହୋଇଲେ ଯାଇଁ କ୍ଷୀର ସାଗରରେ ।

ସେ ମହାଜଳ ଅତ୍ୟନ୍ତ ନିର୍ମଳ ଅଟଇ

ତହିଁ ବିଜେ କରିଛନ୍ତି ଅନନ୍ତ ଗୋସାଇଁ ।

ସେହି ପୁର ଗୋଟିକ ଯେ ଅଟଇ ନିର୍ମଳ

ମଣି ମାଣିକ୍ୟ ନିର୍ମିତ ଅଟଇ ସକଳ ।

ସେହିପୁର ଗୋଟିକର ନାହିଁ ପଟାନ୍ତର

ଉପମା ନାହିଁ ତ ସ୍ୱର୍ଗ ମଞ୍ଚ ପାତାଳର ।

ବାସୁକୀ ଶିରେ ଅନନ୍ତ ଦେବ ଛନ୍ତି ଶୋଇ

ଏମନ୍ତ ପ୍ରକାରେ ଶୋଭା ଆଉ ନାହିଁ କାହିଁ ।

ବାସୁକୀର ସହସ୍ରକ ଫଣା ଶୋଭାବନ

ତହିଁର ଉପରେ ସ୍ୱାମୀ କରନ୍ତି ଶୟନ ।

ନିଶ୍ଚିନ୍ତରେ ଶୋଇଛନ୍ତି ପ୍ରଭୁ ଭଗବାନ

ତାହାଙ୍କୁ ଦେଖିଲେ ଯାଇ ଶ୍ରୀକୃଷ୍ଣ ଅର୍ଜ୍ଜୁନ ।

ସୀମସ୍ଥାନେ ଲକ୍ଷ୍ମୀ ପାଦତଳେ ସରସ୍ୱତୀ

ଏମାନେ ସର୍ବେ ତାଙ୍କରି ପାର୍ଶ୍ୱରେ ଅଛନ୍ତି ।

ବ୍ରହ୍ମା ଈଶ୍ୱରଙ୍କ ମୁଳେସର୍ବ ଦିଗପାଳ

ନାନା ପ୍ରକାର ବିଚାର କରନ୍ତି ସକଳ ।

ମୂର୍ତ୍ତିମନ୍ତ ହୋଇ ଦେବ ଛାମୁରେ ଅଛନ୍ତି

ପ୍ରଭୁଙ୍କ ମୁଖକୁ ଚାହିଁ କରୁଛନ୍ତି ସ୍ତୁତି ।

ଶ୍ରୀକୃଷ୍ଣ ଅର୍ଜ୍ଜୁନ ଯାଇ ତହିଁ ପ୍ରବେଶିଲେ

ଅନନ୍ତ ଶଯ୍ୟାରେ ଭଗବାନଙ୍କୁ ଦେଖିଲେ ।

ପ୍ରଣାମ କରିଣ ପାଦପଦ୍ମରେ ଶୋଇଲେ

ହରି ଅର୍ଜ୍ଜୁନଙ୍କୁ ଦେଖି ପ୍ରଭୁ ଆଜ୍ଞା ଦେଲେ ।

ପୃଥିବୀର ମହାଭାରା ନିବାରିବା ପାଇଁ

ଆମ୍ଭ ଆଜ୍ଞା ପାଇ ତୁମ୍ଭେ ଜନ୍ମିଅଛ ଦୁଇ ।

ସେଥି ନିମନ୍ତେ ତୁମ୍ଭଙ୍କୁ ନିଯୋଗିଲୁ ଆମ୍ଭେ

ଏତେ ଦିନଯାଏ କିପାଁ ରହିଅଛ ତୁମ୍ଭେ ।

ସେ କାରଣେ ଦେଖିବାର ନିମନ୍ତେ ତୁମ୍ଭଙ୍କୁ

ହରି ଆଣିଅଛୁ ଆମ୍ଭେ ବ୍ରାହ୍ମଣ ପୁତ୍ରକୁ   

ଏବେ ତୁମ୍ଭେ ଘେନିଯାଅ ବ୍ରାହ୍ମଣର ପୁତ୍ର

ସମର୍ପିବ ଦ୍ୱାରକାରେ ବିପ୍ରର ଅଗ୍ରତ ।

ତୁମ୍ଭେମାନେ ଆଉ କେବେ ବିଳମ୍ବ ନକର

ପୃଥିବୀର ମହାଭାର ଏବେ ଶୀଘ୍ର ସାର ।

ଏମନ୍ତ ବୋଲି ତାହାଙ୍କୁ ପ୍ରଭୁ ଆଜ୍ଞାଦେଇ

ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ନୃସାଇଁ ।

ଶ୍ରୀମୁଖ ଆଜ୍ଞା ପାଇଣ ଶ୍ରୀକୃଷ୍ଣ ଅର୍ଜ୍ଜୁନ

ସଙ୍ଗେ ଘେନିଲେ ସେମାନେ ବ୍ରାହ୍ମଣ ନନ୍ଦନ ।

ଦ୍ୱାରକାପୁରକୁ ଦୁହେଁ ବେଗେ ଚଳିଗଲେ

ପୁତ୍ରଙ୍କୁ ନେଇଣ ବ୍ରାହ୍ମଣର ପାଶେ ଦେଲେ ।

ଦେଖିଣ ବ୍ରାହ୍ମଣ ମହା ଆନନ୍ଦିତ ହେଲା

ବୋଇଲା ମୋହର ପୁତ୍ରକଷ୍ଟ ପାରଗଲା ।

ବ୍ରାହ୍ମଣ ଦେଖିଲା ଯହୁଁ ଶ୍ରୀକୃଷ୍ଣ ଚରିତ

ମହିମା ବର୍ଣ୍ଣନ କଲା ହୋଇ ତୋଷଚିତ୍ତ  

ଦିବ୍ୟଚକ୍ଷୁ ଫେଡ଼ି ଚାହିଁଦେଲା ଦ୍ୱିଜବର

ଦେଖିଲା ସେ ଶଙ୍ଖ ଚକ୍ର ଅଛଇ ହସ୍ତର ।

ନିସ୍ତରିଲି ବୋଲିକରି ଶୋଏ ଗଡ଼ଘାଲି

ବ୍ରାହ୍ମଣ ବୋଇଲା ତହୁଁ ପଦ୍ମପାଦେ ପଡ଼ି ।

ଜୟ ଜୟ ନିରଞ୍ଜନ ନିରାକାର ସ୍ୱାମୀ

ଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଅନ୍ତର୍ଯ୍ୟାମୀ ।

ଲକ୍ଷ୍ମୀର ବଲ୍ଲଭ ତୁହି ଦେବାଧିଙ୍କ ରାଜା

ସନକାଦି ମୁନିମାନେ କରି ପାଦପୂଜା ।

ଜଳ ସ୍ଥଳ ଅନଳରେ ତୁହି ଅଛୁ ପୂରି

ଶୁଭାଶୁଭ କର୍ମମାନ ପାରୁ ଆନକରି ।

ଅକ୍ଷୟ ଅଜରାମର କଳ୍ପାନ୍ତ ପୁରୁଷ

ତ୍ରିକାଳର କଥାମାନ ତୋତେସବୁ ଦୃଶ୍ୟ ।

ମଦ ମତ୍ସରାଦି ଅହଙ୍କାର ତୋର ନାହିଁ

ଅଛିଦ୍ର ପୂର୍ଣ୍ଣାନନ୍ଦ ତୁ ଅଲେଖ ଗୋସାଇଁ ।

ମୁଁ ତୋହର ଦାସର ଦାସ ଅଟଇ ଶ୍ରୀହରି

ଏତେ ବୋଲି ଦ୍ୱିଜବର ପ୍ରଣିପାତ କରି ।

ଜଗନ୍ନାଥ ବୋଇଲେକ ବିପ୍ର ମୁଖ ଚାହିଁ

ପୁତ୍ର ଘେନି ନିଶ୍ଚିନ୍ତରେ ଏବେ ଥାଅ ରହି ।

ଏମନ୍ତ ଦୟା ବ୍ରାହ୍ମଣେ କଲେ ଦୀନବନ୍ଧୁ

ଯେଣୁକରି ଅଟନ୍ତି ସେ କୃପାଜଳ ସିନ୍ଧୁ ।

ସୁଜନମାନେ ଭଜ ହୋ ନୀଳଗିରିବାସ

ଜନ ହିତ ପାଇଁ ଭଣେ ଶ୍ରୀଅଚ୍ୟୁତ ଦାସ ।

 

ଷୋଳସହସ୍ର ନାୟିକା ସହିତ ଶ୍ରୀକୃଷ୍ଣଙ୍କର ଜଳକେଳି

 

ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାୟ

ଶୁକମୁନିଙ୍କ ଚରଣେ କଲେକ ବିନୟ ।

ଭୋ ମୁନି ବ୍ରାହ୍ମଣ ପୁତ୍ରଦାନ ମୁଁ ଶୁଣିଲି

ଶ୍ରୀଭାଗବତ ଶୁଣିଣ ପାପଧ୍ୱଂସ କଲି ।

ତଦନ୍ତେ ଶ୍ରୀକୃଷ୍ଣ ପୁଣି କଲେ କେଉଁ କୃତ୍ୟ

ଏହାମୋତେ ସଂକ୍ଷେପିଣ କହ ବ୍ୟାସସୁତ ।

ରାଜାଙ୍କ ନିର୍ମଳ ଚିତ୍ତ ଦେଖି ଦୃଢ଼ଭକ୍ତି

ପୁରାଣ ପୁସ୍ତକ ଫେଇ କହି ଶୁକଯତି ।

ଶ୍ରୀଶୁକମୁନି ବୋଇଲେ ଶୁଣ ପରୀକ୍ଷିତ

ଏଥୁ ଅନନ୍ତରେ ପୁଣି ହେଲା ଯେଉଁ କୃତ୍ୟ ।

ଦ୍ୱାରକାରେ କୃଷ୍ଣ ଜଳକ୍ରୀଡ଼ା ଭିଆଇଲେ

ନରନାରୀମାନଙ୍କର ଚିତ୍ତ ସେ ମୋହିଲେ ।

ସର୍ବେମିଳି ଜଳକେଳି କଲେ କଉତୁକେ

ଜଳ ଫିଙ୍ଗାଫିଙ୍ଗି ହ୍ୱନ୍ତି ଏକକୁ ଆରେକେ ।

ଷୋଳ ସହସ୍ର ଅଟନ୍ତି ଶ୍ରୀକୃଷ୍ଣ ଯୁବତୀ

ତହିଁ ଅଷ୍ଟପାଟବଂଶୀ ପ୍ରଧାନ ଅଟନ୍ତି ।

ଏମାନଙ୍କୁ ଘେନିଣ ସେ ଜଲରେ କ୍ରୀଡ଼ନ୍ତି

ନାନାଦି ବିନୋବେ ଦିନମାନ ସେ ହରନ୍ତି ।

ଜଗତ ପ୍ରଭୁ ଅଟନ୍ତି ଦେବ ଭଗବାନ

ଖେଳରେ ତାଙ୍କର ମନ ହୋଇ ବର୍ଦ୍ଧମାନ ।

ପୁତ୍ର କନ୍ୟା ତାହାଙ୍କର ହୋଇଲା ବହୁତ

ବନ୍ଧୁ ବାନ୍ଧବ ତାଙ୍କର ଅଟେ ଅପ୍ରମିତ ।

ଅପାରୁଁ ଅପାର ପ୍ରଭୁ କଲେ ଗୃହାଶ୍ରମ

ସେହି ପ୍ରଭୁ ଅଟନ୍ତି ତ ସର୍ବ ପୁଣ୍ୟଧାମ ।

ସର୍ବଦାହିଁ ସେ ଅଚ୍ୟୁତ କେବେ ଚ୍ୟୁତ ନୋହି

ସକଳ ସ୍ତିରୀଙ୍କୁ ସେହୁ ଥାନ୍ତି ସୁଖେ ମୋହି ।

ତାହାଙ୍କୁ ଭକତି ଭାବେ ଯେ ନର ସେବଇ

ସଂସାରରେ ସେହୁ ଜନ୍ମ ମୃତ୍ୟୁ ନ ଲଭଇ ।

ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ

ଏକଲୟ କର ତୁମ୍ଭେ ପ୍ରଭୁଙ୍କର ପାୟେ ।

ଗୁଣାନୁବାଦ କରନ୍ତି ସର୍ବ ମୁନିଜନ

ଶ୍ରୀକୃଷ୍ଣ ପଦାରବିନ୍ଦ କରନ୍ତି ଭଜନ ।

ଏହି ଭବ ସମୁଦ୍ରରୁ ନିଶ୍ଚିନ୍ତେ ତରନ୍ତି

ନିଃସନ୍ଦେହେ ଯେଉଁ ପ୍ରାଣୀ କୃଷ୍ଣଙ୍କୁ ଭଜନ୍ତି ।

ଯେବେ ତରିବାକୁ ଇଚ୍ଛା ଭବଭୟ ବନ୍ଧ

ଏକଲୟ କରି କୃଷ୍ଣପାଦେ ଚିତ୍ତ ଛନ୍ଦ ।

ଏ ଭବସମୁଦ୍ରେ ଆନ ଉପାୟ ତ ନାହିଁ

ଏଥିରୁ ଶ୍ରୀକୃଷ୍ଣ ନିଶ୍ଚେଁ କରିବେଟି ତ୍ରାହି ।

ଦଶମସ୍କନ୍ଦରେ ଉକ୍ତ ଯେବଣ ଚରିତ

ଆଦ୍ୟ ପ୍ରାନ୍ତ ମଧ୍ୟ ତୁମ୍ଭେ ଶୁଣ ପରୀକ୍ଷିତ ।

ଯେହୁ ଏହା ଏକଚିତ୍ତେ ପଢ଼ଇ ଶୁଣଇ

ବିଷ୍ଣଙ୍କର ପ୍ରୀତିଅର୍ଥେ ଶ୍ରଦ୍ଧା ଯୁକ୍ତ ହୋଇ ।

ବଇକୁଣ୍ଠ ଭୁବନରେ ବସଇ ସେ ଜନ

ଯେ ଜନ ତାହାକୁ ନିତ୍ୟେ କରୁଥାଇ ଧ୍ୟାନ ।

ସଂକଳ୍ପ କରିଣ ଯେହୁ ପୂର୍ଣ୍ଣକରି ଶୁଣି

ବାଞ୍ଛା ସିଦ୍ଧ ତାହାର ଟି ହୁଏ ନୃପମଣି ।

ଅପୁତ୍ରୀ ପୁତ୍ରଲାଭ ଯେ ଅନ୍ଧ ଚକ୍ଷୁଦାନ

ଚତୁବର୍ଗ ଫଳପ୍ରାପ୍ତି ହୁଅଇ ସେ ଜନ ।

ସଂସାର ଜନଙ୍କ ହିତେ କଲଇଁ ପ୍ରକାଶ

ଅଚ୍ୟୁତକୁ ଉଦ୍ଧରିବେ ଦେବ ପୀତବାସ ।

ସନ୍ଥଜନମାନଙ୍କର ପାଦତଳେ ପଡ଼ି

ପ୍ରଣିପାତ କରଇ ମୁଁ କରପତ୍ର ଯୋଡ଼ି ।

ମୁର୍ଖ ଅପଣ୍ଡିତ ମୁହିଁ ନ ଜାଣଇ କିଛି

ଗୋପୀନାଥଙ୍କ ପ୍ରସାଦେ ମୁଁ ଏହା କହୁଛି ।

କୃଷ୍ଣ ପାଟବଂଶୀ ବିଭା ହୋଇଲା ସଂପୂର୍ଣ୍ଣ

କୃଷ୍ଣ ପାଦତଳେ ଥାଉ ଅଚ୍ୟୁତର ମନ ।

ଯାର ମାୟା ଅଟେ ଦେବ ଦୈତ୍ୟେ ଅଗୋଚର

ସେ ପ୍ରଭୁ ହୋଇଲେ ଆସି ମର୍ତ୍ତ୍ୟେ ଅବତାର ।

ଦୁଷ୍ଟ ଦୈତ୍ୟ ବଧକରି ସାଧୁଜନ ହିତେ

ନାନା ଅଦଭୁତ କର୍ମ କଲେ ସେ ଜଗତେ ।

ସେ ଦିବ୍ୟ ଚରିତ ଯେହୁ ଶ୍ରବଣେ ଶୁଣଇ

ସଂସାର ବନ୍ଧନୁ ତରି ବୈକୁଣ୍ଠେ ବସଇ ।

ସବୁଛାଡ଼ି ସାଧୁଜନେ ଘୋଷ କୃଷ୍ଣନାମ

ଶ୍ରୀହରି କୃପାରୁ ଅନ୍ତେ ଯିବ ମୋକ୍ଷଧାମ ।

ହରିବଂଶ ଷଷ୍ଠଖଣ୍ଡ ଶେଷ ହେଲା ଏଥେ

କୃଷ୍ଣଙ୍କୁ ଭେଟିବେ ଜନେ ଚଳ ଏହିପଥେ ।